ଗଳ୍ପ

ପ୍ରେମର ସିଂହାସନ

Godabarisha Mohapatra's odia story Premara Singhasana

ମାତ୍ର ପାଟ ପ୍ରକୃତରେ ଯେତେବେଳେ ପର ମୁହଁରୁ ଖବର ପାଇ, ତା’ ସ୍ୱାମୀକୁ ସାଙ୍ଗରେ ଧରି ତା’ର ଶେଯ ପାଖେ ଆସି ଠିଆ ହେଲା, ସେତେବେଳକୁ ସବୁ ଶେଷ ହୋଇ ଯାଇଥିଲା . . . ସନ୍ନିପାତର ଶେଷ ମୁହୂର୍ତ୍ତରେ ସେ କେବଳ ମୁଣ୍ଡ ଗଡ଼ଉଥିଲା

ପ୍ରେମର ସିଂହାସନ

-: ପୂର୍ବରୁ :-

ଦୁଇ ପାଖେ ଗିରିମାଳା ସେ ଭିତରେ ବିଲ ପଡ଼ିଆର ବୁକୁ ଚିରିଲା ପରି ଉନ୍ନତ ବକ୍ଷରେ ରାଜରାସ୍ତା ଶୋଇଛି । ଭୟଙ୍କର ଅନ୍ଧାର ରାତି । ଝଡ଼ି ବର୍ଷାରେ ବାଟ ପାଖେ ଗଛଲତା ବାରିବା କଷ୍ଟ । କେତେବେଳେ ବିଜୁଳି କେତେବେଳେ ବଜ୍ର, କେତେବେଳେ ବା କେଉଁ ଅଜଣା ପକ୍ଷୀର ଚିତ୍କାର । ସାଇଁ ସାଇଁ ଉତ୍ତରା ପବନ, ଶରଜାଳ ପରି ବର୍ଷା ଧାରା, ଉପରେ କଳାହାଣ୍ଡିଆ ମେଘମାଳା, ତଳେ କର୍ଦ୍ଦମାକ୍ତ ବସୁମତୀ- ସଂସାରରେ ଏହିପରି ସମୟରେ, ଏହିପରି ସ୍ଥାନରେ, ଏହିପରି ଅବସ୍ଥାରେ ପଥିକ କିଏ ଚାଲିଛି ! ଲକ୍ଷ୍ୟ ଯେପରି ତା’ର ପୂର୍ବରୁ ନିର୍ଦ୍ଦିଷ୍ଟ । ବ୍ୟଥା ଯେପରି ତା’ର ମର୍ମଗତ । ନିଜର ବଳିଷ୍ଠ ଶରୀରଟାକୁ ପ୍ରକୃତିର ଏ ସକଳ ଭୀଷଣତା ଭିତରେ ଦେଖାଇ ଦେଇ ସେ ଯାଇ ପଲ୍ଲୀର କୁଟୀର ଦୁଆରେ ଠିଆ ହେଲା । ଗୁରୁଭାର ବାକ୍ସଟିଏ ତଳକୁ ଓହ୍ଲାଇ ଦେଇ ସେ ଦୁଆରେ ହାତ ମାଇଲା । ଜାଣିପାରିଲା, ଦୁଆର ନାହିଁ । ତା’ପରେ ତଳ ଉପରକୁ ଚାହିଁ ଥରେ ଉପରକୁ ହାତ ବଢ଼ାଇଲା । ବିଚାରିଲା- ଏ ଘର ନା ଗଛମୂଳ ! ଚାଳର ରୁଅରେ ହାତ ବାଜିବାରୁ ତା’ର ଚେତନା ଆସିଲା । ହାତ ବଢ଼ାଇବା ସଙ୍ଗେ ସଙ୍ଗେ ସେ ଘର ଭିତରକୁ ଗୋଡ଼ ବଢ଼ାଇଲା । ଏରୁଣ୍ଡି ବନ୍ଧ ଡେଇଁ ପାଦ ଘର ଭିତରେ ପଡ଼ିଲା । ସେହି ଅନ୍ଧକାର ଭିତରେ ସେ ମୁହୂର୍ତ୍ତେ ଥକା ହୋଇ ଡାକିଲା-

ପାଟ !

ଏହି ପଦକ ପାଟ ଶବ୍ଦ ଶତସହସ୍ର ଭାବରେ ପବନର ସାଇଁ ସାଇଁ ଶବ୍ଦ ସାଙ୍ଗେ ପୁଣି ସେହିଠାକୁ ଫେରି ଆସିଲା ପରା । କେହି ଉତ୍ତର ଦେଲେ ନାହିଁ । ସେ ଅଭ୍ୟର୍ଥନା ପାଇବ ବୋଲି ଆଶା କରି ଝଡ଼ ପବନରେ ଧାଇଁ ଥିଲା, କାହାର ଦେଖା ସୁଦ୍ଧା ପାଇଲା ନାହିଁ । ସେ ଯାହା ପାଇଁ ଅନ୍ଧକାର ରାତି ମାନି ନ ଥିଲା, ସେ ଏବେ କାହିଁ ? ଭାବିଲା, ତେବେ କ’ଣ ଏ ଥାନଟା ସୁନାଖଳା ନୁହେଁ ? ନା, ସେଇ ସଡ଼କ, ସେଇ ପର୍ବତ, ସେହି ପୋଖରୀ ସବୁ ତ ପାରି ହୋଇ ଆସିଲି ।

ପଥିକ ଭାବି ଭାବି ସେହିଠାରେ କ୍ଳାନ୍ତ ଭାବରେ ବସି ପଡ଼ିଲା । ସେ ଭିତରେ ସେ ଦେଖିଲା- ମାନଗୌରବରେ ମଣ୍ଡିତ ହୋଇ ଦୂର ରାଜ୍ୟରୁ ସେ ଫେରୁଛି । ତା’ ପାଇଁ ଫୁଲମାଳ ଧରି ଜଣେ କିଏ ଦୁଆରମୁହଁରେ ଠିଆ ହୋଇଛି । ସେ ତାକୁ କୋଳକୁ ଟାଣି ନେଇ ଘନ ଘନ ଚୁମ୍ୱନ ଦେଲା । ସେହି ଆବେଶ ଭୋଳରେ ଡାକିଲା-

ପାଟ !

ହଠାତ୍ ଚମକି ଦେଖିଲା, ତା’ ନିଦ ଭାଙ୍ଗି ଯାଇଛି । ପିଣ୍ଡାରେ ପ୍ରବାସ ଫେରନ୍ତାର ବାକ୍ସଟିଏ ଦେଖି ଗାଁ ଲୋକେ ଜମା ହୋଇ ତାକୁ ଦୋ’ ଦୋ’ ଚିହ୍ନା ହେଉଛନ୍ତି ।

ପଥିକ ଦେଖିଲା, ସେ ସେହି ବାଉରୀ ପିଲା ଗତି । ସେହି ଗାଁ ସୁନାଖଳା ସେହିପରି ଅଛି । ସେହି ବୋଲଗଡ଼ ମୁଲକର ଗିରି ପାହାଡ଼ ଯୁଗ ଯୁଗର ନିର୍ଧୁମ ଅକର୍ମା ପଥର ସବୁ ଆଦରରେ ବୁକୁରେ ଧରି ସେହି ଦମ୍ଭରେ ଠିଆ ହୋଇଛି, କିନ୍ତୁ ନାହିଁ କେବଳ ତା’ର ପ୍ରାଣର ପାଟ ।

ଗତି ବର୍ଷକୁ କହି ଯାଇ ଦେଢ଼ବର୍ଷରେ ଆସାମରୁ ଫେରିଲା । ଏ ମଧ୍ୟରେ ପାଟର ବିବାହ ହୋଇସାରିଛି, ଗତି ପ୍ରତି ଏ ସମ୍ୱାଦ ଏକାବେଳକେ ନୂଆ । ତା’ ପୁରୁଣା ଜୀବନକୁ ନୂଆ କରି ଗଢ଼ିବା ପାଇଁ ସେ ଏତେ ବାଟ ଆସାମ ମୁଲକରୁ ଫେରି ଆସିଲା, ମାତ୍ର ଯାହା ଶୁଣିଲା ସେଥିରେ ତା’ର ଧୈର୍ଯ୍ୟ ରହିଲା ନାହିଁ । ବସିବା ଥାନରୁ ଉଠିବାକୁ ତା’ର ମନ ଡାକିଲା ନାହିଁ । ଦିନେ, ଦି’ଦିନ, ଚାରି ଦିନ, ଆଠଦିନ ଗଲା, ଗାଁର କରଣ ସାଆନ୍ତେ ଜାଣିଲେ, ପର ଗାଁ ଲୋକେ ଜାଣିଲେ । ଖବର ହେଲା ଯେ ସୁନାଖଳା ଗତି ନାହାକ ଆସାମରୁ ଫେରି ଆସି ମୂକ ହୋଇ ଯାଇଛି ।

ମୂକ ଗତିର ଆଉ କଥା କହିବାକୁ କିଛି ନ ଥିଲା । ଯାହା କହିବା କଥା ସେ ଆଗରୁ ପାଟକୁ କହିସାରିଛି । ବର୍ତ୍ତମାନ ତା’ର ହୃଦୟ-ସିଂହାସନ ପ୍ରେମର ସିଂହାସନ ଗଢ଼ିବା କଥା । ସେହି କାର୍ଯ୍ୟରେ ସେ ଲାଗିଗଲା ।

(୪)

ଗତ ପନ୍ଦର ଦିନ ମଧ୍ୟରେ ଘରେ ଥିବା ସମ୍ପତ୍ତିପତ୍ର ବିକି ସାରିଲା । ଘର ଖଣ୍ଡିକୁ ଜଣକୁ ବନ୍ଧକ ଦେଇଦେଲା । ତା’ପରେ ଆସାମରୁ ଯାହା ରୋଜଗାର କରିଥିଲା, ସବୁ ଏକାଠି କଲା ।

ଗତିର ଏହି ମୂକ-ରୋଗ କଥା କେହି ବୁଝିପାରିଲେ ନାହିଁ । ପାଟ ପାଖକୁ ଖବର ଯାଇଥିଲେ ବା ସେ ବୁଝିପାରିଥାନ୍ତା । ଦିନେ ସନ୍ଧ୍ୟାବେଳେ ସେ ବେଶି ବାଉଳିଚାଉଳି ହୋଇ ଛଟପଟ ହେବାକୁ ଲାଗିଲା । ବୁକୁ ଉପରେ କ’ଣ କନା ପୁଡ଼ାଟିଏ ଧରି କେବଳ ପାଟ, ପାଟ ବୋଲି ପାଟି କଲା । ମାତ୍ର ପାଟ ପ୍ରକୃତରେ ଯେତେବେଳେ ପର ମୁହଁରୁ ଖବର ପାଇ, ତା’ ସ୍ୱାମୀକୁ ସାଙ୍ଗରେ ଧରି ତା’ର ଶେଯ ପାଖେ ଆସି ଠିଆ ହେଲା, ସେତେବେଳକୁ ସବୁ ଶେଷ ହୋଇ ଯାଇଥିଲା . . . ସନ୍ନିପାତର ଶେଷ ମୁହୂର୍ତ୍ତରେ ସେ କେବଳ ମୁଣ୍ଡ ଗଡ଼ଉଥିଲା ।

. . . ପରେ ଦେଖାଗଲା, ସେହି ପୁଡ଼ାଟି ଭିତରେ ଗୋଟିଏ ହାର, ଦୁଇଟି ମୁଦି-ସବୁ ସୁନାର ।

ପାଟ ଏହି ପୁଡ଼ାଟିର ଅର୍ଥ ବେଶ୍ ବୁଝିଲା । ହୃଦୟ ଭିତରେ ପ୍ରେମସିଂହାସନ ଗଢ଼ି ପାଟକୁ କେବଳ ସେ ସେଥିରେ ବସାଇଥିଲା ଆଉ ପାଟର ମନବୋଧ ପାଇଁ ନିଜ ଦେହର ରକ୍ତ ପାଣି କରି ଏହି କେତୋଟି ପାର୍ଥିବ ଜିନିଷ ତା’ ପାଇଁ ସଜାଡ଼ି ରଖିଥିଲା ।

ଏହି ପ୍ରେମ-ସିଂହାସନ କଥା ସୁନାଖଳାର ଗତି ବୁଝିଥିଲା, ପରେ ପାଟ ବୁଝିଲା, ମାତ୍ର ଅନ୍ୟ ଲୋକେ କୁହାକୁହି ହେଲେ ଗତି ନାହାକକୁ ଆସାମରେ କିଏ ପାଙ୍ଗି ଛାଡ଼ିଦେଲା ।

ଲୋକପ୍ରିୟ ଲେଖା

To Top