ଗଳ୍ପ

ସମୁଦ୍ରର ସଙ୍ଗୀତ

ସେ ଶୁଣିଛି ଅତନୁ କୁଆଡ଼େ ମଦ ଖାଇ ତା’ ସ୍ତ୍ରୀକୁ ପିଟେ । ଅତ୍ୟାଚାର କରେ । କ୍ଲବ୍‌ରେ ରାତି ବିତାଏ ଅତନୁ । ଗହଣାର ବୋଝ ଆଉ ଧନର ପାହାଡ଼ ଉପରେ ଘର ତିଆରି କରି ମଧ୍ୟ ତା’ ସ୍ତ୍ରୀ ଅସୁଖୀ ।

ସମୁଦ୍ରର ସଙ୍ଗୀତ

ବର୍ଷା ଶୋଇ ଶୋଇ ଭାବୁଥିଲା । ଆକାଶରେ ଫିକା ନାରଙ୍ଗୀ ଖରା । ଜମାଟ ବାନ୍ଧିଥିବା ମେଘ ଆସ୍ତେ ଆସ୍ତେ ସଫା ହେଲାଣି ।

ବର୍ଷା ଝରକାକୁ ଖୋଲି ଦେଲା । ମେଞ୍ଚାଏ ଖରା ତା’ ଉପରେ ପଡ଼ିଛି । କଅଁଳ ଉଷୁମ ଖରା ଭଲ ଲାଗୁଛି ।

କେଉଁ ଏକ ବେସରକାରୀ ଅଫିସ୍‌ର ଟାଇପିଷ୍ଟ ବର୍ଷା ରାୟ । ବଡ଼ ସହର । ଛୋଟ ଘର । ଘରଭଡ଼ା ବହୁତ । ତା’ ଛଡ଼ା ପାଣି, ବିଜୁଳି, ଆଲୁଅ ସବୁଟା ନିହାତି ଦରକାର । ଛୋଟ ଛୋଟ ତିନି ବଖରା ଘର । ଛୋଟ ଗୋଟିଏ ମାଟିର ଅଗଣା । ବର୍ଷାର ହାତକରଣା ଶାଗ ପଟାଳିଏ, ଚାରିଛଅଟା ଲଙ୍କାମରିଚ ଗଛ, ସଜନା ଗଛଟିଏ, ମଲ୍ଲୀଗଛ ଦି’ବୁଦା, ମଧୁମାଳତୀ ଲତାଟିଏ ।

ତୁଷାରକାନ୍ତ ଫେରିନାହାନ୍ତି । ଅପରାହ୍ନର ଖରା ଅଳସେଇ ଅଳସେଇ ସଜନା ଗଛ ଉପରକୁ ଉଠୁଛୁ । ବର୍ଷା ଏକା ଏକା ଘରେ ଅଛି । ସ୍କୁଲ୍‌କୁ ଯାଇଛନ୍ତି ଦୁଇ ପୁଅ ଝିଅ ଟିପି ଆଉ ନିଲୁ । କେତେ ଶୀଘ୍ର ସେମାନେ ବଡ଼ ହୋଇ ଯାଉଛନ୍ତି । ଦୁଇଟି ସନ୍ତାନର ଜନନୀ ହିସାବରେ ବଞ୍ଚିବାର ଗୌରବ କେବଳ ଦେଇପାରିଛି । ବର୍ଷା ଆଖି ବଡ଼ କରି ଦର୍ପଣକୁ ଚାହିଁଲା । ମୁହଁରେ ବୟସର ଦାଗ । ସମୟର ଢେଉରେ ମନପୋଡ଼ି କଇଁଥା ହୋଇଗଲାଣି । ବୁଢ଼ିଆଣୀ ପରି ଖାଲି ଜାଲ ବୁଣିବା କଥା । ପାଣିଚିଆ ହସରେ ଓଠକୁ ଭିଜେଇ ମନକୁ ଭିଜେଇ ଖାଲି ଖୁସି ହେବା କଥା ।

ସେଦିନ କିନ୍ତୁ ରଙ୍ଗ ଥିଲା, ମହକଥିଲା । ଜୀବନ ପାତ୍ରକୁ ପୂର୍ଣ୍ଣ କରିଥିଲେ ତୁଷାରକାନ୍ତ । ଆଜିର ତୁଷାରକାନ୍ତ ଜମାଟ ଅନ୍ଧାର ଭିତରେ ଜୁଳୁଜୁଳୁ କରୁଥିବା ଏକ କ୍ଷୀଣ ଆଲୁଅ, ଯାହାର ସାହାରରେ ସେ ଏତେ ବାଟ ଆଗେଇ ଆସିଛି । ନିଜ ଭାଗ୍ୟକୁ ଦୋଷ ଦେଲା ବର୍ଷା । ତୁଷାରକାନ୍ତଙ୍କୁ ଦୋଷ ଦେଇପାରିଲାନାହିଁ । ଅନେକ ମୁହୂର୍ତ୍ତକୁ ଫେଣ୍ଟି ଫେଣ୍ଟି ଜୀବନର ଅଭିଧାନକୁ ଠିକ୍ ବୁଝିପାରିଛି ସେ । ରୁଦ୍ଧ ଅଭିମାନ ମୁହଁ ଉପରେ ଇସାରା ଦିଏ । ଛଟପଟ ଲାଗେ । ଦ୍ୱନ୍ଦ, ଆଶଙ୍କା, ଭୟ ଆଉ ଭବିଷ୍ୟତ ଚିନ୍ତାରେ ଉବୁଟୁବୁ ହୋଇ ନାରୀ ଜୀବନଟା ଗଡ଼ିଚାଲେ । ଯେତେ ତଳେଇ କରି ଦେଖିଲେ ସବୁ ଦିଶେ ଶୂନ୍ୟ । ନହେଲେ ସବୁ ଆଲୁଅ ଏକାଠି ଜମା ହୋଇଯାଏ । ଆଖି ଜଳକା ହୋଇଯାଏ ।

ଦରମା ତିନିମାସର ବାକି । ଘର ଚଳାଇବାକୁ ପଡ଼େ । ମନ ଭିତରେ ଖେଞ୍ଚି ଉଠେ । ଗୋଳେଇ ପାଳେଇ ହୋଇ ତଣ୍ଟି ପାଖରେ ସଲ ସଲ ହୁଏ । ଯେତେବେଳେ ତୁଷାରକାନ୍ତ ଫେରନ୍ତି, କପାଳରେ ଅସରା ଅସରା ଝାଳ, ମୁହଁରେ ନିରୀହ ଚାହାଁଣୀ । ହେଲେ ସେ ପରିଶ୍ରମର ସାର୍ଥକତା ନାହିଁ । କାରଣ ସେ ସରକାରୀ ଚାକିରିଆ ନୁହଁନ୍ତି । ରୋଜଗାରକ୍ଷମ ନୁହଁନ୍ତି । ନିତିଦିନିଆ ଜୀବନରେ ଅଭାବ ଅସୁବିଧାର ଯେଉଁ କବିତାଟି ରଚନା କରି ବର୍ଷା, ତା’ ସେ ଶୁଣାଇ ପାରେ ନାହିଁ । ସେ ବୁଝେ ଟଙ୍କା, ପ୍ରତିପତ୍ତି, ସମ୍ମାନ ଖୋଜିଥିଲେ ତୁଷାରକାନ୍ତ ପରି ମନଟିଏ ପାଇ ନ ଥାନ୍ତା ।

ହୃଦୟ ଆଉ ଟଙ୍କା ଏକା କଥା ନୁହେଁ । ବର୍ଷାକୁ ନେଇ ତୁଷାରକାନ୍ତ କବିତା ଲେଖନ୍ତି । ସୁଖ ଦୁଃଖର କବିତା । ବର୍ଷା ଲୁଚେଇ ଲୁଚେଇ ପଢ଼େ । ତୁଷାରକାନ୍ତର ପାଣ୍ଡୁଲିପି ଖୋଲେ । ମୁହଁରେ ମନରେ ଚମକ ଲାଗେ । ମନେପଡ଼େ ପଛ ଜୀବନର ଅଭୁଲା ସ୍ମୃତି । ବାସ୍ତବତାର ଚାବୁକ ପ୍ରହାରରେ ବର୍ଷାର ପୁଣି ଚାଉଁକରି ମନେ ପଡ଼ିଯାଏ । ଜୀବନଟା କବିତା ନୁହେଁ । ଏ ସବୁ ମିଛ ଉତ୍ତେଜନା । ଜୀବନକୁ ଭୁଲିବାର ବାହାନା ।

ଅତନୁର ମଟରସାଇକଲଟା ଶବ୍ଦ କରି ସବୁଦିନ ତା’ ଘର ଆଗରେ ଚାଲିଯାଏ । ବର୍ଷା ଚଉଡ଼ା ଆଖି କରି ଚାହିଁ ରହେ । ଅତନୁ ଦାସର ବ୍ୟାଙ୍କ୍ ବାଲାନ୍ସ ଅଛି । ଡ୍ରିଙ୍କ କରେ । ଉଦ୍ଧତ ଦୃଷ୍ଟି ମୋଟା ହେଉଛି ଦିନକୁ ଦିନ ।

ଅତନୁ ତା’ ମନ ଉପବନରେ ମେଞ୍ଚାଏ ରୋମାଞ୍ଚ ଆଣି ଦିଏ କ୍ଷଣକ ପାଇଁ । ପୁଣି ସବୁ କେମିତି ଲିଭିଯାଏ । ଦେଖାଦିଏ ଅନ୍ଧାର ଆଉ ତା’ ଭିତରେ ତିନି ଚାରିଟା ଖୋଜିଲା ଖୋଜିଲା ମୁହଁ ।

ସେହି ଅତନୁ ଭଲ ପାଉଥିଲା ବର୍ଷାକୁ । ଧମକ ଦେଇଥିଲା ବିବାହ କରିବାକୁ । ବର୍ଷା ଦିନେ ଡରୁଥିଲା ଗୁଣ୍ଡା, ବଜାରୀ, ଅଭଦ୍ର ଅତନୁକୁ । କିନ୍ତୁ ସେ ଠିକ୍ ଜାଣିଥିଲା ଧମକ ଦେଇ କେହି କାହାକୁ ନିଜର କରିପାରେନି । ପ୍ରତିଜ୍ଞା କରି କେହି କାହାକୁ ଭଲ ପାଏନି । କେତେଦିନ ସହରରୁ ନିଖୋଜ ହୋଇ ଯାଇଥିଲା ଅତନୁ । ଆଉ ତା’ ଭିତରେ ବର୍ଷାର ବିବାହ ହୋଇ ସାରିଥିଲା । ବାହାଘର ପରେ ବର୍ଷା ଶୁଣିପାରିଲା ଅତନୁର ସ୍ୱର । ସେ ମନଖୋଲା ହସ ହସିଥିଲା । ଅତନୁ ତାକୁ ଆଉ ଧମକ ଦେଇପାରିବନି । ସେ ଏବେ କବିର କବିତା, ବର୍ଷାର ପୀୟୂଷ ଧାରା ।

ଆଉ କିଛିଦିନ ପରେ ତୁଷାର ସହିତ ଅତନୁକୁ ନିଜ ଘରେ ଦେଖି ବିସ୍ମୟରେ ବିମୂଢ଼ ହୋଇ ଯାଇଥିଲା । ଆଉ ସବୁଠୁ ବଳି ଆଶ୍ଚର୍ଯ୍ୟ ହୋଇଯାଇଥିଲା, ତୁଷାର ଅତନୁର ନିଜସ୍ୱ କମ୍ପାନୀରେ ଚାକିରୀ କରେ ।

ବର୍ଷାର ମୁହଁ ଉପରେ ଆକାଶର ସବୁ ମେଘ ଜମା ହୋଇ ଯାଇଥିଲା । ହେଲେ ସେ ତୁଷାରକୁ କିଛି କହିନଥିଲା । ମିଛରେ ସନ୍ଦେହ ବଢ଼ିବ । ମନାନ୍ତର ଘଟିବ । ଦାମ୍ପତ୍ୟ ଜୀବନରେ ସୁଖ ସଉଧ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯିବ । ବର୍ଷା ଚୁପ୍ ରହେ । ନାରୀ ଜୀବନରେ ଅନେକ କଥା ଗୋପନ ରଖିବାକୁ ପଡ଼େ ।

କବିର କବିତା ହୋଇ ସେ ଯେତେବେଳେ ଆତ୍ମହରା ହୋଇ ଉଠୁଥିଲା, ତୁଷାରକାନ୍ତର ପ୍ରଶଂସାରେ ଦୁନିଆଁ ହୋଇଉଠୁଥିଲା ଶତମୁଖ, ସେତେବେଳେ ଅତନୁ ଦାସ ନେଇଥିଲା ଭୀଷଣ ପ୍ରତିଶୋଧ । ଟଙ୍କା ଆତ୍ମସାତ୍ ଅଭିଯୋଗରେ ଗିରଫ୍ ହେଲା ତୁଷାରକାନ୍ତ । ବର୍ଷା ଜାଣିପାରିଲା ଅତନୁର ଚକ୍ରାନ୍ତ । ଇସ୍, ମଣିଷ ପୁଣି ମଣିଷ ଉପରେ ଏପରି ପ୍ରତିଶୋଧ ନେଇପାରେ । ବର୍ଷାର ସୌନ୍ଦର୍ଯ୍ୟ ଆଉ ତୁଷାରକାନ୍ତର ପ୍ରଶଂସାକୁ ଗୋଟେ ଫୁତ୍କାରରେ ଉଡ଼େଇ ଦେଲା ଅତନୁ । ତୁଷାରକାନ୍ତର ଚାକିରୀ ଗଲା । ତୁଷାରକାନ୍ତ ଜେଲ୍ ଗଲା । ବର୍ଷା ସେ ଦୁଃଖ ସହିଲା, ଅଥଚ କ’ଣ କେମିତି ଏତେ ଶୀଘ୍ର ହୋଇଗଲା, ବର୍ଷା ଜମା ବୁଝିପାରିଲା ନାହିଁ ।

ତୁଷାରକାନ୍ତ ଜେଲ୍‌ରୁ ଫେରିଲା ପରେ ସେଇ ପ୍ରଗଳ୍ଭା ବର୍ଷା କେମିତି ନିଶ୍ଚଳ ମରୁନଦୀଟିଏ ପାଲଟିଗଲା । ମୁଣ୍ଡ ଉପରେ ଏତେ ବଡ଼ ଝଞ୍ଜା ବହିଗଲା, ବର୍ଷା ସହିଗଲା ।

ସହିଯିବାଟା ବୋଧହୁଏ ନାରୀର ଏକାନ୍ତ ଅନ୍ୟତମ ଧର୍ମ । ଆଉ ଜେଲ୍‌ରୁ ଫେରିଲା ପରେ ତୁଷାରକାନ୍ତ କିପରି ଗମ୍ଭୀର ହୋଇ ପଜଡିଥିଲା, ତା’ କବିତା ଆହୁରି କ୍ଳାନ୍ତ କରୁଣ ହୋଇପଡ଼ିଥିଲା ।

ତଥାପି କେଜାଣି କାହିଁକି ତୁଷାରକାନ୍ତର କବିତାରେ ନିଜକୁ ହଜେଇଦିଏ ବର୍ଷା । ଭୁଲିଯାଏ ଦୁଇଟି ସନ୍ତାନର ବୋଝ, କର୍ତ୍ତବ୍ୟ । ସ୍ୱର୍ଗର ଆନନ୍ଦ ଝରଝର ହୋଇ ଝରିପଡ଼େ ।

ଆଦର୍ଶବାଦକ ପାଚେରୀ ଉପରେ ଠିଆ ହୋଇ ତୁଷାରକାନ୍ତ କୁହାଟ ଛାଡ଼େ । ମାସ ଶେଷରେ ଦୁଇ ତିନୋଟି ଟିଉସନ୍‌ର ଟଙ୍କା କେତୋଟି ସମ୍ୱଳ । ବର୍ଷା ଘର ଚଳାଏ । ମାସକ ପାଇଁ ମାପିଚୁପି ଖର୍ଚ୍ଚ । ବର୍ଷା ବାସନ ମାଜେ, ରୋଷେଇ କରେ । ପିଲାଙ୍କ ଯତ୍ନ ନିଏ । ଦଶଟା ଆଗରୁ ସବୁକାମ କରେ । ଦୁଇମାଇଲ୍ ବାଟ ଚାଲି କରି ଯାଏ । ଫେରେ ସନ୍ଧ୍ୟାରେ । ତୁଷାରକାନ୍ତ ଅପେକ୍ଷା କରିଥାଏ ।

ବର୍ଷା ଉଠିଲା । ତୁଷାରକାନ୍ତ ତଥାପି ଫେରି ନାହାନ୍ତି । କୁଆଡ଼େ ଗଲେ ? ହୁଏତ କିଛି ଚାକିରୀ ପାଇଁ ଚେଷ୍ଟା କରି ଘୁରି ବୁଲୁଥିବେ ।

ଜୀବନଟା ଏକ ଟ୍ରାଜେଡ଼ି । ଭୟଙ୍କର ଦୁଃସ୍ୱପ୍ନ ।

ବର୍ଷା ଝୁଲୁଥିବା ଏକ ଫଟୋ ଆଡ଼କୁ ଚାହିଁରହିଲା । ତୁଷାରକାନ୍ତ ସହିତ ସେ ବଧୂ ବେଶରେ । ହାତ, ବେକ, ମୁଣ୍ଡ, କାନରେ ସୁନା ଗହଣା ଭର୍ତ୍ତି, ଖଣ୍ଡିଏ ବି ଆଜି ତା’ ପାଖରେ ନାହିଁ । କୁଆଡ଼େ ଗଲା ସେଦିନ !

ଆଜି ସେମାନଙ୍କର ବିବାହବାର୍ଷିକୀ । ତୁଷାରକାନ୍ତକୁ ସେ ମନେ ପକେଇ ଦିଏ । ତୁଷାରକାନ୍ତ ମନେ ରଖିଛନ୍ତି ନା ନାହିଁ । ସବୁ ବର୍ଷ ଏଇ ଗୋଟିଏ ଦିନ ସେମାନେ ତିଳ ତିଳ କରି ଉପଭୋଗ କରନ୍ତି । ତୁଷାରକାନ୍ତ ପୁଣି ସଜେଇ ଦିଅନ୍ତି ବର୍ଷାକୁ ନୂଆ ଉପହାରରେ । ହେଲେ ଏ ବର୍ଷ ? ଅନେକ ପିଛିଲା ସ୍ମୃତି । ମନର ଦୁଃଖକୁ ସବୁବେଳେ ଉଜେଇଁ ହୁଏ ନାହିଁ ।

ବର୍ଷା ପୁଣି ମନକୁ ଟାଣ କଲା । ସଂସାର କରିଥିଲେ ଏମିତି କ’ଣ ହୁଏ ନାହିଁ । ଆଜି ତା’ର ତ କାଲି ଆଉ କାହାର । ସେ ସ୍ୱାମୀର ସ୍ତ୍ରୀ, ସନ୍ତାନର ମାଆ ଓ ସବୁ ସହି ପାରିଲେ ସେ ପାଇବ ବଞ୍ଚିବାର ସ୍ୱାଦ । ସେ ଶୁଣିଛି ଅତନୁ କୁଆଡ଼େ ମଦ ଖାଇ ତା’ ସ୍ତ୍ରୀକୁ ପିଟେ । ଅତ୍ୟାଚାର କରେ । କ୍ଲବ୍‌ରେ ରାତି ବିତାଏ ଅତନୁ । ଗହଣାର ବୋଝ ଆଉ ଧନର ପାହାଡ଼ ଉପରେ ଘର ତିଆରି କରି ମଧ୍ୟ ତା’ ସ୍ତ୍ରୀ ଅସୁଖୀ । ପ୍ରାଚୁର୍ଯ୍ୟର ସରୋବରରେ ସନ୍ତରଣ କରି କେହି କ’ଣ ସୁଖୀ ହୁଏ ?

ବର୍ଷାର ଭାବନା ମୋଡ଼ ବୁଲାଏ । ଦୁନିଆଁରେ କେତେ ମହାନ୍ ସେ ତୁଷାରକାନ୍ତ । ସେ ତା’ ସ୍ତ୍ରୀକୁ ମାରେ ନାହିଁ । ମଦ ଖାଏ ନାହିଁ । ପରଝିଅ ଉପରେ ଆଖି ପକାଏ ନାହିଁ । ସେ କବିତା ଲେଖେ, ବର୍ଷାକୁ ନେଇ ସୁଖ ଦୁଃଖର କବିତା ।

ବର୍ଷା ଉଠିଲା । ଘରଦ୍ୱାର ସଫା କଲା । ବହିପତ୍ର ସଜାଡ଼ିଲା, ଜଳଖିଆ ତିଆରି କଲା । ପିଲାମାନେ ସ୍କୁଲରୁ ଫେରିଲେଣି । ତୁଷାରକାନ୍ତ ତଥାପି ଫେରି ନାହାନ୍ତି । କୁଆଡ଼େ ଗଲେ ?

କେତେ ଶୀଘ୍ର ଦିନର ଆଲୁଅ ଲିଭିଲିଭି ଆସିଲା । ଆକାଶରେ ଶୁକ୍ଳ ତିଥିର ଚନ୍ଦ୍ରମା, ବର୍ଷା ପୁଣି ଥରେ ମନେ ପକାଇଲା । ଆଜି ସେମାନଙ୍କର ବିବାହ ହୋଇଥିଲା । ଟିପି ପଢ଼ି ବସିଲାଣି । ନିଲୁଟା ଭାରି ଅବୁଝା । ମାଆ କାନି ଧରି ଅଳି କଲା ପରି ଠିଆ ହୋଇଛି । ଟିପିଟା ସୁନା ଝିଅ । ନିଲୁ ଭାରି ଗେହ୍ଲା ଆଉ ଚଗଲା । ପୁଣି ଚାହିଁଲା ବର୍ଷା ଜହ୍ନ ଆଡ଼କୁ ।

କେତେବେଳେ କାହାର ଦୀର୍ଘଶ୍ୱାସ ଆଉ ବଳିଷ୍ଠ ସ୍ପର୍ଶ ଅନୁଭବ କଲା ବର୍ଷା । ଆରେ ତୁଷାରକାନ୍ତ କେତେବେଳୁ ଠିଆ ହୋଇଛନ୍ତି ଚୁପ୍‌ଚାପ୍ । ମୁହଁରେ ହସ । ପଚାରିଲା ଦୃଷ୍ଟି । ଚୁପ୍‌ଚାପ୍ କହିଲେ ଆଜି ଆମର ବିବାହ ହୋଇଥିଲା । ମନେଅଛି ? ବର୍ଷା ବିହ୍ୱଳ ହୋଇ ଚାହିଁ ରହିଲା । ବିବାହ ବାର୍ଷିକୀର ଉପହାର ସେ ଧରାଇ ଦେଲେ ବର୍ଷାକୁ ସିନ୍ଦୂର ଫରୁଆ ଆଉ ମୁଠେ ଚୁଡ଼ି ।

ବର୍ଷା ନିଦରୁ ଉଠିଲା ପରି କହିଲା କେତେବେଳୁ ତୁମକୁ ଅପେକ୍ଷା କରିଛି । ଚାଲ ମନ୍ଦିର ଯିବା । ତୁଷାରକାନ୍ତ ମନା କଲେ ନାହିଁ । ନୁଖୁରା ମୁଣ୍ଡକୁ ସାଉଁଳେଇ ବର୍ଷା ସିନ୍ଦୂର ଲଗାଇଲା । ହାତରେ ନୂଆ ଚୁଡ଼ି ।

ସେମାନେ ବାଟ ଚାଲୁଥିଲେ । ଆଗରେ ତୁଷାରକାନ୍ତ, ଡାହାଣ ହାତକୁ ଧରି ଟିପି, ବର୍ଷା ପାଖରେ ନିଲୁ । ମୁଣ୍ଡ ଉପରେ ଓଢ଼ଣା, ହାତରେ ଶଙ୍ଖା, କପାଳରେ ସିନ୍ଦୂର ଟୋପା ।

ଲୋକପ୍ରିୟ ଲେଖା

To Top