ଗଳ୍ପ

ପୁନଶ୍ଚ ବର୍ଷା

Manorama Mishra's odia Story Punascha Barshaa

ଧୀରେ ଧୀରେ ବର୍ଷାରେ ହୋଇଥିବା ସବୁ କ୍ଷତିକୁ ଭରଣା କରିବାରେ ଲାଗିପଡ଼ିଲେ । କିନ୍ତୁ ସେ ଓ ତାଙ୍କ ପତ୍ନୀ କ’ଣ ଜାଣିଥିଲେ ତାଙ୍କ ପାଇଁ ଆହୁରି ବର୍ଷା ବାକି ଅଛି ବୋଲି ।

ପୁନଶ୍ଚ ବର୍ଷା

ପ୍ରାଣନାଥବାବୁ ଏଥର ବର୍ଷାବେଳେ ଖୁବ୍ ଦେହ ଖରାପ ପଡ଼ିଲେ । ପ୍ରଥମେ ଟିକେ ଥଣ୍ଡା ସର୍ଦ୍ଦି ହେଲା । ପରେ ଦେହ ସାମାନ୍ୟ ଉଷୁମ ଲାଗିଲା । ସ୍ତ୍ରୀ ବ୍ୟସ୍ତ ହୋଇ ପଡ଼ିଲେ । ମାତ୍ର ପ୍ରାଣନାଥବାବୁ ନିର୍ବିକାର । ସ୍ତ୍ରୀଙ୍କ ସତର୍କତାର ବ୍ୟସ୍ତତାକୁ ଫୁଟ୍‌କି ମାରି ଉଡ଼ାଇ ଦେଇ ସେମିତି ବର୍ଷାରେ ବର୍ଷାତିଟା ଦେହରେ ଗଳାଇ ନିଜ ଦୁଇଚକିଆରେ ପାଞ୍ଚକିଲୋମିଟର ଦୂର ନିଜର ଦୋକାନକୁ ଯିବା ଆସିବା କଲେ । ଦୋକାନମାନେ କିଛି ଲୁଗା, ଶାଢ଼ୀ ଏବଂ ବଡ଼ ଓ ସାନମାନଙ୍କର ପୋଷାକପତ୍ର । କିନ୍ତୁ ଯିବା ଆସିବାର ଏ ଭିଡ଼ ପ୍ରାଣନାଥବାବୁଙ୍କର ଦେହ ସହ୍ୟ କଲାନି । ଖୁବ୍ କମ୍ ଦିନ ଭିତରେ ତାଙ୍କୁ ଥଣ୍ଡାରୁ କଫ ହୋଇଗଲା ଏବଂ ଦେହର ସାମାନ୍ୟ ଉଷ୍ମତା ଶହେ ଏକ ଶହେ ଦୁଇ ଉତ୍ତାପରେ ପହଞ୍ଚଗଲା । ଦେହହାତ ପ୍ରବଳ ବିନ୍ଧା ପାଟିକୁ କିଛି ରୁଚିଲାନି । ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ କ୍ରମେ ଜଣା ପଡ଼ିଲା ଭାଇରାଲ୍ ଫିଭର୍ ।

ପ୍ରାଣନାଥ ବାବୁଙ୍କ ପତ୍ନୀ ବ୍ୟସ୍ତ ହୋଇ ତାଲିମପ୍ରାପ୍ତ ନର୍ସଟିଏ ଭଳି ସେବା ଶୁଶ୍ରୂଷାଠୁ ଆରମ୍ଭ କରି ଔଷଧ ଦେବା, ସ୍ୱାମୀଙ୍କ ରୋଗକୁ ଚାହିଁ ଆବଶ୍ୟକ ମୁତାବକ ଖାଦ୍ୟ ରାନ୍ଧି ଖୁଆଇବା ସବୁ ସୁଚାରୁ ରୂପେ ତୁଲାଇବାରେ ଲାଗିଲେ । ବର୍ଷାଦିନ ସବୁପ୍ରକାର ଅସୁବିଧା । ଏତେ ସତ୍ତ୍ୱେ ଆବଶ୍ୟକ ଔଷଧ, ଉପଯୁକ୍ତ ସେବା ଶୁଶ୍ରୂଷାରେ କିଛିଦିନ ଅନ୍ତେ ରୋଗ ଉପଶମ ହୋଇଗଲା । କିନ୍ତୁ ପ୍ରାଣନାଥବାବୁଙ୍କୁ ଲାଗିଲା ପ୍ରାଣଟି ତାଙ୍କର ଯାଉ ଯାଉ ଫେରି ଆସିଲା । ଦୁର୍ବଳତା କଟିବାକୁ ଲାଗିଗଲା ପ୍ରାୟ କିଛିଦିନ ।

ପ୍ରାଣନାଥବାବୁ ସମ୍ପୂର୍ଣ୍ଣ ସୁସ୍ଥ ହେଲାବେଳକୁ ବର୍ଷାଦିନ ସରି ଆସିଲାଣି । ଖାଲି ସରି ଆସିନି ତା’ ସହିତ ଭାଙ୍ଗି ଦେଇଯାଇଛି ବାରିପଟ ସୀହାଲାର ମାଟିକାନ୍ଥରୁ ଗୋଟେ ବଡ଼ ଅଂଶ । ଦାଣ୍ଡପଟ ପୁରାତନ ଛାତକୁ ଭିଜେଇ ଝରାଇ ଦେଇଛି ଏତେ ପାଣି ଯେ କାନ୍ଥ, ଚଟାଣ, ଖଟ ପୁରୁଣା କାଠ ଆଲମାରୀ ସବୁ ଭିଜି ରହିଛି । ଅର୍ଥାତ୍ ଦାଣ୍ଡପଟର ଦୁଇ ବଖରା ଘର ବ୍ୟବହାର ଉପଯୋଗୀ ହୋଇ ରହିନାହିଁ କହିଲେ ଚଳେ । ତେବେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛି ପ୍ରାଣନାଥ ବାବୁଙ୍କ ଭାତହାଣ୍ଡି ସଦୃଶ ଦୋକାନଟି । ପ୍ରଥମତଃ ବର୍ଷା, ଦ୍ୱିତୀୟତଃ ପ୍ରାଣନାଥବାବୁଙ୍କ ଅନୁପସ୍ଥିତି ଦୋକାନକୁ ଦୁର୍ଗତି ପହଞ୍ଚାଇଛି ।

ବର୍ଷା ଛାଡ଼ିଯାଇ ଚାରିଆଡ଼ କିଛି କିଛି ଶୁଖିଆସିଲାଣି । ବିଶେଷ କରି ପ୍ରାଣନାଥବାବୁଙ୍କ ପତ୍ନୀ ଯେଉଁଦିନ ତାଙ୍କ ବର୍ଷାତିଟି ଖରାରେ ଶୁଖାଇ ସଯତ୍ନରେ ଭାଙ୍ଗିଭୁଙ୍ଗି ରଖିଦେଲେ ଅନ୍ତତଃ ଆଉ ଏଥର ଦରକାର ନାହିଁ ବୋଲି ବିଶ୍ୱାସଟିଏ ପୋଷଣ କରି ସେଦିନ ପ୍ରାଣନାଥବାବୁ ମଧ୍ୟ ବୁଝିଗଲେ ଯେ ପ୍ରକୃତରେ ବର୍ଷାଗଲା । ଆଉ ଆସିବନି । ତେଣୁ ଧୀରେ ଧୀରେ ବର୍ଷାରେ ହୋଇଥିବା ସବୁ କ୍ଷତିକୁ ଭରଣା କରିବାରେ ଲାଗିପଡ଼ିଲେ । କିନ୍ତୁ ସେ ଓ ତାଙ୍କ ପତ୍ନୀ କ’ଣ ଜାଣିଥିଲେ ତାଙ୍କ ପାଇଁ ଆହୁରି ବର୍ଷା ବାକି ଅଛି ବୋଲି ।

ଖୁବ୍ କମ୍ ଦିନପରେ ଅକସ୍ମାତ ସେମାନଙ୍କର ଏକମାତ୍ର ଝିଅ ମାନୁ ଦୁଇବର୍ଷର ଛୁଆଟିକୁ ଧରି ବସଷ୍ଟାଣ୍ଡରେ ଓହ୍ଲାଇ ଦୁଇ କିଲୋମିଟର ରାସ୍ତା ଖରାରେ ଚାଲି ଚାଲି ଆସି ପହଞ୍ଚିଲା ତାଙ୍କ ଘରେ । ଦେହ ମୁହଁ ତା’ର ଖରାରେ ସିଝି ଯାଇଛି । ପିଲାଟିର ଅବସ୍ଥା ଆହୁରି ଦୟନୀୟ ।

ମାନୁର ଓଜନିଆ ମୁହଁ ଦେଖି ବାପା, ମା’ ଦୁହେଁ ଆଶଙ୍କିତ ହୋଇ ଏକାବେଳକେ ପଚାରିଲେ, “କଥା କ’ଣ ? ଏମିତି ଏକା ଏକା ଚାଲିଆସିଲୁ” ସେମାନଙ୍କ ପ୍ରଶ୍ନରେ ମାନୁ ମୁହଁର ସେ ଗମ୍ଭୀର ଘନଘଟା ଅସରା ବର୍ଷା ହୋଇ ତା’ ଦୁଇ ଆଖିରୁ ଝରିଆସିଲା । ଝିଅର କାନ୍ଦୁରା ସ୍ୱରରୁ ଏମାନେ ବୁଝିଲେ ଯେ, ମାନୁର ସ୍ୱାମୀ ଆରଥର ଏମାନଙ୍କଠାରୁ ଟଙ୍କା ନେଇ ଯେଉଁ ଦୋକାନ କରିଥିଲା ଏ ବର୍ଷାରେ ସେଠି ବିଦ୍ୟୁତ ସର୍ଟ ସର୍କିଟ୍ ହୋଇ ତାହା ପୋଡ଼ିଯାଇଛି । ଦୋକାନ ସଜାଡ଼ିବା ପାଇଁ ତାଙ୍କର ଏଥର ବି ମାନୁ ବାପାଙ୍କଠାରୁ ଟଙ୍କା ନେବା ଦରକାର । ମାନୁ ଯେତେ ଅନୁନୟ କରି ବୁଝାଇଲା, ବାପା ଆଦୌ ଆଉ ପଇସା ଦେଇପାରିବେନି ସେମାନେ ବୁଝିଲେନି । ବରଂ ଶାଶୁ ଶ୍ୱଶୁର ଓ ସ୍ୱାମୀ ତାକୁ ଜବରଦସ୍ତି ପଠାଇ ଦେଇଛନ୍ତି ଏଇ ସର୍ତ୍ତରେ ଯେ ବାପାଠାରୁ ତିରିଶ ହଜାର ଟଙ୍କା ଆଣିବୁ ତ ଆସିବୁ ନଚେତ୍ ସେଠି ସବୁଦିନ ରହିବୁ ।

ପ୍ରାଣନାଥବାବୁ ଓ ତାଙ୍କ ପତ୍ନୀ ପରସ୍ପରକୁ ଚାହିଁଲେ । ଏ ଘଡ଼ିସନ୍ଧି ବେଳାରେ ଟଙ୍କା । ପୁଣି ତିରିଶ ହଜାର । ମାନୁ ଆଖିରେ ଶ୍ରାବଣ ବନ୍ୟା, ଯାହା ଥମୁନାହିଁ । ଥମିବାର କୌଣସି ଆଶା ବି ନାହିଁ । ପ୍ରାଣନାଥବାବୁ ମନେ ମନେ ଭାବୁଥିଲେ, ବର୍ଷା ପରା ଚାଲିଯାଇଥିଲା, ପୁଣି ଅଚାନକ କେଉଁଠୁ ଆସିଲା । ସ୍ତ୍ରୀ ତାଙ୍କର ବଲବଲ କରି ଝିଅ ମୁହଁକୁ ଚାହିଁ ହୁଏତ ସେଇ କଥା ଭାବୁଥିଲେ ।

ଲୋକପ୍ରିୟ ଲେଖା

To Top