ଗଳ୍ପ

ସେ, ମୁଁ ଆଉ କିଛି ସ୍ମୃତିର ପ୍ରତିବିମ୍ୱ

Ritika Pattnaik

ମୋର ଏହି ଘର ସହିତ ଜଡ଼ିତ ଅନ୍ତେବାସୀ କି କାହାଣୀ ବିଷୟରେ ଜାଣିବାର କୌଣସି ଆଗ୍ରହ ନ ଥିଲା । ମୁଁ ଜଣେ ବ୍ୟବସାୟୀ । କେବଳ ଲାଭ କ୍ଷତିର ହିସାବ ରଖେ । ଭାବପ୍ରବଣତାର ଶିକାର ହେବି ତ ନିଜର ହିଁ କ୍ଷତି ଘଟାଇବି ।

ସେ, ମୁଁ ଆଉ କିଛି ସ୍ମୃତିର ପ୍ରତିବିମ୍ୱ

(୧)

ସାର୍, ଜଣେ ବ୍ୟକ୍ତି ଆପଣଙ୍କୁ ଗତ କେତେ ଦିନ ହେଲା ଖୋଜୁଛନ୍ତି’, ଶୋଭନ କହୁଥିଲା । ପ୍ରତ୍ୟୁତ୍ତର ନ ପାଇଁ ସେ ପୁଣି ଯୋଡ଼ିଲା, “ଆପଣ ଯେଉଁଦିନ ଦିଲ୍ଲୀ ଗଲେ ସେହିଦିନ ସେ ପ୍ରଥମ କରି ଆମ ଅଫିସ୍‌କୁ ଆସିଥିଲେ । ମୁଁ ଯାହା ଅନୁମାନ କରିଛି, ସେ ସେହି ଘରର ପୂର୍ବ ମାଲିକମାନଙ୍କର କେହି ବନ୍ଧୁବାନ୍ଧବ ନିଶ୍ଚୟ ।”

ଇଣ୍ଟରନେଟ୍‌ରେ ନିଜର ନୂତନ ୱେବ୍ସାଇଟ୍‌ର ରୂପରେଖ ଦେଖୁଥିବା ଅବସ୍ଥାରେ ମୁଁ ଆଶ୍ଚର୍ଯ୍ୟ ମିଶା ବିରକ୍ତି ଭାବରେ ପଚାରିଲି, “ତାଙ୍କର ଆଉ କି କାମ ଥାଇପାରେ ? . . . ଯଦି କିଛି ଭାଗବଣ୍ଟା କଥା ତ ସେ କଥା ତ ତାଙ୍କ ନିଜ ନିଜ ଭିତରେ ସମାଧାନ କରିବା କଥା । ମୁଁ କୌଣସି ଝାମେଲାରେ ପଡ଼ିବାକୁ ଚାହେଁ ନାହିଁ । ମନେ ଅଛି ନା. . . ତିନି ବର୍ଷ ତଳେ ଏମିତି ଏକ ପ୍ଲଟ୍‌ଟିକୁ ନେଇ କେତେ କୋର୍ଟ କଚେରୀ । ଶେଷରେ ମୁଁ ସେଥିରୁ ଓହରିଗଲି । ଭଲ ଭାବେ ଅନୁସନ୍ଧାନ ନ କରି ଆମେ ସେ ଜମିଟିକୁ କିଣି ବଡ଼ ହଇରାଣ ହେଲୁ । ଏଥର ସେମିତି କିଛି ନୁହେଁ ତ ?”

“ମୋତେ ତ ସେମିତି କିଛି ମନେ ହେଉନି. . . କାରଣ ସେ ଅତି ସମ୍ପନ୍ନ ଜଣାପଡୁଛନ୍ତି । ମୁଁ ଅନ୍ୟମାନଙ୍କଠୁ ଶୁଣିଛି ସେ ସୁଦୂର ଜର୍ମାନୀରୁ. . . କ’ଣ ତ
. . . ଫ୍ରା . . ଙ୍କଫ . . ର୍ଟ ସହରରୁ ଆସିଛନ୍ତି ।”

ଶୋଭନର ଏହି ଧୀର, ଶାନ୍ତ, ନମ୍ରତା ଓ ଧୈର୍ଯ୍ୟର ସହିତ ମୋ ଅଧୈର୍ଯ୍ୟତାକୁ ସହି କାମ କରିବାର ପ୍ରବୃତ୍ତିକୁ ମୁଁ ସବୁଠୁ ଅଧିକ ପସନ୍ଦ କରେ । ତା’ ପରି ବିଶ୍ୱାସଯୋଗ୍ୟ, ନିଷ୍ଠାପର କର୍ମଚାରୀ ପାଇବା ସତରେ ବଡ଼ ଭାଗ୍ୟର କଥା । ଏମିତି ବି ସେ ଅନେକ ପ୍ରତିଦ୍ୱନ୍ଦୀ କମ୍ପାନୀଙ୍କ ପ୍ରଲୋଭନ ଭରା ପ୍ରସ୍ତାବକୁ ଆଡ଼େଇ ଯାଇଛି ।

“ତଥାପି. . . ମୁଁ ଏ ଜାଗାକୁ ଜମା ହାତ ଛଡ଼ା କରିବାକୁ ଚାହେଁନା. . .”, ମୁଁ କ୍ରମେ ଉତ୍ତେଜିତ ହେଇପଡୁଥିଲି ।

“ଆପଣ ତାଙ୍କୁ ଭେଟି ଘଟଣା କ’ଣ ଜାଣିବାକୁ ଚେଷ୍ଟା କରନ୍ତୁ. . . ଖାଲି ଅନୁମାନ କରି ବ୍ୟସ୍ତ ହେଲେ କ’ଣ ହେବ. . .”, ଶୋଭନ ବୁଝେଇବାର ପ୍ରୟାସ ଜାରି ରଖିଥିଲା ।

ପ୍ରାୟ ୧.୮ ଏକର ଜମି ଉପରେ ଦଣ୍ଡାୟମାନ ଜରାଜୀର୍ଣ୍ଣ ସେହି ପୁରୁଣା କୋଠିଟି ଆଉ କିଛି ଦିନ ପରେ ସମ୍ପୂର୍ଣ୍ଣ ଧରାଶାୟୀ ହୋଇଯିବ । ଭୂଲୁଣ୍ଠିତ ହେଇଯିବ ତା’ ସହିତ ଜଡ଼ିତ ସମସ୍ତ ସ୍ମୃତି । ସେମିତି ବି ସେ କୋଠିଟିର ମାଲିକାନା ସତ୍ତ୍ୱେ ଆଇନତଃ ଅନ୍ୟ ନାମକୁ ଚାଲିଯାଇଛି । ଜାଣେନା. . . କୋଠିଟି ସଙ୍ଗେ ସଂଶ୍ଳିଷ୍ଟ ଥିବା ପ୍ରତିଟି ବ୍ୟକ୍ତି ମାନସିକ ସ୍ତରରେ ନିଜ ନାମକୁ ସେଥିରୁ ବାଦ୍ ଦେଇସାରିଛନ୍ତି କି ନାଁ । ଘରଟି. . . ମାନେ କୋଠିର ଅବସ୍ଥା ଦେଖିଲେ ଯେ କେହି ଅନୁମାନ କରିନେବ ଏହା ଅନେକ ବର୍ଷ ହେଲା, ଅବ୍ୟବହୃତ । ପୂର୍ବ ମାଲିକମାନଙ୍କର ନିଶ୍ଚୟ ଏହା ସହିତ ନିବିଡ଼ ସମ୍ପର୍କ ଥିଲା । ସେଥିପାଇଁ ବୋଧେ ଏତେ ବର୍ଷ ଲାଗିଗଲା ବିକ୍ରି କରିବାର ନିର୍ଣ୍ଣୟ ନେବା ସକାଶେ କିମ୍ୱା, ଅପେକ୍ଷା ଥିଲା ଭଲଦାମ୍‌ରେ ବିକିବା ପାଇଁ. . . ?

ମୁଁ କିନ୍ତୁ ଖୁସି ଥିଲି ଆଗାମୀ ଭବିଷ୍ୟତର ସୁନେଲୀ ସ୍ୱପ୍ନରେ । ଏକ ପ୍ରତିଷ୍ଠିତ ବିଲଡ଼ର୍ ହେବାର ମୋର ଆଶା ସାକାର ହେଉଥିଲା । ଏ ସହର ତଥା ନିକଟବର୍ତ୍ତୀ ଅନ୍ୟ ସହରମାନଙ୍କରେ ଅନେକ ପ୍ଲଟ୍ ମୋ ଅକ୍ତିଆର୍‌ରେ ଥିଲା । ଆଉ ସେସବୁ ଉପରେ ଫ୍ଲାଟ୍, ଆପାର୍ଟମେଣ୍ଟ୍ ତିଆରି କରିବା ମୋର ବ୍ୟବସାୟ ଅନ୍ତର୍ଭୁକ୍ତ ହେଇସାରିଥିଲା । ଏ ସହରର ତଥା ଅନ୍ୟ କିଛି ସହରରେ ମୋର ଆଧିପତ୍ୟ ପ୍ରାୟ ଜମି ଆସୁଥିଲା । ଈର୍ଷାକାତର ନଜରର ମୁଁ ପ୍ରାୟ ଅଭ୍ୟସ୍ତ ହେଇସାରିଥିଲି । ମଧ୍ୟବିତ୍ତ ପରିବାରର ଏକ ବେକାର ଯୁବକ ଅନେକ ପ୍ରକାରର ବ୍ୟବସାୟରେ ଅସଫଳତା ସତ୍ତ୍ୱେ ପୁଣି ଏକ ନୂତନ ବ୍ୟବସାୟ ଆରମ୍ଭ କରି ଏତେ ଶୀଘ୍ର ଯେ ସଫଳତାର ପାହାଚ ଚଢ଼ି ଉଚ୍ଚବର୍ଗରେ ସାମିଲ ହେବ ଓ ଏକ ବିଶିଷ୍ଠ ବ୍ୟକ୍ତି ହିସାବରେ ପରିଗଣିତ ହେବ ଏହା ବୋଧହୁଏ ଅନ୍ୟମାନଙ୍କ କଳ୍ପନା ବାହାରେ ଥିଲା ।

ସେ ଅଭାବଗ୍ରସ୍ତ ଜୀବନ କଥା ଭାବିଲେ ଏବେ ବି ଆଖିରେ ଲୁହ ଆସିଯାଏ । କିନ୍ତୁ ଏବେ ସେ ଦିନ ଗତ । ନିଜର ପୈତୁକ ସମ୍ପତ୍ତି ଘରଟିକୁ ବିକ୍ରି କରି ମୁଁ ସେଇ ଅର୍ଥରେ ଏକ ରିସ୍କ ନେଇ ଏହି ରିଏଲ୍ ଇଷ୍ଟେଟ୍ ଏବଂ କନଷ୍ଟ୍ରକ୍ସନ୍ ବ୍ୟବସାୟକୁ ପ୍ରବେଶ କଲି । ସେହି ଘରର କୋଣ ଅନୁକୋଣରେ ଖୋଦିତ ସବୁ ସ୍ଥିତିକୁ ଅତି ଦୃଢ଼ତାର ସହ ମନର କେଉଁ କୋଣରେ ଦବାଇ ମୁଁ ଆଗକୁ ବଢ଼ିବାର ପ୍ରୟାସ ଜାରି ରଖିଲି । ଅବଶ୍ୟ ଏଥିରେ ମୋ ବାପା ଓ ବୋଉଙ୍କ ଅକୁଣ୍ଠ ସମର୍ଥ ଥିଲା । ସେମାନେ ବି ମନକୁ ପଥର କରି ସେହି ବର୍ଷ ବର୍ଷ ପୁରୁଣା ଘରକୁ ବିକ୍ରି କରିବାକୁ ରାଜି ହେଇଗଲେ । ମୁଁ ଅନୁଭବ କରୁଥିଲି ସେମାନଙ୍କ ନିଃଶବ୍ଦ ଶୋକକୁ । କିନ୍ତୁ ଫେରିବାର ରାସ୍ତା ନଥିଲା । କିଛି ଅର୍ଥ ପରିବାରର ଭରଣପୋଷଣ ପାଇଁ ରଖି ଅବଶିଷ୍ଟ ଅଂଶ ବ୍ୟବସାୟରେ ଲଗାଇ ଦେଲି । ଏଥିରେ ଯେତେବେଳେ ମୋତେ ସଫଳତା ମିଳିଲା ମୁଁ ଆଶ୍ଚର୍ଯ୍ୟ ହେଲି । ଭାଗ୍ୟ ଯେ କି ମୋ ଉପରେ ଗତ ୩୦ ବର୍ଷ ପର୍ଯ୍ୟନ୍ତ ସଦୟ ନ ଥିଲା ଆଜି ଯେମିତି ହସୁଥିଲା । ଆଉ ମୁଁ ପଛକୁ ଫେରିଚାହିଁନି ।

ଯେତେବେଳେ ଆମର ପୁରୁଣା ଘରଟି ବିକ୍ରି ହେଲା, ବାପା ବୋଉ ଭାବିଥିଲେ ଦିନେ ନା ଦିନେ ମୁଁ ସେ ଘରଟିକୁ କିଣି ଫେରାଇ ଆଣିପାରିବି । ବିକ୍ରି ହେଇଯାଇଥିବା, କିନ୍ତୁ ଅନେକ ସ୍ମୃତି ବହନ କରୁଥିବା ଆମର ସେହି ପୁରୁଣା ଘରଟିକୁ କିନ୍ତୁ ମୁଁ ଆଉ ନିଜ ମାଲିକାନାକୁ ଫେରାଇ ଆଣିବାକୁ ଚେଷ୍ଟା କରିଲିନି । ସେଥିରେ ମୋର କୌଣସି ଆଗ୍ରହ ନଥିଲା ଅବା କାର୍ଯ୍ୟବହୁଳତା ହେତୁ ନ ହେଲେ ସଫଳଥା ଓ ପ୍ରଚୁର ଅର୍ଥର ଚୁମ୍ୱକୀୟ ପ୍ରଲୋଭନରେ ଆତ୍ମହରା ହେଇ
. . . କେଜାଣି. . . । ଘରଟିକୁ ପୁନଃ ଅକ୍ତିଆର ନ କରିବାର ଦୁଃଖ ସେମାନଙ୍କୁ ବିଶେଷ ମର୍ମାହତ କରିଥିଲା । ଅଧିକ ଦୁଃଖିତ ଥିଲା ବୋଉ, ସେ ଘର ପ୍ରତି ଥିଲା ତା’ର ଅହେତୁକ ମମତା ।

ସଂଯୋଗ ହେଉ ବା ଅନ୍ୟ କିଛି. . . ମୁଁ ସଦ୍ୟ କିଣିଥିବା ଉପର ବର୍ଣ୍ଣିତ କୋଠିଟି ସେହି ସହରରେ ଅବସ୍ଥିତ ଯେଉଁଠି ମୁଁ ମୋର ଶୈଶବ, କୈଶୋର ତଥା ଯୁବାବସ୍ଥାର ପାଦ ଚିହ୍ନ ଛାଡ଼ିଆସିଛି ।

ସହର ପରିବର୍ତ୍ତନ କଲି ନିଜର ବ୍ୟବସାୟର ସଠିକ୍ ପରିଚାଳନା ସକାଶେ । ଏଠି ଏକ ନୂତନ ଘର ନିର୍ମାଣ କଲି । ବୋଉ କିନ୍ତୁ ହୃଦୟର ସହିତ ଆଦରି ପାରିନଥିଲା, ସବୁବେଳେ ତୁଳନା କରୁଥିଲା ସେହି ପୁରୁଣା ଘରଟି ସହିତ । ଯଦିଓ ଏ ନୂତନ ଗୃହଟି ଅନେକ ଆକର୍ଷଣୀୟ, ବଡ଼ ବଡ଼ କଠୋରୀ ବିଶିଷ୍ଟ ଆଉ ସବୁ ସୁବିଧାରେ ଭରପୁର । ମୁଁ ଚାହୁଁନଥିଲି ପୂର୍ବର ଅନେକ କଷ୍ଟ, ଅସୁବିଧା ପୁଣି ଥରେ ଭୋଗିବାକୁ ପଡୁ ।

ନୂତନ କିଣା ହେଇଥିବା ସେଇ ଭଗ୍ନ ଗୃହଟି ତଥା ତା’ର ସଂଲଗ୍ନ ବିରାଟ ପ୍ରାନ୍ତରକୁ ନେଇ ଶୋଭନ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଆଲୋଚନା ପରେ ଏକ ନିର୍ଣ୍ଣୟରେ ପହଞ୍ଚିଲି ଯେ, ସେ ଘରଟି ଯଥା ଶୀଘ୍ର ଭଙ୍ଗା ଯାଇ ସେ ସ୍ଥାନରେ ଏକ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ୍ ନିର୍ମାଣ କରିବାକୁ । ଏମିତି ଏକ ପ୍ରକାର ଅତ୍ୟାଧୁନିକ ବିଲଡିଂ ସେ ସହରରେ କେହି ନିର୍ମାଣ କରିନଥିବେ । ଏହାର ପ୍ଲାନ ପ୍ରସ୍ତୁତ କରିବା ପାଇଁ ମୁଁ ଆମ କମ୍ପାନୀ ସହିତ କାର୍ଯ୍ୟରତ ମୁଖ୍ୟ ସଭାପତିଙ୍କୁ ନିର୍ଦ୍ଦେଶ ଦେଲି । ଏହାରି ଭିତରେ ଘର ଭଙ୍ଗା କାର୍ଯ୍ୟ ବି ସରିଯାଇଥିବ ।

କିନ୍ତୁ ଏବେ. . . ଏହି ଆଗନ୍ତୁକ ଜଣକ କିଏ ? କିଛି ବାଧା, ବିଘ୍ନ ଉପୁଜିବନି ତ ? ଏମିତି ଅନେକ ନକରାତ୍ମକ ଚିନ୍ତା ମୋ ମନକୁ କରୁଥିଲା ଆନ୍ଦୋଳିତ. . . ।

ଜିନ୍ସ ଓ ବାଇଗେଣୀ ରଙ୍ଗର ଟି-ସାର୍ଟର ପରିଧାନ ତାଙ୍କର ପ୍ରାୟ ୫ ଫୁଟ ୯ ଇଞ୍ଚ ସୁଗଠିତ ଗୋରା ଚେହେରାକୁ ବେଶ୍ ମାନୁଥିଲା । କିନ୍ତୁ ଲଣ୍ଡିତ ମସ୍ତକ ଓ ଚିବୁକରେ “ଗୋଟି” ବା ଛେଳି ଦାଢ଼ି ମୋତେ କିଛିଟା ଖାପ୍‌ଛଡ଼ା ଲାଗିଲା । ବୋଧହୁଏ ଏହା ଏକ ନୂତନ ଷ୍ଟାଇଲ୍ ଅବା ଧିରେ ଧିରେ ଚନ୍ଦା ହେଇଆସୁଥିବା ମସ୍ତକକୁ ଲୁଚାଇବା ପାଇଁ ଏକ ଅଭିନବ ପ୍ରୟାସ । ମୋ ଅଫିସ୍ ପ୍ରକୋଷ୍ଠର ଝରକାର ସାମ୍ନା କାନ୍ଥରେ ଲଗାଯାଇଥିବା ସେ ଗୋବାନ ବ୍ରାଣ୍ଡର ୮x୪ ଫୁଟର ଦର୍ପଣରେ ପ୍ରତିବିମ୍ୱିତ ନିଜ ଚେହେରାକୁ ବିଶେଷ କରି ନୂଆ ଦିଲ୍ଲୀର ଏକ ନାମୀଦାମୀ ସେଲୁନରେ କରିଥିବା ନୂତନ କେଶ ବିନ୍ୟାସ ଦେଖି ଭାବୁଥିଲି ମୁଁ ଆଗ ଅପେକ୍ଷା ଏବେ ଅଧିକ ଷ୍ଟାଇଲିଶ୍ ଦେଖାଯାଉଛି ବୋଧହୁଏ. . . କିନ୍ତୁ ଏଥର ମତେ ଟିକେ ଜିମ୍ ଯିବାକୁ ହେବ. . . ।

ଆଭିଜାତ୍ୟ, ସମ୍ପନ୍ନତା ଓ ଏକ ବଳିଷ୍ଠ ବ୍ୟକ୍ତିତ୍ୱର ଝଲକ ତ ମୁଁ ସ୍ପଷ୍ଟ ଲକ୍ଷ୍ୟ କରିଥିଲି ତାଙ୍କଠାରେ କିନ୍ତୁ ବ୍ୟକ୍ତିର ଚେହେରା, ବେଶ, ପୋଷାକ ଏମିତି କି କଥାବାର୍ତ୍ତା ବି ମୋତେ କାହିଁକି କେଜାଣି ଆଦୌ ପ୍ରଭାବିତ କରିପାରେନି । ମୁଁ ଯେମିତି ଖୋଜୁଥାଏ ଏସବୁ ବାହ୍ୟଆଡ଼ମ୍ୱର ମୁଖା ତଳେ ଥିବା ମଣିଷତ୍ୱକୁ. . .

ତେଣୁ ତାଙ୍କ ସହିତ ମୋର ବ୍ୟବହାର ଏମିତି କିଛି ଥିଲା ଯେ ଶୋଭନ ଅବସ୍ଥା ସମ୍ଭାଳି ନଥିଲେ ମୋର ରୁକ୍ଷ ବ୍ୟବହାରରେ ନିରାଶ ହେଇ ସେ ନିଶ୍ଚୟ ଫେରିଯାଇଥାଆନ୍ତେ । ଆଉ ମୁଁ ଭିନ୍ନ ଏକ ମଣିଷକୁ ଜାଣିବାର ସୁଯୋଗ ହାତଛଡ଼ା କରିଥାଆନ୍ତି । ମୁଁ ବି ଆଶ୍ଚର୍ଯ୍ୟ ହେଲି ତାଙ୍କର ଭାରତ ଆସିବାର କାରଣକୁ ନେଇ ।

“ଆପଣ କିଣିଥିବା ସେହି ପୁରୁଣା ଘରଟିକୁ ମୁଁ ଥରେ ଦେଖିବାକୁ ଚାହେଁ. . .”, ତାଙ୍କ କଣ୍ଠରେ ଥିଲା ଅହେତୁକ ଆଗ୍ରହ, ବ୍ୟଗ୍ରତା ଓ ଆଖିରେ ଯେମିତି ଖୋଜୁଥିଲା ସମୟର ଗହ୍ୱରରେ ହଜିଯାଇଥିବା କିଛି. . . ?

ଓ ! ଏହି କଥା ! ମୁଁ ଅଯଥାରେ ବ୍ୟସ୍ତ ହେଉଥିଲି. . . ମନେ ମନେ ହସିଲି ଓ ଆଶ୍ୱସ୍ତ ହେଲି ।

ଆଚ୍ଛା ! ଆପଣ ଯଦି ମୋ ସାଙ୍ଗରେ ଯିବାକୁ ଚାହାଁନ୍ତି ତ ଦୁଇ ଦିନ ଅପେକ୍ଷା କରିବାକୁ ହେବ, ନ ହେଲେ ମୁଁ ଆମର ସେଠାର ଥିବା ଅଫିସର୍ ଜଣେ କର୍ମଚାରୀଙ୍କୁ. . . । ମୁଁ ବୋଧହୁଏ ତାଙ୍କୁ କିମ୍ୱା ମୋର ଅନ୍ୟ କର୍ମଚାରୀଙ୍କୁ ବିଶ୍ୱାସ କରୁନଥିଲି. . . ସତରେ କ’ଣ ସେ ଘରଟିକୁ କେବଳ ଥରେ ଦେଖିବାକୁ ଆସିଛନ୍ତି ନା ଆଉ କିଛି କଥା ଅଛି ?

“ନା. . . ମୁଁ ଅପେକ୍ଷା କରିବାକୁ ପ୍ରସ୍ତୁତ. . .’, ତାଙ୍କ ଓଠରେ ଖେଳୁଥିଲା ସ୍ମିତଟିଏ ।

(୨)

ଦୁଇଘଣ୍ଟାର ଯାତ୍ରାରେ ଆମେ ବିଶେଷ କିଛି କଥାବାର୍ତ୍ତା କରିନଥିଲୁ । ଜାତୀୟ ରାଜପଥର ଦୁଇ ପାର୍ଶ୍ଵରେ ସବୁଜ କ୍ଷେତ, ଗାଡ଼ିଆ ଭର୍ତ୍ତି ଲାଲ୍, ଧଳା କଇଁଫୁଲ, ଆକାଶରେ ଭସା ଭସା ବାଦଲର ମେଳା ମୋ ମନକୁ କରୁଥିଲା ଉଚ୍ଛ୍ୱାସିତ. . . ।

ଜଙ୍ଗଲ ଲଗା ଅର୍ଦ୍ଧ ଦଦରା ଖୋଲା ଗେଟ୍ ପାର ହେଇ ମୋ ମିଷ୍ଟିକ୍ ବ୍ଲୁ ରଙ୍ଗର ବି.ଏମ୍.ଡବ୍ଲୁ କାର୍‌ଟି ପ୍ରବେଶ କରିବା ମାତ୍ରେ ଆଗନ୍ତୁକଙ୍କ ବ୍ୟଗ୍ରତା ଦେଖି ମୋ ଭିତରର ଜିଜ୍ଞାସା ବଢ଼ିବାରେ ଲାଗିଲା । କାର୍‌ର ଝରକାରେ ମୁଣ୍ଡ ଗଳେଇ ସେ ଚାରିଆଡ଼କୁ ନିରୀକ୍ଷଣ କଲେ । ଉଜୁଡ଼ା ବଗିଚାର ମଝିଆ ମଝି କାର୍‌ଟିକୁ ରଖିବାକୁ କହି ପ୍ରାୟତଃ ଡେଇଁ ପଡ଼ିଲେ । ଏମିତି କ’ଣ ପିଲାଙ୍କ ଭଳି ହେଉଛନ୍ତି ? ଗତରାତିର ବର୍ଷା ହେତୁ ଗୁଡ଼ାଏ ଖାଲଖମାରେ ପାଣି ଜମି ଥିଲା ଆଉ ସେଗୁଡ଼ିକରେ ପ୍ରତିଫଳିତ ହେଉଥିଲା ଜରାଜୀର୍ଣ୍ଣ ଦ୍ୱିମହଲା ବିଶିଷ୍ଟ କୋଠିଟି କିଛି କିଛି ଅଂଶ । ଫାଟକ ଖୋଲା ଥିବା ହେତୁ ଗାଈ, ଗୋରୁ ଭିତରକୁ ପଶିଯାଇ ବଗିଚାରେ ଚରୁଥିବାର ଲକ୍ଷ୍ୟ କଲି । କିଛି ଦୂରରେ ଏକ ବିରାଟ ଜାମୁକୋଳି ଗଛ ନିକଟରୁ କିଛି ପିଲା କୋଳି ଗୋଟାଉଥିବାର ନଜରରେ ପଡ଼ିଲା । ଆମକୁ ଦେଖି ଦୌଡ଼ି ପଳାଇଗଲେ ସେମାନେ ।

ଘରର ତାଲା ଖୋଲି ଆମେ ଭିତରେ ପ୍ରବେଶ କଲୁ । ବେଶ୍ ପ୍ରଶସ୍ତ କୋଠରୀଟି ଅଳନ୍ଧୁରେ ଭରପୁର, କାନ୍ଥରୁ ଠାଏ ଠାଏ ପଥର ଦେଖାଗଲାଣି । ଆଗରୁ ଇଟା ନୁହେଁ ପଥ ବ୍ୟବହାର ହେଉଥିଲା । ଝରକାଗୁଡ଼ିକ ଭାଙ୍ଗିରୁଜି ଅର୍ଦ୍ଧମେଲା ହେଇପଡ଼ିଛନ୍ତି । ସତେ କି ଏବେ ବି ଅପେକ୍ଷାରତ କାହାର ସ୍ପର୍ଶକୁ, ଯେ ଗୁଡ଼ିକ ବନ୍ଦ କରିବ ଆଉ ଭିତର ପରିବେଶ ଅକ୍ଷତ ରହିବ । ବୋଧହୁଏ କେତେ ବର୍ଷ ହେଲାଣି ବର୍ଷା ପାଣି ଛିଟାରେ ରୁମଟି ଶିଉଳି ଧରିଲାଣି । ଚାରିଆଡ଼େ ଏକ ସନ୍ତସନ୍ତିଆ ବାତାବରଣ ।

ଆଗନ୍ତୁକ ଆଗକୁ ବଢ଼ି ଝରକାଗୁଡ଼ିକୁ ଖୋଲିବାକୁ ଲାଗିଲେ । ଅପରାହ୍ନର ତୀକ୍ଷ୍ଣ ସୂର୍ଯ୍ୟାଲୋକ କିଛି ବିଚ୍ଛୁରି ପଡ଼ି ସମଗ୍ର କୋଠରୀଟିକୁ କଲା ଆଲୋକିତ । ଲାଗୁଥଲା କେତେ ବର୍ଷ ହେଲା ବିରହ ବେଦନାରେ ସଢୁଥିଲା ସମଗ୍ର ଘରଟି । ଗୋଟେ ଅସ୍ୱସ୍ତିକର ଅନୁଭବ ବଦଳିଗଲା, ଆଉ ମୁଁ ବି ହଠାତ୍ ଘରଟିକୁ ପର୍ଯ୍ୟବେକ୍ଷଣ କରିବାକୁ ତତ୍ପର ହେଇଉଠିଲି । ହଠାତ୍ ମୋର ଏହି ଉଚ୍ଛୁକତାରେ ମୁଁ ନିଜେ ବି ଆଶ୍ଚର୍ଯ୍ୟ ହେଲି ।

“ଏଇଠି ମୁଁ କେତେ ସନ୍ଧ୍ୟା ଅଜାଙ୍କ ସଙ୍ଗେ ବିତେଇଛି । ଅଜା ନିଜ ମହକିଲମାନଙ୍କ ସଙ୍ଗେ କେଶଗୁଡ଼ିକର ପୁଙ୍ଖାନୁପୁଙ୍ଖ ବିବରଣୀ ନେବାବେଳେ ମୁଁ ଏପଟ ସେପଟ ହେଉଥାଏ । ଆଇନ୍ ବହିରେ ଭରପୂର ସମଗ୍ର କୋଠରୀଟିରେ ମୁଁ ଘୁରି ବୁଲୁଥାଏ ଏକ ମାତ୍ର ମାଲିକ ଭଳି । ଅଜା ଖୁସି ହୁଅନ୍ତି ବୋଧହୁଏ ସେଇ ଘରେ ଥିବା “ଆସବାବ୍” ପ୍ରତି ମୋର ଆଗ୍ରହ ଦେଖି । କିନ୍ତୁ ମୁଁ ତ ଏମିତି ସେ ରୁମ୍‌ରେ ପହଞ୍ଚିଯାଏ ଅଜାଙ୍କର ସ୍ନେହର ଡୋରିରେ ଟାଣି ହେଇ । ମାମୁଁଘରେ ଥିବା ବେଳେ ମୁଁ କେବେ ଅଜାଙ୍କୁ ଏକୁଟିଆ ଛାଡ଼େ ନାହିଁ । ସବୁବେଳେ ତାଙ୍କ ପଛେ ପଛେ ଥାଏ । କିନ୍ତୁ. . .’, ବିଗତ ଦିନର ସ୍ମୃତିଚାରଣ କରୁ କରୁ ହଠାତ୍ ସେ ଥମିଗଲେ ।

ମୁଁ ପଚାରିଲି, “କିନ୍ତୁ. . . କ’ଣ ?”

“ସବୁବେଳେ ଲୋକଙ୍କ ଗହଣରେ ରହୁଥିବା ମୋ ଅଜା ଶେଷ ମୁହୂର୍ତ୍ତରେ କିନ୍ତୁ ପୁରାପୁରି ଏକଲା ପଡ଼ିଯାଇଥିଲେ । ମୁଁ ବା କ’ଣ କରିପାରିଥାନ୍ତି ? ମୁଁ ଡାକ୍ତରୀ ପଢ଼ିବା ପାଇଁ ଦିଲ୍ଲୀ ଚାଲିଯାଇଥିଲି । ଆଉ ତା’ପରେ ଉଚ୍ଚ ଶିକ୍ଷା ପାଇଁ ଆମେରିକା । ସେଇଠୁ ଇଉରୋପ୍, ଆଉ ପରଦେଶରେ କଟିଗଲାଣି ଦୀର୍ଘ ୨୫ ବର୍ଷ । କିନ୍ତୁ ମୋର ଶୈଶବ, ସ୍କୁଲ୍, କଲେଜ୍ ଦିନ ଏଇଠି ଏଇ ସହରରେ କାଟିଛି କାହିଁକି ନା ମୋର ମା’ ବି ଏଇ ସହରର ଝିଅ ଆଉ ବୋହୂ ।”

“ଏଇ ଅଗଣାରେ କେତେ ଖେଳିଛି, କୁଦିଛି, ଆଉ ସେ କୋଠରୀଟି ଅଜା ଆଉ ଆଈଙ୍କର । ମାମୁଁଘର ବୁଲି ଆସିଲା ବେଳେ ମୁଁ ପ୍ରାୟତଃ ଆଈଙ୍କ ପାଖରେ ହିଁ ଶୁଏ । ଦୁର୍ଭାଗ୍ୟ ! ମୁଁ ଭଲ ପାଉଥିବା ଏହି ଦୁଇ ପ୍ରିୟ ମଣିଷଙ୍କ ଶେଷ ମୁହୂର୍ତ୍ତରେ ଉପସ୍ଥିତ ନଥିଲି ।” ଗମ୍ଭୀର ତଥା ଅବଶୋସର ଏକ ଧୀର କିନ୍ତୁ ତୀବ୍ର ଆର୍ତ୍ତନାଦର ଆଭାସ ଥିଲା ତାଙ୍କ ସ୍ୱରରେ ।

ମୁଁ ବି ଏହି ୭୦ ବର୍ଷ ବୟସର ଗୃହ ସହିତ ଯୋଡ଼ି ହେଇଥିବା କାହାଣୀ, ତାହାର ନାୟିକା ନାୟକମାନଙ୍କ ସହିତ ପରିଚିତ ହେଉଥିଲି । ଠିକ୍ ଯେମିତି ଏଇ ଗାଇଡ଼ ଐତିହାସିକ କୃତି ସହିତ ପର୍ଯ୍ୟଟକମାନଙ୍କୁ ପରିଚିତ କରାଏ, ସେଠି ଏକଦା ରାଜୁତି କରୁଥିବା ନାରୀ, ପୁରୁଷଙ୍କ ଜୀବନ ପ୍ରବାହ, ଦୁଃଖ, ସୁଖ ବିଷୟକୁ ସୁନ୍ଦର ଭାବେ ବର୍ଣ୍ଣନା କରି ନିଜର ପାଣ୍ଡିତ୍ୟ ତଥା କଳା ପ୍ରଦର୍ଶନ କରିବା ସହିତ ଅତୀତର ସ୍ମୃତିକୁ ପୁର୍ନଜୀବିତ କରିବାର ପ୍ରୟାସ କରେ । ସେ ବି ଏକ ଶିଶୁସୁଲଭ ପ୍ରଗଳ୍ଭତା ସହ ବଡ଼ ଆଗ୍ରହରେ ତାଙ୍କ ଏହି ଘରେ ବିତିଥିବା ଅତୀତ ବଖାଣୁଥିଲେ । ତାଙ୍କର ପ୍ରଖର ସ୍ମୃତିଶକ୍ତି ବର୍ଣ୍ଣନା କରୁଥିଲା ଏହି ଘର ପ୍ରତି ତାଙ୍କର ତୀବ୍ର ଅନୁରାଗ । ଯଦି ଏତେ ମମତା. . . ତା’ ହେଲେ ବିଦେଶ କାହିଁକି ପଳାଇଥିଲେ. . . ପଚାରିବାକୁ ଚାହିଁ ବି ପଚାରିପାରିଲିନି ।

କିନ୍ତୁ ସେ ନଥିଲେ ଗାଇଡ଼ ନା ମୁଁ ପର୍ଯ୍ୟଟକ । ମୋର ଏହି ଘର ସହିତ ଜଡ଼ିତ ଅନ୍ତେବାସୀ କି କାହାଣୀ ବିଷୟରେ ଜାଣିବାର କୌଣସି ଆଗ୍ରହ ନ ଥିଲା । ମୁଁ ଜଣେ ବ୍ୟବସାୟୀ । କେବଳ ଲାଭ କ୍ଷତିର ହିସାବ ରଖେ । ଭାବପ୍ରବଣତାର ଶିକାର ହେବି ତ ନିଜର ହିଁ କ୍ଷତି ଘଟାଇବି ।

ସେ ମୋର ଅନାଗ୍ରହ ଭାବ ବୋଧେ (?) ବୁଝିପାରି ଚୁପ୍ ରହିଲେ ।

ବୈଠକଖାନାର ପାର୍ଶ୍ଵବର୍ତ୍ତୀ ଅପେକ୍ଷାକୃତ ବଡ଼ କୋଠରୀରେ ପ୍ରବେଶ କରି କାନ୍ଥକୁ ଆଉଁଶି ଆଉଁଶି ଆଗକୁ ବଢ଼ିଲେ, ସତେ ଯେମିତି ଅନୁଭବ କରିବାକୁ ଚାହୁଁଥିଲେ ସେଥିରେ ତଥାବି ବାକିଥିବା ଅତୀତର କିଛି ସ୍ପନ୍ଦନକୁ । ତାଙ୍କ ମାମୁଁଙ୍କର ରୁମ୍, ଠାକୁର ଘର ଆଦି ପ୍ରାୟତଃ ଭଗ୍ନ । ରୋଷେଇ ଘର ଛାତର ଏକ ବଡ଼ ଅଂଶ ଭାଙ୍ଗି ଆକାଶରୁ ଚେନାଏ ଦେଖାଯାଉଥିଲା । ଅଗଣା ଓ ଘରର ପଛପଟେ ଅନେକ ଅନାବନା ଗଛଲତା । ମୁଁ ଚିହ୍ନିପାରୁଥିଲି କିସମ କିସମ ଫୁଲ, ଔଷଧୀୟ ବୃକ୍ଷ, କେତେ ଫଳ ଗଛ । ସମୟର ଆହ୍ୱାନରେ ପରିପକ୍ୱ ଯଦିଓ ବର୍ଷ ବର୍ଷର ଅଯତ୍ନ ଓ ନିର୍ମମ ଅବହେଳାରୁ ଏକ ମିନି ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିଲା ।

ଏଇଠି ମୁଁ ଟିକେ ଅଟକିଗଲି । ବୃକ୍ଷଲତା, ତଥା ବଗିଚାରେ ମୁଁ ବହୁତ ରୁଚି ରଖେ । କିନ୍ତୁ ମୁଁ ଆପଣେଇ ଥିବା ବୃତ୍ତି ଏମିତି ଯେ, ବହୁତଥର ମୁଁ ବାଧ୍ୟ ହୋଇ ପ୍ଲଟରେ ଥିବା ଅନେକ ବୃକ୍ଷ କାଟିବାକୁ ନିର୍ଦ୍ଦେଶ ଦେଇଛି । ସମୟ ସହିତ ତାଳ ଦେଇ ବିଶାଳ ଆକାର ନେଇଥିବା ଅନେକ ଦ୍ରୁମ ମଧ୍ୟ ବାଦ୍ ପଡ଼ିନି । ମୋର ମନେ ଅଛି ବୃତ୍ତିର ପ୍ରାରମ୍ଭରେ ଜଣେ ବ୍ୟକ୍ତିଙ୍କର ଘର ତିଆରି କରିବାର କଣ୍ଟ୍‌ରାକ୍ଟିଂ ନେଇଥିଲି । ଏହି କାମକୁ ଆଗେଇ ନେବା ପାଇଁ ମୋତେ ସେ ଜାଗାରେ ଥିବା ଏକ ବିରାଟ ଝଙ୍କାଳିଆ ନିମ ଗଛକୁ ଧରାଶାୟୀ କରିବାକୁ ପଡ଼ିଲା । ଘର ହେଲା, କିନ୍ତୁ ଏହାର ଦୁଇ-ତିନି ମାସ ପରେ ସେଠାରେ ଭଡ଼ାଟିଆ ରହୁଥିବା ଏକ ପରିବାରର ଜଣେ ନବବିବାହିତା ଗର୍ଭବତୀ ସ୍ତ୍ରୀଲୋକ କୌଣସି କାରଣରୁ ଆତ୍ମହତ୍ୟା କରିଥିଲେ । ଏହି ଭଳି ଅସ୍ୱାଭାବିକ୍ ମୃତ୍ୟୁ ଦ୍ୱିତୀୟଥର ମଧ୍ୟ ଘଟିବାରୁ ଲୋକେ କୁହାକୁହି ହେଲେ ବହୁ ପୁରାତନ ନିମ ଗଛଟିକୁ କାଟି ଦେଇଥିବା ହେତୁ ଏଭଳି ହେଲା । ଏହା ପରେ ସେଠି କ’ଣ ଘଟିଥିବ ମୁଁ ଖବର ରଖିନି । କିନ୍ତୁ ମୁଁ ଏ ସବୁରେ ବିଶ୍ୱାସ କରେନି । ଏମିତି ହେଲେ ତ କୌଣସି ଉନ୍ନୟନମୂଳକ କାମ ପାଇଁ ନୂତନ କୋଠାବାଡ଼ି ନିର୍ମାଣ ନିମନ୍ତେ ଗଛ କଟା ଯାଇପାରିବନି । କିନ୍ତୁ ତଥାପି କାହିଁକି ମୋ ମନରେ ସେହି ଘଟଣା ଶୁଣିଲା ପରେ ଟିକେ ଶଙ୍କିତ ହୋଇଥିଲା । କିନ୍ତୁ ପରେ ଏହା ହଟିଯାଇଥିଲା । ତା’ପରେ ମୁଁ ଅନେକ ଜାଗାରେ ନିର୍ମାଣ ନିମନ୍ତେ ଗଛ କାଟିବା ପାଇଁ ନିଷ୍ପତ୍ତି ନେଇଛି ଆଉ ଏଥିରେ ଅଟଳ ଓ ଅବିଚଳିତ ରହିଛି ମଧ୍ୟ ।

କିନ୍ତୁ ଆଜି. . . ସଫଳତାର ସ୍ୱାଦରେ, ଦାମ୍ଭିକତାର ମୋଟା ଆବରଣ ତଳେ ଓ କର୍ମର ବ୍ୟସ୍ତତା ଭିତରେ ମୋ ଭିତରର ସମ୍ୱେଦନଶୀଳ ସତ୍ତାଟି କେଉଁଠି ବୋଧେ ଜାକିଜୁକି ହେଇ ଶୋଇ ପଡ଼ିଥିଲା । ମନର କେଉଁ କୋଣରେ ସୁପ୍ତ ଆସକ୍ତି କିଛି ପୁଣି କଡ଼ ଲେଉଟାଇଲା ଯେମିତି । ପିଲାଦିନର ଅନେକ ସ୍ମୃତି ଚେଇଁ ଉଠିଲେ । ତନ୍ମଧ୍ୟରୁ ଗୋଟିଏ ଥିଲା ମୋ ବୃକ୍ଷନୁରାଗୀତା । ଥରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳେ ମୁଁ ମାମୁଁଘରକୁ ଖରାଦିନ ଛୁଟିରେ ବୁଲିଆସିଥିବା ବେଳେ ମୋ ଆଈଙ୍କୁ ଘର ପଛପଟ ବାରିରେ କିଛି ମଞ୍ଜି ବୁଣୁଥିବା ଦେଖି ମୁଁ ଏ ବିଷୟରେ ପଚାରିଲି । ସେ ମୋର ଆଗ୍ରହକୁ ଦେଖି ମୋତେ ବି ତାଙ୍କ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ କହିଲେ । ସେଦିନ ସେ ମୋତେ କିଛି କଖାରୁ ମଞ୍ଜି ଦେଲେ ନିଜ ଘରେ ଲଗାଇବା ପାଇଁ । ମୁଁ ସେଇଟିକୁ ପୋତିଲି । ସବୁଦିନ ଯାଇ ଦେଖେ ଗଜା ବାହାରିଛି କି ନାହିଁ । ଦିନେ ଏକ କୁନି ପତ୍ର ଦେଖି ମୁଁ ଖୁସିରେ ଆତ୍ମହରା ହେଲି । ଆଉ ଯେଉଁଦିନ ପ୍ରଥମ କରି ଏକ ବଡ଼ କଖାରୁ ଆମେ ତୋଳି ଆଣିଲୁ ମୁଁ ଜମାରୁ ରାଜି ହେଇନଥିଲି ସେଇଟିକୁ କାଟି ତରକାରୀ କରୁ ବୋଲି । କିନ୍ତୁ. . . ଏହା ତ ସମ୍ଭବ ନୁହେଁ । ଏହି ଭଳି ମୋ ଭିତରେ ଗଛଲତା ଲଗାଇବା ଏକ ହବି ହେଇଗଲା ।

ସେମିତି ଥିଲା ମୋର ପୁରୁଣା ତଥା ବହୁତ ଦିନ ଧରି ବ୍ୟବହୃତ ଜିନିଷ ପ୍ରତି ଆଗ୍ରହ । ଯେମିତି ଏକ ପୁରୁଣା କଳା ଧଳା ଟେଲିଭିଜନକୁ ବିକି ବାପା ଯେତେବେଳେ ରଙ୍ଗୀନ୍ ଟିଭି ଘରକୁ ଆଣିବା ପାଇଁ ସିଦ୍ଧାନ୍ତ ନେଲେ ମୁଁ ପ୍ରତିବାଦ କରିଥିଲି । ଦୁଇଟା ଯାକ କ’ଣ ଘରେ ରହିପାରିବନି ? କେତେ ସ୍ମୃତିର ଛାପ ଅଛି ସେଥିରେ ! ଯେତେବେଳେ ଆମର ଟିଭି ନ ଥିଲା ଆମେ ପଡ଼ିଶା ଘରକୁ ଯାଉ ଟିଭି ଦେଖିବା ପାଇଁ । ଆଉ ଯେଉଁ ଦିନ ନୂଆ କଳା ଧଳା ଟିଭିଟିଏ ଆସିଲା ଆମ ଭାଇ ଭଉଣୀଙ୍କର କି ଖୁସି !

ଆଉ ମଧ୍ୟ ମୋର ଗଳ୍ପ, କବିତା ଲେଖିବାର ଆଗ୍ରହ ! କେତେ ଉତ୍ସାହିତ ନ କରିଛନ୍ତି ମୋର ଶିକ୍ଷକ ଓ ସାଙ୍ଗସାଥିମାନେ । କିନ୍ତୁ ଏ ସବୁରେ ମୋର ଆଉ ଆଗ୍ରହ ନାହିଁ ।

ବୟସ ବଢ଼ିବା ସଙ୍ଗେ ସଙ୍ଗେ ଦାୟିତ୍ୱର ବୋଝ, ବେକାରୀ, ଅଭାବ ମୋର କେତେ କେତେ ହବି, ଆଗ୍ରହ ଓ ନିଶ୍ଚଳ ଭାବୁକତା ସବୁର ସ୍ଥାନ ଅକ୍ତିଆର କରିନେଲେ । ଜୀବନର ଅର୍ଥ ଖୋଜୁ ଖୋଜୁ ଦିନେ ନିଜକୁ ଆବିଷ୍କାର କଲି ରିଅଲ୍ ଇଷ୍ଟେଟ୍‌ର ସମ୍ମୋହନି ନଗରୀରେ । ବିଡ଼ମ୍ୱନା. . . ଏହି ବ୍ୟବସାୟ ଚାହେଁ ସେହି ଜିନିଷର ବଳି ଯାହା ପ୍ରତି ଦିନେ ମୋର ଏକ ଅହେତୁକ ଆଗ୍ରହ ଥିଲା । ମୋର ଦୃଷ୍ଟିଭଙ୍ଗୀରେ ଏକ ବିରାଟ ପରିବର୍ତ୍ତନ ଆସିଯାଇଥିଲା ଅଜାଣତରେ । ପୁରୁଣାର କବର ଉପରେ ତ ଗଜୁରି ଉଠେ ନୂତନ ସୃଷ୍ଟି ଓ ସମ୍ଭାବନା ! ଏମିତି ଏକ ମାନସିକତାର ଅଧୀନରେ ଯନ୍ତ୍ରବତ୍ ଏକ ପ୍ରକାରର ବଳିରେ ଭାଗିଦାର ହେଇ ଉନ୍ନତିର ପଥରେ ଆଗକୁ ବଢ଼ି ଚାଲିଲି ।

କିନ୍ତୁ ଆଜି. . . ଆରେ ମୁଁ ଏ କ’ଣ ଭାବୁଛି । ମୁଁ ନିଜେ ଆଶ୍ଚର୍ଯ୍ୟ ହେଲି ନିଜ ଭାବନାକୁ ଦେଖି । ମୁଁ ଭାବୁଥିଲି ଆଜି ଘରକୁ ଫେରିଲା ବେଳେ କିଛି ମଞ୍ଜି, ଚାରା ଇତ୍ୟାଦି କିଣି ନେବା ପାଇଁ । ଏହି ବ୍ୟକ୍ତିଙ୍କ ଏହି ଘର ଭଳି ମୋର ସେହି ପୁରୁଣା ଘରେ ବାପା, ବୋଉ ଅନେକ ଗଛ ଲଗାଇଥିଲେ । କେବେ ଜାଣିବାକୁ ଚେଷ୍ଟା କରିନି ଆମର ସେ ଘରଟିକୁ ବିକିବା ପରେ କ’ଣ ହେଲା ସେ ଗଛ ସବୁର ଅବସ୍ଥା । ମୋର ଅତି ବାସ୍ତବବାଦୀ ଚିନ୍ତାଧାରା ପାଇଁ ମୁଁ ନିଜକୁ ଦୋଷୀ ମନେକଲି ।

ସେ ଘରଟିର ଆମର ଥିଲା ଏକ ସୁନ୍ଦର ବଗିଚା ଓ ତଳ ମହଲାରେ ଥିବା ବୈଠକଖାନାର ଝରକାରୁ ଦୃଶ୍ୟମାନ ହେଉଥିଲା ସମୁଦ୍ରର ଫେନୀଳ ଢେଉ । ବ୍ୟବସାୟଜନିତ କାରଣରୁ ମୁଁ ସହର ମଧ୍ୟ ପରିବର୍ତ୍ତନ କଲି ।

ସେ କହି ଚାଲିଥିଲେ ତାଙ୍କ ଅଜାଙ୍କର ବୃକ୍ଷନୁରାଗୀତା ଆଉ ମୁଁ ନିଜ ଅତୀତ ରାଜ୍ୟରେ ଉଡ଼ିବୁଲୁଥିଲି ।

ସେ ବୁଲି ପଡ଼ି ଉପର ମହଲାକୁ ଯିବା ପାଇଁ ସିଡ଼ି ଧରିଲେ । ବହୁତ ଗୁଳୁଗୁଳି ସତ୍ତ୍ୱେ ଉପର ମହଲାର କୋଠରୀଗୁଡ଼ିକରେ ଏକ ଆରାମଦାୟକ ଶୀତଳତା । ଯେମିତି କି ଏୟାର କଣ୍ଡିସନର୍ ଲାଗିଛି । ସତେ କି ସେ ମୋର ମନକୁ ପଢ଼ି ପାରିଲେ । କହିଲେ, “ଏହି କୋଠରୀଗୁଡ଼ିକ ଖରା ଦିନେ ଥଣ୍ଡା ଆଉ ଶୀତ ଦିନେ ଉଷୁମ ରୁହେ । ବୋଧହୁଏ ଏହା ଚାରିପଟେ ଥିବା ଅନେକ ବୃକ୍ଷଲତାର ସମ୍ଭାର ଯୋଗୁଁ ସମ୍ଭବ ହେଇଛି ।”

“କେତେ ସୁନ୍ଦର ଦିନ, କେତେ ଫେଷ୍ଟିଭାଲ୍, ଉତ୍ସବ, ଆଦିର ରଙ୍ଗରେ ରଙ୍ଗାୟିତ ଏହି କୋଠରୀଗୁଡ଼ିକ । କେତେ ଗପ, କେତେ ସ୍ୱପ୍ନ, କେତେ ଚୁଗୁଲି, କେତେ କାନ୍ଦ ହସରେ ଏହି ଘର ଦିନେ ଉଠୁଥିଲା ପଡୁଥିଲା । ଦେଖନ୍ତୁ ଆଜି ସବୁ ମୃତ ପ୍ରାୟ । ଅଜାଙ୍କ ମୃତ୍ୟୁ ପରେ ନିଜ ନିଜ ଭିତରେ ଆଉ ଅସାମଞ୍ଜସ୍ୟ ହେତୁ ସମସ୍ତେ ନିଜ ନିଜ ବାଟ ଧରିଲେ । ଏହି ପ୍ରକ୍ରିୟା ଏକ ନିର୍ଣ୍ଣାୟକ ମୋଡ଼ ନେଲା ତାଙ୍କ ଗଲା ପରେ । ଆଈ ତ ଆଗରୁ ଚାଲିଯାଇଥିଲେ । ତା’ପରେ ସମସ୍ତେ ଅଲଗା ରହିବାକୁ ଲାଗିଲେ । ନିଜ ନିଜ ଘର ତୋଳା । ଏହି ଘରର ଯତ୍ନ ନେଲେନି । ଆଉ ଆଜି. . .”, ସେ ଦୀର୍ଘଶ୍ୱାସ ନେଲେ ।

ଛାତ ଉପରୁ ଶ୍ରୀମନ୍ଦିର ସୁନ୍ଦର ସ୍ଥାପତ୍ୟ ଦୃଶ୍ୟମାନ । ଚାରିପଟେ ପାରାମାନେ ଉଡ଼ି ବୁଲୁଛନ୍ତି । ସୂର୍ଯ୍ୟଙ୍କର ରଶ୍ମୀର ପ୍ରଖରତା ପ୍ରାୟ କମି ଆସିଲାଣି । କିନ୍ତୁ ମୁଁ ଫେରିବା ପାଇଁ ଜମା ବ୍ୟସ୍ତ ନଥିଲି । କିଛିଦିନ ପରେ ଏଠି ଏକ ପ୍ରକାଣ୍ଡ ଅଟ୍ଟାଳିକା ଛିଡ଼ା ହେବ । ଛାତ ଉପରୁ ଶ୍ରୀମନ୍ଦିର ଆହୁରି ସୁନ୍ଦର ଦୃଶ୍ୟମାନ ହେବ ଯଦି ଅନ୍ୟ କୌଣସି କୋଠାବାଡ଼ି ସାମ୍ନାକୁ ନ ଆସେ ।

“ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ମୋର ଅତି ଆପଣାର ଥିବା ମାମୁଁ ମାଇଁ ମାଉସୀ ପ୍ରକୃତରେ କେତେ ସ୍ୱାର୍ଥପର ଥିଲେ । ସେମାନଙ୍କ ବ୍ୟବହାରରେ କେତେ ଛଳନା ଥିଲା । ଅଜାଙ୍କର ମୃତ୍ୟୁର ପ୍ରାୟ ଛଅ ଘଣ୍ଟା ପରେ ସେମାନେ ଜାଣିଲେ ସେ ଆଉ ନାହାନ୍ତି ବୋଲି । ଏହା ପ୍ରମାଣିତ କରେ ଅଜା କେତେ ଏକଲା ପଡ଼ିଥିଲେ, ତାଙ୍କ ରୁମ୍‌କୁ ଏତେ ସମୟ ଧରି କେହି ଯା’ ଆସ କରିନଥିଲେ । ଶେଷ ସମୟରେ ସେ ଏକୁଟିଆ ଥିଲେ ।” ନିଜ ଆତ୍ମୀୟଙ୍କ ପ୍ରତି ତାଙ୍କ ମନର କ୍ଷୋଭ ସ୍ପଷ୍ଟ ବାରି ହେଇପଡୁଥିଲା ।

“ଚାଲନ୍ତୁ ଫେରିଯିବା ।”

ମୋର ସଂଶୟ ତଥାପି ଦୂର ହେଇନଥିଲା. . . ତେଣୁ ସମ୍ଭାଳି ନପାରି ମୁଁ ପଚାରିଦେଲି, “ବାସ୍ ଆପଣ କେବଳ ଏହି ଘରଟିକୁ ଶେଷଥର ପାଇଁ ଦେଖିବା ପାଇଁ କେତେ ଦୂରରୁ ଛୁଟି ଆସିଥିଲେ ?’

“ହଁ. . . ମୋ ସବୁ କିଛି ଅଛି । ଭାଗବଣ୍ଟାରେ ମୋର କୌଣସି ଆଗ୍ରହ ନାହିଁ ।’ ମୋର ଆଶଙ୍କାକୁ ବୋଧେ ସେ ଅନୁମାନ କରିନେଇଥିଲେ ।

ପ୍ରକୃତି ତା’ ରଙ୍ଗ ମୁଣିରୁ ମେଞ୍ଚାଏ ଲାଲ୍, କମଳା, ଗାଢ଼ ନୀଳ ରଙ୍ଗ ଧିରେ ଧିରେ. . . ନେସି ଦେଉଥିଲା ଆକାଶ ସାରା । ଓଃ ! କି ସୁନ୍ଦର. . . ମୁଁ ଯେ କ୍ୟାମେରାଟି ଆଣିବାକୁ ଭୁଲିଗଲି । ବହୁତ ଦିନ ପରେ ଯେମିତି ମୁଁ ଏହି ରଙ୍ଗର ମେଳାକୁ ଦେଖୁଥିଲି । କେୟାର୍ ଟେକର୍ ଆସିଲା । ମୁଁ ଚାବି ଦେଇ ନିର୍ଦ୍ଦେଶ ଦେଲି ଠିକ୍ ରୂପେ ଘରଟିର ତଦାରଖ କରିବା ପାଇଁ କାରଣ ବହୁତ ଜଲଦି କାମ ଆରମ୍ଭ ହେବ ।

ମୋବାଇଲ୍ ରିଂଟୋନ୍ ମୋତେ ସଚେତ କଲା ବର୍ତ୍ତମାନ ବିଷୟରେ. . .

“ସାର୍. . . ଆଉ ଏକ ବିରାଟ ଜାଗା ବିଷୟରେ କଥା ହେବାର ଥିଲା । ପ୍ରାୟ ୨ ଏକର. . . ବଗିଚା, ପୋଖରୀ ଆଉ. . . ।”

କାର୍ ଭିତରକୁ ପ୍ରବେଶ କରିବା ପୂର୍ବରୁ ମୁଁ ଥରେ ବୁଲି ପଡ଼ି ସେ ଘରକୁ ଦେଖିଲି । ସିଲୁଟେୟ୍ ରୂପେ ଦଣ୍ଡାୟମାନ ଘରଟି. . . ଭୂତକୋଠି ପରି ଲାଗୁଥିଲା ।

ଆଗନ୍ତୁକ କାର୍‌ରେ ବସି ସାରିଥିଲେ । ଗମ୍ଭୀର ମୁଦ୍ରାରେ । ବୋଧହୁଏ ବହୁତ ଚେଷ୍ଟା କରୁଥିଲେ ଏହି ଘରଟିର ମାୟାରୁ ସମ୍ପୂର୍ଣ୍ଣ ରୂପେ ମୁକୁଳିଯିବା ପାଇଁ ।

ତାଙ୍କୁ ହୋଟେଲ୍‌ରେ ଛାଡ଼ି ମୁଁ ଗୃହଗାମୀ ହେଲି ।

ନଅ ମାସ ପରେ. . . ସେ ପୁରୁଣା କୋଠିର ସ୍ଥାନ ନେଇସାରିଥିଲା ଏକ ଅତ୍ୟାଧୁନିକ ବହୁତଳ ବିଶିଷ୍ଟ ଅଟ୍ଟାଳିକା. . . ମୋର ସଫଳତାର ଆଉ ଏକ ମାଇଲ୍ ଖୁଣ୍ଟ । ସେ ପୁରୁଣା କୋଠିର ଏକଦା ବାସିନ୍ଦା ଥିବା ସେ ଆଗନ୍ତୁକଙ୍କ ବ୍ୟକ୍ତିତ୍ୱର ପ୍ରଭାବ ବେଶ୍ କିଛି ଦିନ ମୋ ମନକୁ ଜଡ଼ାଇ ରଖିଲା । କାମର ଚାପ, ନିଜ ବୃତ୍ତିରେ ସଫଳତାର ପାହାଚ ଚଢ଼ିବାର ନିଶା, ମୋ ମନର ସ୍ଲେଟ୍‌ରୁ ସେ “ପ୍ରଭାବ”କୁ କ୍ରମଶଃ ପୋଛି ଦେଲା ଆଉ ସେ ସ୍ଥାନ ଗ୍ରହଣ କଲା, ନଭଶୁମ୍ଭୀ ଅଟ୍ଟାଳିକାର ସ୍କେଚ୍‌ମାନ ।

ସେ ଜର୍ମାନୀ ଫେରିଯିବାର କିଛିଦିନ ପରେ ମୁଁ “ଫେସ୍‌ବୁକ୍’ରେ ତାଙ୍କ ପାଖକୁ “ଫ୍ରେଣ୍ଡସ୍ ରିକ୍ୟୁଏଷ୍ଟ୍’ ପଠାଇଥିଲି. . . କିନ୍ତୁ କିଛି ଘଣ୍ଟା ପରେ ତାହା ନାକଚ କରିଦେଲି. . . କାହିଁକି ? ବୋଧହୁଏ ମୁଁ ଡରୁଥିଲି କାଳେ ତାଙ୍କ “ବ୍ୟକ୍ତିତ୍ୱର ପ୍ରଭାବ”ରେ ପୁଣି ବଶୀଭୂତ ହେଇ ଭାବୁକତା ହେତୁ ନିଜର ବ୍ୟବସାୟର କ୍ଷତି ନିଜେ କରିବସିବିନି ତ ?

ଲୋକପ୍ରିୟ ଲେଖା

To Top