ଗଳ୍ପ

ଶାଶୁ

Anasuya Panda's odia story Shashu

ଏଇ ଦେଖୁନୁ, ମତେ ଗ୍ରୀନ କଲର ବିଲକୁଲ ପସନ୍ଦ ନୁହେଁ, ହେଲେ ସେ ଜବରଦସ୍ତ କଲେ ମତେ ଏଇ ଶାଢୀ ପିନ୍ଧିକି ଆସିବାକୁ ।

ଶାଶୁ

ଡ୍ରେସିଙ୍ଗ ଟେବୁଲ ସାମ୍ନାରେ ମେକଅପ୍‌ର ଫିନିସିଙ୍ଗ ଟଚ୍‌ ଦେଲାବେଳେ ପଛପଟରୁ ପରଦା ଫାଙ୍କରେ ଉଙ୍କି ମାରୁଥିବା ମୁହଁ ଟି ଦେଖି ଚଢା ଗଳା ରେ ପ୍ରଶ୍ନ କଲା ସୁଧନ୍ୟା , “କଣ ହେଲା?” ନାଇଁ , କିଛି ନୁହେଁ , ଅମୃତାଞ୍ଜନ ଡବା ଟା କୋଉଠି ଅଛି ପାଉନି ତ , ସେଇଟାକୁ ଖୋଜୁଥିଲି । ବିରକ୍ତି ଭାବରେ ଶାଢୀ ର କାନି କୁ ଝାଡି ଦେଇ କପବୋର୍ଡ଼ରୁ ଅମୃତାଞ୍ଜନ ଡବା ବାହାର କରି ଏକ ରକମ କଚି ଦେଲା ସେ ଖଟ ଉପରେ ଆଉ ରାଗ ତମ ତମ ହେଇ ବାହାରକୁ ବାହାରିଗଲା । ଗଲାବେଳେ କହିଗଲା, ତମେ ଖାଇଦବ । ମୁଁ ଆଜି ବାହାରେ ଖାଇବି ।

ଆଜି କଲେଜ ସାଙ୍ଗ ମାନଙ୍କ ଗେଟ ଟୁଗେଦର । କଲେଜ ଛାଡିବା ପରେ ସମ୍ପର୍କ ଗୁଡା ମହଳଣ ପଡି ଆସୁଥିଲା, ଏଇ ସୋସିଆଲ ମିଡିଆରେ ସକ୍ରିୟତା ପୁଣି ସମସ୍ତଙ୍କୁ ଏକାଠି ହେବା ପାଇଁ ସୁଯୋଗ ସୃଷ୍ଟି କରିଦେଲା । ଫୋନ କଲ ଆଉ ହ୍ୱାଟ୍ସଆପ୍‌ରେ ଭେନ୍ୟୁ ଆଉ ମେନୁ ସବୁ ଫାଇନାଲ ହେଇଗଲା । ଜଣ ଜଣ କରି ସମସ୍ତେ ଠିକ ସମୟରେ ପହଞ୍ଚି ଗଲେ । ହେଲେ ସ୍ଵପ୍ନାର ଦେଖା ନାହିଁ । ଆରେ , କଣ ହେଲା ? ତାକୁ ଫୋନ କର , ସ୍ମୃତି କହିଲା । “ଥାଉ, ଦରକାର ନାହିଁ , ସେ ଆଉ ଘଣ୍ଟେ ପରେ ଆପେ ଆସି ପହଞ୍ଚିଯିବ । ତା’ଶାଶୁ ପୁରା ଲେଡି ହିଟଲର । ପାନରୁ ଚୂନ ଖସିବନି ବୁଢୀର । ବିଚରା ସ୍ଵପ୍ନା ସବୁଦିନ ରାତି ଚାରିଟାରୁ ଉଠି ଗାଧୋଇ ପୂଜା ପାଠ କରିବ, ଘରର ସବୁ କାମ ସାରିବ, ବୁଢୀ ଲାଗି ଚା’ , ଜଳଖିଆ, ଲଞ୍ଚ ଥୋଇଦେଇ ଅଫିସ ଯିବ , ଅଫିସ୍‌ରୁ ଫେରିଲା ବେଳକୁ ବୁଢୀ ଗୋଡ ଟେକି ବସିଥିବ ପୁଣି ଚା’, ଜଳଖିଆ ଅପେକ୍ଷାରେ । କାମବାଲି ରଖିବାର ଘୋର ବିରୋଧୀ, ଏଣେ ନିଜେ କୁଟା ଖଣ୍ଡ କୁ ଦି ଖଣ୍ଡ କରିବନି ବୁଢୀ । କହିବ, ଆମେ ସବୁ ତ ପୁଣି କେତେ କାମ କରୁଥିଲୁ, ତମେ ଏମିତି କଣ କରିପକାଉଚ କି ? ମୁଁ ତା’ ଘର କୁ ଥରେ ଦି’ ଥର ଯାଇଛି, ସେ ମୋ ଆଗରେ ବଡ ଦୁଃଖରେ ଏ କଥା କହିଥିଲା । ଖାଲି ଏତିକି ନୁହେଁ, କୁଆଡେ ଯିବ, କେତେବେଳେ ଫେରିବ, କେତେ ପଇସା କୋଉ ବାବଦରେ ଖର୍ଚ୍ଚ ହେଲା, ବାପ ଘରୁ କିଏ ଆସିଲା, କିଏ ଗଲା, ଏସବୁ ର ସବିଶେଷ ବିବରଣୀ ବୁଢୀକୁ ଦେବାପାଇଁ ବି ପଡିବ । ପ୍ରାଇଭେଟ ଚାକିରି ରେ ଯେମିତି ଟେନସନ, ସ୍ଵପ୍ନା ପୁରା ପେଷି ହେଇଯାଉଛି ।” ଏକାଥରକେ ଏତକ କଥା କହି ପକାଇ ଦମ ନେଲା ସ୍ଵାତି । ତା’ର ସାରଗର୍ଭକ ଭାଷଣରେ କେହି କେହି ହସିଲେ ଆଉ କିଛି ଜଣ ଦୀର୍ଘଶ୍ଵାସ ନେଲେ । ଆଚ୍ଛା, ତୋ ଶାଶୁ ତ ଭଲ ହେଇଥିବେ ନା ? ସ୍ଵାତିକୁ ପ୍ରଶ୍ନ କଲା ସ୍ମୃତି । ଏଥରକ ସ୍ଵାତି ମୁହଁ ଟା ଟିକେ ଝାଉଁଳି ପଡିଲା । କହିଲା, ହଁ , ଭଲ ଯେ………ସତ କଥା ହଉଛି ଦରକାର ଠାରୁ ଅଧିକ ଭଲ , ଅଧିକ ଦେଖେଇହେବା ଲୋକ ସିଏ । ତୁ ତ ଜାଣିଛୁ, ଶଶୁର ଭଲ ଚାକିରି କରିଥିଲେ, ତାଙ୍କର ପେନସନ, ଅଲଗା ଇନକମ, ସବୁ ଶାଶୁଙ୍କ ପାଖରେ । ମୋର ରୂଚି କଣ, ମତେ କଣ ଭଲ ଲାଗେ, ସେଥିରେ ତାଙ୍କର କିଛି ଯାଏ ଆସେ ନାହିଁ , ନିଜ ଇଚ୍ଛାରେ ଖାଲି ଶାଢୀ, ଗହଣା, ୟାଡୁ ସ୍ୟାଡୁ ଆଣି ଗଦା କରିବେ ଆଉ ଯିଏ ଘରକୁ ଆସିଲା ତାକୁ ଦେଖେଇବେ, ବୋହୁ ଲାଗି ଏତେ ସବୁ ସଜ ସରଞ୍ଜାମ ଆଣୁଛନ୍ତି ବୋଲି । ଯୁଆଡିକି ଗଲେ ବୋଝେ ଗହଣା ମଣ୍ଡି ହେଇ ଯିବାକୁ ବାଧ୍ୟ କରିବେ । ତାଙ୍କରି ଇଚ୍ଛା ମୁତାବକ ରୋଷେଇ ହବ, ନହେଲେ ସେ ନିଜେ କରିପକାଇବେ, ଆଉ ସେ କଥା ସାହି ପଡିଶାଙ୍କୁ ବଖାଣିବେ ଯେ ଆଜିକାଲି ଅମୁକ ଜିନିଷ ଟା ଖାଇବା ଭଲ, ମୋ ବୋହୁ କରିପାରିବନି ତ, ସେଥିପାଇଁ ମୁଁ ନିଜେ କରିଦେଲି । ଏମିତିକି କୋଉ ଫିଲ୍ମ ଦେଖିବାକୁ ଯିବୁ, ସେ ନିଷ୍ପତ୍ତି ସେଇ ନେବେ ଆଉ ଟିକେଟ ବି ସେ କରାଇଦେଇଥିବେ । ଏଇ ଦେଖୁନୁ, ମତେ ଗ୍ରୀନ କଲର ବିଲକୁଲ ପସନ୍ଦ ନୁହେଁ, ହେଲେ ସେ ଜବରଦସ୍ତ କଲେ ମତେ ଏଇ ଶାଢୀ ପିନ୍ଧିକି ଆସିବାକୁ । ଏଣେ ମୁଁ ଏଠିକି ଆସିବି ବୋଲି ସକାଳୁ ଅତି କମରେ ଦଶ ଜଣଙ୍କୁ ଫୋନରେ କହିସାରିଛନ୍ତି, ମାନେ, ମୁଁ ବୋହୁକୁ ଏମିତି ଭଲପାଏ ଆଉ ଏତେ ଫ୍ରିଡମ ଦେଇଛି । ସ୍ଵାତି କଥାରେ ମୁଣ୍ଡରେ ହାତ ଦେଇଦେଲା ସ୍ମୃତି । କହିଲା, ଆରେ ବାପରେ, ତୋ ଶାଶୁ ତ ବଡ ସାଂଘାତିକ ଲୋକ । ତୋର ସ୍ଵାମୀ କିଛି କୁହନ୍ତିନି ? ଆରେ, ତାଙ୍କ କଥା କହନା । ଯଦି କେବେ ମୁଁ ଏଇ କଥା କହେ, ସେ କହିବେ, “ମାମା ତ ଆମର ଭଲ ପାଇଁ ଏସବୁ କରୁଛନ୍ତି, ତା’ଛଡା ତମ ସ୍ତ୍ରୀ ଲୋକ ମାନଙ୍କର ଗୋଟେ ଅଭ୍ୟାସ ଶାଶୁ ମାନଙ୍କ ବିରୋଧରେ କହିବା, ବୋଧହୁଏ ତମେ ବାହାହୋଇ ଆସିଲା ବେଳେ ଏସବୁ ଟ୍ରେନିଂ ନେଇକି ଆସିଥାଅ । ” ଏମିତି କଥାର ମୁଁ କଣ ଉତ୍ତର ଦେବି କହିଲୁ ?

ମୋର କିନ୍ତୁ ପୁରା ଫଣ୍ଡା କ୍ଲିୟର । କହିଲା ସ୍ମୃତି । ପାଖରେ ରଖିବାର ନାହିଁ କି ଏତେ ଟେନସନ ନବାରେ ନାହିଁ । ବର୍ଷରେ ଥରେ ଦୁଇ ଥର ତାଙ୍କୁ ଗାଁ ରୁ ନେଇଆସେ, ଦଶ ପନ୍ଦର ଦିନ ରଖେ । ତାଙ୍କ ଖୁସି ମୁତାବକ ରନ୍ଧାବଢା ଆଉ ଟିକିଏ ବୁଲାବୁଲି କରେଇଦେଲେ ସେ ପୁରା ଖୁସ । ଯେତେବେଳେ ଟିକିଏ କଥା କଟା କଟି ହେବାର ସମ୍ଭାବନା ଆସେ, ତାଙ୍କୁ ପ୍ଳାନ କରି ଗାଁ ରେ ଛାଡିଦେଇ ଆସେ । ଦେହ ମୁଣ୍ଡ ହେଲେ ସଙ୍ଗେ ସଙ୍ଗେ ମେଡିସିନ ପଠାଇଦିଏ । ଛୁଟି ଦିନ ଦେଖି କେତେବେଳେ କେମିତି ଚାରି ପାଞ୍ଚ ଦିନ ଗାଁ କୁ ଯାଏ, ପୁରା ସୁନା ବୋହୁ ଭଳି ସମସ୍ତଙ୍କ ସଙ୍ଗେ ମିଶିକି ଚଳିଯାଏ । ବାସ , ଆଉ ଅଧିକ କିଛି କରିବା ଦରକାର ନାହିଁ ।

ସ୍ମୃତି କଥାରେ ତାଳ ଦେଇ ଆଉ ଦୁଇ ଚାରି ଜଣ ବି ବଖାଣିଲେ , ସେମାନଙ୍କ ଶାଶୁମାନଙ୍କ ବିଷୟରେ । କାହା ଶାଶୁକୁ ଯେତେ ଭଲ ରୋଷେଇ କରି ଦେଲେ ମଧ୍ୟ କେମିତି ଋଚେ ନାହିଁ ତ ଆଉ କାହା ଶାଶୁ କେମିତି ମୁହଁ ଶୁଖାଇ ବସନ୍ତି, ଯଦି ତା’ ସ୍ଵାମୀ ତା’ ଲାଗି ଶାଢୀ କି ଆଉ କିଛି ନେଇ ଆସନ୍ତି ଏବଂ ସେଇ କଥା ନେଇ ତା’ ଶାଶୁ ପରୋକ୍ଷରେ ଦୁଇ ଚାରି ପଦ କହିବାକୁ ଭୁଲନ୍ତିନି ଇତ୍ୟାଦି ଇତ୍ୟାଦି । ସୁଧନ୍ୟା ଏସବୁ କଥା ବସି ଚୁପଚାପ ଶୁଣୁଥିଲା ଆଉ ନିଜ ସଙ୍ଗେ ତଉଲୁଥିଲା ।

ଆଚ୍ଛା , ଧନ୍ୟା, ତୋ ଖବର କଣ ? ସୁଧନ୍ୟାକୁ ପଚାରିଲା ସ୍ମୃତି । ସଙ୍ଗେ ସଙ୍ଗେ ସ୍ଵାତି କହିପକାଇଲା, ଆରେ ତା’ କଥା ତ ନିଆରା । ମାଉସୀ ତ କେବେ ପାଟି ଖୋଲନ୍ତି ନାହିଁ । ଟିକିଏ ଗାଉଁଲିଆ ଲୋକ ତ !! ଧନ୍ୟାର ପୁରା ରାଜୁତି ତା’ ଘରେ । ସ୍ଵାତିର ଏଇ ଦୁଇ ପଦ କଥାରେ ଯେମିତି କରେଣ୍ଟ ଲାଗିଗଲା ସୁଧନ୍ୟା ଦେହରେ । ସେଇ ମୁହୂର୍ତ୍ତରେ ଭୀଷଣ ରାଗ ହେଲା ତା’ର ବାପାଙ୍କ ଉପରେ । ଖାଲି ଭଲ ଚାକିରି ଦେଖି କଣ କିଏ ଝିଅ ଦେଇଦିଏ ? ପରିବାର ବି ଦେଖିବା ଦରକାର ନା ନାହିଁ ? ତା’ର ଶ୍ରୀମୟଙ୍କ ସଙ୍ଗେ ପ୍ରସ୍ତାବ ପଡିବାବେଳେ ମାମା ବାପାଙ୍କୁ ଠିକ ଏଇ ପ୍ରଶ୍ନ କରିଥିଲେ, ହେଲେ ବାପା ସିଧା ସଳଖ ଉତ୍ତର ଦେଇଥିଲେ, “ତମେ କଣ ତମ ଝିଅ କୁ ଜାଣିନ ? ପରିବାର ଭିତରେ ଚଳିବାଟା ତମେ ତାକୁ ଶିଖେଇଚ?” ଏତିକିରେ ମାମା ଚୁପ ପଡିଯାଇଥିଲେ ।

ବାହାଘର ପରେ ଶ୍ରୀମୟ ତାକୁ ଅନୁରୋଧ କରିଥିଲେ, “ଧନ୍ୟା, ମୋ ମା’କୁ କେବେ ବି କିଛି କହିବ ନାହିଁ । ବହୁତ କଷ୍ଟରେ ସେ ମତେ ମଣିଷ କରିଛି । ତା’ ଲାଗି ତମର କିଛି କରିବା ଦରକାର ନାହିଁ , ସେ ନିଜେ ସବୁ କରିପାରିବ । କିନ୍ତୁ ଟାଣ କଥା କହିଲେ ସେ ବହୁତ ଦୁଃଖ ପାଇବ । ” ଶ୍ରୀମୟଙ୍କ କଥାକୁ ସୁଧନ୍ୟା ଅବଶ୍ୟ ଏ କାନରେ ପୁରାଇ ସେ କାନରେ ଛାଡି ଦେଇଥିଲା ଆଉ ଶାଶୁଙ୍କର ଛୋଟ ଛୋଟ ଭୁଲରେ ବିରକ୍ତ ହେଇ ବଡପାଟି କରିବାକୁ ଭୁଲୁନଥିଲା । ସେ ପରିସ୍ଥିତିରେ ଶ୍ରୀମୟଙ୍କ ଅସହାୟ ମୁହଁ କୁ ବି ତା’ର ଖାତିର ନଥିଲା । ଆଜି ସ୍ଵାତିର ଏଇ “ଗାଉଁଲିଆ” ଶବ୍ଦରେ ତା’ର କଟା ଘା’ରେ ଯେମିତି ଚୂନ ଲାଗିଗଲା, ଭାରି ଅପମାନିତ ଲାଗିଲା ତାକୁ । ସାଙ୍ଗ ମାନଙ୍କ ସହିତ ପରବର୍ତ୍ତୀ ଘଣ୍ଟେ ଦୁଇ ଘଣ୍ଟା ବିତାଇବା କଷ୍ଟକର ହେଇଗଲା , ଖାଲି ସେଇ “ଗାଉଁଲିଆ” ଶବ୍ଦ ତା’ ମୁଣ୍ଡ ଭିତରେ ଟାଇଁ ଟାଇଁ ହେଇ ବାଜିଲା ।

ହୋଟେଲରୁ ଘରକୁ ଏକ ମୁହାଁ ହେଇ ଆସି ଶାଢୀ ନ ବଦଳାଇ ଖଟ ଉପରେ ରାଗ ଆଉ କ୍ଷୋଭରେ ଗଡିପଡିଲା ସୁଧନ୍ୟା । କେତେବେଳେ ଆଖି ଲାଗିଯାଇଛି, ସେ ଜାଣିନି । ତା’ ଗୋଡରେ କାହାର ଟାଁସିଆ, ହାଡୁଆ ହାତର ସ୍ପର୍ଶ ରେ ଚମକି ଯାଇ ଉଠିପଡିଲା ସିଏ । ଦେଖିଲା, ଶାଶୁ ତା’ ପାଦ ଚିପି ଦଉଛନ୍ତି । “ଆଜି ବହୁତ ହାଲିଆ ହେଇ ଯାଇଚ କି ମା ? ଦେହ ଭଲ ଲାଗୁନି ? ସନ୍ଧ୍ୟାବେଳେ କେବେ ଏମିତି ଶୋଇବା ତ ମୁଁ ଦେଖିନି ?” ପ୍ରଥମ ଥର ଲାଗି ସୁଧନ୍ୟା ମନ ଭିତରଟା ଶାଶୁଙ୍କ ପାଇଁ ଓଦା ହେଇଗଲା । ସକାଳେ ରାଗରେ ଅମୃତାଞ୍ଜନ ଡବା କଚି ଦେଇ ଯାଇଥିବା କଥା ମନେ ପଡିଗଲା ତା’ର । ଆଖି କୋଣରୁ ନିଗିଡି ଆସୁଥିବା ଠୋପାଏ ପାଣିକୁ ବିଶି ଆଙ୍ଗୁଠିରେ ପୋଛି ଦେଇ କହିଲା, ତମର ମୁଣ୍ଡ ବିନ୍ଧା ଭଲ ହେଇଗଲା ? ଚାଲ, ତମ ପାଇଁ ଚା’ ତିଆରି କରିଦେବି ।

ଗ୍ୟାସ ଷ୍ଟୋଭ ଉପରେ ସସପେନ୍‌ରେ ଚା’ ଫୁଟୁଥିଲା, ସୁଧନ୍ୟାର ଆଖି ଜାଲୁଜାଲୁଆ ହେଇ ଯାଉଥିଲା ଅମାନିଆ ଲୁହରେ, ସେ ଲୁହ ଅନୁତାପ୍‌ର । ଆଜି ଯାଏଁ କେତେ କଥା ସେ ଏଇ ବୁଢୀ ମଣିଷଟିକୁ କହିଛି, ହେଲେ ସେ ଦିନେ ପାଟି ଫିଟାଇ ନାହାନ୍ତି । ଅଥଚ ସାଙ୍ଗ ମାନଙ୍କ ଶାଶୁ ମାନେ ??????? ତା’ ଇଚ୍ଛା ହେଉଥିଲା, ଚିଲେଇ ଚିଲେଇ ସାଙ୍ଗ ମାନଙ୍କୁ କହିବାକୁ : “ସମସ୍ତଙ୍କ ଜୀବନ କାହାଣୀରେ ଶାଶୁ ଚରିତ୍ରଟି ଖଳନାୟିକା ର ନୁହେଁ ”

ଲୋକପ୍ରିୟ ଲେଖା

To Top