ଗଳ୍ପ

ପ୍ରଜାପତି

Manjurani Mishra's Odia Story Prajaapati

ହଁ, ଏଗୁଡ଼ା ସବୁ ପୋଥି ବାଇଗଣ । କାମରେ ଦେଖେଇଦେଲେ ହୁଏ । ଆଉ ମୋଟା ଫୁଲର ମାଳ ପିନ୍ଧି ୟା’ କରିବି ବୋଲି ଟେବୁଲ୍ ପିଟିଲେ କ’ଣ ହେବ !

ପ୍ରଜାପତି

ଅଳକାର ସବ୍ୟସାଚୀଙ୍କ ସହିତ ମୋଟେ ପରିଚୟ ନଥିଲା । ତେବେ ସେ ସୁନ୍ଦର କବିତା ଲେଖିଥିଲେ କୁଞ୍ଜବନରେ । ସେ ସବୁ କବିତା ପଢ଼ିଲା ବେଳେ ଅଳକା ବିହ୍ୱଳ ହୋଇ ପଡୁଥିଲା । କିନ୍ତୁ ସେ ଯେ ଏତେ ସୁନ୍ଦର ବକ୍ତା ହୋଇ ଯୌତୁକ ବିରୋଧରେ ଭାଷଣ ଦେଇପାରନ୍ତି, ତାହା ତା’ର ଧାରଣା ବାହାରେ ଥିଲା ।

ସହପାଠିନୀ ମାଳବିକା ନାକ ଫୁଲାଇ କହିଥିଲା “ହଁ, ଏଗୁଡ଼ା ସବୁ ପୋଥି ବାଇଗଣ । କାମରେ ଦେଖେଇଦେଲେ ହୁଏ । ଆଉ ମୋଟା ଫୁଲର ମାଳ ପିନ୍ଧି ୟା’ କରିବି ବୋଲି ଟେବୁଲ୍ ପିଟିଲେ କ’ଣ ହେବ !”

ସ୍ନିଗ୍ଧା କହିଲା “ହଁ ମ, ବାହାଦୂରୀ ଦେଖେଇବା କଥା । ଯଦି ଆଦର୍ଶବାଦୀ, ତା’ହେଲେ ବିନା ଯୌତୁକରେ ବାହା ହୋଇପଡୁନାହାନ୍ତି । ଏତେଦିନ ପର୍ଯ୍ୟନ୍ତ ବ୍ୟାଚଲର ଅଛନ୍ତି କାହିଁକି ?”

ନିଦରେ ଭାରି ହୋଇ ପଡୁଥିବା ଆଖିପତାକୁ ଖୋଲି ମୀନା କହିଲା “ଭଲ ଝିଅ ମିଳୁନଥିବେ ।” ଏଇ ସବୁ ଆଲୋଚନା ଉପରେ ଅଳକା କିଛି ବି ମତାମତ ଦେଇନଥିଲା । ସବ୍ୟସାଚୀ ତାକୁ ଭଲ ଲାଗିଥିଲେ । ଗୋଟେ ଅନ୍ତରଙ୍ଗ ଅନୁଭୂତିଟିଏ ତା’ ଚାରିପଟେ ଚକାଭଉଁରୀ ଖେଳୁଥିଲା । ଏଇ ଯୌତୁକ ଲୋଭୀ ପୁରୁଷମାନଙ୍କ ନିଲାମ ଡାକରା । ଫ୍ରିଜ୍, ଡ୍ରେସିଂ ଟେବୁଲ୍, ଗଡ଼ରେଜ୍, ପଲଙ୍କ, ଫର୍ନିଚର୍, ୱାସିଂ ମେସିନ୍ । ଏଗୁଡ଼ା କେଉଁ ଯୌତୁକରେ ଲେଖା ! ଏଗୁଡ଼ାକତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ । କହ, ନଗଦ କ୍ୟାସ୍ କେତେ ଲକ୍ଷ ଦେବ ?

ଆଜି ଆଉ ତାକୁ ପଢ଼ିବାକୁ ଇଚ୍ଛା ହେଲାନି । ସେ ଲାଇଟ୍ ଲିଭାଇ ଶୋଇ ପଡ଼ିଲା । ଜମାଟ ଅନ୍ଧାର ଭିତରେ ସେ ଶବ୍ଦ ଗୁଡ଼ାକର ପ୍ରତିଧ୍ୱନୀ ଢେଉ ଖେଳୁଥିଲା । ସବ୍ୟସାଚୀଙ୍କ ଉକ୍ତି, ଯଦି ବାହାହୁଏ ତା’ହେଲେ ଦାବୀ କରିବି ମୁଠେ ଚୁଡ଼ି ଆଉ ଫରୁଆଏ ସିନ୍ଦୂର ।

ସେଇ ପୁରୁଷଟି ପାଇଁ ଭକ୍ତି ଆଉ ଶ୍ରଦ୍ଧା ଆସୁଥିଲା ମନେ ମନେ । ସହରଠାରୁ ଅନେକ ଦୂରରେ ନୀଳ ଆଉ ପାଟଳ ରଙ୍ଗର ମେଘର ଛାଇରେ ଅଳକା ନିଜକୁ ନୂଆ କରି ଆବିଷ୍କାର କରୁଥିଲା । ଗୋଟିଏ ସବୁଜ ସୁନ୍ଦର ଉପତ୍ୟକା ଆଉ ଅନେକ ନାଲି ନାଲି କଥାକୁହା ଫୁଲର ଆସ୍ତରଣ କୁଞ୍ଜବନ ପତ୍ରିକାର ସମ୍ପାଦକ ସବ୍ୟସାଚୀ ଦାସ । ମାଳବିକାର ଦୂର ସମ୍ପର୍କୀୟ ଭାଇ ।

ସେଇ ମାଳବିକା ମାର୍ଫତରେ ତା’ର କେତୋଟି କବିତା କୁଞ୍ଜବନରେ ପ୍ରକାଶିତ ହେବାର ସୌଭାଗ୍ୟ ଲାଭ କରିଥିଲା ।

ଆଉ ତା’ପରେ ସବ୍ୟସାଚୀଙ୍କ ସହ ପରିଚୟ । ଲେଖାପାଇଁ ବାରମ୍ୱାର ଫୋନ୍ ଅନୁରୋଧ ।

ସେ ଭୁଲିଯାଇଥିଲା ନିଜକୁ । ତା’ର ନିଶା ହୋଇଯାଇଥିଲା । ରାତି ରାତି ଅନିଦ୍ରା ହୋଇ ସେ ଲେଖିଥିଲା । ସବ୍ୟସାଚୀଙ୍କ ଧାଡ଼ିଏ ପ୍ରଶଂସାର ସଂଳାପ ତା’ ପାଇଁ ଯଥେଷ୍ଟ ଆଶ୍ୱାସନାର ନିର୍ଝରିଣୀ ପାଲଟି ଯାଇଥିଲା । ଆଉ ଏଥିପାଇଁ ତଳମହଲାରୁ ଉପର ମହଲାଯାଏ ଅନେକ ପ୍ରଶ୍ନବାଚୀର ଢେଉ ତା’ ଉପରେ ଅଜାଡ଼ି ହୋଇ ପଡୁଥିଲା ।

ଅଳକାକୁ ଭଲ ଲାଗୁଥିଲା ଏ ଆକାଶ, ଦୂର ପାହାଡ଼, ସମୁଦ୍ର ନୃତ୍ୟ । ସମୀରଣର ଶିହରଣ ତା’ ଜୀବନର ସେଇ ଅନିଶ୍ଚିତ ଅମିମାଂସିତ ପ୍ରଶ୍ନର ଉତ୍ତର ସବୁକୁ ସଜେଇ ଦେଉଥିଲା କବିତା କଳେବରରେ ।

ଜୀବନର ସବୁ ଦୃଶ୍ୟ ବସନ୍ତର ରାସତ୍ସୋବ ।

ଜୀବନଟା ଯେମିତି ସ୍ୱପ୍ନର ଅମରାବତୀ । ସୁନାଫୁଲ ରୂପାଫୁଲର ନଅର ଭିତରେ ସବ୍ୟସାଚୀ ଆଉ ଅଳକା । ଅନେକଥର ହଷ୍ଟେଲ୍‌ରୁ ଲୁଚି ଲୁଚି ତାଙ୍କୁ ସାକ୍ଷାତ୍ କରିଥିଲା ସିଏ । ଉତ୍ତୀର୍ଣ୍ଣ ସନ୍ଧ୍ୟାର ଜହ୍ନଭିଜା ସମୁଦ୍ର ବେଳାରେ ଢେଉ ଆଉ ଶାମୁକାର କଥା କହୁଥିଲେ ସବ୍ୟସାଚୀ । ଝାଉଁବଣ ଗହଳିରେ ଜହ୍ନର ବୟସ ବଢୁଥିଲା । ସବ୍ୟସାଚୀ ପ୍ରତିଶ୍ରୁତି ମାଗୁଥିଲା । ଅଳକା ଘରର ଠିକଣା ମାଗୁଥିଲେ ।

ଅଳକା ହସି ଦେଉଥିଲା । କହୁଥିଲା ଏବେ ନୁହେଁ । ପରୀକ୍ଷା ସରିଲା ପରେ, ରେଜଲ୍ଟ ବାହାରିଲା ପରେ ।

ତାଙ୍କୁ ଲୁଚି ଲୁଚି ସାକ୍ଷାତ୍ କଲାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲା ଅଳକା । କିନ୍ତୁ ତା’ କବିତା କୁଞ୍ଜବନ ପତ୍ରିକାର ପ୍ରଥମ ପୃଷ୍ଠାରେ ପ୍ରକାଶିତ ହେଲାବେଳେ ସେ ଯେମିତି ସବୁଠୁ ମୂଲ୍ୟବାନ୍ ଜିନିଷଟି ଉପହାର ପାଉଥିଲା ।

ଆଉ ତା’ର ସହପାଠିନୀମାନଙ୍କ ଆଖିରେ ଈର୍ଷା ଓ ଆଶ୍ଚର୍ଯ୍ୟର ପ୍ରଲେପ ଢାଙ୍କି ହୋଇଯାଉଥିଲା । ମାଳବିକା ଓଠ ଚିପି ଚିପି ହସୁଥିଲା । ଅଳକା ଭୁଲି ଯାଇଥିଲା ବାପାଙ୍କ ଦରମା ଶ୍ରାଦ୍ଧ କରି ପାଠ ପଢୁଛି । ସାମ୍ନାରେ ପରୀକ୍ଷା । ତାକୁ ପରିଶ୍ରମ କରିବାକୁ ପଡ଼ିବ । ଏତେ ଭାବ ପ୍ରବଣତା ହୋଇ ପଡ଼ିବା ଉଚିତ୍ ନୁହେଁ ।

କୁଞ୍ଜବନର ଜନ୍ମଦିନ ବିଶେଷାଙ୍କ ପାଇଁ ଅଳକା ଲେଖୁଥିଲା ତା’ ଜୀବନର ଶ୍ରେଷ୍ଠତମ ଲେଖା । ତା’ ମନର ନୀରବ ସ୍ୱୀକୃତି ।

ହଠାତ୍ ଘରୁ ଫୋନ୍ ପାଇ ସେ ଫେରି ଆସିଲା ବାସ୍ତବ ଦୁନିଆଁକୁ । ଲେଖା ସରିନଥିଲା । ସବ୍ୟସାଚୀଙ୍କୁ ଉପହାର ଦେବା ସମ୍ଭବ ହୋଇନଥିଲା । ଅଳକା ଘରକୁ ଯିବାକୁ ବ୍ୟସ୍ତ ହୋଇ ପଡ଼ିଲା । ସବୁକାମ ଛାଡ଼ି ପ୍ରସ୍ତୁତ ହୋଇପଡ଼ିଲା ।

ଦ୍ୱନ୍ଦ ଆଶଙ୍କାର ପରିଧିରେ ଅଣନିଶ୍ୱାସୀ ହୋଇ ରାଉରକେଲା ବସ୍ ଧରିଲାବେଳେ ହଠାତ୍ ବସ୍ ଷ୍ଟପେଜ୍‌ରେ ସବ୍ୟସାଚୀଙ୍କ ସହିତ ଦେଖା । ସେ ମଧ୍ୟ ରାଉରକେଲା ଯାଉଥିଲେ କହିଲେ ମୋର ଗୋଟେ ଜରୁରୀ କାମ ଅଛି ସେ ସହରରେ । ଅଳକା କହିଲା ଘରୁ ଫୋନ୍ ପାଇ ହଠାତ୍ ଚାଲି ଆସିଲି । ମାଆ ଦେହ ଭଲ ନାହିଁ । ତୁମକୁ ଜଣାଇ ପାରିଲି ନାହିଁ । ବସ୍ ଚାଲିଥିଲା । ବାହାରେ ଫାଲଗୁନର ବର୍ଣ୍ଣିଳ ଆକାଶ । ଦୂର ଦିଗ୍‌ବଳୟରେ ଧାରେ ଧାରେ ଉଚ୍ଚ ପାହାଡ଼ ଶ୍ରେଣୀ ଲମ୍ୱି ଯାଇଛି । ଏଇ ସୂର୍ଯ୍ୟ ବୁଡ଼ିଯିବେ । ପଶ୍ଚିମ ଆକାଶରେ ରକ୍ତମେଘର ଉଜାଣି । କେତେସବୁ କୃଷ୍ଣଚୂଡ଼ା ଗଛ । ହେଇ ସେପଟକୁ କେତେସବୁ ଜଙ୍ଗଲି ଫୁଲର ଗଛ । ହଠାତ୍ ତା’ର କାହିଁକି ମନେ ପଡ଼ିଲା ସବ୍ୟସାତୀ ଥରେ କହୁଥିବା ସ୍ପାଇଡ଼ର୍ ଲିଲି ଫୁଲ ଫୁଟିଥିବା ଦ୍ୱୀପ ଆଉ ଆଫ୍ରିକାର ନିଘଞ୍ଚ ଅରଣ୍ୟ କଥା । ଅନେକ କଥା କହିବାର ଥିଲା । କିନ୍ତୁ ବସ୍ ଭାରି ଭିଡ଼ । ଏମିତି ଅନାବନା ପ୍ରଶ୍ନର ଉତ୍ତର ଠିକ୍ କରୁ କରୁ ରାଉରକେଲା ଆସିଗଲା । ସବ୍ୟସାଚୀ ଫାଷ୍ଟ୍ ଷ୍ଟପେଜ୍‌ରେ ଓହ୍ଲେଇଗଲା, ଗଲାବେଳେ ହୁଏତ ସେମିତି ଦେଖା ହୋଇପାରେ । ଆଉ ଦୁଇଟା ଷ୍ଟପେଜ୍ ଗଲେ ଘର । ରାଉରକେଲା ସହରରେ ଦ୍ୱାଦଶୀର ଜହ୍ନ । ଜ୍ୟୋତ୍ସ୍ନା ଝରୁଛି । କ’ଣ ଭାବିଥିବେ ସବ୍ୟସାଚୀ ? ଅନ୍ତତଃ ନିଜ ଘରର ଠିକଣା ଦେଇ କାଲି ପାଇଁ ନିମନ୍ତ୍ରଣ କରିଥିଲେ ହୋଇନଥାନ୍ତା । ଅଳକା ଅନୁତାପ କଲା ।

ନିଜକୁ ଯଥେଷ୍ଟ ସାନ୍ତ୍ୱନା ଦେଇ ଯେତେବେଳେ ସେ ଘରେ ପହଞ୍ଚିଲା, ବିସ୍ମୟରେ ହତବାକ୍ ହୋଇଗଲା । ତାକୁ ମିଛ ଫୋନ୍ କରି ତା’ ବାହାଘର ଆୟୋଜନରେ ସମସ୍ତେ ବ୍ୟସ୍ତ ।

ସେମାନେ କାଲି ଦେଖିବାକୁ ଆସିବେ । ମନ ମାନିଗଲେ ନିର୍ବନ୍ଧ ଆଉ ଆସନ୍ତା ତିଥିରେ ବାହାଘର । ଅଳକାକୁ ରାଗ ଲାଗିଲା । ଆଗକୁ ତା’ର ପରୀକ୍ଷା ଅଥଚ. . . ।

ସିଏ ଶୁଣିଲା, ପାତ୍ର କୁଆଡ଼େ ଭଲ । ସୁପୁରୁଷ, ତେବେ କିଛି ଅଧିକ ଯୌତୁକ ଡିମାଣ୍ଡ । ଭଲ ଚାକିରୀ, ଏମିତି ଅନେକ କିଛି । ତା’ହେଲେ ତା’ କବିତା, ତା’ ସ୍ୱପ୍ନର ଫସଲ । ସବ୍ୟସାଚୀଙ୍କ ପ୍ରତିଶ୍ରୁତି ପ୍ରତାରଣାର ଚାରିକାନ୍ଥ ଭିତରେ ବନ୍ଦ ହୋଇଯିବ । ତା’ହେଲେ ସେମାନେ ରାଜି ହୋଇଗଲେ ତା’ର ଅରାଜିର କିଛି ମୂଲ୍ୟ ରହିବନାହିଁ । ଏ ଯୌତୁକ ଲୋଭୀ ପୁରୁଷ ଆଗରେ ନିଜକୁ ପଣ୍ୟଦ୍ରବ୍ୟ ପରି ସଜେଇବ । ଜୀବନର ପ୍ରତିଟି ସ୍ତର ହିସାବ ହେବ ଯୌତୁକର ମାପକାଠିରେ । ବାପା କହୁଥିଲେ ଯେମିତି ହେଉ ପାଞ୍ଚଲକ୍ଷ କ୍ୟାସ୍ ଯୋଗାଡ଼ କରିବାକୁ ପଡ଼ିବ । ଜମିବାଡ଼ି ବନ୍ଧାପଡୁ କି ବିକ୍ରୀ ହୋଇଯାଉ । ନାଁ, ତା’ର ସମସ୍ତଙ୍କୁ ସବୁକଥା କହିବା ଉଚିତ୍ ଥିଲା । କାଳେ କିଛି ହୋଇଯାଆନ୍ତା ।

ସେମାନେ ସମସ୍ତେ ଆସିସାରିଥିଲେ । ଘରେ ସମସ୍ତଙ୍କ ବ୍ୟସ୍ତତା ବଢ଼ିଯାଇଥିଲା । ଗହଳି ଜମି ଯାଇଥିଲା । ଅଳକା ସ୍ତବ୍ଧ ପାଲଟି ଯାଇଥିଲା । ଏ ପ୍ରହସନ ସରିଲେ ସେ ସମସ୍ତଙ୍କ ଆଗରେ ନିଜ ମନକଥା ଜଣାଇଦେବ । ନିଜ ସିଦ୍ଧାନ୍ତରେ ଅଟଳ ହେବ ।

ପ୍ରଜ୍ୱଳିତ ପରିବେଶର ବଳୟ ଭିତରେ ଅଣନିଶ୍ୱାସୀ ହୋଇ ସେ ଡ୍ରଇଂରୁମ୍‌ରେ ଯେତେବେଳେ ପ୍ରବେଶ କଲା, ହଠାତ୍ ସ୍ଥାଣୁ ପାଲଟିଗଲା, ଏ ଯେ ସବ୍ୟସାଚୀ. . . !

ଲୋକପ୍ରିୟ ଲେଖା

To Top