ଗଳ୍ପ

ରାତି ପାହିବା ବାକି

Dr Biraja Routray's odia story Raati Paahibaa Baaki

ବୈଶାଖୀ କାହିଁକି ସେଦିନ ହସ୍ତଗଣ୍ଠିର ସମାପନ ପୂର୍ବରୁ ନିଜ ସରୁ ମେହେନ୍ଦି କରା ହାତଟାକୁ ତା’ ହାତର ବନ୍ଧନରୁ ନିଷ୍ଠୁର ଭାବରେ ପଛକୁ ଘୋଷାରି ନେଇଥିଲା ସେହି ଆଘାତ ଏବେ ବି ତା’ ଭିତରେ ଥିଲା ତାଜା

ରାତି ପାହିବା ବାକି

କେମିତି ଗୋଟିଏ ସ୍ପନ୍ଦନ ଖେଳି ହୋଇଯାଉଥିଲା ଭିତରେ । ତରଙ୍ଗାୟିତ ମନର ଦରଜା ଦେଇ ପୂବେଇ ପବନର କିମିଆ ଉଦ୍‌ବେଳିତ କରୁଥିଲା ନିଶିଥ୍‌କୁ । ସେ ବାରମ୍ୱାର କଡ଼ ଲେଉଟାଉଥିଲା ଖଟିଆ ଉପରେ । ଗୋଟିଏ ପଟକୁ ଶୋଇ ଯେଉଁ ସ୍ୱପ୍ନଟାକୁ ପରସ୍ତେ ଦେଖୁଥିଲା ପୁଣି ଆରପଟକୁ କଡ଼େଇ ସେଥିରେ ଯୋଡୁଥିଲା ଆଉ ଗୋଟିଏ ପୃଷ୍ଠା । ଏମିତି ପୃଷ୍ଠା ପରେ ପୃଷ୍ଠା ଯୋଡ଼ି ହୋଇ ତା’ ସ୍ୱପ୍ନଟା କାହାଣୀର ରୂପ ନେଉଥିଲା । ହଁ, ତା’ର ଏହି ମସ୍‌ଗୁଲ୍ ଏକାନ୍ତ କଳ୍ପନାର ଉଜାଗରି ସାକ୍ଷୀ ଥିଲା ଉତ୍ତପ୍ତ ଜ୍ୟେଷ୍ଠ ମାସର ଛଟପଟ ରାତି । ଛାତ ଉପର ଚାରିପଟର ଗୁମ୍‌ସୁମ୍ ଗଛ କେଇଟା ଓ ସାମନା ଦୂରରେ ଥିବା ଘଞ୍ଚ ବାଉଁଶ ବଣ । ଯୋଉଟା ମଝିରେ ମଝିରେ ପରସ୍ତେ ପବନ ସହ ଘୁଁ. . . ଘୁଁ ଶବ୍ଦ କରି ତାକୁ ଆହୁରି ଆବେଗ ପ୍ରବଣ କରି ଦେଉଥିଲା ।

ବୈଶାଖୀ ସହ ବୁଝାମଣା ହୋଇଯାଇଥିଲା ଏହା ମଧ୍ୟରେ । ଫ୍ୟାମିଲି କୋର୍ଟରେ ଦୁଇକକ୍ଷ ପଢ଼ି ବୁଝି ଦସ୍ତଖତ ରଖିଥିଲେ । ଗଲା ତିନି ବର୍ଷର ଦାମ୍ପତ୍ୟ ବିବାଦର ହୋଇଥିଲା ଅବସାନ । ଯେମିତି ନାଟକୀୟ ଢଙ୍ଗରେ ଗୋଟିଏ ଦାରୁଣ ବଜ୍ରପାତରେ ବିବାହ ବେଦୀରୁ ହିଁ ଜଳିପୋଡ଼ି ଯାଇଥିଲା ସେମାନଙ୍କ ସମ୍ଭାବିତ ମିଳନର ପର୍ବ । ପୁଣି ସେହିପରି ନାଟକୀୟ ଅରୋହଣରେ ଯୋଡ଼ି ହେବାକୁ ଯାଉଥିଲା ଦୁଇ ବିକ୍ଷୁବ୍ଧ ବେଳାଭୂମିର ଅନ୍ତଃଚିତ୍କାର । ବିଚ୍ଛେଦର ଦୂରନ୍ତ ଗହନପୀଡ଼ା ଉପରେ ଛାଏଁ ଛାଏଁ କଅଁଳିଥିଲା ସବୁଜ ଉପସମର ଶୀତଳ ବନାନୀ । ଯୋଉଟା ଦିନେ ଘାଇ ପରି ପାଲଟି ଯାଇଥିଲା ଅପହଞ୍ଚ ଆଉ ପ୍ରଶସ୍ତ ସେଠି ଦୁଇମୁଣ୍ଡର ଘାଇକୁ ଯୋଡ଼ିବା ପାଇଁ ପଡ଼ିଥିଲା ଉଜୁଡ଼ା ସମ୍ପର୍କର ସେତୁ ଉପରେ କେଇଁ ମୁଠା ନୂଆ ମାଟିର ପ୍ରଲେପ ।

ବୈଶାଖୀ କାହିଁକି ସେଦିନ ହସ୍ତଗଣ୍ଠିର ସମାପନ ପୂର୍ବରୁ ନିଜ ସରୁ ମେହେନ୍ଦି କରା ହାତଟାକୁ ତା’ ହାତର ବନ୍ଧନରୁ ନିଷ୍ଠୁର ଭାବରେ ପଛକୁ ଘୋଷାରି ନେଇଥିଲା ସେହି ଆଘାତ ଏବେ ବି ତା’ ଭିତରେ ଥିଲା ତାଜା । ଅପାସୋରା ଦୁଃସ୍ୱପ୍ନର ରାତି ପରି ସଦା ଜାଗ୍ରତ । ସପ୍ତଫେଣୀର କଣ୍ଟା ପରି ଅବଶିଷ୍ଟ ଜୀବନକୁ କରି ପକାଇଥିଲା କଣ୍ଟକିତ । ଅକୁହା ଯନ୍ତ୍ରଣାରେ ମର୍ମରିତ । କେତେ କ’ଣ କଥା ଆ’ ତା’ ମୁହଁରୁ ଶୁଣିବାକୁ ପାଇଥିଲା । ହେଲେ କୋଉଟା ସତ, କୋଉଟା ମିଛ ତା’ର କଷୋଟର ଅବକାଶ ନ ଥିଲା । କରି ଅବା ଲାଭ କ’ଣ ?

ଥରକୁ ଥର ଏ ପ୍ରଶ୍ନ ଆନ୍ଦୋଳିତ କରିଛି । ପ୍ରତିଥର ହାର ମନାଇଛି । ହୃଦୟର ଚଟାଣକୁ କ୍ଷତାକ୍ତ କରି ଅଦୃଶ୍ୟ ତଟକା ରକ୍ତ ଛିଟାରେ । ଆଃ. . . ବୈଶାଖୀ ସେତେବେଳେ ତା’ ପାଇଁ ମରୁଭୂଇଁର ତୀକ୍ଷ୍ଣ କଣ୍ଟା ନୁହେଁ ତ ଆଉ କ’ଣ ? ମରୁଝର ତ କେବେ ନୁହେଁ. . . ଯଦି ସେ ଝରର ଧାରଟିଏ ସୁଦ୍ଧା ହୋଇଥାନ୍ତା, ତା’ ହେଲେ କ’ଣ ପାଇଁ ତା’ର ଥିଲା ସେହି ନିର୍ଦ୍ଦୟ ପ୍ରତ୍ୟାଖାନ ! ଦାରୁଣ ଭାବରେ ଶିହରିତ ହୋଇ ଉଠୁଥିଲା ନିଶିଥ୍‌ର ଅବୁଝା ହୃଦୟ ।

ପବନ ଟିକେ ଥମ୍ ପଡ଼ିଯାଇଥିଲା । ଏଇ ଟିକେ ଆଗରୁ ଯେମିତି ତା’ର ମୃଦୁ ଶିହରଣ ମନର ସବୁ ଗୋପନ ତନ୍ତ୍ରୀକୁ ପ୍ରାପ୍ତିର ଅନେଶତ ପୁଲକରେ ଉଚ୍ଚାଟିତ କରି ଚାଲିଥିଲା, ସେଠି ପୁଣି କିଛି କ୍ଷଣ ପାଇଁ ଲେଉଟି ଆସିଥିଲା ବିରାମ । ନିଶ୍ୱାସ ଓ ପ୍ରଶ୍ୱାସର ଠିକ୍ ମଝାମଝି ଏକ ଅସମାହିତ ସ୍ଥିତି । ମୁଣ୍ଡରୁ ଦେହସାରା ଗୋଟା ସୁଦ୍ଧା ବତୁରା ଝାଳରେ ଜୁଡୁବୁଡୁ । ନିଜ ଦେହଟା କେମିତି ଗମରା ଲାଗୁଥିଲା ତା’ ସହିତ ଶୁଭୁଥିଲା ଭିତରେ ଗୁମୁରୁ ଥିବା ବହୁ ଦିନର ବାହୁନା । ଅସହ୍ୟ ହୋଇପଡୁଥିଲା ସିଏ । ଭଲା ପବନ ଟିକେ ପୁଣି ବହନ୍ତା କି ! ସ୍ଥିର ଦୁଇ ଡେଣାକୁ ଝାଡ଼ି ଚଳଚଞ୍ଚଳତାରେ ଭରି ଦିଅନ୍ତା ଏଇ ଖାଁ ଖାଁ ସ୍ଥବିର ରାତିକୁ । ଓଃ, ଏ ବୈଶାଖୀ କେବେ ମାୟାର ପ୍ରଭଞ୍ଜନ ପୁଣି କେବେ ନ ପାହୁଥିବା ଗୁଳୁଗୁଳି ରାତି ପରି ବିରକ୍ତିକର । ମନଟା ବିଳପି ଉଠୁଥିଲା ନିଶିଥ୍‌ର । ଆହୁରି ଅବଶିଷ୍ଟ ରାତି ସରିବାକୁ ଥିଲା । ଗ୍ରୀଷ୍ମର ଉଷ୍ମ ଅଭିସାର ନିଷ୍ଠୁର ମଧ୍ୟାହ୍ନ ପରି ଛାଇ ରହିଥିଲା ନିରବ ରାତିର ଅସ୍ତବ୍ୟସ୍ତ ବିଛଣା ଉପରେ ।

ଚାରିପଟରେ ଦାନ୍ତ କାମୁଡ଼ିଲା ପରି କିଛି ସମୟ ଧରି ପୂରା ନିଶ୍ଚୁପ୍ ପଡ଼ିଯାଇଥିଲା ପବନଟା । କିଏ ବୁଝିବ ତା’ର ଏହି ଅବ୍ୟକ୍ତ ଅଭିମାନ । ବର୍ଷେ କି ଦୁଇ ବର୍ଷର ନୁହଁ ପାଖାପାଖି ପୂରା ତିନିବର୍ଷର । ତା’ ଜୀବନରେ ନ ପାହୁଥିବା ରାତିକୁ କିଏ ବା ବୁଝିଛି ? ଯଦି ସେତକ ବୈଶାଖୀ ବୁଝିବାକୁ ଆଗଭର ହୋଇଥାନ୍ତା, ତା’ହେଲେ ଏ ଫ୍ୟାମିଲି କୋର୍ଟ, ଏସବୁ ନାଟକ ବାଜିର କ’ଣ ବା ଆବଶ୍ୟକତା ପଡ଼ିଥାନ୍ତା ! ପୁଣି ଶେଷକୁ ସେଇ ବୁଝାମଣା ଯୋଉଟା କି ଆହୁରି ଆଗରୁ ମଧ୍ୟ ଚାହିଁଥିଲେ ସମ୍ଭବ ହୋଇପାରିଥାନ୍ତା । ଏତେ ସବୁ ଅନ୍ତର୍ଦାହ ପୀଡ଼ା, ବିରହର ଅପୂର୍ଣ୍ଣ କ୍ଷତ ଆଉ ଅବୁଝା ଅଶୁଖା ହୋଇ ରହିନଥାନ୍ତା । କେବେଠୁ ଗୋଟିଏ ନୀଡ଼ରେ ଏକାଠି ବସା ବାନ୍ଧି ସାରନ୍ତେଣି ଦୁଇ ବାସହରା ପକ୍ଷୀ ।

ଏବେ ଖାଲି କଳ୍ପନାରେ କାହିଁକି, ବେଳେ ବେଳେ ନିଜର ଦୁଇ ସ୍ୱପ୍ନ ଗଜୁରୀ ଆଖିକୁ ସୁଦ୍ଧା ତା’ର ଘରଟା ବାୟା ଚଢେ଼ଇର ସୁନ୍ଦର କୁନି ବସାଘର ପରି ଦେଖାଯାଉଥିଲା । ଶୂନ୍ୟର କୋଳରେ ଦୋହଲା ପବନରେ ଝୁଲି ଝୁଲି ଆଖିକୁ ଯେମିତି ଆକର୍ଷିତ କରୁଥାଏ ବାୟା ଚଢେ଼ଇର ବସାଟା ସେମିତି ଆକର୍ଷଣରେ ଭରି ଯାଇଥିଲା ତା’ ଇଟାକାନ୍ଥରେ ତିଆରି ସ୍ୱପ୍ନର ଇମାରତ୍ । ସେ ଦେଖୁଥିଲା ସେହି ବସାର ଛୋଟ ମୁହଁ ଦେଇ ଦୁଇଟି କୁନି କୁନି ଟିକି ଚଢେ଼ଇର ମୁହଁ । ଭସା ଭସା ନୀଳ ଆକାଶକୁ ପଛ କରି ଅସୀମ ଦାମ୍ପତ୍ୟ ପ୍ରେମର ମହାଆନନ୍ଦରେ ବିଭୋର । କାହାକୁ ବୋଲି ପରବାଏ ନାହିଁ, ନାଁ ଦୁଃଖର ନା ଅଭାବର । ସେହି ଛୋଟ ବସାରେ ଅଛି ତ କେବଳ ନିରୋଳା ସୁଖ ହିଁ ସୁଖ ! ନିରୋଳା ପ୍ରେମ ହିଁ ପ୍ରେମ ! ଆସ୍ତେ ଆସ୍ତେ ଏମିତି ଗୋଟିଏ ସ୍ୱପ୍ନର ବସା ପାଲଟି ଯାଉଥିଲା ତା’ର ଘରଟା । ଅପେକ୍ଷା ଥିଲା ତ ବୈଶାଖୀର । ଯାହାର ଆଗମନରେ ଏହି ରୂପାନ୍ତରଣ ପାଇବ ତା’ର ଶେଷ ପୂର୍ଣ୍ଣାଙ୍ଗ ବିନ୍ୟାସ । ଆଗତ ପୁଲକରେ ଅଧିର ହୋଇଉଠୁଥିଲା ନିଶିଥ୍ ।

ଏତେ ଖୁସିରେ ବିଭୋର ହୋଇ ଉଠୁଥିଲା ଯେ ତାକୁ ଆନ୍ଦୋଳିତ କରୁଥିବା ଅଭ୍ୟନ୍ତରର ଏକାନ୍ତ ଗୁପ୍ତ ପ୍ରଶ୍ନ ଗୁଡ଼ାକ ସୁଦ୍ଧା ପାଶୋରି ଦେବାକୁ ବସିଥିଲା । ଏଇ ଯେଉଁ ଅସମାହିତ ସଂଗୀନ ପ୍ରଶ୍ନ ଆଜି ଯାଏଁ ଭିତରେ ଭିତରେ ଉତ୍ପୀଡ଼ିତ କରି ରଖିଥିଲା, ସେଥିରୁ ଗୋଟିଏ ତ ନିଶ୍ଚିତ ଥିଲା ବୈଶାଖୀ ପାଇଁ । କ’ଣ ଏମିତି କେଉଁ ରହସ୍ୟ ହେତୁ ବାହାବେଦୀରୁ ସହସା ମୁହଁ ଫେରାଇ ନେଇଥିଲା ଯେ ସେହି ଅଛିଣ୍ଡା ଗଣିତର ଭାଗଶେଷ ପାଖରେ ନିଜ ଭାଗ୍ୟକୁ ବନ୍ଧା ଦେବାକୁ ମଧ୍ୟ ହୋଇଥିଲା । ଚାହିଁଥିଲେ ପରେ ଆଉ ଥରେ ବିବାହ ମଧ୍ୟ କରିପାରିଥାନ୍ତା । ଜୀବନର ସେହି ଅଭିଶପ୍ତ ମୋଡ଼କୁ ଦୁର୍ଘଟଣା ବୋଲି ମନେ କରି ଡେଇଁ ଯାଇ ନିଜ ପାଇଁ ଆଉ ଗୋଟିଏ ମଧୁର ସଳଖ ରାସ୍ତା ବାଛିପାରିଥାନ୍ତା । କିନ୍ତୁ ସେପରି କରିବାକୁ ଉଚିତ୍ ମଣିଲା ନାହିଁ । ସେମିତି କରିଥିଲେ ହୁଏତ ବିବାହ ବନ୍ଧନକୁ ନେଇ ମନରେ ଥିବା ସବୁତକ ନୈସର୍ଗିକ କୋମଳ ଭାବନାତକ ଓଲଟପାଲଟ ହୋଇଯାଇଥାନ୍ତା । ପ୍ରତିବଦଳରେ ଅପେକ୍ଷା କଲା । ସମୟର ସ୍ରୋତରେ ଉତ୍‌ଥିତ ବିପର୍ଯ୍ୟୟ ଝଡ଼ର ବେଗ ପ୍ରଶମିତ ହେବା ଯାଏଁ । ମନର ଅଶାନ୍ତ ସାଗରରେ ଧାପେ ଆଶାର ତରୀଟିଏ ମେଲାଇ ଶାନ୍ତ ଏକ ସୂର୍ଯ୍ୟୋଦୟକୁ ଚାହିଁ ରହିଥିଲା ଅସୀମ ଧୈର୍ଯ୍ୟ ଓ ବିଶ୍ୱାସର ସହ । ସେହି ସକାଳ ଏବେ ଉଇଁବା ଉଇଁବା ହେଉଥିଲା ଜୀବନ ଆକାଶର ପୂର୍ବାଶରେ । ନୂଆ ପ୍ରେମରାଗର ଉଦୟ କାକଳିରେ ସିନ୍ଦୂର ଫଟା ଦିଗ୍‌ବଳୟର ଚିତ୍ରଟେ ଉଇଁ ଆସୁଥିଲା । ଖୁବ୍ ହାତପାଆନ୍ତାରେ । ବିଲ୍‌କୁଲ୍ ଆଖିର ସାମ୍ନାରେ ।

ପାହାନ୍ତି ଆଡ଼କୁ ମୁହାଁଉଥିଲା ନିଃଶବ୍ଦ ରାତି । ଆଉଟା ଗରମରେ ସାରା ରାତିର ଦଂଶନ ସହିତ ବିଞ୍ଚଣାର କେଁ କଟର ପରି ପରସ୍ତ ପରସ୍ତ ଦହନରେ ଅତିଷ୍ଟ ଛାତି କଲିଜାଟାକୁ ସିଝାଇ ପକାଇଥିଲା ଯେମିତି । ପଚାରିବ ତ କୋଉ କୋଉ ପ୍ରଶ୍ନକୁ ପଚାରିବ ! ଯାହାକୁ ସେ ଏ ଯାଏଁ ନିଜକୁ ପଚାରି ଆସୁଥିଲା, ପଚାରି ଏ ଯାଏଁ ନିଜକୁ ଲହୁଲୁହାଣ କରୁଥିଲା । କାନ୍ଦୁଥିଲା ନିଜେ, ଆଉ ବୋହି ପଡୁଥିବା ଲୁହଧାରକୁ ପୋଛି ପକାଉଥିଲା ନିଜର ସବୁ ନିଭୃତ୍ତ ପ୍ରହରମାନଙ୍କରେ ।

ନା ଆଜି ଆଉ ହିସାବ କିତାବର ସମୟ ନୁହେଁ । ଯାହା ହୋଇଯାଇଛି ସେଇଟା ଅତୀତ । ତାକୁ ଆବୋରି ବର୍ତ୍ତମାନକୁ ଆରମ୍ଭ କରାଯାଇନପାରେ । ଅନ୍ତଃପ୍ରଦେଶରୁ ସେ ଶୁଣିପାରୁଥିଲା ଏଇ କେଇ ଧାଡ଼ିର ସ୍ୱଗୋତକ୍ତି । ହଁ, ତାକୁ ଭୁଲିଯିବାକୁ ହେବ ଅମାବାସ୍ୟାର ଅନ୍ଧକାର ପରି ତା’ର ପିଛିଲା ସମୟ । ମଙ୍ଗଳ ବେଦୀରେ ଯେଉଁ ତେଲିଙ୍ଗି ବାଜାର ଲହରୀଟା ହଠାତ୍ ବନ୍ଦ ହୋଇଯାଇଥିଲା ପୁଣି ସେହି ଲହରୀର ଗୁଞ୍ଜନ ଆଜି ତା’ କାନ ପାଖରେ ହେଉଛି ଗୁଞ୍ଜରିତ । ପୁରୋହିତଙ୍କ କଣ୍ଠରୁ ଅଧା ବାହା ବେଦୀର ମନ୍ତ୍ର ଆଉ ଥରେ ଯେପରି ହେଉଛି ଉଚ୍ଚାରିତ । ସବୁ ଅଧା ହେବ ଆଉ ଥରେ ଗଢ଼ା । ଭଗ୍ନାଂଶ ହେବ ପୂର୍ଣ୍ଣାଂଶ । ଛାତିରୁ ଫେଡ଼ି ହୋଇ ଆସୁଥିଲା ତମାମ୍ ଅବଶୋଷ । ଛ୍ୟାଃ. . . ପୋଛିଲା ଲୁହକୁ ଆଉ ଥରେ ଆଖିରୁ ଝରାଇ ଲାଭ କ’ଣ ? ଧାରେ ଆଶ୍ୱସ୍ତିର ହସ ଫିଟି ଆସୁଥିଲା ତା’ ଓଠରେ । ଏପର୍ଯ୍ୟନ୍ତ ଅକୁହା ଦୁଃଖର ପଥର ଚାପରେ ଜାବ ପଡ଼ିଯାଇଥିବା ତା’ ଓଠ ଧାରରେ ଖେଳି ଉଠୁଥିଲା ପ୍ରାଣ । ସେ ଆଗକୁ ଆବିଷ୍କାର କରୁଥିଲା ଗୋଟିଏ ଦୀର୍ଘ ସୁଖଦ ସଂସାରର ପଥ । ଦୁଇ ଧାରରେ ସବୁଜ ଗଛକୁ ଉହାଡ଼ କରି ଲମ୍ୱି ଯାଇଥିବା ସେହି ପଥ । ମଝିରେ ପରସ୍ପରର ହାତ ଧରି ଅଗ୍ରସର ହେଉଥିବା ଦୁଇ ପଥଚାରୀ । ଗୋଟିଏ ଦିଗରେ । ଗନ୍ତବ୍ୟ ଏକ । ଯାତ୍ରା ଅବିରତ । ଦୁଇ ଜୀବନ ସଂଗୀତର ମିଳିତ ମୂର୍ଚ୍ଛନାରେ ଏକାଠି ପାଦ ବଢ଼ାଉଥିବା ଗୋଟିଏ ତାଳ । ଏକା ମୁହାଁ ହୋଇ ବାଟ ଚାଲୁଥିବା ଗୋଟିଏ ଲୟ ।

ଆଃ. . . ପାହାନ୍ତି ମୃଦୁ ପବନର ହାବୁକାଏ ଶୀତଳତାରେ ସତେଜ ହୋଇ ଉଠୁଥିଲା ନିଶିଥ୍‌ର ଦେହ ଆଉ ମନ । ସାରା ରାତିରେ ନିର୍ଦ୍ଦୟ ଗ୍ରୀଷ୍ମର ଉଷ୍ମ ଅଭିସାର ଭିତରେ ରୁଦ୍ଧ ହୋଇଯାଇଥିଲା ପ୍ରାଣଟା । ବାହାରୁ ଯେତେ ଅସ୍ତବ୍ୟସ୍ତ ଲାଗୁଥିଲା, ଭିତରେ ଅତିଷ୍ଠ କରୁଥିଲା ଆଉ ଏକ ବ୍ୟଗ୍ରତା । ଅଧୀର ହୃଦୟକୁ ବୁଝାଇବା ଥିଲା ବି ସତରେ କି କଷ୍ଟକର ! ବୈଶାଖୀର ଅବୁଝା ପ୍ରତାରଣା ପୁଣି ତା’ ଠାରୁ ବିରହର ଏହି ଲମ୍ୱା ଅବଧି ବେଦନାପ୍ରଦ ନୁହେଁ ତ ଆଉ କ’ଣ ? ଛାତି ତଳେ ଏହି ଉଦ୍‌ବେଳିତ ପ୍ରଶ୍ନ ତଥାପି ଦେହରାଉଥିଲା ଅବୁଝା ପବନ ପରି । ବାଉଁଶ ବଣର ଘୁଁ. . . ଘୁଁ ପାଲଟି ପିଟି ହେଉଥିଲା ମନର ଦରଜାରେ । ପୁଣି ଦେଖ ସେହି ଆହତ ମନର ଗହନରେ ଶୁଭୁଛି, ଆଜି କିପରି ମିଳନ ରାଗର ବଂଶୀସ୍ୱନ । ପ୍ରଗଳ୍ଭ ହୋଇପଡୁଥିଲା, ତା’ ସହିତ ଭାବନାରେ ଭାସିଯାଉଥିଲା ଦୂରକୁ ଦୂରକୁ । ସେତେବେଳକୁ ସକାଳର ପ୍ରଥମ ସୁନେଲି ଆଭାରେ ପରିଷ୍କାର ହୋଇ ଆସୁଥିଲା ଆକାଶ ।

ପ୍ରତୀକ୍ଷିତ ଦିନ ଓହ୍ଲାଇ ଆସିଥିଲା ନିଶିଥ୍‌ର ଘର ଅଗଣାକୁ । ନରମ ରଙ୍ଗର ମୁରୁଜ ପକାଇ ଅଗଣା ସାରା ବିଛାଡ଼ି ହୋଇପଡ଼ିଥିଲା ପହିଲି ସୂରୁଜର କିରଣ । ଆବେଗ ପ୍ରବଣ ହୋଇ ଉଠୁଥିଲା ସେ । ବୈଶାଖୀ ପହଞ୍ଚିବା ଆଗରୁ ଆହୁରି କେତେ କାମ ରହିଲା ଯେ. . . । ଗୃହ ପ୍ରବେଶ ପାଇଁ ମଙ୍ଗଳ ଶଙ୍ଖ ଧ୍ୱନି ଓ ବନ୍ଦାପନା । ହୁଳହୁଳି ନାଦରେ ସେ ଥାପି ତା’ର ପ୍ରଥମ ପାଦ । ଗୋଟିଏ ମୃଦୁ ତରଙ୍ଗ ଖେଳାଇ ହୋଇ ଯାଉଥିଲା ତା’ର ଚଳଚଞ୍ଚଳ ହୃଦୟ ପ୍ରଦେଶରେ । ପାଦ ସହିତ ମିଶିବ ପାଦ । ଅଧୁରା ଜୀବନର ହେବ ଆଉ ଥରେ ଶୁଭ ଅୟମାରମ୍ଭ । ଏକ. . . ଦୁଇ ପରେ ଛିଣ୍ଡି ଯାଇଥିବା ଜୀବନଗଣିତ ପୁଣି ତିନ୍ ପାଖରୁ ଗଣନା ଆରମ୍ଭ କରିବ ।

ଘରର ମାହୋଲ ବି ଟିକେ ମୁଖର ଲାଗୁଥିଲା ସକାଳୁ । ପରିଜନମାନଙ୍କ ମୁହଁରେ ସଦ୍ୟ ହଳଦୀ ରଙ୍ଗ ପରି ଖୁସିର ଛିଟା । ଏଇ ନିଶିଥ୍‌ର ଜୀବନରେ ଘୋଟି ଆସିଥିବା ଅଦିନ ଅନ୍ଧାରକୁ ନେଇ ଯେଉଁ ନୈରାଶ୍ୟର ଚାଦରରେ ଢାଙ୍କି ହୋଇଯାଇଥିଲା ସଭିଁଙ୍କ ଚେହେରା, ସେଠି ଏବେ ଅସୀମ ଆନନ୍ଦର ଶୁଭ୍ର ଝଲକ । ଅଦୃଶ୍ୟ ଝୋଟି ଚିତାର ପାଖୁଡ଼ା ହସରେ ପୁରି ଉଠୁଥିଲା ଘର ବାହାର, ଦାଣ୍ଡ ଦୁଆର ସବୁ କିଛି । ସବୁଠି ଭରି ରହିଥିଲା ସଜ ଫୁଲର ମାଦକତା । କାହାର ଆସିବା ନେଇ ସଜବାଜ । ପ୍ରସ୍ତୁତିର ବିରାମହୀନ ପର୍ବ ।

ଇତସ୍ତତଃ ଦୁଇ ଆଖି ଅପଲକ ଭାବରେ ପହଁରି ଚାଲିଥିଲା ବାହାର ପଟ ରାସ୍ତାରେ । ଖୁବ୍ ବିଚଳିତ ଭାବରେ ମଝିରେ ମଝିରେ ଚାହିଁ ରହୁଥିଲା ରାସ୍ତାର ସେହି ବାଙ୍କ ମୁଣ୍ଡ ଯାଏ, ଯେଉଁଠି ମୋଡ଼ ବୁଲିଲେ ରାସ୍ତାଟା ସିଧା ହୋଇ ପହେଞ୍ଚ ତା’ ଘର ସାମ୍ନାରେ । ସକାଳ ଗଡ଼ି ଚାଲିଥିଲା ଧିରେ ଧିରେ । ସହନାଇର ମନ୍ଦ ମନ୍ଦ ଲହରୀ ପରି ଖରାର ତେଜ ଟିକେ ଟିକେ ବଢ଼ି ଆସୁଥିଲା ପଦାକୁ । ବ୍ୟତିବ୍ୟସ୍ତ ଲାଗୁଥିଲା ତାକୁ । ସକାଳୁ ଢେର୍ ସମୟ ଧରି ସିଏ ଆସି ଅପେକ୍ଷାରତ ଥିଲା ଘର ଆଗରେ ।

ମାମୁଁ ଝିଅ ଭଉଣୀ ଅନୀତାର ଦାୟିତ୍ୱ ଥିଲା ବୈଶାଖୀକୁ ସାଙ୍ଗରେ ଧରି ଆସିବାକୁ । ସେହି ଅନୁସାରେ ସବୁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଥିଲା ପୂର୍ବରୁ । ଅନୀତା ସେହି ଗୋଟିଏ ସହରରେ ରହେ ଯେଉଁଠି ରହେ ବୈଶାଖୀ । ଆଉ ପୂର୍ବରୁ ସିଏ ତାକୁ ଜାଣିଥିଲା ମଧ୍ୟ । ନିଜେ ଦାୟିତ୍ୱ ନେଇଥିଲା ଭାଉଜଙ୍କୁ ଧରି ସକାଳୁ ଆସି ପହଞ୍ଚିଯିବ ଠିକଣା ସମୟରେ ଅର୍ଥାତ୍ ଯଥା ଶୁଭ ବେଳାରେ । ମଝିରେ କେତେଥର ବିଳମ୍ୱର କାରଣ ଜାଣିବାକୁ ତା’ ମୋବାଇଲ୍‌କୁ କଲ୍ କରିଥିଲା । ହେଲେ କ’ଣ ପାଇଁ କେଜାଣି ସେପଟୁ ତା’ର ମୋବାଇଲ୍‌ଟା ସୁଇଚ୍ ଅଫ୍ ବୋଲି ବାରମ୍ୱାର ଜଣାଉଥିଲା । ଏହା ଯେମିତି ଖାଲି ଉତ୍କଣ୍ଠାକୁ ଦୁଇଗୁଣ ବଢ଼ାଇ ଦେବା ଭଳି କଥା ଥିଲା ବରଂ ସବୁପ୍ରକାର ଭାବରେ ଅସହ୍ୟନୀୟ ଥିଲା ନିଶିଥ୍ ପାଇଁ ।

ଦାଣ୍ଡରେ କେତେବେଳେ ଧୀର ଭାବରେ ବ୍ରେକ୍ କଷି ଛିଡ଼ା ହୋଇଯାଇଥିଲା ଗାଡ଼ି । ଅପ୍ରସ୍ତୁତ ଭାବରେ ଏକୁଟିଆ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲା ଅନୀତା । ଘରର ସବୁଲୋକ ଜମାଟ ବାନ୍ଧି ସାରିଥିଲେ ଆସି ଦୁଆର ମୁହଁରେ । ସମସ୍ତଙ୍କ ମୁହଁରେ ଅଦମନୀୟ ଉଦ୍‌ଗ୍ରୀବତା । ଘେରା ଘେରା ପ୍ରଶ୍ନିଳ ଚାହାଁଣି । ହଠାତ୍ ନିଶିଥ୍‌ର ହାତକୁ ଧରି ଘର ଭିତରକୁ ସାଙ୍ଗରେ ଭିଡ଼ି ନେଇଗଲା ଅନୀତା । କ’ଣ କିଛି ବୁଝିବା ଜାଣିବା ପାଇଁ ଯେପରି ସମ୍ପୂର୍ଣ୍ଣ ହତବାକ୍ ଥିଲା ନିଶିଥ୍ । ଖାଲି ବଲ୍ ବଲ୍ ଆଖିରେ ଚାହିଁ ରହିଥିଲା ତା’ ଆଡ଼କୁ । ସେପଟୁ ସେ କହୁଥିଲା, “ତିନି ବର୍ଷ ତଳେ ଯେଉଁ ହସ୍ତହଣ୍ଠିକୁ ଛାଡ଼ି ବୈଶାଖୀ ବେଦୀରୁ ଉଠିଥିଲା, ସିଏ ତା’ର ମନପସନ୍ଦର ହାତ ପାଇସାରିଛି । ଆଉ ସେଠାରୁ ଫେରିବାର ଆଶା ନାହିଁ ।”ତାକୁ ସେଥିରୁ କିଛି କଥା ବୁଝା ପଡୁଥିଲା, ପୁଣି ବୁଝି ଲାଗୁଥିଲା ଅବୁଝା । ଗତ ରାତିର ଉତ୍କଟ ତାତି ପରି ତା’ ଛାତିକୁ ଗ୍ରାସି ପକାଉଥିଲା ଗ୍ରୀଷ୍ମର ଗରଳ । ରାତି ପାହିବା ଯେପରି ଆଉ ବାକିଥିଲା ।

ଲୋକପ୍ରିୟ ଲେଖା

To Top