ଗଳ୍ପ

ପ୍ରଭା

Dr Sharat Chandra Parida's odia story Prabhaa

ସେଥିପାଇଁ ଲୋକେ କହନ୍ତି- ମା’ ବାପ ଠାରୁ ସୋଦର ନାଇଁ, ଆଖୁଗୁଡ଼ଠାରୁ ମଧୁର ନାଇଁ ।

ପ୍ରଭା

ପଢୁ ପଢୁ ଟିକିଏ ବୋର୍ ଲାଗିଲା । ରୋଷେଇ ଘର ଆଡ଼େ ମୁହାଁଇଲି । ଶୁଣିଲି ପଡ଼ିଶା ଘରର କୁନି ଝିଅ ବୁନୁ ରାହା ଧରି କାନ୍ଦୁଚି । ତାକୁ ମୁଁ ବେଳେ ବେଳେ ଧରେ । ତାହାର ଏହି କାନ୍ଦ ମୁଁ ସହି ପାରିଲି ନାଇଁ । ଶ୍ରୀମତୀ କହିଲେ, “ଶୁଣୁଚ, ବୁନୁ କେମିତି ଗଳା ଫଟେଇ କାନ୍ଦୁଚି ।” ଶ୍ରୀମତୀ ବନ୍ଧା କୋବି ସରୁ ପନିକିରେ କାଟୁ କାଟୁ କହିଲେ- “ହଁ ପରା, ଚାଲୁ ଚାଲୁ ଝୁଣ୍ଟି ପଡ଼ିଥିବ, ଜନ୍ଦା ବା ପିମ୍ପୁଡ଼ି କିଏ ରୁଟ୍ କିନା କାମୁଡ଼ି ଦେଇଥିବ, ଖଟରୁ ଗଡ଼ି ପଡ଼ିଥିବ କିମ୍ୱା ଧରୁ ଧରୁ ହାତରୁ ଖସି ପଡ଼ିଥିବ । ସେ କ’ଣ ହେଲା ଭଳିଆ ହେଉଚି । ଏଗାର ମାସର ପିଲାଟା, ଦଣ୍ଡେ ଥିର ହୋଇ ରହୁ ନାଇଁ । ଚିତଳ ମାଛ ଭଳିଆ ଚଟକିନା ଓଲଟି ପଡୁଚି । କୋଳରେ ଜମା ରହୁ ନାଇଁ । ନୂଆ ନୂଆ ଉଠୁ ଥିବା ଦାନ୍ତରେ ଯାହା ପାଉଚି ରେଗେଡ଼ି କାମୁଡୁଚି । ସେ ପ୍ରଭା ବୋଲି ତାକୁ ସମ୍ଭାଳେ । ସବୁବେଳେ ପ୍ରଭା ଅଣ୍ଟାରେ ନଟକି ଥାଏ । ଜୁଳୁ ଜୁଳୁ କରି ଅନେଇ ଥାଏ ।

ତୁମେ ଜାଣିଚ ନା, ପ୍ରଭା ବହୁତ ଦୁଃଖିନୀ । ମୁଁ କିନ୍ତୁ ପ୍ରଭାକୁ ଏଇ ଛଅ ମାସ ହେଲା ଦେଖୁଚି । ପଡେ଼ାଶୀ ଘର ବେଙ୍ଗଲି ପରିବାର । ଉଚ୍ଚ ଶିକ୍ଷିତ । ଭଦ୍ର । ବଡ଼ ଝିଅ ଚାକିରିଆ । ବାନାର୍ଜୀ ସାହେବ ଓ ଶ୍ରୀମତୀ ବାନାର୍ଜୀ ମଧ୍ୟ ଚାକିରୀରୁ ଅବସର ପ୍ରାପ୍ତ । ଜ୍ୱାଇଁ ଦୂରରେ ରହୁଥିବାରୁ ଝିଅ ପାଖରେ ରହୁଛନ୍ତି । ପରିବାର ସ୍ୱଚ୍ଛଳ । ଗୋଟିଏ ବୋଲି ନାତି ଈଶାନ୍ । ଭାରି ଗେଲବସରିଆ । ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢେ଼ । କୁନି ନାତୁଣୀ ବୁନୁ ଆସିଲା ପରେ ତା’ର ଦେଖା ଚାହାଁ କରିବା ପାଇଁ ଜଣେ ମହିଳା ଲୋଡ଼ା । ବନ୍ଧୁବାନ୍ଧବ ଚିହ୍ନାଜଣା ସବୁଆଡ଼େ ଖୋଜା ଖୋଜି ଚାଲିଲା । ଶେଷରେ ଜଣେ ଦୂର ସମ୍ପର୍କୀୟ ଜୁଟିଲେ । ନାଁ ତାଙ୍କର ପ୍ରଭା ।

ଦେହର ବର୍ଣ୍ଣ ଗୌର । ହେଲେ ଦିନରେ ଚନ୍ଦ୍ରପ୍ରଭା ପରି କ୍ଳାନ୍ତିହୀନ । ଔଜଲ୍ୟ ବଦଳରେ ଉଦାସୀନତାର ଛାୟା ସର୍ବାଙ୍ଗକୁ ଗ୍ରାସି ଯାଇଥାଏ । ବୟସ ପଇଁଚାଳିଶ ସରିକି । ବସ୍ତ୍ର ପରିଷ୍କାର । କଥା କମ୍ । ମଥାରେ ଆଞ୍ଚଳ । ଗୋଟିଏ କାଖରେ ବୁନୁ, ଆର ହାତରେ ଘର ପାଇଟି । ବିଶ୍ରାମ ମିଳିଲେ ଦୁଇ ହାତରେ ଖେଳା ଯାଏ ବୁନୁ । ମହୁମାଛି ମଧ୍ୟ ଏମିତି ବ୍ୟସ୍ତ ରହି ନପାରେ । ତେଣୁ ଘରର ସବୁ କାମ ବାହି ନେବାରେ କିଛି ଅସୁବିଧା ହୁଏ ନାଇଁ ।”

ନିକଟ ଦଶହରା ପୂର୍ରୁ ବାନାର୍ଜୀ ସାହେବଙ୍କ ଜ୍ୱାଇଁ ଆସିଥିଲେ କୋଲକତାରୁ । ସେଠାରେ ସେ ଚାକିରୀ କରନ୍ତି । ଫେରିଲା ବେଳେ ପ୍ରଭା ବାହାରିଲେ । ମୁଁ ଛଅ ମାସ ହେଲା ଆସିଲିଣି । ଘର କଥା ମନେ ପଡୁଛି । ଖାଲି ଯିବି, ବୁଲି ପଳାଇ ଆସିବି । ପ୍ରଭାଙ୍କ ଘର ମଧ୍ୟ ସେହି କୋଲକତାରେ । ଏକଥା ଶୁଣି ବାନାର୍ଜୀ ସାହେବଙ୍କ ପରିବାରରେ ନଈରେ ହଠାତ୍ ନୂଆ ପାଣି ଆସିଲା ପରି ଚିନ୍ତା ବଢ଼ିଗଲା । କେତେ କଷ୍ଟରେ ମିଳିଚି ପ୍ରଭା । ଥରେ ଚାଲିଗଲା ପରେ ଆଉ ଯଦି ନଆସେ, ତେବେ କଥା ସରିଲା । ସମସ୍ତେ ଭାଳେଣିରେ ପଡ଼ି ଯିବାର ଦେଖି ପ୍ରଭା କଥା ଦେଲେ- “ମୋ ଉପରେ ଭରସା ରଖନ୍ତୁ । ମୁଁ କେବେ ଦଗା ଦେବି ନାଇଁ । ନିଶ୍ଚୟ ଆସିବି । ଚିନ୍ତା ଛାଡ଼ନ୍ତୁ ।” ବଡ଼ ଚିନ୍ତାକୁଳ ଅବସ୍ଥାରେ ଛାଡ଼ି ଜ୍ୱାଇଁ ବାବୁଙ୍କ ସହିତ ପ୍ରଭା ବାହାରିଲେ । ସମଲେଶ୍ୱରୀ କେତେବେଳେ କେଉଁଠି ପହଞ୍ଚୁଥାଏ ଘଡ଼ିକି ଘଡ଼ି ଫୋନ୍ କରି ବୁଝୁଥାନ୍ତି ବାନାର୍ଜୀ ସାହେବ ।

କୋଲକତାରେ ପ୍ରଭାଙ୍କର ଘର କହିଲେ ଏକ ଅଠର ଶହ ବାଆଷଠିଆ କୋଠା । କାନ୍ଥରେ ସବୁ ଶିଉଳିର ଗାଲିଚା । ଖଣ୍ଡେ ଖଣ୍ଡେ ଇଟା କାନ୍ଥରୁ ଖସି ପଡ଼ିଲାଣି । ଥାନେ ଥାନେ ବରଗଛ ଉଠି ହାତର ଲମ୍ୱ ହୋଇଗଲାଣି । ଛାତ ଫାଟି ପାଣି ଗଳୁଚି । ଉପରେ ବନ୍ଧା ହୋଇଛି ପଲିଥିନ୍ । ମରହଟିଆ କବାଟ ଝରକା ଜରାଗ୍ରସ୍ତ ଅବସ୍ଥାରେ । ସେଥିରେ ଯୋଡ଼ ହୋଇଥିବା କାଠ ଅହିନକୁଳ ପରି କେହି କାହା ସାଙ୍ଗରେ ମିଶୁ ନଥାନ୍ତି । ଘର ବାହାରେ ଯୌନ ବାର୍ଦ୍ଧକ୍ୟକୁ ଅଟ୍ଟହାସ୍ୟ କଲା ପରି ଦାରିଦ୍ର୍ୟ ଭଙ୍ଗିଳ ପାଚେରୀରେ ଲହଡ଼ି ଭାଙ୍ଗୁଥାଏ । ଭୋର୍ ଭୋର୍‌ରୁ ମାମା ମାମା ଡାକି ଦାଣ୍ଡ କବାଟ ଠକ୍ ଠକ୍ କଲେ ପ୍ରଭା । ସନ୍ତାନ ଯେତେ ଅଧିକ ବୟସର ହେଲେ ମଧ୍ୟ ବାପା/ମା’ଙ୍କ ନିକଟରେ ସେମାନେ ଚିର କୁମାର ଚିର କୁମାରୀ । ହଠାତ୍ ଝିଅର ପାଟି ଶୁଣି ଅଶୀ ବର୍ଷର ମା’ ମନ ଆଷାଢ଼ ମାସରେ ବର୍ଷା ପରି ଆନନ୍ଦରେ ପୂରି ଉଠିଲା । ଦୀର୍ଘ ଛଅ ମାସ ହେଲା ମା’ ମୋର କୋଉ ଦୂର ରାଇଜକୁ ଯାଇଥିଲା ଯେ, ତା’ର ଠିକଣା ମୁଁ ଜାଣେ ନାଇଁ । ଆଜି ମୋ ଝିଅ ମୋ ପାଖକୁ ଫେରି ଆସିଚି । ସେଥିପାଇଁ ଲୋକେ କହନ୍ତି- ମା’ ବାପ ଠାରୁ ସୋଦର ନାଇଁ, ଆଖୁଗୁଡ଼ଠାରୁ ମଧୁର ନାଇଁ । ଖୁସିରେ ମା’ ପାଦ ଭୂଇଁରେ ଲାଗୁ ନଥିଲା । ରାତି ଫର୍ଚ୍ଚା ହୋଇଗଲାଣି । କାଉମାନେ କା’ କା’ ରାବିଲେଣି । ସୁଲୁସୁଲିଆ ପବନ ବହିଲାଣି ଦେହଟା ଶୀତେଇ ଯାଉଥିଲେ ମଧ୍ୟ ବୁଢ଼ୀ ମା’ ଦାଣ୍ଡ କବାଟ ଖୋଲିଲେ । ଝିଅକୁ ଦେଖି ମା’ ଆଖିରୁ ଝର ଝର ହୋଇ ଅମାନିଆ ଲୁହ ଗଡ଼ି ଯାଉଥାଏ । ଝିଅ ମୁଣ୍ଡରେ ଆଶୀର୍ବାଦର ହାତ ବୁଲାଇ ଆଣି ବୁକ ଦେଲେ । ହଁ, କି ଆଶିଷ ଦେବେ । ଅୟି ସୁଲକ୍ଷଣୀ ଭବ ବୋଲି କହିପାରୁ ନାହାଁନ୍ତି । ଜିଭ ଲେଉଟି ଆସୁଛି । କୋଉ ମା’ ନ ଚାହେଁ ତା’ର କୁଳନନ୍ଦିନୀ ଭଲ ଘର ଭଲ ବର ଦେଖି ବିଭା ହେଉ, ସୁଖ ସମୃଦ୍ଧିରେ ତା’ ଶାଶୂଘରେ ଦିନ କାଟୁ, ପିଲା ଛୁଆର ମା’ ହୋଇ ଘର ସଂସାର କରୁ । କିନ୍ତୁ ହାୟ, ହତଭାଗିନୀର ବାପ ଅକାଳରେ ଝଡ଼ି ପଡ଼ିବାରୁ ମୁଁ ସ୍ତ୍ରୀଲୋକଟା କିଛି କରି ପାରିଲି ନାଇଁ । ସେ ଥିଲାବେଳେ ବାରଧନ୍ଦା କରି ଘର ଚଳାଉଥିଲେ । ନ ବଳିଲେ ମଧ୍ୟ ନିଅଣ୍ଟ ହେଉ ନ ଥିଲା । ପ୍ରଥମେ ଜନ୍ମ ନେଇ ଥିଲା ପ୍ରଭା । କନ୍ୟର୍ରତ୍ନ ଲାଭ ହେଲା ବୋଲି ପ୍ରଭା ବାପା କେତେ ଖୁସି ହେଉ ନଥିଲେ । ତା’ର ଦୁଇବର୍ଷ ପରେ ଭୂମିଷ୍ଠ ହୋଇଥିଲା ପରମେଶ । ଝିଅଟି ପରେ କୁଳନନ୍ଦନ ପରିବାରକୁ ଆସି ଥିବାରୁ ଆନନ୍ଦର ସୀମା ନଥିଲା । ସୁଖର ଦିନଗୁଡ଼ିକ ଗଡ଼ି ଚାଲିଥିଲା । କିନ୍ତୁ ବିଧାତା ସୁଖୀ ପରିବାରର ଏ ସୁଖ ବେଶି ଦିନ ସହି ପାରିଲା ନାଇଁ । ହଠାତ୍ ଦିନେ ଦୋକାନ ବନ୍ଦ କରି ରାତିରେ ଫେରୁଥିଲା ବେଳେ ଅଜଣା ଟ୍ରକ୍ ଚାପାରେ ପ୍ରଭା ବାପାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ବହୁ କଷ୍ଟରେ ପ୍ରଭା ବାପାଙ୍କ ଶୁଦ୍ଧି କ୍ରିୟା ସରିଲା । ପ୍ରଭାକୁ ସେତେବେଳେ ଦଶବର୍ଷ । ପୁଅକୁ ଆଠ । ଏହି ନାବାଳକ ପିଲା ଦୁଇଟିକୁ ନେଇ କେମିତି ଜୀବନ ବିତାଇବି ତା’ର କୂଳକିନାରା କିଛି ଦିଶୁ ନଥିଲା । କିଛି ବୁଦ୍ଧି ନ ଦିଶିବାରୁ ସ୍ୱାମୀଙ୍କ ଦୋକାନଟିକୁ ଦିନେ ବିକ୍ରି କରି ଦେଇଥିଲେ । ଯାହା ମିଳିଲା ପିଲା ଦୁଇଟିକୁ ପାଳିପୋଷି କିଛିଦିନ ପାଠ ପଢ଼ାଇଲେ । ତା’ପରେ ଚଉଦିଗ ଅନ୍ଧାର । କୂଳବଧୂ । କିଛିଦିନ ଭୋକ ଉପାସରେ ରହିଲା ପରେ ଆଉ ପିଲାଙ୍କ ଦୁଃଖ ସହି ପାରିଲେ ନାହିଁ । ଅଗତ୍ୟା ପର ଘରେ ବାର ପାଇଟି କରିବାକୁ ବାହାରିଲେ । ଲୁଗା ଧୋଇଲେ । ବାସନ ମାଜିଲେ ।

ପୁଅ ବଡ଼ ହେଲା । ଦି’ଅକ୍ଷର ପଢ଼ି ଥିବାରୁ ଛୋଟ ଚାକିରୀଟିଏ କଲା । ଘର ଚଳିବାରେ ଅସୁବିଧା ହେଲା ନାଇଁ । ପ୍ରଭାର ବିଭାଘର ପ୍ରସ୍ତାବ ମା’ ପକାଇବାରୁ ପ୍ରଭା ମନା କରିଥିଲା । ନାଇଁ, ମୁଁ ପଳାଇ ଗଲେ ତୁ ଏକା ହୋଇଯିବୁ । ପ୍ରଥମେ ସୁନାନାକୀ ବୋହୂଟି ଘରକୁ ଆଣ । ତା’ପରେ ମୋ କଥା ବୁଝାଯିବ । ତାହା ହିଁ ହେଲା ।

ଘରକୁ ସଖୀ କଣ୍ଢେଇ ପରି ଦୁଇଟି ସନ୍ତାନ ଆସିଲେ । ବଡ଼ଟି ଝିଅ, ସାନଟି ପୁଅ । ଘର ପୂରି ଉଠିଲା । ଗୃହଲକ୍ଷ୍ମୀଙ୍କ ଆଗମନରେ ଭଣ୍ଡାର ଘର ମଧ୍ୟ ଭରିଗଲା । ହଠାତ୍ ଦିନେ ପୁଅ କହିଲା- “ମା’ ମୋ ଗୋଡ଼ ଦୁଇଟି ଆଉ ଚଳୁ ନାହିଁ ।” ସେ ବସିବା ଜାଗାରୁ ଉଠି ପାରିଲା ନାଇଁ । ଶେଯରେ ପଡ଼ି ରହିଲା । ଛଅ ପ୍ରାଣୀ କୁଟୁମ୍ୱକୁ ଜଣେ ରୋଜଗାରିଆ । ସେ ମଧ୍ୟ ଅକର୍ମଣ୍ୟ । ବହୁ ଚେଷ୍ଟା କଲୁ ମା’ ଓ ଭଉଣୀ । ବିଧି ପ୍ରତିକୂଳ ହେଲେ ସବୁ ସାଧନା ବିଫଳ ହୁଏ । ଧୀରେ ଧୀରେ ପୁଅ ନିବଳ ହୋଇ ଗଲା । ଷାଠିଏ ହାତ ମଇ ଆସି ଦା’ ବେଣ୍ଟରେ ରହିଲା । ରୋଜଗାର ବାଟ ବନ୍ଦ । ବେମାରର ଦାଉ ଅଧିକ । ଖାଳେଇ ଗଲା, ମାଳେଇ ବି ଗଲା । ଚାହୁଁ ଚାହୁଁ ଘରକରଣା ଶାଣ୍ଠ ଗୋଟିକ ପରେ ଗୋଟିଏ ବିକ୍ରି ହୋଇଗଲା । ହାଣ୍ଡି ମାଙ୍କଡ଼ଚିତ୍ ମାରିଲା । ଅବସ୍ଥା ବାରଣ୍ଡା ଦି’କଡ଼ାରେ ପହଞ୍ଚିଲା । ମା’ର ବୟସ ଅଧିକ । ଝିଅର ଯୁବା ବୟସ । କିଏ ଯିବ ପରଘର ପାଇଟି କରି । ପ୍ରଭା ବେଶି ପାଠ ପଢ଼ି ନଥିବାରୁ ଚାକିରୀ ପାଇଁ ପାରଗ ନଥିଲା । ବନ୍ଧୁବାନ୍ଧବ ଭିତରେ କିଏ ସାହାଯ୍ୟ ସହଯୋଗ ଲୋଡ଼ିଲେ ପ୍ରଭା ଯାଏ । ଯାହା ଖୁସିରେ ମିଳେ ତାହା ସମୁଦ୍ରକୁ ଶଙ୍ଖେ । ପ୍ରଭା ସ୍ଥିର କଲା, ଯେଉଁ ପେଟକୁ ମୁଠାଏ ଦାନା ଓ ଦେହକୁ ଖଣ୍ଡେ କନା ଯୋଗାଡ଼ କରିବା କାଠିକର ପାଠ, ସେଠି ପୁଣି ବିବାହ କ’ଣ ? ଧନ ଯଉବନ ଜୁଆରପାଣି, ସବୁେବଳେ ନଥାଏ ଉଜାଣି । ମା’ ଜନ୍ମ ଦେଇଚି ବୋଲି କ’ଣ କର୍ମ ଦେଇଚି । ଭାଇ ତ ଅକର୍ମଣ୍ୟ, ପିଲା ଦୁଇଟି ଅବୋଧ । ମା’ ବୃଦ୍ଧା । ଏମାନଙ୍କୁ ଛାଡ଼ି କେମିତି ବାହା ହୋଇ ପରଘରକୁ ଯିବି । ଗୋଟିଏ ସଂସାର ଗଢ଼ିବାକୁ ଯାଇ ଆଉ ଗୋଟିଏ ସଂସାର ଭାଙ୍ଗି ଦେବି କେମିତି ? ବରଂ ଓଥରୀ ହୋଇ ରହିଯିବି । ସାନ ଭାଉଜ କଣ୍ଢେଇ କରି ବଜାରକୁ ପଠାନ୍ତି । ନିଜେ ସିଲେଇ କରିବାକୁ ଯା’ନ୍ତି । ଯାହା ମିଳେ ମାସକ କୋଡ଼ିଏ ଦିନ ଯତର କତର ଚଳିଯାଏ ।

ପ୍ରଭାର ବିଭା ବୟସ ଗଡ଼ିଗଲାଣି । ସ୍ୱପ୍ନ ଦେଖିବା ସରିଗଲାଣି । ଖାଲି ଆୟୁଷ ସରିବା ପର୍ଯ୍ୟନ୍ତ ଜୀଇଁବା କଥା । ମା’ ତୋ ଦେହ କେମିତି ଅଛି ବୋଲି ମା’ ଦେହରେ ହାତ ବୁଲାଇ ଆଣିଲେ । ଭଲମନ୍ଦ ପଚାରିବା ଭିତରେ ସାନ ଭାଉଜ ଉଠି ଆସି ମୁଣ୍ଡିଆ ମାରିଲା । ପାଟି ଶୁଣି ପିଲା ଦୁଇଟି ଉଠି ଆସି ବାଁ ଡାହାଣ ହୋଇ ପିଉସୀ ଦେହରେ ଘଷି ହେଲେ । ତା’ କାନି ଟାଣି ପକାଇଲେ, ବ୍ୟାଗ୍ ଉଣ୍ଡାଳି ପକାଇଲେ । ଛଅ ମାସ ପରେ ପିଉସୀଙ୍କୁ ଦେଖୁଛନ୍ତି । ସବୁଦିନେ ପିଉସୀଙ୍କୁ ମନେ ପକାନ୍ତି । କୁଆଡ଼େ ଯାଇଚି ଯେ, ଯାଇଚି । ଆଜି କିନ୍ତୁ ପିଉସୀ ଫେରି ଆସିଚି । ପର ଘରେ ପାଇଟି କଲେ କ’ଣ ହେବ ପିଲା କ’ଣ ସେ କଥା ବୁଝିବେ । ସେମାନଙ୍କ ମନ କଥା ଜାଣି ପିଉସୀ ସେମାନଙ୍କ ପାଇଁ କେତେ ଦରବ ଆଣିଚି । କଥାରେ ଅଛି ପରା, ମା’ର ଅଧା ମାଉସୀ, ବାପର ଅଧା ପିଉସୀ । ଝିଆରୀ ପାଇଁ ଫ୍ରକ୍, ପୁତୁରା ପାଇଁ ଜାମା ପ୍ୟାଣ୍ଟ୍, ସାନ ଭାଉଜ ପାଇଁ ଶାଢ଼ୀ, ଭାଇ ପାଇଁ ଚାଦର, ମା’ ପାଇଁ କମଳ କିଣି ଆଣିଥିଲେ । ମିଠା ଓ ଖେଳନା ଆଣିବାକୁ ମଧ୍ୟ ଭୁଲି ନଥିଲେ । ସମସ୍ତଙ୍କ ମନରେ ଆନନ୍ଦ କହିଲେ ନସରେ । ଛଅ ମାସର ଆୟ ପ୍ରଭା ମା’ଙ୍କୁ ଧରାଇ ଦେଲେ । ଗଲାବେଳେ ଶ୍ରୀମତୀ ବାନାର୍ଜୀ ଖୁସିରେ କିଛି ହାତ ଖର୍ଚ୍ଚା ଦେଇଥିଲେ । ସେଥିରେ ସେ ପରିବାର ପାଇଁ କିଛି ଖର୍ଚ୍ଚ କରିଥିଲେ । ଅଳପ ଧନ, ବିକଳ ମନ । ଅବଶିଷ୍ଟ ଅର୍ଥରେ ବାନାର୍ଜୀ ସାହେବଙ୍କ ପରିବାରର ସଦସ୍ୟଙ୍କ ପାଇଁ ଅଳ୍ପ ମୂଲ୍ୟର ଖଣ୍ଡେ ଖଣ୍ଡେ ପୋଷାକ କିଣିଥିଲେ ବଡ଼ ଶ୍ରଦ୍ଧାରେ ।

ପ୍ରଭାର ଫେରିବା ବେଳ ହେଲା । ଦଶହରା କଣ୍ଟ ପୁରିଗଲା । ପରିବାରକୁ ଏ ଦୁରାବସ୍ଥାରେ ଛାଡ଼ି ଦୂର ରାଇଜକୁ ଯିବା ପାଇଁ ପ୍ରଭାର ମନ କହୁନଥିଲା । ବସିବା ଠାରୁ କାଶିବା ଭଲ । ନା, ସେ ଯିବ । ଏଣେ ଫୋନ୍ ପରେ ଫୋନ୍ । ପ୍ରଭାର ବୁନୁ କଥା ମନେପଡ଼ିଲା । ପାଟି ନଫିଟିଲେ ବି ସେ ତାକୁ ଖୋଜୁଥିବ । ଭାରି ହଇରାଣ ହେଉଥିବ । ଭାରି ହଇରାଣ କରୁଥିବ । ନ ହେଉନ୍ତୁ ସେମାନେ ପଛେ ନିଜର । ରକ୍ତର । କିନ୍ତୁ ଗୋଟିଏ ମାୟା ମୋହ ତ ଲାଗି ଯାଇଚି । ସେମାନେ ମୋ ଉପରେ ନିର୍ଭର କରୁଛନ୍ତି । ମୁଁ ସେମାନଙ୍କର ସେବାରେ ଲାଗିପାରୁଛି । ଅଲୋଡ଼ା ଜୀବନ ଏ ଦୁନିଆଁରେ କାହାକୁ ତ ସେବା ଯୋଗାଇ ପାରୁଚି । ଭଗବାନଙ୍କ ଉପରେ ଆସ୍ଥା ରଖି ସମଲେଶ୍ୱରୀରେ ବସିଲେ ପ୍ରଭା । କିଏ ବା ଅଛି ଷ୍ଟେସନ୍ ଯାକେ ଆସି ବଳାଇ ଦେବ ।

ଟ୍ରେନ୍ ଛାଡିଲା । ପ୍ରଭାଙ୍କ ଆଖି ଛଳ ଛଳ । ପଛରେ ଛାଡ଼ି ଆସିଥିବା ଦୃଶ୍ୟ ରାଜି ଗୋଟି ଗୋଟି ହୋଇ ଆଖି ଆଗରେ ଭାସି ଉଠିଲେ । ମା’ କାନ୍ଦି କାନ୍ଦି କହୁଥିଲା- “ମୁଁ ତ ପାଚିଲା କୋଳି, ଟୁଳୁଟୁଳୁ ହେଉଚି । କେତେବେଳେ ଖସି ପଡ଼ିବି କିଏ ଜାଣେ । ତୋତେ ମୁଁ କ’ଣ ଦେଖିପାରିବି ନାଇଁ ?” ଛୁଆ ଦି’ଟା କାନି ଟାଣି କହୁଥିଲେ “ତୁମେ ଅପା ଆଉ ଦୂରଦେଶ ଯା’ ନା ।” ଶେଯରେ ଶୋଇ ଭାଇ ଅଶ୍ରୁଳ ନେତ୍ରରେ ବିଦାୟ ଜଣାଇଥିଲା । ସାନ ଭାଉଜ ବଡ଼ ବ୍ୟଗ୍ରରେ କହୁଥିଲା- “ଅପା ! ଦୋଳ ବେଳକୁ ତମେ ନିଶ୍ଚୟ ଆସିବ. . . ।”

ପ୍ରଭା ପହଞ୍ଚି ଥିଲେ ତାଙ୍କର କର୍ମ ସ୍ଥଳରେ । ସକାଳୁ ସକାଳୁ ମୋର ଦେଖା ହେବା ମାତ୍ରେ ଭାଇ ସାହେବ, ନମସ୍କାର ବୋଲି କହିଲେ । ସୌଜନ୍ୟ ଦୃଷ୍ଟିରୁ କେମିତି ଆସିଲେ ବୋଲି କୁଶଳ ପ୍ରଶ୍ନ କଲି । ବାସ୍ ! ମଧ୍ୟାହ୍ନରେ ଶ୍ରୀମତୀ ଘରେ ସମସ୍ତେ ଭଲ ତ ବୋଲି ପଚାରିବାରୁ ପ୍ରଭା କହିଥିଲେ, “କ’ଣ ଭଲ ଭାବୀ ? ଭାଇଟା ବହୁତ କଷ୍ଟ ପାଉଚି । ଏତେ ଅଭାବ ଭିତରେ ପ୍ରଭୁ ତାକୁ ଖାଲି ହନ୍ତସନ୍ତ କରୁଛନ୍ତି । ତାକୁ କାହିଁକି ମୁକ୍ତି ଦେଉ ନାହାନ୍ତି ।

ଏଠାରେ ମୋର କିଛି ଅଭାବ ନାଇଁ । ମୋତେ ଭଲ ମନ୍ଦ ଚିଜ ଖାଇବାକୁ ଦେଲେ ମୋ ଟିକି ପୁତୁରା ଝିଆରୀଙ୍କ ଆକୁଳ କଥା ମନେ ପଡ଼େ । ମୁଁ ପାଟିରେ ଦେବି କ’ଣ, ଆଖିରୁ ତତଲା ଲୁହ ଟପ୍ ଟପ୍ ଝରିପଡ଼େ”- ଭାବବିହ୍ୱଳ ହୋଇ କହି ପକାଇଲେ ପ୍ରଭା । ମୁଁ ପହଞ୍ଚିଲା ବେଳକୁ ଘରେ ଗୋଟିଏ ଅଣ୍ଡା ଥିଲା । ଟିକି ଝିଆରୀ ତା’ର କୁନି ଭାଇକୁ ବୁଝାଇ କହୁଛି, “ମୁଁ ଅଣ୍ଡାର ଉପରଟା ଖାଇ ଦେଉଚି ତୁ ଭିତରଟା ଖାଇଦେ. . . ।”

ଲୋକପ୍ରିୟ ଲେଖା

To Top