ଗଳ୍ପ

ସେଇ ଆଖି

Dr Sharat Chandra Parida's odia story Sei Aakhi

ଛୋଟ କୁକୁରଟି ବିଚରା ଏ ବିକଟାଳ ଶବ୍ଦ ଶୁଣି ସନ୍ତ୍ରାସିତ ହୋଇପଡ଼ିଲା । ଡରି ମରି ଧଡ୍‌ପଡ୍ ହୋଇ ଉଠି ଠିଆ ହେଲା ।

ସେଇ ଆଖି

ଉହୁଁ, କେଉଁଠି ଥିଲା ଏ କୁକୁର ? ଓହୋ କି ଦୁର୍ଗନ୍ଧ ! ! ଆରେ ଘରେ କିଏ ଅଛ କି ନାହଁ, ଏ କୁକୁରଟାକୁ ଏଠି କିଏ ପୂରାଇଲା ? କି ଗରହୁସିଆର୍ ଏ ଘରର ଲୋକେ । କାହାର ୟେ କୁକୁର ? କିଏ ୟେ କୁକୁର ପାଳିଛି ? ରାତିରେ ଟିକେ ଶୁଆଇ ଦେବେ ନାଇଁ । ଉଠା ୟେ କୁକୁରକୁ ଏଠୁ । ରାତି ଏଗାରଟାରେ ଏକ ଅବେଳ ଘଡ଼ଘଡ଼ିର ଗର୍ଜନ କରି କୋଠାଘର ଖଞ୍ଜାକୁ ପ୍ରବେଶ କଲେ କାହ୍ନୁ ବାବୁ । ବଡ଼ ପୁଅର ଏ ଗର୍ଜନ ତର୍ଜନ ଶୁଣି ସତୁରି ବର୍ଷର ବୁଢ଼ୀ ବୋଉ ଧଡ୍‌ପଡ୍ ହୋଇ ନିଦରୁ ଉଠିଲେ । ଆରେ କାଇଁକି ପାଟି କରୁଚୁ ଏତେ ରାତିରେ ? କ’ଣ ହୋଇଚି ?

କାହ୍ନୁବାବୁ ଜଣେ ଚାକିରୀଆ । ଉଚ୍ଚ ଶିକ୍ଷିତ । ଅଫିସର ଚାକିରୀ । ବାହାସାଦି କରିଛନ୍ତି । ଦୁଇଟି କନ୍ୟା ଓ ସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର । ଛୁଟିରେ ଗାଁକୁ ଆସିଚନ୍ତି । ଗାଁରେ ଯୌଥ ପରିବାର । ବାପା ମା’ ସାନ ଭାଇ, ଭାଇବୋହୂ, ପୁତୁରା, ଝିଆରୀ ଏମିତି ପରିବାରରେ ଅନେକ ସଦସ୍ୟ । ସେଦିନ ଗାଁରେ ବଇଷିମ ଘର ନିମନ୍ତ୍ରଣ ଥିଲା । ଭୋଜିଭାତ ସରୁ ସରୁ ଡେରି ହୋଇଗଲା । ବଡ଼ ପୁଅ ଭୋଜିକୁ ଯାଇଚି । ଖାଇକି ଆସିବ । ତେଣୁ ଘରେ ସମସ୍ତେ ଖାଇପିଇ ଶେଯ ଧରିଲେଣି । କାହାକୁ କେମିତି ଛାଇ ନିଦ କୋଳେଇ ନେଇଚି । ନିରବତା ତା’ର ରାଜୁତି ଆରମ୍ଭ କରିଦେଇଥାଏ । କାହ୍ନୁବାବୁଙ୍କ ସ୍ତ୍ରୀ ଓ ବଡ଼ ଝିଅ ମାମୁଁ ଘରକୁ ଯାଇଥାନ୍ତି ।

କାହ୍ନୁ ବାବୁଙ୍କ ସାନଭାଇ ନୀରଦ । ଘରେ ରହେ । ଘରର ହାଲ ଚାଲ ବୁଝେ । ପାଖ ସ୍କୁଲରେ ଶିକ୍ଷକତା କରେ । ତା’ର ମଧ୍ୟ ଝିଅଟିଏ । ଏବେ ପୁଅଟିଏ ହୋଇଚି । ଘରେ ବଳଦ ଗାଈ ବାଛୁରୀ, ଛେଳି କୁକୁର ସମସ୍ତେ ଅଛନ୍ତି । ବିଲେଇ ମଧ୍ୟ ସବୁବେଳେ ହାଜର ନ ହେଲେ ମଧ୍ୟ ଆଇଁଷ ଗନ୍ଧ ପାଇଲେ ପଡ଼ିଶା ଘରୁ “ମ୍ୟାଉଁ ମ୍ୟାଉଁ” ଗୀତ ବୋଲି ଧାଇଁ ଆସେ । ଭାତ ଥାଳିରେ ବସୁ ବସୁ ଥାଳିଆ ପାଖରେ ଜଗି ବସେ । ଘର ଲୋକେ ଖାଇବା ଆରମ୍ଭ କଲେ ସେ ଏକ ଲୟରେ ଚାହିଁ ରହେ । ତା’ଉପରେ ଖାଦକର କେତେବେଳେ ଦୟା ହେବ । ଖାଲି ଭାତ ଗୁଣ୍ଡାଏ ତା’ ପାଖରେ ଅଜାଡ଼ି ଦେଲେ ସେ ଖାଲି ଶୁଙ୍ଘି ଦିଏ । ମାଛର ଝୋଳ ଟିକେ ଲାଗି ନ ଥିଲେ, ଅଧା ଶୋଷା ମାଛ ମୁଣ୍ଡ ଖଣ୍ଡେ ପଡ଼ି ନଥିଲେ ବା ମାଛ କଣ୍ଟା ଖଣ୍ଡେ ସେଥିରେ ମିଶି ନଥିଲେ ମିଠା ଆଣି ନଥିବା କୁଣିଆଙ୍କ ଠାରୁ ଘର ଲୋକେ ମୁହଁ ଫେରାଇଲା ପରି ସେ ମୁହଁ ଫେରାଇ ନିଏ । ମାଛ ମାଂସ ଖାଇ ସାରି କଣ୍ଟା ପାଖରେ ପହଞ୍ଚିବାକୁ କେତେ ଗୁଣ୍ଡା ଭାତର ସମୟ ତ ନିଶ୍ଚୟ ଲାଗିବ । ଏମିତି ଅଧୈର୍ଯ୍ୟ ହେଲେ ଚଳିବ । ଏ ଅବସ୍ଥା ସିନା ଖାଦକ ବୁଝି ପାରୁଥିବ, ହେଲେ ବିଲେଇ କି ବୁଝାଇବ କିଏ ? ଯଦି ସମୟ ବେଶି ଲାଗିଲା ବିଲେଇ ଖାପ୍ କିନା ଖଣ୍ଡେ ମାଛ, ଶୁଖୁଆ ବା ମାଂସ ଧରି ଚମ୍ପଟ । ହେଇ ନେଇଗଲା ବିଲେଇ ମାଛ କହିଲା ବେଳକୁ ସେ କେଉଁ ଆଡେ଼ ଉଭାନ ହୋଇଯାଏ । ତା’ପଛରେ ଗୋଡେ଼ଇ ବିଲେଇ ଅଇଁଠା ଛଡେ଼ଇ କିଏ ବା ଖାଇବ । ଖଣ୍ଡେ ଗଲେ ଗଲା, ବାକି ଆଇଁଷରେ ଚଳେଇ ଦିଅନ୍ତି ଘର ଲୋକେ ।

କୋଡ଼ିଏ ପଚିଶ ବର୍ଷ ହେଲାଣି କାହ୍ନୁ ବାବୁ ଘର ଛାଡ଼ିଲେଣି । ଯାହା ମାଟ୍ରିକ୍ ପଢ଼ିବା ପର୍ଯ୍ୟନ୍ତ ଗାଁରେ ଥିଲେ । ତା’ପରେ କଟକ ନଗରରେ ପାଠ ପଢ଼ା ଓ ଚାକିରୀ । ଚାକିରୀ ଯେ ବହୁତ ବାଟ । ବର୍ଷକରେ ଥରେ ଅଧେ ଆସିଲେ ବେଶି ହୋଇଗଲା । ଯେତେବେଳେ ଘରକୁ ଆସନ୍ତି ଘରଟା ପୂରିଲା ପୂରିଲା ଲାଗେ । ହଳୁଆ ବଳଦ, ଦୁହାଁଳିଆ ଗାଈ, ଫସଲିଆ ଜମି ଏମିତି ଚାଷୀ ପରିବାରର କେତେ କ’ଣ ଦେଖି ନିଜକୁ ଧନ୍ୟ ମନେ କରନ୍ତି । ତାଙ୍କ ବୋଉ ଯେତେବେଳେ ବସା ଦହି ଗ୍ଲାସ ଆଣି ପିଇବାକୁ ଦେଇ ଦିଅନ୍ତି । କୋଟି ନିଧି ପାଇଲା ପରି କାହ୍ନୁ ବାବୁଙ୍କୁ ଲାଗେ । ଝିଅ ଦୁଇଟି ଗଛରେ ନଟକି ଥିବା କାନ୍ଦି କାନ୍ଦି ଶାଗୁଆ ପଇଡ଼ ପାଣି ପିଅନ୍ତି । ଘରେ ସବୁ ବେଳେ କୁକୁର ଗୋଟିଏ ବା ଦୁଇଟି ବା ତିନୋଟି ଶୋଇ ଧକାଉ ଥିବାର କାହ୍ନୁ ବାବୁ ଦେଖନ୍ତି । ଏତେ କୁକୁର କ’ଣ ବୋଲି ବିରକ୍ତ ହୁଅନ୍ତି । ବୋଉ ବୁଝେଇ କହନ୍ତି – “ଆରେ, ସବୁ ଯାକ କୁକୁର କ’ଣ ଆମେ ପାଳିଚୁ ? ଆମର ଘର କୁକୁର ନାଲିଆ ଅଣ୍ଡିରାଟା । ସେ ପାଣି ତୋରାଣି ପିଇ ଏଇଠି ପଡ଼ି ରହିଚି । ଆଉ ଦି’ଟା ପରେ ବୁଲା କୁକୁର । ଦେଖୁନୁ ଚିତ୍ ହୋଇ ଶୋଇ ଉପରକୁ କେମିତି ପେଟ ଦେଖାଉଚନ୍ତି ।”

କାହ୍ନୁ ବାବୁ ପିଲାବେଳେ ଗାଁରେ ଥିଲାବେଳେ ଏଇ କୁକୁର ବିଲେଇମାନଙ୍କ ସଙ୍ଗ ଓ ପ୍ରାଦୁର୍ଭାବ ବେଶ୍ ଅନୁଭବ କରିଛନ୍ତି । କୁଆଡେ଼ ଯାଇ ଥିଲେ ଘର କୁକୁରଟା ଆସି କୁଁ କୁଁ ହୋଇ ଲାଞ୍ଜ ହଲାଇ ମୁହଁକୁ ଅନେଇ ରହେ । ସତେ ଯେମିତି ଘର ଭିତରକୁ ସ୍ୱାଗତ କରେ । ମୋ ପାଇଁ କ’ଣ ଆଣିଚ ଅଡ଼ି ବସେ । ଆବେଗମୟ ଅଳି କରେ । ଖଣ୍ଡେ ବିସ୍କୁଟ୍ ବା ଅନ୍ୟ କିଛି ଶୁଖିଲା ଖାଦ୍ୟ ତା’ ପାଖକୁ ପକାଇ ଦେଲେ ଆନନ୍ଦରେ ଖାପ୍ କିନା ଏକା ଥରେ ପାଟି ଭିତରକୁ ନେଇଯାଏ । ପୁଣି ବେଳେ ବେଳେ ଆସି ଦେହ ଯାକ ଶୁଙ୍ଘି ପକାଇ ଗୋଡ଼ ତଳେ ଗଳୁଥାଏ । ପଶୁ ହେଲେ ବି ସ୍ନେହ ଶ୍ରଦ୍ଧା ଆଦରରେ ସେମାନେ ମଣିଷ ଭଳିଆ । ସ୍ନେହ ଦେଲେ ସ୍ନେହ ମିଳେ- ଏହି ଅନୁଭବଟି ସବୁ ଜାତିର ପଶୁପକ୍ଷୀ ଓ ମଣିଷ ପାଖରେ ସତ । ବେଳେବେଳେ କାହ୍ନୁ ବାବୁ ଘର କୁକୁର ମଥାକୁ ସ୍ନେହରେ ଆଉଁସି ଦିଅନ୍ତି । କୁକୁରଟି କୁଁ କୁଁ ଶବ୍ଦରେ କାନ ଦୁଇଟାକୁ ପାରି ଦେଇ ତା’ ଭାଷାରେ କେତେ କ’ଣ ଆତ୍ମୀୟତା ଭରା କଥା କହିଯାଏ ।

କିନ୍ତୁ ଘର କୁକୁର ଗୋଟେ ଦୋଷ ହେଉଛି ଭାତଥାଳି ତରକାରୀ ଗିନାରେ ମୁହଁ ପୁରାଇବା । ଅବଶ୍ୟ କିଛି ବର୍ଷ ପୂର୍ବେ ଖଞ୍ଜାଘର ନଥିଲା । ବାରଣ୍ଡା ଦୁଆର ସବୁ ଖୋଲାଥିଲା । ସମସ୍ତଙ୍କର ଅବାଧ ପ୍ରବେଶ । ଖାଇଲା ପିଇଲା ବେଳେ ଅନାଶୀବିନାଶ ଯିଏ ଆସି ପହଞ୍ଚିଲା ତାକୁ କିଛି ପାଣି ତୋରାଣି ଯାହା ଥାଏ ଦିଆଯାଏ । କୁକୁର ବିରାଡ଼ିଙ୍କ ଦୌରାତ୍ମ୍ୟ ମଧ୍ୟ କିଛି କମ୍ ନ ଥିଲା । ସବୁବେଳେ ଗୋଟିଏ ଛେଲୁଆ ରଖା ଯାଇଥାଏ । ଖାଇପିଇ ସାରିଲା ପରେ କୁକୁର ପାଇଁ କିଏ ରଖନ୍ତି କିଏ ରଖନ୍ତି ନାଇଁ । ଖାଉ ଖାଉ ଯଦି ସରିଗଲା ବିଚରା କୁକୁର ନିରାଶ । ପଖାଳ ଖାଉଥିଲେ ତୋରାଣି ନିଶ୍ଚୟ ମୁନ୍ଦା ବଳିଯିବ । ସେତକ କୁକୁର ଛେଲୁଆରେ ଢାଳି ଦେଲେ ଚାକୁ ଚାକୁ କରି ସେ ସବୁତକ ନିଃଶେଷ କରିଦିଏ । କୁକୁର କଥା କାହାର ମନେଥାଉ ବା ନ ଥାଉ କାହ୍ନୁବାବୁଙ୍କ ବାପା ଓ ସାନ ଭାଇ ନୀରଦ କିନ୍ତୁ ପେଟରୁ କିଛି କାଟି କୁକ୍କୁର ପାଇଁ ରଖନ୍ତି । ପରେ ସେତକ ତା’ ଛେଲୁଆରେ ଢାଳି ଦିଅନ୍ତି । ଏମିତି ସ୍ନେହ ଆବେଗର ବଳୟ ଭିତରେ କୁକୁରମାନେ ବଢ଼ିଥାନ୍ତି । କୁକୁର କିନ୍ତୁ ଘରର ସବୁ ସଦସ୍ୟଙ୍କ ପ୍ରତି ସ୍ନେହରେ ଊଣା ଅଧିକ କରେ ନାଇଁ । ଘର ଛାଡ଼ି କିଏ ବାହାରକୁ ଗଲେ କୁକୁର ମଧ୍ୟ ପଛେ ପଛେ ଗୋଡ଼ାଏ । କିନ୍ତୁ ଯେଉଁଠାରେ ଡଙ୍ଗାରେ ବସି ଘର ଲୋକ ନଈ ପାରି ହୁଅନ୍ତି ତାକୁ ଆଉ ଡଙ୍ଗାରେ ଚଢେ଼ଇ ନେବା ସମ୍ଭବ ହୁଏ ନାଇଁ । ଡଙ୍ଗା କୂଳ ଛାଡ଼ି ଦେବା ପରେ ସେ ଉପରକୁ ଚାହିଁ ଭୁକେ । ଲମ୍ୱା ଲମ୍ୱା ରଡ଼ି ଛାଡେ଼ । ସତେ ଯେମିତି କୋଉ ମା’ ତା’ର କୁନି ପିଲାକୁ ଛାଡ଼ି ଦୂର ରାଇଜକୁ ପଳାଇ ଯାଉଚି । ବିଚରା କାନ୍ଦି କାନ୍ଦି ଫେରିଲା ବେଳେ ଅନ୍ୟ ଗାଁର ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ିଗଲେ ସେମାନଙ୍କ ଅଚାନକ ଆକ୍ରମଣରେ ଖଣ୍ଡିଆ ଖାବରା ହୁଏ ।

କାହ୍ନୁ ବାବୁ କୁକୁରକୁ ଭଲ ପାନ୍ତି । ହେଲେ କୁକୁର ଖାଇବା ଥାଳିକୁ ଚାଟିବା ଓ ପଖାଳ କଂସାରେ ମୁହଁ ପୁରାଇବା ଏ କଥା ସେ ଆଦୌ ସହିପାରନ୍ତି ନାଇଁ । ଗାଆଁରେ ରହୁଥିବା ଲୋକଙ୍କ ସିନା ଏ ଘଟଣା ଦେହସୁଆ ହୋଇ ଯାଇଚି, ସେ ଥାଳିକୁ ଧୂଆ ଧୋଇ କରି ପୁଣି ସେଥିରେ ଖାନ୍ତି । କିନ୍ତୁ କାହ୍ନୁବାବୁ ବଡ଼ ବିରକ୍ତି ପ୍ରକାଶ କରନ୍ତି । ହେଲେ ତାଙ୍କ କଥାକୁ ଗୁରୁତ୍ୱ ଦେଉଚି କିଏ ? ସେ ନିଜ ଘରେ ମଧ୍ୟ କୁଣିଆ ପରି ଦିନ ଦି’ଟା ବା ଅଢେ଼ଇଟା ରହି ପୁଣି ଫେରି ଯିବେ ନିଜ କର୍ମକ୍ଷେତ୍ରକୁ । ତାଙ୍କ ପାଇଁ ତ ଅଲଗା ବାସନ ସେଟ୍ ସାଇତା ହୋଇ ରଖାଯାଇ ପାରିବ ନାଇଁ । ତେଣୁ ବେଳେ ବେଳେ ଘରେ କୁକୁର ପାଇଁ ଝଗଡ଼ା ସୃଷ୍ଟି ହୁଏ । ଯେତେ ପାଉଁଶ ପକାଇ ମାଜିଲେ ବି କୁକୁର ଲାଳ ଯେ ବାସନରୁ ସମ୍ପୂର୍ଣ୍ଣ ଛାଡ଼ିଯିବ ସେ ବିଶ୍ୱାସ କରି ପାରୁ ନଥାନ୍ତି । ତେଣୁ କାହ୍ନୁବାବୁ ଖାଇଲା ବେଳେ ଘର ଲୋକେ ସତର୍କ ହୋଇଯାନ୍ତି । ତାଙ୍କ ବୋଉ ଭାତ ବାଢ଼ି ଦେଲା ବେଳେ ପିଲାଟା ଗଣ୍ଡାଏ ଭଲରେ ଖାଉ ବିରକ୍ତ ନ ହେଉ ବୋଲି ତାଙ୍କ ବାପା ଭାବି ହାତରେ ଖଣ୍ଡେ ବାଡ଼ି ଧରି କୁକୁର ବିରାଡ଼ି ଛେଳିଛୁଆକୁ ହୁରୁଡ଼ାଉ ଥାନ୍ତି । ଏତେ ଗୁଡ଼ାଏ ଶରୀରକୁ ସିନା ତାଙ୍କ ବାପା ବାଡ଼ିରେ ଦୂରେଇ ରଖନ୍ତି ହେଲେ ସେମାନଙ୍କ ଆଶାୟୀ ବିକଳ ଆଖିଗୁଡ଼ାକ ବା କେମିତି ଖାଦ୍ୟ ଖାଦକ ଉପରୁ ଫେଡ଼ି ପାରିବେ । କାହ୍ନୁବାବୁ କିଛି କହନ୍ତି ନାଇଁ । ଯା’ହେଲେ ବାପା ତ ପୁଅକୁ ଜଗି ବସିଚନ୍ତି ।

ୟା’ ଭିତରେ ଅନେକ ବର୍ଷ ଗତ ହୋଇଯାଇଚି । ପିଲା ପରିବାର ଧରି ଗାଁରେ ପହଞ୍ଚିଛନ୍ତି କାହ୍ନୁବାବୁ । ସାନ ଝିଅ ଡେଜି ଅଷ୍ଟମ ଶ୍ରେଣୀରେ ପଢ଼ିଲାଣି । ଗାଁରେ ପହଞ୍ଚି ସମସ୍ତଙ୍କୁ ଦେଖା କରି ବଡ଼ମାନଙ୍କୁ ନମସ୍କାର କରି ଦାଣ୍ଡ ପିଣ୍ଡାରେ ବସିଥାଏ । ଦେଖିଲା ଗୋଟିଏ ଛୋଟ ନାଲା କୁକୁର ବାରଣ୍ଡାରେ ଶୋଇଚି । ସମସ୍ତଙ୍କୁ ବିକଳରେ ଚାହିଁ ରହିଚି । ନା ଶୋଇ ପାରୁଚି କୋଉଠି ମ । ଦୁଇ ମିନିଟ୍ ଶୋଇଥିବ କି ନାଇଁ ପୁଣି ଅଥିର ହୋଇ ଉଠି ପଡୁଚି, ଝାଡ଼ି ଝୁଡ଼ି ହେଉଚି । ଦେହଟାକୁ ସାପ ପରି ବଳୟାକାର କରି ମୁହଁ ମାଡ଼ି ନଥ୍‌କିନା ଶୋଇ ପଡୁଚି । କିଛି ସମୟ ନିସ୍ତେଜ ହୋଇଯାଉଚି । ସେ ଏମିତି କାଇଁ ହଉଚି ବୋଲି ନିରୀକ୍ଷଣ କଲା । ଦେଖିଲା କୁକୁରଟି ଭାରି ରୋଗଣା ଜଣାପଡୁଚି । ଉଠିବାକୁ ଧାଇଁବାକୁ ସତେ ଯେମିତି ତା’ର ଆଦୌ ବଳ ପାଉ ନାଇଁ । ତା’ ଖାଇବା ପିଇବାରେ ମଧ୍ୟ ଧ୍ୟାନ ନାଇଁ । ମନ ତା’ର ମରିଯାଇଛି । ସରସତା ହଜି ଯାଇଚି । ଲାଞ୍ଚ ଉଠାଇ ପିଛଡ଼ା ମାରିବା ପାଇଁ ମଧ୍ୟ ତା’ର ଜୁ’ ନାଇଁ । କୁକୁରଟିର ପଛ ଫରିଆରେ ଗୋଟାଏ ଘା’ । ପାଚି ପଚି ଯାଇଚି । ଘା’ ଚାରିପଟେ ଖାଲି ମାଛି ଭଣ ଭଣ ହେଉଛନ୍ତି । ଘା’ ଭିତରେ ମାଛି ବସି କାମୁଡ଼ି ପକାଉଛନ୍ତି । ପୂଜ ପାଣିରେ ଭରଭର ହୋଇଛି ଘା’ । ଯେଉଁଠି ଯେଉଁଠି ଶୋଉଚି ସାଙ୍ଗେ ସାଙ୍ଗେ ଲସା ବହି ସେ ଜାଗାରେ ଜମି ଯାଉଚି ।

ଏ ଦୃଶ୍ୟ ଦେଖି କାହ୍ନୁବାବୁଙ୍କ ଦେହ ଶିରଶିର ହୋଇ ଉଠିଚି । ତାଙ୍କ ଦେହରେ ଏସବୁ ଚଳେ ନାଇଁ । ତାଙ୍କର ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ରହିଛି ହେଲେ ଘରେ ରହୁଥିବା ଲୋକେ କାହିଁକି ପୋଷା କୁକୁର ଯତ୍ନ ନେଉ ନାହାନ୍ତି ସେ କଥା ଭାବି ମୃଦୁ ଭତ୍ସନା କରିଛନ୍ତି । ବୋଉ ଏ କଥା ହଜମ ନ କରି ବଡ଼ ପୁଅକୁ କଡ଼ା କରି କହିଚନ୍ତି । ଏ ଦୃଶ୍ୟ ଦେଖି ଡେଜି ବୁଝାଇଚି ଜେଜେମା’ଙ୍କୁ । ମା’ ତୁ ବାପାଙ୍କୁ ଭୁଲ୍ ବୁଝୁଛୁ । ତୁ କ’ଣ ଦେଖି ପାରୁନୁ କୁକୁର ଏ ଦୟନୀୟ ଦଶା ? ସେ ତ କୁକୁର ଜାତି । ତା’ର କ’ଣ ପାଟି ଫିଟୁଚି ? ଦେଖିଲୁ ଜେଜେ ମା’ ଆମ କଥାକୁ ସେ କେମିତି ବିକଳ ହୋଇ ଶୁଣୁଚି । ଆମ ଦେହ ପା’ ଖରାପ ହେଲେ ଆମ ଲୋକ ଆମକୁ ମେଡ଼ିକାଲ ନେଇ ଯାଉଚନ୍ତି, ଔଷଧ ଆଣି ଦଉଛନ୍ତି । ହେଲେ କୁକୁରଟା ଏତେ ଦଶା ଭୋଗୁଚି ତମେ କ’ଣ କେହି ଦେଖି ପାରୁନାହଁ, ଜାଣିପାରୁ ନାହଁ ? ତାକୁ ଆଣି ଔଷଧପତ୍ର ଦେଉନା କାଇଁ ? ବାପାଙ୍କ କହିବା କଥା ସେଇଆ । ତୁ ବାପାଙ୍କୁ ଭୁଲ୍ କାହିଁକି ବୁଝୁଚୁ ? ଜେଜେ ମା’ ନାତୁଣୀର କଥା ଶୁଣନ୍ତି । ଉତ୍ତରରେ କହନ୍ତି, “ହଁ ଲୋ ମା’ ମୁଁ ସବୁ ବୁଝୁଚି । ହେଲେ ମୁଁ ତ ବୁଢ଼ୀଲୋକ । ମୁଁ କୋଉଠି କି ଯାଇ ପାରିବି ନା ଔଷଧ ଆଣି ପାରିବି । ତୋ ଦାଦା ତ ଘରକୁ ଏକା । କଥାରେ ନାଇଁ କି, ଏକା ବୋକା । ଯୁଆଡେ଼ ନଗଲେ ସିଆଡେ଼ ନ ଚଳେ । ତାକୁ ବେଳ କୋଉଠି ହଉଚି ଯେ ପଶୁଡାକ୍ତରଖାନା ଯିବାକୁ । ତୋ ବାପା ତ କିଛି ଜାଣେ ନାଇଁ । ଆଜି ଆସିଲେ କାଳି ପଳାଇ ଯାଏ । ବାୟା ଚଢେ଼ଇର କି ଯାଏ ନା ବାଆ କଲେ ବସା ଦୋହଲୁ ଥାଏ ।” ଡେଜି ପୁଣି କହିଲା, “ତୁ ଯାହା କହ ପଛେ ମା”, କୁକୁର ପାଇଁ ଔଷଧ ନିହାତି ଦରକାର । ବିଚରା କେତେ କଷ୍ଟ ପାଉଚି । ତା’ର ମାଲିକ ବିନା ତା’ର କିଏ ଅଛି କହିଲୁ, ଆମ୍ଭେମାନେ ତା’ ମାଲିକ କି ନୁହେଁ । ଆମେ ତା’ ଭାଷା ବୁଝିପାରୁ ନାଉଁ । ହେଲେ ତା’ ଅବସ୍ଥା ତ ବେଶ୍ ବୁଝି ପାରୁଚୁ । ଆମେ ଜାଣିଶୁଣି ଏମିତି ଘାଲେଇ ଦେଲେ ଚଳିବ ?”

ସେଦିନ ବର୍ଷା ହୋଇ ଛାଡ଼ି ଯାଇଥାଏ । ଚାରି ଆଡେ଼ ରାସ୍ତାଘାଟ କାଦୁଅ ପଚର ପଚର । ସନ୍ଧ୍ୟା ମେଲାଣି ନେଲା ପରେ ରାତି ଗୁମ୍‌ସୁମ୍ ହୋଇ ଯାଇଚି । କିଟିମିଟି ଅନ୍ଧାର ଭିତରେ ବାଟ ହଜି ଯାଉଥାଏ । ଝିକାରିର ଝିଁ ଝିଁ ଶବ୍ଦ ଓ ବେଙ୍ଗମାନଙ୍କର କେଁ କଟର ରଡ଼ି ରାତିର ଯୌବନର ସଂଗୀତ ଗାଉଥାନ୍ତି । ବିଦ୍ୟୁତ ସରବରାହର ବିରହ ବେଦନା ସହି ହେଉ ନଥାଏ । ୟେ ତ ଗାଁ ଗହଳିର ବିଜୁଳି, କୋଉ ସହର ବଜାରର ବିଜୁଳି ହୋଇଚି ଯେ ଗଲେ ଚିନ୍ତା ନାଇଁ, ସାଙ୍ଗେ ସାଙ୍ଗେ ଆସିଯିବ । ସେଦିନ ଭୋଜିଭାତ ଖାଇ ସାରି କାହ୍ନୁ ବାବୁ ଘରକୁ ଫେରିଲେ । ଦାଣ୍ଡ କବାଟ ଖୋଲି ଭିତରକୁ ପଶିଲା ବେଳକୁ ଦୁର୍ଗନ୍ଧରେ ନାକ ଫାଟି ପଡୁଥାଏ । ଟର୍ଚ୍ଚମାରି ଦେଖିଲା ବେଳକୁ ପାପୋଛ ଉପରେ ସେହି ଛୋଟ କୁକୁରଟି ଆସ୍ଥାନ ଜମେଇ ଦେଇଛି ଅତ୍ୟନ୍ତ ବିଶ୍ୱସ୍ତ ଭାବରେ । ଛେଳି ଗୁହାଳ, ଗୋରୁ ଗୁହାଳ ପୁରୁଣା ଘର ବାରଣ୍ଡା କେତେ ଜାଗା ପଡ଼ିଚି । ହେଲେ ସେଠି କୋଉଠି ବିଶ୍ରାମ ନ ନେଇ କାହ୍ନୁ ବାବୁଙ୍କ ଶୋଇବା ଘର ଦୁଆର ମୁହଁରେ ଏ ଅବସ୍ଥାରେ ଶୋଇବା କେତେ ଅସହ୍ୟକର । କାହ୍ନୁବାବୁ ସିନା କୁକୁରଟିର ସମ୍ଭାବ୍ୟ ବିଶ୍ରାମସ୍ଥଳ ଚିନ୍ତା କରୁଚନ୍ତି ହେଲେ ବିଚରା କୁକୁରଟି ସେ କଥା କାଉଁ ଜାଣିବ । ସେ ତ ଜାଣେ ତା’ ମାଲିକର ପରିବାର ଯେଉଁଠି ଖାଇବ, ଯେଉଁଠି ରହିବ ତା’ ସ୍ଥାନ ସେଇଠି । ଆଜି ଦେହଟା ଖରାପ ହୋଇଗଲା ବୋଲି ସେ ନିଜକୁ ଦୂରେଇ ନେବ କେମିତି ? ଏବେ ସିନା ମାଲିକକୁ ବେଳ ମିଳୁ ନାଇଁ ହୁଏତ କାଲି ବା ପହରି ଦିନ ମୋତେ ଔଷଧ ଆଣି ଦେବ । ପାଖେ ପାଖେ ରହିଲେ ସିନା ମୋର ଦୁଃଖ ସେ ଫେଡ଼ିବ । ମୋର ଗରଜ ବୁଝିବ ।

କାହ୍ନୁବାବୁ ନୀରଦ ଉପରେ ଅଧା ରାଗ ଓ କୁକୁର ଉପରେ ଅଧାରାଗ- ଏମିତି ମିଶାଇ ପୁରା ରାଗରେ ସେଦିନ କ୍ରୋଧରେ ଜର୍ଜରିତ ହୋଇ ବଡ଼ ପାଟିଟାଏ କଲେ । ସତେ କି ଆକାଶଟା ଖଣ୍ଡ ଖଣ୍ଡ ହୋଇ ଗଳି ପଡ଼ିଲା, କି ଭୂମିକମ୍ପ ହେଲା । କାହ୍ନୁବାବୁଙ୍କ ଭୟଙ୍କର ପାଟି ଶୁଣି ସମସ୍ତଙ୍କ ନିଦ ଭାଙ୍ଗିଗଲେ ମଧ୍ୟ କେବଳ କୁନି ଝିଅ ଡେଜି ଓ କାହ୍ନୁବାବୁଙ୍କ ବୋଉ ଶେଯ ଛାଡ଼ି ଉଠି ଆସିଲେ । ଡେଜି ଉଠି ଆସିଲା ବେଳକୁ ମା’ଙ୍କ ଲଣ୍ଠନ ଆଲୁଅରେ କୁକୁର ଆଖି ସହିତ କାହ୍ନୁବାବୁଙ୍କ ନିଜ ଆଖି ମିଶି ଯାଉଥିଲା । ଛୋଟ କୁକୁରଟି ବିଚରା ଏ ବିକଟାଳ ଶବ୍ଦ ଶୁଣି ସନ୍ତ୍ରାସିତ ହୋଇପଡ଼ିଲା । ଡରି ମରି ଧଡ୍‌ପଡ୍ ହୋଇ ଉଠି ଠିଆ ହେଲା । ସତେ ଯେମିତି କୋଉ ମାଓବାଦୀ ତାକୁ ଆହ୍ୱାନ ଦେଉଛି । ତା’ ଆଖିରୁ ଏକ ଦୋଶୀର ସଙ୍କୋଚପଣ ଓ ଅପରାଧ ଭାବନା ବାରି ହୋଇ ପଡୁଥିଲା । ତା’ ଆଖିରେ ଯେମିତି କୋଉଯୁଗର ଭୟ ଓ କାତରତା ପହଁରି ବୁଲୁଥିଲା । ସେ କାନ୍ଦୁଣୁ ମାନ୍ଦୁଣୁ ହୋଇ ପଡୁଥିଲା । ନିଜକୁ ଏକାନ୍ତ ଅସହାୟ ବେସାହାରା ଅନୁଭବ କରୁଥିଲା । ରୋଗର ଯନ୍ତ୍ରଣା ସେ କ୍ଷଣକ ପାଇଁ ଭୁଲି ଯାଇଥିଲା । ସେ ଆକୁଳ ବିକଳ ହୋଇ ଯାଉଥିଲା । ତା’ର ନିରୀହ ଚାହାଁଣିରେ ଥିଲା ଖାଲି ଦୟା ଓ ସହାନୁଭୂତିର ମାଗୁଣି । ବାପାଙ୍କ ଆଖିରେ ଥିଲା ଘୃଣା ଓ କ୍ରୋଧର ବିବଶତା । ପୈଶାଚିକ ନିଷ୍ଠୁରତା । ଉପାୟହୀନ ନିଷ୍କ୍ରିୟତା । ଡେଜିର ବାପାଙ୍କୁ କୁକୁର ଭାଷା ବୁଝିବାକୁ ଆଦୌ କଷ୍ଟ ହେଉ ନଥିଲା । ସେ ବୁଝି ପାରୁଥିଲେ ଠିକ୍ କ’ଣ ଭୁଲ୍ କ’ଣ ! କିନ୍ତୁ କୁକୁର ପ୍ରତି ଅବହେଳାକୁ ସେ କୁକୁର ଉପରେ ହିଁ ସାରି ଦେଇଥିଲେ । କୁକୁର ମଧ୍ୟ ଅଢେଇ ଦିନିଆ ମାଲିକର ମନୋଭାବନା ବେଶ୍ ବୁଝିପାରୁଥିଲା । ଏତିକି ବେଳକୁ କାହ୍ନୁବାବୁଙ୍କ ବୋଉ ବାଡ଼ି କୁଆଡେ଼ ଗଲା ବୋଲି ସରୁ ଠେଙ୍ଗାଟି ଆଣି କୁକୁରକୁ ରାଗରେ ଦି’ପାହାରେ ଦେଲେ । ବିଚରା କୁଁ କୁଁ ହୋଇ ଲାଙ୍ଗୁଡ଼ ଯାକି କୋଠାଘରର ଉଷୁମ ଛାଡ଼ି ଅନ୍ୟ ଆଡେ଼ ଚାଲିଯାଇଥିଲା ଛୋଟ କୁକୁରଟି । ବୋଉ ପାଣି ଫିନାଇଲ ପକାଇ ଜାଗାଟିକୁ କପଡ଼ାରେ ପୋଛି ଦେଲେ । କାହ୍ନୁ ଶୋଇବାକୁ ଶେଯ ଉପରକୁ ଗଲେ । କିନ୍ତୁ ରାତି ସାରା ଶୋଇ ପାରିଲେ ନାଇଁ । ଅସହାୟ କୁକୁରଟିର ଆକୁଳ ଚାହାଁଣି ତାଙ୍କୁ ଅନେକ କଥା କହି ଯାଉଥିଲା. . . ।

ଲୋକପ୍ରିୟ ଲେଖା

To Top