ଗଳ୍ପ

ପ୍ରତାରିତା

Dr Sharat Chandra Parida's odia story Prataritaa

ମହାଭାରତର କର୍ଣ୍ଣଙ୍କୁ ବଂଶ ପରିଚୟ ମାଗିଲେ ସେ ଯେମିତି ଏକ ଅଖାଡୁଆ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି, ମାଡ଼ାମ୍ ମଧ୍ୟ କିଛି କ୍ଷଣ ପାଇଁ ଗ୍ଲାନିର ଏକ କଳା ବାଦଲରେ ଯେମିତି ଢାଙ୍କି ହୋଇଗଲେ ।

ପ୍ରତାରିତା

ମୋ ଜୀବନରେ ଖାଲି ବୈଶାଖର ଝାଞ୍ଜି ବହୁଚି । ଡହଡହ ତତଲା ବାଲିରେ ପାଦଦୁଇଟି ମୋର ଛଟପଟ ହୋଇଯାଉଚି । ସ୍ୱାମୀ ସୁହାଗ ମୋ ପାଇଁ ଦୁର୍ଲଭ । ପରିବାରର ବନ୍ଧନ ମୋ ପାଇଁ ଶିଥିଳ । ମୁଁ ପାଲଟି ଯାଇଚି ଶ୍ମଶାନ ତୁଳସୀ । ମୋର ଇଲାକା ନିଷିଦ୍ଧ ହୋଇ ଯାଇଚି ଶିବ ନିର୍ମାଲ୍ୟ ପରି । କାଳର ଭୀଷଣ ପରୀକ୍ଷାରେ ମୁଁ ହାରି ଯାଇଚି । ମୁଁ ଆଜି ସାଥୀ ହରା ପକ୍ଷୀ । ବିଶାଳ ଶୂନ୍ୟତା ମୋର ଚରାଭୂଇଁ । ଏ ମର୍ମଘାତୀ କଥା କେଇପଦ ଶୁଣି ରାଜୀବ ବାବୁଙ୍କ ତନୁମନରେ ବିସ୍ମୟର ଏକ ଆକସ୍ମିକ ଶିହରଣ ଖେଳିଗଲା । କ’ଣ ଶୁଣୁଚି ଏ କାନ ଏତେ ଅପ୍ରତ୍ୟାଶିତ ଭାବରେ ।

ସେଦିନ ଦିଆଯାଇଥିଲା ଓଡ଼ିଶା ବନ୍ଦ ଡାକରା । ରାତିରେ ଯାନ ଚାଲିଲେ ଚାଲୁ । ସୂର୍ଯ୍ୟ ଉଇଁଲେ ସବୁ ଗତି ଠପ । କାଇଁକି ଦେଶଦ୍ରୋହୀଙ୍କ ହାତରେ ଅଯଥାରେ ଜାତୀୟ ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯିବ । ବରଂ କେତେ ଘଣ୍ଟା ବସ୍ ଟ୍ରେନ୍ ଅଟକି ରହୁ ସକାଳର ଲକ୍ଷ୍ମଣ ରେଖାରେ । ଖୋର୍ଦ୍ଧା ପଟରୁ ବାଲୁଗାଁ ଷ୍ଟେସନ ଅଛି ମାତ୍ର ପାଞ୍ଚ କିଲୋମିଟର । ଡ୍ରାଇଭର ତାହା ନିରାପଦ ଥାନ ଭାବି ରଖି ଦେଲା ଟ୍ରେନ୍‌କୁ । ପୁଣି ସୂର୍ଯ୍ୟ ଅସ୍ତାଚଳକୁ ଗଲେ ଟ୍ରେନ୍‌ର ଇଞ୍ଜିନ୍ ଚେଇଁ ଉଠିବ । ବିଚରା ଯାତ୍ରୀମାନେ ଅଠାକାଠିରେ ପଡ଼ିଗଲେ । କେମିତି କଟିବ ଏତେଗୁଡ଼ାଏ ସମୟ । ସମ ଦଶାରେ ପଡ଼ି କି ଚିହ୍ନା ଅଚିହ୍ନା ସମସ୍ତେ ପରସ୍ପର ନିକଟତର ହୋଇ ଉଠିଲେ । ଏ ଥିଲା ସହଯାତ୍ରୀର ସୌଜନ୍ୟମୂଳକ ବନ୍ଧୁତା । ଯାହା ପାଖରେ ଯାହା ଥିଲା ନିଜେ ଖାଇଲେ ଭଦ୍ରତା ଦୃଷ୍ଟିରୁ ସହଯାତ୍ରୀଙ୍କୁ ଯାଚିଲେ । କିଏ ଗ୍ରହଣ କଲେ କିଏ ସରୁ ଧନ୍ୟବାଦଟି ଦେଇ କୋମଳ ଭାବରେ ମନା କଲେ । ଗପସପ ତାସ ଖେଳର ଆସର ଜମିଗଲା ଟ୍ରେନ୍ ସାରା । ମଧ୍ୟାହ୍ନ ଭୋକ ସମସ୍ତଙ୍କୁ ବାଇଆ କଲା । ଅନ୍ନ ନେଇ ପିଣ୍ଡ । ଉଦର ଜ୍ୱାଳାରେ ଆଉଟୁ ପାଉଟୁ ହୋଇ ଅଧିକାଂଶ ବାଲୁଗାଁ ବଜାର ଆଡେ଼ ମୁହାଁଇଲେ । ଯିଏ ଯିବାକୁ ମନ ବଳାଇଲେ ନାଇଁ ତାଙ୍କ ଆତ୍ମୀୟମାନେ ତାଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରି ଆଣିବାର ପ୍ରାକ୍ ସୂଚନା ଦେଇଗଲେ ।

ରାଜୀବ ବାବୁ ଲକ୍ଷ୍ୟ କଲେ ତାଙ୍କ ସମ୍ମୁଖ ବର୍ଥରେ ଜଣେ ମଧ୍ୟମ ବୟସ୍କ ମହିଳା ଏକାକିନୀ ବସିଛନ୍ତି । ଭାରି ଗମ୍ଭୀର ଦେଖା ଯାଉଚନ୍ତି । କାହା ସହିତ ସେମିତି ମନ ଖୋଲି କଥା ହେବାର ଦେଖା ଯାଉନି । କାହାକୁ କିଛି ଦେବାର ନାଇଁ ନେବାର ନାଇଁ । ମନ ମାରି ବସିଚନ୍ତି । ତାଙ୍କ ସହିତ ପରିଚିତ ହେବାକୁ ସକାଳ ପହରୁ ରାଜୀବବାବୁ ଆଗ ପଛ ହେଉଛନ୍ତି କିନ୍ତୁ ଭରସି କିଛି ପଚାରି ପାରୁ ନାହାଁନ୍ତି । ଭଦ୍ର ମହିଳା କାଳେ କ’ଣ ଭାବିଲେ । ଯେତେବେଳେ ଜଣ ଜଣ କରି ଅଧିକାଂଶ ପେଟ ନିମିତ୍ତ ପଦାକୁ ବାହାରି ପଡ଼ିଲେ, ଭଦ୍ର ମହିଳାଙ୍କୁ ପୂର୍ବ ସ୍ଥିତିରେ ଦେଖି ଅଗତ୍ୟା ରାଜୀବବାବୁ ନିଜ ତରଫ୍‌ରୁ ପ୍ରସ୍ତାବ ଦେଲେ- “ମାଡ଼ାମ୍, କିଛି ଖରାପ ଭାବିବେ ନାଇଁ । ମୁଁ ହୋଟେଲକୁ ଯାଉଚି, ଆପଣଙ୍କ ପାଇଁ କିଛି ଖାଦ୍ୟ ଆଣିବି କି ?” ଏଭଳି ସ୍ୱେଚ୍ଛାକୃତ ସାହାଯ୍ୟ ଯାଚୁଥିବା ରାଜୀବ ବାବୁଙ୍କୁ କେତୋଟି ମୁହୂର୍ତ୍ତ ଚାଇଁ ରହିଲେ ମାଡ଼ାମ୍ । ରାଜୀବ ବାବୁ ଅପ୍ରସ୍ତୁତ ହେବା ଦେଖି ମାଡ଼ାମ୍ ସହଜ ଗଳାରେ କହିଲେ “ନାଇଁ, ଆପଣ ଯା’ନ୍ତୁ ।” ରାଜୀବ ବାବୁ ଟିକିଏ ସାହସ ସଞ୍ଚୟ କରି ନିଜ ଲୋକ ପରି କହି ଉଠିଲେ- “ବିନା ଖାଦ୍ୟରେ ସାରା ଦିନଟା କଟାଇଲେ ଦେହ ଖରାପ ହୋଇଯିବ ଯେ । ମୁଁ ବଜାର ଯାଉଚି ଆପଣଙ୍କ ପାଇଁ ତ ଖାସ୍ ବନ୍ଦ ହୋଇ ଯାଉନି । ତା’ପରେ ଏଠି ବସି ବସି ବୋର ଲାଗିଲାଣି ।” ମାଡ଼ାମ୍ କ’ଣ ଭାବିଲେ କେଜାଣି କହିଲେ, “ହଉ, ଚାଲନ୍ତୁ ମୁଁ ବି ଆପଣଙ୍କ ସହିତ ଯିବି ।”

କୁହାଯାଇଚି ସାତ ପଦ ମିଶି କଥା ହେଲେ ବା ସାତ ପଦ ମିଶି ଚାଲିଲେ ବନ୍ଧୁତା ସୃଷ୍ଟି ହୋଇଥାଏ । ଦୁହେଁ ମିଶି ହୋଟେଲ୍‌ରେ ଖାଇଲେ । କ୍ଷୁଧାରେ ପୀଡ଼ିତ ପ୍ରାଣଟା ଟିକେ ଥଣ୍ଡା ପଡ଼ିଗଲା । ଲୋପାମୁଦ୍ରା ମାଡ଼ାମ୍ ମୁହଁ ଧୋଇବା ଅବସରରେ ରାଜୀବ ବାବୁ ହୋଟେଲ୍ ବିଲ୍ ପୈଠ କରି ଦେଇଥିଲେ । ଦୁଇ ଖଣ୍ଡ ସାଧା ମିଠା ଖିଲିପାନ ମଧ୍ୟ ମାଡ଼ାମ୍‌ଙ୍କ ହାତକୁ ବଢ଼ାଇ ଦେଇଥିଲେ । ଗୋଠ ସଫା ଦେଖିଲେ ଗାଈ ହମାଳି ପଶିଲା ପରି ୟା ଭିତରେ ନିଜ ନିଜର ପରିଚୟ ରଖିଲେ । ରାଜୀବ ବୃତ୍ତିରେ ଜଣେ ଅଧ୍ୟାପକ । ସଂସାରୀ ! ଲୋପାମୁଦ୍ରା ମାଡ଼ାମ୍ ଏକ ସରକାରୀ ଚାକିରୀଆ । ଏକ ପୁତ୍ରର ଜନନୀ । ପୁତ୍ର ବର୍ତ୍ତମାନ ଡାକ୍ତରୀ ଛାତ୍ର । କ୍ରମଶଃ ଆତ୍ମୀୟତାର ସ୍ପର୍ଶ ଅନୁଭବ କରିଥିଲେ ପରସ୍ପରର ଅମାୟିକ ହାବଭାବରେ ପ୍ରତ୍ୟେକେ । ଲୋପାମୁଦ୍ରା ମାଡ଼ାମ୍ ମଧ୍ୟ ସ୍ୱଭାବିକ ଢଙ୍ଗରେ ନିଜ ଲୋକ ପରି ଆପଣାପଣର ଫର୍ଦ୍ଦ ଗୋଟିକ ପରେ ଗୋଟିଏ ଖୋଲି ଚାଲିଲେ । ରାଜୀବ ବାବୁ ମଧ୍ୟ ରକ୍ଷଣଶୀଳ ନୁହଁନ୍ତି । ସେ ବଞ୍ଚନ୍ତି ପ୍ରତ୍ୟେକ ମୁହୂର୍ତ୍ତରେ । ଜୀବନ ଯାତ୍ରାର ଟ୍ରାଫିକ୍‌ରେ ଅଜସ୍ର ଅପରିଚିତ ମୁହଁ ସହିତ ପରିଚିତ ହୋଇ ସେମାନଙ୍କ ଲୁହଲହୁର ଜୀବନ ଅନୁଭୂତିକୁ ଆପଣେଇ ନେଲେ ଜୀବନର ସ୍ୱାଦ ଅଧିକ ବଢ଼ିଯାଇଥାଏ ବୋଲି ତାଙ୍କର ଉପଲବ୍ଧି ।

ପଞ୍ଜୁରୀରେ ଦ୍ୱାର ଖୋଲି ଦେଲେ ଶୁଆ ଯେମିତି ମୁକ୍ତ ଆକାଶରେ ଉଡ଼ିବାକୁ ଲାଗେ ଲୋପାମୁଦ୍ରା ମାଡ଼ାମ୍ ସେମିତି ନିଜକୁ ହାଲୁକା ଅନୁଭବ କରୁଥିଲେ । ରାଜୀବ ବାବୁ ପଢ଼ି ପାରୁଥିଲେ- ମାଡ଼ାମ୍ ତାଙ୍କ ଜୀବନରେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି । ସେଇ ଆଘାତ ସେ ବହୁ କଷ୍ଟରେ ସହି ଚାଲିଛନ୍ତି । ଆଜି ଆତ୍ମ ପ୍ରକାଶର ସାମାନ୍ୟ ସହୃଦୟ ଆଲୋକ ଦେଖି ସେ ବ୍ୟଗ୍ର ହୋଇ ଉଠୁଚନ୍ତି । ଅଧ୍ୟାପକ ରାଜୀବ ବାବୁ ନାରୀ ସୁଲଭ ଚପଳ ସ୍ୱଭାବ ବିଷୟରେ ବେଶ୍ ପରିଚିତ । ପ୍ରତିକୂଳ ପରିବେଶରେ କାତର ହୋଇ ପଡ଼ିବା କଥା ତାଙ୍କୁ ଭଲ ଭାବରେ ଜଣା । ସେ କହିଲେ- ଆପଣ ସବୁଜ ବନାନୀ ଓ ପାହାଡ଼ ଘେରା ଜିଲ୍ଲାରେ କାମ କରୁଛନ୍ତି । ଆପଣଙ୍କ ସ୍ୱାମୀ କେଉଁଠି ରହନ୍ତି ? ସେ କ’ଣ କରନ୍ତି ? ମହାଭାରତର କର୍ଣ୍ଣଙ୍କୁ ବଂଶ ପରିଚୟ ମାଗିଲେ ସେ ଯେମିତି ଏକ ଅଖାଡୁଆ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି, ମାଡ଼ାମ୍ ମଧ୍ୟ କିଛି କ୍ଷଣ ପାଇଁ ଗ୍ଲାନିର ଏକ କଳା ବାଦଲରେ ଯେମିତି ଢାଙ୍କି ହୋଇଗଲେ । ଏଇ ପରିଚୟ ଯୋଗୁଁ ଆଜି ସେ ପରିଚୟହୀନ ହୋଇ ପଡ଼ିଛନ୍ତି । ତାଙ୍କର ଏ ଦଶା ଦେଖି ରାଜୀବ ବାବୁ ଶଙ୍କାକୁଳ ହୋଇ ପଡୁଥିଲେ । କିନ୍ତୁ ମାଡ଼ାମ୍ ତାଙ୍କ ଜୀବନର ସବୁଠୁ ସ୍ପର୍ଶକାତର ବିଷୟଟିକୁ ଅକାତରେ ଉଦ୍‌ଘାଟନ କରିବାକୁ ଲାଗିଲେ ।

ମୋର ଗୋଟିଏ ବୋଲି ବଡ଼ ଭଉଣୀ । ଦୁଇ ଭାଇ । ବାପା ଓ ମା’ଙ୍କୁ ନେଇ ଆମ ପରିବାର । ନିମ୍ନ ମଧ୍ୟବିତ୍ତ ପରିବାରର ଝିଅ ମୁଁ । ଅଭାବ ନଥିଲେ ମଧ୍ୟ ସେତେ ସ୍ୱଚ୍ଛଳ ନଥିଲୁ । ମୋର ବଡ଼ ଭଉଣୀ ମାଟ୍ରିକ୍ ପାଶ୍ କଲା ପରେ ବାପା ବିବାହ କରାଇ ଦେଲେ । ଭାଇମାନେ ଛୋଟ ଥିଲେ । ବିବାହ ପରେ ଭିଣୋଇ କଟକରେ ରହିଲେ । ବ୍ୟବସାୟ ଚଳାଇବା ପାଇଁ । ଭଲ ଦୁଇ ପଇସା ମଧ୍ୟ ଲାଭ ହେଉଥିଲା । ମୋର ବଡ଼ ଭଉଣୀ ଦେଖିବାକୁ ଦେବୀ ପ୍ରତିମା । ଅତ୍ୟନ୍ତ ସ୍ନେହୀ । ଦରଦୀ ହୃଦୟ । ଆମ ପରିବାର ପ୍ରତି ଭାରି ସହାନୁଭୂତିଶୀଳ । ଭଲରେ ମନ୍ଦରେ ଆମ ପରିବାରର ସମସ୍ତଙ୍କୁ ପଚାରେ । ନାନା ଦରବ ପଠାଏ । ମୁଁ ଗାଁ ହାଇସ୍କୁଲ୍‌ରୁ ମାଟ୍ରିକ୍ ପାଶ୍ କଲି । ବାପା ବିଭାଘର ପ୍ରସ୍ତାବ ପକାଇଲେ । ଭିଣୋଇ ପ୍ରତିବାଦ କଲେ । ଆଜିକାଲି ଝିଅମାନେ ଉଚ୍ଚ ଶିକ୍ଷିତ ହୋଇ ଚାକିରୀ ବାକିରୀ କଲେଣି । ଏତେ ବେଳୁସୁଁ କାହିଁ ବିବାହ କରି ଦେବେ । ବରଂ ସେ ମୋ ସହିତ କଟକ ଯାଉ । ସେଠିକାର କଲେଜରେ ନାଁ ଲେଖାଇ ଦେବି । ସେ ପଢ଼ିବ ।

ଜୋଇଁ ଯେତେବେଳେ ପ୍ରସ୍ତାବ ଦେଉଛନ୍ତି ବାପା ବୋଉ କାଇଁ ଅରାଜି ହେବେ । ଝିଅ ଦେଇ ତ ସେମାନେ ପୁଅ ପାଇଛନ୍ତି । ଜ୍ୱାଇଁଙ୍କର ତ କୋଉଥିରେ ଅଭାବ ନାଇଁ । ମୁଁ ମଧ୍ୟ କଟକରେ ରହି ପଢ଼ିବି ବୋଲି ଖୁସିଟାଏ ହେଲି । କଟକ ସହରର ଗୋଟିଏ ମହିଳା ମହାବିଦ୍ୟାଳୟରେ ମୋର ନାମ ଲେଖା ହେଲା । ପାଠ ପଢ଼ା ଆରମ୍ଭ ହେଲା । ସେତେବେଳକୁ ମୋ ଭଉଣୀ ଭିଣୋଇଙ୍କର ପୁଅ ଝିଅ ମିଶି ତିନୋଟି । ସମସ୍ତେ ଛୋଟ ଛୋଟ ଥାନ୍ତି । ମୁଁ ମଧ୍ୟ ତାଙ୍କ ପରିବାରର ଏକ ସଦସ୍ୟ ପାଲଟି ଗଲି ।

ମୁଁ ପଢ଼ିବାକୁ କଲେଜ୍ ଯିବା ଆସିବା କଲା ସମୟରେ ସୁବିଧା ଅସୁବିଧା ଦେଖି ମଝିରେ ମଝିରେ ଭିଣୋଇ ମୋତେ ନେଇ ଛାଡ଼ି ଦେଉଥିଲେ ତାଙ୍କ ମଟର ସାଇକେଲ୍‌ରେ । ପୁଣି ଫାଙ୍କା ଥିଲେ କେତେବେଳେ ଯାଇ ମୋତେ ନେଇ ଆସୁଥିଲେ । ସେ ମୋ ସହିତ ଥଟ୍ଟା ତାମସା କରନ୍ତି । ଭାରି ମଜାଦାର ଲୋକ ସେ । ଘରର ଅନ୍ୟ ସଦସ୍ୟ କିମ୍ୱା ମୁଁ ଏହି ଥଟ୍ଟା ଉପରେ ଗୁରୁତ୍ୱ ଦେଉ ନାଉଁ । ଭିଣୋଇ ବାବୁ ତ । ଶାଳୀ ସହିତ ଥଟ୍ଟା ଖେଳିବେ ନାଇଁ ତ ଆଉ କାହା ସହିତ ଥଟ୍ଟା କରିବେ । ମୋତେ ତାଙ୍କ ନେବା ଆଣିବାଟା ଅନିୟମିତରୁ ନିୟମିତ ହେଲା । ବ୍ୟବସାୟରୁ ଧ୍ୟାନ କମେଇ ମୋତେ ଅଧିକ ଧ୍ୟାନ ଦେବାର ମୁଁ ଅନୁଭବ କଲି । ଧୀରେ ଧୀରେ ତାଙ୍କର ଆଉ କେଉଁଥିଲେ ମନ ଲାଗିଲା ନାଇଁ । ମୁଁ ପାଲଟି ଗଲି ତାଙ୍କ ଧ୍ୟାନ ଓ ଦୃଷ୍ଟିର ମୁଖ୍ୟ କେନ୍ଦ୍ର ବିନ୍ଦୁ । ପୃଥିବୀ ଗ୍ରହ ଚାରିପଟେ ଚନ୍ଦ୍ର ପ୍ରଦକ୍ଷିଣ କଲାପରି ସେ ମୋ ବଳୟ ଚାରିପଟେ ଘୂରିବାକୁ ଲାଗିଲେ । ମୁଁ ଲକ୍ଷ୍ୟ କଲି ସେ ତାଙ୍କ ଚାଲି ଚଳଣିରେ, ଚିନ୍ତାରେ ମୋ ପ୍ରତି ଢଳି ପଡୁଛନ୍ତି ଆବଶ୍ୟକତା ଠାରୁ ଅଧିକ । ଭାବପ୍ରବଣ ହୋଇ ପଡୁଛନ୍ତି । ତାଙ୍କ ରୋମାଞ୍ଚମୟ ଚାହାଁଣିରେ ମୁଁ ପଢ଼ିବାକୁ ପାଇଲି ତାଙ୍କ ଭଲ ପାଇବାର ଇସାରା । ମୁଁ ତ ଥିଲି ଯୁବାବୟସୀ । ନବ ଯୌବନରେ ଉଦ୍ମାଦିନୀ । ତାଙ୍କ ପ୍ରେମପୂର୍ଣ୍ଣ କଟାକ୍ଷରେ ମୁ ଦୃଢ଼ ହୋଇ ରହି ପାରୁନଥିଲି । ମୋ ଭିତରେ ଡାକ ଛାଡୁଥିବା ବିବେକକୁ ମୁଁ ଶୁଣି ମଧ୍ୟ ଶୁଣି ପାରୁ ନଥିଲି । ତାଙ୍କର ଏହି ପ୍ରୀତି ଭାବନା ମୋ ଯୌବନ ଯମୁନାରେ ତରଙ୍ଗ ସୃଷ୍ଟି କରୁଥିଲା । ମୁଁ ଥିଲି ସଦ୍ୟ ପ୍ରସ୍ଫୁଟିତ କଳିକାଟିଏ । ଭ୍ରମରର ମଧୁରସ ପାନ ପାଇଁ ମୁଁ ଛନ ଛନ ହୋଇ ଉଠୁଥିଲି । ତାଙ୍କର ରସମୟ କଥା ହାସ୍ୟମୟ ସ୍ନିଗ୍ଧ ଦୃଷ୍ଟିରେ ମୁଁ ଭାବ ବିହ୍ୱଳ ହୋଇ ପଡୁଥିଲି । ନିଜକୁ ଆମୋଦିତ କରୁଥିଲି । ସେ ମୋତେ ଆଜି ପାର୍କ, କାଲି ହୋଟେଲ୍, ତା’ ପରଦିନ ସିନେମା- ଏମିତି କେତେ କୁଆଡେ଼ ବୁଲାଇ ମୋ ସପନ ରାଇଜର ରାଜକୁମାର ପାଲଟି ଯାଇଥିଲେ । ମୁଁ ହୋଇଯାଇଥିଲି ତାଙ୍କ ପ୍ରେମ ରାଇଜର ପରୀ ।

ମୁଁ ତାଙ୍କୁ ଭଲ ଲାଗିଲି । ସେ ମୋତେ ଭଲ ଲାଗିଲେ । ହଁ, ମାଡ଼ାମ୍, ଏ ତ ମଣିଷର ସହଜାତ ପ୍ରବୃତ୍ତି । ସେଥିପାଇଁ ଆମ ଲୋକେ କୁହନ୍ତି- ଯିଏ ଯାହାକୁ ରସିଲା, ସେ ତାକୁ କିଆ ଫୁଲ ପରି ବାସିଲା । ସେ ମୋତେ ଘଡ଼ିଏ ନ ଦେଖିଲେ ପାଗଳ ହୋଇ ଯାଉଥିଲେ ମୁଁ ବି ତାଙ୍କୁ ନ ଦେଖିଲେ ରହିପାରୁ ନ ଥିଲି । ମୋ ବଡ଼ ଭଉଣୀ ଏ ରଙ୍ଗରସ ପୂର୍ଣ୍ଣ ସମ୍ପର୍କର କିଛିଟା ବାସନା ପାଇଲେ ମଧ୍ୟ ସବୁ କଥାକୁ ସରଳ ବିଶ୍ୱାସରେ ଗ୍ରହଣ କରି ଯାଇଥିଲେ । ଏମିତି ହୋଇ ନଥିବ । ଯଦି ପାଖରୁ ଦୂରେଇ ଦିଏ ବିଚରା ପାଠ ପଢୁଆ ସାନ ଭଉଣୀର ଜୀବନଟା ଅଧାରେ ଅଟକି ଯିବ । ଏମିତି ସମବେଦନାରେ ମୋ ପାଇଁ କେତେ କ’ଣ ଚିନ୍ତା କରୁଥିଲେ । କିନ୍ତୁ ମୁଁ ଓ ମୋ ଭିଣୋଇ ମିଶି ମୋ ବଡ଼ ଭଉଣୀକୁ ବୋକା ବନେଇ ଦେଉଥିଲୁ । କିନ୍ତୁ ଅନ୍ୟ ଅନୁଭବିମାନେ କୁହାକୁହି ହେଉଥିଲେ ଓ ଲଘୁ ମନ୍ତବ୍ୟ ଦେଇ କହୁଥିଲେ, “ହାଇରେ ରସିକ ରସିଲୁ ମଧୁମାଳତୀକୁ ଛାଡ଼ି ଦେଇ ଯା’ ପୋକଶୁଙ୍ଗା ବଣେ ପଶିଲୁ ।”

ଆମ ଦୁହିଁଙ୍କୁ ଲାଗିଲା ଆମେ ଯେମିତି ଆଖୁ କିଆରୀରେ ପଶିଚୁ । ଆମେ ଗୋଟିଏ ଘରେ ରହୁଥିଲୁ । ଦେହର ଦୂରତା ବେଶି ନଥିଲା । ମନ ଭାବ ଦିଆନିଆ ସହିତ ଦେହ ଦିଆନିଆ ବି ହେଲା । ପ୍ରେମର ପତଙ୍ଗ କାମନା ନିଆଁରେ ନିଜକୁ ଆହୁତି ଦେବାକୁ ଲାଗିଲା । ଭିଣୋଇଙ୍କ ପ୍ରେମ ନିବେଦନକୁ କେତେ ଆଉ ଏଡ଼ାଇ ଚାଲିଥାନ୍ତି । ମୋ ଭଉଣୀ ପାଖରେ ମୁଁ ଆଶ୍ରିତ ଏକଥା ବାରମ୍ୱାର ମୋ କର୍ଣ୍ଣକୁହରରେ ପ୍ରତିଧ୍ୱନିତ ହେଲେ ମଧ୍ୟ ଭିଣୋଇଙ୍କ ପାଖରେ ମୁଁ ନାଚାର ହୋଇ ପଡ଼ିଲି । ନଡ଼ିଆ ଭିତରକୁ ପାଣି ଆସିଲା ପରି ମୋ ଭିଣୋଇଙ୍କୁ ପ୍ରେମ କେତେବେଳେ ମାଡେ଼ ତାହା ମୁଁ ମଧ୍ୟ ଜାଣିପାରେ ନାଇଁ । ଦିନାକାତେ ଏମିତି ରସରସିଆ ମଧୁର ଅନୁଭୂତିରେ ଆମ ଦୁହିଁଙ୍କ କାଳ କଟିବାକୁ ଲାଗିଲା ।

ନିଉଟନ୍ ଗୋଟିଏ ସରଳ ନିୟମରେ ଏ ସଂସାରର ଅନେକ କଥା କହି ଯାଇଥିଲେ । ପ୍ରତ୍ୟେକ କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ଅଛି । ମୋ ପାଠ ପଢ଼ାରେ ଆଉ ମନ ରହିଲା ନାଇଁ । ପଢ଼ାପଢ଼ି ଖଇଚା ହେବାରୁ ପରୀକ୍ଷାରେ ଫେଲ୍ ହୋଇଯିବାର ସମ୍ଭାବନା ଉପୁଜିଲା । ସେତେବେଳକୁ ଭିଣୋଇ ମୋ ପ୍ରେମରେ ପୂରା ଉବୁଟୁବୁ ହେଉଥାନ୍ତି । ସେ କହିଲେ- “ଚିନ୍ତା କରନା । ମୋର ବହୁତ ଅଧ୍ୟାପକ ଚିହ୍ନା ଜଣା ଅଛନ୍ତି ।” ଖାତା ଦେଖା ଚାଲିଥାଏ । ମୋତେ ସାଙ୍ଗରେ ନେଇ ବାଟରୁ ମିଠା ହାଣ୍ଡିଏ କିଣିଲେ । ଜଣେ ପ୍ରଫେସରଙ୍କ ପାଖରେ ଯାଇ କାକୁତି ମିନତି ହେଲେ । ପ୍ରଫେସର ଭାରି ଦୟାଳୁ । ମୁଁ ସେ ପରୀକ୍ଷାରେ ପାସ୍ କରି ଗଲି ସିନା ଆଉ ଗୋଟିଏ ଜୀବନ ମରଣ ପରୀକ୍ଷା ଆସି ପହଞ୍ଚିଗଲା । ସେ ପରୀକ୍ଷା ମୋ ଜ୍ଞାନ ଭିତରେ ନଥିଲା । ଯେତେବେଳେ ଜାଣିଲି ମୁଁ ମା ହେବାକୁ ଯାଉଚି ମୋ ବୁଦ୍ଧି ବଣା ହେଲା । ଯେତେ ମିଠା ହାଣ୍ଡି ନେଲେ ମଧ୍ୟ ଡାକ୍ତର ପରୀକ୍ଷକ ମୋତେ ସେ ପରୀକ୍ଷାରୁ ମୋଟେ ପାଶ୍ କରାଇ ପାରିଲେ ନାଇଁ । ସେତେବେଳକୁ ଖାତା ଦେଖା ସରି ମୁଦ ହୋଇ ପରୀକ୍ଷା ନିୟନ୍ତ୍ରକଙ୍କ ପାଖକୁ ଚାଲିଯାଇଥିଲା । ଆଉ ଗର୍ଭନଷ୍ଟ କରିବା ସମ୍ଭବ ହେଲା ନାଇଁ ।

ରାଜୀବ ବାବୁ ଆଁଟା କରି ଖାଲି ବଲବଲ ଆଖିରେ ଅନିଶା କରି ରହିଥାନ୍ତି । ଗୋଟିଏ ଦୀର୍ଘ ନିଶ୍ୱାସ ପକାଇ କହିଲେ- “ତା’ହେଲେ ବଡ଼ ସଙ୍ଗିନ୍ ବ୍ୟାପାର । ଏତେ ବଡ଼ ବିପଦରୁ ମୁକୁଳିବା ବଡ଼ ମୁସ୍କିଲ୍ ! ତା’ପରେ କ’ଣ ହେଲା ।” ହଁ, ତା’ପରେ ଆଉ କ’ଣ ହୋଇଥାନ୍ତା । ଛୋଟା ଗୋଡ଼ ଖାଲରେ ପଡ଼ିଗଲେ ଅବସ୍ଥା ଯାହା ହୁଏ ମୋତେ ସେଇ ଦଶା ଭୋଗିବାକୁ ପଡ଼ିଲା । ଭିଣୋଇ ବିବ୍ରତ ହୋଇ ପଡ଼ିଲେ ଆମ ମୁଣ୍ଡରେ କୁଆ ଉଡ଼ିଲା । ପରିବାରର ଗୁରୁଗୁରୁଜନ ସାଇ ପଡ଼ିଶାର ଲୋକେ ଫୁସୁର ଫାସର ହେଲେ । ମୋତେ ଭାରି ବାଧୁଥାଏ । ଟୁପ୍‌ଟାପ୍ ପାଣି ପଥର କାଟିଲା ପରି ଟୁପ୍‌ଟାପ୍ କଥା ମୋ ଅନ୍ତରକୁ କାଟିବାକୁ ଲାଗିଲା । ନେଡ଼ିଗୁଡ଼ କହୁଣିକୁ ବୋହି ଯାଇଥିଲା । ଯେତେ ଘଣ୍ଟ ଘୋଡ଼ାଇଲେ ଏ କେଉଁ ଲୁଚିବାର କଥା । ମୋର ଭଉଣୀ ବିଚରା ଘାବରେଇ ଗଲେ । ଏଣୁ ମାଇଲେ ଗୋହତ୍ୟା ତେଣୁ ମାଇଲେ ବ୍ରହ୍ମହତ୍ୟା । ଆମ ଅକଲ ଗୁଡୁମ୍ । ବାଟ ଘାଟରେ ଆମରି କଥା । ମୁଁ ଚାକିରୀ ପାଇଁ ଇଣ୍ଟରଭ୍ୟୁ ଦେଇଥାଏ । ଭିଣୋଇ ଲାଗି ପଡ଼ି ମୋତେ ଓଡ଼ିଶାର ଏକ କନ୍ଧକୋଲ ଅଞ୍ଚଳରେ ନିଯୁକ୍ତି କରାଇ ନିଜ ପାଖରୁ ଦୂରେଇ ଦେଲେ । ଅଭିଶପ୍ତା ଶକୁନ୍ତଳା ପରି ମୁଁ ଦିନ ଗଣିବାକୁ ଲାଗିଲି । ରାଜକୀୟ ଶୋଭାଯାତ୍ରାରେ ହସ୍ତିନାପୁରକୁ ବଧୂ ବେଶରେ ଯିବାକୁ ନୁହେଁ, ମୋ ଗର୍ଭରେ ବଢୁଥିବା ଭରତକୁ ଜନ୍ମ ଦେବା ପାଇଁ । ନିଜେ କରିଥିବା ଅପରାଧ ପାଇଁ ସତେ ଯେମିତି ମୁଁ ନିର୍ବାସିତା ଦଣ୍ଡକାରଣ୍ୟର ନିର୍ଜନ ଇଲାକାକୁ । ଦିନରେ କର୍ତ୍ତବ୍ୟରେ ରାତି ହେଲେ ଆକାଶର ତାରାକୁ ଗଣିଗଣି ମୁଁ ଏକାନ୍ତ ଅସହାୟ ହୋଇ ପଡୁଥିଲି । ଅତୀତର ମଧୁର ମୁହୂର୍ତ୍ତଗୁଡ଼ିକ ମୋ ପାଇଁ କେମିତି ବେଦନାବିଦ୍ଧ ପାଲଟି ଯାଉଥିଲେ । ଖଣ୍ଡିତ ଭବିଷ୍ୟତକୁ ମୁଁ ଖଣ୍ଡେ ଦୂରରୁ ଦେଖି ପାରୁଥିଲି । ସ୍ୱପ୍ନ ନୁହେଁ ଅନେକ ଦୁଃସ୍ୱପ୍ନରେ ମୁଁ ବ୍ୟତିବ୍ୟସ୍ତ ହୋଇ ପଡୁଥିଲି । କେହି ନଥିଲେ ଆହାଃ ପଦେ କହିବା ପାଇଁ ।

ପ୍ରେମ ପର୍ବତରୁ ହଠାତ୍ ମୁଁ ଖସି ପଡ଼ିଥିଲି ଏକ ଅନ୍ଧାରୁଆ ଗୁମ୍ଫା ଗହ୍ୱରକୁ । କ୍ଷତ ବିକ୍ଷତ ହୋଇ ମୋର ଅନ୍ତରାତ୍ମା ବିଳାପ କରି ଉଠୁଥିଲା । ମୁଁ ତିନି ପାଞ୍ଜିରୁ ଯାଇଥିଲି । ବାପା, ମାଆ, ଭାଇ, ବନ୍ଧୁ ବାନ୍ଧବ, ସମସ୍ତଙ୍କ ମୁହଁରେ ଯେମିତି ମୁଁ ଚୂନକାଳି ବୋଳି ଦେଇଚି । ସମାଜର ସହସ୍ର ଆଖି, ସହସ୍ର କାନ, ସହସ୍ର ପାଟି । ସମସ୍ତେ ଆମ ସମ୍ପର୍କକୁ ଛିଛାକର କରୁଥିଲେ । ବଡ଼ ଭଉଣୀ ନିରୀହପଣକୁ ଦାୟୀ କରୁଥିଲେ । ମୂଷା ପୂରେଇ ଢୋଲ ସେଇଁବା ଅପବାଦ ଦେଇ ତାକୁ ନାନା କଥା କହୁଥିଲେ । ଏ ସବୁ ତିରସ୍କାର ଶୁଣି ଶୁଣି ମୁଁ ଚେତା ବୁଡ଼ିଯିବା ପରି ଅନୁଭବ କରୁଥିଲି । ମୁଁ ଅଲାଜୁକି କାହିଁକି ନ ମରି ବଞ୍ଚିଛି ବୋଲି ଘୋର ଅନୁତାପର ଅନଳରେ ଦିନରାତି ଜଳିବାକୁ ଲାଗିଲି । ନଈବଢ଼ିକି ଦିଅଁଙ୍କ ରାଣ ଦେଲେ ନଈବଢ଼ି କ’ଣ କମିଯାଏ । ଆମ ପ୍ରେମର ପରିଣତି ନଅ ମାସ ନଅ ଦିନ ଆତ୍ମ ପ୍ରକାଶ କଲା । ପୁଅଟିଏ । ନିଆଶୀର ଆଶାବାଡ଼ି ।

ପୁଅ ଜନ୍ମ ହେବା ପର୍ଯ୍ୟନ୍ତ ଭିଣୋଇ ଦେଖାଚାଁ କରିବାକୁ ମଝିରେ ମଝିରେ ମୋ କତିକି ଆସୁଥିଲେ । ଘରର ଗୁରୁଜନମାନେ ଗୋଟିଏ ସମାଧାନର ବାଟ ବାହାର କରିବାକୁ ଗୁରୁତର ସହ ଚିନ୍ତା କରିବାକୁ ଲାଗିଲେ । ମୋର ବଡ଼ ଭଉଣୀ ସହିତ ଘରର ମୁରବି ପରାମର୍ଶ କଲେ, ଲୋପାମୁଦ୍ରାର ଅବସ୍ଥା ତ ତମେ ଜାଣ । ତୁମର ବିଚାର ଓ ମତାମତ ଉପରେ ତା’ର ବର୍ତ୍ତମାନ ଓ ଭବିଷ୍ୟତ ନିର୍ଭର କରୁଚି । ସେ ବର୍ତ୍ତମାନ ମଝି ଦରିଆରେ ଭାସୁଚି । କୂଳକିନାରା କିଛି ଦିଶୁ ନାଇଁ । ଯୌବନର ଖେଳ ଆଜି ତା’ ପାଇଁ କାଳ ହୋଇ ଉଭା ହୋଇଚି । ସେ ବର୍ତ୍ତମାନ କୁଶକୁ ମୋଟ, ବେଣାକୁ ଛୋଟ । ତୁମ ବାପଘର ଲୋକେ ମଧ୍ୟ ଜ୍ୱାଇଁଙ୍କୁ ଦୋଷ ଦେଇ କିଛି କହିପାରୁ ନାହାଁନ୍ତି । ଜାମାତା ଦଶମଗ୍ରହ । ଲୋପାମୁଦ୍ରା ଦ୍ୱିତୀୟ ପତ୍ନୀ ହୋଇ ରହୁ । ଆଉ କିଛି ଉପାୟ ଦିଶୁ ନାଇଁ । ଏହି ବିଷମ ସଙ୍କଟରୁ ପାରି ହେବା ପାଇଁ । ସମାଜର ନିନ୍ଦା ଯେତିକି ବାଧିବ ଲୋପାମୁଦ୍ରାକୁ ଗ୍ରହଣ ନ କଲେ ଲୋକ ନିନ୍ଦା ସହିତ ଅନ୍ୟାୟ ମଧ୍ୟ ହେବ । ବିରାଟ ଦ୍ୱନ୍ଦ୍ୱରେ ପଡ଼ିଗଲେ ବଡ଼ ଭଉଣୀ । ମାନସିକ ସଂଘର୍ଷରେ ଅତିଷ୍ଠ ହୋଇ ପଡ଼ିଲେ । ସାବତ ମା’ର ଭୂମିକା ସମାଜରୁ ସେ ଜାଣନ୍ତି । ସଉତୁଣୀର ସ୍ନେହ କେତେ ଗଭୀର ସେ ବୁଝନ୍ତି । ମାଉସୀ ମା’, ଖରାବେଳେ ଦିଏ ଖଣ୍ଡିଆ ଦା’ରୁ ଭଉଣୀ ସଉତୁଣୀ କି ମାରାତ୍ମକ ହୋଇପାରେ କଳ୍ପନା ଚକ୍ଷୁରେ ସେ ତାହା ଦେଖି ପାରୁଥିଲେ । ତଥାପି ସେ ଥିଲେ ବିଚାରଶୀଳା । ମହୀୟସୀ । ନା କହିଲେ ମା’ ପେଟର ଭଉଣୀଟା ନିଶ୍ଚିତ ଅନ୍ଧାର ଭିତରକୁ ଠେଲି ହୋଇଯିବ, ହଁ କହିଲେ ନିଜ ପାଇଁ ଅସରନ୍ତି ସମସ୍ୟାକୁ ଘର ଭିତରକୁ ଡାକି ଆଣିବା ଭଳି ହେବ । କିଏ ଜାଣେ କାଲି କ’ଣ ଘଟିବ ? ଯାହା ହେଉ ପଛେ ସେ ପରିସ୍ଥିତିକୁ ସମ୍ଭାଳିବେ । ଏହା ଗୃହିଣୀ ହିସାବରେ ତାଙ୍କର କର୍ତ୍ତବ୍ୟ । ବିପଦ ଆପଦରୁ ସ୍ୱାମୀଙ୍କୁ ଉଦ୍ଧାର କରିବା ଆଦର୍ଶ ଧର୍ମପତ୍ନୀର ଧର୍ମ । ସୁଧାର ଗାଈର ବାଛୁରୀ ମରୁ ପଛେ ସେ ନିଜର ଭଉଣୀ ପ୍ରତି ନିଷ୍ଠୁର ହୋଇ ପାରିବେ ନାଇଁ । ଜାମ୍ୱବାନ୍‌ର ଆହ୍ୱାନରେ ହନୁମାନ ନିଜ ଶକ୍ତି ବିଷୟରେ ସଚେତନ ହେଲେ । ମୋତେ ସଉତୁଣୀର ସ୍ୱୀକୃତି ମିଳିଲା । ମଥାରେ ପିନ୍ଧେଇ ଦେଲେ ଭିଣୋଇ ବିନ୍ଦୁଏ ସିନ୍ଦୂର ସମସ୍ତଙ୍କ ଗହଣରେ ମନ୍ଦିର ପ୍ରାଙ୍ଗଣରେ । ନା ଯୋଡ଼ିନାଗରା ବାଜିଲା । ନା ମଙ୍ଗଳ ମହୁରି ଗୀତ ଗାଇଲା । ଗୋଟିଏ କୁଆଁରୀ ଝିଅ ଜୀବନରେ ବହୁ ପ୍ରତୀକ୍ଷିତ ଶୁଭ ପରିଣୟ ପୋଡ଼ା ତରକାରୀରେ ପରିଣତ ହେଲା ।

ରାଜୀବ ବାବୁ ସରୁ ଟିପ୍ପଣୀଟିଏ ଦେଇ କହିଲେ- “ସତରେ ଆପଣଙ୍କ ଭଉଣୀ ଭଳି ଭଉଣୀ ଏ ଜଗତରେ ନାହାନ୍ତି ।” ଲୋପାମୁଦ୍ରା ତଥାପି ନିରୁତ୍ତର । ହଁ, ସେଦିନ ମୋ ଆକାଶରୁ କଳା ବାଦଲଟା ହଟିଗଲା । ପୁଅକୁ ଦେଖିବା ପାଇଁ ମୋ ସ୍ୱାମୀ ମଝିରେ ମଝିରେ ଆସୁଥିଲେ । ମୋ ଭଲମନ୍ଦ କଥା ବୁଝୁଥିଲେ । ଏବେ ମୋ କଥା ବୁଝିବାକୁ ତାଙ୍କୁ ଆଉ ବେଳ ନାଇଁ । ଏ ଦୁର୍ଭାଗିନୀର ଜୀବନ ବେଳକୁ ବେଳ ତାଙ୍କ ପାଇଁ ଅଲୋଡ଼ା ହୋଇଯାଉଚି । ପୂର୍ବର ସେ ସରାଗ ଆଉ ନାଇଁ । ତତ୍ପରତା କେଉଁ କାଳୁ ମରି ହଜିଗଲାଣି । ସେ କାଳର ଉତ୍ତେଜନା ଏବେ ଉତ୍ତାପ ହୋଇ ଯାଇଚି ତାଙ୍କ ପାଇଁ । ମୋ ଜୀବନ ଦୁର୍ବିସହ ହୋଇ ପଡୁଚି । ମୋ ଭବିଷ୍ୟତ ମଧ୍ୟ ଅତୀତ ହୋଇ ଯାଇଛି । ଆଉ ବର୍ତ୍ତମାନଟା ହା’ହତାଶର ନିଆଁ । ମୋର ପରିଚୟ ପାଲଟିଚି ଏକ ପ୍ରତାରଣା । ମୋର ଉପଲବ୍ଧି ହେଉଛି ମରୁଭୂମିର ମରୀଚିକା । ମୁଁ ଦୁଇକୁଳକୁ ପିତା ଲାଗୁଚି । ମୁଁ ମନ ହେଲେ ପୁଅକୁ ଧରି ସ୍ୱାମୀଙ୍କ ଘରକୁ ଯାଉଚି । କିନ୍ତୁ ପୂର୍ବ ପରି ସ୍ନେହ ସୋହାଗ ଆଉ ନାଇଁ । ଏକ ଅସମ୍ଭବ ଉଦାସୀନତା ତାଙ୍କୁ ଗ୍ରାସି ଯାଇଚି । ମୋ ଭଉଣୀ, ପୁତୁରା, ଝିଆରୀଙ୍କ ପାଖରେ ମୁଁ ନିଜକୁ ସାବ୍ୟସ୍ତ କରିପାରୁ ନାଇଁ । ସମସ୍ତେ ଉଚ୍ଚ ଶିକ୍ଷିତ । ସମ୍ଭ୍ରାନ୍ତ ସମାଜର ରକ୍ଷଣଶୀଳ ଆଖିରେ ମୋର ତେଜ ଝାଉଁଳି ପଡ଼ିଚି । ମୁଁ ଗୃହୀତ ହେଲେ ମଧ୍ୟ ଅଗମ୍ୟା ପାଲଟି ଯାଇଚି । ମୁଁ ସ୍ୱୀକୃତିର ସୁନ୍ଥାରେ ଅସ୍ୱୀକୃତିର ସିନ୍ଦୂର ପିନ୍ଧୁଚି । ହୀନମନ୍ୟତାରେ ମୁଁ ସମ୍ପୂର୍ଣ୍ଣ ସ୍ନାନ କରୁଚି । ନା ମୁଁ ହୋଇ ପାରିଲି ଏକ ଆଦର୍ଶ କନ୍ୟା, ସୁଗୃହିଣୀ ବା ଉତ୍ତମ ମା’ । ଖାଲି ପୁଅ ପାଇଁ ମୁଁ ବଞ୍ଚି ରହିଚି । ସେ ମୋର ଆଧାର ! ଏକମାତ୍ର ସ୍ୱପ୍ନ ଆଉ ସମ୍ଭାବନା ।

କଥାର ଝୁଙ୍କରେ କେତେବେଳେ ଲୋପାମୁଦ୍ରା ଓ ରାଜୀବ ବାବୁ ଟ୍ରେନ୍ ପାଖରେ ପହଞ୍ଚି ଯାଇଥିଲେ ଜାଣି ପାରିଲେ ନାଇଁ । ଟ୍ରେନ୍ରେ ବସୁ ବସୁ ପ୍ରଥମ ହୁଇସିଲ୍ ଶୁଭୁଥିଲା । ଅବ୍ୟକ୍ତ ବେଦନାକୁ ଖୋଲା ପବନରେ କିଛି ସମୟ ଉଡ଼ାଇ ହାଲୁକା ଅନୁଭବ କରୁଥିଲେ ମାଡ଼ାମ୍ ଲୋପାମୁଦ୍ରା । କିନ୍ତୁ ରାଜୀବ ବାବୁଙ୍କ ମଥା ଭାରି ଭାରି ଲାଗୁଥିଲା ମଣିଷ ଜୀବନର ଏ ଗୁମର କଥା ଶୁଣି ଅସହାୟ ଜୀବନର ମାର୍ମିକ ନକ୍ସା ଦେଖି. . . ।

ଲୋକପ୍ରିୟ ଲେଖା

To Top