ଗଳ୍ପ

ଶୀତ ରାତିର ବର୍ଷା

ଦେହରେ ଦେହ ବାଜିଲେ ବି ସେ ପାଲଟି ଯାଇଥାଆନ୍ତି ପଥର । ଅନ୍ଧାରର ଆହ୍ୱାନ ନୁହେଁ ବରଂ ଦେହର ଆଦେଶରେ ଛନ୍ଦାକୁ ଉଣ୍ଡାଳନ୍ତି ସେ କେବେ କେବେ ।

ଶୀତ ରାତିର ବର୍ଷା

ସନ୍ଧ୍ୟାରେ ପାଗଟା ବେଶ୍ ଭଲ ଥିଲା । ସାରା ଆକାଶଟା ପୁରା ସଫା ଦିଶୁଥିଲା । ଆକାଶରେ କେଉଁଠି କେଉଁଠି ଗୋଟେ ଜୋଡ଼େ ତାରା ବି ଦିଶୁଥିଲେ । ହଠାତ୍ କ’ଣ ହେଲା କେଜାଣି ବଦଳି ଗଲା ପାଗ । ସଫା ଆକାଶଟା କାଳିଆ ଦିଶିଲା । ଚିକ୍ ଚିକ୍ ବିଜୁଳିରେ ପୁରି ଉଠିଲା ସାରା ଆକାଶ । ଘୋଟି ଆସିଲା କଳାହାଣ୍ଡିଆ ମେଘ । ଥଣ୍ଡା ପବନରେ ଥରି ଉଠିଲେ ଗଛପତ୍ର । ପରେ ପରେ ଗାଳି ଦେଇଗଲା ବର୍ଷା । ପ୍ରଥମେ ଝିପ୍‌ଝିପ୍ ପୁଣି ଧମ୍‌ଧମ୍ । ସାରା ସହରଟା ଭିଜିଗଲା । ବେଡ୍ ରୁମରେ ଶୋଇ ଶୋଇ ଗୋଟେ ମାଗାଜିନରେ ପୃଷ୍ଠା ଓଲାଟାଉ ଥିଲା ଛନ୍ଦା । ଝରକା ଫାଙ୍କରେ ଆକାଶର ମନକଥା ପଢୁପଢୁ ମେଘର ପାଦ କଚାଡ଼ିବାର ଶବ୍ଦରେ ଚମକିପଡ଼ିଲା ସେ । ନିଜ ବେଡରୁମ୍‌ ବର୍ଷାଛୁଆଁରୁ ଦୂରେଇ ରଖିବାକୁ ଉଦ୍ୟମ କରି ଝରକାର କାଚ କବାଟକୁ ହାତ ପୁରେଇ ଭିଡ଼ି ଆଣିଲା ନିଜ ଆଡ଼କୁ । ପବନରେ ଥରେ ଦୁଇଥର ହାତରୁ ଖସିଯାଇ କାଚ କବାଟଟା ଧଡଧାଡ୍ ପିଟି ହୋଇଗଲା କାନ୍ଥରେ । କବାଟକୁ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ଝରକାର ଆଉ ଟିକେ ପାଖକୁ ଲାଗିଗଲା ଛନ୍ଦା । ଝରକାର ରେଲିଂ ଉପରେ କହୁଣୀକୁ ଭରା ଦେଇ ଭିଡ଼ି ଧରିଲା ଝର୍କା କବାଟକୁ । ବଦ୍‌ମାସ୍ ବର୍ଷା ବି କୋଉ ଛାଡ଼ିବା ଜନ୍ତୁ । ଛନ୍ଦାକୁ ଦେଖି ବର୍ଷା ବି ଲୋଭ ସମ୍ଭାଳି ପାରିଲାନି ବୋଧେ । ଦି’ଚାରି ଠୋପା ଛିଞ୍ଚି ଦେଲା ଛନ୍ଦାର ସଦ୍ୟ ମେହେନ୍ଦିକରା ପାପୁଲି ଉପରେ । ଓଦା ଜଡ଼ସଡ଼ ହୋଇଗଲା ଛନ୍ଦାର ଗୋରା ଗୋରା ହାତ ଦୁଇଟି । ହାତ ଉପରେ ପଡ଼ିଥିବା ଅଦିନ ବର୍ଷା କେଇ ଠୋପା ମଖମଲି କନା ଉପରେ ମୋତି ବିଛାଡ଼ି ହୋଇ ପଡ଼ିଥିବାର ଭ୍ରମ ସୃଷ୍ଟି କରୁଥିଲା ।

ନାରୀ ଦେହକୁ ଛୁଇଁଲେ ବର୍ଷା ଆପଣା ଛାଏଁ ପାଲଟି ଯାଏ ମୁକ୍ତା । ପୁଣି ବର୍ଷା ନାରୀକୁ ଉସକାଏ । କୁତୁକୁତୁ କରେ । ଚୁମୁଟି ଦିଏ । ଛାତି ତଳେ ଛାଡ଼ି ଦେଇ ଯାଏ କୁନି ଦରଜଟାଏ । ଯେଉଁ ଦରଜ ମନମଣିଷର ସ୍ପର୍ଶର ସ୍ମୃତିକୁ ତାଜା କରିଦିଏ । ଦେହରେ ବୋଳି ହୋଇ ମନେ ପକାଇଦିଏ ପହିଲି ଛୁଆଁର କଥା । ସେଇଥିପାଇଁ ବୋଧେ ବର୍ଷା ନାରୀର ଅତି ଆପଣାର । ସଖୀ ପରି । କେହି ଜଣେ ନିହାତି ଆପଣାର ମଣିଷ ପରି । ଯାହା ପାଖରେ ସେ ଖୋଲି ଦେଇପାରେ ନିଜ ମନତଳର ସବୁ କୋହ । ଯାବତୀୟ ଅନ୍ତର୍ବେଦନା । ସୁଯୋଗ ପାଇଲେ ଏକାନ୍ତରେ ବର୍ଷା ଆଗରେ ବଖାଣି ବସେ ନିଜ ଜୀବନର ଅନେକ ଅକୁହାକଥା । ହୁଏତ ସେଇଥିପାଇଁ ନାରୀ ଭଲ ପାଏ ବର୍ଷାକୁ ।

ଛନ୍ଦା କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ବା କେମିତି ଘଟିଥାଆନ୍ତା । କାଚ କବାଟ ହଳକୁ ନିଜ ଆଡ଼କୁ ଟାଣି ଆଣୁ ଆଣୁ ଛନ୍ଦା ପାଟିରୁ ବାହାରି ପଡ଼ିଲା “ଓଃ କି ଶାନ୍ତି ।” କ’ଣ ଭାବିଲା କେଜାଣି ଯେଉଁ ହାତରେ ଝରକାକୁ ନିଜ ହାତରେ ଟାଣି ଧରିଥିଲା ସେହି ହାତକୁ କୋହଳ କରିଦେଲା । ନିଜଠୁ ଦୂରକୁ ପେଲିଦେଲା ଝର୍କାକୁ । ପାପୁଲି, ହାତ ପୁଣି କହୁଣି ଏମିତି ସବୁ ଭିଜିଗଲା ବର୍ଷାରେ । ଫେବୃଆରୀ ମାସରେ ଏ ବର୍ଷା ଥକି ପଡ଼େ ମୁହଁ ଫେରାଇ ନେଇଥିବା ଶୀତକୁ ପୁଣି ଡାକି ଆଣିଲା । ଫେରାଇ ଆଣିଲା ଅଧା ବାଟରୁ । ହଠାତ୍ ବଢ଼ିଗଲା ଶୀତ । ଥରିଗଲା ସାରା ସହର । ଥଣ୍ଡାପବନ ମେଞ୍ଚାଏ ଛନ୍ଦାର ମୁହଁରେ ପିଟି ହୋଇ ତା’ ବେଡରୁମ୍‌ ସାରା ଖେଳିଗଲା । ବର୍ଷାପାଣି କେଇବୁନ୍ଦା ପାପୁଲି ଅତିକ୍ରମ କରି କହୁଣି ବାଟେ ଅଣ୍ଟା ଉପର ଦେଇ ସରସର ହୋଇ ବୋହି ଗଲା ଛନ୍ଦାର ନାହି ଆଡ଼କୁ । ଶୀତେଇ ଉଠିଲା ଛନ୍ଦା ଗୋରା ତକତକ ଦେହଟା । ଲୋମମୂଳ ଛିଡ଼ା ହୋଇଗଲା ଆପଣାଛାଏଁ । କେହି ଯେମିତି ଛୁଇଁଗଲା କି ଦେହଟାକୁ ତାର । ପ୍ରଥମ ରାତିରେ ସନ୍ତୋଷ ଛୁଇଁବା ବେଳେ ଯେମିତି ଶିହରଣ ଖେଳି ଯାଇଥିଲା ସାରା ଦେହଟାରେ, ଠିକ୍ ସେମିତି । ବିଲ୍‌କୁଲ୍ ସେହି ଅନୁଭବ । ଅଣ୍ଟାରୁ କାନି କାଢ଼ି ନିଜକୁ ଢାଙ୍କି ନେଲା ସେ । “ମୋ ଦେହ ଉପରେ କେବଳ ସନ୍ତୋଷଙ୍କର ଅଧିକାର ଅଛି । ଆଉ କାହାର ନୁହେଁ । ସେ ହିଁ ମୋତେ କେବଳ ଛୁଇଁପାରିବେ । ତାଙ୍କ ସ୍ପର୍ଶ ବ୍ୟତୀତ ମୋ ଦେହ ଉପରେ ଆଉ କାହାର ଅଧିକାର ସାବ୍ୟସ୍ତ କରିବାଟା ମୁଁ ବିଲ୍‌କୁଲ୍ ବରଦାସ୍ତ କରିପାରିବିନି । ଏମିତିକି ତୋର ବି ନୁହେଁ ।” ବର୍ଷାକୁ ମନେ ମନେ ତାଗିଦ୍ କରୁଥିଲା ଛନ୍ଦା ।

ଏ ଅଦିନିଆ ବର୍ଷାକୁ ଦେଖି ତା’ର ମନେ ପଡ଼ିଗଲା ସେଦିନର ବର୍ଷା ଆଉ ବର୍ଷା ରାତି । ମୋବାଇଲ୍‌ର ଇନବକ୍ସରୁ ସିତମ୍‌‌ଙ୍କ ମେସେଜ୍ କାଢ଼ି ପଢୁ ପଢୁ କେଉଁଠି ଥିଲା ବର୍ଷାଟା ହଠାତ୍ ଗାଳି ଦେଇଗଲା । ସମସ୍ତଙ୍କୁ ଲୁଚେଇ ଝରକା ପାଖରେ ଛିଡ଼ା ହୋଇ ମୋବାଇଲ୍ ସହ ଏକାନ୍ତ ହୋଇ ଉଠୁଥିବା ବେଳେ ବର୍ଷା ଦାଉ ସାଧିଲା । ବର୍ଷା ବି ସବୁବେଳେ ବନ୍ଧୁ ହୋଇ ଆସେନା । କେବେ କେବେ ବେଇମାନ୍ ହୋଇଯାଏ । ବଇରୀ ସାଜେ । ସବୁ ଭଲ କାମକୁ ବିଗାଡ଼ି ଦିଏ । ଠିକ୍ ଏଇ ଯେମିତି ମନ ମଣିଷର ଚିତ୍ରକୁ ଛାତି ଭିତରେ ସଜେଇବା ବେଳେ ଦେହକୁ ଭିଜେଇବା ପାଇଁ ତୟାର୍ ହୋଇଗଲା । ପଛରୁ ବୋଉ ଡାକ ଛାଡ଼ିଲା । “ଶୀତ ରାତିଟାରେ ପୁଣି ବର୍ଷାରେ ସେ ଝରକା ପାଖରେ କାହିଁକି ଛିଡ଼ା ହୋଇଛୁ କିଲୋ । ବନ୍ଦ୍ କରିଦେ ସେ ଝର୍କାକୁ । ଘର ଭିତରକୁ ପାଣି ଛାଟିବ ଏଇନେ ।” ଛନ୍ଦା କାଡ଼ିଗନ୍‌ର ପକେଟରେ ମୋଇବାଇଲକୁ ଲୁଚେଇ ଫେରି ଆସିଲା ଝରକା ପାଖରୁ । ମନେ ମନେ ଭାରି ଗାଳି ଦେଲା ବର୍ଷାକୁ । କେଉଁଠି ଥିଲା ଅବେଳରେ ଆସି ତାକୁ ଗାଳି ଶୁଣାଇଲା । ଯେମିତି କିଏ ତାକୁ ଡାକିଥିଲା ଘରକୁ । କହିଥିଲା ମୁଁ ଝର୍କା ପାଖରେ ଛିଡ଼ା ହୋଇଥିଲା ବେଳେ ଟିକେ ଆସି ମୋତେ ଓଦା କରିଦେଇ ଯିବୁ । ବର୍ଷା ଉପରେ ଗାରୁ ଗାରୁ ହୋଇ ଘର ଭିତରକୁ ଚାଲିଗଲା ଛନ୍ଦା ।

ସେଇ ରାତି ସାରା ବର୍ଷା ହେଲା । ବର୍ଷା ସାଙ୍ଗକୁ ପବନ । ସାତତାଳ ମେଘ ସତେ ଯେମିତି ଏକ ହୋଇଗଲେ । ବର୍ଷାକୁ ଦେଖି ବେଙ୍ଗପଲ କୋଉଠି ଥିଲେ କେଜାଣି କଟର କଟର ହୋଇ କାନ ଫଟେଇଲେ । ବର୍ଷା ଦେଖିଲେ ତ ସେମାନଙ୍କ ମିଳନ ଆଶା ଜାଗି ଉଠେ । ବେଙ୍ଗ ବେଙ୍ଗୁଲୀମାନେ ନିଜ ପାଇଁ ସାଥୀ ଖୋଜିବାରେ ଲାଗି ପଡ଼ନ୍ତି । କେଁ କଟର ଆବାଜ ଦେଇ ସାଥୀକୁ ଭେଟିବା ପାଇଁ ବ୍ୟାକୁଳ ହୋଇ ଉଠନ୍ତି । ବିଛଣାରେ ପଡ଼ି ସିତମ୍‌ଙ୍କୁ ଭେଟିବା କଥା ଭାବୁଥିଲା ଛନ୍ଦା । ଆଖିକୁ ନିଦ ନଥିଲା । ସ୍ୱପ୍ନମାନେ ସତେ ଯେମିତି ବାଟବଣା ହୋଇ ଅନ୍ୟ କେଉଁଆଡ଼େ ଚାଲି ଯାଇଥିଲେ । ଆଉ କାହା ଆଖିରେ ଘର କରିବା ପାଇଁ ଚଳାଇଥିଲେ ପ୍ରସ୍ତୁତି । କିନ୍ତୁ ଛନ୍ଦା ଆଖିରେ ନିଦ ନ ଥିଲା କି ନ ଥିଲା ସ୍ୱପ୍ନ । ବର୍ଷା ରାତିଟା ତାକୁ ବେଶ୍ ଲମ୍ୱା ଲାଗୁଥିଲା । ସ୍ୱପ୍ନରେ ଥରୁଟିଏ ସିତମ୍‌ଙ୍କୁ ଦେଖିବା ପାଇଁ ମିଛଟାରେ ଆଖି ବନ୍ଦ କରି ପଡୁଥିଲା । ଶୋଇବାର ଅଭିନୟ କରୁଥିଲା । ସ୍ୱପ୍ନ ବି ବେଶ୍ ମାପି ନେଇଥିଲା କୁଆଁରୀ ଛନ୍ଦାର ସରଳ ମନଟାକୁ । ନିଦ ବି ବୋଧେ ଜାଣି ପାରିଥିଲା ଛନ୍ଦାର ଶୋଇବାର ଇଚ୍ଛା ନାହିଁ । ଖାଲି ଯାହା ଶୋଇବାର ଅଭିନୟ କରୁଛି । କିନ୍ତୁ କାହିଁକି ଏ ବ୍ୟସ୍ତତା । କାହା ପାଇଁ ଏତେ ଚିନ୍ତା । ବିଛଣାରେ ପଡ଼ି ପଡ଼ି ଛନ୍ଦା ଭାବୁଥିଲା ବର୍ଷାଟା କାଲି ସକାଳକୁ କମିବ ତ । ଯଦି ନ କମେ ତେବେ ସେ ସିତମ୍‌ଙ୍କ ସହ ଦେଖା କରିବ କେମିତି । ବର୍ଷା ହେଲେ ବୋଉ ତ ଘରୁ ପଦାକୁ ଗୋଡ଼ କାଢ଼ିବାକୁ ଦେବନି । ଘରୁ ବାହାରିଲେ କେତେ କଥା ବୁଲେଇ ବଙ୍କେଇ ପଚାରିବ । ଆକଟ କରିବ । ବୋଉର ଲକ୍ଷେ ପ୍ରଶ୍ନର ଉତ୍ତର ଦେବା ଅପେକ୍ଷା ବର୍ଷାରେ ଘରୁ ଗୋଡ଼ ନ କାଢ଼ିବା ବରଂ ଭଲ । ତେବେ ତ ଏମିତିରେ ସିତମ୍‌ଙ୍କ ସହ ଭେଟ ହେବା ମୁସ୍କିଲ୍ ହୋଇ ପଡ଼ିବ । ଦେହ ମନକୁ ବୁଝେଇ ସୁଝେଇ ଉଷୁମ କମ୍ୱଳ ତଳେ ତୁନି କରିବାକୁ ଚେଷ୍ଟା କରୁଥିଲା ସେ ।

ସକାଳୁ ସହରଟା ଏକବାର ପରିଷ୍କାର ପରିଚ୍ଛନ୍ନ ଦିଶୁଥିଲା । ବିଲକୁଲ୍ ବର୍ଷସାରା ପାଣିକୁ ଡରି ସରସ୍ୱତୀ ପୂଜା ଦିନ ଗାଧୋଇ ପାଧୋଇ ଚିକ୍କଣ ଦିଶୁଥିବା ପିଲାଟି ପରି । ଆକାଶଟା ବି କେତେକାଂଶରେ ଫର୍ଚ୍ଚା ଦିଶୁଥିଲା । କାଁ ଭାଁ ଭସାବାଦଲ ଖଣ୍ଡେ ଆକାଶର ଛାତିରେ ବିଜୟ ବାନା ଉଡ଼ାଇ ଲକ୍ଷ୍ୟହୀନ ଭାବେ ଘୁରି ବୁଲୁଥିଲେ । ଛନ୍ଦା ବାହାରି ପଡ଼ିଲା ମାର୍କେଟ୍ ଆଡ଼େ, ସିତମ୍‌ଙ୍କ ମନ ପସନ୍ଦର ପିଙ୍କ୍ କଲର୍ର ଡ୍ରେସ୍ ପିନ୍ଧି । ପୁଣି ପିଙ୍କ୍ କଲର୍‌ର ନେଲପଲିସ୍ ଆଉ ସାଣ୍ଡାଲ୍ ବି । ବୋଉ ପଛରୁ ଡାକିଲା, କୁଆଡ଼େ ଯାଉଛୁ କିଲୋ । କେତେବେଳେ ଫେରିବୁ । ଓଃ ! ଯେତେବେଳେ ଘରୁ ଗୋଡ଼ କାଢ଼ିଲି ସେତେବେଳେ ତୁ ପଛରୁ ଡାକିଲୁ । ମୋର ସବୁ କାମ ବିଗାଡ଼ି ଦେବୁ ତୁ । ମୁଁ ଜାଣେ ପରା ଆଜି ମୋର କିଛି କାମ ବି ହେବନି । ନିଜ ବୋଉ ଉପରେ ବିରକ୍ତ ହୋଇ ସୋଫା ଉପରେ ବସି ପଡ଼ିଲା ଛନ୍ଦା । ହଉ ଶୁଣୁ, ମୁଁ କିଛି ସପିଙ୍ଗ୍ କରିବାକୁ ଯାଉଛି । ହେଇଗଲି, ହେଇ ଫେରିଲି । ଆଉ ଥରେ ପଛରୁ ଡାକିବୁନି କହିଦେଲା । ସପିଙ୍ଗ୍ କରିବା ତ ଥିଲା ବାହାନା । ସିନେମା ହଲ୍ ପାଖ ମାର୍କେଟ୍ କମ୍ପ୍ଲେକ୍ସରେ ସିତମ୍‌ଙ୍କ ଦେଖା କରିବା ଥିଲା ପ୍ରକୃତ ଉଦ୍ଦେଶ୍ୟ ଛନ୍ଦା ରିକ୍ସାରୁ ଓହ୍ଲେଇ ଧାଇଁଗଲା ମାର୍କେଟ୍ ଭିତରକୁ । ଆଇସ୍କ୍ରିମ୍ ପାର୍ଲର ପାଖରେ ଛିଡ଼ା ହୋଇ ଏଣେତେଣେ ଚାହିଁଲା । ପୁଣି ଥରେ ପଛକୁ ଫେରି ଚାହିଁଲା ବେଳକୁ ଲେଡ଼ିଜ୍ କର୍ଣ୍ଣର ପାଖ ଗଳିରୁ ବାହାରି ଆସିଲା ସିତମ୍‌ । ସିତମ୍‌ଙ୍କୁ ଦେଖି ପଚାରି ଦେଲା, କେତେବେଳୁ ଆସିଲଣି । ସିତମ୍‌ର ଉତ୍ତର ଥିଲା- ଏଇ ତୁମ ଆଗେ ଆଗେ । କାହିଁ କେଜାଣି ସିତମ୍‌ ମୁହଁ ରଙ୍ଗ ଉଡ଼ିଗଲା ପରି ଦିଶୁଥିଲା । ମନ ଭିତରେ ଥିବା ବୋଝ ଅବଶୋଷ, ଆଶଙ୍କାକୁ ଚାପି ରଖିଥିବାର ପ୍ରମାଣ ଦେଉଥିଲା ଶୁଖି ଯାଇଥିବା ତା’ର ମୁହଁ । ମୁଁ ଆଶା କରୁଛି ତୁମେ ମୋତେ ଭୁଲ୍ ବୁଝିବନି ଛନ୍ଦା । ତୁମକୁ ବିବାହ କରିବା ପାଇଁ ଏବେ ମୁଁ ଅସମର୍ଥ । ଏ ବିଷୟରେ ଆଉ ଅଧିକ କ’ଣ କହିବି । ତୁମକୁ ତ ପୂର୍ବରୁ ଏ ସବୁ କଥା କହିସାରିଛି । ଏହି କେଇପଦ କହିଲାବେଳେ ସିତମ୍‌ ଛନ୍ଦାର ମୁହଁକୁ ବି ଚାହିଁପାରୁ ନଥିଲା । ଚୁପ୍‌ଚାପ୍ ଛିଡ଼ା ହୋଇ କ’ଣ ଗୁଡ଼ାଏ ଭାବୁ ବାବୁ ଛନ୍ଦା ପଚାରି ଦେଲା ଆଚ୍ଛା ପୁଣି କେତେ ? ଜାଣିନି । କିଛି ବି ଜାଣିନି । ସିତମ୍‌ର ଉତ୍ତର ଶୁଣି ଛନ୍ଦାର ଆଖିରେ ଲୁହର ରୋଷଣୀ ଆରମ୍ଭ ହୋଇଗଲା । ସାମାନ୍ୟ କଥାରେ ଆଖିପତା ଓଦା କରିଦେଉଥିବା ନାରୀ ପାଇଁ ଲୁହମାନଙ୍କୁ ବୋଲ ମନେଇ ନିୟନ୍ତ୍ରଣରେ ରଖିବା ବି କିଛି ବଡ଼ କଥା ନୁହେଁ । ହସ ଲୁହକୁ ସଜେଇ ଶିଖିବା ବି ଏକ କଳା । ଯେଉଁ କଳା କେବଳ ଜଣେ ନାରୀ ହିଁ ଆୟତ୍ତ କରିପାରେ । ଧରାପୃଷ୍ଠରେ ଆଉ କେହି ସେ କଳାକୁ ନିଜ ଆୟତ୍ତ କରୁ ନାରୀ ତାହା କେବେ ଚାହେଁ ନାହିଁ । ହୁଏତ ନାରୀକୁ ଈଶ୍ୱରଙ୍କର ଏହା ଏକ ବରଦାନ ହୋଇ ଥାଇପାରେ । କିନ୍ତୁ ସେ ବରଦାନର ଭରପୁର ଉପଯୋଗ କରିବାର କଳା ବି କେବଳ ନାରୀକୁ ହିଁ ଜଣା । ନଚେତ୍ ନିଜ ଆଖିରେ ଢେଉ ଖେଳୁଥିବା ଲୁହମାନଙ୍କୁ ଆଖି ଭିତରେ ହିଁ ହଜେଇ ଦେବାରେ ଛନ୍ଦା ସଫଳ ହୋଇ ନଥାନ୍ତା । ପୂର୍ବ ରାତିର ମେଘଟା କେଉଁଠି ଲୁଚି ଥିଲା କେଜାଣି ଘୋଟିଗଲା ସାରା ଆକାଶରେ । ଦେଖୁ ଦେଖୁ ଓଜାଡ଼ି ଦେଇଗଲା । ରାସ୍ତା ଉପରେ ପାଣିର ସୁଅ ଛୁଟିଲା । ପୂର୍ବରାତିରୁ ବର୍ଷା ମାଡ଼ରେ ବତୁରି ଯାଇ ମାଟିକାମୁଡ଼ି ପଡ଼ିଥିବା ସହରର ଆବର୍ଜନା ସବୁ ପୁଣି ଥରେ ନିଜ ଯାତ୍ରା ଆରମ୍ଭ କରିଦେଲେ ପାଣିର ସୁଅରେ । ସିତମ୍‌ର କଥା ଅଧାରୁ ରଖି ଛନ୍ଦା କହିଲା, ଠିକ୍ ଅଛି ମୁଁ ଆସୁଛି ।

ଆରେ ରୁହ ଏ ବର୍ଷାରେ କେମିତି ଯିବ । ଟିକେ ବର୍ଷା କମିଯାଉ । ଛନ୍ଦା ଚାହିଁଲା ସିତମ୍‌ର ମୁହଁକୁ । ଚୁପ୍‌ଚାପ୍ ବାହାରି ଆସିଲା ପଦାକୁ । ଧୀରେ ଧୀରେ ହଜିଗଲା ବର୍ଷାରେ । ଅଦୃଶ୍ୟ ହୋଇଗଲା ଢୁ’ ଢୁ’ ଗାଳୁଥିବା ବର୍ଷାର ଛାତିରେ ।

କିଛିଦିନ ପରେ ଛନ୍ଦାର ହାତ ଧରିଲେ ସନ୍ତୋଷ । ସନ୍ତୋଷର ବାପା, ମା’ ଛନ୍ଦାକୁ ପସନ୍ଦ କଲେ । ଛନ୍ଦାର ବାପା ମା’ ବି ବେଶ୍ ଖୁସି ଥିଲେ ନିଜ ଝିଅ ପାଇଁ ସ୍ୱାମୀଭାବେ ଜଣେ ସଫ୍ଟୱେୟାର୍ ଇଞ୍ଜିନିୟର୍ ଯୋଗାଡ଼ କରିପାରି । ପୁରୁଣା ସ୍ୱପ୍ନର ଭଗ୍ନ ଇମାରତ୍ ଉପରେ ନିଜ ପାଇଁ ଏକ ନୂଆ ନୀଡ଼ ତିଆରିବାର ଆଶା ନେଇ ଛନ୍ଦା ସ୍ୱାମୀଙ୍କ ସହିତ ବାଙ୍ଗାଲୋର୍ ଚାଲିଗଲା ।

କଲିଂବେଲର ଶବ୍ଦରେ ଚମକି ପଡ଼ିଲା ଛନ୍ଦା । ଝରକା ପାଖରୁ ମୁହଁ ଫେରାଇ ନେଇ ଦାଣ୍ଡ କବାଟ ଖୋଲିଲା । ସନ୍ତୋଷ ବର୍ଷାରେ ଗୋଟାପଣ ଓଦା ହୋଇ ଛିଡ଼ା ହୋଇଥିଲେ । ସ୍ୱାମୀଙ୍କ ହାତରୁ ଲେଦର୍ ବ୍ୟାଗଟା ନେଉ ନେଉ ଅସ୍ତବ୍ୟସ୍ତ ହୋଇ ଟାୱେଲ୍ ଆଣି ସନ୍ତୋଷଙ୍କ ମୁଣ୍ଡକୁ ପୋଛିବା ପାଇଁ ହାତ ବଢ଼ାଇଲା ବେଲକୁ ସନ୍ତୋଷ ଛନ୍ଦା ହାତରୁ ଟାୱେଲ୍ ଛଡ଼ାଇ ନେଲେ । ଥାଉ ମୁଁ ପୋଛି ହେଉଛି । ମୋ ପାଇଁ ଟିକେ କଫି କର । ନିଜକୁ ପ୍ରସ୍ତୁତ କରିସାରି ଛନ୍ଦା ହାତରୁ ଗରମ୍ କଫି କପ୍ ନେଇ ଷ୍ଟଡ଼ିରୁମ୍ ଭିତରକୁ ଚାଲିଗଲେ ସନ୍ତୋଷ ।

ବିଭାଘର ବର୍ଷେ ପୁରିଲାଣି । ସନ୍ତୋଷଙ୍କୁ ବୁଝିବା ଏ ଯାଏ ସମ୍ଭବ ହେଲାନି ଛନ୍ଦା ପାଇଁ । ସତରେ କେମିତିକା ଅବୁଝା ମଣିଷଟା । ଚୁପ୍ ଚାପ୍ । ବିଲକୁଲ୍ ନିଜ ମନସ୍କ । ଛନ୍ଦାର ସୌନ୍ଦର୍ଯ୍ୟ ପ୍ରତି ବିଲକୁଲ୍ ଅସଚେତନ । ଦେହ, ମନ, ପ୍ରେମ, ରୋମାନ୍ସ ପ୍ରତି ସମ୍ପୂର୍ଣ୍ଣ ଅନାଗ୍ରହ, ଅନାଶକ୍ତ । ନିଜ ସ୍ତ୍ରୀର ରୂପ ପ୍ରତି ସାମାନ୍ୟ ଟିକିଏ ଆକର୍ଷଣ ବି ନଥାଏ ତାଙ୍କର । କେବେ ଛନ୍ଦାକୁ ନିଜ ଆଡ଼କୁ ଆଉଜେଇ ନେବା ଅଥବା ନିଜେ ଛନ୍ଦା ପ୍ରତି ଢଳି ପଡ଼ିବାର ଭୁଲ୍ ସେ କରି ନାହାନ୍ତି ଆଜି ଯାଏ । କେବେ ଛନ୍ଦାର ଦେହକୁ ନେଇ ଟୀକା ଟିପ୍ପଣୀ ଦେଇ ନାହାନ୍ତି । କିମ୍ୱା ଭାବୁକ ଅଥବା ପୁରୁଷର ଦୃଷ୍ଟି ନେଇ ନିରୀକ୍ଷଣ କରିନାହାନ୍ତି ଛନ୍ଦାକୁ । ତେବେ ରାତିରେ ବିଛଣାକୁ ଯିବା ପରେ ଯାହା ହୁଏ ତାହା ଆକର୍ଷଣ ଯୋଗୁଁ ନୁହେଁ ବରଂ ଆବଶ୍ୟକତା ହେତୁ ହୋଇଥାଏ । ଦେହରେ ଦେହ ବାଜିଲେ ବି ସେ ପାଲଟି ଯାଇଥାଆନ୍ତି ପଥର । ଅନ୍ଧାରର ଆହ୍ୱାନ ନୁହେଁ ବରଂ ଦେହର ଆଦେଶରେ ଛନ୍ଦାକୁ ଉଣ୍ଡାଳନ୍ତି ସେ କେବେ କେବେ । ଉଭୟଙ୍କ ବୈବାହିକ ଜୀବନର ପ୍ରେମ, ଭଲ ପାଇବା ବାସିବିଛଣା ଟପି କେବେ ଦୁଆରବନ୍ଧ ଯାଏ ବି ଆସିନି ।

ବର୍ଷା ହେଲେ ସିତମ୍‌ କେତେ କବିତା ଲେଖିଯାଆନ୍ତି ଛନ୍ଦାର ରୂପକୁ ନେଇ । ଛନ୍ଦାର ସୌନ୍ଦର୍ଯ୍ୟକୁ ନେଇ କେତେ କଥା କହନ୍ତି । ପୁଣି ପ୍ରଶଂସାରେ ପୋତି ପକାନ୍ତି ସୁନ୍ଦରୀ ଛନ୍ଦାକୁ । ଛନ୍ଦା ଚାହେଁ ସନ୍ତୋଷ ବି ସେମିତି କିଛି କରନ୍ତୁ । ତାହା ସହ ଦୁଷ୍ଟାମି କରନ୍ତୁ । ପଛପଟୁ କୁଣ୍ଢେଇ ଧରି ବେକରେ ଗାଲରେ ଚୁମା ଦିଅନ୍ତୁ । ବେଳ ଅବେଳରେ ପ୍ରେମ କରି ତାକୁ ଅସ୍ତବ୍ୟସ୍ତ କରି ପକାନ୍ତୁ । ଅଫିସରୁ ଫେରି କଫି ପୂର୍ବରୁ ତା’ ଗୋଲାପି ଓଠକୁ ଅନ୍ତତଃ ଥରଟିଏ ଛୁଇଁ ଯାଆନ୍ତୁ । ତା’ ଇଚ୍ଛା ବିରୁଦ୍ଧରେ ଯାଇ ତା ଦେହକୁ ଖିନଭିନ୍ କରିଦିଅନ୍ତୁ । ଖୋଲା ଚୁଟିରେ ମୁହଁ ଲୁଚେଇ କେଉଁ ସାମ୍ପୁରେ ଚୁଟି ଧୋଇଛ ବୋଲି ପଚାରନ୍ତୁ । ଏ ଶୀତଦିନିଆ ବର୍ଷାରେ ଭିଜିବା ପାଇଁ ତାକୁ ଆହ୍ୱାନ କରନ୍ତୁ । କିନ୍ତୁ ଏ ସବୁ ହୁଏନି । କିଛି ବି ହୁଏନି । କେବେ ବୁଲିପଡ଼ି ଛନ୍ଦାକୁ ଚାହାନ୍ତିନି ସନ୍ତୋଷ । ନାରୀ ପାଇଁ ତା’ ସୌନ୍ଦର୍ଯ୍ୟକୁ ଉପେକ୍ଷା କରିବାର କଷ୍ଟଠାରୁ ଆଉ ଅଧିକ କଷ୍ଟଦାୟକ ଘଟମା କିଛି ହୋଇ ନପାରେ । ଠିକ୍ ଯେମିତି ନାରୀ ତା ସୌନ୍ଦର୍ଯ୍ୟର ପ୍ରଶଂସା ଶୁଣିଲେ ଦୁନିଆଁର ସବୁ ଦୁଃଖ ଭୁଲି ଯାଏ । ଖାଦ୍ୟ ବିନା ହୁଏତ ନାରୀ କିଛି ଦିନ ବଞ୍ଚିପାରେ । କିନ୍ତୁ ଉପେକ୍ଷିତ ହୋଇ ନାରୀଟିଏ ଗୋଟେ କ୍ଷଣ ବି ବଞ୍ଚିପାରେନି । ସନ୍ତୋଷ କିନ୍ତୁ ଏସବୁ ବୁଝୁନଥିଲେ । ଛନ୍ଦା ରାତି ଦିନ ଛଟପଟ ହେଉଥିଲା । ଦେହର ଆବେଦନ ପାଖରେ ବାରମ୍ୱାର ହାରି ଯାଉଥିଲା । ସନ୍ତୋଷର ନିକଟତର ହେବା ପାଇଁ ଅହରହ ପ୍ରୟାସ କରୁଥିଲା ।

ଷ୍ଟଡ଼ିରୁମ୍ କବାଟ ଠେଲି ଭିତରକୁ ଅଧା ଚାହିଁ ସନ୍ତୋଷଙ୍କୁ ପ୍ରଶ୍ନ କଲା ଛନ୍ଦା- ତମ ପାଇଁ ଟିକେ ମ୍ୟାଗି କରିଦେବି । ଲ୍ୟାପ୍‌ଟପ୍ ଉପରୁ ମୁହଁ ଫେରାଇ ଛନ୍ଦାକୁ ଚାହିଁଲେ ସନ୍ତୋଷ, ଜଣେ ଅପରିଚିତ ମଣିଷକୁ ପ୍ରଥମ କରି ଦେଖିବା ପରି । ନା ଥାଉ । ମୁଁ ଏକାଥରେ ଡିନର୍ କରିବି । ତୁମେ ଯାଅ । କିଛି ଦରକାର ହେଲେ ଡାକିବି । ଛନ୍ଦା ଫେରି ଆସିଲା । ବର୍ଷା ସେମିତି ହେଉଥାଏ । ଥଣ୍ଡା ପବନକୁ ଆଉ ଅଧିକ ମନମାନି କରିବା ପାଇଁ ସୁଯୋଗ ନ ଦେଇ ଝର୍କା କବାଟ ସବୁ ବନ୍ଦ୍ କଲା ଛନ୍ଦା । ତାକୁ ଲାଗୁଥିଲା ସତେ ଯେମିତି ତା’ର ଅତୀତ ଅନ୍ଧାର ଭିତରୁ ତାକୁ ବିକଳ ହୋଇ ଚାହିଁଛି । ଆହ୍ୱାନ କରୁଛି ବର୍ଷାରେ ଭିଜିବା ପାଇଁ । ନିଜ ପ୍ରିୟ ପୁରୁଷର ହାତ ଧରି ବର୍ଷା ସହ ପାଦରେ ପାଦ ମିଶାଇବା ପାଇଁ । ହଜି ଯିବା ପାଇଁ ଅନ୍ଧାର ଭିତରେ । ଏଇ ଶୀତଦିନିଆ ଅମାନିଆ ବର୍ଷା ଭିତରେ । କିନ୍ତୁ ସବୁ ଥିଲା ନିରର୍ଥକ । ଶଙ୍ଖା, ସିନ୍ଦୂର ବେଡ଼ି ହୋଇ ତାକୁ ବାନ୍ଧି ଦେଇଥିଲେ ଗୋଟେ ଅପରିଚିତ ସହରର କେଉଁ ଏକ ଅଜଣା ଉପଗଳିରେ ଥିବା ମୁକ୍ତାକାଶ ବନ୍ଦୀଶାଳାରେ ।

ବର୍ଷାକୁ ଆଉ ଥରେ ପାଖରୁ ଦେଖିବାର ମୋହ ଛାଡ଼ି ନ ପାରି ଛନ୍ଦା ଚାଲିଗଲା ବାଲ୍କୋନିକୁ । ଟିକେ ଟିକେ ଛିଟିକି ପଡୁଥିବା ବର୍ଷାପାଣିକୁ ନିଜ ଦେହ ଉପରେ ଖେଳିବାର ସୁଯୋଗ ଦେବା ପାଇଁ ବାଲ୍କୋନିରେ ଛିଡ଼ାହେଲା ସେ । ବର୍ଷାକୁ ଚାହିଁରହିଲା ଏକଲୟରେ । କି ଆଶ୍ଚର୍ଯ୍ୟ ସତରେ ଏ ଶୀତ ଦିନିଆ ବର୍ଷା ! କେତେବେଳେ କେମିତି ଆସିବ କିଛି ଠିକଣା ନ ଥାଏ । ଯଦି ଆସେ ତେବେ ବର୍ଷିବ ବୋଲି କିଛି ମାନେ ନଥାଏ । ଖାଲି ଯାହା ଦୂରରେ ରହି ଛଟପଟ କରେ । ବିଲ୍କୁଲ୍ ସନ୍ତୋଷଙ୍କ ପରି । ଛନ୍ଦା ଧୀରେ ଧୀରେ ବର୍ଷାମନସ୍କ ହୋଇ ଉଠୁଥିବା ବେଳେ ପଛରୁ ଡାକ ଶୁଭିଲା- ମୁଁ କିଛି ଖାଇବିନି । ତା’ପରେ ଧଡ୍ କରି ବେଡ୍‌ରୁମ୍‌ର କବାଟ ବନ୍ଦ୍ ହେବାର ଶବ୍ଦ ଶୁଭିଲା । ପରେ ପରେ ଲିଭିଗଲା ବେଡ୍‌ରୁମ୍‌ର ଲାଇଟ୍ । ଛନ୍ଦା କବାଟରୁ ମୁହଁ ଫେରାଇ ବର୍ଷାମୁହାଁ ହେଲା । ବର୍ଷାକୁ ଚାହିଁଲା । ବର୍ଷା ଭିତରେ ଖୋଜିଲା ନିଜ ଅତୀତକୁ । ପୁରୁଣା ଦିନର ସବୁ ସମ୍ପର୍କକୁ । ସ୍ମୃତିକୁ ଛନ୍ଦା ଆଖିରୁ ଅଜଣା ଲୁହ ବୁନ୍ଦାଏ ଜକେଇ ଆସି ବର୍ଷାକୁ ଡେଇଁ ପଡ଼ିବାକୁ ଉଦ୍ୟତ ହେଉଥିବା ବେଳେ ନିଜ ଲୁଗା କାନିରେ ତାକୁ ବନ୍ଦୀ କରିଦେବାରେ ସଫଳ ହେଲା ସେ ।

ଲୋକପ୍ରିୟ ଲେଖା

To Top