ଗଳ୍ପ

ସମୁଦ୍ର ଶୋଷ

Pradip Nayak's odia story Samudra Shosh

ଏଇ ଯୋଉ ଲହଡ଼ି ଦେଖୁଚନ୍ତି, ଚଗଲା ଛୁଆଟି ପରି ଖପ୍ ଖପ୍ ଡିଆଁ ଡେଇଁ କରୁଚି. . . ଥରେ ଆଷାଢ଼ ମାସକୁ ଆସନ୍ତୁ, ୟା’ ରୂପକୁ ଦେଖିବେ, ୟା’ ଅହଂକାରକୁ ଚିହ୍ନିବେ । ଏବେ ତ କାତିଛଡ଼ା ସାପ ପରି କଡ଼ ଲେଉଟେଇ ଭିଡ଼ିମୋଡ଼ି ହଉଚି, ସେତେବେଳକୁ ଭୟଙ୍କର ଅଜଗର ପରି ଫୁତ୍କାର ଛାଡୁଥିବ ।

ସମୁଦ୍ର ଶୋଷ

ଆଇଲା ଆଷାଢ଼କୁ ସାତଭାୟା ଥିବ ତ ।

ମୋ ସରକାରୀ କ୍ୱାଟର ତଳ ପାହାଚରେ ବସି ଆଶଙ୍କିତ ସ୍ୱରରେ ପ୍ରଶ୍ନ କରୁଥିବ ବସନ୍ତ । କିଛି କାଗଜ ମୋଡ଼ାମୋଡ଼ି ହୋଇ ରହିଥିବା ଗୋଟେ ଜରିବ୍ୟାଗ୍ ଜାକିଥିବ କାଖରେ । ତା’ ସ୍ୱରଠାରୁ ଅଧିକ ଆଶଙ୍କିତ ଦିଶୁଥିବ ତା’ ସମୁଦାୟ ଚେହେରା ।

ତା’ର ଏଇ କଥାପଦକର ଉଦ୍ଦେଶ୍ୟ ଯାହା ବି ହେଉନା କାହିଁକି, ମୋତେ କିନ୍ତୁ ଦିଶିଯାଉଥିବ ଦି’ଟା ଦିଗ । ସମୁଦ୍ରକୂଳ ଲଙ୍ଘିବା କାରଣରୁ ତା’ ଗାଁ ରହିବ କି ନା, ଅନ୍ୟଟି ହେଲା ହୁଏତ ପ୍ରଶାସନର ପ୍ରତିଶ୍ର୍ରତି ଅନୁସାରେ ଆଷାଢ଼ ମାସ ପୂର୍ବରୁ ବଗପାଟିଆକୁ ତା’ ଗାଁ ଉଠିଯାଇଥିବ ତ ! ଏଇ ଦୁଇଟି ସମ୍ଭାବନାକୁ ନେଇ ବସନ୍ତର ଉତ୍ତର ହୁଏତ ଦିଆଯାଇପାରିବ । କିନ୍ତୁ ମୁଁ କିବା ଉତ୍ତର ଦେଇପାରିବି ।

ସମୁଦ୍ରକୂଳିଆ ଗାଁ ସାତଭାୟା । ପ୍ରତିଥର ଆଷାଢ଼ର ମେଘ ବର୍ଷିବା ପୂର୍ବରୁ ପ୍ରତିଟି ମଣିଷ ମନରେ ଥିବା ନଥିବା ଅବଗଣନା ଆରମ୍ଭ ହୋଇଯାଏ । କ୍ରମଶଃ ଉତ୍ତାଳ ହେଉଥିବା ଢେଉ ଆଉ ତା’ ନାଲିଆଖି ଆଗରେ କାକୁସ୍ଥ ହୋଇ ପଡୁଥିବା ଘେରିବନ୍ଧକୁ ନେଇ ଜୀବନ ଜୀବିକାର ବାଘଛେଳି ଖେଳ ଲାଗିଥିବ । କେବେ ଘର ଅଗଣାରେ ସମୁଦ୍ର ତ ଆଉ କେବେ ସମୁଦ୍ର ଭିତରେ ଘର ।

ବସନ୍ତ ମୋ ପାଖକୁ ଦି’ଟା ସମୟରେ ଆସେ । ହୁଏତ ଭୋର୍ ସମୟ, ନ ହୁଏତ ସଞ୍ଜପୂର୍ବର ମହଳଣ ଅପରାହ୍ନ । ସିଏ ଜାଣେ, ଏଇ ସମୟକୁ ମୁଁ ପ୍ରାୟ ଫାଙ୍କା ଥାଏ । କିନ୍ତୁ ସିଏ ଯେବେ ଆସିଯାଏ, ସେଇ ଦିନଟାର ସକାଳ ହଉ କି ସଞ୍ଜ, ମୋର ଚୋରି ହୋଇଯାଏ । ମୋର ସବୁ ଭାବନା ଆପଣାଛାଏଁ ଫୁର୍ର୍ ମାରେ ମୋ’ଠୁ । ମୁଁ ତ ମୁଁ, ମୋତେ ଲାଗେ, ମୋର ସବୁ ଚିନ୍ତା, ଭାବନା, ଏପରିକି ଅନ୍ୟମନସ୍କତା ତାକୁ ଚିହ୍ନିସାରିଛନ୍ତି । ସିଏ ଆସିଯିବାର ସୁରାକ୍ ପାଇଗଲେ ସେମାନେ ଆଉ ମୋର ହେଇ ରହନ୍ତିନି ।

ସାତଭାୟା ଥିବ କି ନଥିବାର ପ୍ରଶ୍ନ ଉପରେ ଆଉ ଭାବନା ଆପେ ଆପେ କେନ୍ଦ୍ରୀଭୂତ ହୋଇଥିବ । ମୁଁ ଗୋଟେ ବେତଚେୟାର୍ ଉପରେ ବସି ତାକୁ କେତେଥର ଚେୟାର କି ଆସନ ଯାଚିବି, ବସନ୍ତ ମନା କରିବ ଏବଂ ଜିଦ୍ କଲାପରି ସେଇ ପାହାଚ ପାଖରେ ହିଁ ବସିବ । ଏମିତି କରି ହୁଏତ ମୋତେ ମାନସିକ ଭାବରେ ବନ୍ଧା ପକାଇଦେବ ଯେ ତା’ କାମଟା ବିନା ବିଳମ୍ୱରେ ବା ଅସମ୍ମତିରେ କରାଯାଉ ।

ଅନେକ ସମୟରେ ମୋ ଭାବନା ସହ ବସନ୍ତକୁ ସାମିଲ ନ କରି ଚିନ୍ତାକରେ. . . । ସତରେ ଇଏ ସାତଭାୟା ଗୋଟେ କ’ଣ କି ? ଦରିଆ ଅଦଉତିରୁ, ଝଡ଼ତୋଫାନର ଦାନ୍ତରୁ, ଜୀବନ୍ମୃତ ଅବସ୍ଥାରେ ଥିବା କିଛି ଲୋକଙ୍କ ଗାଁ । ଘୋ’ ଘୋ’ ଶବ୍ଦରେ ବାଲିକୁଦ ଉପରେ ନାପୁଟିଆ ଚାଳଘରେ ରହୁଥିବା କିଛି ବେସାହାରା, ଅଭଙ୍ଗା ଲୋକଙ୍କ ସମଷ୍ଟି । ସରକାରଙ୍କ ଟାଳଟୁଳ ଥଇଥାନ ନୀତିରେ ଖଣ୍ଡେ ଘର, ଗୋବେ ଜାଗାର ଆଶ୍ରାକୁ ଆଶାକରି ଅବଶିଷ୍ଟ ମଣିଷମାନଙ୍କର ଗୋଟେ ଟାଣପଣ । କ’ଣ ? କ’ଣ ? କ’ଣ ଏ ସାତଭାୟା ?

ମୋ ଅନ୍ୟମନସ୍କତାରେ ବସନ୍ତର କିଛି ହିଁ ଭାବାନ୍ତର ନଥିବ । ପାହାଚ ଉପରେ ତା’ ଜରି ବ୍ୟାଗ୍‌ରୁ କାଢ଼ି ମେଲି ଦେଇଥିବ ମୋଡ଼ାମକଚା ଗୋଛାଏ କାଗଜ । ପ୍ରତିଟି କାଗଜ ଉପରେ ଥିବ ତା’ ପ୍ରତିବାଦର ଲିଖିତ ଇତିହାସ । ଖାଲି ତା’ର ନୁହଁ, ତା’ ବାପା ଗୋସଁବାପ ଅମଳରୁ, କେବେ ସରକାରଙ୍କୁ ଥଇଥାନ ପାଇଁ କରାଯାଇଥିବା ଆବେଦନର କାଗଜପତ୍ର ସମେତ ତା’ ନିଜର ଦୀର୍ଘ ତିରିଶ ବର୍ଷର ସଂଗ୍ରାମର ଦଲିଲ । ସବୁ କାଗଜ ପଛରେ ଲେଖା ହେଇଥିବ ସ୍ଥାନ, ତାରିଖ । ସୂତାଖଣ୍ଡକରେ ଗୁନ୍ଥା ହେଇ ଖବରକାଗଜର କଟ୍‌ପିସ୍‌ମାନ ମଧ୍ୟ ଥିବ । ସେସବୁକୁ ଥରେ ଦି’ଥର ମୋତେ ସିଏ ପଢ଼େଇଚି । ପଢ଼ିବାକୁ ଇଚ୍ଛା ନଥିଲେ ବି ତା’ ଆକୁଳ ବିନତି ଆଗରେ ମୁଁ ବାଧ୍ୟ ହେଇଚି ।

– ସାର୍, ସାର୍, ଦେଖନ୍ତୁ ନା, ଏଇଟା ହଉଚି ଉଣେଇଶ ଏକଷଠୀ ସାଲ୍‌ରେ, ସମାଜରେ ବାହାରିଥିବା ନିଉଜ୍ । ଏଇଟା ସମ୍ୱାଦ, ଏଇଟା ଧରିତ୍ରୀର ଖବର । ଖଣ୍ଡେ ଘରଡ଼ିହ ଆଉ ଥଇଥାନ ପାଇଁ ଦାବି କରି ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆମ ଗାଁ ଲୋକେ ଅନଶନରେ ବସିଥିବା ଖବର । ଏଇ ପଢ଼ନ୍ତୁ, ଜିଲ୍ଲାପାଳ ଲୋକଙ୍କୁ ଅନଶନରୁ ଉଠେଇବାକୁ ଦେଇଥିବା ପ୍ରତିଶ୍ରୁତିର ସରକାରୀ ଚିଠିର ନକଲ । ସେଇ କାଗଜ ଟୁକୁରାରେ ପଛକୁପଛ ଗୁନ୍ଥା ହେଇ ରହିଥିବା ସାତଭାୟା ଥଇଥାନର ଅତୀତରୁ ବର୍ତ୍ତମାନ । ଚହଲା ପାଣିର ଢେଉ ନିମିଷକ ପାଇଁ ମୁଣ୍ଡଟେକି ମିଳେଇଯିବା ପରି ଲାଗୁଥିବ ସେଇସବୁ ବିଦ୍ରୋହ ଆଉ ପ୍ରତିଶ୍ରୁତିର ଲୁଚକାଳି ଖେଳ । ତା’ ପାଖକୁପାଖ ରଖାଯାଇଥିବା ନେତା, ମନ୍ତ୍ରୀଙ୍କ ଭୋଟ୍ ସମୟରେ ଫମ୍ପା ପ୍ରତିଶ୍ରୁତିର ଦସ୍ତାବିଜ୍ । କେତେ ଯେ ମିଛ ବାହାନାର ମାୟାକୁହେଳି । ସେ ସବୁ କାଗଜକୁ ପଢ଼ିଲେ ଜଳଜଳ ଦିଶିଯାଉଥିବ ।

ବସନ୍ତ କିନ୍ତୁ ଆଉ ଗୋଟେ କଥା କହେ- “ବୁଝିଲେ ସାର୍, ଏଇ ମିଛ ପ୍ରତିଶ୍ରୁତି ସବୁ କ’ଣ କମ୍ ମାଏନା ରଖେ କି ଆମ ଗାଁ ପାଇଁ !”

ମୁଁ ପଚାରେ- “କେମିତି ?”

– ବୁଝିଲେ ଆଜ୍ଞା, ଏତକ ମିଳୁଥିଲା ବୋଲି ତ ଘରଦ୍ୱାର ଆଶାଛାଡ଼ି ବାୟାବାତୁଳ ପ୍ରାୟ ବୁଲୁଥିବା ବେଘର ଲୋକଙ୍କୁ ବୁଝେଇ ଗାଁରେ ରଖାଯାଇ ପାରିଛି । ଦାଦନ ଖଟିବାକୁ ଯିବାରୁ ଫେରେଇ ଅଣାଯାଇ ପାରିଛି ।

ନେତାଙ୍କ ମିଛ ପ୍ରତିଶ୍ରୁତି, ବେଦରଦୀ ପ୍ରଶାସନର ଅଭଙ୍ଗା ନିଦକୁ ବସନ୍ତ ତା’ ପ୍ରତିବାଦ, ଅନଶନର ଛୋଟ ହାତୁଡ଼ି ପାହାରରେ ଯେ ଚୂନା ଚୂନା କରିଦେଇଚି, ତା’ ନ ହୋଇପାରେ, କିନ୍ତୁ ଫଟେଇ ପାରିଚି । ତା’ ସଂଗ୍ରାମର ଡିନାମାଇଟ୍ ଦିନେ ଏଇ ଛଳନାର ପାହାଡ଼କୁ ମାଟିରେ ମିଶେଇ ଦେବ, ଏକଥା ମଧ୍ୟ କହିହେବ ।

ବସନ୍ତ ଆହୁରି ମଧ୍ୟ କହେ- ଏଇ କେତେ ପରିବାର ଗାଁରେ ପଡ଼ିରହିଛନ୍ତି ବୋଲି ତ ସାତଭାୟା ଅଛି । ଗୋଟେ ନାଆଁ ଅଛି । ଏତକ ନ ଥିଲେ କାହାକୁ ନେଇ ଚାଲିଥାନ୍ତା ଲଢ଼େଇ । ଯୋଉମାନେ ପାଠଶାଠ ଦି’ଅକ୍ଷର ପଢ଼ିଲେ, ସିଏ ଗାଁ ଛାଡ଼ିଲେ । ଆଉ ଯିଏ ଚାଲଖ ଚତୁର, ସେମାନେ ବେପାର ବଣିଜ କରିବାକୁ ଯାଇ କୁଆଡ଼େ କୁଆଡ଼େ ରହିଗଲେ । ଏକଥା ବୁଝିବାକୁ ସେମାନଙ୍କର ତର କାଇଁ ।

ମୁଁ ପଚାରେ- “ଆଚ୍ଛା ବସନ୍ତ, ତମେ ତ ପାଠଶାଠ ପଢ଼ିଚ, ତମେ ଚାହିଁଥିଲେ କଉଠି କେମିତି କର୍ମସଂସ୍ଥାନ ଖୋଜି ପାରିଥାନ୍ତ । ତମେ ସେ ଗାଁରେ ପଡ଼ି ରହି କ’ଣ ପାଉଚ ?”

ବସନ୍ତ ହସେ । ଶୁଖିଲା ହସ । ଅପସନ୍ଦର ନୁହଁ । ମୋ ପ୍ରଶ୍ନର ଉତ୍ତରରେ ସେ ଯେଉଁ ଶବ୍ଦଟି ଉଚ୍ଚାରଣ କରେ, ତାହା ଏତେ ମୁମୂର୍ଷୁ, ଏତେ ବେଦନାଭରା ଯେ ମୁଁ ଶୁଣି ମଧ୍ୟ ବିଶ୍ୱାସ କରିପାରେନା ।

ପରିଚୟ !

– ଏଇ ଯେଉଁ ସମୁଦ୍ରକୂଳରେ, ଆପଣ ସାର୍ ଶୁଣିଥିଲେ, ଏକଦା ସାତଟା ଗାଁ ଥିଲା । ଏବେ ସେମାନେ ନିଶ୍ଚିହ୍ନ । କନିକା ରାଜାଙ୍କ ଅମଳରୁ ସେଇ ଗାଁର ଲୋକମାନେ ଜଳଦସ୍ୟୁ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଜଳପଥକୁ ପହରା ଦେଇ ରହୁଥିଲେ । ଖାଲି ଯେ ଦରିଆ ସେମାନଙ୍କୁ ନେଇଯାଇଛି, ତା’ ନୁହେଁ । ବିଦେଶୀମାନଙ୍କ ସହ ଲଢ଼େଇରେ ବି ଅନେକ ପ୍ରାଣ ହରେଇଛନ୍ତି । ହେଲେ, କିଏ ଜାଣିଥିଲା, ଦିନେ ଏଇ ରାଇଜ ପାଇଁ ପ୍ରାଣ ଦେଇଥିବା ଲୋକମାନଙ୍କର ଏ ମାଟିରୁ ପରିଚୟ ହଜିଯିବ ବୋଲି । ବସନ୍ତ କଥାର ଭାବପ୍ରବଣତାରୁ ଓହରିଯାଇ କହେ- “ଛାଡ଼ନ୍ତୁ ସେସବୁ । ଆପଣ ଏଇଠି ଦୀର୍ଘଦିନ ଚାକିରି କରି ରହିଲେଣି, ଅନେକ କଥା ଜାଣିଛନ୍ତି । ନିଜ ହାତରେ ଅନେକ ଦରଖାସ୍ତ ଲେଖିଛନ୍ତି । ଆଜି ଆଉ ଗୋଟେ ଲେଖି ଦିଅନ୍ତୁ ନା ।”

ଦରଖାସ୍ତ ଲେଖା ଚାଲିଥବ, ବସନ୍ତ ପରକୁ ପର ମନେପକାଇ କହୁଥିବ- “ସାର୍, ଅନେଶ୍ୱତ ମସିହାରେ ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତି କଥାଟା ଲେଖିବାକୁ ଭୁଲିଯିବେ ନାହିଁ । ଆଉ ଗୋଟେ ଧାଡ଼ି ଲେଖନ୍ତୁ, ରାଜସ୍ୱ ବିଭାଗ ବଗପାଟିଆର କିସମ ବଦଳେଇ ସରକାରୀ ଖାତାକୁ ଆଣିବା କଥା । ଏମିତି ଏମିତି ।”

ଦରଖାସ୍ତକୁ ଯେତେ ସଂକ୍ଷିପ୍ତ କରିଦେଇ, ବସନ୍ତକୁ ବିଦା କରିବାକୁ ଚାହୁଁଥିବି, ଲେଖା ଶେଷ ହେବା ବେଳକୁ ଦେଖିବି, ପୁରାଟା କାଗଜ ନିଅଣ୍ଟ ।

ପ୍ରତିଥର ଲେଖା ଶେଷ ବେଳକୁ ମୋ ମନକୁ ଦି’ଟା କଥା ଆସେ. . . ଏକ- ମୋ ଲେଖାର ଏକ ବିସ୍ତୃତ ବିବରଣୀକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜସ୍ୱମନ୍ତ୍ରୀ, ଏମିତି କି ତହସିଲଦାର ଯାଏ ବାବୁମାନେ ପଢୁଥିବେ କି ? ପଢୁଥିବେ ଓ ସେମାନଙ୍କ ଅଭଙ୍ଗା ନିଦକୁ ଏ ଲେଖା ଛୋଟ ଛୋଟ ମଶାଟି ହେଇ ଭାଙ୍ଗିବା ତ ଦୂରର କଥା କାମୁଡ଼ି ବିରକ୍ତ କରିପାରୁଥିବ ତ ? ସେମାନେ ଯେ କୁମ୍ଭକର୍ଣ୍ଣ ନିଦରେ ।

ଦରଖାସ୍ତର ଦ୍ୱିତୀୟ କଥା ହେଲା- କାଗଜର ଛାତି ଉପରେ ମୁଁ ଲେଖିଥିବା ଶବ୍ଦଗୁଡ଼ାକୁ ଦେଖୁ ଦେଖୁ ନିଜେ ବି ଅନ୍ୟମନସ୍କ ହେଇପଡ଼େ । ନିଜକୁ ପଚାରି ହୁଏ ଏଇ ଶବ୍ଦମାନଙ୍କ ଭିତରେ କ’ଣ ସେତିକି ସାମର୍ଥ୍ୟ ଅଛି, ଯାହା ସାତଭାୟାର ଦୟନୀୟ ସ୍ଥିତିକୁ ଚିତ୍ରେଇ ପାରିଚି ସମସ୍ତଙ୍କ ଆଖି ସାମ୍ନାରେ ?

ମୁଁ କେତେ ମନା କରିବା ସତ୍ତ୍ୱେ ବସନ୍ତ ମତେ ବାଧ୍ୟ କରି ତା’ ଗାଁକୁ ଥରେ ଦି’ଥର ନେଇଚି । ଗୋଟେ ଦି’ଟା ରାତି ବି କଟେଇଚି ସେଇଠି । ବୁଲାବୁଲି କଲାବେଳେ ଅନୁଭବ କରିଚି । ସାରା ଗାଁଟା ପାଇଁ ଜୀବନରେଖା ପରି ବେଢ଼ିଥିବା ଜରାଜୀର୍ଣ୍ଣ ଲୁଣାଘେରି ବନ୍ଧ, ବାଲିକୁଦ, ପଞ୍ଚବରାହୀଙ୍କ ବିଜେସ୍ଥଳୀର ସ୍ଥିତି । କେହି ଜଣେ ନୂଆ ଲୋକ ଦେଖିଲେ କିଛି ପାଇବା ଆଶାରେ ହାତପତେଇ ଧାଇଁ ଆସୁଥିବା ଏକଗୋଡ଼ିଆ କଇଆ, ପାଛିଆ, ଝଙ୍କା, ମୁଣ୍ଡୁଳା ଜାଲ ଧରି ମାଛ ମାରିବାକୁ ନାଳବନ୍ଧ ଉପରେ ଚାଲୁଥିବା ଦଳଦଳ କୁଆଁରୀ ଝିଅ । ବାଗିଆ କି ବାହୁଙ୍ଗୀ ଧରି କଙ୍କଡ଼ା, ଜାଳ ସଂଗ୍ରହ କରିବାକୁ ଯାଉଥିବା ଭେଣ୍ଡିଆ ମର୍ଦ୍ଦ, ବାଲିକୁଦକୁ ମାଆର ଛାତି ପରି କୁଣ୍ଢେଇ ଧରିଥିବା ମାଳମାଳ ନାପୁଟିଆ ଚାଳଘର, ସାଇଁ ସାଇଁ କରୁଥିବା ଧାରେ ଝାଉଁବଣକୁ ଦେଖି ଦେଖି ଥକ୍କା ହେଇ ଫେରିଆସେ ତା’ ଘରକୁ । ମନକୁ ଆସେ, ଇଏ କ’ଣ ବସନ୍ତ କହୁଥିବା ସାତଭାଇର ଗାଁରୁ ବଞ୍ଚି ରହିଥିବା ଏକଇର ବଳା ବିଶିକେସନ ସାତଭାୟା । ମଗରକନ୍ଦା କେବେ ବଗପାଟିଆକୁ ଉଠିଯିବା ପାଇଁ ମନରେ ଆଶା ବାନ୍ଧିଥିବା ଇଏ କ’ଣ ସେଇ ଭାଗ୍ୟହୀନ ମଣିଷମାନେ ? ଏଇଠୁ କ’ଣ ଦିନେ ସାଧବପୁଅ ଦୂର ବିଦେଶକୁ ଯାଉଥିଲେ ? ସାତଭାଇଙ୍କ ନୟନପିତୁଳି ତଅପୋଇର ଗାଁ ଇଏ ?

ମୁଁ ଗୋଟେ ଥର ଜହ୍ନରାତିରେ ବସନ୍ତକୁ ସାଙ୍ଗରେ ନେଇ ବୁଲିଚି ସମୁଦ୍ର ବେଳାଭୂଇଁ । ପାଦ ଉପରେ ଚଢ଼ିଯାଉଥିବା ଟିକିଟିକି ଲାଲ୍ କଙ୍କଡ଼ାକୁ ଗୋଡ଼େଇଚି ବାଲି ପଠାରେ । କିଛି ଗୋଟେ ଲେଖାଲେଖି କରିବାକୁ ଏକମନରେ ଚାହିଁରହିଚି ଅହରହ ମଥା ପିଟୁଥିବା ଉଦ୍ଧତ ଲହଡ଼ିମାଳାକୁ । ଶ୍ୱେତ ଅବିର ବୁଣୁଥିବା ଜହ୍ନକୁ । ଆକାଶରେ ଭାସୁଥିବା ଛିନାଛିନା ବାଦଲକୁ । କବିତାରୁ ଧାଡ଼ିଏ ମନକୁ ଆସୁ ନ ଆସୁଣୁ ବସନ୍ତ ମୋ ପାଖକୁ ଆସିଯାଏ । ମୋ ଅନ୍ୟମନସ୍କତାକୁ ଦେଖି କହେ- “କ’ଣ ଏତେ ଦେଖୁଛନ୍ତି ସାର୍ ?” ଏ ଲହଡ଼ି, ଏ ଜହ୍ନ, ଏ ବାଦଲକୁ ନେଇ କବିତା ଫବିତା ଲେଖିବେ କି ? ଏମାନେ ନୂଆ ନୂଆ ଆପଣଙ୍କୁ ମୋହିନୀ ମାୟାରେ ଟାଣି ନେଉଥିବେ ନିଶ୍ଚୟ ! ହେଲେ, ଏମାନଙ୍କୁ ଆପଣ ଚିହ୍ନି ନାହାନ୍ତି ।

ମୁଁ ଆଶ୍ଚର୍ଯ୍ୟ ହେଇ ପଚାରେ- “ମାନେ ?”

ବସନ୍ତ କହେ- “ଏଇ ଯୋଉ ଲହଡ଼ି ଦେଖୁଚନ୍ତି, ଚଗଲା ଛୁଆଟି ପରି ଖପ୍ ଖପ୍ ଡିଆଁ ଡେଇଁ କରୁଚି. . . ଥରେ ଆଷାଢ଼ ମାସକୁ ଆସନ୍ତୁ, ୟା’ ରୂପକୁ ଦେଖିବେ, ୟା’ ଅହଂକାରକୁ ଚିହ୍ନିବେ । ଏବେ ତ କାତିଛଡ଼ା ସାପ ପରି କଡ଼ ଲେଉଟେଇ ଭିଡ଼ିମୋଡ଼ି ହଉଚି, ସେତେବେଳକୁ ଭୟଙ୍କର ଅଜଗର ପରି ଫୁତ୍କାର ଛାଡୁଥିବ । ଏଇ ଯୋଉ ବାଲିକୁଦ ଦେଖୁଛନ୍ତି ନା, ସାଆପେ ତାକୁ ଗିଳେ କି ନ ଗିଳେ । ଏ ଜହ୍ନ, କି ଭରସା ଅଛି ୟା’ର ।”

ଖବରକାଗଜରେ ବାହାରିଚି ଆଜି ଆୟୋଜନ ହେଉଚି ଜିଲ୍ଲାପାଳ, ବିଧାୟକ ଓ ସ୍ଥାନୀୟ କିଛି ନେତାଙ୍କ ପାଇଁ ସମ୍ୱର୍ଦ୍ଧନା ଉତ୍ସବ । କୁହାଯାଇଚି, ଯେଉଁମାନଙ୍କ ଅକ୍ଳାନ୍ତ ଶ୍ରମ, ନିଷ୍ଠା ଓ ଚେଷ୍ଟା ଯୋଗୁଁ ଏସବୁ ସମ୍ଭବ ହୋଇପାରିଚି । ସାରାଟା ଖବରକୁ ଦି’ତିନିଥର ପଢ଼ିଲିଣି, ହେଲେ କାଇଁ କୋଉଠି ହେଲେ ବସନ୍ତର ନାଆଁ ତ ନାହିଁ । ଅଥଚ. . .

ମୋତେ ଲାଗିଲା, ସତରେ ଏ ବିସ୍ଥାପନର ଲମ୍ୱା ଇତିହାସ ଯଦି କେହି ଲେଖି ବସେ, ତା’ହେଲେ ବସନ୍ତ ବିନା ଯେ ସବୁ ଅଧା, ଅଧୁରା ! ଅସମ୍ପୂର୍ଣ୍ଣ ! ଅଥଚ ଏମାନେ ସମସ୍ତେ କେମିତି ଭୁଲିଗଲେ ? ହେଲେ, କିଏ କାହାକୁ କହିବ ଏକଥା ? ଯିଏ କହନ୍ତା, କେତେଦିନ ହେବ ତା’ର କିଛି ଖୋଜ୍ ଖବର ନାହିଁ । ସାତଭାୟା ନଥିବା ବେଳେ ସିଏ ଥିଲା, ଅଥଚ ଆଜି ସାତଭାୟା ଥିବାବେଳେ ସିଏ ନାହିଁ । ହାଏ !

ମନେ ମନେ କହିଲି. . . କୁଆଡ଼େ ଗଲା ବସନ୍ତ ? କିଏ ସେ ଖୋଜିବ ସେ ଚଳନ୍ତି ଇତିହାସକୁ ? ଆଜି ଯେଉଁମାନେ ମଞ୍ଚ ଉପରେ ଠିଆ ହେଇ, ଗର୍ବର ସହ ଗ୍ରୀବା ଲମ୍ୱେଇ ଫୁଲମାଳ ପିନ୍ଧିବେ, ସେମାନେ କ’ଣ ଚିହ୍ନିବେ, ଖୋଜିବେ ତାକୁ ?

ଆଃ. . . ତମେ କଉଠି ବସନ୍ତ, କଉଠି ? ଆସ, ଫେରିଆସ । ଅନ୍ତତଃ ଆଜିଦିନଟା ପାଇଁ । ନା- ତମେ ଚାହଁନା ଏମିତି ଗୋଟେ ଇତିହାସ ତମ ନାଆଁରେ ଲେଖାଯାଉ ବୋଲି । ନା ତମେ କ’ଣ ଚାହଁ ଏଇ ଭଣ୍ଡ ପ୍ରତାରକମାନଙ୍କ ନାଆଁରେ. . . ?

କଉଠି ?

କଉଠି ?

କଉଠି ତମେ ବସନ୍ତ ?

ଥରେ ଆସି ଦେଖିଯାଅ, ଯେଉଁ ଆର୍ତ୍ତି ମଣିଷଙ୍କ ମୁହଁରେ ହସ ଫୁଟେଇବାକୁ ତମେ ନିଜକୁ ଭୁଲିଯାଇଥିଲ, ସେଇଠି ଆଜି ଫୁଲ ଫୁଟିଚି । ଶହ ଶହ ଓଠରେ ହସ ଫୁଟିଚି । ନୂଆ ବସନ୍ତ ଆସିଚି । ହସଖୁସିର ବସନ୍ତ । ହେଲେ. . . !

ମୁଁ ଭାବନାରେ ବୁଡ଼ିଯାଇଚି ଯେ ଯାଇଚି । ଖବରକାଗଜ ଆଉ ଆଗକୁ ପଢ଼ିନାହିଁ । ମୋ କ୍ୱାର୍ଟର ଭିତରକୁ ଆମ ଅଫିସ୍ ପିଅନ ପଶିଆସିଲା । ହାତରେ ଗୋଟେ ମିଠା ପ୍ୟାକେଟ୍ । ମୋ ଆଡ଼କୁ ବଢ଼େଇ ଦଉଦଉ କହିଲା- “ସାର୍ ଜଣେ ଲୋକ ଏ ପ୍ୟାକେଟ୍ଟା ଆପଣଙ୍କୁ ଦେବା ପାଇଁ କହି ଜରୁରୀ କାମ ଅଛି ବୋଲି କହି ତରତର ହୋଇ ଚାଲିଗଲେ ।”

1 Comment

1 Comment

  1. Binay Mohapatra

    December 28, 2017 at 9:02 am

    ଖବ୍ ସୁନ୍ଦର ଉପସ୍ଥାପନା ।

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top