ଗଳ୍ପ

ପ୍ରେମର ପ୍ରତିମା

Premara Pratimaa an odia story by Dr Bibhuti Pattanaik

ତା’ର ଶରୀର ଅଭ୍ୟନ୍ତରରେ ପାପ ପ୍ରବେଶ କରିବା ଆଗରୁ ମାଧବର ବଦ୍ଧମୁଷ୍ଟିର ଆଘାତରେ ତା’ର ସତୀତ୍ୱ ବଞ୍ଚିଗଲା- କିନ୍ତୁ ଲୁଟ ହୋଇଗଲା ତା’ର ଇଜ୍ଜତ

ପ୍ରେମର ପ୍ରତିମା

ଆକାଶରେ ସୂର୍ଯ୍ୟ ଥିଲେ- ଯଦିଓ ପଶ୍ଚିମ ଦିଗନ୍ତ ଧୀରେ ଧୀରେ ଲାଲ୍ ପଡ଼ି ଆସୁଥିଲା । ସୂର୍ଯ୍ୟାଲୋକ ଧୀରେ ଧୀରେ ଶୀତଳ ହୋଇ ଆସୁଥିଲେ ବି ଗଛର ଡାଳପତ୍ର ଉପରକୁ ସନ୍ଧ୍ୟାର ଅନ୍ଧାର ଓହ୍ଲାଇ ଆସିବା ତଥାପି ବିଳମ୍ୱ ଥିଲା- ଠିକ୍ ସେତିକିବେଳେ ପରୀକ୍ଷାର୍ଥୀ-ପଞ୍ଚଦଶୀ-ବନୁ ରଙ୍ଗମିସ୍ତ୍ରୀର ଝିଅ ଆରତି ମଲ୍ଲିକର ଇଜ୍ଜତ ଲୁଟି ହୋଇଗଲା ।

ସଫା ଶ୍ୟାମଳ ରଙ୍ଗ, ଚିତ୍ରକରର ହାତଅଙ୍କା ଛବି ଭଳି ଦେବୀମୂର୍ତ୍ତି ପରି ମୁହଁର ଗଢ଼ଣ-ବୟସ ତୁଳନାରେ ଈଷତ୍ ଲମ୍ୱା-ଆରତି ସବୁଦିନ ଭଳି ମାଥ୍ ସାରଙ୍କ କୋଚିଂ କ୍ଲାସରୁ ଏକୁଟିଆ ଫେରୁଥିଲା । ସ୍କୁଲ୍‌କୁ ଗଲାବେଳେ ତାଙ୍କ ସାହିର ଆଉ ତିନିଜଣ ତା’ ସାଥିରେ ଯାଆନ୍ତି- ସେମାନେ ତଳ କ୍ଲାସ୍ର ଛାତ୍ରୀ-ମାଧ୍ୟମିକ ପରୀକ୍ଷାର୍ଥୀ ନୁହଁନ୍ତି ବୋଲି କୋଚିଂ କ୍ଲାସକୁ ଯିବା ଦରକାର ହୁଏ ନାହିଁ- ତାକୁ ଏକାକିନୀ କୋଚିଂ କ୍ଲାସ୍‌କୁ ଯିବାକୁ ହୁଏ । ପ୍ରଥମେ ପ୍ରଥମେ ବାପା ତାକୁ କାମରୁ ଫେରିଲାବେଳେ ସାଙ୍ଗରେ ନେଇଆସୁଥିଲା- ଗତ ପନ୍ଦର ଦିନ ହେଲା ବାଉଁଶଭାରା ବାନ୍ଧି ହସ୍ପିଟାଲ୍ ବିଲ୍ଡିଂ ବାହାରପଟ କାନ୍ଥ ରଙ୍ଗ କଲାବେଳେ ହଠାତ୍ ବାଉଁଶ ଭାରା ଭାଙ୍ଗି ପଡ଼ିଲା । ଡାହାଣ ଗୋଡ଼ର ହାଡ଼ ଭାଙ୍ଗିଯାଇଥିଲା । ଯେତେ ପ୍ରକାର ଚିକିତ୍ସା କଲେ ବି ରଙ୍ଗମିସ୍ତ୍ରୀର ଗୋଡ଼ ଠିକ୍ ହେଲା ନାହିଁ । ଛୋଟେଇ ଛୋଟେଇ ସେ କାମକୁ ଯାଇପାରୁ ନାହିଁ । ଝିଅକୁ କୋଚିଂ କ୍ଲାସ୍‌ରୁ ସାଙ୍ଗରେ ଧରି ଘରକୁ ଫେରିବା ପ୍ରଶ୍ନ ଉଠୁ ନାହିଁ ।

କୋଚିଂ ସେଣ୍ଟର୍‌ରୁ ବାହାରି ଗ୍ରାମ୍ୟ ବ୍ୟାଙ୍କ ଛକରୁ ସିଧା ଘରକୁ ଫେରୁଥିଲା ଆରତି । ତାକୁ ପଛରୁ କେହି ଅନୁସରଣ କରୁଛି କି ନାହିଁ ତେଣିକି ତା’ର ନିଘା ନ ଥିଲା । ପଛରୁ କାହାରି ନିଶ୍ୱାସ ପ୍ରଶ୍ୱାସର ଶବ୍ଦ ସେ ଶୁଣିପାରି ନଥିଲା । ଶୁଣାଯାଉଥିଲା କେବଳ ଦ୍ରୁତ ପଦକ୍ଷେପ । ପଛକୁ ଡରରେ ନ ଚାହିଁ ସେ ଚାଲିବାର ବେଗ ବଢ଼ାଇ ଦେଉଥିଲା । ଏଲ୍.ପି. ସ୍କୁଲ୍ ପାଖାପାଖି, ଛଞ୍ଚାଣ ଭଳି ଲୋକଟା ଛୁଟି ଆସି ତାକୁ କାବୁ କରିନେଲା- ଯେତେ ଛାଟିପିଟି ହେଲେ ବି, ତା’ କବଜାରୁ ନିଜକୁ ମୁକୁଳେଇ ନେବା ଲାଗି ଯେତେ ଚେଷ୍ଟା କଲେ ବି ସେ ପାରିଲା ନାହିଁ । ଆଖପାଖରେ କେହି ଲୋକ ନଥିଲେ । ଗାଈଗୋରୁ କିମ୍ୱା ଛେଳିମେଣ୍ଢାଟିଏ ମଧ୍ୟ ଦେଖାଯାଉ ନଥିଲା । ଦୁର୍ବୃତ୍ତର ଅକ୍ଟୋପାସ-ବନ୍ଧନରୁ ମଣିଷ ହୁଅନ୍ତୁ କି ଈଶ୍ୱର ହୁଅନ୍ତୁ- ତାକୁ ମୁକୁଳାଇ ନେବା ପାଇଁ ସେ ନିଜର ସବୁ ଶକ୍ତି ଲଗାଇ ବଡ଼ ପାଟିରେ ଚିତ୍କାର କରିବାକୁ ଗଲାବେଳେ ଲୋକଟା ତା’ ପାଟି ଭିତରେ ନିଜ ଜିଭଟା ଭର୍ତ୍ତି କରି ଦେଇ ତାକୁ ଚୁପ୍ କରିଦେଲା । ଲୋକଟା ମୁହଁରୁ ଦେଶୀ ମଦର ଗନ୍ଧ ବାହାରୁଥିଲା- ସେ ଗନ୍ଧରେ ତା’ର ବାନ୍ତି ଉଠି ଆସୁଥିଲା- ତା’ ପାଟି ଭିତରେ ସେ ଲୋକଟାର ଗନ୍ଧିଆ ଜିଭକୁ ଦାନ୍ତରେ କାମୁଡ଼ି ଦୁଇ ଗର କରିଦେବା କଥା ସେହି ମୁହୂର୍ତ୍ତରେ ସେ ଭୁଲିଯାଇଥିଲା ତା’ର ପ୍ରତିରୋଧ କରିବାର ଇଚ୍ଛାଶକ୍ତି ଧୀରେ ଧୀରେ ଲୋପ ପାଇଯାଇଥିଲା । ସେଇ ସୁଯୋଗରେ ଲୋକଟା ତାକୁ ଶୂନ୍ୟେ ଶୂନ୍ୟେ ଉଠାଇ ନେଇ ଧୀରେ ଧୀରେ ଅନ୍ଧାର ଘୋଟି ଆସୁଥିବା ନିର୍ଜ୍ଜନ ନିମ୍ନପ୍ରାଥମିକ ବିଦ୍ୟାଳୟ ପଛପଟ ବାରଣ୍ଡାରେ . . . ।

କିନ୍ତୁ ଲୁଣ୍ଠନର ଚରମ ମୁହୂର୍ତ୍ତର ଠିକ୍ ଅବ୍ୟବହିତ ପୂର୍ବରୁ ତାଙ୍କ ହାଇସ୍କୁଲ୍ ପିଅନର ପୁଅ ମାଧବ ଦେବଦୂତ ଭଳି ସାଇକେଲ୍‌ରେ ଆସି ପହଞ୍ଚିଗଲା- ତା’ର ଶରୀର ଅଭ୍ୟନ୍ତରରେ ପାପ ପ୍ରବେଶ କରିବା ଆଗରୁ ମାଧବର ବଦ୍ଧମୁଷ୍ଟିର ଆଘାତରେ ତା’ର ସତୀତ୍ୱ ବଞ୍ଚିଗଲା- କିନ୍ତୁ ଲୁଟ ହୋଇଗଲା ତା’ର ଇଜ୍ଜତ ।

ନିଶାଗ୍ରସ୍ତ ଲୋକଟାର ଶାରୀରିକ ସୌଷ୍ଠବ ତୁଳନାରେ ପିଅନପୁଅ ମାଧବର ଶରୀର ଗଢ଼ଣ ଖୁବ୍ ଦୁର୍ବଳ – କିନ୍ତୁ ତା’ର ଆରତିଅପା ଉପରେ ପାଶବିକ ଅତ୍ୟାଚାର କରିଥିବା ଲୋକଟାକୁ ଶାସ୍ତି ଦେବା ପାଇଁ ସେ ନିଜ ଭିତରେ କେଉଁଠୁ କେଜାଣି ଆସୁରିକ ଶକ୍ତି ଖୋଜି ପାଇଲା, ଫିଲ୍ମ ଷ୍ଟାଇଲ୍‌ରେ ଗୋଟାକ ପରେ ଗୋଟାଏ ଘୁସି ମାଡ଼ରେ ସେ ଦୁର୍ବୃତ୍ତର ଥୋମଣି, ଦାନ୍ତରୁ ରକ୍ତ ବାହାରିଲା- ମୁହଁ ଫୁଲିଗଲା- ଆଣ୍ଠୁମାଡ଼ି ବସି ଲୋକଟା କାନ୍ଦ କାନ୍ଦ ହୋଇ କହିଲା- “ମତେ ମାର ନାଇଁ-ନିଶା ଜୋର୍‌ରେ ମୁଁ ଗୋଟାଏ ମସ୍ତବଡ଼ ପାପ କରି ପକେଇଛି- ମତେ ଥାନାକୁ ନେଇ ଚାଲ ।”

ଆରତି ସେତେବେଳକୁ ଅନ୍ଧାରରେ ସ୍କୁଲ୍‌ଘର ଭିତରକୁ ଚାଲିଯାଇ କୌଣସି ମତେ ଛିଣ୍ଡା ଶାଲୱାର ପଞ୍ଜାବି ଘୋଡ଼େଇ ହୋଇ ପଡ଼ି ଲଜ୍ଜା ନିବାରଣ କଲା । ସେ ଭୟରେ ଗୋଟିସୁଦ୍ଧା ଥରୁଥିଲା । କାନ୍ଦ ବନ୍ଦ ହୋଇଯାଇଥିଲେ ବି ଛାତି ଭିତରର କୋହ ତୁହାକୁ ତୁହା ଉଠି ଆସି ତାକୁ ଅଣନିଶ୍ୱାସୀ କରିଦେଉଥିଲା ।

ଲୋକେ ଜମି ଯାଇଥିଲେ । ସମୟ ପରେ ପୁଲିସ୍ ଜିପ୍ ମଧ୍ୟ ଆସି ପହଞ୍ଚିଗଲା- ଖବର ପାଇ ଛୋଟେଇ ଛୋଟେଇ ତା’ର ବାପା, ବାହୁନି ବାହୁନି ତା’ର ମାଆ ।

ପୁଲିସ୍ ଦାରୋଗା ଦେଖଣାହାରିଙ୍କ ମାଡ଼ରେ ଅର୍ଦ୍ଧମୃତ ଅବସ୍ଥାରେ ତଳେ ପଡ଼ି ଧକେଇ ହେଉଥିବା ଅପରାଧୀ ମୁହଁରେ ଟର୍ଚ୍ଚ ଆଲୁଅ ପକାଇ ଚମକି ଉଠିଲେ । ଆପେ ଆପେ ତାଙ୍କ ଜିଭ କାମୁଡ଼ି ହୋଇଗଲା । ଇଏତ ଆମ କାକଭୁଷଣ୍ଡପୁର ବିଧାୟକ ବୃନ୍ଦାବନ ନାଏକଙ୍କ ପୁଅ ପ୍ରଦୀପ । ରାଜଧାନୀ ସହରରେ କୌଣସି ସାଇନ୍ସ କଲେଜ୍‌ରେ ସିଟ୍ ମିଳିଲା ନାହିଁ ବୋଲି ବିଧାୟକ ବାବୁ ପୁଅକୁ ଆଣି ଏଇ ମଫସଲି ସହରରେ ପ୍ରାଇଭେଟ୍ କଲେଜ୍ ବିବେକାନନ୍ଦ ମହାବିଦ୍ୟାଳୟରେ ନାମ ଲେଖାଇ ଦେଇ ଯାଇଥିଲେ ।

ଅପରାଧୀ ହେଲେ ବି ଏମ୍.ଏଲ୍.ଏ.ଙ୍କ ପୁଅ ।

ତାଙ୍କୁ ଗିରଫ୍ କରି ଥାନାକୁ ନେବେ କି ୱାର୍ଣ୍ଣିଂ ଦେଇ ହଷ୍ଟେଲ୍‌ରେ ଛାଡ଼ି ଦେଇ ଆସିବେ, ଏଇ ଦ୍ୱନ୍ଦ୍ୱର ଦୋଳିରେ ଝୁଲୁଥିବା ପ୍ରଦୀପ ନିଜର ଦୁଇ ହାତ ତାଙ୍କ ଆଡ଼କୁ ବଢ଼ାଇ ଦେଇ କହିଲା, “ମୁଁ ଜଘନ୍ୟ ପାପ କରିଛି- ଏ ପାପର କ୍ଷମା ନାହିଁ- ମତେ ଗିରଫ୍ କର ପ୍ଲିଜ୍ ।”

ବାପାମାଆଙ୍କ ସହ ରିକ୍ସାରେ ବସି ଡାକ୍ତରଖାନାକୁ ଗଲାବେଳେ ଲୋକଟାର ଶେଷ କଥା ପଦକ ଶୁଣି ଆରତି ତା’ ଆଡ଼କୁ ଶେଷ ଥର ପାଇଁ ଦୃଷ୍ଟି ପହଁରାଇ ନେଲା । ତାକୁ ମାଡ଼ି ବସି ତା’ ଉପରେ ବଳତ୍କାର କଲାବେଳେ ତା’ର ମୁହଁ ଯେପରି ହିଂସ୍ର ଆଉ ନିଷ୍ଠୁର ଦେଖା ଯାଉଥିଲା, ମାଡ଼ ଖାଇ ନିଶା ଛାଡ଼ିଗଲା ପରେ ସେ ମୁହଁ ତାକୁ କିପରି କୋମଳ ଓ କରୁଣ ଦେଖାଗଲା । ତା’ର ଲୁଣ୍ଠିତ ଦେହ ତାକୁ ଅପବିତ୍ର ଲାଗୁଥିଲେ ବି ଲୁଣ୍ଠନକାରୀର ମାଡ଼ଖିଆ ମୁହଁରେ ରକ୍ତ ଦାଗ ଦେଖି ତା’ ପ୍ରତି ଆରତିର କିପରି କରୁଣ ଆସିଗଲା ।

ଲୋକଟା ନୁହେଁ, ପିଲାଟାଏ ।

ପିଲାଟି ତାକୁ କିପରି ଯୁଦ୍ଧରେ ହରାଇ ଦେଇ ତା’ ଦେହର ନିଷିଦ୍ଧାଞ୍ଚଳରେ ନିଜ ଅଧିକାରର ଦାଗ ଆଙ୍କି ଦେଲା ଭାବିଲା ମାତ୍ରେ ତା’ର ତାଳୁରୁ ତଳିପା’ ଯାଏ ଏକ ହିମଶୀତଳ ଶିହରଣ ସଞ୍ଚରିଯାଇ ତା’ର ମଞ୍ଜ କମ୍ପାଇ ଦେଉଥିଲା । ଭୟରେ, ଲଜ୍ଜାରେ, ଅପମାନରେ ଆଉ ଯୁଦ୍ଧ ନ କରି ହାରିଯାଇଥିବାର ଆତ୍ମଗ୍ଲାନିରେ ତ”ର ମରିଯିବା ପାଇଁ ଇଚ୍ଛା ହେଉଥିଲା ।

ଏଇ ପିଲାଟାର ଲାଳସାର ସଂକ୍ରାମଣରେ ସେ ଯେପରି କିଶୋରୀରୁ ଯୁବତୀ ହୋଇଯାଇଛି, ଏଇଭଳି ଏକ ଭୟର ଭୂତ ତା’ ମୁଣ୍ଡ ଉପରେ ସବାର ହୋଇଯାଇଥିଲା ।

ତା’ପରେ

ଲୋକପ୍ରିୟ ଲେଖା

To Top