ଗଳ୍ପ

ସେଇ ମନଖୋଲା ଝିଅଟିଏ

Shreebatsa Prasad Nath's odia story Sei Manakholaa Jhiatie

ଓହୋଃ ! ସ୍ରଷ୍ଟା ନିଜ ସୃଷ୍ଟି ପ୍ରତି ଏଡ଼େ ନିଷ୍ଠୁର ହୋଇପାରେ ।

ସେଇ ମନଖୋଲା ଝିଅଟିଏ

ଶିକ୍ଷିତ ସମାଜରେ କବି ହିସାବରେ କିଛି ନାଆଁ ଅଛି ସୀତାକାନ୍ତବାବୁଙ୍କର । ହେଲେ, ତାଙ୍କର ଆଚରଣ ଦେଖି ଲୋକେ ତାଙ୍କୁ କହନ୍ତି ଏ ଜଣେ ଅଜଗର କବି । ଆଉ କେହି ଅବା ତାଙ୍କୁ ଉର୍ଣ୍ଣନାଭ ବୋଲି କହିଥାନ୍ତି । କାହିଁକି ନା ସେ ତ ସଦାସର୍ବଦା ଶୋଇ ରହନ୍ତି ? କାମଧନ୍ଦା କିଛି କରନ୍ତି ନାହିଁ । ଯେତେବେଳେ ଦେଖିବ ଶୋଇଥିବେ । କେତେବେଳେ ଲେଖୁଥିବେ କେହି ଦେଖନ୍ତି ନାହିଁ । ବୋଧହୁଏ ରାତିରେ ଲେଖୁଥିବେ । ତଥାପି ଏତେ ସମ୍ମାନ ପାଆନ୍ତି କେମିତି ? ତାଙ୍କ ପାଖକୁ ବିଦ୍ୱାନମାନେ ଆସନ୍ତି କାହିଁକି ? ଯେଉଁମାନେ ଆସନ୍ତି, ତାଙ୍କୁ ଦେଖି କେବଳ ବିସ୍ମୟ ପ୍ରକାଶ କରି ଫେରି ଯାଆନ୍ତି ।

ସେଦିନ ପ୍ରଚଣ୍ଡ ଉତ୍ତରାପବନର ଶୀତ ସିତ୍କାରରେ ଥରି ଉଠୁଛି ଦେହ ଓ ମନ । ସୀତାକାନ୍ତବାବୁ ବସିଛନ୍ତି ଘର ଭିତରେ ଅଗଣାର ଉତ୍ତର ପଟ ବାରଣ୍ଡାରେ ଖରାଆଡ଼କୁ ପିଠି କରି । ଅତି ମନୋଯୋଗ ଦେଇ ଦେଖି ଚାଲିଛନ୍ତି ନିଜ ବହି ଖଣ୍ଡିକର ଦ୍ୱିତୀୟ ସଂସ୍କରଣ ପ୍ରୁଫ । ଠିକ୍ ଏତିକିବେଳେ ତନୁପାତଳୀ, ଶ୍ୟାମଳୀ, ନିରାଡ଼ମ୍ୱର ବସନଭୂଷଣ ପରିହିତା ଝିଅଟିଏ କାହୁଁ ଆସି ଛିଡ଼ା ହୋଇଛି ତାଙ୍କ ସମ୍ମୁଖରେ ସେ ଜାଣନ୍ତି ନାହିଁ । ଅଳ୍ପ ସମୟ ପରେ ଦୃଷ୍ଟି ପଡ଼ିବା ମାତ୍ରେ ଆଗମନର କାରଣ ପଚାରିବା ପୂର୍ବରୁ ସୀତାକାନ୍ତବାବୁ ତାଙ୍କୁ ବସିବାକୁ କହିଲେ ସେ ବସିଥିବା ଗୋଟିଏ ଛିଣ୍ଡା ସଉପର ବିପରୀତ ପାର୍ଶ୍ୱରେ । ଜଣେ ତରୁଣୀ ବସିବା ଢଙ୍ଗରେ ବେକ ଭାଙ୍ଗି ଆନତ ବଦନରେ ବସିପଡ଼ଲା ସେ ଝିଅଟି ଚୁପ୍ ଚାପ୍ ହୋଇ । ପର ମୁହୂର୍ତ୍ତରେ ତା’ର ନିଜର ପରିଚୟପତ୍ର ଖଣ୍ଡିକ ବଢ଼ାଇ ଦେଲା ସୀତାକାନ୍ତବାବୁଙ୍କ ହାତକୁ ।

ଆଜିକାଲି କବି ଲେଖକଙ୍କ ପରି ଗାମ୍ଭୀର୍ଯ୍ୟଭରା ଚେହେରା, ଚାକଚକ୍ୟ ପୂର୍ଣ୍ଣ ବେଶପୋଷାକ କିମ୍ୱା ଅତ୍ୟାଧୁନିକ ଜୀବନଶୈଳୀ ସୀତାକାନ୍ତବାବୁଙ୍କ ନ ଥିଲା । ତାଙ୍କୁ ଦେଖିଲେ ଜଣା ପଡୁଥିଲା, ସତେ ଯେପରି ରାସ୍ତାରେ ବୁଲୁଥିବା ଗୋଟିଏ ପାଗଳ । କେହି ବିଶ୍ୱାସ କରିବେ ନାହିଁ, ଏ ଲୋକ ଜଣେ ଅସାଧାରଣ କଳ୍ପନା ବିଳାସୀ ଲେଖକ, ତେଣୁ ସେହି ଝିଅ ମନରେ ତାଙ୍କ ପ୍ରତି ତାତ୍ସଲ୍ୟ ଭାବ ଦେଖା ଦେବା ସ୍ୱାଭାବିକ । କାରଣ ସେ ବହୁ କବି, ଲେଖକ, ଗବେଷକଙ୍କ ସମ୍ପର୍କରେ ଆସୁଛି । ମନେ ମନେ ଭାବିଲା- ଅକାରଣରେ ଏଠାକୁ ଆସିଲି । ୟେ ପୁଣି କ’ଣ ଲେଖିବେ । ଆମକୁ ସାହାଯ୍ୟ କରିବେ ! ଇତ୍ୟାଦି ଇତ୍ୟାଦି ।

ଠିକ୍ ଏହି ସମୟରେ ପରିଚୟପତ୍ରଟି ଦେଖି ସାରି ସୀତାକାନ୍ତବାବୁ ନିରବତା ଭଙ୍ଗ କରି ଅତି ବିନୀତ ଭାବରେ କହିଲେ- “ମୁଁ ଜଣେ ଅକିଞ୍ଚନ ! ଏବେ କିଛି ଲେଖାଲେଖି ପ୍ରାୟତଃ କରୁନାହିଁ । ଆଉ କି ପ୍ରକାର ସାହାଯ୍ୟ କରି ପାରିବି ଆପଣଙ୍କୁ ?” ଏହା କହି ତରବର ହୋଇ ଘର ଭିତରକୁ ଯାଇ ତାଙ୍କ ଲେଖା ବହି କେତେ ଖଣ୍ଡ ଆଣି ପୂର୍ବରୁ ପରିଚୟପତ୍ରରୁ ଜାଣିଥିବା ବୈଦେହୀ ନାମରେ ସ୍ନେହର ଉପହାର ସ୍ୱରୂପ ଅର୍ପଣ କଲେ ସେଇ ଝିଅ ହାତରେ । ତୁମ ନାମ ବୈଦେହୀ । ବାଃ, ନାମଟି ଖୁବ୍ ଚମତ୍କାର । ଏତିକି କହି ତାକୁ ବିଦାୟ ଦେଲେ ସେଦିନ ।

କିଛିଦିନ ଅନ୍ତରରେ ସେଇ ଝିଅଟି ପୁନର୍ବାର ସୀତାକାନ୍ତ ବାବୁଙ୍କ ଘରକୁ ଆସିଲା । ଏ ଥରକ ସେ ପୂର୍ବଭଳି ଝାଉଁଳା ଦେଖା ଯାଉ ନଥିଲା । ଖୁବ୍ ପ୍ରସନ୍ନ ଓ ସତେଜ ଥିଲା ପରି ମନେ ହେଉଥିଲା । ସେତେବେଳେ ସୀତାକାନ୍ତବାବୁ ଶୋଇ ରହି କ’ଣ ଭାବୁଥିଲେ । ହଠାତ୍ ସେ ଘର ଭିତରକୁ ପଶି ଆସି ତାଙ୍କୁ ନମସ୍କାର କଲା । ଶୋଇଥିବା ବିଛଣାର ଗୋଟିଏ ପାର୍ଶ୍ୱରେ ବସି ପଡ଼ିଲା । ସୀତାକାନ୍ତବାବୁ ତତ୍‌କ୍ଷଣାତ୍ ଉଠି ବସି ଅତି ଆଦରରେ କହିଲେ- “ବୈଦେହୀ, ତୁମ ସାକ୍ଷାତ୍ ଆଉ ଥରେ ପାଇବି, ଏ ଭରସା ମୋର ନଥିଲା । କ’ଣ ପାଇଁ ପୁନରାଗମନ ? ପ୍ରକାଶ କର ।” ସେ ଅଧରରେ ସ୍ମିତ ହାସ୍ୟରେଖା ଟାଣି, ନୟନ ନଚାଇ, ମୁଖ ଦୋହଲାଇ ଜଣେ ଯୁବତୀ ସୁଲଭ ଠଆଣିରେ ଉତ୍ତର ଦେଲା- “ଆପଣଙ୍କ ଚାଲିଚଳନ ଦେଖି ଓ ଲୋକମାନଙ୍କ ଠାରୁ ଶୁଣି ମୁଁ ଅନୁଭବ କରୁଛି ଆପଣଙ୍କ ଠାରେ କେମିତି ଗୋଟିଏ ବିଲକ୍ଷଣ ଚିନ୍ତାଧାରା ପ୍ରକଟିତ ହେଉଛି । ଏଥିରେ ମୋର ମନ ଓ ହୃଦୟ ଅତ୍ୟାଶ୍ଚର୍ଯ୍ୟରେ ଭରି ଉଠୁଛି ।” ଆଚ୍ଛା ! ଆପଣ ତ କୌଣସି ସଭା ସମ୍ମିଳନୀକୁ କେବେ ଯାଇଥିବା ମୁଁ ଦେଖି ନାହିଁ । ସଂସାରରେ ଧନ ଓ ମାନ ପାଇଁ ସମସ୍ତେ କାର୍ଯ୍ୟବ୍ୟସ୍ତ ଥିଲାବେଳେ ଆପଣ ସର୍ବଦା କର୍ମହୀନ ଅବସ୍ଥାରେ ରହିଛନ୍ତି । ଅକର୍ମା ହୋଇ ରହିବାରୁ ଧନସମ୍ପଦ ଆପଣଙ୍କ ପାଖରେ କିଛି ନାହିଁ । ତେଣୁ ଭୋଗ ମଧ୍ୟ ନାହିଁ । ତଥାପି ଆପଣଙ୍କ ମନ ସଦାକାଳରେ ପ୍ରସନ୍ନ, ମୁକ୍ତ, ମତୁଆଲା ଓ ଶକ୍ତିଶାଳୀ ଏବଂ ଶରୀର ହୃଷ୍ଟପୁଷ୍ଟ ଓ ରୋଗମୁକ୍ତ ଥିଲା ପରି ଜଣାଯାଉଛି କିପରି ? ସେ ଝିଅଟି ଏତିକି କହି ଅନାଇ ରହିଲା ସୀତାକାନ୍ତବାବୁଙ୍କୁ ଉଦ୍‌ବିଘ୍ନ ମନା ହୋଇ । କାଳେ କିଛି ବିରକ୍ତ ହୋଇ କ’ଣ କହିବେ ।

ସୀତାକାନ୍ତବାବୁ ମନେ ମନେ ଭାବିଲେ ମୋ ଜୀବନକାଳ ମଧ୍ୟରେ ବହୁ ନରନାରୀଙ୍କ ସହିତ ସାକ୍ଷାତ୍ ମିଳିଛି, କିନ୍ତୁ ଏଭଳି ପ୍ରଶ୍ନ କେହି କେବେହେଲେ ମୋତେ ପଚାରି ନାହାଁନ୍ତି । ଯାହା ଜଣା ପଡୁଛି ବୈଦେହୀ ଜଣେ ସାଧାରଣ ନାରୀ ନୁହେଁ । ସେ ମୋର ଜୀବନରହସ୍ୟ ଭେଦ କରିବାକୁ ଚାହୁଁଛି । ଅତି ଆପଣାର ଲୋକ ଭଳି ମୋ ଅନ୍ତରର ଗୋପନ କଥା ଜାଣିବାକୁ ଇଚ୍ଛା କରୁଛି । ତା’ ଆଗରେ ପ୍ରକାଶ କଲେ କ୍ଷତି କ’ଣ ?

ତା’ପରେ ସୀତାକାନ୍ତବାବୁ କହି ଚାଲିଲେ ଆବେଗ ଭରା ହୃଦୟରେ ତାଙ୍କ ନିତିଦିନିଆ ଜୀବନକାହାଣୀ । ସ୍ନେହମୟୀ ବୈଦେହୀ । ଯଦି ତୁମ ଅନ୍ତରରେ ଅନୁସନ୍ଧିତ୍ସାର ଉତ୍କଣ୍ଠା ଜାଗିଛି, ତେବେ ମନ ଦେଇ ଶୁଣ । ତୁମେ ଜାଣ, ଏ ଜଗତକୁ ସଦାସର୍ବଦା ଆଚ୍ଛନ୍ନ କରି ରଖିଛି ପ୍ରବଳ ତୃଷ୍ଣାର ବାରିଧି । ପୁଣି ଏହି ତୃଷ୍ଣା ବାରିଧିରେ ଶତ ଶତ କାମନା ତରଙ୍ଗ ଉଦ୍ରେକ ହୋଇ ସତତ ମଥା ପିଟୁଛନ୍ତି ସମସ୍ତଙ୍କ ହୃଦୟରାଜ୍ୟରେ । ଏଥିପାଇଁ ଜୀବ ଭୋଗୁଛି ନାନା ଦୁଃଖ, ଯାତନା, ଦୁର୍ଘଟଣା । ଆଶାଆଶଙ୍କାରେ ମନ ସର୍ବଦା ଅସ୍ଥିର । ଧନ ପ୍ରାପ୍ତି ପାଇଁ ବ୍ୟକ୍ତି ସଦା ଉଦ୍ବିଘ୍ନ ଓ ବିବ୍ରତ । ଶୋକ, ମୋହ, କ୍ରୋଧ, ଭୟ, ଆସକ୍ତି ମନୁଷ୍ୟ ଠାରେ ନାନା ଉଦ୍ବେଗ ସୃଷ୍ଟି କରୁଛି । ଜୀବଜଗତର ଏହି ରୂପ ଦେଖି ମୁଁ ଅଜଗର ସାପ ସଦୃଶ ହୋଇ ନିରୁଦ୍ୟମ ହେବାର ଶିକ୍ଷା କରିଛି । ତୁମେ ଶ୍ରୀମଦ୍ ଭାଗବତରେ ପଢ଼ିଥିବ- “କର୍ମ କଷଣ ଦେହ ସହେ, ଅରଣ୍ୟେ ଅଜଗର ପ୍ରାୟେ ।” ମୁଁ କେତେବେଳେ ଅଳ୍ପାହାର, କେବେକେବେ ପ୍ରଚୁର, କେବେ ସ୍ୱାଦିଷ୍ଟ, କେବେ ଅବା ସ୍ୱାଦହୀନ ଆହାର ଗ୍ରହଣ କରିଥାଏ । ବେଳେବେଳେ ଅନାହାରରେ ମଧ୍ୟ ରହିବାକୁ ପଡ଼େ । ଯେତେବେଳେ ଯାହା ମିଳେ ତହିଁରେ ମୋର ପରିତୃପ୍ତି ସମାନ ଭାବରେ ରହେ । ସେହିଭଳି ଯେତେବେଳେ ଯାହା ପାଏ, ତାହା ପରିଧାନ କରେ । କେତେବେଳେ ଚିରାଫଟା, କେବେକେବେ ଦାମିକା, କେବେ କମ୍‌ଦାମର ପୋଷାକ ପିନ୍ଧିଥାଏ । ମୁଁ ସେସବୁ ବ୍ୟବହାର କରିଥାଏ କେବଳ ଲଜ୍ଜା ନିବାରଣ ପାଇଁ । କେବେ ମାଟି ଉପରେ ଶୋଇଯାଏ । କେବେ ସାମାନ୍ୟ ଚଦର ଖଣ୍ଡିକ ପକାଇ ଶୁଏ । କେବେକେବେ କାହାରି ଆତିଥେୟତା ଗ୍ରହଣ କରି ପଲଙ୍କ ଉପରେ ତୂଳୀତଳ୍ପ ଶଯ୍ୟାରେ ଶୋଇଥାଏ । ସ୍ୱଭାବବଶତଃ କେବେକେବେ ବିଷମ ପରିସ୍ଥିତିରେ ପଡ଼ି କାହାରି ନିନ୍ଦା କରିଥାଏ । ନଚେତ୍ ପ୍ରାୟତଃ ସମସ୍ତଙ୍କ ମଙ୍ଗଳ କାମନା କରିବା ମୋର ଏକମାତ୍ର କାମ୍ୟ । କିଛି ପାଇବା, ନ ପାଇବାର ଉର୍ଦ୍ଧ୍ଵରେ ରହି ମୋର ମନ, କି ଦିନ କି ରାତି ସଦାସର୍ବଦା ଘୂରି ବୁଲେ ଅନ୍ତରୀକ୍ଷ ମଣ୍ଡଳରେ ସେହି ସନାତନ ଚରମ ସତ୍ୟର ଅନ୍ୱେଷଣରେ । ସେ କାଳରେ ମନ ମୋର ହଜିଯାଏ ସୁନୀଳଗଗନର ନୀଳିମା ଭିତରେ । ପୁଣି ଲୁଚିଯାଏ ଅଗଣିତ ତାରକା ମେଳରେ । ସାଗରର ବିପୁଳ ନୀରସମ୍ଭାର ଓ ବନାନୀର ସବୁଜିମାରେ ମନ ମୋର ମଜ୍ଜିଯାଏ । ଆଉ ଜ୍ୟୋତ୍ସାଲୋକରେ ହୁଏ ପ୍ରଲୀନ ।

ହେ ବିଦୁଷୀ ବୈଦେହୀ ! ଜୀବନ ହୋଇଯାଏ ସୁଖମୟ, ଯେତେବେଳେ ମନୁଷ୍ୟ ଆସକ୍ତି ଓ ଅନାବଶ୍ୟକ ଚେଷ୍ଟାରୁ ବିରତ ରହେ । ଭୋଗ ବିଳାସକୁ ଅସାର ଓ ଅନିତ୍ୟ ଜାଣି ମୁଁ ନିରୁଦ୍ୟମ ହୋଇ ଶୋଇ ରହିଛି । ଏହା ସହିତ ମୋର ପ୍ରାରବ୍ଧ କର୍ମଫଳ ମଧ୍ୟ ଭୋଗ କରୁଛି । ଏଣୁ ନିବୃତ୍ତିମାର୍ଗ ଅବଲମ୍ୱନ କରି ସୁସ୍ଥ ଅଛି । ଅନନ୍ତ ମହାକାଶର ସଚ୍ଚିଦାନନ୍ଦ ରୂପୀ ଅମୃତ ପାନ କରି ସ୍ଥୂଳଶରୀର ଧାରଣ କରିଛି ଏତିକି କହି ସୀତାକାନ୍ତବାବୁ ନିରବ ରହିଲେ । ସେଦିନ ଅତି ଚିନ୍ତାକୁଳ ହୃଦୟ ଘେନି ଘରକୁ ଫେରି ଯାଇଥିଲା ବୈଦେହୀ । ଗଲାବେଳେ ସେ ଅନୁଭବ କରୁଥିଲା, ସତେ ଯେମିତି ତା’ ମନକୁ ଛାଡ଼ି ଦେଇ ଆସିଛି ସୀତାକାନ୍ତ ବାବୁଙ୍କ ପାଖରେ ।

ବୈଦେହୀ ଚାଲିଗଲା ପରେ ସୀତାକାନ୍ତବାବୁ ଶୋଇ ରହି ଭାବିଲେ- ଆରେ, ସେ ଝିଅଟା ମୋ ବିଷୟରେ ସବୁକଥା ଜାଣିଗଲା, ଅଥଚ ମୁଁ ତ ତା’ ଜୀବନକଥା କିଛି ଜାଣି ପାରିଲି ନାହିଁ ।

ବୈଦେହୀ ଘରେ ଥାଇ ଶାନ୍ତିରେ ରହି ପାରିଲା ନାହିଁ । ହୃଦୟ ସଦାକାଳରେ ଝୁରି ହେଲା ସୀତାକାନ୍ତବାବୁଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ । ଭାବୁଥିଲା- ସେ ସବୁବେଳେ ବସି ରହନ୍ତା ତାଙ୍କ ପାଖରେ ଆଉ ସେ କହି ଚାଲିଥାନ୍ତେ ତାଙ୍କ ଜୀବନର ଅସରନ୍ତି କାହାଣୀ । କି ମହତ୍ତ୍ୱପୂର୍ଣ୍ଣ ତାଙ୍କ କଥା ! ସେଥିରେ ପୁଣି ଭରି ରହିଛି ଏତେ ରହସ୍ୟ ।

ତା’ ମନ ଆଉ ଥୟ ଧରିଲା ନାହିଁ । ଦିନେ ସେ ପହଞ୍ଚିଗଲା ସୀତାକାନ୍ତବାବୁଙ୍କ ଘରେ ଅପ୍ରତ୍ୟାଶିତ ଭାବରେ । ସୀତାକାନ୍ତବାବୁ ଆନନ୍ଦରେ ଅଧୀର ହୋଇ ପଡ଼ି ତାକୁ ଅତି ଆଦରରେ ପାଖରେ ବସାଇ ପଚାରିଲେ- ବୈଦେହୀ ! ଆଜି ତୁମର ଜୀବନକଥା ତୁମ ଠାରୁ ମୁଁ କିଛି ଶୁଣିବାକୁ ଚାହେଁ । ମୋତେ ମନଖୋଲି କହିବ ନାହିଁ ।

ତତ୍‌କ୍ଷଣାତ୍ ସେ କେମିତି ଝଆଉଁଳି ପଡ଼ିଲା ପରି ଜଣାଗଲା । ଶୁଖିଲା ମୁହଁରେ ଆଖିରେ ଆଖିଏ ଲୋତକ ଭରି କହି ଚାଲିଲା ତା’ର ଜୀବନର ଅମୀମାଂସିତ ଦୁଃଖଦ ଅଧ୍ୟାୟ, ଯାହାକି ଅସମ୍ପୂର୍ଣ୍ଣ ରହିଛି ଏବେ ସୁଦ୍ଧା । କଥା ମଝିରେ ସୀତାକାନ୍ତବାବୁ ଚମକି ପଡ଼ି ବ୍ୟଥିତ କଣ୍ଠରେ କହିଲେ- “ଓହୋଃ ! ସ୍ରଷ୍ଟା ନିଜ ସୃଷ୍ଟି ପ୍ରତି ଏଡ଼େ ନିଷ୍ଠୁର ହୋଇପାରେ ।” ପରିବାର ଓ ବନ୍ଧୁବାନ୍ଧବ କେହି ହେଲେ ବୁଝିଲେ ନାହିଁ, ଏହି ଝିଅଟିର ହୃଦୟ ବ୍ୟଥା ଓ ମନର ଅକୁହା କଥା । ସୀତାକାନ୍ତବାବୁଙ୍କ ଭଳି ଜଣେ ସ୍ଥିତପ୍ରଜ୍ଞ ବ୍ୟକ୍ତିଙ୍କ ଆଖିରେ ସେଦିନ ଦେଖା ଦେଇଥିଲା ଅଶ୍ରୁ ।

ଲୋକପ୍ରିୟ ଲେଖା

To Top