ଗଳ୍ପ

ରତ୍ନବର୍ଷା

Manoj Das's odia story Ratnabarshaa

ବ୍ରାହ୍ମଣ ଟିକିଏ ନିରବ ରହି କହିଲେ, ବତ୍ସ । ଏଡ଼େ ଦୁର୍ଲଭ ମନ୍ତ୍ରଟିଏ ଜାଣି, ତାକୁ ପ୍ରୟୋଗ କରିବାର ସୁଯୋଗ ଏଡ଼ାଇଯିବା ବୁଦ୍ଧିମାନର କାମ ହେବ କି ?

ରତ୍ନବର୍ଷା

ଅରଣ୍ୟ ଭିତରେ ପ୍ରଭାତ ହେଉଥିଲା । ତେବେ ଏମିତି ରୀତିରେ ହେଉଥିଲା, ସତେ ଅବା ଅରଣ୍ୟର ଅନ୍ଧକାର ଭେଦ କରିବାକୁ ଆଲୋକ କୁଣ୍ଠାବୋଧ କରୁଥିଲା ।

ଗୁମ୍ଫା ଭିତରେ ଭିଡ଼ିମୋଡ଼ି ହୋଇ ଅବୋଲକରା ଉଠିବା ବେଳକୁ ସାଆନ୍ତେ ପାଖ ଝରଣାରେ ସ୍ନାନ ସମାପନ କରି ଧ୍ୟାନରେ ବସିଲେଣି । ଅବୋଲକରା ତରବରରେ ଯାତ୍ରାରମ୍ଭ ପାଇଁ ପ୍ରସ୍ତୁତ ହୋଇ ସାଆନ୍ତଙ୍କ ଧ୍ୟାନ ଶେଷ ହେବା ମାତ୍ରେ କହିଲା, “ଆଜ୍ଞା, ସାରା ରାତି ଶୋଇପାରିଲି ନାହିଁ, ତୁଚ୍ଛା ଛଟପଟ ହେଉଥାଏ । ଯଦି ଟିକିଏ ତନ୍ଦ୍ରାବିଷ୍ଟ ହୁଏ ତେବେ ଦେଖେ ବିକଟ ଅଦ୍ଭୁତ ସ୍ୱପ୍ନ ।”

ସାଆନ୍ତେ ହସିଲେ ଓ ପ୍ରଶ୍ନକଲେ- କି ପ୍ରକାର ସ୍ୱପ୍ନ ?

ସାମନାରେ ଦୋହଲୁଛି ଚକ୍‌ଚକ୍ ଛୁରିକା । ସେଥିରୁ ଝରିପଡୁଛି ରକ୍ତ । ଶୁଭୁଛି କ୍ରୋଧାନ୍ଧ ଗର୍ଜ୍ଜନ, ନ ହେଲେ ବିକଳ କ୍ରନ୍ଦନ ।

ଆଉ ମଝିରେ ମଝିରେ ସେସବୁକୁ ସ୍ତବ୍ଦ କରିଦେଇ ଶୁଭୁଛି ଆଖି ଝଲସିଗଲା ଭଳି ନାନାଦି ରତର୍ର ଝଣଝଣ ଶବ୍ଦ । – ସାଆନ୍ତେ ପ୍ରଶ୍ନ କଲେ ।

ଆଖି ବଡ଼ ବଡ଼ କରି ଅନାଇଲା ଅବୋଲକରା- “ସାଆନ୍ତେ ! ଆପଣ ସେ କଥା ଜାଣିଲେ କିପରି ? ମୋ ସ୍ୱପ୍ନତକ ଆପଣ ତ ଆଉ ଦେଖୁନଥିଲେ ।”

ଦେଖୁଥିଲି- ତେବେ ତୋ ଭଳି ଅଶାନ୍ତି ଅନୁଭବ କରୁନଥିଲି । ତୁ ତ ଜାଣୁ, ଆମେ ଯେତେ ସ୍ଥାନ ଭ୍ରମଣ କରୁଛୁ, ମୋ ପାଇଁ ସେସବୁ ପୁନଭ୍ରମଣ ମାତ୍ର । ବହୁ ବର୍ଷ ତଳେ ଏକଦା ମୁଁ ଏହି ଗୁମ୍ଫାରେ ରାତ୍ରିଯାପନ କରିଥିଲି ଓ ତୋ ଭଳି ଦୁଃସ୍ୱପ୍ନ ପୀଡ଼ିତ ହୋଇଥିଲି । ମୋ ସହ ଥିଲେ ମୋ ଗୁରୁ ଋଷି ସୌମ୍ୟାନନ୍ଦ । ସକାଳେ ସେ ମୋତେ ମୋ ଦୁଃସ୍ୱପ୍ନର ହେତୁ ବୁଝାଇ ଦେଇଥିଲେ ।

ଅବୋଲକରା ମୁହଁରେ ଫୁଲ ଫୁଟିଉଠିଲା । ତା’ହେଲେ ମୋ ଦୁଃସ୍ୱପ୍ନର ବିଶେଷ ତାତ୍ପର୍ଯ୍ୟ ଅଛି । “କୁହନ୍ତୁ ସାଆନ୍ତେ- ନହେଲେ ମୁଁ ଆଉ ଉଠୁନାହିଁ ।”

“କହିବିରେ ବାବୁ, କହିବି- କିନ୍ତୁ ଏଠାରେ ନୁହେଁ । ଆଜି ରାତିରେ ଯେଉଁଠି ବିଶ୍ରାମ କରିବା, ସେଠାରେ କହିବି ।”

ତା’ହେଲେ ତ ଅବୋଲକରା ବୋଲି ଯେଉଁ ସୁନାମ ମୁଁ ଅର୍ଜିଛି, ତାହା ମ୍ଳାନ ହୋଇଯିବ ।

ଓହୋ, ସୁନାମ ପରା । ବେଶ୍ ! କହୁଛି । କିନ୍ତୁ ଆପାତତଃ ପୂରା କହିବି ନାହିଁ ।

ସାଆନ୍ତେ ଗପିଲେ-

ଯେଉଁ ଦିବ୍ୟାତ୍ମା କପିଳବାସ୍ତୁ ରାଜପରିବାରରେ ଜନ୍ମ ନେଇ ସିଦ୍ଧାର୍ଥ ଓ ପରେ ବୁଦ୍ଧଦେବ ନାମରେ ବିଶ୍ୱବନ୍ଦିତ ହେଲେ, ତାଙ୍କର ଅନେକ ଗୁଡ଼ିଏ ପୂର୍ବଜନ୍ମ ଭିତରୁ ଗୋଟିଏ ଜନ୍ମର ବୃତ୍ତାନ୍ତ ଏହା । ତୋର ମନେଥିବ, ପୂର୍ବବର୍ତ୍ତୀ ଜନ୍ମମାନଙ୍କରେ ତାଙ୍କର ସତ୍ତାକୁ ବୋଧିସତ୍ତ୍ୱ ବୋଲି କୁହାଯାଏ ଓ ସେସବୁର ବିବରଣୀ ବୌଦ୍ଧଜାତକ ନାମରେ ଖ୍ୟାତ ।

କୌଣସି ଏକ ଜନ୍ମରେ ବୋଧିସତ୍ତ୍ୱଙ୍କ ନାମ ଥିଲା. . . ଧର. . . ସୁମନ୍ତ । ସେ ଜଣେ ଗୁଣୀ ବ୍ରାହ୍ମଣଙ୍କ ପାଖରେ ରହି ଦିବ୍ୟାଧ୍ୟୟନ କରୁଥିଲେ । ନଦୀକୂଳବର୍ତ୍ତୀ ଏକ ଗ୍ରାମରେ ଥିଲା ବ୍ରାହ୍ମଣଙ୍କର ନିରାଡ଼ମ୍ୱର ନିବାସ । ବ୍ରାହ୍ମଣ ଗୋଟିଏ ମନ୍ଦିରରୁ କେତୋଟି ଦୁଷ୍ପ୍ରାପ୍ୟ ପୋଥି ସଂଗ୍ରହ କରିଥିଲେ । ସେସବୁ ପୋଥିନିହିତ ନାନାଦି ବିଦ୍ୟା ଉପରେ ଚର୍ଚ୍ଚା କରୁ କରୁ ହଠାତ୍ ଦିନେ ବ୍ରାହ୍ମଣ ଚମକପ୍ରଦ ମନ୍ତ୍ରଟିଏ ଆବିଷ୍କାର କଲେ । ପୂର୍ଣ୍ଣମୀ ରଜନୀରେ, କେତେକ ବିଶେଷ ଗ୍ରହଙ୍କ ସଂଯୋଗ ମୁହୂର୍ତ୍ତରେ, ଜଣେ ଯଦି ପୂର୍ବରୁ କେତେକ ବିଶେଷ ଅନୁଷ୍ଠାନ- ସହକାରେ ଉପବାସ କରିଥାଇ ସ୍ନାନାନ୍ତେ ଆକାଶକୁ ଅନାଇ ସେ ମନ୍ତ୍ର ଉଚ୍ଚାରଣ କରିବ, ତେବେ ତା’ ଉପରେ ହେବ ଅସରାଏ ଅପୂର୍ବ ବର୍ଷା- ହୀରା ନୀଳା ମୋତି ମାଣିକ୍ୟର ବର୍ଷା ।

ବ୍ରାହ୍ମଣ ଅଙ୍କ କଷି ଦେଖିଲେ, ଠିକ୍ ତହିଁ ପରଦିନ ହିଁ ଗ୍ରହକୁଳର ସେ ଯୋଗାଯୋଗ ଏବଂ ପରରାତ୍ର ହିଁ ପୂର୍ଣ୍ଣମୀ । ସେ ଯୋଗାଯୋଗ ଶତେକ ବର୍ଷରେ ଥରେ ମାତ୍ର ସମ୍ଭବ ହୁଏ ।

ସେ ଉତ୍କଣ୍ଠିତ ଓ ଉଦ୍‌ଗ୍ରୀବ ହେଲେ । ଧନସମ୍ପଦ ପ୍ରତି ଲୋଭ ନାହିଁ ବୋଲି ନିଜ ସମ୍ପର୍କରେ ଥିବା ତାଙ୍କର ଧାରଣା ଭୁଶୁଡ଼ି ପଡ଼ିଲା ।

ଗୁରୁଙ୍କ ଅସ୍ୱାଭାବିକ ବ୍ୟସ୍ତଭାବ ଲକ୍ଷ୍ୟ କଲେ ସୁମନ୍ତ । ଗୁରୁ ନିଜ ନବଲବ୍‌ଧ ବିଦ୍ୟାର ପ୍ରୟୋଗଜନିତ ଫଳକୁ ଏକୁଟିଆ ନେଇ ଆଣି ଥୋଇ ପାରିବେ ନାହିଁ ବୋଲି ବୁଝୁଥିଲେ- ଅତଏବ ସେ ଶିଶ୍ୟଙ୍କୁ ସବୁକଥା କହିଲେ ।

ମହାଭାଗ । ରତ୍ନବର୍ଷାରେ ଆପଣଙ୍କର କି ବା ପ୍ରୟୋଜନ ! ଆପଣ ସୁସ୍ଥ ସବଳ ଭାବରେ ଶତାଧିକ ବର୍ଷ ବଞ୍ଚି ରହନ୍ତୁ, ଏହା ମୋର କାମନା । କିନ୍ତୁ କାଳର ସ୍ୱାଭାବିକ ଧାରା ଦୃଷ୍ଟିରୁ ବିଚାରକଲେ ଆପଣ ଆସି ଜୀବନର ଅନ୍ତିମ ପର୍ଯ୍ୟାୟରେ ଉପନୀତ ହେଲେଣି । – ସୁମନ୍ତ ଚେତେଇ ଦେଲେ ।

ବତ୍ସ, ମୋର ସନ୍ତାନ କେତୋଟି ଥିବା କଥା ତୁମେ ବିସ୍ମୃତ ହେଉଛ !

ଗୁରୁଦେବ ! ଆପଣ ଏଇ ସେଦିନ କେତେଜଣ ଆଗନ୍ତୁକଙ୍କୁ ବୁଝାଉଥିଲେ- ସନ୍ତାନବର୍ଗ ଯଦି ଯୋଗ୍ୟ ହୋଇଥିବେ, ସେମାନଙ୍କ ପାଇଁ ଅର୍ଥ ସଞ୍ଚୟ କରି ରଖିଯିବାର ପ୍ରୟୋଜନ ନାହିଁ, ସେମାନେ ଯଦି ଅଯୋଗ୍ୟ ହୋଇଥିବେ, ତେବେ ସେମାନଙ୍କ ପାଇଁ ଅର୍ଥ ସଞ୍ଚୟ କରି ରଖିଯିବାର ଅର୍ଥ ନାହିଁ ।

ବ୍ରାହ୍ମଣ ଟିକିଏ ନିରବ ରହି କହିଲେ, ବତ୍ସ । ଏଡ଼େ ଦୁର୍ଲଭ ମନ୍ତ୍ରଟିଏ ଜାଣି, ତାକୁ ପ୍ରୟୋଗ କରିବାର ସୁଯୋଗ ଏଡ଼ାଇଯିବା ବୁଦ୍ଧିମାନର କାମ ହେବ କି ?

ମହାଭାଗ ! ବୁଦ୍ଧିମାନ୍‌ର କାମ ହେବ, ଉପରନ୍ତୁ ହେବ ବିଜ୍ଞତାର କାମ । ଧରନ୍ତୁ, ମୁଁ ବଶୀକରଣ ମନ୍ତ୍ରରେ ସିଦ୍ଧି ଲାଭ କଲି । କାଲି ଯଦି ରାଜକୁମାରୀ ଆସି ଆପଣଙ୍କ ଅତିଥି ହେବେ, ସୁଯୋଗ ଅଛି ବୋଲି କ’ଣ ମୁଁ ତାହା ପ୍ରୟୋଗ କରିବି ?

ବତ୍ସ ! ବିତ୍ତ ଥିଲେ ଅନେକ ମହତ୍ କାର୍ଯ୍ୟ ସାଧନ କରାଯାଇପାରେ । – ବ୍ରାହ୍ମଣ ଯୁକ୍ତି ଦେଲେ ।

ସୁମନ୍ତ କହିବାକୁଯାଉଥିଲେ କି, ଯେଉଁ ଚେତନା ବିତ୍ତ ପାଇଁ ଏତେ ଲୋଭାତୁର, ସେ ଚେତନା ଦ୍ୱାରା ବାସ୍ତବ ମହତ୍ କାର୍ଯ୍ୟ ସମ୍ଭବପର ନୁହେଁ । କିନ୍ତୁ ସେ ଚୁପ୍ ରହିଲେ ।

ବ୍ରାହ୍ମଣ ଏଥର ଗମ୍ଭୀର ଭାବରେ କହିଲେ, ବତ୍ସ ! ମୁଁ ରତ୍ନବର୍ଷା ଆନୟନ କରିବାର ସିଦ୍ଧାନ୍ତ ନେଇସାରିଛି । ସମସ୍ୟା ହେଲା, ରତ୍ନରାଶି ଏ ଦୀନ କୁଟୀରରେ ରଖିବା କିପରି ? ଏଠାରୁ ପାଞ୍ଚକୋଶ ଦୂରବର୍ତ୍ତୀ ଏ ଗ୍ରାମରେ ମୋର ଜଣେ ଶିଷ୍ୟଙ୍କ ଗୃହ । ସେ ଜମିଦାର ଏବଂ ତାଙ୍କ ଗୃହ ଗୋଟିଏ ଗଡ଼ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ମୋର ଏକାନ୍ତ ଅନୁଗତ । ଆଗାମୀ କାଲି ସେଇଠାକୁ ଚାଲିଯିବା । ରାତିରେ ସେଇଠି ରତ୍ନବର୍ଷା ଆନୟନ କରିବା । ତମକୁ ମୋ ସହ ଯିବାକୁ ହେବ ।

ପରଦିନ ପ୍ରଭାତରୁ ବ୍ରାହ୍ମଣ ଆବଶ୍ୟକୀୟ ପୂଜାନୁଷ୍ଠାନ ଆରମ୍ଭ କଲେ । ସେସବୁ ଶେଷ କରି ବାହାରିବା ବେଳକୁ ଦିବସର ଦ୍ୱିତୀୟ ପ୍ରହର ।

ସୁମନ୍ତ, ସାଧାରଣ ରାସ୍ତାରେ ଗଲେ ଆମେ ସନ୍ଧ୍ୟା ପୂର୍ବରୁ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବା ନାହିଁ, ତେଣୁ ଅରଣ୍ୟ ଭିତର ଦେଇ ଚାଲିଯିବା । – କିଛି ବାଟ ଯିବାପରେ ବ୍ରାହ୍ମଣ କହିଲେ ।

ଗୁରୁଦେବ ! ଅରଣ୍ୟ ପଥ ସମ୍ପର୍କରେ ମୋର କିନ୍ତୁ କିଛି ଧାରଣା ନାହିଁ ।

ମୋର ଅଛି- ଏକାଧିକବାର ଯାଇଛି । ବ୍ରାହ୍ମଣଙ୍କର ଏଭଳି ନିଃସନ୍ଦିଗ୍ଧ ଉକ୍ତି ପରେ ସୁମନ୍ତର ଆଉ କିଛି କହିବାର ଅବକାଶ ନଥିଲା ।

କିନ୍ତୁ ହାୟ ! ବ୍ୟଗ୍ର ବ୍ରାହ୍ମଣ ବାଟ ହୁଡ଼ିଲେ । ଅରଣ୍ୟ ଭିତରେ ଥରେ ଏ ଦିଗକୁ, ଥରେ ସେ ଦିଗକୁ ଦୌଡ଼ି ବ୍ୟୁହ ଭିତରେ ବନ୍ଦୀ ଭଳି ଛଟପଟ ହେଲେ । ଏଣେ ଦିନ ଶେଷ ହୋଇ ଆସୁଥାଏ । ତହିଁ ଉପରେ ଉପବାସ ଯୋଗୁଁ ବ୍ରାହ୍ମଣ କ୍ଳାନ୍ତ । ଉତ୍କଣ୍ଠା ଓ ଅବସାଦଭରା ସେହି ଆସନ୍ନ ପ୍ରାୟ ସନ୍ଧ୍ୟାରେ ହଠାତ୍ ସେମାନଙ୍କୁ ଘେରିଗଲେ ଦଳେ ଦସ୍ୟୁ ।

ଯାତ୍ରୀ ଦୁହିଁଙ୍କ ଲୁଗାପଟା ତଲାସ କରି ସେମାନେ କିଛି ପାଇଲେ ନାହିଁ ସତ, କିନ୍ତୁ ବ୍ରାହ୍ମଣଙ୍କୁ ବନ୍ଦୀ କରି ସୁମନ୍ତକୁ କହିଲେ, “ସାତଦିନ ଭିତରେ ଯଦି ଏକ ସହସ୍ର ସ୍ୱର୍ଣ୍ଣମୁଦ୍ରା ଆଣିଦେବ, ତେବେ ଏହାଙ୍କୁ ମୁକ୍ତିକରି ନେଇଯିବ । ସପ୍ତମଦିନ ସୂର୍ଯ୍ୟାସ୍ତ ପରେ ଆଉ ଆସିବାର ଆବଶ୍ୟକତା ନାହିଁ । ଆସିଲେ ଏହାଙ୍କ ମୃତଦେହ ଅବଶ୍ୟ ପାଇପାର- ଯଦି ଭାଗ୍ୟରେ ଥାଏ- ଅର୍ଥାତ୍ ଯଦି ଶ୍ୱାନ ଶ୍ୱାପଦ ଘୋଷାଡ଼ି ନେଇଯାଇନଥାନ୍ତି ।”

ଦସ୍ୟୁସର୍ଦ୍ଦାରକୁ ସମ୍ୱୋଧନ କରି ସୁମନ୍ତ କହିଲେ, “ମୋର ବିଶ୍ୱାସ, ମୁଁ ତୁମ ଦାବି ମୁତାବକ ଅର୍ଥ ଆଣି ଦେଇପାରିବି । କିନ୍ତୁ ଜାଣିରଖ, ଇଏ ସାଧାରଣ ପଥିକ ନୁହନ୍ତି- ଜଣେ ମହାନ୍ ପଣ୍ଡିତ ! ଏହାଙ୍କୁ କଷ୍ଟଦେଇ ବିନାକାରଣରେ ପାପ ଅର୍ଜିବ ନାହିଁ ।”

ହତାଶାରେ ମୃତପ୍ରାୟ ଦିଶୁଥିବା ଗୁରୁଙ୍କୁ ସୁମନ୍ତ ଚୁପିଚୁପି କହିଲେ, “ମହାଶୟ, ଆପଣଙ୍କୁ ପରାମର୍ଶ ଦେବା ମୋର ଧୃଷ୍ଟତା, ତଥାପି ନ କହିଲେ ମୋ ବିବେକ ମୋତେ କ୍ଷମା ଦେବ ନାହିଁ । ଆପଣ ନିଶ୍ଚିତ ରହନ୍ତୁ- ମୁଁ ଆପଣଙ୍କ ସ୍ୱଚ୍ଛଳ ଗୃହୀଶିଷ୍ୟମାନଙ୍କଠୁଁ ଆବଶ୍ୟକୀୟ ଅର୍ଥ ସଂଗ୍ରହ କରିପାରିବି ଓ ଯଥାସମୟରେ ଆସି ଆପଣଙ୍କୁ ମୁକ୍ତ କରିବି । କିନ୍ତୁ କଦାପି ଇଚ୍ଛା ବା ଆକର୍ଷଣ ଯେତେ ପ୍ରବଳ ହେଲେ ବି, ଏମାନଙ୍କ ଆଗରେ ରତ୍ନବର୍ଷା କରାଇବେ ନାହିଁ ।”

ବନ୍ଦୀ ବ୍ରାହ୍ମଣ ବାକ୍‌ରୁଦ୍ଧ ଭାବରେ ଖାଲି ମୁଣ୍ଡ ହଲାଇଲେ । ସୁମନ୍ତ ତାଙ୍କୁ ପ୍ରଣାମ କରି ଚାଲିଗଲେ ।

ଅନ୍ଧାର ଘୋଟିଆସିଲା । ବ୍ରାହ୍ମଣଙ୍କୁ ଗୋଟିଏ ବୃକ୍ଷ ଦେହରେ ବାନ୍ଧି ରଖି ଦସ୍ୟୁମାନେ ମଶାଲ ଜାଳି ରନ୍ଧନର ଆୟୋଜନ କଲେ ।

ବୃକ୍ଷରାଜିର ଶୀର୍ଷଦେଶରେ ଜହ୍ନ ଆଲୁଅର ମୃଦୁ ସ୍ପର୍ଶ ବାରିହେଲା । କ୍ରମେ ଅରଣ୍ୟ ଶୀର୍ଷରେ ଦେଖାଦେଲା ଜହ୍ନ । କାହିଁ ଅନୁଗତ ଜମିଦାରଙ୍କ ଗଡ଼ ଭିତରେ ରତ୍ନବର୍ଷାର ସମ୍ଭାବନା, କାହିଁ ଏ ନୃଶଂସ ଦସ୍ୟୁମାନଙ୍କ ହାତରେ ଏ ଅରଣ୍ୟ ଭିତରେ ବନ୍ଦୀ ଦଶା ।

ବ୍ରାହ୍ମଣ ହଠାତ୍ ଚିତ୍କାର କଲେ, ମୂଢ଼ !

ଚମକିପଡ଼ି ଦସ୍ୟୁସର୍ଦ୍ଦାର ଶାଣିତ ଛଲସାଇ ପାଖକୁ ଉଠିଆସିଲା । କିନ୍ତୁ ଉନ୍ମତ୍ତ ଭଳି ବ୍ରାହ୍ମଣ କହିଲେ, “ଆରେ ମୂଢ଼ାଦପିମୂଢ଼ ! ମାତ୍ର ଏକସହସ୍ର ମୁଦ୍ରା ପାଇଁ ତୁ ମୋର ଅବମାନନା କରୁଛୁ । ଜାଣୁ, ମୁଁ କ’ଣ କରିପାରେ । ତୁ ସ୍ୱପ୍ନରେ ବି କଳନା କରିନଥିବା ଦୌଲତରେ ତୋତେ ପୋତି ପକାଇପାରେ ।”

ସର୍ଦ୍ଦାର ଅଟ୍ଟହାସ୍ୟ କରି ତା’ ଅନୁଚରମାନଙ୍କୁ କହିଲା, “ବ୍ରାହ୍ମଣଙ୍କ ମୁଣ୍ଡର ଭିତର ଭାଗ ଗଲାଣି, ବାହାରଟା ବଜାୟ ରହି ଲାଭ କ’ଣ ? ବଡ଼ ତରବାରି ଖଣ୍ଡିକ ଆଣ- ସୁବିଧା ହେବ ।”

ଆରେ ମୂଢ଼ସ୍ୟମୂଢ଼ ! ଶୁଣ ମୋ କଥା- ଦେଖ ମୋ କରାମତି । ତା’ପରେ ଦେଖାଯିବ ତୋ ମୁଣ୍ଡର ଅବସ୍ଥା । ଆଉ ଘଣ୍ଟାଏ ପରେ ମୁଁ ରତ୍ନବର୍ଷା କରାଇବି. . . ହଁ, ରତ୍ନବର୍ଷା । ମୋ ବନ୍ଧନ ଖୋଲିଦେ । ମୁଁ ସ୍ନାନ କରେ । କଣ୍ଠରେ ଅସ୍ୱାଭାବିକ ଦୃଢ଼ତା ଫୁଟାଇ ଘୋଷଣା କଲେ ବ୍ରାହ୍ମଣ । ସର୍ଦ୍ଦାର ଦବିଗଲା । କିଏ କହିବ ବ୍ରାହ୍ମଣ ସେଭଳି ହବୁବିଦ୍ୟା ଜାଣିନଥିବେ ବୋଲି । ବନ୍ଦୀ ପଳାଇ ଯାଇପାରିବାର ପ୍ରଶ୍ନ ନଥିଲା- ଅତଏବ ତାଙ୍କ ଆସ୍ଫାଳନ ଅନୁସାରେ ତାଙ୍କୁ ସୁଯୋଗ ଦେଲେ କ୍ଷତି କ’ଣ ?

ସର୍ଦ୍ଦାର ବ୍ରାହ୍ମଣଙ୍କୁ ମୁକ୍ତ କଲା । ପୁଷ୍ପରିଣୀ ଚାରି ଦିଗରେ ଦସ୍ୟୁମାନେ ଜଗିବା ଅବସ୍ଥାରେ ବ୍ରାହ୍ମଣ ସ୍ନାନ କଲେ । ସେତେବେଳକୁ ଆକାଶରେ ସେ ଅଭାବନୀୟ ଯୋଗାଯୋଗର ମୁହୂର୍ତ୍ତ ଆସନ୍ନ । ବ୍ରାହ୍ମଣ ଜ୍ୟୋତ୍ସ୍ନାପ୍ଲାବିତ ନୀଳାକାଶକୁ ଅନାଇ କଲେ ମନ୍ତ୍ରୋଚ୍ଚାରଣ ।

ଶୂନ୍ୟକୁ ଅନାଇ ରହିଥାନ୍ତି ନିର୍ବାକ୍ ଦସ୍ୟୁଦଳ । କିସ ପୁଣି ଦେଖାନଯାଏ । ସମସ୍ତଙ୍କ ଆଖି ଝଲସାଇ ସେଇ ବ୍ରାହ୍ମଣଙ୍କ ଉପରେ ହେଲା ଅସରାଏ ବର୍ଷା- ବୈଦୁର୍ଯ୍ୟ, ହୀରା, ନୀଳା, ମୋତି ତଥା ମାଣିକ୍ୟର ବର୍ଷା । ରତ୍ନରାଶିରେ ଆଣ୍ଠୁଯାଏ ପୋତି ହୋଇପଡ଼ିଲେ ବ୍ରାହ୍ମଣ ।

ସେସବୁ ଗୋଟାଏ, ବୋକଚା ବନ୍ଦ କରି, ତା’ପରେ ଦସ୍ୟୁସର୍ଦ୍ଦାର ଲମ୍ୱ ହୋଇ ବ୍ରାହ୍ମଣଙ୍କ ପାଦ ତଳେ ଲୋଟିଗଲା । ଅନ୍ୟମାନେ ବି ଜଣ ଜଣ କରି ସେଇଆ କଲେ ।

ତା’ପରେ ବ୍ରାହ୍ମଣଙ୍କୁ ଯଥାସମ୍ଭବ ଉତ୍ତମ ଖାଦ୍ୟଦ୍ରବ୍ୟ ପରଶି, ତାଙ୍କ ପାଦସେବା କରି ଶୁଆଇ ପକାଇବାର ବ୍ୟବସ୍ଥା କରିବା ବେଳକୁ ଅଚାନକେ ଗୋଟାଏ ବୃହତ୍ତର ଦସ୍ୟୁଦଳ ଆସି ସେମାନଙ୍କୁ ଘେରିଗଲେ । ନୂଆ ଦଳ ଯେ ରତ୍ନବର୍ଷାର ସନ୍ଧାନ ପାଇ ଆସିଥିଲେ ତାହା ନୁହେଁ, କିନ୍ତୁ ବୋକଚା ଖୋଲି ଦେଖି ସେମାନଙ୍କ ଆଖି ଖୋସି ହୋଇଗଲା ।

ପ୍ରଥମ ଦଳର ସର୍ଦ୍ଦାର ବଡ଼ଦଳର ସର୍ଦ୍ଦାରକୁ କାକୁସ୍ଥ ହୋଇ କହିଲା, “ବନ୍ଧୁ ! ତମେ ଆମ ସମ୍ପଦତକ ଉପରେ କାହିଁକି ଆଖି ପକାଉଛ ? ସମ୍ପଦର ଯିଏ ଉତ୍ସ, ଆମେ ତାଙ୍କୁ ତମପାଖରେ ସମର୍ପି ଦେଉଛୁ । – ଏହା କି ସେ ରତ୍ନବର୍ଷାର ଆଶ୍ଚର୍ଯ୍ୟ ବ୍ୟାପାର କହି ବ୍ରାହ୍ମଣଙ୍କୁ ଆଣି ବଡ଼ ସର୍ଦ୍ଦାର ଆଗରେ ଉପସ୍ଥାପିତ କଲା ।”

କଥା ତେବେ ଏମନ୍ତ । ବ୍ରାହ୍ମଣ ! ତମେ ବାସ୍ତବିକ କରିତ୍କର୍ମା । ଦେଖାଅ ତମ ହବୁବିଦ୍ୟା ଆଉ ଥରେ । – ବଡ଼ ସର୍ଦ୍ଦାର ନିର୍ଦ୍ଦେଶ ଦେଲା ।

ସେ ମୁହୂର୍ତ୍ତ ବିତିଗଲାଣି, ସର୍ଦ୍ଦାର ! ଆଉ ଶହେବର୍ଷ ଅପେକ୍ଷା କରିବାକୁ ହେବ । – ବ୍ରାହ୍ମଣ ବିମର୍ଷ ଭାବରେ ଜଣାଇଲେ ।

ବଡ଼ ସର୍ଦ୍ଦାର ଥରେ ମିନତି କଲା, ଆଉ ଥରେ ଧମକ ଦେଲା । କିନ୍ତୁ ବ୍ରାହ୍ମଣ ନିଜ ଅକ୍ଷମତା ପ୍ରକାଶ କଲେ ।

ଏମାନଙ୍କ ପାଇଁ ବର୍ଷା ସଙ୍ଗେ ସଙ୍ଗେ- ଆମ ପାଇଁ ଶହେବର୍ଷ । – ଏହା କହି ବଡ଼ ସର୍ଦ୍ଦାର ଦେଲା ଚୋଟେ । ବ୍ରାହ୍ମଣଙ୍କ ମୁଣ୍ଡ ତଳେ ଲୋଟିଗଲା ।

କିନ୍ତୁ ପ୍ରଥମ ଦଳ ରତ୍ନତକ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ନଥିଲେ । ହେଲା ନିର୍ମମ ସଂଘର୍ଷ । ପ୍ରଥମ ଦଳର ସମୁଦାୟ ଦସ୍ୟୁ ମରି ଶୋଇଲେ- ବଡ଼ ଦଳର କେତେ ଜଣ ।

ଏହାପରେ ରତ୍ନତକ ଧରି ବଡ଼ ଦଳ ପ୍ରସ୍ଥାନ କଲେ । କିନ୍ତୁ ଅନେକ ଦିନରୁ ସେ ଦଳ ସର୍ଦ୍ଦାର ଓ ଉପସର୍ଦ୍ଦାର ଭିତରେ ମନାନ୍ତର କୁହୁଳି କୁହୁଳି ରହିଥିଲା । ଉପସର୍ଦ୍ଦାର ହଠାତ୍ ପ୍ରଶ୍ନ କଲା, ସର୍ଦ୍ଦାର । ତମେ ଏଡ଼େ ଚଞ୍ଚଳ ବ୍ରାହ୍ମଣକୁ ହତ୍ୟା କଲ କାହିଁକି ? ହୁଏତ କିଛିଦିନ ପରେ ସେ ତା’ର ବିଦ୍ୟା ଦେଖାଇଥାନ୍ତା । ହୁଏତ ସମତୁଲ ଅନ୍ୟ କିଛି ବିଦ୍ୟା ବି ତାକୁ ମାଲୁମ ଥିଲା ।

ପ୍ରଶ୍ନଟି ଅନେକ ଦସ୍ୟୁଙ୍କୁ ପ୍ରଭାବିତ କଲା । ସେମାନେ ଉପସର୍ଦ୍ଦାରକୁ ସମର୍ଥନ କଲେ ।

ମୋ ପଦକ୍ଷେପର ମୁକାବିଲା କରିବ- ତମର ଏଡ଼େ ବହପ ! ତମେ ବି ଯାଅ- ସେ ପୁରରେ ବ୍ରାହ୍ମଣ ସହ ମିତ ବସିବ । – ଏହା କହି ସର୍ଦ୍ଦାର ବହୁଦିନର ପୁଞ୍ଜୀଭୂତ କ୍ରୋଧ ଠୁଳକରି ଉପସର୍ଦ୍ଦାର ବେକରେ ଦେଲା ଚୋଟେ ।

ଉପସର୍ଦ୍ଦାରର ସମର୍ଥକମାନେ ସର୍ଦ୍ଦାରକୁ ଆକ୍ରମଣ କଲେ । ସର୍ଦ୍ଦାରର ଅନୁଗତମାନେ ପ୍ରତ୍ୟାକ୍ରମଣ କଲେ । ହଠାତ୍ ଉପସର୍ଦ୍ଦାର ତଳେ ଥିବା ସହକାରୀ ସର୍ଦ୍ଦାରର ତରବାରି ଆଘାତରେ ସର୍ଦ୍ଦାର ମଲା । ଗୋଟିଏ ଗୋଷ୍ଠୀର ସମ୍ପୂର୍ଣ୍ଣ ନିପାତ ହେଲା ଓ ସହକାରୀ ସର୍ଦ୍ଦାରର ନେତୃତ୍ୱରେ ଦ୍ୱିତୀୟ ଗୋଷ୍ଠୀ ରତ୍ନବୋକଚା ଧରି ଅଗ୍ରସର ହେଲେ ।

ଜଣେ ପ୍ରବୀଣ ଦସ୍ୟୁ ଭାବିଲା- ଯଦି ଏତେ ସହଜରେ ସର୍ଦ୍ଦାର ଓ ଉପସର୍ଦ୍ଦାର ହାତରୁ ରତ୍ନ ବୁଜୁଳା ଆସି ସହକାରୀ ସର୍ଦ୍ଦାର ପାଖରେ ପହଞ୍ଚିଗଲା, ତା’ ଠୁ ତାହା ହସ୍ତଗତ କରିବା ବିଶେଷ କାଠିକର ପାଠ ହେବ କାହିଁକି ?

ପ୍ରବୀଣଟି ଦଳର ଅବଶିଷ୍ଟ ଦସ୍ୟୁଙ୍କ ଭିତରୁ କେତେଜଣଙ୍କୁ ହାତ କରି ନେଲା ଓ ସେମାନେ ସହକାରୀ ସର୍ଦ୍ଦାରକୁ ଆଖି ପଲକରେ ହତ୍ୟା କଲେ । କିନ୍ତୁ ପ୍ରବୀଣଟିର ଉଚ୍ଚାଭିଳାଷ ଅନ୍ୟମାନଙ୍କୁ ବି ଅନୁପ୍ରାଣିତ କରିଥାଏ । ଯେଉଁ ଚାରିଜଣ ମାତ୍ର ଅବଶିଷ୍ଟ ଥିଲେ, ତହିଁରୁ ଦୁଇଜଣ ମେଣ୍ଟବାନ୍ଧି ଅନ୍ୟ ଦୁଇଜଣଙ୍କୁ ହତ୍ୟା କଲେ ।

ସେତେବେଳକୁ ନିଶୀଥର ଶେଷ ପ୍ରହର । ଦୁଇ କ୍ଳାନ୍ତ ଦସ୍ୟୁ ପରସ୍ପରକୁ ଆଲିଙ୍ଗନ କରି ରତ୍ନ ବୋକଚା ଧରି ଗୋଟିଏ ଗୁମ୍ଫାରେ ଉପନୀତ ହୋଇ ବିଶ୍ରାମ ନେଲେ । ଗତ ରାତିରେ ଆହାର ପାଇଁ ସମୟ ହୋଇନଥିଲା । ଭୋରବେଳକୁ ଜଣେ ନିଆଁ ଜାଳି କିଛି ରୋଷେଇର ବ୍ୟବସ୍ଥା କଲା । ସେ ରୋଷେଇ ଶେଷ କରିବାବେଳକୁ ପଛରୁ ବନ୍ଧୁଟି ତାକୁ ଛୁରୀ ଭୂଷି ଶେଷ କଲା । ବର୍ତ୍ତମାନ ସମଗ୍ର ରତ୍ନରାଶିର ସେ ଏକମାତ୍ର ମାଲିକ । କ୍ଳାନ୍ତି ସତ୍ତ୍ୱେ ଆନନ୍ଦାତିଶଯ୍ୟରେ ସେ ଟିକିଏ ନଚାନଚି କରି, ପରେ ଅଧିକ ନାଚିବ ବୋଲି ବିଚାରି, ପରଲୋକଗତ ସାଥୀ ରାନ୍ଧିଥିବା ଖାଦ୍ୟତକ ଭକ୍ଷଣ କଲା ଏବଂ ଭକ୍ଷଣାନ୍ତେ ଚିତ୍‌ପଟାଙ୍ଗ ହୋଇ ପଡ଼ିଗଲା । କହିବା ବାହୁଲ୍ୟ, ରନ୍ଧନରତ ସାଥୀଟି ତା’ ଉଦ୍ଦେଶ୍ୟରେ ଖାଦ୍ୟରେ ଭୟଙ୍କର ବିଷ ମିଶାଇ ରଖିଥିଲା ।

ତୃତୀୟ ଦିନସୁଦ୍ଧା ତେଣେ ସୁମନ୍ତ ଏକସହସ୍ର ସ୍ୱର୍ଣ୍ଣ ମୁଦ୍ରା ସଂଗ୍ରହ କରିବାକୁ ସମର୍ଥ ହେଲେ ଏବଂ ଗୁରୁଙ୍କୁ ମୁକ୍ତ କରିବା ନିମନ୍ତେ ଅରଣ୍ୟରେ ପ୍ରବେଶ କଲେ । ଯଥାସ୍ଥାନରେ ପହଞ୍ଚି ପ୍ରଥମେ ସେ ଦେଖିଲେ ଗୁରୁଙ୍କ ମୃତ ଦେହ । ତାଙ୍କୁ ସମାଧି ଦେବାବେଳେ ସେ କହିଲେ, ଗୁରୁଦେବ । ଆପଣ ନିଶ୍ଚୟ ମୋ ପରାମର୍ଶ ଭୁଲିଯାଇଥିଲେ ।

ଏହାପରେ ସେ ଯେତିକି ଅଗ୍ରସର ହେଲେ, ସେତିକି ଅଧିକ ସଂଖ୍ୟକ ମୃତଦେହମାନ ଦେଖିଲେ । ଯାହା ଅନୁମାନ କରିଥିଲେ, ଅବଶେଷରେ ତାହା ବି ଦେଖିଲେ- ଗୁମ୍ଫା ଭିତରେ ରତ୍ନ ବୋକଚାର ଦୁଇ କଡ଼ରେ ଦୁଇ ଶେଷ ଦସ୍ୟୁଙ୍କ ପ୍ରାଣହୀନ ଦେହ ।

ବୋକଚାଟିକୁ ଗୁମ୍ଫା ଭିତରେ ଗୋଟିଏ ଗର୍ତ୍ତରେ ଲୁଚାଇ ସେ ଯାଇ ନିକଟବର୍ତ୍ତୀ ଜଣେ ରାଜାଙ୍କୁ ସବୁ କହିଲେ ଓ ରାଜା ସେ ବିତ୍ତ ସଦୁଦ୍ଦେଶ୍ୟରେ ନେଇଗଲେ ବୋଲି ବୁଦ୍ଧଜାତକ କହେ ।

ସୂର୍ଯ୍ୟୋଦୟ ହୋଇସାରିଥିଲା । ସାଆନ୍ତେ ଉଠିଲେ । ଅଗତ୍ୟା ଉଠିଲା ଅବୋଲକରା । ମନ୍ଥର ଗତିରେ ଚାଲି ଚାଲି ସେମାନେ ଦ୍ୱିପ୍ରହର ସୁଦ୍ଧା ଦେବାଳୟ ସଂଲଗ୍ନ ଗୋଟିଏ ଅତିଥିଶାଳାରେ ପହଞ୍ଚିଲେ ଓ ବିଶ୍ରାମ କଲେ ।

ଦିବାହାର ଅନ୍ତେ ସାଆନ୍ତେ କହିଲେ, “‘ଆଜି ରାତିକ ଏଇଠି ରହିଯିବା, କାରଣ ବର୍ତ୍ତମାନ ଚାଲିବାକୁ ଆରମ୍ଭ କଲେ ଆମେ ପରବର୍ତ୍ତୀ ଲକ୍ଷ୍ୟସ୍ଥଳରେ ମଧ୍ୟରାତ୍ରି ପୂର୍ବରୁ ପହଞ୍ଚି ପାରିବା ନାହିଁ । ବିଶ୍ରାମ କଥା ଶୁଣିଲେ ହିଁ ଅବୋଲକରା ଖୁସି ହୋଇଯାଏ ।

ସନ୍ଧ୍ୟା ହେଲା । ସହଜ ସହଳ ନୈଶାହାର ଶେଷ କରି ସାଆନ୍ତେ ଶୋଇବାକୁ ଯାଉଛନ୍ତି, ଅବୋଲକରା ପାଖରେ ବସିପଡ଼ି କହିଲା, “ଆଜ୍ଞା, ରତ୍ନବର୍ଷା ବୃତ୍ତାନ୍ତର କିଛି ଅଂଶ ଆପଣ ପରେ ବିବୃତ କରିବେ ବୋଲି କହିଥିଲେ- ବର୍ତ୍ତମାନ କହନ୍ତୁ ।”

“ସେଇଆ ଭାବୁଛି । କଥା କ’ଣ କି, କାହାଣୀଟି ଏଯାଏଁ ଶେଷ ହୋଇନାହିଁ । କହିବି କେମିତି ?”

“ମାନେ ? ବୁଦ୍ଧଜାତକରେ କାହାଣୀଟିର ସମାପ୍ତି ତା’ର ପ୍ରକୃତ ସମାପ୍ତି ନୁହେଁ ।”

“ନା- ଅସଲରେ ସେ ରତ୍ନରାଶି ଅଦ୍ୟାବଧି ସେହି ଗୁମ୍ଫା ଭିତରେ ରହିଛି । ମିଛରେ କ’ଣ ଆଉ ତୁ ସେ ଦୁଃସ୍ୱପ୍ନ ଦେଖିଲୁ ।”

ଅବୋଲକରା ସ୍ତବ୍ଦ ହୋଇ ରହିଲା । କ୍ରମେ ତା’ ଅଙ୍ଗଭଙ୍ଗୀରୁ ସ୍ପଷ୍ଟ ହେଲା, ସେ ଭିତରେ ଭିତରେ ବଡ଼ ଛଟପଟ ହେଉଚି । କିଛି ସମୟ ପରେ କହିଲା, “କ’ଣ କହୁଛନ୍ତି ଗୁରୁ ସାଆନ୍ତେ ? ଆମେ ତେବେ ସେ ରତ୍ନରାଶି ଉପରେ ଶୋଇଥିଲୁ ।”

ପ୍ରାୟ ସେଇଆ । ତେବେ ତୁ ସେକଥା ଚିନ୍ତାକରି ଛଟପଟ ହୋଇ ଲାଭ ନାହିଁ । ତୁ ତା’ର ସନ୍ଧାନ ପାଇବାର ଆଶା ନାହିଁ । ତାହା ମନ୍ତ୍ରିତ ଓ ଅଦୃଶ୍ୟ । ଅଢ଼େଇ ହଜାର ବର୍ଷ ତଳେ, ସୁମନ୍ତ ସେଦିନ ତାହା ଦେଖିବା ପରେ ଅଳ୍ପଦୂର ଯାଇ ଶିକାର ଉଦ୍ଦେଶ୍ୟରେ ଅରଣ୍ୟରେ ପ୍ରବେଶ କରିଥିବା ଜଣେ ରାଜାଙ୍କୁ ଭେଟି ତାଙ୍କୁ ଡାକି ନେଇ ଗୋପନରେ ସବୁ କହିଲେ । ରାଜା ପ୍ରଥମେ ତାଙ୍କ ଲୋକଙ୍କୁ ଡାକି ମୃତଦେହ ଦୁଇଟି ବାହାର କରିଦେଲେ । କିନ୍ତୁ ସମସ୍ତଙ୍କ ଜ୍ଞାତସାରରେ ରତ୍ନରାଶି ଉଆସକୁ ନେବା ବିଜ୍ଞତା ହେବନାହିଁ ବୋଲି ସେ ସୁମନ୍ତଙ୍କୁ ସେଇଠାରେ ରହିବାକୁ ଅନୁରୋଧ କରି ରାତିରେ ଏକାକୀ ତାଙ୍କ ରଥରେ ଆସି ରତ୍ନବୋକଚା ନେଇଯିବେ ବୋଲି ପ୍ରତିଶ୍ରୁତି ଦେଲେ ।

ସୁମନ୍ତ କ୍ଳାନ୍ତ ଅନୁଭବ କରୁଥିଲେ । ରାତିର ପ୍ରଥମାର୍ଦ୍ଧରେ ତାଙ୍କୁ ନିଦ ଘାରିଲା । ସେ ଶୋଇଛନ୍ତି, ହଠାତ୍ ତାଙ୍କୁ ଯେପରି କୌଣସି ଅଶରୀରୀ ଶୁଭେଚ୍ଛୁ- ହୁଏତ ତାଙ୍କ ଗୁରୁ ବ୍ରାହ୍ମଣଙ୍କ ହା-ହୁତାଶମୟ ଅଦୃଶ୍ୟ ସତ୍ତା ଚମକାଇ ଉଠାଇଦେଲା । ସେ ଆଖି ଖୋଲିବାବେଳକୁ ଦେଖିଲେ, କେହି ଜଣେ ତରବାରି ଉତ୍ତୋଳନ କରି ତାଙ୍କୁ ଆଘାତ କରିବାକୁ ଯାଇ ଶଙ୍କିଯାଇଛି ।

ସେ ଉଠିବସିଲେ ଓ ତୀବ୍ର କଣ୍ଠରେ ପ୍ରଶ୍ନକଲେ, “ରାଜା ! ମୋତେ ମାରିବାକୁ ଆଗ୍ରହୀ ହେବାର କାରଣ ।”

ବିହ୍ୱଳ କଣ୍ଠରେ ରାଜା କହିଲେ, “ବାସ୍ତବିକ କାରଣ କ’ଣ ହୋଇପାରେ ?” ମହାନୁଭବ, ମୁଁ ଜାଣେନା- କାହିଁକି କେଜାଣି ମୋର ମନେହେଲା କାହାକୁ ହେଲେ ହତ୍ୟା ନ କରି ଏ ବିପୁଳ ସମ୍ପଦ ନେବା ଅସମ୍ଭବ । ଏଭଳି ବିସ୍ମୟକର ଅନୁଭୂତିର ବ୍ୟାଖ୍ୟା ମୁଁ ଦେଇପାରିବି ନାହିଁ । ମୁଁ ଅଧମ, ମୋତେ କ୍ଷମା କରନ୍ତୁ ! ମୋର ଏ ସମ୍ପଦ ଲୋଡ଼ା ନାହିଁ । ଏହା କହି ରାଜା ତଳେ କଚାଡ଼ି ପଡ଼ିଲେ ।

ସୁମନ୍ତ ଧ୍ୟାନସ୍ଥ ହେଲେ ଓ ତା’ପରେ କହିଲେ, “ରାଜା । ତମେ ତେବେ ଯାଅ ।”

“ଯିବି, କିନ୍ତୁ ଯେଉଁ ଅପରାଧ କରିବାକୁ ଯାଉଥିଲି, ସେ ପାଇଁ ମୋତେ କିଛି ଦଣ୍ଡ ଦିଅନ୍ତୁ ।”- ରାଜା ବ୍ୟାକୁଳ ହୋଇ କହିଲେ ।

“ମୁଁ ଦେବା ଦରକାର ନାହିଁ, ରାଜା । ଦଣ୍ଡ ତୁମେ ବଳେ ବଳେ ଭୋଗିବ । ଏ ବିପୁଳ ରତ୍ନରାଶି ହାତରେ ପାଇ ତାକୁ ହରାଇବାର ଶୋଚନା ସାରା ଜୀବନ ଭୋଗୁଥିବ. . . ଯାଅ ।” – ସୁମନ୍ତ କହିଲେ ।

ରାଜା ମୁଣ୍ଡ ତଳକୁ କରି ବିଦାୟ ନେଲେ ।

ଅବୋଲକରା ପ୍ରଶ୍ନ କଲା, ରାଜାଙ୍କ ମନକୁ ସେଭଳି ଦୁଷ୍ଟବୁଦ୍ଧି କାହିଁକି ଆସିଲା, ଗୁରୁସାଆନ୍ତେ ?

ପ୍ରଥମତଃ ହବୁବିଦ୍ୟା ଦ୍ୱାରା ସେ ସମ୍ପଦ ବର୍ଷା କରାଇବା ପଛରେ ଯାହା ଥିଲା, ତାହା କୌଣସି ମହତ୍ ପ୍ରେରଣା ନୁହେଁ, ନିର୍ମଳ ଲୋଭ । ହବୁବିଦ୍ୟା ଉଭୟ ସ୍ଥୂଳ ଓ ଆଧ୍ୟାତ୍ମିକ ଜୀବନ ପାଇଁ ଗୋଟିଏ ପରୀକ୍ଷା ।

କିପରି ଗୁରୁସାଆନ୍ତେ ?

ସ୍ଥୂଳ ଜୀବନରେ ଯେପରି ସଚ୍ଚା ପରିଶ୍ରମ ବା ପ୍ରତିଭା ବିନା ହବୁବିଦ୍ୟାଦ୍ୱାରା ଉପାର୍ଜିତ ଅର୍ଥ ମଣିଷ ଉପଭୋଗ କରିପାରେନା, ଆଧ୍ୟାତ୍ମିକ ଜୀବନରେ ସେହିପରି ହବୁବିଦ୍ୟା ମଣିଷକୁ ସଚ୍ଚା ଦୈବୀକୃପାଠୁଁ ଦୂରେଇ ନିଏ । ହଇରେ ଅବୋଲ୍, ଆକାଶରୁ ସୂର୍ଯ୍ୟକିରଣ ବର୍ଷା ହୁଏ, ଚନ୍ଦ୍ରାଲୋକ ବର୍ଷା ହୁଏ, ଖାସ୍ ଜଳବର୍ଷା ବି ହୁଏ । ସେସବୁ ଦ୍ୱାରା ଆମେ ପ୍ରାଣଧାରଣ କରିଥାଉ, ତଥାପି ସେସବୁ ପ୍ରତି ଆମେ କେବେ ବି ଆକୃଷ୍ଟ ହେଉନା, ଅଥଚ ରତ୍ନବର୍ଷା ପାଇଁ ଆମେ ପାଗଳ ହେବା କାହିଁକି ? ପଣ୍ଡିତ ବ୍ରାହ୍ମଣ ଯେତେବେଳେ ନିଜ ଅନ୍ତର୍ନିହିତ ଐଶ୍ୱର୍ଯ୍ୟର ଆବିଷ୍କାର ପ୍ରତି ଧ୍ୟାନଦେବା ଉଚିତ୍, ଯେତେବେଳେ ଜୀବନକୁ ଆବୋରି ରହିଥିବା ଦିବ୍ୟ କୃପାର ମହିମା ଅନୁଭବ କରିବା କଥା, ସେତେବେଳେ ସେ ହବୁବିଦ୍ୟାଦ୍ୱାରା ରତ୍ନବର୍ଷା କରିବାକୁ ଲାଳାୟିତ ହେଲେ, ଏପରି କି ପରିସ୍ଥିତି ପ୍ରତିକୂଳ ହେବା ସତ୍ତ୍ୱେ ସେଥିରୁ ନିବୃତ୍ତ ହେବା ଭଳି ଆତ୍ମସଂଯମ ସେ ଆୟତ୍ତ କରିନଥିଲେ । ବୋଧିସତ୍ତ୍ୱଙ୍କ ଚେତାବନୀ ସତ୍ତ୍ୱେ ଭୁଲ୍ ପରିପ୍ରେକ୍ଷୀରେ ସେ ନିଜ ବିଦ୍ୟାର ପ୍ରୟୋଗ କଲେ । ବର୍ଷିତ ସେ ସମ୍ପଦ ଅଚିରେ ଭୟାବହ ଲୋଭର କେନ୍ଦ୍ର ହେଲା । ପରେ ପରେ ଯେଉଁ ବିଭତ୍ସ ଘଟଣାମାନ ଘଟିଲା, ତାହାର ଫଳରେ ସେ ସମ୍ପଦ ଲୋଭ, ହିଂସା ଓ ବିଶ୍ୱାସଘାତକତାର ଅଜସ୍ର ଅଦୃଶ୍ୟ ସର୍ପିଳ ତରଙ୍ଗଦ୍ୱାରା କବଳିତ ହୋଇ ରହିଲା । ସେ ସମ୍ପଦ ପ୍ରତି ଯିଏ ଉନ୍ମୁଖ ହେବ, ସେହି ତରଙ୍ଗ ତା’ ଭିତରକୁ ସଂକ୍ରମିତ ହୋଇଯିବ । ରାଜା ସେହି ବିକଟ ଶକ୍ତିର ଶରବ୍ୟ ହୋଇଥିଲେ ।

ତା’ହେଲେ ସେ ସମ୍ପଦ ସେମିତି ରହିଛି । – ଅବୋଲକରା ଦୀର୍ଘ ନିଃଶ୍ୱାସ ଛାଡ଼ି ପ୍ରଶ୍ନ କଲା- ବରଂ ନିଜକୁ ନିଜେ କହିଲା ।

କେତେ ଶତାବ୍ଦୀ ପରେ ଜଣେ ଋଷି ସେ ସମ୍ପଦରୁ କିୟଦଂଶ ବାହାର କରି ତାଙ୍କର ଜଣେ ଏକାନ୍ତ ଭଦ୍ର କିନ୍ତୁ ଦରିଦ୍ର ଭକ୍ତକୁ ଦେଇଥିଲେ । ଭକ୍ତଟି ସେ ବିତ୍ତର ବିନିଯୋଗରେ ବିପୁଳ ଧନୀ ହେଲା ଓ ଶେଷରେ ଉତ୍ତୁଙ୍ଗ ହର୍ମ୍ୟଟିଏ ନିର୍ମାଣ କଲା । ଗୃହପ୍ରବେଶ ପରେ ପରେ ସେ ହର୍ମ୍ୟର ଶୀର୍ଷାରୋହଣ କରି ଏକ ଦୁରନ୍ତ, ଦୁର୍ବୋଧ୍ୟ ଆକର୍ଷଣରେ ତଳକୁ ଡେଇଁପଡ଼ି ପ୍ରାଣ ହାରିଲା ।

ସେହି ଲୋକଟି ଦ୍ୱାରା ସମାଜରେ ବିତରିତ ସେ ରତ୍ନ-ସମ୍ଭୁତ ଅର୍ଥ ଶହ ଶହ ବର୍ଷ ଭିତରେ ବହୁ କାଣ୍ଡ କଲାଣି- କରିବ ମଧ୍ୟ । ମୁଁ ଦେଖିପାରୁଛି, ଆଗାମୀ କାଳରେ ଭାରତକୁ ଶାସନ କରିବାକୁ ଆସି ଶୋଷଣଦ୍ୱାରା ସେ ଅର୍ଥର ବହୁ ଅଂଶ କେତେକ ବିଦେଶୀ ଶକ୍ତି ପାଶ୍ଚାତ୍ୟ ଭୂଖଣ୍ଡକୁ ନେଇଯିବେ । ସେ ଅର୍ଥର କ୍ରମବିକାଶ କେତୋଟି ରାଷ୍ଟ୍ରକୁ ଏଭଳି ଧନୀ କରିଦେବ, ଯାହା ଫଳରେ ପ୍ରଚୁର ବ୍ୟୟ କରି ସେମାନେ ପ୍ରକୃତିର ବହୁ ସୁପ୍ତ ରହସ୍ୟ ଉଦ୍‌ଘାଟନ ଦିଗରେ ପ୍ରୟାସ କରିବେ । କିନ୍ତୁ ଗବେଷଣା- ନିରତ ବୈଜ୍ଞାନିକର ମୁଣ୍ଡକୁ ଅସଲ ସମୟରେ ସେ ପାପଶକ୍ତି-ତରଙ୍ଗ ଏମିତି କାବୁ କରିଦେବ, ଯାହା ଫଳରେ ସେ ତା’ ଜ୍ଞାନକୁ ମାନବକଲ୍ୟାଣ ଉଦ୍ଦେଶ୍ୟରେ ପ୍ରୟୋଗ କରିବା ପରିବବର୍ତ୍ତେ କିପରି ଭୀଷଣରୁ ଭୀଷଣତର ଉପାୟରେ ମାନବତାକୁ ଓ ମାନବ-ସଭ୍ୟତାକୁ ଧ୍ୱଂସ କରାଯାଇପାରେ, ସେହି ତଥ୍ୟ ବାହାର କରି ସେହି ଅନୁସାରେ କାମ କରିବ ।

ହାୟ ହାୟ ! – ଅବୋଲକରା କହିଲା ।

ସେତକ କହିବା ଯଥେଷ୍ଟ ନୁହେଁରେ ଅବୋଲ୍ । ତୁ ସେ ଗୁମ୍ଫା କଥା ମନରୁ ପୋଛିପକା । ଛଟପଟ ହୁଅନା ।

ସାଆନ୍ତେ ଶୋଇଗଲେ । ସେଦିନ ପୂର୍ଣ୍ଣିମା । ଅଧରାତିରେ ସେ ଉଠିପଡ଼ି ଅତିଥିଶାଳା ବାହାରକୁ ଆସି ପ୍ରାନ୍ତର ଆଡ଼େ ଦୃଷ୍ଟି ଦେଲେ । ତାଙ୍କ ଅନୁମାନ ଠିକ୍ । ସେ ପାଟି କରି ଡାକିଲେ, “ଆରେ ହତଭାଗା ! ଆରେ ଅବୋଲ୍ ! ଚାଲିଛୁ କୁଆଡ଼େ ?”

ସ୍ୱପ୍ନଚାଳିତବତ୍ ଅରଣ୍ୟ ଆଡ଼େ ଯାଉଥିବା ଅବୋଲକରା ସେ ଡାକରେ ରହିଗଲା ଓ ବୁଲିପଡ଼ି ଦୌଡ଼ି ଦୌଡ଼ି ଆସିଲା- ସତେ ଅବା ପଛରୁ ତାକୁ ଭିଡ଼ି ଧରିଥିବା କୌଣସି ଶକ୍ତି ବିରୁଦ୍ଧରେ ବଳ ଖଟାଇ ସେ ଆସୁଛି ।

କ୍ଷମାକରନ୍ତୁ, ସାଆନ୍ତେ ! ଜହ୍ନରାତି ମୋ ମୁଣ୍ଡ କେମିତି ଖରାପ କରିଦେଲା । – ସେ କୈଫିୟତ୍ ଦେଲା ।

ଚୋପ୍ ! ସତେ ଯେମିତି ପ୍ରେମିକାର ବାର୍ତ୍ତା ପାଇ ଅଭିସାରରେ ବାହାରିଥିଲୁ । ଜହ୍ନରାତିକୁ ଦୋଷ ଦିଆ ହେଉଛି । ଚାଲ୍, ଶୋଇବୁ ଚାଲ୍ ।

ଅବୋଲକରା କାନମୁଣ୍ଡା ଆଉଁସି ସାଆନ୍ତଙ୍କୁ ଅନୁସରଣ କଲା ।

ଲୋକପ୍ରିୟ ଲେଖା

To Top