ଗଳ୍ପ

ପୁନଶ୍ଚ ପ୍ରତୀକ୍ଷା

ଦୈହିକ ମିଳନରେ ପ୍ରେମର ପୂର୍ଣ୍ଣତା ଆସେ ବୋଲି ତମକୁ କିଏ କହିଲା ସୁଶାନ୍ତ । ଆମ ଏକ ହୋଇ ନ ପାରିଲେ ଆମ ଭିତରେ ଥିବା ଭଲ ପାଇବା କ’ଣ ମରିଯିବ ?

ପୁନଶ୍ଚ ପ୍ରତୀକ୍ଷା

ବହି ଯାଉଥିବା ପାଣି, ପାଟିରୁ ବାହାରି ଯାଉଥିବା କଥା ପୁଣି ଧନୁରୁ ଖସି ଯାଉଥିବା ତୀର କେବେ ବି ତା’ର ପୂର୍ବ ସ୍ଥାନକୁ ଫେରିଆସେନା । ଫେରି ଆସେନା ଚାଲି ଯାଇଥିବା ସମୟ । ଏମିତି ଗତ ହୋଇଯାଇଥିବା ମୁହୂର୍ତ୍ତ ଏବଂ ବସ୍ତୁକୁ ନେଇ ହୁଏତ ଅନ୍ୟ କଥା ଉପକଥା ଥାଇପାରେ । ଏସବୁ କଥାକୁ ମନ ଭିତରେ ଅନେକଥର ବାରମ୍ୱାର ଘାଣ୍ଟି ଚକଟି ସାରିବା ପରେ ବି ସେଥିରେ ତିଳେମାତ୍ର ବିଶ୍ୱାସ କରିପାରୁ ନଥିଲା ସୁଶାନ୍ତ । କାଠଯୋଡ଼ି କୂଳରେ ଅସଂଖ୍ୟ ବନ୍ୟାକୁ ହଜମ କରିସାରି ଗର୍ବରେ ଛାତି ଫୁଲେଇ ଛିଡ଼ା ହୋଇଥିବା ବେଲଭ୍ୟୁ ପାଖରେ ଛିଡ଼ା ହୋଇ ନଦୀକୁ ନିରୀକ୍ଷଣ କରୁଥିଲା ସେ । ଏମିତି ନୀରବରେ ଛିଡ଼ା ହୋଇ ହୁଏତ ମାପୁଥିଲା କାଠଯୋଡ଼ି ତତଲାବାଲିର ଉଷ୍ଣତାକୁ । ନରାଜପଟୁ ଆସୁଥିବା ଗାଡ଼ି ମଟରଙ୍କ ପେଁ ପାଁ ଶବ୍ଦ ସହିତ କାଠଯୋଡ଼ି ନଦୀପଟୁ ସହର ଭିତରକୁ ଧସେଇ ପଶୁଥିବା ବେପରୁଆ ପବନ ବି ଭାଙ୍ଗି ପାରୁ ନଥିଲା ତା’ର ଧ୍ୟାନ । ସତେ ଅବା ସେ ପାଲଟି ଯାଇଥିଲା ମୁକ୍ତି ପାଇଁ ହିମାଳୟର ଶୁଭ୍ର ଶୀଳାଖଣ୍ଡ ଭିତରେ ତପସ୍ୟାରତ ଥାଇ କଙ୍କାଳସାର ପାଲଟି ଯାଇଥିବା ଜଣେ ଶତାୟୁ ସନ୍ନ୍ୟାସୀ ।

କାଠଯୋଡ଼ି ଆରପାରିରେ ସୂର୍ଯ୍ୟ ଢଳିବାକୁ ବେଶ୍ କିଛି ସମୟ ବାକି । ଢଳି ପଡ଼ିବା ଆଗରୁ ଖରା ଭିତରେ ଖୁନ୍ଦି ହୋଇ ଯାଇଥିଲା ଦିନମାନର ତାତି । ବସନ୍ତର ଅଳସ ଅପରାହ୍ନରେ ବିଞ୍ଚି ହୋଇପଡ଼ିଥିବା ଚିକ୍ ଚିକ୍ ଖରାରେ ସୁଶାନ୍ତର ଧ୍ୟାନ ଭଗ୍ନ ହେଲା । ଡାହାଣ ହାତରେ ପିନ୍ଧିଥିବା ଘଣ୍ଟାକୁ ଚାହିଁ ନିଜକୁ ସାମାନ୍ୟ ପ୍ରସ୍ତୁତ କରିନେଲା ସେ । କାଠଯୋଡ଼ିରୁ ମୁହଁ ଫେରାଇ ରିଙ୍ଗ୍‌ବନ୍ଧରେ ଚାଲି ଯାଉଥିବା ଗାଡ଼ି ମଟର ଉପରେ ଥରୁଟିଏ ଆଖି ବୁଲେଇ ଆଣିଲା ସେ । ରିଙ୍ଗ୍‌ବନ୍ଧରେ ପେଁ ପାଁ ରଡ଼ି ଛାଡ଼ି ବାଦାମବାଡ଼ି ଆଡ଼େ ମାଡ଼ି ଚାଲିଥିବା ଦୁଇ ଓ ଚାରିଚକିଆ ଗାଡ଼ିଗୁଡ଼ିକ ମଧ୍ୟରେ ଚାଲିଥିଲା ପ୍ରତିଯୋଗିତା । ସେ ପ୍ରତିଯୋଗିତାରେ ପାଇବାର ଆଶା ଥିଲା ଖୁବ୍ କ୍ଷୀଣ । ହରାଇବାର ଆଶଙ୍କା ଥିଲା ଅଧିକ । ସେହି ଭିଡ଼ ଭିତରେ କଷ୍ଟେମଷ୍ଟେ ନିଜକୁ ସାମିଲ କଲା ସୁଶାନ୍ତ । ସ୍କୁଟର ଷ୍ଟାର୍ଟ କରି ଆଗକୁ ଆଗକୁ ମାଡ଼ି ଚାଲିଲା ।

ଅସଂଖ୍ୟ ପ୍ରଶ୍ନ ସାଙ୍ଗକୁ ଅଗଣିତ ଭାବନାର ଛାଇ କଳାବାଦଲ ପରି ଘୋଟିଯାଇ ସୁଶାନ୍ତ ମୁହଁକୁ ଏକବାର କାଳିଆ କରି ପକାଇଥିଲା । ଖାନ୍ନଗର ପାର୍କ ଆଗରେ ସୁଶାନ୍ତ ସ୍କୁଟର ଷ୍ଟାଟ୍ ମାରିଲା ବେଳକୁ ଘଣ୍ଟାରେ ୫ଟା ବାଜି ୫ ମିନିଟ୍ । ଏଣେ ତେଣେ ବିବ୍ରତ ହୋଇ ଚାହିଁବା ପରେ ତାକୁ ଯେମିତି ଅପରାଧ କରିବା ପରି ଲାଗିଲା । କାରଣ ସେ ପ୍ରମିଳାକୁ ପ୍ରତିଶ୍ରୁତି ଦେଇଥିଲା ଠିକ୍ ୫ଟାରେ ପହଞ୍ଚିବା ପାଇଁ । କିନ୍ତୁ ଏବେ ତା’ର ୫ ମିନିଟ୍ ବିଳମ୍ୱ ହୋଇଯାଇଛି । ଠିକ୍ ସେହି ଦିନଗୁଡ଼ିକରେ ପ୍ରମିଳା ସାମାନ୍ୟ ବିଳମ୍ୱକୁ ଯେମିତି ସହ୍ୟ କରିପାରୁ ନଥିଲା । ଆଜି ବି ତା’ର ନେଚର୍ ସେଇଆ ଥିବ । ପାର୍କ ଭିତରେ ପହଞ୍ଚି ଚାରିଆଡ଼େ ଥରେ ଭଲ କରି ଆଖି ବୁଲାଇ ଆଣିବା ପରେ ଟିକେ ଆଶ୍ୱସ୍ତ ହେଲା ସୁଶାନ୍ତ । ପାର୍କର ଶେଷମୁଣ୍ଡରେ ଯେମିତି ତାକୁ ସ୍ୱାଗତ କରିବା ପାଇଁ ଛିଡ଼ା ହୋଇଥିଲା ଫୁଲଭର୍ତ୍ତି ଝଙ୍କାଳିଆ ପାଟଳି ଗଛ । ଗଛତଳେ ଥିବା ସିମେଣ୍ଟ୍ ବେଞ୍ଚ ଉପରେ ନିଜକୁ ଟିକେ ହାଲ୍କା କରିନେଲା ସେ ।

ପାର୍କର ଝଙ୍କାଳିଆ ଗଛ ଆଢୁଆଳରେ ନିଜ ନିଜ ଭିତରେ ହଜି ଯାଇଥିବା ପ୍ରେମୀଯୁଗଳଙ୍କୁ କଣେଇ ଚାହିଁଲା ବେଳେ ସୁଶାନ୍ତର ଆଖି ପଡ଼ିଲା ପାର୍କର ଗେଟ୍ ପାଖରେ ଅଟକିଥିବା ରିକ୍ସା ଉପରେ । ରିକ୍ସାରୁ ଓହ୍ଲେଇ ଆସୁଥିଲା ପ୍ରମିଳା । ପାଟଳୀ ଗଛ ତଳେ ନିଜ ପ୍ରେମିକାର ବୋଝ ମୁଣ୍ଡେଇଥିବା ସିମେଣ୍ଟ ବେଞ୍ଚ ଉପରେ ତା’ର ଆଖି ପଡ଼ିଲା ପାର୍କ ଭିତରକୁ ପଶୁ ପଶୁ । ମିଳନର ଏହି ମୁହୂର୍ତ୍ତକୁ ସତେ ଅବା ଚାତକ ପରି ଚାହିଁ ରହିଥିଲା ସୁଶାନ୍ତ । ପ୍ରମିଳା ବେଞ୍ଚର ଅନ୍ୟ ଏକ ମୁଣ୍ଡରେ ଲଥ୍ କରି ବସିପଡ଼ିବା ପରେ ଚୁମ୍ୱକ ଆଡ଼କୁ ଲୁହା ଟାଣି ହୋଇଯିବା ପରି ସୁଶାନ୍ତ ଟାଣି ହୋଇଗଲା ତା’ ଆଡ଼କୁ । ପ୍ରମିଳା ହାତକୁ ଟାଣି ଆଣି ପାଗଳ ପରି ଚୁମ୍ୱନ ଦେଇଚାଲିଲା ସେ । ପ୍ରେମିକର ଏହି ଦେହଜ ନିବେଦନକୁ ମର୍ମେ ମର୍ମେ ଅନୁଭବ କରୁଥିଲା ପ୍ରମିଳାର ଦେହ, ମନ ଓ ଆତ୍ମା । ସେ ବି ନିଜ ଉପରୁ ସମସ୍ତ ନିୟନ୍ତ୍ରଣ ହରାଇ ଢଳି ପଡ଼ିଲା ସୁଶାନ୍ତର କାନ୍ଧ ଉପରେ । ଉଭୟଙ୍କ ମିଳନ ବିଲ୍‌କୁଲ୍‌ ନୂଆ ନଥିଲା, କିନ୍ତୁ ଆଦୌ ପୁରୁଣା ବି ଲାଗୁ ନଥିଲା । ଶତାବ୍ଦୀ ଶତାବ୍ଦୀ ଧରି ମିଳନ ଆଶାୟୀ ପିୟାସୀ ପ୍ରାଣ ଦୁଇଟି ଏକାକାର ହୋଇ ଯାଇଥିଲେ ଯାବତୀୟ ଭିଡ଼ଭାଡ଼ କାଠଯୋଡ଼ି ଭିତରକୁ ଫିଙ୍ଗି ଦେଇ ।

ପ୍ରମିଳାର ମୁହଁ ଉପରେ ଉଡ଼ି ବୁଲୁଥିବା ଚୁଟି କେରାଟାକୁ ନିଜ ଆଙ୍ଗୁଳିରେ ଭିଡ଼ି ଆଣି ତା’ର କାନ ଉପରେ ଗୁଡ଼େଇ ଦେଉ ଦେଉ ପ୍ରଶ୍ନ କଲା ସୁଶାନ୍ତ- ଆଉ କେତେଦିନ ଏମିତି ଚାଲିବ ? ଆଉ କେତେଦିନ ପର୍ଯ୍ୟନ୍ତ ଏମିତି ଲୁଚି ଛପି ଭେଟୁଥିବା ପରସ୍ପରକୁ ଏଇ ପାର୍କରେ । ଆମେ ଦୁହେଁ କ’ଣ ଏକାଠି ହୋଇପାରିବାନି ? ପ୍ରଶ୍ନର ବୋଝ ଭିତରୁ ନିଜକୁ ମୁକୁଳାଇ ପ୍ରମିଳା ଚାହିଁଲା ସୁଶାନ୍ତ ମୁହଁକୁ ।

ହଁ ହୋଇପାରିବ । କିନ୍ତୁ ତୁମେ ଚାହିଁଲେ । ପ୍ରମିଳାର ଏଇ ପଦକ କଥାରେ ବିଶଲ୍ୟକରଣୀ ସ୍ପର୍ଶ ମାତ୍ରେ ବିଷଗ୍ରସ୍ତ ଲକ୍ଷ୍ମଣ ଝାଡ଼ିଝୁଡ଼ି ହୋଇ ଉଠିବା ପରି ସୁଶାନ୍ତ ଭିତରେ ପ୍ରାଣ ସଞ୍ଚାର ହୋଇଗଲା । ତା’ର ମଉଳି ପଡ଼ିଥିବା ମାଳମାଳ ସ୍ୱପ୍ନ ସବୁ ସତେ ଯେମିତି ଜୀବନ ହୋଇ ତା’ ଆଖିରେ ଉଙ୍କି ମାରିଲେ ।

– ମୁଁ ଚାହିଁଲେ କ’ଣ ସବୁ ସମ୍ଭବ ? ସୁଶାନ୍ତର ପାଲଟା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପ୍ରମିଳା କହିଲା- ମୁଁ ତୁମର ସବୁ ପ୍ରସ୍ତାବରେ ରାଜି । ତମେ ମତେ ଉଡ଼େଇ ନେଇଯାଅ ଏଠୁ ଦୂରକୁ. . . ଅନ୍ୟ କେଉଁଠିକୁ, ଯେଉଁଠି ମୋ ଅତୀତ ସମାଧି ଭିତରେ ମିଶି ଯାଇଥିବ, ଆମେ ଛିଡ଼ା ହୋଇଥିବା ଆମ ନୂଆ ଭବିଷ୍ୟତ ହାତ ଧରି । ନିଜ ପ୍ରେମିକାର ଏପରି କଥାରେ ଭାସି ଯାଉ ଯାଉ ନିଜକୁ ସମ୍ଭାଳି ନେଲା ସୁଶାନ୍ତ ।

ରାତି ଆସି ଅନେକ ହେଲାଣି । ସୁଶାନ୍ତ ଆଖିକୁ ନିଦ ନାହିଁ । ତା’ ନିଦ ସବୁ କବର ନେଇ ସାରିଛନ୍ତି ସହରର ଛାତିରେ । ସେଥିପାଇଁ ସ୍ୱପ୍ନ ସବୁ ବିଛେଇ ହୋଇ ପଡ଼ିଛନ୍ତି ଏଣେ ତେଣେ । ସେ କବର ଭିତରୁ ନିଦ ଫେରିଆସିବ, ପୁଣି ଥରେ ସ୍ୱପ୍ନମାନେ ଆଖିରେ ମାଖି ହୋଇଯିବେ ଆପଣା ଛାଏଁ ଯେଉଁଦିନ ତା’ର ମିଳନ ହେବ ପ୍ରମିଳା ସାଙ୍ଗରେ । ସବୁକିଛି ଯେମିତି ସୁଶାନ୍ତକୁ କାଲି ପରି ଲାଗୁଥିଲା । ଗାଁ କଲେଜରେ ବି.ଏ. ପଢ଼ିବା ବେଳେ ନିଜ ସହପାଠିନୀ ପ୍ରମିଳାର ପ୍ରେମ ଜାଲରେ ଧରା ଦେଇଥିଲା ସୁଶାନ୍ତ ।

ସୁଶାନ୍ତର ମନ କଥା ବୁଝି ପାରିଥିଲା ପ୍ରମିଳା । ସାରା କଲେଜ୍ ଉଠ୍‌ପଡ୍‌ ହେଉଥିଲା ଦୁହିଁଙ୍କ ପ୍ରେମଚର୍ଚ୍ଚାରେ । ହେଲେ ସାତଜନ୍ମ ପାଇଁ ସାଥୀ ହୋଇ ରହିବାକୁ ଉଭୟ କରିଥିବା ଶପଥ ପାଣିର ଗାର ପରି ମିଳେଇ ଯାଇଥିଲା । ଜୀବିକା ସନ୍ଧାନରେ ସହରକୁ ଆସି ଗାଁକୁ ଫେରିବା ବେଳକୁ ପ୍ରମିଳା ଆଉ କାହାର ହୋଇ ସାରିଥିଲା । ଆଉ କାହା ହାତରୁ ନିଜ ମଥାରେ ସିନ୍ଦୂର ପିନ୍ଧି ପ୍ରମିଳା ଚାଲି ଯାଇଥିଲା ସବୁ ବନ୍ଧନ ତୁଟାଇ ଦେଇ । ସ୍ୱପ୍ନଭଙ୍ଗର ଯନ୍ତ୍ରଣାକୁ ପୁଞ୍ଜି କରି ପ୍ରମିଳାର ସ୍ମୃତିକୁ ଛାତିରେ ଜାକି ପଡ଼ି ରହିଲା ସୁଶାନ୍ତ । କୌଣସି ଏକ କମ୍ପାନୀରେ ସ୍ୱଳ୍ପ ଦରମାରେ ଚାକିରୀ କରିଥିବା ସୁଶାନ୍ତ ପାଇଁ ପ୍ରମିଳା ପ୍ରତି ଥିବା ପ୍ରେମ ତଥାପି ମଉଳି ଯାଇନଥିଲା । ଦୁଇବର୍ଷ ପରେ ହଠାତ୍ ଦୁହିଁଙ୍କର ଭେଟ ହେଲା ଦିନେ ସନ୍ଧ୍ୟାରେ, ବକ୍ସିବଜାର ଛକରେ । ପ୍ରମିଳା ତା’ ସ୍ୱାମୀଙ୍କ ସହ ଏହି ସହରରେ ରହୁଛି ଜାଣି ସୁଶାନ୍ତ ମନରେ ପୁଣି ଉଙ୍କି ମାରିବା ଆରମ୍ଭ କଲା ଅତୀତର ସ୍ୱପ୍ନତକ । ତା’ପରେ ଥରେ ନୁହେଁ, ଅନେକଥର ଦୁହିଁଙ୍କର ଭେଟ ହୋଇଛି ସହର ଭିଡ଼ ଭିତରେ । ନିଜ ନିଜ ଛାତି ତଳେ ସମାଧିସ୍ଥ ହୋଇଥିବା ଉଭୟଙ୍କର ପ୍ରେମ ପୁଣି ଥରେ ଜୀବନ୍ୟାସ ପାଇ କାୟାବିସ୍ତାର କଲା ପୂର୍ବର କେତେଗୁଣ ଅଧିକ ଆକାରରେ । ଏବେ ନିୟମିତ ପାର୍କରେ ଭେଟ ନ ହେଲେ ସତେ କେମିତି ସ୍ଥିର ହୋଇ ଯାଉଥିଲା ପୃଥିବୀ । କିନ୍ତୁ ମିଳନ ପାଇଁ ଏବେ କ୍ଷେତ୍ର ପ୍ରସ୍ତୁତ । ସବୁଜ ସଙ୍କେତ ଦେଇ ସାରିଛନ୍ତି ପ୍ରମିଳା । ସ୍ୱାମୀ ସଂସାର ଛାଡ଼ି ସୁଶାନ୍ତ ସହ ମିଳନର ମହାମନ୍ତ୍ର ପାଇବା ପାଇଁ ସେ ପରୋକ୍ଷରେ ଇସାରା ଦେଇଛି । ତଥାପି ସିଧାସିଧା ତା’ ମୁହଁରୁ ସବୁକିଛି ଶୁଣିବା ପାଇଁ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରିଛି ସୁଶାନ୍ତ । ଅତୀତ ହୋଇ ଯାଇଥିବା ସମ୍ପର୍କ ଧନୁରୁ ବାହାରି ଯାଇଥିବା ତୀର ପରି । ସମ୍ପର୍କ ଯେ ପୁଣି ଥରେ ଫେରି ଆସେ ଏହା ସ୍ୱୀକାର କରିବାରେ ସାମାନ୍ୟ ଦ୍ୱିଧା ନ ଥିଲା ସୁଶାନ୍ତର । ଆଗାମୀ ଦିନର ମଧୁର ମୁହୂର୍ତ୍ତର ରୂପରେଖ ପ୍ରସ୍ତୁତ କରୁ କରୁ ସୁଶାନ୍ତ ନିଜ ସ୍ୱପ୍ନାବିଷ୍ଟ ଶରୀରକୁ ବିଛେଇ ଦେଇଥିଲା ଖଟ ଉପରେ ।

ସେଦିନ ସୁଶାନ୍ତ ଆସିବାର ବହୁ ପୂର୍ବରୁ ପାର୍କରେ ପହଞ୍ଚି ଯାଇଥିଲା ପ୍ରମିଳା । କିଛି ସମୟ ପରେ ପାର୍କ ଆଗରେ ଅଟକି ଥିଲା ସୁଶାନ୍ତର ସ୍କୁଟର୍ । ଅଣନିଶ୍ୱାସୀ ହୋଇ ଭିତରକୁ ପଶିଆସିଲା ସେ । ପହଞ୍ଚିଗଲା ପ୍ରମିଳା ବସିଥିବା ସିମେଣ୍ଟ ବେଞ୍ଚ ପାଖରେ । ଅଧୈର୍ଯ୍ୟ ହୋଇ ପ୍ରମିଳାର ହାତ ଟାଣି ଆଣି ପଚାରି ପକାଇଲା- କ’ଣ ଚିନ୍ତା କଲ ପ୍ରମିଳା । ତମେ ବେଦୀର ହୋମ ନିଆଁରେ ପୋଡ଼ି ପାଉଁଶ କରି ଦେଇଥିବା ଆମ ସମ୍ପର୍କକୁ ବଞ୍ଚାଇବା ପାଇଁ ପୁଣି ଥରେ ପ୍ରସ୍ତୁତ ତ । ସୁଶାନ୍ତର ଉଷ୍ଣ ପାପୁଲି ବନ୍ଧନରୁ ନିଜ ହାତକୁ ଖସେଇ ନେଇ ପାର୍କ ମଝିରେ ଥିବା ଥୁଣ୍ଟା ଗଛ ଉପରେ ଧ୍ୟାନ ନିବେଶ କଲା ପ୍ରମିଳା ।

– ଦୈହିକ ମିଳନରେ ପ୍ରେମର ପୂର୍ଣ୍ଣତା ଆସେ ବୋଲି ତମକୁ କିଏ କହିଲା ସୁଶାନ୍ତ । ଆମ ଏକ ହୋଇ ନ ପାରିଲେ ଆମ ଭିତରେ ଥିବା ଭଲ ପାଇବା କ’ଣ ମରିଯିବ ? ଯଦି ନା, ତେବେ ମିଳନ ପାଇଁ ତମର ଏ ବ୍ୟଗ୍ରତା କାହିଁକି ? ତମ କଥାରେ ଭାସିଯାଇ ମୁଁ ଯେଉଁ ଭୁଲ୍ କରିବାକୁ ଯାଉଥିଲି ତା’ର କ୍ଷମା ନାହିଁ ସୁଶାନ୍ତ । ମୋ ସ୍ୱାମୀଙ୍କ ପିଠି ପଛପଟେ ପ୍ରତାରଣାର ଛୁରୀ ଭୁଷିବା ଆଗରୁ ମୁଁ ମରିଗଲିନି କାହିଁକି ?

ମୁଁ ଜଣେ ଭାରତୀୟ ନାରୀ । ବିବାହ ପରେ ବିଗତ ଦିନର ପ୍ରେମିକ ନୁହେଁ, ମୋ ମଥାରେ ସିନ୍ଦୂର ପିନ୍ଧାଇ ପୁରୁଷରୁ ସ୍ୱାମୀ ପାଲଟିଥିବା ମଣିଷ ଜଣକ ହିଁ ମୋ ମୁକ୍ତିର ଶେଷ ଓ ଅନ୍ତିମ ମାର୍ଗ । ମୁଁ ମୋ ନିଜ ଦୃଷ୍ଟିରେ ବହୁତ ତଳକୁ ଖସିଯାଇଛି । ସୁଶାନ୍ତ ମୁହଁକୁ ସିଧା ଚାହିଁ ପ୍ରମିଳା ଉଚ୍ଚାରଣ କଲା- ଆଜିଠୁଁ ମୁଁ ତୁମକୁ ଭୁଲିଯିବି । ଭୁଲିଯିବାକୁ ଚେଷ୍ଟା କରିବି । ସେଥିରେ ସଫଳ ହେବି ବୋଲି ମୋର ବିଶ୍ୱାସ ଅଛି ।

ହତବାକ୍ ହୋଇ ଚାହିଁ ରହିଥିବା ସୁଶାନ୍ତ । କ’ଣ କହି ଆସୁଥିଲା, କିନ୍ତୁ ସେସବୁକୁ ଶୁଣିବାକୁ ଯେମିତି ଚାହୁଁ ନଥିଲା ପ୍ରମିଳା । ନିଜ ସଂସାରର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇପଡ଼ିଥିଲା ସେ । ଚଟ୍ କରି ବେଞ୍ଚ୍ ଉପରୁ ଉଠି ଠିଆ ହୋଇପଡ଼ିଲା ଓ କହିଲା- ଆସୁଛି । ବାୟ । ସୁଶାନ୍ତ ମୁଣ୍ଡକୁ କିଛି ପଶୁ ନ ଥିଲା । ସେ ପ୍ରକୃତିସ୍ଥ ହେଲା ବେଳକୁ ପ୍ରମିଳା ପହଞ୍ଚି ସାରିଥିଲା ପାର୍କର ଗେଟ୍ ପାଖରେ ।

ଲୋକପ୍ରିୟ ଲେଖା

To Top