ଗଳ୍ପ

ପ୍ରିୟତମର ଆଖି ଯୋଡ଼ିକ

Anasuya Panda's odia story Priyatamara Aakhi Jodika

ଆନନ୍ଦ ତୁମେ ଭୁଲ କରିଦେଇଛ, ସେଦିନ ମୁହଁ ନ ଖୋଲି ତୁମେ ବହୁତ ଭୁଲ କରି ଦେଇଛ ! ବହୁତ ବଡ଼ ଦାମୀ ଜିନିଷ, ତୁମ ପ୍ରେମିକା କୁ ହାତ ଛଡ଼ା କରି ଦେଇଛ ।

ପ୍ରିୟତମର ଆଖି ଯୋଡ଼ିକ

ସତରେ ପ୍ରେମର କି ମଧୁରତା ଥାଏ ! ଟିକିଏ କହିବାରେ, ଟିକିଏ ଛୁଆଁ ରେ ଆନନ୍ଦର ନଦୀ ବୁହାଇ ଦିଏ, ଯାହା ନା ମାନେ ମନର ଶାସନ, ସାମାଜିକ ବନ୍ଧନ, ସମ୍ପର୍କର ଆହ୍ୱାନ ।

ଅନୀମା ପୁଣି ସେହି ଅବୁଝା ଯୁବତୀ ଟିଏ ହୋଇ ଯାଉଥିଲା । ସେ ଭୁଲିଯାଉଥିଲା ସେ ତାର ଅଢ଼େଇ ବର୍ଷର ଝିଅକୁ କାଖେଇଛି । ୟୁନିଭର୍ସିଟିରୁ କମ୍ପ୍ୟୁଟରରେ ସ୍ନାତକ ଡିଗ୍ରୀ ଲାଭ ପରେ ସେ ତାଙ୍କ ଗାଁ ପାଖ ଇଞ୍ଜିନିଅରିଂ କଲେଜରେ ଅଧ୍ୟାପିକା ଭାବେ ଯୋଗ ଦେଇଥିଲା । କୌଣସି କ୍ୟାମ୍ପସ୍‌ ସିଲେକ୍‌ସନରେ ଅନୀମା ଚାକିରୀ ପାଇଁ ନ ଥିଲା । ବାହାରକୁ ଯାଇ ଚାକିରୀ ଖୋଜିବାକୁ ଘରେ ରାଜି ନ ଥିଲେ । ଗୋଟିଏ ବୋଲି ଗେହ୍ଲା ଝିଅ । ବାପା ଭାବୁଥିଲେ ବାହାଘରଟା ସାରିଦେଲେ, ସେ ତାର ଯାଇ ଯାହା କରିବା କଥା କରୁ ।

ଦୁନିଆର ବହୁତ ମଣିଷଙ୍କୁ ଆମେ ଦିନସାରା ଭେଟୁ ମାତ୍ର ଏ ଆଖି ଗୋଟିଏ ମନର ମଣିଷ ଠାରେ ଯାଇ ଲାଖି ରହେ , ବାରମ୍ବାର ଦେଖିବାକୁ ଇଚ୍ଛା କରେ । ଏ ମନ ସେଇ ଗୋଟିଏ ମଣିଷକୁ ଖୋଜେ, ଧ୍ୟାନ ସେଇ ଗୋଟିଏ ଲୋକ ଠି ହିଁ ସ୍ଥିର ହୋଇ ରହେ ।

ଆନନ୍ଦ ମଧ୍ୟ ସେଇ ଇଞ୍ଜିନିଅରିଂ କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇ, ଉଚ୍ଚତର ଗବେଷଣା କରିବାକୁ ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେଉଥିଲେ । ପ୍ରଥମ ଦିନରୁ ପ୍ରଥମ ଦେଖାରେ ସେ ସୌମ୍ୟା ଦର୍ଶୀ, ମେଧାବୀ ଆନନ୍ଦଙ୍କୁ ସେ ଭଲ ପାଇଁ ବସିଥିଲା । ଅନୀମା ଆନନ୍ଦଙ୍କ ଠାରୁ ପଦଟି ଶୁଣିଲେ ତା ମନ ଆନନ୍ଦରେ ନାସାହିଯାଏ । କେବେ କେବେ ବସ୍‌ରେ ଏକାଠି ପାଖାପାଖି ସିଟ୍‌ରେ ବସି ଗଲାବେଳେ ଦେହକୁ ଦେହ ଟିକେ ଲାଗିଗଲେ ଯେଉଁ ଉନ୍ମାଦନା ସେ ଅନୁଭବ କରେ ବୋଧେ କୌଣସି ଶବ୍ଦ ତାକୁ ବର୍ଣ୍ଣନା କରି ପାରିବ ନାହିଁ । ଚଷମା ଭିତରୁ ଆନନ୍ଦ ଯେତେବେଳେ ତାକୁ ଚାହିଁ ଦିଅନ୍ତି, ଶିହରୀ ଉଠେ ଅନୀମା । ପୁରା ପୁରି ଗାଧୋଇ ଯାଏ ଆନନ୍ଦଙ୍କ ପ୍ରେମରେ, ପୁଲକି ଯାଏ ତାର ତରୁଣୀ ମନ । ତାର ଦିନ ଆରମ୍ଭ ହୁଏ ଆନନ୍ଦଙ୍କୁ ପାଇବାର ଇଚ୍ଛାରେ ଆଉ ରାତି ସରିଯାଏ ଆନନ୍ଦଙ୍କର ସାନିଧ୍ୟ ବାସ୍ତବରେ ପାଇବାର ସ୍ୱପ୍ନରେ । ଅନୀମା ଭାବେ ସେ ଦୁନିଆର ସବୁଠୁ ଧନୀ ନାରୀଟିଏ ଯାହାକୁ ବୁଝି ପାରୁଥିବା ପ୍ରେମିକ ଟିଏ ଅଛି ।

ସୁଖର ଦିନ ସବୁ ବେଶୀଦିନ ଆମ ପାଖରେ ରହିଲେ ଆମେ ଜୀବନର ବାସ୍ତବତା ଜାଣି ପାରନ୍ତେ ନାହିଁ । ଆନନ୍ଦ ଉଚ୍ଚତର ପଢ଼ା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥାନ୍ତି, ଏ ଭିତରେ ଅନୀମାର ବାହାଘର ସୌଭାଗ୍ୟଙ୍କ ସହ ଠିକ ହୋଇଯାଇଥିଲା । ଅନୀମା ତାଙ୍କ ଘରେ ଯେତେ ମନା କଲେ ବି, ତା ବାପାଙ୍କର ଏକା ଜିଦ, ପ୍ରସ୍ତାବଟି ସବୁ ଦୃଷ୍ଟିରୁ ଭଲ, ପିଲାଟି ଦେଖିବାକୁ ବି ଭଲ, ଗୁଣରେ ମଧ୍ୟ ଭଲ ଜଣା ପଡୁଛି, କମ୍ପାନୀ କାମରେ ବିଦେଶ ଯାଉଛି, ସେଠାରେ କିଛି ଦିନ ମଧ୍ୟ ରହିବ ।

ଅନୀମା ଲୁହ ଛଳ ଛଳ ହୋଇ ଆନନ୍ଦଙ୍କୁ ଏ କଥା କହିଲା ।

“ଅନୀମା ମୋ ପାଇଁ କିଛି ଦିନ ଅପେକ୍ଷା କରିଯାଅ । ପରୀକ୍ଷା ଫଳ ଆଉ ଅଳ୍ପ ଦିନରେ ବାହାରିବ , ମୁଁ ତୁମ ବାପାଙ୍କ ପାଖକୁ ଏକ ପ୍ରାଇଭେଟ କଲେଜ୍‌ର ଅଧ୍ୟାପକ ହିସାବରେ ନୁହେଁ , ସେ ଗୌରବେ ମୁଣ୍ଡ ଟେକି ଯାଇ ତୁମ ହାତ ମାଗି ପାରିବି । ତୁମେ ଚିର ଦିନ ମୋର, ସମ୍ପୂର୍ଣ୍ଣ ଭାବେ ମୋର ।” ମାତ୍ର ଏମିତି କିଛି ଆନନ୍ଦ କହିଲେ ନାହିଁ, ନିରୁତ୍ତର ରହିଲେ ।

ସୌଭାଗ୍ୟଙ୍କୁ ବାହା ହୋଇ ଅନୀମା ତାଙ୍କ ସହ ଆମେରିକା ଗଲା । ଜୀବନ ଚାହିଁ ଥିବା ପରି ଖୁସିରେ କଟୁଥିଲା । ସେଠି ଆନନ୍ଦ କେବେ କେବେ ତା ଭାବନା ରାଇଜରେ ଆସନ୍ତି ସିନା ହେଲେ ସବୁବେଳେ ଅସ୍ଥିର କରନ୍ତି ନାହିଁ ତାକୁ ।

ଏତେ ବର୍ଷ ପରେ ନୂଆ ବର୍ଷ ସମୟରେ ଅନୀମା ତାଙ୍କ ଘରକୁ ଆସିଥିଲା । ପୁରୁଣା ଦିନ ମାନଙ୍କର ନୂଆ ବର୍ଷ ସମୟରେ ଗ୍ରୀଟିଙ୍ଗ କାର୍ଡ ଦେବା ନେବା, ଅଭିନନ୍ଦନ ଜଣାଇବାର ଯେଉଁ ଉତ୍ସାହ ଆଉ ଏବେ ନ ଥିଲା । ଆଗ ପରି ଏବେ ଆଉ ଗ୍ରୀଟିଙ୍ଗ କାର୍ଡ ଦୋକାନ ସବୁ ନୂଆବର୍ଷ ପୂର୍ବରୁ ବଜାର ରେ ବସି ନ ଥିଲା । ଏବେ ତ ଛୋଟ ଛୋଟ ପିଲା ମଧ୍ୟ ମୋବାଇଲ ଧରି ବୁଲୁଛନ୍ତି, ଆଉ କମ ପଇସା ରେ ସୀମା ନ ଥିବା ଇଣ୍ଟରନେଟ୍‌ର ସୁବିଧା, ତେଣୁ ଇ କାର୍ଡ ର ପ୍ରସାର ଖୁବ୍‌ ଚାଲିଥିଲା ।

ସବୁ ବର୍ଷ ପରି ନୂଆବର୍ଷ ପୂର୍ବରୁ ତାଙ୍କ ଜିଲ୍ଲାର ମହୋତ୍ସବ ହେଉଥିଲା । ଏତେ ଦିନ ପରେ, ଏ ସମୟରେ ଘରେ ଅଛି, ତେଣୁ ମହୋତ୍ସବକୁ ଯିବାକୁ ପାଖ ପଡ଼ିଶା ଘରର ଭାଉଜ ପ୍ରସ୍ତାବ ଦେଲେ, କଥା ଅନୁସାରେ ମହୋତ୍ସବ ଦେଖିବାକୁ ସେଦିନ ସଂଧ୍ୟା ପୂର୍ବରୁ ସମସ୍ତେ ବାହାରିଲେ । ରାତି ବେଶୀ ହେଲେ ଶୀତ ମଧ୍ୟ ହେବ ।

ମେଳା ଦେଖିବେ କଣ, ଖେଳନା ଦୋକାନରେ ପିଲାଙ୍କର ଆଖି ଲାଖି ରହିଲା । ପିଲାମାନଙ୍କୁ ଯେତେ ଟାଣିଲେ ବି ନଛାଡ଼ ବନ୍ଧା । ଏଇଟା ନେବୁ, ସେଇଟା ନେବୁ କିଣିବାକୁ ମନା କଲେ ସୁନ୍ଦର ଫୁଲ, ନ ହେଲେ କାଳ । ଅନୀମାର ଅଢ଼େଇବର୍ଷର ଛିଅ ‘ନିକି’ ତ ବେଶୀ ଜିଦି କରୁଥିଲା ।

ହଠାତ୍ ଅନୀମାକୁ ଲାଗିଲା ତାକୁ ଦୁଇଟି ଆଖି ଅନୁସରଣ କରୁଛି । ଆଉ ସେଆଖି ଦୁଇଟି ତାର ଖୁବ୍ ପରିଚିତ, ଓ ନିଜର । ସେ ଝିଅର ପସନ୍ଦ ଅନୁସାରେ ଖେଳନା କିଣାରେ ମନଯୋଗ ଦେଉଥିଲା । ଆଉ ସେ ଆଖି ଦୁଇକୁ ବେଶୀ ଖୋଜିବାରେ ଲାଗିଲା ।

ହଁ, ସେ ଠିକ୍ ଅନୁମାନ କରୁଥିଲା, ସେ ଆଖି ଜୋଡ଼ିକ ତାକୁ ବୁଲି ବୁଲି ଦେଖୁଥିଲେ । ଏ ଚଷମା ପିନ୍ଧା ଆଖି ଦୁଇଟି ଆନନ୍ଦଙ୍କର ବୋଲି ଅନୀମା ପୂରା ପୂରି ଅନୁମାନ କରିନେଲା । ମାତ୍ର ସେ ଭାବିପାରିଲାନି ଯେ ଆନନ୍ଦ କଣ ପାଇଁ ଏଠି ଥିବେ ? ନା ତା ପାଖରେ ଆନନ୍ଦଙ୍କ ଠିକଣା ନା ଫୋନ୍ ନମ୍ବର ନା କିଛି ଖବର ଥିଲା । ନିଜର ବଡ଼ିମା ଦେଖାଇବାକୁ ପୂରା ପୂରି ଆଖି ସହ ଆଖି ନ ମିଶାଇ, ନିଜ ଅନୁମାନକୁ ପୂରା ଠିକ୍ ବୋଲି ଭାବିନେଲା । ତା ଝିଅକୁ ତଳୁ ଉଠାଇ ନେଇ କାଖେଇ ଟିକେ ଗେଲ କରିନେଲା । ହୀରା ବସା ମଙ୍ଗଳସୂତ୍ରକୁ ଟିକେ ଡ୍ରେସ୍‌ର ବାହାରକୁ କାଢ଼ି ସଜାଇ ପକାଇ ଦେଲା, ଘରୁ ଆସିଲା ବେଳେ ବାପା କହିଥିଲେ ମେଳାର ଅସାମାଜିକ ପିଲାମାନେ ଚେନ୍ ଫେନ୍ ଟାଣି ନେଉଛନ୍ତି ତେଣୁ ବେକରେ ଓଢ଼ଣୀ ଘୋଡ଼ା ଘୋଡ଼ି ହୋଇ ଯିବ । ମାତ୍ର ସେ କଥାରେ ଅନୀମାର ନିଘା ନଥିଲା । ତା ସୁଇସ୍ ଦାମୀ ଘଣ୍ଟାଟିକୁ, ଲମ୍ବା ହାତ ବାଲା କୁର୍ତ୍ତାରୁ ବାହାରକୁ ଦେଖାଗଲାପରି ଟିକେ ଠିଲାକରି ଠିକ୍ କରି ନେଲା । ଅନୀମା ଜଣାଇ ଦେବାକୁ ଚାହୁଁଥିଲା ଯେ ସେ ତା ସ୍ୱାମୀଙ୍କ ସହ ଖୁବ୍ ଖୁସିରେ ଅଛି । ବୈବାହିକ ଜୀବନର ସବୁ ସୁଖ ଭୋଗ କରୁଛି । ଜଣା ନାହିଁ ଆନନ୍ଦକୁ ବାହା ହୋଇଥିଲେ ଏ ସବୁ ସୁଖ ତାକୁ ଦେଇପାରିଥାନ୍ତେ କି ନାହିଁ ? “ଆନନ୍ଦ ତୁମେ ଭୁଲ କରିଦେଇଛ, ସେଦିନ ମୁହଁ ନ ଖୋଲି ତୁମେ ବହୁତ ଭୁଲ କରି ଦେଇଛ ! ବହୁତ ବଡ଼ ଦାମୀ ଜିନିଷ, ତୁମ ପ୍ରେମିକା କୁ ହାତ ଛଡ଼ା କରି ଦେଇଛ ।”

ନା ଅନୀମା ଯାଇ ଆଖିକୁ ଆଖି ମିଳାଇ କଥା ହେଲା ,ନା ତାଙ୍କ ଫୋନ୍ ନମ୍ବର ମାଗିଲା :ମେଳାରେ ବୁଲିଲା ବେଳେ, ସାରା ସମୟ ଅନୀମାର ମନ ସେଇ ଆଖି ଦୁଇଟି ପାଖରେ ରହିଗଲା ।

କିଛି ସମୟ ପରେ ସେ ଭାବିଲା, ଦିନେ ସେଇ ଆଖି ଜୋଡ଼ିଙ୍କର ଟିକିଏ ଚାହାଣି ପାଇଁ ସେ ଅନାଇ ରହିଥିଲା , ପ୍ରାଣ ଦେଇ ଆନନ୍ଦଙ୍କୁ ଭଲପାଉଥିଲା । ଏତେ ବର୍ଷ ପରେ ସେ ତାଙ୍କୁ ଭେଟିଲା, ଅନ୍ତତଃ ସେ ତାଙ୍କ ଫୋନ୍ ନମ୍ବରଟା ତ ଆଣି ପାରିଥାନ୍ତା ? ହେଲେ ସେ ପୂରା ପୂରି ତାଙ୍କ ମୁହଁ କୁ ଟିକେ ବି ଚାହିଁ ପାରିଲା ନାହିଁ ! କଣ ଏଇଆ ତାର ଭଲପାଇବା ? ସେ ତ ଆନନ୍ଦକୁ ଜାଣେ, ସେ କେତେ କମ୍ କଥା କୁହନ୍ତି ଓ ଲାଜକୁରା ?

ମେଳାରେ ବୁଲୁଥିଲା ସିନା ଅନୀମା ହେଲେ ତାର ଆଖି ଦୁଇଟି ଆନନ୍ଦ, ଆନନ୍ଦଙ୍କୁ ହିଁ ଖୋଜିବାରେ ଲାଗିଲା । “ହେଲେ ଯଦି ସେ ସୌଭାଗ୍ୟଙ୍କ ସହ ଖୁସିରେ ଅଛି, ତେବେ ଆନନ୍ଦଙ୍କୁ ଭୁଲିପାରୁନି କଣପାଇଁ ? ମନ ଗହନର କଥା ବଡ଼ ଅଜଣା, କିଏ ବା ଜାଣେ ତାର ଠିକଣା ?” ଅନୀମା ନିଜେ ନିଜକୁ ପଚାରି ଟିକେ ଚମକି ପଡ଼ିଲା ।

ବୁଲା ବୁଲି, ଚାର୍ଟ, ଗୁପ୍‌ଚୁପ୍, ମଥୁରାକେକ୍ ଖିଆପିଆ ପର୍ବ ବି ସରିଲା । ଏଥର ଘରକୁ ଫେରିବା ବେଳ, ତଥାପି ଅନୀମା ମନେ ମନେ ଆନନ୍ଦଙ୍କୁ ଖୋଜୁଥାଏ ଓ ନିଜକୁ ନିଜେ ବହୁତ ଗାଳି ଦେଉଥାଏ । ଯେତେବେଳେ ଦେଖାହେଲା ସେତେବେଳେ କଣ ପାଇଁ ନିଜ ଆଡ଼ୁ ଯାଇ କଥା ନ ହେଲା । କଣ ଅପେକ୍ଷା କରିଥିଲା, ଆନନ୍ଦ ଆସି ତା ହାତ ଧରି ସେ କରିଥିବା ଭୁଲ ପାଇଁ କ୍ଷମା ମାଗିବେ ?” ନା ସେ ଆଉ ଦେଖା ହେବନି !

ନିକିକୁ କାଖେଇ ଅନ୍ୟମାନଙ୍କ ସହ ପ୍ରସ୍ଥାନ ଗେଟ୍ ଆଡ଼କୁ ଗଲା ବେଳେ, ବାଟରେ ଗୋଟେ ଦୋକାନରେ ସେଇ ସ୍ୱେଟର ଓ ଟୋପି, ଚଷମା ପିନ୍ଧିଥିବା ଭଦ୍ରବ୍ୟକ୍ତି ଯାହାକୁ ସେ ଏପର୍ଯ୍ୟନ୍ତ ଆନନ୍ଦ ବୋଲି ଭାବି ଆସିଥିଲା, ତାଙ୍କୁ ଦେଖିବାକୁ ପାଇଲା । ଏଥର ଅନୀମା ତାଙ୍କ ମୁହଁକୁ ଚାହିଁଲା । ଆନନ୍ଦ ଟିକେ ମୋଟା ହୋଇଯାଇଛନ୍ତି କି ? ଶୀତବସ୍ତ୍ର ଓ ଏତେ ଦିନ ପରେ ଦେଖିବାକୁ ଅନୀମା ଠିକ୍‌ରେ ଚିହ୍ନିପାରୁ ନଥିଲା । ସେ ସାହାସ କରି ନିଜକୁ ଧରି ସେ ଦୋକାନ ପାଖରେ ପହଞ୍ଚି ସେ ଭଦ୍ରବ୍ୟକ୍ତିଙ୍କୁ ପଚାରିଲା “ସାର୍, ଆପଣ ‘ଏନ୍.ଟି ଇଞ୍ଜିନିୟରିଂ’ କଲେଜରେ ଅଧ୍ୟାପକ ଥିଲେ କି ?” “ନାଇ ମାଡ଼ାମ୍” କହି ଭଦ୍ରବ୍ୟକ୍ତି ଜଣଙ୍କ ଦୋକାନୀ ହାତରୁ, କିଣିଥିବା ବରାଜରିଟା ଧରି ପ୍ରସ୍ଥାନ ଗେଟ୍ ଆଡ଼କୁ ମାଡ଼ି ଚାଲିଲେ । ଭଦ୍ରବ୍ୟକ୍ତିଙ୍କୁ ପଚାରିବା ବେଳକୁ ତାଙ୍କ ଆଖିରେ ଅନୀମା ଆଖି ମିଶାଇ ଜାଣିଲା ସେ ଯେଉଁ ଆଖି ଜୋଡ଼ିକ ଆନନ୍ଦଙ୍କର ବୋଲି ଭାବି ସାରା ସଂଧ୍ୟା ବେଳଟା ମେଳାରେ ବୁଲିବାର ମଜା ନେଇପାରି ନଥିଲା ସେ ତାର ପ୍ରିୟତମାର ଆଖି ନଥିଲା ।

ଲୋକପ୍ରିୟ ଲେଖା

To Top