ଗଳ୍ପ

ପ୍ରେମର ପ୍ରତିମା

Premara Pratimaa an odia story by Dr Bibhuti Pattanaik

ପାପ ଏପରି ଏକ ବିଷ, ଯାହା ସେବନ କଲେ ମୃତ୍ୟୁର ଘଣ୍ଟାଶବ୍ଦ ଶୁଣାଯାଏ । କିନ୍ତୁ ପ୍ରଥମ ପାପର ମଧୁର ନିଶାରେ ଥରେ ରକ୍ତର ଅରଣ୍ୟରେ ନିଆଁ ଲାଗିଗଲେ ପାପ ମନେହୁଏ ପ୍ରେମ, ବିଷ ଅମୃତ ହୋଇଯାଏ ।

ପ୍ରେମର ପ୍ରତିମା

-: ପୂର୍ବରୁ :-

ଏହା ଆଦୌ ପୂର୍ବ ନିର୍ଦ୍ଧାରିତ ନଥିଲା ।

ପିଙ୍କିଆଣ୍ଟିଙ୍କ କଥା ମନେପଡ଼ିଯିବାରୁ ସେ ହଠାତ୍ ହଷ୍ଟେଲ୍‌ରୁ ବାହାରି ଭାଟିରେ ପହଞ୍ଚି ଯାଇଥିଲା । ତା’ର ବାପା କୁଆଡ଼େ ପିଲାଦିନେ ସ୍କୁଲ୍‌ରେ ପଢ଼ିଲାବେଳେ ଏଇ ମଦଭାଟି ଆଗରେ ବାନରସେନା ସାଜି ସତ୍ୟାଗ୍ରହ କରି ଜେଲ୍ ଯାଇଥିଲେ । ସେହି ପୁଣ୍ୟର ଫଳ ଯୋଗୁଁ ଦୁଇ ଦୁଇଥର ଭୋଟରେ ଜିତି ଏମ୍.ଏଲ୍.ଏ. ହୋଇଛନ୍ତି । ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ତାଙ୍କର ମନ୍ତ୍ରୀ ହେବାର ମଧ୍ୟ ସମ୍ଭାବନା ରହିଛି । ପିଙ୍କିଆଣ୍ଟିଙ୍କ ସ୍ୱାମୀ ରିଫିଉଜି ଅଙ୍କଲ୍ କାଠ ବ୍ୟବସାୟୀ ତାଙ୍କର ଚୋରାକାଠରୁ ବ୍ୟବସାୟ । ଥରେ ତାଙ୍କର ଚୋରାକାଠ ଟ୍ରକ୍ ପୁଲିସ୍ ଜବତ୍ କରି ରିଫିଉଜି ଅଙ୍କଲ ଥାନାରେ ଅଟକ ରଖିଥିଲେ । ତାଙ୍କ ବିରୋଧରେ ଝାଡ଼ ଜଙ୍ଗଲରୁ ବେଆଇନ୍ ଗଛ କାଟିଥିବା ଅଭିଯୋଗରେ କୋଟ୍‌ରେ କେଶ୍ ଦେଇଥିଲା । ରିଫିଉଜି ଅଙ୍କଲଙ୍କର ଜେଲ୍‌ରେ ପଶି ଘଣାପେଲିବା ନିଶ୍ଚିତ ଥିଲା । ପିଙ୍କିଆଣ୍ଟି ସ୍ୱାମୀଙ୍କୁ ପୁଲିସ୍ ହାତରୁ ଖସେଇବା ପାଇଁ କାକଭୁଷଣ୍ଡପୁର ବିଧାୟକଙ୍କ ହସ୍ତକ୍ଷେପ ଜରୁରୀ ଥିଲା ।

ପ୍ରଦୀପର ପିତା ବିଧାୟକ ବୃନ୍ଦାବନ ନାଏକ କ୍ୟାବିନେଟ୍ ମନ୍ତ୍ରୀଙ୍କଠାରୁ ବଳି ଶକ୍ତିଶାଳୀ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଖାସ୍ ଲୋକ । ପ୍ରଶାସନ ତାଙ୍କ କଥା ତଳେ ପଡ଼ିବାକୁ ଦିଏ ନାହିଁ । କିନ୍ତୁ କାମ ହାସଲ କରିବା ପାଇଁ ତାଙ୍କ ଧରିବା ଖୁବ୍ କଷ୍ଟ । ସେ ସହଜରେ କାହାକୁ ଧରାଦିଅନ୍ତି ନାହିଁ । ସେ ଗଭୀର ଜଳର ମାଛ । ବନିଶୀକଣ୍ଟାର ଥୋପ ସେ ସହଜରେ ଗିଳନ୍ତି ନାହିଁ ।

ବାପାଙ୍କୁ ଧରିବା ପାଇଁ ପିଙ୍କିଆଣ୍ଟି ପ୍ରଦୀପକୁ ଆଗ ଧରିପକାଇଥିଲେ । ପ୍ଲସ୍ ଟୁ ସାଇନ୍ସ ମେଧାବୀ ଛାତ୍ର । ପ୍ରଥମ ଶ୍ରେଣୀରେ-କୃତିତ୍ୱର ସହ- ମାଧ୍ୟମିକ ପାସ୍ କଲାପରେ ହିଁ ହଠାତ୍ ସେ ଲମ୍ୱା ହୋଇଯାଇଥିଲା । ନାକତଳେ ନିଶ ନାମକ ଛୋଟ ଛୋଟ କେଶର ଅଙ୍କୁରୋଦ୍‌ଗମ ଘଟିଥିଲା । ଆଖିର ଚାହାଁଣୀ ଗଭୀର ଆଉ କଣ୍ଠସ୍ୱର ହଠାତ୍ ଖାପ୍‌ଛଡ଼ା ହୋଇଯାଇଥିଲା । କୋମଳ, ସରଳ ସୁସ୍ୱାଦ ମାଂସର ବାସ୍ନା ବାରି ପିଙ୍କିଆଣ୍ଟି ତାକୁ ହିଁ ଅଇଣ୍ଠା କରି ଦେଇଥିଲେ । ଯଦି ସେ ବାପାଙ୍କୁ କହି କଥାରେ ନ ହେଲେ କାନ୍ଦି କୁନ୍ଥାଇ କାଠଚୋରିର ଅପରାଧୀ ତାଙ୍କ ସ୍ୱାମୀ ପ୍ରାଣତୋଷ ହାଲିଙ୍କୁ ପୁଲିସ୍ କେଶ୍‌ରୁ ମୁକ୍ତ କରି ନ ଆଣେ, ତା’ହେଲେ ଆଉ କେବେ ନୁହେଁ- ତା’ଗାଲରେ ଟିପମାରି ମୃଦୁ ଧମକ ଦେଇଥିଲେ ପିଙ୍କିଆଣ୍ଟି ।

ପାପ ଏପରି ଏକ ବିଷ, ଯାହା ସେବନ କଲେ ମୃତ୍ୟୁର ଘଣ୍ଟାଶବ୍ଦ ଶୁଣାଯାଏ । କିନ୍ତୁ ପ୍ରଥମ ପାପର ମଧୁର ନିଶାରେ ଥରେ ରକ୍ତର ଅରଣ୍ୟରେ ନିଆଁ ଲାଗିଗଲେ ପାପ ମନେହୁଏ ପ୍ରେମ, ବିଷ ଅମୃତ ହୋଇଯାଏ ।

ପିଙ୍କିଆଣ୍ଟି ଏବଂ ହାଲି ଅଙ୍କଲ୍ ଇଷ୍ଟବେଙ୍ଗଲର ରିଫିଉଜି । ପୂର୍ବବଙ୍ଗ ଏବେ ବାଂଲାଦେଶ । କିନ୍ତୁ ଏ ଅରଣ୍ୟ ଅଞ୍ଚଳର ବଙ୍ଗୀୟ ଶରଣାର୍ଥୀ ଆଜି ଆଉ ବାଂଲାଦେଶୀ ନୁହଁନ୍ତି, ଓଡ଼ିଶାବାସୀ । କାକୁଭୂଷଣ୍ଡପୁର ନିର୍ବାଚନ ମଣ୍ଡଳୀରେ ଏଇ ଆଣ୍ଟି-ଅଙ୍କଲ ସମ୍ପ୍ରଦାୟ ଏକ ବଡ଼ ମାପର ଭୋଟ ବ୍ୟାଙ୍କ । ରିଫିଉଜି ହାଲି ଅଙ୍କଲଙ୍କୁ ଚୋରାକାଠ ବ୍ୟବସାୟରେ ସହାୟତା କଲେ-ସଂରକ୍ଷିତ ଅରଣ୍ୟକୁ ଶାଳା, ପିଆଶାଳା, କଷିକାଠ ଗଛକାଟି କରତ କଳକୁ ଚାଲାଣ ଦେବାରେ ସହାୟତା କଲେ ସବୁ ରିଫିଉଜିଙ୍କ ଭୋଟ୍ ବ୍ୟାଙ୍କ୍ ବାପାଙ୍କୁ ଆଣିଦେବେ ବୋଲି ପିଙ୍କିଆଣ୍ଟି କଥା ଦେଇଥିଲେ ।

ହୁଏତ ଆଣି ଦେଇଥାଆନ୍ତେ ।

କିନ୍ତୁ ହଠାତ୍ ଦିନେ, ଅସତର୍କ ମୁହୂର୍ତ୍ତରେ, ତା’ ସହିତ ପିଙ୍କିଆଣ୍ଟିଙ୍କର ବୋହୂବୋହୂକା ଖେଳ ବିଧାୟକ ବୃନ୍ଦାବନ ନାଏକଙ୍କ ଆଖିରେ ଦିଶିଗଲା । ତାକୁ ବାଁ ହାତ କହୁଣୀରେ ଏକ ଶକ୍ତ ଧକ୍କା ଦେଇ ପିଙ୍କିଆଣ୍ଟି ବାପାଙ୍କୁ ଶୁଣାଇ ଗର୍ଜି ଉଠିଲେ ମେଞ୍ଚଡ଼ ଟୋକା-ଗାଲ ଚିପିଦେଲେ ଦୁଧ ବାହାରିବ, ମୁଁ ନାହିଁ ନାହିଁ କରୁ କରୁ ଜୋର୍ କରି ମୋ ପାଟି ଭିତରେ ଜିଭ ଭର୍ତ୍ତି କରିଦେଉଛି । ଛି- ଛି !

ଖେଳଘର ଭାଙ୍ଗି ଯାଇଥିଲା ।

କେମିତି କ’ଣ ସବୁ ଘଟିଗଲା ବୁଝିପାରି ନ ଥିଲା ପ୍ରଦୀପ । ପାଠପଢ଼ାରେ ମନ ଦେଇ ପାରିନଥିଲା । ପିଙ୍କିଆଣ୍ଟି ଦେଖାହେଲେ ନ ଚିହ୍ନିଲା ଭଳି ବାଟ କାଟି ଚାଲିଯାଉଥିଲେ । କେହି ନ ଥିଲାବେଳେ ସେ ଧରିବା ପାଇଁ ହାତ ବଢ଼ାଇଲା ବେଳେ ହାତ ଛିଞ୍ଚାଡ଼ି ଦେଉଥିଲେ । ଏକ ଅଦେଖା, ଅସହ୍ୟ ଯନ୍ତ୍ରଣାରେ ପ୍ରଦୀପର ମନ ଛିନ୍‌ଛତ୍ର ହୋଇ ଯାଇଥିଲା । ପ୍ଲସ୍-ଟୁ ଏକଜାମ୍ ରେଜାଲ୍ଟ ଖୁବ୍ ଖରାପ ହୋଇଥିଲା । ରାଜଧାନୀ କିମ୍ୱା ଆଖପାଖ କୌଣସି ସହରରେ ପ୍ଲସ୍-ଥ୍ରୀ ସାଇନ୍ସ ପଢ଼ିବା ପାଇଁ କଲେଜ୍‌ରେ ସିଟ୍ ମିଳି ନଥିଲା ।

ଶେଷରେ ଏଇ ଅରଣ୍ୟାଞ୍ଚଳର ମଫସଲି ସହରରେ ବିବେକାନନ୍ଦ ସାଇନ୍ସ କଲେଜ୍ର ହଷ୍ଟେଲ୍‌ରେ ତା’ର ନିର୍ବାସନର ଦିନ କାଟୁଥିଲା । କ୍ୟାପିଟାଲ୍ ଛାଡ଼ି ଆସିଲାବେଳେ ସେ ତା’ ମାଆଙ୍କ ରାଣ ଖାଇ ଶପଥ କରିଥିଲା, ସେ ମନ ଦେଇ ପାଠ ପଢ଼ିବ- ପାପପ୍ରେମରୁ ବିରତ ରହିବ । ସ୍ୱାମିଜୀଙ୍କ ଆଦର୍ଶ ଅନୁସରଣ କରି ବ୍ରହ୍ମଚର୍ଯ୍ୟ ପାଳନ କରିବ । ତିନିବର୍ଷ ପରେ ପ୍ଲସ୍-ଥ୍ରୀ ସାଇନ୍ସରେ ଲେଟର ପାଇବ । ପୁଣି ଫେରିଆସିବ କ୍ୟାପିଟାଲ୍ ।

କିନ୍ତୁ ଯେତେ ଚେଷ୍ଟା କଲେ ବି ପିଙ୍କିଆଣ୍ଟିର ପାପ ତା’ ଓଠରେ ଅଠାଭଳି ଲାଖି ରହିଥିଲା । କ୍ଲାସ୍‌ରୁ ହଷ୍ଟେଲ୍କୁ ଫେରିଆସିଲେ ପିଙ୍କି ଆଣ୍ଟିର କହୁଣୀ ଠେଲା, ବାପାଙ୍କ ସାମ୍ନାରେ ତା’ ବିରୋଧରେ ମିଛ ଅପବାଦ ତା’ ହାତ ମୁଠା ମୁଠା ହୋଇ ଯାଇଥିଲା । ଇଚ୍ଛା ହେଉଥିଲା, ସେ ନକ୍ସଲ ହୋଇଯିବ- ପିଙ୍କିଆଣ୍ଟିର ଦେହର ବିଚ୍ଛିନ୍ନାଂଶ ଏଣେତେଣେ ଇତସ୍ତତଃ. . . ।

ଭୟାବହ ଦୃଶ୍ୟର କଳ୍ପନା ମାତ୍ରେ ତା’ ମୁଣ୍ଡ ଭିତରର ଶିରାପ୍ରଶିରା ସବୁ ଛିଣ୍ଡିଯାଉଥିବା ଭଳି ଲାଗେ । ବଦ୍ଧମୁଷ୍ଟି ଶିଖିଳ ହୋଇ ଆସେ । କଣ୍ଠନୀଳ ମରୁଭୂମି ହୋଇଯାଇ ।

ସେ ସିଧା ହଷ୍ଟେଲ୍‌ରୁ ବାହାରି ମଦଭାଟି ପାଖକୁ ଚାଲିଆସେ । ନିଶା ଧରିଗଲେ ତା’ ମୁଣ୍ଡ ଭିତରେ ବ୍ଲାକ୍ଆଉଟ୍ ହୋଇଯାଏ । ପିଙ୍କିଆଣ୍ଟି-ଏମ୍.ଏଲ୍.ଏ. ପିତା- ତା’ର ପାପ- ତା’ର ପ୍ରେମ- ପ୍ରତ୍ୟାଖାନ କିଛି ଦେଖାଯାଏ ନାହିଁ. . . ।

ଭାଟିରୁ ବାହାରି ସେ ସିଧା ହଷ୍ଟେଲ୍କୁ ଯିବାକୁ ଚାହୁଁଥିଲା । ମଝିରେ ବାଟ ଭୁଲିଗଲା । ଭୁଲ୍ ହୋଇଗଲା । ଆଗରେ ଏକ କିଶୋରୀ ବନହରିଣୀ ଏକାକିନୀ ଚାଲିଯାଉଥିଲା, ଏକ ମୁହାଁ ହୋଇ-

– ବିବେକାନନ୍ଦ କଲେଜ ହଷ୍ଟେଲ୍କୁ ବାଟ କୁଆଡ଼େ, ସିଷ୍ଟର ନିବେଦିତା ।

ଏଇ ପ୍ରଶ୍ନଟା ପଚାରିବାକୁ ଚାହୁଁଥିଲା- କିନ୍ତୁ ତା’ ପ୍ରଶ୍ନ ପାଟି ଭିତରେ ରହିଗଲା କି ପଦାକୁ ବାହାରି ଆସିଲା ତାହା ଜାଣି ପାରୁନଥିଲା । ପ୍ରଦୀପ । ତା’ ଆଖି ଆଗରେ ଛୋଟ ଛୋଟ ରଙ୍ଗିନ୍ ପ୍ରଜାପତି ସବୁ ଉଡ଼ି ଯାଉଥିଲେ । ସିଷ୍ଟର ନିବେଦିତା ତା’ ପ୍ରଶ୍ନର ଉତ୍ତର ନ ଦେଇ ଚାଲିଯାଉଥିବା ଦେଖି ତା’ର କ୍ରୋଧ ହେଲା ।

ସେ ସ୍ତ୍ରୀଲୋକ ନିଜକୁ କ’ଣ ବୋଲି ଭାବୁଛି ? ପ୍ଲସ୍-ଟୁ ସାଇନ୍ସରେ ପିଙ୍କିଆଣ୍ଟି ଯୋଗୁଁ ରେଜାଲ୍ଟ ଖରାପ ହୋଇଗଲା ବୋଲି କ’ଣ ତା’ର ଆଇଡ଼େଣ୍ଟି ହଜିଗଲା । ଯାହା ହେଲେ ବି ସେ ତ ବିଧାୟକ ବୃନ୍ଦାବନ ନାଏକର ଏକମାତ୍ର ସନ୍ତାନ । ହଷ୍ଟେଲ୍‌କୁ ବାଟ ଭୁଲିଯାଇଛି ବୋଲି କ’ଣ ତା’ର ଦାମ୍ କମି ଯାଇଛି ।

ନା- ଏ ନାରୀ ଭଗିନୀ ନିବେଦିତା ନୁହେଁ । ସିଷ୍ଟର ନିବେଦିତା କିମ୍ୱା ମଦରଟେରେସାମାନେ ଅହଂକାରୀ ହୁଅନ୍ତି ନାହିଁ । ଶୁଣି ନ ଶୁଣିଲା ପରି ଚାଲିଯିବା ଜାଣନ୍ତି ନାହିଁ । ଏଇ କ’ଣ ପିଙ୍କି ଆଣ୍ଟି । ଶାଢ଼ି କାଢ଼ି ଦେଇ ଶାଲୱାର୍-ପଞ୍ଜାବି ପିନ୍ଧି କାଠଚୋରି କରିବାକୁ ଅରଣ୍ୟ ଅଭିସାରରେ ବାହାରିଛି ।

ସେ ତାକୁ ଯିବାକୁ ଦେବ ନାହିଁ ।

ସେ ଏଥର ନ ଚାଲି ଦୌଡ଼ିବାକୁ ଲାଗିଲା ।

ତା’ର ଭୟ ହେଲା, ତାକୁ ଧରା ନ ଦେବା ପାଇଁ ପିଙ୍କି ଆଣ୍ଟି ଦ୍ରୁତପଦରେ ଆଗକୁ ଆଗକୁ ମାଡ଼ିଯାଉଛି- ପଛକୁ ବେକ ବଙ୍କାଇ ଥରେ ହେଲେ ଚାହୁଁ-ନାଇଁ- ।

ପ୍ରଦୀପ ଅଣନିଶ୍ୱାସୀ ହୋଇ ଦୌଡ଼ି ଦୂରତ୍ୱକୁ ଅତିକ୍ରମ କରିଗଲା- ପଛପଟୁ ଝୁଙ୍କିପଡ଼ି ତା’ କାନ୍ଧକୁ ଧରି ପକାଇଲା । ଆଖିର ପଲକ ମାତ୍ରେ ପଛକୁ ଫେରି ଚାହିଁଲା ହେମହରିଣୀ । ତା’ ଆଖିକୋଣରୁ ବାହାରି ଆକାଶକୁ ଉଡ଼ିଯାଉଥିବା ପ୍ରଜାପତିମାନେ ହରିଣୀକୁ ଫୁଲଗଛ ଭାବି ତା’ ମୁହଁ ଚାରିପଟେ ଘୂରିବାକୁ ଲାଗିଲେ । ଚିତ୍ରିତ ପ୍ରଜାପତିମାନଙ୍କ ରଙ୍ଗିନ ଡେଣାର ନୀଳ ଆଲୁଅରେ ସେ ଝିଅର ମୁହଁ ତାକୁ ପିଙ୍କିଆଣ୍ଟି ପିଙ୍କିଆଣ୍ଟି ଦେଖାଗଲା । ତା’ର କାନ୍ଧ ଉପରେ ଥିବା ହାତ ତା’ ବେକ ଚାରିପଟେ ଛନ୍ଦି ହୋଇଗଲା । ତା’ର ନାରୀତ୍ୱର ବାସ୍ନାରେ ତା’ର ମନ ଭିତରେ ମହକି ଉଠିଲା । ଖସିଯିବା ପାଇଁ ପିଙ୍କିଆଣ୍ଟି ଯେତେ ଚେଷ୍ଟା କରୁଥିଲା, ତାକୁ ବାହୁବନ୍ଧନରେ ବାନ୍ଧି ରଖିବା ପାଇଁ ପ୍ରଦୀପ ନିଜ ଭିତରେ ସେତେ ଶକ୍ତି ଖୋଜି ଯାଉଥିଲା ।

ପିଙ୍କିଆଣ୍ଟି ଉପରେ ପ୍ରତିଶୋଧ ନେବାର ଥିଲା ତା’ର ମଧୁର ରିଂରସାରେ ରୂପାନ୍ତରିତ ହୋଇଗଲା । ସେ ତାକୁ ତୁଳାର ତକିଆ ଭଳି ନିଜ ଦୁଇ ବାହୁରେ ଶୂନ୍ୟେ ଶୂନ୍ୟେ ତୋଳି ନେଇ ଜଗୁଆଳ ନ ଥିବା ନିମ୍ନପ୍ରାଥମିକ ବିଦ୍ୟାଳୟ ପଛପଟ ବାରଣ୍ଡାରେ ଅନ୍ଧାରରେ ଆବେଗରେ ପିଙ୍କିଆଣ୍ଟିର ଦେହର ବାସ୍ନାକୁ ଲୋଭର ଲମ୍ୱା ଜିହ୍ଲାରେ ଲେହନ କରିବାକୁ ଲାଗିଲା ।

କୁଆଡ଼େ ଥିଲେ ତା’ର ଶତ୍ରୁମାନେ । କାଉ, ଚିଲ ଆଉ ଛଞ୍ଚାଣମାନେ ।

ସେମାନଙ୍କ ସମବେତ ଆଘାତରେ ତା’ର ନିଶା ଛାଡ଼ିଗଲା । ରଙ୍ଗିନ୍ ପ୍ରଜାପତିମାନେ ଅନ୍ଧାରରେ ବାଟ ଭୁଲିଗଲେ । ରାସ୍ତାରେ ବତୀଖୁଣ୍ଟ ଥିଲା, ଆଲୋକ ଜଳୁ ନଥିଲା । କିନ୍ତୁ ଆକାଶରେ ଜହ୍ନ ଝଟକୁଥିଲା । ସେଇ ଭୀରୁ ଜ୍ୟୋତ୍ସ୍ନାରେ ଝିଅଟିର ମୁହଁକୁ ଚାହିଁଦେଲା ମାତ୍ରେ ତା’ର ହୃଦୟ ଭିତରେ ଏକ ଅଗ୍ନିକାଣ୍ଡ ଘଟିଗଲା- ଇଏ ତ ପିଙ୍କିଆଣ୍ଟି ନୁହେଁ- ଏ ଅନ୍ୟ ଜଣେ- ହେ ଭଗବାନ୍ !

ଝିଅଟିର ଜ୍ୟୋତ୍ସ୍ନାଭିଜା ଶୀତଳ ଚାହାଁଣି ତା’ର ଦଗ୍ଧ ହୃଦୟକୁ ଗୋଟିଏ ମୁହୂର୍ତ୍ତ ସ୍ନିଗ୍ଧ, ଅଲୌକିକ ଆନନ୍ଦରେ ଭରିଦେଲା ବେଳେ ପରମୁହୂର୍ତ୍ତରେ ଏକ ପବିତ୍ରାତ୍ମା କିଶୋରୀର ସେ ସର୍ବନାଶ କରିଛି ବୋଲି ବୁଝିପାରି ଅନୁଶୋଚନାରେ ଭାଙ୍ଗିପଡ଼ିଲା ।

ସେମାନେ ପ୍ରହାର କରି ଚାଲିଥିଲେ ।

ସେ ଆଣ୍ଠୁମାଡ଼ି ବସି ଯୋଡ଼ହସ୍ତରେ ପ୍ରାର୍ଥନା କରିବାକୁ ଲାଗିଲା- “ମୁଁ ମହାପାପୀ ! ମତେ ପ୍ରାୟଶ୍ଚିତ୍ତ କରିବାକୁ ଦିଅ । ପ୍ରତ୍ୟେକ ପାପୀର ପ୍ରାୟଶ୍ଚିତ୍ତ କରିବାର ଅଧିକାର ଅଛି । ମତେ ସେ ଅଧିକାରରୁ ବଞ୍ଚିତ କର ନାହିଁ ।”

କିନ୍ତୁ କିଏ ଶୁଣୁଛି ତା’ର ଅରଣ୍ୟରୋଦନ ?

ବିଧାୟକଙ୍କ ପୁଅ ବୋଲି ଜାଣିଲାପରେ ଜନତାର କ୍ରୋଧ ବହୁଗୁଣିତ ହୋଇଯାଇଥିଲା ।

ପୁଲିସ୍ ଠିକ୍ ସମୟରେ ପହଞ୍ଚି ନ ଥିଲେ ଗଣପ୍ରହାରରେ ତା’ର ମୃତ୍ୟୁ ଅବଧାରିତ ଥିଲା ।

କୋର୍ଟରେ ପରଦିନ ତା’ର ଅପରାଧ ସ୍ୱୀକାର କରି ପ୍ରାର୍ଥନା କଲା- “ମି ଲର୍ଡ଼ ! ପ୍ଲିଜ୍ ହ୍ୟାଙ୍ଗ୍ ମି । ମତେ ଫାଶୀ ଦିଅ । ପାପୀର ପ୍ରାପ୍ୟ ଫାଶୀ ।”

ତା’ପରେ

ଲୋକପ୍ରିୟ ଲେଖା

To Top