ଗଳ୍ପ

ଶୈଲଜା

Anasuya Panda's odia story Shailajaa

ଆଜି ମୁଁ ଭଲ ଲାଗିଲି ବୋଲି ମୋ ଆଡ଼କୁ ଅନାଇଲେ, କାମନାର ବଶବର୍ତ୍ତୀ ହୋଇ ଆଲିଙ୍ଗନ କରିବାକୁ ଅଚ୍ଛା କରିବେ । ଆସନ୍ତା କାଲି ମୋ ଠାରୁ ଅଧିକ ସୁନ୍ଦରୀ କିଏ ତାଙ୍କ ଆଖିକୁ ଦେଖାଗଲେ, ମୁଁ ପୁଣି ପୁରୁଣା ହୋଇଯିବି ।

ଶୈଲଜା

ୱେଷ୍ଟନ ଆଉଟ୍ ଫିଟ୍ରେ ଶୈଲଜାକୁ ମୁଁ ଚିହ୍ନିପାରୁନଥିଲି । ଖୁବ୍ ସୁନ୍ଦର ଓ ସ୍ମାର୍ଟ ଦିଶୁଥିଲା । ମୁଁ ଇଣ୍ଟରଭିଉ ଦେଇ ଫେରିଲା ବେଳକୁ ଶୈଲଜା ହଷ୍ଟେଲ୍ ବାହାରେ ଠିଆ ହୋଇ ଜଣେ ବୟସ୍କଲୋକ ଓ ଏକ ସୌମ୍ୟ ଦର୍ଶୀ ଯୁବକଙ୍କ ସହ ଗପୁଥିଲା । ମୋତେ ଦେଖି ପାଖକୁ ଡାକିଲା ଓ ତା ବାପା ଓ ସ୍ୱାମୀଙ୍କ ସହ ପରିଚିତ କରାଇ ଦେଲା । ଅଳ୍ପ କିଛି ସମୟର ପରିଚୟ ଆଦାନ ପ୍ରଦାନ ଓ ସ୍ୱଳ୍ପ ସମ୍ଭାଷଣ ପରେ ମୁଁ ହଷ୍ଟେଲ୍ ରୁମ୍‌କୁ ଆସିଲି । ଗତରାତିରେ ଇଣ୍ଟରଭିଉ ପାଇଁ ଡେରି ରାତି ଯାଏ ପ୍ରସ୍ତୁତି କରି, ସକାଳୁ ଶୀଘ୍ର ଯାଇ ଇଣ୍ଟରଭିଉ ପାଇଁ ଲାଇନ୍ ଲଗାଇ ଠିଆ ହୋଇ ହାଲିଆ ଲାଗୁଥିଲା । ଫେରିବାବେଳେ ହୋଟେଲ୍‌ରୁ ଦୋସା ପ୍ୟାକ୍ କରି ଆଣିଥିଲି, ଖାଇସାରି ଟିକେ ବିଶ୍ରାମ ନେଲି ।

ରୁମ୍‌ରେ କିଛି ଖଡ଼ଧଡ଼ ଶବ୍ଦରେ ମୋ ନିଦ ଭାଙ୍ଗିଗଲା । ଓହୋ ଶୈଲଜା । ସେ ତାର କିଛି ନିତ୍ୟାବଶ୍ୟକ ଜିନିଷ ନେବାକୁ ଆସିଲା । ଆଜି ରାତିରେ ଫେରିବ । ଆସନ୍ତା କାଲି ସକାଳେ ତା ବାପା ଓ ସ୍ୱାମୀ ଗୁଣ୍ଟୁର ଫେରିଯିବେ । ସକାଳ ସାଢ଼େ ଆଠଟାରେ ୟସବନ୍ତପୁର ଜଙ୍କସନ୍‌ରୁ ଟ୍ରେନ୍ ଅଛି । ରାତି ମିଲ୍‌ଟା ସେ ହଷ୍ଟେଲ୍‌ରେ ଖାଇବନି କହି ସେ ବାହାରିଗଲା । ମୁଁ ରୁମ୍‌ର କବାଟଟା ଭିତରୁ ବନ୍ଦ କରି ଶୋଇବାକୁ ଚେଷ୍ଟା କଲି, ହେଲେ ନିଦ ହେଲାନି । ଏମିତି ବି ସନ୍ଧ୍ୟା ହୋଇ ଆସୁଥିଲା, ପୂଜା କରିବାକୁ ଉଠିଗଲି ।

କେଜାଣି କାହିଁକି ଶୈଲଜାର କଥା ବାରମ୍ୱାର ମନ ଭିତରକୁ ଆସି ମୋତେ ବିଚଳିତ କରୁଥିଲା । ଶୈଲଜା ମୋ ରୁମ୍‌ମେଟ୍ । ବାଙ୍ଗାଲୋର୍ ଅଲସୁରରେ ଥିବା ଏ ହଷ୍ଟେଲ୍‌ଟିରେ ଅନ୍ୟ ଝିଅମାନଙ୍କ ପରି ଶୈଲଜା ମଧ୍ୟ ଘର ଛାଡ଼ି ତାର ଲକ୍ଷ୍ୟ ସ୍ଥିର କରିବାକୁ ଆସିଛି । ଶୈଲଜାର ଘର ଓ ଶାଶୁଘର ଉଭୟ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରରେ । ବି.ଏ. ପାଠପଢ଼ା ପରେ ତା ପିଉସୀଙ୍କ ପୁଅ ସହ ତାହାର ବିବାହ ହୋଇଯାଇଥିଲା । ଶୈଲଜାର ମଧ୍ୟ ଆଉ ଆଗକୁ ପଢ଼ିବାକୁ ଇଚ୍ଛା ନଥିଲା । ତାର ଗୋଟିଏ ସାନଭାଇ, ସେ ତା ବାପାଙ୍କ ସହ ମିଶି ଶୁଖିଲା ଲଙ୍କା, ଲଙ୍କା ଗୁଣ୍ଡ ରପ୍ତାନି ବ୍ୟାପାର କରେ । ଗୁଣ୍ଟୁର ସହର ଲଙ୍କା ବ୍ୟାପାରରେ ଏସିଆ ପ୍ରସିଦ୍ଧ ତେଣୁ ତା ବାପାଙ୍କ ବ୍ୟାପାର କାରବାର ଖୁବ୍ ଭଲ ଚାଲିଥିଲା । କହିବାକୁ ଗଲେ ତାଙ୍କର ସୁଖୀ ପରିବାର, କୌଣସି ଚିନ୍ତା ମଧ୍ୟ ନଥିଲା ।

ଶୈଲଜା ବାହାଘର ପରେ ତା ସ୍ୱାମୀ ସହ ଶାଶୁଘରେ ଖୁସି ଥିଲା । ତା ସ୍ୱାମୀ ରବିକାନ୍ତ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ ପାଠ ପଢ଼ି ସାରି ଗୋଟେ ଛୋଟ କମ୍ପାନୀରେ ଚାକିରୀ କରୁଥିଲେ, ମାତ୍ର ସେ ଚାକିରୀର ପଦବୀ ଓ ଦରମାରେ ସେ ଖୁସି ନଥିଲେ । ରବିକାନ୍ତଙ୍କ ଲକ୍ଷ୍ୟ ଥିଲା ଉଚ୍ଚଶିକ୍ଷା ପାଇଁ ଆମେରିକା ଯିବ । ସେଥିପାଇଁ ସେ ପ୍ରସ୍ତୁତି ମଧ୍ୟ କରୁଥିଲେ । ବାହାଘର ପୂର୍ବରୁ ସେଥିପାଇଁ ପ୍ରବେଶିକା ପରୀକ୍ଷା ଦେଇଥିଲେ, ତାର ଫଳାଫଳ ବାହାଘରର ପନ୍ଦରଦିନ ପରେ ବାହାରିଲା । ସେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ, ବିଦେଶରେ ଏମ୍.ଏସ୍. କରିବାର ସୁଯୋଗ ସେ ହାତ ଛଡ଼ା କରିବାକୁ ଚାହୁଁନଥିଲେ । ଶୈଲଜାର ବାପା ଜାମାତାର ସଫଳତାରେ ନିଜ ଝିଅର ଭବିଷ୍ୟତ ଦେଖି ରବିକାନ୍ତଙ୍କୁ ବିଦେଶରେ ଉଚ୍ଚଶିକ୍ଷା ପାଇଁ ସମସ୍ତ ପ୍ରକାରର ଆର୍ଥିକ ସହଯୋଗ କରିବାକୁ ସ୍ୱୀକୃତି ଦେଲେ । ରବିକାନ୍ତ ବିଦେଶ ଯାତ୍ରା କଲେ, ନିଜେ ନିଜର ଥଇଥାନ ପରେ ଶୈଲଜାକୁ ମଧ୍ୟ ଆମେରିକା ନେବାର ବନ୍ଦୋବସ୍ତ କରିବାର ଥିଲା । ନିଜ ପାଠପଢ଼ା ସହ, ବାହାରେ ଛୋଟ ମୋଟ କାମ କରି ମଧ୍ୟ ପଇସା ରୋଜଗାର କରୁଥିଲା । ହେଲେ ସମୟ ଅନୁସାରେ ରବିକାନ୍ତ ଖୁବ୍ ବଦଳିଯାଇଥିଲା । ଶୈଲଜାକୁ ପାଖକୁ ନେବା ତ ଦୂରର କଥା, ତା ସହ ଦୁଇପଦ କଥା ହେବାକୁ ମଧ୍ୟ ତା ପାଖରେ ସମୟ ନଥିଲା । ଶୈଲଜା ଫୋନ୍ କଲେ ଖୁବ୍ ବ୍ୟସ୍ତ ଅଛି ପରେ କଥା ହେବି କହି ଏଡ଼ାଇ ଦିଏ । ଏମିତି ଛ ମାସରୁ ଅଧିକ ଦିନ ବିତିଗଲା ହେଲେ ରବିକାନ୍ତ କେବେ ଶୈଲଜା ସହ ଆଗ୍ରହର ସହିତ କଥା ପଦେ ମଧ୍ୟ ହେଲାନି । ପ୍ରେମ ତ ବହୁତ ଦୂରର କଥା ।

ଶୈଲଜା ରବିକାନ୍ତର ଏ ପ୍ରକାର ବ୍ୟବହାର ବିଷୟରେ ତା ବାପାଙ୍କୁ ଜଣାଇଲା । ତା ବାପା କହିଲେ ନୂଆ ଜାଗା, ପାଠ ପଢ଼ା ସହ ଚାକିରୀ ସେ ସବୁକୁ ବୋଧେ ସେ ଠିକ୍‌ରେ ଚଲାଇ ପାରୁନି । ତୁ ବ୍ୟସ୍ତ ହୁଅନା ମା, ମୁଁ ତା ସହିତ କଥା ହେବି । ରବିକାନ୍ତ ସହ କଥା ହେବା ପରେ ତା ବ୍ୟବହାରରେ କିଛି ପରିବର୍ତ୍ତନ ହେବାର ତା ବାପା ବାରିପାରିଲେନି । ଶୈଲଜାର ବାପାଙ୍କ ସହ ଖୁବ୍ ଆପଣାର ପରି ରବିକାନ୍ତ କଥା ହୁଏ କାରଣ ତା ବାପା ହିଁ ତ ରବିକାନ୍ତର ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଦେଇଛନ୍ତି ।

ଶୈଲଜା ତା ବାପାଙ୍କଠାରୁ ଯେତେ ଆଶ୍ୱାସନା ପାଇଲେ ମଧ୍ୟ ତା ସ୍ତ୍ରୀ ମନ କେବେ ବୁଝୁ ନଥିଲା । ଦିନେ ଏମିତି ଫୋନ୍‌ରେ ପଚାରୁ ପଚାରୁ ରବିକାନ୍ତଙ୍କୁ ଖୋଲିକି ସେ ପଚାରିଲା, ତୁମକୁ କଣ ମୁଁ ପସନ୍ଦ ନୁହେଁ । ରବିକାନ୍ତ ବୋଧେ ନିଶାସକ୍ତ ଥିଲା କି କଣ, ପ୍ରଶ୍ନଟିକୁ ଏଡ଼ାଇ ନ ଯାଇ କହିଲା ମୁଁ ତୋ ପରି ଗାଉଁଲି, ଇଂରାଜୀ କହିପାରୁନଥିବା ଝିଅ ନୁହେଁ । ଉଚ୍ଚଶିକ୍ଷିତ, ଇଂରାଜୀ କହିପାରୁଥିବା ଖୁବ୍ ଆଧୁନିକ ଝିଅ ପସନ୍ଦ କରେ । ସେଥିପାଇଁ ତୋ ସହ କଥା ହେବାକୁ ମଧ୍ୟ ମୋର ମନ ନାହିଁ । ଶ୍ରାବନ୍ତି ପରି ସ୍ମାର୍ଟ ଝିଅମାନଙ୍କୁ ମୁଁ ପସନ୍ଦ କରେ । କିଛି ସମୟର ନିରବତା ପରେ ରବିକାନ୍ତଙ୍କ କଥା ବନ୍ଦ ହୋଇଯାଇଥିଲା । ଶୈଲଜା ଠିକ୍ ଅନୁମାନ କରିଥିଲା, ରବିକାନ୍ତ ଖୁବ୍ ନିଶାସକ୍ତ ଥିଲେ । ଅଚେତ ଅବସ୍ଥାରେ ତାଙ୍କ ମନର କଥା ସବୁ ଅନାୟସରେ ବାହାରି ଆସିଥିଲା । ଖୁବ୍ ଛଟପଟ ହେଲା ଶୈଲଜା । କାହାକୁ ଏ କଥା କହିବ । ରବିକାନ୍ତ ମଦ ଖାଇଛନ୍ତି, ଅନ୍ୟ ଝିଅମାନଙ୍କ ସହ ସମ୍ପର୍କ ରଖୁଛନ୍ତି । ବାପାଙ୍କୁ ଏ ବିଷୟରେ କହିଲେ କିଛି ସମାଧାନ ନାହିଁ । ସେ ତାର ଭାଇ ରମେଶକୁ ଏ ସମସ୍ତ କଥା କହିଲା । ତା ଭାଇର ଜଣେ ସାଙ୍ଗ ଆମେରିକାରେ ରବିକାନ୍ତ ରହୁଥିବା ଅଞ୍ଚଳରେ ରୁହେ । ଶୈଲଜାର ଭାଇ ତା ସାଙ୍ଗଠାରୁ ରବିକାନ୍ତ ବିଷୟରେ ସବୁ ଟିକିନିକି ଖବର ଛାନ୍‌ଭିନ୍ କଲେ । ତଦାରଖ ପରେ ସବୁ ସତ୍ୟତା ସାମ୍ନାକୁ ଆସିଲା । ରବିକାନ୍ତ ଅଭସର ସମୟରେ ସୁନ୍ଦରୀ ସ୍ମାର୍ଟ ଝିଅଙ୍କ ସହ ସମୟ ବିତାଉଛି ଆଉ ମଦ୍ୟପାନ ତ ଆଧୁନିକ ଯୁବ ସମାଜର ଏକ ଅଙ୍ଗ ହୋଇଗଲାଣି । ଶୈଲଜାର ଭାଇ ଏ ବିଷୟରେ ତା ବାପାଙ୍କ ସହ କଥା ହେଲେ । ପରେ ତା ବାପା ତା ପିଉସୀମାନେ ରବିକାନ୍ତର ମା’ଙ୍କ ସହ ଖୋଲା ଖୋଲି କଥାବାର୍ତ୍ତା ହେଲେ । ମାତ୍ର ଏଥିରେ କିଏ ବା କଣକରିପାରେ ।

ପିଉସୀଙ୍କ ପୁଅ ହିସାବରେ ସେ ବା ତା ପରିବାର ଯେତିକି ରବିକାନ୍ତକୁ ଜାଣିଥିଲେ ସେଏଇ ପ୍ରକାରର, ରବିକାନ୍ତ ଖୁବ୍ ଚୁପ୍‌ଚାପ୍ ଓ ପଢ଼ାରେ ମନ ଦେଉଥିବା ପିଲା ଥିଲା । ମାତ୍ର ବିଦେଶ ଯାଇ, ବିଦେଶୀ ସଂସ୍କୃତିର ସଂସ୍ପର୍ଶରେ ଆସି ସେ ଯେ ଏତେ ବଦଳିଯିବ ଏକଥା କେହି ଜାଣି ନ ଥିଲେ । ଏ ଘଟଣା ଜାଣିବା ପରେ ନବ ବିବାହିତା ଶୈଲଜା ନୁହେଁ, ଦୁଇ ପରିବାର ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଲେ ।

ରବିକାନ୍ତଙ୍କର ବିଦେଶ ଯାତ୍ରା ପରେ ଶୈଲଜା ଶାଶୁଘରୁ ଆସି ତା ନିଜ ବାପା ମାଙ୍କ ପାଖରେ ରହୁଥିଲା । ଏ ସବୁ ଜିନିଷ ଜାଣିବା ପରେ ଶୈଲଜା ଖୁବ୍ ଚିନ୍ତା କରି, ଠିକ୍ କଲା ସେ ନିଜକୁ ସକ୍ଷମ କରିବାକୁ, ନିଜର ବ୍ୟକ୍ତିତ୍ୱ ବଜାୟ ରଖିବାକୁ କିଛି ଅଧିକା ପାଠ ପଢ଼ିବ, ନିଜ ଦୁର୍ବଳତାକୁ ଜୟ କରିବ । ସେ ବାଙ୍ଗାଲୋର୍ ଆସି କିଛି କରିବାକୁ ସ୍ଥିର କଲା । ତା ଭାଇ ରମେଶର ସାଙ୍ଗମାନେ ବାଙ୍ଗାଲୋର୍‌ରେ ରହିବା ପାଇଁ ସହାୟତା କଲେ । ପେୟିଙ୍ଗ ଗେଷ୍ଟ୍‌ ଭାବେ ସେ ଅଲସୁରରେ ଥିବା ହଷ୍ଟେଲ୍‌ରେ ଆସି ରହିଲା । ପ୍ରଥମ ଥର ପାଇଁ ସେ ଘରୁ ଗୋଡ଼ କାଢ଼ିଥିଲା । ତେଣୁ କିଛିଦିନ ବାହାରେ ନିଜକୁ ଖାପ୍ ଖୁଆଇ କେମିତି ଚଳିବ ସେଥିପାଇଁ ସାହାସ ସଞ୍ଚୟ କଲା । ଶୈଲଜାର ପାଠ ପଢ଼ା ତେଲୁଗୁ ମିଡ଼ିୟମ୍‌ରେ ହୋଇଥିଲା ତେଣୁ ତା ଇଂରାଜୀ ଏତେ ଭଲ କହି ଆସୁନଥିଲା । ହିନ୍ଦୀ ମଧ୍ୟ ତାକୁ ବିଲ୍‌କୁଲ୍ କହି ଆସୁନଥିଲା । ତଥାପି ସେ ସାହସ ସଞ୍ଚୟ କରି ବାଙ୍ଗାଲୋର୍ ପରି ମହାନଗରୀକୁ ଆସିଥିଲା । ନିଜ ଭିତରେ ପରିସ୍ଥିତିକୁ ସାମ୍ନା କରିବାର ଧୈର୍ଯ୍ୟ ସଞ୍ଚୟ କଲାପରେ ପ୍ରଥମେ ସେ ସ୍ପୋକେନ୍ ଇଂରାଜୀ କୋର୍ସ କରିବାକୁ ନାମ ଲେଖାଇଲା । କିଛିଦିନ ପରେ କମ୍ପ୍ୟୁଟର କୋର୍ସ କରିବାକୁ ମଧ୍ୟ ନାଁ ଲେଖାଇଲା । ଟାଲି, ଡାଟାଏନ୍ଟ୍ରି ଖୁବ୍ ସହଜରେ ସେ ଶିଖି ନେଇଥିଲା । ନୂଆ କରି ଘରୁ ଆସିଥିବା ଶୈଲଜା ଓ ଏବେର ଶୈଲଜା ଭିତରେ ବହୁତ ପାର୍ଥକ୍ୟ ଥିଲା ।

ଶୈଲଜାକୁ ଦେଖିଲା ପରେ ମୋ ଭିତରେ ଶକ୍ତି ଆସିଯାଏ । ପ୍ରାୟ ବର୍ଷ ହେବ ଘରୁ ଆସି ଚାକିରୀ ପାଇଁ ଚେଷ୍ଟା କଲେ ମଧ୍ୟ ମୋତେ ଆଜିଯାଏ କୌଣସି ଚାକିରୀ ମିଳି ନଥିଲା । ମୋର ବାଙ୍ଗାଲୋର ଆସି ଚାକିରୀ ଖୋଜିବା ନିଷ୍ପତ୍ତିରେ ବାପା ରାଜି ନଥିଲେ । ବାହାଘର ହେବାର ବୟସ ମଧ୍ୟ ଗଡ଼ିଯାଉଥିଲା । ବାପା ଭାବୁଥିଲେ ପ୍ରଥମେ ବାହାଘର କରିଦେବେ, ତେବେ ତୁ ଯାଇ ବାହାରେ ଚାକିରୀ ବାକିରୀ ଦେଖିବୁ । ମାତ୍ର ମୋର ଏକ ଜିଦି, ଚାକିରୀ କରି ନିଜେ ସ୍ୱାବଲମ୍ୱୀ ହେଲେ ଯାଇ ବାହାଘର ହେବି । କିଏ ଜାଣେ କେମିତିକା ଲୋକ ମିଳିବେ, ବାହାଘର ପରେ ଚାକିରୀ ପାଇଁ ସୁଯୋଗ ମିଳିବ କି ନାହିଁ, ସ୍ୱାମୀ ଜଣଙ୍କ ଯଦି ସ୍ୱଭାବରେ ରବିକାନ୍ତଙ୍କ ପରି ହୋଇଥିବେ, ତେବେ… ଆଗକୁ ମୁଁ ଅଧିକ କିଛି ଭାବିପାରେନି ।

ଗତ ସପ୍ତାହରେ ନିତୁ ଓ ସାକ୍ଷୀ ସହ ଯାଇ କମର୍ସିଆଲ୍ ଷ୍ଟ୍ରିଟ୍‌ରୁ କିଣିଥିବା ଜିନ୍ସ, ଟି-ସାର୍ଟ, ବେଲ୍ଟ, ହାଇହିଲ୍ ଆଦି ପ୍ରତିଦିନ ରାତିରେ ପୂଜା, ନୂତନ, ସାକ୍ଷୀ ଆଦି ଶୈଲଜାକୁ ପିନ୍ଧାଇ ହଷ୍ଟେଲ୍‌ର ଡ୍ରଇଂରୁମ୍‌ରେ ପ୍ରାକ୍ଟିସ୍ କରାଉଥିଲେ । ଜିନ୍ସ ପିନ୍ଧିଲା ବେଳେ ଓଃ ଏଗୁଡ଼ା କେତେ ଟାଇଟ୍ କେମିତି ଝିଅମାନେ ପିନ୍ଧୁଛନ୍ତି ବୋଲି ଶୈଲଜା ପିନ୍ଧିବାକୁ ଅନିଚ୍ଛୁକ ଥିଲା । ଜିନ୍ସ ପିନ୍ଧି ସାରିବା ପରେ, ଯେତେବେଳେ ବେଲ୍ଟ ନ ମାରିଲେ ସ୍ମାର୍ଟ ଦିଶିବନି ବୋଲି ପୂଜା କହିଲା । ପୁଣି ବେଲ୍ଟ । ମୁଁ ନିଃଶ୍ୱାସ ନେବି କେମିତି । ଆଶ୍ଚର୍ଯ୍ୟ ହୋଇ କହୁଥାଏ ଶୈଲଜା । ସେସବୁ ପିନ୍ଧିସାରି ହାଇହିଲ୍ ପିନ୍ଧି ଧୈର୍ଯ୍ୟ ହରାଉ ନଥିଲା । ନିତୁ, ପୂଜା, ସାକ୍ଷୀ, ନୂତନ ଏମାନେ ସବୁ ଉତ୍ତର ଭାରତରୁ (ନର୍ଥ ଇଣ୍ଡିଆନ୍) ଆସିଛନ୍ତି । ଏଠି ବଡ଼ ବଡ଼ କମ୍ପାନୀରେ କାମ କରୁଛନ୍ତି । ତେଣୁ ସେମାନଙ୍କୁ ଆଧୁନିକ ଫ୍ୟାସନ୍ ବିଷୟରେ ଖୁବ୍ ଅଧିକା ଜଣା । ଏଥି ସହିତ ଶୈଲଜାକୁ ଏକ ଭଲ ବିଉଟି ପାର୍ଲର୍ ନେଇ ତାକୁ ଫେସିଆଲ୍, ମସାଜ ମଧ୍ୟ କରାଇ ଆଣିଥିଲେ । ଗତ କିଛିଦିନ ରାତିରେ ହେଉଥିବା ଡ୍ରାମାର ରିହଲ୍‌ସଲ୍ ଆଜି ମଞ୍ଚସ୍ଥ ହେଲା । ଆଜି ବଡ଼ି ସକାଳୁ ତା ସ୍ୱାମୀ ଆମେରିକାରୁ ଆସି ପହଞ୍ଚିଛନ୍ତି । ସେଥିପାଇଁ ଗତକାଲି ଶୈଲଜାର ବାପା ମଧ୍ୟ ଆସି ବାଙ୍ଗାଲୋର୍‌ରେ ପହଞ୍ଚି ତାଙ୍କର ଏକ ସାଙ୍ଗ ଘରେ ରହିଥିଲେ । ପ୍ରାୟ ଦୁଇବର୍ଷ ପରେ ଶୈଲଜା ତା ସ୍ୱାମୀ ସହ ଦେଖା ହେଲା । ବାହାଘରର ମାସେ ଭିତରେ ତା ସ୍ୱାମୀ ବିଦେଶ ଯାଇଥିଲେ ଏଇ ଦୁଇ ବର୍ଷରେ ଦିନେ ସେ ନା ସ୍ୱାମୀର ସ୍ନେହ ପାଇଛି ନା ପ୍ରେମ, ପାଇଛି କେବଳ ଅନେକ ମାନସିକ ଯନ୍ତ୍ରଣା । ତଥାପି ତା ସ୍ୱାମୀର ପସନ୍ଦ ଅନୁସାରେ ସେ ନିଜକୁ ଆଧୁନିକ ଦେଖାଯିବା ପରି ସଜାଉଛି । ଇଂରାଜୀ ଶିଖିଛି ସ୍ୱାମୀ ସହ କଥା ହେବ । ତାର ଜିନ୍ସ, ଟି-ସର୍ଟ ଓ ଆଧୁନିକ ଇଂରାଜୀ ଶୈଳୀର କଥାବାର୍ତ୍ତା ଶୁଣି, ତା ବିଦେଶ ଫେରନ୍ତା ସ୍ୱାମୀ ଏଥର ତାକୁ ଛାଡ଼ି ଅନ୍ୟ କେଉଁ ଝିଅ ଫାଶରେ ପଡ଼ିବେନି । ସେଥିପାଇଁ ଶୈଲଜା ସବୁ ପ୍ରଚେଷ୍ଟା କରିଛି ।

ମୁଁ ବୁଝିପାରେନି ନାରୀର ମମତାଠାରୁ, ସରଳ, ସ୍ନେହ ପୂର୍ଣ୍ଣ ବ୍ୟବହାର ଠାରୁ ପ୍ରେମ ଓ ଅନ୍ତରଙ୍ଗ ଭଲ ପାଇବା ଠାରୁ ଆଉ କଣ ସୁନ୍ଦର ଅଛି । କଣ ବା ଅଭାବ ଥିଲା ଶୈଲଜା ପରି ଏକ ସରଳ, ପ୍ରେମମୟୀ ନାରୀଟିଏ ପାଖରେ । ଏତେ ଭଲ ପାଇବା ତା ଭିତରେ ଭରି କରି ଥାଇ ମଧ୍ୟ ସେ ତା ସ୍ୱାମୀର ଭଲ ପାଇବାକୁ ଚାତକ ପରି ସମ୍ମାନର ସହ ଅନାଇ ରହିଥିଲା । ସୁନ୍ଦରୀ, ସ୍ମାର୍ଟ ଝିଅମାନେ କଣ ତାଠାରୁ ଅଧିକ ପ୍ରେମ, ଭଲ ପାଇବା ଦେଇପାରିବେ ରବିକାନ୍ତକୁ । ଖାଲି ଅତ୍ୟାଧୁନିକ ବିଦେଶୀ ପୋଷାକ ପିନ୍ଧି, ଇଂରାଜୀରେ କଥା କହି, ହାତ ଧରି ବାହାରେ ବୁଲିବାକୁ କଣ ପ୍ରେମ କୁହାଯାଏ । ଶୈଲଜା ଠାରୁ ଆଉ ଅଧିକା ସ୍ମାର୍ଟ, ଅତ୍ୟାଧୁନିକ କଣ କିଏ ହୋଇପାରିବ । ଇଂରାଜୀ ବା ହିନ୍ଦୀ ଭାଷାରେ ଆଧିପତ୍ୟ ନ ଥାଇ ମଧ୍ୟ, ବାଙ୍ଗାଲୋର ପରି ଏକ ମହାନଗରୀକୁ ଆସି ନିଜର ଦୁର୍ବଳ ସମୟରେ ଭାଙ୍ଗି ନ ପଡ଼ି, ନିଜକୁ ଉପରକୁ ଉଠାଇବାକୁ ପ୍ରୟାସ କରିଛି । ଏହାଠାରୁ ବଳି ସାହସିକତା ଆଉ କଣ ଥାଇପାରେ ।

ତା ପରଦିନ ପ୍ରାୟ ସକାଳ ସାଢ଼େ ନଅଟା ବେଳେ ଶୈଲଜା ଆସି ରୁମ୍‌ରେ ପହଞ୍ଚିଲା । ଫ୍ୟାନ୍‌ର ସ୍ପିଡ୍‌ଟା ଟିକେ ବଢ଼ାଇ ଦେଇ, ତା ଖଟ ଉପରେ ବସି ପଡ଼ିଲା । ପାଣି ବଟଲରୁ ପାଣି ପିଇସାରି ସେ ଟିକେ ସହଜ ହେଲା ପରେ ମୁଁ ପଚାରିଲି । କଣ ଖାଇଛୁ ସକାଳେ । ସେ ମନା କଲାରୁ ଆମେ ଦୁହେଁ ହଷ୍ଟେଲ୍ ମେସ୍‌ରୁ ଇଡ଼ିଲି, ସମ୍ୱର ଆଣି ସାଙ୍ଗ ହୋଇ ଖାଇଲୁ । ଖାଇସାରିବା ପରେ ପଚାରିଲି ରବିକାନ୍ତ କଣ କହିଲେ । ମୁହଁରେ ଏକ ତାତ୍ସଲ୍ୟର ହସ ନେଇ ଶୈଲଜା କହିଲା ମୋ ବେଶଭୂଷା ବଦଳିଯିବା ପରେ, ସ୍ମାର୍ଟ ଦିଶିବାରୁ ଗତ ରାତିରେ ହୋଟେଲ୍‌ରେ ରବି ମୋତେ ଆଲିଙ୍ଗନ କରିବାକୁ ବହୁତ ଚେଷ୍ଟା କରୁଥିଲେ, ମାତ୍ର ମୁଁ ତାଙ୍କୁ ପ୍ରଶୟ ଦେଲିନି । ମୁଁ ପଚାରିଲି କଣ ପାଇଁ । ସେ ତୋର ସ୍ୱାମୀ, ତାଙ୍କର ପୁରା ଅଧିକାର ଅଛି ତୋ ଉପରେ । ଏମିତି ବି ତୁମେ ଦୁହେଁ ଦୁଇବର୍ଷ ପରେ ମିଶୁଛ । କିଛି ସମୟ ନିରବ ରହିବା ପରେ ଉଦାସ ହୋଇ ଶୈଲଜା କହିଲା ତୁମେ ବୁଝିପାରିବନି ବୈଶାଳୀ, କେଉଁ ନାରୀ ନ ଚାହେଁ ତା ପ୍ରିୟତମର ପରସରେ ପୁଲକିତ ନ ହେବା ପାଇଁ । ମାତ୍ର ରବିକାନ୍ତର ସେ ଛୁଆଁରେ ପ୍ରେମ ନଥିଲା, କାମନା ଥିଲା । ଯାହା ଏକ ନାରୀ ଖୁବ୍ ବୁଝିପାରେ । ଛାଡ଼ ସେ କଥା, ରବିକାନ୍ତ ଇଣ୍ଡିଆରେ କେତେ ଦିନ ରହିବେ । ପୁଣି ପଚାରିଲି ମୁଁ । ରବି ମାସେ ପରେ ଆମେରିକା ଫେରିଯିବେ । ସେ ସେଠାରେ ଚାକିରୀ ପାଇଯାଇଛନ୍ତି । ମୋତେ ତାଙ୍କ ସହ ନେବା ପାଇଁ ବାପାଙ୍କ ସହ କଥା ହେଉଥିଲେ । ମାତ୍ର ମୁଁ ଯିବିନି ତାଙ୍କ ସହ । ଥମ ଥମ ସ୍ୱରରେ ଶୈଲଜା କହିଲା । ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି କଣ ପାଇଁ । ସେ ତ ନିଜ ଆଡୁ ରାଜି ଅଛନ୍ତି ତୋତେ ନେବାକୁ, ତୁ ଯଦି ନ ଯିବୁ ତାଙ୍କୁ ଅନ୍ୟ ଝିଅଙ୍କ ସହ ବୁଲିବାକୁ ଖୁବ୍ ସୁଯୋଗ ମିଳିବ ।

ଠିକ୍ କଥା ବୈଶାଳୀ, ହେଲେ କେତେ ଦିନ ମୁଁ ଜଣେ ଲୋକକୁ ଜଗିବି, ସେ ଯଦି ନିଜେ ନିଜ ଭିତରେ ସଚେତନ ନ ହେବେ । ଆଜି ମୁଁ ଭଲ ଲାଗିଲି ବୋଲି ମୋ ଆଡ଼କୁ ଅନାଇଲେ, କାମନାର ବଶବର୍ତ୍ତୀ ହୋଇ ଆଲିଙ୍ଗନ କରିବାକୁ ଅଚ୍ଛା କରିବେ । ଆସନ୍ତା କାଲି ମୋ ଠାରୁ ଅଧିକ ସୁନ୍ଦରୀ କିଏ ତାଙ୍କ ଆଖିକୁ ଦେଖାଗଲେ, ମୁଁ ପୁଣି ପୁରୁଣା ହୋଇଯିବି । ମୁଁ ତାଙ୍କର ସ୍ତ୍ରୀ ବୈଶାଳୀ, ଖୁବ୍ ଅପମାନ ବୋଧ ହୁଏ ଏସବୁ ସ୍ତ୍ରୀ ହିସାବରେ ସହିବାକୁ । ମୁଁ ଏଇଠି ରହି ଚାକିରୀ କରିବି । ନିଜେ ସ୍ୱାବଲମ୍ୱୀ ହେଲେ ମୋତେ ଭବିଷ୍ୟତରେ ଡର ନଥିବ । ଯେବେ ସେ ନିଜର ଭୁଲ୍ ବୁଝିପାରିବେ, ମୁଁ ତାହା ଠିକ୍ ତାଙ୍କ ଆଖିରୁ ପଢ଼ିପାରିବି । ମୁଁ ଅପେକ୍ଷା କରିଛି ସେ ଦିନକୁ । ଦୃଢ଼ ଭାବରେ ଶୈଲଜା କହିଲା । ମୁଁ ଗମ୍ଭୀର ହୋଇ ତାକୁ ପଚାରିଲି ଯଦି ସେ ନ ବଦଳନ୍ତି ସାରା ଜୀବନ ଏମିତି ରୁହନ୍ତି । ଏକଥା ସତ ଯେ କେହି କାହାକୁ ବଦଳାଇ ପାରିବେ ନାହିଁ । ମାତ୍ର ବିବାହ ପରି ଏକ ପବିତ୍ର ବନ୍ଧନ, ବିଶ୍ୱାସରେ ହିଁ ବାନ୍ଧି ହୋଇ ରୁହେ । ଯେଉଁଠି ପ୍ରଥମରୁ ବିଶ୍ୱାସ ଟଳମଳ ହେଲା ସେଠି କଣ କରାଯିବ । ଶୈଲଜା ଦୁଃଖର ସହ କହିଲା ।

ସେସବୁ ଠିକ୍, ହେଲେ ଏଇ ମାସେ ଅନ୍ତତଃ ତୁ ରବିକାନ୍ତଙ୍କ ସହ ତାଙ୍କ ଘରେ ରହିଥାନ୍ତୁ, ତେବେ ଜାଣିପାରନ୍ତୁ ସେ ବଦଳୁଛନ୍ତି କି ନାହିଁ । ମୁଁ ଠିକ୍ କଥା କହିଲି ନା ଶୈଲଜା । ମୁଁ କହିଲି ।

ମୁଁ ତ ମୋର କମ୍ପ୍ୟୁଟର କୋର୍ସ ଅଧା ହୋଇଛି କହି ରହିଗଲି, ରବିଙ୍କ ସହ ଆନ୍ଧ୍ରା ଗଲିନି, ଯଦି ସତରେ ରବି ବଦଳୁଥିବେ ସେ ନିଶ୍ଚିନ୍ତ ମୋତେ ନେବା ପାଇଁ ବାଙ୍ଗାଲୋର୍ ଆସିବେ । ଦୂରତା ହିଁ ସବୁ ସମ୍ପର୍କକୁ ମଧୁର କରି ଗଢ଼ି ତୋଳେ ହସିକି କହି ଶୈଲଜା କମ୍ପ୍ୟୁଟର କ୍ଲାସ୍ କରିବାକୁ ବାହାରି ଗଲା ।

ଅନ୍ୟ ସବୁଦିନ ପରି ଶୈଲଜାର ଭଙ୍ଗା ଗଢ଼ା ହିନ୍ଦୀ ଓ ଇଂରାଜୀର ମିଶାମିଶି କଥା ଶୁଣି ମୋତେ ହସ ଲାଗୁନଥିଲା । ଆଶ୍ଚର୍ଯ୍ୟ ହୋଇ ମନେ ମନେ ଭାବିଲି କେତେ ଟାଣ ମନ ଶୈଲଜାର, ଜୀବନକୁ ସାମ୍ନା କରିବାକୁ ପର୍ବତ ପରି ସ୍ଥିର, ନିଥର ହୋଇ ସବୁ ଝଡ଼ଝଞ୍ଜାକୁ ସାମ୍ନା କରି ନିଜର ସ୍ଥିତି ଦୃଢ଼ କରିଚାଲିଛି ।

ଲୋକପ୍ରିୟ ଲେଖା

To Top