ଗଳ୍ପ

ରାଜାଙ୍କ ମୁଣ୍ଡକାଟ

Harish Chandra Kar's odia story Raajaanka Mundakaat

ଏହି ଟାୱାର-ଅଫ୍‌ -ଲଣ୍ଡନଠାରେ ଇଂଲଣ୍ଡର ରକ୍ତ ରଂଜିତ ଇତିହାସରେ ରାଜବଂଶର କେତେକଙ୍କୁ ବହୁ ଉତ୍ପୀଡ଼ନ ଦିଆଯାଇଥିଲା ଓ ରାଜାଏଡୱାର୍ଡ଼-୪ଙ୍କର (୧୪୬୧-୧୪୮୩) ଦୁଇ ପୁଅ ତଥା ରାଜ ସିଂହାସନର ଉତ୍ତରାଧିକାରୀଙ୍କୁ ହଟାଇ ଦେବାକୁ ହତ୍ୟା କରାଯାଇଥିଲା ।

ରାଜାଙ୍କ ମୁଣ୍ଡକାଟ

ଲଣ୍ଡନ ଏକ ଇତିହାସ ସମୃଦ୍ଧ ସହର । ଏହାର ଅଧିକାଂଶ ସ୍ଥାନରେ ଶହ ଶହ ବର୍ଷ ତଳର କଥା ଓ କାହାଣୀ ସବୁ ଭର୍ତ୍ତି ହୋଇ ରହିଛି । ଲଣ୍ଡନ ଭ୍ରମଣ ବେଳେ – ଇତିହାସର କିଛି ପୃଷ୍ଠା ସ୍ୱତଃ ପୁନର୍ଜୀବିତ ହୋଇଯାଏ । ଲଣ୍ଡନ ଭ୍ରମଣର କିଛି ଅପାସୋରା କଥା ଏହି ଭ୍ରମଣ କାହାଣୀରେ ପରିବେଷିତ ହୋଇଛି ।

ଲଣ୍ଡନର ଥେମସ ନଦୀ କୂଳରେ ଟାୱାର ବ୍ରିଜ ପାଖରେ ଟାୱାର-ଅଫ୍‌-ଲଣ୍ଡନ ବୋଲି ନାମିତ ଏକ ଦୁର୍ଗ ଅବସ୍ଥିତ । ଟାୱାର-ଅଫ୍‌-ଲଣ୍ଡନ ଅନେକ ରୋମାଞ୍ଚକର ଐତିହାସିକ ଘଟଣାର ସାକ୍ଷୀ । ଏ ଦୁର୍ଗ ସହ ଜଡିତ ଅନେକ ଘଟଣା ଏବେବି ଲୋକଙ୍କୁ ଓ ଐତିହାସିକମାନଙ୍କୁ ଅମୋଦିତ କରିଥାଏ । ଭାରତୀୟମାନଙ୍କ ପାଇଁ ଏ ଦୁର୍ଗର ଏକ ବିଶେଷତ୍ୱ ହେଲା ଯେ ଭାରତରୁ ନିଆଯାଇଥିବା କୋହିନୁର ହୀରା ମୁକୁଟ ଏଠାରେ ରଖାଯାଇଛି ।

ଟାୱାର-ଅଫ୍‌-ଲଣ୍ଡନରେ ବିଭିନ୍ନ ବିଭାଗରେ ସମ୍ରାଟ ଓ ସାମ୍ରାଜ୍ଞୀଙ୍କ ଅଳଙ୍କାର, ମୁକୁଟଓ ଅନ୍ୟ ଉପଢୌକନ ସବୁ ଅଛି । ଶକ୍ତିର ସନ୍ତକ ବହୁ ପ୍ରକାର ଖଣ୍ଡା, ଅସ୍ତ୍ରଶସ୍ତ୍ର, ପୋଷାକ, ଫାଶୀ ଦେବା ଗୃହ, ଆଦି ଦେଖିବାକୁ ଅଛି । ଗୋଟିଏ ମଜାର କଥା ହେଲା ଯେ ଏଠି କୁଆମାନଙ୍କ ରହିବା ପାଇଁ ଗୋଟିଏ ସ୍ଥାନ ଅଛି । ଏଠାରେ ଥିବା କୁଆମାନଙ୍କୁ ରାଭେନ କହନ୍ତି । ଛ, ସାତଟି କୁଆଙ୍କର ସ୍ୱତନ୍ତ୍ର ନାଁ ଅଛି । ସେମାନଙ୍କୁ ଟାୱାର ଓ ବ୍ରିଟେନ ରାଜ୍ୟର ରକ୍ଷକ ବୋଲି ଲୋକେ ଭାବନ୍ତି । ସେମାନେ ଉଡିଗଲେ, ଦୁର୍ଗଓରାଜ ପରିବାରର ପତନ ହେବ ବୋଲି ଏକ ବିଶ୍ୱାସ ଅଛି ।

ରାଜା ହେବା ପରେ ଉଇଲିଆମ ଦି କଙ୍କରର ଏହି ଟାୱାର-ଅଫ୍‌-ଲଣ୍ଡନ ଦୁର୍ଗଟିର ହ୍ୱାଇଟ ଟାୱାରଟିକୁ ୧୦୭୮ମସିହାରେ ନିର୍ମାଣ କରିଥିଲେ । ଏହି ହ୍ୱାଇଟ୍‌ ଟାୱାର ନାମ ପାଇଁ ଦୁର୍ଗଟିର ନାମ ଟାୱାର ଅଫ୍‌ ଲଣ୍ଡନ ରଖାଯାଇଛି । ଥେମସ ନଦୀ ପଥ ଦେଇ ଲଣ୍ଡନକୁ ବିଦେଶୀ ଆକ୍ରମଣରୁ ରକ୍ଷା କରିବା ଲାଗି ଏହା ତିଆରି କରାଯାଇଥିଲା । ତେବେ ଏହା ଏକ କାରାଗାର ଭଳି ବିଂଶ ଶତାବ୍ଦୀର ମଧ୍ୟାବଧିଯାଏ ବ୍ୟବହୃତ ହେଉଥିଲା, ଯଦିଓ ଏହା ଅନ୍ୟ କାରଣ ପାଇଁ ତିଆରି ହେଇଥିଲା ।

ଏହି ଦୁର୍ଗରେ କୁଇନ୍ସ ହାଉସ, ଟାୱାର ଗ୍ରୀନ, ଜିୱେଲ ହାଉସ, ଚାପେଲ ଅଫ ସେଣ୍ଟ ଜନ, ଟ୍ରେଟର ଗେଟ ଆଦି ଦେଖିବାକୁ ଅଛି । ଏଠାରେ ଯେଉଁମାନେ ଗାଇଡ୍‌ ଭାବେ ପର୍ଯ୍ୟଟକଙ୍କୁ ବୁଝାବୁଝି କରନ୍ତି ତାଙ୍କୁ ବିଫଇଟର (beefeater) ବୋଲି କହନ୍ତି । ଏଠାରେ ପ୍ରାୟ ୩୦/୩୫ଜଣ ବିଫଇଟର ଅଛନ୍ତି ।

ଏହି ଟାୱାର-ଅଫ୍‌ -ଲଣ୍ଡନଠାରେ ଇଂଲଣ୍ଡର ରକ୍ତ ରଂଜିତ ଇତିହାସରେ ରାଜବଂଶର କେତେକଙ୍କୁ ବହୁ ଉତ୍ପୀଡ଼ନ ଦିଆଯାଇଥିଲା ଓ ରାଜାଏଡୱାର୍ଡ଼-୪ଙ୍କର (୧୪୬୧-୧୪୮୩) ଦୁଇ ପୁଅ ତଥା ରାଜ ସିଂହାସନର ଉତ୍ତରାଧିକାରୀଙ୍କୁ ହଟାଇ ଦେବାକୁ ହତ୍ୟା କରାଯାଇଥିଲା ।

ଇଂରେଜ ରାଜ ପରିବାରର ସବୁଠୁ ଲୋମହର୍ଷଣକାରୀ ଘଟଣା ହେଉଛି ଯେତେବେଳେ ଇଂଲଣ୍ଡର ରାଜା ଚାର୍ଲସ-୧ଙ୍କୁ ୧୬୪୯ ଜାନୁଆରୀ ୩୦ ତାରିଖରେ ଦେଶଦ୍ରୋହ ଅଭିଯୋଗର ବିଚାର କରାଯାଇ ଅର୍ଗଳୀରେ ପୁରାଇ ତାଙ୍କ ମୁଣ୍ଡ କାଟ କରାଯାଇଥିଲା ।

ଏହାର କାରଣ ଜାଣିବାକୁ ଇତିହାସର କିଛି ଦଶନ୍ଧି ପଛକୁ ଯିବାକୁ ପଡିବ । ରାଜାମାନେ ଶାସନ କରିବାକୁ ଜନ୍ମ ଓ ପ୍ରଜାମାନେ ଶାସିତ ହେବାକୁ ଜନ୍ମ ହୋଇଛନ୍ତି ବୋଲି ଏକଧାରଣା ପୂର୍ବରୁ ଚାଲିଆସୁଥିଲା । ଚାର୍ଲସ-୧ଙ୍କର ବହୁ ପୂର୍ବରୁ ରାଜା ଜେମ୍ସ-୧ଙ୍କ (୧୫୬୬-୧୬୨୫) ସମୟରେ, ଏହିଧାରଣା ଧୀରେ ଧୀରେ ପାର୍ଲିଆମେଣ୍ଟରବିଚାରଧାରାର ବିରୋଧାଚରଣ କଲା ।

୧୬୨୫ରେ ଚାର୍ଲସ ନିଜ ପିତା ଜେମସଙ୍କ ପରେ ରାଜା ହୋଇଥିଲେ । ରାଜା ହେବା ପରେ ପାର୍ଲିଆମେଣ୍ଟ ସଂଗେ ତାଙ୍କ ମନାନ୍ତର ହୋଇଥିଲା । ନିଜ ଇଚ୍ଛାମତେ ଶାସନ କରିବା ରାଜାଙ୍କର ଦୈବଦତ୍ତ ଅଧିକାର ବୋଲି ସେ ମାନୁଥିଲେ । ତାଙ୍କର ପାର୍ଲିଆମେଣ୍ଟର ସହମତି ବିନା ଟାକ୍ସ ଆଦାୟ କରିବା, ଧର୍ମଗତ ନୀତି ଇତ୍ୟାଦିକୁ ସେତେବେଳର ପ୍ରଜାମାନେ ଭଲ ପାଇଲେ ନାହିଁ । ଚାର୍ଲସଙ୍କ ଇଚ୍ଛା ମତେ ପାର୍ଲିଆମେଣ୍ଟ ଅର୍ଥ ଦେବାକୁ ମନା କଲା । ତାଙ୍କ ବିରୁଦ୍ଧାଚରଣ ପାଇଁ ସେ ପାର୍ଲିଆମେଣ୍ଟକୁ ଭାଙ୍ଗିଦେଉଥିଲେ ଓ ନିଜେ ଶାସନ କରୁଥିଲେ । ଯେତେବେଳେ ଅର୍ଥ ଦରକାର ହେଉଥିଲା କେବଳ ସେହି ସମୟରେ ଅର୍ଥ ଯୋଗାଡ଼ କରିବା ପାଇଁ ପାର୍ଲିଆମେଣ୍ଟକୁ ପୁଣି ସ୍ଥାପନ କରୁଥିଲେ । ଏହାଦ୍ୱାରା ପାର୍ଲିଆମେଣ୍ଟର ସଦସ୍ୟମାନେ ତାଙ୍କ ଉପରେ କ୍ରୁଦ୍ଧ ଥିଲେ । ପୁଣି ଚାର୍ଲସ ନିଜେ ରାଜ ଶାସନର ପ୍ରଥମ ବର୍ଷରେ କାଥୋଲିକ ହେନିରିଟା ମାରିଆଙ୍କୁ ବିବାହ କରିଥିଲେ, ଯାହା ଇଂଲିଶ ପ୍ରୋଟେଷ୍ଟାଣ୍ଟମାନଙ୍କୁ ଅପମାନିତ କରିଥିଲା । ଏହି ସବୁ ଅନେକ କାରଣରୁ ଲୋକେ ଚାର୍ଲସଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ।

ତାପରେ ୧୬୪୨ରେ ପ୍ରଥମ ଇଂଲିଶ ସିଭିଲ ୱାର (ଗୃହ ଯୁଦ୍ଧ) ଆରମ୍ଭ ହୋଇଥିଲା । ଚାରି ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧରେ ରୟାଲିଷ୍ଟ ବା ରାଜାଙ୍କ ଫୋର୍ସ ବିରୁଦ୍ଧରେ ଲଢ଼ି ପାର୍ଲିଆମେଣ୍ଟ ଫୋର୍ସ ବିଜୟ ପ୍ରାପ୍ତ କଲେ । ଅଲିଭର କ୍ରମୱେଲ ଏହି ଇଂଲିଶ ସିଭିଲ ୱାରରେ ଅନ୍ୟତମ କମାଣ୍ଡର ଥିଲେ । ଇଂଲିଶ ମିଲିଟାରୀ ଛଡ଼ା ସେ ଏକ ରାଜନୈତିକ ମଧ୍ୟ ନେତା ଥିଲେ ।

ରୟାଲିଷ୍ଟ ଫୋର୍ସ ହାରିଯିବା ପରେ ଚାର୍ଲସ-୧ଙ୍କୁ ଯୁଦ୍ଧବନ୍ଦୀ କରାଗଲା । ପରେହାଇକୋର୍ଟରେଦେଶଦ୍ରୋହ ଅପରାଧ ପାଇଁ ତାଙ୍କର ବିଚାର ହେଲା । କଳହପ୍ରିୟ ରାଜା ଏଥିରେ ସହଯୋଗ କଲେ ନାହିଁ । ସେ କୋର୍ଟର ବୈଧତାକୁ ମାନିଲେ ନାହିଁ । ବିଚାର ବେଳେ,ଚାର୍ଲସ-୧ ନିଜର ରକ୍ଷା ନକରି ମୌନତା ଅବଲମ୍ବନ କଲେ । କ୍ରମୱେଲ ଦେଖିଲେ ଚାର୍ଲସ-୧ ନ ମଲା ଯାଏ ଗୃହଯୁଦ୍ଧ ବନ୍ଦ ହେବ ନାହିଁ । ସାତ ଦିନର ବିଚାର ପରେ, କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଲେ । ହ୍ୱାଇଟହଲର ବାଁକ୍ୟୋଟିଙ୍ଗ ହାଉସ ଆଗରେ ଗୋଟେ ବଧ-ମଞ୍ଚ (ସ୍କାଫୋଲଡ) ଉପରେ ରାଜା ଚାର୍ଲସ-୧ଙ୍କର ମୁଣ୍ଡ କାଟ କରାଯାଇଥିଲା । ୧୬୪୯ ଜାନୁଆରୀ ୩୦ ତାରିଖସକାଳେ ପ୍ରଜାମାନେ ନିଜ ରାଜାଙ୍କର ମୁଣ୍ଡକାଟ ଓ ମୃତ୍ୟୁ ଦେଖିବାକୁ ଜମାହୋଇଥିଲେ । ଦେଶଦ୍ରୋହୀ ରାଜାଙ୍କର ରକ୍ତକୁ ରୁମାଲରେ ନେଇ ଦର୍ଶକମାନେ ସ୍ମାରକୀ ରଖିବାକୁ ନମୁନା ସଂଗ୍ରହ କରିଥିଲେ ।

ତାପରେ ଦେଶରେ ରାଜା ନଥିବା ଅବସ୍ଥାରେ, ପାର୍ଲିଆମେଣ୍ଟରେ କମନୱେଲଥ ଅଫ ଇଂଲଣ୍ଡ, ସ୍କଟଲାଣ୍ଡ ଓ ଆଏର୍ଲାଣ୍ଡ ଘୋଷଣା କରାଯାଇଥିଲା । ଏଥିରେକ୍ରମୱେଲ ଲର୍ଡ଼ ପ୍ରୋଟେକେଟର ଭାବରେ ୧୬୫୩ରୁ ୧୬୫୮ରେ ନିଜ ମୃତ୍ୟୁ ପର୍ଯ୍ୟନ୍ତ ଶାସନ ଚଳାଇଥିଲେ । ତାପରେ ବିଭିନ୍ନ ପରିସ୍ଥିତି ଭିତରେଚାର୍ଲସ-୧ଙ୍କ ପ୍ରଥମ ପୁତ୍ର ଚାର୍ଲସ-୨ ରାଜା ହୋଇଥିଲେ ଓ ରାଜଶାସନ ଇଂଲଣ୍ଡରେ ପୁନଃ ସ୍ଥାପିତ ହୋଇଥିଲା ।

ଲୋକପ୍ରିୟ ଲେଖା

To Top