ଗଳ୍ପ

ସହର

Keshab Das's odia story Sahara

ସେଇଠି ବିଡି ପିଇ ଛିଣ୍ଡା କନ୍ଥା ପାରି ଡିବିରି ଆଲୁଅରେ ତାସ୍ ଖେଳି ଥକି ଥାକି ଶୋଇ ଯାଉଥିଲୁ ।

ଏ’ ସହର ଭଲ । ଏଠି ସବୁ ଭଲ । ଲୋକବାକ ଭଳ । ରାସ୍ତା ଘାଟ ଭଲ ସବୁ ପାଖ । ସବୁ ସୁବିଧା । କିଛି ଅସୁବିଧା ନାହିଁ । ଅଛି, ଅସୁବିଧା ଅଛି । ତେବେ ସେଠି ଭଳି ନୁହେଁ । ସେଠି ତ କିଛି ନଥିଲା -ନା’ ସୁବିଧା, ନା’ ଅସୁବିଧା । କିଛି ନୁହେଁ । ଶୂନ୍ୟ । ମହାଶୂନ୍ୟ । ତିନି ତିନି ବର୍ଷ ଧରି ବର୍ଷା ହେଲା ନାହିଁ । ନା’ ପାଣି, ନା’କାମ । କଳା କଳା ମାଟି ସବୁ ଫାଟି ଫାଟି ଆଁ । ନା’ ଚାରା , ନା’ ଧାନ । ନା’ ଜଳ, ନା’ ଜାଳେଣି , ନା’ ଜୀବନ । ଶୁଖା ଶୁଖା ଭୂଇଁ ଆଉ ଶୁଖା ଶୁଖା ମୁହଁ । ଦେଖି ଦେଖି ମନଟା ଦବି ଗଲା । ଯେଉଁଠି ବଞ୍ଚିବାର ଖୋରାକ ନାହିଁ । ସେଠି ସମ୍ପର୍କର ଟାଣ ବା କାହିଁ ? ନିଜ ଗାଁ, ନିଜ ମାଟି , ନିଜ ଭାଷା , ନିଜ ଲୋକ, ସବୁ କିଛି ନିଜର ହୋଇ ବି ପରୁଆ ପରୁଆ ଲାଗିଲେ । ଶୁଖି ଯାଇଥିବା ତନୁରେ ଶ୍ରଦ୍ଧାର ସ୍ରୋତ ସବୁ ଧୀରେ ଧୀରେ ଉଭେଇ ଗଲେ । ମଣିଷ ସବୁ ଶୁଖି ଯାଇଥିବା ଭୂମି ଭଳି ନିର୍ବିକାର , ନୀରସ ହୋଇଗଲେ । ନା’ ସ୍ଥିତିରେ ଆନନ୍ଦ , ନା ବିଚ୍ଛେଦରେ ଦୁଃଖ ।

ଗରମରେ ଅତିଷ୍ଠ ହୋଇ ମାଟି ଭିତରୁ ପୋକ ,ପିମ୍ପୁଡି, ମୂଷା ,ସାପ ବାହାରିଲା ପରି ଗାଁ ମରଦସବୁ, ଭେଣ୍ଡିଆ ଭେଣ୍ଡିଆ , ଜୁଆଁ ଜୁଆଁ ଟୋକାସବୁ ବାହାରିକି ବାହାରିଗଲେ, କିଏ କୁଆଡ଼େ ଗଲେ , କିଛି ସଠିକ୍ ଜଣା ନାହିଁ । ବସ୍‌ରେ , ରେଳରେ, ଟ୍ରକ୍‌ରେ, ଟ୍ରାକ୍ଟରରେ ବସି କିଏ କୁଆଡେ ଗଲେ । ସାଙ୍ଗରେ ଧରିଥିବା ବାସନ, ବୁଜୁଳା ଭଳି ଲୋକସବୁ ବାସନ ବୁଜୁଳା ପାଲଟି ଗଲେ । ବୁଢା ବୁଢୀ, ମାଇକିନା, ପିଲାସବୁ ଦେଖିତେ ରହିଗଲେ । ପାଟି ସବୁ ଆଁ ଆଁ , ଆଖି ସବୁ ଭାଁ ଭାଁ । ନା’କଥା, ନା’ କାନ୍ଦ । ନା’ ସ୍ଥିତିରେ ଆନନ୍ଦ , ନା’ ବିଚ୍ଛେଦରେ ଦୁଃଖ ।

ସେତେବେଳେ ମୋ’ ବଅସ ବା କେତେ ? ପଚିଶିରୁ ବେଶୀ ବୋଧେ ଆଉ ଦି’ କୋଡିରୁ କମ୍ । ଝୁଅ ଦି’ଟା , ସ୍ତିରୀ ଆଉ ମା’ । ବଖରିଆ ଘର । ତା’ରି ଭିତରେ ସବୁ । ମାୟା, ମୋହ, ସପନ ସାଙ୍ଗେ ମିଶି ଏକାକାର ହୋଇଯାଇଥିଲା ଭୋକ, ହତାଶା ଆଉ ଡିବିରି ଆଲୁଅ ପରି ମିଞ୍ଜି ମିଞ୍ଜି ଅନ୍ଧକାର ।

ଘର ପଛଆଡେ ବାରି ଦି’ଟା କୁକୁଡା ଆଉ ତାଙ୍କର କୁନି କୁନି ଗେଣ୍ଡୁଫୁଲ ଭଳି ଛୁଆମାନେ । ମାଛି ,ମଶା ଏଣ୍ଡୁଅ । ଆଉ ସିଝୁ ବୁଦା ବାଡ । ଗାଧୁଆ ଗାଧୋଇ, ଧୁଆଧୁଇ ଆଉ ଯାହାସବୁ ନିତ୍ୟକର୍ମ, ସବୁ ବାହାରେ । ଗାଁ ପୋଖରୀରେ, ପୋଖରୀ କୂଳରେ ଧାନ ବିଲରେ , ହିଡ ତଳେ ।

ସାରାଦିନ ମୂଲ ଲାଗୁ । ଆମେ ଦିହେଁ , ଦି’ ପ୍ରାଣ । ମୁଁ ଆଉ ମୋ’ ସ୍ତିରୀ । ଏ’ବିଲରେ , ନ ହେଲେ ସେ ବିଲରେ । ଯେତେବେଳେ ଯାହା , ପାଗ ଦେଖିବାଗ । ସବୁ କାମ ଜଣା । ରୁଆରୁଇ, ଚାଷଚଷୀ, ଖୋଳାଖୋଳି, ବୁହା ବୁହି, ବଛା ବଛି , କଟାକଟି , ବନ୍ଧାବନ୍ଧି । ନିଜ ବିଲନାହିଁ । ହେଲେ ସବୁ କାମ ଜଣା । ବିଲ ନା’ ବାପାର ଥିଲା , ନା’ ତା’ ବାପାର ଥିଲା । ହେଲେ କାମ ମିଳିଯାଏ । ଏ’ ବିଲରେ ନହେଲେ ସେ ବିଲରେ ।

ହେଲେ ତିନି ବର୍ଷ ଧରି ବର୍ଷା ହେଲା ନାହିଁ । ପେଟ ପିଠିକୁ ଛୁଇଁବାକୁ ଦୌଡିଲା । ଆମେ ସବୁ ସନ୍ତର ପନ୍ତର ହୋଇଗଲୁ, ଶୁଖି ଯାଉଥିବା ପୋଖରୀ କାଦୁଅ ଭିତରେ ଅଟିକି ଯାଇଥିବା କଉମାଛ ଭଳି । ମୋଟା ମୋଟା ବହଳ ବହଳ କାଳିଆ କାଳିଆ ମୁଛଟା ମକଚା ମୁହଁରେ ହାସ୍ୟାସ୍ପଦ ମନେହେଲା ଛିଣ୍ଡାଲୁଙ୍ଗି, ଚିରାଗଞ୍ଜି ସହ କଳା ଚଷମା ଯେମିତି ଲାଗେ । ମନବଳ ଭାଙ୍ଗି ଗଲା ।

ସଞ୍ଜ ବୁଡୁ ବୁଡି କଳା କଳା ଭୂତ ପରି ଗାଁ ବାହାରେ ମଦଭାଟିରେ ଡଗ ଡଗ ଦି’ ବୋତଲ ଦେଶୀ ଦାରୁ ଚଢେଇ ଦେଉ ନିରାଶାରେ , ହଡେଇ ଯାଇଥିବା ବେରାଜଗାରିଆ ବଦନରେ । ନିମିଷକେ ତ୍ରାହି ଲାଗେ, ନିମିଷକେ ତୃପ୍ତି । ହେଲେ ନିୟତି ବଦଳେ ନାହିଁ । ନା’ ପାଣି, ନା’ କାମ । ନା’ ଜଳ ,ନା’ ଜୀବନୀ । ଆଉ ନୁହେଁ , ଆଉ ନୁହଁ ।

ଲୁଗାପଟା, ପାନିଆ, ଥାଳି, ଚୂଡା ଆଉ ଚାଉଳ ବାନ୍ଧିବୁନ୍ଧି ପୁଟୁଳା କଲି । ସ୍ତିରୀକୁ କହିଲି , ‘ଏ’ ଗାଁରେ , ଏଠି କ’ଣ ଅଛି ? ଶୁଖା ବିଲ , ଶୁଖା ନାଳ । ଘାସ ଚାରା ବି ଉଠୁୁନାହିଁ । ସହରକୁ ଯାଉଛି । ସେଠି କାମ ମିଳିବ । ପଇସା ମିଳିବ । ମାସକୁ ମାସ ଘରକୁ ପଠେଇ ଦେବି । ଘରେ ତମେ ସବୁ ଶାନ୍ତିରେ ଖାଇପିଇ ରହିବ । ସେଇ ପଇସାରୁ କାଟି କାଟି ସଂଚିଲେ, ପରେ କାମରେ ଲାଗିବ,ଝୁଅ ଦି’ଟାର ବିଭାଘର ବେଳେ । ଚିନ୍ତା କରିବୁନୁ । ସବୁ ସମ୍ଭାଳିନେବୁ ।’

ପିଲାମାନେ ବଲ ବଲ କରି ଚାହିଁଥାନ୍ତି । ସ୍ତିରୀ ଶଙ୍କି ଶଙ୍କି ଅନେଇଥାଏ । ମା’ ମୋ’ର ଦେଖେ କମ୍ , ଶୁଣେ କମ୍ , ଆଉ କହେ କମ୍ ଗାନ୍ଧୀଙ୍କ ତିନି ମାଙ୍କଡ ମୂର୍ତ୍ତି ଭଳି ପଥର ପାଲଟି ଯାଇଥିଲା ସେ । ନା ସ୍ଥିତିରେ ଆନନ୍ଦ ,ନା ବିଚ୍ଛେଦରେ ଦୁଃଖ ।

ଏ’ସହରରେ କେମିତି ପହଞ୍ଚିଲି କିଛି ଠିକ୍ ମନେ ପଡୁନାହିଁ । ଆମ ଗାଁ ପାଖ ଷ୍ଟେସନ ପାଖରେ ଗଦା ଛେଳି, ମଇଁଷି ପରି ଗୋଠ ହୋଇଥିବା ମରଦମାନଙ୍କ ପରି ମୁଁ ବି ଚଢି ଉଠିଲି କୋଉ ଗୋଟାଏ ରେଳ ବଗିରେ । ଆଉ ରାତି ପାହି ପାହାନ୍ତ ହେଲା ବେଳେ ହୁରୁଡେଇ ଯାଇଥିବା ଗାଈପଲ ଭଳି ଆମେସବୁ ଚାଳିଶି ପଚାଶେ ଢୁଳ ଢୁଳ ନିଦରେ ଏହି ସହରର ଷ୍ଟେସନରେ କୁଦି ପଡିଲୁ । ସେଇ ଦିନଠୁ ଏ’ ସହର ମୋ’ ର । ଅତି ଆପଣାର ଅତି ନିଜର । ଏ’ ସହର ଭଲ । ଏଠି ସବୁ ଭଲ । ମୋତେ ଏଠି କେହି ଜାଣୁ ବା ନ ଜାଣୁ । କେହି ପଚାରୁ ବା ନ ପଚାରୁ । ମୋ’ ଭାଷା କେହି ବୁଝୁବା ନ ବଝୁ । ଏଠି ମୋତେ କାମ ମିଳିଲା । ବଡ ବଡ ଛୋଟ ଛୋଟ ଘର ସବୁ ବନିଲାବେଳେ କଣ୍ଟାକ୍ଟର ବାବୁ ମୋତେ ହିଁ ତ ଖୋଜିଲେ । ମୋ’ ଛିଣ୍ଡା ଟାରପୋଲିନ୍ ତମ୍ବୁ ଭିତରୁ ମୋତେ ହିଁ ତ ଡାକି ନେଲେ । ଯେଉଁଠି ଟାଙ୍ଗରା ଭୂମି ସବୁ ସବୁ ନାଲି ନାଲି ମାଙ୍କଡା ପଥରରେ ଛାଇ ହୋଇ କୁଷ୍ଠ ରୋଗୀର ଚମଡା ପରି ବିକୃତ ଦିଶୁଥିଲେ ତା’ରି ଉପରେ ମାଟି ଖୋଳି ନିଅଁ ଦେଇ ଗାଣ୍ଡୁଆ ଗାଣ୍ଡୁଆ ଭରି ପଥର , ଇଟା ମୁଣ୍ଡରେ ବୋହି ନେଇ ମୁଁ ଆଉ ମୋ’ ଭଳି ମୂଲିଆସବୁ ଠିଆକଲୁ ପ୍ରାସାଦ ।

ଦିନସାରା ସିନା କପାଳରୁ ସିନା ଯାଏଁ ଝାଳ ସବୁ ରାସ୍ତା କଡରେ ବାଲାର କେଟିଲି ଧୁଆ ପାଣି ପରି ବୋହିଯାଏ ହେଲେ ସୁରୁଜ ବୁଡିଗଲେ ପକ୍ଷୀସବୁ ବସାକୁ ଫେରିଗଲା ପରେ , ଘର ତିଆରି ପାଇଁ ବନା ହୋଇଥିବା ପାଣିକୁଣ୍ଡରୁ ଟିଣ ଡାବାଏ ପାଣି ନେଇ ହାତଗୋଡ ମୁହଁ ସବୁ ଧୋଇ ଦେଉ । ଥଣ୍ଡା ଥଣ୍ଡା ଲାଗେ , ଶିଥିଳିଆ ଶିର ସବୁ , ଦହି ଯାଇଥିବ ମାଉଁଶପେଶୀ ସବୁ ଆଉ ବଦନରେ ବହି ଯାଉଥିବା ଉଷୁମ ରକ୍ତ ସବୁ .. ଥଣ୍ଡା ଥଣ୍ଡା ଲାଗେ । ଆକାଶର ମାଳ ମାଳ ତାରା ଭିତରେ ଏକା ଏକା ଜହ୍ନ ଭଳି ଲାଗେ ନିଛାଟିଆ ଲାଗେ । କାହା କଥା ମନେପଡେ ନାହିଁ । କାହା ମୁହଁ ଦେଖାଯାଏ ନାହିଁ ନା’ସ୍ତିରୀ , ନା’ଝୁଆ ଦି’ଟା ।

ଅମାନିଆ ଜିଦ୍ ଖୋର ପିଲାଭଳି ଗୋଡ ଦି’ଟା ଟାଣିନିଏ ମୋତେ ସେହି ମାଟି କାନ୍ଥ ଦିଆ ଛପର କୁଡିଆକୁ । ମନ୍ଦା ମନ୍ଦା ଜଳୁଥିବା ଚାରିଟି ଡିିବିରି ଆଲୁଅରେ ମଦଭାଟିଟା ରଙ୍ଗମହଲ ପରି ଝଲମଲ କରେ । ମନେହୁଏ , ୟା’ ପରେ ଆଉ କି ସ୍ୱର୍ଗ । ବାସ୍ , ଆଉ କିଛି ଲୋଡା ନାହିଁ । ଏଇତ ସ୍ୱପ୍ନ ଆଉ ଆହ୍ଲାଦର ଅନ୍ତ ।

ସବୁକଥା ସବୁବେଳେ ମନେପଡେ ନାହିଁ । ମନେ ହୁଏ ମନେ ଅଛି, ହେଲେ ସବୁକଥା ସବୁବେଳେ ମନେପଡେ ନାହିଁ । ଝାପ୍ସା ଲାଗେ ,ଯେମିତି ରୂପାଭଳି ଚକ୍ ଚକ୍ ମାରୁଥିବା ଜହ୍ନଟା ତୁଳା ଭଳି ବାଦଲ ଭିତରେ ଲୁଚାଛପା ଖେଳେ । ହିଁ, ମନେ ପଡୁଛି । କେବେକାର କଥା ସବୁ ଏବେକାର ବଳି ଲାଗୁଛି । ବାର ପନ୍ଦର ଚରଷ ବିତିଗଲାଣି ବୋଧେ । କାଁ ଭାଁ ନିଅଁ ପଡୁଥାଏ ଇଟା ପରେ ଇଟା ରଖି ନାଲି ନାଲି ପାଚେରି ସବୁ ଉଠୁଥାଏ । ଏଠି ଗୋଟାଏ ଛାତ ପଡିଲାଣିତ ସେଠି ଡବା ଡବା ପାଣି ଛଟା ଚାଲିଛି ନୂଆ ନୂଆ କାନ୍ଥ ଉପରେ । ରାସ୍ତଘାଟ ଥିଲା କ’ଣ ? ଦୋକାନ ବଜାର ଥିଲା କ’ଣ ? ନା’, ନା’ । ଦିନବେଳେ ଶଗଡରେ ଇଟା ଆସେ । ଲୁହାଛଡ ସବୁ ବୁହାହୁଏ ଖୋଲା ରିକିସା ଟ୍ରଲିରେ । ସିମେଣ୍ଟ ବସ୍ତା , ଚୂନଡବା, ବାଉଁଶ ସିଡି, ଆଉ କତା ଦଉଡି । ସବୁ ହୁହା ଚାଲେ ଦିନସାରା । ହେଲେ ସୁରୁଜ ବୁଡୁ ବୁଡୁ ସବୁ ଚକ ବନ୍ଦ । ନା’ ବୁହାବୁହି, ନା’ ପକାପକି , ନା ରଖାରଖି । ନିଛାଟିଆ ନିଛାଟିଆ ଲାଗେ । ଅଧା, ଖଣ୍ଡିଆ ଘର ସବୁ , ନିଅଁ ସବୁ , କାନ୍ଥ ସବୁ ଝାପ୍ସା ଦିଶେ – ଗୁପ୍ତଯୁଗର ଲୁପ୍ତ ଐଶ୍ୱର୍ଯ୍ୟ ଭଳି, ନିଗ୍ନ ବାରବାଟିର ଭଗ୍ନ ଅବଶେଷ ଭଳି ଉଦୟଗିରିର ଅସ୍ତ ସ୍ଥାପତ୍ୟ ଭଳି ।

ହେଲେ ତା’ର ଭିତରେ ଆମଭଳି ଗରିବ ଗୁରୁବାଙ୍କ ଗୁଜୁରାଣ ମେଣ୍ଟେ । କାମ ମିଳିଯାଏ । ଏ’ଜାଗାରେ, ନହେଲେ ସେ ଜାଗାରେ । ଏ’ଘରେ ନହେଲେ ସେ ଘରେ । ଏତେ ଖଟଣି ଭିତରେ ଆନନ୍ଦ ଲାଗେ । କାନ୍ଥଟା ଠିଆ ହେଇ ଗଲେ , ଛାତଟା ଟାଣି ହେଇଗଲେ , ଆଉ ଫାଟକ ବନ୍ଧା ହୋଇଗଲେ ମନେହୁଏ ଏ’ ସବୁତ ଆମର, ନିଜର, ଅତି ଆପଣାର । ଏ ସବୁତକ ନହେଲେ ବି କିଛି ତ ଆମରି ମେହେନତ, ଆମରି ଝାଳ ଆଉ ଆମରି ମନ ଯୋଗର ପ୍ରତିଫଳ ।

ଆମେ ସବୁ କେତେ ଖୁସି ଥିଲୁ । ମୂଲିଆ ସବୁ, ଏଠି ସେଠି କାମ କରୁ । କିଏ କୁଆଡୁ ଆସିଛି । କିଏ କୋଉ ଜାତି , ଭାଷା ,ବର୍ଣ୍ଣ, ବର୍ଗ ଆଉ ବଂଶର ଏବୁରୁ କ’ଣ ବା ମିଳିବ ? ଆମେ ସବୁ ମଣିଷ , ଖଟିଖିଆ ମଣିଷ । ଝାଳ ଝରିଲେ ରକତ ବହେ , ପ୍ରାଣ ରହେ । ଆପଣା ଭିତରେ ଦୁଃଖସୁଖ ବାଣ୍ଟି, ଭଲରେ ମନ୍ଦରେ ସାହା ହେଇ ଆମେ ସବୁ ଏକପ୍ରାଣୀ ହୋଇ ଯାଇଥିଲୁ । ମଣିଷ ହୋଇ ମଣିଷକୁ ଚିହ୍ନି ଥିଲୁ । ଆମେ ସବୁ କେତେ ଖୁସି ଥିଲୁ । କାମ ବେଳେ କାମ, ଆଉ ମଉଜ ବେଳେ ଗୁଲିଖଟି, ଟାହି ଟାପରା ଆଉ ବଜାଣି ବି ଘରକଥା ମେନେ ରୁହେ ନାହିଁ । ସ୍ତିରୀ ପିଲାର ମୁହଁ ଛବି ତ୍ରସ୍ତ କରେ ନାହିଁ । ପିଳାବେଳେ ଧୂଳି ଖେଳ ଭଳି ସ୍ମୃତି ସବୁ ଝାପ୍ସା ଝାପସା ଲାଗେ ଯେମିତି ରୂପାଭଳି ଚକ୍ ଚକ୍ ମାରୁଥିବା ଜହ୍ନଟା ତୁଳା ଭଳି ବାଦଲ ଭିତରେ …. ମନେହୁଏ । ଏ’ ସହର ଏ’ ଗଢି ଉଠୁଥିବା ସହର, ଏଇ ସବୁ ଦଳ ଦଳ ମଜୁରିଆମାନଙ୍କ ମାଳ ମାଳ ଅସ୍ତାବର କୁଡିଆ ସବୁ ହିଁ ଜୀବନାନନ୍ଦ ।

ଚାହୁଁ ଚାହୁଁ ଗୋଟିଏ ପରେ ଗୋଟିଏ ଘର ଧାଡି ଧାଡି ହୋଇ ଠିଆ ହୋଇଗଲେ । ବରଷ ଛ’ ସାତ ଯାଇଛି କି ନାହିଁ । ସେଇ ଟାଙ୍ଗରା, ପଥୁରିଆ ଭୂଇଁଟା, ଯୋଉଠି ସୁରଜ ବୁଡିଲେ ଡର ମାଡୁଥିଲା ଏବେ ଲୋକବାକ , ଗାଡି ମଟର ଆଉ ଦୋକାନ ବଜାରରେ ଭଣ ଭଣ ହେଉଛନ୍ତି । ରାସ୍ତାଘାଟ ବି ଆସିଯାଇଛି ,ତା’ ସହିତ ବିଜୁଳି ଖୁଣ୍ଟ ସବୁ । ସଞ୍ଜ ହେଲେ ବଗିଚାରେ ଭୋରରେ ଯୁଇ ଫୁଲ ଫୁଟିଲାଭଳି ଲାଇଟ ସବୁ ଜଳି ଉଠେ । ମରୁଭୂମିଟା ଜନ୍ନତ ପାଲଟିଗଲା ଯିମିତି ।

ହେଲେ ସ୍ୱର୍ଗରେ କ’ଣ ମାଟି ଖୋଳା, ଇଟା ବୁହା , ମଇଲା ଲୁଙ୍ଗି ପିନ୍ଧା ଚପଲ ନପିନ୍ଧା ଅମଣିଷ ମଜୁରିଆ ପାଇଁ ଜାଗା ଥାଏ ? ଯେତେବେଳେ ନୂଆ ନୂଆ ଘର ସବୁ ବନୁଥାଏ , ସେଇ ଘରେ, ଅଧା ମେଲା ଶୂନ୍ୟରେ ଇଟା ଜାକି କାଠ ଜାଳି ଆମେ ରନ୍ଧି ନଉଥିଲୁ । ସେଇଠି ବିଡି ପିଇ ଛିଣ୍ଡା କନ୍ଥା ପାରି ଡିବିରି ଆଲୁଅରେ ତାସ୍ ଖେଳି ଥକି ଥାକି ଶୋଇ ଯାଉଥିଲୁ । ହେଲେ ଘର ଯେବେ ଘର ହେଲା ଆମେ ହେଲୁ ବେଘର । ପୁଣି ଖୋଜା ଚାଲିଲା ଆଉ ବନୁଥିବା ଘର ତା’ପରେ ଅନ୍ୟ ଘର …. । ଚାହିୁଁ ଚାହିୁଁ ଟାଙ୍ଗରା ଭୂଇଁଟା ନୂଆ ସହର ପାଲଟିଗଲା । ଆମେ ସବୁ ବଳ ବଅସ ଥାଉ ଥାଉ ଅଯୋଗିଆ ହୋଇଗଲୁ । ନା’କାମ, ନା’ ଧାମ ।

କୋଉ ବାବୁର ଗାଡି ପୋଛିଲୁ ତ, କାହା ବଗିଚାରେ ଚାରା ପୋତୁଲୁ । କେମିତି କୋଉଠି କାଁ ଭାଁ ଭୋଜିଭାତ ହେଲେ ଚଉକି ଚାନ୍ଦୁଆ ସଜାଡିଲୁ । ଆମ ସାଙ୍ଗସାଥି ସବୁ କିଏ କୁଆଡେ ଚାଲିଗଲେଣି । ପଟା, ଟିଣ ଆଉ ଅଖାବନ୍ଧା ଝୁପୁଡି ସବୁ ଆଉ ଦେଖାଯାଏ ନାହିଁ । ସଞ୍ଜ ବୁଡିଲେ ଆଉ ଗୁଲିଖଟି ଥଟା ତାମସା କରିହୁଏ ନାହିଁ । ଏକା ଏକା ମଦଭାଟିର କାନ୍ଥକୁ ଆଉଜି ଢକଢକ ଦେଶୀ ଦାରୁ ପ୍ଲାଷ୍ଟିକ ଥଳିରୁ ପିଇ ନେଇ ଅନ୍ଧାରରେ ଭୂତ ଭଳି ଝୁଲି ଝୁଲି ଫେରିଆସେ ମୋ’ ସ୍ୱର୍ଗକୁ – ଅଧା କାନ୍ଥକରା ,ଭଙ୍ଗା ଆଜବେଷ୍ଟସ୍ ଆଉ ସିମେଣ୍ଟ ଅଖା ଛାତଦିଆ ଭାଡି ଭିତରକୁ ।

ବାବୁଙ୍କର ଘର ସରିବାଟା ଆଉ କିଛି ବାକି ଅଛି , ହେଲେ ବାବୁ ରହନ୍ତି ଅନ୍ୟ ସହରରେ । ଜଗା ଜଗୁଆଳି ମୋତେ ଜାଣେ ବହୁତ ବର୍ଷରୁ କହିଛି , ‘ଯେବେ ଯାଏଁ ବାବୁ ଏ’ ସହରକୁ ବଦଳି ନହୋଇଛନ୍ତି , ତୁ ଏଠି ଏଇ ଆଉଟ୍ ହାଉସରେ ଥଇଥାନ ହେଇଥା । ପଛ କଥା ପଛେ ଅଛି । ‘ବହୁ ହନ୍ତସ୍ତ’ ହେଇ,ଚାରି ପାଞ୍ଚ ବର୍ଷ ଧରି ବହୁତ ଏ’ ଜାଗାରୁ ସେ ଜାଗା ହେଲି , ଯେମିତି ବରଷାରେ କାଉ ଏ’ଗଛରୁ ସେ ଗଛ ,ଏ’ ଖୁଣ୍ଟରୁ ସେ ଖୁଣ୍ଟ ଆଉ ଏ’ ଛପରରୁ ସେ ଛପର ହେଉଥାଏ । ଏ’ ସହର, ଏ ରାସ୍ତା ଘାଟ, ଏଠି ସବୁ ଠିଆ ହୋଇଥିବା ଘରସବୁ ଏମାନଙ୍କୁ ଛାଡି ମୁଁ କୋଉଠାକୁ ଯାଇପରିଲିନି । ଏଠି ସବୁ ମୋର ପରିଚିତ , ସମସ୍ତେ ନିଜର ସବୁ ଆପଣାର । ୟା’ ତା’ ଘର ତିଆରିରେ ଆଉ ଘରକାମ ସରିଲା ପରେ ବି ମୁଁ କାମ କରିଛି । ଆବୁରୁ ଜାବୁରୁ କାମଧନ୍ଦା କରି ମୂଳିଆ ଭଲି ଚାକର ଭଳି ଆଉ ଜଗୁଆଳି ଭଳି । ସମସ୍ତ ମୋତେ ଜାଣନ୍ତୁ ବା ନ ଜାଣନ୍ତୁ , ମୁଁ ସମସ୍ତଙ୍କ ଜଣେ ଚିହ୍ନେ । ଏଇଠି ଲଟର ପଟର ହେଉଥାଏ ଦିନ ରାତି , ଗଳିର କୁକୁର ଆଉ ଗାଈ ପରି ।

ଏ’ ସହର ଭଲ । ଏଠି ସବୁ ଭଲ । ଲୋକବାକ ଭଲ । କିଏ ଦିନେ ବିଝେଇଲା-‘ଏମିତି ବେକାରିଆ କାମ କରି କେତେ ଦିନ ଚଳିବୁ ? ଇଏ କ’ଣ ଗୋଟେ ପେଶା ? କିଏ କାମ ଦେଲେ ଯିବୁ , ନ ହେଲେ ଆକାଶକୁ ଅନେଇଥିବୁ । ତୋତେ ଏଠି ଲୋକେ ଜାଣନ୍ତି ଭଲ ଲୋକଟାଏ ତୁ । ଚୋରି ହାରି ନାହିଁ । ସୋଭାବଟା ଶାନ୍ତି ଓ କାମିକା ବି । ଏଠି ସବୁ ଚାକିରିଆ ଲୋକ । ବାବୁ ବାବୁଆଣିଙ୍କ ଘର ସବୁ । କପଡା ଇସ୍ତ୍ରୀ ଦରକାର ନିତିଦିନିଆ । ତୁ ସେଇ କାମ କର । ରୋଜଗାର ବି ହବ ଆତ ତୋ’ ପାଇଁ ଖର୍ଚ୍ଚ ବି କମ୍ ।’

କଥାଟା ନିହାତି ମନ ପାଇଥିଲା ମୋ’ର । ଭଙ୍ଗା ଇଟା ସବୁ ଯୋଗାଡ କରି ସଜାଡି ଦେଲି ଟେବୁଲ ପରି । ଫଟା ପଟା ଦି’ଟା ଯୋଡି , ତା’ ଉପରେ ଛିଣ୍ଡା କନ୍ଥା ପାରିି , ଗୋଟାଏ ଚଦର ଭାଙ୍ଗ ପଲାଇ ଘୋଡେଇ ଦେଲି । ଇସ୍ତିରି ପେଡିଟା ଖୋଲି ଅଙ୍ଗାର ଭରି କାଠିକୁଟାରେ ଜଳେଇଲି । ଜଳନ୍ତା ଅଙ୍ଗାରକୁ ଫୁଙ୍କି ପୁଙ୍କି ନିଆଁ କଣିକାକୁ ପାଉଁଶ କରି ଉଡାଇ ଦେଲି । ଆଉ ଚାଲିଲା ବେବସାୟ । ସକାଳୁ ସକାଳୁ ବାହାରିଯାଏ ଘର ଘର ବୁଲି କପଡା ନେବା ପାଇଁ । ଛୋଟ ଛୋଟ ବଡ ବଡ ବୁଜୁଳା ସବୁ ନେଇ ମୋ ଇସ୍ତ୍ରୀ ଟେବୁଲ ପାଖକୁ ଆସେ । ତା’ ପରେ ଗୋଟାଏ ପରେ ଗୋଟାଏ କପଡାକୁ ଭାଙ୍ଗି ଦେଇ ପାଣି ଛିଟିକା ମାରି ତତଲା ଇସ୍ତ୍ରୀଟାରେ ପାଲିସ କରିଦିଏ । ଅଫିସରେ , ବଜାରରେ ଘରେ ବି ମୋ ଇସ୍ତ୍ରୀକରା ଲୁଗା ସବୁ ପିନ୍ଧିଲେ । କାମ ଚାଲିଲା ଦି ପଇସା ରୋଜଗାର ବି ହେଲା । ଆଉ କିଛି ଅସୁବିଧା ନାହିଁ । ସବୁ ସୁବିଧା ।

ନାଁ । ହିଁ, ସବୁ ସୁବିଧା ଭିତରେ ହିଁ ଅସୁବିଧା ହେଲା । ଦି’ବରଷ ଯାଇଛି କି ନାହିଁ ଯେଉଁ ବାବୁଙ୍କ ଘରେ ବାରିଆଡେ , ଆଉଟ୍ ହାଉସରେ ମୋର ସ୍ତ୍ରୀ -ପିଲାବିନା ସଂସାର ଆଉ ଇସ୍ତ୍ରୀକରା ଦୋକାନ ଚାଲିଥିଲା, ତାକୁ ସବୁ ଉଠେଇବାକୁ ପଡିଲା । ଘର ମାଲିକ ଏ’ ସହରକୁ ବଦଳି ହେଇ ତାଙ୍କ ନିଜ ଘରେ ରହିବାକୁ ଆସିଲେ । ଯେଉଁ ଜଗୁଆଳି ବନ୍ଧୁ ମୋ’ର ଏଇଠି ଆଶ୍ରାର ବ୍ୟବସ୍ଥା କରିଥିଲା, ମନଦୁଃଖରେ କହିଲା, ତୋତେ ଏ’ଘର ଛାଡିବାକୁ ହବ । ଆଉ କୋଉଠି ଆଖପାଖ ଜାଗା ଖୋଜିନେ’ ନୂଆ ଜାଗା ଖୋଜିବାକୁ ବାହାରିଯା । ହେଲେ , ଜାଗା କୋଉଠୁ ମିଳିବ ? କିଏ ବା ଦବ ? ଆଉ ଜାଗା କାହିଁ ? ଏ ମୁଣ୍ଡରୁ ସେ ମୁଣ୍ଡ ଏ’ ଛକରୁ ସେ ଛକ ଆଉ ଏ ଘରରୁ ସେ ଘର ଘୁରି ବୁଲିଲି । ବରଷା ପାଗରେ ଆଶ୍ରାହୀନ କାଉ ଏ’ ଭାଡିରୁ ସେ ଭାଡି ଡେଇଁ ବୁଲିଲାଭଳି । କୋଉଠି କଦବା ଆଶ୍ରା ମିଳିଗଲା । ଦିନେ , ଅଧେ କି ବେଶି ହେଲେ ମାସେ ପାଇଁ ।

ଜଣାଶୁଣା ଲୋକ ସବୁ, ଆଉ ମୋର ଗ୍ରାହକ ବି । ତାଙ୍କୁ ଛାଡି ଆଉ କୁଆଡେ ଯିବି ? ଚିହ୍ନା ପରିଚିତ ଥିବାରୁ ଲୁଗା ଇସ୍ତ୍ରୀ ପାଇଁ ମିଳିଯାଏ, ହେଲେ ଘରବାର ଜାଗାଟା ବଦଳେଇବାରୁ ଗ୍ରାହକ ବି ଧୀରେ ଧୀରେ କମି ଆସିଲେ, ଠିକ୍ ସମୟରେ ଆଉ ଲୁଗା ଆଣି ହେଲା ନାହିଁ କି ଦେଇ ବି ହେଲେ ନାହିଁ ତା’ ସେଙ୍ଗ ସେଙ୍ଗ ରୋଜଗାର ବି କମି କମି ଆସିଲା ।

ହେଲେ , ମୁଁ ଏ’ ସହର ଛାଡି ନାହିଁ । ଗାଁ କଥା ମନେପଡେ କବାଚ୍ କିମିତି । ସ୍ତିରୀ ଆଉ ମା’ର ମୁହଁ ସବୁ ଫିକା ଫିକା ମନେପଡେ । ଝୁଅ ଦି’ଟା ବି ଆଖି ଆଗରେ ନାଚି ଯା’ନ୍ତି ଯିମିତି । ସେଇ କୁଡିଆ ଘରଟା ,ଗେଣ୍ଡୁ ଫୁଲ ସବୁ କୁକୁଡା ପିଲା ସବୁ, ସିଝୁ ବୁଦା ସବୁ ଗୋଟାଏ ଗୋଟାଏ ଝଲକରେ ପଲକ ଆଗରେ ଅସି ଉଭା ହୋଇଯା’ନ୍ତି । ଏଇ ଗଲା ପାଞ୍ଚ ଛ’ ମାସ ହେଲା ମୁଁ ରାସ୍ତା କଡରେ ଗୋଟାଏ ପଲା ବାନ୍ଧି ବ୍ୟବସାୟ କରୁଛି । ଆଠ ଦଶଟା କପଡା ଦିନରେ ଏଠୁ ସେଠୁ ମିଳିଯାଏ । ବିଡି ଫୁଙ୍କି ଶିଥିଳିଆ ହାତରେ କଡା କଡା ଇସ୍ତ୍ରୀ କରିନିଏ । ଆଉ ସଞ୍ଜ ବୁଡିବାକୁ ଜଗେ ନାହିଁ । ଅଖା ତଳେ ଲୁଚେଇଥିବା ବୋତଲରୁ ଦି’ଢୋକ ପିଇ ନିଏ । କେବେ କିଛି ଖାଏ, କେବେ ଖାଏନା ।

ବରଷା ଆସିଛି ଦିନା କେତେ ହେଲାଣି । କଳା କଳା ମେଘ ସବୁ ଢୁ ଢୁ କରି ବରଷି ଯା’ନ୍ତି , ବିଜୁଲି ଘଡଘଡି ଶବଦରେ ଧରାଟା ଥରି ଉଠେ । ଆଉ ଧାରଧାର ପାଣିର ସ୍ରୋତ ସବୁ ବହି ଚାଲନ୍ତି ମୋରି ଗୋଡ ତଳେ । ଇଟା ଦେଇ, ପଟା ଦେଇ , ଯୋଡି ଯାଡି ବନେଇଥିବା ଇସ୍ତିରି ଟେବୁଲ ତଳେ , ଆଉ ଖଟ ନା’ରେ ଢାବଲ ତିନିଟା ତଳେ । ବରଷାରେ , ରାସ୍ତକଡରେ ଇସ୍ତ୍ରୀ କରେଇବା ପାଇଁ ଆଉ ଗ୍ରାହକ ଆସିଲେ ନାହିଁ । ଭିଜା ଭିଜା ଅଙ୍ଗାର ସବୁ ଛିଣ୍ଡା ମିଣ୍ଡା ଅଖା ଭିତରେ ସିଙ୍କୁଟି ସାଙ୍କୁଟି ପଡିଥାନ୍ତି ।

ବିଡିଟାକୁ କୈାଣସିମତେ ଜଳାଇ ନେଇ ଦି’ ତିନି ଦମ୍ ମାରି ଦେଲା ବେଳେ ପ୍ରବଳ କାଶ ସହ ଖଙ୍କାର ସବୁ ଛାତି ଚିରି ବାହାରି ଆସିଲେ ଯମିତି । ହାତ ଗୋଡ ଥର ଥର କମ୍ପୁଥାଏ , ଆଉ ମନେହେଲା ସାରା ବଦନରେ ନିଆଁ ଲାଗିଛି ବୋଧେ । ତଥାପି … ତଥାପି ଆଙ୍ଗୁଠି ଦି’ଟା ଭିତରେ ଅଟକି ଯାଇଥିବା ବିଡିଟା ଓଠ ଦି’ଟା ଭିତରେ ଅଟକି ଯିବା ପାଇଁ ଛଟପଟ ହେଲା । ପୁଣି ଟାଣି ନେଲି ଦି’ଦମ୍ ଆଉ ଧଳା ଧଳା କଫ ସହ ବାହାରି ଆସିଲା ନାଲି ନାଲି ତାଜା ରକ୍ତ 0ମୁଣ୍ଡଟା ବୁଲେଇଦେଲା ସାଇଁ ସାଇଁ , ଧରାଟା ଘୂରୁଥିଲା ଘାଇଁ ଘାଇଁ । ସେଇ ଢାବଲ ତିନିଟା ଉପରେ କେମିତି ଗୋଟିଏ ଅବାଗିଆ ବାଗରେ ମୁଁ ମୁଣ୍ଡଟାକୁ ଝୁଲେଇ ପଡିରହିଛି । ମୁହଁ ଧାରରୁ ଧାର ଧାର ରକ୍ତ ଆଉ ପାଣି ଆଉ ସବୁକ’ଣ ବୋହି ଯାଇ ଧାର ଧାର ବର୍ଷାର ପାଣିରେ ମିଶି ଯାଉଛନ୍ତି ।

ସବୁ କିଛି କଳା କଳା , ଅନ୍ଧାରୁଆ ଅନ୍ଧାରୁଆ , ଆଉ ଖାଲି ଖାଲି । ନା’ କାହା ମୁହଁ , କାହା କଥା ,କାହା ହସ । ନା’ ଗାଁ ନା’ ସହର । ନା’ ନିଜ ନା’ ପରର । ନା’ ମୋ’ର ନା’ ତୋର । ନା’ ମାୟା, ନା ମୋହ , ନା ସପନ । ନା’ ସ୍ଥିତିରେ ଆନନ୍ଦ, ନା’ବିଚ୍ଛେଦରେ ଦୁଃଖ ।

ଏହି ଗଳ୍ପଟି ଅହମଦାବାଦ ସ୍ଥିତ ଓଡ଼ିଶା ସୋସିଓ କଲ୍ଚରାଲ୍‌ ଆସୋସିଏସନ୍‌ର “ସ୍ପନ୍ଦନ” (୨୦୧୨) ପତ୍ରିକାରେ ପ୍ରକାଶିତ ।

ଲୋକପ୍ରିୟ ଲେଖା

To Top