ଗଳ୍ପ

ପ୍ରୀତିର ରଙ୍ଗ

Pradip Nayak's odia story Pritira Ranga

ଦୁର୍ବିସହ ଜୀବନଯାତ୍ରାରେ ସ୍ତ୍ରୀର ସହଭାଗିତା ତାଙ୍କ ପାଇଁ ଆଜି ବି ସ୍ମରଣୀୟ ହେଇ ରହିଚି । ସୁଲୋଚନା ତ ଖାଲି ସ୍ତ୍ରୀ ନଥିଲା ବରଂ ଧୁ’ ଧୁ’ ମରୁବାଲିରେ ମୁନ୍ଦେ ଶୀତଳ ଜଳ ଥିଲା ।

ପ୍ରୀତିର ରଙ୍ଗ

ଏ ଅଶ୍ରୁତପୂର୍ବ ଘଟଣାକୁ, ବନ୍ଧୁତ୍ୱକୁ କି ନାଆଁ ଦେବେ ବେଣୁଧର । ହୁଏତ ଯାହାକୁ ଭଲା ଏ ବିଷୟରେ ପଦେ ପଚାରି ପାରିଥାନ୍ତେ ସିଏ ଆଉ ନାହିଁ ।

ବେଣୁଧର ବସିଛନ୍ତି ଖଟ ଧାରରେ । ଖଟ ଉପରେ ଶୋଇ ରହିଚି ଦିଗମ୍ୱର ଶହ । ଆଜିକି ଛ’ସାତ ବର୍ଷ ଧରି ସାଥୀ ହୋଇ ରହିଆସିଥିବା ବନ୍ଧୁର ଦେହାନ୍ତ ହେଇଚି । ଏଇତ ଆସନ୍ତା ପଣାସଂକ୍ରାନ୍ତି କି ଅଶୀ ବର୍ଷ ପୁରିଯିବ ବୋଲି କହୁଥିଲା । କିନ୍ତୁ ସିଏ ଅଶୀକୁ ଛୁଇଁବା ପୂର୍ବରୁ ମୃତ୍ୟୁ ତାକୁ ଛୁଇଁ ଦେଇଚି । ଯେତେ ଖୁସିଥିଲା ତା’ ଅଶୀବର୍ଷ ପୁରାଣିକି ନେଇ, ତା’ଠୁ ଅଧିକ ଖୁସି ଥିଲା ତା’ ପୁଅ, ବୋହୂ, ନାତୁଣୀ ସମସ୍ତେ ନାଇଜେରିଆରୁ ଆସିଥାନ୍ତେ । ମାସକୁ ପୂର୍ବରୁ କୁଆଡେ଼ ପୁଅବୋହୂ ଫ୍ଲାଇଟ୍ ଟିକେଟ୍ କରି ସାରିଥିଲେ । ତା’ର ସବୁ ଇଚ୍ଛା ଅପୂରଣ ରହିଗଲା । ସବୁ ସ୍ୱପ୍ନ ବରଫ ପାଲଟିଗଲା ।

ଜରାନିବାସରେ ଏଇ ଘଟଣା ବିଶେଷ କିଛି ହଇଚଇ ସୃଷ୍ଟି କରିନାହିଁ । ଗତାନୁଗତିକ ଭାବରେ ସବୁକିଛି ଚାଲିଛି । ସାମାନ୍ୟ ଚଳଚଞ୍ଚଳ ବି ନୁହଁନ୍ତି କର୍ତ୍ତୃପକ୍ଷ, ବିଶେଷ କିଛି ଆନୁସଙ୍ଗିକ ମଧ୍ୟ ନାହିଁ । ପୋଲିସ୍‌କୁ ଖବର ଦିଆଯାଇଚି । ଶବକୁ ସ୍ୱର୍ଗଦ୍ୱାର ନେବାକୁ ଗାଡ଼ି ଆସିବାର ଅପେକ୍ଷା ଅଛି ।

ବେଣୁଧରଙ୍କର ମନେପଡୁଚି ଏଇ ସ୍ୱର୍ଗଦ୍ୱାର ପ୍ରସଙ୍ଗ ନେଇ କେତେ ଥଟ୍ଟାମଜା, କେତେ ଗମ୍ଭୀର ଆଲୋଚନା ନ ହେଇଚି ଦିଗମ୍ୱର ସହ । ପୁଅବୋହୂ ତା’ର କର୍ତ୍ତୃପକ୍ଷଙ୍କ ନିକଟରେ ଆକସ୍ମିକ ମୃତ୍ୟୁ ଅବା ସ୍ୱର୍ଗଦ୍ୱାର ଦାହ ସଂସ୍କାର ପାଇଁ ଆଗତୁରା ଅର୍ଥ ପଇଠ କରିଛନ୍ତି । ଯଦିଓ ଏକଥା ସୀମିତ ରହେ ଜରାନିବାସର କର୍ମଚାରୀଙ୍କ ଭିତରେ । କୌଣସି ସୂତ୍ରରୁ ଏକଥା କାନକୁ ଆସିବାପରେ ଦି’ବନ୍ଧୁ ଅନେକ ଆଲୋଚନା କରିଛନ୍ତି । ସତରେ ପୁଅ ବୋହୂ କେଡେ଼ ମହାନ୍ ! ବାପାଙ୍କର ସ୍ୱର୍ଗଯାତ୍ରା ପାଇଁ ଦୁଆର ମୁହଁ ଯାଏ ଯାହା ଯାହା କରଣୀୟ ସେଥିରୁ ଟିକିଏ ବି ଊଣା କରିନାହାନ୍ତି । ସେଇଥିପାଇଁ କି କ’ଣ ଶବବୁଦା ଗାଡ଼ି, ଅନ୍ୟାନ୍ୟ ଜିନିଷପତ୍ର ପାଇଁ କେହି ବିଚଳିତ ନୁହଁନ୍ତି ।

ଫୁଲରେ ଲଦା ହେଇଥିବା ଗାଡ଼ି ଆସିବ । କର୍ମଚାରୀମାନେ ଶବକୁ ଉଠେଇ ନେଇ ଗାଡ଼ି ଭିତରେ ଶୁଆଇ ଦେବେ । ଗୋଟେ ଧଳା ଚାଦର ଘୋଡେ଼ଇ ଦେଇ ତା’ ଉପରେ ଫୁଲ ବିଛେଇ ଦେବେ, ଔପଚାରିକତା ଦୃଷ୍ଟିରୁ ବେଣୁଧରଙ୍କୁ ସର୍ଗଦ୍ୱାର ଯାଏ ଶବ ସାଥୀରେ ଯିବାକୁ କହିବେ, ଏକଥା ସିଏ ଜାଣନ୍ତି । ଏମିତିକି ତାଙ୍କ ନ ଯିବାରେ ମଧ୍ୟ ଅଟକି ଯିବ ନାହିଁ ଶବଯାତ୍ରା ।

କାଲିଯାଏ ଦିଗମ୍ୱର ଥିଲା ଜଣେ ଭିନ୍ନ ମଣିଷ । ଅଜବ ରୁଚି, ଚାଲିଚଳଣ, ବେଶ ପୋଷାକ ପାଇଁ ସମସ୍ତଙ୍କ ପାଖରେ ତା’ର ପରିଚୟ ଥିଲା ସ୍ୱତନ୍ତ୍ର । ନିଜ ମିଜାଜ୍‌ର ମାଲିକ । ସିଏ ତା’ ନଇଁ ଆସିଥିବା ନହକା, ଦୀର୍ଘ ଶରୀରକୁ ବୋହି ଚାଲେ । ମୁଣ୍ଡର ଚୂଳ, ଦାଢ଼ି, ଭ୍ରୂଲତା ସବୁ ଧଳା ଫରଫର, ଚଉଡ଼ା କପାଳ, ତୀଖ ନାକ, ଲମ୍ୱା ବେକ, ଏକ ଛୋଟ ଆବୁ ମଥା ଉପରେ । ଚମଡ଼ା ଲୋଚାକୋଚା । ବୟସର ଉତ୍ପାତ ତା’ର ସବୁଠି ଉଦଣ୍ଡ ରଚି ସାରିଥିଲେ ମଧ୍ୟ ତା’ ଠାଣି ପାଖରେ କୁଙ୍କୁରି କାଙ୍କୁରି ହୁଏ ।

ପ୍ରତିଦିନ ଭୋର ହେଲେ ଦିଗମ୍ୱର ରାସ୍ତାକୁ ବାହାରି ପଡେ଼ । ଛୋଟ ଗୋଟେ ମୁଣିରେ କିଛି ଚଢେ଼ଇ, କୁଆଙ୍କ ଦାନା ନିଏ । ସେ ଜରାନିବାସରୁ ବାହାରିବା ଆଗରୁ ତାକୁ ଆଖପାଖ ଗଛ ଡାଳରେ, ପାଚେରୀ ଉପରେ କାଉମାନେ ଅନେଇ ବସିଥାନ୍ତି । ସେ ବାହାରିବା ମାତ୍ରେ ଦଳଦଳ ହେଇ ତା’ ଚାରିକଡ଼ରେ ଚକ୍କର କାଟି ସକାଳକୁ କୋଳାହଳମୟ କରିଦିଅନ୍ତି । ସେଇ କୋଳାହଳକୁ କାହାକୁ ଭାଗ ନ ଦେବାକୁ କି କ’ଣ ସେ ସିଧାସିଧା ଚାଲେ ପାଖ ନଈ କୂଳକୁ । ସେଠି ଘଣ୍ଟେ କି ଦି’ ଘଣ୍ଟା ଚଢେ଼ଇମାନଙ୍କ ସହ ବିତାଏ । ଖୁସି ହୁଏ, ଉପଭୋଗ କରେ । ଖାଲିମୁଣି ଧରି ଫେରିଆସେ ।

ବେଣୁଧର ପ୍ରଥମେ ପ୍ରଥମେ ଏଇ ଅଜବ ଅଭ୍ୟାସ ବିଷୟରେ ଦିଗମ୍ୱରକୁ ପଚାରିଛନ୍ତି । ଅଭିଯୋଗ କଲାପରି କହିଛନ୍ତି ସକାଳର ପ୍ରାର୍ଥନାରେ ଯୋଗ ନ ଦେଇ ନଈକୂଳ ଆଡେ଼ ଯିବା କ’ଣ ଦରକାର ? ଅନେକ ସମୟରେ ଦିଗମ୍ୱର ଏ ସବୁକୁ ଏଡେ଼ଇ ଯାଏ । ଆଉ କେତେବେଳେ ଉତ୍ତର ଦବତ, କହିବ “ମୁଁ ପ୍ରାର୍ଥନା କରିବାକୁ ହିଁ ତ ଯାଇଥିଲି ।” ବାସ୍ ! ନିହାତି ଅଧିକ କିଛି କହିବାକୁ ପଡ଼ିଲେ କହିବ- “ଈଶ୍ୱରଙ୍କ କରୁଣା ଉପରେ ଭରସା କରିବା କ’ଣ ଏଡେ଼ ସହଜ କଥା ?” ବନ୍ଧୁର ଏପରି ମନ୍ତବ୍ୟ ବେଳେବେଳେ ବେଣୁଧରକୁ ଅନେକ କିଛି ଭାବିବାକୁ ବାଧ୍ୟ କରେ । କି ବିଚିତ୍ର ଏ ଲୋକ ! କାହିଁକି ଏମିତି ? କିଏ କ’ଣ କହୁଚି, ଭାବୁଚି ସେଥିରେ ତା’ର ଆଦୌ ଶୋଚନା ନଥାଏ । ଏମିତିରେ ତା’ ପୋଷାକ ପତ୍ର, ମୁଣ୍ଡରେ ଲୋଚାକୋଚା ଟୋପି ଆଦିକୁ ଦେଖି ଅନେକ ବୁଲି ବୁଲି ଚାହାଁନ୍ତି ରାସ୍ତାରେ ।

ଗୋଟିଏ କୋଠରୀରେ ଦୀର୍ଘଦିନ ଖୁବ୍ ନିକଟରେ ରହି, ଜଣେ ଅନ୍ତରଙ୍ଗ ବନ୍ଧୁ, ସହୋଦର ଭାବରେ ଦିନ ବିତାଇ ଏତିକି ମାତ୍ର ବେଣୁଧର ଜାଣିଛନ୍ତି ଯେ ଦିଗମ୍ୱର ଜଣେ ପରିବାର ପରିତ୍ୟକ୍ତ ମଣିଷ । ଦୁଃଖର କ୍ଷତକୁ ଉଖାରି ରକ୍ତାକ୍ତ କରିବା ଅପେକ୍ଷା ଚୁପ୍ ହେଇଯିବାକୁ ଶ୍ରେୟ ମନେ କରିଛନ୍ତି । ଏମିତିରେ ଏଠି ରହୁଥିବା ସମସ୍ତେ ଯେ ପାରିବାରିକ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ ଏକଥା ବୁଝାଇବାକୁ ପଡେ଼ ନାହିଁ । ତେଣୁ ନିହାତି ଅନ୍ତରଙ୍ଗ ହେଇ ବଞ୍ଚୁଥିବା ସାଥୀଟିଏ ପାଖରେ ସେ କେବଳ ସୁଖକୁ ହିଁ ବାଣ୍ଟିଛନ୍ତି । ଇଚ୍ଛାକରି ମନ ଭିତରୁ କାଢ଼ି ଅଲଗା କରି ଥୋଇ ଦେଇଛନ୍ତି ଦୁଃଖଦ ଅତୀତକୁ । ଚେଷ୍ଟା କରିଛନ୍ତି ଅବଶିଷ୍ଟ ଦିନ ଖୁସିରେ ହିଁ ବିତେଇ ଦେବାକୁ ।

ଅନେକ ସମୟରେ ବେଣୁଧରଙ୍କର ଅନୁଭବ ହୁଏ ତାଙ୍କର ଆଉ ଦିଗମ୍ୱରର ସୁଖ ଦୁଃଖ ସବୁ ଯେମିତି ଏକ, ଏକାକାର । ସେ ନିଜେ ମଧ୍ୟ କେବେ ଇଚ୍ଛାକରି ପ୍ରକାଶ କରିନାହାନ୍ତି ତାଙ୍କ ଅକୃତଜ୍ଞ ପୁଅ ଝିଅଙ୍କ ବିଷୟରେ । କେତେ ଯେ ଆନ୍ତରିକତା ପୁଟ ଦେଇ ପିଲାମାନଙ୍କୁ ସିଏ ମଣିଷ କରିବାକୁ ଚାହିଁ ନାହାନ୍ତି । କିନ୍ତୁ ତାଙ୍କ ପରିଣତ ବୟସର ଲେନ୍ସ ଚଷମାରେ ମଧ୍ୟ ଦେଖିପାରିନାହାନ୍ତି ତାଙ୍କ ସ୍ନେହ, ଶ୍ରଦ୍ଧା ଭିତରେ କେଉଁଠି କେମିତି ରହିଗଲା କଣା । ଆଉ ସେଇ କଣା ଦେଇ ଅନୁଶାସନ ବିହୀନ ହୋଇ ପୁଅଝିଅ ବାହାରି ଚାଲିଗଲେ ବାପାମାଆଙ୍କର ଆକଟର ପରିଧି ବାହାରକୁ । ଅବୁଝାମଣା, ସ୍ୱାର୍ଥପରତା ମୋଡ଼ମୁଣ୍ଡରେ ଠିଆ ହେଇ ସମସ୍ତେ ପରସ୍ପରଠୁ ଅଲଗା ହେଇଛନ୍ତି । କେହି କାହା ସହ ପାଦ ମିଳେଇ ଚାଲିପାରି ନାହାନ୍ତି । ପିଲାମାନଙ୍କର ହସ ଖୁସି, ସ୍ୱାଧୀନତାରେ ଆଦୌ ହସ୍ତକ୍ଷେପ କରିବାକୁ ନ ଚାହିଁ ମଧ୍ୟ ସେମାନଙ୍କ ସ୍ୱେଚ୍ଛାଚାରିତାରେ ସିଏ ମର୍ମାହତ ହେଇଛନ୍ତି । ପୁଅ ପାଠପଢ଼ି ଚାକିରୀ କରିବା ପରେ ପରେ ଘର ଛାଡ଼ିଚି । ଗାଁ ମୂଲକରେ ରହିଯାଇଥିବା ପୁରୁଣା ଘରଡ଼ିହ, ବିଲବାଡ଼ିକୁ ଆଖି ବୁଜିଦେଇଛନ୍ତି । ବେଣୁଧରଙ୍କର ମନେପଡେ଼ନା ପୁଅ କେବେ ମୁହଁ ଦେଖା ଭାବରେ ହଉ, ତାଙ୍କୁ କିବା ପତ୍ନୀ ସୁଲୋଚନାକୁ କହିଚି ସିଏ ରହୁଥିବା ସହରକୁ ବୁଲିଯିବାକୁ । ନାତି ନାତୁଣୀଙ୍କ ସହ ଟିକେ ସ୍ନେହଶ୍ରଦ୍ଧା ବାଣ୍ଟିବାକୁ । ଝିଅଟା ବି ତଦ୍ରୁପ । ଭଲପାଇ ବାହାହେବା ଅର୍ଥ ନୁହେଁ ଯେ ବାପାମାଆଙ୍କ ଶତ୍ରୁ ହେଇଯିବା । ସମ୍ପତ୍ତିରୁ ଭାଗ ବସେଇବା । ପରିଣତ ବୟସରେ ଟିକେ ସେବା ଶୁଶ୍ରୂଷା ଦୂରେ ଥାଉ ବରଂ ସମ୍ପତ୍ତି ପାଇଁ କୋର୍ଟକୁ ଟାଣିବାର ଧମକ ଦେବା । ଏତେ ସବୁ ଭିତରେ ଗୋଟାଏ ଆଶ୍ୱାସନାର ରାସ୍ତା ଥିଲା ସ୍ତ୍ରୀ ସୁଲୋଚନା, କେଉଁ କର୍ମଫଳରେ ତାଙ୍କୁ ଏ ଜନ୍ମରେ ସାଥୀ ହେଇ ଚାଲିବାର ସୌଭାଗ୍ୟ ମିଳିଥିଲା ସ୍ତ୍ରୀ ସହ । ରୂପ, ଗୁଣ, ସଂସାର ଚଳେଇବା ସହ ଅପୂର୍ବ ସ୍ୱାମୀ ଅନୁରକ୍ତି ତାଙ୍କୁ ମୂହ୍ୟମାନ କରି ରଖିଥିଲା ଶେଷଯାଏ ।

ଆଜିଯା’ ବେଣୁଧର ବୁଝିପାରିନାହାନ୍ତି ସଂସାର ଗଣିତର ସେଇ ଅସହଜ ଗଣିତ ପାଖରେ ସେ କେମିତି ଗୋଟେ ବୋକା ଛାତ୍ର ହେଇ ରହିଗଲେ । ସିଏ ଘରୁ ଏଠିକି ଆସିବାବେଳେ ତାଙ୍କୁ ରାସ୍ତା ବଳେଇ ଦବାକୁ କେହି ହେଲେ ନଥିଲେ । ସହରରେ ରହୁଥିବା ପୁଅ ବୋହୂଙ୍କ ସମ୍ପର୍କ ଜୀବନ୍‌ମୃତ ଅବସ୍ଥାରେ ଝୁଲି ରହିଥିଲା । ଝିଅର ଦିନକୁ ଦିନ ବଢ଼ି ଚାଲିଥିବା ଅଦଉତି ଯୋଗୁଁ ମାନସିକ ଆଘାତ ପାଇ ସୁଲୋଚନା ମଧ୍ୟ ଆଖିବୁଜି ଦେଇଥିଲା । ବର୍ତ୍ତମାନ ସର୍ବସ୍ୱ ପିଲାମାନଙ୍କ ପାଖରେ ତାଙ୍କ ପରି ଜଣେ ମୁମୂର୍ଷୁ ଅତୀତ ପାଇଁ ଜାଗା ଟିକିଏ ନଥିଲା । ସବୁ ପରର ସାନ୍ତ୍ୱନା ହେଇ ଯିଏ ଥିଲା ତା’ ଅନୁପସ୍ଥିତି ତାଙ୍କୁ ସମ୍ପୂର୍ଣ୍ଣ ନିଃସଙ୍ଗ ଅସହାୟ କରି ଦେଇଥିଲା । ଶେଷରେ ସେ ବାଧ୍ୟ ହୋଇ ଘର ଛାଡ଼ିଲେ । ଜରାନିବାସରେ ରହଣି, ଦିଗମ୍ୱର ସହ ଆତ୍ମୀୟତା ଭିତରେ କ୍ରମଶଃ ଲିଭିଲିଭି ଆସୁଥିବା ଦୁଃଖଦ ଅତୀତ ଭିତରେ କିନ୍ତୁ ଜୀଇଁ ରହିଚି ସୁଲୋଚନା । ତାକୁ ବେଞ୍ଚଇ ରଖିଛନ୍ତି ବେଣୁଧର ପ୍ରତିସକାଳର ପୂଜାପାଠ, ପ୍ରାର୍ଥନାପରି, ସଞ୍ଜର ଆଳତି ପରି । ଏକାନ୍ତ ସମୟରେ ଦିଗମ୍ୱର ସହ ଆଳାପ ଆଲୋଚନା କଲାବେଳେ ସିଏ କେବଳ ସୁଲୋଚନା କଥା କହି ନିଜେ ବଞ୍ଚିଯିବାକୁ ଚେଷ୍ଟା କରିଛନ୍ତି । ବର୍ତ୍ତମାନ ଯାହା ଥାଉନା କାହିଁକି ତାଙ୍କ ଦାମ୍ପତ୍ୟର ଝୁରି ହେବାପରି ଅତୀତ ହିଁ ତାଙ୍କୁ ବେଞ୍ଚଇ ରଖିଚି, ଏକଥା ସିଏ ମର୍ମେ ମର୍ମେ ଅନୁଭବ କରିଛନ୍ତି ।

ଦିଗମ୍ୱର ଶବ ପାଖରେ ବସିବା କେତେ ସମୟ ବିତିଗଲାଣି । ବାହାରର କୋଳାହଳରୁ ବୁଝି ହେଉଚି ଶବ ବୁହା ଗାଡ଼ି ବୋଧହୁଏ ଆସିଗଲାଣି କି କ’ଣ ? ଶୋଇ ରହିଥିବା ଦିଗମ୍ୱରର ଶେଥା ମୁହଁକୁ ଚାହିଁ ସିଏ ମନେ ମନେ ଭାବୁଛନ୍ତି . . . ସତରେ ଏତେ ନିକଟରେ ଥାଇ ବି ଲୋକଟାକୁ ବୁଝି ହେଲାନାହିଁ । କି ପ୍ରକୃତିର ମଣିଷଟା କେଜାଣି । କେଡେ଼ ଅଜବ ଖିଆଲ । ତା’ ରଙ୍ଗ ତୂଳୀରେ ଚିତ୍ର କରିବା ଢଙ୍ଗ ଯେମିତି ନିଆରା, ସିଗାରେଟ୍ ଟାଣି ଧୂଆଁ ଛାଡ଼ିବା ବି ସେମିତି । ଲୋକଟା ବାସ୍ତବରେ ଭଲ ଥିଲା । କାହାପ୍ରତି ଅସୂୟା କି ଅଶ୍ରଦ୍ଧା ନ ଥିଲା । ଖୁବ୍ କମ୍ କହୁଥିଲେ ବି ଜଣା ପଡୁଥିଲା ସିଏ ତା’ ପିଲାମାନଙ୍କୁ କ୍ଷମା କରି ଦେଇନଥିଲା ତ ବରଂ ସେମାନଙ୍କ ପାଇଁ ଛାତିରେ ଛାତିଏ ମମତା ଭରି ରଖିଥିଲା । ଏମିତିକି ବନ୍ଧୁ ହିସାବରେ ବେଣୁଧରକୁ ମଧ୍ୟ ପୁଅବୋହୂ, ଝିଅଜୋଇଁଙ୍କୁ କିଛି ଦେଇଦେବାକୁ ପ୍ରବର୍ତ୍ତାଉ ଥିଲା । ବନ୍ଧୁ ଭାବରେ ଏକ କଥା ଶୁଣିଶୁଣି ତାଙ୍କ ମନରୁ ମଧ୍ୟ ପିଲାମାନଙ୍କ ପ୍ରତି ଅଭିମାନକୁ ସେ ଭୁଲି ଯାଇଛନ୍ତି । ଭୁଲି ସାରିଛନ୍ତି ସେମାନଙ୍କର ନିକୃଷ୍ଟ ଆଚରଣକୁ । ବାସ୍ତବରେ ନହେଲେ ମଧ୍ୟ କଳ୍ପନାରେ କଳ୍ପନାରେ ଗେଲ କରିଛନ୍ତି ନାତୁଣୀକୁ ।

ଗୋଟିଏ କଥା ଆଜିବି ବେଣୁଧରଙ୍କୁ ଚକିତ କରେ, କାହିଁକି ଯେ ସୁଲୋଚନା କଥା କହୁଥିବାବେଳେ ଦିଗମ୍ୱରର ଶୁଣିବାର ଆଗ୍ରହ ଦ୍ୱିଗୁଣିତ ହେଇଯାଏ । ଅବଶ୍ୟ ତାଙ୍କ ମୁହଁରୁ ସୁଲୋଚନା କଥା ବାହାରୁ ଥିବାବେଳେ ସେ ନିଜେ ନିଜକୁ ମଧ୍ୟ ଆୟତ୍ତରେ ରଖିପାରନ୍ତି ନାହିଁ । ପ୍ରଗଳ୍‌ଭ ହେଇପଡ଼ନ୍ତି । ସତରେ ନ ହୁଅନ୍ତେ କେମିତି ? ଦୁର୍ବିସହ ଜୀବନଯାତ୍ରାରେ ସ୍ତ୍ରୀର ସହଭାଗିତା ତାଙ୍କ ପାଇଁ ଆଜି ବି ସ୍ମରଣୀୟ ହେଇ ରହିଚି । ସୁଲୋଚନା ତ ଖାଲି ସ୍ତ୍ରୀ ନଥିଲା ବରଂ ଧୁ’ ଧୁ’ ମରୁବାଲିରେ ମୁନ୍ଦେ ଶୀତଳ ଜଳ ଥିଲା । ପରିବାର ପାଇଁ ସେ ଥିଲା ଜଣେ ସମ୍ପର୍କର ସେତୁ । ପୁଅଝିଅ, ନାତିନାତୁଣୀ ଏମିତି ପର ଅପରକୁ ଆପଣାର କରିବାର ଗୁଣରେ ଥିଲା କୋଟିଏରେ ଗୋଟିଏ । ଏକଥା ମୁକ୍ତକଣ୍ଠରେ କହିବାକୁ ସେ କୁଣ୍ଠା କରନ୍ତିନି ବରଂ ଗର୍ବ ଅନୁଭବ କରନ୍ତି । ଉଦାସ ମନ ପାଇଁ ଶୀତଳ ଆଶ୍ୱାସନାଟିଏ ଟାଣି ଦିଅନ୍ତି । ତେବେ ଜଣେ ଉତ୍ତମ ବନ୍ଧୁ ଆଗରେ ଏକଥା କହିବାରେ କ୍ଷତି ବା କ’ଣ ?

ଦିଗମ୍ୱରର ଦେହାନ୍ତ ବେଣୁଧରଙ୍କୁ ଏମିତି ଅନ୍ୟମନସ୍କ କରି ଦେଇଚି ଯେ ସେ ନିଜେ ଜାଣିପାରୁ ନାହାନ୍ତି ତାଙ୍କ ଆଖି ଆଗରେ କର୍ମଚାରୀମାନେ ଶବ ଉଠେଇ ନଉଛନ୍ତି । ଗାଡ଼ିରେ ଶବ ସଜଡ଼ା ହେବାବେଳକୁ କର୍ମଚାରୀଙ୍କ ଡାକରେ ସିଏ ଥକ୍‌କା ପାଦରେ ଉଠିଲେ । ବନ୍ଧୁତ୍ୱର ନିଦର୍ଶନ ସ୍ୱରୂପ କେରାଏ ଧୂପ ଲଗେଇଲେ ଶବାଧାରରେ । ହାତଯୋଡ଼ି ନମସ୍କାର କଲେ, କେତେ ଜଣ ଅନ୍ତେବାସୀ ଗାଡ଼ି ପାଖରେ ଶେଷ ଦର୍ଶନ କରିବାକୁ ଠିଆ ହେଇଛନ୍ତି । ଗାଡ଼ି ଗଡ଼ିଲା ସ୍ୱର୍ଗଦ୍ୱାର ଅଭିମୁଖେ । ଗାଡ଼ିରେ ବସି ବୁଝିନେଲେ ଦିଗମ୍ୱରର ସବୁ ଜିନିଷ ଭିତରେ ପିନ୍ଧା କପଡ଼ା, ରୋଲ୍‌ଗୋଲ୍ଡ ଚଷମା, ଟୋପି, ଜାପାନୀ କଲମ, ସ୍କେଚ୍, ରଙ୍ଗତୂଳୀ କିଛି ବି କିଛି ନ ରହିଯାଉ ।

ସ୍ୱର୍ଗଦ୍ୱାରରୁ ଦାହସଂସ୍କାର ସାରି ଫେରିବା ବେଳକୁ ଥକ୍କା ଅନୁଭବ କରୁଛନ୍ତି ବେଣୁଧର । ନିଜ କୋଠରୀର ଏକାନ୍ତ ପରିବେଶ ଭିତରକୁ ଛାଟିପିଟି ହେଇ ଚାଲି ଆସିଛନ୍ତି । ମନର ଭାରିପଣକୁ ନିଜ ଖଟ ଉପରେ ଲଦି ଦେଇ ଭାବିବାକୁ ଆରମ୍ଭ କରୁଛନ୍ତି ଜରାନିବାସର କର୍ମକର୍ତ୍ତାଙ୍କ କଥା । ଦାହ ସଂସ୍କାରବେଳେ ସିଏ ଯାହା ଶୁଣିଛନ୍ତି ସେମାନଙ୍କ ମୁହଁରୁ ତାକୁ ଏଯାଏ ବିଶ୍ୱାସ ବି କରିପାରୁ ନାହାନ୍ତି । ଶବଦାହ ହେବା ଭିତରେ କଥାଟା କାନରେ ପଡ଼ିବାରୁ ସିଏ ପଚାରିଦେଲେ ସମ୍ପୃକ୍ତ କର୍ମଚାରୀଙ୍କୁ । କ’ଣ କହିଲେ ଦିଗମ୍ୱର. . . ?

– ଆଜ୍ଞା ଆପଣ କ’ଣ ଏକଥା ଜାଣିନାହାନ୍ତି ?

ବେଣୁଧର କିଛି ଉତ୍ତର ନ ଦେଇ ଖାଲି ହାଁଟା କରି ଚାହିଁ ରହିଲେ । କର୍ମଚାରୀ ଜଣକ ପୁଣି କହିଲେ- “ଦିଗମ୍ୱର ବାବୁ ବାହା ହେଇନାହାନ୍ତି ।”

– ତା’ ହେଲେ ନାଇଜେରିଆରେ ରହୁଥିବା ତାଙ୍କ ପୁଅବୋହୂ ?

– ସେମାନେ ଆଡ଼ପଟେଡ୍ ! ପୋଷ୍ୟପୁତ୍ର !

– ଓଃ ! ବେଦନାହତ ବେଣୁଧରଙ୍କ ମୁହଁରୁ ବାହାରିଗଲା ଏଇ ଶବ୍ଦ ।

– ପୋଷ୍ୟପୁତ୍ର ହେଲେ ବି ବୁଢ଼ା ପ୍ରତି ସେମାନେ ଯଥାସାଧ୍ୟ କର୍ତ୍ତବ୍ୟ କରିଛନ୍ତି । ପ୍ରତି ସପ୍ତାହରେ ଟେଲିଫୋନ୍ କରି ତାଙ୍କ ଖବର ବୁଝନ୍ତି । ତାଙ୍କ ଖର୍ଚ୍ଚ ପାଇଁ ପ୍ରଚୁର ଅର୍ଥ ମଧ୍ୟ ଦିଅନ୍ତି । କିନ୍ତୁ ସେଠି ରହିଯିବା କାରଣରୁ ଶେଷ ସମୟରେ ସେବାଯତ୍ନ ନ କରି ପାରିବେ ବୋଲି. . . ।

ଏସବୁ ଶୁଣିବାକୁ ଆଉ ଧୈର୍ଯ୍ୟ ନ ଥିଲା ବେଣୁଧରଙ୍କର । ଶେଷପ୍ରଶ୍ନ ପଚାରି ଥିଲେ କର୍ମଚାରୀଙ୍କୁ- ଆଜ୍ଞା ବାହାଘରକୁ ଦିଗମ୍ୱର ଜାଣିଶୁଣି ଏଡେ଼ଇ ଯାଇଥିଲେ ନା. . . ସେମିତି କି କାରଣ. . . ।

– ନାଇଁ ଆଜ୍ଞା ଆମେ ବେଶିକିଛି ଜାଣିନୁ ସେ ବିଷୟରେ । ବୋଧହୁଏ ବାହାହବାକୁ ଚାହିଁ କେବେ ବିଫଳ ହେଇଛନ୍ତି . . . ଅବା. . . ଇଚ୍ଛା କରି. . . ।

ଦାହ ସଂସ୍କାର ସାରି ଘରକୁ ଫେରି ବେଣୁଧର ବସି ବସି ଅନେକ କିଛି ଭାବି ଚାଲିଛନ୍ତି । ଦିଗମ୍ୱରର ସବୁ ଜିନିଷ ଉଠିଯିବା ପରେ ଘରଟା ଭାରି ଖାଁ-ଖାଁ ଲାଗୁଚି । ତାଙ୍କ ଉଦାସ ଆଖି ଶୂନ୍ୟଖଟକୁ ଚାହିଁ ଦେବାବେଳକୁ ଚଟାଣ ଉପରେ ଖଣ୍ଡେ କାଗଜ ତାଙ୍କ ଦୃଷ୍ଟିକୁ ଆସିଲା । ଆଗ୍ରହହୀନ ଭାବରେ ସେ ଉଠେଇ ଆଣିଲେ କାଗଜ ଖଣ୍ଡକୁ । ଖୋଲି ଦେଖିବା ମାତ୍ରେ ଚମକି ପଡ଼ିଲା ପରି ଅନୁଭବ କଲେ । ଜଣେ ଚିତ୍ରକରର ହାତଅଙ୍କା ସୁନ୍ଦର ଚିତ୍ରପଟ । କଉଠୁ ଆସିଲା ଏଠିକି । ଅବିଶ୍ୱସନୀୟ ଭାବରେ ଯାହା ଅସମ୍ଭବ । ଇଏ ଯେ ତାଙ୍କ ସ୍ତ୍ରୀ ସୁଲୋଚନାର ଫଟୋଚିତ୍ର । ସେଇ ଆଖି, ତରଙ୍ଗାୟିତ କେଶ, ସେଇ ଲାଜଲାଜ ହସ. . . ସବୁକିଛି ।

ଅନ୍ୟମନସ୍କତାର ମୋହରୁ ମୁକ୍ତ ହେଇ ଚିତ୍ରପଟର ତଳକୁ ଚାହିଁଲେ, ଯେଉଁଠି ସୁନ୍ଦର କଳାତ୍ମକ ଢଙ୍ଗରେ ଲେଖାଯାଇଚି- “ଦିଗମ୍ୱର” !

ଲୋକପ୍ରିୟ ଲେଖା

To Top