ଗଳ୍ପ

ଶାକମ୍ବରୀ

Binay Mohapatra's odia story Shaakambari

ଲଢେଇ ତ ସବୁ ଜିନିଷର ଶେଷପନ୍ଥା ନୁହେଁ ! ବାର୍ତ୍ତା ହେଉଛି ଉତ୍ତମ ପନ୍ଥା ।

ଶାକମ୍ବରୀ

ଆଖିବୁଜି ଶୋଇରହି ଅନ୍ଧାର ହେଇଛି, ଅନ୍ଧାର ହେଇଛି କହିହେଲେତ, ସକାଳ କେବେ ବି ଆସିବନି । ସକାଳ ସୂର୍ଯ୍ୟର ସୁନେଲି କିରଣ ହେଉ ବା ଦିବାସୂର୍ଯ୍ୟର ପ୍ରଚଣ୍ଡ ଆଲୋକ, ସବୁକିଛି ଆଖି ଖୋଲିଲା ପରେ ହିଁ ଦୃଷ୍ଟିକୁ ଆସିବ । କେତେ ଦିନ ଏମିତି ଆଖି ବୁଜି ବୁଜି ଶୋଇବାର ବାହାନା କରିବ ଆଉ ଚୁପ୍ ଚାପ ସବୁ ସହୁଥିବ । ଏତିକି କହି ସଦାନନ୍ଦ ଟିକେ ଚୁପ୍ ରହି ନାତୁଣି ମୁହଁକୁ ଚାହିଲେ । ଶାକମ୍ବରୀ ସେମିତି କାଠଟା ପରି ଠିଆ ହୋଇ ଜେଜେଙ୍କ ଭାଷଣ ଶୁଣୁଥାଏ, ତା ମୁହଁରେ ଡର ଏବେବି ସ୍ପଷ୍ଟ ଦିଶୁଥାଏ, ଡର ଜେଜେଙ୍କ ଭାଷଣ ଶୁଣି ନୁହେଁ ବରଂ ଆଜି କଲେଜରୁ ଫେରିବା ବେଳେ ରାସ୍ତାରେ ଯାହା ଘଟିଲା ସେଇ କଥା ମନେ ପକେଇ ଏବେବି ତା ଦେହ ଶିତେଇ ପଡୁଛି । ସଦାନନ୍ଦ ଶାକମ୍ବରୀର ଏ ଅବସ୍ଥା ଦେଖି ଟିକେ ନରମି ଗଲେ, ସ୍ୱରକୁ ନରମ କରିି କହିଲେ ଆରେ ଠିଆ ହେଇଚୁ କଣ, ଆ ମୋ ପାଖରେ ବସ୍, ଶାକମ୍ବରୀ ଆସି ସୋଫାରେ ଜେଜେଙ୍କ ପାଖରେ ବସିଗଲା । ସଦାନନ୍ଦ ତାକୁ ପାଖକୁ ଆଉଜାଇ ନେଇ ତାର ମୁଣ୍ଡ ସାଉଳି ଦେଇ କହିଲେ ।

: ତୁ ଜାଣିଚୁ, ତୋ ନାଆ ଶାକମ୍ବରୀ କିଏ ଦେଲା ? ତୋ ଜେଜେମା ତୋ ନାଆଁ ରଖିଛି । ତୁ ଯେତେବେଳେ ଜନ୍ମ ହେଲୁ ତୋତେ ଦେଖି ତୋ ଜେଜେମା କେତେ ଖୁସି ହୋଇଥିଲା, କହିଲା ମୋ ଘରକୁ ଲକ୍ଷ୍ମୀ ଆସିଲେ, ତୋ ମୁହଁକୁ ଦେଖି କହିଲା, ଦେଖ କି ତେଜ ଅଛି ଝିଅଟାର ମୁହଁରେ, ମାଆ ଦୂର୍ଗାଙ୍କର ତେଜ, ୟାର ନାଆ ଦୂର୍ଗା ରଖିବା ହେଲେ କଣ ଭାବିଲା କେଜାଣି, କହିଲା, ନାହିଁ ଦୂର୍ଗା ପୁରୁଣାକାଳିଆ ଲାଗୁଚି ତା ନାଆ ଶାକମ୍ବରୀ ରଖିବା । ଜାଣିଛୁ ଶାକମ୍ବରୀ କାହା ନାଆ ? ଶାକମ୍ବରୀ ମୁଣ୍ଡ ହଲେଇ ହଁ କହିଲା, କହିଲା ସେଇଟା ପରା ଦୁର୍ଗାଙ୍କର ଆଉ ଗୋଟିଏ ନାଆଁ । ସଦାନନ୍ଦ ଟିକେ ମୁରୁକି ହସିଲେ ଆଉ ଶାକମ୍ବରୀ ବି ଟିକେ ହସିଦେଲା । ତା ମୁହଁ ଉପରୁ ଡରର ବାଦଲ ଧୀରେ ଧୀରେ ଯେପରି ପତଳା ହୋଇ ଆସୁଥିଲା । ଜେଜେଙ୍କ ପାଖରେ ବସିଲେ ଏମିତି ହୁଏ । ସତରେ ଜେଜେଙ୍କ ପାଖରେ ଯେପରି ଅଭୟଛତ୍ର ଅଛି । ସେଇ ଛତା ତଳେ ନା ଖରାକୁ ଡର ନା ବର୍ଷାକୁ । ଜେଜେ ପରା ବାପାଙ୍କର ବି ବାପା ।

ଶାକମ୍ବରୀ, ଚୁଲବୁଲି ସାଧାରଣ ଝିଅଟିଏ । ମାଆବାପାଙ୍କର ଗେହ୍ଲାଝିଅ, ଜେଜେ ଆଉ ଜେଜେ ମାଆଙ୍କର ସତେ ଆଖିର ଡୋଳା । ପିଲାଟି ଦିନରୁ ତାକୁ ପରଘର ପାଇଁ ନୁହେଁ, ସମାଜ ପାଇଁ ଯୋଗ୍ୟ ହେବା ପାଇଁ ଶିଖା ଯାଉଥିଲା । ଏକ ନିର୍ଭୀକ ସ୍ୱାବଲମ୍ବୀ ଏବଂ ସ୍ୱାଭିମାନୀ ନାଗରିକ ହେବ ସିଏ । ଭଲ ଝିଅଟିଏ ହେବ, ଆଦର୍ଶ ଛାତ୍ରୀ, ଯୋଗ୍ୟ ଅଧିକାରୀ ହେବ ସମାଜ ପାଇଁ । ଭଲ ପତ୍ନୀଟିଏ ହେବ, ସୁଗୃହିଣୀ, ଆଦର୍ଶ ବୋହୁ ହେବ । ଝିଅ ବୋଲି କେବେ ବି ତା ମନରେ ଏ ଭାବନା ନଆସୁ କି ସେ ପୁଅ ମାନଙ୍କ ଠାରୁ କୌଣସି ଗୁଣରେ କମ୍, ସେଥିପାଇଁ ସମସ୍ତେ ତାର ମନୋବଳକୁ ବଢାଇବାକୁ ଚେଷ୍ଟା କରୁଥିଲେ ।

ପିଲାଟି ଦିନରୁ ଜେଜେ ନାତୁଣୀଙ୍କର କେମିଷ୍ଟ୍ରୀ ଖୁବ୍ ଜମେ । ସଦାନନ୍ଦ ବାବୁ ଆଉ ଶାକମ୍ବରୀ ଦି’ଜଣଙ୍କ ରାଶି କୁଆଡେ ଗୋଟିଏ ରାଶି, ମେଷ ରାଶି । ସଦାନନ୍ଦ କହନ୍ତି ‘ମେଣ୍ଢା ମୁଣ୍ଡ ଭାରି ଟାଣ’ ଆଉ ଶାକମ୍ବରୀ ବାକିଟା ପୁରଣ କରିଦିଏ, ‘ତା ମୁଣ୍ଡକୁ ସାବଧାନ’ ଦିହେ ପୁଣି ସାଙ୍ଗ ହୋଇ ହୋ ହୋ ହୋଇ ବଡ ପାଟିରେ ହସି ଘର ଫଟେଇ ଦିଅନ୍ତି । ଜେଜେମା ପାଟିଟାଏ କରି କହନ୍ତି, ବୁଢାଟିଏ ହେଲଣି ଆସି, ନାତୁଣୀକୁ ଏଇଆ ଶିଖାଅ, ଅଣ୍ଡିରା ଚଣ୍ଡିଟାଏ ହେବ ଯେ ଦେଖିବ ! ଜେଜେ ହସି ହସି କହନ୍ତି ତା ନାଆଁ ଶାକମ୍ବରୀ ରଖିଛଟି । ପୁଣି ଡରୁଛ କାହିକି ? ମୋ ନାତୁଣି ଦୂର୍ଗା, ରାଣୀ ଦୂର୍ଗାବତୀ ହେବ, ବିରାଙ୍ଗନା । ଡରି ଡରି ଜିଇଁବନି, ଡରେଇବ ସିଏ, ଯିଏ ଅନ୍ୟାୟ କରିବ । ସେଇ ହିସାବରେ ସଦାନନ୍ଦ ନାତୁଣୀକୁ ପ୍ରତି ପକ୍ଷେପରେ ନିର୍ଭୀକ ହେବାକୁ ଶିଖେଇ ଆସନ୍ତି । କହନ୍ତି ଡର ତ ସମସ୍ତଙ୍କୁ ଲାଗେ, କୁକୁର ଭୂକିଲେ ସାମ୍ନାରେ ଠିଆ ଲୋକଟା ଡରେ, କିନ୍ତୁ କୁକୁର ଭୂକେ କାହିଁକି ? କାରଣ କୁକୁରକୁ ବି ଡର ଲାଗେ, ହେଲେ ନିଜ ଡରକୁ ଲୁଚାଇ ମଣିଷକୁ ଡରାଇବାକୁ ଚେଷ୍ଟାକରେ । ଉଭୟଙ୍କୁ ଡରଲାଗେ କିନ୍ତୁ ଉଭୟ ନିଜ ଡରକୁ ଲୁଚାଇ ଅନ୍ୟକୁ ଡରାଇବାକୁ ଚେଷ୍ଟାକରନ୍ତି । ଶେଷରେ ଯିଏ ଡରକୁ ଲୁଚାଇବାରେ ସଫଳ ହେଲା ସିଏ ଜିତିଲା । ତେଣୁ ନିଜ ଡର ଉପରେ ବିଜୟଲାଭ କରି ପାରୁଥିବା ବ୍ୟକ୍ତି ହିଁ ସାହସୀ ।

ହେଲେ, ଆଜି ଶାକମ୍ବରୀ ଡରିଗଲା ଦିଟା ଲଫଙ୍ଗା ପିଲାଙ୍କର କମେଣ୍ଟ ଶୁଣି । ସେ ପିଲା ଦିଟା ଶାକମ୍ବରୀ ପଛେ ପଛେ ସାଇକେଲରେ କେତେବାଟ ଯାଏ କମେଣ୍ଟ କରି କରି ଡାକୁ ଗୋଡେଇଲେ ଆଉ ସେ ପ୍ରାଣ ବଞ୍ଚାଇ ଡରି ଡରି ଘରକୁ ଆସି ଜେଜେଙ୍କୁ ସବୁ କହିଲା ।

ସଦାନନ୍ଦ ବାବୁ ଶାକମ୍ବରୀ ମୁଁହକୁ ଚାହିଁଲେ । ପଚାରିଲେ, ଆଜି ତ ତୁ ଆସିଗଲୁ, କାଲି ପୁଣି କଲେଜ ଯିବୁ । ସେ ପିଲା ଦିଟା ପୁଣି ଆସିବେ, ପୁଣି କମେଣ୍ଟ କରିବେ, କଣ କରିବୁ ତୁ ?

: ଶାକମ୍ବରୀ ଡରି ଡରି କହିଲା ସେ ପିଲା ଦିଟା ବଦମାସ ପରି ଦିଶୁଥିଲେ, ମୁଁ ଲଢେଇ ଚାହୁଁ ନଥିଲି ।

ସଦାନନ୍ଦ କହିଲେ, ଲଢିବାକୁ କିଏ କହୁଛି ? ଲଢେଇ ତ ସବୁ ଜିନିଷର ଶେଷପନ୍ଥା ନୁହେଁ ! ବାର୍ତ୍ତା ହେଉଛି ଉତ୍ତମ ପନ୍ଥା । ଜାଣିଛୁ, ଭାରତ ପାକିସ୍ଥାନ ପରସ୍ପରର ସବୁଠାରୁ ବଡ ଶତ୍ରୁ, ଦି’ଜଣ ନିଜ ସେନାକୁ ସବୁବେଳେ ତିଆରି କରିରଖିଛନ୍ତି ଯୁଦ୍ଧ କରିବାକୁ । କିନ୍ତୁ ଯୁଦ୍ଧ ହେଉନି, ଜାଣିଛୁ କଣ ପାଇଁ ? ଶାକମ୍ବରୀ ପ୍ରଶ୍ନିଳ ଆଖିରେ ଜେଜେଙ୍କ ମୁହଁକୁ ଚାହିଁରହିଥାଏ । ଜେଜେ ଥରେ ଶାକମ୍ବରୀ ମୁହଁକୁ ଚାହିଁ ପୁଣି କହିବା ଆରମ୍ଭ କଲେ, ବାର୍ତ୍ତା, ଦିଜଣଙ୍କ ମଧ୍ୟରେ ସବୁବେଳେ ଦ୍ୱିପକ୍ଷୀୟ ବାର୍ତ୍ତ ବିନିମୟ ଚାଲିଛି । ଯେଉଁଦିନ ଏହି ବାର୍ତ୍ତା ବିନିମୟ ବନ୍ଦ, ଜାଣ ସେହି କ୍ଷଣ ସୀମାନ୍ତରେ ଘମାଶାନ ଆରମ୍ଭ ହୋଇଯିବ । ତୁ ସାହସୀ ଝିଅ, କରାଟେରେ ବ୍ଲାକବେଲ୍ଟ ଚମ୍ପିୟନ, କିନ୍ତୁ ତାର ଅର୍ଥ ନୁହେଁ ସବୁବେଳେ ନିଜର ଶକ୍ତି ପ୍ରଦର୍ଶନ କରିବା କିମ୍ବା ଅନ୍ୟକୁ ଡରେଇବା । ଶକ୍ତି ଅନ୍ୟର ରକ୍ଷାପାଇଁ ବ୍ୟବହାର କରିବା ବୀରତ୍ୱର ଗୁଣ ଏବଂ ନିଜ ଆତ୍ମରକ୍ଷା ପାଇଁ ତ ନିଶ୍ଚୟ । କିଛି ଲୋକ କଥାରେ ବୁଝି ଯାଆନ୍ତି, ଆଉ କିଛି ‘ଲାତ୍ କା ଭୂତ’ ଥାଆନ୍ତି । ତାଙ୍କୁ କଥାରେ ନୁହେଁ ହାତରେ ବୁଝାଇବାକୁ ପଡେ । ତୁ ତ ଦୁଇଟି ବିଦ୍ୟାରେ ନିପୁଣ, ଡରିବାର କିଛି ନାହିଁ । ବୁଝିଲୁନା ? ଶାକମ୍ବରୀ ଟିକେ ହସିଦେଲା । ସଦାନନ୍ଦ ତାକୁ ସ୍ନେହରେ କୋଳେଇ ନେଲେ ।

ପରଦିନ ସକାଳେ, ସବୁଦିନ ପରି କଲେଜ ଯିବା ପାଇ ବାହାରି ପଡିଲା ଶାକମ୍ବରୀ । ସଦାନନ୍ଦ ସକାଳୁ ତାକୁ ଅବଜର୍ଭ କରୁଥାଆନ୍ତି । ତା ମୁହଁରେ ଏକ କନଫିଡେନ୍ସର ତେଜ ଝଲକୁଥାଏ । କାଲିର ଡର ତା ବ୍ୟବହାରରେ କେଉଁଠି ବି ଦିଶୁନି । ହେଲେ ସଦାନନ୍ଦଙ୍କ ମନରେ ଟିକେ ଡରଥାଏ । ଯେତେ ହେଲେ, ଝିଅଟାଏ । ଯଦି କିଛି ଏପରି ହୁଏ, ଆଉ ସେ ହାଣ୍ଡଲ କରି ନପାରେ ? ହୁଏତ ସଦାନନ୍ଦଙ୍କର ଏହି ଡର, ନାତୁଣୀପ୍ରତି ନିଜର ଅତ୍ୟଧିକ ସ୍ନେହ ବା ପ୍ରୋଟେକ୍ଟିଭ ମନୋବୃତି ଯୋଗୁ ହେଉ କିମ୍ବା ଆମ ସମାଜର ସେହି ପୁରୁଣା ମନୋବୃତି ଝିଅଙ୍କୁ ଦୁର୍ବଳ ଭାବିବା ଏବଂ ତାଙ୍କର ଶକ୍ତିକୁ କମ୍ କରି ଅଙ୍କିବାର ମନୋଭାବ ଯୋଗୁ ହେଉ । ଯେତେହେଲେ ସଦାନନ୍ଦ ତ ଏଇ ସମାଜର ମଣିଷଟିଏ । ସଦାନନ୍ଦ ସ୍ଥିର କଲେ ସେ ଶାକମ୍ବରୀର ପଛେପଛେ ଟିକେ ଦୂରତା ରଖି ଯିବେ । ସେ ଠିକ୍ ଠାକ୍ ନିରାପଦରେ କଲେଜରେ ପହଞ୍ଚିଲା ପରେ ଆସିବେ । ଏବଂ କଲେଜ ଛୁଟି ସମୟରେ ମଧ୍ୟ । କିଛିଦିନ ଏପରି କରିବାକୁ ସେ ସ୍ଥିର କରିନେଲେ । ଯେତେହେଲେ ଶାକମ୍ବରୀ ତାଙ୍କର ହୃଦୟଠାରୁ ଅଧିକ ନିଜର ।

ଶାକମ୍ବରୀ ଆଗେ ଆଗେ ତାର ସାଇକେଲରେ ଚାଲୁଥାଏ ସଦାନନ୍ଦ କିଛି ଦୂରରେ ତା ପଛେ ପଛେ ସାଇକେଲରେ । କିଛିବାଟ ଗଲାପରେ କଲୋନୀର ଶେଷରେ ଗୋଟାଏ ଛକ, ଡାହାଣ ପଟକୁ ଗଲେ କଲେଜ ବାଆଁ ପଟକୁ ବଜାର ଆଡକୁ ରାସ୍ତା । କଲେଜପଟକୁ ରାସ୍ତା ଟିକେ ନିଛାଟିଆ, ବେଶି ଭିଡଭାଡ ହୁଏନା । ଶାକମ୍ବରୀ କଲେଜ ରାସ୍ତାର କିଛି ଦୂର ଯିବାପରେ ସେ ପିଲା ଦୁଇଟି ଯେପରି ତାର ଅପେକ୍ଷା କରିଥିଲେ ସେଇଠି । ତା ପଛେ ଚାଲିବା ଆରମ୍ଭ କରିଦେଲେ ଏବଂ ବିଭିନ୍ନ କମେଣ୍ଟ ବି । କିଛିବାଟ ଯାଇ ଶାକମ୍ବରୀ ସାଇକେଲରୁ ଓହ୍ଲାଇ ପଡିଲା । ଏବଂ ପିଲା ଦୁଇଟି ତା ପାଖରେ ପହଞ୍ଚି ଗଲେ । ଶାକମ୍ବରୀ ତାଙ୍କୁ କହିଲା, ଭାଇ, ମୁଁ ଯଦି ତୁମର ଭଉଣୀ ହୋଇଥାନ୍ତି ତେବେ ବି କଣ ମୋ ସହିତ ଏପରି ବ୍ୟବହାର କରି ଥାଆନ୍ତ ? ତୁମର କଣ କେହି ଭଉଣୀ ନାହାନ୍ତି । ତାର ଏଇକଥା ଶୁଣି ସେ ପିଲାଙ୍କ ଭିତରୁ ଜଣେ କହିଲା ସରି ସିଷ୍ଟର ଭୂଲ ହୋଇଗଲା । ଆର ପିଲାଟି ଆଡକୁ ଚାହିଁ କହିଲା, ଚାଲ, ତାକୁ ଯିବାକୁ ଦେ । କିନ୍ତୁ ଅନ୍ୟ ପିଲାଟି ଟିକେ ଅଲଗା ପ୍ରକାରର ଥିଲା । ସେ ଶାକମ୍ବରୀ ଚାହିଁ କହିଲା, ହେ ମିସ୍ ସବୁ ସୁନ୍ଦରୀ ଝିଅଙ୍କୁ ଯଦି ସିଷ୍ଟର କହିବୁ ତେବେ ରୋମାନ୍ସ କାହା ସାଙ୍ଗେ କରିବୁ ?

ଶାକମ୍ବରୀ ସେ ପିଲାଟିକୁ ଟିକେ ଭଲ କରି ଦେଖିଲା, ପୁଣି କହିଲା, ସରି, ଏଇଟା ମୋର ଭୂଲ, ସବୁ ପୁଅଙ୍କୁ ରାମ ଭାବି ପୂଜା କଲେ ରାବଣ ମାନେ କୁଆଡେ ଯିବେ ? ତାଙ୍କୁ ପୁଣି ଦଣ୍ଡ କିଏ ଦେବ ? ପିଲାଟି ସାଙ୍ଗେ ସାଙ୍ଗେ ବଡପାଟିରେ ହସିଦେଇ କହିଲା, ରାବଣ କହିଲଣି ଯେତେବେଳେ, ତାହା ହେଲେ ସୀତା ହରଣଟା ବି ହୋଇଯାଉ, କହି ସେ ଶାକମ୍ବରୀର ହାତକୁ ଧରି ପକାଇଲା । ବିଚରା ସେଇଠି ତା ଜୀବନର ମସ୍ତବଡ ଭୂଲଟାଏ କରିଦେଲା । ସେ ହୁଏତ ଠିକଭାବେ ବୁଝିପାରି ନଥିଲା ଶାକମ୍ବରୀକୁ । ଶାକମ୍ବରୀ ତାର ଆଣ୍ଠୁ ଉଠାଇ ମାରିଲା ସିଧା ଆଣ୍ଠୁଆଟାଏ ସେ ପିଲାର କୋଳସନ୍ଦାକୁ । ହଠାତ୍ ଯେପରି ହଜାର ଭୋଲ୍ଟର କରେଣ୍ଟ ଲାଗିଗଲା ପିଲାଟା ଦେହରେ, ସେ ନିଜର ଅଣ୍ଡକୋଷକୁ ଜାବୁଡିଧରି ସେଇଠି ନଇଁ ପଡିଲା । ଏଇ ସମୟରେ ଶାକମ୍ବରୀ ଯୋରଲଗାଇ ମାରିଲା କହୁଣୀଟାଏ ତା ପିଠିରେ । ବିଚରା ସମ୍ଭାଳି ପାରିଲା ନାହିଁ ଏହି ଅତର୍କିତ ପ୍ରହାର, ଗଡିଗଲା ସେଇ ରାସ୍ତାଟାରେ । କିଛି ଲୋକ ବି ସେତେବେଳକୁ ଜମା ହୋଇ ଯାଇଥିଲେ । କିଏ ଜଣେ ପୋଲିସକୁ ବି ଫୋନ କରିଦେଲା । ସଦାନନ୍ଦ ଭିଡରେ ଠିଆ ହୋଇ ସବୁ ଦେଖୁଥାନ୍ତି । ସେ ସମୟରେ ପୋଲିସ ଗାଡି ଆସି ପିଲାଟିକୁ ସାଙ୍ଗରେ ନେଇଗଲେ ।

ଜେଜେ ଶାକମ୍ବରୀ ପାଖରେ ପହଞ୍ଚି ତାକୁ କହିଲେ ତୁ ମୋତେ ନିରାଶ କଲୁ । ଶାକମ୍ବରୀ କିନ୍ତୁ ବୁଝି ପାରୁନଥାଏ ଜେଜେ କଣ କହିବାକୁ ଚାହୁଁଛନ୍ତି । ଜେଜେ ହସି ହସି କହିଲେ ଆଜି କିଛି କରାଟେ ଦେଖିବାକୁ ଇଚ୍ଛା ଥିଲା ହେଲେ…., ଶାକମ୍ବରୀ ଟିକେ ହସିଦେଲା, ହସି ହସି କହିଲା, ସେ ପିଲାଟିକୁ ଦେଖିଲନି, ଏଇ ଦେଶି ମେଡିସିନରେ ସେ ଚିତ୍ ହୋଇଗଲା, କରାଟେ ତା ପାଇଁ ଓଭରଡୋଜ ହୋଇ ଯାଇଥାଆନ୍ତା । ଦିହେଁ ହସି ଉଠିଲେ ।

ଲୋକପ୍ରିୟ ଲେଖା

To Top