ଗଳ୍ପ

ସବୁଜ ବଣରେ ନିଆଁ

Odia Author Biraja Routray

ଜୀଅନ୍ତା କଲିଜା ଖଣ୍ଡ ଛୁରୀ ବାଜି ଛଟପଟ ହେବା ପରି ଭୟଙ୍କର ମରଣ ମୁହଁରେ ଛାଡ଼ିଆସିଥିବା ଲୋକଟାର କଥା ଭାବି ବିଚଳିତ ହୋଇପଡ଼ୁଥିଲା ସେ । ଲୁହକୁ ଝରାଇ ଝରାଇ ଗୁମୁରି ଗୁମୁରି କାନ୍ଦିଲା ।

ସବୁଜ ବଣରେ ନିଆଁ

ଦିନର ଆଲୁଅ ଫିଟିବା ଦେଖି ଧୁସୁରୀ ବୁଢ଼ୀ ଘର ଭିତରୁ ତା ଶଯ୍ୟାଶାୟୀ ମରଦ ବୁଢ଼ାକୁ ଅଧା ଧରି ଅଧା ଘୋଷାରି ଆଣି ବସାଇଦେଲା ପିଣ୍ଡାଟା ଉପରେ । ବୁଢ଼ାଟା ତା ଅଚଳପ୍ରାୟ ଶରୀରକୁ ପିଣ୍ଡାକୁ ଆଉଜାଇ ଚାହିଁ ରହିଲା ଆଖି ସମ୍ମୁଖରେ ଦୃଶ୍ୟମାନ ହେଉଥିବା ପୃଥିବୀକୁ । କଅଁଳ ଖରା ଡେଣା ମେଲାଇବା ପରି ବିଛାଡି ହୋଇପଡିଥିଲା ସବୁଆଡ଼େ । ଦୂର ପାହାଡ଼ରେ, କୋଶ କୋଶ ଧରି ବ୍ୟାପିଥିବା ଜଙ୍ଗଲରେ, ଗାଁର ସେମୁଣ୍ଡରେ ନିଛାଟିଆ ପଡ଼ିଆ ଉପରେ ଛିଡ଼ାହୋଇଥିବା ଉପାସନା ଘର ଉପରେ । ଉପରମୁଣ୍ଡ ଖ୍ରୀଷ୍ଟିଆନ ପଡ଼ାର ଦେଖାଯାଉଥିବା ଖପରଲି ଘର ମାନଙ୍କର ମଥାନ ଉପରେ, ସବୁଠି ପାଦ ପଡ଼ିସାରିଥିଲା ସୃଷ୍ଟିର ଏହି ଅମୃତ ଆଲୋକରେ ।

ସେ ଦିନ ଜଙ୍ଗଲ ପାହାଡ଼ଘେରା ସବୁଜ କନ୍ଧମାଳର ଏହି ଅଭିଶପ୍ତ ଗାଁକୁ ଶାନ୍ତ ସକାଳ କେମିତି ଓହ୍ଲାଇ ଆସିଥିଲା ଜଣାପଡ଼ି ନଥିଲା । ଏଇଟା ଯେମିତି ସକାଳ ର ସବୁଦିନିଆ ଅଭ୍ୟାସ । ଗଛର ଚାରାଟିଏ ଉଠି କେତେବେଳେ ଏଠି ହେ ……ଡେଙ୍ଗା ହୋଇଯାଏ । ସେକଥା କେହି ଜାଣିପାରିନଥାନ୍ତି । ଝରଣାର ମନ୍ଦମନ୍ଦ ନାଦରେ ଜୀବନ ପ୍ରକୃତି ସହ ମିଶି ଗଡ଼ିଚାଲିଥାଏ ସ୍ୱାଭାବିକ ଭାବରେ ।

ବାହାରପଟ ଚୁଲୀରେ ଶୁଖିଲାପତ୍ର ପୁଳାଏ ଜାଳି ଧୁସୁରୀ ବୁଢ଼ୀ ତିଆରି କଲା ନାଲି ଚା’ । ଫୁଟିଲା ଚା’ ଗିଲାସରେ ଓଜାଡ଼ି ତାକୁ ପରସ୍ତେ ଲୁଗା କାନିରେ ଗୁଡ଼ାଇ ଆଣି ବୁଢ଼ା ପାଖରେ ପହଞ୍ଚି କହିଲା -“ଏଇ ନିଅ” ଚା’ଟିକେ ପିଇଦେଲ । ପିଇଲେ ଭଲ ଲାଗିବ ଦେହଟା ” । ବୁଢ଼ା ତାର ପକ୍ଷାଘାତଗ୍ରସ୍ତ ଦେହଟାକୁ କୁନ୍ଥାଇ ଖୁବ୍ ଜୋର୍‌ରେ ବଳ ପ୍ରୟୋଗ କରି ଠେସଟାଏ ମାରି ଅଣ୍ଟା ପାଖରୁ ସାମାନ୍ୟ ଟିକେ ଘୁଞ୍ଚି ସଳଖ ହୋଇ ବସିଲା କାନ୍ଥକୁ ଆଉଜି । ଢୋକେ ପରେ ଢୋକେ ଚା’କୁ ପିଇ ଦାଣ୍ଡପଟକୁ ଚାହିଁ ବୁଢ଼ୀକୁ କହିଲା -“ଦେଖିଲ ଏ କୁକୁଡ଼ା ଛୁଆ ଗୁଡ଼ାକ କତେବଡ଼ ହୋଇଗଲେଣି ୟା ଭିତରେ । ହାଟରେ ବିକି ଭଲ ଦି’ ପଇସା ପାଇବ ଏଥର ମାଇକେଲ୍ ।” ବୁଢ଼ୀ ସଙ୍ଗେ ସଙ୍ଗେ କଥାଟାକୁ ପାଟିରୁ ଛଡ଼େଇ ନେଇ କହିଲା “ଜାଣିଲଣି କାଲି ରାତିରେ ମାଇକେଲ୍ ପୁଣି ସେହି ଅଶୁଭ କଥାଗୁଡାକ କହୁଥିଲା ।” ବୁଢ଼ା ପଚାରିଲା – କୋଉ କଥା ?

ବୁଢ଼ୀ କହିଲା -“ସେ କହୁଥିଲା କୁଆଡ଼େ ବାଲିଗୁଡ଼ା ଓ ରାଇକିଆ ବଜାରରେ ପୁଣି ଦଙ୍ଗା ଲାଗିଯାଇଛି । ମାସ କେଇଟା ଯାଇନି ..–! ତମର ମନେ ଅଛି ଆଉ ଥର କଥା, କେତେ ଡରିମକଚି ଆମେ ନ ଥିଲେ କୁହନି ! ମୋର ତ ଖାଲି ତମ କଥା ଭାବି ମୁଣ୍ଡକୁ ବୁଦ୍ଧି ଜୁଟୁନଥିଲା । ପ୍ରଭୁଙ୍କ ଅପାର କରୁଣାରୁ ସେମାନେ ଆମ ଗାଁ ଆଡ଼କୁ ନ ଆସି ପଳାଇଯାଇଥିଲେ । “କାହିଁକି କେଜାଣି ମାତୁଛନ୍ତି ବୃଥାରେ ସେମାନେ । କ୍ଷତି ତ ମଣିଷର ହେଉଛି । ସାମାନ୍ୟ ଟିକେ ରହିଯାଇ ପୁଣି ଆଉଥରେ ନିଃଶ୍ୱାସ ନେଇ କହିଲା, “ଈଶ୍ୱର ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ । ଦୁହେଁ ଏକାସାଙ୍ଗରେ ଦୀର୍ଘ ନିଃଶ୍ୱାସ ପକାଇ ନିସ୍ତେଜ ଆଖିରେ ଚାହିଁ ରହିଥିଲେ ପଦାକୁ । ପଦାରେ ଖରାଟା ଦାନାବାନ୍ଧି ଆସ୍ତେ ଆସ୍ତେ ଟାଣ ହୋଇଆସୁଥିଲା । ଏତିକି ବେଳେ ଉପରସାହିର ଲୋକଗୁଡ଼ାକ ଧାଁ ଧଉଡ଼ କରି ସେହି ବାଟ ଦେଇ ଜଙ୍ଗଲ ଆଡ଼କୁ ପଳାଇ ଯାଉଥିବାର ଦେଖିବାକୁ ମିଳିଲା । ତାଙ୍କ ଦେଖାଦେଖି ଆଖପାଖ ଘରର ଲୋକମାନେ ମଧ୍ୟ ଦୌଡ଼ି ପଳାଇ ଯିବାକୁ ଲାଗିଲେ । ଧୁସୁରି ବୁଢ଼ୀ ବଲବଲ ହୋଇ ଚାହିଁ ରହିଥିଲା ସେମାନଙ୍କୁ । ଠିକ୍ ଭାବେ କିଛି ବୁଝିବା ଆଗରୁୁ ବଡ଼ପାଟିରେ କେହି ଜଣେ ତା ପାଖକୁ ଆସି ଚିତ୍କାର କରି କହିଲା ଏ ଧୁସୁରି ମା, ଜଲଦି ପଳାଇ ଚାଲ, ଗଣ୍ଡଗୋଳକାରୀମାନେ ମାଡ଼ିଆସୁଛନ୍ତି । ଉପରପଟେ ଭଙ୍ଗାରୁଜା କଲେଣି । ଏଇଠି ରହିଲେ ଜୀବନରେ ମାରିଦେବେ । ନିଆଁ ଲଗାଇ ଜାଳିଦେବେ । ଯା, …. ବାହାରି ଯା ‘ ଶୀଘ୍ର ଶୀଘ୍ର ‘ ।

ସେହି କଥାଗୁଡ଼ାକ ଶୁଣି ବୁଢ଼ୀର ଗୋଡ଼ହାତ ହେମାଳ ପଡ଼ିଆସୁଥାଏ । ରକ୍ତ ଗୁଡ଼ାକ ପାଣି ପରି ଥଣ୍ଡା ପାଲଟି ଦେହକୁ ଜଡ଼ ଶୀତଳ କରିଦେଇଥାଏ । ତ୍ରସ୍ତ ଆଖିରେ ସେ ଚାହିଁଲା ବୁଢ଼ାର ମୁହଁକୁ । ରକ୍ତଶୂନ୍ୟତାର ଛୋଟିଆ ମୁହଁଟା ବି ସେହିଭଳି ଶେଥା ପଡ଼ିଯାଇଥିଲା ଭୟରେ । ଅଦିନିଆ ପବନ ଗଛପତ୍ରରେ ବାଜି ଯେମିତି ଶିର୍‌ଶିର୍ କରି ଥରାଇଥାଏ, ସେମିତି ଥରୁଥିଲେ ଦୁଇଜଣ ଯାକ ଅଜଣା ଆତଙ୍କରେ ।

ଅଚଳପିଣ୍ଡ ପ୍ରାୟ ପଡ଼ିରହିଥିବା ବୁଢ଼ାଟାକୁ ଧରି ସେ କଣ ବା କରିବ ? କିଛି କୂଳକିନାରା ଖୋଜି ପାଉ ନ ଥାଏ ଧୁସୁରି । ତା ଦଦରା ଦେହରେ କେତେ ବା ବଳ ଅଛି ଯେ କାନ୍ଧେଇ ଉଠେଇ ବୁଢ଼ାଟାକୁ ଧରି ଚାଲିଯିବ ଜଙ୍ଗଲକୁ । ଶେଷକୁ ଉପାୟଶୂନ୍ୟ ହୋଇ ସେ ତାର ଦୁଇହାତକୁ ମେଲାଇ ବୁଢ଼ାକୁ ଢ଼ାଙ୍କି କୁଣ୍ଢାଇ ଧରି ବସି ରହିଲା ସେହିପରି । କିଛି କ୍ଷଣ ବସିରହିଲା ପରେ ବୁଢ଼ା ତା ମନକଥାକୁ ଜାଣିପାରି ପାଟି ଫିଟାଇ କହିଲା “ତୁ ଚାଲିଯା, ମୋତେ ଛାଡ଼ି ଚାଲିଯା । ତୋତେ ଈଶ୍ୱରଙ୍କ ଦ୍ୱାହି, ତୁ ଏଇଠୁ ଚାଲିଯା । ପାପୀମାନେ ଯାହା କରିବା କଥା ମୋତେ କରନ୍ତୁ । ପଳାଇଗଲେ ତୁ ହେଲେ ବଞ୍ଚିଯିବୁ’ । ଛାଡ଼ିଚାଲିଯିବାକୁ ଧୁସୁରି ଜମା ରାଜି ହେଉ ନ ଥାଏ । ଏପଟେ ବୁଢ଼ା ଥରକୁ ଥର ଛାଡ଼ି ଚାଲିଯିବା ପାଇଁ ଈଶ୍ୱରଙ୍କର ଦ୍ୱାହି ଦେଇଚାଲିଥାଏ ।

ଶେଷରେ ବୁଢ଼ାର କଥା ରହିଲା । ଲୁହ ଛଳ ଛଳ ଆଖିରେ ଥରୁଟେ ଚାହିଁ ଦେଇ କୋହକୁ ଛାତିରେ ମାଡ଼ି ବୁଢ଼ୀ ଚାଲିଲା ଜଙ୍ଗଲ ଆଡ଼କୁ । ଯେଉଁ ଆଡ଼କୁ ସମସ୍ତେ ଆତ୍ମରକ୍ଷା ଉଦ୍ଦେଶ୍ୟରେ ଚାଲି ଯାଇଥିଲେ । ଯେତେ ପାଦ ସେ ଆଗକୁ ପକାଉଥାଏ ତା ମନ ସେତିକିପାଦ ପଛକୁ ଫେରିଆସୁଥାଏ । ଇଚ୍ଛା ବିରୁଦ୍ଧରେ ପାଦକୁ ଭିଡ଼ି ଘୋଷାରି ପଳାଇ ଆସିଥିଲା ସିନା ହେଲେ ତା ଆତ୍ମାଟା ଭଅଁର ପରି ଝୁରିହେଉଥିଲା ବୁଢ଼ାକୁ ଭାବି । ଜୀଅନ୍ତା କଲିଜା ଖଣ୍ଡ ଛୁରୀ ବାଜି ଛଟପଟ ହେବା ପରି ଭୟଙ୍କର ମରଣ ମୁହଁରେ ଛାଡ଼ିଆସିଥିବା ଲୋକଟାର କଥା ଭାବି ବିଚଳିତ ହୋଇପଡ଼ୁଥିଲା ସେ । ଲୁହକୁ ଝରାଇ ଝରାଇ ଗୁମୁରି ଗୁମୁରି କାନ୍ଦିଲା । ଅଖିଆ ଅପିଆ ରହି ପଡ଼ିରହିଲା ଦିନସାରା । ବାରମ୍ୱାର ତା’ର ଦୁଇ ହାତକୁ ଯୋଡ଼ି ମଥାନତ କରି ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ଜଣାଇଲା ।

ରାତିର ଅନ୍ଧାର କ୍ରମଶଃ ବହଳ ହେବାର ଦେଖି ଧିରେ ଧିରେ ସମସ୍ତେ ଗାଁ ଆଡ଼କୁ ଫେରିଲେ । ସଭିଙ୍କ ଅଥୟ ମନରେ ସେଇ ଗୋଟିଏ ପ୍ରଶ୍ନ – କ’ଣ ହୋଇଯାଇଛି ଏହା ଭିତରେ ? ଜୀବନ ବିକଳରେ ଯିଏ ଯେଉଁ ଅବସ୍ଥାରେ ଥିଲେ, ଯାହା ପିନ୍ଧିଥିଲେ, ଯାହା ଧରିଥିଲେ ସେତିିକି ଧରି ଧାଇଁ ପଳାଇ ଆସିଥିଲେ ଜଙ୍ଗଲକୁ । ବାକି ଘରଦ୍ୱାର, ଜିନିଷପତ୍ର ସବୁ ସେମିତି ମେଲା ପଡ଼ିଥିଲା । ପୁରା ଗାଁ ଟା ସେପର୍ଯ୍ୟନ୍ତ ହୁତୁ ହୁତୁ ହୋଇ ଜଳୁଥିଲା ଏମୁଣ୍ଡରୁ ସେମୁଣ୍ଡ ନିଆଁ ବ୍ୟାପି ଗୋଟିଏ କଳାଧୂଆଁର ମୋଟା ଆସ୍ତରଣ ଗାଁ ଉପରେ ଖେଳେଇ ହୋଇ ରହିଥିଲା । ପ୍ରାଣଭୟରେ କେହି ଜଣେବି ଭିତରକୁ ପଶିବାକୁ ସାହାସ କଲେନି । ସବୁ ସେମିତି ଜଳି ଚାଲିଥିଲା ହୁତୁ ହୁତୁ ହୋଇ । ଦୂରରୁ ଗାଁର ଆଉ ତା ଘରର ଜଳୁଥିବା ଏହି ହୃଦୟ ବିଦାରକ ଦୃଶ୍ୟକୁ ଦେଖି ଧୁସୁରୀର ଅଧାବାଟରୁ ଚେତା ହଜିଗଲା । ମାଟି କାମୁଡ଼ି ପଡ଼ିଗଲା ସେଇଠି । ସକାଳୁ ଯେତେବେଳେ ଗାଁର ସମସ୍ତେ ସେମାନଙ୍କ ପୋଡ଼ିଯାଇଥିବା ଘରର ଭଷ୍ମାବଶେଷ ଭିତରୁ ବଞ୍ଚିଯାଇଥିବା କିଛି କିଛି ଦରପୋଡ଼ା ଜିନିଷକୁ ଉଦ୍ଧାର କରିବାରେ ବ୍ୟସ୍ତଥିଲେ, ବୁଢ଼ୀ ତା’ର ପାଉଁଶଗଦା ପାଲଟି ଯାଇଥିବା ଘର ଆଗରେ ନଇଁପଡ଼ି ପାଗଳୀ ପ୍ରାୟ ହୋଇ ସେହି ଧ୍ୱଂସସ୍ତୁପ ଭିତରେ ଖୋଜିହେଉଥିଲା ବୁଢ଼ାକୁ । ପୋଡ଼ାମାଂସର ଭୁରୁୁ ଭୁରୁ ଗନ୍ଧରେ ଫାଟିପଡ଼ୁଥିଲା ଚାରିକଡ଼ । କନ୍ଧମାଳରେ ନିଆଁ ତଥାପି ଲିଭି ନଥିଲା ।

ଲୋକପ୍ରିୟ ଲେଖା

To Top