ଗଳ୍ପ

ପ୍ରେମିକ

Kalindicharana Panigrahi's odia Story Premika

ଯାଅ, ତୁମେ ନୁହଁ, ତୁମେ ମୋର କଳିକା ନୁହଁ । କଳିକା, କଳିକା, କେଡ଼େ ମଧୁର ସେ ନାମ, କେଡ଼େ ସରଳ ତରଳ ସେ ସୌନ୍ଦର୍ଯ୍ୟ । ନାଃ, ତୁମେ ନୁହଁ, କଳିକାର ମୋର ମୃତ୍ୟୁ ହୋଇଛି ।

ପ୍ରେମିକ

ସପ୍ତତିବର୍ଷ ବୟସର ବୃଦ୍ଧ ଶିଳ୍ପୀ, ସେ କବି ନୁହେଁ ମଧୁର ଛନ୍ଦର ଆରାଧନା କରିବ, ଚିତ୍ରକର ନୁହେଁ, କୋମଳ ତୂଳିକା ସାହାଯ୍ୟରେ ନବ ନବ ରଙ୍ଗରେ ସୌନ୍ଦର୍ଯ୍ୟ ଫୁଟାଇବ । କାଷ୍ଠପାଷାଣ ଅଙ୍ଗରେ କଠିନ ଶସ୍ତ୍ରାଘାତ କରି ସେ ସୌନ୍ଦର୍ଯ୍ୟର ପୂଜା କରେ । କଠିନ ଅଙ୍ଗରୁ କୋମଳ ମଧୁରଟିକ ଟାଣି ଆଣିବାରେ ସେ ଅବ୍ୟସ୍ତ । ଆଜୀବନ ସେ ଅବିବାହିତ । ସ୍ଥାପତ୍ୟ କଳା ସଙ୍ଗରେ ବହୁଦିନରୁ ତା’ର ନିର୍ବନ୍ଧ ହୋଇ ବିବାହ ସରିଯାଇଚି । ଜୀବନର ମଧ୍ୟାହ୍ନ ସଙ୍ଗେ ସଙ୍ଗେ ତା’ର ସହସ୍ର ପ୍ରତିଜ୍ଞା ଶତ ସାଧନା ଲୀନ ହୋଇଚି । ସେ ବର୍ତ୍ତମାନ ଅବଶ ଗତିରେ ଝୁଲି ପଡ଼ିଛି ଶେଷ ଭାଗଟାର ଉପରେ । ପ୍ରଭା ତା’ର ମଳିନ ହୋଇଆସୁଛି, ତେଜ ତା’ର ଶାନ୍ତ ହୋଇଆସୁଚି, କିନ୍ତୁ ଜୀବନର ପ୍ରଥମ ଲୋହିତ ରଶ୍ମି ପରି ପଶ୍ଚିମ ଦିଗ୍‌ବଳୟ ଉପରେ ତା’ ଅନ୍ତର ପୂର୍ବ ପରି ରଞ୍ଜିତ ହୋଇଉଠୁଚି, ଯଦି ବା ଏ ରକ୍ତିମା ବିଦାୟର ବିଦୀର୍ଣ୍ଣ ରକ୍ତିମା, ଯାହା ଅଳ୍ପକାଳ ପରେ ଅନ୍ଧାରରେ ଲିଭିଯିବ, ଉଦୟର ଭବିଷ୍ୟ ଦୀପ୍ତି ଉପରେ ସେ ଆଜି ନାହିଁ ।

ତା’ର ସୌନ୍ଦର୍ଯ୍ୟ ସୃଷ୍ଟିର ସରଞ୍ଜାମ ଜଗତର କଠିନତମ ବସ୍ତୁ କେତେଖଣ୍ଡ ଲୌହ ଅସ୍ତ୍ର ଓ କେତେଟା କାଷ୍ଠପାଷାଣ । ଆବାସଟି ତା’ର କାଷ୍ଠ ଓ ପାଷାଣ ମୂର୍ତ୍ତିରେ ପୂର୍ଣ୍ଣ । ଏହିଗୁଡ଼ିକୁ ନେଇ ସେ ବ୍ୟସ୍ତ ଥାଏ । କେତେବେଳେ କାହାକୁ ଭାଙ୍ଗି ଜଳରେ ନିକ୍ଷେପ କରେ, କାହାକୁ ଭାଙ୍ଗି ନୂତନ କରି ଗଢ଼େ । ଏହି ଜଡ଼ମୂର୍ତ୍ତିଗୁଡ଼ା ତା’ ଜୀବନରେ ବଡ଼ ସମ୍ୱଳ । ତା’ ସୁଖ ଦୁଃଖ, ଚିନ୍ତା, ଦୈନ୍ୟର କ୍ରୀଡ଼ା ସାଥୀ । ଏହିଗୁଡ଼ିକୁ ନେଇ ସେ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ପାର ହୋଇଯାଏ, ସୁଦୀର୍ଘ ରାତ୍ରି ପୁହାଇ ଦିଏ । ଏହି ମୂକ ଅଚଳ ବସ୍ତୁଗୁଡ଼ାକୁ ନାମ ଦେଇ କିଏ ତା’ର ପୁତ୍ର କନ୍ୟା, କିଏ ନାତି ନାତୁଣୀ ଇତ୍ୟାଦି ରୂପେ ସେ ଘର-କରଣାରେ ଚଳେ । କାହା ଉପରେ କେତେବେଳେ ବିରକ୍ତ ହୋଇ ଶାସନ କରେ, କାହାକୁ କେବେ ସ୍ନେହ ଆଦର କରେ । କଠିନ ମୂର୍ତ୍ତିଗୁଡ଼ାକ ନିହାତି ଭଲ ମଣିଷ ପରି ସବୁ ଶୁଣି ତୁନି ହୋଇ ରହନ୍ତି ।

ବୃଦ୍ଧ-ଶିଳ୍ପୀର ମୂର୍ତ୍ତିଗୁଡ଼ିକର ବିକ୍ରିହୁଏ ବେଶ୍ । କିଏ ନିଅନ୍ତି ପିଲାଙ୍କ ଖେଳନା ଲାଗି, କିଏ ନିଏ ପ୍ରତିଷ୍ଠା କରି ପୂଜା ଉଦ୍ଦେଶ୍ୟରେ । ବୃଦ୍ଧ ନିକଟରେ କିନ୍ତୁ ସେସବୁ ଭକ୍ତିର ପାତ୍ର ନୁହେଁ, ଖେଳର ଚିଜ୍ ନୁହେଁ, ସବୁ ତା’ର ପ୍ରାଣମୟ ସ୍ନେହର ବସ୍ତୁ, ଆତ୍ମୀୟଜନ । ହାୟ ହାୟ, ସେ ବୁଝିପାରେ ନାହିଁ ଏ ସକଳ ମୂର୍ତ୍ତି ଯେ ସେ ନିଜେ, ନାନା ରୂପରେ ସବୁ ଯେ ତା’ ନିଜର ପ୍ରକାଶ ଏବଂ ଏସବୁ ଉପଲକ୍ଷରେ ସେ ନିଜକୁ ପ୍ରେମ କରୁଚି, ଆତ୍ମବିନୋଦନ କରୁଚି । ତା’ର ପରିବାରବର୍ଗକୁ ଛାଡ଼ି ଅନ୍ୟ ସକଳ ମୂର୍ତ୍ତି ସେ ଗଢ଼େ ବିକ୍ରି ଇଚ୍ଛାରେ । କେତ୍ରାମାନଙ୍କ ବ୍ୟତୀତ ତା’ ଗୃହରେ ମାନବ ଶବ୍ଦ ପ୍ରବେଶର ଅଧିକାର ନାହିଁ, ମୂର୍ତ୍ତି କିଣିବା ଛଡ଼ା କାହାରି ଆଉ କିଛି ସମ୍ପର୍କ ନାହିଁ ତା’ ସହିତ ।

ତେବେ ତା’ର ପଡ଼ୋଶୀ ଆଚାର୍ଯ୍ୟଙ୍କ କନ୍ୟା ସହିତ ବୃଦ୍ଧର ଟିକିଏ ଭାବ ଜନ୍ମିଯାଇଚି । ନାମଟି ତା’ର କଳିକା । ଲବଣିରେ ନିର୍ମିତ ପରି ତା’ ଅଙ୍ଗଟି ଢଳଢ଼ଳ ଶୁଭ୍ର । ପାଷାଣ-ସୌନ୍ଦର୍ଯ୍ୟର ଉପାସକ ବୃଦ୍ଧ ଶିଳ୍ପୀ ଏଇ କାନ୍ତ କୋମଳ ଅଙ୍ଗଟି ପ୍ରତି କାହିଁକି ଆକୃଷ୍ଟ ଥିଲା, ଜଣାଯାଏ ନାହିଁ । କେବଳ ଏହି ବାଳିକାଟି ବୃଦ୍ଧର ଗୃହକୁ ବହୁବାର ଆସେ । ମୂର୍ତ୍ତି କିଣିବା ପାଇଁ ନୁହେଁ, ସେ ଆସେ ଦେଖିବା ଲାଗି । ତା’ର ଶିଶୁ ସୁଲଭ ଔତ୍ସୁକ୍ୟ ନେଇ ସେ ବୃଦ୍ଧର ପୁତ୍ର କିଏ, ଜାମାତା କିଏ, କନ୍ୟା କିଏ, କାହାର ନାମ କ’ଣ ଇତ୍ୟାଦି ପଚାରିଯାଏ । ସେଇ ଏକା କଥାକୁ ଥର ଥର ଆସି ପଚାରିବାରେ ତା’ର ତୃପ୍ତି ଆସେ ନାହିଁ । ପ୍ରତିଦିନ ଯେପରି ଏକ କଥାରୁ ସେ କିଛି ଅଧିକ ବୁଝୁଚି, ନୂତନ ତଥ୍ୟା ସଂଗ୍ରହ କରୁଚି । ସେ କେବେ ଦ୍ରୁତପଦରେ ଆସି ବୃଦ୍ଧର କଳ୍ପନା-ରାଜ୍ୟରେ ଆନ୍ଦୋଳନ ଖେଳାଇଯାଏ, କେବେ ଆସେ ମୃଦୁହାସ୍ୟରେ, କେବେ ତୁନି ତୁନି ଆସି କୌତୂହଳାକ୍ରାନ୍ତ ଦୃଷ୍ଟିରେ ବୃଦ୍ଧର ଗଠନ ଅଭିନିବେଶ ଦେଖି ହଠାତ୍ ଚମକିଯାଏ ।

ଶିଳ୍ପୀ ମଧ୍ୟ ପ୍ରତିଦିନ ବାଳିକାଟିକୁ ହାସ୍ୟମୁଖରେ ଅଭିବାଦନ କରେ । ସେଇ ଏକ କଥା ପ୍ରତିଦିନ ବୁଝାଇବାକୁ ତାହାର କ୍ଳାନ୍ତି ବା ବିରକ୍ତି ନାହିଁ, ବରଂ ଆଗ୍ରହ ଓ ଆନନ୍ଦ । ପ୍ରତ୍ୟେକ ନୂତନ ମୂର୍ତ୍ତି ବାଳିକାକୁ ଦେଖାଏ ବରଂ ସୁନ୍ଦର ଅସୁନ୍ଦର ସ୍ଥାନରେ ତା’ର ପରାମର୍ଶ ଗ୍ରହଣ କରି ସଂଶୋଧନ କରିଦିଏ । ଯେତେ କ୍ରୀଡ଼ା-ବ୍ୟସ୍ତ ଥିଲେ ହେଁ, ଥରେ ଆସି ଶିଳ୍ପୀର ପରିବାର ପରିଚୟ ନେଇଯିବାକୁ ବାଳିକା ଭୁଲେ ନାହିଁ । ଅକସ୍ମାତ୍ ଦିନେ ନ ଆସିପାରିଲେ ଶିଳ୍ପୀ ତା’ର ନୂତନ ମୂର୍ତ୍ତି ନେଇ ବାଳିକାର ମତାମତ ବୁଝିଆସେ । କାରଣ ସେ ତା’ ମତାମତକୁ ଭାରି ପସନ୍ଦ କରେ ।

ବାଳିକାଟି କେବେହେଲେ ବୃଦ୍ଧକୁ ମୂର୍ତ୍ତି ମାଗି ନାହିଁ, ଦେଖିବାରେ ତା’ର ଆନନ୍ଦ, ବୃଦ୍ଧ କେବେ ଯାଚି ନାହିଁ, ଦେଖାଇବାରେ ତା’ର ତୃପ୍ତି । ଦେବା ନେବା କଥା କାହାରି ମନକୁ କେବେ ଆସି ନାହିଁ ।

ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା କ୍ରମେ ଏତେ ବେଶି ହେବାକୁ ଲାଗିଲା ଯେ ପରସ୍ପର ସାକ୍ଷାତ୍ ନ ହେଲେ ଏକ ଅପରକୁ ଶାସନ କରେ ଏବଂ ଦୋଷୀ ଯେ ସେ ନିରବ ହୋଇରହେ । ବାଳିକାର କୋମଳ ତିରସ୍କାରରେ ବୃଦ୍ଧ ମନେ ମନେ ହସେ, ତା’ ଅନ୍ତରରେ ଯେଉଁଠାରେ ଶିଳ୍ପୀ ଶିଶୁ ବାସକରେ, ସେ ମଧ୍ୟ ବାଳିକାର ଦୋଷ ଦେଖି ସେଇପରି ତିରସ୍କାର ନ କରି ଛାଡ଼େ ନାହିଁ । ବୃଦ୍ଧର ଇଚ୍ଛା ବାଳିକା ଆସି ତା’ ମୂର୍ତ୍ତିଗୁଡ଼ାକୁ ଇତସ୍ତତଃ କରୁ, ଭଙ୍ଗାଭଙ୍ଗି କରୁ, ଅତ୍ୟନ୍ତ ଶାନ୍ତ ଜୀବନ ତା’ର ଅସହ୍ୟ ହୋଇପଡ଼ିଛି । ବାଳିକାର ଇଚ୍ଛା ବୁଢ଼ାଟା ବିଶ୍ରାମ ନ ନେଇ ଅଶାନ୍ତ ଭାବରେ ମୂର୍ତ୍ତ ଗଢ଼ିଯାଉ, ସେ ଦେଖି ଆନନ୍ଦ ଲଭିବ ।

ଦୁହିଁଙ୍କ ମଧ୍ୟରେ ଶିଳ୍ପୀର ଅନିଚ୍ଛାସତ୍ତ୍ୱେ ସବୁ କଜିଆ କିପରି ଶୀଘ୍ର ମେଣ୍ଟିଯାଏ । ଏଥର କିନ୍ତୁ ବାଳିକା ପ୍ରାଣରେ ଗୋଟିଏ ଅଭିମାନ, ଗୋଟିଏ ସନ୍ଦେହ ଜନ୍ମିଚି ଯା’ ଲାଗି ସେ ବୃଦ୍ଧକୁ କାହିଁରେ ବିଶ୍ୱାସ କରିବାକୁ ନାରାଜ । ସେ ଗୋଟିଏ ମୂର୍ତ୍ତି ! ବୃଦ୍ଧ ତାକୁ ଆବରଣ ମଧ୍ୟ ଗୋପନ ରଖିଚି । କଳିକାର ସବୁ କାକୁତି ମିନତି ସବୁ ଜିଦ୍ ସେଠାରେ ଅକାରଣ । କୌଣସି ମତେ ତାକୁ ସେ ଦେଖାଇବ ନାହିଁ । କାହିଁକି ନ ଦେଖାଇବ ପଚାରିଲେ କହେ “ସେ ମୋର ପ୍ରେୟସୀ, ଦାଣ୍ଡରେ ହାଟରେ ତା’ର ପ୍ରଚାର କରି ବୁଲିବି ନାହିଁ ।” ବାଳିକା ଜିଦ୍ ଧରେ, ଅଭିମାନ କରେ, ବୃଦ୍ଧ ଶୁଣେ ନାହିଁ । କହେ “ସେ ସମ୍ପୂର୍ଣ୍ଣ ହୋଇ ନାହିଁ । ତା’ର କଳାସୃଷ୍ଟି ଆରମ୍ଭରୁ କ’ଣ ନା ସେ ସେହି ମୂର୍ତ୍ତିଟାକୁ ଗଢ଼ିବାରେ ବ୍ୟସ୍ତ ଅଛି ଏବଂ ସେଇ ମୂର୍ତ୍ତିଟା ସମ୍ପୂର୍ଣ୍ଣ ହୋଇଗଲେ ତା’ର ଶିଳ୍ପକଳା ସେହିଠାରେ ଶେଷ ବୋଲି ସେ ପଣ କରିଛି ।”

ମୂର୍ତ୍ତି ଶେଷ ହୋଇଗଲା, ବୃଦ୍ଧ ତା’ର ମୂର୍ତ୍ତିଗଠନର ସରଞ୍ଜାମ ସବୁ ଜଳରେ ନିକ୍ଷେପ କଲା । ଆଉ ମୂର୍ତ୍ତି ଗଢ଼େ ନାହିଁ । ତା’ର ଏଇ ହାତଗଢ଼ା ପଥରର ପ୍ରେୟସୀ ସହିତ ଏଣିକି ଶେଷ ଜୀବନଟା ଆନନ୍ଦରେ କାଟିବ, ତା’ର ଇଚ୍ଛା । ଆଦ୍ୟରୁ ଯାହାକୁ ତିଆରି କରିଛି ସେ ମୂର୍ତ୍ତି ନିଶ୍ଚୟ ଅତି-ଅତି-ଅତି ସୁନ୍ଦର ହୋଇଥିବ । କଳିକା କାକୁତି କରେ, ରାଗ କରେ, ଶିଳ୍ପୀ ବିନୀତ ହୋଇ କହେ, ସମୟ ହେଲେ ଦେଖିବ ।

କଳିକା କୌତୂହଳରେ ପଚାରେ, “ଏତେ ପ୍ରକାର ମୂର୍ତ୍ତି କିପରି ଗଢୁଚ ?” ବୃଦ୍ଧ ଉତ୍ତର କରେ, “ମନରୁ !” “ମନ କେଉଁଠାରେ ?” ବୃଦ୍ଧ ହସି ହସି ନିଜ ମୁଣ୍ଡକୁ ଦେଖାଇଦିଏ । କଳିକା ଏହି ସପ୍ତତି ବର୍ଷ ବୟସର ଅବଶେଷ ଶୁଭ୍ରକେଶ ମଧ୍ୟରେ ଅଙ୍ଗୁଳି ସଞ୍ଚାଳନ କରେ, ମନଟାକୁ ଦେଖିବ ବୋଲି ନିରାଶ ହୋଇ ଫେରିଆସେ ।

କିନ୍ତୁ ସବୁ ମାଟି କରିଦେଲା ଏଇ ମୂର୍ତ୍ତିଟା । ସବୁ ମୂର୍ତ୍ତି ତାକୁ ଖୁସିରେ ଦେଖାଇଲା, ଏଇଟା ଲୁଚାଇ ରଖିଚି କାହିଁକି ? କିଛି ଗୂଢ଼ ରହସ୍ୟ ଏଥିରେ ନିଶ୍ଚୟ ଅଛି । ସେ ବୃଦ୍ଧକୁ ଦୁଇ ତିନି ଥର ଅନୁନୟ ବିନୟ କରି କହିଲା, ବୃଦ୍ଧ କିନ୍ତୁ ନ ଶୁଣେ, ସମୟ ହେଲେ ଦେଖିବ । କଳିକା ତା’ର ବହୁଦିନର ଧୈର୍ଯ୍ୟ ଆଉ ସମ୍ଭାଳି ରଖିପାରିଲା ନାହିଁ । ଦ୍ରୁତଗତିରେ ଚାଲିଗଲା, ଜବରଦସ୍ତି ମୂର୍ତ୍ତିର ଆଭରଣ ଖୋଲିବ । ବୃଦ୍ଧ ଆଗ ଯାଇ ମୂର୍ତ୍ତିକୁ ଧରି ବାହାରିଲା ଜଳରେ ନିକ୍ଷେପ କରିବାକୁ । କଳିକା ଅଭିମାନ ଛଳ ଛଳ ଦୃଷ୍ଟିରେ ଚାହିଁଲା, “ହଉ ରଖ, ରଖ, ଆଉ ଏଣିକି ତୁମକୁ ରଗାଇବାକୁ ଆସିବି ନାହିଁ ।” ସେ ଦ୍ରୁତଗତିରେ ଚାଲିଯିବାବେଳେ ବୃଦ୍ଧ ବ୍ୟସ୍ତକଣ୍ଠରେ କହିଲା, “ନାହିଁ, ନାହିଁ, ମିଛ କହୁଚ, ଏ ବୁଢ଼ାର ପୁଅ ନାତିଗୁଡ଼ାଙ୍କୁ ଭୁଲି ତୁ ରହିପାରବୁ ନାହିଁ ।” ଅପମାନବିଦ୍ଧ ବାଳିକା ତାହା ଶୁଣିବାକୁ ପାଇଲା ନାହିଁ ।

ବୃଦ୍ଧ କେତେ ଅପେକ୍ଷା କରି ବସେ, କଳିକା ଆଉ ଆସେ ନାହିଁ । କିନ୍ତୁ ସେ ଆସେ ତୁନି ତୁନି ହୋଇ, ବୃଦ୍ଧ ଯେବେ ଘରେ ନଥିବ, କିମ୍ୱା ଜାଣି ନ ପାରିବ, ମୂର୍ତ୍ତିଗୁଡ଼ିକ ଉପରେ ଥରେ ଦୃଷ୍ଟି ପକାଇ ଦେଇ ଟିପି ଟିପି ଫେରିଯାଏ । ବୃଦ୍ଧ ତାକୁ ପ୍ରତିଦିନ ଦେଖେ ଖେଳିବାବେଳେ, କିନ୍ତୁ ସେ ବଡ଼ ସତର୍କରେ, ନ ହେଲେ ସେ ଜାଣିପାରିଲେ ଖେଳ ଛାଡ଼ି ଦୌଡ଼ି ପଳାଇବ ।

ଅବଶେଷରେ ଏପରି ହେଲା ଯେ, ବୃଦ୍ଧ ତାକୁ ଯେପରି ସହଜରେ ଦେଖିପାରିବ ସେହି ଜାଗାରେ ସେ ଖେଳେ, ଅଥଚ ବୃଦ୍ଧକୁ ଦେଖିପାରିଲେ ଦୌଡ଼ି ପଳାଏ । ବୃଦ୍ଧ ମଧ୍ୟ ସେ ଯେପରି ନିର୍ବିଘ୍ନରେ ମୂର୍ତ୍ତିଗୁଡ଼ିକ ଦେଖିପାରିବ ସେହି ଉପାୟ କରି ତା’ ଆସିବା ସମୟ ଜାଣି ଲୁଚି ରହେ ।

ସମୟ ଆସିଗଲା, କଳିକା ଯୁବତୀ ! ଶିଳ୍ପୀର ଜୀବନସନ୍ଧ୍ୟା ରତ ରତ ହୋଇଆସିଲା । କଳିକାକୁ ଯୌବନ-ସୁଲଭ ଲଜ୍ଜା ଆବରଣ ଆବଦ୍ଧ କରି ରଖିଲା । ତା’ର ବିବାହ ହୋଇଗଲା, କିନ୍ତୁ ବୃଦ୍ଧର ମୂର୍ତ୍ତିଗୁଡ଼ିକ ପ୍ରତି ତା’ର ମମତା ଅକ୍ଷୁର୍ଣ୍ଣ ରହିଚି । ପିତ୍ରାଳୟକୁ ଆସିଲେ ମୂର୍ତ୍ତିଗୁଡ଼ିକ ମଗାଇ ଦେଖିବାକୁ ତା’ର ପ୍ରାଣ ଡାକେ, ଅଥଚ ସାହସ ହୁଏ ନାହିଁ । ବୃଦ୍ଧଶିଳ୍ପୀ ତାକୁ ଦେଖିବାକୁ ବହୁବାର ଏଣେ ତେଣେ ଚାହେଁ, ତେବେ ନିରୁପାୟ ।

ଏଥର କଳିକା ପିତ୍ରାଳୟରେ ରୋଗାକ୍ରାନ୍ତ ହେଲା । ତିନି ଚାରି ଦିନ ଧରି ଶଯ୍ୟାଗତ, ପାନାହାର ନାହିଁ । ଖାଲି ଇଚ୍ଛା ହେଉଛି, ବୁଢ଼ାର ସେ ମୂର୍ତ୍ତିଗୁଡ଼ାକ ଥରେ ଦେଖିବ, ଖବର ପଠାଇଲା, ଥରେ ଦେଖିକରି ପୁଣି ମୂର୍ତ୍ତିଗୁଡ଼ିକ ଫେରାଇ ଦେବ ।

ଶିଳ୍ପୀ ତା’ର ସମସ୍ତ ମୂର୍ତ୍ତିଧରି ନିଜେ ଆସି ହାଜର । କଳିକା ବସ୍ତ୍ରାବରମ ମଧ୍ୟରେ ସମସ୍ତ ଅଙ୍ଗ ଲୁକ୍କାୟିତ ରଖି ଅର୍ଦ୍ଧ ଜାଗ୍ରତ ଅର୍ଦ୍ଧ ସ୍ୱପ୍ନ ଅବସ୍ଥାରେ ପଡ଼ି ରହିଥିଲା । ବୃଦ୍ଧ ଆସିବାର ଜାଣି ସୁଦ୍ଧା ଲଜ୍ଜାରେ ସେ ସେହିପରି ଶୋଇ ରହିଲା । ବୃଦ୍ଧ ଶିଳ୍ପୀ ତା’ର ଶଯ୍ୟା ନିକଟରେ କିଛିକ୍ଷଣ ଚିନ୍ତାମଗ୍ନ ରହିଲା, କିନ୍ତୁ ସେ ଚିନ୍ତାକୁ ଧରି ରଖିବାକୁ ତା ମସ୍ତିଷ୍କର ବଳ ନ ଥିଲା, ମୁଖ ଦେଇ ତାହା ବାହାରି ପଡ଼ିଲା । ନା, ନା, କଳିକା ରୁଗ୍ଣ କାହିଁକି ହେବ, ସେ ହେବ ନାହିଁ । କଳିକା ହେଇ ସେ ମୂର୍ତ୍ତି ଆଣିଚି, ତୁ ସେହି ବସ୍ତ୍ର ଆବରଣ ଭିତରୁ ସୁସ୍ଥ ହୋଇଉଠ, ଯେତେ ଶୀଘ୍ର ପାରୁ । ନା, ନା, ସେ ଅଭିମାନ କରିଚି, ସେ ଆଉ ମୋତେ ଚାହିଁବ ନାହିଁ, ମୋର ଏ କେଶହୀନ ମଥାରେ ଆଉ ହାତ ବୁଲାଇବ ନାହିଁ ।

ସେଇ ଆବରଣ ଭିତରେ କଳିକାର ଚକ୍ଷୁକୁ ଜଳ ଆସିଲା । ସମବେଦନାରେ ତା’ ପ୍ରାଣ ଭରି ଉଠିଲା, ତା’ର ସେହି ସ୍ନେହର ଅନାଥ ବୁଢ଼ାଟି ପାଇଁ ତା’ର ସେହି ବହୁଦିନ ବାଞ୍ଛିତ ମୂର୍ତ୍ତିଟି ଦେଖିବା ପାଇଁ ଆଗ୍ରହ ଜନ୍ମିଲା । ସେ ଲୋତକ ପୋଛି, ଆବରଣଟା ଖୋଲି ଆସ୍ତେ ଆସ୍ତେ ଉଠି ବସିଲା । ରୋଗ ପ୍ରଭାବରୁ ମୁଖର ତେଜ ଟିକିଏ ପାଣ୍ଡୁର ହୋଇଥିଲେ ହେଁ ତା’ର ପ୍ରତି ଅଙ୍ଗରେ ଯୌବନ କ୍ରୀଡ଼ା କରୁଚି । ବୃଦ୍ଧ ଟିକିଏ ଇତସ୍ତତଃ ହୋଇ ପଚାରିଲା, “ଏ କିଏ ? କଳିକା କାହିଁ ?” କଳିକା ମୃଦୁହାସ୍ୟ କରି ଉତ୍ତର ଦେଲା, “ମୁଁ ପରା କଳିକା ।” ଶିଳ୍ପୀ ତା’ର ବାହୁଦ୍ୱାରା ଚକ୍ଷୁ ଆବୃତ କରି କହିଲା, “ଓଃ, ତୁମେ !” କଳିକା ବିସ୍ମିତ ହୋଇ ଚାହିଁ ରହିଲା । ବୃଦ୍ଧ ଆଉ ମସ୍ତକ ଉତ୍ତୋଳନ କଲା ନାହିଁ । ସେହିପରି ତଳକୁ ଚାହିଁ କିଛିକ୍ଷଣ ନିରବ ରହି କହିଲା, “ଯାଅ, ତୁମେ ନୁହଁ, ତୁମେ ମୋର କଳିକା ନୁହଁ । କଳିକା, କଳିକା, କେଡ଼େ ମଧୁର ସେ ନାମ, କେଡ଼େ ସରଳ ତରଳ ସେ ସୌନ୍ଦର୍ଯ୍ୟ । ନାଃ, ତୁମେ ନୁହଁ, କଳିକାର ମୋର ମୃତ୍ୟୁ ହୋଇଛି । ତୁମେ ଜାଣ ନାହିଁ ଏ ବୃଦ୍ଧ ଶିଳ୍ପୀର ଜୀବନର ବୃତ୍ତାନ୍ତ । ଯୌବନ ମୋର ସୌନ୍ଦର୍ଯ୍ୟ ଅନ୍ୱେଷଣରେ ବିତି ଯାଇଛି । ଗ୍ରାମେ ଗ୍ରାମେ, ଦେଖେ ଦେଖେ ଭ୍ରମିଛି ମୋର ମାନସ ସୁନ୍ଦରୀ ଲଭିବା ଆଶାରେ । ରୂପ-ମୋହରେ ଯେତେବେଳେ ବିଭୋର ଥିଲି, ରୂପ ପାଇ ନାହିଁ । ସବୁ ଜାଗାରେ କାଠିନ୍ୟ, ସବୁଠାରେ ପ୍ରାଣ ଶୂନ୍ୟ, ସୁଷମା ଶୂନ୍ୟର ନିଦର୍ଶନ ଦେଖି ଆସିଲି । ସଙ୍କଳ୍ପ କଲି, ବିବାହ କରିବି ନାହିଁ ଏବଂ ଯେବେ କରେ ତେବେ ଏହି ପ୍ରାଣ-ହୀନ କଠିନ ବସ୍ତୁକୁ କରିବି । ଲଳିତ କଳା ପ୍ରତି ପ୍ରାଣର ଆକର୍ଷଣ ଥିଲା, କିନ୍ତୁ ସବୁ ଉଭେଇ ଗଲା । ସ୍ଥାପତ୍ୟ ଆଶ୍ରୟ କଲି । କାଷ୍ଠ ପାଷାଣରେ ଲୁହାର ନିହଣ ହାଣି ସୌନ୍ଦର୍ଯ୍ୟ କାଢ଼ିଲି ଏବଂ ମୋର ମାନସ-ପ୍ରେୟସୀର ମୂର୍ତ୍ତି ଏହି ଦିନୁ ଆରମ୍ଭ କଲି, ସେହି ନିଷ୍ଠୁର ଅଭିଜ୍ଞତାର ସ୍ମାରକ-ସ୍ୱରୂପ । ଏକାକୀ କୁଟୀରରେ ଆବଦ୍ଧ ରହି ଜୀବନର ସରସ ଅଂଶଟା କାଟି ଦେଲି । ଦିନେ ହେଲେ ରମଣୀର ପଦଧ୍ୱନି ସେ ପ୍ରାଙ୍ଗଣରେ ବାଜି ନାହିଁ, ଶିଶୁର ଅର୍ଦ୍ଧସ୍ଫୁଟ ବଚନ ସେ ଆବଦ୍ଧ ବାୟୁକୁ ଜୀବନ୍ତ କରି ନାହିଁ । କେବଳ ଅସ୍ତ୍ରର ଠକ୍‌ଠକ୍ ମତେ ବଧିର କରି ରଖିଲା । ବହୁବାର ମନେହୁଏ, ଏହି ଠକ୍‌ଠକ୍‌ରେ ମୁଁ ଠକି ଯାଇଛି । ଅନ୍ତର ତିକ୍ତ ଅତୃପ୍ତ ହୋଇଉଠିଚି, ମୋର ଭବିଷ୍ୟତର କଳ୍ପନା-ମନ୍ଦିର ଧୂଳିସାତ୍ ହୋଇଛି, ଭିତରୁ କାହାର ଉପହାସ ଶୁଣିବାକୁ ପାଇଚି । ସବୁ କିନ୍ତୁ ହସରେ ଉଡ଼ାଇ ଦେଇ ଭାବିଛି, ଜଗତରେ କିଛି ଆଉ ନାହିଁ, କେବଳ ଏହି ପଥର ଓ ଲୌହ, ଏହାରି ଉପରେ ସବୁ ସୌନ୍ଦର୍ଯ୍ୟ ପ୍ରତିଷ୍ଠିତ ।

କେତେ ଦିନ, କେତେ ମାସ, କେତେ ବର୍ଷ ଗତ ହୋଇଯାଇଛି, ମସ୍ତକରେ ଶୁକ୍ଳ କେଶ ହସି ହସି ଦେଖା ଦେଇଛି । ଏ ସମସ୍ତ ପରିହାସ ନିରବରେ ସହି ଆସିଛି ।

ମୋର ଏହି ରୁଦ୍ଧ ଦ୍ୱାରରେ ଅକସ୍ମାତ୍ କଳିକାର ଆବିର୍ଭାବ । ସେ ଏକାବେଳେ ସମସ୍ତ ଓଲଟ ପାଲଟ କରିଗଲା । ଏ ପୁଣି ଏକ ଉପହାସର ଉପକ୍ରମ ବୋଲି ଆଶଙ୍କା କରିଥିଲି, କିନ୍ତୁ ପାରିଲି ନାହିଁ, ପୁଣି ଭୁଲ୍‌ରେ ପଡ଼ିଗଲି ମୋର ସେ ବ୍ୟର୍ଥ ଯୌବନକୁ ସପ୍ତତି ବର୍ଷରେ ଉପଭୋଗ କରିବାକୁ ଅଣ୍ଟା ଭିଡ଼ିଲି । ଶିଳ୍ପୀର ଗରବ ପୁଣି ଫେରିଆସିଲା । ମୋର ପ୍ରେୟସୀର ମୂର୍ତ୍ତିଟି ଶୀଘ୍ର ଶୀଘ୍ର ଶେଷ କରିଦେଲି, କିନ୍ତୁ ତାକୁ ଢାଙ୍କି ରଖିଥାଏ ଲଜ୍ଜାରେ ।

ଯେତେ ମୂର୍ତ୍ତି ଗଢ଼ିଛି, କାହିଁରେ ମୋର ତୃପ୍ତି ଆସେ ନାହିଁ । ସବୁଥିରେ ଯେପରି ମୋ ଶକ୍ତି କ୍ଷୁର୍ଣ୍ଣ ହେଉଛି, ଅପମାନିତ ହେଉଛି, ଏହିପରି ମନେହୁଏ । କାରଣ ଜାଣେ ନାହିଁ, କିନ୍ତୁ କାହିଁରେ ସନ୍ତୋଷ ଆସେ ନାହିଁ, ସ୍ନେହ କରେ କେବଳ ସେ ଦୁଃଖର ଧନ ବୋଲି, ରଙ୍କର ନିଧି ବୋଲି ।

କିନ୍ତୁ ସକଳ ମୂର୍ତ୍ତି ମଧ୍ୟରେ ପୂଜା କରି ବସିଲି, ମୋର ପ୍ରେୟସୀ କରି ଯାହାକୁ ମାର୍ବଲ ପଥରରେ ଗଢ଼ିଲି- କାରଣ ସେ ମୋର ଗର୍ବର ଜିନିଷ, ସଂସାରରେ ଯେଉଁ ସୌନ୍ଦର୍ଯ୍ୟ ନାହିଁ ସେହି ସୌନ୍ଦର୍ଯ୍ୟ ଦେଇ ମନ-ମତ କରି ତାକୁ ଗଢ଼ିଥିଲି, ତାକୁ ଢାଙ୍କି ରଖିଥିଲି ଆଶଙ୍କା କରି କାଳେ ସେଥିଲାଗି ପୁଣି ଉପହାସ୍ୟ ହେବି ।

ହାୟ ହାୟ ତାହା ହିଁ ହେଲା, ତାହା ହିଁ ହେଲା । କଳିକାକୁ ସେ ମୂର୍ତ୍ତି ଦେଖାଇଲି ନାହିଁ ବୋଲି ସେ ଯେପରି ଅଭିମାନ ଛଳ ଛଳ ଦୃଷ୍ଟିରେ ଚାହିଁ ଫେରିଲା, ସେ ଛବି ମୋ ବୃଦ୍ଧ କଳ୍ପନାରେ ଆଜି ଅଙ୍କିତ ଅଛି । କଳିକା ଫେରିଗଲା ପରେ ମୋ ପ୍ରେୟସୀର ଆବରଣ ଖୋଲି ଦେଖିଲି ଅବିକଳ ସେହି ଚେହେରା । ସେହି ଛଳ ଛଳ ଚକ୍ଷୁ, ସେହି ଅଭିମାନର ଅପରୂପ ଲାବଣ୍ୟ ।

ଜଡ଼ ମାର୍ବଲ ପଥରରେ ଯେଉଁ ସୌନ୍ଦର୍ଯ୍ୟ ଖୋଲିଲି, ଆଜି ଦେଖିଲି ମୋର ଶିଳ୍ପୀର ଗର୍ବ ଚୂର୍ଣ୍ଣ କରି ମୋର ଜଣେ ପ୍ରତିଦ୍ୱନ୍ଦ୍ୱୀ ଅବିକଳ ସେହି ମୂର୍ତ୍ତିକୁ ପ୍ରାଣ ଦେଇ, ଭାଷା ଦେଇ, ଗତି ଦେଇ ଗଢ଼ିଚି । କଳିକାର ସେହି ମୁହୂର୍ତ୍ତର ସେ ଭଙ୍ଗିମା ସେହି ପ୍ରତି ବଡ଼ ଉପହାସ ପରି ମନେ ହେଲା ।

ସେହିଦିନଠାରୁ ମୋର ପଥରର କଳିକାକୁ ଛାଡ଼ି ଜୀବନ୍ତ କଳିକାର ପ୍ରକୃତ ଉପାସନା ଆରମ୍ଭ କଲି ମନେ ମନେ, ପ୍ରାଣେ ପ୍ରାଣେ, ଯେତେ ସୌନ୍ଦର୍ଯ୍ୟର ସୃଷ୍ଟି କରିଥିଲି, ସେ ସବୁର ଉତ୍ପତ୍ତିସ୍ଥଳ ଏ ମୋର ପାଞ୍ଚଟା ଇନ୍ଦ୍ରିୟ । ଏଇ ପାଞ୍ଚଟା ଇନ୍ଦ୍ରିୟ ସାହାଯ୍ୟରେ ବାହ୍ୟପ୍ରକୃତିରୁ ଚୋରି କରି ଆଣି ଯାହା କିଛି ନିର୍ମାଣିଥିଲି, କିନ୍ତୁ ମୋର ପ୍ରେୟସୀର ଗଠନ କୌଶଳ ଅନ୍ୟରୂପ । ଅପର ମୂର୍ତ୍ତିଗୁଡ଼ିକର ଆଗ ଦେଖା, ପରେ ନିର୍ମାଣ, କିନ୍ତୁ ପ୍ରେୟସୀର ମୋର ଆଗ ନିର୍ମାଣ, ପରେ ଦେଖା ।

ପାଷାଣୀ କଳିକାକୁ ଛାଡ଼ି ଯେ ଚର୍ମାବୃତ କଳିକା ପ୍ରତି ଆକୃଷ୍ଟ ହେଲି, ଏଥର ଭାବିଲି ଆଉ ନୁହେଁ, ଏଥର ମୋର ଜୟ, ଆଉ ଉପହାସ୍ୟ ହେବି ନାହିଁ ।

କିନ୍ତୁ ବର୍ତ୍ତମାନ ଏଇ ଶେଷ ଉପହାସ ଦେଖିବାକୁ ପୁଣି ବଞ୍ଚିଥିଲି । ଆଜି ଦେଖୁଚି ସେ ହଟିଆ ପ୍ରତିଦ୍ୱନ୍ଦ୍ୱୀ ମୋର ପ୍ରେୟସୀ କଳିକାକୁ, ଯାହାକୁ ଜୀବନ୍ତ ଦେଖିଥିଲି ତା’ର ମୃତ୍ୟୁ ଘଟାଇ ବିଭିନ୍ନ କରି ଗଡ଼ିଲାଣି, ଅଥଚ ମୋର ମାର୍ବଲ କଳିକା ସେହିପରି, ତା’ର ପରିବର୍ତ୍ତନ ନାହିଁ ।

ମୋର ଶିଳ୍ପୀର ଗର୍ବ ଚୂର୍ଣ୍ଣ ହୋଇଛି । ମୋର ସେ ପ୍ରତିଦ୍ୱନ୍ଦ୍ୱୀ ଶିଳ୍ପୀ ନିକଟରେ ମୁଁ ଆଜି ପରାଜିତ । ଏତେଦିନ ତା’ର ଇଙ୍ଗିତ ବୁଝି ନାହିଁ । କାହିଁକି, କାହିଁକି, ତା’ର ଏତେ ଅଭିନୟ, ଏତେ କୌତୁକ, ମୋପରି ସବୁଠାରୁ ଅକାମୀ ଲୋକଟାକୁ ନେଇ । ତା’ର ଏ ପିଲାମିର କୌତୁକରେ ମୋର ତା’ ପ୍ରତି କିପରି ଗୋଟାଏ ସ୍ନେହ ଜନ୍ମିଚି । କାହିଁକି ଏତେ ହଟହଟା ଏତେ ନବରଙ୍ଗ ସେ କରି ବସେ । ଆଜି ଇଚ୍ଛା ହେଉଛି ତାକୁ ବକ୍ଷରେ ଚିପି ଅଙ୍ଗରେ ମିଶାଇ ଦେବାକୁ, ସେହି ଆଦିକାଳର ବୃଦ୍ଧ ଶିଶୁଟି, ମୋର ପ୍ରତିଦ୍ୱନ୍ଦ୍ୱୀ ସେହି ହଟିଆ ଟିକି ଶିଳ୍ପୀଟି ।”

ମୁଁ ଜାଣୁଚି ଆଜି ତୁମେ ସେହି କଳିକା, କଳିକା ଆଜି ଫୁଲ ହୋଇ ଫୁଟି ଉଠିଚି, କିନ୍ତୁ ମୁଁ ଆଜି ସେ ପ୍ରସ୍ଫୁଟିତ କଳିକାକୁ ଚାହିଁବି ନାହିଁ । ମୋର ସ୍ୱପ୍ନର ସେହି ଦଶମ ବର୍ଷୀୟା କଳିକା ମୋର ପ୍ରେୟସୀ, ସେ ସ୍ୱପ୍ନ ଭାଙ୍ଗିବି ନାହିଁ । କଳିକାର ସେହି ମୁହୂର୍ତ୍ତର ରୂପକୁ ମୁଁ ପ୍ରେମ କରିଥିଲି, କଳିକାକୁ ନୁହେଁ । ସେ ରୂପ ଯଥେଚ୍ଛା ପରିବର୍ତ୍ତନ ମୋର ଅସହ୍ୟ । ଆଉ ମୁଁ ଜାଣେ କଳିକା ମୋ ଠାରୁ ମୋ ମୂର୍ତ୍ତିଗୁଡ଼ିକୁ ବେଶି ଭଲ ପାଉଥିଲା । ଏହା ଦେଖି ମୁଁ ଭାବେ, ସତୁରି ବର୍ଷ ବୟସରେ କି ଜୀବନରେ ବୈବାହିକ ପ୍ରେମର ମଧୁର ଆକର୍ଷଣ ବଞ୍ଚି ରହିପାରେ । ଏ ବୟସରେ ମୋର ଆଉ ପ୍ରେୟସୀ କିଏ, କଳିକା ମୋ ଗୃହିଣୀ, ସୁତରାଂ ମୋତେ ନ ପାଇ ମୋର ପୁଅ ନାତିଗୁଡ଼ାଙ୍କୁ ଭଲ ପାଇବା ତା’ ପକ୍ଷରେ ବଡ଼ ସ୍ୱାଭାବିକ୍ ।

କଳିକାର ସେହି ଅଭିମାନ ଛଳ ଛଳ ମୂର୍ତ୍ତି ବୃଦ୍ଧର ପୁଣି ମନେ ହେଲା । ତା’ ଜୀବନରେ ସେହି ଗୋଟିଏ ମାତ୍ର ମୁହୂର୍ତ୍ତ, ଏହି ମୁହୂର୍ତ୍ତପାଇଁ ତାକୁ ଏତେ ବଡ଼ ସୁଦୀର୍ଘ ଜୀବନ ଅପେକ୍ଷା କରି ରହିବାକୁ ପଡ଼ିଛି । ତା’ର ପ୍ରତିଶିରାରେ ଗୋଟାଏ ହୃଦୟବିଦାରକ କ୍ରନ୍ଦନ ଭେଦ କରି ବହିବାକୁ ଲାଗିଲା, ମୂର୍ତ୍ତିର ଘୋଡ଼ଣୀ ଖୋଲିକି, ଫେରିଆ କଳିକା, ମାଆଟି ପରା । ଯେପରି କଳିକାର ଶବ ନିକଟରେ ବସି ଏ ତା’ର ଅନ୍ତରର ବାହୁନା ।

ବୃଦ୍ଧ କିଛି ସମୟ ପରେ ଆତ୍ମସମ୍ୱରଣ କରି କହିଲା, “ନା, ଆଉ ନୁହେଁ, ଜାଣୁଚି ତୁମେ କଳିକାର ବିକାଶ, ଏଇ ଦେଖ ସେ ମୂର୍ତ୍ତିଟିର ଆବରଣ ଖୋଲି ଦେଉଛି, ସେହି ଛଳ ଛଳ ଚକ୍ଷୁ ସେଇ ଅଭିମାନରଞ୍ଜିତ ମୁଖଶ୍ରୀ । ବର୍ତ୍ତମାନ ଗୋଟାଏ ହିସାବ ନିକାଶ କରିଦିଏ । ତୁମେ ହିଁ କଳିକା, ସେ ମୂର୍ତ୍ତିଗୁଡ଼ିକୁ ପୂର୍ବପରି ଭଲ ପାଉଛି । ସେଥିଲାଗି ତୁମକୁ ଏ ସବୁ ଦେଇଗଲି, କିନ୍ତୁ ତୁମେ କଳିକା- ଏ କଥା ମୁଁ ମାନି ନେଇ ପାରୁ ନାହିଁ, ସେଥିଲାଗି ତୁମ ରୂପକୁ ପୂର୍ବପରି ଭଲ ପାଉ ନାହିଁ, ଏଇ ମାର୍ବଲ ପଥରକୁ ଯେପରି ପାଉଚି । ଏଇଟି ମାତ୍ର ସାଥିରେ ନେଇଯିବି । ତୁମ ପାଖରେ ଜୀବନର ସଞ୍ଚିତ ସଉଦା କୁଢ଼ାଇଗଲି ଏବଂ ଏ ଯେ ମୂର୍ତ୍ତି ନେଇଯାଉଚି, ଯାହାର ଅଳ୍ପ ସମୟ ପରେ ସମାଧି ଦେବି । କାରଣ ମୋ ସୃଷ୍ଟିର ଶେଷ ହୋଇଛି, କଳିକାର ମୃତ୍ୟୁ ହୋଇଛି । ଏ ମୂର୍ତ୍ତି ତା’ର ମୃତ୍ୟୁକୁ ହିଁ ସ୍ମରଣ କରାଇଦେବ ।”

ମୋର ଏଇ ହାଟର ପସରା ବାଟରେ ସମାଧି କରି ଚଳିଯିବି ସେଇ ପ୍ରତିଦ୍ୱନ୍ଦ୍ୱୀ କାରିଗରଟାର ଅନୁସନ୍ଧାନରେ, ତାହାରି ସଙ୍ଗେ ବାକି ହିସାବର ଶେଷ ନିଷ୍ପତ୍ତି କରିଦେବି ।

ଲୋକପ୍ରିୟ ଲେଖା

To Top