ଗଳ୍ପ

ଶେଷ ରଜନୀ

Manoj Das's odia story Shesha Rajani

ଆରେ ଝିଅ, ବିଧିର ବିଧାନରେ ତୋ ଭଳି ମଲ୍ଲିମାଳଟିଏ ଯୋଗାଡ଼ କରି ଏ ବୃଦ୍ଧ ମାଙ୍କଡ଼ ତ ନିଜ ବେକରେ ପକାଇସାରିଛି, ଏବେ ଆଉ କରାଯିବ କ’ଣ ? ମୋ କଥା ଶୁଣ- ତୁ ବୁଢ଼ାକୁ ସୁହାଗ କର । ମୁଁ ପୁଣି ଆସିବି, ଜାଣିଥା’ ।

ଶେଷ ରଜନୀ

ଆହ୍ଲାଦପୁର ଗାଁରେ ଦିନଟିଏ ବିତାଇ ସାଆନ୍ତେ ଏବଂ ଅବୋଲକରା ପୁନର୍ବାର ପ୍ରଭାତରେ ଯାତ୍ରାରମ୍ଭ କଲେ । ଗାଁ ମୁଣ୍ଡରେ ସରୋବର । ସରୋବର ତୁଠରେ ପ୍ରାଚୀନ ଶିବ ମନ୍ଦିର । ମନ୍ଦିର ସମ୍ମୁଖରେ ଇତସ୍ତତଃ ବିକ୍ଷିପ୍ତ କେତେଖଣ୍ଡି ଶିଳାଖଣ୍ଡ । ଅବୋଲକରା ଲଥ୍‌କିନା ତହିଁ ଭିତରୁ ଗୋଟିକ ଉପରେ ବସିପଡ଼ିଲା- ସତେ ଅବା ସେ ଭାରି ହାଲିଆ ।

“ଆରେ ଅବୋଲ୍ । ଖାଲି ନିତ୍ୟକର୍ମ ସମାଧା ଓ ତିନିଓଳି ଭୂରି ଭୋଜନ ପକାଇବା ସମୟତକ ଛାଡ଼ି ବାକି ପୁରା ଦିନଟିଏ ରାତିଟିଏ ତୁ ନିଦରେ ଚଳୁ କରିଦେଲୁ, ଅଥଚ ଯାତ୍ରାରମ୍ଭ ମାତ୍ରେ ଥକିଗଲୁ ।” – ସାଆନ୍ତେ କହିଲେ ।

ଗୁରୁ ସାଆନ୍ତେ ! ହେଇଟି ଅନାନ୍ତୁ । ଅଦୂରରେ କୁକୁରଟିଏ ଓ ବିଲେଇଟିଏ ଅତି ହରଷରେ ଖେଳୁଥିବାର ଦୃଶ୍ୟ ପ୍ରତି ଅବୋଲକରା ସାଆନ୍ତଙ୍କ ଦୃଷ୍ଟି ଆକର୍ଷଣ କଲା ।

ଅବୋଲ୍ । ଏଇଟା ପୁଣି ଏମିତି ଗୋଟାଏ ଦୃଶ୍ୟ, ଯାହାର ବ୍ୟାଖ୍ୟା ଲୋଡ଼ା । କୁକୁର ବିଲେଇ କ’ଣ ପରସ୍ପର ଗେଲ ହୁଅନ୍ତି ନାହିଁ ?

ଅବୋଲକରା ହସିଲା । ସେମିତି କହି ମୋତେ ଭୁଲେଇପାରିବେ । ଗତକାଲି ସକାଳେ ଏ ଗାଁରେ ପଶିବା ପୂର୍ବରୁ ପ୍ରାନ୍ତର ଭିତରେ ଏଇ ବିଲେଇକୁ ଏଇ କୁକୁର କେମିତି ହିଂସ୍ର ଭାବରେ ଆକ୍ରମଣ କରିବାକୁ ଦୌଡୁଥିଲା, ସେ ଦୃଶ୍ୟ ମୁଁ ଭୁଲିନାହିଁ । ସଚରାଚର ଯେକୌଣସି ହିଂସାତ୍ମକ ଦୃଶ୍ୟରେ ଗମ୍ଭୀର ହୋଇଯାଉଥିବା ଆପଣ କେମିତି ସେତେବେଳେ ହସିଦେଇଥିଲେ, ସେ କଥା ବି ମୁଁ ଲକ୍ଷ୍ୟ କରିଥିଲି । ସେଇ କଳହ ଭୁଲି କୁକୁର ବିଲେଇ ଦୁଇ ସମୁଧୀ ଭଳି ଏମିତି ମିତ ହୋଇଗଲେ କେମିତି ?

ସାଆନ୍ତେ ହସିଲେ । ଅବୋଲ୍ । ତୋ ପାଟିରୁ ଆଂଶିକ ସତ୍ୟ ବାହାରିପଡ଼ିଲା । ଏ କୁକୁର ଓ ବିଲେଇ ଦେହରେ ବାସ୍ତବରେ ଦୁଇ ସମୁଧୀଙ୍କ ପ୍ରାଣସତ୍ତା ସବାର ହୋଇଛି । ଆତ୍ମା ବୋଲି ବୁଝିବୁ ନାହିଁ- ପ୍ରାଣସତ୍ତା- ଅଜ୍ଞାନ ମଣିଷକ୍ଷେତ୍ରରେ ଯାହା ତା’ର ଲୋଭ, କ୍ରୋଧ, ଆବେଗ ଇତ୍ୟାଦିର ଶିବିର । କୁକୁର ଦେହରେ ସବାର ହୋଇଛି ପରଲୋକଗତ କନ୍ୟାପିତାର ଏବଂ ବିଲେଇ ଦେହରେ ପରଲୋକଗତ ବରପିତାର ପ୍ରାଣସତ୍ତା ।

ତେବେ ଗତକାଲି ସେମାନେ ସେମିତି ପରସ୍ପର ଘୋର ଶତ୍ରୁଭଳି ଆଚରଣ କରୁଥିଲେ କାହିଁକି ?

କନ୍ୟାପିତା ବରପିତାର ଦାବି ମାନି ପ୍ରଚୁର ଯୌତୁକ ଦେଇଥିଲା । ଯେଉଁ ମଣିଷ କନ୍ୟାର ମାନବିକ ମୂଲ୍ୟକୁ ଗୌଣ ଜ୍ଞାନ କରି ତାକୁ ଉଠାଇଦେବା ନିମନ୍ତେ ଯୌତୁକ ଦେବାକୁ ପ୍ରସ୍ତୁତ ହୋଇଯାଏ, କୁକୁର ପ୍ରଭୁର ଆଜ୍ଞାବହ ହେଲା ଭଳି ସେ ମଣିଷଟି ସମାଜର ଗୋଟାଏ ପାପ- ପରମ୍ପରାର ଆଜ୍ଞାବହ । ମୃତ୍ୟୁପରେ ତା’ର ପ୍ରାଣସତ୍ତା ତେଣୁ କିଛି କାଳ କୁକୁର ଦେହରେ ବାସ କରେ । ସେ ଦେଇଥିବା ପ୍ରତି ପଇସାଟିର ଯୌତୁକ ପାଇଁ ତାକୁ ଦଶଦଶଥର ଲାଞ୍ଜ ହଲାଇବାକୁ ପଡ଼ିଥାଏ । ଯେଉଁ ନରାଧମ ବରପିତା ନିଜ ପୁତ୍ରକୁ ପଣ୍ୟ ମନେକରି ମୁନାଫା ଉଠାଇବାକୁ ପଡ଼ିଥାଏ । ଯେଉଁ ନରାଧମ ବରପିତା ନିଜ ପୁତ୍ରକୁ ପଣ୍ୟ ମନେକରି ମୁନାଫା ଉଠାଇବାକୁ ଉଦ୍ଗ୍ରୀବ ହୁଏ, ତା’ ପ୍ରାଣସତ୍ତା ବିଲେଇ କଳେବରରେ ରହି ୟା’ ଘରୁ ତା’ ଘରୁ ଶୁଖୁଆ ଚୋରି କରି ଖାଏ. . . ।

“ଶ୍ରୀମାନ୍ ବରପାତ୍ରଙ୍କ ଅବସ୍ଥା କ’ଣ ହୁଏ ଗୁରୁ ?” – ଅବୋଲକରା ସାଆନ୍ତଙ୍କ କଥା ମଝିରେ କୌତୂହଳୀ ହୋଇ ପ୍ରଶ୍ନ କଲା ।

ସେଇଟା ଆପେକ୍ଷିକ ।

ବୁଝିଗଲି. . . ଅର୍ଥାତ୍ ଶ୍ରୀମାନ୍ ଯଦି ଆମ ରାଜାଙ୍କ କେନ୍ଦ୍ର ଶାସନ ନିଗମର ବଡ଼ କର୍ମଚାରୀ ହୋଇଥିବେ, ତେବେ ତାଙ୍କ ପାପ ପ୍ରାଦେଶିକ କର୍ମଚାରୀ ବା ଜଣେ ଶିକ୍ଷକ ତୁଳନାରେ ଊଣା. . . ।

ମୂର୍ଖ ! ତୁ ଯଦି ମୋ ସଂକ୍ଷିପ୍ତ କଥାସବୁର ମର୍ମ ଏହି ରୀତିରେ ବୁଝି ଏତେ ଉତ୍ସାହରେ ମୁଣ୍ଡ ଟୁଙ୍ଗାରୁଥିବୁ, ତେବେ ସେ ମୁଣ୍ଡ ଗଣ୍ଡାମୁଣ୍ଡ ଭଳି ନିରାପଦ । ତାକୁ ଜ୍ଞାନବିଜ୍ଞାନ ଭେଦ କରି ବିଚଳିତ କରିବ ନାହିଁ ।

ଅବୋଲକରା ମୁଣ୍ଡ ଆଉଁସି ହେଲା ।

ଆପେକ୍ଷିକ ବୋଇଲେ, ଯୌତୁକରୂପୀ ସେ ପିଶାଚଧର୍ମୀ କାରବାରରେ ବରପାତ୍ରର ସମ୍ପୃକ୍ତି କେତେ ଗାଢ଼, ତାହାରି ଉପରେ ସବୁ ନିର୍ଭର କରେ । ଯଦି ସମ୍ପୃକ୍ତି ପ୍ରଗାଢ଼ ହୋଇଥିବ, ତେବେ ତା’ ପ୍ରାଣସତ୍ତା କୌଣସି ପଶୁଦେହରେ ଆବିଷ୍ଟ ହେବାର ହେତୁ ନାହିଁ- ତା’ ପରବର୍ତ୍ତୀ ମାନବଜନ୍ମରେ ତା’ ନିଜ ସହିତ ହିଁ ତାହା ରହିବ ।

ମଣିଷ ସତ୍ତାରେ ହିଁ ରହିବ । ଇଏ ବିଧିର କି ପ୍ରକାର ବିଧାନ !

ମଣିଷ ଯେ, କିନ୍ତୁ ମଣିଷ ବୋଇଲଲେ ତ ଖାଲି ନର ବା ନାରୀ ନୁହଁନ୍ତି, ମଝିରେ ଆଉ ଗୋଟାଏ ସଂଖ୍ୟାନ୍ୟୁନ ଗୋଷ୍ଠୀ ଅଛନ୍ତି ବୋଲି ଜାଣିଛୁଟି ।

ଓହୋ ! ବାଃ, ବେଶ୍, ବୁଝିଗଲି । – କହି ଅବୋଲକରା ଗଣ୍ଠିଲି ଉଠାଇଲା, କିନ୍ତୁ ପରମୁହୂର୍ତ୍ତରେ ତାକୁ ତଳେ ଥୋଇ ପୁଣି ବସିପଡ଼ିଲା ଓ ପଚାରିଲା, ବିଲେଇଟି ପ୍ରତି କୁକୁର-ବାପୁଡ଼ାର ବୈରଭାବର ହେତୁ ତ ସମଝିଗଲି, କିନ୍ତୁ ଦିହିଁଙ୍କ ଭିତରେ ହଠାତ୍ ଏମିତି ପ୍ରୀତିର ସଞ୍ଚାର ହେଲା କାହିଁକି ?

ଅବୋଲକରା । ସେଇଟା ଆହ୍ଲାଦପୁର ଗାଁର ବାତାବରଣର ପ୍ରଭାବ । ତୁ ନିଜେ କ’ଣ କିଛି ବୁଝିପାରିନାହୁଁ ।

କାନମୁଣ୍ଡା ଆଉଁସି ଅବୋଲକରା କହିଲା, “ସାଆନ୍ତେ, ମୁଁ ତ ସବୁ ସମୟ ଶୟନରେ କଟାଇଲି, ତେବେ ହଁ, ବଡ଼ ମଧୁର ସ୍ୱପ୍ନମାନ ଦେଖିଛି । ଗୁରୁ ଏ ଗାଁର ବାତାବରଣରେ ଏମିତି ଶାନ୍ତିର ବିଭୂତି ବିରାଜିବାର ରହସ୍ୟ ମୋତେ କହିନଦେଲେ ମୁଁ ଆଉ ଗଣ୍ଠିଲି ଉଠାଇବି କେମନ୍ତେ ?

ଜଣେ ତପସ୍ୱିନୀଙ୍କ ପୁଣ୍ୟ ଓ ମହତ୍ତର ଭାବତରଙ୍ଗ ଏ ଗାଁରୁ ଏଯାଏଁ ଅନ୍ତର୍ହିତ ହୋଇନାହିଁ ।

କିନ୍ତୁ ସେମିତି ପ୍ରଖ୍ୟାତ କୌଣସି ତପସ୍ୱିନୀ ଦିନେ ଏ ଗାଁରେ ଥିଲେ, ଏକଥା ତ କାହିଁ ଶୁଣାଯାଏ ନାହିଁ ।

ସବୁ ତପସ୍ୱୀ-ତପସ୍ୱିନୀଙ୍କ ନାମଧାମ ବ୍ୟାପ୍ତ ହେବ, ଏଭଳି ନିୟମ ନାହିଁ । କେତେ ମହାନ୍ ଆତ୍ମା ସମସ୍ତଙ୍କ ଅଜାଣତରେ ସମସ୍ତଙ୍କ ଭିତରେ ସାଧାରଣ ମଣିଷ ଭଳି ଜୀବନଯାପନ କରି ଇହଧାମରୁ ବିଦାୟ ନିଅନ୍ତି ।

ସାଆନ୍ତେ ! ସେ ତପସ୍ୱିନୀଙ୍କ କଥା କୁହନ୍ତୁ ।

ପଞ୍ଚତନ୍ତ୍ରର ସେ ବୃଦ୍ଧସ୍ୟ ଭାର୍ଯ୍ୟା କାହାଣୀ ତୋର ମନେଅଛି ।

ଭୁଲିଗଲିଣି ପରା ।

ସାଆନ୍ତେ ଗପିଲେ- ମହାପାତ୍ରେ ଥିଲେ ଜଣେ ସ୍ୱଚ୍ଛଳ ଗୃହସ୍ଥ । ଗୃହସ୍ଥ ନ କହି ବରଂ ଗାର୍ହସ୍ଥ୍ୟର ସନ୍ଧାନରେ ଗୋଟିଏ ପ୍ରୌଢ଼ ବୋଲି କହିଲେ ଯଥାର୍ଥ ହେବ । ବୋଇଲେ, ସେ ଥରକୁ ଥର ବାହା ହେଉଥାନ୍ତି, କିନ୍ତୁ ସ୍ତ୍ରୀଟି ମରିଯାଉଥାଏ । ସପ୍ତମ ଥର ପାଣିଗ୍ରହଣ କରିବାବେଳେ ତାଙ୍କ ବୟସ ଅଶୀ ଟପ ଟପ । ଅତୀତରେ ବଂଶରକ୍ଷାର ପ୍ରବଳ ଯୁକ୍ତିବଳରେ ସେ ବାହା ହେଉଥିଲେ । ସପ୍ତମ ପର୍ଯ୍ୟାୟ ବେଳକୁ ସେ ଯୁକ୍ତି ଯତ୍ପରୋନାସ୍ତି ଦୁର୍ବଳ ହୋଇଯାଇଥିଲା ଠିକ୍, କିନ୍ତୁ ବାହା ହେବା ପ୍ରତି ବିଚାରା ବୃଦ୍ଧ ଅଭ୍ୟସ୍ତ ହୋଇପଡ଼ିଥିଲେ, ତେଣୁ ବିଭା ହେଲେ ଋଣଗ୍ରସ୍ତ କୌଣସି କନ୍ୟାପିତାର ଷୋଡ଼ଶୀ କନ୍ୟାକୁ ।

କନ୍ୟାଟି ତାଙ୍କଆଡ଼େ ପିଠି କରି ଶୁଏ ଏବଂ ମହାପାତ୍ରେ ଦୀର୍ଘନିଃଶ୍ୱାସ ଛାଡ଼ି ନିଶ୍ଚଳ ରହନ୍ତି । କ୍ରମେ ସେ ହୃଦୟଙ୍ଗମ କଲେ କି, ପତ୍ନୀଙ୍କ ସେ ଶୟନ- ଶୈଳୀରେ ପରିବର୍ତ୍ତନର ଆଶା ବିଡ଼ମ୍ୱନା । ପରିବର୍ତ୍ତନ ହେଲେ ମଧ୍ୟ ତାଙ୍କ ପାଇଁ କି ବା ତାରତମ୍ୟ । ଏହି ମର୍ମରେ ସେ ନିଜକୁ ଆଶ୍ୱାସନା ଦେଇ କାଳାତିପାତ କଲେ ।

ଅଚାନକେ, ଏକ ପୂର୍ଣ୍ଣିମା ନିଶାର୍ଦ୍ଧରେ ସେ ଚମକିପଡ଼ିଲେ ଏବଂ ଦେଖିଲେ, ସେତେବେଳକୁ ସପ୍ତଦଶୀରେ ପରିଣତ ଶ୍ରୀମତୀଙ୍କ ପ୍ରଗାଢ଼ ଆଲିଙ୍ଗନରେ ସେ ଆବଦ୍ଧ । ବୃଦ୍ଧ ପୁଲକିତ ହେଲେ । ପରେ ପରେ ମନେକଲେ, ଏଇଟା ସ୍ୱପ୍ନ । ପୁଣି ଯେତେବେଳେ ବୁଝିଲେ ଅବସ୍ଥାଟି ସ୍ୱପ୍ନ ନୁହେଁ, ବାସ୍ତବରେ ସେ ହେଲେ ଆହୁରି ଅଧିକ ପୁଲକିତ ଓ ଶିହରିତ ।

କିନ୍ତୁ ଅଭିଜ୍ଞ ବୃଦ୍ଧଙ୍କର ହେତୁବୋଧ ଫେରିଆସିଲା । ଯଦିଓ ପୂର୍ଣ୍ଣିମା ରଜନୀର ବହୁ ବିଚିତ୍ର ଗୁଣ କବିମାନେ କୀର୍ତ୍ତନ କରିବାର ସେ ଅବହିତ ଥିଲେ ଏବଂ ପୂର୍ଣ୍ଣିମାରେ ସମୁଦ୍ର ଉଦ୍‌ବେଳିତ ହେବାର ବ୍ୟାପାର ତାଙ୍କୁ ଅଜଣା ନଥିଲା, ବିବାହର ଏତେ ଦିନ ପରେ ପୂର୍ଣ୍ଣିମା ନିଶାର୍ଦ୍ଧ ହଠାତ୍ ସପ୍ତଦଶୀଟିର ଚିତ୍ତରେ ପ୍ରେମର ଏଭଳି ଜୁଆର ଆଣି ତାଙ୍କୁ ଡୁବେଇ ପକାଇବ, ଏଥିରେ କ୍ରମେ ତାଙ୍କର ସନ୍ଦେହ ଜାତ ହେଲା ।

ବୃଦ୍ଧ ଧୀରେ ଧୀରେ ମୁଣ୍ଡ ତୋଳି ଇତସ୍ତତଃ ଦୃଷ୍ଟିପାତ କଲେ । ଝରକା ଭିତର ଦେଇ ଜହ୍ନର ଏକ ଫୁତ୍କାର ଘରର ଗୋଟିଏ କୋଣକୁ ପ୍ଲାବିତ କରିଥାଏ । ବୃଦ୍ଧ ଦେଖିଲେ, ଚାଳ କଣାକରି ସେହି କୋଣରେ ଯାହାର ଅବତରଣ ଘଟିଛି, ସେ ପୁଷ୍ପଧନୁ- ସଜ୍ଜିତ କନ୍ଦର୍ପଦେବ ନୁହଁନ୍ତି, ଲହଲହ ଉଦ୍ୟତ ଛୁରିକା ହସ୍ତେ ଭୀଷଣମୂର୍ତ୍ତି ଦସ୍ୟୁ ।

ପତ୍ନୀଙ୍କର ସେ ଅପୂର୍ବ ବ୍ୟବହାରର ହେତୁ ବୃଦ୍ଧ ବର୍ତ୍ତମାନ ବୁଝିଲେ ।

ଦସ୍ୟୁପୁତ୍ର ! ନମସ୍କାର ! ତମେ ତିଳେ ବି ଦ୍ୱିଧା ନ କରି ଏ ଘରୁ ଯାହା ଯେତେ ପାରୁଛ ନେଇଯାଅ । ତୁମ ଶୁଭାଗମନରେ ମୁହୂର୍ତ୍ତକ ସକାଶେ ମୋ ଚିତ୍ତରେ ଯେଉଁ ପୁଲକର ସଞ୍ଚାର ହୋଇଥିଲା, ତା’ର ମୂଲ୍ୟ ଏ ଘରେ ସଞ୍ଚିତ ଯାବତୀୟ ବିତ୍ତଠାରୁ ବହୁତ ବେଶି । ଅତଏବ, “ହେ ଆଗନ୍ତୁକ, ନେଇଯାଅ- ସବୁ ନେଇଯାଅ ।”

ଆବେଗରେ କଣ୍ଠରୋଧ ହେବା ପର୍ଯ୍ୟନ୍ତ ବୃଦ୍ଧ ନେଇଯାଅ ନେଇଯାଅ ବୋଲି କହିବାକୁ ଲାଗିଲେ ।

ଦସ୍ୟୁର ମନରେ କିଭଳି ଭାବାନ୍ତର ହେଲା କେଜାଣି, ସେ କୌଣସି ବସ୍ତୁ ପ୍ରତି ଧ୍ୟାନ ନ ଦେଇ ବୃଦ୍ଧଙ୍କ ପତ୍ନୀଙ୍କୁ ଉଦ୍ଦେଶ୍ୟ କରି କହିଲା, “ଦେଖ ଝିଅ, ମୁଁ ସବୁ ବୁଝିପାରୁଛି । ତୁ ତୋର ଏ ଅଧମ ସ୍ୱାମୀକୁ ମୋଟେ ଆଦର କରୁନାହୁଁ । ଆରେ ଝିଅ, ବିଧିର ବିଧାନରେ ତୋ ଭଳି ମଲ୍ଲିମାଳଟିଏ ଯୋଗାଡ଼ କରି ଏ ବୃଦ୍ଧ ମାଙ୍କଡ଼ ତ ନିଜ ବେକରେ ପକାଇସାରିଛି, ଏବେ ଆଉ କରାଯିବ କ’ଣ ? ମୋ କଥା ଶୁଣ- ତୁ ବୁଢ଼ାକୁ ସୁହାଗ କର । ମୁଁ ପୁଣି ଆସିବି, ଜାଣିଥା’ । ମୋ କଥା ମାନିଲୁ ନା ଅବଜ୍ଞା କଲୁ, ଦେଖିବି । ଆଚ୍ଛା, ଯାଏ ।” – ରିକ୍ତହସ୍ତରେ ଦସ୍ୟୁ କବାଟ ଖୋଲି ବାହାରି ଚାଲିଗଲା ।

ମଣିଷ ମନର ବିଚିତ୍ର ଗତି ପ୍ରକୃତି, ବୃଦ୍ଧର ବିକଳ ଅବସ୍ଥା, ଦସ୍ୟୁମନର ସମ୍ୱେଦନ- ମନସ୍ତତ୍ୱର ଏମନ୍ତ ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ସମୃଦ୍ଧ ଏ କାହାଣୀ ମହାନ୍ ବିଷ୍ଣୁଶର୍ମା ଏଇଠି ସମାପ୍ତ କରିଛନ୍ତି । କିନ୍ତୁ ପରବର୍ତ୍ତୀ ବ୍ୟାପାର ଭିନ୍ନ ପର୍ଯ୍ୟାୟର କାହାଣୀ ।

ସାଆନ୍ତେ ନିଜେ ଦୀର୍ଘନିଶ୍ୱାସ ଛାଡ଼ିଲେ । ଅବୋଲକରା ତାଙ୍କ ପାଖକୁ ଘୁଞ୍ଚି ଆସିଲା । – ଗୁରୁସାଆନ୍ତେ, ବାକିତକ ବାକି ରଖୁଛନ୍ତି କିଆଁ ?

ସାଆନ୍ତେ ଗପିଲେ-

ପରଦିନଠୁଁ ଯୁବତୀ ବୃଦ୍ଧ ସ୍ୱାମୀଙ୍କ ପ୍ରତି ଧୀରେ ଧୀରେ ମନଯୋଗ ଦେବାକୁ ଲାଗିଲା- ପ୍ରଭାତରେ ସ୍ନାନାର୍ଥେ ପାଣି ଉଷୁମ କରି ଆଣିଦେବାଠୁ ରାତିରେ ପାଦସେବା ପର୍ଯ୍ୟନ୍ତ ।

ବିଷାଦର ଅସରନ୍ତି ଶୀତଋତୁ ଭିତରେ ଦିନେ ଜୀବନର ଅବସାନ ହେବ ବୋଲି ଯେଉଁ ବୃଦ୍ଧ ଧରିନେଇଥିଲେ, ହଠାତ୍ ସେ ବର୍ଣ୍ଣାଢ୍ୟ ବସନ୍ତର ଯାଦୁରେ ସଞ୍ଜୀବିତ ଅନୁଭବ କଲେ, କିନ୍ତୁ ପରେ ପରେ ଏକ ନୂତନ ବିଷାଦରେ ସେ ମ୍ରିୟମାଣ ହେଲେ । ଗ୍ରାମଠୁଁ ଅଦୂରରେ, ଅରଣ୍ୟ ପର୍ବତ ସମୀପବର୍ତ୍ତୀ ଉପତ୍ୟକାରେ ରହୁଥିଲେ ଜଣେ ତପସ୍ୱୀ । ବୃଦ୍ଧ ତାଙ୍କୁ ଭେଟିଲେ ଓ କହିଲେ, “ମହାଭାଗ, ମୋତେ କୃପା କରନ୍ତୁ- ଯୌବନ ନହେଲେ ବି ମୋ ଭିତରେ ଯୌବନଶକ୍ତି ଆଣିଦିଅନ୍ତୁ ।”

ଏ ଉଦ୍ଭଟ ଅନୁରୋଧର ଯଥାର୍ଥତା କ’ଣ, ବତ୍ସ ? ଏକ ମହାନ୍ ସ୍ୱାଭାବିକ ବିଧାନର ବିରୁଦ୍ଧରେ ଯିବା ପ୍ରୟୋଜନ କ’ଣ ? ସର୍ବଦା ନମ୍ର ସ୍ନେହଶୀଳ ତପସ୍ୱୀ ପ୍ରଶ୍ନ କଲେ ।

ମହାଭାଗ ! ବାର୍ଦ୍ଧକ୍ୟ, ଜରା ଏସବୁ ମହାନ୍ ବିଧାନ କିପରି ହୋଇପାରେ ?

ପ୍ରଶ୍ନ ଖୁବ୍ ପ୍ରାସଙ୍ଗିକ- କିନ୍ତୁ ଉତ୍ତର ଟିକିଏ ଜଟିଳ, ତେବେ ସହଜରେ ମୁଁ ବୁଝେଇ ଦେଇପାରିବି- ଯଦି ତୁ ଜୀବନର ଲକ୍ଷ୍ୟ ସମ୍ପର୍କରେ ଅବହିତ ଥିବୁ । ଜୀବନର ଲକ୍ଷ୍ୟ ଚିରକାଳ ଜନ୍ମ-ମୃତ୍ୟୁ, ସୁଖ-ଦୁଃଖର ଆବର୍ତ୍ତରେ ଧନ୍ଦି ହେବା ନୁହେଁ- ଲକ୍ଷ୍ୟ ହେଲା, ତହିଁରୁ ଉତ୍ତୀର୍ଣ୍ଣ ହୋଇ ଦିବ୍ୟ ଚେତନା ଆୟତ୍ତ କରିବା । ପ୍ରକୃତି ଏକ ଦିଗରେ ଯେପରି ମଣିଷକୁ ପୂର୍ବୋକ୍ତ ଆବର୍ତ୍ତରେ ପକାଇରଖିବାର ବ୍ୟବସ୍ଥା କରିଥାଏ, ଅନ୍ୟ ଦିଗରେ ସେଥିରୁ ଉତ୍ତୀର୍ଣ୍ଣ ହେବା ପାଇଁ ଚିନ୍ତା କରିବା ଦିଗରେ ସୁଯୋଗର ବିଧାନ ବି କରିଥାଏ । ବୃଦ୍ଧାବସ୍ଥାରେ ଯଦି କେତେକ ଶକ୍ତି ସ୍ତିମିତ ହୁଏ, ତେବେ ତାହା ତୋ ପାଇଁ ମହତ୍ତର ଆନନ୍ଦର ସନ୍ଧାନ କରିବା ଆବଶ୍ୟକତା ଦିଗରେ ସୂଚନା । ଉଦାହରଣ ସ୍ୱରୂପ, ଦାନ୍ତ ପଡ଼ିଯାଏ ମଣିଷକୁ ଲୋଭ ସମ୍ୱରଣ କରିବା ଦିଗରେ ଚେତାଇ ଦେବା ପାଇଁ । ଦୃଷ୍ଟିଶକ୍ତି କ୍ଷୀଣ ହୁଏ- ତାହାହେଲେ ମଣିଷ ଅନ୍ତର୍ଦୃଷ୍ଟିର ବିକାଶ ପାଇଁ ମନୋଯୋଗୀ ହେବ ।

ମୁଁ ବୁଝୁଛି. . . – କହି ବୃଦ୍ଧ କାନ୍ଦି ପକାଇଲେ ଓ ତା’ପରେ ତାଙ୍କ ଜୀବନରେ ସମ୍ଭବ ହୋଇଥିବା ବିଚିତ୍ର ପରିସ୍ଥିତିର ଅନ୍ତରଙ୍ଗ ବିବରଣୀ ଦେଲେ । ଶେଷରେ ପୁଣି ପ୍ରାର୍ଥନୀ କରି କହିଲେ, “ହେ ମହାଭାଗ ! ବର୍ତ୍ତମାନ ମୁଁ ମୋର ଯୁବତୀ ପତ୍ନୀର ଉନ୍ମୁଖତା ଏଡ଼ାଇଯିବା ଏକାନ୍ତ ଅସମୀଚୀନ ନୁହେଁ କି ? ମୋତେ କିଛି ଦିନ ପାଇଁ ହେଲେ ଯୁବକ କରିଦିଅନ୍ତୁ ।

ତପସ୍ୱୀ ଟିକିଏ ନିରବ ରହି କହିଲେ, “ବତ୍ସ ! ତୋତେ ଯୁବକରେ ରୂପାନ୍ତରିତ କରିବାର ଶକ୍ତି ମୋର ନାହିଁ । ସେ ଶକ୍ତି ଅଦ୍ୟାବଧି ବିଶ୍ୱ-ପ୍ରକୃତିରେ ସମ୍ଭବ ହୋଇନାହିଁ । ହୁଏତ ଦିନେ- ବହୁ ଶତାବ୍ଦୀ ପରେ ସମ୍ଭବ ହେବ, ଯେତେବେଳେ ମଣିଷ ଜୀବନର ଦିବ୍ୟ ଉପଯୋଗ କଲାଭଳି ଚେତନାର ଅଧିକାରୀ ହେବ । ଆପାତତଃ ତୋତେ ମୁଁ କୃତ୍ରିମ, ସାମୟିକ ଯୌବନଶକ୍ତିର ସନ୍ଧାନ ମାତ୍ର ଦେଇପାରେ । ହିମାଳୟର ଏକ ଗୂଢ଼ ଅଞ୍ଚଳରେ ଝରଣାଟିଏ ରହିଛି । ସେଥିରେ ପ୍ରତ୍ୟହ ତ୍ରିବାର ସ୍ନାନକରି, ଝରଣାର ଉତ୍ତର ପ୍ରାନ୍ତରେ କିଲିବିଲି କରୁଥିବା ଏକପ୍ରକାର କ୍ଷୁଦ୍ର କୀଟ ସେବନକଲେ ତୋ ଉଦ୍ଦେଶ୍ୟ ସିଦ୍ଧ ହେବ । ଅବଶ୍ୟ ତୋର ଏ କଳେବର ସହ ସେ ନବଲବ୍‌ଧ ଶକ୍ତି ମନେହେବ ବଡ଼ ଅସଂହତ, ବିଷମ ଓ ହାସ୍ୟାସ୍ପଦ । କିନ୍ତୁ ତୋ ଇଚ୍ଛା ।”

ଅଧୀର ବୃଦ୍ଧ ଏକ ବିଶେଷ ଉଦ୍ଦେଶ୍ୟରେ କୌଣସି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ବୋଲି ପତ୍ନୀଙ୍କୁ କହି ଯୌବନଶକ୍ତିର ସନ୍ଧାନରେ ବହିର୍ଗତ ହେଲେ । ଦିନ ପରେ ଦିନ ମାସ ପରେ ମାସ, ଛଅମାସ ବିତିଗଲା । ପତ୍ନୀ ଉତ୍କଣ୍ଠିତା ହେଲେ । ଦିନେ ସେ ଯାଇ ତପସ୍ୱୀଙ୍କୁ ସାକ୍ଷାତ୍ କରି ସ୍ୱାମୀ ନିରୁଦ୍ଧିଷ୍ଟ ହେବା କଥା କୁହନ୍ତେ, ତପସ୍ୱୀ ବୃଦ୍ଧଙ୍କ ଦୂରାନ୍ତର ଅଭିଯାନର ରହସ୍ୟ ତାଙ୍କ ଆଗରେ ପ୍ରକଟ କରିଦେଲେ ।

ସଜଳଚକ୍ଷୁରେ ଯୁବତୀ କହିଲେ, “ମହାଭାଗ ! ମୋ ସ୍ୱାମୀ ଇଏ କଲେ କ’ଣ ? ତାଙ୍କୁ ବିଭାହେବା ଦିନଠୁଁ ସର୍ବଦା ଦିବ୍ୟଜନନୀଙ୍କୁ ପ୍ରାର୍ଥନା କରି କରି ମୁଁ କାମାବେଗ ଉପରେ ସମ୍ପୂର୍ଣ୍ଣ ବିଜୟ ଲାଭ କରିଛି । ସେ ନିଶାର୍ଦ୍ଧର ଦସ୍ୟୁ-ଜନିତ ଘଟଣାରେ ତାଙ୍କ ପ୍ରତି ମୋର ବାତ୍ସଲ୍ୟଭାବ ଜାତ ହୋଇଥିଲା ଏବଂ ସେହି ମନୋଭାବ ନେଇ ତାଙ୍କର ସେବା କରୁଥିଲି । ଜାଣେନା, କେଉଁ ନିର୍ଜନ ମୁଲକରେ, ମୋର ତୃପ୍ତିବିଧାନ ମାନସରେ ସେ କେଡ଼େ କଷ୍ଟ କରି ଏକ ଅଯଥା ଶକ୍ତିର ଅନ୍ୱେଷଣରେ ବ୍ୟାପୃତ । ତାଙ୍କ ଜୀବନ ପ୍ରତି ଆଶଙ୍କା ନାହିଁ ତ ।”

ନା, ଝିଅ ! ଆହୁରି ଦୁଇବର୍ଷ ପରବର୍ତ୍ତୀ ଶ୍ରାବଣ ଶୁକ୍ଳପକ୍ଷର ଦ୍ୱାଦଶୀ ତିଥିର ସୂର୍ଯ୍ୟୋଦୟ ଯାଏଁ ତୋ ସ୍ୱାମୀର ଆୟୁ ଅତୁଟ ରହିବ ।

ଯୁବତୀ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ବିଷମ ଅଥଚ ଉତ୍କଣ୍ଠିତା ଭାବରେ ସେ ବୃଦ୍ଧଙ୍କ ପ୍ରତୀକ୍ଷାରେ ରହିଲେ । ମାସ ପରେ ମାସ, ଦୁଇବର୍ଷ ଗଡ଼ିଗଲା । ଅବଶେଷରେ ଶ୍ରାବଣ ଶୁକ୍ଳପକ୍ଷର ଏକାଦଶୀ ଦିନ ପ୍ରଭାତରେ ହେଲା ବୃଦ୍ଧଙ୍କ ଆଗମନ । ସେ ବଡ଼ ହରଷିତ ଦିଶୁଥିଲେ । ତାଙ୍କର ପଳିତ କଳେବର ସହ ତାଙ୍କ ଦୃଷ୍ଟି ଓ ହାସ୍ୟର ସାମଞ୍ଜସ୍ୟ ନଥିଲା । ମୁହଁରେ ଥିଲା ଏକ ଅସ୍ୱସ୍ତିକର ସନ୍ତୋଷ ଓ ଆଶା । ଯୁବତୀ ବୁଝିଲେ, ବୃଦ୍ଧ ସଫଳକାମ ହୋଇ ଫେରିଛନ୍ତି ।

ସେ ମୁହୂର୍ତ୍ତରେ ଯୁବତୀଙ୍କ ମାନସିକ ସଙ୍କଟର ବର୍ଣ୍ଣନା ଦେବା ସହଜସାଧ୍ୟ ନୁହେଁ । ଯେଉଁ ସିଦ୍ଧି ପାଇଁ ବୃଦ୍ଧ ଏତେ ଦିନ ଏତେ କଷ୍ଟ ସହ୍ୟ କରିଛନ୍ତି, ଆଗତପ୍ରାୟ ନିଶୀଥରେ ସେ ତା’ର ଚରିତାର୍ଥତା ପାଇଁ ବ୍ୟଗ୍ର ହେବେ । ନିଶାନ୍ତେ, ଦ୍ୱାଦଶୀ ପ୍ରଭାତରେ ତାଙ୍କର ମୃତ୍ୟୁ । ଇହଜୀବନରେ ଜଣକର ଶେଷ ଚିନ୍ତା ବା କର୍ମର ଗୁଣ ପରବର୍ତ୍ତୀ ଜନ୍ମର ନିର୍ଦ୍ଧାରକ ବୋଲି ଯୁବତୀ ପୁରାଣରୁ ଜାଣିଥିଲେ । ଜାଣି ଜାଣି ସେ କିପରି ବୃଦ୍ଧଙ୍କ ଭବିତବ୍ୟ ମ୍ଳାନକରିଦେବେ । ପକ୍ଷାନ୍ତରେ ତାଙ୍କୁ ଖାଲି ନିବୃତ୍ତ କରି ରଖିବା ଯଥେଷ୍ଟ ନୁହେଁ, ତାଙ୍କ ମୃତ୍ୟୁର ଅବ୍ୟବହିତ ପୂର୍ବରୁ ତାଙ୍କ ହିତୈଷିଣୀ ଭାବରେ ତାଙ୍କ ଚେତନାରେ କିଛି ବୈରାଗ୍ୟଭାବର ସଞ୍ଚାର କରିବା ତାଙ୍କର ମହତ୍ କର୍ତ୍ତବ୍ୟ ।

ସ୍ୱାମୀଙ୍କୁ ସ୍ୱାଗତ କରିସାରି, ତାଙ୍କ ଭୋଜନ, ବିଶ୍ରାମ ଓ ସ୍ୱାଚ୍ଛନ୍ଦ୍ୟର ବ୍ୟବସ୍ଥା କରିଦେଇ ଯୁବତୀ ନିଜର ପୂଜା କକ୍ଷକୁ ଯାଇ ଧ୍ୟାନମଗ୍ନ ହେଲେ । ସେ ଧ୍ୟାନ ଆଉ ଭାଙ୍ଗିଲା ନାହିଁ । ସୂର୍ଯ୍ୟାସ୍ତ ବେଳକୁ ସେ ପ୍ରାଣତ୍ୟାଗ କଲେ ।

ସ୍ତବ୍ଦ ହେଲେ ବୃଦ୍ଧ । ସେ ଧକ୍କାରେ ତାଙ୍କର ମୋହ ତଥା ତାଙ୍କର କଷ୍ଟାର୍ଜିତ ସିଦ୍ଧି ତାଙ୍କୁ ଛାଡ଼ି କାହିଁ ଯୋଜନ ଯୋଜନ ପଥ ଦୂରକୁ ପଳାଇଗଲା । ପ୍ରଭାତରେ ବୃଦ୍ଧଙ୍କ ପ୍ରାଣପ୍ରଦୀପ ଲିଭିଯିବା ପରେ ଗ୍ରାମବାସୀମାନେ ଉଭୟଙ୍କର ସତ୍କାର କଲେ ।

ପରବର୍ତ୍ତୀ ସମୟରେ ତପସ୍ୱୀ ପ୍ରକାଶ କରିଥିଲେ- ବୃଦ୍ଧଙ୍କ ପତ୍ନୀ ଥିଲେ ଅତ୍ୟନ୍ତ ଉଚ୍ଚକୋଟୀର ପୁଣ୍ୟପ୍ରାଣା ଦେବୀ-ପ୍ରତିମା ମହିଳା । ତାଙ୍କ ତପଃଶକ୍ତିର ପ୍ରଭାବ ଏଯାବତ୍ ଗ୍ରାମର ବାତାବରଣରେ ବଳବତ୍ତର । କେତେକାଳ ବଳବତ୍ତର ରହିବ, ତାହା ନିର୍ଭର କରେ ଅନ୍ୟମାନଙ୍କ ଆଚରଣ ଉପରେ । ସାମୂହିତ ଖଳବୁଦ୍ଧି ପ୍ରବଳ ହେଲେ ବାତାବରଣ- ନିହିତ ବିଭୂତି କ୍ରମେ କ୍ଷୟପ୍ରାପ୍ତ ହେବ ।

“ହାୟ !” – କହି ଅବୋଲକରା ଗଣ୍ଠିଲି ଉଠାଇଲା ।

ଲୋକପ୍ରିୟ ଲେଖା

To Top