ଗଳ୍ପ

ରାଜେଶ୍ୱରର ଦୁଇଟି ବନ୍ଧୁ

Rajeshwarara Duiti Bandhu an odia story by Kalindicharana Panigrahi

ଯଦୁମଣିବାବୁ ତାଙ୍କ କନ୍ୟାକୁ ନେଇ ଯାହା ଇଚ୍ଛା କରିପାରନ୍ତି ଏବଂ ସେଥିରେ କାହାରି କିଛି କହିବାର ନାହିଁ, କିନ୍ତୁ ସାଇପଡ଼ିଶାର ଲୋକେ ପୁଅ ଝିଅ ଘେନି ଘର କରୁଥିବା ଅବସ୍ଥାରେ ଉମାର ଆଚରଣ ସେମାନଙ୍କ ଆଖିରେ ବଡ଼ ଆପତ୍ତି ଜନକ ହୋଇଉଠିଚି ।

ରାଜେଶ୍ୱରର ଦୁଇଟି ବନ୍ଧୁ

-: ପୂର୍ବରୁ :-

ସବୁ ଆଳାପ ଆଲୋଚନା ଅବଶ୍ୟ ଘର ଭିତରେ ରୋଜ ସନ୍ଧ୍ୟାରେ ହୋଇଥାଏ, କିନ୍ତୁ କେଜାଣି କେମିତି ସାଇ ପଡ଼ିଶାରେ ଦୁଇ ଜଣଙ୍କ ସମ୍ୱନ୍ଧରେ ଟିକିଏ ଟୁପ୍ ଟୁପ୍ ଆରମ୍ଭ ହେଲା, ପହିଲେ ଅବଶ୍ୟ ନାରୀମହଲରେ । ଉମାର ମା’ଙ୍କ କାନରେ ମଧ୍ୟ କଥାର ଢେଉ ନାନା ଆକାରରେ ଆସି ବାଜିଲା । ସେ ଯାଇ କହିଲେ ନିଜର ସ୍ୱାମୀଙ୍କ ଆଗରେ, କିନ୍ତୁ ଯଦୁମଣିବାବୁ କଥାଟାକୁ ଉଡ଼ାଇ ଦେଇ କହିଲେ, “ଅଃ ଲୋକଙ୍କ କଥାକୁ ମାନି ଚଳିଲେ ଏକାବେଳେ ଅଚଳ ହୋଇ ବସି ରହିବାକୁ ହେବ । ସେ ସବୁ କଥା ତୁମେ ଶୁଣ କାହିଁକି ?”

ଯଦୁମଣିବାବୁ ବୟସରେ ନ ହେଲେ କ’ଣ ହେଲା, ରୁଚି ଓ ରୀତି ଗତିରେ ଖୁବ୍ ଆଧୁନିକ । ଖାଲି ଅପରିଚିତ ଲୋକଙ୍କ ସିବା ସାଇପଡ଼ିଶା ଓ ସବୁ ପରିଚିତ ଲୋକେ ଅମାର୍ଜିତ ରୁଚିରେ ବୋଲି ତାଙ୍କର ଧାରଣା । ଆଉ କାହା ସଙ୍ଗେ ମନ ଖୋଲି ମିଶିପାରୁ ନ ଥିବାରୁ ସମସ୍ତଙ୍କ ଅପେକ୍ଷା ନିଜର ବେଶି ତାରିଫ୍ କରନ୍ତି ଗୃହିଣୀଙ୍କ ଆଗରେ, ପୁଣି ଭାବ ଭଙ୍ଗୀଦ୍ୱାରା ତାଙ୍କୁ ବୁଝାଇ ଦିଅନ୍ତି ଯେ, ତାଙ୍କପରି ସ୍ୱାମୀ ପାଇଲେ ଯେ କୌଣସି ସ୍ତ୍ରୀ ନିଜକୁ କୃତାର୍ଥ ମଣିବା ଉଚିତ୍ । ସ୍ତ୍ରୀ ମଧ୍ୟ ଦେଖନ୍ତି ଯେ, ଅଳ୍ପ ବୟସରୁ ସେ ଯେମିତି ଗୋଟିଏ ସଂସାର ମନ ଭିତରେ ଗଢ଼ିଥିଲେ, ଯଥାର୍ଥରେ ସେ ତାହା ନୁହେଁ ବରଂ ଏ ସଂସାରରେ ଯଦୁମଣିବାବୁ ସବୁଠାରୁ ବେଶି ପାଠୁଆ ଆଉ ବେଶି ବୁଦ୍ଧିଆ । ଅତଏବ ଅଧେ ଭୟ ଓ ଅଧେ ଭକ୍ତିରେ ସେ ଉତ୍ତର ଦେଇ ପାରନ୍ତି ନାହିଁ । ପଡ଼ିଶା ଘରର ସ୍ତ୍ରୀଲୋକମାନେ ବୁଲିଆସିବା ଉପଲକ୍ଷରେ ଉମାର ବାହାଘର କଥା ପକାନ୍ତି । କେହି କେହି ଏତେ ବୟସଯାଏ ଝିଅମାନଙ୍କୁ ପାଠ ପଢ଼ାଇବାର ଅପକାରିତା ବୁଝାଇ ବସନ୍ତି । ଆଉ କିଏ ପୁରୁଷ ପିଲା ସାଥିରେ ମିଶିବାକୁ ଆପତ୍ତି ଉଠାନ୍ତି । ହଁ, ନା, କହି ଶେଷରେ ଯଦୁବାବୁଙ୍କ ଗୃହିଣୀ ଉତ୍ତର ଦିଅନ୍ତି, “କେଜାଣି, ତା’ ବାପା ସେ କଥା ଜାଣିଥିବେ ।”

ବିନୋଦ ମନରେ ଏକାବେଳେ ହଜାରଟା ପ୍ରଶ୍ନ ଆସି ଆଘାତ କଲା । ସେଥିପାଇଁ ସେ ସିଗାରେଟ୍ କେସ୍‌ଟାକୁ ଫିଟାଇ ଦେଇ ବନ୍ଧୁମାନଙ୍କ ଆଗରେ ଧରିଲା ଓ ସେହି ଅବସରରେ ପଚାରିଲା “ଆଚ୍ଛା, ରାଜେଶ୍ୱରବାବୁଟି କିଏ ? ସେହି ଯେ ପୋଷ୍ଟଗ୍ରାଜୁଏଟ୍ ମେସ୍‌ର ରାଜେଶ୍ୱରବାବୁ ସେଥର ପାଗଳ ହୋଇଥିଲ, ସେହି ନା ?”

ବିଶ୍ୱମୋହନ ସିଗାରେଟ୍ ଖଣ୍ଡକର ଦୁଇଟା ପାଖ ନିଜ ରିଷ୍ଟ ୱାଚ ଉପରେ ଦୁଇଚାରି ଥର ବାଡ଼େଇ ଦେଇ ଗୋଟାଏ ପାଖ ଓଠ ଅଗରେ ଲଖେଇ ଦେଲା ଓ ଉତ୍ତର କଲା, “ହଁ ହଁ ସେଇ ରାଜେଶ୍ୱରବାବୁ, ତମେ ତ ତାଙ୍କୁ ଜାଣ ତା’ହେଲେ ?” ବିଶ୍ୱମୋହନ କଥା ସଙ୍ଗେ ସଙ୍ଗେ ସିଗାରେଟ୍ ଖଣ୍ଡ ମଧ୍ୟ ଓଠ ମଝିରେ ହଲିବାକୁ ଲାଗିଲା ।

ମାଧବ ପଚାରିଲା, “ଯଦୁମଣିବାବୁଟି କେମିତି ଲୋକ ହେ ? ଭାରି ତ ରୁଚିବାଗୀଶ । ଏତେ ବେଶି ଆଧୁନିକ ହେଲେ ଯେ, ବର୍ତ୍ତମାନ ସଙ୍ଗେ ସମ୍ପୂର୍ଣ୍ଣ ବେଖାପ ହୋଇପଡ଼ିବ ।”

ବୈରାଗୀ ଡ଼ିଆସିଲିଟା ଜାଳି ବିଶ୍ୱମୋହନର ସିଗାରେଟ୍ ଆଗରେ ଧରିଲା ଓ ମାଧବକୁ ଉତ୍ତର କଲା, “ଆଚ୍ଛା ହେଉ ଯୋଡ଼ ମୁଣ୍ଡଟା ଯେତେବେଳେ ତୁମ ହାତକୁ ଆସିବ, ସେତେବେଳେ ସେ କଥାର ବିଚାର ହେବ ।”

ବିଶ୍ୱମୋହନ ଦୁଇ ଚାରି କଳ ଧୂଆଁ ଛାଡ଼ି ଦେଇ କହିଲା, “ଶୁଣ, ଶୁଣ, କଥାଟା ଆଗ ଶୁଣିସାର ।” ରାଜେଶ୍ୱରଙ୍କ ସହିତ ଉମାକୁ ଖୁବ୍ ବେଶି ସମୟ ଗପ କରୁଥିବାର ଦେଖିଲେ ତାହାର ମା’ ମଝିରେ ମଝିରେ ତାକୁ ଭିତରକୁ ଡାକି ପଠାନ୍ତି ଓ ବାହାନା କରି ଏଣୁ ତେଣୁ ଗୋଟାଏ ଅଧେ କାମ ବତାନ୍ତି, କିନ୍ତୁ ଘର ଭିତରେ ତାହାର ମନ ଲାଗେ ନାହିଁ । ଅଳ୍ପ ସମୟ ପରେ ଫେରିଆସି ରାଜେଶ୍ୱରଙ୍କ ସାଥିରେ କଥାଯୋଡ଼ି ଦିଏ ଓଡ଼ିଶାରେ ଫ୍ଲାଇ କ୍ଲବ୍ ଓ ସିନେମା କମ୍ପାନୀର ସମ୍ଭାବନା କେମିତି, ଜାତିର ସ୍ୱାସ୍ଥ୍ୟ ଉନ୍ନତି ପାଇଁ ମାସ୍ ଡ୍ରିଲ୍ କେମିତି ଦରକାର ଇତ୍ୟାଦି କଥା ପଡ଼େ । କୋ-ଏଜୁକେଶନର ଉପକାରିତା ଏପର୍ଯ୍ୟନ୍ତ ଭାରତୀୟ ଲୋକେ ବୁଝିଲେ ନାହିଁ ବୋଲି ଦୁଃଖ ପ୍ରକାଶ କରାହୁଏ, ପୁଣି ଆଲ୍ ଡାସ୍ ହକ୍ସଲି, ଫ୍ରଏଡ୍ ନୁଡ଼ିଜିମ୍ ଓ ଜବାହାରଲାଲ୍ ପ୍ରଭୃତି ନାନା ବିଷୟରେ ଘୋର ଆଲୋଚନା ହୋଇ ସବୁ ଶେଷରେ ମୀମାଂସା ହୁଏ ଯେ, ଉମା ଆଜୀବନ ଅବିବାହିତ ରହିବ, ପୁଣି ରାଜେଶ୍ୱର କୌଣସି ନାରୀକୁ ନିଜର ସ୍ତ୍ରୀ ରୂପେ ଗ୍ରହଣ କରିବ ନାହିଁ ।

କିନ୍ତୁ ଉମା ଓ ରାଜେଶ୍ୱରଙ୍କ ଭିତରେ ଏହି ସତ୍ ସମ୍ୱନ୍ଧଟା ପଡ଼ାର ନାରୀ ମହଲରୁ ପୁରୁଷ ମହଲକୁ ଉଠି ନାନା ଭାବରେ ରଞ୍ଜିତ ହେବାକୁ ଲାଗିଲା । ରାଜେଶ୍ୱର ପ୍ରଥମେ ଏହାର ସନ୍ଧାନ ପାଇଲା ଉମାଙ୍କ ଗଳି ମୁଣ୍ଡର ଗୋଟାଏ ପାଚେରି କାନ୍ଥରୁ- ବେଶ୍ ବଡ଼ ବଡ଼ ଅକ୍ଷରରେ ନିଜ ନାମ ସହିତ ଉମାର ନାମ ସଂଯୋଗରେ ଗୋଟାଏ କୁତ୍ସିତ ବିଜ୍ଞାପନ ସେଠାରେ ଦେଖିଲା ଓ ତା’ପରେ ପାଇଲା ବେନାମୀ ଚିଠି । କଥାଟାକୁ ସେ ଉମାକୁ କିମ୍ୱା ଯଦୁମଣିବାବୁଙ୍କୁ ଆଗ କହିବ, ସ୍ଥିର କରିପାରିଲା ନାହିଁ । ଯଦୁମଣିବାବୁଙ୍କର ମଧ୍ୟ କଚେରିରୁ ଫେରିଲା ବେଳେ ପକେଟ୍ ଭିତରେ ଟଙ୍କା ଅପେକ୍ଷା ଏହି ବେନାମୀ ଚିଠିର ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗିଲା ।

ସବୁ ଚିଠି ପଢ଼ିବାକୁ ତାଙ୍କୁ ଅବସର ନ ଥାଏ; କିନ୍ତୁ ଯେଉଁ କେତେଖଣ୍ଡ ପଢ଼ିଲେ, ସେଥିରୁ ତାଙ୍କର ଧାରଣା ହେଲା ଯେ, ତହିଁ ମଧ୍ୟରୁ କେତେ ପତ୍ର-ଲେଖକ ଖୁବ୍ ହିତୈଷୀ ବନ୍ଧୁ ହୋଇ ତାଙ୍କୁ ଲେଖିଛନ୍ତି । ସମସ୍ତେ ଯେ କେବଳ ପଡ଼ା ଭିତରର ତାହା ମଧ୍ୟ ମନେହୁଏ ନାହିଁ । ସେମାନଙ୍କ ଭିତରୁ କିଏ କଲେଜ୍ ଛାତ୍ର, କିଏ ସାହିତ୍ୟିକ, ଆଉ କିଏ ଜୁନିୟର ଓକିଲ । କିଏ ଲେଖିଛନ୍ତି, ଯଦୁମଣିବାବୁ ତାଙ୍କ କନ୍ୟାକୁ ନେଇ ଯାହା ଇଚ୍ଛା କରିପାରନ୍ତି ଏବଂ ସେଥିରେ କାହାରି କିଛି କହିବାର ନାହିଁ, କିନ୍ତୁ ସାଇପଡ଼ିଶାର ଲୋକେ ପୁଅ ଝିଅ ଘେନି ଘର କରୁଥିବା ଅବସ୍ଥାରେ ଉମାର ଆଚରଣ ସେମାନଙ୍କ ଆଖିରେ ବଡ଼ ଆପତ୍ତି ଜନକ ହୋଇଉଠିଚି । ସେଥିପାଇଁ ଅନୁଗ୍ରହ କରି ସେ ଏହି ପଡ଼ା ତ୍ୟାଗ କରନ୍ତୁ ଅଥବା ରାଜେଶ୍ୱରଙ୍କ ସଙ୍ଗେ ଉମାର ମିଳାମିଶାଟି ଭାଙ୍ଗନ୍ତୁ, ନ ହେଲେ ଦୁହିଁଙ୍କୁ ବାହା ଦିଅନ୍ତୁ । ଆଉ କିଏ ଲେଖିଚନ୍ତି ଯଥା ଶୀଘ୍ର ସେ ଏହାର ପ୍ରତିବିଧାନ ନ କଲେ ସେ ତାଙ୍କ କନ୍ୟା କିମ୍ୱା ରାଜେଶ୍ୱରଙ୍କର ଶାରୀରିକ, ଆର୍ଥିକ ବା ମାନସିକ ଘୋର କ୍ଷତି ହେବାର ଆଶଙ୍କା ରହିଛି । ସର୍ବସାଧାରଣଙ୍କ ପ୍ରତି ଯଦୁମଣିବାବୁଙ୍କର ଯେଉଁ ଘୃଣା ଓ ତାଚ୍ଛଲ୍ୟ ଥିଲା, ଏହି ସବୁ ଚିଠି ପାଇ ଚତୁର୍ଗୁଣ ହୋଇପଡ଼ିଲା । ଏହା ପରେ ଜଣେ ଦୁଇଜଣ ପଡ଼ୋଶୀ ମଧ୍ୟ ତାଙ୍କୁ ପ୍ରତ୍ୟକ୍ଷରେ ହିତୋପଦେଶ ଦେବାକୁ ଆରମ୍ଭ କଲେ । ତଥାପି ସେ ବେଖାତିର କରି ଚଳି ଆସିଥିଲେ । କିନ୍ତୁ ଯେଉଁଦିନ ସନ୍ଧ୍ୟାରେ ଯଦୁମଣିବାବୁଙ୍କ ଘରୁ ଫେରିବା ସମୟରେ ରାଜେଶ୍ୱରର ସାଇକେଲ ପଛ ଚକରେ ଢେଲା ବସି ପହିଲେ ସାଇକେଲ୍‌ଟା ହିଁ ଜଖମ ହୋଇପଡ଼ିଲା, ତାହା ପରେ ଅସଲ କଥାଟା କେହି କାହାକୁ ନ କହି ରହିପାରେ ନାହିଁ ।

– ତା’ପରେ –

ଲୋକପ୍ରିୟ ଲେଖା

To Top