ଗଳ୍ପ

ସାବିତ୍ରୀ ଦୁଃଖ

Kalindicharana Panigrahi's odia Story Sabitri Duhkha

ଦେଖନ୍ତୁ, ସଂସାରମୟ ରସାତଳଗାମୀ ହେଲେ, ସେଥି ମଧ୍ୟରୁ ଯେ କେତେଜଣ ସ୍ୱର୍ଗଗାମୀ ହେବାକୁ ଚେଷ୍ଟା କରୁଛନ୍ତି

ସାବିତ୍ରୀ ଦୁଃଖ

-: ପୂର୍ବରୁ :-

ସାବି କେତେକ ଦିନ ମୋ ଗୃହରେ ଅତିବାହିତ କରିଛି । ହଠାତ୍ ଦିନେ ଗୃହସ୍ୱାମିନୀ ଆବିର୍ଭୂତା ହେବାର ଦେଖି ତତ୍‌କ୍ଷଣାତ୍ ଆସନ ଛାଡ଼ି ଠିଆ ହୋଇ କହିଲି, କି ନିମନ୍ତେ ଆଗମନ ତବ । ମୋର ପରିହାସରେ କର୍ଣ୍ଣପାତ ନ କରି ସ୍ୱାମିନ୍ ଗମ୍ଭୀର ଭାବରେ କହିଲେ, “ଥଟ୍ଟା ରଖ, ସାବି ଏଣିକି ଆଉ ଏ ଘରେ ରହିପାରିବ ନାହିଁ ।” ହଠାତ୍ ଏପରି ମତ ପରିବର୍ତ୍ତନ ଦେଖି କହିଲି, “ଭାରତର ରାଜନୀତି କ୍ଷେତ୍ରରେ ମତର ପରିବର୍ତ୍ତନ ହେବାକୁ ସମୟ ଲାଗୁଛି । ତୁମର ଦୟାର ଆଗାର ହଠାତ୍ ଏପରି ଶୁଷ୍କ ହୋଇଗଲା ଯେ !” ନା, ତାକୁ ଆଉ ଘରେ ରଖିହେବ ନାହିଁ । ତା’ର ଗୁଣ କ୍ରମେ ଅସହ୍ୟ ହେଉଛି ।

ଏ ଅବସ୍ଥାରେ ଆଉ ପରିହାସ ଅବକାଶ ନ ପାଇ ପଚାରିଲି, “କଥା କ’ଣ, ଅକସ୍ମାତ୍ ଏପରି ମତ ପରିବର୍ତ୍ତନ ହେଲା କାହିଁକି ?” ଉତ୍ତରରେ ଗୃହିଣୀ ଅଧିକ ବାକ୍ୟ ବ୍ୟୟ ନ କରି ମତେ ସ୍ପର୍ଶ କରି ତାଙ୍କର ଅନୁସରଣ କରିବା ପାଇଁ ସଙ୍କେତ ଦେଲେ । ମୁଁ ପୋଷ୍ୟ ଜୀବଟି ପରି ତାଙ୍କର ପଛେ ପଛେ ଚାଲିଲି ଏବଂ କାରଣ ବୁଝି ନ ପାରି ବିସ୍ମିତ ହେଲି । ଅଳ୍ପ ଦୂର ଯାଇ ଦେଖିଲି, ସାବି ମୂର୍ଚ୍ଛିତା ହୋଇପଡ଼ିଛି । ସ୍ତ୍ରୀଙ୍କ ଆଡ଼କୁ ଜିଜ୍ଞାସୁ ଦୃଷ୍ଟିରେ ଚାହିଁବାରୁ ସେ କହିଲେ, “ସାବି ଆସିବା ଦିନୁ ମଧ୍ୟେ ମଧ୍ୟେ ଏହିପରି ଅଚେତା ହୋଇପଡୁଛି । ଆଗ ହୋଇ ଗଁ ଗଁ ଶବ୍ଦ କରେ, ପରେ ତୁନି ହୋଇ ପଡ଼ି ରହେ । ଛିଞ୍ଚା ବିଞ୍ଚା କଲେ ଜ୍ଞାନ ପାଏ । ଆଜି ଘଣ୍ଟାକରୁ ବେଶି ହେଲାଣି, ତା’ର ଚେତା ଆସୁ ନାହିଁ ।” ମୁଁ ପଚାରିଲି, “କାହିଁକି ଏପରି ହୁଏ ?” ଉତ୍ତର ହେଲା, “ପଚାରିଲେ କହେ, ତା’ ତୋଟି କିଏ ଚିପି ଧରୁଛି । ଆଉ ତା’ର ଢଙ୍ଗ ଢ଼ାଙ୍ଗ କେମିତି- ବସି ବସି କ’ଣ ଏଣୁ ତେଣୁ ଭାବୁଥାଏ- ଗୋଟାଏ କଥା ପଚାରିଲେ ଆଉ ଗୋଟାଏ କଥାର ଜବାବ ଦିଏ ।” “କେଉଁ ଦିନଠାରୁ ଏପରି ହେଉଛି ?” ସେ କହେ, “ବିଧବା ହେବାର କେତେକ ଦିନ ପରଠାରୁ ।” ନିକଟବର୍ତ୍ତୀ ଡିଷ୍ଟ୍ରିକ୍ଟବୋର୍ଡର ଡାକ୍ତରଙ୍କୁ ଡକାଇଲି । ଡାକ୍ତର ପ୍ରବୀଣ ଲୋକ । ସେ ଆସି ସଚେକ କରାଇ କହିଲେ, “ଏ ସ୍ତ୍ରୀଟିର Heart ବଡ଼ Weak, Shock ମାତ୍ରା ଟିକିଏ ବଢ଼ିଗଲେ heart fail କରିପାରେ ।” ଉତ୍ସୁକ ହୋଇ ପଚାରିଲି, “ଏପରି ଦୁର୍ବଳ ହୃଦୟ ହେବାର କାରଣ କ’ଣ ହୋଇପାରେ?” ଡାକ୍ତର କହିଲେ, “ଦୁଇ କାରଣରୁ ହୃଦୟ ଦୁର୍ବଳ ହୋଇପାରେ । ଗୋଟିଏ ଜନ୍ମଗତ, ପିତାମାତାଙ୍କ ଦୋଷରୁ, ଆଉ ଗୋଟିଏ ବିଶେଷ ରକମର ଦୁଃଖ ବା ଆଘାତଜନିତ, ମନସ୍ତାପ କିମ୍ୱା ଅନୁଚିନ୍ତାରୁ ।” ଏପରି ସ୍ଥୂଳକାୟ ଲୋକର ହୃଦୟ ଏତେ ଦୂର ଦୁର୍ବଳ ହେବା ମତେ ଅସମ୍ଭବ ପରି ମନେ ହେଲା ଏବଂ ଏହା ଡାକ୍ତରଙ୍କର ସ୍ୱୀୟ ପାଣ୍ଡିତ୍ୟର ଅତ୍ୟଧିକ ପରିଚୟ ଦେବା ବୋଧ କଲି । ତଥାପି ସ୍ତ୍ରୀଙ୍କୁ ଏ ବିଷୟରେ ଭବିଷ୍ୟତ୍‌କୁ ସାବଧାନ କରାଇ ଦେଲି ଏବଂ ବର୍ତ୍ତମାନ ସାବିକୁ ବହିଷ୍କରଣ କରିଦେବା ସ୍ତ୍ରୀ ହତ୍ୟା ଦୋଷରେ ଭାଗୀ ହେବା କଥା ବୁଝାଇ ଦେଲି ।

ସେହି ଦିନୁ ଧର୍ମଭୀରୁ ଗୃହିଣୀ ସାବି ବିଷୟରେ ବିଶେଷ ସାବଧାନ ଥା’ନ୍ତି ଏବଂ ବର୍ତ୍ତମାନ ସାବିକୁ ଏକା ଗୃହରେ ଛାଡ଼ିଯିବା ଦୁଃଖରେ ତା’ର ମୃତ୍ୟୁ ପର୍ଯ୍ୟନ୍ତ ହୋଇପାରେ ଏ ଆଶଙ୍କାରେ ତାକୁ ମଧ୍ୟ ସଙ୍ଗରେ ନେବାକୁ ରାଜି ହେଲେ ।

ରାତି ଚାରିଟାରେ ଗାଡ଼ି । ସେଟଲମେଣ୍ଟ୍ ପଇସା ଖର୍ଚ୍ଚ କରିବା ପରି ଆମ ଉଭୟେ ନିଦ୍ରା ବିଷୟରେ ଅକାତର, କିନ୍ତୁ ଆଜି ଗୃହ ପରିବର୍ତ୍ତନ କରିବେ ବୋଲି ଗୃହିଣୀଙ୍କ ଚକ୍ଷୁକୁ ନିଦ୍ରା ନାହିଁ । ଏ ଜିନିଷ ସେ ଜିନିଷ ସଜାଡ଼ିବାରେ ଲାଗି ପଡ଼ିଛନ୍ତି । ଯଥା ସମୟରେ ଯାଇ ଷ୍ଟେସନ୍‌ରେ ପହଞ୍ଚିଲୁ । ପ୍ଲାଟଫର୍ମକୁ ଗାଡ଼ି ଆସିବାକୁ ଡେରି ଅଛି । ଷ୍ଟେସନ୍‌ଟି ଅନ୍ଧକାର, ମୌନ ବିଧବାର ରୂପ ଧାରଣ କରିଛି । ଦୂରରୁ ସିଗ୍ନାଲ ସ୍ତମ୍ଭର ଲାଲବତୀ ରକ୍ତଚକ୍ଷୁ କୃଷ୍ଣକାୟ ରାକ୍ଷସର ଭୟ ଜନ୍ମାଉଛି । ବି.ଏନ୍.ଆର. ର ଅଧିକାଂଶ ଛୋଟ ଷ୍ଟେସନ୍ ଏହିପରି ପ୍ରାୟ ଅନ୍ଧକାର ଥାଏ, କେବଳ ଗାଡ଼ି ଆସିବାର ଲାଇନକ୍ଲିୟର ହେଲେ ଆଲୋକ ଦିଆଯାଇଥାଏ ।

କେତେକ ସମୟ ପରେ ଗାଡ଼ି ଆସି ଷ୍ଟେସନ୍‌ରେ ଠିଆ ହେଲା । ଗୋଟିଏ ଛୋଟ ଇଣ୍ଟରମିଡ଼ିଏଟ୍ କ୍ଲାସ୍‌ରେ ବସିଲୁ । ଗାଡ଼ି ମଧ୍ୟରେ ଗୋଟିଏ ଯୁବକ ଓ ଜଣେ ପ୍ରବୀଣ ବସିଥିଲେ । ସାଙ୍ଗରେ ସ୍ତ୍ରୀଲୋକ ଥିବାରୁ ଯୁବକଟି ଆଗ୍ରହରେ ଆମ୍ଭମାନଙ୍କ ପାଇଁ ସ୍ଥାନ କରିଦେଇ ସଙ୍କୋଚରେ ବସିଲେ । ପ୍ରୌଢ଼ ଭଦ୍ରଲୋକଟି ଏକ ଦୃଷ୍ଟିରେ ମୋ ପ୍ରତି ଚାହିଁ ରହିଥାନ୍ତି । କିଛିକ୍ଷଣ ପରେ ସେମାନଙ୍କ ସହିତ ଆଳାପ କରି ବୁଝିଲି, ଯୁବକଟି କଲେଜ ଛାତ୍ର । ପୂଜା ଛୁଟିରେ ଘରକୁ ଫେରୁଛନ୍ତି । ଭଦ୍ରଲୋକଟି ଗଡ଼ଜାତରେ ଚାକିରୀ କରନ୍ତି, ସେ ମଧ୍ୟ ଗୃହାଭିମୁଖୀ । ଗୃହିଣୀଙ୍କ ସହିତ ସାବି ମଧ୍ୟ ହାତେ ଲମ୍ୱରେ ଓଢ଼ଣା ଟାଣି ଦେଇ ବସିଲା । ବାହାରକୁ ବାହାରିଲେ ସେ ପ୍ରାୟ ଏହିପରି ବାହାରିଥାଏ ।

ଭଦ୍ରଲୋକଟିଙ୍କୁ ଦେଖିଲେ, ସେ ଶିକ୍ଷିତ ହେଲେ ମଧ୍ୟ ପୁରାତନ ପନ୍ଥୀ । ଆଧୁନିକତା ତାଙ୍କର ଚକ୍ଷୁଃଶୂଳ, ଅଥଚ ସୁନା ଚଷମା, ଘଡ଼ି, ଫାଉଣ୍ଡେନ୍ ପେନ୍ ସବୁ ବ୍ୟବହାର କରନ୍ତି, କିନ୍ତୁ ଯୁବକଟି ଠିକ୍ ବିପରୀତ, ସବୁ ବିଷୟରେ ନବୀନପନ୍ଥୀ । ଯୁବକଟିର ରୀତିଗତିରୁ ଛାତ୍ର ଜ୍ଞାନ କରି ପଚାରି ପରିଚୟ ବୁଝିନେଲି, କିନ୍ତୁ ପ୍ରବୀଣ ଭଦ୍ରଲୋକଟି ଅଯାଚିତ ଭାବରେ ନିଜର ପରିଚୟ ଦେଇଗଲେ । ସେ ଏକ ଇତିହାସ ଏବଂ ମଧ୍ୟେ ମଧ୍ୟେ ଏପରି ବିରକ୍ତିଜନକ ଓ ସ୍ୱୀୟ ପ୍ରଶଂସାବାହୁଲ୍ୟରେ ପୂର୍ଣ୍ଣ ଯେ, ଅନେକ କଥା ଇଚ୍ଛା କରି ମୁଁ ଶୁଣି ନାହିଁ । ସେଥିଲାଗି ଏତିକିମାତ୍ର କହିଲି, କୈଣସି ଗଡ଼ଜାତରେ ସେ ଚାକିରୀ କରନ୍ତି ଓ ସମ୍ଭ୍ରାନ୍ତ କରଣବଂଶ-ସମ୍ଭୁତ । ନିଜର ପରିଚୟ ଦେଇସାରି ଭଦ୍ରଲୋକଟି ମୋର ସବିଶେଷ ପରିଚୟ ପଚାରିଲେ । ଏପରି ଅଯାଚିତ ବନ୍ଧୁତ୍ୱ ମୋତେ ଏତେ ଦୂର କଟୁ ବୋଧ ହେଲା ଯେ, ଅନିଚ୍ଛା ସତ୍ତ୍ୱେ କେବଳ ହଁ ହଁ କରି ଉତ୍ତର ଦେଲି । ଶେଷରେ ଭଦ୍ରତାର ସୀମା ଅତିକ୍ରମ କରି ପ୍ରବୀଣ ମୋର ସହଗାମିନୀ ରମଣୀ ଦୁଇଜଣଙ୍କର ପରିଚୟ ପଚାରିଲେ । ବିରକ୍ତ ହୋଇ ସ୍ତ୍ରୀଙ୍କୁ ଦେଖାଇ କହିଲି, “ସେ ମୋର ବିଧବା ଆତ୍ମୀୟା, ଅପରଟି ଦାସୀ ।” କଥାଟା ରାଗରେ ଏବଂ ଘୃଣାରେ କହିଦେଲି, କିନ୍ତୁ ପରକ୍ଷଣରେ ସ୍ତ୍ରୀଙ୍କ ମୁଖର ଭାବକୁ ଲକ୍ଷ୍ୟ କରି ଏବଂ ନିଜର ଉକ୍ତିରେ ହାସ୍ୟସମ୍ୱରଣ କରିପାରିଲି ନାହିଁ । କାରଣ ଗୃହିଣୀ ବିଧବା କଥାଟା ତାଙ୍କର ପରିହାସ ପରାୟଣ ଭାଇ ମୁଖରୁ ଶୁଣିଲେ ସହ୍ୟ କରିପାରନ୍ତି, କିନ୍ତୁ ମୋ ନିଜ ମୁଖରୁ ଶୁଣିଲେ ଅସ୍ଥିର ହୋଇଉଠନ୍ତି । ବର୍ତ୍ତମାନ ଅବଶ୍ୟ ମୁଁ ନିଃଶଙ୍କ, ଘର ଭିତରେ ହୁଏତ ଏପରି କହି ତ୍ରାହି ପାଇ ନ ଥାନ୍ତି, ସୁତରାଂ ତାଙ୍କର ନିରବ ରୋଷକଷାୟିତ କଟାକ୍ଷ ମୋର ଯେପରି କୌତୂକ ଜନ୍ମାଇଲା, ସେହିପରି ମଧ୍ୟ ଅରୂପ ଅଭାବନୀୟ ଭାବରେ ତାଙ୍କୁ ଜବଦ୍ କରିବାକୁ ସୁଯୋଗ ପାଇ ମନେ ମନେ ଆନନ୍ଦ ଲାଭ କଲି ।

ମୋଠାରୁ ପରିଚୟ ପାଇଁ ଭଦ୍ରଲୋକଟି ମୃଦୁହାସ୍ୟ କରି କହିଲେ, “ଓ, ତାହାହେଲେ ଏହାକୁ ଛାଡ଼ି ଆସିବାକୁ ଯାଉଛନ୍ତି ।” ସ୍ତ୍ରୀଙ୍କ ପ୍ରତି କୌତୂକ ଦୃଷ୍ଟିରେ ଚାହିଁ ଉତ୍ତର କଲି, “ଆଜ୍ଞା ହଁ ।” ଭଦ୍ରଲୋକଟି ମୋର ତୋଷାମଦ ଛଳରେ ପୁନଶ୍ଚ କହିଲେ, “ଦେଖନ୍ତୁ, ଆଜି କାଲିକାର ଭଦ୍ରସମାଜ ଏକା ବେଳକେ ନିର୍ଲଜ୍ଜ ହୋଇ ସାରିଲାଣି । ପାଠପଢୁଆ ବାବୁମାନେ ନିଜର ଯୁବତୀ ସ୍ତ୍ରୀକୁ ସଙ୍ଗରେ ଘେନି ବୁଲିବାକୁ ସଙ୍କୋଚ ବୋଧ କରନ୍ତି ନାହିଁ ।” ମୁଁ କିଛି କହିବା ପୂର୍ବରୁ ଛାତ୍ରଟି ବ୍ୟଙ୍ଗସ୍ୱରରେ କହିଲେ, “ଯଥାର୍ଥ କଥା, ଅନ୍ୟ କାହାରି ଯୁବତୀ ସ୍ତ୍ରୀ ନ ମିଳିଲା ପରି ନିଜର ଯୁବତୀ ସ୍ତ୍ରୀକୁ- ।” ଛାତ୍ରଟିର ସ୍ପଷ୍ଟ ଉତ୍ତରରେ ଭଦ୍ରଲୋକଟି ଏକାବେଳକେ ଅପ୍ରତିଭ ହୋଇପଡ଼ିଲେ । ନିଜକୁ ସମ୍ଭାଳି ନେଇ କହିଲେ, “ଶୁଣନ୍ତୁ ଏଇ ବାବୁଙ୍କ କଥା, ମୁଁ ସ୍ତ୍ରୀଙ୍କୁ ଜବଦ୍ କରି ଆନନ୍ଦ ଅନୁଭବ କରୁଥିଲେ ହେଁ ଯୁବକ ଛାତ୍ରଟି ଭଦ୍ରଲୋକଙ୍କ କଥାବାର୍ତ୍ତାରେ ଯେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ, ଏହି ଉତ୍ତର ତାହାର ପ୍ରମାଣ ।” ଯାହାହେଉ, ଭଦ୍ରଲୋକ ଯେତେବେଳେ ମୋ ମୁଖକୁ ଏପରି କୌଶଳରେ ତାଙ୍କ ସମର୍ଥନ ବାକ୍ୟଟିକୁ କାଢ଼ି ନେବାକୁ ଗଲେ, ମୁଁ ମଧ୍ୟମ ପନ୍ଥା ଅବଲମ୍ୱନ କରି କହିଲି, “ବୋଧହୁଏ ଏ ବାବୁଙ୍କର ଏହି ଅଭିପ୍ରାୟ ଯେ ଆମ୍ଭେମାନେ ଯେପରି ଚାକରବାକର ଓ ଅନ୍ୟମାନଙ୍କ ହାତରେ ଆମ୍ଭମାନଙ୍କର ସ୍ତ୍ରୀ- କନ୍ୟାମାନଙ୍କର ଭାର ଛାଡ଼ି ଦେଇ ନିଜେ ସଙ୍ଗରେ ଯିବାକୁ ଅସମ୍ମାନ ଓ ଲଜ୍ଜାବୋଧ କରୁ, ସେ ରୀତିଟା ଭଲ ନୁହେଁ ।”

ଭଦ୍ରଲୋକଟି ପ୍ରସଙ୍ଗ ପରିବର୍ତ୍ତନ କରି କହିଲେ, “ସେ ତ ଠିକ୍ କଥା, କିନ୍ତୁ ଆଜିକାଲିକା ଟୋକାଙ୍କ ମୁଣ୍ଡରେ କ’ଣ ଜୁଟିଛି, ଖାଲି ମେମ୍ ବିଭା ହେବେ, ଆନ୍ତର୍ଜାତିକ ବିଭା ହେବେ, ଆନ୍ତଃପ୍ରାଦେଶିକ, ଆନ୍ତର୍ଦ୍ଦେଶିକ ବିଭା ହେବେ, କିନ୍ତୁ ସବୁ ଦେଶର ବଡ଼ ବଡ଼ ଲୋକମାନେ କହୁଛନ୍ତି, ଏ ସବୁ ବିବାହ ସାର୍ଥକ ହୋଇପାରୁ ନାହିଁ । ସେଥିଲାଗି ତ ଯେଉଁ ସଭ୍ୟ ଜାତିମାନଙ୍କର ଉଚ୍ଛିଷ୍ଟ ଖାଇ ଆମ୍ଭେମାନେ ନିଜକୁ କୃତକୃତ୍ୟ ମଣୁଥାଇ, ସେମାନଙ୍କ ସମାଜରେ ଏତେ ଡାଇଭୋର୍ସ, ଛାଡ଼ପତ୍ର ଦେଉଛନ୍ତି ।” କେଉଁ ବଡ଼ ଲୋକମାନଙ୍କ କଥା ଉପରେ ଭଦ୍ରଲୋକ ଏତେ ଟୀକା ଟିପ୍ପଣୀ କରି ଯାଉଥିଲେ, ପଚାରିବାକୁ ଇଚ୍ଛା ହେଉଥିଲା, କିନ୍ତୁ ସେ କଥା ନ ପଚାରି କହିଲି, “ଦେଖନ୍ତୁ, ଯୁଗଧର୍ମ ଯେତେବେଳେ ଯେପରି ପରିବର୍ତ୍ତିତ ହେଉଛି, ସେ ସମୟରେ ସଂସାର ସେହି ଦିଗକୁ ଯାଉଛି । ତାହାର ଗତିରୋଧ କରିପାରିବ କିଏ ?”

ଭଦ୍ରଲୋକ ଉତ୍ତେଜିତ ହୋଇ କହିଲେ, “ଯୁଗଧର୍ମ କ’ଣ ବାବୁ, ଯୁଗଧର୍ମ କ’ଣ କହୁଛି ଜାତି ନାହିଁ, ଧର୍ମ ନାହିଁ, ଯେଉଁଠି ଇଚ୍ଛା ସେଠି ବାହା ହୁଅ । ଏସବୁ ଉଚ୍ଛୃଙ୍ଖଳତା, ସ୍ୱେଚ୍ଛାଚାର ନା, ଯୁଗଧର୍ମ କ’ଣ କହୁଛନ୍ତି ? ଆମର ବର୍ଣ୍ଣାଶ୍ରମ କୁଆଡ଼େ ଗଲା, ଧର୍ମନୈତିକତା କୁଆଡ଼େ ଗଲା, କେବଳ ଭୋଗ ଲାଳସା, ବାସନା ତୃପ୍ତିରେ ସବୁ ଯାଇ ରହିଲାଣି । ଏ କ’ଣ, ସଂସାର ରସାତଳଗାମୀ ହେବା ବ୍ୟତୀତ ଆଉ କ’ଣ ହୋଇପାରେ ?”

ଭଦ୍ରଲୋକଙ୍କର ଏ ଧରଣର ଧର୍ମଭାବ ଉପରେ ମୋର କଥା କହିବାର ଇଚ୍ଛା ନ ଥିଲା, କିନ୍ତୁ ଛାତ୍ରଟିକୁ ଏ ସବୁ ଅସହ୍ୟ ବୋଧ ହେଉଥାଏ । ସେ ଭ୍ରୁକୁଞ୍ଚିତ କରି କହିଲେ, “ଦେଖନ୍ତୁ, ସଂସାରମୟ ରସାତଳଗାମୀ ହେଲେ, ସେଥି ମଧ୍ୟରୁ ଯେ କେତେଜଣ ସ୍ୱର୍ଗଗାମୀ ହେବାକୁ ଚେଷ୍ଟା କରୁଛନ୍ତି” କରନ୍ତୁ, ଆଉ ମଧ୍ୟ ଏ ଟୋକା କେତେଟାଙ୍କର ସଂସାରକୁ ରସାତଳଗାମୀ କରିପାରିବାର କ୍ଷମତା ଥିଲେ, ସେମାନଙ୍କ ସାମାନ୍ୟ ଜ୍ଞାନ କରିବାକୁ ହେବ ନାହିଁ ।

ଭଦ୍ରଲୋକ ଆଉ କିଛି କହିଥାନ୍ତେ, କିନ୍ତୁ ତାଙ୍କର ଟିକେଟ୍ ଶେଷ ହୋଇଆସିଲା । ଗାଡ଼ି ଷ୍ଟେସନ୍‌ରେ ରହିଲା । ସେ ବିଦାୟ ନେଇ ଓହ୍ଲାଇଗଲେ । ତର୍କରେ ନିମଗ୍ନ ରହି ଗୃହିଣୀଙ୍କ ପ୍ରତି ଲକ୍ଷ୍ୟ କରି ନ ଥିଲି । ଗାଡ଼ି ପୁନଶ୍ଚ ବଂଶୀବାଦନ କରି ଷ୍ଟେସନ୍ ଛାଡ଼ିବାବେଳେ ଦେଖେ, ସାବି ମୂର୍ଚ୍ଛିତା ହୋଇ ପଡ଼ିଛି ଏବଂ ଗୃହିଣୀଙ୍କ ଅବଗୁଣ୍ଠନ ଅନେକ ପରିମାଣରେ ଛୋଟ ହୋଇଯାଉଛି । ହତବୁଦ୍ଧି ହୋଇ ସାବି-ମୁଖରେ ଜଳଛିଟିକା ଦେଇ ପରିଚର୍ଯ୍ୟା କରିବାକୁ ଲାଗିଲି । ଛାତ୍ରଟି ମଧ୍ୟ ତାଙ୍କର ଚେଷ୍ଟାରେ ତ୍ରୁଟି କରୁ ନ ଥାନ୍ତି । ସାବି କଥା କହିଲା, “ସେ କିନ୍ତୁ ପ୍ରଳାପ ।” ପ୍ରଭାତ ବାୟୁରେ ନିବିଡ଼ ଜଙ୍ଗଲ ମଧ୍ୟରେ ଗାଡ଼ି ସୋଁ ସୋଁ ଶବ୍ଦ କରି ଛୁଟିଛି । ଭାରତବର୍ଷରେ ଦରକାର ପଡ଼ିଲେ ମାଲଗାଡ଼ିରେ ମଧ୍ୟ ଜୀବନ୍ତ ମନୁଷ୍ୟ ବୁହାଯାନ୍ତି । ସୁତରାଂ ରେଲୱେ କମ୍ପାନୀ ଗାଡ଼ିରେ ଡାକ୍ତର ରଖିବା ଯୁକ୍ତିଯୁକ୍ତ ମନେ କରି ନାହାନ୍ତି ।

ନିଜ ନାଡ଼ି ସହିତ ତୁଳନା କରି ସାବିର ନାଡ଼ି ଦେଖିଲି । ବଡ଼ କ୍ଷୀଣ ନାଡ଼ି, କିଛି ବୁଝିପାରିଲି ନାହିଁ । ଗୃହଯାତ୍ରାଟା ଯେ ଏପରି ଶୁଭରେ ସମ୍ପାଦିତ ହେବ, ତାହା ପୂର୍ବରୁ କଳ୍ପନା କରି ନଥିଲି । ଉଦ୍‌ବିଗ୍ନ ସ୍ୱରରେ ସାବିକୁ ଡାକିଲି, “ସାବି, ସାବି ।” ସେ ମୋ କଥାରେ କର୍ଣ୍ଣପାତ କଲା ନାହିଁ । କେବଳ ପ୍ରଳାପ ବକିଲା, “ହେଇ, ହେଇ, ସେଇ ଲୋକଟା-ଆସୁଛି, ମୋ ପେଟପିଲାର ତଣ୍ଟି ଚିପି ଦେଲା, ହେଇ, ହେଇ, ଆସୁଛି- ମୋ ତଣ୍ଟି- ଅଁ- ।” ସାବିର ଗଳା ବନ୍ଦ ହୋଇଗଲା, ଆଉ କଥା କହିପାରିଲା ନାହିଁ ।

ଉତ୍ସୁକ ଦୃଷ୍ଟିରେ ମୁଁ ଗୃହିଣୀଙ୍କୁ ଚାହିଁଲି । ସେ ଚୁପ୍ ହୋଇ ତ୍ରସ୍ତଚକିତ ଦୃଷ୍ଟିରେ ସେହି ଭଦ୍ରଲୋକଟି ଯେଉଁ ସ୍ଥାନରେ ବସିଥିଲେ, ସେହି ସ୍ଥାନକୁ ଚାହିଁ ରହିଥାନ୍ତି । ଛାତ୍ରଟି ଅବାକ୍ ହୋଇ ଦଣ୍ଡାୟମାନ ରହିଥାନ୍ତି । ମୁଁ ଚିତ୍କାର କରି ପୁନଶ୍ଚ ଡାକିଲି, “ସାବି ! ଏ ସାବି !” ନିଃଶ୍ୱାସ ପ୍ରଖର ହୋଯାଇଅଛି । ଅଧମାଇଲ ଦୂରରୁ ଲୋକର କଥା ଶୁଣାଗଲା ପରି ତା’ ମୁଖରୁ କେବଳ ଅତି କ୍ଷୀଣ ସ୍ୱର ନିଃସୃତ ହେଲା, “ହେଇ, ହେଇ, ସେଇ ଲୋକଟା ।” ଦାନ୍ତ ନ ଥିବା ଲୋକର କଥା ପରି ତାହା ଶୁଣାଗଲା ।

ଗାଡ଼ି ଷ୍ଟେସନ୍‌ରେ ରହିବାବେଳକୁ ସାବି ଆଉ ନାହିଁ- ତା’ର ଶବ ପଡ଼ିରହିଛି । ଚାରିଘଣ୍ଟା ପୂର୍ବେ ତିନି ସୁସ୍ଥ ସବଳ ଲୋକ ଗାଡ଼ିରେ ଉଠିଲୁ, ଓହ୍ଲାଇଲାବେଳକୁ ଗୋଟିଏ ହୋଇଛି ଶବ୍ଦ । ମୃତ୍ୟୁଟା ଏତେ ସହଜ ମନେ ହେଲା ଯେ, ଜୀବନଟା କେବଳ ଅକସ୍ମାତ୍ ପାଣି ଫୋଟକା ପରି ବୋଧକଲି ।

“ଚା’ ଗରମ”, “ପାନ ବିଡ଼ି”, “ଛୋଲାଭଜା” ହାଁକି ହାଁକି ଷ୍ଟେସନ୍ ଫେରିବାଲାମାନେ ଚାଲିଗଲେ । ଗାଡ଼ିରେ ଉଠିବା ଓହ୍ଲାଇବାର ଗଣ୍ଡଗୋଳ ଆରମ୍ଭ ହେଲା । ଯୁବ ଛାତ୍ରଟି ନମସ୍କାର କରି ବିଦାୟ ନେଲେ । ମୁଁ ଗୃହକୁ ଗୃହିଣୀଙ୍କୁ ନେଇ ଫେରିଲି । ସବୁ ସ୍ୱପ୍ନ ପରି ବୋଧ ହେଲା, କିଛି ଜାଣିପାରିଲି ନାହିଁ, ଶୁଣିପାରିଲି ନାହିଁ । ସବୁ ଦେଖିବା ଶୁଣିବା ଭିତରେ ସତ୍ୟ କେତେ ଭାଗ ଓ ମିଥ୍ୟା କେତେ ବୁଝିପାରିଲି ନାହିଁ । କେବଳ ସାବିର ଶେଷ କଥାଟା କାନ ପାଖରେ ଅହରହ ବାଜୁଥାଏ, “ହେଇ ହେଇ, ସେଇ ଲୋକଟା ।”

ଲୋକପ୍ରିୟ ଲେଖା

To Top