ଗଳ୍ପ

ପ୍ରେମାନନ୍ଦ ଅପରିଚିତ

Prasanta Kumar Nayak's odia story Premananda Aparichita

ଶ୍ରୀରାଧା’ଙ୍କର ଛଳିଆ କୃଷ୍ଣ ପ୍ରତି ଅଗାଢ ପ୍ରେମକୁ କବିତା ରୂପରେ ବର୍ଣ୍ଣନା କରି ଶ୍ରୋତାମାନଙ୍କ ମନକୁ ମୋହିବାକୁ ଲାଗିଲେ ପ୍ରେମାନନ୍ଦ ।

ସଚରାଚର ସୃଷ୍ଠିର ପ୍ରତ୍ୟେକ କୋଣରେ ସେହି ସୁକ୍ଷ୍ମ କାରିଗରର ନିହାଣ ଚିନ୍ହ ଦେଖିବାକୁ ମିଳେ । ସେ କାରିଗରର କାରିଗରୀ ଅତୁଳନୀୟ. ଜଳ, ସ୍ଥଳ କିମ୍ବା ଆକାଶ, ପ୍ରତ୍ୟେକ ସ୍ଥାନର ନିର୍ମାଣରେ ସେ କିଛିବି ତ୍ରୁଟି ଛାଡି ନାହାନ୍ତି । ଏମିତି ଏହି ସୃଷ୍ଠିରେ କିଛିବି ନାହିଁ, ଯାହାକି ସେହି ମହାନ କାରିଗରର ନିହାଣରେ ଗଢା, କିନ୍ତୁ ଅସୁନ୍ଦର ଅବା ଅଭିଶପ୍ତ. ପ୍ରତ୍ୟେକ ସ୍ଥାନରେ ଅକଳ୍ପନୀୟ ସୌନ୍ଦର୍ୟ; ସେହି ସୌନ୍ଦର୍ଯ୍ୟର ଏକ ଅଭିବ୍ୟକ୍ତି ହେଲା ପ୍ରକୃତି । ଆଜି ସେହି ପ୍ରକୃତି ମୋର ନୟନରେ ଏକ ବୃକ୍ଷ ରୂପରେ ଦୃଶ୍ୟମାନ ।

ବସି ବସି କେତୋଟି ଧାଡ଼ି ଲେଖୁଥିଲେ ପ୍ରେମାନନ୍ଦ; ସେ ଅଳ୍ପକେ ପ୍ରେମିକ ମିଞ୍ଜାସର ପିଲା । ଢେମଣା ଟା ହେଲାଣି, ଦିପଇସା ରୋଜଗାର କରିବାର ବାଟ ବାହାରି ନକରି ନିରୋଳା ସ୍ଥାନରେ ବସି ଭାବୁକଙ୍କ ପରି ଗଳ୍ପ କବିତା କାହାଣୀ ଲେଖୁଥିଲେ, କିନ୍ତୁ ବର୍ତ୍ତମାନର ଦ୍ରୁତଗାମୀ ଟ୍ରେନ ପରି ଜୀବନରେ କିଏବା ଗତିହୀନ ହୋଇ ତାଙ୍କର ଲେଖାକୁ ପଢିବ । ଧେତ ତେରିକି, ସେ ବେଳେ ବେଳେ ଅଧର୍ୟ୍ଯ ହୋଇ କୁହନ୍ତି କି ଆରେ ଜଣେ ଅଧେ କେହିତ ତାଙ୍କ ମନରେ ଥିବା ବିଷୟର ବର୍ଣ୍ଣନାକୁ ପଢ଼ ଓ ବୁଝ । କେହି ଆସନ୍ତିନି, ତେଣୁ ଢେମଣା ଭଳି ମୁଣ୍ଡ ହଲେଇ ହଲେଇ ପ୍ରେମାନନ୍ଦ ଘରକୁ ଫେରନ୍ତି । ସବୁଦିନପରି ମା’ବାପାଙ୍କ ଠାରୁ ଦୁଇପଦ ଭଦ୍ର ଗାଳି ଶୁଣି ଖାଇପିଇ ଶୋଇଯାନ୍ତି ।

ପିତା ବ୍ରହ୍ମାନନ୍ଦ ହେଉଛନ୍ତି ଶାସନୀ ବ୍ରାହ୍ମଣ, ଖୁବ ଭଲ ପଣ୍ଡିତ ଜ୍ଞାନ । ସେ ଅଞ୍ଚଳର ଶାସନୀର ସେ ଜଣେ ମୂଖ୍ୟ ପୁରୋହିତ । ତେଣୁ ସେ ବଡ଼ ବଡ଼ ପରିବାରରେ ଯଜମାନି କରନ୍ତି । ପ୍ରେମାନନ୍ଦ ପାଞ୍ଚବର୍ଷ ବୟସରୁ ପିତାଙ୍କ ସହିତ ପୂଜାପାଠ କରିବାକୁ ଯାଆନ୍ତି; କିନ୍ତୁ ଏବେ ସେ ଅଠର ବର୍ଷର ହେଲେଣି ଏବଂ ତାଙ୍କର ଆଉ ଇଚ୍ଛା ନାହିଁକି ସେ ସେହି ଜଜମାନି ପେଶାରେ ଫେସିହୁଅନ୍ତୁ । ଯେତେ ବୁଝେଇଲେ ସେ ନାରାଜ; ଆଉ ଧୋତିକୁର୍ତା ପିନ୍ଧିବାକୁ ପ୍ରସ୍ତୁତ ନାହାନ୍ତି । ପଚାରିଲେ କୁହନ୍ତି କି ତାଙ୍କୁ ଏହି ପୂଜାପାଠ କାମ ଆଉ ଭଲ ଲାଗୁନାହିଁ, ସେ କିଛି ଅଲଗା କାର୍ଯ୍ୟ କରିବେ । ହେଲେ ସେ ନିଜେ ଜାଣି ନାହାନ୍ତି କି ସେ କଣ କରିବେ । ତୋ ଦ୍ୱାରା କିଛି ହେବନି ପ୍ରେମାନନ୍ଦ, ଜଲ୍ଦି ସୁଧୁରି ଯାଅ ନଚେତ ଢେମଣା ଟା ଭଳି ଜୀବନ ସାରା ବୁଲିବୁ; ପିତା ବ୍ରହ୍ମାନନ୍ଦ ରାଗି ଏପରି କହି ସେ ସ୍ଥାନରୁ ଚାଲିଗଲେ ।

ନାଁ ଟା କଣ ଯେ ପ୍ରେମାନନ୍ଦ ରଖିଦେଲେ, ପୁଅ ସତରେ କଣ ପ୍ରେମର ଆନନ୍ଦ ନେବାକୁ ଇଛୁକ ହେଲେଣି । ଆରେ ରେ ଏ ପିଲାଟା ପୁରା ଗାଲୁଆ, ପ୍ରେମ ଓ ପ୍ରେମ କବିତା ଲେଖା ଛାଡି କିଛି ଧନ୍ଦା କରି ଦୁଇପଇସା ରୋଜଗାର କରି ପିତାଙ୍କୁ ସାହାଯ୍ୟ କର । ପ୍ରେମାନନ୍ଦ ବ୍ୟସ୍ତ ହୋଇ ନିରୋଳା ସ୍ଥାନରେ ଶାନ୍ତି ଅନୁଭବ କରିବାର ଇଚ୍ଛା ଧରି ପହଞ୍ଚିଗଲେ “ସାଧୁ ମହାରଣା”ଙ୍କର ଆମ୍ବ ତୋଟାରେ । ଆମ୍ବ ଗଛ ମୂଳରେ ବସି ଭାବିବା ଆରମ୍ଭ କଲେ କି ତାଙ୍କ ଜୀବନର ଉଦ୍ୟେଶ କଣ, ସେ କଣ କାମ କଲେ ଜୀବନରେ ଖୁସି ରହିପାରିବେ ଇତ୍ୟାଦି ଇତ୍ୟାଦି । ଭାବୁ ଭାବୁ ନିଦ ଲାଗିଗଲା; ସେହି ଆମ୍ବ ତୋତାଟି ବନିଗଲା ପ୍ରେମାନନ୍ଦ’ଙ୍କର ଦିବା ସ୍ୱପ୍ନର ଘଟସ୍ଥଳୀ. ସାଧୁ ମହାରଣାର ଆମ୍ବତୋଟାରେ ଶୋଇଶୋଇ ପ୍ରେମାନନ୍ଦ ଜୀବନର ମୂଲ୍ୟବାନ ସମୟକୁ ବ୍ୟୟ କରିଚାଲିଲେ, କିନ୍ତୁ ସେ ଆଗକୁ ଆଗେଇବାକୁ କିଛି ଭାବିପାରୁନଥିଲେ କାରଣ ଆଖି ବନ୍ଦ କରିବା କ୍ଷଣି ସେ ତ ଶୋଇ ପଡୁଥିଲେ, ଆଉ ଭାବିବେ କଣ । ପ୍ରେମରେ ଆନନ୍ଦ ମିଳୁ କି ନାହିଁ, ନିଦ୍ରାରେ ଆନନ୍ଦ ତ ପକ୍କା ମିଳୁଥିଲା । ତେଣୁ ପିତା ବ୍ରହ୍ମାନନ୍ଦ ଏବେ ପୁତ୍ରଙ୍କୁ ନିଦ୍ରାନନ୍ଦ ବୋଲି ନାମକରଣ କରିଦେଇଥିଲେ । ପିତାଙ୍କ ଠାରୁ ବାରମ୍ବାର କଟୁକଥା ଶୁଣି ଶୁଣି ନିଦ୍ରାନନ୍ଦ ବିଚାର କଲେକି ସେ ଶ୍ରୀରାମ’ଙ୍କର ଚଉଦ ବର୍ଷ ବନବାସ ପରି ସେ ମଧ୍ୟ ନିଜ ଗୃହକୁ ଚଉଦ ବର୍ଷ ପାଇଁ ତ୍ୟାଗକରି ସହର ଅଭିମୁଖେ ଯାତ୍ରା କରିବେ । ପୁତ୍ରର ଜୀବନକୁ ସୁଧାରିବାକୁ ହେଲେ ତାଙ୍କୁ ଗୃହ ତ୍ୟାଗ କରିବାଟା ଉଚିତ ଭାବି ପିତା ବ୍ରହ୍ମାନନ୍ଦ ନିଜ ହୃଦୟ ଉପରେ ପଥର ଲଦିଦେଇ ଆଜ୍ଞା ପ୍ରଦାନ କଲେ, ସର୍ତ୍ତ ଥିଲା କି ଚଉଦ ବର୍ଷ ପରଦିନ ନିଦ୍ରାନନ୍ଦ ତାଙ୍କ ନିକଟକୁ ଫେରି ଆସିବେ ଏବଂ ଏହାମଧ୍ୟରେ ସେ ଖୁବ ଭୌତିକ ପ୍ରଗତି କରିଥିବା ଆବଶ୍ୟକ ।

ଅଜଣା ଲକ୍ଷ୍ୟସ୍ଥଳୀକୁ ଖୋଜିବା ଉଦ୍ଦେଶ୍ୟ ଧରି ପ୍ରେମାନନ୍ଦ ନଗରୀକୁ ଯାଉଥିବା ବସରେ ବସିପଡ଼ିଲେ ଏବଂ ବନବାସ ଜୀବନଯାତ୍ରା ଆରମ୍ଭ କରିଦେଲେ । ବସ୍‌ଟି ପ୍ରାୟ ତିନିଶହ କିଲୋମିଟର ଦୂରତାକୁ ଅତିକ୍ରମ କରି ସକାଳ ସମୟରେ ଆସି ପହଞ୍ଚିଗଲା “କୈକାନୂର” ରାଜ୍ୟର ରାଜଧାନୀ ମହାନଗରୀ “ହେର୍ମାବ୍ୟାସ” । ବସରୁ ଓଲ୍ହେଇ ପଡି ସେହି ବସସ୍ଟାଣ୍ଡରେ ଗାଧୁଆପାଧୁଆ କାମ ସାରି ରାସ୍ତାକଡ଼ରେ ଥିବା ହୋଟେଲରେ ଭଲକି ପେଟଭରି ବଡା ଇଡ଼ଲି ଖାଇଦେଲେ ପ୍ରେମାନନ୍ଦ । ଯାହାବି ହେଉ, ତାଙ୍କୁ ଭୟ ଲାଗୁ ନଥିଲା କାରଣ ସେ କେଉଁବି ସ୍ଥାନରେ ପ୍ରେମାନନ୍ଦ ରୁ ନିଦ୍ରାନନ୍ଦ କୁ ପରିବର୍ତ୍ତନ ହୋଇପାରୁଥିଲେ । ଏବେ ସେ ଯିବେ କୁଆଡେ, କାହାରିକୁ ତ ସେ ଜାଣନ୍ତିନାହିଁ ସେହି ନଗରୀରେ । ତେଣୁ ସେ ନଗରୀର ଗୋଟିଏ ଗଳିରୁ ଆଉ ଗୋଟିଏ ଗଳିକୁ ଯିବାକୁ ଲାଗିଲେ । ବହୁତ ସଂଖ୍ୟାରେ ଲୋକ, ସମସ୍ତେ ବ୍ୟସ୍ତ ଆଉ କିଏ ବି କାହା ସହିତ ପଦେ କଥା ହେବାକୁ ସମୟ ନାହିଁ । ବିଚିତ୍ର ଏହି ମହାନଗରୀର ଜୀବନ, କିନ୍ତୁ ଏଠି ଲୋକମାନେ ଜୀବନ ନିର୍ବାହ କରିବା ହେତୁ କାର୍ଯ୍ୟରତ ଏବଂ ପ୍ରାୟ ସମସ୍ତେ କିଛି ନା କିଛି କରି ଦୁଇପଇସା ରୋଜଗାର କରୁଛନ୍ତି । ତେଣୁ କେହିବି ବୋଧହୁଏ ନିଜର ପିତାଙ୍କର ଗାଳି ଶୁଣୁନଥିବେ । ବ୍ୟାଗ୍‌ଟି କାନ୍ଧରେ ଉଠାଇ ଉଠାଇ ଥକିଗଲେଣି ପ୍ରେମାନନ୍ଦ । ସନ୍ଧ୍ୟା ସମୟ ହୋଇ ଆସିଲାଣି । କେଉଁଠି ରା଼ତ୍ରୀ ବିତାଇବେ, ସେହି କଥା ଭାବି ଭାବି ରାସ୍ତାକଡ଼ରେ ଥିବା ଚାହା ଦୋକାନ ପାଖରେ ଠିଆ ହୋଇଗଲେ ଏବଂ ଚାହା ଗ୍ଲାସଟି ଧରି ପିଇବାକୁ ଲାଗିଲେ । କେତେ ପଇସା ପଚାରିବାରୁ ଚାହା ଦୋକାନୀ କହିଲା କୋଡିଏ ଟଙ୍କା; ଏତେ ପଇସା କଣ ଚାହା ଗ୍ଲାସ ପାଇଁ, ଆମ ଗାଁରେ ତ ଦୁଇଟଙ୍କା, ଦୋକାନୀ ବିରକ୍ତ ହୋଇ କହିଲା ତାହେଲେ ଗାଁକୁ ପଳା, ଏଇଟା ମହାନଗରୀ ଏବଂ ଏଠି ସବୁ ଜିନିଷ ଅଧିକ ଦାମ । ଆଉ କିଛି ନକହି ପ୍ରେମାନନ୍ଦ କୋଡିଏ ଟଙ୍କା ଦେଇ ମନ ଦୁଃଖରେ ଛିଡାହେଲେ ।

ଦୋକାନୀକୁ ପଚାରିଲେ କି ଭାଇ ଏଠି ରାତିରେ ଶସ୍ତାରେ ରହିବାବୁ କିଛି ପାନ୍ଥଶାଳା ଅଛିକି ? ଦୋକାନୀ ଭାବିଲା ପିଲାଟା ନୂଆ ଆସିଛି ବୋଧେ; ତାକୁ ଲୁଟିବାଟା ସହଜ ହେବ. କିନ୍ତୁ କଥାରେ ଅଛି ନା “ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ” । ଠିକ ଏହି ସମୟରେ ନିକଟରେ ଥିବା ରାଧାକୃଷ୍ଣ ମନ୍ଦିରର ସନ୍ଧ୍ୟା ଆରତୀର ଘଣ୍ଟା ଶବ୍ଦ ଶୁଭିଲା । ଯେଉଁ ପୂଜା ପାଠ ନକରିବା ପାଇଁ ପ୍ରେମାନନ୍ଦ ଗାଁ ଛାଡି ଆସିଲେ, ସେହି ପୂଜାପାଠ ହିଁ ତାକୁ ଚୁମ୍ବକ ପରି ଆକର୍ଷିତ କରି ନେଇ ମନ୍ଦିରରେ ପହଞ୍ଚାଇଲା । ଆରତୀ ଚାଲିଥିଲା; ବୃଦ୍ଧ ନନା ଧୀରେ ଧୀରେ ଆରତୀ ଭଜନ ଗାଉଥିଲେ; ତେଣୁ ପ୍ରେମାନନ୍ଦ ଖୁବ ଜୋର ଜୋରରେ ସେହି ଆରତୀ ଗାଇବାକୁ ଲାଗିଲେ । ପିତା ବ୍ରହ୍ମାନନ୍ଦ ଏସବୁ ଶିକ୍ଷା ଖୁବ କମ ବୟସରୁ ପ୍ରେମାନନ୍ଦ’କୁ ଶିଖାଇଦେଇଥିଲେ । ଆରତୀ ସାରି ସମସ୍ତ ଲୋକମାନେ ଚାଲିଗଲେ କିନ୍ତୁ ପ୍ରେମାନନ୍ଦ ଯେ ଆଉ କୁଆଡେ ଯିବେ, ସେହି ମନ୍ଦିରରେ ବସି ରହିଲେ । ବୃଦ୍ଧ ନନା ସବୁକଥା ଶୁଣିବା ପରେ କହିଲେ ଦେଖ ପ୍ରେମାନନ୍ଦ, ଯେଉଁ ପୂଜାପାଠ ରୁ ଦୂରେଇଯାଇ ତୁମେ ଗାଁ ଛାଡି ଏହି ମହାନଗରୀକୁ ଆସିଲ, ସେହି ପୂଜାପାଠ ତୁମକୁ ସେହି ଈଶ୍ଵରଙ୍କର ମନ୍ଦିରରେ ରାତ୍ରି ବିତାଇବାକୁ ଆଜି ସ୍ଥାନ ଦେଲା । ତାଛଡା ତୁମେ ଯଦି ମୋତେ ମନ୍ଦିରର ପୂଜାପାଠ କାମରେ ସାହାଯ୍ୟ କରିବ, ମୁଁ ମନ୍ଦିର ଟ୍ରଷ୍ଟିମାନଙ୍କୁ କହି ତୁମର ଏଠି ରହିବାର ବ୍ୟବସ୍ଥା କରିଦେବି । ପ୍ରେମାନନ୍ଦ ଭାବିଲେ ଯେହେତୁ ତାଙ୍କ ନିକଟରେ ଆଉ କିଛି ଉପାୟ ନାହିଁ, ନନାଙ୍କର ପ୍ରସ୍ଥାବ ସ୍ବୀକାର କରିନେବାଟା ହିଁ ଉଚିତ । ସେହିଠୁ ପୁଣି ଆରମ୍ଭ ହେଲା ପ୍ରେମାନନ୍ଦ’ଙ୍କର ପୂଜାପାଠ । ତାଛଡା ସମୟ ମିଳିଲେ ସେ ବୃଦ୍ଧ ନନାଙ୍କ ଠାରୁ ଅନେକ କିଛି ଶିକ୍ଷା ପାଇପାରିଲେ । ସେ ନିଜର କବିତା ଲେଖିବାର ଗୁଣକୁ ମଧ୍ୟ ବଜାୟ ରଖିପାରିଲେ ।

ରାଧାକୃଷ୍ଣ ମନ୍ଦିର, ସେ ତ ପ୍ରେମର ସ୍ଥଳୀ । ଶ୍ରୀରାଧା’ଙ୍କର ଛଳିଆ କୃଷ୍ଣ ପ୍ରତି ଅଗାଢ ପ୍ରେମକୁ କବିତା ରୂପରେ ବର୍ଣ୍ଣନା କରି ଶ୍ରୋତାମାନଙ୍କ ମନକୁ ମୋହିବାକୁ ଲାଗିଲେ ପ୍ରେମାନନ୍ଦ । ଏତେ କମ ବୟସରୁ ଏତେ ଧାର୍ମିକ ଜ୍ଞାନ ଦେଖି ବୃଦ୍ଧ ନନା ଖୁବ ଖୁସିହୋଇଗଲେ । ତେଣୁ ସେ ପ୍ରେମାନନ୍ଦଙ୍କୁ ନିଜର ସବୁ କାର୍ଯ୍ୟରେ ସହାୟତା କରିବାକୁ ନିର୍ଦ୍ଦେଶ ଦେଲେ । ଏହି ମନ୍ଦିରକୁ ଆସୁଥିବା ଲୋକମାନେ ମହାନଗରୀର ସେହି ଅଞ୍ଚଳର ବାସିନ୍ଦା; ତେଣୁ ପ୍ରାୟ ଏକ ବର୍ଷ ସମୟ ମଧ୍ୟରେ ପ୍ରେମାନନ୍ଦ ସେହି ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଚିନ୍ହିବାକୁ ଲାଗିଗଲେ । ତାଛଡା ସେ ଦେଖିଲେ ଯେ ବହୁତ ଲୋକମାନେ ବିବାହ ପ୍ରସ୍ତାବ ହେତୁ ବୃଦ୍ଧ ନନାର ପରାମର୍ଶ କରୁଥିଲେ ଏବଂ ପ୍ରସ୍ଥାବ ପାଇଁ ମଧ୍ୟ ସାହାଯ୍ୟ ମାଗୁଥିଲେ । ଏସବୁ ଦେଖି ପ୍ରେମାନନ୍ଦ ଆଭାସ ପାଇଲେ କି ସେ ଚାହୁଁଥିବା ଅନ୍ୟକିଛି କାର୍ଯ୍ୟର ରାସ୍ତା ତାଙ୍କୁ ମିଳିଗଲା । ପ୍ରେମାନନ୍ଦ ଖୁବ ବୁଦ୍ଧିମାନ, ସେ ରାଧାକୃଷ୍ଣ ମନ୍ଦିରକୁ ପ୍ରାୟ ସବୁଦିନ ଆସୁଥିବା ଲୋକମାନଙ୍କର ନାଁ ଗାଁ ସବୁ ମନେ ରଖିପାରିଥିଲେ । ତାଙ୍କର ତିକ୍ଷ୍ଣ ନଜର ଏହା ମଧ୍ୟ ଦେଖିପାରିଥିଲା କି କେଉଁ ଝିଅ କେଉଁ ପରିବାରର ଏବଂ କେଉଁ ପୁଅ କେଉଁ ପରିବାରର, କିଏ ବିବାହିତ ତ କିଏ ଅବିବାହିତ, କିଏ କେଉଁ କଲେଜରେ ପାଠ ପଢୁଛି ତ କେଉଁ ଝିଅର ସେହି ଅଞ୍ଚଳରେ କେଉଁ ପୁଅ ସହିତ ପ୍ରେମର ଚକ୍କର ଚାଲିଛି । ରାଧାକୃଷ୍ଣ ମନ୍ଦିରରେ ପ୍ରେମର ଲହଡି ସର୍ବଦା ବିଦ୍ୟମାନ, ନିଜନିଜର ପ୍ରେମକୁ ସଫଳ କରିବା ଉଦ୍ଦେଶ୍ୟରେ ମନ୍ଦିରରେ ମନ୍ନତ ମାଗିବାକୁ ଆସୁଥିବା ପ୍ରେମିକ ପ୍ରେମିକା ମାନଙ୍କୁ ଖୁବ ଭଲଭାବରେ ମନେ ରଖିପାରୁଥିଲେ ପ୍ରେମାନନ୍ଦ । ତେଣୁ ସେ ନିଜର ସବୁ ଜ୍ଞାନକୁ ଏକତ୍ରୀତ କରି ବୃଦ୍ଧ ନନାଙ୍କୁ ବିବାହ ରାଶି ମିଳନ ଓ ପ୍ରସ୍ତାବ ଦିଆନିଆ କାର୍ଯ୍ୟରେ ସାହାଯ୍ୟ କଲେ । ବାଃ ପ୍ରେମାନନ୍ଦ, ଧନ୍ୟ ତୁମ ପିତା, ତୁମକୁ ଧାର୍ମିକ ପୂଜାପାଠ ବିଷୟରେ ସବୁ ଜ୍ଞାନ ପ୍ରଦାନ କରିଛନ୍ତି । ତୁମେ ଏହି ମନ୍ଦିରର ସବୁ ଦାୟିତ୍ୱକୁ ଖୁବ ଭଲଭାବରେ ଚଳାଇ ପାରୁଛ । ଯେହେତୁ ମୋର ବୟସ ଖୁବ ଅଧିକ ହୋଇଗଲାଣି, ତୁମେ ମୋ ସ୍ଥାନରେ ଏହି ମନ୍ଦିରର ଦାଇତ୍ୱ ତୁଲାଇବା ଉଚିତ । ମନ୍ଦିରର ଟ୍ରଷ୍ଟିମାନେ ମଧ୍ୟ ପ୍ରେମାନନ୍ଦ’ଙ୍କର ଜ୍ଞାନ ଦ୍ୱାରା ପ୍ରଭାବିତ ହୋଇଯାଇଥିଲେ । ଗୃହ ତ୍ୟାଗ କରି ବନବାସରେ ଆସିବାର ତିନିବର୍ଷ ମଧ୍ୟରେ ପ୍ରେମାନନ୍ଦ ରାଜଧାନୀ ମହାନଗରୀ “ହେର୍ମାବ୍ୟାସ”ରେ ଅବସ୍ଥିତ ଏକ ରାଧାକୃଷ୍ଣ ମନ୍ଦିରର ମୂଖ୍ୟ ପୂଜକ । ପୂଜାପାଠ ତ ତାଙ୍କର ପିଛା ଛାଡିଲା ନାହିଁ କିନ୍ତୁ ତାଙ୍କୁ ଅନ୍ୟ କିଛି କରିବାର ବାଟ ପ୍ରଦାନ କରିଥିଲା । ତାହାଥିଲା “ପ୍ରେମାନନ୍ଦ ମାଟ୍ରିମୋନିଅଲ ସର୍ଭିସ”. ବାସ ସେ ନିଜର ତୀକ୍ଷ୍ଣ ନଜର ଦ୍ୱାରା ଲୋକମାନଙ୍କର ନାଁ ଚେହେରା ବୟସ ପେଶା ଜାତି ଗୋତ୍ର ଇତ୍ୟାଦିକୁ ତୁରନ୍ତ ମନେ ରଖିପାରୁଥିଲେ । କେଉଁ ପ୍ରସ୍ତାବରେ ପରିବାର ରାଜି ତ କେଉଁଥିରେ ନୁହନ୍ତି, ତାହା ମଧ୍ୟ ସେ ଜାଣିପାରୁଥିଲେ କାରଣ ସମସ୍ୟା ନେଇ ସେହି ପରିବାରମାନେ ଈଶ୍ବର’ଙ୍କ ନିକଟକୁ ହିଁ ଆସୁଥିଲେ ଏବଂ ଦୋଷତୃଟି ଯଜ୍ଞ ତାଙ୍କରି ମାଧ୍ୟମରେ ହିଁ କରୁଥିଲେ । ତେଣୁ ଈଶ୍ବର ରାଧାକୃଷ୍ଣ’ଙ୍କ କାନରେ ଘଟଣାଟି ଶୁଣାଇବାର ଦାଇତ୍ୱ ତ ଏବେ ପ୍ରେମାନନ୍ଦ’ଙ୍କର । ସେ ପାଲଟି ଯାଇଥିଲେ ଭକ୍ତ ଆଉ ଭଗବାନ ସମ୍ପର୍କର ମ୍ୟାନେଜର । ସେହି ମନ୍ଦିରକୁ ଆସୁଥିବା ଜଣାଶୁଣା ପରିବାର ଗୁଡିକ ବିବାହର ପ୍ରସ୍ତାବ ବିଚାର କରିବାକୁ ଆସି ପହଁଚୁଥିଲେ ପ୍ରେମାନନ୍ଦ ନନା’ଙ୍କ ନିକଟରେ । ମନ୍ଦିର କାର୍ଯ୍ୟରେ କୌଣସି ତ୍ରୁଟି ନକରି ସେ ବଳକା ସମୟରେ ଏପ୍ରକାର କାର୍ଯ୍ୟକରି ଖୁବ ଶୀଘ୍ର ଲକ୍ଷ୍ମୀ ମାତାଙ୍କର ଆଶୀର୍ବାଦ ପ୍ରାପ୍ତ କରିଥିଲେ । ଧନୀ ପରିବାରର ପ୍ରସ୍ତାବ ଯୋଗାଡ଼ କରିଦେଲେ ତାଙ୍କୁ ପ୍ରାୟ ଦଶ ହଜାର ଟଙ୍କା ମିଳିଯାଉଥିଲା । ତାଛଡାଦୁଇ ପ୍ରେମିକ ହୃଦୟର ମିଳନ କରାଇଦେଲେ ପଚିଶି ତିରିଶ ହଜାର ତ ମିଳିଯାଉଥିଲା । କାରଣ ଦୁଇ ପ୍ରେମିକଙ୍କୁ ମିଳାଇବାରେ ସେ ନିଜର ନାମ ପ୍ରେମାନନ୍ଦ ଅର୍ଥାତ ପ୍ରେମରେ ଆନନ୍ଦ ପାଉଥିଲେ, ଏବଂ ଯଦି ପ୍ରେମିକ ଓ ପ୍ରେମିକା ବିରୋଧୀ ପରିବାରର ହୋଇଥାନ୍ତି, ସେମାନଙ୍କୁ ମିଳାଇବା କାର୍ଯ୍ୟ ଖୁବ କଠିନ କାରଣ ସେଥିରେ ତାଙ୍କୁ ଈଶ୍ୱରଙ୍କୁ ମଧ୍ୟ ସାମିଲ କରିବାକୁ ପଡୁଥିଲା । ତାଙ୍କୁ ପୁତ୍ରର କୋଷ୍ଠୀରେ ମୃତ୍ୟୁଯୋଗ ଏବଂ କନ୍ୟାର କୋଷ୍ଠୀରେ ମାଙ୍ଗଳିକ ଯୋଗ ଇତ୍ୟାଦି ଯୋଡିବାକୁ ପଡୁଥିଲା । ତାଛଡା ଆଷ୍ଟ୍ରୋଲଜୀ ଏକ ବିଜ୍ଞାନ, ସେହି ଅଙ୍କ କଷିବାରେ କିଛି ଗଡବଡ କରିବାକୁ ହେଲେ ତାଙ୍କୁ ଖୁବ ବୁଦ୍ଧିବିଚାରି ଗଣନା କରିବାକୁ ପଡୁଥିଲା; ବେଳେ ବେଳେ ପ୍ରେମିକ କିମ୍ବା ପ୍ରେମିକାଙ୍କର ବାପା, ମା, ଜେଜେ, ଜେଜେମା, ଅଜା ଓ ଆଈ’ଙ୍କର ଜାତକର ଦୋଷ ମାଧ୍ୟମରେ ପ୍ରମାଣ କରିବାକୁ ପଡୁଥିଲା । ନଚେତ ଯଦି ଅନ୍ୟ କେଉଁ ଜଣେ ଜ୍ଞାନୀ ବ୍ୟକ୍ତି ସେହି ଜାତକକୁ ଦେଖି ପ୍ରମାଣ କରନ୍ତି ଯେ ପ୍ରେମାନନ୍ଦ ନନା ମିଛ କହୁଛନ୍ତି, ତେବେ ତାଙ୍କର ସବୁ ରୋଜଗାର ବନ୍ଦ ହୋଇଯିବ । ତା’ଛଡା ମଣିଷର ମନଟା ବହୁତ ଅମାନିଆ । ଥରେ ଯଦି କିଛି ଅଶୁଭ କଥା ସେ ଶୁଣିଦିଏ, ତେବେ ସେ କିଛି ସମୟ ପାଇଁ ବ୍ୟସ୍ତ ହୋଇଯାଏ । ପ୍ରେମାନନ୍ଦ ସେହି ବ୍ୟସ୍ତତାର ଫାଇଦା ଉଠାଉଥିଲେ ଏବଂ ବାଧ୍ୟ କରି ଦୁଇ ବିରୋଧୀ ପରିବାରଙ୍କୁ ମିଳାଇ ପାରୁଥିଲେ ଏବଂ ଦୁଇ ପ୍ରେମିକ ପ୍ରେମିକା ବଦଳରେ ପ୍ରେମାନନ୍ଦଙ୍କୁ ମାଲାମାଲ କରିଦେଉଥିଲେ । ଯେଉଁ ପୂଜାପାଠକୁ ନକରିବା ଉଦ୍ଦେଶ୍ୟରେ ସେ ଗାଁ ଛାଡି ଆସିଲେ, ସେହି ପୂଜାପାଠ ତାଙ୍କୁ ଆଜି ଲକ୍ଷପତି କରିପାରିଲା ।

ପ୍ରେମାନନ୍ଦ ନନା ଖୁବ ବ୍ୟସ୍ତ, ସେ ଏବେ ଗୋଟିଏ ସ୍କୁଟର କିଣି ସାରିଲେଣି କାରଣ ପୂଜାପାଠ କରିବାକୁ ବିଭିନ୍ନ ଲୋକମାନଙ୍କର ଘରକୁ ଯିବାଆସିବାରେ ସୁବିଧା ହେବ । ସେ ଗୋଟେ ମୋବାଇଲ ଫୋନ୍‌ କିଣି ସାରିଲେଣି । ସେ ନିଜର ବିଜିନେସ୍‌ କାର୍ଡ ବି ତିଆରି କରିସାରିଲେଣି । ରାଧାକୃଷ୍ଣ ମନ୍ଦିରର ମୂଖ୍ୟ ପୂଜକ ହିସାବରେ ସେ ଭାବିଚିନ୍ତି କାମ କରୁଥିଲେ । ତାଙ୍କର ଆଚରଣରେ ଭକ୍ତି ଭାବ ଓ କବି ଭାବ ଦୃଶ୍ୟମାନ ଥିଲା । ଜନ୍ମାଷ୍ଟମୀ ସମୟରେ ମନ୍ଦିର ତରଫରୁ ବହୁତ କିଛି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସମ୍ପୂର୍ଣ ଦିନଟି ଉତ୍ସବ ରୂପରେ ପାଳନ କରାହେଉଥିଲା । ପ୍ରେମାନନ୍ଦ ନନା ତ ମନ୍ଦିରର ମୂଖ୍ୟ ପୂଜକ; ତେଣୁ ସନ୍ଧ୍ୟା ସମୟରେ ସେ ରାଧାକୃଷ୍ଣ’ଙ୍କର ଆଧ୍ୟାତ୍ମିକ ପ୍ରେମ ବିଷୟରେ ଭକ୍ତି ସତସଂଗରେ ଆଲୋଚନା କରିଥିଲେ । ସେ ବୟସରେ କମ୍‌ ହେଲେ ମଧ୍ୟ ଜ୍ଞାନରେ ବହୁତ ଅଧିକ । ତେଣୁ ତାଙ୍କର ସେହି ସତ୍‌ସଙ୍ଗ ପ୍ରସଙ୍ଗଟି ପରଦିନ ଖବରକାଗଜରେ ପ୍ରକାଶିତ ହୋଇଥିଲା । ଗାଁ ରେ ଥିବା ପିତା ବ୍ରହ୍ମାନନ୍ଦ ମଧ୍ୟ ଖବରକାଗଜ ମାଧ୍ୟମରେ ଏହି ପ୍ରସଙ୍ଗଟି ପଢିବାକୁ ପାଇଲେ ।ସେ ଅନୁଭବ କରିଥିଲେକି ପ୍ରେମାନନ୍ଦ କହିଥିବା ପ୍ରତ୍ୟେକ ଶବ୍ଦ ଯେପରି ତାଙ୍କର; ଅର୍ଥାତ ସେ ପୁତ୍ରକୁ ଶିଖେଇଥିବା ମନ୍ତ୍ରାବଳୀ ଓ ବିଭିନ୍ନ ଭକ୍ତି ପ୍ରସଙ୍ଗକୁ ସେ ସଠିକ୍‌ ଭାବରେ ବୁଝିଥିଲେ ଏବଂ ମନେ ବି ରଖିଥିଲେ । ସେ ଏହା ବି ବୁଝିପାରିଥିଲେ କି ପ୍ରେମାନନ୍ଦ ପୂଜାପାଠ ହିଁ କରୁଛନ୍ତି. ସେ ଯେତେ ଦୂରେଇବାକୁ ଚାହିଁଲେ ମଧ୍ୟ ଦୂରେଇପାରିନଥିଲେ । ପୁତ୍ର ଠିକ୍‌ ରାସ୍ତାରେ ଥିବାରୁ ବ୍ରହ୍ମାନନ୍ଦ ମନରେ ଶାନ୍ତି ଅନୁଭବ କରିଥିଲେ ।

ସମୟର ଚକ୍ର ଘୁରିବୁଲୁଛି, କେଉଁ ସମୟରେ କିଏ କେଉଁଠି ଅଟକିବ ତାହା ମଧ୍ୟ ସେ ନିଶ୍ଚିତ କରି ରଖିଛି । ସେଥିପାଇଁ ତ କୁହାଯାଏ ସମୟ ବଡ଼ ବଳବାନ । ଦ୍ୱାପର ଯୁଗରେ “ରାଧାକୃଷ୍ଣ”ଙ୍କର ପ୍ରେମ କାହାଣୀ ସଂସାରରେ ପ୍ରେମ ସ୍ଥାପନା କରିଥିଲା । ସେହି ପ୍ରେମ ଏବେ ପର୍ଯ୍ୟନ୍ତ ବଳିଦାନର, ନିସ୍ଵାର୍ଥପରତାର ଏବଂ ସର୍ବୋପରି ପରସ୍ପର ପ୍ରତି ସମ୍ମାନର ପ୍ରତୀକ ଭାବେ ଗ୍ରହଣ କରାଯାଏ । ଏହି ଅସୀମା ପ୍ରେମକାହାଣୀ ଭକ୍ତମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରତି ଭକ୍ତି ଓ ପ୍ରେମ ଭାବ ସୃଷ୍ଟିକରିଥାଏ । କିନ୍ତୁ ପ୍ରତ୍ୟେକ ସମୟରେ ପ୍ରେମକୁ ସତ୍ୟ ଓ ସୁନ୍ଦର ରୂପରେ ନିର୍ବାହ ନକରି ଏହାକୁ ଏକ ମର୍ଯ୍ୟାଦାହୀନ ଘୃଣାରେ ପରିବର୍ତ୍ତନ କରିବାକୁ କିଛି ଅମାନୁଷିକ ବ୍ୟକ୍ତିତ୍ୱ ଜନ୍ମ ନେଇଥାନ୍ତି । ଏହିପରି ଏକ ଚକ୍ରବ୍ୟୁହ ନିର୍ମାଣ କରିଥିଲେ ସେହି ଅଞ୍ଚଳର ଜଣେ ଧନଶାଳୀ ବ୍ୟକ୍ତିଙ୍କର ସୁପୁତ୍ର “କୌଶଲ ହାରାମଖୋର”. ହାରାମଖୋର ପରିବାର ହେର୍ମାବ୍ୟାସ ନଗରୀର ସେହି ଅଞ୍ଚଳର ଆଦିମ ବାସିନ୍ଦା । ତେଣୁ ସେହି ଅଞ୍ଚଳର ବହୁତ ଜମିର ମାଲିକ, ସେହି ଜମିକୁ ବଡ଼ ବଡ଼ କନ୍‌ଷ୍ଟ୍ରକ୍ସନ କମ୍ପାନୀ ମାନଙ୍କୁ ବିକ୍ରୀକରୁଥିଲେ ଏବଂ କମ୍ପାନୀମାନେ ସେହି ଜମି ଉପରେ ଖୁବ ଉଚ୍ଚା ଉଚ୍ଚା ଟାୱାର ନିର୍ମାଣ କରି ଘର କିଣିବା ଗ୍ରାହକ ମାନଙ୍କୁ ବିକ୍ରି କରୁଥିଲେ । ତେଣୁ ହାରାମଖୋର ପରିବାର ପ୍ରଚୁର ଧନୀ । ପରିବାରରେ ୪ଜଣ ଯୁବ ବୟସ୍କ ପିଲାମାନେ ସେହି ପଇସାରେ ଖେଳୁଥିଲେ ଏବଂ ଇନ୍ଦ୍ର ଚନ୍ଦ୍ର ମାନୁ ନଥିଲେ । ଇନ୍ଦ୍ର’ଙ୍କୁ ନମାନିଲେ ନାହିଁ କାରଣ ଇନ୍ଦ୍ର ତ ନିଜେ ଖୁବ ବଦମାସ, କିନ୍ତୁ ଚନ୍ଦ୍ରଙ୍କୁ ମାନିବା ତ ଦରକାର । ଖୁବ୍‌ କମ୍‌ ବୟସରୁ ସେମାନଙ୍କୁ ଧନଧାନ୍ୟର ନିଶା ଚଢ଼ିଯାଇଥିଲା । ସେହି ଯୁବକମାନେ କଲେଜ କେବଳ ନାମକୁ ମାତ୍ର ଯାଉଥିଲେ କାରଣ ସେହି ଶିକ୍ଷାନୁଷ୍ଠାନରେ ପାଠପଢିବାକୁ ଆସୁଥିବା କନ୍ୟାମାନଙ୍କ ସହିତ ବନ୍ଧୁତ୍ୱ କରିପାରିବେ ଏବଂ ସେମାନଙ୍କୁ ମିଥ୍ୟା ପ୍ରେମର ଜାଲରେ ଛନ୍ଦି ନିଜ ହବସ୍‌ର ଶିକାର ବନେଇପାରିବେ । ଚାରିଭାଇ କିନ୍ତୁ ନିଜ ନିଜର ବାଣ୍ଟ ଖୁବ ବୁଝାମଣାର ସହିତ କରିପାରିଥିଲେ । ସେମାନେ ୪ଟି ଅଲଗା ଅଲଗା କଲେଜରେ ନାଁ ଲେଖେଇଥିଲେ । ତେଣୁ ସେମାନେ ହେର୍ମାବ୍ୟାସର ସେହି ଅଞ୍ଚଳକୁ ନିଜ ଅକ୍ତିଆରରେ ରଖିଥିଲେ । ହାରାମଖୋର ପରିବାରର ମୁଖିଆ “ଅଧର୍ଯ୍ୟ ହାରାମଖୋର” ରାଧାକୃଷ୍ଣ ମନ୍ଦିର ଟ୍ରଷ୍ଟ୍‌ର ମଧ୍ୟ ମୁଖିଆ ଥିଲେ । ତେଣୁ ପ୍ରେମାନନ୍ଦ ନନା ତାଙ୍କୁ ବହୁତ ସମ୍ମାନ ଦେଉଥିଲେ ଏବଂ ତାଙ୍କର ମୁଖ୍ୟ ପୂଜାରୀ ଚାକିରୀ ପାଇଁ ସର୍ବଦା କୃତଜ୍ଞ ଥିଲେ । ଅଧର୍ୟ୍ଯ ହାରାମଖୋର ନିଜ ଜୀବନରେ ଜଣେ ଉଚ୍ଚ ଶ୍ରେଣୀର ହାରାମି ହେଲେ ମଧ୍ୟ ମନ୍ଦିର କାର୍ଯ୍ୟକ୍ରମରେ କମସେକମ୍‌ ଈଶ୍ୱରଙ୍କ ପ୍ରତି ଭୟ ରଖୁଥିଲେ; ତେଣୁ ଈଶ୍ବରଙ୍କ ନିକଟରେ ତାଙ୍କର ପରଜନ୍ମ ପାଇଁ ସୁପାରିଶ କରିବାକୁ ସେ ପ୍ରେମାନନ୍ଦ ନନାଙ୍କୁ ଜଣେ ଏଜେଣ୍ଟ ଭଳି ବ୍ୟବହାର କରୁଥିଲେ ଏବଂ ଏଜେଣ୍ଟ ପ୍ରେମାନନ୍ଦ ତାଙ୍କର ବିଶ୍ୱାସର ପାତ୍ର ବନିଯାଇଥିଲେ । କିନ୍ତୁ ପ୍ରେମାନନ୍ଦ ନନା କୌଣସି କାରଣ ବଶତଃ ଏହି ୪ଟି ଜୁନିଅର ହାରାମଖୋର ମାନଙ୍କ ବିଷୟରେ ଖବର ଯୋଗାଡ଼ କରିନଥିଲେ । ହୁଏତ ସେ ଏତେ ବଡ଼ ଶକ୍ତିଶାଳୀ ପରିବାରର ଛତ୍ରଛାୟାରେ ରହି ନିଜର ପୂଜକ ଚାକିରୀଟି ସଂରକ୍ଷିତ ରଖିବାକୁ ଚାହୁଁଥିଲେ । ସେ ତ ଜଣେ ସାଧାରଣ ମନୁଷ୍ୟ, ନିଜର ଲାଭକ୍ଷତି ତ ବିଚାର କରିବା ଉଚିତ । ତାଛଡା ସେ ଦୁଇପଇସା ରୋଜଗାର କରିବାକୁ ଗାଁ ଛାଡି ଯାଇଛନ୍ତି ।

କୌଶଲ ହାରାମଖୋର; ହେର୍ମାବ୍ୟାସ ନଗରୀର ଏକ ଅଜଣା ଅଶୁଣା ଇଞ୍ଜିନିଅରିଙ୍ଗ କଲେଜ “ଦିକପଲା ଟେକ୍ନିକାଲ ଇନ୍‌ଷ୍ଟିଚ୍ୟୁଟ” ର ଦ୍ୱିତୀୟ ବର୍ଷର ଛାତ୍ର । ସେ ସେହି ଦ୍ୱିତୀୟ ବର୍ଷରେ ପ୍ରାୟ ୨ବର୍ଷ ଅଟକିଥିଲେ । ତାଙ୍କର ଯୋଜନା ଥିଲା କି କଲେଜ ରେ ଅଧିକ ରୁ ଅଧିକ ସମୟ ରହିବା । ତାଛଡା ଯେହେତୁ କଲେଜକୁ ପଇସା ମିଳୁଛି, କଲେଜ ଯେ କାହିଁକି ତାଙ୍କୁ ବହିସ୍କୃତ କରିବ । ସେହି କଲେଜରେ ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନେ ମଧ୍ୟ ସେହିପରି, ଏକରୁ ଅନେକ ବଳି । କୌଶଲ ହାରାମଖୋର କେଉଁଦିନ କଲେଜକୁ ଲାଟେଷ୍ଟ ମୋଟର ସାଇକେଲ ନେଇ ଗଲେଣି ତ କେଉଁଦିନ ଖୋଲା ଜିପ. ଯିଏ ତାଙ୍କ ଗାଡ଼ିରେ ବସିବାର ସୁଯୋଗ ପାଇଲା, ସେ ନିଜକୁ ଭାଗ୍ୟବାନ କିମ୍ବା ଭାଗ୍ୟବତୀ ଭାବୁଥିଲେ । ଖୁବ କମ ବୟସରୁ କୌଶଲ ଶାରୀରିକ ପ୍ରେମ ବିଷୟରେ ବହୁତ ଜ୍ଞାନ ହାସିଲ କରିପାରିଥିଲେ । ନା ନା ପ୍ରେମ ନୁହେଁ, କାମ । ରତି ତାଙ୍କ ଉପରେ ପ୍ରସନ୍ନ ନଥିଲେ ମଧ୍ୟ କାମଦେବ ପ୍ରସନ୍ନ ଥିଲେ । ସେ ଖୁବ ଚାଲାଖିର ସହିତ କନ୍ୟାମାନଙ୍କୁ ଆକର୍ଷଣ କରିପାରୁଥିଲେ ଏବଂ କିଛିଦିନର ପ୍ରେମ ନାଟକରେ ଅଭିନୟ କରି ସମୟ ସୁବିଧା ଦେଖି ଶାରୀରିକ କାମର ଅଧୀନ କରିପାରୁଥିଲେ । ତାପରେ ମଉଳି ଯାଇଥିବା ପୁଷ୍ପଟି ପରି ସେହି କନ୍ୟାକୁ ଢକନଦାର କଚରା ଡବାରେ ଫୋପାଡ଼ି ଦେଉଥିଲେ । ତାଙ୍କର ଦୟା ସ୍ନେହ ପ୍ରେମ ମମତା ନଥିଲା । ପ୍ରେମ ପରି ପବିତ୍ର ଶବ୍ଦ ଯାହାକୁ ପୃଥିବୀରେ ପ୍ରତିଷ୍ଠା କରିବାକୁ ସ୍ୱୟଂ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ କ୍ରୀଷ୍ଣା ଓ ରାଧା ରୂପରେ ଜନ୍ମ ନେଇଥିଲେ, ତାହା ବୋଧହୁଏ କିଛି ମଣିଷମାନଙ୍କର ମୁଣ୍ଡରେ ପସେନାହିଁ. ଏହିପରି ଅପବିତ୍ର ପ୍ରେମ କାର୍ଯ୍ୟକ୍ରମର ସାକ୍ଷୀ ହେବା ଖୁବ ଦୁଃଖଦାୟକ । କିନ୍ତୁ ବିଧିର ବିଧାନ ଥରେ ଲେଖାହୋଇଗଲା ପରେ ତାହା ବଦଳା ଯାଇ ପରେ ନାହିଁ । ଦୁର୍ଭାଗ୍ୟ ବଶତଃ ପ୍ରେମାନନ୍ଦ ନନାଙ୍କୁ ଏପରି ଏକ ଦୃଶ୍ୟର ସାକ୍ଷୀ ହେବାକୁ ପଡିଥିଲା । କୌଶଲ ହାରାମଖୋର ଦେଖିବାକୁ ସୁନ୍ଦର, ୬ଫୁଟ ପାଖାପାଖି ଉଚ୍ଚତା, ଛାତି ଖୁବ ଚଉଡା, ଶରୀର ଖୁବ ଶକ୍ତିଶାଳୀ । ଦିନେ କୌଶଲ ତାଙ୍କରି କଲେଜର ଜଣେ କନ୍ୟାଙ୍କୁ ସାଥିରେ ଆଣି ମନ୍ଦିରରେ ପହଞ୍ଚିଲେ ଏବଂ ପ୍ରେମାନନ୍ଦ ନନାଙ୍କ ହାତକୁ ଗୁପ୍ତ ଭାବରେ ୫ଶହ ଟଙ୍କାର ନୋଟଟି ବଢ଼ାଇଦେଲେ । ନନା କିଛି ଭାବିବା ପୂର୍ବରୁ ନୋଟଟି ତାଙ୍କ ଅଣ୍ଟାରେ ଖୋସିହୋଇଯାଇଥିଲା । ତାପରେ ସେ କହିଥିଲେକି ନନା, ଆମେ ୨ଜଣ ପରସ୍ପରଙ୍କୁ ଖୁବ ପ୍ରେମ କରୁ ଏବଂ ଏହି ପ୍ରେମକୁ ପବିତ୍ର ରୂପରେ ଜୀବନଭରି ନିର୍ବାହ କରିବା ପାଇଁ ପ୍ରତିଜ୍ଞା କରିଛୁ । ତେଣୁ ଆପଣ ସେହି ଶ୍ୟାମସୁନ୍ଦର ଓ ରାଧିକାରାଣୀ ନିକଟରେ ପୂଜାକରି ଦୁହିଁଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ । ଏପ୍ରକାର ପବିତ୍ର ଚିନ୍ତାଧାରା ଦ୍ୱାରା ପ୍ରେମରେ ଆନନ୍ଦ ପାଉଥିବା ପ୍ରେମାନନ୍ଦ ନନା ଗଦଗଦ ହୋଇଗଲେ ଏବଂ ରାଧାକୃଷ୍ଣଙ୍କ ନିକଟରେ ପୁଷ୍ପ ଅର୍ପଣ କଲେ ଏବଂ ଦୁଇଚାରିପଦ ମନ୍ତ୍ର ଜୋରଜୋରରେ ପଢ଼ିଗଲେ । ପିଲା ଦୁଇଜଣଙ୍କର ନାମ, ପିତାମାତା ନାମ, ରାଶି ଗୋତ୍ର ଇତ୍ୟାଦି ସବୁ ପଚାରିଗଲେ । ଯୁବକର ନାଁ କୌଶଲ ହାରାମଖୋର, ପିତାଙ୍କ ନାମ ‘ଅଧର୍ଯ୍ୟ ହାରାମଖୋର’, ଗୋତ୍ର ନାଗସ୍ୟ ଇତ୍ୟାଦି ଶୁଣିବା ପରେ ସେ ଚମକି ପଡିଲେ । ତାଙ୍କର ପାଟି ଖନି ବାଜିଲା । ସେହି ସମୟରେ କୌଶଲ ନନା ପ୍ରେମାନନ୍ଦଙ୍କୁ ଆଖିମାରିଦେଲେ । ଯାହା ଯେମିତି ପୂଜା ସରିଲା ଏବଂ ମନ୍ଦିରରୁ ଯିବାବେଳେ କୌଶଲ ନନା ପ୍ରେମାନନ୍ଦଙ୍କୁ କହିଗଲେ କି ନନା, ଏହି ଘଟଣାର ସାକ୍ଷୀ କେବଳ ତୁମେ, ତେଣୁ ଏହି ଖବର କୌଣସି ଅନ୍ୟ ଲୋକଙ୍କୁ ଜଣା ନପଡିବା ଉଚିତ, ନା ତାଙ୍କ ପରିବାରକୁ, ଯଦି ଜଣାପଡ଼ିଯାଏ ତେବେ ଏହା ଜାଣି ରଖକି ତୁମକୁ ଏହି ମନ୍ଦିର ଏବଂ ଏହି ନଗରୀ ଛାଡି ଯିବାକୁ ସମୟ ମଧ୍ୟ ମିଳିବନାହିଁ । ତା’ଛଡା ହାତଗୋଡ଼ ଭାଂଗିବାପାଇଁ ତାଙ୍କର ମାଲୁଆ ସାଙ୍ଗମାନେ ଖୁବ ଭଲ ପାଆନ୍ତି । ପରେ ପରେ ସାଥିରେ ଆଣିଥିବା କନ୍ୟାଙ୍କୁ ଗାଡ଼ିରେ ବସେଇ ନେଇ ଫୁରକିନା ଉଡିଗଲେ ହାରାମଖୋର । ପ୍ରେମାନନ୍ଦ ନନା ମୁଣ୍ଡରେ ହାତ ଦେଇ ପ୍ରଭୁଙ୍କ ପାଦତଳେ ବସି ପଡିଲେ । ପ୍ରଭୁ ଇଏ କିପ୍ରକାର କାର୍ଯ୍ୟକ୍ରମ, ଏହି ଗ୍ରାମୀଣ ପ୍ରେମାନନ୍ଦ ର ମୁଣ୍ଡରେ ପସୁନାହିଁ । କହୁଛନ୍ତି ପ୍ରେମ କରୁଛୁ, ପାଞ୍ଚଶହ ଟଙ୍କା ଦେଇ ମୋତେ କିଣି ନେଲେ ପୁଣି ଗଲାବେଳେ କଣ ହାଡ଼ଗୋଡ଼ ଭାଙ୍ଗିବା କଥା କହିଗଲେ । ପ୍ରଭୁ ଆପଣ ଓ ରାଧାରାଣୀ ଏହି ଦୁନିଆରେ ପ୍ରେମ ସ୍ଥାପନା କରିଯାଇଥିଲେ; ଏପ୍ରକାର ଅପଭ୍ରଂଶ ମନୁଷ୍ୟ କାହିଁକି କରୁଛି । ସେହିଦିନର ସନ୍ଧ୍ୟା ସମୟରେ କିଛି ବୟସ୍କ ଲୋକମାନଙ୍କୁ ସାଥିରେ ଆଣି ‘ଅଧର୍ଯ୍ୟ ହାରାମଖୋର’ ମନ୍ଦିର ବେଢାରେ ପହଞ୍ଚିଲେ । ସିଧା ସେମାନେ ପ୍ରବେଶ କଲେ ମନ୍ଦିରର ପଛପଟେ ଥିବା ଅଫିସ କକ୍ଷକୁ । ସଂଧ୍ୟା ଆରତୀ ସମୟ ହୋଇଗଲାଣି, ତେଣୁ ପ୍ରେମାନନ୍ଦ ନନା ଭକ୍ତମାନଙ୍କ ଉପସ୍ଥିତିରେ ଆରତୀ ଆରମ୍ଭ କଲେ । ଘଣ୍ଟ ଶଙ୍ଖର ଶବ୍ଦ ସହିତ ଆରତୀ ମନ୍ତ୍ର ମନ୍ଦିର ମଧ୍ୟରେ ଈଶ୍ବରୀୟ ବାତାବରଣ ସୃଷ୍ଠିକଲା । ପଛପଟର ଅଫିସ କକ୍ଷରେ ବସିଥିବା ଲୋକମାନଙ୍କୁ ସବୁ ଶୁଭୁଥିଲା; ତେଣୁ ସେମାନଙ୍କ ଆଲୋଚନାରେ ବାଧା ଉତ୍ପନ ହେଲା । ସେମାନେ କିଛି ଗୁରୁତ୍ୱପୂର୍ଣ ବିଷୟରେ ବୁଝାମଣା କରୁଥିଲେ । ଆରତୀ ସରିବା କ୍ଷଣି ନନାଙ୍କୁ ଡାକରା ଆସିଲା, ନନା ମନ୍ଦିର ଛାଡି ଅଫିସ କକ୍ଷରେ ପହଞ୍ଚିଲେ ଏବଂ ଉପସ୍ଥିତ ବ୍ୟକ୍ତିମାନଙ୍କ ସମ୍ମୁଖରେ ‘ଅଧର୍ୟ୍ଯ ହାରାମଖୋର’ ଅଧର୍ଯ୍ୟ ହୋଇ ଏତେଜୋରରେ ଶବ୍ଦ କରି ସେମାନଙ୍କର ଆଲୋଚନାରେ ବାଧା ସୃଷ୍ଠି କରିଥିବାରୁ ଗାଳିଗୁଲଜ କରିଗଲେ ଏବଂ କହିଲେକି ନନା, ଆଗକୁ ଧ୍ୟାନ ରଖ ନଚେତ ଚାକିରୀରୁ ବାହାରି କରିଦିଆଯିବ । ଉପସ୍ଥିତ ଲୋକମାନେ ତାଙ୍କର ହଁ ରେ ହଁ ମିଳାଇଲେ । ଚୁପଚାପ କାଂଦୁଣୀମାଣ୍ଡୁନି ହୋଇ ନନା ମନ୍ଦିରକୁ ଫେରିଆସିଲେ ଏବଂ ପୁଣି ଇଶ୍ଵରଙ୍କର ପାଦରେ ବସି କହିଲେ ପ୍ରଭୁ ଇଏ କି ବିଚିତ୍ର କଥା, ଭକ୍ତମାନେ ଆରତୀ କରିବା ସମୟରେ ସେ କିପରି ଶବ୍ଦକୁ ରୋକିପାରିବେ । ଦିନରେ ଜୁନିଅର ହାରାମଖୋର ଏବଂ ସନ୍ଧ୍ୟାରେ ସିନିଅର ହାରାମଖୋର ଏହି ପ୍ରେମାନନ୍ଦ କୁ ମନ୍ଦିରର ଘଣ୍ଟା ଭଳି ପିଟି ଚାଲିଛନ୍ତି ।

ଦିନେ ଦୁଇଦିନ ପରେ ଅନ୍ୟ ଜଣେ ଜୁନିଅର ହାରାମଖୋର ଏକ କନ୍ୟାଙ୍କୁ ସାଥିରେ ଆଣି ରାଧାକୃଷ୍ଣ ମନ୍ଦିରରେ ଦେବତା ସମ୍ମୁଖରେ ବିବାହ କରିବାର ପ୍ରତିଶୃତି ଦେଇଦେଲେ । ପ୍ରେମାନନ୍ଦ ନନାଙ୍କ ଅଣ୍ଟାରେ ଟଙ୍କା ପାଞ୍ଚଶହ ଖୋସିଦେଇ ଆଖି ମାରିଦେଲେ । ବାପା ନାଁ ପଚାରିବାରୁ ଉତ୍ତର ଆସିଲା ‘ଅଧର୍ୟ୍ଯ ହାରାମଖୋର’ । ପୁଣି ନନା ଚିନ୍ତିତ ହୋଇଗଲେ ।ସବୁକିଛି ଏହିପରି ଚାଲିଥିଲା କିନ୍ତୁ ମାତ୍ର ଗୋଟିଏ ମାସ ମଧ୍ୟରେ ପୁଣି କୌଶଲ ହାରାମଖୋର ଆସି ମନ୍ଦିରରେ ପହଞ୍ଚିଗଲେ । ଏଥର କିନ୍ତୁ କନ୍ୟା ଜଣକ ବଦଳିଯାଇଥିଲେ । କାର୍ଯ୍ୟକ୍ରମ ଠିକ୍‌ ସେହି ପୂର୍ବପରି । ଏଥର ପ୍ରେମାନନ୍ଦ ନନା ତ କୌଶଲ କୁ ଚିନ୍ହି ଯାଇଥିଲେ । ତେଣୁ ସେ ତାଙ୍କୁ କିଛି କ୍ଷଣ ପାଇଁ ଏକାନ୍ତକୁ ଡାକି କହିଲେକି ବାବୁ, ଇଏ କି ପ୍ରକାର କାର୍ଯ୍ୟକ୍ରମ । ଯଦି ଆପଣ ପ୍ରତି ମାସରେ କନ୍ୟା ପରିବର୍ତ୍ତନ କରୁଛନ୍ତି, ତେବେ ମନ୍ଦିରକୁ ଆସିବା ଦରକାର ନାହିଁ । ବାହାରେ ବାହାରେ କରନ୍ତୁ । କୌଶଲ କହିଲେ ନନା ପ୍ରେମାନନ୍ଦ, ତୁମେ ମୋର ପ୍ରେମରେ ଆନନ୍ଦ ଅନୁଭବ କରିବା ଉଚିତ, ତୁମେ ପାଞ୍ଚଶହ ଟଙ୍କା ଆମ୍ବ ଖାଅ ଟାକୁଆ ଗଣିବା ଦରକାର ନାହିଁ । ବୁଝିଲ ନନା, ତୁମେ ନିଜ କଥାରେ ମନ ଦିଅ, ମୋ କଥା ତୁମେ ବୁଝି ପାରିବ ନାହିଁ । ଯଦି ପଚାରିଲ ତେବେ ଶୁଣ, ମାସରେ ଗୋଟେ ନୁହେଁ, ଏଇଟା ୪ନମ୍ବର । ପ୍ରତ୍ୟେକ କନ୍ୟାର ବିଶ୍ୱାସ ଅଲଗା, କିଏ ହୋଟେଲରେ ପାର୍ଟି କଲେ ବିଶ୍ୱାସ କରିଯାଏ, କିଏ ଖୁବ ଦାମୀ ଉପହାର ଦେଲେ, ହେଲେ କିଛି ଚନ୍ଦ୍ରମା ରାଶି ଯୁକ୍ତ କନ୍ୟାମାନେ କେବଳ ମନ୍ଦିରକୁ ଆସିଲେ ହିଁ ବିଶ୍ୱାସ କରନ୍ତି, ଏଇ କନ୍ୟାଟି ସେହିପରି । ଏକଥା ମଧ୍ୟ ଗୁପ୍ତ ରଖନ୍ତୁ ଏବଂ ଏଇ ପାଞ୍ଚଶହ ଟଙ୍କା ରଖନ୍ତୁ । ଗଲାପରେ ନନା ଭାବିଲେ ବାପା ବ୍ରହ୍ମାନନ୍ଦ ଶିଖାଇଥିଲେ କି ପ୍ରତ୍ୟେକ ମନୁଷ୍ୟର କର୍ମ ଫଳ ସେହି ମନୁଷ୍ୟ ଭୋଗେ, ତେଣୁ ହାରାମଖୋର ମାନେ କରୁଥିବା କର୍ମର ଫଳ ସେହିମାନେ ଭୋଗିବେ, ମୋର ବା କଣ ଅଛି । ନନାଙ୍କର ମାଟ୍ରିମୋନି ରୋଜଗାର ସହିତ ହାରାମଖୋର ପରିବାରରୁ ଆସୁଥିବା ରୋଜଗାର ତାଙ୍କୁ ମାଲାମାଲ କରିଦେଲାଣି; ବଦଳରେ କିଛି କଥା ଗୁପ୍ତ ରଖିବାକୁ ପଡିବ । ତାଛଡା ଈଶ୍ବର ତ ସବୁ ଦେଖୁଛନ୍ତି, ତାଙ୍କଠୁ ନନା ଯେ କଣ ଗୁପ୍ତ ରଖିବେ । ଯେମିତି ଚାଲିଛି ସେମିତି ଚାଲୁ । ଏହିପରି ଅଦଳ ବଦଳ ପରିସ୍ଥିତିରେ ନନା ପ୍ରେମାନନ୍ଦ ବହୁତ ଗୁଡିଏ ପାଞ୍ଚଶହ ଟଙ୍କା ଗଦେଇ ସାରିଲେଣି । ପିତା ବ୍ରହ୍ମାନନ୍ଦ କହିଥିବା ଭୌତିକ ପ୍ରଗତି ଏବେ ପୁତ୍ର ପ୍ରେମାନନ୍ଦ ବୁଝିପାରିଲେଣି । ଏହା ମଧ୍ୟରେ ପ୍ରାୟ ଦୁଇ ବର୍ଷ ବିତିଗଲାଣି । କୌଶଲ ହାରାମଖୋର ସେହି କଲେଜର ସେହି କକ୍ଷାରେ ଏବେ ଯାଏ ଥିଲେ; ତାଙ୍କର କ୍ଷଣ କ୍ଷଣ ପ୍ରେମରେ ବଶୀଭୂତ ଥିବା କନ୍ୟାମାନେ କେତେକ କଲେଜ ଛାଡ଼ି ଚାଲିଗଲେଣି ତ ଆଉକିଛି ଶେଷ ବର୍ଷରେ ପହଞ୍ଚିଥିଲେ । କଲେଜକୁ ଆସୁଥିବା ନୂଆ ଛାତ୍ରୀମାନେ ଏବେ ନୂଆ ଶୀକାର; କୌଶଲ ହାରାମଖୋର ଚିଲ ପରି ନଜର ଲଗାଇ ବସିଛି । ପ୍ରେମ ଶବ୍ଦର ଅର୍ଥକୁ ସେହି ହାରାମଖୋର ଭାଇମାନେ ପୂର୍ଣଭାବରେ ଅପଭ୍ରଂଶ କରିଦେଲେଣି ।

ଏହି ସୃଷ୍ଠିର କର୍ତ୍ତା ଖୁବ ଧର୍ୟ୍ଯବାନ । ସେ ମନୁଷ୍ୟକୁ ସତ୍ୟ ପଥକୁ ଫେରିବାକୁ ବହୁତ ସୁଯୋଗ ଦେଇଥାନ୍ତି । ଶେଷରେ ଯଦି ମନୁଷ୍ୟ ନଫେରେ ତେବେ ସେ ତାର ପରିଣାମ ଭୋଗ କରେ । ଠିକ ସେହିପରି ପରିସ୍ଥିତି ଆସି ପହଞ୍ଚିଥିଲା । ପ୍ରେମାନନ୍ଦ ନନା ସବୁଦିନ ପରି ସକାଳ ସମୟରୁ ମନ୍ଦିରରେ ପ୍ରଭୁଙ୍କର ନିୟମିତ ପାଠ ଶେଷ କରି ଦ୍ୱିପ୍ରହର ସମୟରେ ମନ୍ଦିରର ଦ୍ୱାର ବନ୍ଦକରି ନିଜ କକ୍ଷକୁ ଯିବାକୁ ବାହାରୁଥିଲେ । ଠିକ୍‌ ଏହି ସମୟରେ ଦୁଇଟି ଲମ୍ବା ଲମ୍ବା ଗାଡ଼ି ଆସି ମନ୍ଦିର ନିକଟରେ ଅଟକିଗଲା । ସେଥିରୁ ବାହାରକୁ ବାହାରି ଆସିଲେ ଏକ ପରିବାର ଏବଂ ସିଧା ମନ୍ଦିର ମଧ୍ୟକୁ ପ୍ରବେଶ କଲେ । ନନାଙ୍କୁ ଦେଖି କହିଲେ ହେ ଛୋଟ ନନା, ମୂଖ୍ୟ ପୂଜକଙ୍କୁ ଭେଟ କରିବାର ଅଛି, ତାଙ୍କୁ ତୁରନ୍ତ ଡାକିଆଣନ୍ତୁ ଏବଂ କୁହନ୍ତୁ ଯେ ହେର୍ମାବ୍ୟାସ ନଗରୀର “ଖୂଂଦଶପୁର” ଅଞ୍ଚଳର ବିଧାନସଭା ସଦସ୍ୟ “ଶ୍ରୀମାନ ଶନିଶ୍ଚ ଖୂଂଦଶପୁର” କିଛି ବିଶେଷ କାମରେ ଭେଟ କରିବାକୁ ଆସିଛନ୍ତି । ତାପୂର୍ବରୁ ମନ୍ଦିରର ପହଡୀ ଖୋଲିଦିଅନ୍ତୁ, ଆମେମାନେ ଦେବ ଦର୍ଶନ କରିବୁ । ଛୋଟ ନନା ବିଧାନସଦସ୍ୟ ଶବ୍ଦ ଶୁଣି ଭୟଭୀତ ହୋଇଗଲେ; ହାତଯୋଡି କହିଲେ ହେ ମହାନୁଭବ, ଏହି ମନ୍ଦିରର ମୂଖ୍ୟ ପୂଜାରୀ ସେ ନିଜେ ପ୍ରେମାନନ୍ଦ । ଉତ୍ତର ମିଳିଲା ଆରେ ବା, ଖୁବ କମ୍‌ ବୟସରୁ ତୁମେ ତ ମୂଖ୍ୟ ପୂଜାରୀ ହୋଇଗଲଣି । ଧନ୍ୟବାଦ ଜଣାଇ ପ୍ରେମାନନ୍ଦ ନନା ହାତଯୋଡ଼ି କହିଲେ ହେ ମହାନୁଭବ, ଦ୍ୱିପ୍ରହର ସମୟରେ ମନ୍ଦିର ପହଡୀ ପଡିଥାଏ ଏବଂ ସନ୍ଧ୍ୟା ୪ଟା ବେଳକୁ ଖୋଲାଯାଏ, ଏହା ମନ୍ଦିରର ନିୟମ । ତେଣୁ ଆପଣମାନେ ୪ଟା ପରେ ଆସିଲେ ପ୍ରଭୁଙ୍କର ଦର୍ଶନ କରିପାରିବେ । ଏତିକି କଥା ଶୁଣି ବିଧାନସଦସ୍ୟ’ଙ୍କର ପାରଦ ଖୁବ ଉପରକୁ ଉଠିଗଲା; କିନ୍ତୁ ତାଙ୍କର ପତ୍ନୀ ତାଙ୍କୁ ବିସ୍ଫୋଟ ହେବା ପୂର୍ବରୁ ଅଟକାଇ ଦେଲେ । ସେ କଥାକୁ ପରିବର୍ତ୍ତନ କରି କହିଲେ କି ନନା, ଆପଣ ଉଚିତ କଥା କହୁଛନ୍ତି । ଆମେମାନେ ଆହୁରି ଗୋଟେ କାର୍ଯ୍ୟ ପାଇଁ ମନ୍ଦିରକୁ ଆସିଥିଲୁ । ଯଦି ଆପଣ ମୂଖ୍ୟ ପୂଜକ, ତେବେ ଆପଣ ଆମ କନ୍ୟା “ୟାମୀ” ର ଜାତକ ଦେଖି ବିବାହ ସମ୍ପର୍କୀତ କିଛି ତଥ୍ୟ ପ୍ରଦାନ କରନ୍ତୁ । ଏକଥା ଶୁଣିବା ମାତ୍ରକେ ନନା ପୂଜକ ଭୂମିକାରୁ ତୁରନ୍ତ ମାଟ୍ରିମୋନୀ ବ୍ୟବସାୟୀରେ ପରିବର୍ତ୍ତନ ହୋଇଗଲେ । ସମସ୍ତଙ୍କର ବସିବା ପାଇଁ ଦରିଟି ଟାଣିଦେଲେ । କନ୍ୟାର ଜାତକଟି ଦେଖିବାକୁ ଆରମ୍ଭ କଲେ । ବିନା ଦେଖି ନନା କନ୍ୟା ବିଷୟରେ ସବୁକିଛି ଗାୟିବାକୁ ଆରମ୍ଭ କଲେ ।

ୟାମୀ ଖୂଂଦଶପୁର, ଜନ୍ମ ତାରିଖ ୨୧ ମାର୍ଚ୍ଚ ୧୯୯୮, ମେଷ ରାଶି, ଉଗ୍ର ସ୍ଵଭାବ, ସ୍ୱତନ୍ତ୍ର ଏବଂ ବୁଦ୍ଧିମତୀ । ୟାମୀ’ଙ୍କର ଦୁନିଆ ସର୍ବଦା ଗତିମାନ, ତେଣୁ ଯଦି କିଛି ପ୍ରକାର ନୂତନ ପରୀକ୍ଷା ସମ୍ମୁଖକୁ ଆସିଥାଏ, ତେବେ ସେ ତାକୁ ନିଜର ସବୁ ବୁଦ୍ଧି ଓ ଶକ୍ତି ଲଗାଇ ସମାଧାନ କରିବାକୁ ଆଗେଇ ଯାଆନ୍ତି । ଆରେ ବା ନନା, ତୁମେ ଏକଦମ୍‌ ଠିକ୍‌ କହୁଛ; ଝିଅ ମୋର ଠିକ ସେହିପରି, ଜୋରରେ କହିଲେ ‘ଶନିଶ୍ଚ ଖୂଂଦଶପୁର” । ନନା ପ୍ରଥମେ ଡରିଗଲେ, କାଳେ କିଛି ଭୁଲ ହୋଇଗଲା କି, କିନ୍ତୁ ପରବର୍ତ୍ତୀ କ୍ଷଣରେ ପ୍ରଶଂସା ଶୁଣି ଧନ୍ୟବାଦ ଜଣାଇଲେ । ମେଷ ରାଶିର ନାରୀ, ତେଣୁ କନ୍ୟାର ପ୍ରତୀକ ହେଲା ‘ଅଗ୍ନୀ’, କନ୍ୟା ଖୁବ ପ୍ରତିଭାଶାଳୀ । ଜୀବନ ବଞ୍ଚିବାର ଇଚ୍ଛା କହିବାକୁ ଗଲେ ସୀମାହୀନ । ଯେହେତୁ ପ୍ରତୀକ ଅଗ୍ନୀ, ତେଣୁ କିଛି ସମୟରେ ଝିଅ ବ୍ୟତିବ୍ୟସ୍ତ ହୋଇଯାଇ ସୀମା ଟପିଗଲା ପରି କାମ କରିଦେଇଥାନ୍ତି । ଝିଅର ଷ୍ଟାଇଲ ଖୁବ ମନମୋହିନୀ ଏବଂ ତାଙ୍କର ଭାବଭଙ୍ଗୀ ନିଶ୍ଚିତ ରୂପରେ ଖୁବ ସୌନ୍ଦର୍ଯ୍ୟକାରୀ । କୌଣସି ବିଷମ ପରିସ୍ଥିତିରେ ପଡ଼ି ଧୋକା ଖାଇବା ପରେ, ମେଷ ରାଶିର ନାରୀ ସେହି ଦୁଃଖରୁ ଖୁବ ଶୀଘ୍ର ନିଜକୁ ବାହାରକୁ ଆଣି ପାରନ୍ତି । ଏତିକି କଥା ଶୁଣିବା ପରେ ଶନିଶ୍ଚ ଚିତ୍କାର କଲେ, ନନା ତୁମେ ଯାହା କହୁଛ ସବୁକିଛି ଝିଅର ଗୁଣ ସହିତ ମିଶୁଛି । ଏବେ ବିବାହ ବିଷୟରେ କୁହନ୍ତୁ ଏବଂ କେଉଁ ସମୟ ଭଲ ପଡୁଛି ସେ ବିଷୟରେ କୁହନ୍ତୁ ।ପ୍ରେମାନନ୍ଦ ନନା ଭୟଭୀତ ହୋଇ କହିଲେ ହେ ମହାନୁଭବ, ମୋତେ ୫ମିନିଟ ସମୟ ଦିଅନ୍ତୁ; ଏତିକି କହି ନନା ନିଜ କକ୍ଷରେ ଥିବା ବାଥରୁମକୁ ଦଉଡି ଚାଲିଗଲେ । ଆସିବା ସମୟରେ ମନେ ମନେ କହୁଥିଲେ ହେ ରାଧାକୃଷ୍ଣ, ଏହି ଗରୀବ ନିର୍ଦୋଷୀ ନନାକୁ ରକ୍ଷା କର । ପୁଣି ଜାତକ ଦେଖା ଆରମ୍ଭ ହେଲା; ନନା କହିଲେ କି ଆସନ୍ତା ଏକବର୍ଷ ପର୍ଯ୍ୟନ୍ତ ସମୟ ଖୁବ ଭଲ, ବହୁତ କିଛି ଶୁଭ କାର୍ଯ୍ୟ କରାଯାଇ ପାରେ । କିନ୍ତୁ ସେ ଦେଖୁଥିଲେ କି କନ୍ୟାର ବିବାହକୁ ନେଇ ଏକ ମହାଭାରତ ସୃଷ୍ଟିହେବ; ଭୟରେ ଯଦି ଏକଥା ସେ କହିଦେବେ ତେବେ ବିଧାନସଦସ୍ୟ’ଙ୍କର କ୍ରୋଧ ଏହି ଛୋଟ ନନାଙ୍କୁ ଜାଳିପୋଡ଼ି ପାଉଁସ କରିଦେବ । ତେଣୁ ସେ କଥାକୁ ଛୁପାଇ କହିଲେକି ସମୟ ତ ଭଲ ଚାଲିଛି, ତେଣୁ ବିବାହ କରାଇବାକୁ ଚାହିଁଲେ କିଛି ଅସୁବିଧା ଆସି ନପାରେ । ତାଛଡା ଆପଣ ଜଣେ ଖୁବ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ଆପଣଙ୍କ ଝିଅର ବିବାହରେ କିଏବା ଅସୁବିଧା ସୃଷ୍ଠି କରିବ । ଆପଣଙ୍କ ଝିଅ ସହିତ ବିବାହ କରିବାର ସୌଭାଗ୍ୟ ଯେଉଁ ବ୍ୟକ୍ତିକୁ ପ୍ରାପ୍ତ ହେବ, ସେ ତ ଏହି ଦୁନିଆର ସବୁଠୁ ଭାଗ୍ୟବାନ ବ୍ୟକ୍ତି ହୋଇଥିବେ । ଏପ୍ରକାର ପ୍ରଶଂସା ଶୁଣି ଶନିଶ୍ଚ ଖୁବ ଗଦ୍‌ଗଦ୍‌ ହୋଇଗଲେ ଏବଂ କହିଲେ ପ୍ରେମାନନ୍ଦ, ତୁମେ ମୋର ଝିଅର ବିଭାଘରରେ ପୁରୋହିତ କାର୍ଯ୍ୟ ସମ୍ପନ୍ନ କରିବ । ଏତିକି କହି ଦଶହଜାର ଟଙ୍କାର ବଂଡଲଟି ତାଙ୍କ ହାତକୁ ବଢ଼ାଇଦେଲେ । ଟଙ୍କା ଦେଖି ପ୍ରେମାନନ୍ଦ ଟଙ୍କାର ପ୍ରେମରେ ଗଦଗଦ ହୋଇଗଲେ ଏବଂ ହାତଯୋଡ଼ି ପ୍ରଣାମ କଲେ । ଖୂଂଦଶପୁର ପରିବାର ମନ୍ଦିରରୁ ଯିବା ପୂର୍ବରୁ ଶନିଶ୍ଚ’ଙ୍କର ପତ୍ନୀ କହିଲେ କି ନନା, ଝିଅର ବିବାହ ପାଇଁ ବହୁତ ଗୁଡିଏ ପ୍ରସ୍ଥାବ ଆସିଛି; କିନ୍ତୁ ଝିଅ ଆମର ସମ୍ପୂର୍ଣ୍ଣ ଆଧୁନିକ, ତେଣୁ ସେ ପ୍ରେମ ବିବାହ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ଆମେ ମାତାପିତା ହିସାବରେ ଝିଅର ଇଚ୍ଛାକୁ ସମ୍ମାନ କରି ସ୍ୱୀକୃତି ପ୍ରଦାନ କରିଛୁ । ନନା ପ୍ରେମାନନ୍ଦ ପ୍ରେମର ପ୍ରଶଂସା ଶୁଣି ପୁଣି ଗଦଗଦ ହୋଇଗଲେ ଏବଂ କହିଲେ ମାଡାମ୍‌, ଆପଣମାନେ ଖୁବ ଉଚ୍ଚା ଶ୍ରେଣୀର ଲୋକ ଏବଂ ସତ୍ୟ ପ୍ରେମରେ ବିଶ୍ୱାସ ରଖିଥିବାରୁ ଏହି ସଂସାରରେ ଶ୍ରୀରାଧା ଓ ଶ୍ରୀକ୍ରୀଷ୍ଣା ଦ୍ୱାରା ପ୍ରତିଷ୍ଠିତ ପ୍ରେମ ଦୁନିଆରେ ଏବେବି ବଞ୍ଚି ରହିଛି । ମାଡାମ କହିଲେ ହଁ ନନା, ମୋବାଇଲ ନମ୍ବର ଦିଅନ୍ତୁ, ଦିନ ଠିକ୍‌ ହେଲେ ଆମେମାନେ ବରକନ୍ୟା’ଙ୍କୁ ଏହି ମନ୍ଦିରକୁ ଆଣି ଆସିବୁ ଏବଂ ନିର୍ବନ୍ଧ ପଦ୍ଧତିକୁ ସମ୍ପୂର୍ଣ କରିବୁ । ଟଙ୍କା ମିଳିବାର ବାଟ ଛାଇଁ ଛାଇଁ ଆସୁଛି, ନନା କିପରି ମନା କରିବେ, ତୁରନ୍ତ କାର୍ଡଟି ଧରେଇଦେଲେ । ସେମାନେ ମନ୍ଦିରରୁ ଚାଲିଗଲା ପରେ ନନା ତୁରନ୍ତ ମନ୍ଦିର ପରିସରର ମୂଖ୍ୟ ଗେଟ ବନ୍ଦ କରିଦେଲେ ଏବଂ ଶାନ୍ତିରେ ଦୀର୍ଘ ନିଶ୍ୱାସଟି ମାରିଲେ ।

ଏହି ଘଟଣାର ଗୋଟିଏ ଦିନ ପାର ହୋଇଛି କି ନାହିଁ, ଶ୍ରୀମାନ ଅଧର୍ଯ୍ୟ ହାରାମଖୋର ନିଜର ଗୋଷ୍ଠୀ ସହିତ ଆସି ପହଞ୍ଚିଲେ ମନ୍ଦିରର ଅଫିସ କକ୍ଷରେ । ପ୍ରେମାନନ୍ଦ ନନାଙ୍କୁ ଡାକି କହିଲେ ହେ ନନା, ଖୁବ ଖୁସି ଖବର । ତାଙ୍କର ଜ୍ୟେଷ୍ଠପୁତ୍ର ଅର୍ଥାତ କୌଶଲ ହାରାମଖୋର ବିବାହ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ନନା ଏହା ଶୁଣି ଚମକି ପଡିଲେ; ମନେମନେ ଭାବିଲେକି କୌଶଲ କେଉଁ କନ୍ୟା ସହିତ ବିବାହ କରୁଛନ୍ତି । ନନାଙ୍କୁ ଚୂପ ଦେଖି ଅଧର୍ଯ୍ୟ ହାରାମଖୋର କହିଲେ କଣ ଭାବୁଛ ନନା, ବିଭାଘର କେଉଁଠି ହେଉଛି ଜାଣିଛ, ଖୂଂଦଶପୁର ନିର୍ବାଚନ ମଣ୍ଡଳୀର ବିଧାନସଭା ସଦସ୍ୟ ଶ୍ରୀମାନ “ଶନିଶ୍ଚ ଖୂଂଦଶପୁର”ଙ୍କର କନ୍ୟା ସହିତ । ଏତିକି କହି ଟଙ୍କା ୫ହଜାର ନନାଙ୍କର ହାତକୁ ବଢ଼ାଇଦେଲେ ଏବଂ କହିଲେ ବିଭାଘର ତାରିଖ ଠିକ୍‌ କରିବା ପାଇଁ ଏବଂ ନିର୍ବନ୍ଧ ବିଦ୍ଧିକୁ ଜାକଜକମରେ ସମ୍ପନ୍ନ କରିବା ପାଇଁ ସେମାନେ ବର ଓ କନ୍ୟାକିଂ ଏହି ମନ୍ଦିରକୁ ହିଁ ଆଣିବେ । ତେଣୁ ନିର୍ବନ୍ଧ ଦିନ ତୁମେ ଖୁବ ସୁନ୍ଦର ଭାବରେ ଶ୍ରୀରାଧାକୃଷ୍ଣ ଯୁଗଳମୂର୍ତ୍ତିକୁ ସଜେଇଦେବ ଏବଂ ମନ୍ଦିରକୁ ମଧ୍ୟ । ଦୁଇଟି ଖୁବ ଉଚ୍ଚ ଓ ଧନୀ ପରିବାର ମଧ୍ୟରେ ସମ୍ପର୍କ ଯୋଡିବାକୁ ଯାଉଛି, ସେହି ହିସାବରେ ବ୍ୟବସ୍ଥା ବି ହେବା ଉଚିତ, ନା କଣ କହୁଛ ନନା । ନାନଙ୍କର ଆଉ ବାଟ ଅଛି ନା କହିବାର, ତୁରନ୍ତ କହିଲେ ହଁ ମହାନୁଭବ, ଏହାତ ଇଶ୍ଵରଙ୍କର ସଂଯୋଗ ଏବଂ ୨ ପରିବାରର ଇଜ୍ଜତର କଥା । ତେଣୁ ବଖୁବି ଆଡମ୍ବରର ସହିତ ନିର୍ବନ୍ଧ ଏବଂ ବିବାହ ଉତ୍ସବ ପାଳନ ହେବା ନିହାତି ଆବଶ୍ୟକ । ଅଧର୍ୟ୍ଯ ହାରାମଖୋର ଖୁସି ହୋଇଯାଇ କହିଲେ ନନା, ମନ୍ଦିରର ବାକି କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଦେବକି ମନ୍ଦିରର ପରିସରକୁ ଖୁବ ସଫାସୁତୁରା କରିଦେବେ ଏବଂ ମାଳିକୁ ମଧ୍ୟ ନିର୍ଦ୍ଦେଶ ଦେବକି ବେଢାରେ ଥିବା ପୁଷ୍ପ ବୃକ୍ଷମାନଙ୍କୁ ଠିକ୍‌ଭାବରେ କାଟିକୁଟି ସଜେଇ ଦେବେ । ହଁ ରେ ହଁ ମିଳାଇ ସେହି ସ୍ଥାନରୁ ଆସିଲେ ପ୍ରେମାନନ୍ଦ ନନା । ମନ ମଧ୍ୟରେ ଭୟର ଆଶଙ୍କା, କନ୍ୟା କିଏ, ସେ କଣ କେବେ କୌଶଲ ସହିତ ଏହି ମନ୍ଦିରକୁ ଆଗରୁ ଆସିଛନ୍ତି; ନା କନ୍ୟା ସମ୍ପୂର୍ଣ ଅଲଗା ଯେକି କୌଶଲ’ଙ୍କର ପ୍ରେମର ଜାଲରେ ଫସିଯାଇଛନ୍ତି ଏବଂ ତାଙ୍କ ବିଷୟରେ କିଛି ନଜାଣି ବିବାହ ପାଇଁ ରାଜି ହୋଇଯାଇଛନ୍ତି । ହେ ଈଶ୍ବର, ଏହି ୨ ପରିବାରର ଚକ୍ରବ୍ୟୁହରୁ ଏହି ଗରୀବ ନନାକୁ ଉଦ୍ଧାର କର; ନଚେତ ଲାଗୁଛିକି ବ୍ୟାଗବସ୍ତାନୀ ଧରି ଗାଁକୁ ଯିବାର ସମୟ ଆସିଗଲାଣି । ଅନ୍ୟ ପକ୍ଷରେ ସେ ତ ୧୪ବର୍ଷ ପର୍ଯ୍ୟନ୍ତ ବନବାସ ନେଇ ଆସିଥିଲେ, ସେ ମାତ୍ର ୭ବର୍ଷରେ କେମିତି ଫେରିବେ । ତାଛଡା ସେ ତ ଏବେ ପର୍ଯ୍ୟନ୍ତ ଅଧିକ ମାତ୍ରାରେ ଭୌତିକ ପ୍ରଗତି କରିନାହାନ୍ତି କି ସେ ଗାଁକୁ ଫେରିଯାଇ ବାକି ଜୀବନକୁ ଆରାମରେ ବିତାଇ ପାରିବେ ।

ଜୁଲାଇ ମାସ ୧ ତାରିଖରେ ନିର୍ବନ୍ଧ ହେବ ବୋଲି ଠିକ୍‌ ହେଲା । ଉଭୟ ହାରାମଖୋର ପରିବାର ଓ ଖୂଂଦଶପୁର ପରିବାର ନିର୍ଣ୍ଣୟ ନେଲେକି ନିର୍ବନ୍ଧ ଉତ୍ସବଟି “ଶ୍ରୀରାଧାକ୍ରୀଷ୍ଣା” ମନ୍ଦିରରେ ବିଦ୍ଧି ପାଳନ କରିବା ହେତୁ କରାଯିବ । ମନ୍ଦିରରେ ପୂଜା ସରିବା ପରେ ସନ୍ଧ୍ୟା ସମୟରେ ହେର୍ମାବ୍ୟାସ ନଗରୀର ଖୂଂଦଶପୁର ଅଞ୍ଚଳର ସବୁଠୁ ବଡ଼ ଆଧୁନିକ ୫ତାରକା ହୋଟେଲ “ଲଭ୍‌ ପ୍ୟାଲେସ” ରେ ଖୁବ ଜୋର୍‌ସୋର୍‌ ପାର୍ଟି ଆୟୋଜିତ ହେବ ଯେଉଁଥିରେକି ରାଜନୈତିକ, ବ୍ୟବସାୟିକ ଓ ସମ୍ପର୍କୀୟ ଲୋକମାନେ ଯୋଗଦେଇ ବର ଓ କନ୍ୟାଙ୍କୁ ଆଶୀର୍ବାଦ ଦେଇପାରିବେ । ଉପସ୍ଥିତ ଅତିଥିମାନଙ୍କର ମନୋରଞ୍ଜନ କରିବାପାଇଁ ପ୍ରସିଦ୍ଧ ଗାୟକମାନେ ଏବଂ ଡିଜେ ନିମନ୍ତ୍ରିତ ହେବେ । ନୃତ୍ୟ ସଙ୍ଗୀତର ଲହଡ଼ିରେ ସମ୍ପୂର୍ଣ୍ଣ ହୋଟେଲ୍‌ଟି ଯେପରି ନାଚିଉଠିବ । ଏହା ଥିଲା ଖୂଂଦଶପୁର ପରିବାରର ପ୍ରତିଜ୍ଞା କି ହାରାମଖୋର ପରିବାର ଓ ସମ୍ପର୍କୀୟମାନେ ଏପ୍ରକାର ଅତିଥି ସତ୍କାର ପାଇବେ ଯେପରି ସେ ଆଗରୁ କେବେ ବି ପାଇନଥିବେ । ବିଧାନସଭା ସଦସ୍ୟ’ଙ୍କର ଝିଅ ବାହାଘର, ଏଣୁତେଣୁ ପିଲାର ନୁହେଁ ଯେ; ବଡ଼ ଜୋରରେ ଛାତି ଚଉଡା କରି କହିଗଲେ ଶନିଶ୍ଚ । ଖବର ପହଞ୍ଚିଲା ପ୍ରେମାନନ୍ଦ ନନା ନିକଟରେ । ଆଦେଶ ହିସାବରେ ମନ୍ଦିର ସଫାସୁତୁରା କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲା । ନନା ଅପେକ୍ଷା କରି ରହିଲେ ଜୁଲାଇ ୧ତାରିଖକୁ । କିନ୍ତୁ ତାଙ୍କ ମନରେ ସେହି ମହାଭାରତର ଭୟ ଲାଗି ରହିଲା । ସେ ଏକଥା କାହାକୁ କହିବେ, ଯେଉଁ ପକ୍ଷକୁ କହିବେ ତାର ଅପର ପକ୍ଷ ଠାରୁ ମାଡ଼ ଖାଇବେ । ସେ ଭାବିଲେକି ଏହି ତାରିଖ ପୂର୍ବରୁ ସେ ମନ୍ଦିର ଛାଡି ଚାଲିଯିବେ । ତାପରେ ଭାବିଲେ ପ୍ରଭୁଙ୍କର ପୂଜା କେମିତି ସେ ବନ୍ଦ କରି ଚାଲିଯିବେ, ଯଦି ଯିବେ ତେବେ ଅନ୍ୟ ଜଣେ ପୂଜକଙ୍କୁ ଦାଇତ୍ୱ ଦେଇ ଯିବା ଠିକ୍‌ ହେବ । ତେଣୁ ସେ ମନ୍ଦିରର ପୂର୍ବ ପୁଜକଙ୍କୁ ଫୋନ୍‌ କଲେ, କିନ୍ତୁ ଯେହେତୁ ସେ ପୂଜକ ଖୁବ ବୟସ୍କ ଥିଲେ ଏବଂ ବୀମାର ଥିଲେ, ସେ ଆଉ ନଗରୀକୁ ଆସିପାରିବେ ନାହିଁ ବୋଲି କହିଲେ । କିନ୍ତୁ ସେ ଆଉ ଗୋଟିଏ କଥା କହିଲେ ଯାହାକି ପ୍ରେମାନନ୍ଦ ନନାଙ୍କୁ ଅଳ୍ପକେ ସାହାସ ଦେଲା । ସେ କହିଲେ ପ୍ରେମାନନ୍ଦ, ରାଧାକୃଷ୍ଣ ମନ୍ଦିର ଓ ଖୂଂଦଶପୁର ଶିବମନ୍ଦିର ମଧ୍ୟରେ ଦୂରତା ବହୁତ କମ, ମାତ୍ର ୫କିଲୋମିଟର । ସେହି ଶିବମନ୍ଦିରରେ ତାଙ୍କର ଜଣେ ଚିହ୍ନା ପିଲା ପୂଜକ ଭାବରେ କାର୍ଯ୍ୟରତ । ତାଙ୍କର ଫୋନ୍‌ନମ୍ବର ନେଇ ତାଙ୍କୁ ଫୋନ୍‌ କର; ଯଦିବା ସିଏ ସାହାଯ୍ୟ କରିପାରିବେ ତେବେ ଭଲ କଥା । ସେହି ଫୋନ୍‌ନମ୍ବରରେ ଫୋନ୍‌କରି ସବୁ କଥା କହିବା ପରେ ଖୂଂଦଶପୁର ଶିବମନ୍ଦିରର ପୂଜକ “ଅପରିଚିତ” କହିଲେକି ସେ ତ ମନ୍ଦିରର ଏକମାତ୍ର ପୂଜକ, ମନ୍ଦିର ଛାଡି ଯିବା କଷ୍ଟକର; କିନ୍ତୁ ସେ ଚେଷ୍ଠା କରିବେ ଯଦି ମନ୍ଦିରରେ ପୂଜା ସରିବା ପରେ ଖାଲି ସମୟ ମିଳେ, ତେବେ ସେ ଯିବେ । ବଡ଼ ଦ୍ବନ୍ଦରେ ପଡିଲେ ପ୍ରେମାନନ୍ଦ; କଣ କରିବେ ସେ, ପଇସାର ଲୋଭ ବି ଥାଏ । ଏତେବଡ଼ ବାହାଘରରୁ ପ୍ରାୟ ଟଙ୍କା ପଚାଶ ହଜାର ତ ମିଳିବ, ଛୋଟମୋଟ ରକମ ନୁହେଁ । ସବୁ ସେହି ଈଶ୍ବରଙ୍କ ଉପରେ ଲଦିଦେଇ ସେ ପୂଜା କାର୍ଯ୍ୟରେ ଲାଗିଗଲେ । ରାତ୍ରୀ ସମୟରେ ମନ୍ଦିର ବନ୍ଦ କରି ବାସ ପିଣ୍ଡାରେ ବସି ମନ୍ଦିରର ମାଳି ସହିତ ଗପସପ ହେଉଥିଲେ ପ୍ରେମାନନ୍ଦ ନନା । ଏହି ସମୟରେ ଗୋଟିଏ ବଡ଼ ମୋଟରସାଇକେଲ ଆସି ପହଞ୍ଚିଗଲା । ସେଥିରୁ ଓଲ୍ହାଇଲେ କୌଶଲ ହାରାମଖୋର ଓ ତାଙ୍କର ଜଣେ ବନ୍ଧୁ । ନନାଙ୍କ ପାଖରେ ପହଞ୍ଚି ଥଟ୍ଟାତାମସା ଆରମ୍ଭ କରିଦେଲେ । ଅଣ୍ଟାରେ ହାତମାରି କୁତୁକୁତୁ କରିବାକୁ ଲାଗିଲେ, ନନାଙ୍କୁ ଆଉ ବସେଇଉଠେଇ ଦେଲେନାହିଁ । ନନା ଧାର୍ଯ୍ୟଶୀଳ ଥିବାରୁ କହିଲେ ବାବୁ କାହିଁକି ଏହି ଗରୀବ ବ୍ରାହ୍ମଣକୁ ହଇରାଣ କରୁଛନ୍ତି । କୌଶଲ ଉତ୍ତର ଦେଲେ ନନା, ତୁମେ ଏହି ହାରାମଖୋର ଠାରୁ ଏତେ ଟଙ୍କା ନେଲଣି, ପୁଣି କହୁଛ କଣ ନା ଗରୀବ । ତାଛଡା ତାଙ୍କର ନିର୍ବନ୍ଧ ଓ ବିଭାଘରରେ ବି ଆହୁରି ପଇସା ନେବ; ହଁ ନନା ମନେରଖିଥାଅ କି ବାହାଘର ଶେଷ ହେବାଯାଏ କାହାକୁ କିଛି କହିବ ନାହିଁ ଯେ କୌଶଲ କେତେ ଝିଅମାନଙ୍କୁ ଏହି ମନ୍ଦିରକୁ ନେଇକି ଆସିଛି । ମନେ ରଖିଥିବ ନନା, ନାଁ ଟି ମୋର କୌଶଲ ହାରାମଖୋର । ନନା ହାତଯୋଡ଼ି କହିଲେ ବାବୁ, ସେକଥା ସବୁ ଆପଣଙ୍କର, ଆପଣ ବୁଝିବେ, ଗରୀବ ନନାର ସାପ ପାଟିରେ ହାତ ପୂରେଇବାର କିଛି ଆବଶ୍ୟକତା ନାହିଁ । ଖୁବ ଭଲ, କହି ଫୁରକିନା ଚାଲିଗଲେ ସେଠୁ କୌଶଲ । ପ୍ରେମାନନ୍ଦ ନନା ଟିକେ ଶାନ୍ତିରେ ନିଶ୍ୱାସ ମାରିଲେ ଏବଂ ବାରଣ୍ଡା ଛାଡ଼ି ସିଧା ନିଜ କକ୍ଷକୁ ଚାଲିଗଲେ ।

ଜୁଲାଇ ମାସ ଏକ ତାରିଖ ପାଖେଇ ଆସୁଥିଲା । ବିଭାଘର ପାଇଁ ସବୁ ଯୋଗାଡ଼ ଆଗେଇ ଚାଲିଥାଏ । ନନା ବି ମନ୍ଦିର ସଫାସୁତୁରା ଓ ସଜବାଜ କାମରେ ଲାଗି ରହିଥାନ୍ତି । ମୁଣ୍ଡରେ କିନ୍ତୁ ସେହି ମହାଭାରତର ଚିନ୍ତା ତାଙ୍କୁ ଘାଇଲା କରିବାକୁ ଲାଗିଥାଏ । ସେ ନିଜର ଜାତକ ଦେଖିବା ଆରମ୍ଭ କରିଦେଲେ । କିପ୍ରକାର ପଦକ୍ଷେପ ନେଲେ ସେ ନିଜକୁ ସୁରକ୍ଷିତ ରଖିପାରିବେ । ତାଙ୍କ ଜାତକ ଦର୍ଶାଉଥିଲା କି ତାଙ୍କର କାଳସର୍ପ ଦୋଷ; ଖୁବ ଭୟାନକ । ଏହା ଦେଖି ନନା ନିଶ୍ଚିତ ହୋଇଗଲେ ଯେ ହାରାମଖୋର ପରିବାର ସର୍ପ ରୂପରେ ତାଙ୍କୁ ଚୋଟ ମାରିବେ ଏବଂ ସେ ବିନା ଦୋଷରେ ନିଜ ପ୍ରାଣ ହରାଇବେ । ତାଙ୍କର ମୃତ୍ଯୁ ସୁନିଶ୍ଚିତ । ବ୍ୟଥା ବଢିବାକୁ ଲାଗିଲା । ସେ ଭୟରେ ଥରିବାକୁ ଲାଗିଲେ ଏବଂ ଫୋନ୍‌କରି ଅପରିଚିତ’ଙ୍କୁ ସବୁ କହିଲେ । ଅପରିଚିତ ବିନା ପରିଚୟରେ ସାହାଯ୍ୟ କରିବାକୁ ଚେଷ୍ଠା କରିବେ ବୋଲି ପ୍ରତିଶୃତି ଦେଲେ ।

ଆସି ପହଁଚିଲା ଜୁଲାଇ ୧ ତାରିଖ, ଦିନ ବି ଶନିବାର । ପ୍ରେମାନନ୍ଦ ନନା ଅନୁଭବ କରିପାରୁଥିଲେ କି ପାଖେଇ ଆସୁଥିବା ମହାଭାରତ ରେ ତାଙ୍କର ମୃତ୍ୟୁ ମାତ୍ର କେତେ ଘଣ୍ଟା ହିଁ ଦୂର । ସନ୍ଧ୍ୟା ସୁଧା ସେ ସ୍ବର୍ଗତ ପ୍ରେମାନନ୍ଦ ନନା ରେ ପରିବର୍ତ୍ତନ ହୋଇଯାଇଥିବେ ।ହେ ଈଶ୍ବର, ତୁମେ ହିଁ ରକ୍ଷାକାର । ପ୍ରତିଶୃତି ହିସାବରେ ମନ୍ଦିର ପରିସର ସମ୍ପୂର୍ଣ୍ଣ ସଫାସୁତୁରା, ଫୁଲବଗିଚା ଖୁବ ସୁନ୍ଦର ଦୃଶ୍ୟମାନ । ତାଜା ତାଜା ପୁଷ୍ପରେ ମନ୍ଦିରର ସାଜସଜା ଖୁବ ଆକର୍ଷଣକାରୀ । ସେଥି ମଧ୍ୟରେ ପୁଷ୍ପ ଓ ନୂତନ ବସ୍ତ୍ରରେ ସୁସଜ୍ଜିତ ଯୁଗଳମୂର୍ତ୍ତି ଏପରି ସୁନ୍ଦର ଓ ତେଜମନ ଦିଶୁଥିଲେ ଯେ ଦେଖଣାହାରୀର ନଜର ଆଉ କେବେବି ହଟି ପାରିବନାହିଁ । ଏହି ସମୟ ସୁଧା ଉଭୟ ପକ୍ଷରୁ ଲମ୍ବା ଲମ୍ବା ଗାଡ଼ିରେ ବସି ପ୍ରାୟ ଶହେ ଲୋକ ଆସି ମନ୍ଦିର ବେଢା ମଧ୍ୟକୁ ପ୍ରବେଶ କଲେ । ହାରାମଖୋର ପରିବାର ଓ ସମ୍ପର୍କୀୟମାନେ ଖୁବ ଦାମୀ ଦାମୀ କପଡା ପିନ୍ଧି ତେଜମାନ ଓଜନଦାର ବରପକ୍ଷ ଭାବରେ ଦୃଶ୍ୟମାନ । ସେହିପରି ଖୂଂଦଶପୁର ପରିବାର ଓ ସମ୍ପର୍କୀୟ ରାଜନୈତିକ ବ୍ୟକ୍ତିମାନେ ଆଭିଜାତ୍ୟ ଓ ଶକ୍ତିର ପ୍ରଦର୍ଶନ କରୁଥିଲେ । କନ୍ୟା ରୂପରେ ୟାମୀ ଖୁବ ସୁନ୍ଦର ଦିଶୁଥିଲେ । ତାଙ୍କୁ ଦେଖିବାପରେ ପ୍ରେମାନନ୍ଦ ନନା ପ୍ରେମରେ ଆନନ୍ଦ ନେବାକୁ ଯାଇଁ ଭାବିବାକୁ ଲାଗିଲେ କି ଏତେ ସୁନ୍ଦର କନ୍ୟା ଓ ଏତେବଡ ଅଭିଜାତ୍ୟ ପରିବାରର କନ୍ୟା କେଉଁଥିପାଇଁ କୌଶଲ ଭଳି ଜଣେ ହାରାମଖୋର’ଙ୍କୁ ପ୍ରେମ କରି ବିବାହ କରିବାକୁ ରାଜିହୋଇଗଲେ । ତାଙ୍କର ଇଚ୍ଛା ହେଉଥିଲାକି ସେ ସିଧା ଯାଇ କନ୍ୟାର ପିତା ଶନିଶ୍ଚ ଖୂଂଦଶପୁର’ଙ୍କୁ କୌଶଲ ବିଷୟରେ ସବୁ ଖୋଲି କହିଦେବେ ଏବଂ ବିଭାଘର ବନ୍ଦ କରିଦେବେ । କିନ୍ତୁ ସେ ତ କୌଶଲର ଭୟରେ ଚୂପ, ମଝିରେ ମଝିରେ କୌଶଲ ନନାଙ୍କୁ ଆଖିମାରି କିଛିବି ଭୁଲ ନକରିବାକୁ ମନେପକାଇଦେଉଥାଏ । ନନା ନିଜ କାମରେ ଲାଗି ରହିଲେ ଏବଂ କୌଶଲ ଆଡକୁ ଦେଖିବା ବନ୍ଦ କରିଦେଲେ । ବରଂ ସେ ଅଧିକ ସମୟ କନ୍ୟା ଆଡକୁ ଦେଖି ବିତାଇବାକୁ ଲାଗିଲେ ।ମନ୍ତ୍ର ପଢା ଚାଲିଥାଏ । ଦୁଇ ସମ୍ବନ୍ଧୀ ପରସ୍ପରଙ୍କୁ ନିର୍ମାଲ୍ୟ ଖୋଇ କୁଣ୍ଢେଇପକାଇଲେ । ସଂଯୋଗର ଭିତ୍ତିଭୂମି ସ୍ଥାପନା ହୋଇଗଲା । କୌଶଲ’ଙ୍କର ଭୟ କମିଗଲା । ଏହି ସମୟରେ ଶିବମନ୍ଦିରର ପୂଜା ଶେଷକରି ଅପରିଚିତ ଆସି ପହଞ୍ଚିଲେ ଏବଂ ପ୍ରେମାନନ୍ଦ ନନା’ଙ୍କର କଡରେ ବସି ନିଜର ଚିହ୍ନାଦେଲେ । ସେ ମଧ୍ୟ ମନ୍ତ୍ର ଉଚ୍ଚାରଣ କରିବାକୁ ଲାଗିଲେ । ଯେହେତୁ ସେ ଖୂଂଦଶପୁର ଶିବମନ୍ଦିରରେ ପୂଜାରୀ, ତେଣୁ ସେ ଖୁବ ଭଲ ଭାବରେ ବିଧାନସଭା ସଦସ୍ୟ ଓ ପରିବାରକୁ ଚିହ୍ନନ୍ତି । ତାଙ୍କୁ ଦେଖି ଖୂଂଦଶପୁର ପରିବାର ବର୍ଗ ପଚାରିଲେ ନନା ତୁମେ ଏଠି; ନନା ଜବାବଦେଲେ କି ଏତେ ବଡ଼ କାମରେ ସାହାଯ୍ୟ ଦରକାର ପଡିବ ଭାବି ପ୍ରେମାନନ୍ଦ ନନା ତାଙ୍କୁ ଡାକିଥିଲେ ଏବଂ ସେ ପ୍ରେମାନନ୍ଦ ନନାଙ୍କୁ ଭଲରେ ଜାଣନ୍ତି । ତାଙ୍କର ନଜର ପଡିଗଲା ବଧୂ ବେଶରେ ଥିବା କନ୍ୟା “ୟାମୀ”ଉପରେ । ସେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ଏବଂ ପ୍ରେମାନନ୍ଦ ନନାଙ୍କୁ ସଂସ୍କୃତ ଭାଷାରେ ମନ୍ତ୍ରରୁପରେ କାହାଣୀ କହିଚାଲିଲେ । ଉପସ୍ଥିତ ଲୋକମାନେ କିଛି ଠଉରାଇ ପାରିଲେ ନାହିଁ । ଅପରିଚିତ କହୁଥିଲେକି ଏହି କନ୍ୟା କେତେ ଜଣ ଯୁବକଙ୍କୁ ପ୍ରେମକରି ଈଶ୍ବରଙ୍କର ଆଶୀର୍ବାଦ ପ୍ରାପ୍ତ କରିବାକୁ ଶିବମନ୍ଦିରକୁ ସାଙ୍ଗହୋଇ ଆସିଥିଲେ । ୟାମୀ ଯେପରି ଅପରିଚିତ ନନାଙ୍କୁ ଦେଖିଦେଲେ, ସେବେଠୁ ସେ ତଳକୁ ମୁହଁ କରିଦେଲେ । ହଠାତ ବାୟୁମଣ୍ଡଳ କିଛି ପରିବର୍ତ୍ତନ ହେବାର ଲାଗିଲା । ଦୁଇ ନନା ନିର୍ଣ୍ଣୟ ନେଲେକି ସେ ଦୁହେଁ ପୂଜା ସମ୍ପନ୍ନ କରିବେ କିନ୍ତୁ ଗୋଟିଏ ସର୍ତ୍ତରେ । ବର ଓ କନ୍ୟାର କାନରେ “ନାମ” ଦେବା ବିଧି ଆରମ୍ଭ କରିବେ ଏବଂ ଏଥିହେତୁ କେବଳ ବର ଓ କନ୍ୟା ସେହି ସ୍ଥାନରେ ରହିବେ ଏବଂ ବାକି ଉପସ୍ଥିତ ସମସ୍ତ ପୁରୁଷ ଓ ନାରୀମାନେ ବରକନ୍ୟାଙ୍କର ବିବାହ ଜୀବନରେ ସୁଖଶାନ୍ତିର କାମନା କରିବାପାଇଁ ମନ୍ଦିର ଚାରିକଡ଼ରେ ଏଗାରଥର ବୁଲି ଆସିବେ । ପ୍ରେମାନନ୍ଦ ନନା ହାତଯୋଡ଼ି କହିଲେକି ‘ନାମ’ ଦେବା ବିଧି ଆରମ୍ଭ ହେବ, ତେଣୁ ଆପଣମାନେ ମନ୍ଦିର ପରିକ୍ରମା କରିବାକୁ ଚାଲିଯାଆନ୍ତୁ । ସମସ୍ତେ ସେଠୁ ଚାଲିଯିବା ପରେ ପ୍ରେମାନନ୍ଦ ନନା ବର କାନରେ ‘ନାମ’ ଦେବାକୁ ବରକୁ କନ୍ୟାଠାରୁ ବହୁତ ଦୂରକୁ ନେଇ ଓଢ଼ଣୀ ଘୋଡାଇ ଦେଲେ ଏବଂ ଅପରିଚିତ ନନା କନ୍ୟା ଉପରେ ଓଢ଼ଣୀ ଘୋଡାଇ ଦେଲେ. ‘ନାମ’ ଦେବା ପରେ ପ୍ରେମାନନ୍ଦ ନନା ବର କାନରେ କହିଲେ ବାବୁ, ଆଜି ଖେଳର ଗୋଟିଟି ଏହି ଗରୀବ ନନାଙ୍କ ହାତରେ; ତୁମର ପୂର୍ବ ଇତିହାସ ଓ ସେହି ଇତିହାସର ନାୟୀକାମାନଙ୍କ ନାମ ସେ ଖୁବ ସହଜରେ ଖୂଂଦଶପୁର ପରିବାରକୁ କହିପାରିବେ । ତେଣୁ ଯଦି ଏହି କଥାକୁ ଆଜି ଲୁଚାଇ ରଖିବାକୁ ହେବ, ତେବେ ସେ ପ୍ରତି ନାୟିକାଙ୍କର ନାମ ଲୁଚାଇବା ପାଇଁ ପଚାଶ ହଜାର ଲେଖା ଟଙ୍କା ନେବେ, ଅର୍ଥାତ ୪ଜଣ ନାୟିକାଙ୍କ ପାଇଁ ସମୁଦାୟ ୨ଲକ୍ଷ ଟଙ୍କା । ନନା ତୁମେ କଣ ପାଗଳ ହୋଇଗଲଣି ନା କଣ, ଗୋଟିଏ ଇସାରାରେ ମୋର ସାଙ୍ଗମାନେ ତୁମର ହାତଗୋଡ଼ ଭାଙ୍ଗି ଚୁରମାର କରିଦେବେ, ଉତ୍ତେଜିତ ହୋଇ କହିଲେ କୌଶଲ । ନନା ଆଜି ଆଉ ଭୟଭୀତ ନଥିଲେ, ଜବାବ ଦେଲେ ଏ ହାରାମଖୋର, ତୁମେ ଯେଉଁ ଚାଲାଖି କରି ଏତେ ଧନୀଘରର ଝିଅ ଓ ଧନ ଉଭୟଙ୍କୁ ଲୁଟିବାକୁ ଚାହୁଁଛ, ତାର ମୂଲ୍ୟ ତ କୋଟି କୋଟି ଟଙ୍କା, ବଦଳରେ ଏହି ଗରୀବ ନନା ମାତ୍ର ୨ଲକ୍ଷ ପାଉଣା ମାଗୁଛି । ରାଜି ହେବାର କଥା ହୋଇଯାଅ ନହେଲେ ସେ ଚାଲିଲେ ଶନିଶ୍ଚ ପାଖକୁ । ଏକଡ଼େ ଅପରିଚିତ ନନା କନ୍ୟା ୟାମୀ’ଙ୍କ କାନରେ ‘ନାମ’ ଦେଲେ ଏବଂ ତାପରେ କହିଲେ ଏ ଝିଅ, ଆଜି ଖେଳର ଗୋଟିଟି ଏହି ଗରୀବ ନନାଙ୍କ ହାତରେ; ତୁମର ପୂର୍ବ ଇତିହାସ ଓ ସେହି ଇତିହାସର ନାୟକମାନଙ୍କ ନାମ ସେ ଖୁବ ସହଜରେ ହାରାମଖୋର ପରିବାରକୁ କହିପାରିବେ । ତେଣୁ ଯଦି ଏହି କଥାକୁ ଆଜି ଲୁଚାଇ ରଖିବାକୁ ହେବ, ତେବେ ସେ ପ୍ରତି ନାୟକଙ୍କର ନାମ ଲୁଚାଇବା ପାଇଁ ପଚାଶ ହଜାର ଲେଖା ଟଙ୍କା ନେବେ, ଅର୍ଥାତ ୪ଜଣ ନାୟକଙ୍କ ପାଇଁ ସମୁଦାୟ ୨ଲକ୍ଷ ଟଙ୍କା । ନନା ତୁମେ କଣ ପାଗଳ ହୋଇଗଲଣି ନା କଣ, ଗୋଟିଏ ଇସାରାରେ ମୋର ବାପାଙ୍କର ରାଜନୈତିକ ସହଯୋଗୀମାନେ ତୁମର ହାତଗୋଡ଼ ଭାଙ୍ଗି ଚୁରମାର କରିଦେବେ, ଉତ୍ତେଜିତ ହୋଇ କହିଲେ ୟାମୀ । ନନା ଆଜି ଆଉ ଭୟଭୀତ ନଥିଲେ, ଜବାବ ଦେଲେ ଆରେ ଝିଅ, ତୁମେ ଯେଉଁ ଖେଳ ଖେଳିଛ ଏବଂ ସେ ସବୁକୁ ଲୁଚାଇବାକୁ ଯାଇ ଏହି ହାରାମଖୋର’ଙ୍କୁ ବିବାହ କରୁଛ, ତା ସମ୍ମୁଖରେ ଏହି ୨ଲକ୍ଷ ଟଙ୍କା ଖୁବ କମ । ରାଜି ହେବା କଥା ତ ହୋଇଯାଅ ନଚେତ ସେ ଚାଲିଲେ ଅଧର୍ଯ୍ୟ ହାରାମଖୋର ପାଖକୁ । ସେକଡେ ବର ରାଜିହୋଇଗଲେ ଓ ଏକଡେ କନ୍ୟା ରାଜିହୋଇଗଲେ । ହୋଟେଲ ରେ ପାର୍ଟି ଆରମ୍ଭ ହେବା ପୂର୍ବରୁ ଏବଂ ସନ୍ଧ୍ୟା ସମୟରେ ରାଧାକୃଷ୍ଣ ମନ୍ଦିର ବନ୍ଦ ହେବା ପୂର୍ବରୁ ବର ପକ୍ଷରୁ ୨ଲକ୍ଷ ଟଙ୍କା ପ୍ରେମାନନ୍ଦ ନନାଙ୍କ ନିକଟରେ ପହଞ୍ଚିବା ଦରକାର । ସେହିପରି କନ୍ୟାପକ୍ଷରୁ ୨ଲକ୍ଷ ଟଙ୍କା ଶିବମନ୍ଦିରରେ ଅପରିଚିତ ନନାଙ୍କ ନିକଟରେ ପହଞ୍ଚିବା ଦରକାର । ବର ଓ କନ୍ୟା ରାଜିହୋଇ ଯିବାପରେ ସୁରୁଖୁରୁରେ ନିର୍ବନ୍ଧ ସମାପ୍ତ ହେଲା ଓ ଦୁଇ ପରିବାର ମନ୍ଦିରରୁ ବାହାରି “ଲଭ୍‌ ପ୍ୟାଲେସ” ହୋଟେଲକୁ ଚାଲିଗଲେ ।

ସେମାନେ ଗଲାପରେ ୨ନନା ଶ୍ରୀରାଧାକ୍ରିଷ୍ଣା ସମ୍ମୁଖରେ ଭୁଲ ମାଗିବାକୁ ଲାଗିଲେ ଏବଂ ପ୍ରେମର ଅବମାନନାକୁ ସହ୍ୟ ନକରି ପାରି ସେଦୁହେଁ ଏହି ପ୍ରକାର ପଦକ୍ଷେପ ନେଲେ ବୋଲି ଭାବି ନିଜକୁ ପାପମୁକ୍ତ କଲେ । ପାପରୁ ମୁକ୍ତି ମିଳିବ କି ନାହିଁ ସେ ତ ଶ୍ରୀରାଧା ଓ ଶ୍ରୀକ୍ରୀଷ୍ଣା ବିଚାରକରି ଚିତ୍ରଗୁପ୍ତ’ଙ୍କୁ ଜଣାଇଦେବେ । ପଇସା ଲୋଭରେ ଅପରିଚିତ ନନା ଜଲ୍ଦି ଜଲ୍ଦି ଶିବମନ୍ଦିରରେ ପହଞ୍ଚିଗଲେ । ସନ୍ଧ୍ୟା ହୋଇଗଲା, ମନ୍ଦିର ବନ୍ଦ ହେବା ସମୟରେ ଜଣେ ଅଜଣା ଅଶୁଣା ବ୍ୟକ୍ତି ମନ୍ଦିର ମଧ୍ୟକୁ ପ୍ରବେଶ କଲେ ଏବଂ ପ୍ରେମାନନ୍ଦ ନନାଙ୍କ ହାତରେ ବ୍ୟାଗଟି ଧରେଇ ଦେଇ ଚାଲିଗଲେ । ନନା ଖୁସିହୋଇ ମନ୍ଦିର ବନ୍ଦ କରି ନିଜ କକ୍ଷକୁ ଯାଇ ବ୍ୟାଗଟି ଖୋଲି ଦେଖିଲେକି ସେଥିରେ ସର୍ତ୍ତ ହିସାବରେ ଟଙ୍କା ଥିଲା ଏବଂ କୌଶଲ ହାରାମଖୋର ନନାଙ୍କର ବୁଦ୍ଧି ସମ୍ମୁଖରେ ହାର ମାନିନେଇ ଚିଠିଟି ମଧ୍ୟ ଲେଖିଥିଲେ, ତାହା ପୁଣି ହାତ ଲେଖା । ନନା ଏବେ ନିଜର ମୋବାଇଲ୍‌ ଫୋନ୍‌ କ୍ୟାମେରାରେ ସେହି ଚିଠିର ଫଟୋ ଉଠାଇ ପ୍ରମାଣ ସ୍ୱରୂପ ରଖିଦେଲେ ଏବଂ ୨ଲକ୍ଷ ଟଙ୍କାକୁ ସାତସିନ୍ଦୁକ ମଧ୍ୟରେ ଛୁପାଇଦେଲେ । ଅପରପକ୍ଷରେ ଶିବମନ୍ଦିର ବନ୍ଦ ହେବା ସମୟରେ ଜଣେ ଅଜଣା ଅଶୁଣା ବ୍ୟକ୍ତି ମନ୍ଦିର ମଧ୍ୟକୁ ପ୍ରବେଶ କଲେ ଏବଂ ଅପରିଚିତ ନନାଙ୍କ ହାତରେ ବ୍ୟାଗଟି ଧରେଇ ଦେଇ ଚାଲିଗଲେ । ନନା ଖୁସିହୋଇ ମନ୍ଦିର ବନ୍ଦ କରି ନିଜ କକ୍ଷକୁ ଯାଇ ବ୍ୟାଗଟି ଖୋଲି ଦେଖିଲେକି ସେଥିରେ ସର୍ତ୍ତ ହିସାବରେ ଟଙ୍କା ଥିଲା ଏବଂ ୟାମୀ ଖୂଂଦଶପୁର ନନାଙ୍କର ବୁଦ୍ଧି ସମ୍ମୁଖରେ ହାର ମାନିନେଇ ଚିଠିଟି ମଧ୍ୟ ଲେଖିଥିଲେ, ତାହା ପୁଣି ହାତ ଲେଖା । ନନା ଏବେ ନିଜର ମୋବାଇଲ୍‌ ଫୋନ୍‌ କ୍ୟାମେରାରେ ସେହି ଚିଠିର ଫଟୋ ଉଠାଇ ପ୍ରମାଣ ସ୍ୱରୂପ ରଖିଦେଲେ ଏବଂ ୨ଲକ୍ଷ ଟଙ୍କାକୁ ସାତସିନ୍ଦୁକ ମଧ୍ୟରେ ଛୁପାଇଦେଲେ ।

ଏବେ ୨ ଜଣ ନନା “ୟାମୀ ଓ କୌଶଲ”ଙ୍କର ବିବାହ ଉତ୍ସବକୁ ଅପେକ୍ଷା କରିଛନ୍ତି । ଏଥର ସେଦୁହେଁ ବର ଓ କନ୍ୟାଙ୍କୁ ‘ନାମ’ ଦେବେନାହିଁ କିନ୍ତୁ ବିଦ୍ଧିସ୍ୱରୂପ ଦୁଇ ସମ୍ବନ୍ଧୀଙ୍କୁ ‘ନାମ’ ଦେବେ । ତେଣୁ ମୂଲ୍ୟାଙ୍କନ କରି ସେଦୁହେଁ ନିର୍ଣ୍ଣୟ ନେଇଛନ୍ତିକି ଜଣକା ଟଙ୍କା ୫ଲକ୍ଷ ମାଗିବେ କାରଣ ଦୁଇଟି ଖୁବ ଉଚ୍ଚା ଏବଂ ଧନଶାଳୀ ପରିବାର ମଧ୍ୟରେ ବିବାହ ସମ୍ପର୍କ ଯୋଡି ହେବାକୁ ଯାଉଛି, ଯେଉଁଥିରେ କି ଅଜସ୍ର ମାତ୍ରାରେ ଅର୍ଥ ଖର୍ଚ୍ଚ ହେବ । ସେଥିରୁ କିଛିଟା ଯଦି ଦୁଇ ଗରୀବ ନନାଙ୍କର ଗାମୁଛାରେ ପଡ଼ିଯାଏ ତେବେ ଦୋଷ କଣ ଯେ ।

ଜୟ ରାଧାକୃଷ୍ଣ ।।
ଜୟ ଶିବଶଙ୍କର ।।

ଲୋକପ୍ରିୟ ଲେଖା

To Top