ଗଳ୍ପ

ସତ କହିବାକୁ କିଆଁ ଡରିବି. . .

Dr Sharat Chandra Parida's odia story Sata Kahibaaku Kian Daribi

ଅସରପା ଉପରକୁ କାଣୀ ବିରାଡି ମାରି ଗୋଡ଼ାଇବେ । ଖାଲି ସଂଘହୀନ ଶିକ୍ଷକ ବିଚରା ଅବିଚାରର ଯୂପ କାଠରେ ବଳି ପଡ଼ିଯିବ । ତାଙ୍କୁ ଯିଏ ନ୍ୟାୟ ଦେଇଥାନ୍ତା, ସେ ତ ଆଖିରେ କଳା କନା ଗୁଡ଼େଇ ବସିଚି ।

ସତ କହିବାକୁ କିଆଁ ଡରିବି. . .

ୟାବ୍, ହେଡ଼ ମିଷ୍ଟ୍ରେସ୍ ହେଲା ବୋଲି କ’ଣ ଇନ୍ଦ୍ର ଚନ୍ଦ୍ର ମାନିବ ନାଇଁ ? ଆମେ ହଜାର ହଜାର କର୍ମଚାରୀଙ୍କୁ ବର୍ଷ ବର୍ଷ ଧରି ଚଲାଇ ଆସୁଚୁ, ଶିକ୍ଷୟିତ୍ରୀ କେଇଟାଙ୍କୁ ଚଳାଇ ପାରୁନି । ଓଲଟି ମୋ ସ୍ତ୍ରୀକୁ କୈଫିୟତ୍ ମାଗୁଚି । ରହ, ତତେ ପାନେ ଦେଉଚି । ଏହି ବିସ୍ଫୋରକ ବାକ୍ୟ କେଇଟି ଶୁଣି ଚମକି ପଡ଼ିଥିଲେ ଅତିଥି ମିଟୁ ବାବୁ । କ’ଣ, କେଉଁଠି, କାହାକୁ, କିପରି ଏସବୁ ଏକାବେଳକେ ଜାଣିବା ପାଇଁ ବ୍ୟଗ୍ର ହୋଇ ଉଠିଲେ ରାଜବିଷ୍ଣୁ । ସେ ସମ୍ପର୍କୀୟ ଭାଇନା ରାଜବିଷ୍ଣୁଙ୍କ ଘରକୁ ଯାଇଛନ୍ତି । ବନ୍ଧୁଙ୍କୁ ଶଙ୍ଖୋଳିବା ପରେ ସୁଖଦୁଃଖ ହେବା ପାଇଁ ସୋଫା ଉପରେ ଦେହର ଓଜନକୁ ଯତ୍ନରେ ରଖିଲେ ଦୁହେଁ । ପାଞ୍ଚ ମିନିଟ୍ ଯାଇ ନାଇଁ ଜଳଖିଆରେ ନାନା ଦରବ ଖଞ୍ଜି ଆଣିଲେ ଦୀପ୍ତି ଭାଉଜ । ତା’ପରେ ଓଡ଼ିଶୀ ନୃତ୍ୟ ଠାଣିରେ ଗରମା ଗରମ ବାମ୍ଫ ବାହାରୁ ଥିବା ଦୁଇ କପ୍ ଚାହା ଧରି ଭାଉଜ ଆଲୋଚନା ଅଧିବେଶନରେ ଯୋଗ ଦେଲେ । ଦୀପ୍ତି ଭାଉଜ ହାଣ୍ଡିଟି ପରି ମୁହଁ ଓହଳାଇ ଥା’ନ୍ତି । ସଫା ସୁତୁରା ଧୋବଲା ଲୁଗାରେ କଳା ବିନ୍ଦୁଟି ବାରି ହେଲା ପରି ଦୀପ୍ତି ଭାଉଜଙ୍କ ମୁଖଶ୍ରୀରେ ବିମର୍ଷର ରେଖାଗୁଡ଼ିକ ସ୍ପଷ୍ଟ ବାରି ହୋଇ ପଡୁଥିଲା । ଭାଉଜ କ’ଣ ଆପଣଙ୍କର ହୋଇଚି ? ଏମିତି କ’ଣ ଦୁଃଖ ପଡ଼ିଲା ଯେ ଏକା ବେଳକେ ଭାଙ୍ଗି ପଡ଼ିଛନ୍ତି ? ତମେ ତ ମିଟୁ ଜାଣ, ମୁଁ ଯୋଉ ସ୍କୁଲ୍‌ରେ ସରକାରୀ ଶିକ୍ଷୟିତ୍ରୀ ଅଛି ତା’ର ହେଡ୍ ମିଷ୍ଟ୍ରେସ୍ ଗତକାଲି ଅବସର ନେଲେ । ହଁ, ଏଇ କଥା । ଚାକିରୀ କଲେ ଦିନେ ଅବସର ନେବାର ଦିନ ଆସି ପହେଞ୍ଚ । ଏହା ତ ଏକ ସ୍ୱଭାବିକ୍ ପ୍ରକ୍ରିୟା । ଏଥିରେ ଦୁଃଖ ବା ବିଚଳିତ ହେବାର କ’ଣ ଅଛି ? ବରଂ ଖୁସି ହେବା କଥା ଯେ କାମର ଚାପ ଆଉ କଷ୍ଟ ଦେବ ନାଇଁ, ବରଂ ବିଶ୍ରାମର ଆନନ୍ଦ ମିଳିବ । ନାଇଁ ନାଇଁ ମିଟୁ, ଏହା ସେମିତି ଘଟଣା ନୁହେଁ । ଆନନ୍ଦରେ ବିହ୍ୱଳ ହେବା ଥାନରେ ଆମ ଲୋକଙ୍କ ମନରେ ଘୋଟି ଯାଇଚି ଅବସୋସର ଏକ କଳା ବାଦଳ । ଦୀର୍ଘ ଦିନର ସେବା ଜଣେ ଦେଇ ସାରିଲା ତାଙ୍କ ପ୍ରତି ଯୋଉ ଓ କୃତଜ୍ଞତା ରହିବା କଥା ତାହା ଦେଖିବା ସାତ ସପନ ହେଲାଣି ।

କ’ଣ ଭାଉଜ ଆପଣଙ୍କ ହେଡ୍ ମିଷ୍ଟ୍ରେସ୍ ପ୍ରତି ଆପଣଙ୍କର ତ ଭାରି ଦରଦ ? ତମେ ସେମିତି କୁହ ନାଇଁ ମିଟୁ । ଆମ ହେଡ୍ ମିଷ୍ଟ୍ରେସ୍ ଜଣେ ନିଆରା ବ୍ୟକ୍ତିତ୍ୱ । ମଣିଷ ମାତ୍ରେ ତ ଦୋଷ ଦୁର୍ବଳତା ରହିଚି । କିନ୍ତୁ ଆମ ଲୋକଙ୍କର ସ୍ୱଭାବ ହେଉଛି କାହାର କିଛି ଦୋଷ ଥିଲେ ଘଣ୍ଟ ପିଟି ପ୍ରଚାର କରିବେ, କିନ୍ତୁ କିଛି ଭଲ ଗୁଣ କାହାର ଥିଲେ ଦେଖି ନ ଦେଖିଲା ପରି ଚୁପ୍ ରହିଯିବେ । ପ୍ରଶଂସା କରିବାକୁ ତାଙ୍କ ତୁଣ୍ଡ ଫେରେ ନାଇଁ । କି ବିଚିତ୍ର ଉପାଦାନରେ ଗଢ଼ ଏ ମଣିଷ ! ହଁ ଭାଉଜ ଆପଣ ଯାହା କହୁଚନ୍ତି, ମୁଁ ବୁଝୁଚି । ହଁ, ବୁଝୁଚି କ’ଣ ମ ସବୁ ଦିନେ ପରା ମର୍ମେ ମର୍ମେ ଅନୁଭବ କରୁଚି ।

ତମେ ତ ଜାଣ ମିଟୁ ଆମ ସ୍କୁଲ ପ୍ରଥମେ ଏକ ସରକାରୀ ସ୍କୁଲ୍ ଥିଲା । କମ୍ପାନୀ କର୍ତ୍ତୃପକ୍ଷ କହିଲେ- ନାଇଁ ଆମ କମ୍ପାନୀ ପରିସରରେ ଆମେ ସ୍କୁଲ୍ କୋଠା ତିଆରି କରିଛୁ, ଆମକୁ ସ୍କୁଲ୍ ଚଳାଇବାର କ୍ଷମତା ଦିଅ । ଆମେ ଶିକ୍ଷକ, ଶିକ୍ଷୟିତ୍ରୀ, ଅଣଶିକ୍ଷକ ନିଯୁକ୍ତି କରି ପରିଚାଳନା ସମିତି ମାଧ୍ୟମରେ ସ୍କୁଲ୍‌ର ହାଲଚାଲ ବୁଝିବୁ । ଶିକ୍ଷକମାନଙ୍କୁ ସୂଚନା ଦିଆଗଲା- ଯିଏ ସରକାରଙ୍କ ଅଧୀନକୁ ଯିବେ, ଯା’ନ୍ତୁ ଯିଏ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅଧୀନରେ ରହିବେ, ରୁହନ୍ତୁ । କମ୍ପାନୀର ଭଲ କ୍ୱାର୍ଟର୍ସ ଓ ମେଡ଼ିକାଲ୍ ସୁବିଧା ଦେଖି କେତେକ ଅଟକି ଗଲେ ଆଉ କେତେକ “ଯାଃ ପଳାୟତେ ସ ଜୀବତି ନ୍ୟାୟ” ରେ ସରକାରଙ୍କ ଅଧୀନକୁ ଯାଇ ନିଜ ନିଜ ଅଞ୍ଚଳକୁ ବଦଳି ହୋଇ ପଳାଇ ଗଲେ । ଯେଉଁମାନେ ଅଧିକ ଭଲରେ ରହିବେ ବୋଲି ଆଶା କରି ରହିଗଲେ ସେମାନଙ୍କ ହାଲତ ଦିନକୁ ଦିନ ଖରାପ ଆଡ଼କୁ ଗତି କଲା । କମ୍ପାନୀ କର୍ମଚାରୀ ଓ ବିଦ୍ୟାଳୟ କର୍ମଚାରୀଙ୍କ ଭିତରେ ଏକ ଦୁର୍ଭେଦ୍ୟ ପାଚେରୀ ଛିଡ଼ା ହେଲା । କମ୍ପାନୀ କର୍ମଚାରୀଙ୍କ ପିଲା ପଢ଼ିବେ ବୋଲି ବିଦ୍ୟାଳୟ ଗଢ଼ା ହେଲା । ଶିକ୍ଷାର ଆବଶ୍ୟକତା ପୂରଣ କଲା ପରେ ଯାଇ କମ୍ପାନୀ ବସିବାର ଫାଇଲରେ ନିୟମ ରହିଚି । ନଚେତ୍ କମ୍ପାନୀ ସ୍ଥାପିତ ହୋଇ ପାରିବ ନାଇଁ । କିନ୍ତୁ ଥରେ କମ୍ପାନୀ ସ୍ଥାପିତ ହୋଇ ବିଦ୍ୟାଳୟ ଖାଲି ପିଲା ପାଠ ପଢ଼ା ଆରମ୍ଭ ହୋଇଗଲେ ବାସ୍ କଥା ସରିଲା । କାଶିଆ କିଏ ନା କପିଳା କିଏ ? ପାଠ ପଢ଼ାଉ ଥିବା ବ୍ୟକ୍ତି ମଲେ ହଜିଲେ ପଚାରିବାକୁ କେହି ନାହିଁ । ସବୁ କଥାରେ ଅନ୍ତର ପାନ୍ତର । କମ୍ପାନୀ କାର୍ଯ୍ୟରେ ସିଧାସଳଖ ସମ୍ପୃକ୍ତ ହେଉ ନ ଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ କୁଆଡ଼େ ନନ୍‌ପ୍ରଡକ୍ଟିଭ୍ । ଏଗୁଡ଼ାକ ସରଳ ନିରୀହ ଜୀବନ । ଏମାନଙ୍କ ଉପରେ ଯେତେ ଅନ୍ୟାୟ ଅତ୍ୟାଚାର କଲେ ମଧ୍ୟ ହୁଁ, ତୁ, କିଛି କହିପାରିବେ ନାଇଁ । କିଛି କହିଲେ କ୍ଷମତାରେ ଥିବା ନିହାତି ଅନାଦର୍ଶ ଲୋକଟି ମଧ୍ୟ ଶିକ୍ଷକ କୁଳକୁ ଆଦର୍ଶ ମୁଖା ଭିତରେ ପୂରାଇ ପାଟି ସିଲାଇ କରିଦିଏ ।

ଦୀପ୍ତି ଭାଉଜଙ୍କ ଏମିତି ଲମ୍ୱା ଚଉଡ଼ା ଭାଷଣ ଶୁଣି ରାଜବିଷ୍ଣୁ ବାବୁ ଆଉ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ । ସେ ମଧ୍ୟ କମ୍ପାନୀର ବାଳକ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକ । ଖାଲି ତ ଶିକ୍ଷକ ନୁହଁନ୍ତି । ଜଣେ ସ୍ୱନାମଧନ୍ୟ ସଚ୍ଚୋଟ ଦକ୍ଷ ଶିକ୍ଷକ ହିସାବରେ ତାଙ୍କର ଯଥେଷ୍ଟ ଖ୍ୟାତି ରହିଚି । ସେ ମଧ୍ୟ ଦୀର୍ଘ ପଚିଶ ବର୍ଷ ସେବା ଦେଇ ନାନା ତିକ୍ତ ମଧୁର ଅନୁଭୂତି ଅର୍ଜ୍ଜନ କରି ସାରିଲେଣି । ସେ ମଧ୍ୟ ଶ୍ରୀମତୀଙ୍କ କଥାରେ ରା’ ଧରିଲେ । ସେ ରୋକ୍‌ଠୋକ୍ କହିବା ଲୋକ । ପରିଚାଳନା ସମିତିରେ ନିହାତି ଅବାଞ୍ଛିତ ଲୋକଗୁଡ଼ାକ ରହିଛନ୍ତି । ସେମାନଙ୍କର ଶିକ୍ଷା ସମ୍ୱନ୍ଧରେ ନା କିଛି ଅନୁଭବ ଅଛି, ନା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ କଥା ସେମାନେ ଶୁଣନ୍ତି । ଖାଲି କ୍ଷମତାଧାରୀ ହୋଇଥିବାରୁ ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୁରାଇ ଦିଅନ୍ତି । ପରିଣାମ ଯାହା ହୁଏ ତାହା ନିଷ୍ପାପ ଶିଶୁମାନଙ୍କ ଉପରେ ପ୍ରତିଫଳିତ ହୁଏ । ଏଣେ କର୍ତ୍ତୃପକ୍ଷ ଆମ ସ୍କୁଲ୍ ଆମ ପିଲା କହି ଧେଣ୍ଡୁରା ପିଟୁଥିଲା ବେଳେ ଆମ ଶିକ୍ଷକ କହିଲା ବେଳକୁ ଜିଭରେ ଘା’ ହୋଇଥାଏ । ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉପରେ ହାକିମାତି ଆରମ୍ଭ କରି ଦିଅନ୍ତି । ନାନା ୟୁନିୟନ୍‌କୁ ସେମାନେ ପାଟି ଫିଟାଇ ଦୁଃଖ ଜଣେଇ ପାରନ୍ତି ନାଇଁ । ତା’ କଲେ ତମେ ୟୁନିୟନ୍ ବାଜି କରୁଚ । ପାଠ ପଢ଼ାଉ ନାହଁ ବୋଲି ଆରୋପ ଲଗାନ୍ତି । ସେମାନେ ତ ସାବତ ମା’ର ପିଲା । ଯୋଉ ଶିକ୍ଷକ ଦିନ ଦଶଟାରୁ ଚାରିଟା ପର୍ଯ୍ୟନ୍ତ ସେମାନଙ୍କ ପିଲାଙ୍କ ବିକାଶ ପାଇଁ ସାଧନା ଚଳାଇଥାନ୍ତି ସେମାନଙ୍କ ଚାକିରୀକୁ କମ୍ପାନୀ ପରିଚାଳକମାନେ ଚାକିରୀ ବୋଲି ବିବେଚନା କରନ୍ତି ନାଇଁ । ଘରୋଇ ଟିଉଟର ଠାରୁ ଅଧିକ ଦୃଷ୍ଟିରେ ଦେଖନ୍ତି ନାଇଁ । ମନ ଇଚ୍ଛା ବର୍ଦ୍ଧିତ ମହଙ୍ଗା ଭତ୍ତା ଦିଅନ୍ତି । ପଚାଶ ସ୍ଥାନରେ ପନ୍ଦର ଦେଇ ଚୁପ୍ ରହିଯାନ୍ତି । ଯଥେଚ୍ଛାଚାର ଦାଦାଗିରି କରି ବକେୟା ପ୍ରାପ୍ୟ ଦିଅନ୍ତି ନାଇଁ । କିନ୍ତୁ ସେମାନେ ପ୍ରମୋସନ୍ ପରେ ପ୍ରମୋସନ୍ ପାଇଁ କିରାଣିରୁ ଅଫିସର୍ ହୁଅନ୍ତି । ଅଫିସର୍‌ରୁ ମାନେଜର୍ ହୋଇ ଶାସନ ଚଳାନ୍ତି ।

ଏସବୁ କଥା ଶୁଣି ମିଟୁ ବାବୁଙ୍କ କାନ ମୁଣ୍ଡା ଝାଇଁ ଝାଇଁ ହୋଇ ଯାଉଥାଏ । ଦୀପ୍ତି ଭାଉଜ କହି ଚାଲିଥିଲେ ପ୍ରାଚୀନ ଶିକ୍ଷା ବ୍ୟବସ୍ଥାରେ ଆଦର୍ଶ ଶିକ୍ଷକଙ୍କ ପାଖରେ ଶାସକ ମଥାନତ କରୁଥିଲେ । ଏ କଳି ଯୁଗରେ ବିପରୀତ । ଶାସକମାନେ ଚାହାଁନ୍ତି ଶିକ୍ଷକମାନେ ତାଙ୍କ ପାଖରେ ଡରିମରି ରୁହନ୍ତୁ । ଯୁକ୍ତିଯୁକ୍ତ କଥା ନ କୁହନ୍ତୁ । ଦଳିତ ମଳିମୁଣ୍ଡିଆ ହୋଇ ରହିଥାନ୍ତୁ । କମ୍ପାନୀର କାମ କରୁଥିବା ସୁଇପର୍ ଠାରୁ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ କମ୍ ଦରମା ପାଆନ୍ତୁ । କିନ୍ତୁ କେହି ପ୍ରତିବାଦ କରନ୍ତୁ ନାଇଁ । ପ୍ରତିବାଦ କଲେ ବିବାଦ ସୃଷ୍ଟି ହେବ । ଅସରପା ଉପରକୁ କାଣୀ ବିରାଡି ମାରି ଗୋଡ଼ାଇବେ । ଖାଲି ସଂଘହୀନ ଶିକ୍ଷକ ବିଚରା ଅବିଚାରର ଯୂପ କାଠରେ ବଳି ପଡ଼ିଯିବ । ତାଙ୍କୁ ଯିଏ ନ୍ୟାୟ ଦେଇଥାନ୍ତା, ସେ ତ ଆଖିରେ କଳା କନା ଗୁଡ଼େଇ ବସିଚି । କମ୍ପାନୀ ପରିଚାଳକମାନେ ଭାବନ୍ତି, ଶିକ୍ଷକ ଚାକିରୀର ପୁଣି ଗୋଟାଏ ଭବିଷ୍ୟତ କ’ଣ ? ସେମାନେ ତ ତ୍ୟାଗ ଓ ସେବାର ପ୍ରତୀକ । ଆମେ ତ ଭୋଗ ବିଳାସର ପ୍ରତିନିଧି । ଶିକ୍ଷକଙ୍କ ବଂଶଧରମାନେ ଖର୍ଚ୍ଚାନ୍ତ ହୋଇ ଡାକ୍ତରୀ ଇଞ୍ଜିନିୟରିଂ କାଇଁକି ପଢ଼ିବେ, ସେମାନେ ତାଙ୍କ ବାପାମା’ଙ୍କ ପରି ଶିକ୍ଷକ ହୋଇ ରହନ୍ତୁ । ନୋହିଲେ ଆମମାନଙ୍କର ନାତିନାତୁଣୀଙ୍କୁ ପାଠ ପଢ଼ାଇ ମଣିଷ କରି ଗଢ଼ିବ କିଏ ? ମିଟୁ ବାବୁ ଲକ୍ଷ କରୁଥାନ୍ତି ଗୋଟିଏ ଶିକ୍ଷକ ପରିବାରରେ ସତେ ଯେମିତି ବିପ୍ଳବର ନିଆଁ ଲାଗି ଯାଇଛି ଓ ନିଆଁର ଧାସରେ ଭବିଷ୍ୟତ ଛାତ୍ରକୁଳ ଜଳି ଯାଉଛନ୍ତି ।

ଏ ସବୁ ଧୂଆଁ ଧାରକୁ ପାରି ହୋଇ ନିଆଁର ଉତ୍ସ ପାଖରେ ପହଞ୍ଚିବାକୁ ବ୍ୟାକୁଳ ହେଉଥାନ୍ତି ମିଟୁ ବାବୁ । ଲାଭା ଉଦ୍ଗିରଣ ପାରି ହୋଇ ଆଗକୁ ଯିବା କଷ୍ଟ ହେଉ ଥାଏ । ସୌଭାଗ୍ୟବଶତଃ ଅସନ୍ତୋଷ ବଳୟର କେନ୍ଦ୍ରବିନ୍ଦୁରେ ପହଞ୍ଚିବାକୁ ଆରମ୍ଭ କଲେ ରାଜବିଷ୍ଣୁ ଭାଇନା । ଟିକିଏ ଥମି ଗଲା ପରେ କହିଲେ- “ତମେ ତ ଜାଣ, ଭାଉଜଙ୍କ ହେଡ଼ ମିଷ୍ଟ୍ରେସ୍ ସାରା ଜୀବନ ଅଭିଆଡ଼ୀ ହୋଇ ରହିଲେ । ବାହାଶାହା ହେଲେ କାଳେ ସ୍କୁଲ୍ ପିଲାଙ୍କୁ ଯଥେଷ୍ଟ ଦୃଷ୍ଟି ଦେଇ ହେବ ନାଇଁ, ସେଥିପାଇଁ କାହା ହାତଧରି ନିଜର ସ୍ୱାଧୀନତାକୁ ବନ୍ଧା ପକାଇବାକୁ ଇଚ୍ଛା କଲେ ନାଇଁ । ନିଜର ସବୁ ସମୟ ଓ ସାମର୍ଥ୍ୟ ଅନୁଷ୍ଠାନର ବିକାଶ ଓ ସୁନାମ ପାଇଁ ସେ ଖଟେଇ ଦେଇଥିଲେ । ଗୋଟିଏ ଅନୁନ୍ନତ ଜିଲ୍ଲାରେ ଶିକ୍ଷା ସମ୍ୱନ୍ଧରେ ଯାହା ଯାହା ପଦକ୍ଷେପ ନେବା କଥା ସବୁ ସେ ଆୟୋଜନ କରିଥିଲେ । ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ତାଙ୍କୁ କିଏ ନ ଜାଣେ ? ସେଥିପାଇଁ ରାଜ୍ୟପାଳ ପୁରସ୍କାର, ରାଷ୍ଟ୍ରପତି ପୁରସ୍କାର ଓ ଅନ୍ୟାନ୍ୟ ଅନେକ ସଫଳତା ତାଙ୍କୁ ମିଳିଚି । ସେ ଅଞ୍ଚଳର ତଥା କମ୍ପାନୀର ଗର୍ବ ଓ ଗୌରବ । ବ୍ୟକ୍ତିତ୍ୱ ମଧ୍ୟ ବଡ଼ ପ୍ରଭାବଶାଳୀ । ପାଠରେ ଯେମିତି ଦକ୍ଷ ବ୍ୟବହାରରେ ସେମିତି ସ୍ନେହଶୀଳା ଓ ଅତିଥି ପରାୟଣା ।”

ଅନୁଷ୍ଠାନ ରୂପକ ଛୋଟିଆ ରାଇଜର ପ୍ରଥମ ସେବିକା ହେଲେ ମଧ୍ୟ ନିଜ ମନରେ ଅହଂକାରକୁ କେବେ ଥାନ ଦେଇ ନାହାନ୍ତି । ସବୁବେଳେ ଜଣେ ସେବା ପ୍ରଦାନକାରିଣୀ ଭାବେ ନିଜକୁ ବିବେଚନା କରନ୍ତି ବୋଲି ଦୀପ୍ତି ଭାଉଜ କହି ଉଠିଲେ । ସାଧାରଣତଃ ସବୁ ଜାଗାରେ ଦେଖାଯାଏ କର୍ମଚାରୀମାନେ ତାଙ୍କ ଅନୁଷ୍ଠାନର ମୁଖ୍ୟଙ୍କ ବିରୋଧରେ ନାନା କଥା କହନ୍ତି । ଆଜିକାଲି ଯୋଉ କାଳବେଳ । ସେଥିରେ ଜଣେ ପ୍ରଶାସକ ହୋଇ ତଳତଳିଆ କର୍ମଚାରୀଙ୍କ ମୁଖରୁ ପ୍ରଶଂସା ଶୁଣିବା ସାତ ସପନ । କିନ୍ତୁ ଆମ ଦିଦି ହେଉଛନ୍ତି ଏକ ବ୍ୟତିକ୍ରମ । ଆମ୍ଭମାନଙ୍କୁ ଆଦୌ ଅଧସ୍ତନ ସହକାରୀ ଶିକ୍ଷୟିତ୍ରୀଭାବେ ବ୍ୟବହାର ଦେଖାନ୍ତି ନାଇଁ । ସବୁବେଳେ ଭାବନ୍ତି ଆମେମାନେ ଏକ ପରିବାରର ସଦସ୍ୟା । ଯୋଉ ଦିନ ଛୁଟି ଦରଖାସ୍ତ ଆମେ ପଠାଇ ଦେଉ, ସେଦିନ ସନ୍ଧ୍ୟା ବେଳେ ସେ ଆସି ଆମ ଘରେ ହାଜର । ଆରେ ଦୀପ୍ତି, କ’ଣ ହେଲା ତୁମର, ତୁମର ଦେହ ଭଲ ନାଇଁ, ତୁମ ବାବୁଙ୍କର କ’ଣ ସମସ୍ୟା ହୋଇଛି ? ପିଲାମାନଙ୍କର କ’ଣ ଅସୁବିଧା ହେଲା କି ଏମିତି ପଚାରି ଆମ ଘରର ପ୍ରକୃତ ମୁରବି ପଣିଆର ପରିଚୟ ଦିଅନ୍ତି । ବ୍ୟକ୍ତିଗତ ସ୍ତରରେ ହେଉ ବା କାର୍ଯ୍ୟାଳୟ କ୍ଷେତ୍ରରେ ହେଉ ତାଙ୍କୁ କୌଣସି କଥା ଲୁଚାଇବା ଦରକାର ପଡ଼େ ନାଇଁ । ଖାଲି ସେତିକି ନୁହେଁ ଆମ ପାଇଁ ଦରକାର ହେଲେ ବାହାର ଲୋକଙ୍କୁ କୁହନ୍ତି, ବୁଝାନ୍ତି, ଅନୁରୋଧ ବି କରନ୍ତି । ଆମମାନଙ୍କ ପରିବାରର ଭଲମନ୍ଦରେ ସେ, ବ୍ୟକ୍ତିଗତ ସମସ୍ୟାରେ ସେ, ସାମାଜିକ ଭୋଜିଭାତରେ ସେ ।

ମିଟୁ ବାବୁ ଖାଲି ଭଲ ଆଉ ମନ୍ଦର କୁହେଳିକାର ବ୍ୟୁହକୁ ଠେଲି ହୋଇ ଯାଇଥାନ୍ତି ସିନା ସେଥିରୁ ଫିଟିବାର ବାଟ କିଛି ଦେଖିପାରୁ ନଥାନ୍ତି । ଦୀପ୍ତି ଭାଉଜ ସାହିତ୍ୟ ଶିକ୍ଷୟିତ୍ରୀ । ସେ ମୁହଁର ମୁଦ୍ରାରୁ ମନର ଭାବ ଧରିନେବା ଲୋକ ।

ଦୀପ୍ତି ଭାଉଜ କଥା ନ ହସରେ କହି ଚାଲିଲେ- “ବୁଝିଲ ମିଟୁ, ଭାଇନା ଯୋଉ ପରିଚାଳକମାନଙ୍କ କଥା ଏବେ କହୁ ନ ଥିଲେ ସେଇଠି ହିଁ ସବୁ କଳିର ମଞ୍ଜି ପୋତା ହୋଇଚି । ଆମର ଗୋଟିଏ ଶିକ୍ଷା ସୋସାଇଟ୍ ଗଢ଼ା ହୋଇଚି । କମ୍ପାନୀର ବଛା ବଛା ଆଚ୍ଛା ଲୋକଙ୍କୁ ସ୍କୁଲ୍ ଓ କଲେଜ୍ ଚଳାଇବାର ଦାୟିତ୍ୱ ଦିଆଯାଇଚି । ସେମାନେ ସ୍କୁଲ୍ ଚଳେଇବେ କ’ଣ ନିଜର, ସ୍ତ୍ରୀ, ସମ୍ପର୍କୀୟମାନଙ୍କୁ ଆଣି ସ୍କୁଲ୍ କଲେଜ୍‌ର ବିଭିନ୍ନ ପଦପଦବୀରେ ଭର୍ତ୍ତି କରନ୍ତି । ବଡ଼ବଡ଼ିଆଙ୍କୁ କିଏ କହିବ ? ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାଇଁ । ଖାଲି ନିଯୁକ୍ତି ପାଇଗଲେ ଯଦି କାମ ସରିଯାଇଥାନ୍ତା, ତାହା ହେଲେ ଅଧିକ କିଛି କହିବାର ନଥାନ୍ତା । କିନ୍ତୁ ଶିକ୍ଷା ସୋସାଇଟ୍‌ର ଯେଉଁମାନେ ସଭାପତି, ସମ୍ପାଦକ, ପ୍ରଶାସନିକ ସଦସ୍ୟ, ଆର୍ଥିକ ସଦସ୍ୟ ସେମାନଙ୍କର ସ୍ତ୍ରୀ ବା ସମ୍ପର୍କୀୟ ଯଦି ନିଯୁକ୍ତି ପାଇଥାନ୍ତି ଶିକ୍ଷୟିତ୍ରୀ ରୂପେ ତେବେ କଥା ସରିଲା । ସେମାନେ ଭାବନ୍ତି ନାଇଁ ନିଜକୁ ଜଣେ ସହକାରୀ ଶିକ୍ଷକ ବା ଶିକ୍ଷୟିତ୍ରୀ ବୋଲି । ସ୍ୱର୍ଗ ତାଙ୍କୁ ଦି’ଆଙ୍ଗୁଳି ଦିଶେ । ସବୁ କର୍ମଚାରୀ ଓ ଶିକ୍ଷୟିତ୍ରୀଙ୍କଠାରୁ ସେମାନେ ସୁପରିଅର ଓ ହେଡ୍‌ଦିଦିଙ୍କ ଠାରୁ ମଧ୍ୟ ବହୁ ଉଚ୍ଚରେ । ସେମାନେ କମ୍ପାନୀର ବଡ଼ ଅଫିସର୍ର ସ୍ତ୍ରୀଭାବେ ନିଜକୁ ପୋଜ୍ କରନ୍ତି । ହେଡ୍ ଦିଦି ମଧ୍ୟ ଏମାନଙ୍କ ପାଖରେ ନିଜକୁ ସମର୍ପଣ କରନ୍ତୁ ବୋଲି ଏମାନଙ୍କର ଇଚ୍ଛା ଓ ନିରବ ପ୍ରଚେଷ୍ଟା । ସେମାନେ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଯେ ଅନେକଙ୍କ ମଧ୍ୟରୁ ସେମାନେ ଜଣେ । ଗଣତାନ୍ତ୍ରିକ ଭାବନାଠାରୁ ସେମାନେ ବହୁ ଦୂରରେ ।”

ହେଇ ଦେଖ, ଶ୍ରୀମତୀ ମିଶ୍ର ଆମ ସ୍କୁଲ୍‌ର ଜଣେ ବରିଷ୍ଠ ଶିକ୍ଷୟିତ୍ରୀ । ସବୁ ଦିନେ ଡେରିରେ ଆସିବା ତାଙ୍କର ଏକ ପୁରୁଣା ଅଭ୍ୟାସ । ବିଦ୍ୟାଳୟର ପ୍ରାର୍ଥନା ସଭା ପାଠପଢ଼ା ଆରମ୍ଭର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ରାମକୃଷ୍ଣ ନନ୍ଦଙ୍କର ସତ କହିବାକୁ ଡିଆଁ. . . ଡରିବି. . . ବୋଲା ହେଲା ବେଳେ ତନୁମନରେ ଏକ ଦିବ୍ୟ ଶିହରଣ ଖେଳିଯାଏ । ସମୂହ ପ୍ରାର୍ଥନାର ଶକ୍ତି ଅକଳନୀୟ. . . ଛାଡ଼ ସେ କଥା କହୁ ନାଇଁ । ଅଧିକାଂଶ ଦିନେ ପ୍ରାର୍ଥନା ଚାଲିଥିଲାବେଳେ ବା ସରିଗଲା ପରେ ସେ ସ୍କୁଲ୍‌ରେ ପହଞ୍ଚନ୍ତି । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ତାଙ୍କୁ ଦେଖି ଗୋଟିଏ କିମ୍ବୁତ କିମାକାର ଧାରଣା ସୃଷ୍ଟି ହୁଏ । ସମସ୍ତେ ତାଙ୍କୁ ବଲବୁଲ କରି ଅନାନ୍ତି । କିନ୍ତୁ କାହାରି ପାଟିରୁ ଶବ୍ଦଟିଏ ବି ଶୁଣାଯାଏ ନାଇଁ । ଶିକ୍ଷୟିତ୍ରୀଙ୍କ କଥା ଛାଡ଼, ଆଜିକାଲିର ପିଲାମାନେ ମଧ୍ୟ ଏମାନଙ୍କ ଏପରି ଆଚରଣକୁ ପସନ୍ଦ କରନ୍ତି ନାଇଁ । ସେମାନଙ୍କୁ ଏହା ଅରୁଚିକର ବୋଧ ହୁଏ । ସେମାନଙ୍କ ମହଲରେ ସମାଲୋଚନା ବି ହୁଏ । କେତେଜଣ କୁହାଳିଆ ମାଡ଼ାମ ମଧ୍ୟ ନିଜ ନିଜ ମଧ୍ୟରେ ଆସ୍ତେ କଥା ହୁଅନ୍ତି. . . ଦେଖ ହୋଇ । ଆମେ କୋଉ ଦିନ ପାଞ୍ଚ ମିନିଟ୍ ଡେରିରେ ପହଞ୍ଚିଲେ ବଡ଼ ଦିଦି ପଦେ ଦି’ପଦ ନ କହି ଛାଡ଼ନ୍ତି ନାଇଁ, ଏ ନିତି ଅଧଘଣ୍ଟା ଡେରିରେ ପହଞ୍ଚୁଛନ୍ତି ଦିନେ ହେଲେ ଦିଦି ପାଟି ଫିଟାଉ ନାହାନ୍ତି । କାହାକୁ କହିବା ଏ ତ ଅନ୍ଧ ରାଇଜ ! ଏ କୋଉ ରାମରାଜ୍ୟ ହୋଇଚି ଯେ ଅନ୍ୟାୟର ପ୍ରତିବାଦ କଲେ ନ୍ୟାୟ ମିଳିବ !

ଦିନେ ସାହସ ସଞ୍ଚୟ କରି ବଡ଼ ଦିଦି କହିଲେ- “ଦେଖନ୍ତୁ ମାଡ଼ାମ୍ ! ଆପଣ ତ କୋଡ଼ିଏ ବର୍ଷର ଜାଣିବା ଶୁଣିବା ଜଣେ ପୁରୁଖା ଶିକ୍ଷୟିତ୍ରୀ । ଆପଣଙ୍କୁ କିଛି କହିବାକୁ ମୋତେ ଭଲ ଲାଗୁ ନାଇଁ । ଆପଣଙ୍କୁ କିନ୍ତୁ ମୋର ଗୋଟିଏ ଅନୁରୋଧ ଆପଣ ଏଣିକି ଠିକ୍ ସମୟରେ ସ୍କୁଲ୍‌ରେ ଉପସ୍ଥିତ ହୁଅନ୍ତୁ ।” ସେ ଚମକି ପଡ଼ିଲେ । ସତେ ଯେମିତି କିଏ ବିରୁଡ଼ି ବସାରେ ହାତ ମାରି ଦେଇଚି । ୟା’ର ତ ବହପ କମ୍ ନୁହେଁ । ସଙ୍ଗେ ସଙ୍ଗେ ତାଙ୍କ ମୁହଁଟା ଜାପାନୀ କମଳା ପରି ଲାଲ୍ ପଡ଼ିଗଲା । ରାମବିଷ୍ଣୁ କିଛି କହିଲେ ନାଇଁ । ବେଳ ବୁଡୁବୁଡୁ ସ୍ୱାମୀ ଫେରିଲେ । ସ୍ତ୍ରୀଙ୍କୁ ଦେଖି ଆଶ୍ଚର୍ଯ୍ୟ । କଖାରୁ ପରି ମୁହଁଟାକୁ ଫୁଲାଇ ବସିଛନ୍ତି । ସ୍ୱାମୀଙ୍କ ଭାବାନ୍ତର ସୃଷ୍ଟି ହେଲା- ମୁଁ ତ ୟା’ଙ୍କର କେଉଁଥିରେ ଅଭାବ ରଖି ନାଇଁ । ଚାକର ବାକର ସମସ୍ତେ ଅଛନ୍ତି । ବିଶ୍ୱସ୍ତ ସ୍ୱାମୀ ପରି ୟା’ଙ୍କ ସବୁ ଅନ୍ୟାୟ ଆଦେଶ ପାଳନ କରିଛି । ଥାର୍ଡ ଡିଭିଜନ୍ କ୍ୟାରିଅର୍‌ରେ କହିଲେ ମୁଁ ଶିକ୍ଷୟିତ୍ରୀ ହେବି । ଉପର ମହଲରେ ମୁହଁକୁ ତାଲା ପକାଇ ତାହା ବି କରାଇ ଦେଲି । ପୋଷ୍ଟ ନ ଥିଲେ ବି ତାଙ୍କ ପାଇଁ ବିଧାତାଙ୍କ ପରି ଏକ ନୂଆ ପୋଷ୍ଟ ସୃଷ୍ଟି କରି ଦେଲି । ୟା’ଙ୍କର ପୁଣି କିଏ ବିଗିଡ଼ିଗଲା ।

ବହୁ ସାକୁଲେଇ କହିଲା ପରେ ଶ୍ରୀମତୀ ସେଦିନର ଘଟନା ଉପସ୍ଥାପନ କରି କହିଲେ- “ଏ ଛାର ହେଡ୍ ମିଷ୍ଟ୍ରେସ୍, ସେ ପୁଣି ମୋତେ କହିବ ଠିକ୍ ସମୟରେ ଆସ । ସେ ଭୁଲି ଯାଉଛି ମୁଁ କିଏ ? ହଇହୋ, ତମେ କି ସେକ୍ରେଟାରୀ ଫେକ୍ରେଟାରୀ ହୋଇଚ । ଯଦି କାଲି ତାକୁ ତଡ଼ି ମୋତେ ହେଡ୍‌ମିଷ୍ଟ୍ରେସ୍ ନ କରିଚ ମୁଁ ଆଉ ସ୍କୁଲ୍‌କୁ ଯିବି ନାଇଁ । ଆଜିଠୁଁ ମୁଁ ଆଉ ଅନ୍ନଜଳ ଛୁଇଁବି ନାଇଁ ।” ମିଶ୍ର ବାବୁ ବହୁତ ବୁଝାଇଲେ । ମୁଁ ବେଳାକାଳ ଦେଖି ଯାହା କରିବା କଥା କରିବି, ତୁମେ ଅଧୀର ହୁଅନା । ଯା’ ଖିଆପିଆ କର । ତା’ପର ଦିନଠୁଁ ଶ୍ରୀମତୀ ମିଶ୍ର ଘଣ୍ଟାଏ ଉଛୁର୍‌ରେ ପହଞ୍ଚିଲେ ସମସ୍ତେ ତାଜୁବ୍ । ଗୁଞ୍ଜରଣ ଅଧିକ ହେଲା । କ୍ଷମତା ଓ ଶୃଙ୍ଖଳା ଭିତରେ ବଳ କଷାକଷି ଆରମ୍ଭ ହୋଇଗଲା । ଯିଏ ଶୋଇଥିବ, ଡାକିଲେ ସେ ସିନା ନିଦରୁ ଉଠିବ, କିନ୍ତୁ ଯିଏ ଚେଇଁ ଶୋଇଥିବ. . . ହେଡ୍ ଦିଦିଙ୍କ ବୁଝାଇବା ବୃଥା ହେଲା । ଗୋରୁକୁ ମାରିଲେ ମଲି, ଗୋରୁ ମାଇଲେ ମଲି । ହେଡ୍ ଦିଦି ଭାବିଚିନ୍ତି ଗୋଟିଏ କୈଫିୟତ୍ ଚିଠି ତଲବ କଲେ ନିଜ ଇଚ୍ଛା ବିରୋଧରେ । ସେ ଜାଣିଥିଲେ ନିଶ୍ଚୟ ଭୂମିକମ୍ପ ହେବ । ଆକାଶ ନିଜ ଉପରେ ଓଜାଡ଼ି ହୋଇପଡ଼ିବ । ହଉ ପଛେ ନୂଆ କରି ସୃଷ୍ଟି ଆରମ୍ଭ ହେବ ତ !

ମିଶ୍ର ମହୋଦୟ ଅକଶ ସାଧିଛନ୍ତି । ବଡ଼ ଦିଦିଙ୍କୁ ବହିଷ୍କାର କରିବା ପାଇଁ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଛନ୍ତି । ମାତ୍ର ଅବସର ଆଉ ବର୍ଷେ ଅଛି ବୋଲି ସମସ୍ତେ କହିବାରୁ ସେ ଚେଷ୍ଟାରୁ ବିରତ ହୋଇଛନ୍ତି । ହେଲେ ଘର ପଛେ ପୋଡୁ ମୂଷା କେେଞ୍ଚ ପାଉ ନ୍ୟାୟରେ ସେ ଶିକ୍ଷୟିତ୍ରୀମାନଙ୍କର ପାଞ୍ଚ ମାସର ଦରମା ବନ୍ଦ କରି ଦେଇଛନ୍ତି । ସ୍କୁଲ କଣ୍ଟିଜେନ୍ସି ପାଇଁ ପଇସାଟିଏ ଦେଇ ନାହାନ୍ତି । ଖାଲି ବଡ଼ ଦିଦିଙ୍କୁ ଅସହଯୋଗ କରି ନାହାଁନ୍ତି ଅପମାନିତ ମଧ୍ୟ କରିଛନ୍ତି । ଷ୍ଟାଫ୍‌ମାନଙ୍କର ବର୍ଦ୍ଧିତ ଦରମାର ବକେୟା ଉଡ଼ାଇ ଦେଇଛନ୍ତି । ମେଡ଼ିକାଲ୍ ଖର୍ଚ୍ଚ ଦେଇନାହାଁନ୍ତି । ଆର୍ଥିକ କଟକଣାର ଆଳ ଦେଖାଇ କୌଣସି ଫଙ୍କସନ୍ ସ୍କୁଲ୍‌ରେ ହୋଇ ପାରିବ ନାଇଁ ବୋଲି ଅଧ୍ୟାଦେଶ ଜାରି କରିଛନ୍ତି । ଦୋଷୀକୁ ଗାଁ ଗଣ୍ଡାରେ ନିଆଁ ପାଣି ଅଟକ କଲା ପରି ହେଡ୍ ଦିଦିଙ୍କୁ ସବୁ ପ୍ରକାର ଆନୁଷ୍ଠାନିକ ସୁବିଧା ସୁଯୋଗରୁ ବାଛନ୍ଦ କରାଇଛନ୍ତି । ସବୁ ଆଡ଼େ ବଡ଼ ଦିଦିଙ୍କୁ ବଦନାମ କରି କହିଛନ୍ତି- “ୟାବ୍ ହେଡ୍ ମିଷ୍ଟ୍ରେସ୍ ହେଲା ବୋଲି କ’ଣ ଇନ୍ଦ୍ର ଚନ୍ଦ୍ର ମାନିବ ନାଇଁ. . . ? ଆମେ ହେଲୁ ତା’ର ବସ୍ । ଆମେ ବସ କହିଲେ ବସିବ । ଉଠ୍ କହିଲେ ଉଠିବ । ଆମକୁ କ’ଣ ସ୍କୁଲ୍ ପିଲା ଭାବିଚି ? ଆମକୁ ଆଦର୍ଶ ପଢ଼ାଉଚି ?” ମିଟୁ ବାବୁ ସମବେଦନାରେ ଓଦା ହୋଇ ପଚାରି ବସିଲେ- ଅନ୍ୟ ସମିତି ସଦସ୍ୟ ଓ ଜନସାଧାରଣ କିଛି ପ୍ରତିବାଦ, କି କିଛି ପ୍ରତିକାର କଲେ ନାଇଁ ? ଆରେ ତମେ କ’ଣ ଲୋକମାନଙ୍କ କଥା ଜାଣି ନାହଁ ? ଲୋକ ତ ନୁହଁ ପୋକଜୋକ । ସମିତି ସଦସ୍ୟ, ସେମାନେ ତ ଅଜଣା ଚାଉଳର ଭାତ ଖାଉଥାନ୍ତି । ବଡ଼ ଦିଦି ଗଣତନ୍ତ୍ର ରାଜ୍ୟରେ ଜଣଙ୍କର ରାଜ ଦେଖି ତାଜୁବ୍ । ନିରବ ଲାଞ୍ଛନା ସହି ସହି ଅପେକ୍ଷା କରିଥିଲେ । କାଲି ଅପେକ୍ଷାର ଅନ୍ତ ଘଟିଲା । କାହା ଠାରୁ ବିଦାୟ ନ ନେଇ ସଙ୍ଗେ ସଙ୍ଗେ ବସ୍‌ରେ ବସିଲେ । ଛଳଛଳ ଆଖିରେ ଆମ୍ଭମାନଙ୍କୁ ବିଦାୟୀ ଉପଦେଶ ଦେଇ କହୁଥିଲେ- “ସତ କହିବାକୁ କିଆଁ ଡରିବି. . . !”

ଲୋକପ୍ରିୟ ଲେଖା

To Top