ଗଳ୍ପ

ପୁନଶ୍ଚ

Kalindicharana Panigrahi's odia story Punashcha

ପୁଅ ବି ତା’ର “ପୁନଶ୍ଚ” କଥାଟାକୁ ତ ବୁଝିପାରିବ ନି । ତିଆଡ଼ି ଚିଠିଟାକୁ ଏଡ଼େ ଭଲ କରି ଲେଖିଥିଲେ । ଶେଷରେ ଖଣ୍ଡିଆ ରାମ ଖାଁ କେଉଁଠି ଥିଲା, ବାହାରି ପଡ଼ି ଗୋଟାଏ “ପୁନଶ୍ଚ” ଲେଖେଇ ଦେଲା ।

ପୁନଶ୍ଚ

ଶ୍ରୀ ଶ୍ରୀ ଶ୍ରୀ ମା’ ସାରଳାଙ୍କ ଚରଣେ ଶରଣ । ବାପ ସିନ୍ଧୁଆକୁ ତା’ ବୁଢ଼ୀମା’ର ତ୍ରିକାଳ ସନ୍ଧ୍ୟାରେ ସୁକଲ୍ୟାଣ । ଲେଖିବାର କାରଣ ଏହିକି ଆମ୍ଭର ଏଠାରେ ସର୍ବେବ କୁଶଳ । ତୁମ୍ଭଙ୍କୁ ମା’ ସାରଳା ଘଣ୍ଟ ଘୋଡ଼ାଇ ରଖିଥାଉ । ବାପ ସିନ୍ଧୁ ତୁ ପଠାଇଥିବା ଦଶଟି ଟଙ୍କା ପାଇଥିଲି । ଡାକବାଲା ପାଉଣାକୁ ଦି’ଅଣା ନେଲା । ତିନିଟଙ୍କା ସାତଅଣା ନାରଣ ସାହୁ ଦୋକାନରେ ଉଧାର ସୁଝିଲି । ୪ ଟଙ୍କାରେ ଧାନ କିଣି ଖାଉଛି । ରଥିଆ ମୁଦୁଲି ଗାଈ ବାଛୁରୀ ଯୋଡ଼ିକ କାଞ୍ଜିହସରେ ପକାଇ ଦେଲା । ଟଙ୍କେ ଦି’ଅଣା ନେଇ ମୁକୁଳାଇ ଆଣିଲି ।

ନେ ଏଥର ସରିଲା ତ । ମାଧବ ତିଆଡ଼ି କଲମଟାକୁ କାନରେ ଖୋଷି ଚଷମା ଫାଙ୍କରେ ତେରଛେଇ ସିନ୍ଧୁଆ ମା’କୁ ଚାହିଁଲେ । ବୁଢ଼ୀ ନିକୁଟି ସିକୁଟି ହୋଇ ତିଆଡ଼ିଙ୍କ ମୁହଁରୁ ଚିଠି ଶୁଣୁଥାଏ । ବାଃ କେଡ଼େ ଭଲ କରି ଲେଖିଛି ସତେ । ନେଉରା ହୋଇ କହିଲା, “ଖାସା ନେଖିଚ ବାପ ? ତମର ବଡ଼ତିରୁ ବଡ଼ତି ହେଉ । ଆଉ ଖାଲି ପଦୁଟାପ- ମୋ ବାପପରା !” ତିଆଡ଼ିଙ୍କର ଆଙ୍ଗୁଳିଏ ବହଳ ରୂଢ଼ ଉଠିଥିବା ଚିବୁକଟିକୁ ବୁଢ଼ୀ ତା’ର ଚମ ଧଡ଼ ଧଡ଼ ଆଙ୍ଗୁଠିରେ ଧରି ଟିକିଏ ସୁଆଗ କଲା । ବନା କମାର ପାଣି ଦେଇଥିବା ବାଉଁଶ ବେଣ୍ଟର ସ୍ୱଦେଶୀ କ୍ଷୁରଟାରେ ମଦନ ବାରିକ ବାର ନକ୍ଷତ୍ର ଯୋଗାଇଲେ ଦେଢ଼ ମାସରେ ଥରେ ତାଙ୍କୁ ଖିଅର କରେ । ସେତେବେଳେ ରୂଢ଼ଗୁଡ଼ାକ ତା’ ମୋଟା କ୍ଷୁରରେ ଏମିତି କାଟେ ଯେ, ତିଆଡ଼ିଙ୍କ ଆଖିରୁ ନାକରୁ ଝର ଝର ପାଣି ବାହାରି ପଡ଼େ ।

ତିଆଡ଼ିଙ୍କୁ ଘେରି ଆଉ ଚାରି କି ପାଞ୍ଚଜଣ ମରଦ ମାଇପେ ଚିଠି ଲେଖିବାକୁ ଚାହିଁଛନ୍ତି । କାହା ହାତରେ କାର୍ଡ ଖଣ୍ଡେ, କାହା ହାତରେ ଖାମ୍, କିଏ ଧରିଛି ପଇସା ଓ କାଖରେ ଗୋଟିଏ ରୋଗିଣା ପିଲା । ତିଆଡ଼ି ବସିଛନ୍ତି ଗୋଟିଏ ଛିଣ୍ଡା ସପ ଉପରେ, ଆଗରେ ଖଣ୍ଡେ କାଠ ବାକ୍ସ । ତାହା ଭିତରେ କାର୍ଡ, ଲଫାପା, ଟିକିଲି, କାଗଜ, ଛୁଞ୍ଚି, ସୂତା, ଛୁରୀ, ପେନ୍ସିଲ୍ କେତେ କଅଣ ? କାଳି ଢାଳି ହୋଇ ସପଟାର ଦିହଯାକ ଖାଲି କଳାଦାଗ । ପୁଣି କଲମ ଛାଟରେ ଡାକଘର ବାହାର ପଟ ଚୂନ କାନ୍ଥଟା ଖାଲି କଳା ଚିତା ଲିପା ହୋଇଛି । କାଳି କଲମ ବି ସ୍ୱଦେଶୀ । ଶଙ୍ଖଚିଲ ଉଡ଼ିଗଲେ ଯେଉଁ ପକ୍ଷୀ ଝାଡ଼ିଦିଏ ସେଥିରେ ହୁଏ, କଲମ, ଆଉ କସରଦା ପତ୍ରରେ ହୁଏ କାଳି ।

କେତୁଟା ପଇସା ଦବୁ ଯେ ଏକାବେଳେ ଭାଗବତ ଅଧ୍ୟାୟେ ନେଖା ହେବ । ସଅଳ କହ, “ଦେଖୁନୁ କେତେ ଲୋକ ତକେଇଛନ୍ତି ।”

ତିଆଡ଼ି ଆପଣେ କାନରୁ କଲମ କାଢ଼ିବା ଦେଖି ବୁଢ଼ୀ ପୁଣି କହିଲା, “ହଉ ମୋ ବାପ, ଠାକୁରାଣୀ ତମକୁ କୋଟି ପରମାୟୁ ଦେଇଥାଉ ।”

ହଉ ଆଗ କହ କ’ଣ ?

ଏତିକି ଖାଲି ନେଖିଦିଅ ବାପ । “ଗାଈ କାଞ୍ଜିହସାରେ ପଇଲା ବୋଲି ମନରେ କିଛି ଘୋଷା ହବୁ ନାହିଁ । ରଥିଆ ମୁଦୁଲି କୋରଥ କିଆରିରେ ଗାଈ ମୋର ଖୋଜ ପକେଇଛି କି ନାହିଁ ସେ ଅରପେଇସା ଅଡ଼େଇ ଘେନିଗଲା । ମୁଁ ବୁଢ଼ୀ ମଣିଷ, ମାଗୁଣୀ ଓଝାଠଉଁ ଗାଧୁଆ ତୁଠରେ ଯେମିତି ଶୁଣି ପକେଇଲି, ଓଦା ସରସର ହୋଇ ଧାଇଁଲି । ଦାଣ୍ଡ ଦୁଆରେ ହେଲେ ଘଡ଼ିଏ ବାନ୍ଧିଲା ନାହିଁ । ଏକାବେରେ ତଡ଼ିଦେଲା କାଞ୍ଜିହସାକୁ । ହଉ, କେଡ଼େ ବଡ଼େଇ ତା’ର, ମତେ ସେ ତଣ୍ଡେଇଛି, ତା’ କଥା ମା’ ଠାକୁରାଣୀ ବୁଝିବା ଲୋକ । ପୋକ ମାଛି ହୋଇ ଯେବେ ନ ମରିଛି- !”

ବୁଢ଼ୀ କହିବାକୁ ତିଆଡ଼ି ତେଣେ ବର୍ଣ୍ଣଶୁଦ୍ଧି ବ୍ୟାକରଣ ଦୋଷ ବି ନ ମାନି ଲେଖି ଲାଗିଥାନ୍ତି । ସବୁ ଶୁଣି କ’ଣ ଲେଖିବାକୁ ହେବ, କ’ଣ ହେବ ନାହିଁ, ତାହା ସେ ବହୁତ ଦିନରୁ ଶିଖିଛନ୍ତି । ପଦେ ଅଧେ ଲେଖି ଦେଇ ମଝିରେ ମଝିରେ କହୁଥାନ୍ତି, ହଉ ଆଉ କ’ଣ ଅଛି କହି ଯା’ !

ନେଖିଦିଅ ବାପ, ଉଛିପୁରରେ ଭଲ କନିଆ ପାତ୍ରଟିଏ ବୁଝିଲିଣି, ବୁଢ଼ୀ ଆଉ ଟିକେ ଲାଗି ଲାଗି ଆସିଲା ତିଆଡ଼ିଙ୍କ ପାଖକୁ । ସୁରଟା ବି ତା’ର ଟିକିଏ ନଇଁ ଆସିଲା । କେତେ ଭାଙ୍ଗୁଣିଆ ଅଛନ୍ତି ଶୁଣିଲେ ତାଙ୍କ ଦେହ ସହିବ ନାହିଁ, ତିଆଡ଼ିଙ୍କୁ ଅତି ବିଶ୍ୱାସରେ ଶୁଣାଇଲା ପରି ଗପି ଚାଲିଥାଏ, ଠାକୁରାଣୀଙ୍କ ପାଖକୁ ବାପ, ମା’, ଭାଇ ଭଉଣୀ ସମତେ ଆଇଥେଲେ । ଉତ୍ତମ ସୁନ୍ଦର କନିଆ । ଗୋଟିଏ ଚାଉଳରେ ଗଢ଼ା, ମୁଁ କଥାଭାଷା ହୋଇ ସବୁ ଠିକଣା କରି ସାରିଛି । ତୁ ଖାଲି ଟଙ୍କା ପଠାଇଲେ ଆମର ସିଉକାର ଯିବ । ଆଉ ମୋପେଇଁ କ’ଣ ଦେଲେ କନା ନକଟେ କରିବି । ଛିଣ୍ଡାନୁଗା ପିନ୍ଧି ପଦାକୁ ବାହାରି ହେଉ ନାହିଁ । ଆଉ ତୁ ବାତାନି ପାଇଲା ମାତ୍ରେ ବସିଲାଠଉଁ ଉଠି ଆସିବୁ । ଯାହା ଓଜଗାର ପତର କଲୁ ସବୁତକ ଅଣ୍ଟାରେ ଧରିଥିବୁ । ଝୁଅବାଲା ଅଡ଼ିଛି ଶହେଟଙ୍କା । ଅଧଲାଏ ଊଣା ହେଲେ କରିବ ନାଇଁ । ହେଲେ ସେ ଝୁଅ ସେମିତି ବଢ଼ିଆଳ ପିଲା, ତାକୁ ଯେ ପାରୁ ସେ ଶହେଟଙ୍କା ଦେଇ ଘେନିଯିବ ।

ତୁ ତ କହିଥେଲୁ, ମୋ ମନକୁ ପାଇଲେ ବାହାହବୁ । ମୋ ମନକୁ ଏ କନିଆଁ ସବୁମତେ ପାଇଛି । ଟଙ୍କା ନ ହେଲେ ବି ତୁ ଖାଲି ହାତରେ ବାହାରି ଆସିବୁ । ଥରେ ଦେଖା ଚାହାଁ କରିସାରି ପଛକେ ପୁଣି ଯିବୁ ଭାରି ।

ହଉ, ଏଥର ସରିଲା ତ । କଲମଟାକୁ କାନରେ ପୁଣି ଖୋଷି ତିଆଡ଼ି ପଚାରିଲେ ।

ମୋର ସେତିକିରେ ଗୋଟାଏ ଧାଡ଼ି ନେଖିଦିଅ ମଉସା ।

ତିଆଡ଼ିଙ୍କ ସହିତ ଆଉ ଯେତେ ଲୋକ ଚିଠି ଲେଖେଇବାକୁ ରୁଣ୍ଡ ହୋଇଥିଲେ, ସମସ୍ତେ ପଛକୁ ଚାହିଁ ଦେଖିଲେ ରାମ ଖାଁ ପଠାଣ ତା’ କାନ୍ଧରେ ଗୋଟାଏ ଠେଙ୍ଗା, ଠେଙ୍ଗା ଆଗରେ ଦି’ଟା କୁକୁଡ଼ା ଗୋଡ଼ରେ ସୂତା ବନ୍ଧା ହୋଇ ଝୁଲୁଛି । ଦେହରେ ଖଣ୍ଡେ କେଉଁ କାଳର ମସିଆ ଛିଣ୍ଡା କୁର୍ତ୍ତା । ସେ କରିମ୍ ଖାଁର ବଡ଼ଭାଇ । ସିନ୍ଧୁଆ ଆଉ କରିମ୍ ଖାଁଙ୍କ ଭିତରେ ଟିକିଏ ଭଲ ପଡ଼େ । ଦିହେଁ ସାଥି ହୋଇ କଲିକତା ଯା’ ଆସ କରନ୍ତି । ଜଣେ ସାହେବ କୋଠିରେ ଖାନସମା, ଆଉ ଜଣକ ବଙ୍ଗାଳୀ ବାଡ଼ିରେ ଚାକର । ଦିହିଁଙ୍କ ଭିତରୁ କଲିକତାରୁ ଜଣେ କେହି ଚିଠି ଦେଲେ ଆର ଜଣକ କଥା ବି ପଦେ ଅଧେ ଲେଖିଥାଏ । ରାମଖାଁ କି ସିନ୍ଧୁଆମା ଚିଠି ଦେଲେ ବି କେବେ କିମିତି ଏକା ସାଙ୍ଗରେ ଲେଖିଥାଆନ୍ତି । ରାମ ଆଜି ସେବାଟେ ଯାଉ ଯାଉ କେତେବେଳେ ପଛରେ ଛିଡ଼ା ହୋଇ ସିନ୍ଧୁଆ ମା’ର ଚିଠି ଶୁଣୁଥିଲା ।

ତା’ କଥାରେ ତିଆଡ଼ି ଏମିତି ଚମକିପଡ଼ି ଚାହିଁଲେ ଯେ, ସମସ୍ତେ ହସି ଉଠିଲେ ।

କ’ଣ ସବୁ ସରିଲାବେଳକୁ ତୋର ମନେ ପଡ଼ିଲା । ଚିଠିଟାକୁ ଇତି କରି ଦେଲେଣି । ଆଉ ବି ତ ଥାନ ନାହିଁ, ତିଆଡ଼ି ବଡ଼ ଅଡୁଆରେ ପଡ଼ିଲେ ।

ରାମ ଲଗାଇଲା, ଖାଲି ଗୋଟାଏ ପଦ ମଉସା, “କରିମ୍‌ର ଦିହପା’ କିମିତି ଅଛି ?” ଏବେ ତ ସେ ଟଙ୍କା ପଠେଇଛି, ଆଉ କ’ଣ ଟିକିଏ ଖାଲି ମନେ ପକେଇ ଦେଲେ ସିନ୍ଧୁଆ ବଳେ ତା’ କଥା ନେଖିବ ଯେ ।

କଲମଟାକୁ କାନରୁ କାଢ଼ି ତିଆଡ଼ି କହିଲେ, “ତଳେ ତେବେ ଗୋଟାଏ “ପୁନଶ୍ଚ” ଲେଖିବାକୁ ହେବ ସିନା ।” ତିଆଡ଼ି ଯାହା କହିଲେ ତାହା ଭିତରୁ ଏଇ ପୁନଶ୍ଚ କଥାଟାକୁ କେହି ବୁଝିପାରିଲେ ନାହିଁ ।

ତିଆଡ଼ି ମଧ୍ୟ ଆଗେ ଏ କଥାଟା ଜାଣି ନ ଥିଲେ । ଏବେ ଶିଖିଛନ୍ତି ନିଜ ପୁଅଠାରୁ । ଅଳ୍ପଦିନ ହେଲା ବିଷ୍ଣୁପୁରରେ ଯେଉଁ ନୂଆଁ ହାଇସ୍କୁଲ୍ ବସିଛି, ପୁଅଟି ତାଙ୍କର ସେଠି ଉପର କ୍ଲାସରେ ପଢ଼େ । ଘରୁ ଡାଲି ଚାଉଳ ଦେଇ ବାକି ଚାରି ପାଞ୍ଚ ଟଙ୍କାରେ ତା’ ଖର୍ଚ୍ଚତକ ଉଠିଯାଏ । ପାଖରେ ସିନା ଇସ୍କୁଲ୍ ହେଲା ବୋଲି, ନଇଲେ କଟକ ପଠାଇ ତିଆଡ଼ି ତାକୁ ପଢ଼ାନ୍ତେ କୁଆଡୁ । ସେଇ ତାଙ୍କ ପାଖକୁ ଚିଠି ଲେଖିସାରି ଶେଷରେ କେବେ କେବେ “ପୁନଶ୍ଚ” ଲେଖିଥାଏ ।

ସିନ୍ଧୁଆ ମା’ ତିଆଡ଼ିଙ୍କୁ ପାଉଣା ଦେଇ ଘରକୁ ଲେଉଟିଲା । ତେବେ ତା’ ମୁଣ୍ଡରେ “ପୁନଶ୍ଚ” କଥାଟା ଜମାରୁ ପଶୁ ନ ଥାଏ । ପୁଅ ବି ତା’ର “ପୁନଶ୍ଚ” କଥାଟାକୁ ତ ବୁଝିପାରିବ ନି । ତିଆଡ଼ି ଚିଠିଟାକୁ ଏଡ଼େ ଭଲ କରି ଲେଖିଥିଲେ । ଶେଷରେ ଖଣ୍ଡିଆ ରାମ ଖାଁ କେଉଁଠି ଥିଲା, ବାହାରି ପଡ଼ି ଗୋଟାଏ “ପୁନଶ୍ଚ” ଲେଖେଇ ଦେଲା ।

ଯାମୁଗୋଡ଼ା ଡାକଘର ଦୁଆରେ ଚିଠି ଲେଖା ଚାଲିଥିଲାବେଳେ କଲିକତା ସହରର ଏକ ଅନ୍ଧାରିଆ ଗଳିରେ କଣ୍ଠ ପାଢ଼ୀର ସନ୍ତସନ୍ତିଆ ହୋଟେଲ୍ ଭିତରେ ବସି କରିମ୍ ଓ ସିନ୍ଧୁ ସାହୁ ଏକ ମନରେ ବିଡ଼ି ଟାଣୁଥିଲେ । ଠିକ୍ ସେତିକିବେଳେ ଗାନ୍ଧିଜୀ ଓ ପଣ୍ଡିତ ନେହୁରୁଙ୍କ ଭିତରେ ସେବାଗ୍ରାମଠାରେ ଚାରିଘଣ୍ଟା ଧରି ମସୁଧା ଚାଲିଥିଲା ବଡ଼ଲାଟଙ୍କ ନିମନ୍ତ୍ରଣ ଉପରେ, ଅସ୍ଥାୟୀ ସରକାରରେ କିଏ କିଏ ନିଆଯିବେ ? ପୁଣି ସେତିକିବେଳେ ବମ୍ୱେ ନଗରୀର ମାଲବାର ହଲ ବାସଭବନରେ ଜନାବ ଜିନ୍ନାଙ୍କ ହାତରେ ଜବାହରଲାଲ୍‌ଙ୍କର ସାଲିସ୍ ଚିଠି ଆଣି ଜଣେ ଦୂତ ବଢ଼ାଇ ଦେଇଥିଲେ, ଆଉ ଦୁଇଦିନ ପରେ ଅଗଷ୍ଟ ଷୋହଳ ତାରିଖକୁ ମୁସଲମାନ ଜାତି କିଭଳି ଶାନ୍ତଶିଷ୍ଟ ହୋଇପାରିବେ ଜିନ୍ନା ତାହାର ନିର୍ଦ୍ଦେଶ ଦେଉଥିଲେ ଏକ ବିବୃତିରେ ।

କରିମ୍ ଖାଁ ବିଡ଼ି ଟାଣୁ ଟାଣୁ ପଚାରିଲା, “ଘରୁ କ’ଣ ଖବର ଅନ୍ତର ପାଇଲୁଣି ?” ମୋର ତ ତିନିମାସ ହେଲା ଚିଠିପତ୍ର କିଛି ନାହିଁ ।

“ଡାକଘର ଧର୍ମଘଟ ପରା, ମନେ ନାହିଁ କି ? ସେ ନ ଭାଙ୍ଗିଲେ କ’ଣ ଚିଠିପତ୍ର ମିଳିବ କିରେ !” ସିନ୍ଧୁଆ ଉତ୍ତର ଦେଲା ।

ତୁ ତ ହେଲେ ଦୋରବସ୍ତ ଓଲୁ, ବୁଝିଲୁ ସିନ୍ଧୁଆ । କରିମ୍ ଟିକିଏ ମୁରବିପଣିଆ ଦେଖେଇ କହିଲା । ଡାକଘର ଧର୍ମଘଟ ନ ଭାଙ୍ଗିଲେ ଆମର ଯାଏ ଆସେ କ’ଣ ? ଆମ ସାହେବ ପାଖକୁ ରୋଜ କେତେ ଚିଠି କାଗଜ ଆସେ ଜାଣୁ । ସେମାନେ ହେଉଛନ୍ତି ସିନା ହଇରାଣ । ଆମର ବାକି ମାସେ ଦି’ମାସରେ ଖଣ୍ଡେ ଅଧେ ଚିଠି ଆସିବ । ସେଥିପାଇଁ ମନ ଭିତରେ ଅବଶୋଷ ରହି ଯାଉଚି । ଏବେ ହେଲାଣି କ’ଣ ଜାଣୁ ତ ! ଗୋରା ଫଉଜରୁ ମିଲିଟାରି ଗାଡ଼ିରେ ଚିଠିପତ୍ର ଚାଲୁ ହେଉଛି ।

ଯାହା ହେଉଚି, ଖାସ ହେଇଚି, ସେଇମାନେ ତ ଯୁଦ୍ଧ କରି ଆମକୁ ଯେ ହଇରାଣ କଲେ, ଏବେ, ପଇସାକୁ ବିଡ଼ି ଦି’ଖଣ୍ଡ, ସେଇମାନେ ସବୁ କାମ ଚଳାନ୍ତୁ । ଚିଠିପତ୍ର, ଗାଡ଼ି, ମଟର, ଦୋକାନ ବଜାର ସବୁ ସେଇ ଚଳାଇବେ କି ନାହିଁ ଦେଖିବୁ ନି ପୁଣି । ସିନ୍ଧୁଆ ପୁଣି ଖଣ୍ଡେ ବିଡ଼ି ପକେଟ୍‌ରୁ କାଢ଼ି କରିମ୍ ହାତରେ ଦେଲା । ନିଜେ ଖଣ୍ଡେ ଧରି କୋଇଲା ଚୁଲିରେ ଲଗାଇବାକୁ ଉଠିଗଲା । ସେ ତ ଯାହା ହେଲା, ଡିଆସିଲି କ’ଣ ଆଉ ମିଳିବନି ?

କଲିକତାର କଳ ପାଇଖାନା, ପାଣିପାଇପ୍ ମରାମତି କରୁଥିବା ନନ୍ଦ ମହାରଣା ଖାଇସାରି ହୋଟେଲ କଳରେ ହାତ ଧୋଉଥିଲା । କରିମ୍ ପାଖରେ ବେଞ୍ଚ ଉପରେ ବସି ପଡ଼ି କହିଲା, “ମିଲିଟାରୀ କଥା କହିଲ ଯେ ଭାଇ, ସେ କ’ଣ ଆଉ ଡିଆସିଲି ଆଣିଦେବେ । ଏସବୁ ହେଲା ଚୋରା ବେପାରୀଙ୍କ କାମ । ହେଲେ ମିଲିଟାରୀ ସବୁ କରିଦେବ ବୋଲି ସିନା କହୁଚ, ଆମ ଓଡ଼ିଆଙ୍କ କାମ କେହି କରିବେ ନାହିଁ । ମିଲିଟାରୀ ଅବା ମିସ୍ତ୍ରୀ କାମ ରିପାଇରିଂ କାମ କରି ଦେବେ । କଲିକତା ପାଣିକଳ କି ବିଜୁଳିବତି କାମଟା ଓଡ଼ିଆଙ୍କ ହାତରୁ ଛଡ଼ାଇ ନେବେ । ମାଟିଆବୁରୁଜରେ ଓଡ଼ିଆଙ୍କୁ ଭଲା କିଏ ପାରିବେ ।”

ହୋଟେଲ୍ ମାଲିକ କଣ୍ଠପାଢ଼ୀ ମଧ୍ୟ ଜୁଟିଗଲେ । ସେ ଗୋଟିଏ ନୂଆ ଖବର ଦେଲେ, ଏବେ ଶୁଣିଚ ନା । କଲିକତାରେ ପରଦିନ ଶୁକ୍ରବାର ଭାର ଗୋଟାଏ ଦଙ୍ଗା ହେବ । କରିମ୍ ବେଖାତିର୍ ଭାବରେ କହିଲା, ହଁ, ଭାଇ, ବହୁତ ଦଙ୍ଗା ଦେଖିଚି । ହିନ୍ଦୁ ମୁସଲମାନ ଭିତରେ ମାର୍‌ପିଟ୍ ଏଇ ସହରରେ କେତେ ଦେଖା ହେଲାଣି । ହେଲେ ସେଥର ବଡ଼ବଜାର ଦଙ୍ଗାକୁ ବଳି ଦଙ୍ଗା ଆଉ ହୋଇ ନାହିଁ ।

ସତେ କରିମ୍‌ଭାଇ, ଆମେ ଦିହେଁ ସେଥର ସେ ବଞ୍ଚିଗଲେ, ଖାଲି ତୋରି କରାମତିରୁ । ସିନ୍ଧୁଆର ବିଡ଼ିଟା ନିଭି ଯାଇଥିଲେ ବି ସେ ଖଣ୍ଡ ସେ ମୁହଁରେ ପୂରାଇ କହୁଥାଏ ।

ସିନ୍ଧୁଆ କଥାରେ କରିମ୍ ଛାତି କୁଣ୍ଢେମୋଟ ହୋଇଗଲା । ସେ କହି ଲାଗିଲା, ଆରେ ଦଙ୍ଗା ହଉ କି ଯାହା କିଛି ହଉ ସବୁଠୁ ଦିଲ୍ ଚାହି । ଦିଲ ପାତଳ କଲେ ତମେ ମଲ । ଗୋଟାଏ ପଳେଇଲେ ଆଉ ଗୋଟାଏ କୁକୁର ଯେମିତି ଗୋଡ଼ାଏ, ଡରିଗଲେ ବାଘ ଯେମିତି ମାଡ଼ିବସେ, ଏ ସେମିତି, ବୁଝିଲୁ ନା । ମୁଁ ବହୁତ କଲିକତୀ ମୁସଲମାନମାନଙ୍କୁ ଦେଖିଚି ଭାଇ । ହେଲେ ଆମ ଓଡ଼ିଆ ମୁସଲମାନ ଯେବେ ବାହାରିବେ ତାଙ୍କ ପାଖରେ ସେ ଯେମିତି ବକ୍ରୀ ।

କଣ୍ଠପାଢ଼ୀ କହିଲେ, “ସେତେବେଳେ କଥା ଏତେବେଳକୁ ବହୁତ ଫରକ ପଡ଼ିଗଲାଣି । ଏହିକ୍ଷଣି ପରା ମୁସଲମାନ ମନ୍ତ୍ରୀ, ମୁସଲମାନ ସରକାର । ପୁଣି ଦେଖୁନ, ଗୁଡ଼ାଏ ଲୋକ ଖାଲି ଚାହିଁ ବସିଛନ୍ତି, କେମିତି ତୁମେ ଟିକିଏ ଆଖି ବୁଲେଇଲେ ପରା ଲୁଟି କରି ଖାଇଯିବେ ।”

ହଉ ସେ କଥା ଦେଖା ଅଛି ମଉସା, ଆଗ ଟିକିଏ ଚାହା ପିଆବ କି ନାହିଁ କହିଲ ? ସିନ୍ଧୁଆ ବରାଦ୍ କଲା ।

କଣ୍ଠପାଢ଼ୀ ଚାହା ଦି’କପ୍ ଛାଣି କରିମ୍ ଆଉ ସିନ୍ଧୁଆ ହାତରେ ଦେଲେ । ନିଜେ ବି ଆଉ ଗୋଟାଏ ଚାହା ବାଟି ଧରି ତହିଁରେ ଓଠ ବୁଡ଼ାଇଲେ । ମଝିରେ ମଝିରେ ବରାବର କଣ୍ଠପାଢ଼ୀ ଦୋକାନରେ ବସି ଚାହା ପିଅନ୍ତି । ତିନିଙ୍କ ଭିତରେ ଟିକିଏ ଭାବ ହୋଇଯାଇଥିଲା । ପୁଣି ବଙ୍ଗାଳୀବାଡ଼ି ଓ ସାହେବ କୋଠିରୁ ଶୁଖିଲା ଚାହା ଚିନି ହୋଟେଲ୍‌କୁ ଆସେ । ପାଢ଼ୀଙ୍କର ହାତରୁ ପଡ଼େ ନାହିଁ ।

ହୋଟେଲ୍‌ରୁ ଫେରି ଆସୁ ଆସୁ ସିନ୍ଧୁଆର ଛିଣ୍ଡା ଚଟିଟା ଗୋଡ଼ରୁ ଖସିଯାଇ ଫୁଟପାଥ ତଳେ ପଡ଼ିଲା । ତାହା ପଛକୁ ସେ ଆର ଗୋଡ଼ ଚଟିଟାକୁ ମଧ୍ୟ ପିଙ୍ଗି ଦେଇ କହିଲା, “ତତେ କହିଥିଲି ଚଟି ହଳେ ଦବାକୁ, ଦେଲୁ ନାହିଁ । ଏ ହଳକ ତ ମରାମତି କରି କରି ଥକିଲି । ଏଣିକି ଚଟି ପିନ୍ଧା ବନ୍ଦ ।”

“କ’ଣ କରିବି ଭାଇ ? ତୋପେଇଁ ଚଟି ହଳେ ରଖିଚି । ଟିକିଏ ପୁରୁଣା ହେଇଛି କି ନାହିଁ ସାହେବ କହିଲା, “ଲେ ଯାଓ ପୁରାନା ଚଟି ।’ ଆଜି ଆଣିବି ବୋଲି ଆଗରୁ ଠିକ୍ କରିଥିଲିଟି । ଆଇଲାବେଳେ ଆଉ ତ ଖିଆଲ ନାହିଁ ।” କରିମ୍ ମିଛ କହିଲା । ପୁରୁଣା ଯୋତା ଓ ଚଟି ଆଣି ସେ ବଜାରରେ ବିକ୍ରି କରେ । ସିନ୍ଧୁଆକୁ ଦେଲେ ତ ମାଗଣା ଦେବାକୁ ହେବ । ସେଥିପାଇଁ ଇଚ୍ଛା କରି ଦେଇ ନଥାଏ । ଆଜି ଦୁଇବନ୍ଧୁ କଲିକତା ଗହଳି ଭିତରେ ଟ୍ରାମ୍, ମଟରଗାଡ଼ି, ରିକ୍ସା ମଝିରେ ହାତ ଧରାଧରି ହୋଇ ଚାଲିଥିବା ବେଳେ ସିନ୍ଧୁଆ ପାଖରେ କପଟ କରିଥିବାରୁ କରିମ୍ ମନଟା ଘାଣ୍ଟି ହେଲା ।

ସିନ୍ଧୁଆର ହାତକୁ ଟିକିଏ ଝିଙ୍କି ଦେଇ ସେ ଡାକିଲା, “ସିନ୍ଧୁ ଭାଇ ! ସଙ୍ଗେ ସଙ୍ଗେ ସିନ୍ଧୁ ଜବାବ୍ ଦେଲା, “ଭାଇ ! ” ତତେ ଗୋଟିଏ କଥା କହିବି । ତୁ ଯେବେ ମୋର କସମ୍ ଖାଇବୁ, କାହାକୁ ଆଉ କହିବୁ ନାହିଁ ।”

ସିନ୍ଧୁଆ କହିଲା, “ତୋର କ’ଣ ମୋ ଉପରେ ବିଶ୍ୱାସ ନାହିଁ ?”

ନାଇଁ ଭାଇ, ବିଶ୍ୱାସ କଥା ନୁହଁ । ମୁଁ ଗୋଟାଏ ବଡ଼ ଭୁଲ୍ କରି ପକାଇଛି ।

ଭୁଲ୍ କ’ଣ କି, ଚଟିହଳେ ତୋପେଇଁ ରଖିଥିଲି । ହାତରେ ପଇସା ନ ଥିଲା । ସେ ହଳକ ବିକି ଦେଇଛି ଭାଇ ।

ହେଲା କ’ଣ ସେଥେରେ ? ଆଉ ହଳେ ପାଇଲେ ମତେ ଦବୁନି । ମୋର କ’ଣ ସାଙ୍ଗେ ସାଙ୍ଗେ ଚଟି ନ ହେଲେ ଚଳୁନି କି ?

ସେଦିନ କରିମ୍ ବାହାରିଛି ସିନ୍ଧୁଆ ପାଖକୁ । ଅଗଷ୍ଟ ମାସ ୧୬ ତାରିଖ । କଲିକତା ସହରର କେତୁଟା ଥାନାରେ ଅଳ୍ପ ଦଙ୍ଗା ଖବର ଶୁଣା ଯାଇଥାଏ । ୧୭ ତାରିଖ ଦିନ ବେଶି ବେଶି ଶୁଣାଗଲା । ପାଢ଼ୀ ହୋଟେଲ୍‌ରେ ବସି ବାହାଦୂରି କରିବ ବୋଲି କରିମ୍ ଆଜି ସାହେବର ଖିଆ ସରିବା ସଙ୍ଗେ ସଙ୍ଗେ ନିଜେ ମୁଠାଏ ଖାଇ ଦେଇ ବାହାରି ପଡ଼ିଲା । ଖରାବେଳିଆ ରାସ୍ତା, ଗହଳି ଖୁବ୍ କମି ଯାଇଥାଏ । ଦୁଇ ଚାରିଟା ସୈନ୍ୟ-ମଟର ତା’ କରପଟେ ଚାଲିଗଲା । କରିମ ଆଗ ସିନ୍ଧୁଆର ବସା ଘରକୁ ଯାଇ ଶୁଣିଲା, ସେ ମାଲିକବାଡ଼ିରୁ ଆଜି ଏତେବେଳଯାକେ ଲେଉଟି ନାହିଁ । ପାଢ଼ୀ ହୋଟେଲ୍କୁ ଅବା ଯାଇଥିବ ଭାବି କରିମ୍ ସେହି ଆଡ଼କୁ ଚାଲିଲା । ଦି’ଦିନେ ଚାରିଦିନେ ଥରେ ଦିହିଁଙ୍କି ଦିହେଁ ନ ଦେଖିଲେ ବଡ଼ ଅଡୁଆ ବୋଧ କରନ୍ତି । ପୁଣି ଏକା ଗାଁରେ ଘର । କାହା ପାଖକୁ କ’ଣ ଚିଠିପତ୍ର ଖବର ଅନ୍ତର ଆସିଥିଲେ ଶୁଣିବାକୁ ଟିକିଏ ଭଲ ଲାଗେ ।

ପାଢ଼ୀ ହୋଟେଲ୍‌କୁ ଯାଇ କରିମ୍ ଦେଖିଲା, ହୋଟେଲ୍ ଦୁଆର ବନ୍ଦ । କବାଟରେ ହାତ ମାରିଲା, ସ୍ୱର ଶବ୍ଦ ନାହିଁ । ରାସ୍ତାକୁ ଚାହିଁ ଦେଖିଲା, ମିସ୍ତ୍ରୀ ନନ୍ଦ ମହାରଣା ଧଇଁସଇଁ ହୋଇ କୁଆଡ଼େ ଦଉଡ଼ିଛି । ତା’ ଆଗକୁ ଆସି ପଚାରିଲା, “କିହୋ କ’ଣ ହେଲା କି ?” ନନ୍ଦ ଏକାଲହସରେ ଦଉଡ଼ିଥାଏ । ଦଉଡୁ ଦଉଡୁ କହିଲା, “ସିନ୍ଧୁଆକୁ ମାରି ଦେଲେରେ !”

ନନ୍ଦ ପଳାଇ ଆସୁଥିବା ଗଳି ବାଟରେ କରିମ୍ ଖୁବ୍ ସାହସରେ ଚାଲିଲା । କାହିଁକି ମାଇଲେ, କିଏ ମାଇଲେ ପଚାରିବାକୁ ବେଳ ହେଲା ନାହିଁ ।

ଗଳିମୁଣ୍ଡକୁ ଯାଇ ଦେଖେ ତ ଗୋଟାଏ ଥାନାରେ ପଞ୍ଝାଏ ଲୋକ ରୁଣ୍ଡ ହୋଇ ଦେଖୁଛନ୍ତି, ଜଣେ କିଏ ତଳେ ପଡ଼ିଯାଇଛି ।

ପାଖକୁ ଯାଇ ତଳେ ପଡ଼ିଥିବା ଲୋକଟିକୁ ସିନ୍ଧୁଆ ବୋଲି ଚିହ୍ନିପାରିଲା । ତା’ର ଦେହଯାକ ଚୋଟ । ପାଦଟାରୁ ଅଧେ ଛିଡ଼ି ଯାଇଛି । ଜଣେ ଓଡ଼ିଆ ତାକୁ ଟିକିଏ ପାଣି ପିଆଇ ଦେଉଛି । ଗୋଟାଏ ମୋଟା ରକ୍ତର ଧାର ଫୁଟ୍‌ପାଥ୍‌ରୁ ଗଡ଼ି ଆସି ନାଳ ଭିତରେ ପଡୁଛି । ସିନ୍ଧୁଆ ବିକଟ ଶବ୍ଦ କରି ଚାରିଆଡ଼କୁ ଚାହୁଁଛି । ହଠାତ୍ କରିମ୍‌କୁ ଦେଖି କହି ପକାଇଲା, “କରିମ୍, ବୁଢ଼ୀ ମା’ !” ସିନ୍ଧୁଆର ସଂସାରରେ ମନେ ପକେଇବାକୁ ଆଉ କେହି ନ ଥିଲେ ।

କରିମ୍ ତାହା ପାଖରେ ବସିବାକୁ ଯାଉଥିଲା । ପଛପଟୁ “ମାର ପଠାଣ”କୁ ଶବ୍ଦକେ ଚାରି ପାଞ୍ଚଟା ଠେଙ୍ଗା ତା’ ଉପରେ ବାଜିଲା । ବସିବା ବଦଳରେ ସେହିଠାରେ ସେ ଲମ୍ୱ ହୋଇ ପଡ଼ିଗଲା । ପିଠି ମୁଣ୍ଡ କେତେ ଆଡ଼େ କେତେ ପାହାର ଯେ ବସିଲା ତାହାର ସୁମାରି ନାହିଁ । ଚାହୁଁ ଚାହୁଁ ସିନ୍ଧୁଆର ରକ୍ତଧାର ସଙ୍ଗେ ଆଉ ଗୋଟାଏ ରକ୍ତର ଧାର ଗଡ଼ି ଗଡ଼ି ମିଶିଗଲା । ତାହା କରିମ୍‌ର । କଲିକତାର ନାଳ ପାଣିରେ ଏହି ରକ୍ତର ଧାର ମିଶି ହୁଗୁଳି ନଦୀ ପର୍ଯ୍ୟନ୍ତ ଗଲାବେଳକୁ ତା’ର କିଛି ମାତ୍ର ଚିହ୍ନ କିମ୍ୱା ରଙ୍ଗ ନ ଥିଲା ।

ଛେଳି କାଟିଲା ପରି ହିନ୍ଦୁ ମୁସଲମାନ କଟାକଟି ହେଲେ । ପଣ୍ଡିତ ନେହୁରୁ ବଡ଼ଲାଟ୍‌ଙ୍କ ସଙ୍ଗେ ସାକ୍ଷାତ୍ କରି କେନ୍ଦ୍ର-ପରିଷଦ ଗଢ଼ିଲେ । ଗାନ୍ଧିଜୀ ପ୍ରାର୍ଥନା ସଭାରେ କଲିକତାର ହଣାମରାକୁ ନିନ୍ଦା କଲେ । ବଙ୍ଗଳା ପ୍ରଧାନମନ୍ତ୍ରୀ ସୁରାବର୍ଦ୍ଦୀ ନିଜ ମୁଣ୍ଡରୁ ସବୁ ଦୋଷ ଛଡ଼ାଇ ବସିଲେ । ମୁସଲିମ୍ ଲିଗ୍‌ର ଚାଳକ ଜିନ୍ନା କହିଲେ “ପାକିସ୍ଥାନ ନ ହେବାରୁ ଏହି ଫଳ ଫଳିଲା ।”

କଂଗ୍ରେସ ନେତାମାନେ କହିଲେ “ଜିନ୍ନା ଓ ତାଙ୍କ ଲିଗ୍‌ର ସିଦ୍ଧାନ୍ତ ଏଥିପାଇଁ ଦାୟୀ ।” ଓଡ଼ିଶା ସରକାର ଓଡ଼ିଆଙ୍କ ସାହାଯ୍ୟ ପାଇଁ ବାହାରିଲେ । ସିନ୍ଧୁଆ ମା’ ମାସକ ପରେ ଖବର ପାଇ ମୁଣ୍ଡ କଚାଡ଼ି ବାହୁନିଲା, ଅମଙ୍ଗୁଳିଆ ରାମ ଖାଁ ତା’ ଚିଠିରେ “ପୁନଶ୍ଚ” ଲେଖି ଦେଲା ବୋଲି ସିନା ପୁଅ ତା’ର ହାଣ ଖାଇଲା ।

ଲୋକପ୍ରିୟ ଲେଖା

To Top