ଗଳ୍ପ

ସତୀଚଉଁରା

Dr Ajit Kumar Tripathy's odia story Sateechaunraa

ତା’ ମାମୁ ପୁଅ ଭାଇଙ୍କ ଝିଅ ଝିଆରୀକୁ ପ୍ରେମରେ ଫସାଇ ସେ ତା’ ସଙ୍ଗେ ଥରେ ସାତଦିନ ପର୍ଯ୍ୟନ୍ତ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲା ।

ସତୀଚଉଁରା

– : ପୂର୍ବରୁ :-

ଦୁଇଟି ପୁଅ ଓ ଗୋଟିଏ ଝିଅର ବାପା ହେଲା ପରେ ସୁଦ୍ଧା ଦେବେନ୍ଦ୍ରର ବଦଳିଲା ନାହିଁ ସ୍ୱଭାବ । ଯେଉଁଠାରେ ବି ସେ ପୋଷ୍ଟିଂ ହୋଇଛି, ଯେଉଁ ଅଫିସ୍‌ରେ କାମ କରିଛି, କୌଣସି ନା କୌଣସି ପ୍ରେମ ଆଫେୟାର୍ ତା’ର ସେଠି ଆରମ୍ଭ ହୋଇଛି । କେତେଥର ସଫଳ ହୋଇଛି ଏବଂ ଅନେକ ଥର ବିଫଳ ହେଲେ ମଧ୍ୟ ସେ ନିର୍ଲଜ ଭାବେ ଅନ୍ୟତ୍ର ନିଜ ସ୍ୱଭାବର ପୁନରାବୃତ୍ତି କରିଛି । ନିଜର ଅପକର୍ମକୁ ଘୋଡ଼ାଇବା ପାଇଁ କେତେଥର ଯେ ସ୍ତ୍ରୀ ପିଲାଙ୍କୁ ମିଛ କହିଛି ଓ କେତେଥର ଯେ ଧରା ପଡ଼ିଛି, ଅପମାନିତ ହୋଇଛି, ତା’ର କଳନା ନାହିଁ ।

ବିଚକ୍ଷଣ ବୁଦ୍ଧି, କର୍ମ ପ୍ରବଣତା ଓ ବାକ୍‌ପଟୁତା ପାଇଁ ଯଥା ସମୟରେ ସମସ୍ତ ପଦୋନ୍ନତି ପାଇଛି ଦେବେନ୍ଦ୍ର । କଅଁଳ କଥା ଓ ଲୋକ ଦେଖାଣିଆ ନମ୍ରତାରେ ସେ ରଖିଥିଲା ଦୁନିଆଁ କିଣିନେବାର ସାମର୍ଥ୍ୟ । ସବୁ ପୋଷ୍ଟିଂରେ ମନ୍ତ୍ରୀ, ନେତା, ବରିଷ୍ଠ ଅଫିସର୍‌ମାନଙ୍କୁ ଏତେ ଖୁସି ରଖୁଥିଲା ଯେ ଅନ୍ୟ ଅଫିସର୍‌ମାନଙ୍କୁ ତାକୁ ଅନୁକରଣୀୟ ଆଦର୍ଶ ଭାବେ ଦେଖିବା ପାଇଁ ଉପଦେଶ ଦିଆଯାଉଥିଲା ।

ନିଜର ନିକଟ ସମ୍ପର୍କୀୟ ବନ୍ଧୁ କୁଟୁମ୍ୱଙ୍କ ଝିଅମାନଙ୍କ ଉପରେ ମଧ୍ୟ ଦୃଷ୍ଟି ପକାଇବାକୁ ଛାଡ଼ି ନ ଥିଲା ଦେବେନ୍ଦ୍ର । ତା’ ମାମୁ ପୁଅ ଭାଇଙ୍କ ଝିଅ ଝିଆରୀକୁ ପ୍ରେମରେ ଫସାଇ ସେ ତା’ ସଙ୍ଗେ ଥରେ ସାତଦିନ ପର୍ଯ୍ୟନ୍ତ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲା । ଆଉଥରେ ତା’ର ନିଜ କକେଇ ଝିଅ ବଡ଼ ଭଉଣୀର କୋଡ଼ିଏ ବର୍ଷର ଝିଅକୁ ନେଇ ମାଲାଡ଼ିଭସ୍‌ରେ ପାଞ୍ଚଦିନ ରହି ଆସିଲା । ଏଭଳି କୁତ୍ସିତ ପ୍ରେମ ପ୍ରାର୍ଥନା କରି ସୁନ୍ଦରୀ ନାରୀମାନଙ୍କୁ ବୟସ ନିର୍ବିଶେଷରେ ଆକର୍ଷିତ ଓ ଉପଭୋଗ କରି ଦେବେନ୍ଦ୍ର ଉଲ୍ଲସିତ ହେଉଥିଲା ।

ନମ୍ରତା ବ୍ୟସ୍ତ ଥାଏ ନିଜ ଫରେଷ୍ଟ୍ ସର୍ଭିସ ଚାକିରୀରେ ଆଉ ନିଜର ତିନୋଟି ପିଲାଙ୍କୁ ମଣିଷ କରିବାରେ । ସେ ଜାଣିଥିଲା, ଦେବେନ୍ଦ୍ର ଭଳି ବାପାର କଳୁଷିତ ଛାଇ ଯେତେ କମ୍ ପିଲାଙ୍କ ଉପରେ ପଡ଼ିବ ସେତେ ଭଲ । ନମ୍ରତା ଥିଲା ସେ ପିଲା ତିନୋଟିଙ୍କର ବାପା ମା’ ସବୁକିଛି । ଦେବେନ୍ଦ୍ରର ଆଦୌ ସମୟ ନଥିଲା ପିଲାଙ୍କ କଥା ବୁଝିବା ପାଇଁ । କିନ୍ତୁ ନମ୍ରତା ଏଥିପାଇଁ ତାକୁ କେବେ ଦୋଷ ଦେଇନାହିଁ । ଦେବେନ୍ଦ୍ରର ସବୁ ସମୟ କଟେ ତା’ର ସରକାରୀ କାମରେ ଆଉ ମହିଳା ବାନ୍ଧବୀମାନଙ୍କ ସଙ୍ଗରେ । ପରିବାରକୁ ନେଇ ଦେବେନ୍ଦ୍ର କେବେ ଟୁର୍‌ରେ ଯିବା ବା ପତ୍ନୀ ନମ୍ରତାର ଟୁର୍‌ରେ ତା’ ସଙ୍ଗରେ ଯିବାର କେହି ଦେଖି ନାହାନ୍ତି ।

ସେକ୍ରେଟେରିଏଟ୍‌ର ଲଞ୍ଚ୍ ସମୟରେ ଦିନେ ଦିନେ ତା’ ସରକାରୀ ଗାଡ଼ିକୁ ନିଜେ ଚଲାଇ ଯାଇ ଦେବେନ୍ଦ୍ର ପହଞ୍ଚି ଯାଏ କେଉଁଠି ନା କେଉଁଠି ? କେତେବେଳେ କେଉଁ ଦୋକାନୀବନ୍ଧୁ ଘରେ ଯେତେବେଳେ ଦୋକାନୀ ଥାଏ ଦୋକାନରେ, କେତେବେଳେ ଆଉ କେଉଁ ଅଫିସର୍‌ଙ୍କ ଘରେ ଯେତେବେଳେ ସେ ଯାଇଥାନ୍ତି ଟୁରରେ । ବେଳେବେଳେ ନିଜର ଅଧସ୍ତନ ଅବିବାହିତା ମହିଳା କର୍ମଚାରୀମାନଙ୍କୁ ଛୁଟି ଦେଇ ସେମାନଙ୍କ ଘରେ ସେ କରେ ପ୍ରେମଲୀଳା । ଅବୈଧ ପ୍ରେମ ଯେ ପୁରୁଷକୁ ଏତେ ଦୁଃସାହସୀ ଓ ଏତେ ନିର୍ଲଜ କରିପାରେ, ତାହା ଦେବେନ୍ଦ୍ରକୁ ନ ଦେଖିଲେ କେହି ଧାରଣା କରିପାରିବେ ନାହିଁ । ଦିଲ୍ଲୀରେ ଯେଉଁପରି କାରବାର ରାଜ୍ୟରେ ମଧ୍ୟ ସେହି କାରବାର ।

ଦୂରରେ ଗାଡ଼ି ପାର୍କିଂ କରି ବଙ୍କାଟଙ୍କା ରାସ୍ତାରେ ପ୍ରେମିକା ଘରେ କେମିତି ପହଞ୍ଚିବାକୁ ହେବ, ତା’ପରେ ଚାରିଆଡ଼କୁ ଚାହିଁ ଘରୁ ବାହାରି କାର୍‌କୁ କେମିତି ଫେରି ଆସିବାକୁ ହେବ, ଏଥିରେ ଦେବେନ୍ଦ୍ର ଥିଲା ଏକାନ୍ତ ପାରଙ୍ଗମ ।

ପତ୍ନୀଙ୍କର ଚାକିରୀ ଓ ନିଜର ଉପୁରି ଥିବାରୁ ପଇସାର ନଥାଏ କୌଣସି ଅଭାବ । ତେଣୁ ଦାମିକିଆ ଉପହାର ଦେଇ ଓ କୋମଳ ଖୁସାମତିଆ କଥା କହି ମଧ୍ୟବିତ୍ତ ମଧ୍ୟବୟସ୍କା ମହିଳାମାନଙ୍କୁ କିପରି ବଶ କରିବାକୁ ହୁଏ ବେଶ୍ ଜଣାଥିଲା ଦେବେନ୍ଦ୍ରକୁ । ଦିଲ୍ଲୀରେ ଦୁଇଟି ଆଉ ଭୁବନେଶ୍ୱରରେ ତିନୋଟି ଘର କରିଥିଲା ଦେବେନ୍ଦ୍ର । ଯେଉଁ ରାଜ୍ୟରେ ଆଇ.ଏ.ଏସ୍. ଚାକିରୀରେ ଯୋଗ ଦେଇଥିଲା, ସେଠାରେ କୌଣସି ସମ୍ପତ୍ତି କରି ସେ ବଦନାମ୍ ହୋଇ ନାହିଁ ।

ଚାକିରୀରୁ ଅବସର ନେବାର ଚାରିବର୍ଷରେ ସେ କେନ୍ଦ୍ର ସରକାରଙ୍କର ଜଣେ ଜଏଣ୍ଟ୍ ଡାଇରେକ୍ଟର ଅନୁପମା ଘୋଷାଲଙ୍କର ସଙ୍ଗେ ଗୋଟିଏ ଅଲଗା ଘରେ ରହିବା ଆରମ୍ଭ କଲା ।

ଅନୁପମାଙ୍କର ପ୍ରଥମ ବିବାହରୁ ଦୁଇଟି କନ୍ୟା ସନ୍ତାନ ଥିଲେ ଏବଂ ସେମାନେ ଥିଲେ କଲେଜ୍ ପଢୁଆ । ଅନୁପମା କିନ୍ତୁ ନିଃସଙ୍କୋଚରେ ସେମାନଙ୍କୁ ତାଙ୍କ ବାପାଙ୍କ ପାଖେ ଛାଡ଼ି ଲିଭ୍ ଇନ୍ କଲେ ଦେବେନ୍ଦ୍ର ସହିତ ।

ନମ୍ରତା ବୋଧେ ଏମିତି କିଛି ହେଉ ବୋଲି ଚାହୁଁଥିଲେ ଏବଂ ଅପେକ୍ଷା କରିଥିଲେ । ଦେବେନ୍ଦ୍ର ସାଙ୍ଗେ ତାଙ୍କର ପ୍ରେମର ଦିନଗୁଡ଼ିକ ଥିଲା ମାତ୍ର ଏକମାସ, ବିବାହ ପୂର୍ବରୁ ମସୁରୀ ଏକାଡ଼େମୀରେ । ନମ୍ରତା ଜାଣିଥିଲେ ଯେ ଦେବେନ୍ଦ୍ର ପ୍ରକୃତି ଯାହା ସେ ତାଙ୍କୁ କେବଳ ବାହା ହେଉଛି ଚାକିରୀ ପାଇଁ । ଦେବେନ୍ଦ୍ର ତା’ପରେ ଯେଉଁଠାରେ ବି ଯାହା କରିଛି ନମ୍ରତା ସେଥିରେ ଉଁ କି ଚୁଁ କହିନାହାନ୍ତି ।

ଏବେ ଯେତେବେଳେ ଦେବେନ୍ଦ୍ର ତାଙ୍କୁ ପିଲାଙ୍କୁ ସବୁଦିନ ପାଇଁ ଛାଡ଼ି ଅନୁପମା ଘୋଷାଲ୍‌ଙ୍କ ସଙ୍ଗେ ରହିଲା, ନମ୍ରତା ବିନା ବିଳମ୍ୱରେ ତାଙ୍କୁ ଦେଲେ ଛାଡ଼ପତ୍ର ପ୍ରସ୍ତାବ । ଦେବେନ୍ଦ୍ର ଅତ୍ୟନ୍ତ ପ୍ରୀତ ହୋଇ ତାହା ଗ୍ରହଣ କଲା । ଦିଲ୍ଲୀର ଗୋଟିଏ ଏବଂ ନିଜ ରାଜ୍ୟ ଉତ୍ତରାଖଣ୍ଡର ଗୋଟିଏ ଘର ନମ୍ରତାଙ୍କ ନାଁରେ ଥିଲା, ଯାହା ସେ ନିଜ ପଇସାରେ କରିଥିଲେ । ବିନା ଦ୍ୱିଧାରେ ସେ ଛାଡ଼ପତ୍ର ଦେଇ ଦେବେନ୍ଦ୍ରର ଦ୍ୱିତୀୟ ବିବାହ ପାଇଁ ରାସ୍ତା ମୁକ୍ତ କରିଦେଲେ ।

ଅନୁପମା ଘୋଷାଲଙ୍କର ଦୁଇଝିଅ ପ୍ରଚଣ୍ଡ ଘୃଣାର ସହ ମାଆକୁ ସବୁଦିନ ପାଇଁ ଛାଡ଼ିଦେଲେ ନିଜ ରାସ୍ତାରେ ଯିବା ପାଇଁ ଏବଂ ରହିଲେ ତାଙ୍କ ନିଜ ବାପାଙ୍କ ପାଖରେ । କେବଳ ମାଆଙ୍କ ପ୍ରତି ଘୃଣା ନୁହେଁ, ଦେବେନ୍ଦ୍ର ପ୍ରତି ଭୟ ମଧ୍ୟ ସେମାନଙ୍କୁ ଅନେକ ଭୀତତ୍ରସ୍ତ କରିଥିଲା । ତେଣୁ ଝିଅ ଦୁହିଁଙ୍କର ସମସ୍ତ ସମ୍ପର୍କ କଟିଗଲା ମାଆ ଅନୁପମାଙ୍କ ସହିତ ।

ମୁଁ ଆଜି ଆସିଛି ଆପଣଙ୍କ ପାଖକୁ ଗୋଟିଏ ଅନୁରୋଧ ନେଇ । ଆପଣଙ୍କ ବନ୍ଧୁ ଦେବେନ୍ଦ୍ର ମୋହନ ବର୍ତ୍ତମାନ ଅଶ୍ୱିନୀ ହସ୍ପିଟାଲର ଆଇ.ସି.ୟୁ.ରେ ଅଚେତ୍ ଅବସ୍ଥାରେ ଅଛି ଚାରିଦିନ ହେଲା । ସେ ଦେହତ୍ୟାଗ କରିବ ଯେକୌଣସି ମୁହୂର୍ତ୍ତରେ । ଆପଣ ତାକୁ ଯାଇ ଥରେ ଦେଖି ଆସନ୍ତୁ । ଆଶା, ମୋର ଅନୁରୋଧ ଦୟା କରି ରକ୍ଷା କରିବେ ।

ମନ୍ଦାକିନୀଙ୍କୁ ବୀରକିଶୋର ବାବୁ କହିଲେ, “ଦେବେନ୍ଦ୍ର ତ ଗଲା ପନ୍ଦର ବର୍ଷରୁ ବେଶୀ ସମୟ ମୋ ସଙ୍ଗେ ମଧ୍ୟ କୌଣସି ସମ୍ପର୍କ ରଖିନାହିଁ । ଆଜି ହଠାତ୍ ମୁଁ ତା’ ପାଖକୁ କାହିଁକି ଯିବି ? ମୁଁ ଦୁଃଖିତ, ଆପଣଙ୍କ କଥା ମୁଁ ରଖି ପାରୁନାହିଁ । ମୁଁ ମୋ ବନ୍ଧୁ ପାଖକୁ ଯାଏ ନ ଯାଏ, ଆପଣଙ୍କର କି ଯାଏ ଆସେ ।”

ମନ୍ଦାକିନୀ କହିଲେ ଅନୁନୟ ବିନୟ ହୋଇ । “ଦେବେନ୍ଦ୍ରର ଶରୀର ବଞ୍ଚିବାକୁ ଅଛି ଆଉ ଘଣ୍ଟାଏ ଅଧଘଣ୍ଟାଏ ମାତ୍ର । ତା’ପରେ କାଲି ସକାଳକୁ ସେମାନେ ଅଶ୍ୱିନୀ ହସ୍ପିଟାଲରେ ତାକୁ ନେଇ ଆସିବେ ଆମ ସତୀଚଉଁରାକୁ ।”

ଦୁଇଟି କାରଣରୁ ଆମେ ଚାହୁଁନାହୁଁ ଦେବେନ୍ଦ୍ର ସତୀଚଉଁରାକୁ ଆସୁ । ସେ ଏପରି ନଷ୍ଟ ଚରିତ୍ର ଯେ ଆମ ଆସ୍ଥାନକୁ ଅପବିତ୍ର ଓ କଳୁଷିତ କରିଦେବ । ଦ୍ୱିତୀୟରେ ସେ ପାପାତ୍ମାର ପ୍ରବଳ ନାରୀସଙ୍ଗତୃଷ୍ଣା ତଥାପି ଏବେ ଅମାପ ଅପରିସୀମ ସେ ଆମକୁ ବିଟାଳି ଦେବାର ଭୟ ସମସ୍ତଙ୍କୁ ଇତଃସ୍ତତଃ କରୁଛି । ଆମେ ତାକୁ ଦେଖି ରାସ୍ତା ହୁଡ଼ିଯିବାକୁ ଚାହୁଁନାହୁଁ ।”

ଦେବେନ୍ଦ୍ରର ଏ ଆତ୍ମା ଗୋଟିଏ ଜନ୍ମର ଅଭିଶପ୍ତ ଜୀବାତ୍ମା ନୁହେଁ । ସେ ହୁଏତ ରାବଣ ଅଂଶରେ ଜାତ । କେଜାଣି କେତେ ଜନ୍ମ ଧରି ସେ ଅଧମ ଏପରି କୁତ୍ସିତ କ୍ରିୟାକଳାପରେ ଲିପ୍ତ ରହିଛି ଓ ପୁଣି ରହିବ କହିହେବ ନାହିଁ । ପରଜନ୍ମ ପାଇଲା ପର୍ଯ୍ୟନ୍ତ ସେ ଘୂରି ବୁଲିବ ଏଇ ସତୀଚଉଁରାରେ ଏବଂ ତାହା ଆମ ପକ୍ଷେ ଅସହ୍ୟ ହେବ । ଅନେକ ସ୍ୱାଧୀନତା ସଂଗ୍ରାମୀ, ଅଧ୍ୟାପକ, କବି, ବିଚାରପତି, ଲେଖକ, ସମାଜସେବୀ ଜାତିସ୍ମର ବ୍ୟକ୍ତିମାନଙ୍କର ଏଠାରେ ସ୍ମାରକୀ ଅଛି । ସେମାନଙ୍କ ମଧ୍ୟରୁ କେତେକ ପୁଣ୍ୟାତ୍ମା ଏବେ ମଧ୍ୟ ପରଜନ୍ମ ପାଇନାହାନ୍ତି । ଆମ ସଙ୍ଗରେ ଅଛନ୍ତି । ଆମେ ଆଦୌ ଚାହୁଁନାହୁଁ ମେଧାବୀ ଅବସର ପ୍ରାପ୍ତ ଆଇ.ଏ.ଏସ୍. ଦେବେନ୍ଦ୍ର ଆସୁ ଆମ ପାଖେ ରହିବା ପାଇଁ ।

ଆପଣଙ୍କ ପତ୍ନୀ ପତିପ୍ରାଣା ସୁମିତ୍ରା ମଧ୍ୟ ଆମ ନିକଟରେ ଏବେ ଅଛନ୍ତି । ଆପଣ କ’ଣ ଚାହୁଁଛନ୍ତି ଏ ପାମର ପାପାତ୍ମା ଦେବେନ୍ଦ୍ର ଆସି ତାଙ୍କ ଉପରେ ଆଖି ପକାଉ । କହି ରଖେ, ଆତ୍ମା ଭାବେ ଆପଣଙ୍କ ପତ୍ନୀ ଏବେ ଅନିନ୍ଦ୍ୟ ସୁନ୍ଦରୀ ଦିଶୁଛନ୍ତି, ଆପଣ ଶେଷରେ ଦେଖିଥିବା ବାସ୍ତରୀ ବାର୍ଷୀୟା ବୁଢ଼ୀଙ୍କ ଭଳି ନୁହେଁ । ଆତ୍ମାକୁ ବାର୍ଦ୍ଧକ୍ୟ ସ୍ପର୍ଶ କରେ ନାହିଁ । ଆତ୍ମା ଚିର ଯୌବନା । ଚିର ଅମ୍ଳାନ । ଯେପରି ମୁଁ ଆଜି ବି ସେଇ ରୂପବତୀ ସତୀ ଯୁବତୀ ମନ୍ଦାକିନୀ । ସେଇ ଯୁଗର, ସେଇ ଶତାବ୍ଦୀର ସେଇ ରୂପରେ ମୋର ଦେଖୁଛନ୍ତି କିଛି ପରିବର୍ତ୍ତନ ।

ମୃତ୍ୟୁରେ ଜୀବର ସ୍ଥୂଳ ଶରୀର ଅର୍ଥାତ୍ କେବଳ ତା’ର ଅନ୍ନମୟ କୋଷ ପଡ଼ି ରହେ । ତାହାର କାରଣ ଶରୀର ଓ ସୂକ୍ଷ୍ମ ଶରୀର ଆତ୍ମା ସାଙ୍ଗେ ଯାଏ, ଅର୍ଥାତ୍ ତା’ର ମନ, ବୁଦ୍ଧି, ପ୍ରାଣ, ଚିତ୍ତ ଏବଂ ଆନନ୍ଦମୟ କୋଷ ଆଦିକୁ ଆତ୍ମା ସାଙ୍ଗରେ ନେଇଯାଏ । ଅନ୍ନମୟ କୋଷ କେବଳ ସାପର କାତି ଭଳି । ଜୀବାତ୍ମା ମୃତ୍ୟୁ ଓ ଜନ୍ମର ଚକ୍ରରେ କେବଳ ବାହ୍ୟ ପୋଷାକ ପରିବର୍ତ୍ତନ କରେ । ବୁଝିପାରୁଥିବେ ଦେବେନ୍ଦ୍ର ମୋହନର ଜୀବାତ୍ମା ତା’ର ଅକ୍ଷୁର୍ଣ୍ଣ ମନ, ବୁଦ୍ଧି, ଚିତ୍ତ ଓ ଅହଂକାର ସହ କି କେଳେଙ୍କାରୀ ନ କରିପାରିବ ।

ଆପଣ ଏବେ ଯାଇ ତା’ ପିଲାମାନଙ୍କୁ କହି ଦିଅନ୍ତୁ । ଆପଣ କହିବେ, “ଦେବେନ୍ଦ୍ର ଆପଣଙ୍କୁ ଅଳ୍ପ କିଛିଦିନ ତଳେ କହିଛି ଯେ ତାକୁ ଖାନନଗର ବିଦ୍ୟୁତ ଚୁଲାରେ ଦାହ କରାଯାଉ ।” ମୋର ଅନୁରୋଧ ହୁଏତ ଆପଣଙ୍କ ପାଇଁ କିଛି ଗୁରୁତ୍ୱ ରଖି ନପାରେ, କିନ୍ତୁ ଆମ ସମସ୍ତଙ୍କ ପାଇଁ ଅଧିକ ମହତ୍ତ୍ୱପୂର୍ଣ୍ଣ । ଅନେକ ବିତର୍କ ବିମର୍ଷ ପରେ ସମସ୍ତଙ୍କ ସହମତି ନେଇ ମୋତେ ଆସିବାକୁ ପଡ଼ିଛି ଆପଣଙ୍କ ପାଖକୁ । କାରଣ ଆପଣ ଦେବେନ୍ଦ୍ରର ବାଲ୍ୟବନ୍ଧୁ ।

ଏହାପରେ ମଧ୍ୟ ବୀରକିଶୋର ସମ୍ମତି ଦେଲେ ନାହିଁ । ବୀରକିଶୋର ବାବୁଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଦେବେନ୍ଦ୍ରର କେଉଁଠାରେ ଦାହକ୍ରିୟା ହେବ ତା’ ପରିବାର ଲୋକେ ନିଷ୍ପତ୍ତି ନେବେ । ଏଥିରେ ବୀରକିଶୋର ବାବୁଙ୍କର କ’ଣ କରିବାର ଅଛି ଏବଂ ସେ କହିଲେ ମଧ୍ୟ ଶୁଣିବ କିଏ ?

ସକାଳ ନଅଟାକୁ ନିଦ ଭାଙ୍ଗିଲା ବୀରକିଶୋର ବାବୁଙ୍କର । ମୁଣ୍ଡ ଭାରି ଭାରି ଲାଗୁଥାଏ, ଜୋର୍‌ରେ ଝାଙ୍କି ଦେଉଥାଏ । ସକାଳ ଚା’ କପ୍ ବଢ଼ାଇଲାବେଳେ ଚାକର ନରିଆ କହିଲା- “ସକାଳ ସାତଟାବେଳେ ଅଶ୍ୱିନୀ ହସ୍ପିଟାଲ୍ରୁ ଫୋନ୍ ଆସିଥିଲା । ଆପଣଙ୍କର ବନ୍ଧୁ ଦେବେନ୍ଦ୍ରଙ୍କର ପୁଅ ଫୋନ୍‌ରେ କହିଲେ ଯେ ତାଙ୍କ ବାପା ଚାଲିଗଲେ ପୂର୍ବ ରାତି ସାଢେ଼ ବାରଟାବେଳେ ।”

ବୀରକିଶୋରଙ୍କର ପୂର୍ବରାତ୍ରିର ଘଟଣାରାଜି ସବୁ ମନେ ପଡ଼ିଗଲା । ସେ ଅଶରୀରୀ ସତୀ ଅପୂର୍ବ ସୁନ୍ଦରୀ ଯୁବତୀ ନାରୀ ମନ୍ଦାକିନୀ ତେବେ ଠିକ୍ କହିଥିଲା । ତା’ କଥା ରଖିପାରିଲେ ନାହିଁ ସେ । ଏବେ ତ ଅନେକ ଡେରି ହୋଇଗଲାଣି । ଦେବେନ୍ଦ୍ର ପିଲାମାନେ ଯେଉଁଠି ଦାହକ୍ରିୟା କରିବେ କରନ୍ତୁ । ବୀରକିଶୋର କିଏ, ତାଙ୍କୁ ଉପଦେଶ ଦେବା ପାଇଁ । ସେ ଯେପରି ଭାବିଥିଲେ, ସେପରି କେବଳ ଯାଇ ଉପସ୍ଥାନ ପକାଇ ଆସିବେ ଅଶ୍ୱିନୀ ହସ୍ପିଟାଲ୍‌ରେ ।

ପୋଷାକ ବଦଳାଇ ଆଉ ବିଳମ୍ୱ ନ କରି ବୀରକିଶୋର ଅଶ୍ୱିନୀ ହସ୍ପିଟାଲ୍‌ରେ ପହଞ୍ଚିଲେ । ଦେବେନ୍ଦ୍ରର ପୁଅ ସୁବୋଧ ଆଗେଇ ଆସି ବୀରବାବୁଙ୍କର ପାଦ ଛୁଇଁ ପ୍ରଣାମ କରିବାକୁ ଯାଉଥିଲା । ବୀରକିଶୋର ମନା କଲେ । ବାବା, ତୁମେ ପିତୃକ୍ରିୟା ଧରିଲାବେଳେ କାହାକୁ ନମସ୍କାର କରିବନାହିଁ, ମୁଣ୍ଡିଆ ମାରିବ ନାହିଁ ।

ସୁବୋଧ ଅତ୍ୟନ୍ତ ଗଦ୍‌ଗଦ୍ କଣ୍ଠରେ କହିଲା, “ମଉସା, ଆପଣ କାଲି ରାତିରେ ଆସି ବାପାଙ୍କୁ ଦେଖିଗଲେ । ଆପଣ ଯିବାର ପନ୍ଦର ମିନିଟ୍ ପରେ ସବୁ ସପୋର୍ଟ ସିଷ୍ଟମ୍ ଗୋଟିକ ପରେ ଗୋଟିଏ ଫେଲ୍ କରିବାକୁ ମାରିଗଲା । ଆମେ ପାଟିରେ ଗଙ୍ଗା ପାଣି ଦେଲାବେଳକୁ କିଛି ତାଙ୍କ ଭିତରକୁ ଗଲାନାହିଁ ।”

ବୀରକିଶୋରଙ୍କର ରୁମ ସବୁ ଟାଙ୍କୁରି ଉଠିଲା ଭୟ ଓ ଆଶ୍ଚର୍ଯ୍ୟରେ । ସେ ଝାଳନାଳ ହୋଇଗଲେ । ସେ କାଲିରାତିରେ କେତେବେଳେ ଅଶ୍ୱିନୀ ହସ୍ପିଟାଲ୍ ଆସିଥିଲେ । ତାଙ୍କର କିଛି ମନେନାହିଁ କିପରି ?

ଆଜି ସକାଳୁ ଯେତେବେଳେ ବାପାଙ୍କୁ ନେଇ ପାଖ ସତୀଚଉଁରା ଶ୍ମଶାନକୁ ଯିବା କଥା ଉଠିଲା, ମୁଁ ସମସ୍ତଙ୍କୁ ଆପଣଙ୍କର କାଲି ରାତିରେ ମୋତେ କହିଥିବା କଥା କହିଲି । ବାପା ଯିବାର ଦଶଦିନ ଆଗରୁ ମଉସାଙ୍କୁ କହି ଯାଇଥିଲେ ଯେ ସେ ଖାନନଗରର ବିଦ୍ୟୁତ ଚୂଲାରେ ଦାହ ହେବାକୁ ଇଚ୍ଛା କରନ୍ତି । ତାଙ୍କ ପାଇଁ ପିଲାମାନେ ସତୀଚଉଁରାକୁ ଯାଇ ହଇରାଣ ହେବା ଓ ଘଣ୍ଟାଘଣ୍ଟା ଧରି ଶବଦାହକୁ ଅପେକ୍ଷା କରିବା ସେ ଚାହାନ୍ତିନାହିଁ । ଆପଣ ବାବାଙ୍କର କେବଳ ଚାକିରୀର ସହକର୍ମୀ ନୁହଁନ୍ତି ଅନ୍ତରଙ୍ଗ ବାଲ୍ୟବନ୍ଧୁ । ବାବା ଆପଣଙ୍କୁ କହିଥିବା କଥା ଆମେ ଶିରୋଧାର୍ଯ୍ୟ କରି ଖାନନଗର ବିଦ୍ୟୁତ ଚୂଲାକୁ ଖବର ଦେଇଛୁ ।

ବୀରବାବୁଙ୍କର ଦେହରୁ ଆଉ ଗୋଟିଏ ଝାଳ ବୋହିଗଲା ।

ବୀରକିଶୋର ବାବୁ ସୁବୋଧକୁ କହିଲେ, “ଶୁଣ ବାପା, ମୁଁ ଖାନନଗର ଯାଇପାରୁ ନାହିଁ । କାଲି ରାତି ଅନିଦ୍ରା ହୋଇ ଦେହଟା କେମିତି ଭଲ ଲାଗୁନି । ତମେ ଭାଇମାନେ ସବୁତ କାମ ସୁବିଧାରେ ଉଠାଇନେବ । ମୁଁ ଯାଉଛି ।” ଏହା କହି, ବୀରକିଶୋର ଦୁଇହାତ ଉପରକୁ ଉଠାଇ ଆକାଶକୁ ମୁହଁ କରି ଅନେକ ସମୟ ଧରି ନମସ୍କାର କଲେ, ସତୀଚଉଁରାର ପ୍ରଥମ ସତୀ ସେହି ମହିୟସୀ ଅପରୂପା ସୁନ୍ଦରୀ ଅଶରୀରୀ ମନ୍ଦାକିନୀଙ୍କ ଉଦ୍ଦେଶ୍ୟରେ ।

ବୀରକିଶୋରଙ୍କୁ ବୋଧ ହେଉଥିଲା, ମନ୍ଦାକିନୀଙ୍କ ଜୟ ହୋଇଛି ଓ ତାଙ୍କର ପରାଜୟ । ସେ ପରାଜୟର ଗ୍ଲାନି କିନ୍ତୁ ତାଙ୍କୁ ଦେଉଥିଲା ଏକ ଅପୂର୍ବ ଶାନ୍ତି ଓ ସାନ୍ତ୍ୱନା । ସେ ଭାବିଥିଲେ, ସେ କ୍ଷମା ମାଗିବେ ମନ୍ଦାକିନୀଦେବୀଙ୍କୁ । ପ୍ରଚଳିତ ସାମାଜିକ ବ୍ୟବସ୍ଥା ଯଦି ଦେବେନ୍ଦ୍ରମାନଙ୍କ ପାଇଁ କରୁଥାନ୍ତା ଉପଯୁକ୍ତ ଶାସ୍ତିର ବ୍ୟବସ୍ଥା ତେବେ ଐତିହାସିକ ଶ୍ମଶାନପୀଠ ସତୀଚଉଁରାର ଶାନ୍ତି ଓ ପବିତ୍ରତା ରକ୍ଷା କରିବା ପାଇଁ ବିଚାରୀ ମନ୍ଦାକିନୀଙ୍କୁ କରିବାକୁ ପଡ଼ି ନଥାନ୍ତା ଏତେ ପରିଶ୍ରମ । ଦେବୀ ମନ୍ଦାକିନୀ ଏହିପରି ଦେଉଥାନ୍ତୁ ସୁମିତ୍ରାଙ୍କୁ ସୁରକ୍ଷା, ବୀରକିଶୋର ଆଉ ଥରେ ପ୍ରାର୍ଥନା କଲେ ହାତ ଉପରକୁ ଉଠାଇ ।

ଲୋକପ୍ରିୟ ଲେଖା

To Top