ଗଳ୍ପ

ସେ ବି ତା’ ପାଇଁ କେହି ନୁହେଁ

ଦୁଇ ବାହୁ ଉପରକୁ ତୋଳି ହାତ ମୁଠା ଖୋଲି ଦେଇ. . . ଦୁଇ ଧାଡ଼ିରେ ବସି ପ୍ରସାଦ ସେବନ କରୁଥିବା ପଙ୍ଗତ ମଝିରେ, ସେ ନାଚିବାକୁ ଲାଗିଲା । ତା’ ନାଚ ଦେଖି, ଲୋକେ ଖାଇବା ଛାଡ଼ି ହରିବୋଲ ପକାଇଲେ ।

ସେ ବି ତା' ପାଇଁ କେହି ନୁହେଁ

ବେକରେ ଗୋରୁ ବନ୍ଧା ପଘାଟିଏ ଗୁଡ଼ାଇ, ତାକୁ ଫୁଙ୍ଗୁଳା ପେଟର ନାହୀ ତଳକୁ ଝୁଲାଇ ଦେଇଛି ସେ । ଗାଲରେ ବହଳ ରୁଢ଼ । ଦାଢ଼ି ଥୋଡ଼ିରୁ ତଳକୁ ଝୁଲିଛି । ମୁଣ୍ଡର ଆଗକୁ ପଛକୁ ଝାମ୍ପୁରା ବାଳ । ଅଣ୍ଟାରୁ ଆଣ୍ଠୁଯାଏ କୋଚଟ ମଇଳା ଧୋତି ଖଣ୍ଡେ ପିନ୍ଧି, ନିରୀହ ଆଖିରେ ସାମ୍ନା ଘରର ଦ୍ୱାର ଆଡ଼କୁ ଚାହିଁ ରହିଛି ଲୋକଟା. . .

. . . କୁଟା କେରାଏ ଉପରେ କାଳିଆ ଗୋଡ଼ ଦୁଇଟିକୁ ଯୋଡ଼ି ଦେଇ, ଦାନ୍ତରେ କୁଟା ଚା’ଖଣ୍ଡେ କାମୁଡ଼ି ରଖିଛି । ଧୀର ସ୍ଥିର ଭାବରେ ଛିଡ଼ା ହୋଇଛି- ଅନ୍ୟର କରୁଣା ପାଇବା ଆଶାରେ. . . ।

ଚିହ୍ନିଲା ଚିହ୍ନିଲା ପରି ଲାଗୁଛି !

ଏ ଆମ ଗାଁ ତୂର – ପରିଆ ନୁହେଁ ତ !

ସାଇକେଲ୍ ବ୍ରେକ୍ କରି, ତା’ ଆଡ଼େ ଚାହିଁଲି । ମୋ ପିଲା ଦିନେ ତୂର-ପରିଆକୁ ମୁଁ ଯେମିତି ଦେଖିଥିଲି, ଏବେ ବୟସ ଛାପରେ ଯଦିବା ତା’ର ସେ ରୂପ କିଛିଟା ବଦଳି ଯାଇଛି, କିନ୍ତୁ ମୁଁ ଠିକ୍ ଚିହ୍ନିପାରୁଛି- ଏ ତୂର-ପରିଆ । ନିଶ୍ଚୟ ତୂର-ପରିଆ ।

ଘର ଭିତରୁ ଧୋବ ଶାଢ଼ୀ ପିନ୍ଧିଥିବା ପାଚିଲା ଚୂଳିଆ ମା’ ଜଣେ ଆଡ଼ ଆଡ଼ ହୋଇ ତା’ ପାଖକୁ ଆସିଲେ । ତୂର-ପରିଆ ଝୂଲା ବଢ଼ାଇ ଦେଲା । ନ ଛୁଇଁବା ଢଙ୍ଗରେ ଚାଉଳ ମାଣେ ଅଜାଡ଼ି ଦେଇ, ବୁଢ଼ୀମା’ ଭିତରକୁ ଫେରି ଯାଉ ଯାଉ ଦାଣ୍ଡ କବାଟଟା କିଳି ଦେଲେ ।

ତୂର-ପରିଆ କୁଟା କେରାକ ପାଦ ତଳୁ ଉଠାଇ ପାଖ ଘର ଦ୍ୱାର ସାମ୍ନାରେ ପୂର୍ବ ପରି ଠିଆ ହେଲା । ଦାନ୍ତରୁ ତିରଣ କାଢ଼ି, କଅଁଳା ବାଛୁରୀ ପରି ଦୁଇ ଥର ହମ୍ୱାଳିଲା । ପୁଣି କାମୁଡ଼ିଲା- ତିରଣ ।

ବେଶ୍. . . ତା’ କାମ ଶେଷ । ଭିତରୁ ଆସିଲା ଫ୍ରକ୍ ପିନ୍ଧା କିଶୋରୀଟିଏ । କିଛି ସମୟ ଚାହିଁଲା- ତା’ ସମୟରେ ଅଦ୍ଭୂତ ଲାଗୁଥିବା ଏହି ଛବି ପରି ମଣିଷଟିକୁ । ଚଟ୍ କରି ଭିତରକୁ ଫେରିଗଲା । ପରେ ପରେ ବୋହୂ ଜଣେ ଆସିଲେ ଦାଣ୍ଡ ଦ୍ୱାର ତଳକୁ । ବୁଢ଼ୀ-ମା’ଙ୍କ ପରି ଏକା ଘଟଣାର ପୁନରାବୃତ୍ତି !

ତୂର-ପରିଆ କୁଟା କେରାକ ଉଠାଇ ଅନ୍ୟ ଖଞ୍ଜାଘର ସାମ୍ନାକୁ ଯିବାବେଳେ, ମୋ ମନରେ ଥିବା ସନ୍ଦେହଟିକୁ ଘୁଞ୍ଚାଇବା ପାଇଁ, ମୁଁ ତାକୁ ଶୁଣାଇବା ପରି ଉଚ୍ଚ ସ୍ୱରରେ ଡାକିଦେଲି- ତୂର-ପରିଆ !

ସେ ତ ତୂର-ପରିଆ ! ହଠାତ୍ ମୋ ଆଡ଼େ ଚାହିଁ ଦେଲା । ଘରଠୁ ପଚାଶ କିଲୋମିଟର ଦୂରରେ. . . ଯେଉଁଠି ତାକୁ କେହି ବି ଚିହ୍ନନ୍ତି ନାହିଁ ବୋଲି ତା’ର ଧାରଣା, ସେଠାରେ ତାକୁ ତା’ ନାଁ ଧରି ଡାକିଲା କିଏ ! ତାକୁ ଚିହ୍ନିଥିବା ଲୋକ କେହି ହେଇଥିବ ନିଶ୍ଚୟ । ଧରା ପଡ଼ିଯିବା ଭୟରେ, ହଠାତ୍ ହାତ ଯୋଡ଼ି ମୋ ଆଡ଼େ ଚାହିଁଲା ସେ. . . ।

ଓଠ ଥରୁଥାଏ । ଦାନ୍ତରେ ତିରଣ. . . କିଛି କହୁ ନଥାଏ । ଜୁଳୁଜୁଳୁ ଆଖି, ଛଳଛଳ ହେଉଥାଏ ! ମୁଣ୍ଡ ହଲି ହଲି ନାହିଁ ନାହିଁର ସୂଚନା ଦେଉଥାଏ, ତା’ ଦୁଷ୍କର୍ମ ଖୋଲି ଦେବାକୁ !

ମୁଁ ଜାଣିଗଲି- ତୂର-ପରିଆର ଅସଲ ପରିଚୟ । ସେ ଗୋରୁ ମାରି ଭିକ୍ଷା ମାଗୁ ନାହିଁ ତଥାକଥିତ ପ୍ରାୟଶ୍ଚିତ ହେବାକୁ । ମିଛ । ସତରେ ପେଟ ପୋଷିବା ପାଇଁ କି ନାଟ ଲାଗିଛି ! ହେଇପାରେ ଗୋରୁ ମାରି, ବେକରେ ପଘା ପକାଇ, ଦ୍ୱାର ଦ୍ୱାର ବୁଲି, ଗୋରୁ ପରି ହମ୍ୱାଳି ହମ୍ୱାଳି, ନିରବରେ ମହାପାପ ସ୍ୱୀକାର କରି, ହିନ୍ଦୁ ମଣିଷର ଧର୍ମ ପ୍ରବଣତାକୁ ଚହଲାଇ ଦେଇ, ଭିକ୍ଷା ମାଗି ପ୍ରାୟଶ୍ଚିତ ହେବାଟା କୁସଂସ୍କାର ! . . . ମାତ୍ର ମଣିଷର ଅନନ୍ତ ଉପକାର କରୁଥିବା ଗୋ-ଜାତିର ନିରାପତ୍ତା ଓ ସୁରକ୍ଷା ଦିଗରେ ଏପରି ସାମାଜିକ କଟକଣା ଆମ ବିଦ୍ୱାନ ଶାସ୍ତ୍ରକାର ମାନଙ୍କର ଏକ ସୁଚିନ୍ତିତ ଧାର୍ମିକ ନିୟମ ନିଶ୍ଚୟ ।

ଭାରାକ୍ରାନ୍ତ ବୟସରେ ତୂର-ପରିଆ ପେଟ ପୋଷିବା ପାଇଁ ଏମିତି ଗୋଟାଏ ଧର୍ମପ୍ରବଣ ବ୍ୟବସ୍ଥାର ସୁଯୋଗ ନେବ ବୋଲି ମୁଁ ଭାବିପାରୁ ନଥାଏ । କଠୋର ବାମପନ୍ଥୀ ବିଚାରବୋଧର ଏହି ଗାଉଁଲୀ ଲୋକଟିକୁ ମୁଁ ମୋର ପିଲାଦିନରୁ ଯେପରି ଦେଖିଛି, ଆଜି ତାକୁ ଏପରି ଦେଖି ମୋତେ ତାଜୁବ୍ ଲାଗୁଛି. . . !

ସେତେବେଳେ ଡାହାଣ ହାତରେ ଟିଣ ତିଆରି ତୂରଟାଏ ମୁହଁ ସାମ୍ନାରେ ଧରି, ଗାଁ ଦାଣ୍ଡରେ ଉଚ୍ଚ ସ୍ୱରରେ କହି କହି ଚାଲେ ସେ. . .

. . . ଭାଇମାନେ ! ମା’ ମାନେ. . . ! ମଉସା ମାନେ ! କିରାସ୍ତିନ୍ ଦର୍ ବଢ଼ିଲା । ପିଆଜ ରସୁଣ ଦର୍ ବଢ଼ିଲା. . . ନୁଣକୁ ଏକଚାଟିଆ ବେପାର କଲେଣି. . . ଖଣି ଖାଦାନ୍ ଘାସ ମାଛ ମୂଲରେ ବିକ୍ରି ହୋଉଚି. . . ଚାଷୀକୁ ତା’ ଆମଦାନୀ ଦରବର ଠିକ୍ ଦାମ୍ ମିଳୁ ନାଇଁ । ମଜୁରିଆକୁ ଠିକ୍ ମଜୁରୀ ମିଳୁନାହିଁ । ବଡ଼ବଡ଼ିଆ ବଡ଼ ହେଇ ହେଇ ଯାଉଚନ୍ତି । ଖଟିଖିଆ, ମୂଲିଆ, ମଜୁରିଆ ତଳିତଳାନ୍ତ ହେଉଚନ୍ତି. . .

ଆଜି ସଞ୍ଜ ସାତୁଟା ବେଳେ କାଳୀ, ପଡ଼ିଆରେ ବିରାଟ ସଭା ହବ । କଲିକତାରୁ ଆମ ପାର୍ଟିର ତୁଷାରକାନ୍ତ ସେନ୍ ଆସୁଚନ୍ତି । ବହୁତ ବଢ଼ିଆ ବକ୍ତା. . . ଆପଣମାନେ ସଞ୍ଜ ସାତୁଟାରେ କାଳୀ ପଡ଼ିଆରେ ପହଞ୍ଚନ୍ତୁ. . . ।

ପଞ୍ଚାୟତ ଇଲେକ୍ସନ୍ ଆସିଲେ, ସାଧାରଣ ନିର୍ବାଚନ ପହଞ୍ଚିଲେ କିମ୍ୱା ସେମିତି କିଛି ଆଖିଦୃଶିଆ ପ୍ରାକୃତିକ ବିପଦ-ବନ୍ୟା, ବାତ୍ୟା, ଲୁଣା ମାଡ଼ି ଆସିଲେ. . . ପରିଆର ତୂର ନିଦରୁ ଉଠେ । ତୂର ଧରି ପରିଆ ତୂର-ପରିଆ ବନିଯାଏ । ବେଶ୍ କିଛିଦିନ ପରେ ତୂର-ପରିଆ ଶାନ୍ତ-ତୂର ବି ଶାନ୍ତି । ଯେଉଁ ରାଜ ନେତାମାନେ ପରିଆକୁ ତୂର-ପରିଆ ସଜାଇ, ବିନା ଖର୍ଚ୍ଚରେ ପ୍ରଚାର ପ୍ରସାର କରାଇଥାନ୍ତି, ସେମାନେ କିଏ କୁଆଡ଼େ ମୁହଁ ଲୁଚାନ୍ତି-ପୁଣି ଗୋଟାଏ ହୋ’ ହଲ୍ଲା ସମୟ ଆସିବା ଯାଏ. . .

ଅନ୍ୟ ଦିନମାନଙ୍କରେ ଗାଁ ଦାଣ୍ଡରେ କଟକଟିଆ ଘାସ ଭାର କନ୍ଧେଇ ନେଲା ବେଳେ, ତୂର ପରିଆ ତଳକୁ ମୁହଁ କରି, ଦୁମ୍ ଦୁମ୍ ହେଇ, ଧୂଳି ଉଡ଼େଇ ଚାଲିଗଲାବେଳେ କହି କହି ଯାଉଥିବ- ଶଳା ଗୁଡ଼ା ଦେଶଟାକୁ ଖାଇଗଲେ ! ଆଉ ଗାନ୍ଧୀ ମାହାତ୍ମା ଜନ୍ମ ହେବେ, ନା. . . ମୋରାର୍ଜୀ ଆସିବେ ! ସୁଭାଷ ବୋଷ୍‌ଙ୍କ ନାଁ ଗନ୍ଧ ବି ରଖିବେ ନାଇଁ ଶଳା. . . !

ଦାଣ୍ଡ ଦୁଆରେ ଘାସ ଭାରଟା କଚାଡ଼ି ଦେଇ, ପିଣ୍ଡା କାନ୍ଥକୁ ଆଉଜି ପଡ଼ି, ଥକ୍କା ମାରୁ ମାରୁ ଡାକ ଛାଡ଼େ ତୂର-ପରିଆ- ଏ, କୁଆଡ଼େ ଗଲୁ କି ? ଚା’ ମୁନ୍ଦିଏ ଆଣିଲୁ । ପିଇ ଦେଇ ନାଆକ ସାଇରେ ଘାସ ବିକି ଆସେଁ. . .

ତା’ ସ୍ତ୍ରୀ ହାର ବୁଢ଼ୀ ରସ ନୋଟାରେ କଞ୍ଚା ପାଣି ଧରି ପହେଞ୍ଚ । ସବୁଦିନ ପରି ଆଜି ବି କହେ- ଚା’ ନଥିଲା. . . ପଇସା ବି ନାଇଁ. . . କାଲି ରାତିରୁ ଚାଉଳ ଶେଏଷ. . . ନୁଣ ନାଇଁ, ତେଲ ନାଇଁ, ନଙ୍କା ନାଇଁ, ପାଣି ଗରମ କରିବାକୁ ଜାଳ କେରାଏ ବି ନାଇଁ. . . !

– ସେ ଟୋକାଟା କୁଆଡ଼େ ଗଲା କି ? ଘାସ କାଟିବାକୁ ଗଲା ନାଇଁ ? ବେଣା ଭାରେ ଆଣିଥାନ୍ତା ତ. . . ଜାଳ କାମ ଚଳିଥାନ୍ତା । ମୁଁ ଘାସ ବିକି ଚାଉଳ କିଣିବି, ନା ୟେକୁ ଶୁଖେଇ ଜାଳ କରିବି ? ତତେ ପୋଷିବି, ତାକୁ ପୋଷିବି ! ସେ ତା’ର ତାସ୍ ଖେଳିବ । ବାଗୁଡ଼ି ଖେଳିବ. . . ! କିଛି କହିଲି ତ. . . ହାଣ୍ଡି କଚାଡ଼ି ଖପରା କରିବ । ମୁଁ ଏବେ କେତେ ଖଟିବି ?

ହାର ବୁଢ଼ୀ ହାତରେ ପାଣି ଭରା ନୋଟାଟା ସେମିତି ରହିଯାଏ । ତୂର ପରିଆ ପାଣି ନ ପିଇ, ଘାସ ଭାର କାନ୍ଧକୁ ଉଠାଇ, ନାୟକ ସାହି ଆଡ଼େ ବାହାରି ଯାଏ । ବୁଢ଼ୀ ଆଖିରୁ ଲୁହ ଦି’ଧାର ଝରିପଡ଼େ. . . !

. . . ଷୋଳ ବର୍ଷର ପୁଅଟା କୋଡ଼ିଏ ବର୍ଷ ହେଲା ଘର ଛାଡ଼ି ଯାଇଛି ଯେ. . . ଆଉ ଫେରିଲା ପାଦ ବଢ଼ାଇ ନାହିଁ । ଚିଠି ପତ୍ର ଖୋଜ୍ ଖବର କିଛି ବି ନାହିଁ । ପ୍ରଥମେ ପ୍ରଥମେ କେହି କେହି କୋଲକାତାରୁ ଆସି କହୁଥିଲେ- ସେମାନେ ତାକୁ ସେଠାରେ ଦେଖିଛନ୍ତି । ଶେଷରେ ଗାଁରେ ପ୍ରଚାର ହେଲା- ତୂର-ପରିଆ ପୁଅ ବଙ୍ଗାଳୁଣୀକୁ ବାହା ହେଇଛି. . . !

ବୁଢ଼ୀ ବୁଢ଼ାକୁ କହିଲା- କାହା ସାଙ୍ଗରେ ଟିକେ ଯାଅ. . . ପୁଅ ବୋହୂଙ୍କୁ ଘରକୁ ଆଣ. . . ନାତି ନାତୁଣୀଙ୍କ ହସ ଖୁସିରେ ଘର ଉଚ୍ଛୁଳି ପଡୁ. . . !

ବୁଢ଼ା ହସିଲା. . . !

ଏମିତି ହସିଲା ଯେ. . . ହାର ବୁଢ଼ୀ ଛାନିଆ ହେଇଗଲା । ବୁଢ଼ା ହାତ ଧରି, ହଲେଇ ହଲେଇ ପଚାରିଲା- ଏ ! ଏମିତି କ’ଣ ହଉଚ ?

ତୂର ପରିଆ ବାରି ଘର ଈଶାଣ କୋଣକୁ ଚାହିଁଲା । କାନ୍ଥରେ ଏ ଯାଏ ଷଠୀ ଦୁଷୀଙ୍କ କଉଡ଼ି ଗଢ଼ା ରୂପଟି ଜିଅନ୍ତା ଜିଅନ୍ତା ଲାଗୁଛି । କାନ୍ଥ ପଟ୍ଟାରେ. . . ପୁଅ ଖେଳୁଥିବା ତାସ ମୁଠାକ ଉପରେ ଧୂଳି ଜମିଥିଲେ ବି, ତାକୁ ରୁଖିଆ ଖାଇ ନାହାନ୍ତି । ମଥାନ କଇଁଚିରେ ନାଲି ଗାମୁଛାଟା ବନ୍ଧା ହେଇ ରହିଛି । କଳା ପଡ଼ିଗଲାଣି ! ଏଇଟାକୁ କାନ୍ଧରେ ପକାଇ, ତାଙ୍କ ଅଳସୁଆ ଆରାମ୍ ତଲବ ପୁଅ ଗାଁ ଛକରେ ସବୁଦିନ ତାସ୍ ଖେଳୁଥିଲା ।

ତୂର-ପରିଆ ସେ ସବୁକୁ ଥରେ ଥରେ ଛୁଇଁ ଦେଇ ସ୍ତ୍ରୀକୁ କହେ- ସେ ଯାଇଚି କୁଆଡ଼େ ? ଏଇଠି, ଏଇ ସବୁଥିରେ ଅଛି ପରା ! ଘର ଛାଡ଼ି ତାକୁ କୋଲକାତାରେ କୋଉଠି ଖୋଜିବ ? ତୁ ପାଗଳୀ ହେଇଗଲୁ କି ପୁଅ ବୋଉ ? ପୁଅ ଅଛି ଘରେ, ମୁଁ ଖୋଜିବି କୋଲକାତାରେ ?

. . . ପୁଣି ହସେ ତୂର-ପରିଆ ! ଚାଳ ଫଟେଇ ହସେ । ହାରବୁଢ଼ୀ ନିରବୀ ଯାଏ । ଯେତେ ଥର ସେ ପୁଅକୁ ଖୋଜିବା ପ୍ରସ୍ତାବ ଉଠେଇଛି, ପ୍ରତିଥର ତାକୁ ପାଗଳୀ ବୋଲି କହି, ନିଜେ ପାଗଳ ପରି ହସିଛି ତା’ ବୁଢ଼ା ! ଦୁଃଖୀ ସ୍ୱାମୀଟା… !

ବୁଢ଼ୀର ଆଖି ଲୁହ ଗାଲରେ ଶୁଖେ । ମନ ତା’ର ମରି ମରି ଯାଏ । ଆଉ କେବେ କଥା ଉଠାଏ ନି । ଭାବେ- ନିଜେ ତ ଦୁଃଖ ପାଉଚି. . . ବୁଢ଼ା ଯଦି ଭାବୁଚି- ପୁଅ ତଳ ଘରେ ଅଛି. . ., ସେଇ ଭାବନା ତା’ ମନରେ ଥାଉ । ସ୍ତ୍ରୀ ହେଇ କାହିଁକି ସେ ତାକୁ କଷ୍ଟ ଦେବ ?

ତୂରପରିଆ ଭାବେ. . . ମା’ ଜାଣେ ପୁଅ ବିଚ୍ଛେଦର ଦୁଃଖ । ତା’ ଦୁଃଖ ସହିତ ଆପଣା ଦୁଃଖ ମିଶାଇ ତାକୁ ସେ ଅଧିକ ଦୁଃଖ ଦେବ ବା କାହିଁକି ? ତେଣୁ ସେ ଛଳନାରେ କହେ- ପୁଅ ତଳ ଘରେ ଅଛି. . . !

ଏମିତି ଏମିତି ବୁଢ଼ାବୁଢ଼ୀ ଦୁହେଁ ପରସ୍ପର ପ୍ରତି କର୍ତ୍ତବ୍ୟ କରନ୍ତି; କିନ୍ତୁ ତୂର-ପରିଆ ହାରବୁଢ଼ୀକୁ ଲୁଚାଇ ବିଲରେ କାନ୍ଦେ । ଘାସ କାଟୁ କାଟୁ ଆଙ୍ଗୁଳି କାଟେ । ହାର ବୁଢ଼ୀ କାନ୍ଦେ ବାରି ଘର ଷଠୀଦୁଷୀଙ୍କ କଉଡ଼ି ଗଢ଼ା ମୁଖାକୁ ଚାହିଁ ଚାହିଁ । ବୁଢ଼ାକୁ ଜଣାଏ ନାହିଁ । ରାନ୍ଧିବା ଖାଇବାରେ ଡେରି ହୁଏ । କେଉଁ କେଉଁ ଦିନ ବି ଉପବାସ । ଦୁହେଁ ଦୁହିଁଙ୍କ ମନ କଥା ଜାଣନ୍ତି, କେହି କାହାରିକୁ କିଛି ପଚାରନ୍ତି ନାହିଁ. . . ।

ମୁଁ ତୂର-ପରିଆ ଓ ତା’ ଦୁଃଖୀ ସଂସାର ସମ୍ପର୍କରେ ଭାବି ଭାବି ଗାଁରେ ତା’ କୁକର୍ମ କଥା କହିବି କି ନା, ଚିନ୍ତା କରି କରି, ଶେଷରେ ପହଞ୍ଚିଗଲି ଆମ ଗାଁର ମାଳିକା ପ୍ରସିଦ୍ଧ ସିଦ୍ଧ ସାଧୁ ସୁଦାମ ବାଇଙ୍କ ନିର୍ବିକଳ୍ପ ସମାଧି ମନ୍ଦିର ପାଖରେ । ଘରକୁ ଯିବା ଆଗରୁ, ଘର ସାମ୍ନାରେ ଏହି ମାଟି ଗଦା ସାଆନ୍ତଙ୍କୁ ଥରେ ଶରଣ (ପ୍ରଣାମ) କରି ନ ଗଲେ, କାହିଁକି କେଜାଣି, ଭଲ ଲାଗେନି ! ଗୋଟିଏ କେମିତିକା ଅପରାଧ ବୋଧ ମନକୁ ଢାଙ୍କି ପକାଏ ।

ସେଠାରେ ଦେଖିଲି- ତୂର ପରିଆର ଭାଇ କୁଟୁମ୍ୱ ଲଣ୍ଡା ହେଇ ମୁଖଶାଳା ତଳେ ବସିଛନ୍ତି. . . ଜାତି ଭାଇ କେତେ ଜଣ ବି ବସିଛନ୍ତି- ଚଉପାଢ଼ିରେ, କିଛି ନିଷ୍ପତ୍ତି ନେବାକୁ । କ’ଣ ହେଇଛି ବୋଲି ପଚାରୁ ପଚାରୁ, ମୁଁ ଗାଦିଙ୍କୁ ଶରଣ ହେଲି । ଉଠିବା ସଙ୍ଗେ ସଙ୍ଗେ ନବୀନ ଜେଜେ ଶୁଣାଇଲେ-

ତୂର-ପରିଆ ଆଖଣ୍ଡମଣି ଭେଡ଼ାରେ ମରି ପଡ଼ିଥିଲା । ଆଜି ତା’ ଭାଇ-କୁଟୁମ୍ୱ ଦଶକ୍ରିୟା ଶେଷ କରି, ଆପତ୍ତି କରୁଛନ୍ତି- ଜାତି ଖାଇବା ଦେଇପାରିବେ ନାହିଁ । କହିବାକୁ ଗଲେ, ତୂର ପରିଆର ନିଜର ହେଇ ଅଛି ବା କିଏ ? ପୁଅ ତ କେଉଁ ଆଡ଼େ ଗଲା ! ରାଣ୍ଡୀ ବୁଢ଼ୀ- ମାଇପଟାର ଅଛି ବା କ’ଣ ? ତୁଇ କହ-କ’ଣ କରିବା?

ସବୁ ଶୁଣି, ସବୁ ଦେଖି, ମୁଁ ତାଜୁବ୍ !

ତୂର ପରିଆକୁ ମୁଁ ଦେଖି ଆସିଲି । ଏଣେ ଭାଇ କୁଟୁମ୍ୱ ଲଣ୍ଡା ହେଇ, ନଖ, କାଟି, ଦଶାହ କ୍ରିୟା ଶେଷ କଲେଣି ! ସ୍ତ୍ରୀ ବିଧବା ! କେଉଁଟା ସତ ? ଇଏ ନା ସିଏ ?

ରହି ରହି ମୁଁ ସବୁ ଘଟଣା କହିଲି । ସେମାନେ ଭୁଲ୍‌ରେ ଅନ୍ୟ କାହାର ଶବକୁ ତୂର-ପରିଆ ଭାବି ଥାଇ ପାରନ୍ତି. . . ମୋର ଏ ଆଶଙ୍କା ବି ପ୍ରକାଶ କଲି । ମୁଁ ଭୁଲ୍ ଦେଖି ଥାଇପାରେ ବୋଲି ତାଙ୍କ ତରଫ୍‌ରୁ ଆଶଙ୍କା ପ୍ରକାଶ କରାଗଲା । ଶେଷରେ ହାର ବୁଢ଼ୀକୁ ପଚରାଗଲା । କାରଣ, ଶବ ଦେଖାଇବା ପାଇଁ ତାକୁ ବି ନିଆଯାଇଥିଲା. . . ।

ସେ କହିଲା- ଶବ ପଚି ଫୁଲି ଯାଇଥିଲା ! କୁକୁର ଶିଆଳ କିଛି କିଛି ଖାଇଯାଇଥିଲେ ! ନାକ ନ ଥିଲା ! ତେବେ. . . ସେ ତା’ ବୁଢ଼ା ପରି ଲାଗୁଥିଲା ।

ଘଟଣାଟା ସାରା ଗାଁରେ ଚହଳ ପକାଇ ଦେଲା । ମୋ କହିଲା ଅନୁସାରେ ତୂର-ପରିଆକୁ ଠାବ କରିବାକୁ, ସାଇ ଭାଇ, ଜ୍ଞାତି କୁଟୁମ୍ୱ ଓ ଗାଁର ଆଗ୍ରହୀ ଯୁବକ ମାନେ ଧାଇଁଲେ । ଏହା ଭିତରେ ଦୁଇ ଦିନ ବିତିଗଲା ।

ସେଦିନ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି । ମହାପୁରୁଷ ସୁଦାମ ବାଇଙ୍କ ମହାପ୍ରୟାଣ ତିଥି । ସାରା ଗାଁର ଲୋକେ ସେଦିନ ରାତିରେ ମନ୍ଦିର କୋଠରୁ ପ୍ରସାଦ ଖାଇବାର ପରମ୍ପରା ଥିବାରୁ, ଆମେ ସବୁ ଖନ୍ଦା ଶାଳରେ ବ୍ୟସ୍ତ ଥିଲୁ ।

କଟକଟିଆ ଚାଉଳ ଭାରେ କାନ୍ଧେଇ, ପହଞ୍ଚିଗଲା ତୂରପରିଆ । ତାକୁ ଠାବ କରି ଆଣିଥିବା ଭାଇ ବିରାଦର, ଗାଁ ଲୋକେ ପଛେ ପଛେ ପହଞ୍ଚିଗଲେ । ସାରା ଗାଁରେ ଚହଳ ପଡ଼ିଗଲା । ମନ୍ଦିର ସାମ୍ନାରେ ସୋରିଷ ପକାଇଲେ ତଳେ ପଡ଼ିବ ନାହିଁ. . . ଏମିତି ଭିଡ଼ ।

ଶେଷରେ ବୈଧବ୍ୟ ଯନ୍ତ୍ରଣାରେ ଖିଆପିଆ ଛାଡ଼ିଥିବା ହାରବୁଢ଼ୀ ହାଡୁଆ ଦେହଟାକୁ ଘୋଷାରି ଘୋଷାରି ପହଞ୍ଚିଲା । ବୁଢ଼ାବୁଢ଼ୀ ଦୁହେଁ ଦୁହିଁଙ୍କୁ ଚାହିଁ, ଖାଲି କାନ୍ଦିଲେ । କାନ୍ଦିଲେ ଅନେକ ବେଳ ।

ତୂର ପରିଆ ତୂର ଧରି ଅଭ୍ୟାସରେ ଡାହାଣ ହାତ ପାପୁଲିକୁ ଖୋଲା ମୁଠା କରି, ମୁହଁ ସାମ୍ନାକୁ ଆଣି, କାନ୍ଦି କାନ୍ଦି କହିଚାଲିଲା-

ଭାଇମାନେ ! ମା’ ମାନେ ! ପିଲାମାନେ. . . !

ମୁଁ ପାପ କ’ଣ ଜାଣି ନଥିଲି. . . ସବୁକୁ କାମ ବୋଲି ଭାବୁଥିଲି । ପେଟ ପୋଷିବା ପାଇଁ ମୁଁ ମଣିଷ ମାରି ନାଇଁ । ମଣିଷକୁ ଠକେଇଚି । ମୁଁ ଜାଣିଚି-ଆମ ଦେଶର ଲୋକେ ଅଧର୍ମକୁ ଭାରି ଡରନ୍ତି. . . ଧର୍ମକୁ ସ୍ନେହ କରନ୍ତି, ଭକ୍ତି କରନ୍ତି । ଏଣୁ, ଏଠି ଧର୍ମ ନାଁରେ ଟଙ୍କା ଖାଆଯାଏ. . . ଧର୍ମକୁ ଆଖି ଠାରି ମାରି ବହୁତ ଖରାପ କାମ କରାଯାଏ । ଲୋକେ ଜାଣିଗଲେ ବି ଭାବନ୍ତି- ଧର୍ମ ବୁଝିବ । ମୁଁ ଭାବିଥିଲି – ଧର୍ମ ଗୋଟେ କ’ଣ. . . ଅଧର୍ମଟା କ’ଣ ? ତା’ର କ’ଣ ହାତ ଗୋଡ଼ ବୁଦ୍ଧି ବିବେକ ଥିବା ରୂପଟା ଅଛି ଯେ. . . ସବୁ ବୁଝିବ ! ଏଣୁ, ମୁଁ ବି ସେଇ ଧର୍ମକୁ ଡଙ୍ଗା କରି, ସଂସାର ନଈ ପାର ହେବାକୁ ଚେଷ୍ଟା କଲି. . . ।

କାହାକୁ କିଛି ନ କହି, କଅଁଳା ବାଛୁରୀ ପରି ଥରେ ଦୁଇଥର ହମ୍ୱାଳିଲି । ଗୋରୁ ମରା ଅଛୁଆଁ ଭିକାରୀ ବୋଲି ସୂଚନା ଦେଲି । ଧର୍ମକୁ ନେଇ ଆମ ଲୋକଙ୍କର ଯେଉଁ ଧାରଣା. . . ସେ ତା’ କାମ କଲା । କାଦୁଅ, କାକର, ଖରାରେ ଘାସ କାଟିବାକୁ ବିଲକୁ ନ ଗଡ଼ି, ଶୁଖିଲାରେ ବାଳିଆ ଧରିଲି ।

ଏବେ ଜାଣିଲି- ଧର୍ମ ଦିଶେନାଇଁ ସତ, କିନ୍ତୁ ଧର୍ମକୁ ଅଧର୍ମ ବାଟରେ ଲଗେଇଲେ, ସେ ତା’ କାମ ଦେଖେଇ ଦିଏ । ମୁଁ ଧର୍ମ ନାଁରେ ଏ ଯୋଉ ଖେଳ କଲି, ସେ ମୋ ପାଇଁ କାଳ ହେଲା । ଲୋକ ହସା ହେଲି । ମହତ ଗଲା. . .

ଏ ତ ଯେମିତି ନ ଦିଶୁଥିବା ଧର୍ମର ଦିଶୁଥିବା ଶକ୍ତ ଚାପୁଡ଼ା ମୋ ଗାଲରେ ! ଭାଇମାନେ । ପିଲାମାନେ. . . । ମା’ ମାନେ. . . ! ଆପଣ ଆପଣଙ୍କ ତୂର-ପରିଆର ଗୋଟେ ଛୋଟ ଅନୁରୋଧ ରଖନ୍ତୁ । ତାକୁ ଏଡ଼େ ବଡ଼ ପାପରୁ କିଛିଟା ତ୍ରାହି ମିଳୁ. . . ।

ତୂର- ପରିଆ କ’ଣ ଚାହୁଁଛି, ଜାଣିପାରୁ ନ ଥିଲେ ବି. . . ସେ ଯେ ଖୁବ୍ ଅନୁତପ୍ତ. . . ରୁଣ୍ଡ ହେଇଥିବା ଲୋକେ ବୁଝି ସାରିଥିଲେ ।

ମୁଁ ପଚାରିଲି- କ’ଣ ତୁମେ ଚାହୁଁଛ, ସଫା ସଫା କୁହ ?

ସେ କହିଲା- ଏ ଭାରରେ ଯେତେ ଚାଉଳ ଅଛି, ସବୁ ଗାଁ ଭୋଜିରେ ଲଗାଇ ଦିଅ । ଆଉ ଗୁହଖିଆ ବୁଦ୍ଧି କରିବି ନାଇଁ. . . ।

କିଛି ସମୟ ହୋହଲ୍ଲା ହେଲା । କେହି ହଁ କଲା ତ. . . କେହି ନାହିଁ କଲା । ଶେଷରେ ବୁଢ଼ା ବୁଢ଼ା ମାନେ ସ୍ଥିର କଲେ- “ଦାନେ ଦାନେ ପେ ଲିଖା ହୈ ଖାନେ ୱାଲେ କା ନାମ୍. . .” । ଏ ବାର ଘର ଉଷୁନା ଚାଉଳ ବିକି, ଉଆ ଚାଉଳ ଆଣ । ଭୋଜିରେ ଲଗାଇ ଦିଅ. . . ।

ତାହା ହିଁ ହେଲା. . . ।

ତୂର- ପରିଆ ସେଦିନ ଗାଁ ଭୋଜିର ହିରୋ !

ଅନ୍ୟମାନଙ୍କ ସହିତ ସେ ବି ପଙ୍ଗତରେ ବସି, ପ୍ରସାଦ ଖାଉଥାଏ । ତା’ ନାଁରେ ହରିବୋଲ୍ ପଡୁଥାଏ । ତା’ ଠାରେ ଜନ୍ମ ନେଇଥିବା ମଣିଷ ପଣିଆର ବାହା ବାହା କରାଯାଉଥାଏ । ପ୍ରକାରାନ୍ତରେ ଖରାପ କାମର ନିନ୍ଦା ଓ ଭଲ କାମର ଜୟଜୟକାର ହେଉଥାଏ. . . ।

ହଠାତ୍ ଖାଇବା ଛାଡ଼ି, ତୂର ପରିଆ ଉଠି ପଡ଼ିଲା. . . ।

ମୁହଁରେ କ୍ଷୀରି ଖେଚୁଡ଼ି ଲାଗିଛି । ହାତ ଅଇଁଠା । ଦୁଇ ବାହୁ ଉପରକୁ ତୋଳି ହାତ ମୁଠା ଖୋଲି ଦେଇ. . . ଦୁଇ ଧାଡ଼ିରେ ବସି ପ୍ରସାଦ ସେବନ କରୁଥିବା ପଙ୍ଗତ ମଝିରେ, ସେ ନାଚିବାକୁ ଲାଗିଲା । ତା’ ନାଚ ଦେଖି, ଲୋକେ ଖାଇବା ଛାଡ଼ି ହରିବୋଲ ପକାଇଲେ ।

ଗୋଟାଏ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ଅଇଁଠା ପରିବେଶ ।

ମୋର ବି ଇଚ୍ଛା ହେଉଥାଏ ତୂର ପରିଆ ସାଙ୍ଗରେ ମନ ଖୋଲି ନାଚିବାକୁ । ହରି ନାମ ଗାଇବାକୁ, କିନ୍ତୁ ମୁଁ ସେପରି କରିବା ଆଗରୁ ତୂର ପରିଆ କଣ୍ଠରୁ ଝରି ଆସିଲା ଅମୃତ ମଧୁର ନାମ ସଂକୀର୍ତ୍ତନ-

“ଓଁ. . . ହରେ ରାମ. . . କୃଷ୍ଣ ଶ୍ୟାମ. . . ପରା ରମା. . . କାମ ଦାମ. . . ନନ୍ଦ କନ୍ଦ. . . ଦୀନ ଧର୍ମ. . . ସାଧୁ ମଧୁ. . . ନାମ ବ୍ରହ୍ମ”

ମୁଁ ତଟସ୍ଥ ! ଗାଁ ବାଲାଏ ତଟସ୍ଥ ! !

ତୂର ପରିଆ. . . ଯେ କି ଶୁଦ୍ଧ ଶବ୍ଦରେ କଥା କହିପାରୁ ନଥିଲା, ତା’ ତୁଣ୍ଡରେ ମହାପୁରୁଷ ଅଚୁ୍ୟତାନନ୍ଦ ମହାପ୍ରଭୁଙ୍କ ଗହଳ ଦଳ ଦ୍ୱାରା ପ୍ରଚାରିତ. . . ଯୁଗାବତାର କଳ୍କୀରାମଙ୍କ ମୁଖ ନିଃସୃତ, ଯୁଗ ଶେଷର ବିଶୁଦ୍ଧ ନାମ ସଂକୀର୍ତ୍ତନ ! ! କେମିତି ଏହା ସମ୍ଭବ ହେଲା. . . ??

ଭାଗବତ ମହାପୁରାଣରେ ପଢ଼ିଥିଲି-

“ମୁଁ ଯାକୁ ହୁଅଇ ସଦୟ. . . ଜ୍ଞାନ ତା’ ହୃଦୟ ଉଦୟ
ମୋହର ନୋହିଲେ କରୁଣା. . . ବ୍ରହ୍ମା ଶଙ୍କର ହୋନ୍ତି ବଣା”

ମୁଁ ପ୍ରତ୍ୟକ୍ଷ ଭାବରେ ଦେଖୁଥିଲି- ଅପାଠୁଆ ତୂର-ପରିଆ ତୁଣ୍ଡରେ ସେହି ଆଧ୍ୟାତ୍ମିକ ସତ୍ୟର ଅମୃତ ପରିଣାମ । ତାଙ୍କ ଦୟାରେ ମୂକ ଅବା ବାଗ୍ମୀ ହେଇ ଯାଇଛି ! !

ତୂର-ପରିଆ ତା’ ଢଙ୍ଗରେ ନାଚି ନାଚି ନାମ ସଂକୀର୍ତ୍ତନ କରି କରି. . . ନିଜକୁ ପ୍ରଭୁଙ୍କ ପାଦ ପଦ୍ମରେ ସମର୍ପଣ ଭାବରେ ଊର୍ଦ୍ଧ୍ଵକୁ ବାହୁ ଟେକି, ଆମ ସାମ୍ନାରୁ ଧୀରେ ଧୀରେ ଅପସରିଗଲା ।

. . . ତାର ପାଦ ଯୋଡ଼ିକ ନିଜ ଘର ଦୁଆର ସାମ୍ନାରେ ଅଟକିଲା ନାହିଁ. . . କି ଆଖି ଯୋଡ଼ିକ. . . ତା’ ପଛେ ପଛେ ଘୋଷାରି ହେଇ ଚାଲିଥିବା ବୁଢ଼ୀ ସ୍ତ୍ରୀଟିକୁ ବି ଚାହିଁଲା ନାହିଁ. . . !

ଭାବିଲି- ଯେଉଁ ସ୍ତ୍ରୀ ତାକୁ ଚିହ୍ନି ନ ପାରି ବିଧବା ହେଲା. . . ତା’ର ବୋଧହୁଏ ତାକୁ ସ୍ୱାମୀ ରୂପେ ଧରି ରଖିବାର ଅଧିକାର ନାହିଁ. . . ଏମିତି ଗୋଟାଏ ଅଭିମାନ ଯୋଗୁ ତୂର-ପରିଆ ଘର ଛଡ଼ା ହେଇ ଯାଉଛି. . . !

. . . କିନ୍ତୁ ତୁଣ୍ଡରେ ନାମ ସଂକୀର୍ତ୍ତନ ସାଙ୍ଗକୁ ଅଙ୍ଗରେ ଅଙ୍ଗରେ ତାହାର ମଧୁର କମ୍ପନ. . . ଆଖିମାନଙ୍କରେ ନିରାସକ୍ତିର ଆଭାସ. . . ପ୍ରଭୁ ପ୍ରୀତିର ଉଜ୍ଜ୍ୱଳ ଝଲକ ! ଏ ସବୁ କ’ଣ !

ସତରେ କ’ଣ କେଉଁ ବନ୍ଧନହୀନ, ଆନନ୍ଦପୂର୍ଣ୍ଣ, ମୁକ୍ତଶୂନ୍ୟର ମାଧୁର୍ଯ୍ୟ ଆଡ଼କୁ ଟାଣି ହେଇ ଯାଉଛି ତୂର-ପରିଆ ? ସେ ଏବେ ପରମେଶ୍ୱର-ଦାସ ହେଇଯିବ ?

ଆସିଥିଲା ଏକା ଏକା ଏହି ଦୁଃଖ ଯନ୍ତ୍ରଣାର, ମୋହ ମମତାର, ମାୟା ପ୍ରହେଳିକାର ସଂସାରକୁ, ଏକା ଏକା ଚାଲିଯିବ ପୁଣି. . . କେଉଁ ବନ୍ଧନହୀନ. . . ଆନନ୍ଦମୟ ମୁକ୍ତଶୂନ୍ୟକୁ ।

କି ଯେ ବିଚିତ୍ର ଏହି ସଂସାରିକ ବନ୍ଧନ !

. . . କିନ୍ତୁ ସଂସାର ବାନ୍ଧି. . . ବିବାହ ବେଦୀରେ ସ୍ତ୍ରୀଟିର ସମସ୍ତ ଦାୟିତ୍ୱ ଗ୍ରହଣ କରିବାର ପବିତ୍ର ଶପଥ ନେଇ, ଯୌବନ ରସକୁ ଆକଣ୍ଠ ପିଇ, ଶେଷରେ ପାମ୍ପରା ବୁଢ଼ୀ ବୟସଟାରେ ତାକୁ ଅସହାୟ କରି ଛାଡ଼ି ଯିବାଟା କି ପ୍ରକାର ଧର୍ମ. . . ମୁଁ ବୁଝିପାରିଲି ନାହିଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top