ଗଳ୍ପ

ପ୍ରତିଯୋଗିତା

Gaurahari das's odia story Pratijogitaa

ତରୁଣ ପ୍ରଧାନମନ୍ତ୍ରୀ ଶ୍ୟାମଳୀ, ସ୍ୱାସ୍ଥ୍ୟବତୀ ଓ ରଙ୍ଗରଙ୍ଗିଆ ଲୁଗାପଟା ପିନ୍ଧିଥିବା ଆଦିବାସୀ ଲଳନାମାନଙ୍କର ଆବେଗ ଆଦର ଦେଖି ମୁଗ୍ଧ ହୋଇଥିଲେ । ସେ ସେମାନଙ୍କ ଉପରକୁ ଫୁଲମାଳ ଫିଙ୍ଗିଥିଲେ ଓ ତାଙ୍କ ପାଦରେ ପାଦ ମିଶାଇ ନାଚିଥିଲେ ।

ପ୍ରତିଯୋଗିତା

-: ପୂର୍ବରୁ :-

ବୀରେନ୍ଦ୍ର ମୋହନ ନିଜେ ନିଜ ସଫଳତାର ରୋମନ୍ଥନ କରୁଥିଲେ । ସେତେବେଳେ ସେ କୃଷି ବିଭାଗର ସେକ୍ରେଟେରୀ ଥାଆନ୍ତି । ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ଆସିବେ । ସମୟ ମାତ୍ର ସାତଦିନ । ଭବାନୀପାଟଣା ଯିବା ବାଟରେ ସରକାରୀ କଦଳୀ ଉଦ୍ୟାନ ପରିଦର୍ଶନ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପାଞ୍ଚଦିନ ଆଗରୁ ଖବର ପାଇଲେ, ସରକାରୀ କଦଳୀ ଫାର୍ମରେ କଦଳୀ ଗଛ ତ ଦୂରର କଥା ଦୁବଘାସଟିଏ ସୁଦ୍ଧା ନାହିଁ । ଭବାନୀପାଟଣା ଫାର୍ମ ଦାୟିତ୍ୱରେ ଥିବା ଅଫିସର୍ ଜଣକ ଛଅମାସ ହେଲା ପାରାଦୀପରେ ଯାଇ ତାଙ୍କ ଟ୍ରଲର୍ ବ୍ୟବସାୟ ବୁଝୁଛନ୍ତି । ପ୍ରଥମେ କୃଷିମନ୍ତ୍ରୀ ଏବଂ ପରେ ମୁଖ୍ୟମନ୍ତ୍ରୀ ଏକଥା ଜାଣିଲେ । ସେମାନେ ପରାମର୍ଶ ଦେଲେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରୁ କଦଳୀ ଉଦ୍ୟାନ ପରିଦର୍ଶନ କଥାଟା ବାଦ୍ ଦେଇଦେବେ । ମାତ୍ର ବୀରେନ୍ଦ୍ର ମୋହନ ଜିଦ୍ କଲେ- ପ୍ରଧାନମନ୍ତ୍ରୀ ଯାଆନ୍ତୁ, କିଛି ସମସ୍ୟା ହେବ ନାହିଁ । ଖାଲି ଗସ୍ତ ସମୟ ଅପରାହ୍ନ ତିନିଟା ବଦଳରେ ଚାରିଟା କରିଦେଲେ ଭଲ ହେବ । ମୁଖ୍ୟମନ୍ତ୍ରୀ ନିଶ୍ଚିନ୍ତ ରହନ୍ତୁ । ବୀରେନ୍ଦ୍ର ମୋହିନ ନିଜେ ଯାଇ ଭବାନୀପାଟଣାରେ କ୍ୟାମ୍ପ୍ ପକେଇଲେ । ଆଖପାଖ ଅଞ୍ଚଳରୁ ଟ୍ରକ୍ ଟ୍ରକ୍ କଦଳୀ ଗଛ କଟା ହୋଇ ଫାର୍ମକୁ ବୁହାହେଲା । ପଚିଶଟା ଟ୍ରାକ୍ଟର ଚାରିଦିନ କାଳ କେବଳ ଖୋଳି ଚାଲିଲେ ସେଇ ବିସ୍ତୀର୍ଣ୍ଣ ପଡ଼ିଆ । ତା’ପରେ ଗାତ ଖୋଳାଯାଇ ମୂଳ ନଥିବା କଦଳୀ ଗଛ ସେଇବୁ ଗାତରେ ପୋତି ଦିଆଗଲା । ଚାରିଟା ଦିନ ଭିତରେ ସିନେମା ସେଟ୍‌ର କଦଳୀ ବଣ ପରି ତାହା ଦିଶିଲା ସବୁଜ ଓ ସୁନ୍ଦର । ତେଣେ ପ୍ରଧାନମନ୍ତ୍ରୀଙ୍କୁ ଭବାନୀପାଟଣା ସଭାସ୍ଥଳରେ ଯେତେ ଅଧିକ ସମୟ ସମ୍ଭବ ଅଟକେଇ ରଖିବା ଲାଗି ବୀରେନ୍ଦ୍ର ମୋହନ ଆଦିବାସୀଙ୍କ ନାଚ ସର୍ଦ୍ଦାର ଓ ତାଙ୍କର ନାଚ ଗୀତ ଦଳଟିକୁ ଆଗରୁ କହିଥିଲେ । ତରୁଣ ପ୍ରଧାନମନ୍ତ୍ରୀ ଶ୍ୟାମଳୀ, ସ୍ୱାସ୍ଥ୍ୟବତୀ ଓ ରଙ୍ଗରଙ୍ଗିଆ ଲୁଗାପଟା ପିନ୍ଧିଥିବା ଆଦିବାସୀ ଲଳନାମାନଙ୍କର ଆବେଗ ଆଦର ଦେଖି ମୁଗ୍ଧ ହୋଇଥିଲେ । ସେ ସେମାନଙ୍କ ଉପରକୁ ଫୁଲମାଳ ଫିଙ୍ଗିଥିଲେ ଓ ତାଙ୍କ ପାଦରେ ପାଦ ମିଶାଇ ନାଚିଥିଲେ । ଯେଉଁ ସଭା ଘଣ୍ଟାକ ଭିତରେ ସରିବା କଥା ତାହା ଦୁଇଘଣ୍ଟାକୁ ଅତିକ୍ରମ କରିଯାଇଥିଲା, ନିରାପତ୍ତା ଦାୟିତ୍ୱରେ ଥିବା ଅଫିସର୍‌ମାନଙ୍କର ବାରମ୍ୱାର ତାଗିଦା ସତ୍ତ୍ୱେ । ଢୋଲ, ମାଦଲ, ଶିଙ୍ଗା ଓ ମହୁରୀ ଶବ୍ଦରେ ଭବାନୀପାଟଣାର ସ୍କୁଲ୍ ପଡ଼ିଆ ସେଦିନ କମ୍ପିଥିଲା । ସଭା ସାରି କଦଳୀ ଫାର୍ମ ନିକଟରେ ପହଞ୍ଚିଲା ବେଳକୁ ଖରା ତେଜ ମଉଳି ଆସିଲାଣି । ପ୍ରଧାନମନ୍ତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇ ଅଟକିବା ପାଇଁ ବାରଣ କଲେ ନିରାପତ୍ତା ଦାୟିତ୍ୱରେ ଥିବା ଏସ୍‌ପିଜି । ସେ କାଚ ତଳକୁ କରି ଚାହିଁଲେ, ପବନରେ କଦଳୀ ଗଛର ବଡ଼ ବଡ଼ ପତ୍ର ଗୁଡ଼ିକ ଦୋହଲି ଉଠୁଥାନ୍ତି । ଆଖି ପାଉନଥାଏ । ପାଖରେ ବସିଥିବା ମୁଖ୍ୟମନ୍ତ୍ରୀଙ୍କୁ ଅନେଇ ସ୍ମିତ ହସଟିଏ ହସିଦେଲେ । ପ୍ରଧାନମନ୍ତ୍ରୀଙ୍କ କଦଳୀ ଉଦ୍ୟାନ ଦର୍ଶନ ଶେଷ ହୋଇଥିଲା ।

ତିନିଆଢୁ ଲାଭ ହୋଇଥିଲା ବୀରେନ୍ଦ୍ର ମୋହନଙ୍କର ।

ସରକାରୀ ତହବିଲ୍‌ରୁ ଖର୍ଚ୍ଚ ଦଶଗୁଣା ବଢ଼ିଗଲା ଓ ସେଇ ଅନୁପାତରେ ତାଙ୍କ ଆୟ । ମୁଖ୍ୟମନ୍ତ୍ରୀଙ୍କ ନଜରରେ ସେ ସଫଳତମ ଶାସନ ସଚିବ ହୋଇଥିଲେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ତାଙ୍କର ଟିପାଖାତାରେ ଚଢ଼ିଯାଇଥିଲା ଭବାନୀପାଟଣା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକଟିର ନାଁ !

ବୀରେନ୍ଦ୍ର ମୋହନଙ୍କ ଟିପାଖାତାରେ ସାରା ରାଜ୍ୟର ପ୍ରଭାବଶାଳୀ ସରକାରୀ ଅଫିସର୍‌ମାନଙ୍କ ନାଁ ଥାଏ । ଯେଉଁମାନେ ଦୁର୍ନୀତି କରନ୍ତି ସେମାନଙ୍କ ନାଁ ପ୍ରଥମେ ! ମାସକୁ ମାସ ତାଙ୍କ ଦ୍ୱାରା ସ୍ଥିରୀକୃତ ଏଜେଣ୍ଟ୍ ମାଧ୍ୟମରେ ସେମାନେ ଭୁବନେଶ୍ୱରକୁ ଭେଟି ପଠାନ୍ତି । ଯେଉଁମାନେ ଇସାରା ବୁଝନ୍ତି ନାହିଁ, ସେମାନଙ୍କୁ ଭିଜିଲାନ୍ସ ଜରିଆରେ ଟ୍ରାପ୍ କରାଯାଏ ।

ଶିଳ୍ପପତି ଓ ବଡ଼ ବଡ଼ ଇଷ୍ଟେଟ୍ ବ୍ୟବସାୟୀଙ୍କ ପାଇଁ ବୀରେନ୍ଦ୍ର ମୋହନ ନୂଆ ସୂତ୍ରଟିଏ ସ୍ଥିର କରିଥିଲେ । କମ୍ପାନୀମାନଙ୍କ କାମ ହେଲା ପରେ ସେମାନେ ବୀରେନ୍ଦ୍ର ମୋହନଙ୍କୁ ଅର୍ଥ ବଦଳରେ ତାଙ୍କ ଦ୍ୱାରା ସ୍ଥିରୀକୃତ ଲୋକ ନାଁରେ ସେୟାର୍ ଦିଅନ୍ତି । ଜମି ବ୍ୟବସାୟୀମାନେ ପ୍ରତି ସ୍କିମ୍‌ରେ ମାତ୍ର ଗୋଟିଏ ପ୍ଲଟ୍ ଏବଂ ଘର ତିଆରି ବ୍ୟବସାୟୀମାନେ ଗୋଟେ ଗୋଟେ ଘର ଦିଅନ୍ତି । ବୀରେନ୍ଦ୍ର ମୋହନ ସେଗୁଡ଼ାକୁ ଦଶ ପନ୍ଦର ବର୍ଷ ପରେ ବିକ୍ରୟ କରି ଦିଲ୍ଲୀ, ବାଙ୍ଗାଲୋର ଏବଂ ବମ୍ୱେରେ କିଣିଛନ୍ତି ତିନିଟି ଆପାର୍ଟମେଣ୍ଟ୍ ।

ପୁଣି ଦଲକାଏ ପବନ ବୋହି ଆସିଲା ନରାଜ ଆଡୁ । ବୀରେନ୍ଦ୍ର ମୋହନଙ୍କ ରାଗ ଟିକିଏ ଥଣ୍ଡା ହୋଇଯାଇଥିଲା । ଭାବିଲେ, ଏମିତି ବି ହୋଇପାରେ, ବାଇଗଣ ବିକାଳିଟି ମୂର୍ଖ, ଦରିଦ୍ର ଓ ନିରକ୍ଷର । ହୁଏତ ତା’ ପାଖେ ଖବରକାଗଜ ପଢ଼ିବାର କି ଟିଭି ଦେଖିବାର ସାମର୍ଥ ନ ଥିବ । ସେଭଳି ପ୍ରାଣୀମାନଙ୍କୁ ଶାରୀରିକ ଗଠନ ଦୃଷ୍ଟିରୁ ମଣିଷ ସିନା କୁହାଯାଏ, ନ ହେଲେ କ’ଣ ସେମାନେ ପ୍ରକୃତ ମଣିଷ !

ବୀରେନ୍ଦ୍ର ମୋହନ ସରକାରୀ ଚାକିରୀରୁ ଅବସର ନେବାକୁ ଆଦୌ ଚାହିଁ ନଥିଲେ । ସେ ଭାବନ୍ତି, ତାଙ୍କ ପରି ବିରଳ ପ୍ରତିଭାଙ୍କର ଭୃଣରୁ ନେଇ ମରଣ ପର୍ଯ୍ୟନ୍ତ ସବୁ ଦାୟିତ୍ୱ ସରକାର, ସମାଜ କିମ୍ୱା ବେସରକାରୀ କୌଣସି ବଡ଼ କମ୍ପାନି ବହନ କରିବା ଦରକାର । କାରଣ ତାଙ୍କର ପ୍ରତ୍ୟେକ କାମ ଏଇ ଦେଶ ଓ ସମାଜ ପାଇଁ । ଦିଲ୍ଲୀ ହେଉ କି ଭୁବନେଶ୍ୱର କେଉଁଠି ଗୋଟାଏ ପଦପଦବୀରେ ରହି ସେ ପୃଥିବୀରୁ ଯାଇଥାଆନ୍ତେ, ଏଇ ଇଚ୍ଛା ଟିକକ ତାଙ୍କର ଥିଲା । ସରକାରୀ ଦଳ ତାଙ୍କ ରାଜ୍ୟସଭା ଲାଗି ଟିକେଟ୍‌ଟିଏ ଦେବ ବୋଲି ମଧ୍ୟ ସେ ସମ୍ପୂର୍ଣ୍ଣ ନିଶ୍ଚିତ ଥିଲେ । ମାତ୍ର ସେ ଟିକେଟ୍ ଗୋଟେ ଅନାମଧ୍ୟେୟ ଲୋକକୁ ଦିଆଗଲା । ଏଣେ କୁବେର ସାମନ୍ତରାୟ ଲୋକଟି ମଧ୍ୟ ତାଙ୍କୁ ଶୀତଳ ବ୍ୟବହାର ଦେଖାଇଲା । ଏଇ ଲୋକଟିକୁ ତା’ର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ବୀରେନ୍ଦ୍ର ମୋହନ ସାହାଯ୍ୟ କରିଥିଲେ । ଭାବିଥିଲେ, କୁବେର ତାଙ୍କୁ ତା’ ବିଶ୍ୱବିଦ୍ୟାଳୟର ବୋର୍ଡ ଅଫ୍ ଗଭର୍ଣର୍‌ସର ଅଧ୍ୟକ୍ଷ ଭାବରେ ବରଣ କରିବ । ମାତ୍ର ସରକାରୀ ନୀତିନିୟମ ଦେଖେଇ ଲୋକଟି ବାଟ କାଟିଦେଲା ।

ଆଇଏସଏସ୍‌ରୁ ଅଭସର ନେବା ପରେ ଆଉ ମାତ୍ର ବାରଟି ବର୍ଷ ସେ ଅନ୍ୟାନ୍ୟ ପଦପଦବୀ ଉପଭୋଗ କରିଛନ୍ତି । ଏବେ ବି ତାଙ୍କର ଉତ୍ତେଜନା ପ୍ରଶମିତ ହୋଇନାହିଁ । ପୁଅ ଆମେରିକାରେ । ସେ ଓଡ଼ିଶା ଆସେନାହିଁ । ପତ୍ନୀ ଅନେକ ଦିନୁ ଚାଲିଗଲେଣି । ହାତରେ ବହୁତ ସମୟ । କିନ୍ତୁ ସମାଜ ତାଙ୍କୁ ଉପଯୋଗ କରୁନାହିଁ ।

କଟକକୁ ଫେରି କିଛିଦିନ ନିଜ ପଢ଼ା ଟେବୁଲ୍‌ରେ ବସିଥିଲେ । ଅଫିସ୍ ଟାଇମ୍ ଅନୁସାରେ ଦଶଟାରୁ ଛଅଟା, ବେଶପୋଷାକ ହୋଇ କୋଟ୍ ଟାଇ ଭିଡ଼ି କାମ କରୁଥିଲେ । ମାତ୍ର କ୍ରମେ ବୀରେନ୍ଦ୍ର ମୋହନଙ୍କୁ ଏହା ଯାନ୍ତ୍ରିକ ଓ ଅନାବଶ୍ୟକ ଲାଗିଲା । ମନହେଲା, ସମୟ ବିତୁନାହିଁ । ଏକଦା ତାଙ୍କ ଘଣ୍ଟାର ମିନିଟ୍ ଓ ଘଣ୍ଟାକଣ୍ଟା ଯୋଡ଼ାକ ସେକେଣ୍ଡ କଣ୍ଟା ଗତିରେ ଧାଉଁଥିଲେ । ଏବେ ପରିସ୍ଥିତି ଓଲଟି ଯାଇଛି । ଏବେ ସେକେଣ୍ଡ କଣ୍ଟାଟି ଅବା ଘଣ୍ଟାକଣ୍ଟା ପରି ମନ୍ଥର ହୋଇଯାଇଛି । ସବୁଠୁ ବିରକ୍ତ ଲାଗୁଛି ସନ୍ଧ୍ୟାବେଳ । କଟକ ଭୁବନେଶ୍ୱରରେ ତାଙ୍କ ଅଧୀନରେ କାମ କରୁଥିବା ଶହଶହ ଜୁନିଅର ଅଫିସର୍ ଅଛନ୍ତି, ସେମାନେ ତାଙ୍କୁ ସଙ୍ଖୋଳି ଆସି ପାରନ୍ତେ କିମ୍ୱା କିଛି ଗୋଟାଏ ଆଲୋଚନାଚକ୍ର ଆୟୋଜନ କରି ବୀରେନ୍ଦ୍ର ମୋହନଙ୍କୁ ଡାକିପାରନ୍ତେ । ମାତ୍ର ତାହା ହେଉନାହିଁ । ସେଥିପାଇଁ ସେ ସହରର ତିନିଟି ସଂସ୍ଥାଙ୍କୁ ଖବର ଦେଇ ଓ ସେମାନଙ୍କର କର୍ମକର୍ତ୍ତାଙ୍କୁ ଡକେଇ କିଛି ଅର୍ଥ ଦେଇଥିଲେ । ଜୀବନରେ ପ୍ରଥମଥର ସେ ନିଜ ହାତରୁ ଖର୍ଚ୍ଚ କରିଥିଲେ ଏତକ । ସେମାନେ ମଧ୍ୟ ତାଙ୍କର ସଭାକୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରିଥିଲେ । କିନ୍ତୁ ତୃତୀୟ ସଭାରେ ତାଙ୍କୁ ଫୁଲମାଳ ପିନ୍ଧା ଯାଉଥିବାବେଳେ ସେ ଅସ୍ୱସ୍ତି ଅନୁଭବ କରିଥିଲେ । ଜନତାଙ୍କ କୁଣ୍ଠିତ କରତାଳି ଭିତରେ ନିଜ ଟଙ୍କାରେ ନିଜେ ପିନ୍ଧିଥିବା ଫୁଲମାଳଟା ମଲା ସାପ ପରି ବିରକ୍ତିକର ଲାଗିଥିଲା । ବୀରେନ୍ଦ୍ର ମୋହନ ନିଜ ସାଙ୍ଗେ ଅନ୍ୟ କେତେଜଣ ଅବସରପ୍ରାପ୍ତ ବ୍ୟୁରୋକ୍ରାଟ୍‌ଙ୍କ ସଫଳତାକୁ ତୁଳନା କରି ବିବ୍ରତ ହୋଇଥିଲେ । ଜାଣେ ତାଙ୍କ ଭିତରୁ ଗୋଟେ ଘରୋଇ ବିଶ୍ୱବିଦ୍ୟାଳୟର ପ୍ରୋଚାନ୍‌ସଲର, ଆଉ ଜଣେ ଶିଶୁଖାଦ୍ୟ ଉତ୍ପାଦନ ଲାଗି ପ୍ରସିଦ୍ଧ ଏକ କମ୍ପାନି ଦ୍ୱାରା ପ୍ରତିଷ୍ଠିତ ଏକ ଏକାଡ଼େମୀର ଅଧ୍ୟକ୍ଷ, ହେମନାଥ ବୁଲି ବୁଲି ବିଭିନ୍ନ ପୁରସ୍କାର କମିଟିର ସଭ୍ୟ ହେଉଛି ଓ ଉଡ଼ାଜାହାଜରେ ମାଗଣା ବୁଲୁଛି । ପୁଲିସ୍ ବିଭାଗରେ କାମ କରିଥିବା ଭରତ ମିଶ୍ର ଗୋଟେ ଖବରକାଗଜର ମୁଖ୍ୟ ସମ୍ପାଦକ । ଅଥଚ ବୀରେନ୍ଦ୍ର ମୋହନ ଏମାନଙ୍କୁ ଅଳସୁଆ ଓ ଅଯୋଗ୍ୟ ବୋଲି ବିଚାର କରୁଥିଲେ । ସେମାନେ ସମସ୍ତେ ଏବେ ବି ମାଗଣା ଗାଡ଼ି, ଡ୍ରାଇଭର୍ ଓ ବଂଲୋ ପାଇଛନ୍ତି । ଅଥଚ ତାଙ୍କ ଭଳି ଜଣେ ବିଖ୍ୟାତ ବ୍ୟୁରୋକ୍ରାଟ୍ ତିନିମାସ ହେଲା କଟକରେ ଆସି ରହୁଛନ୍ତି, କେହି ତାଙ୍କୁ ଲୋଡୁନାହିଁ ।

ପୁଣି ସେ ବାଇଗଣ ବିକାଳି ବୁଢ଼ାଟି ଆବୋରି ବସିଲା ବୀରେନ୍ଦ୍ର ମୋହନଙ୍କ ମନ । ଏଥର ଆଗପରି ତାଙ୍କ ମନରେ କ୍ରୋଧ ଆସିଲା ନାହିଁ । ତା’ ସାଙ୍ଗରେ କେମିତି ଗୋଟେ କ୍ଷୋଭ ମିଶିଗଲା । ସମୟ ବିତୁ ନଥିବା କାରଣରୁ ଆଜି ସେ ପ୍ରଥମ ଥର ଲାଗି ବାହାର ଲନ୍‌ରେ ବସିଥିଲେ । ଦିନସାରା, କେହି ଜଣେ ତାଙ୍କୁ ଫୋନ୍ କରୁନାହିଁ କି ଆସି ଦେଖା କରୁନାହିଁ । ଲ୍ୟାଣ୍ଡ୍‌ଫୋନ୍ ଓ ମୋବାଇଲ୍ ଫୋନ୍ ଯୋଡ଼ାକ ଶକ୍ତିହୀନ ଅର୍ଜୁନର ଗାଣ୍ଡୀବ ଓ ଭୀମସେନର ଗଦାପରି ପଡ଼ି ରହିଛନ୍ତି । ଯେଉଁ ଅସ୍ତ୍ରଯୋଡ଼ିକ ଯୋଗେ ସେ ଅସାଧ୍ୟ ସାଧନ କରୁଥିଲେ ସତେ କି ସେଗୁଡ଼ିକର କଳାହରଣ ହୋଇଯାଇଛି । ଏବେ ସେଗୁଡ଼ିକ ମୃତପ୍ରାୟ !

ସେ ଦୀର୍ଘଶ୍ୱାସ ନେଲେ ।

ତାହା ସାଙ୍ଗେ ଦି’ପଦ କଥା କହିବାର ଆଗ୍ରହ ଏତେ ତୀବ୍ର ବୋଲି ସେ ଆଗରୁ କେବେ ଅନୁଭବ କରିନଥିଲେ । ମଣିଷର ମନ ଏତେ ଆକୁଳ ହୋଇପଡ଼େ ଆଉ ଜଣକର ସାନ୍ନିଧ୍ୟ ଲାଗି, ତାହା ବୁଝି ନଥିଲେ । ସେ ଦୂର ଦୀପାନ୍ତରେ ନିର୍ବାସନ ଭୋଗୁଥିବା ମଣିଷଙ୍କ କଷ୍ଟ କଥା ସାହିତ୍ୟରେ ପଢ଼ିଛନ୍ତି । ମାତ୍ର ନିଜ ରାଜ୍ୟରେ ଓ ନିଜର ବାସଗୃହ ଭିତରେ ସୁଦ୍ଧା ଜଣେ ଏମିତି ଏକୁଟିଆ ଅନୁଭବ କରିପାରେ, ସେ କଥା କୌଣସି ଦିନ ବୀରେନ୍ଦ୍ର ମୋହନ ଭାବି ନଥିଲେ ।

ସେଇଥିପାଇଁ ସେ ଆଜି ରାସ୍ତାରେ ଯାଉଥିବା ବାଇଗଣ ବିକାଳିକୁ ଡାକି ତା’ ସହ ଦି’ପଦ କଥା ହେବାକୁ ଚାହିଁଥିଲେ । ହେଉପଛେ ନିରକ୍ଷର, ମୂର୍ଖ, ଦି’ପଦ କଥା ତ କହିବ । ଲୋକଟି ତା’ ବାଡ଼ିର ବାଇଗଣ ନଥିଲା, ଥିଲା ସେ ବୁଢ଼ାର ନାତି କି ନାତୁଣୀ !

ଅଥଚ ବୀରେନ୍ଦ୍ର ମୋହନ ଥିଲେ କୃଷି ସଚିବ, ଆର୍‌ଡିସି ପୁଣି ରାଜ୍ୟର ଉନ୍ନୟନ କମିସନର୍ । ଚାଷ ବିଷୟରେ ତାଙ୍କ ଜ୍ଞାନର ଏକ ଶତାଂଶ ମଧ୍ୟ ବୁଢ଼ାଲୋକଟି ପାଖରେ ନଥିଲା । ମାତ୍ର ତା’ ସତ୍ତ୍ୱେ ବୁଢ଼ାଟି ଡଗଡଗ ହୋଇ ବାଇଗଣ ଚାଷ ସମ୍ପର୍କରେ କେତେ କଥା ତାଙ୍କ ଆଗରେ ଗପିଯାଇଥିଲା ।

ବହୁଦିନ ପରେ, ଜଣେ ମଣିଷର କଥା ଶୁଣୁଥିଲେ ବୀରେନ୍ଦ୍ର ମୋହନ । ସେ ଆଉ କିଛି ସମୟ ତା’ ସହ ଗପ ଯୋଡ଼ିଥାଆନ୍ତେ । ମାତ୍ର ତାଙ୍କୁ ଅନ୍ୟ କେଉଁ ଗ୍ରହର ଅଧିବାସୀ ବୋଲି ଭାବି, ସେଇ ବୁଢ଼ାଟି ଏ ଯୋଡ଼ିକ ଉଦ୍ଭଟ ପ୍ରଶ୍ନ ପଚାରିଥିଲା ।

ପ୍ରଶ୍ନ ଦିଇଟା ବୀରେନ୍ଦ୍ର ମୋହନଙ୍କୁ କଙ୍କଡ଼ାବିଛାର ଦଂଶନ ପରି କଷ୍ଟ ଦେଇଥିଲା । ସେ ଚିତ୍କାର କରିଥିଲେ- “ଗେଟ୍ ଆଉଟ୍ !”

ଛାନିଆଁରେ ଲୋକଟି ତା’ ଅଖାଝୁଲା ଓ ବାଇଗଣ ଧରି ଦଉଡ଼ି ଦଉଡ଼ି ପଳାଇଥିଲା । ପ୍ରଥମେ କିଛିବାଟ ସାଇକେଲ୍‌ଟାକୁ ଗଡ଼େଇ ଗଡ଼େଇ ଓ ପରେ ତା’ ସିଟ୍ ଉପରେ ବସି ବୁଢ଼ାର ସେ ପଳାୟନ ଦୃଶ୍ୟ ଆକ୍ରମଣ ଭୟରେ ଧାଇଁ ପଳଉଥିବା ବୁଲା କୁକୁରର ପଳାୟନଠାରୁ ଊଣା ବିକଳ ନଥିଲା ।

ଭିତରେ ଭିତରେ କେମିତି କିଛି ଗୋଟାଏ ବୀରେନ୍ଦ୍ର ମୋହନଙ୍କୁ କୋରି ପକଉଥିଲା । ଅନେକ ରାତି ପର୍ଯ୍ୟନ୍ତ ନିଦ ହେଲା ନାହିଁ । ଛାତ ଉପରୁ ବାଧ୍ୟ ହୋଇ ଓହ୍ଲେଇ ଆସିଲେ ଓ ଦୁଇଟା ନିଦ ବଟିକା ଖାଇ ଶୋଇ ପଡ଼ିଲେ ।

ଏ ଘଟଣାର ଚାରି ପାଞ୍ଚଦିନ ପର୍ଯ୍ୟନ୍ତ ସେ ଆଉ ବାହାରକୁ ବାହାରିଲେ ନାହିଁ ।

ପ୍ରତି ମାସର ଦ୍ୱିତୀୟ ରବିବାରରେ ସେ ମୁଣ୍ଡରେ ରଙ୍ଗଦେବା ଲାଗି ତାରକା ହୋଟେଲ୍‌ର ସେଲୁନ୍ ଯାଆନ୍ତି । କାଲି ରବିବାର ଥିଲା, ମାତ୍ର ଯିବାକୁ ଇଚ୍ଛା ହେଲା ନାହିଁ । କାନ ପାଖର ବାଳଗୁଡ଼ାକ କହଁରା ଓ ଧଳା ଦିଶିଲାଣି, କିନ୍ତୁ ସେଥିପ୍ରତି ଧ୍ୟାନ ଦେଇନାହାନ୍ତି ବୀରେନ୍ଦ୍ର ମୋହନ । ଦିନସାରା ବସି ବସି ପୁରୁଣା କାଗଜପତ୍ର ଘାଣ୍ଟି ହେଉଥିଲେ । ସନ୍ଧ୍ୟାହେଲା ବେଳକୁ ଗୋଟେ ଭୟ ଆସୁଥିଲା । ଅନାହୂତ ଭାବେ ସେ କୌଣସି ସଭା ସମିତିକୁ ଯାଇପାରିବେ ନାହିଁ । ଅଥଚ ମଞ୍ଚତଳେ, ସାଧାରଣ ଜନତାଙ୍କ ମେଳରେ ବସି ପାରିବେ ନାହିଁ ବୀରେନ୍ଦ୍ର ମୋହନ । ଗଲା ରବିବାର ଭୁବନେଶ୍ୱର କ୍ଲବ୍‌କୁ ଯାଇଥିଲେ । ତାଙ୍କରି ଆଗ ଟେବୁଲ୍‌ରେ ରାଧାକାନ୍ତ ଦେଓ ଏବଂ ଶ୍ରୀନିବାସନ ବସିଥିଲେ । ଅଥଚ ସେମାନେ କେହି ଥରଟେ ପାଇଁ ତାଙ୍କ ପାଖକୁ ଆସି ସାଧାରଣ ସୌଜନ୍ୟ ଦେଖେଇଗଲେ ନାହିଁ । ତେଣୁ କ୍ଲବ୍‌କୁ ଯିବାକୁ ସୁଦ୍ଧା ମନ ଟେକୁନାହିଁ । ମନେ ହେଉଛି ଯେମିତି, ଅବଶିଷ୍ଟ ଓଡ଼ିଶା ତାଙ୍କୁ ଅଣଦେଖା ଏବଂ ଅନାଦର କରିବା ଲାଗି ଷଡ଼ଯନ୍ତ୍ର କରିଛି !

ଖୁବ୍ କଷ୍ଟ ହେଉଥିଲା ବୀରେନ୍ଦ୍ର ମୋହନଙ୍କୁ ।

ଆଜି ସୋମବାର ସକାଳ ! ସବୁ ସକାଳେ ବୀରେନ୍ଦ୍ର ମୋହନ ନିଜ ହତା ଭିତରର ବିସ୍ତୀର୍ଣ୍ଣ ଲନ୍‌ରେ ଅଧଘଣ୍ଟା ଲାଗି ଚାଲନ୍ତି । ଲନ୍ ଭିତରେ ସାପ ଚାଲି ଠାଣିରେ ସରୁ ପାଦ ଚଲା ରାସ୍ତାଟି ତିଆରି କରେଇଛନ୍ତି । ଏ ମୁଣ୍ଡରୁ ସେ ମୁଣ୍ଡ ଚାରିଥର ଚାଲି ଆସିଲେ ଝାଳ ବୋହିଯାଏ । ଆଜି କିନ୍ତୁ ସେ ନିଜ ଲନ୍‌ରେ ବୁଲିଲେ ନାହିଁ । ଘରର ପଛପଟ ଗେଟ୍‌କୁ ଖୋଲିଦେଲେ । ଆପତ୍ତି ଜଣାଇଲା ପରି ଲୁହା ଗେଟ୍‌ଟା କେଁ ଶବ୍ଦ କରି ଉଠିଲା । ବୀରେନ୍ଦ୍ର ମୋହନସଚେତନ ହୋଇ ପଡ଼ିଲେ । ତା’ପରେ ଧୀରେ ବାହାରକୁ ପାଦ ରଖିଲେ । ଆଜି ସେ ଫୁଲ୍‌ପ୍ୟାଣ୍ଟ୍ କି ସଫାରି ପିନ୍ଧି ନଥିଲେ । ତା’ ବଦଳରେ ତାଙ୍କ ବାପା ପିନ୍ଧୁଥିବା ପରି ଗୋଟେ କୁର୍ତ୍ତା ଓ ପାଇଜାମା ପିନ୍ଧିଥିଲେ । ହାତର ସୌଖୀନ ବାଡ଼ିଟିଏ ଧରି କାଠଯୋଡ଼ି ବନ୍ଧ ମୁହାଁ ଗୋଟିଏ ଗୋଟିଏ ପାହୁଣ୍ଡ ପକେଇ ଚାଲିଲେ । କିଛି ସମୟ ପର୍ଯ୍ୟନ୍ତ ତାଙ୍କର ଧାରଣା ହେଉଥିଲା ଯେ, ପାଖ ଘରମାନଙ୍କୁ ଅନୁସନ୍ଧିତ୍ସୁ ପଡ଼ୋଶୀମାନେ ଝରକା ଫାଙ୍କରୁ ଅନେଇ ତାଙ୍କର ଏ ଢଙ୍ଗରଙ୍ଗକୁ ଦେଖୁଥିବେ । ରାସ୍ତା ଧାରର ଗଛ ଉହାଡ଼ରୁ ମଧ୍ୟ ଲକ୍ଷ୍ୟ କରୁଥିବ କିଛି କୌତୂହଳି ଆଖି । ମାତ୍ର କ୍ରମେ ସେ ସଙ୍କୋଚ ହଟିଗଲା । ସେ ତରତର ହୋଇ ନଈବନ୍ଧ ଉପରକୁ ଉଠିଗଲେ ।

ସକାଳ ହୋଇ ନାହିଁ । ଟିକେ ଟିକେ ଅନ୍ଧାରିଆ ଦିଶୁଛି ଚାରିଆଡ଼ । କୁହୁଜଡି ସାଙ୍ଗରେ ମିଶିଯାଇଛି କାଠଯୋଡ଼ିର ନଈବାଲି । କାଁ ଭାଁ ଗୋଟିଏ ଯୋଡ଼ିଏ ଅଟୋରିକ୍ସା ଯା’ ଆସ କରୁଥିଲେ ରାସ୍ତାରେ ।

ବୀରେନ୍ଦ୍ର ମୋହନ ଡାହାଣପଟ ବାଦାମବାଡ଼ି ଦିଗରେ ନ ଯାଇ ବାମ ଦିଗରେ ଚାଲିଲେ । ରିଙ୍ଗ୍ ରୋଡ୍ର ଏଇ ରାସ୍ତା କଟକ ସହରର ଅଣ୍ଟାସୂତା ପରି । ସେ ପାଦର ଗତି ବଢେ଼ଇଲେ । ସକାଳର ଖୋଲା ପବନ ନୂଆ ଏବଂ ମିଠା ଲାଗୁଥିଲା । କୋଉଦିନୁ ବନ୍ଦ ହୋଇଥିବା ତାଙ୍କର ମନର ଝରକାଗୁଡ଼ାକ ଧୀରେ ଧୀରେ ଅବା କବାଟ ଖୋଲୁଥିଲେ ।

ତା’ପରେ

ଲୋକପ୍ରିୟ ଲେଖା

To Top