ଗଳ୍ପ

ଶାମୁକା

ସେ ହୋଟେଲ ବାଲାଟା ଆସିଥିଲା । କହିଲା, ଚାଲ ମୋ ସାଙ୍ଗରେ, ନହେଲେ ତୋ ଝୁପୁଡ଼ି ପୋଡ଼ିଦେବି । ଜାଳିଦେବି । ବାପା ବି ସେମାନଙ୍କ କଥାରେ ରାଜି ହୋଇଯାଇଛି । ସକାଳ ନହେଉଣୁ ମୁଁ ଚାଲିଯିବି ।

ଶାମୁକା

ବତୀଖୁଣ୍ଟ ପାଖ ବୁଦା ଗହଳିରେ ମେଞ୍ଚା ମେଞ୍ଚା ଅନ୍ଧାର ଭିତରେ ତ୍ରିକୋଣାକାର ଆଲୁଅ ଖଣ୍ଡେ ଛିଟିକି ପଡ଼ିଛି । ସୌରଭ ଘଣ୍ଟା ଦେଖିନେଲା । ନଅଟା ପଇଁତିରିଶି । ସେ ପାଖକୁ ଥୁଣ୍ଟା ବରଗଛଟା । ତଥାପି କେଉଁ ପକ୍ଷୀଟିଏ ବସା ବାନ୍ଧିଛି । କଲେଜ୍ କ୍ୟାମ୍ପସ୍ ପଛପଟକୁ ଅନ୍ଧାର ଯେଉଁଠି ନିଶ୍ୱାସ ମାରୁଛି ଯୋର୍‌ରେ ଶାଳବଣ ଗହଳରେ । ଏ ଆକାଶ, ଏ ଅନ୍ଧାର, ରିଫ୍ୟୁଜି କଲୋନୀର ଦୂର ଆଲୁଅ ଆଉ ଏକୁଟିଆ ବରଗଛକୁ ନେଇ କିଛି ଗୋଟାଏ ଲେଖାଯାଇ ପାରନ୍ତା । ବେଶ୍‌ତ କିଛି ଗୋଟାଏ ସଂଗ୍ରହ କରିହୁଅନ୍ତା ଏଇ ଜହ୍ନ ନଥିବା ଆକାଶ ଦେହରୁ । ଅନେକ ତାକୁ ସମାଲୋଚନା କରନ୍ତି ସେ କୁଆଡ଼େ ଭଲ ଲେଖେ । ଭାଷାରେ ଥାଏ ଚମତ୍କାରତା । କିନ୍ତୁ ପ୍ଲଟ୍ ନାହିଁ । ସତରେ କେଉଁଠି ଖୋଜିବ ସୌରଭ ପ୍ଲଟ ? କେମିତି ବୁଝାଇବ ସେ ସ୍ୱପ୍ନବାଦୀ ଜୀବ ଗୁଡ଼ାକୁ ଯେ ଜୀବନଟା ଭାରି ଫାଙ୍କା । ଶୂନ୍ୟତାର ଧୂଆଁରେ ଉବୁଟୁବୁ । କିନ୍ତୁ ସେ କ’ଣ ସ୍ୱପ୍ନ ଦେଖୁନଥିଲା ? ହଁ ଦେଖୁଥିଲା ତ ପ୍ରଚୁର । ତା’ ଲେଖା ପଢ଼ି ଆଧ୍ୟାପିକା ଶ୍ୱେତା ଦିନେ କହୁଥିଲା- ତା’ ଲେଖା ଗୁଡ଼ାକ କୁଆଡ଼େ ଗୋଟାଏ ଗୋଟାଏ କବିତା । ସୌରଭ କବିତା ଲେଖା ଛାଡ଼ି ଦେଇଛି, ଯେଉଁଦିନ ସନ୍ଧ୍ୟା ତା’ ଜୀବନ ପରିଧିରୁ ଦୂରକୁ ଚାଲିଯାଇଛି । ଆଉ ଗୋଟିଏ ଐକକୈନ୍ଦିକ ବୃତ୍ତ ରଚନା କରି ସେଇ ସନ୍ଧ୍ୟା ତାକୁ ଦିନେ ଉତ୍ସାହିତ କରିଥିଲା । ପ୍ରେରଣା ଦେଇଥିଲା କବିତା ଲେଖିବାପାଇଁ । କ’ଣ କରୁଥିବ ସନ୍ଧ୍ୟା ? ତା’ର ଅଢ଼େଇ ବର୍ଷର ପୁଅକୁ ନାନାବାୟା ଗୀତ ଗାଇ ଶୁଆଇ ଦେଉଥିବ କି ତା’ ସ୍ୱାମୀର ବାଟକୁ ରାନ୍ଧିବାଢ଼ି ଅପେକ୍ଷା କରିଥିବ । ଏଇ ସହରରେ ଅଛିତ ସନ୍ଧ୍ୟା । ଯିବକି ଥରେ ତା’ ପାଖକୁ ଅସମୟରେ । ତା’ ସ୍ୱାମୀ ନଥିଲା ବେଳେ ଅଛି ଅସଂଲଗ୍ନ ଆଳାପ ଆଉ ଅରୁଚିକର ପରିବେଶରୁ ନେଇ । ସନ୍ଧ୍ୟାକୁ ନେଇ କବିତା ନୁହେଁ ସେ ଯଦି ଗୋଟେ ଦୀର୍ଘ ଉପନ୍ୟାସ ଲେଖି ପାରନ୍ତା, ତା’ହେଲେ କେମିତି ହୁଅନ୍ତା ? ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାକୁ ବାଧ୍ୟ କରି ଦୁଃଖୀ ଚରିତ୍ରଟିଏ କରି ରଖନ୍ତା । ତା’ର ସୁନ୍ଦର ବୈବାହିକ ଜୀବନରେ କିଛି ଭେଜାଲ ମିଶାଇ ବିଷାକ୍ତ କରିଦିଅନ୍ତା ଆଉ ଖୁସି ହୁଅନ୍ତା । କିନ୍ତୁ ଏଇଟାକି ଅବାନ୍ତର ରୁଚିଯେ ତାର ବିଗତ ପ୍ରେମିକାକୁ ଅନାୟାସରେ ପାଇଯିବ ଆଉ ତାକୁ ଦୁଃଖୀ କରିଦେବ । ସନ୍ଧ୍ୟା ଦୁଃଖୀ ହେଲେ ସେ କ’ଣ ସତରେ ଖୁସିହେବ ?

କେତେବଡ଼ ଫୁଲ ଗଛଟା । ବାସ୍ନା ଭରା ଫୁଲ ବୋଝେଇ ହୋଇଛି । ଝୁପୁଡ଼ିର ସେଇ ଝିଅଟି ସବୁଦିନ ସେଥିରୁ ମେଞ୍ଚେ ଫୁଲ ଗୁନ୍ଥି ଲଗେଇଥାଏ । ଏତେ କାମଦାମ ଭିତରେ ସମୟ ବାହାର କରି ଫୁଲ ଗୁନ୍ଥେ । ଗୋଟିଏ ବି ଦିନ ବାଦ୍ ପଡ଼େନି । ତାକୁ ଦେଖିଲେ କେମିତି ଗୋଟିଏ ଆତ୍ମୀୟତା ଆସେ ମନଭିତରେ । ନୂଆ ନୂଆ ଓଡ଼ିଆ ଶିଖୁଥିବା ସେଇ ଝିଅଟିର ନୀଳ ଆଖି ଦୁଇଟା କେଉଁ ଅଜଣା ସ୍ୱପ୍ନରେ ବିଭୋର । ତାକୁ ଦେଖିଲେ ମନେ ହୁଏ ସେ ରାତୁସିଂର ଝିଅ ନୁହେଁ, ଅମରାବତୀର ଦେବକନ୍ୟାଟିଏ । କିଛି ଦିନ ପାଇଁ ଶାପଗ୍ରସ୍ଥ ହୋଇ ଯନ୍ତ୍ରଣାର କାରାଗାରରେ ଅପେକ୍ଷାରତ । ସତରେ ରାତୁସିଂ କାହିଁକି ଆଣିଲା ଏଇ ଝିଅଟିକୁ ଏଇ ସହରକୁ ? ଅନେକ ଶିକାରୀ ଦୃଷ୍ଟି ସହିତ ମୁକାବିଲା କରିବାକୁ ରାତୁସିଂର ଦୁର୍ବଳ କ’ଣ ସାହସ ଅଛି ? ସେଦିନ ସୌରଭ ଯାଇଥିଲା ଝୁପୁଡ଼ିକୁ । ଝିଅଟି ତା’ ବାପକୁ କହୁଥିଲା ଚାଲ ଆମେ ଗାଁକୁ ପଳେଇବା । ମତେ ଏ ସହର ଭଲ ଲାଗୁନି । ରାତୁସିଂ ରାଗଯାଇଥିଲା । କହିଲା ଏ ସହର ଛାଡ଼ି ଚାଲିଗଲେ ଏତେ ପଇସା କେଉଁଠି ମିଳିବ ? ଖାଇବା, ପିନ୍ଧିବା ଯୋଗାଡ଼ ହୋଇପାରିବ ? ଝିଅଟି ଚୁପ୍ ହୋଇଯାଇଥିଲା । ସତରେ ତ, ତା’ ପରି ଝିଅର ଅଭିମାନ ଗୋଟେ କ’ଣ ? ଖାଇବା ପିନ୍ଧିବାଟା ଖୁବ୍ ଗୋଟାଏ ବଡ଼ କଥା । ଏଇ ମିଛ ଆଲୁଅର ବିଷମୟ ପୃଥିବୀଠାରୁ ତା’ର ନିଜ ପ୍ରାପ୍ୟ ମାଗିବାଟା ଯେମିତି ଗୋଟାଏ ବିରାଟ ଭୁଲ୍ । ଆଉ ଏକ ଆଶ୍ଚର୍ଯ୍ୟ ପ୍ରଶ୍ନବାଚୀ । ତା’ ସ୍ୱପ୍ନର ଭିଟାମାଟିଟା ସବୁଦିନ ଖାଲି ପଡ଼ିଥିବ ଆଉ ସେଠି ଛୋଟ ଘରଟିଏ କେବେବି ଗଢ଼ି ହେବନି ?

ପ୍ରଥମେ ରାତୁସିଂ ଆସିଥିଲା ଏଇ ସହରକୁ । ତାର ଛୋଟ ଝୁପୁଡ଼ିର ଆଦର ନଥିଲା । ତାର ହାତ ତିଆରି ବରା, ପିଆଜି, ଚାଲୁ ଚାହା କାଟତି ନଥିଲା । ଝୁପୁଡ଼ି ଉପରେ ଧୂଆଁ ଦେଖାଯାଇ ପୁଣି ଲିଭି ଯାଉଥିଲା । ଦିନେ ଦୋକାନ ଚାଲିଲେ ଚାରିଦିନ ବନ୍ଦ ହୋଇ ରହୁଥିଲା । ସୌରଭ ଥିଲା ତା’ର ନିତିଦିନିଆ ଗ୍ରାହକ । ଶୀତ ସକାଳର କୁହୁଡ଼ିଆ ଚାଦର ତଳେ ଝୁପୁଡ଼ି ଭିତରେ ବସି ରାତୁସିଂର ଥରିଲା ଦୁର୍ବଳ ହାତରୁ ଚା’ କପ୍ ନେଲାବେଳେ କେମିତି ଗୋଟାଏ ଉଷ୍ମ ଉତ୍ତେଜନା ଆସୁଥିଲା । ରାତୁସିଂର ହାତଲେଖା ଗଳ୍ପ ପଢ଼ିବାପାଇଁ କେମିତି ଗୋଟଏ ହସ ଆଉ ଦୁଃଖର ମିଶାମିଶି ମହମରଙ୍ଗ ଟିକେ ତା’ ମୁହଁରେ ମିଶିଯାଉଥିଲା ଯାହା ପଢ଼ି ହେଉଥିଲା, ବୁଝି ହେଉନଥିଲା ।

ହଠାତ୍ ସମସ୍ତଙ୍କୁ ତାଜୁବ କରି ରାତୁସିଂର ଝୁପୁଡ଼ିକୁ ନୂଆକରି ଆସିଥିଲା ସେଇ ଝିଅଟି । ରାତୁସିଂ ମନରେ ତା’ହେଲେ ସାଇତା କିମ୍ୱଦନ୍ତୀଟିଏ ଥିଲା । ସେଇ ନିର୍ଜନ କୁହୁଡ଼ି ଭିତରେ ସୂର୍ଯ୍ୟ ଦେଖାଯାଉନଥିବା ଅନାତ୍ମୀୟ ସକାଳଟି କେଉଁ ଏକ ଅଜଣା ପରିତୃପ୍ତିରେ ଭରି ଉଠିଥିଲା । ରାତୁସିଂର ଝୁପୁଡ଼ି ଆଉ ଏକୁଟିଆ ମନେ ହେଲାନାହିଁ । ଗହଳ ଚହଳ ଲାଗି ରହିଲା । ତା’ ଝୁପୁଡ଼ିର ଧୂଆଁ ଉଠିଥିଲା ଅନେକ ଉପରକୁ । ସୌରଭ ରାତୁସିଂକୁ ଶୀତ କୁହୁଡ଼ିର ଆଲୁଅ ଭିତରେ ବି ବିଳମ୍ୱିତ ପ୍ରହରରେ ଆଉ ଏକୁଟିଆ ପାଇଲା ନାହିଁ । ରାତୁସିଂର ଜୀବନଟା ନୂଆ ଏକ ଥିଓରମ୍ ପାଲଟି ଗଲା । ରାତୁସିଂ ଭାରି କର୍ମମୁଖର ବ୍ୟସ୍ତ ମଣିଷଟେ ପାଲଟି ଗଲା । ତା’ର ହାଡୁଆ ଛାତି ତଳେ ନୂଆ ଏକ ସ୍ପନ୍ଦନର ସ୍ୱରଟିଏ ଶୁଣାଗଲା । ତା’ର ଶକ୍ତି ହାତ ପାପୁଲିରେ ସ୍ୱର୍ଗର ପ୍ରାଚୁର୍ଯ୍ୟ ଝରିପଡୁଥିଲା ମୁଠାମୁଠା । ସେ କେତେ ଶୀଘ୍ର ଏମିତି ସୁଖୀ ମଣିଷଟେ ପାଲଟି ଗଲା ଯେ ?

ଆଉ ତା’ର ଝୁପୁଡ଼ି ଲିପା ପୋଛା ହୋଇ ଚିକ୍କଣ ଦିଶୁଥିଲା । ତା’ ଭିତରେ ସେ ଝିଅଟି ଘରକାମ କରୁଥିଲା । ରାତୁସିଂ ଛୋଟିକାଟିଆ ଭାତ ହୋଟେଲଟେ ଖୋଲି ଦେଇଥିଲା । କିଏ କେମିତି ଚାଲି ଆସିଲେ ରାନ୍ଧିବାଢ଼ି ପରସି ହେଉଥିଲା ଝିଅଟି ।

ସେଦିନ ସୌରଭ ଯାଇଥିଲା ଝୁପୁଡ଼ିକୁ । ଭାରି ଶୁନ୍‌ଶାନ୍ ଲାଗୁଥିଲା । ଝିଅଟି କହିଲା, ଆଜିକାଲି ଦିନରେ ପ୍ରାୟ ଗରାଖ ଆସନ୍ତି ନାହିଁ । ଯିଏ ଆସନ୍ତି ରାତିରେ । ବାପା ଚା’ ଦୋକାନ ବନ୍ଦ କରିଦେଇଛି । ସୌରଭ ଲଜ୍ଜିତ ହୋଇ ପଡ଼ିଲା । ରାତୁସିଂ ଚା’ ଦୋକାନ ବନ୍ଦ କରିଦେଇଛି । ଅଥଚ ସେ ଆସିଥିଲା କେବଳ ଚା’ କପେ ପାଇଁ । ଝିଅଟି ପରିସ୍ଥିତି ବୁଝିଲା କି କ’ଣ, କହିଲା ଦୋକାନ ବନ୍ଦ ହେଲେ କ’ଣ ହେଲା, ଆପଣ କ’ଣ ଚା’ କପେ ନପିଇ ଚାଲିଯିବେ ? ବାପା ତ’ କହୁଥିଲା ଆପଣ ତାର ପ୍ରଥମ ଗ୍ରାହକ । ସୌରଭ ବାଧ୍ୟ ହୋଇ ଷ୍ଟୁଲ୍ ଉପରେ ବସିପଡ଼ିଲା । ଝୁପୁଡ଼ିବା ଭାରି ନିଛାଟିଆ ଲାଗୁଥିଲା । ବାହାରେ ଦେଖାଯାଉଥିଲା ଅପରାହ୍ନର ଉଦାସ ଆକାଶ । ଝୁପୁଡ଼ି ଭିତରେ ଠାଆକୁ ଠାଆ ନରମ ଖରା ଲେସି ହୋଇଯାଉଥିଲା । ସୌରଭ ବେଶୀ ବେଳ ବସିବାକୁ ଉଚିତ୍ ମନେ କଲାନାହିଁ । ରାତୁସିଂ ଯଦି ଆସି ପହଞ୍ଚିଯାଏ ତା’ହେଲେ କ’ଣ ଭାବିବ ? ସେ ଦିନର ସଉଦା ବନ୍ଦ କରି ରାତିପାଇଁ ଗରାଖ ଖୋଜୁଛି । ସୌରଭ ବ୍ୟସ୍ତ ହୋଇପଡ଼ିଲା ।

କେତେଗୁଡ଼ାଏ ଅନାବନା କଥାକୁ ଫେଣ୍ଟାଫେଣ୍ଟି କଲାବେଳେ ସେଇ ଝିଅଟି ସୁନ୍ଦର ଚା’ କପେ ଧରି ପହଞ୍ଚିଲା । ସେଦିନ ବି ଥିଲା ତା’ ଗଭାରେ ସେଇ ଅନାମିକା ବାସ୍ନାଭରା ଫୁଲ ପେନ୍ଥାଏ । ଝିଅଟି ମନକୁ ମନ କହୁଥିଲା ବାପା ଯାଇଛି ମାଂସ ଆଣିବାକୁ । ଶୀଘ୍ର ରନ୍ଧାରନ୍ଧା କଲେ ସେମାନେ ଆସିବେ ।

ସୌରଭ ଚମକି ପଡ଼ିଲା । ତାକୁ କେମିତି ଅଣନିଶ୍ୱାସୀ ଲାଗିଲା । ଚା’ କପ୍ର ଦାମ୍ ଦେଲାବେଳେ ଝିଅଟି ମନାକଲା । କହିଲା ଆପଣଙ୍କ ଠାକୁର ପରା ଜଗନ୍ନାଥ । ମତେ ସେଥିରୁ ଗୋଟେ ଆଣିଦେବେ । କ’ଣ କହୁଛି ଏଇ ଅଣ ଓଡ଼ିଆ ଝିଅଟା ! ସୌରଭର ଭାରି ଇଚ୍ଛା ହେଉଥିଲା ଝିଅଟିକୁ ଟିକେ ସାହାଯ୍ୟ କରନ୍ତା । ଟିକେ ସହାନଭୁତି ଦେଖାନ୍ତା । ଆସନ୍ନ ସନ୍ଧ୍ୟାର ଆଲୁଅ ଭିତରେ ଝିଅଟା କେମିତି ଭାରି ଦୁଃଖୀ ଦୁଃଖୀ ମନେହଲା । ସୌରଭ ତା’ ପରଠାରୁ କେବେବି ସେ ଝୁପୁଡ଼କୁ ଯାଇନଥିଲା କି ଜଗନ୍ନାଥଙ୍କ ଫଟେଟିଏ ତାକୁ ଉପହାର ଦେଇନଥିଲା । ତାର ସେ ଝିଅପାଇଁ ଏତେ ମୁଣ୍ଡ ଖେଳେଇଲା କ’ଣ ଦରକାର ଯେ ? ବାପ ହୋଇ ଝିଅଟାକୁ ଯେତେବେଳେ କଂସେଇ ପରି ଓଜନ କରିବା ଶିଖିଛି, ସେ ଏଥିପାଇଁ କାହିଁକି ବ୍ୟସ୍ତ ହେବ ?

କ’ଣ କରୁଥିବ ଝୁପୁଡ଼ିର ସେଇ ଝିଅଟା ! ଯିବକି ଥରେ ସେ ଝୁପୁଡ଼ିକୁ । ରାତ୍ରୀର ଗ୍ରାହକ ହିସାବରେ ନାମ ଲେଖାଇ ତା’ ମନର ଖୋରାକ ଆଦାୟ କରିଦେବ ଆଉ ତା’ ରୁମ୍‌ର ଅନ୍ଧାର ଭିତରେ ଶପନର କୁହୁଡ଼ିରେ ହଜିଯିବ । ଏ ରାତିର ଅନ୍ଧାର, ଅନାମିକା ଫୁଲର ବାସ୍ନା ଆଉ ସେ ଝୁପୁଡ଼ିର ଝିଅଟାକୁ ନେଇ ବେଶ୍ ଗୋଟାଏ ଗପ ଲେଖା ଯାଇପାରନ୍ତା ।

ସୌରଭ ଚାଲିବାକୁ ଲାଗିଲା । ମୁଣ୍ଡ ଓ ଉପରେ ନିଃଶବ୍ଦ ଆକାଶର ବହଳ ଅନ୍ଧାର ନଇଁ ଆସୁଛି । ଦୂରରୁ ରିଫ୍ୟୁଜ୍ କଲୋନୀର ଆଲୁଅ ଦେଖାଯାଉଛି । ଘରେ ପହଞ୍ଚି ଲାଇଟ୍ ଲଗାଇ ସେ ଘଡ଼ି ଦେଖିଲା । ଏଗାରଟା ବାଜିବାକୁ ଆଉ କେତେ ମିନିଟ୍ ବାକି । ଏତେ ରାତିରେ ଆଉ ଖାଇବାକୁ ଇଚ୍ଛା ହେଲାନାହିଁ । ସେ ଗ୍ଲାସେ ପାଣି ପିଇଲା ଆଉ ଚାହିଁରହିଲା ମେଘର ଝରକା ଭିତରେ ଅସହାୟ ତାରା କେତୋଟିକୁ । ଆଜି ସେ ଝୁପୁଡ଼ିର ଝିଅଟାକୁ ନେଇ ନିଶ୍ଚୟ ଲମ୍ୱା ଗପଟିଏ ଲେଖିବ ଆସନ୍ତା କାଲିର ରୁଗ୍ଣ ସକାଳଟି ଆସିବା ଆଗରୁ । ତା’ର ଆଖି ପଡ଼ିଲା ଚନ୍ଦନ କାଠର ମୂର୍ତ୍ତି ଉପରେ । ଝୁପୁଡ଼ିର ସେଇ ଝିଅଟା ଜଗନ୍ନାଥଙ୍କ ମୂର୍ତ୍ତି କି ଫଟୋଟିଏ ମାଗୁଥିଲା । କ’ଣ ସେ ଝିଅଟାର ନାଁ କେଜାଣି ? ସୌରଭ ଉଠିଲା । କ’ଣ ଭାବି ଧୂପଦାନୀରେ ଧୂପ ସଜେଇ ଦେଲା ଆଉ ଭାବିଲା ଏଇ ଜଗନ୍ନାଥ ମୂର୍ତ୍ତିଟା କେବେ ଯାଇ ସେ ଝିଅଟାକୁ ଦେଇଦେବ । ପରେ କେବେ ମୂର୍ତ୍ତିଟାଏ କିଣି ପୂଜା କଲେ ଚଳିବ । ତା’ପରେ ସେ ଲେଖିବାକୁ ଆରମ୍ଭ କଲା ଭଙ୍ଗାରୁଜା ଅନୁଭୂତି ଆଉ ତା’ ମନର ଛିଣ୍ଡା ଛିଣ୍ଡା ଅବୁଝା ଅବଶୋଷକୁ ନେଇ ।

ବାହାରେ କିଏ ଗୋଟିଏ କାନ୍ଦୁଥିଲା । ସୌରଭର ଗପ ଲେଖା ବନ୍ଦ ହୋଇଗଲା ଅଧାରୁ । ସେ ଫେରି ଆସିଲା ସେଇ ନିଷ୍ଠୁର ପୃଥିବୀର ବାସ୍ତବ ଫାଟକ ପାଖକୁ ।

କବାଟ ଖୋଲି ସେ ଚମକି ପଡ଼ିଲା । ଝୁପୁଡ଼ିର ସେଇ ଝିଅଟି ଗୁମୁରି ଗୁମୁରି କାନ୍ଦୁଥିଲା ଯାହାକୁ ନେଇ ସେ ଗପ ଲେଖୁଥିଲା । ଅନ୍ଧାରେ କିଛି ଲୋକ ଦୌଡ଼ି ପଳାଉଥିଲେ । ଝିଅଟି ଘରକୁ ଫେରିବାକୁ ମଙ୍ଗୁନଥିଲା । କାନ୍ଦିକାନ୍ଦି କହୁଥିଲା, ସେ ହୋଟେଲ ବାଲାଟା ଆସିଥିଲା । କହିଲା, ଚାଲ ମୋ ସାଙ୍ଗରେ, ନହେଲେ ତୋ ଝୁପୁଡ଼ି ପୋଡ଼ିଦେବି । ଜାଳିଦେବି । ବାପା ବି ସେମାନଙ୍କ କଥାରେ ରାଜି ହୋଇଯାଇଛି । ସକାଳ ନହେଉଣୁ ମୁଁ ଚାଲିଯିବି । ମତେ ରାତିଟେ ଆଶ୍ରା ଦିଅନ୍ତୁ ବାବୁ । କେହି ଜାଣିବେ ନାହିଁ ।

କେଉଁ ଭାଷାରେ ତାକୁ ବୁଝେଇବ ସୌରଭ । କାନ୍ଥ ଉପରେ ଜଗନ୍ନାଥଙ୍କ ମୂର୍ତ୍ତି । ଏକ ଲୟରେ ଚାହିଁ ରହିଛି । ଚଟାଣ ଉପରେ ଗାଲରେ ହାତ ଦେଇ ବସିଛି ଝୁପୁଡ଼ିର ସେଇ ଝିଅଟି । ଗୋଟିଏ ପୁରୁଷକୁ ଅବିଶ୍ୱାସ କରି ଆଉଗୋଟିଏ ପୁରୁଷକୁ ଆଶ୍ରୟ ମାଗୁଛି ରାତିଟିଏ ପାଇଁ ।

ଲୋକପ୍ରିୟ ଲେଖା

To Top