ଗଳ୍ପ

ରାଶିଫଳ

Kalindicharana Panigrahi's odia story Raashiphala

ମୁଁ ଜଣେ ନୂଆ ଲେଖକ, ମାତ୍ର ଲେଖିଚି ପୁରାପୁରି ପ୍ରାଚୀନ ରୀତିରେ । ଏ ଖଣ୍ଡିକୁ ଛାଡ଼ି ତିନି ଚାରି ଖଣ୍ଡ ପାଣ୍ଡୁଲିପି ଲେଖି ରଖିଚି, ଛପାଇ ନାହିଁ । ଆପଣଙ୍କଠାରୁ ଉତ୍ସାହ ପାଇଲେ ଛପାଇବି ।

ରାଶିଫଳ

ରବିବାର । ଭାରତବର୍ଷରୁ ଇଂରେଜ ରାଜତ୍ୱ ହଟିଯାଇଥିଲେ ବି ଆଉ କେତେ କଥା ଭଳି ରବିବାରକୁ ଆମେ ସ୍କୁଲ୍, କଚେରି, କଳକାରଖାନା, ଦୋକାନ ବଜାରରେ ଛୁଟି ଦିନେ ରୂପେ ପାଳୁଚୁଁ । ଟିକିଏ ଖେଳ, କୌତୂକ, ଆଳସ୍ୟ, ବିଳାସ ଲାଗି ସବୁରି ଫୁର୍ସତ ଜୁଟିଚି । ସିନେମା ଘରେ ତିନି ତିନିଟା ଶୋ’ । କଲିକତାର ଇଂରାଜୀ ଖବରକାଗଜ ସବୁ ଓଡ଼ିଶାରେ ଦେହ ଫୁଲାଇ ଚିତ୍ରତାରକାମାନଙ୍କ ଛବି ସହିତ ସାପ୍ତାହିକ ଆଲୋଚନାରେ କେତେ ବଡ଼ ବଡ଼ କଥା କହି ବିକେଇ ହେଉଛନ୍ତି ଆଜି ।

ସବୁରି କାମ ବନ୍ଦ ହେଲେ ବି ସିନେମା ଓ ଖବରକାଗଜ ଯେମିତି ବଢ଼ିଯାଇଛି, ଠିକ୍ ସେମିତି ବଢ଼ିଯାଇଛନ୍ତି କଟକ ସହରର ଭିକାରି । ରବିବାରଟା ତାଙ୍କର ଫସଲ ଉଠେଇବା ଦିନ । ଧନୀ ଓ ମଜଲିସ୍ଦାର ଛୁଟିବାଲାଙ୍କ ପାଖରେ ତାଙ୍କର ସାପ୍ତାହିକ ନାଲିସ୍ । କାହାରି ଦେହରେ ଖଣ୍ଡେ ସଫା ବଡ଼ କନା ନାହିଁ । କାହା କାଖ ତଳେ ଗୋଟାଏ ଝୁଲା, ଚାଉଳ ରଖିବାକୁ, ଯେଉଁ ଝୁଲା ଆଜି କେତେ ସୁନ୍ଦର ସଜ୍ଜିତ ରୂପରେ ତ୍ୟାଗୀ ସନ୍ୟାସୀଙ୍କ କାନ୍ଧରେ ଝୁଲି ଦର୍ଶକର ସମ୍ଭ୍ରମ ଜାତ କରାଏ ।

ଭଦ୍ରତାକୁ ଭ୍ରୁକ୍ଷେପ ନ କରି ସମାଜର ଉପେକ୍ଷିତ ଏହି ଜୀବଗୁଡ଼ିକ ଯେମିତି ନିଶ୍ଚିନ୍ତ ଓ ସ୍ୱଚ୍ଛଳ ମନେଇ ହାତରେ ଖଣ୍ଡେ ଲେଖାଁ ଟିଣପାତ୍ର ଧରି ବନ୍ଧୁକଧାରୀ ସୈନ୍ୟଭଳି । ଏଇ ଅତି ସାଧାରଣ ଓ ଅତି ପୁରୁଣା ଦୃଶ୍ୟରୁ ଦୃଷ୍ଟି ଫେରାଇ ମୁଁ ଖଣ୍ଡେ ଇଂରାଜୀ କାଗଜର ପ୍ରକାଣ୍ଡ ପୃଷ୍ଠାଭିତରେ ମୁହଁ ଲୁଚାଇଥାଏ । ମୁହଁ ଲୁଚାଇବାର ଏମିତି ଘୋଡ଼ଣି ଆଉ କାହିଁ ପୃଥିବୀରେ ନାହିଁ ପରା ।

ନଜର ପଡ଼ିଲା, ସାପ୍ତାହିକ ରାଶିଫଳ ଉପରେ । ଆଜିକାଲି ପତ୍ରପତ୍ରିକାମାନଙ୍କରେ ଏମିତି ସାପ୍ତାହିକ ପୁଣି ମାସିକ ରାଶିଫଳମାନ ନିୟମିତ ବାହାରୁଥିବାରୁ ମୁଁ ନିଜ ରାଶିଟାକୁ ମନେରଖି ସାରିଥିଲି । ମଣିଷର ଭବିଷ୍ୟତ୍ ଏବେ ଆଗଠାରୁ ବୋଧେ ବେଶି ଅନ୍ଧାର, ବେଶି ଅସ୍ଥିର, ଅନିର୍ଦ୍ଦିଷ୍ଟ ଓ ଅଜ୍ଞେୟ ହୋଇପଡୁଚି । ଆଉରି ବଢ଼ିତି ତା’ର ଆକାଂକ୍ଷା, ଅସୀମ ଆକାଂକ୍ଷା । ଏହି ରାଶିଫଳ ବାଟରେ ସେ ଅବା ଜୀବନର ସବୁ ରହସ୍ୟ ଉଦ୍ଘାଟନ କରିବାକୁ ଲୋଡ଼େ ।

ସେଥିଲାଗି ଖବରକାଗଜମାନେ ଯୁଦ୍ଧବିଗ୍ରହ, ରାଷ୍ଟ୍ରଗଠନ ଓ ରାଷ୍ଟ୍ରପତନ ଆଦି ବ୍ୟାପାରରେ ପୁଣି ବ୍ୟକ୍ତିବିଶେଷଙ୍କୁ ସାନବଡ଼ କରି ଦେଖାଇବାରେ ଦୁନିଆଁର ଭାଗ୍ୟଡ଼ୋରିଟାକୁ ଖୁବ୍ ଭିଡ଼ା ଓଟରା କରୁ କରୁ ଏବେ ରାଶିଚକ୍ର ପ୍ରକାଶ ଦ୍ୱାରା କାହା ପକ୍ଷରେ କେଉଁ ସପ୍ତାହରେ ଡର୍ବି କିମ୍ୱା ବାରବାଟୀ ଷ୍ଟାଡ଼ିୟମ୍‌ର  ଲଟେରି କିଣିବା ଶୁଭଫଳପ୍ରଦ, ସେ କଥା ପାଠକଗୋଷ୍ଠୀକୁ ଜଣେଇ ଦିଅନ୍ତି, କିନ୍ତୁ ଏଇ ଭିକାରି ଦଳ । ତାଙ୍କର କେଉଁ ସପ୍ତାହରେ ରାଶିଫଳ କ’ଣ ହୁଏ ? କାହାର ଥଳୀ ପୁରା ପଡ଼େ ? କେଉଁ ମାସ କେଉଁ ବର୍ଷ କାହାର ଭାଗ୍ୟଦେବତା କିଭଳି ପ୍ରସନ୍ନ ହୁଅନ୍ତି କେଜାଣି । ଏସବୁ ଅନର୍ଥକ ଚିନ୍ତାରୁ ନିଜକୁ ଟାଣି ଆଣି ଚିତ୍ରଗୁପ୍ତଙ୍କ ବଜେଟ୍‌ରେ  ଏ ସପ୍ତାହଟାରେ ମୁଁ ମୋର ଆୟ ଭଲମନ୍ଦର ତାଲିକା ଭିତରେ ନିମଗ୍ନ, ଖବର ପାଇଲି, କିଏ ଜଣେ ଭଦ୍ରଲୋକ ଖୋଜୁଛନ୍ତି ।

ଭଦ୍ରଲୋକ ? ଅଲୋଡ଼ା ଲେଖକ-ଜୀବନରେ ଅନେକ ଭଦ୍ରଲୋକ ତ ଆଘାତ ଓ ଆଶ୍ୱାସନା ଦେଇଥାନ୍ତି । ପୁଣି କେତେ ଭଦ୍ରଲୋକଙ୍କ ବରାଦି ମାନି କାଳି କାଗଜ ଖର୍ଚ୍ଚ କରିବାକୁ ହୁଏ, କେତେ ମର୍ଜି ଜଗିବାକୁ ପଡ଼େ । ତଥାପି ଭଦ୍ରଲୋକ ଜଣେ କାହାକୁ ପାଇଲେ ବଡ଼ ଅମୂର୍ଚ୍ଛକ ଲାଗେ ।

ଆଗନ୍ତୁକଙ୍କୁ ଯାଇ ଭେଟିଲି । ବଡ଼ ସାଧା ସିଧା ବୈଚିତ୍ର୍ୟହୀନ ଚେହେରା । ପଚାରି ବୁଝିଲି, ସେ ମୋର ଜଣେ ସହଧର୍ମୀ ଲେଖକ । ଲେଖିଛନ୍ତି ଗଳ୍ପ ବହି । ତାହାରି ଉପରେ ମୋ’ଠାରୁ ଏକ ମୁଖବନ୍ଧ ତାଙ୍କର ଲୋଡ଼ା ।

ଦେଖନ୍ତୁ, ଅନେକ ମୁଖବନ୍ଧ ମୁଁ ଲେଖିଲିଣି । ତହିଁରେ କିଛି ଫଳ ହୁଏ ବୋଲି ମୋର ବିଶ୍ୱାସ ନାହିଁ । ସେଥିଲାଗି ଏକାଧିକ ବନ୍ଧୁଙ୍କୁ ବିମୁଖ ଓ ହତାଶ କରିଛି ମଧ୍ୟ ।

ଆଗନ୍ତୁକ ହତାଶ ଶ୍ରେଣୀରେ ରହିବାକୁ ରାଜି ନୁହଁନ୍ତି । ବିନୀତଭାବରେ ସେ ମୋ ହାତକୁ ଖଣ୍ଡେ ପାଣ୍ଡୁଲିପି ବଢ଼ାଇ ଦେଇ କହିଲେ, “ମୁଁ ଜଣେ ନୂଆ ଲେଖକ, ମାତ୍ର ଲେଖିଚି ପୁରାପୁରି ପ୍ରାଚୀନ ରୀତିରେ । ଏ ଖଣ୍ଡିକୁ ଛାଡ଼ି ତିନି ଚାରି ଖଣ୍ଡ ପାଣ୍ଡୁଲିପି ଲେଖି ରଖିଚି, ଛପାଇ ନାହିଁ । ଆପଣଙ୍କଠାରୁ ଉତ୍ସାହ ପାଇଲେ ଛପାଇବି ।”

ଉତ୍ସାହ ମୁଁ କାହାକୁ କେବେ ନ ଦିଏ କି ? ଦେଇ ଦେଇ ବୋଧେ ନିଜ ଭିତରୁ ସବୁତକ ଉତ୍ସାହ ସରିଲାଣି ଯେ, ନିଜ ପାଇଁ ସୁଦ୍ଧା ଖୋଜିଲେ ଆଜି ଆଉ ସହଜରେ ମିଳୁନି । ପାଣ୍ଡୁଲିପି ଖାତାଟି ଧରି ପତ୍ରଗୁଡ଼ିକୁ ଓଲଟାଇବାରେ ଲାଗିଛି । କେତୋଟି କ୍ଷୁଦ୍ରଗଳ୍ପର ସମଷ୍ଟି । ଗୋଟିଏ ଗଳ୍ପର ପ୍ରଥମ ଧାଡ଼ିରୁ ଐତିହାସିକ ଗଳ୍ପ ବୋଲି ମନେହେଲା । ଆଜିର ପ୍ରଗତିଯୁଗରେ ଏଭଳି ଗଳ୍ପ ଓ ସଚରାଚର ନଜରରେ ପଡ଼େ ନାହିଁ । ପଢ଼ିଲି, ନାନା ବିଦ୍ୟାରେ ପଣ୍ଡିତ ନବରତ୍ନ ଓ ବହୁ ପାତ୍ରମନ୍ତ୍ରୀ ସହିତ ଆଦର୍ଶ ରାଜା ବିକ୍ରମାଦିତ୍ୟ ରାଜ୍ୟର ଉନ୍ନତି ଆଲୋଚନା କରୁଥାନ୍ତି । ନଗରଦ୍ୱାରରେ ଏକ ଗଣ୍ଡଗୋଳ ଶୁଣାଗଲା ।

ରାଜାଦେଶରେ ପ୍ରହରୀ ଆସି ଜଣାଇଲା, “ମହାରାଜ ଦକ୍ଷିଣର କରଦ ରାଜ୍ୟ ମାଳବର ଅନେକ ଲୋକ ଛାମୁରେ ଦୁଃଖ ଜଣାଇବାକୁ ଆସିଛନ୍ତି ।”

ପରମ କାରୁଣିକ ବିକ୍ରମ ସମସ୍ତଙ୍କୁ ଡାକିବା ପାଇଁ ଅନୁମତି ଦେବାରୁ ରାଜପରିଷଦ ଲୋକାରଣ୍ୟ ହୋଇ ପଡ଼ିଲା । ସେମାନଙ୍କ ମଧ୍ୟରୁ ଜଣେ କହିଲେ, “ମହାରାଜ ! ଆମେ ସମସ୍ତେ ଆଶ୍ରୟପ୍ରାର୍ଥୀ । ହାଣମୁହଁରୁ ବର୍ତ୍ତିବା ପାଇଁ ରାଜ୍ୟ ଛାଡ଼ି ପଳାଇ ଆସିଛୁ । ଏହି ଶତାଧିକ ଲୋକଙ୍କ ମଧ୍ୟରୁ ଜଣେ ସୁଦ୍ଧା ପୂର୍ଣ୍ଣାଙ୍ଗ ନୁହେଁ । କାରଣ ମାଳବରେ ଯାହାର ଅଙ୍ଗହାନି ନ ଘଟିଚି, ବୁଝିବାକୁ ହେବ, ସେ ଆଉ ଜୀବିତାବସ୍ଥାରେ ନାହିଁ । ଦେଖନ୍ତୁ, ଆମ୍ଭମାନଙ୍କର ହସ୍ତପଦ, ନାସା, କର୍ଣ୍ଣ ଖଣ୍ଡିତ । ଜୀବିତାବସ୍ଥାରୁ ବିଦାୟ ଘେନିବାର ଏହା ପ୍ରଥମ ସୂଚନା ।”

ବର୍ଣ୍ଣନା ଶୁଣି ସଭାସଦ୍ମାନଙ୍କର ଭୟ ଓ ଦୁଃଖରେ ଲୋମହର୍ଷଣ ଜାତ ହେଲା । କଳ୍ପନାତୀତ ଅମାନୁଷିକ ଅତ୍ୟାଚାରର ଦୃଶ୍ୟ ଦେଖି ବିକ୍ରମାଦିତ୍ୟ ନିଜ ଚକ୍ଷୁକୁ ବିଶ୍ୱାସ କରିପାରିଲେ ନାହିଁ । ରାଜାଙ୍କ ସନ୍ଦେହ ମୋଚନ ଲାଗି ବତ୍ରିଶ ସିଂହାସନର ପିତୁଳାମାନେ କହିବାକୁ ଆରମ୍ଭ କଲେ । ଗୋଟିଏ ପିତୁଳା କହିଲା-

“ଅନେକ ବର୍ଷ ପୂର୍ବେ ମହାରାଜଙ୍କର ଜଣେ ଅତି ପ୍ରିୟ ଓ ବିଶ୍ୱସ୍ତ ଭୃତ୍ୟ ଥିଲା । ବାଳକ ବୟସରୁ ସେ ପିତୃମାତୃହୀନ । ଅସହାୟ ଅବସ୍ଥାରେ ରାଜଦ୍ୱାରରେ ଆଶ୍ରୟ ନେଇଥିଲା । ଏହି ମାଳବ ରାଜ୍ୟ ତାହାର ଜନ୍ମସ୍ଥାନ । ଅତ୍ୟନ୍ତ ମିଥ୍ୟାବାଦୀ ଥିବାରୁ ତାକୁ ସମସ୍ତେ ଭୋପା ନାମରେ ଡାକୁଥିଲେ, କିନ୍ତୁ ତାହାର ସେବା ଓ ଆନୁଗତ୍ୟରେ ମୁଗ୍ଧ ହୋଇ ରାଜା ବିକ୍ରମ ଦଣ୍ଡେ ହେଲେ ତାକୁ ପାଖଛଡ଼ା କରନ୍ତି ନାହିଁ ।”

ରାଜାଙ୍କର ଆଦର ଓ ବିଶ୍ୱାସ କ୍ରମେ ଭୋପାର କ୍ଷମତା ଓ ପ୍ରତିପତ୍ତିରେ ରୂପ ପାଇଲା । ସେହିଭଳି ଅଳ୍ପକେ ଲୋକ କ୍ଷମତାଶାଳୀ ହେଲେ, ଯାହା ସାଧାରଣତଃ ଘଟିଥାଏ, ତାହା ହିଁ ଘଟିଲା- କ୍ଷମତାର ଅପବ୍ୟବହାର ଓ ତାହାର ଦୌରାତ୍ମ୍ୟରେ ଅନ୍ୟ ଭୃତ୍ୟମାନେ ଆତଙ୍କିତ ହେଲେ । ସେ ନିରକ୍ଷର ହେଲେ ହେଁ ନବରତ୍ନ ମଧ୍ୟ ତାହାକୁ ଖାତିର ସମ୍ମାନ କରିବାକୁ ଲାଗିଲେ । ତାହାର ରାଶିଫଳ ଦେଖି ବରାହମିହିର କହିଲେ, “ସେ ରାଜକଳାରେ ଜନ୍ମିଛି । ରାଜନୀତିରେ ମୂର୍ଖ ହେଲେ ବି ମନ୍ତ୍ରୀ ଓ ପାରିଷଦବର୍ଗଙ୍କର ସେ ଶ୍ରଦ୍ଧାଭାଜନ ହେଲା । ସାମାନ୍ୟ ରାଜାନୁଗ୍ରହର ସୀମା ତ କିଛି ଅଳ୍ପ ନୁହେଁ ।”

ଆଗ୍ରହୀ ବିକ୍ରମ ପଚାରିଲେ, “ତାହା ପରେ ।”

ଦ୍ୱିତୀୟ ପିତୁଳା କହିଲା, “ଶେଷରେ ତାହାରି ପତନର ସମୟ ଆସିଲା । ରାଜାନ୍ତଃପୁରର ଶ୍ରେଷ୍ଠ ସୁନ୍ଦରୀ ଦକ୍ଷିଣା ସହିତ ପାପ ପ୍ରଣୟରେ ଆବଦ୍ଧ ବୋଲି ସେ ଅଭିଯୁକ୍ତ ହେଲା । ଏପରି ଗୁରୁତର ଅପରାଧର ଶାସ୍ତି କେବଳ ପ୍ରାଣଦଣ୍ଡ, କିନ୍ତୁ ବିଶ୍ୱସ୍ତ ଓ ଉପକାରୀ ଭୃତ୍ୟକୁ ପ୍ରାଣଦଣ୍ଡ ନ ଦେଇ କ୍ଷମାଶୀଳ ବିକ୍ରମ ତାକୁ ରାଜ୍ୟରୁ ବିତାଡ଼ନ କଲେ ।”

ରାଜଦ୍ୱାରରୁ ବହିଷ୍କୃତ ହୋଇ ସେ ପାଇଲା ସବୁରି ତାଚ୍ଛଲ୍ୟ ଓ ଅବହେଳା । ଯେଉଁମାନେ ତାହାର ଅନୁଗ୍ରହରେ ଉପକୃତ ହୋଇଥିଲେ କିମ୍ୱା ତାହା ସହିତ ବନ୍ଧୁତା କରିବାକୁ କୃତାର୍ଥ ମଣୁଥିଲେ, ସେମାନେ ସୁଦ୍ଧା ସେହି ବିପଦବେଳେ ତାହାକୁ ଆଡ଼ଆଖିରେ ଚାହିଁଲେ ନାହିଁ । ଫଳରେ ସବୁ ମନୁଷ୍ୟଙ୍କ ପ୍ରତି, ଧର୍ମ ଓ ସମାଜ ପ୍ରତି ତାହାର ତୀବ୍ର ବିଦ୍ୱେଷ ଓ ଘୃଣା ଜନ୍ମିଲା । ସେହି ବିଦ୍ୱେଷ, ବିଦ୍ରୁପ ଓ ପରାଜିତ ମନୋଭାବ ଘେନି ସେ ଉଜ୍ଜୟିନୀ ତ୍ୟାଗ କଲା ।

ଅକଥନୀୟ ପଥକଷ୍ଟ ସହି ସେ ନିଜ ଜନ୍ମସ୍ଥାନ ମାଳବରେ ଯାଇ ପହଞ୍ଚିଲା । ଭାବିଲା, ବରାହମିହିରଙ୍କ ରାଶିଫଳ ଗଣନା କ’ଣ ଠିକ୍ ନୁହେଁ ? ସବୁଠାରେ ଆଜି ସେ ପ୍ରତାରିତ, ଉପେକ୍ଷିତ । ନିଜ ଗ୍ରାମର ଅନେକ ପୁରାତନ ବନ୍ଧୁ ବିକ୍ରମପୁରୀରେ ତାହାର ଖ୍ୟାତି ପ୍ରତିପତ୍ତି ଶୁଣିଥିଲେ । ବହୁବର୍ଷ ପରେ ଆଜି ସେ ଫେରି ଆସିଥିବାରୁ ସେମାନେ ଆହ୍ଲାଦିତ ।”

ତାହାହେଲେ ସେ ନିରାପଦରେ ସ୍ୱଗୃହରେ ପହଞ୍ଚି ପାରିଲା । ବିକ୍ରମ ଶୁଣି ଆଶ୍ୱସ୍ତ ହେଲେ । ତୃତୀୟ ପିତୁଳା କହିଲା, “ଅସ୍ତମିତ ଭାଗ୍ୟରବି ପୁନର୍ବାର ଉଦିତ ହେଲେ । ସେତେବେଳେ ମାଳବ ରାଜାଙ୍କର ଅତ୍ୟାଚାର ଉତ୍ପୀଡ଼ନରେ ପ୍ରଜାପୁଞ୍ଜ ଅତିଷ୍ଠ ହୋଇ ପଡ଼ିଥିଲେ । ରାଜାଙ୍କ ବିରୋଧରେ ନାନା ଷଡ଼ଯନ୍ତ୍ର ଚାଲିଥାଏ । ଭୋପା ପକ୍ଷରେ ଏହା ହିଁ ହେଲା ସୁବର୍ଣ୍ଣଯୋଗ । ନିଜର କେତେକ ବାଲ୍ୟବନ୍ଧୁଙ୍କ ସଙ୍ଗେ ସେ ଷଡ଼ଯନ୍ତ୍ରରେ ଯୋଗ ଦେଇ ମାଳବ ରାଜାଙ୍କୁ ହତ୍ୟା କଲା ଏବଂ ଭୂପେନ୍ଦ୍ର ନାମରେ ଅଭିହିତ ହୋଇ ସିଂହାସନରେ ଆରୂଢ଼ ହେଲା ।

ସିଂହାସନରେ ବସି ଭୂପେନ୍ଦ୍ରଙ୍କର ପ୍ରଥମ କର୍ତ୍ତବ୍ୟ ହେଲା, ସିଂହାସନ ପାଇବା ପାଇଁ ତାଙ୍କୁ ସାହାଯ୍ୟ କରିଥିବା ଷଡ଼ଯନ୍ତ୍ରକାରୀ ବାଲ୍ୟବନ୍ଧୁମାନଙ୍କୁ ହତ୍ୟା କିମ୍ୱା ବନ୍ଦୀ କରିବା । କାରଣ ସେହିମାନେ ହିଁ ତାଙ୍କ କାର୍ଯ୍ୟକଳାପର ବହୁ ରହସ୍ୟ ଅବଗତ ଥିଲେ । ସେମାନଙ୍କୁ ସ୍ୱାଧୀନ ଅବସ୍ଥାରେ ରଖିଲେ ଯେ ସକଳ ରହସ୍ୟ ପ୍ରକାଶ ପାଇଯିବାର ଆଶଙ୍କା । ସେଥି ସଙ୍ଗେ ସଙ୍ଗେ ସମ୍ପୂର୍ଣ୍ଣ ଆଧୁନିକ ଶାସନ ପ୍ରତିଷ୍ଠା କରିବା ସକାଶେ ପ୍ରାଚୀନ ରାଜପରିବାରର ବାଳବୃଦ୍ଧବିଧବା ନିର୍ବିଶେଷରେ ସମସ୍ତଙ୍କୁ ସେ ନିର୍ମୂଳ କଲେ ।

ନିଜ ହସ୍ତରେ କାହାରିକି ହତ୍ୟା କରିବାର ବୀରତ୍ୱ ଓ ସାହସ ତାଙ୍କର ନ ଥିଲେ ବି ଅପର ହସ୍ତରେ ମାରିବା କୌଶଳ ତାଙ୍କୁ ଜଣାଥିଲା । ଏହି ଉପାୟରେ ନିଜ ରାଜ୍ୟକୁ ଲାଗିଥିବା ଆଉ କେତେଖଣ୍ଡ ରାଜ୍ୟ ବି ଜୟ କଲେ । ସେସବୁ ରାଜ୍ୟର ପ୍ରଜାମାନଙ୍କୁ ବନ୍ଦୀ କରି ଆଣି ନିଜର ଅନୁଗତ କଲେ । ପୁଣି ରାଜ୍ୟଗୁଡ଼ିକୁ ଦଖଲ କରିବାକୁ ବାହାରି ସେ କେତେ ଗଛ ଓ କେତେ ସ୍ତ୍ରୀ ପୁରୁଷଙ୍କୁ ହାଣି ପକାଇ କେତେ ଘରେ ଯେ ନିଆଁ ଜାଳିଦେଲେ । ଆଉ କେତେ ଯେ ଧନସମ୍ପତ୍ତି ଲୁଟି କରି ଆଣିଲେ, ସେ ସବୁର କଳନା ନାହିଁ ।”

ବିକ୍ରମାଦିତ୍ୟ ଅଧୀର ହୋଇ କହିଲେ, “ଏହା ଯେ ପୁରାପୁରି ଡକାୟତି ।”

ଚତୁର୍ଥ ପିତୁଳା କହିଲା, “ଡକାୟତି ନୁହେଁ ମହାରାଜ । ଏହା ହେଉଛି ଐତିହାସିକ ରାଜନୀତି । ଏହି ରାଜନୀତି ବଳରେ ଭୂପେନ୍ଦ୍ର ଯେତେ ଅର୍ଥ ଲୁଟି ଆଣିଲେ, ତାହା ତାଙ୍କ ନିଜ ଆବଶ୍ୟକ ଅପେକ୍ଷା ଅନେକ ବଳକା ହୋଇ ପଡ଼ିବାରୁ ସାହାଯ୍ୟକାରୀମାନଙ୍କୁ ଅକାତର ଚିତ୍ତରେ ବାଣ୍ଟିବାକୁ ଲାଗିଲେ । ତହିଁରେ ସେମାନେ ଖୁବ୍ ମୋଟା ଓ ବଳୁଆ ହୋଇ ରାଜାଙ୍କ ବଳିଭୋଗ ହେବାକୁ ତିଆର ହେଲେ । ଯେଉଁମାନେ କିଛିହେଲେ ଦାନ ପାଇଲେ ନାହିଁ, ସେମାନେ ଭବିଷ୍ୟତ୍‌ରେ  ପାଇବାକୁ ଆଶା ରଖି ତାକୁ ମହାଦାନୀ ନାମରେ ଡାକିଲେ । ଯାହାଙ୍କର ଘରଦ୍ୱାର ଜଳିଗଲା ନାହିଁ କିମ୍ୱା ଯେଉଁମାନେ ଅକସ୍ମାତ୍ ନିଖୁଣ ହୋଇ ବଞ୍ଚିରହିଲେ, ସେମାନେ ତାହାକୁ ରାଜାଙ୍କର ପରମ ଦୟା ଓ ଅନୁଗ୍ରହ ବିଚାରି କୃତକୃତ୍ୟ ହେଲେ ।”

ବିକ୍ରମାଦିତ୍ୟ କହିଉଠିଲେ, “ତେବେ ସେ ରାଜ୍ୟର ସମସ୍ତ ପ୍ରଜା ଭୀରୁ, କାପୁରୁଷ ଓ ମୂର୍ଖ ।”

ପଞ୍ଚମ ପିତୁଳା ଉତ୍ତର ଦେଲା, କିନ୍ତୁ ସେମାନଙ୍କର ସହନ ଶକ୍ତି ଅସୀମ । ଭୟରୁ ହେଉ, ବାଧ୍ୟତାଗୁଣରୁ ହେଉ, ନିଜର ସକଳ ଶକ୍ତି ସେମାନେ ରାଜାଙ୍କୁ ଅର୍ପଣ କରି ରାଜଶକ୍ତିକୁ ବଢ଼ାଇଛନ୍ତି । ତେଣୁ ସେ ରାଜା କିଛି ନ କରି ମଧ୍ୟ ମସ୍ତବୀର, କିଛି ନ ଦେଇ ମହାଦାନୀ ଓ କିଛି ନ ଜାଣି ଶ୍ରେଷ୍ଠ ଜ୍ଞାନୀ ଆଖ୍ୟା ପାଇଛନ୍ତି । ଏହା ତ ସାମାନ୍ୟ ସୌଭାଗ୍ୟର ବିଷୟ ନୁହେଁ ।

ରାଜ୍ୟର ସବୁ ଧନୀ ଓ ଶକ୍ତିଶାଳୀ ଲୋକଙ୍କୁ ନିପାତ କରିବା ଫଳରେ ଭିକାରୀମାନଙ୍କ ସଂଖ୍ୟା ବହୁ ଗୁଣରେ ବୃଦ୍ଧିପାଇ ରାଜ୍ୟତମାମ୍ କେବଳ ଭିକାରି ଓ ମାଗନ୍ତା ଛଡ଼ା ଆଉ କାହାରି ସ୍ଥାନ ନାହିଁ । ଯେଉଁ କେତେଜଣ ଧନୀ ଅଛନ୍ତି, ସମସ୍ତେ ରାଜଦ୍ୱାରରେ ବଡ଼ ବଡ଼ ଭିକାରି । ପ୍ରତି ନାରୀର ସତୀତ୍ୱ ଅପହରଣ କରି ପ୍ରଜାପୁଞ୍ଜର ସାକ୍ଷାତ୍ ପିତା ପଦବୀ ତାଙ୍କୁ ମିଳିଛି । ଦେଶର କବି ପଣ୍ଡିତମାନଙ୍କ ଶକ୍ତି ହରଣ କରି, ତାଙ୍କୁ ଏତେ ଦୂର ମୂର୍ଖ କରି ଦିଆଯାଇଛି ଯେ, ସେମାନେ ରାଜପ୍ରଶସ୍ତି ବ୍ୟତୀତ ଆଉ କିଛି ବିଦ୍ୟା ଜାଣନ୍ତି ନାହିଁ । ଯଦି କିଛି କାବ୍ୟ, ନାଟକ ରଚିତ ହୁଏ, ସେସବୁ ରାଜାଙ୍କ ନାମରେ ଭଣିତ । ସମସ୍ତ ପ୍ରଜା ଏହି ଆଦର୍ଶ ଅନୁସରଣ କରିବା ଲାଗି ରାଜ୍ୟର ସବୁଠାରୁ ବଡ଼ ମିଛୁଆ, ବଡ଼ ଲାଞ୍ଚୁଆ, ଦଗାବାଜ ଓ ଖୁସାମତିଆମାନେ ପୁରସ୍କୃତ ହୋଇ ଉତ୍ସାହ ପାଇଥାନ୍ତି ।”

ଅସହ୍ୟ ! ଅସହ୍ୟ ! ବିକ୍ରମାଦିତ୍ୟ ଚିତ୍କାର କଲେ ।

ଷଷ୍ଠ ପିତୁଳା କହିଲା, “ଧୈର୍ଯ୍ୟଶୀଳ ବିକ୍ରମଙ୍କଠାରେ ଏ ରୂପ ସଂଯମହୀନତା ଅଶୋଭନୀୟ । ରାଜନୀତିର ସାମ, ଦାନ, ଦଣ୍ଡଭେଦ ସକଳ କ୍ଷେତ୍ରରେ ସେ ରାଜା ଅତ୍ୟନ୍ତ ବିଶାରଦ । ଲାଞ୍ଚ, ମିଛ, ହତ୍ୟା ଆଦି ପାପର କ୍ଷାଳନ ଲାଗି ପୁଣି ରୁଗ୍ଣ, ଦୁର୍ବଳ ଓ ନିରୀହ ଲୋକଙ୍କର ପରିବାରକୁ ସାନ୍ତ୍ୱନା ଦେବା ପାଇଁ ସେ ଗ୍ରାମେ ଗ୍ରାମେ ମନ୍ଦିରମାନ ତୋଳାଇଛନ୍ତି । ଗ୍ରାମେ ଗ୍ରାମେ ପ୍ରତି ବ୍ୟକ୍ତିଙ୍କୁ ରାଶିଫଳ ଜଣାଇବା ପାଇଁ ମଧ୍ୟ ଗଣକ ନିଯୁକ୍ତ ହୋଇଛନ୍ତି । ଗ୍ରହଶାନ୍ତି ପାଇଁ ଯଜ୍ଞାନୁଷ୍ଠାନ ମଧ୍ୟ କରାଯାଇଥାଏ । ତେଣୁ ରାଜାଙ୍କ ଉପରେ କିମ୍ୱା ନିଜ ଉପରେ କାହାରିକି ଦୋଷାରୋପ କରିବାକୁ ହୁଏ ନାହିଁ, କେବଳ ରାଶିଫଳ ଉପରେ ।”

ସମସ୍ତ ବୃତ୍ତାନ୍ତ ଶୁଣି ବିକ୍ରମାଦିତ୍ୟ କହିଲେ, ” ଲୋକକୁ କୌଣସି ଦଣ୍ଡ ଦେବା ଅର୍ଥ ଦଣ୍ଡବିଧିର ଅବମାନନା କରିବା । ତେବେ ଏହାର ପ୍ରତିକାର କ’ଣ ?”

ପାରିଷଦବର୍ଗ ନିରବ ହେଲେ, କିନ୍ତୁ କବି କାଳିଦାସ ଜଣାଇଲେ, ବିକ୍ରମଙ୍କୁ ପୁଣି ପ୍ରତିକାର ବତାଇବାର ସାମର୍ଥ୍ୟ ଅଛି କାହାର ? ଉତ୍ତରରେ ରାଜା ସ୍ମିତହାସ୍ୟ କଲେ । ସେ ହାସ୍ୟର ଅର୍ଥ ବୁଝିବାରେ ମନ୍ତ୍ରୀ ସର୍ବଦା ଅଭ୍ୟସ୍ତ । ତାହା ଫଳରେ ଭୂପେନ୍ଦ୍ରଙ୍କର ପଦୋନ୍ନତି ଘଟିଲା । ବିକ୍ରମଙ୍କ ରାଜସଭାକୁ ସେ ମହାସମାରୋହରେ ଆନୀତ ହେଲେ । ତାଙ୍କୁ ଆଉ କୌଣସି କାର୍ଯ୍ୟରେ ହସ୍ତକ୍ଷେପ ନ କରି କେବଳ ଏଣିକି ଇଚ୍ଛାନୁଯାୟୀ ସର୍ବତ୍ର ଭାଷଣ ଦେବାକୁ ଅନୁମତି ମିଳିଲା, ମାତ୍ର ସେ ଭାଷଣକୁ କେହି ହେଲେ ନ ଶୁଣିବା ପାଇଁ ସର୍ବବିଧ ବ୍ୟବସ୍ଥା କରାଗଲା ।

xxxxxxxxxxxxxxxx

ଗଳ୍ପଟି ପଢ଼ିସାରି ଲେଖକଙ୍କୁ କହିଲି, “ଏହା ଉପରେ ମୁଖବନ୍ଧ ଲେଖିବାକୁ ଗଲେ ଆଗ ନିଜର ମୁଖ ବନ୍ଦ କରିବା ଉଚିତ୍ ।”

ସେ ବିଷର୍ଣ୍ଣ ହୋଇ ପଚାରିଲେ, “କାହିଁକି ?”

କାରଣ ଏହା ଯେ ସ୍ୱୟଂ ଏକ ମୁଖବନ୍ଧ ।

ତେବେ ଦୟାକରି ଏ ଗଳ୍ପର ନାମକରଣ କରିଦିଅନ୍ତୁ । – ଲେଖକ ପୁଣି ଅନୁନୟ କଲେ ।

ଦେଖନ୍ତୁ ଆପଣ ଯଦି ବିକ୍ରମଙ୍କ ଭଳି ସ୍ମିତହାସ୍ୟ ନ କରନ୍ତି, ତେବେ ଗୋଟାଏ ନାମକରଣ ଅନ୍ତତଃ କରିପାରେ । ଗଳ୍ପଟିର ନାମ “ରାଶିଫଳ” ରଖିବେ କି ?

ଲୋକପ୍ରିୟ ଲେଖା

To Top