ଗଳ୍ପ

ରାଜୁତି

Anasuya Panda's odia story Raajuti

ଆରେ ନା, ରାଗନି ମିରା, ସବୁଦିନେ ସେ ଗ୍ୟାସ୍ ପୋଛି ଗଲା ପରେ ତୁମେ ପୁଣି ପୋଛିବ, କ’ଣ ନା ପୋଛା କପଡ଼ାଟା ଭଲ ଭାବରେ ଧୋଇ ନଥିବ ।

ରାଜୁତି

ଆଜି ବି ମମତା ଆସିବନି ବୋଧେ । ସକାଳ ଆଠଟାରେ ଆସିବା କଥା, ଆସି ସାଢ଼େ ନ’ଟା ବାଜିଲାଣି । ମୁଁ କେମିତି ଏତେ ବାସନ ମାଜିବି, ଘର ଓଳାଇବି, ଆଜି ପୁଣି ଗୁରୁବାର, ସଂକ୍ରାନ୍ତି ଘର ପୋଛା ହୋଇଥାନ୍ତା । ଏଣେ ଅଫିସ୍‌ ଯିବାର ସମୟ ମଧ୍ୟ ହୋଇଗଲାଣି । କ’ଣ ଯେ କହିବ ତାକୁ । ମାସକ ଭିତରେ ପାଞ୍ଚ ଛ’ଅ ଦିନ ସେ ନିହାତି ଛୁଟି ନେବା କଥା ନେବ । ପଚାରିଲେ କହିବ ମୋର ଦୁଇଟା ଛୋଟ ପିଲା ଦିଦି, ତେଣୁ ଅସୁବିଧା ହେଲେ ଛୁଟି ନେଉଛି । ଏବେ ମମତାକୁ ଫୋନ୍ କଲେ ତା’ ସ୍ୱାମୀ ଫୋନ୍ ଧରିବ କହିବ ମମତାର ପେଟ ଖରାପ, ସେ ବାଥ୍‌ରୁମ୍‌ରେ ଅଛି । ଆଜି କାମକୁ ଆସିପାରିବନି । ସିଆଡ଼େ ପଛେ ଅନ୍ୟ ଦୁଇଘର ଅଧିକା କାମ ଧରି ଦେଇଥିବ ଏପଟେ ମିଛ କହି ଛୁଟିରେ ରହିଯିବ । ଯୋଉ ତ କାମ କରୁଛି, ସବୁ ବାସନରେ ଅଇଁଠା ଲଗାଇକି ଧୋଇଥିବ, ଘର ପୋଛା ପରେ ଦେଖିବ ଯାହା ଯେଉଁଠି ଲାଗିଥିଲା ସେମିତି ଲାଗିଥିବ । ଏ ମାସର ଦରମା ଦେଲାବେଳେ ନିଶ୍ଚେ ପାଞ୍ଚଦିନର ପଇସା କାଟିକି ଦେବି ।

ବଜାରରୁ ଫେରିଲା ବେଳକୁ ମିରା କାମବାଲି ମମତା ନ ଆସିବାରୁ ଗରଗର ହେଉଥିଲା । ଶାଗ ବିଡ଼ାଟା ଓ କ୍ଷୀର ପ୍ୟାକେଟ୍‌ଟା ରୋଷେଇ ଘରେ ରଖୁ ରଖୁ କହିଲି, “ଭଲ ହେଲା ତୁମକୁ ସବୁଦିନ । ଦୋହରା କାମ କରିବାକୁ ପଡ଼େ, ଆଜି ତୁମେ ଏକାଥରେ ଭଲ ଭାବରେ ଥର କରେ କରିଦେବ ।”

ତୁମେ ତ କିଛି ବୁଝିବନି କି ସାହାଯ୍ୟ କରିବନି ଖାଲି କଥା କହିବା ଜାଣିଛ । ନିଆଁରେ ଘିଅ ପଡ଼ିଲା ପରି ଆହୁରି ଚିହିଁକି ଉଠିଲା ମିରା ।

ଟିକେ ଥମ୍ ଥମ୍ ହୋଇ ମୁଁ କହିଲି “ଆରେ ନା, ରାଗନି ମିରା, ସବୁଦିନେ ସେ ଗ୍ୟାସ୍ ପୋଛି ଗଲା ପରେ ତୁମେ ପୁଣି ପୋଛିବ, କ’ଣ ନା ପୋଛା କପଡ଼ାଟା ଭଲ ଭାବରେ ଧୋଇ ନଥିବ ।”

ବାସନ ଭିମ୍‌ବାର୍‌ରେ ଧୋଉଥିଲା ତୁମେ ସବୁଦିନେ ଅଭିଯୋଗ କଲ ଯେ ବାସନରେ ସାବୁନ ଲଗେଇକି ଯାଇଛି, ଏବେ ଭିମ୍ ଡ୍ରପ୍‌ରେ ମାଜିବା ପରେ ମଧ୍ୟ ତୁମର ଅଭିଯୋଗ ବାସନରେ ଅଇଁଠା ଲଗାଇକି ଯାଉଛି । ସେ ଗଲାପରେ ଯେତେ ସଫା ହୋଇ ବାସନ ଥୁଆ ହେଲେ ବି ପୁଣି ବାସନ ଧୋଇ ତାକୁ ପୋଛି ରଖିବ । ସେମିତି ଘର ପୋଛା ପରେ ମଧ୍ୟ କେଉଁଠି କ’ଣ ଲାଗିଥିଲେ ବସି ପୋଛିବ । ଆଜି ତୁମେ ତା’ ଉପରେ ନିର୍ଭର ନ କରି, ନିଜେ ଠିକ୍‌ରେ ସବୁ କର । ଏମିତି ବି ସେ ତ କିଛି କରୁନଥିଲା । କ’ଣ ମୁଁ ଠିକ୍ କହୁଛି ନା ?”

ଚିହିଁକି ଯାଇ ମିରା କହିଲା “ଭାରି ତ କାମବାଲି ପାଇଁ ଦରଜ ଖାଉଛ, ଚାଲ ଦେଖିବା ତୁମେ କେମିତି ଘର କାମ କରୁଛ । ଛାଡ଼ ତୁମ ସଙ୍ଗେ ଲଢ଼େଇ କରିବାକୁ ମୋର ସମୟ ନାହିଁ । ଆସନ୍ତା ମାସରେ ଅନ୍ୟ କେଉଁ କାମବାଲି ଦେଖି ପ୍ରଥମେ ମମତାକୁ ବନ୍ଦ କରିବି । ସବୁଦିନେ କିଏ ଏତେ କାମବାଲି ପାଇଁ ଚିନ୍ତା କରିବ । ସାଢ଼େ ଦଶଟାରେ ମୋର ଆଜି ମିଟିଂ ଥିଲା, ବସ୍‌ଙ୍କୁ ଛୁଟି କଥା କହିଲେ ରାଗିବେ, ଯାଉଛି ଦେହ ଖରାପ ଅଛି ବୋଲି, ଗୋଟେ ମେସେଜ୍ ପଠାଇ ଦେବି” କହି ମିରା ମେସେଜ୍ ଲେଖିବାରେ ବ୍ୟସ୍ତ ରହିଲା । କ’ଣ ମମତାର ସୂତ୍ର ଅନୁସରଣ କରୁଛ ? ଘରେ କାମ ପଡ଼ିଲା ବୋଲି ଦେହ ଖରାପ ବୋଲି କହି ଅଫିସ୍‌ରୁ ଛୁଟି ନେଉଛ । ମମତାକୁ ବନ୍ଦ କରି ଅନ୍ୟ ଯାହାକୁ ଡାକିଲେ ବି ସେଇ ଏକା କଥା, ପ୍ରଥମ କିଛିଦିନ ଭଲକାମ କରିବେ ତା’ପରେ ଯାହାକୁ ସେଇଆ । ସେମାନଙ୍କ କାମ ସେଇଆ, ଦଶ ଘରେ ଅଇଁଠା ବାସନ ମାଜି, ଘର ଓଳା, ପୋଛା କଲେ ସେମାନେ ବଞ୍ଚିବେ । ଆମେ ଦେଉଥିବା ଟଙ୍କାରେ ତା’ ପରିବାର ଚଳିବନି କି ଆମେ ଚାହୁଁଥିବା ପରି କାମ ସେ କରି ପାରିବନି । ଯଦି ସେ ଠିକ୍‌ରେ କାମ କରେ ତାକୁ ଅତିକମରେ ଦୁଇ ଅଢ଼େଇ ଘଣ୍ଟା ଲାଗିବ । ତେଣୁ ଏତିକି ପଇସାରେ, ଏତିକି ସମୟରେ ଏମିତି କାମ ହିଁ ହୋଇପାରିବ । କହି ମୁଁ ଛାଞ୍ଚୁଣି ଧରି ଓଳାଇବାରେ ଲାଗିଲି ।

ମିରା ତା’ ବସ୍‌ଙ୍କୁ ମେସେଜ୍ ଲେଖିସାରିବା ପରେ ଗମ୍ଭୀର ହୋଇ କହିଲା, “ବସ୍ ଛୁଟି ଦେବାକୁ ନାରାଜ । ଏ ବର୍ଷ ପାଇଁ ମୋର ଛୁଟି ସରିଗଲାଣି, ତେଣୁ ଦରମା କାଟିବେ ବୋଲି କହୁଛନ୍ତି ।”

“ହଁ ଅନ୍ୟ ସବୁ ମାସରେ ଦୁଇ ତିନି ଦିନ ଛୁଟିରେ ରହିଲେ ବି ତୁମେ ପୁରା ଦରମା ପାଇଛ, ଏ ମାସରେ ଦରମା କଟିଗଲେ ମନ ଦୁଃଖ କାହିଁକି ? ଏ ମାସରେ ଏମିତି ମମତା ଦରମାରୁ ବି ପାଞ୍ଚଦିନର ପଇସା ତୁମେ କାଟିବ ସେଥିରେ ଭରଣା ହୋଇଯିବନି । ଥଟ୍ଟା କରି ମିରାର ମନଟା ପରିବର୍ତ୍ତନ ପାଇଁ କହିଲି ।”

ମିରା ଆହୁରି ଚିଡ଼ି ଯାଇ କହିଲା “ଆର ମାସଠୁ କାମବାଲି ମମତାକୁ ବନ୍ଦ କରିଦେବି, ଅନ୍ୟ କେହି ନୁହେଁ ତୁମେ ହିଁ ସବୁ କାମ କରିବ, ହେଲା ବୁଝିଲ ।” ମୁଁ ଛାଞ୍ଚୁଣିଟା ତଳେ ରଖିଦେଇ ମିରାର ହାତ ଧରି ଚଉକି ଉପରେ ବସାଇ ଦେଇ କହିଲି “ମିରା ମୁଁ ସେତେବେଳଠୁ ତୁମକୁ କହିବାକୁ ଚାହୁଁଛି ତୁମେ ସବୁଦିନେ ମମତା ଉପରେ ଚିଡ଼ିଚିଡ଼ି ହୁଅନି । କାମ ଅପେକ୍ଷା ମଣିଷକୁ ଗୋଟେ ଅନ୍ୟ ଜିନିଷ ଦରକାର ସେ ହେଲା ଭଲ ବ୍ୟବହାର । ତୁମେ ଯେଉଁ ପୁରୁଣା ଡ୍ରେସ୍ ନ ପିନ୍ଧୁଛ ତାକୁ ଦେଉଛ, ଯାହା ଭଲ ନ ଲାଗିଲା ଖାଇବନି ତାକୁ ଦେବ, ସେସବୁ ଖୁସିରେ ନେଇ ମମତା ତୁମର ଅଇଁଠା ବାସନ ମାଜୁଛି, ଘରଓଳା, ପୋଛା, ବାଥ୍‌ରୁମ୍ ସଫା କରୁଛି, ଟଙ୍କା ଶହେଟା ପାଞ୍ଚଦିନର ଦରମା ହିସାବରେ କାଟି ନ ଦେଲେ ଆମେ ଧନୀ ହୋଇଯିବାନି କି ସେ ଗରିବ ହୋଇଯିବନି ମାତ୍ର କଥାଟା ତା’ ମନରେ ରହିଯିବ ।”

ସେସବୁ ମୁଁ ଜାଣେ, ହେଲେ ଅଫିସ୍‌ରେ ମୋ ବସ୍ ଯେମିତି ମୋ କାମ ଦେଖି ସବୁବେଳେ କିଛି ନା କିଛି ଖୁଣ ବାହାର କରନ୍ତି, ବିରକ୍ତ ହୁଅନ୍ତି, ଏମିତି ନୁହେଁ, ସେମିତି କର କୁହନ୍ତି, ମୁଁ ବି ମୋ ଘରେ ସେଇଆ କରେ । ଦୁନିଆଁ ତ ସେମିତି ଜଣେ ଜଣଙ୍କ ଉପରେ ରାଜୁତି କରିବାକୁ ଭଲପାଏ । ମିରା କହି ଦେଇ ବାସନ ସଫା କରିବାକୁ ଉଠିଗଲା । ମୁଁ ମନେ ମନେ ଭାବିଲି ତା’ହେଲେ ନିତିଦିନ ସକାଳେ ଏମିତି କାମବାଲି ମମତା ବିରୁଦ୍ଧରେ ଶୁଣିବାକୁ ପଡ଼ିବ । ହସି ଦେଇ ମୁଁ ଘର ଓଳା କାମରେ ଲାଗିଗଲି । ଆଜି ଟିକେ ଡେରିରେ ଅଫିସ୍ ଯିବାକୁ ମୋ ବସ୍‌ଙ୍କୁ ମଧ୍ୟ ମେସେଜ୍ ପଠାଇଦେଲି ।

ଲୋକପ୍ରିୟ ଲେଖା

To Top