ଗଳ୍ପ

ରାଜେଶ୍ୱରର ଦୁଇଟି ବନ୍ଧୁ

Rajeshwarara Duiti Bandhu an odia story by Kalindicharana Panigrahi

ନାହିଁ, ନାହିଁ, ଏହିଟା ଅବଶ୍ୟ ମୋର ନିଜର ଅନୁମାନ । ରାଜେଶ୍ୱରଠାରୁ କିନ୍ତୁ ଏ ସମ୍ୱନ୍ଧରେ ମୁଁ କୌଣସି କଥା ଶୁଣି ନାହିଁ । ଉମାକୁ ବାହା କରିବା ପାଇଁ ତାହାର ନିଜର ବୋଧହୁଏ ସେତେ ଦୃଢ଼ତା ଆସି ନଥାଏ ।

ରାଜେଶ୍ୱରର ଦୁଇଟି ବନ୍ଧୁ

-: ପୂର୍ବରୁ :-

କିନ୍ତୁ କଥାର ମୀମାଂସା ଯେ ରାଜେଶ୍ୱରକୁ ଟ୍ୟୁସନ ସଙ୍ଗେ ସଙ୍ଗେ ଉମା ସହିତ ଆଳାପ ସୁଖରୁ ବଞ୍ଚିତ କରିବ, ଏତେ ଦୂର ସେ ଆଶଙ୍କା କରି ନ ଥିଲା । ବିମର୍ଷ ହୋଇ କହିଲା ।

ତା’ହେଲେ ଏହି ବେନାମୀ ବଜାରୀଙ୍କର ହିଁ ଜିତାପଟ ହେବ । ଆମେ ତାଙ୍କୁ ଡରିମରି ରହିବା ।

ଯଦୁମଣିବାବୁ କହିଲେ, “ବର୍ତ୍ତମାନ ପରିସ୍ଥିତିରେ ଆଉ ଉପାୟ କ’ଣ କୁହନ୍ତୁ ? ଏମିତି ଗୋଟାଏ ଡେଲିକେଟ୍ ବିଷୟରେ ଆଇନ୍‌ର ଆଶ୍ରୟ ନେବା ତ ମୁଁ ଯୁକ୍ତି ସଙ୍ଗତ ମନେ କରୁ ନାହିଁ । ଆଉ ମଧ୍ୟ ଆଇନ୍‌ର ଆଶ୍ରୟ ନେବାକୁ ଆମର ଉପଯୁକ୍ତ ପ୍ରମାଣ କାହିଁ ?”

ଏହିପରି ଗୋଟାଏ କିଛି ପନ୍ଥାଧରିବାକୁ ରାଜେଶ୍ୱରର କିନ୍ତୁ ଇଚ୍ଛାଟି ଥାଏ, ମାତ୍ର ଯଦୁମଣିବାବୁଙ୍କୁ ଏ ସମ୍ୱନ୍ଧରେ ନିରୁତ୍ସାହ ଦେଖି ସେ କହିଲା, “ତେବେ କ’ଣ ଆଉ କିଛି ଉପାୟ ନାହିଁ, ଏହି ବଦମାସ୍ ଲୋକଗୁଡ଼ାଙ୍କୁ ଟିକିଏ ଉଚିତ୍ ଶିକ୍ଷା ଦେବା ପାଇଁ ?”

“ସେମାନଙ୍କୁ ଶିକ୍ଷା ଦେବାପାଇଁ ଏକମାତ୍ର ଉପାୟ ନିଜ ଦେହରେ ତାକତଥିବା ଦରକାର”- ଯଦୁମଣିବାବୁ କହିଲେ ।

ରାଜେଶ୍ୱର ଆକାଶକୁ ଚାହିଁଲା, କାରଣ ସେ ଭଲ କରି ଜାଣେ ଯୁକ୍ତିତର୍କରେ ଯେମିତି ଶକ୍ତି ସାହସ ଦେଖାଇପାରେ, ଦେହର ତାକତ କଥାରେ ତାହା ନୁହେଁ । ତେଣୁ ଯଦୁମଣିବାବୁଙ୍କୁ ଗୋଟିଏ ଦୁଃଖପୂର୍ଣ୍ଣ ନମସ୍କାର କରି ସେ ବିଦାୟ ନେଲା ।

ଯଦୁବାବୁଙ୍କଠାରୁ ବିଦାୟ ନେଇ ରାଜେଶ୍ୱର ନିଜ ବସାକୁ ଫେରିଲା । ଦିନ ଦି’ପହରେ କଟକ ସହରର ଦାଣ୍ଡଟା କୁହୁଡ଼ି ଘୋଡ଼ି ଅନ୍ଧାର ହେଲା ପରି ତାହା ଆଖିକୁ ଜାଲୁ ଜାଲୁ ଦିଶିଲା । ବୁଝିପାରିଲା, ଏପରି ଭ୍ରମ ହେବାର କାରଣ ଉମା ବିଚ୍ଛେଦରେ ତାହାର ମନର ଯନ୍ତ୍ରଣା । ବଜାର ଭିତରେ ଯେଉଁଠାରେ ସେ ଥିଲା, ସେଠାରେ ମଧ୍ୟ ତାହାକୁ ନିସ୍ତାର ମିଳିଲା ନାହିଁ । ଦିନ ଚାରିଟା ଟ୍ୟୁସନକୁ ଯାଇ ନାହିଁ । ଏହାରି ମଧ୍ୟରେ ହିଁ ତାହାର ପାଖ ଆଖ ଲୋକଙ୍କ ଭିତରେ ବେତାର ଖବର ପହଞ୍ଚିଗଲା । ଅଗତ୍ୟା ତାହାକୁ ଦରଘାବଜାର ଛାଡ଼ି ଚାଉଳିଆଗଞ୍ଜକୁ ବଦଳି ହେବାକୁ ପଡ଼ିଲା ।

କାଠଯୋଡ଼ିର ଓଦା ପବନଟା ବେଶ୍ ଶୀତଳ ହୋଇପଡ଼ିଛି । ଖଣ୍ଡେ ବଡ଼ କଳା ମେଘ ତଳେ ଚନ୍ଦ୍ର ଲୁଚିଯାଇଛି । ନଈ ଆରପାରି ମୁକାମସହରରୁ ଛ’ସାତଟା ଆଲୁଅ ଦେଖା ଦେଇଛି । ଦୂର ପୋଲ ଉପରେ ଗୋଟାଏ ମାଲଗାଡ଼ି ଘୁ’ ଘୁ’ ଶବ୍ଦ କରି ପାର ହୋଇଗଲା । ଯୁବକମାନଙ୍କ ନିକଟରେ ଥିବା ଟେଲିଗ୍ରାଫ୍ ଖମ୍ୱର ଅବିରାମ ଶବ୍ଦକୁ କ୍ଷଣକ ପାଇଁ ଲୋପ କରିଦେଇ । ଶ୍ରୋତାମାନେ ଆଉ ଟିକିଏ ଲଗାଲଗି ହୋଇ ବସି ବିଶ୍ୱମୋହନର ଗଳ୍ପରେ ସ୍ୱୀୟ ମନୋଯୋଗର ସୂଚନା ଦେଲେ । ସେ ମଧ୍ୟ ନିଜ ବର୍ଣ୍ଣନାରେ ବେଶ ଫୂର୍ତ୍ତି ଅନୁଭବ କରୁଥାଏ । ଗଳାଟାକୁ ପରିଷ୍କାର କରି ନେଇ ପୁଣି କହିବାକୁ ଲାଗିଲା-

କଲେଜ୍ ବୋର୍ଡିଂର ଯେଉଁ ଘରଟିରେ ରାଜେଶ୍ୱର ଆସି ରହିଲା, ସେଠାରେ ଥିଲି ମୁଁ ଏକା । ମୋ ସାଥିରେ ଆଗରୁ ତାହାର ସେତେ ଭାବ ନ ଥିଲେ ହେଁ ପରିଚୟ ଥିଲା ବେଶ୍ । ବନ୍ଧୁତା ହେବାକୁ ବେଶି ସମୟ ଲାଗିଲା ନାହିଁ । ବିଶେଷତଃ ଗୋଟାଏ ଘରେ ରହିଲୁ । ସେତେବେଳକୁ ସେ ଅବଶ୍ୟ ଯଦୁମଣିବାବୁଙ୍କ ଘରକୁ ଯିବାଟା ଏକାବେଳକେ ବନ୍ଦ କରି ନ ଥାଏ । ବିଶେଷତଃ ଉମା ସାଥିରେ ତାହାର ଯେଉଁ ବନ୍ଧୁତା ଜନ୍ମିଥିଲା, ଏତେ ଶୀଘ୍ର ତାହାକୁ କଟାଇ ଦେବ କେମିତି ? କିନ୍ତୁ ଯାଏ ଖୁବ୍ କମ୍, ମାସରେ ତିନି ଚାରିଥରରୁ ବେଶି ନୁହେଁ । ସେଠାରୁ ଫେରି ଆସି କବିତା ଲେଖେ । ଅବଶ୍ୟ ଯେ କେତେଗୋଟି କବିତା ସେ ଲେଖିଥିଲା, ତାହାର ଆଉ କେହି ଶ୍ରୋତା ବା ପାଠକ ନ ଥିବାରୁ ଓ ନିକଟ ଭବିଷ୍ୟତରେ ସେପରି ହେବାର କାହାରି ସମ୍ଭାବନା ନ ଥିବାରୁ ବାଧ୍ୟ ହୋଇ ମତେ ହିଁ ହେବାକୁ ପଡ଼ିଲା । ସେ କବିତା ଶୁଣି ମୁଁ ଯାହା ବୁଝିଲି, ସେଥିରୁ ମନେହୁଏ, ତାହାର ବିଶେଷତ୍ୱ ହେଉଚି କେବଳ ତାକୁ ଶୁଣିବା, ବୁଝିବା ନୁହେଁ । ରାଜେଶ୍ୱର ନିଜେ ମଧ୍ୟ ଏହା ଅନୁଭବ କଲା । କବିତାର ନିୟମ ବନ୍ଧନ କୁଆଡ଼େ ଏତେ କଠିନ ଯେ, ସେଥିରେ ନିଜକୁ ପୂର୍ଣ୍ଣରୂପେ ପ୍ରକାଶ କରିବା ଅସମ୍ଭବ । ସେଥିପାଇଁ ନିଜକୁ ସେ କବିତାରେ ପ୍ରକାଶ କରି ନ ପାରି ମୋ ପାଖରେ ହିଁ ପ୍ରକାଶ କରିବାକୁ ଲାଗିଲା ।

ଦୁଇଜଣ ଆମେ ଗୋଟିଏ ରୁମ୍‌ରେ ଥାଉ, ଏକା ସାଥିରେ ବୁଲି ଯାଉ, ଗାଧୋଉ, ଖାଉ । ନିଦ ଆସିବା ଆଗକୁ ମଧ୍ୟ ବିଛଣାରେ ପଡ଼ି ତା’ ମୁହଁରୁ ଉମା କଥା ଶୁଣେ । ହସିବ ନାହିଁ ଭାଇ, ନିଦ ଆସିଗଲେ ରାଜେଶ୍ୱର ଓ ଉମାଙ୍କ ଭିତରେ ମୁଁ ନିଜେ ମଧ୍ୟ କେତେଥର ସ୍ୱପ୍ନ ଦେଖିଚି । ଉମାର ରୂପ କଳ୍ପନା କରି ମନଟା ମୋର ବେଶ୍ ହାଲୁକା ବୋଧହୁଏ । ରାଜେଶ୍ୱର ଯେଉଁଦିନ ଯଦୁମଣିବାବୁଙ୍କ ଘରକୁ ଯାଏ, ସେଦିନ ତାହାର ଫେରିବାକୁ ମୁଁ ଆଗ୍ରହରେ ଚାହିଁ ବସେ । ଘନ ଘନ ସେଠାରେ ଯିବା ପାଇଁ ତାକୁ ଖୁବ୍ ଉତ୍ସାହ ଦିଏ । ମୋ ଜୀବନରେ ମଧ୍ୟ ଛୋଟିଆ ଛୋଟିଆ ଯେଉଁ ଦୁଇଟା ଗୋଟାଏ ଅଭିଜ୍ଞତା ମିଳିଥିଲା, ସେଥି ସଙ୍ଗରେ ଆଉ ଦି’ଚାରିଟା ଯୋଡ଼ାଯୋଡ଼ି କରି ବେଶ୍ ରଙ୍ଗେଇ ସଜେଇ ଉମା କଥା ଶୁଣିବି ବୋଲି ରାଜେଶ୍ୱରକୁ ଲାଞ୍ଚ ଦିଏ । ଅତି ଆଦରରେ ଜଳଖିଆ ଦୋକାନକୁ ନିମନ୍ତ୍ରଣ କରେ । ରାଜେଶ୍ୱର ଯେଉଁଦିନ ଉମାର ଦେଖା ନ ପାଇ ମୁହଁ ଶୁଖାଇ ଫେରିଆସେ, ମୁଁ ମଧ୍ୟ ତାହା ସାଥିରେ ବିମର୍ଷ ହୁଏ, କିନ୍ତୁ ତାହା ପର ଦିନ ତାକୁ ପୁଣି ଚେଷ୍ଟା କରିବାକୁ ପ୍ରବର୍ତ୍ତାଏ ।

ବିନୋଦ ପଚାରିଲା, “ଏତେ ପରିଚୟ ଓ ଏତେ ଯା’ ଆସ କରି ମଧ୍ୟ ଉମା ସାଥିରେ ବାହାଘର ପ୍ରସ୍ତାବ କରିବାକୁ ତାଙ୍କର ସାହସ ହେଲା ନାହିଁ ।”

ତାଚ୍ଛଲ୍ୟ କରି ବୈରାଗୀ କହିଲା, “ଛି, ଛି, ବିନୁ ତମେ ବଡ଼ ପ୍ରୋଜେକ୍ । ବାହା କରିବା ସିନା ଆଉ ଯେମିତି ଦୁନିଆଁରେ କିଛି ହିଁ ନାହିଁ ।

“ଆଉ ବି ବାହା କଥାଟା ଉଠନ୍ତା କେମିତି ?” ମାଧବ ଭାଷିଲା, – “ବାହା ନ କରିବେ ବୋଲି ଏତେ ବଡ଼ ଗୋଟାଏ ଆଦର୍ଶ ଧରି ଦୁହେଁ ଚାଲିଛନ୍ତି । ଆମେ ତ ଭାଇ, ପନ୍ଦର ବର୍ଷ ଦିନୁ ଆଠ ବର୍ଷର ଗୌରୀ ବିବାହ କରିଥାଇ, ସେ ଆଦର୍ଶକୁ ବୁଝି ନ ପାରିଲେ ବିନୁର ଆଉ ଦୋଷ କ’ଣ ?”

କଥାଟାର ସମାଧାନ କରି ବିଶ୍ୱମୋହନ କହିଲା, “ନାହିଁ କେବଳ ଆଦର୍ଶର କଥା ନୁହେଁ । ପ୍ରକୃତ ପକ୍ଷରେ ସେମିତି ଗୋଟାଏ ପ୍ରସ୍ତାବ କରିବାକୁ ରାଜେଶ୍ୱରର ଅନେକ ବାଧା ଥିଲା । ପୁଣି ସେଥିଭିତରୁ ହୁଏତ ପ୍ରଧାନ ଥିଲା, ତାହାରି ପିତୃଭକ୍ତିରେ ବାଧା । କାରଣ ରାଜେଶ୍ୱରର ବାପା ପୁଅକୁ ପାଠ ପଢ଼ାଇ ଯେମିତି ତା’ଠାରୁ ଅନେକ ଆଶା କରୁଥିଲେ, ବାହା ଦେଇ ମଧ୍ୟ ତାହାର ପ୍ରାରମ୍ଭିକ ସ୍ୱରୂପ କିଛି ପାଇବାକୁ ହୁଏତ ଚାହିଁଥିଲେ ।”

ବୈରାଗୀ ଉତ୍ତେଜିତ ହୋଇ ପଚାରିଲା, “କିନ୍ତୁ ଏତେଦୂର ସୁରୁଚି ଓ ଏତେ ମହତ୍ ଆଦର୍ଶ ଘେନି ସେ ଏମିତି ଗୋଟାଏ ହୀନ ଉଦ୍ଦେଶ୍ୟକୁ ମାନି ଚଳିଥିବେ ?”

“ନାହିଁ, ନାହିଁ, ଏହିଟା ଅବଶ୍ୟ ମୋର ନିଜର ଅନୁମାନ । ରାଜେଶ୍ୱରଠାରୁ କିନ୍ତୁ ଏ ସମ୍ୱନ୍ଧରେ ମୁଁ କୌଣସି କଥା ଶୁଣି ନାହିଁ । ଉମାକୁ ବାହା କରିବା ପାଇଁ ତାହାର ନିଜର ବୋଧହୁଏ ସେତେ ଦୃଢ଼ତା ଆସି ନଥାଏ । ସେଥିପାଇଁ ସେ କଥାଟାର ସୂଚନା ଦେବାକୁ ଗଲେ ତାହା ତାକୁ ଭଲ ଲାଗେ ନାହିଁ । ତୁମେ ଯାହା କହିବ ବୈରାଗୀ-କଥାଟା ବଡ଼ ପ୍ରୋଜେକ୍ ହୋଇଉଠେ । ଉମା ତାହାର ମାନସ-ପ୍ରତିମା, କେବଳ ତାହାର ସାକ୍ଷାତ୍ ଲାଭ କରି ସେ ଆନନ୍ଦ ପାଏ; ବିବାହ ପରି ଗୋଟାଏ ଜଡ଼ବାଦ ତାହା ସହିତ ସଂଯୋଗ କରିବାଟା ରାଜେଶ୍ୱର ପକ୍ଷରେ ଯେ ଆତ୍ମହତ୍ୟା ।

“ଉମାର ଉଦାସଭାବର କାରଣ ସମ୍ୱନ୍ଧରେ ରାଜେଶ୍ୱର ମୋ ସାଥିରେ ଏକମତ ହୁଏ । କହେ, “ଠିକ୍ କଥା ବିଶ୍ୱ ପ୍ରତିଦିନ ଦେଖା ହେଲେ ମଧ୍ୟ ଯେତେବେଳେ କେହି କାହାକୁ ଛାଡ଼ିବାକୁ ରାଜି ହେଉ ନ ଥିଲୁ, ମାସ ଭିତରେ ଏବେ ତିନି ଚାରିଥର ମଧ୍ୟ ଦେଖା ହୋଇପାରୁ ନାହିଁ ।” ଉତ୍ତର ଦିଏ, ସେଥିପାଇଁ ମୁଁ କହେ, ତୁମେ ମଧ୍ୟ ତାହା ବୋଲି ଉଦାସ ହେଲେ ଚଳିବ ନାହିଁ । ଉମାର ବର୍ତ୍ତମାନ ଅବସ୍ଥା ବୁଝିପାରୁଚ ? ତୁମେ ଯେମିତି ଦୂରେଇ ହୋଇ ରହୁଚ, ସେଥିରେ ତୁମକୁ କ’ଣ ବୋଲି ସେ ଭାବିବ ?”

“ଦୁଃଖିତ ହୋଇ ସେ କହେ, ମୁଁ କ’ଣ ତାହା ବୁଝୁ ନାହିଁ କିନ୍ତୁ ଘଟଣାର ଗତି ଯାଗା ହେଲା, ସେଥିରେ ଭଲା ମୋର ଆଉ ଦୋଷ କ’ଣ ?”

ରାଜେଶ୍ୱରକୁ ବୁଝାଇ କହିଲି, “ଦେଖ ଭାଇ, ଦୋଷ ତୁମର କି ଆଉ କାହାର ସେ କଥା କେହି ବିଚାର କରୁନାହିଁ । ଏସବୁ ସମ୍ୱନ୍ଧ ଏତେ ବେଶି କୋମଳ ଯେ, କୁଆଡୁ କେମିତି ମନୋମାଳିନ୍ୟ ଆସିଯାଏ, ତାହା ବୁଝି ହୁଏ ନାହିଁ । ତୁମେ ପଛେ ଯାହା ଭାବ, ମୋର ମନେହୁଏ ତୁମର ବେଶିଥର ନ ଯିବାଟା ହିଁ ଉମାର ଉଦାସ ଭାବର ଅସଲ କାରଣ ।”

ମୋ କଥାକୁ ଆଉ ଅପେକ୍ଷା ନ କରି ସଙ୍ଗେ ସଙ୍ଗେ ପାନିଆ, ବ୍ରସ ଓ କମିଜ ଘଡ଼ିରେ ସେ ବ୍ୟସ୍ତ ରହିଲା, କିନ୍ତୁ ସେଦିନ ସେ କି ଦୁର୍ଯୋଗରେ ଯଦୁମଣିବାବୁଙ୍କ ଘରକୁ ଗଲା, ତାହା ପରେ ଆଉ ନିଜକୁ ଯେମିତି ଭୁଲାଇ ରଖିପାରିଲା ନାହିଁ, ଅନ୍ୟ କେହି ତାକୁ ପ୍ରବୋଧ ଦେବା ମଧ୍ୟ ସେମିତି ଅସମ୍ଭବ ହେଲା ।

ଘଟଣାଟା ହେଉଛି କ’ଣ କି –

ଗାର୍ଲସ ସ୍କୁଲ୍‌ର ଗୋଟାଏ କ’ଣ ପ୍ରଦର୍ଶନୀ ଦେଖିବାକୁ ଯଦୁମଣିବାବୁଙ୍କ ଘରୁ ସମସ୍ତେ ସେଦିନ ବାହାରି ଯାଇଥାନ୍ତି । ଘରେ ଏକା ଥାଏ ତାଙ୍କର ପୁରୁଣା ଚାକର ଗୋବିନ୍ଦ ! ରାଜେଶ୍ୱର ଚକିତ ହୋଇ ଗୋବିନ୍ଦଠାରୁ ଶୁଣିବାକୁ ପାଇଲା ଯେ, ଏଥି ଭିତରେ ଉମାର ଦୁଇ ଦୁଇଟା ବିବାହ ସମ୍ୱନ୍ଧ ଭାଙ୍ଗି ଯାଉଚି । ତାହାର କାରଣ ଏହି ବେନାମୀ ଓ ଛଦ୍ମନାମୀ ଚିଠି କେତେଖଣ୍ଡ । ପ୍ରତ୍ୟେକ ପ୍ରସ୍ତାବରେ ବିବାହ ସ୍ଥିର ହୋଇ ନିମନ୍ତ୍ରଣ ପତ୍ର ପଠା ହେବା ବେଳକୁ ଉମାର ଭାବୀ ସ୍ୱାମୀ ଓ ଶ୍ୱଶୁରଙ୍କ ହାତରେ ଏହିସବୁ ବେନାମୀ ପତ୍ରର ସଂଖ୍ୟା ଅଧିକ ହୋଇ ସବୁ ପ୍ରସ୍ତାବକୁ ପଣ୍ଡ କରି ଦେଇଚି ।

“ଖବରଟା ଶୁଣି ଆସି ରାଜେଶ୍ୱରର ମନ ଏତେ ଦୂର ତିକ୍ତ ହୋଇଉଠିଲା ଯେ, ସେଦିନ ରାତିରେ ସେ ଛଅ ପ୍ୟାକେଟ୍ ଗୋଲ୍ଜ ଫ୍ଲେକ୍ ସିଗାରେଟ୍ ଖାଇ ଅନିଦ୍ରା ହୋଇ ବସି ରହିଲା । ଆହୁରି ପରଦିନଠାରୁ ତାହାକୁ କଲେଜ୍ ପରୀକ୍ଷାରୁ ଏକ୍‌ଜେମ୍ପଟ୍ ହୋଇ ଦୁଇଟି ମାସ ପାଗଳ ହେବାକୁ ପଡ଼ିଲା । ଦୁଃଖ, ଅଶାନ୍ତି ଓ କ୍ଷୋଭରେ ସେ ନିଜ ଗାଁକୁ ଗଲା ଏବଂ କିଛିଦିନ ପରେ ଛପା ନାଲି କାଗଜରେ ଏକ ଚିଠି ପାଇଲି ଯେ, କଟକ ଜିଲ୍ଲା ଗିରିପୁର ଜମିଦାରଙ୍କ ପଞ୍ଚମ କନ୍ୟା ମନ୍ଦାକିନୀ ସହିତ ରାଜେଶ୍ୱରର ଶୁଭ ପରିଣୟ, ମତେ ସେଥିରେ ଯୋଗ ଦେବାକୁ ହେବ ।”

ନର୍ମାଲ ସ୍କୁଲ୍ ବୋଡ଼ିଂରେ ଠଂ ଠଂ ହୋଇ ସାତଟା ବାଜିଲା । ପାଖ ବେଞ୍ଚରେ ଯେଉଁ ସ୍କୁଲ ପିଲା ବସି ହେଁ ହାଁ ହେଉଥିଲେ, ସେମାନେ ଉଠିଯାଇ ତାଙ୍କ ଥାନାରେ ତିନିଜଣ ଅଫିସର କିରାନି ବସିଲେଣି । ଏହି ଅଳ୍ପ ସମୟରେ କାଠଯୋଡ଼ି ଭିତରେ ବହୁତ ପାଣି ବୋହିଗଲାଣି । ପଟପଟ ରାସ୍ତାରେ ଗୋଟାଏ ତୃତୀୟ ଶ୍ରେଣୀର ଘୋଡ଼ାଗାଡ଼ି କୋଚମ୍ୟାନ୍‌ର ଟ୍ରି ଟ୍ରି ଟାକରା ଓ ସପାସପ୍ ଚାବୁକ୍ ଶବ୍ଦ ସହିତ କଟକ ମ୍ୟୁନିସିପାଲିଟିର ଜୟଗାନ ଚାଲିଚି । କଳା ମେଘଟାକୁ ପାର ହୋଇ ଚନ୍ଦ୍ର ସଫା ବାଟକୁ ଆସିଚି । ବିନୋଦ ତାହାର ସିଗାରେଟ୍ ଅଗରୁ ପାଉଁଶ ଝାଡ଼ି ଦେଇ କହିଲା-

“ଗପଟା କିନ୍ତୁ ଏମିତି ମାମୁଲି ଆକାରରେ ଶେଷ ହେବ ବୋଲି ମୁଁ ଆଶା କରି ନ ଥିଲି । ରାଜେଶ୍ୱରବାବୁଟି କେମିତି ହେ ? ଚାକରଟାଠାରୁ ଗୋଟାଏ କ’ଣ ଖବର ଶୁଣି ଏକାବେଳେ ବଦଳିଗଲେ ? ଟିକିଏ ହେଲେ ତର ସହିଲା ନାହିଁ, ଶେଷଥର ଉମା ସାଥିରେ ଦେଖା କରିବାକୁ ।”

“ଆନନ୍ଦଚନ୍ଦ୍ର ଏପର୍ଯ୍ୟନ୍ତ ତୁନି ହୋଇ ବସି ବନ୍ଧୁମାନଙ୍କ ଭିତରେ ନିଜର ଗାମ୍ଭୀର୍ଯ୍ୟ ଓ ବିଜ୍ଞତା ପ୍ରତିପାଦନ କରୁଥିଲା । ବର୍ତ୍ତମାନ ମୁହଁ ଫିଟାଇଲା ।”

“ଉମା ସାଥିରେ ଆଉ ଦେଖା କରନ୍ତେ କେଉଁ ମୁହଁରେ ? କେତେଟା ଦିନ ପରେ ଯେଉଁ ଲୋକ ଅଜଣା ଅଶୁଣା ଗୋଟାଏ ମଫସଲି ଝିଅକୁ ବାହା କରୁଚି, ସେ ଲୋକଠାରୁ ଆଉ କ’ଣ ଆଶା କର ?”

ମାଧବ କହିଲା, “ଏମିତି କେତେଟା ଘଟଣାରୁ ହିଁ ଆମେ ଯୁବକଦଳ ସାଧାରଣ ଲୋକଙ୍କ ଆସ୍ଥା ହରେଇ ବସିଛୁ । ଏଇଥିପାଇଁ ପୁରୁଖା ଲୋକେ ଆମକୁ ଫୁଟ୍‌କି ମାରି ଉଡ଼ାଇ ଦିଅନ୍ତି, ପୁଣି ଝିଅମାନେ ବେଖାତିର କରନ୍ତି । ଧୈର୍ଯ୍ୟ ଜିନିଷଟା କ’ଣ ତାହା ଆମେ ଆଜି ଯାଏ ଶିଖିଲୁ ନାହିଁ ।”

ବୈରାଗୀ କହିଲା, “ତମର ତ ଭାଇ ମାତୃଗର୍ଭକୁ ଆସିବା ମାତ୍ରେ ବାହାଘର ହୁଏତ ପ୍ରସ୍ତାବ ପଡ଼ିଥିବ । ବେଶି ବର୍ଷଯାଏଁ ବାହା ନ କରି ରହି ପାରିଥିଲେ ବୁଝନ୍ତ ଯୁବକ ପକ୍ଷରେ ଧୈର୍ଯ୍ୟ ଜିନିଷଟା କ’ଣ ?”

“କିନ୍ତୁ ଯାହା କହ, ଯୁବତୀମାନଙ୍କ ଧୈର୍ଯ୍ୟ ଦେଖି ଆମ ମୁଣ୍ଡ ସ୍ୱତଃ ନଇଁ ପଡ଼େ”- ବିନୋଦ ମନ୍ତବ୍ୟ ଦେଲା ।

ବୈରାଗୀ କହିଲା, “ସେମିତି ଦୁରାବସ୍ଥା ଆମର ଘଟେ କେବଳ ନିଜର ପୌରୁଷହୀନ ଲଜ୍ଜାରୁ, ନିଜର ଅକ୍ଷମତା ଓ ଦାୟିତ୍ୱହୀନତା ଗୁଣରୁ, ତାହା ତ ଏହି ସତ ଘଟଣାରୁ ହିଁ ବୁଝାପଡୁଛି । ମୋହର ମନେହୁଏ, ଯୁବକ ସମାଜର ତୁଚ୍ଛତା ଓ ଭାରୁତାର ଆତ୍ମ ପ୍ରକାଶ ଆମର ଏହି ରାଜେଶ୍ୱରବାବୁ ।”

ଆନନ୍ଦ ବିଜ୍ଞ ଭାବରେ ଅଭିମତ ଦେଲା, “କିନ୍ତୁ ରାଜେଶ୍ୱରଙ୍କୁ ତ ସାହସହୀନ ବୋଲି ମନେ ହୁଏ ନାହିଁ । ବିଶ୍ୱମୋହନବାବୁଙ୍କୁ ମଧ୍ୟ ତାଙ୍କର ସେହି ବିବାହକୁ ନିମନ୍ତ୍ରଣ କରିଥିଲେ ତ ?”

ଭ୍ରୁକୁଞ୍ଚନ କରି ବିନୋଦ ପଚାରିଲା, “ଛି, ଛି, ତୁମେ ତାହାହେଲେ ବିଶ୍ୱ ସେଇ ବାହାଘରେ ଯୋଗ ଦେଲ ?”

ବିଶ୍ୱମୋହନ ଧୀରଭାବରେ ଉତ୍ତର ଦେଲା, “ନା; କାରଣ ସେତେବେଳକୁ ମୁଁ ନିଜ ବାହା ସମ୍ୱନ୍ଧରେ ବ୍ୟସ୍ତ ଥିଲି ।”

“ସତେ ହେ; ଆମ ଦେଶର ନାରୀ ପାଖରେ ପୁରୁଷର ଥାନ କେଡ଼େ ଛୋଟ ହୋଇ ରହିଚି । ତାହାର ଅକ୍ଷୟ ଗୌରବ ନିକଟରେ ପୁରୁଷର ଦାମ୍ଭିକତା, ନୈତିକତା ଓ ପ୍ରତିଜ୍ଞା ରକ୍ଷାର ଗର୍ବ ଯେମିତି ମଳିନ, ଅଦୃଶ୍ୟ ହୋଇପଡ଼ିଛି ।” ବିନୋଦ ବଡ଼ ଅନୁପ୍ରାଣିତ ଭାଷାରେ ଏହି କଥାଗୁଡ଼ିକ କହିଲା । ତତ୍ପରେ କଣ୍ଠସ୍ୱରରେ ଉମା ପ୍ରତି ପ୍ରଗାଢ଼ ଶ୍ରଦ୍ଧା ଓ ସମ୍ଭ୍ରମ ପ୍ରକାଶ କରି ବିଶ୍ୱମୋହନକୁ ପଚାରିଲା, “ଆଚ୍ଛା ତା’ ହେଲେ ଆଜି ପର୍ଯ୍ୟନ୍ତ-”

“ମୋତେ ବିବାହ କରିଚି”- ବିଶ୍ୱମୋହନ ତାହାର ବାକ୍ୟାଂଶଟି ପୂରଣ କରିଦେଲା ।

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top