ଗଳ୍ପ

ପ୍ରକୃତିର ଡାକ

Subal Mohapatra's odia story Prakruti ra Daaka

ତିନୋଟି ମିନି ଗଳ୍ପ

ପ୍ରକୃତି ର ଡାକ

(୧)

ଟ୍ରାଫିକ୍‌ରେ ଫସି ଯାଇଥିଲା ଜିଗୁ । ପନ୍ଦର ମିନିଟ ହେଲାଣି ଟ୍ରାଫିକ୍‌ ସରିବାର ନାଁ ନେଉ ନଥିଲା । ସକାଳୁ ଘରୁ ବାହାରିବା ପୂର୍ବରୁ ପେଟେ ପାଣି ପିଇ ଥିଲା । ତାକୁ ପରିସ୍ରା ଲାଗୁଥିଲା ଜୋର୍‌ରେ । କିନ୍ତୁ କିଛି କରିବାର ଚାରା ନଥିଲା । ହଠାତ ବର୍ଷା ବି ଆରମ୍ଭ ହେଇ ଗଲା । ପୋଲିସ ଜୀପ୍‌ରେ ଡ୍ରାଇଭର ସିଟ୍‌ରେ ବସିଥିବାରୁ ତା ହାତ ଆଉ କାନ୍ଧରେ ପାଣିର ଛିଟା ପଡ଼ିବାକୁ ଲାଗିଲା । ସେ ଜଣେ ପୋଲିସ, ଜିପ୍‌ର ଡ୍ରାଇଭର । “ଏମିତି କାହିଁକି ହୁଏ କେଜାଣି? ଠିକ ପରିସ୍ରା ଲାଗିବା ବେଳକୁ ବର୍ଷା ହବ । ନଳକୂଅରୁ ବାଲ୍ଟି ପାଣି ଭରି କଲା ବେଳକୁ ପରିସ୍ରା ଲାଗିବ, ସେ ପୁଣି ଅତର୍ଚ୍ଛା” ମନେ ମନେ କହି ଉଠିଲା ଜିଗୁ । ପରିସ୍ରାର ପ୍ରେସର, ବର୍ଷା କୁ ତାଳ ଦେଇ ବଢିବାରେ ଲାଗିଥିଲା । ଟ୍ରାଫିକ ଛାଡିଲା । ଓହୋ, ମଣିଷ ବଞ୍ଚିଗଲା । ଟ୍ରାଫିକ ରୁ ଆଗକୁ ଯାଇ ଗାଡି ସାଇଡ କରି ଜିଗୁ ଏକରକମ ଡେଇଁପଡି ଧାଇଁବାକୁ ଲାଗିଲା ପୋଲ ତଳକୁ । ଓଃ, କି ଶାନ୍ତି !! କାମ ସାରି, ଗାଡି ନେଇ ପୁଣି ଜିଗୁ ଆଗକୁ ବଢ଼ିଲା ଆଉ ପୋଲିସ ଷ୍ଟେସନରେ ପହଞ୍ଚିଲା । ଏହା ଥିଲା କାଲିର ଘଟଣା ।

ଆଜି ପୋଲିସ ଷ୍ଟେସନରେ ପହଞ୍ଚିଲା ପରେ ବଡ ବାବୁ ଡାକିଲେ ଆଉ ତା ହାତରେ ସସ୍ପେଣ୍ଡ ଲେଟର ଟା ଧରେଇ ଦେଲେ । ବୁଝୁ ବୁଝୁ କାଲିର ଘଟଣାଟିକୁ କେହି ଜଣେ ମୋବାଇଲରେ ଉଠେଇ ଭାଇରଲ କରି ଦେଇଛି । ମିଡ଼ିଆ ବାଲା ହାଲ୍ଲା କରିଛନ୍ତି ଦୈନିକ ଖବର କାଗଜ ଗୁଡିକରେ ଆଉ ଟିଭି ବାଲା ବି ଘନ ଘନ ଦେଖାଉଛନ୍ତି ଟିଭିରେ । ପୋଲିସ ବାଲା ହେଇ ସେ ବାହାରେ ପରିସ୍ରା କରିବା ହେଲା ଅପରାଧ । ସ୍ୱଚ୍ଛ ଭାରତ ଅଭିଯାନକୁ ସେ ଅବମାନନା କରିଛି । ଜିଗୁ ଯେତେ କହିଲେ ବି ତା କଥା କେହି ଶୁଣିବାକୁ ନଥିଲେ । ପ୍ରକୃତିର ଡାକ କୁ କିଏ ବା ରୋକି ପାରିବ ।

—x—

କିଛି ଦିନ ପରେ ଜଣେ ନେତାଙ୍କୁ ବାହାରେ ପରିସ୍ରା କରିବାର ଟିଭି ରେ ଦେଖିଲା ପରେ, ସେ ଏବେ ଅପେକ୍ଷା କରିଥିଲା ନେତାଙ୍କ ସସ୍‌ପେଣ୍ଡ ଲେଟରକୁ …..

(୨)

କ୍ଲାସ ସାରି ବାହାରୁ ଥିଲା ପ୍ରୀତି । କେତେ ବେଳୁ ପରିସ୍ରା ଲାଗୁଥିଲା ତାକୁ । କିନ୍ତୁ କ୍ଲାସ ସରିବା ଯାଏ ଅପେକ୍ଷା କରିବାକୁ ପଡିବ । ଏବେ କ୍ଲାସ ସରୁ ସରୁ ସେ ଟଏଲେଟ କୁ ଧାଇଁଥିଲା । ହେଲେ ଏ କ’ଣ ? ଟଏଲେଟ ଭିତରେ କିଛି ମୁଲିଆ, ଭାଙ୍ଗି ଯାଇଥିବା ଟାଇଲ ସବୁ ମରାମତି କରୁଥିଲେ । ଅସମ୍ଭାଳ ଅବସ୍ଥାରେ ଥିଲା ପ୍ରକୃତିର ଡାକ । କଲେଜରୁ ବାହାରି ବଗିଚାର ଗୋଟେ କୋଣକୁ ଯାଇ କାମ ସାରିଦେଲା ସେ । ଏହା ଥିଲା କାଲି ର ଘଟଣା ।

ଆଜି କଲେଜକୁ ଆସୁ ଆସୁ ପୁଅ ପିଲାମାନଙ୍କ ଚାହାଣି, ଝିଅ ମାନଙ୍କର ମୁଚୁକୁନ୍ଦ ହସ, କିଛି ଅଭଦ୍ର ପିଲାମାନଙ୍କର ଅଶ୍ଳୀଳ କମେଣ୍ଟ ସବୁ ଶୁଣି ବାକୁ ପଡୁଥିଲା ତାକୁ । କେହି ଜଣେ କ୍ୟାମେରାରେ ଭିଡିଓ ରେକଡିଂ କରି ଭାଇରଲ କରି ଦେଇଥିଲା । ଆଉ ଚାହୁଁ ଚାହୁଁ ସାରା କଲେଜର ପିଲା ଏ ବିଷୟରେ ଜାଣି ସାରିଥିଲେ । କିଛି କିଛି କମେଣ୍ଟ ଏତେ ଅଶ୍ଳୀଳ ଥିଲା ଯେ ସେ ଆଜି ଆତ୍ମହତ୍ୟା କରିବାକୁ ମନସ୍କ କରି ସାରିଥିଲା ।

ପ୍ରକୃତି ର ଡାକ ତାକୁ ପ୍ରକୃତିର କୋଳ କୁ ନେଇ ଯିବାକୁ ପ୍ରୟାସ କରୁଥିଲା …

—x—

(୩)

ମୁଁ ମନା କରୁଥିଲି ପିଲାଟାକୁ ଏ ପାର୍ଟିକୁ ନ ଆଣିବା ପାଇଁ । ବର୍ଷିକିଆ ଛୁଆଟା କୁ ନ ଆଣିଥିଲେ କ’ଣ ଅସୁବିଧା ହେଇ ଯାଇଥାନ୍ତା ? କହି ପିଲାଟାକୁ ଅପର୍ଣ୍ଣା ହାତକୁ ଏକ ରକମ ଫିଙ୍ଗି ଦେଇ ଚାଲି ଯାଇ ଥିଲେ ଆଶୁତୋଷ । ଯେମିତି କି ଅପର୍ଣ୍ଣା ପିଲାକୁ କାନେ କାନେ କହିଥିଲେ ପାର୍ଟି ରେ ଥିଲା ବେଳେ ଆଶୁତୋଷ ଙ୍କ ଉପରେ ସୁ ସୁ କରିବାକୁ । ସେ ତ ପିଲାକୁ ହଗିଜ ପିନ୍ଧେଇ କି ଆଣିଥିଲା । ଏ ହାତରୁ ସେ ହାତକୁ ହଉ ହଉ କେତେ ବେଳେ ଯେ ହଗିଜ ଟା ଟିକେ ଢିଲା ହୋଇ ଯାଇଥିଲା ସେ ଜାଣିନି । ଆଉ ପିଲାଟା ସୁ ସୁ କରି ଦେଲା । ଓଃ, ଇଜ୍ଜତ ପଳେଇଲା ୟାଙ୍କର । ଏହା ଥିଲା କାଲିର ଘଟଣା ।

ଆଜି ଆଉ ଗୋଟେ ପାର୍ଟି ସାରି ଫେରିଥିଲେ ଆଶୁତୋଷ । ଆଜି କିନ୍ତୁ ଅପର୍ଣ୍ଣା ଅଭିମାନରେ, ଯାଇ ନଥିଲେ ଆଶୁତୋଷଙ୍କ ସହ । ଆଶୁତୋଷ ଫେରିଲା ବେଳେ ମଦ ନିଶାରେ ଚୁର ହୋଇ ଫେରିଥିଲେ । ମୁହଁ ରୁ ମଦ ଗନ୍ଧ ସହ ପେଣ୍ଟ ସାର୍ଟ ରୁ ନର୍ଦମାର ଗନ୍ଧ ବି ଆସୁ ଥାଏ ।

ଗେଟ ଖୋଲୁ ଖୋଲୁ ଭାରସାମ୍ୟ ରଖି ନପାରି ସେ ଖସି ପଡିଲେ ବୁଲା କୁକୁର ଟେ ପ୍ରକୃତିର ଡାକ କୁ ସାରିଥିବା ଜାଗାରେ, ଆଉ ନିଶା ରେ ଜାଣି ନପାରି ତାକୁ ପେଣ୍ଟ ପଛପଟେ ପୋଛି ଦେଇ ଥିଲେ ।

ଅପର୍ଣ୍ଣା ଦେଖୁଥିଲେ ଇଜ୍ଜତ ଆଉ ନିଶା ରାକ୍ଷସ କବଳିତ କରିଥିବା ଗୋଟେ ମଣିଷ କୁ …

ଲୋକପ୍ରିୟ ଲେଖା

To Top