ଗଳ୍ପ

ସଭ୍ୟ ଜମିଦାର

Byaasakabi Fakir Mohan Senapati's odia story Sabhya Jamidaar

ରାଜୀବ ମୋ ବୋଲ ମାନେ ନାହିଁ, ଦିନଯାକ ଗାଁ ଟୋକାଙ୍କ ସାଙ୍ଗରେ ଦାଣ୍ଡରେ ବୁଲୁଥାଏ । ତାକୁ ସାଙ୍ଗରେ ଘେନି ଯାଅ । ରାଜୀବକୁ କଲିକତା ଘେନିଯାଇ କାମ ଶିଖାଇବା ପାଇଁ ବାବୁଙ୍କର ବି ଇଚ୍ଛା ଥିଲା ।

ସଭ୍ୟ ଜମିଦାର

ବାବୁ ବଳରାମ ବଳ କଲିକତା ବଡ଼ ବଜାରର ଜଣେ ଗଦିଆନ ମହାଜନ । ଉତ୍କଳର ସମସ୍ତ ବେପାରୀଙ୍କର ଦଣ୍ଡିଦାର । ସମସ୍ତ ମାଲ ଆମଦାନି ରପ୍ତାନି ତାଙ୍କ ହାତ ବାଟେ ହେଉଥିଲା । ଲକ୍ଷ ଲକ୍ଷ ଟଙ୍କାର କାରବାର । ଢେର୍ ବର୍ଷ ତଳର କଥା । ରେଳ ନାମ ତ କେହି ଶୁଣି ନଥିଲେ, ଷ୍ଟୀମର ମଧ୍ୟ ଚଳୁ ନଥିଲା । ବାଲେଶ୍ୱର ଜାହାଜରେ ମାଲ ଆମଦାନି ରପ୍ତାନି ହୁଏ । କଲିକତା ଆମଦାନି ମାଲ ମଧ୍ୟରେ ଧୂଆଁ ପତ୍ର ପ୍ରଧାନ । କଲିକତାରୁ ମାଲ ଆସି ବାଲେଶ୍ୱର ବନ୍ଦରରେ ଜାହାଜରୁ ଘାଟ ଭିଡେ଼ । ସେ ସ୍ଥାନରୁ ଶଗଡ଼ରେ ସମସ୍ତ ଉତ୍କଳକୁ ଚଲାଣ ହୁଏ, ଏଥିପାଇଁ ସମସ୍ତ ଉତ୍କଳରେ କଲିକତୀ ଧୂଆଁପତ୍ରର ନାମ ବାଲେଶ୍ୱରୀ । ହେଲେ ବାଲେଶ୍ୱରୀ ଲୋକେ ଧୂଆଁପତ୍ର ଗଛ କେବେ ଦେଖି ନାହାନ୍ତି ।

ଧୂଆଁପତ୍ର କାରବାର ବଡ଼ କଠିନ । ଘୋଡ଼ାଚଢ଼ା ମହାଜନ କଥା ପଦକେ ଘାସ କାଟେ- ଘାସକଟା ଘୋଡ଼ା ଚଢେ଼ । ମହାଜନେ ବୋଲନ୍ତି, ଦୋକ୍ତା କାରବାର ଆଉ ଗୋଖର ସାପ ଖେଳାଇବା ଏକା କଥା । ବାସନାରେ, ରଙ୍ଗରେ ମାଲ ସମାନ । ସେହି ମାଲ ମହଣ କୋଡ଼ିଏ ତ ସେହି ମାଲ ମହଣ ଚାଳିଶ ଟଙ୍କା । ଚିହ୍ନିରା ଦଣ୍ଡିଦାର ନ ଧରି ଲୋକେ ଧୂଆଁପତ୍ର କିଣିବାକୁ ଭରସନ୍ତି ନାହିଁ । ବଳରାମ ବଳେ ଜଣେ ଭଲ ଚିହ୍ନରା, ଏଥିପାଇଁ ଓଡ଼ିଶାରେ ନାମଡ଼ାକ ।

ମହାଜନଙ୍କ ଘର ଯାଜପୁର ଅଞ୍ଚଳରେ । ଗ୍ରାମ ନାମ ଜଣା ନାହିଁ । ମହାଜନ ଥରେ ଗ୍ରାମକୁ ଆସିଥିଲେ । ଦଶ ବର୍ଷର ଛେଉଣ୍ଡ ପିଲା ଗୋପାଳିଆ ଗାଁରେ ବୁଲୁ ଥିଲା । ଜାତିପୁଅଟା ଅନାସ୍ଥା ହେଇ ବୁଲୁଛି, ଦୟା କରି ସାଙ୍ଗରେ ଘେନିଗଲେ । ଗୋପାଳ ଗଦିରେ ଥାଏ ଖାଉଛି ତ ଖାଉଛି, ଅଛି ତ ଅଛି, ତାକୁ ଦେଖୁଛି କିଏ- ପଚରାପଚରିର ଦରକାର କ’ଣ ? ଦିନେ ରାତିରେ କ’ଣ ହେଲା କି, ମହାଜନ ଜଣେ ସଉଦାଗର ପାଖରୁ ପାଞ୍ଚଟା ଆକବରୀ ମୋହର କିଣିଲେ । ବାବୁଙ୍କ ମନ ଭାରି ଖୁସି । ମିଳିବା ପଦାର୍ଥ ନୁହେଁ, ବାକ୍ସରେ ରଖି ପୂଜା କରିବେ । ମୋହର ପୁଟୁଳାଟି ଧରି ରଖି ପୂଜା କରିବେ । ମୋହର ପୁଟୁଳାଟି ଧରି ବସିଥାନ୍ତି, କେତେବେଳେ ତଳେ ରଖି ଦେଲେଣି । ପାଇକାର, ମହାଜନ, ମୋଟିଆ, ମଜୁରିଆ ହିସାବପତ୍ର ଛିଡ଼ିବାକୁ ରାତି ଛ’ ଘଡ଼ି । ବାବୁଙ୍କର ହେବ ନାହିଁ, ଗଦି ବନ୍ଦ କରି ଉଠିଗଲେ । ତହିଁ ଆରଦିନ ସକାଳେ ଗୋପାଳ ଯିମିତି ଉଠିଛି, ଗଦିରେ ମୋହର ପୋଟଳା ଉପରେ ନଜର ପଡ଼ିଗଲା, ହାତରେ ଧରି ବାବୁଙ୍କ ପାଖକୁ ଧାଇଁଲା । କୁକୁଡ଼ା ଡାକ ଆଗରୁ କଲିକତାରେ ଯିମିତି ତୋପ ପଡେ଼, ଗଦିଆନ୍ ଧାର୍ମିକ ହିନ୍ଦୁ ମହାଜନମାନେ ଗଙ୍ଗାସ୍ନାକୁ ବାହାରିଯାନ୍ତି । ଢେର ଜାଗାରେ ଠାକୁର ଠାକୁରାଣୀ ଦର୍ଶନ କରି ଗଦିକୁ ବାହୁଡ଼ିବାକୁ ବେଳ ଦୁଇ ଘଡ଼ି । ଧର୍ମକାର୍ଯ୍ୟ କରିବାକୁ ସେଇଟା ହେଲା ଅସଲ ବେଳ । ଫୁରସତ୍ ବା କାହିଁ । ବାବୁଙ୍କୁ ନ ଭେଟି ଗୋପାଳ ତାଙ୍କ ପଲଙ୍କ ତକିଆ ତଳେ ପୋଟଳାଟି ଥୋଇ ଦେଲା । ତାହାର ବି ସେ କଥା ଆଉ ମନରେ ନାହିଁ । ବାବୁ ସ୍ନାନ ସାରି ଆସିବା ବେଳକୁ ଚାକର ବିଦିଆ ବାରିକ ଗଦି ଝାଡ଼ଝୁଡ଼ କରି ଗଙ୍ଗାଜଳ ଛିଞ୍ଚି ଧୂପ ଗୁଗ୍‌ଗୁଳ ଧୂଆଁ ଜାଳିଦେଇ ସାରିଛି । ବାବୁ ବଡ଼ ମାଣ୍ଡିଟାକୁ ଆଉଜି ବସି ରୂପାବନ୍ଧା ହୁକାରେ ଭଡ଼ର ଭଡ଼ର କରି ଗୁଡ଼ାଖୁ ପିଇବାକୁ ବସିଲେ । ଆଗରେ ଦୁଇକଡ଼ା କଣା କଉଡ଼ି ବନ୍ଧା ବ୍ରାହ୍ମୁଣ ହୁକା, କାୟସ୍ଥ ହୁକା, ନବଶାଖ ହୁକା କଂସା ବଇଠକରେ ଥୁଆ ହୋଇଛି । ଏଇଟା ହେଲା କଲିକତା ସବୁ ଗଦିର ଦସ୍ତୁର ।

ବେଳ ଛ’ଘଡ଼ି ବେଳେ ହଠାତ୍ ବାବୁଙ୍କର ମନରେ ପଡ଼ିଗଲା ମୋହର କଥା । ହଁ ମୋହର କାହିଁ । ବାବୁ ଛିଡ଼ା ହୋଇ ପଡ଼ିଲେ, ହୁକାଟା ହାତରୁ ଖସି ପଡ଼ି ନିଆଁ ପାଣି ଗଦିଯାକ ବୁଣି ପଡ଼ିଲାଣି, ଦେଖୁଛି କିଏ ? ପାଞ୍ଚଟା ମୋହର । ବଡ଼ କଥା ନୁହେଁ, ଏ ଯେ ହେଲା ଆକବରୀ ମୋହର । ସେହିପରି କପାଳିଆ ଲୋକକୁ ଲକ୍ଷ୍ମୀ ଆଲିଙ୍ଗନ କରନ୍ତି, ଆକବରୀ ମୋହର ମିଳେ । ସେ ମୋହର ଗଲେ ଲକ୍ଷ୍ମୀ ଛାଡ଼ିଯାଏ । ବାବୁ ତ ମୁଣ୍ଡରେ ହାତ ଦେଇ ଗୁମ୍ ମାରି ବସିଗଲେ । ଗୋପାଳ ରୋଷେଇ ଘରେ ବସିଥିଲା, ମୋହର ଖୋଜା ଶୁଣି ଧାଇଁ ଆସିଲା । ବାବୁଙ୍କୁ ହସି ହସି କହିଲା, “ଆଜ୍ଞା ! ଆଜ୍ଞା ! ମୋହର ଅଛି ।” ବାବୁ ଧାଇଁ ଆସି ଗୋପାଳକୁ କୁଣ୍ଢେଇ ପକାଇଲେ । ଗୋପାଳ ମୋହର କାଢ଼ି ଦେଇ ପାଇବାର ହାଲ ସବୁ କହିଲା, “ବାବୁ ଦଣ୍ଡେଯାଏ ତାକୁ ଅନାଇ ନିଶ୍ୱାସଟାଏ ପକାଇଲେ ।”

ସେହି ଦିନ କତିରୁ ତୁଚ୍ଛାଟାରେ ହେଲେ ବାବୁ ଦଶ ଥର ଗୋପାଳ ରେ, ଗୋପାଳ ରେ, ଡାକ ପକାଉଥିବେ । ଭୋଜନ ବେଳେ ଥାଳୀ ପାଖରେ ଗୋପାଳ ଅବଖୁରାରେ ଜଳ ଥୋଇ ନ ଦେଲେ ବାବୁଙ୍କୁ ଆଉ ଜଳ ଭଲ ଲାଗେ ନାହିଁ । ବାବୁଙ୍କ ବିଡ଼ିଆ ଗୋପାଳ ଭାଙ୍ଗିବ । ଶେଯ ପରାଟା ଗୋପାଳ ଜିମା । ବାବୁଙ୍କ ଶ୍ରଦ୍ଧା ଦେଖି ଗଦିର ଆଉ ପାଞ୍ଚଜଣ ବି ତାକୁ ମାନିଲେଣି । ବାବୁଙ୍କ ଇଚ୍ଛା, ବଡ଼ ଗୋଟାଏ କିଛି ପାଇଟିରେ ତାକୁ ଲଗାଇବେ । ହେଲେ ଓଡ଼ିଆ ପିଲା, ମଫସଲ ଗାଁରେ ଘର, ଏଣେ ତ କଲିକତାଟା ଠକ, ଗଣ୍ଠିକଟା ଖଣି କ’ଣ ବୋଲି କ’ଣ ହୋଇଯିବ, ହେଉ, ଆଉ ଟିକିଏ ପାରି ଯାଉ ।

ଦିନ ବେଳ ଛ’ ଘଡ଼ିଯାଏ ଚୂଲୀରେ ଲୁଣ୍ଡା ପଡ଼ି ନାହିଁ । ରୋଷେଇଆ ବାହ୍ମଣ କାହିଁ ! ହଁ, ଦେଖ ଦେଖ, ବାବୁଙ୍କ ଟଙ୍କା ସିନ୍ଦୁକ ଚାବି ଭଙ୍ଗା, ପାଞ୍ଚ ଶହ ଟଙ୍କାର ଥଳିଟା ନାହିଁ । ଢେର ଖୋଜ ତଲାସ ହେଲା, ଥାନାରେ ଏତଲା ଦିଆଗଲା, ଆଉ ପୂଝାରୀ ଏକା ବେଳକେ ଗୁମ୍ । ଗୋଳମାଳରେ ବେଳ ଗଡ଼ିଗଲାଣି, ବାବୁ ଉପାସ ବସିଛନ୍ତି । ବଙ୍ଗାଳୀ ବାହ୍ମଣ ହାତରୁ ତ ଖାଇବେ ନାହିଁ, ଏତେ ଚଞ୍ଚଳ ଓଡ଼ିଆ ବ୍ରାହ୍ମଣ ବା କାହୁଁ ଘଟୁଛି । ଗୋପାଳ ହାତ ଯୋଡ଼ି କହିଲା, “ଆଜ୍ଞା ! ମୁଁ ତେବେ ଦି’ଟା ଚଢେ଼ଇ ଦିଏ ।” ବାବୁ କହିଲେ, “ତୁ ପାରିବୁ ରେ ? ଆଚ୍ଛା ହେଉ, ଏ ଓଳିଟା ଚଳିଯାଉ ।” ବାବୁ ଠା’ ପିଢ଼ାରେ ବସି ଦେଖିଲେ, ଏତେ ଚଞ୍ଚଳ ପାଞ୍ଚ ତିଅଣ, ପୁଣି ବଡ଼ ଭଲ । ପଚାରିଲେ, “ଆରେ ଗୋପାଳ, ତୁ କିମିତି ରାନ୍ଧି ଶିଖିଲୁରେ ?” ଆଜ୍ଞା ପୁଝାରୀ ରନ୍ଧା ଦେଖି ଦେଖି ଶିଖିଛି । ସେ ରାନ୍ଧୁ ଥିବାବେଳେ ମୁଁ ବସି ଦେଖୁଥାଏ ।

ବାବୁ ଏଣିକି ଗୋପାଳ ହାତ ଛଡ଼ା ଆଉ କାହାରି ହାତରୁ ଜଳ ଛୁଅଁନ୍ତି ନାହିଁ । ପୁଣି ଦେଖିଲେ, ବଜାର ସଉଦା ଖର୍ଚ୍ଚ ଅଧାଅଧି ଉଣା, ପରିବାପତ୍ର ଦୁଇଗୁଣ ବେଶି, ପୁଣି ବଡ଼ ସୁନ୍ଦର ରନ୍ଧା । ବାବୁଙ୍କ ମନ ଜାଣି ବେଳ ମାଫିକେ ଗୋପାଳ ରନ୍ଧା ବଢ଼ାରେ ଲାଗିଥାଏ । ପୂଝାରୀ ତ ବଜାର ସଉଦା ଘିଅ ତେଲ ସବୁଥିରୁ ରେଷା କାଟିବ, ସବୁବେଳେ ଆପଣା ରୋଜଗାରରେ ଲାଗିଥାଏ । ବାବୁ ଭଲ ଖାଇଲେ, ମନ୍ଦ ଖାଇଲେ, ତା’ର କ’ଣ ଯାଏ ? ବାବୁ ଥରେ ଗାଁକୁ ଯାଇ ଗୋପାଳକୁ ଗୋଟିଏ ଘର ବନାଇ ଦେଇ ବିଭା କରାଇ ଦେଲେ । କନ୍ୟାଟି ଯେମିତି ଦେଖିବାକୁ ଡୌଲ ଡାଉଲ, ସେମିତି ଗୁଣ । ପହରା ପଡ଼ିବା ଦିନରୁ ଦିନକୁ ଦିନ ଗୋପାଳର ଘର ବଢୁଛି । ଗୋପାଳ ରନ୍ଧାବଢ଼ା ସାରି ସବୁବେଳେ ଗଦିରେ ବାବୁଙ୍କ ପାଖେ ପାଖେ ଥାଏ । ତୁଚ୍ଛା ବସି ଥାଏ ନାହିଁ, କେତେବେଳେ କଣ୍ଟା ଧରିଛି ତ, କେତେବେଳେ ମାଲ ସାଇତାରେ ଅଛି ।

ମାଲ କିଣା ବିକା ଛକଛାକ ଗୋପାଳ ବେଶ୍ ଜାଣିଗଲାଣି । ବାବୁ ଢେର୍ ଥର ବିଡ଼ିଲେଣି, ଆପେ ଏଡେ଼ ପୁରୁଖା ଲୋକ ହେଲେ ବି ଥରେ ଥରେ ଗୋପାଳ ବଳିପଡେ଼, ତା’ କଥାରେ ଚାଲିଲେ ଠକିବାକୁ ହୁଏ ନାହିଁ, ବେଶ ଦି’ପଇସା ଲାଭ ହୁଏ । ଗୋପାଳ ଆଉ ରୋଷେଇଆ ନୁହେଁ, ବେପାରରେ ବାବୁଙ୍କ ଡାହାଣ ହାତ । ବାବୁ ବୁଢ଼ା ହେଲେଣି, ପାଞ୍ଚ ଜାଗାକୁ ଯାଇ ଆସି ପାରନ୍ତି ନାହିଁ । ଧାଁ ଦଉଡ଼ କାମ ଗୋପାଳ ଜିମା । ଏବେ ଆଉ ସେ ଗୋପାଳ ନୁହେଁ, ଗଦିରେ ଡାକନାମ ସାନ ବାବୁ । କାଗଜପତ୍ରରେ ଗୁମାସ୍ତା ଲେଖେ, ବାବୁ ଗୋପାଳଚନ୍ଦ୍ର ମହାପାତ୍ର ।

ବାବୁ ଗୋପାଳଚନ୍ଦ୍ର ମହାପାତ୍ରେ ସନ୍ଧାନ କରି ବୁଝିଲେ, ଯଶୋର, ମୋତିହାର, ପାବନା ଅଞ୍ଚଳରୁ ଯେଉଁ ସବୁ ହଳଦୀ, ଧୂଆପତ୍ର, ସରକ ଆସେ, ପ୍ରଥମେ ଚାଷୀଠାରୁ କିଣେ ବୁଲା ବେପାରୀ, ସେ ବିକେ ପାଇକାରକୁ, ପାଇକାର ହାତରୁ କିଣେ ଗୋଦାମ ବାଲା, ଦଣ୍ଡିଦାର ତା’ ପାଖରୁ ମାଲ କିଣି ଚଲାଣ ଦିଏ । କଲିକତାରେ ମାଲ ପହଞ୍ଚିବା ବେଳକୁ ତିନିଟା ହାତରେ ଲାଭ ଲାଗିଯାଏ । ମାହାପାତ୍ରେ ଦିନେ ବେଳ ଉଣ୍ଡି ମହାଜନଙ୍କୁ ଜଣାଇଲେ, ଆଜ୍ଞା ବେପାରର ଲାଭ ବିକା ଜାଗାରେ ନୁହେଁ, କିଣା ଜାଗାରେ । ଏହି ଯେ ଧୂଆଁ ପତ୍ର, ହଳଦୀ, ସରକ ଆସୁଛି, ମୁଁ ଥରେ ଯାଇ ଠିକଣା ଜାଗାଟା ବୁଝିଆସେ ।

ମହାଜନଙ୍କ ଅନୁମତି ଘେନି ସାନବାବୁ ସଳଖେ ସଳଖେ ଠିକଣା ଜାଗାକୁ ଚାଲିଗଲେ । ମଝିରେ ଆଉ କାହାରିକୁ ନଗା ନ ରଖି ଚାଷମୁଣ୍ଡରେ ଚାଷୀମାନଙ୍କଠାରୁ ସଉଦା କଲେ । ଦୁଇବର୍ଷ ଏହିପରି କାମ ଚଳିବାରୁ ଦେଖାଗଲା, ପୂର୍ବଠାରୁ ଦୁଇଗୁଣ ଲାଭ ବେଶି । ମହାପାତ୍ରେ ଏବେ ବଳଙ୍କର ଚାକର ନୁହନ୍ତି, ଲାଭରେ ଚାରିପଣୀ ଅଂଶଭାଗୀ ।

ପାଞ୍ଚ ସାତ ବର୍ଷ ଏହିପରି କାମ ଚଳିଲାଣି ମହାପାତ୍ରେ ବର୍ତ୍ତମାନ ଲକ୍ଷପତି । ସେ ମନା କରୁ କରୁ ମହାଜନ ବଳେ ଗ୍ରାମରେ ଦଶ ବାର ହଜାର ଟଙ୍କା ଲଗାଇ ଗୋଟାଏ ବଡ଼ ଦୋ’ମହଲା ଘର ବନାଇ ଦେଲେ । ଖଣ୍ଡେ ତାଲୁକ ବି କିଣି ଦେଲେଣି । ମହାଜନଙ୍କର ଇଚ୍ଛା, ଗୋପାଳ ଖୁବ୍ ବଡ଼ ଲୋକ ହେଉ । ହେଲେ, ଗୋପାଳର ବଡ଼ଲୋକୀ ଚାଲିଚଳଣ ନାହିଁ, ଦିନ ରାତି କାମରେ ଲାଗିଥିଲେ ଆନନ୍ଦ । ଗଦିର ସବୁ ମାମଲତ ତହବିଲ ଚାବି ମହାପାତ୍ରଙ୍କ ହାତରେ । ବଳେ ଏବେ ତୁନି ହୋଇ ଗଦିରେ ମାଳ ଗଡ଼ାଉଥାନ୍ତି ।

ବାବୁ ଗୋପାଳଚନ୍ଦ୍ର ମହାପାତ୍ରଙ୍କର ଗୋଟିଏ ବୋଲି ପୁଅ, ନା ରାଜୀବଲୋଚନ । ପୁଅଟି ପାରି ଗଲାଣି, ଚଉଦ ପୂରି ପନ୍ଦର ଚାଲିଛି । ଗୋପାଳ ବାବୁ ଗ୍ରାମକୁ ଯାଇଥିଲେ, ଅବଧାନେ ଦେବୀ ଓଝା ଆସି କହିଲେ, “ସାନ ବାବୁ ଖୁବ୍ ବୁଦ୍ଧିଆ, ଭାରି ପାଠୁଆ । ଖଡ଼ିପାଠ, ପୋଥିପାଠ ସବୁ ଛିଡ଼ିଲାଣି । ଆଉ ତାଙ୍କୁ ପଢ଼ାଇବାକୁ ପାଠ ନାହିଁ ।” ଅସଲ କଥା, ରାଜୀବଟା ଭାରି ଦୁଷ୍ଟ । ଚାଟଶାଳୀରେ ବଡ଼ ଉତ୍ପାତ କରେ, ଅବଧାନଙ୍କ ସଙ୍ଗରେ ବି ତୋଖଡ଼ ମୋଖଡ଼ ଲଗାଇଲାଣି । ବଡ଼ଲୋକ ପୁଅ, ଜମିଦାର ପୁଅ ବୋଲି ଅବଧାନେ ଶଙ୍କି ରହିଥାନ୍ତି, କିଛି କହି ପାରନ୍ତି ନାହିଁ । ବାବୁ ପୁଅର ପ୍ରଶଂସା ଶୁଣି ଭାରି ଖୁସି । ଅବଧାନେ ଗୋଟିଏ କଥା, ପାେଞ୍ଚାଟି ଟଙ୍କା ପୁରସ୍କାର ପାଇ ଦଣ୍ଡବତଟା କରି ମେଲାଣି ଘେନିଲେ । ସାନ୍ତାଣୀ (ରାଜୀବଙ୍କ ମାତା) ସାନ୍ତଙ୍କୁ କହିଲେ, “ରାଜୀବ ମୋ ବୋଲ ମାନେ ନାହିଁ, ଦିନଯାକ ଗାଁ ଟୋକାଙ୍କ ସାଙ୍ଗରେ ଦାଣ୍ଡରେ ବୁଲୁଥାଏ । ତାକୁ ସାଙ୍ଗରେ ଘେନି ଯାଅ । ରାଜୀବକୁ କଲିକତା ଘେନିଯାଇ କାମ ଶିଖାଇବା ପାଇଁ ବାବୁଙ୍କର ବି ଇଚ୍ଛା ଥିଲା ।”

କଲିକତା ବଳବାବୁ ମହାଜନ ଗଦି ସାଙ୍ଗରେ ବଡ଼ ବଡ଼ ଇଂରାଜୀ ସଉଦାଗର ହାଉସମାନଙ୍କର କାରବାର । ମହାପାତ୍ର ବାବୁ କୋଠିର ବଡ଼ ବଡ଼ ସାହେବଙ୍କ ପାଖକୁ ଗଲେ, ଗୋଟାଏ ଦୋଭାଷୀ ଜରିଆରେ କଥା ଚଳେ । ବାବୁ ଇଂରାଜୀ ଜାଣନ୍ତି ନାହିଁ- ସାହେବ ବି ଓଡ଼ିଆ ବୁଝେ ନାହିଁ । ବାବୁ ଢେର ଥର ବିଡ଼ିଲେଣି ମଝିରେ ଦୋ’ଭାଷୀ ଖାବଳେ ମାରିନିଅ । ରାଜୀବ ଯେବେ ଇଂରାଜୀ ପାଠ ପଢ଼ି କାମରେ ଲାଗିବ, କେହି ଠକାଇ ପାରିବ ନାହିଁ । ଗଦିର ସରକାର କେଲ୍‌କାଟା ଏଣ୍ଡ୍ରୁ ଏକାଡେ଼ମିରେ ରାଜୀବ ବାବୁଙ୍କ ନାମ ଲେଖାଇ ଦେଇ ଆସିଲା । ପଢ଼ା ଚାଲିଛି ତ ଚାଲିଛି । ମାସକୁ ଥରେ ସ୍କୁଲ୍ ଦରମା ଓ କିତାପର ଦାମ ନେବା ବେଳ ବାପା ପୁଅଙ୍କର ଭେଟ । ବାପେ ପାଠ ସଇ ନେବେ କ’ଣ, କିପରି ପଢୁଛି ପଚାରିବାକୁ ବି ବେଳ ନାହିଁ । ତିନି ଚାରି ବର୍ଷ ବିତିଗଲାଣି, ମାସକୁ ମାସ ସ୍କୁଲ୍ ଦରମା ଆଉ କିତାପର ଦାମ ପଚାଶ ଟଙ୍କାରୁ ବଳିଲାଣି । ଦିନେ ବାପେ ପଚାରିଲେ, “କିରେ ରାଜୀବ, ଏବେ ଏତେ ଖରଚ କିଆଁ ?” ରାଜୀବ ବାବୁ ଜବାବ୍ ଦେଲେ, “ବାପା, ମୁଁ କିଲାସ ଢେର୍ ଉପରକୁ ଉଠି ଗଲାଣି, ସେଥିପାଇଁ ଏତେ ଖରଚ ।” ବାପେ କହିଲେ, “ତେବେ ଆଉ ପଢ଼ ନା, ଆ’ କାମରେ ଲାଗ ।” ରାଜୀବ ବାବୁ କହିଲେ, “ନା ବାପା, ପାସ୍ ନ କଲେ ଇଂରାଜୀ ପାଠ ହୁଏ ନାହିଁ ।” ମହାପାତ୍ର ବି ଶୁଣିଥିଲେ, ଇଂରାଜୀରେ ଗୋଟିଏ ପାସ ହୁଏ । କହିଲେ, “ହଁ ରେ, ସେ କଥା ମତେ ଜଣାଅଛି, ତୁ ବେଶି ବେଶି ପାସ୍ କରି ପକା, ଯେତେ ଟଙ୍କା ଲାଗିବ ଲାଗୁ ।” ବାପା ପୁଅ ଦୁହିଁଙ୍କ ମନ ଖୁସି ।

ତା’ପରେ

ଲୋକପ୍ରିୟ ଲେଖା

To Top