ଗଳ୍ପ

ସାହେବାଣୀ

Prasanta Kumar Behera's odia story Saheebaani

ଯେଉଁଦିନ କୌଣସି ଦୁଗ୍ଧ ସେଣ୍ଟରରୁ ନିମ୍ନମାନର ଦୁଗ୍ଧ ଆସିଲା, ତେବେ ସେ ସେଣ୍ଟରକୁ ସେଦିନ ଦୁଗ୍ଧ ବାବଦକୁ କୌଣସି ଅର୍ଥ ପ୍ରଦାନ କରାଯିବ ନାହିଁ ।

ସାହେବାଣୀ

ସହର ସାରା ଚର୍ଚ୍ଚା ଚାଲିଛି । ସାହେବ ଆସୁଛନ୍ତି । ପୁରା ପରିବାର ଓ ଆସବାସପତ୍ର ସହିତ ଆସୁଛନ୍ତି । ଯେଉଁ ବିଷୟଟା ଲୋକମାନଙ୍କ ମଧ୍ୟରେ ଖୁବ୍ କୌତୁକ ସୃଷ୍ଟି କରୁଥିଲା, ତାହା ହେଲା ତାଙ୍କ ସହିତ ଅସିବାକୁ ଥିବା ଦଶଟିରୁ ଉର୍ଦ୍ଧ୍ଵ ଜର୍ସୀ ଗାଈ । ବହୁ ପୂର୍ବରୁ ସାହେବଙ୍କ ପାଇଁ ଉଦ୍ଦିଷ୍ଟ ବଙ୍ଗଳାକୁ ସଜାଡିବା ସହିତ ନିକଟରେ ଏକ ଗାଈ ଗୁହାଳ ମଧ୍ୟ ତିଆରି କରାଯାଇଥାଏ । ଗୁହାଳଟି ଦେଖିଲା ପରି ହୋଇଥାଏ । ସେଇଟିକୁ ଗୁହାଳ କହିଲେ ଭୁଲ୍ ହୋଇଯିବ ନିଶ୍ଚେ । ବରଂ ଯେ କୌଣସି ନିମ୍ନ ମଧ୍ୟବିତ୍ତ ପରିବାରର ଘରଠାରୁ ତାହା ବହୁ ଗୁଣରେ ଭଲ ଥିଲା । କେବଳ ଗାଈ ରହିବା ପାଇଁ ଉଦ୍ଦିଷ୍ଟ ଥିବାରୁ ତାହା ଗୁହାଳର ନାମଟି ଯାହା ବହନ କରିଥିଲା ।

ତେବେ ସେ ଯାହାହେଉ ଗାଈମାନଙ୍କ ଭିତରେ ଜର୍ସୀ ଗାଈର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏମାନେ ଭାରି ସୁକୁମାରୀ ଏବଂ ଏମାନଙ୍କ ପିଛା ଖର୍ଚ ଯେପରି ହୁଏ, ରୋଜଗାର ମଧ୍ୟ ସେପରି ହୁଏ । ଗୋଟେ ଗୋଟେ ଜର୍ସୀ ଗାଈ ଦିନକୁ ୮ ରୁ ୧୦ ଲିଟର ଯାଏ ଦୁଗ୍ଧ ଦେଇଥାନ୍ତି । ଏଠାରେ କହିବା ବାହୁଲ୍ୟ ଯେ ସାହେବଙ୍କ ଅପେକ୍ଷା ସାହେବାଣୀଙ୍କ ଗାଈ ରଖିବା ନିଶାଟା କୁଆଡେ ଢେର ଅଧିକ ।

ଶେଷରେ ସେ ଦିନ ଆସି ପହଞ୍ଚିଲା । ପରିବାର, ଆସବାସପତ୍ର ଏବଂ ଜର୍ସୀ ଗାଈମାନଙ୍କ ସହିତ ସାହେବାଣୀଙ୍କ ଗୃହ ପ୍ରବେଶ ହୋଇଗଲା । ତଳିଆ କର୍ମଚାରୀମାନେ ସଙ୍ଗେ ସଙ୍ଗେ ଆସି ସାହେବଙ୍କ ବଙ୍ଗଳା ନିକଟରେ ପଇଁତରା ମାରିବାକୁ ଲାଗିଲେ । କିଛିଦିନ ହେଲା ଖାଁ ଖାଁ ଲାଗୁଥିବା ବଙ୍ଗଳାଟି ଏବେ ପୁରାପୁରି ଚଳଚଞ୍ଚଳ ହୋଇ ଉଠିଲା ।

ସାହେବଙ୍କ ବଙ୍ଗଳାକୁ ବିଭିନ୍ନ ସାମଗ୍ରୀ ପତ୍ର ସବୁ ବୁହା ବୁହି ଭିତରେ ଯାହା ଦେଖିବାର ଥିଲା ତାହା ହେଲା ତଳିଆ କର୍ମଚାରୀ ମାନଙ୍କ ଦ୍ୱାରା ଗୋ-ଖାଦ୍ୟ ଦୋକାନରୁ ଅଣାଯାଉଥିବା ବିଭିନ୍ନ କିସମର ଗୋ-ଖାଦ୍ୟ । ଗୋ-ଖାଦ୍ୟ ବାବଦ ଟଙ୍କା ସାହେବ ଦେଇଥିଲେ କି ନା ତାହା ଜାଣିବା ମୁସ୍କିଲ୍ । ଯଦି ବି ସାହେବ ଦେଇ ନଥିବେ, ତେବେ ତଳିଆ କର୍ମଚାରୀ ମାନେ ସେମାନଙ୍କ ପକେଟରୁ କେବେହେଲେ ଦେଇ ନଥିବେ । ଅନ୍ୟ ଯେ କୌଣସି ସୂତ୍ରରୁ ତାହାକୁ ସେମାନେ ଭରଣା କରିଥିବେ । ସେଇ ସୂତ୍ର କେବେହେଲେ ସତ୍ ଉପାୟ ହୋଇ ନଥିବ ଏଥିରେ କେହି ବି ଦ୍ୱି-ମତ ହେବାର ନାହିଁ ।

ସମସ୍ତ ବଙ୍ଗଳାଟିକୁ ତନ୍ନ ତନ୍ନ କରି ଦେଖି ସାରିବା ପରେ ଜଣାଗଲା ଯେ, ବାଥ୍‌ରୁମ୍‌ରେ ଟେଲିଫୋନ୍‌ ସାଓ୍ୱାର୍ ନାହିଁ । ସାହେବ ରାଗିଥିବେ କି ନା ତାହା ଆମକୁ ଜଣା ନାହିଁ, କିନ୍ତୁ ସାହେବାଣୀ ରାଗି ପୂରାପୂରି ଖପ୍ପା । ତଳିଆ କର୍ମଚାରୀମାନେ ସେଇ ବଙ୍ଗଳାକୁ ସଜଡା ସଜଡି କରି ଅତ୍ୟାଧୁନିକ କରିଥିବା ନିଦ୍ଦିଷ୍ଟ ସରକାରୀ ବିଭାଗକୁ ଖବର ପଠାଇଲେ । ଖବର ପଠାଇଲେ ବୋଲି କହିଲେ ଭୁଲ୍ ହେବ ଆଜ୍ଞା, ବରଂ ସେ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ବଙ୍ଗଳାକୁ ସଙ୍ଗେ ସଙ୍ଗେ ତଳବ କରାଯାଇ ଟେଲିଫୋନ୍‌ ସାଓ୍ୱାର୍ ଗାଧୁଆ ଘରେ ତୁରନ୍ତ ଲଗାଇବାକୁ ନିର୍ଦ୍ଦେଶ ଦିଆଗଲା । ବିଚରା କନିଷ୍ଠ ଯନ୍ତ୍ରୀ ଜଣଙ୍କ ସାରା ସହର ବୁଲିଲେ, କେଉଁଠାରୁ ହେଲେ ସେ ଦ୍ରବ୍ୟଟି ନ ପାଇ ବାଧ୍ୟ ହୋଇ ସେହିଦିନ ସୁଦୂର କଟକ ସହରରୁ ତାହା ନିଜେ ଯାଇ ଆଣି ଲଗାଇବାରୁ ସାହେବାଣୀଙ୍କ ରାଗ କିଛି ମାତ୍ରାରେ ପ୍ରଶମିତ ହେଲା ।

ସାହେବାଣୀ ରାଗି ନଥାନ୍ତେ ବା କିପରି ? ଟେଲିଫୋନ୍‌ ସାଓ୍ୱାର୍ ମାଧ୍ୟମରେ କୁଆଡେ ଶରୀରର ଯେ କୌଣସି ଅଂଶକୁ ପାଣି ପକାଯାଇପାରେ । ଶରୀରର ନିଷିଦ୍ଧ ଇଲାକାରେ ପାଣି ଅପହ଼ଞ୍ଚ ରହିଗଲେ ସଂପୂର୍ଣ୍ଣ ସ୍ନାନ ହେବ ବା କିପରି ? ତେଣୁ ଏଠାରେ ସାହେବାଣୀଙ୍କ ରାଗ ହେବା ନିହାତି ଠିକ୍ ଓ ସ୍ୱାଭାବିକ ବୋଲି ଧରିନେବାକୁ ହେବ ।

ସେଦିନ ସନ୍ଧ୍ୟା ସୁଦ୍ଧା ସାହେବଙ୍କ ବଙ୍ଗଳା ପାଖା ପାଖି ଥିବା କିଛି ଚାହା ଦୋକାନ ଓ ହୋଟେଲକୁ ତଳିଆ କର୍ମଚାରୀମାନେ ଯାଇ ସେମାନଙ୍କ ମାଲିକମାନଙ୍କୁ ସାହେବାଣୀ ଡକାଇଛନ୍ତି ବୋଲି ଖବର ପହଞ୍ଚାଇ ଦେଲେ । ଉଠା ଚାହା ଦୋକାନୀ ମାନଙ୍କ ଭିତରେ ଭାଳେଣି ପଡିଲା । ଆଗକୁ ନିଶ୍ଚିତ କିଛି ଅଘଟଣ ଘଟିବ ବୋଲି ସେମାନେ ପୁରା ଶଙ୍କା ଗ୍ରସ୍ତ ଅବସ୍ଥାରେ ରହିଥାନ୍ତି ।

ସାହେବଙ୍କ ବଙ୍ଗଳାର ଖୁବ୍ ନିକଟରେ ଚାହା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ‘ ସୁରିଆ ‘ ଧରିନେଲା ଯେ, ତାକୁ ତା’ ଚାହା ଦୋକାନ ପସରା ଧରି ସେଠାରୁ ଉଠିଯିବାକୁ ନିଶ୍ଚିତ ନିର୍ଦ୍ଦେଶ ହେବ । ସାହେବାଣୀଙ୍କ ନିର୍ଦ୍ଦେଶକୁ କେହି ଅବଜ୍ଞା କରିବାର ପ୍ରଶ୍ନ ଉଠୁନି । ସମସ୍ତେ ଖୁବ୍ ଭୟାତୁର ମନରେ ବଙ୍ଗଳା ନିକଟରେ ଉପସ୍ଥିତ ହେଲେ ।

ସାହେବାଣୀଙ୍କୁ ଜଣେ ତଳିଆ କର୍ମଚାରୀ ଯାଇ ଖବର ଦେଲା ଯେ, ଦୋକାନୀମାନେ ସମସ୍ତେ ଆସି ଗଲେଣି । ଖବର ପାଇବାର ପ୍ରାୟ ଏକଘଣ୍ଟା ପରେ ସାହେବାଣୀ ଦୁଇଜଣ ତଳିଆ କର୍ମଚାରୀଙ୍କ ଗହଣରେ ବାହାରକୁ ଆସିଲେ । ଦେକାନୀମାନେ ଖୁବ୍ ଭୟରେ ଯୋଡ ହସ୍ତରେ ଦଣ୍ତାୟମାନ ହୋଇଥାନ୍ତି । ଦକାନୀମାନଙ୍କ ଅବସ୍ଥା ଦେଖିଲେ ଯେକେହି ଭାବିବ ଯେ ଏମାନେ ସବୁ ଚୋରିଚାରି କରି ଧରାପଡି ଆସିଛନ୍ତି । ଏବେ ସାହେବାଣୀ ସେମାନଙ୍କ ବିଚାର କରି ଦଣ୍ତ ବିଧାନ କରିବେ ।

ତଳିଆ କର୍ମଚାରୀ ଦୁଇ ଜଣଙ୍କୁ ପଚରା ଉଚରା କରି ସାହେବାଣୀ ପ୍ରଥମେ ବୁଝିନେଲେ କାହା ଦୋକାନ ବଡ ବା ଛୋଟ ବୋଲି । ସେହି ଅନୁଯାୟୀ ନିର୍ଦ୍ଦେଶ ଜାରିକଲେ ଯେ, ଆସନ୍ତା କାଲିଠାରୁ ସକାଳ ବେଳା ଓ ସନ୍ଧ୍ୟା ବେଳା କିଏ କେତେ ଲିଟର ଦୁଗ୍ଧ ନେବେ ।

ସୁରିଆକୁ ନିର୍ଦ୍ଦେଶ ହେଲା ସେ ସକାଳ ବେଳା ୩ ଲିଟର ଓ ସନ୍ଧ୍ୟା ବେଳା ୨ ଲିଟର କରି ଦୁଗ୍ଧ ନେବ । ଦୋକାନକୁ ଉଠାଇ ନେବାକୁ ନିର୍ଦ୍ଦେଶ ହେବ ବୋଲି ଆଶା କରିଥିବା ସୁରିଆ ପ୍ରଥମେ ଖୁବ୍ ଖୁସି ହୋଇଗଲା, କିନ୍ତୁ ପର ମୁହୂର୍ତ୍ତରେ ଦିନକୁ ୫ ଲିଟର ଦୁଗ୍ଧ ନେବାକୁ ହେବ ବୋଲି ଜାଣି ତା’ ମୁହଁ ପୁରା ଫିକା ପଡିଗଲା । ଦିନକୁ ଖୁବ୍ ବେଶିରେ ତା’ର ମାତ୍ର ୨ ଲିଟର ଦୁଗ୍ଧର ଆବଶ୍ୟକ ହୋଇଥାଏ ।

ତେବେ ସେ ଯାହା ବି ହେଉ, ସାହେବାଣୀଙ୍କ ନିର୍ଦ୍ଦେଶ ମାନେ ତାକୁ ସମସ୍ତ ଦୋକାନ ମାଲିକ ମାନଙ୍କୁ ମାନିବାକୁ ହେବ ।

ଶେଷକୁ ସାହେବାଣୀ ଖୁବ୍ ଚଢା ଗଳାରେ କହିଲେ, ” ଦୁଗ୍ଧ ବାବଦ ଅର୍ଥକୁ ପ୍ରତିଦିନ ନଗଦ ଆକାରରେ ସନ୍ଧ୍ୟା ସୁଦ୍ଧା ଦେବାକୁ ହେବ । ”

ସମସ୍ତ ଦୋକାନୀ ଭାଇମାନେ ଆଜ୍ଞା ମାଡାମ୍ ବୋଲି କହି ଭାରାକ୍ରାନ୍ତ ମନରେ ବିଦାୟ ନେଲେ ।

ପରଦିନ ସକାଳୁ ତଳିଆ କର୍ମଚାରୀମାନେ ଧାର୍ଯ୍ୟ କରାଯାଇଥିବା ଦୁଗ୍ଧ ନେଇ ନିଦ୍ଦିଷ୍ଟ ଦୋକାନ ମାନଙ୍କରେ ପହଞ୍ଚାଇ ଦେଇ ଆସିଲେ । ଦୁଗ୍ଧରେ ଯଦି ପାଣି ମିଶିଥିବ ତେବେ ସେ ବିଷୟରେ ଅଭିଯୋଗ କରିବାର କୌଣସି ଯୁ ମଧ୍ୟଦୋକାନୀ ମାନଙ୍କର ନଥିଲା ।

ଦୁଗ୍ଧ ପହଞ୍ଚିଯିବା ପରେ ସୁରିଆର ମୁଣ୍ତ ପୁରା ଗୋଳମାଳ ଧରିନେଲା । ସେ ତଳିଆ କର୍ମଚାରୀ ମାନଙ୍କୁ କହିଲା,

” ଭାଇମାନେ ଦେଖ, ଆପଣମାନେ ଯାହା ଚାହା ପିଉଥିଲେ, ଆଜିଠାରୁ ତା’ ଠାରୁ ଢେର୍ ଅଧିକ ମାତ୍ରାରେ ପିଇବେ । ନଚେତ୍ ମୁଁ ଏତେ ଗରିବ ଲୋକ । ଏତେ ଦୁଗ୍ଧ କରିବି ବା କଣ ? ତୁମ ସାହେବାଣୀଙ୍କ ଦୁଗ୍ଧ ଯେହେତୁ ଆପଣମାନେ ପିଇବା ପାଇଁ ବାଧ୍ୟ ।”

ଏହିପରି ଅନୁରୋଧପୂର୍ଣ୍ଣ ଓ ଦ୍ୱି-ଅର୍ଥ ବୋଧକ କଥା କହି ତଳିଆ କର୍ମଚାରୀ ମାନଙ୍କୁ ଚାହା ପିଆଉଥିଲା ସୁରିଆ ।

କିନ୍ତୁ ୧୫ ଦିନ ପରେ ସୁରିଆ ଅବସ୍ଥା ଅସମ୍ଭାଳ ହେବାରୁ ସେ ଜଣେ ତଳିଆ କର୍ମଚାରୀ ହାତ ଧରିପକାଇ କହିଲା, ” ମୋ ଭାଇଟା ପରା, ଆଉ ପାରିବିନି ଜମା । ଢେର୍ ହୋଇଗଲା, ମୁଁ ଏଣିକି ମରିଯିବି, ମୋ ପିଲାଛୁଆ ଉପାସ ରହିବେ । ଦିନକୁ ୫ ଲିଟର ଦୁଗ୍ଧରେ ଚାହା ବେପାର କରିବା ମୋ ଭଳି ଛୋଟ ଉଠା ଚାହା ଦୋକାନି ପକ୍ଷରେ ଅସମ୍ଭବ । କିଛି ଗୋଟିଏ କର । ଏ ଗରିବଟା ବଞ୍ଚିଯାଉ । ଭଗବାନ ତୁମର ନିଶ୍ଚୟ ମଙ୍ଗଳ କରିବେ ।”

ତଳିଆ କର୍ମଚାରୀ ଜଣକ ଏକଥା କେବଳ ସୁରିଆ ଠାରୁ ଶୁଣିଲା ତାହା ନୁହେଁ, ଅନ୍ୟ ଦୋକାନିମାନେ ମଧ୍ୟ ଉଣା ଅଧିକେ ଏ ବିଷୟରେ ସେମାନଙ୍କୁ କହୁଥାନ୍ତି । କିନ୍ତୁ ସାହେବାଣୀଙ୍କ ପାଖକୁ ଯାଇ ତାହା ପ୍ରକାଶ କରିବାକୁ କେହି ସାହସ କରିପାରୁ ନଥିଲେ ।

ସୁରିଆ ଅବସ୍ଥା ଦେଖି ତଳିଆ କର୍ମଚାରୀ ଜଣକ ତାକୁ ସାହେବାଣୀଙ୍କ ନିକଟକୁ ଯାଇ ନିଜର ଅସୁବିଧା କଥା କହିବାକୁ ପରାମର୍ଶ ଦେଲା । ସୁରିଆ ଏକୁଟିଆ ଯିବାପାଇଁ ନ ମଙ୍ଗିବାରୁ କର୍ମଚାରୀ ଜଣକ ତା’ ସାଙ୍ଗରେ ସାହେବାଣୀଙ୍କ ନିକଟକୁ ଯିବାକୁ ରାଜିହେଲା ।

ତଳିଆ କର୍ମଚାରୀ ଓ ସୁରିଆ ସାହେବଙ୍କ ବଙ୍ଗଳାକୁ ସାଙ୍ଗହୋଇ ଚାଲିଲେ । ସେଠି ପହଞ୍ଚି ଜାଣିଲେ ସାହେବାଣୀଙ୍କୁ ପାଖ ବିୟୁଟି ପାର୍ଲରରୁ କେହି ଆସି ମେକଅପ୍ କରୁଛି । ବହୁ ସମୟ ଅପେକ୍ଷା କରିବାପରେ ଖୁବ୍ ସୁନ୍ଦରୀ ଦେଖାଯାଉଥିବା ସାହେବାଣୀ ବାହାରକୁ ଆସି ସୁରିଆକୁ ଆସିବାର କାରଣ ଜିଜ୍ଞାସା କଲେ । ସୁରିଆ ସାହେବାଣୀଙ୍କୁ ଦେଖି ଏତେ ମାତ୍ରାରେ ଡରିଗଲା ଯେ, ତା ପାଟି ପୁରା ଖନି ମାରିଗଲା । ସେ ସେମିତି ଯୋଡ ହସ୍ତରେ ଗୋଟେ ନିର୍ଜୀବ ଷ୍ଟାଚ୍ୟୁପରି ଠିଆ ହୋଇଥାଏ ।

ତଳିଆ କର୍ମଚାରୀ ଜଣକ ସୁରିଆର ଏ ଅବସ୍ଥା ଦେଖି ସାହେବାଣୀଙ୍କୁ କହିଲା,

“ମ୍ୟାଡାମ୍ ଏ ଲୋକଟିର ଛୋଟ ଉଠା ଚା’ ଦୋକାନ । ଦିନକୁ ୫ ଲିଟର ଦୁଗ୍ଧରେ ଚା’ ବିକ୍ରି କରିବା ସମ୍ଭବ ହେଉନାହିଁ । ଅନ୍ୟ ଦୋକାନୀମାନେ ମଧ୍ୟ ସେଇ ଅସୁବିଧାରେ ସମ୍ମୁଖିୀନ ହେଉଛନ୍ତି । ଏଇ ପାଖରେ ଏକ ଓମଫେଡ୍ ଦୁଗ୍ଧ କଲେକ୍ସନ୍ କାଉଣ୍ଟର୍ ରହିଛି । ସେଇଠି ଆମେ ସମସ୍ତ ଦୁଗ୍ଧ ପଇଠ କରିଦେଲେ ଖୁବ୍ ଭଲ ହୁଅନ୍ତା ।”

ସଦ୍ୟ ମେକଅପ୍ ନେଇ ସାହେବାଣୀ ସୌନ୍ଦର୍ଯ୍ୟରେ ପୁରା ଝଟକୁଥାନ୍ତି ଆଉ ସେଥି ପାଇଁ ବୋଧହୁଏ ଖୁବ୍ ଖୁସି ମନରେ ଥିଲେ । ସେ ଥରେ ଲେଖା ଉଭୟ ତଳିଆ କର୍ମଚାରୀ ଓ ସୁରିଆ ଉପରେ ଦୃଷ୍ଟି ନିକ୍ଷେପ କରି କଣ ଚିନ୍ତା କଲେ ଏବଂ ତା’ପରେ କହିଲେ,

” ଠିକ୍ ଅଛି, ଓମଫେଡ୍ ସେଣ୍ଟରର ମାଲିକକୁ ମୋ ପାଖକୁ ଡାକିଆଣ ।”

ସୁରିଆ ସେମିତି ଭୟଭୀତ ହୋଇ ମୂର୍ତ୍ତିଟିଏ ପରି ଠିଆ ହୋଇଥାଏ । ସାହେବାଣୀଙ୍କ ଏପରି ଉତ୍ତର ଶୁଣି ଖୁବ୍ ଖୁସି ହୋଇ ଫେରିବା ବେଳେ ତଳିଆ କର୍ମଚାରୀ ଜଣକୁ ନିଜ ଦୋକାନ ପାଖକୁ ଭିଡି ଆଣି କହିଲା,

” ବହୁତ ବହୁତ ଧନ୍ୟବାଦ ଭାଇ । ସାଂଘାତିକ୍ କିଳାଟିକୁ ତୁମେ ହିଁ ଖଲାସ୍ କଲ । ଆସ ଆଜି ମୋ ତରଫରୁ ଶେଷଥର ପାଇଁ ତମ ସାହେବାଣୀଙ୍କ ଦୁଗ୍ଧରେ ଖାଣ୍ଟି ଚା’ ପିଇନିଅ ।”

ଅବଶ୍ୟ ତଳିଆ କର୍ମଚାରୀମାନେ ମଧ୍ୟ ଏଥିରେ ଲାଭବାନ୍ ହୋଇଥିଲେ । ବିଭିନ୍ନ ଦୋକାନକୁ ଦୁଗ୍ଧ ନେଇ ଯିବା ଅପେକ୍ଷା କେବଳ ଓମଫେଡ୍ ସେଣ୍ଟରରେ ଦୁଗ୍ଧ ପହଞ୍ଚାଇବା ସେମାନଙ୍କ ପାଇଁ ସ୍ୱଳ୍ପ ପିଡାଦାୟକ ଥିଲା । କିନ୍ତୁ କିଳାଟାକୁ ଏବେ ନଗଦ ନଗଦ ଓମଫେଡ୍ ସେଣ୍ଟର୍ ମାଲିକ ଆଡକୁ ମୁହାଁଇକି ଆସିଥିବାରୁ ମନେ ମନେ କିଛି ପରିମାଣର ଦୁଃଖ ମଧ୍ୟ ସେ ତଳିଆ କର୍ମଚାରୀକୁ ଗ୍ରାସ କରିଥାଏ ।

ସାହେବାଣୀଙ୍କ ଡାକରା ପାଇ ନିର୍ଦ୍ଦିଷ୍ଟ ସମୟରେ ଓମଫେଡ୍ ସେଣ୍ଟରର ମାଲିକ ପପୁ ଆସି ବଙ୍ଗଳାରେ ହାଜର୍ ହେଲା । କିଛି ତଳିଆ କର୍ମଚାରୀଙ୍କ ସାମ୍ନାରେ ପପୁ ସହିତ ସାହେବାଣୀ ସମସ୍ତ ପ୍ରକାରର ଚୁକ୍ତି ଫାଇନାଲ୍ କରିଦେଲେ । ଯଦିଓ ଦୁଗ୍ଧ ଚାଷୀମାନେ ପ୍ରତି ୧୦ ଦିନରେ ଥରେ ଦୁଗ୍ଧ ବାବଦ ଅର୍ଥ ନେବାର ବ୍ୟବସ୍ଥା ଓମଫେଡ୍ ଦ୍ୱାରା ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ସାହେବାଣୀଙ୍କ କ୍ଷେତ୍ରରେ ଏହି ନିୟମ ଦୈନିକକୁ ରୂପାନ୍ତରିତ ହେଲା । ଅର୍ଥାତ୍ ପପୁ ଆଗୁଆ ତା’ ହାତରୁ ହିଁ ସାହେବାଣୀଙ୍କୁ ତାଙ୍କ ଦୁଗ୍ଧ ବାବଦ ଅର୍ଥ ପଇଠ କରିବ ।

କିଛିଦିନ ପରେ ଏକ ଅଘଟଣ ଘଟିଲା । ତଳିଆ କର୍ମଚାରୀ ସାହେବାଣୀଙ୍କୁ କହିଲେ ଯେ, ଆଜିର ଅର୍ଥ ଓମଫେଡ୍ ବାଲା ଦେବେନାହିଁ ; କାରଣ ଆଜି ନନ୍-ପେମେଣ୍ଟ୍ ହୋଇଗଲା ।

ଓମଫେଡ୍ ମୁଖ୍ୟ କାର୍ଯ୍ୟାଳୟ ଏକ ନିୟମ ଧାର୍ଯ୍ୟ କରିଥାଏ । ଯେଉଁଦିନ କୌଣସି ଦୁଗ୍ଧ ସେଣ୍ଟରରୁ ନିମ୍ନମାନର ଦୁଗ୍ଧ ଆସିଲା, ତେବେ ସେ ସେଣ୍ଟରକୁ ସେଦିନ ଦୁଗ୍ଧ ବାବଦକୁ କୌଣସି ଅର୍ଥ ପ୍ରଦାନ କରାଯିବ ନାହିଁ । ତେଣୁ ସେହି ସେଣ୍ଟରର ମାଲିକ ତ ଆଉ ତା’ ଘରୁ ଆଣି ସେ ଅର୍ଥ ଦେବନାହି, ବରଂ ଦୁଗ୍ଧ ଚାଷୀଙ୍କୁ ସେଦିନ ତାଙ୍କ ପ୍ରାପ୍ୟ ଦିଆଯାଏ ନାହିଁ ।

ତଳିଆ କର୍ମଚାରୀ ଠାରୁ ଦୁଗ୍ଧ ବାବଦ ଅର୍ଥ ମିଳିବନି ଜାଣି ସାହେବାଣୀ ରାଗିଯାଇ ଓମଫେଡ୍ ସେଣ୍ଟରର ମାଲିକକୁ ଡାକି ଆଣିବାକୁ ଆଦେଶ ଦେଲେ । ପପୁ ଆସି ସାହେବାଣୀଙ୍କୁ ଓମଫେଡ୍ ଦ୍ୱାରା କରାଯାଇଥିବା ନିୟମ ବିଷୟରେ ଯେତେ ବୁଝାଇଲେ ମଧ୍ୟ ସେ ବୁଝିବାକୁ ନାରଜ ।

ଶେଷକୁ ସାହେବାଣୀ ଖୁବ୍ ଜୋରରେ ରାଗିଯାଇ କହିଲେ,

“ଶୁଣ୍, ଯଦି ମୋ ଦୁଗ୍ଧ ନିମ୍ନମାନର ବା ଛେନା ଛିଡି ଯାଇଛି, ତେବେ ମୋ ଦୁଗ୍ଧ ଅଥବା ଛିଡିଯାଇଥିବା ଛେନା ଆଣି ଫେରାଇ ଦେ ।”

ଓମଫେଡ୍ ସେଣ୍ଟରର ମାଲିକ ପପୁ ବର୍ତ୍ତମାନ ସ୍ଥିର ନିଶ୍ଚିତ ହୋଇଗଲା ଯେ, ଏ ନାରୀ ଜଣେ ଶିଖିତ ଅସଭ୍ୟ । ୟାକୁ କୌଣସି ମତେ ବୁଝାଇ ହେବନାହିଁ । ତେଣୁ ଶେଷକୁ ନିରୁପାୟ ହୋଇ କହିଲା,

” ଠିକ୍ ଅଛି ମ୍ୟାଡାମ୍ , ମୁଁ ଆପଣଙ୍କ ଦୁଗ୍ଧ ବାବଦ ଅର୍ଥ ପଠାଇ ଦେଉଛି ।”

ପପୁ ଏତିକି କହି ସାହେବାଣୀଙ୍କୁ ନମସ୍କାର କରି କିଛି ପାଦ ଯାଇଛି କି ନାହିଁ ପଛରୁ ସାହେବାଣୀ ତଳିଆ କର୍ମଚାରୀକୁ କହିବାର ଶୁଣିଲା,

” ଆରେ ଅନ୍ୟ ସମସ୍ତଙ୍କୁ ଠକୁଛି ବୋଲି ମୋତେ ମଧ୍ୟ ଠକି ଦେବ ବୋଲି ଭାବିଥିଲା, ତା’ର ସାହସ ତ କିଛି କମ୍ ନୁହେଁ । କଣ ବୋଲି ମୋତେ ଭାବିଛି କି ? ”

ପପୁ ଜାଣିଥିଲା ବଡଲୋକ ବା କ୍ଷମତାଶାଳୀ ଲୋକଙ୍କୁ ଲେଉଟ ଉତ୍ତର ଦେବା ଆଦୌ ବୁଦ୍ଧିମାନର କାମ ନୁହେଁ । ତେଣୁ ସାହେବାଣୀଙ୍କ କଥା ଶୁଣି ନ ଶୁଣିବା ପରି ହୋଇ ପପୁ ତା’ ଦୁଗ୍ଧ କେନ୍ଦ୍ରରେ ପହଞ୍ଚି ସେ ଦିନର ଦୁଗ୍ଧ ବାବଦ ଅର୍ଥ ସାହେବାଣୀଙ୍କ ପାଖକୁ ପଠାଇଥିଲା ।

ଅର୍ଥ ତଳିଆ କର୍ମଚାରୀଙ୍କ ହାତରେ ପଠାଇ ସାରି ଖୁବ୍ ମନଦୁଃଖରେ ପପୁ ଭାବୁଥିଲା, ଧନ୍ୟରେ ତମେ ସ୍ୱାଧୀନ ଭାରତର ଉଚ୍ଚପଦସ୍ଥ ଅଫିସର୍ । କାହିଁ କେବେଠୁ ବ୍ରିଟିଶରାଜ ଗଲାଣି । କିନ୍ତୁ ସେ ସମୟର ଅଫିସର ପଣିଆ ଏ ଯାବତ୍ ଯାଇନାହିଁ । ସେହି ଅଫିସର୍ ଅଥବା ତାଙ୍କ ନିଜ ପରିବାର କିମ୍ୱା ଏପରିକି ବନ୍ଧୁବାନ୍ଧବରେ ଥିବା କୌଣସି ସଦସ୍ୟଙ୍କ ଅଦ୍ଭୁତ ମନୋଭାବ ପାଇଁ କେତେ ସାଧାରଣ ଲୋକ ଓ ତଳିଆ କର୍ମଚାରୀମାନଙ୍କୁ ହରଡଘଣାରେ ଆଜିର ଦିନରେ ମଧ୍ୟ ପଡିବାକୁ ହେଉଛି । କେବେ ସେମାନଙ୍କର ଏଇ କଦର୍ଯ୍ୟ ମନୋଭାବ ବଦଳିବ ଭଗବାନଙ୍କୁ ଜଣା ।

ସତରେ କେତେ ସାଧନାପାଇଁ ସିନା ଏ ଅଦ୍ଭୁତ ନାରୀ ଆଜି ସାହେବାଣୀ – ଉଚ୍ଚକ୍ଷମତା ସମ୍ପନ୍ନ ଅଧିକାରୀଙ୍କ ସ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି ।

ଲୋକପ୍ରିୟ ଲେଖା

To Top