ଗଳ୍ପ

ଶୋଭାଯାତ୍ରା

Dr Nilamani Lenka's odia story Shobhaajatraa

ଯେଉଁ ଦେଶରେ ଜେଜେମା’ର ଶବ ଶୋଭାଯାତ୍ରାରେ ନାତି ସାଉଣ୍ଡବକ୍ସର ହିନ୍ଦୀ ଗୀତ ତାଳେ ତାଳେ ନିଶାରେ ନୃତ୍ୟ ପ୍ରଦର୍ଶନ କରିପାରନ୍ତି, ଯେଉଁଠି ପ୍ରତିବର୍ଷ ପିତୃପୁରୁଷଙ୍କ ଶ୍ରାଦ୍ଧପିଣ୍ଡ ନ ଦେବା ପାଇଁ ଗଙ୍ଗାରେ ଅସ୍ଥିଭସ୍ମ ବିସର୍ଜନ କରି ସଫଳ ଶ୍ରାଦ୍ଧରେ ଭବିଷ୍ୟତ କର୍ତ୍ତବ୍ୟକୁ ସମାପନ କରିଦିଅନ୍ତି ସେଠି ସରଳମନା ମଣିଷ କ’ଣ ବା କରିପାରିବ ।

ଶୋଭାଯାତ୍ରା

ଶୋଭାଯାତ୍ରା ଚାଲିଥିଲା ।

କୋକେଇ ଭାବରେ ବ୍ୟବହାର କରାଯାଇଥିବା ବୋବେଇ ଦଉଡ଼ିବୁଣା ଖଟରେ ସଫେଦ ଚାଦର ଦ୍ୱାରା ଘୋଡ଼ା ଯାଇଥିବା ଶବକୁ କାନ୍ଧେଇ ଥିଲେ ଚାରିଜଣ ଯୁବକ । ଶତାଧିକ ଗ୍ରାମବାସୀ ଶବ ଶୋଭାଯାତ୍ରାରେ ସାମିଲ ହୋଇ “ରାମ ନାମ ସତ୍ୟ ହେ- ହରିନାମ ସତ୍ୟ ହେ” ଡାକଦ୍ୱାରା ପରିବେଶକୁ ଗମ୍ଭୀର କରି ଦେଇଥିଲେ ।

ଶବ ଶୋଭାଯାତ୍ରା ସେମିତି କେଉଁ ପ୍ରତିଷ୍ଠିତ ବ୍ୟକ୍ତି କିମ୍ୱା ଭିଟାମାଟି ଛାଡ଼ି ଆରପୁରକୁ ଚାଲିଯାଇଥିବା ବୟସ୍କ ଗ୍ରାମବାସୀର ନ ଥିଲା । ନିଜ ପରିଚୟ ହରେଇ ଦେଇ ଶ୍ୱଶୂର ଘରେ ଆଶ୍ରୟ ନେଇଥିବା ଶଙ୍କର ଲହାର ଶବ ଶୋଭାଯାତ୍ରାରେ ଏତେ ସଂଖ୍ୟକ ଲୋକ ଏବଂ ଗଣମାଧ୍ୟମର କିଛି ପ୍ରତିନିଧି ଯୋଗ ଦେବା ନିଶ୍ଚୟ ଦେଖଣାହାରୀ ନିମିତ୍ତ ବିସ୍ମୟ କରିଥିଲା ।

ଶଙ୍କର ଲହାର !

ରେଳ ଧାରଣାର କଡ଼େ କଡ଼େ ଗଢ଼ି ଉଠିଥିବା ବସ୍ତି ଅଞ୍ଚଳରେ ଯାହାର କଟିଛି ବାଲ୍ୟବସ୍ଥା । ବାରବର୍ଷ ହୋଇଥିଲାବେଳେ ରେଳ ଦୁର୍ଘଟଣାରେ ବାପା ମା’ ଆରପାରିକୁ ଚାଲିଗଲା ପରେ ଅସହାୟ ହୋଇ ଯାଇଥିଲା ଶଙ୍କର । ପେଟପାଟଣା ନିମିତ୍ତ ସେତେବେଳେ ବାପା ଆଦରି ନେଇଥିଲେ ଏକ ଅଜବ ବୃତ୍ତି । କୋଇଲା ପରିବହନ କରୁଥିବା ପ୍ରତ୍ୟେକ ରେଳ ଯା’ଆସ ସମୟ ବାପାଙ୍କୁ ବେଶ୍ ଜଣାଥିଲା । ରେଳ ଆସିବାର କେତେ ମିନିଟ୍ ପୂର୍ବରୁ ବାପା ଇସାରା ଦେଇ ସଜାଗ ହେବାକୁ ନିର୍ଦ୍ଦେଶ ଦେଉଥିଲେ ତାକୁ । ରେଳ ଧାରଣା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟର ଅଧାଯାଏ ଚଢ଼ି ଶଙ୍କର ନିର୍ନିମେଷ ନୟନରେ ଚାହିଁଥାଏ ଖୁଣ୍ଟ ପାଖ ଦେଇ ଅତିକ୍ରମ କରିବାକୁ ଆସୁଥିବା ରେଳଡ଼ବା ଆଡ଼କୁ । ରେଳ ଡବାଗୁଡ଼ିକ ଖୁଣ୍ଟ ପାଖ ଦେଇ ଯିବା ସମୟରେ ହାତରେ ଧରିଥିବା ଖେଣ୍ଟା ଯୁକ୍ତ ବଙ୍କୁଲି ବାଡ଼ିରେ ଝଟକା ମାରି କୋଇଲା ଖଣ୍ଡ ଗୁଡ଼ିଏ ରାମ୍ପି ପକାଏ । ରେଳ ଗଲାପରେ ବାପା ମା’ ଏବଂ ଶଙ୍କର ତଳେ ବିଛାଡ଼ି ହୋଇ ପଡ଼ିଥିବା କୋଇଲା ଖଣ୍ଡକୁ ସଂଗ୍ରହ କରି ବିଭିନ୍ନ ଦୋକାନ ବୁଲି ବିକ୍ରି କରିଥାନ୍ତି ।

ବେଶି ଦିନ ଏହି କାର୍ଯ୍ୟ କରିବା ସମ୍ଭବ ହେଲା ନାହିଁ । ରେଳ ସମୟ ପରିବର୍ତ୍ତନର ସୂଚନା ସଂଗ୍ରହ କରିପାରିନଥିବା ବାପା ମା’ ଦୂରଦୃଷ୍ଟିର ଅଭାବ ଯୋଗୁ ରେଳ ଚାପାରେ ମୃତ୍ୟୁବରଣ କରିଥିଲେ ।

ଅସହାୟ ଶଙ୍କର ସେହି ଦିନଠୁ ରେଳକୁ ଦେଖିଲେ ଭୟ କରେ । ମୃତ୍ୟୁକୁ ଖୁବ୍ ନିକଟରୁ ଦେଖିଥିବା ହେତୁ ମନରେ ସାହସ ବି ବାନ୍ଧେ । ଏଇଥି ପାଇଁ ତ ବୃତ୍ତି ନିମିତ୍ତ ନିଜକୁ ସକ୍ଷମ ମନେ କରି ପୂର୍ବ ପରିଚିତ ସେହି ବସ୍ତି କୁଡ଼ିଆକୁ ଆଉ ଫେରି ନ ଥିଲା । ରାଜଧାନୀର ସହରତଳି ଶାନ୍ତିପଡ଼ାର ଅକର୍ମଣ୍ୟ ଦମ୍ପତିଙ୍କ ଏକମାତ୍ର କନ୍ୟା ଗୁମାନୀର ହାତ ଧରି ସେଠି ରହିଯାଇଛି ଦୀର୍ଘଦିନ ହେଲା ।

ଏବେ ସବୁ ପର୍ଯ୍ୟାୟର ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି ।

ଶବ ଶୋଭାଯାତ୍ରାରେ କେବଳ ଯେ “ରାମନାମ ସତ୍ୟ ହେ-ହରିନାମ ସତ୍ୟ ହେ” ଶୁଣାଯାଉ ନାହିଁ ବରଂ ମଝିରେ ମଝିରେ ଶୁଭୁଛି “ଶଙ୍କର ଲହାର ଅମର ରହେ” । ଶୋଭାଯାତ୍ରା ଦେଖିବାକୁ ଯାଇଥିବା ତ୍ରିଲୋଚନ ବାବୁ ଅଟକି ଗଲେ । ଯଦିଏ ରହିବାକୁ ଇଚ୍ଛାନଥିଲା କିନ୍ତୁ ମଟର ସାଇକେଲ୍ ପଛରେ ବସିଥିବା ଚତୁର୍ଭୁଜ ବାବୁ ଟିକେ ଅଟକି ଯିବାକୁ ତାଙ୍କ କାନ୍ଧରେ ହାତ ମାରି ରୁକିବାକୁ ଇସାରା ଦେଲେ ।

ଚତୁର୍ଭୁଜ ବାବୁ କହିଲେ- “ଆରେ ଇଏତ ଶଙ୍କର ଲହାରର ଶବ । ଘର ଜୋଇଁଆ ଭାବରେ ରହୁଥିବା ଶଙ୍କର ନିଜର ସ୍ତ୍ରୀ ମରିଗଲା ପରେ ପାଖ ପଡ଼ାର ଠିକାଦାରଙ୍କ ପାଇଁ ସର୍ଦ୍ଦାର ମାଧ୍ୟମରେ ଦାଦନ ଖଟିବାକୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ଯାଇଥିଲା । ଏବେ ବିଚରା ଚାଲିଗଲା । ତା ବଂଶରେ କେହି ରହିଲେ ନାହିଁ ।” ବିକାଶର ବିବର୍ଣ୍ଣ ବର୍ଣ୍ଣାଳୀ ସ୍ପଷ୍ଟ ଦିଶୁଥିଲା ଦାଦନ ଖଟିବାକୁ ଯାଇଥିବା ଶଙ୍କର ଲହାର ଶବ ଶୋଭାଯାତ୍ରାରୁ ।

ତ୍ରିଲୋଚନ ବାବୁ କହିଲେ- “ତମେ ତାକୁ ଚିହ୍ନିଚ ?”

– “ହଁ ସେ ଖୁବ୍ ଭଲ ଲୋକ ଥିଲା । ପରିଶ୍ରମୀ ବି । ଏଠି ଯଥେଷ୍ଟ କାମ ନ ମିଳିବାରୁ ସର୍ଦ୍ଦାର ମାଧ୍ୟମରେ ଆନ୍ଧ୍ରପ୍ରଦେଶ ଯାଇଥିଲା । କ’ଣ ହେଲା କେଜାଣି କାଲି ସନ୍ଧ୍ୟାରେ ମୁଁ ଶୁଣିଥିଲି ଗାଁ ମୁଣ୍ଡ ଗଛ ତଳେ ଜଣକୁ କିଏ ଅସହାୟ ଅବସ୍ଥାରେ ଛାଡ଼ି ଦେଇଗଲେ ।”

ଖୋଳତାଡ଼ ଆରମ୍ଭ ହେଲା । ଛକ ପାଖର ପାନଦୋକାନୀ ପାଖରୁ ଖବର ମିଳିଲା । ଗୋଟିଏ ଆମ୍ବୁଲାନ୍ସରେ ଆସିଥିବା ଶଙ୍କର ଲହାରକୁ ଗଛମୂଳେ ଛାଡ଼ି କେତେଜଣ ଚାଲିଗଲେ ।

ତ୍ରିଲୋଚନା ବାବୁ ନ ଜାଣିବାର ଅଭିନୟ କରୁଥିଲେ । ଗତ ସନ୍ଧ୍ୟାରେ ହୋହାଲା ହୋଇଥିଲାବେଳେ ତ୍ରିଲୋଚନ ବାବୁ ଅନ୍ୟମାନଙ୍କ ପରି ଏଠାକୁ ଦେଖିବାକୁ ବି ଆସିଥିଲେ । ହୃଦୟ ବିଦାରକ ଥିଲା ସେ ଦୃଶ୍ୟ । ହାତଗୋଡ଼ ବନ୍ଧା ହେବା ସହିତ ମୁହଁରେ ପଟି ପଡ଼ିଥିଲା । ପାଟିରେ କେବଳ ତରଳ ଖାଦ୍ୟ ପାଇଁ ନଳି ଲଟକିଥିବା ବେଳେ ହାତରେ ସାଲାଇନ୍ ଛୁଞ୍ଚି ବି ଲାଗିଥିଲା ।

ଦେଖୁଥିବା ଲୋକଙ୍କ ଭିତରୁ କେହି ଜଣେ ପାନଦୋକାନର ବେଞ୍ଚ ଉପରେ ପଡ଼ିଥିବା ପ୍ରେସକ୍ରିପସନ୍ ଆଣି ଦେଖାଇ କହିଥିଲା- “ଇରେ ହେ. . . ଇଏତ ଶଙ୍କର ଲହାରର ଡାକ୍ତର ଚିଠା ।”

ଲୋକଙ୍କ ଯା’ ଆସ ଲାଗିଲା । ଯିଏ ଆସିଲା ଦେଖି ଦେଇ “ଆହା. . .” କହି ଚାଲିଗଲା ।

ଆହୁରି ବିସ୍ମୟକର ଥିଲା ଯେ ଶଙ୍କର ଲହାର ଶରୀରରେ ଡାକ୍ତରଖାନାରେ ଅପରେସନ୍ ପାଇଁ ରୋଗୀ ପିନ୍ଧୁଥିବା ନିର୍ଦ୍ଦିଷ୍ଟ ପୋଷାକ ଥିଲା । ଛାଡ଼ିବା ବେଳର ପ୍ରତ୍ୟକ୍ଷଦର୍ଶୀ ଥିବା ସେହି ପାନ ଦୋକାନୀ ଭୟରେ କିମ୍ୱା ଅନ୍ୟ କୌଣସି କାରଣବଶତଃ ସନ୍ଧ୍ୟା ପରଠାରୁ ଏଯାବତ୍ ଦୋକାନ ବନ୍ଦ କରି ଫେରାର ଥିଲା ।

ତ୍ରିଲୋଚନ ବାବୁ କଥାକୁ ଲୁଚାଇ ରଖିପାରିଲେ ନାହିଁ । ପ୍ରତ୍ୟେକ୍ଷଦର୍ଶୀ ନ ଥିଲେ ବି ବଞ୍ଚିବାର ମୋହରେ ଯନ୍ତ୍ରଣାକ୍ଳିଷ୍ଟ ଶଙ୍କର ଯେତେବେଳେ ସାହାଯ୍ୟ ଚାହିଁଥିଲା କେହି ମଧ୍ୟ ସମବେଦନାର ହାତ ବଢ଼ାଇ ନ ଥିଲେ ।

ଚତୁର୍ଭୁଜବାବୁଙ୍କୁ ଲୋକ ଗହଳିଠାରୁ ଟିକେ ଦୂରକୁ ଟାଣି ନେଇ ତ୍ରିଲୋଚନ ବାବୁ କହିଲେ- “ଆପଣ ଶୁଣିଲେ ଅବାକ୍ ହୋଇଯିବେ । ଭାଇଚାରା କହୁଥିବା ସହରର ଉପକଣ୍ଠରେ ମଣିଷର କାହାଣି । ଶଙ୍କର ଲହାର ନିଜର ଶାଶୁ ଶ୍ୱଶୂର ଏବଂ ପତ୍ନୀକୁ ହରାଇବା ପରେ ବେସାହାର ହୋଇ ଯାଇଥିଲା । ସର୍ଦ୍ଦାର ପ୍ରଲୋଭନରେ ଆନ୍ଧ୍ର ଯାଇ ଜଣେ ଜଣେ ଠିକାହାରଙ୍କ ମାର୍ଫତରେ କାମ କରୁଥିବାବେଳେ ନିର୍ମାଣାଧୀନ କୋଠାରୁ ପଡ଼ି ଗୁରୁତର ହୋଇ ପଡ଼ିବାରୁ ସେଠାକାର ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲା । କ’ଣ ହେଲା କେଜାଣି ଚିକିତ୍ସା ଖର୍ଚ୍ଚର ବ୍ୟୟ ବହୁଳତା ହେତୁ ଭଳି ଚିକିତ୍ସା ନିମିତ୍ତ ଅନ୍ୟ ଡାକ୍ତରଖାନା ନେବାକୁ କହି ଠିକାଦାର ଏକ ଆମ୍ବୁଲାନ୍ସରେ ଆଣି ଗାଁର କିଛି ଲୋକଙ୍କୁ ରଖିବାକୁ କହିଥିଲା । ହୁଏତ ମାନବିକତାର ଅଭାବ କିମ୍ୱା ବ୍ୟୟ ବହୁଳ ଚିକିତ୍ସାକୁ ଡରି କେହି ଶଙ୍କରକୁ ଗ୍ରହଣ ନ କରିବାରୁ ସେମାନେ ଗାଁ ମୁଣ୍ଡ ଗଛ ତଳେ ଶୁଆଇ ଦେଇ ପାନଦୋକାନୀ ବେଞ୍ଚରେ ଡାକ୍ତରଙ୍କ ଚିଠାକୁ ରଖି ଯାଇଛନ୍ତି ।

ଚତୁର୍ଭୁଜବାବୁଙ୍କ ଆଉ ଶୁଣିବାକୁ ଧୈର୍ଯ୍ୟ ନ ଥିଲା । ଅସଲ ମଞ୍ଜି କଥାଟିଏ କିନ୍ତୁ ତ୍ରିଲୋଚନ ବାବୁଙ୍କୁ କହିଲେ- ଆପଣ ଏସବୁ କ’ଣ କହୁଛନ୍ତି କହିଲେ ? ଆଜି ଏ ଗାଁଲୋକ ଶଙ୍କର ଲହାର ଶବକୁ ଶୋଭାଯାତ୍ରାରେ ଯେଉଁଭଳି ଭାବରେ ଆଡ଼ମ୍ୱର ସହିତ ମଶାଣିକୁ ନେଉଛନ୍ତି ଗତକାଲି ସନ୍ଧ୍ୟାରୁ ଏମାନଙ୍କର ମାନବିକତା କୁଆଡ଼େ ଯାଇଥିଲା । ପ୍ରତିବର୍ଷ ଅଷ୍ଟମ ପ୍ରହରୀ, ସପ୍ତାହ ବ୍ୟାପୀ ଭାଗବତ ଚର୍ଚ୍ଚାର ପ୍ରଭାବ ଏଠି କ’ଣ ଏଇଆ ।

ବାଣଗଦାରେ ଅଗ୍ନି ବିଚ୍ଛୁରିତ ହୋଇ ଭୟଙ୍କର ବିସ୍ଫୋରଣ ହେଲା ପରି ତ୍ରିଲୋଚନ ବାବୁ ବି ରାଗିଯାଇ କହିଲେ- ଆପଣଙ୍କ କଥାରେ ମୁଁ ସମ୍ପୂର୍ଣ୍ଣ ସମ୍ମତି ଜଣାଉଛି । ହେଲେ ଯନ୍ତ୍ରଣା ଜର୍ଜରିତ ଜୀବନଭିକ୍ଷା ଦୃଶ୍ୟ ଦେଖାଉଛି । ସରକାରଙ୍କ ତରଫରୁ ଲକ୍ଷେ ଟଙ୍କା ସାହାଯ୍ୟ ଘୋଷଣା କରାଯାଇଛି । ଏ ଟଙ୍କାର ଦାବୀଦାର କିଏ ?

ପେଟେ ମଦପିଇ ଶବ ଶୋଭାଯାତ୍ରାରେ “ରାମନାମ ସତ୍ୟହେ- ହରିନାମ ସତ୍ୟ ହେ” ଚିଲାଉଥିବା ୱାର୍ଡ ମେମ୍ୱରଟି ପାଖରେ ଠିଆ ହୋଇ ଆଲୋଚନାର କିଛି ଅଂଶ ଶୁଣି ସାରିଥିଲେ । ନିଶାରେ ନିଜ ଉପରୁ ଆୟତ୍ତ ହରେଇଥିବା ଯୁବ ୱାର୍ଡମେମ୍ୱର କହିଲେ- “ଆପଣମାନଙ୍କର ଏତେ ଚର୍ଚ୍ଚା କାହିଁକି ? କିଏ ଦବ କିଏ ନବ ସେ କଥା ଆମ ଗାଁ ବାଲାଙ୍କର । ଯାଆନ୍ତୁ ଏଠୁ ।”

ନଛୋଡ଼ବନ୍ଧା ଚତୁର୍ଭୁଜବାବୁ ତାଙ୍କୁ ବୁଝାଇ ଶାନ୍ତ କରିବାକୁ ଚେଷ୍ଟା କଲେ । ଆଜ୍ଞା. . . ରାଗୁଛନ୍ତି କାହିଁକି ? ଆମେ ପରା ଶଙ୍କରକୁ ଦେଖିବାକୁ ଆସିଛୁ । ଆମେ ତ ଆପଣଙ୍କ ଲୋକ । ସେଥିପାଇଁ ଶୋଭାଯାତ୍ରାରେ ତ ଅଛୁ ।

ନିଶାରେ ଲୋକ ଚିହ୍ନିପାରୁନଥିବା ଯୁବ ୱାର୍ଡମେମ୍ୱର କହିଲେ- “ଆଜ୍ଞା ସେଇ କଥା ତ । ଆର ଗାଁର ଲୋକ ଭଳି ଆପଣ କହିଲେ ତ । ଯେଉଁ ସରକାର ସାହାଯ୍ୟ କଥା ଆପଣମାନେ କହୁଥିଲେ ତାକୁ ଗାଁ ଫଣ୍ଡରେ ରଖାଯିବ । ଏ ବର୍ଷ ଅଷ୍ଟମ ପ୍ରହରୀରେ ଟଙ୍କା ପାଇଁ ଆମକୁ ଆଉ ବାରଦ୍ୱାର ହେବାକୁ ପଡ଼ିବନି । ଟଙ୍କା ଗାଁବାଲା ନ ରଖିଲେ ସରକାର ଫେରାଇ ନେବେ ଲାଭ କ’ଣ ହବ ଆମର ?

ଚତୁର୍ଭୁଜବାବୁ କହିଲେ “ଏକଦମ୍ ଠିକ୍ କଥା କହିଲେ ଆପଣ । ଆମେ ତ ସେୟା ଭାବୁଥିଲୁ । ଟଙ୍କା ଫେରିବ କାହିଁକି ?”

ଶବ ଶୋଭାଯାତ୍ରା ଦୃଷ୍ଟି ଆଢୁଆଳକୁ ଚାଲିଗଲାଣି । ଯୁବ ୱାର୍ଡମେମ୍ୱର ପହଣ୍ଡି ହେଲା ଭଳି ହଲି ହଲି ଆଗକୁ ଚାଲିଲେ ।

ଚତୁର୍ଭୁଜବାବୁ କିମ୍ୱା ତ୍ରିଲୋଚନ ବାବୁଙ୍କ ପାଇଁ ଏକ ଘଟଣା କିଛି ନୂଆ ନ ଥିଲା । ଦୈନିକ ଖବରକାଗଜ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ ଅନେକ ରୋଚକପୂର୍ଣ୍ଣ ପ୍ରସଙ୍ଗ ଦେଖି ଦେଖି ଅଣନିଶ୍ୱାସୀ ହୋଇଗଲେଣି ଏହି ବନ୍ଧୁଦ୍ୱୟ ।

ଯୁବ ୱାର୍ଡମେମ୍ୱରଙ୍କ ଆବଭାବ ଦେଖି ଚତୁର୍ଭଜବାବୁ ସିନା ତାଙ୍କ କଥାରେ ସମ୍ମତି ଜଣାଇଲେ । ଯାହା ନିଜ ଅନ୍ତରର ବାର୍ତ୍ତା ନୁହେଂ ବରଂ ଆସନ୍ନ ଝଗଡ଼ାରୁ ରକ୍ଷା ପାଇବା ପାଇଁ ସେ ଏପରି କହିଦେଲେ । ଯେଉଁ ଦେଶରେ ଜେଜେମା’ର ଶବ ଶୋଭାଯାତ୍ରାରେ ନାତି ସାଉଣ୍ଡବକ୍ସର ହିନ୍ଦୀ ଗୀତ ତାଳେ ତାଳେ ନିଶାରେ ନୃତ୍ୟ ପ୍ରଦର୍ଶନ କରିପାରନ୍ତି, ଯେଉଁଠି ପ୍ରତିବର୍ଷ ପିତୃପୁରୁଷଙ୍କ ଶ୍ରାଦ୍ଧପିଣ୍ଡ ନ ଦେବା ପାଇଁ ଗଙ୍ଗାରେ ଅସ୍ଥିଭସ୍ମ ବିସର୍ଜନ କରି ସଫଳ ଶ୍ରାଦ୍ଧରେ ଭବିଷ୍ୟତ କର୍ତ୍ତବ୍ୟକୁ ସମାପନ କରିଦିଅନ୍ତି ସେଠି ସରଳମନା ମଣିଷ କ’ଣ ବା କରିପାରିବ ।

ସମ୍ପ୍ରତି ପରିବର୍ତ୍ତନ ଘଟିଛି ଲୋକଙ୍କ ମାନସିକରେ । ବିବାହ ବ୍ରତ ଶ୍ରାଦ୍ଧ ଏବଂ ଏକୋଇଶାର ଭୋଜି କେନ୍ଦ୍ର ପାଲଟିଯାଇଛି ମଧ୍ୟର ପରିସରେ । ବ୍ୟବସାୟ ଉଦ୍ଦେଶ୍ୟରେ ସହରରେ ମୁଣ୍ଡ ଟେକିଥିବା ଅନ୍ନ ପ୍ରସାଦ ବିକ୍ରୟ କେନ୍ଦ୍ର ଉପରେ ପ୍ରଶାସନର ବି କଟକଣା ନାହିଁ । ଏହି ଧାରାର ପରିବର୍ତ୍ତନ ପୁଣି କେବେ ହେବ କହିବା ମୁସ୍କିଲ୍ ।

ବୈଦ୍ୟୁତିକ ଗଣମାଧ୍ୟମରେ ବାରମ୍ୱାର ଏ ଘଟଣା ପ୍ରସାରଣ କରାଗଲା ପରେ ସରକାରୀ ସାହାଯ୍ୟ ଲକ୍ଷେଟଙ୍କା ମିଳିବାର ଘୋଷଣା ପରେ ଉଭୟ ରାଜ୍ୟର ଜିଲ୍ଲାପାଳ ଏବଂ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରିପୋର୍ଟ ତଲବ କରାଗଲା । ହେଲେ ଶଙ୍କରର ତୁରନ୍ତ ଚିକିତ୍ସା ନିମିତ୍ତ ପଦକ୍ଷେପ ନିଆଯାଇଥିଲେ ସେ କ’ଣ ବଞ୍ଚି ପାରିନଥାନ୍ତା କି ?

ଅନେକ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ହୁଏତ ତଦନ୍ତ କମିସନଙ୍କ କାର୍ଯ୍ୟକାଳ ପୂରି ଯାଇଥିବ କିମ୍ୱା ତଦନ୍ତ ରିପୋର୍ଟକୁ ସର୍ବସାଧାରଣ ଜାଣିବା ପୂର୍ବରୁ ଫାଇଲ୍ ହଜିଯିବା କିଛି ନୂଆ କଥା ହୋଇନଥିବ ।

ତ୍ରିଲୋଚନ ବାବୁ କହିଲେ ଏସବୁ କଥା ଭାବି କିଛି ଲାଭ ନାହିଁ ଚାଲନ୍ତୁ ଆମେ ଏଠୁ ଯିବା ।

– ଅମିମାଂସିତ ସମସ୍ୟାର ସମାଧାନ ନିମିତ୍ତ ସରକାରୀ କିମ୍ୱା ବେସରକାରୀ ସ୍ତରରେ କ’ଣ କିଛି ପନ୍ଥା ନାହିଁ କହିଲେ ଚତୁର୍ଭୁଜବାବୁ ।

– ନା. . . ନାହିଁ ।

– କାହିଁକି ?

କାରଣ କ’ଣ ଆପଣ ଜାଣି ନାହାନ୍ତି ? ଚାକିରୀରୁ ଛଅ ବର୍ଷ ହେଲା ଆପଣ ଅବସର ନେଲା ପରେ ଏଯାଏ କେବଳ ପ୍ରୋଭିଜିନାଲ ପେନସନ୍ କାହିଁକି ପାଉଛନ୍ତି ? ଫାଇନାଲ୍ ପେନ୍‌ସନ୍ ପାଇଁ ଆପଣଙ୍କର ଅବସ୍ଥା କ’ଣ ହେଲାଣି ଅନୁଭବ କରିପାରୁନାହାନ୍ତି ? ଯେଉଁ ରାଜ୍ୟରେ ଗଧ-ଘୁଷୁରୀଙ୍କ ଗଣନା ଜାଣିହୁଏ, କାହାର ପିଲାଛୁଆ କେତେ ତାଲିକା ରହେ, ସେଠି ଦାଦନ ଶ୍ରମିକ ବାହାର ରାଜ୍ୟକୁ କେତେ ଯାଉଛନ୍ତି ତା’ର ହିସାବ କିନ୍ତୁ ନାହିଁ । ବରଂ ଠିକାଦାରଙ୍କ ଦୌରାତ୍ମ୍ୟରେ ବାହାର ରାଜ୍ୟରେ କାହାର ହାତପାପୁଲି କାଟି ଦିଆଯାଉଛି କାହାକୁ ଦୁଷ୍କର୍ମପରେ ଇଟାଭାଟିରେ ଜାଳି ଦିଆଯାଉଛି, କାହାର କିଡ୍ନୀ କାଢ଼ି ନିଆଯାଉଛି ଏପରି ଅନେକ ଛାତିଥରା ଘଟଣା ଆମ ରାଜ୍ୟରୁ ସ୍ପଷ୍ଟ ଦାଦନ ପ୍ରଥାକୁ ଆଙ୍ଗୁଳି ନିର୍ଦ୍ଦେଶ କରି ଆସିଛି ।

ଏକ ଲୟରେ ଶୁଣୁଥିବା ଚତୁର୍ଭୁଜ ବାବୁ ଦୀର୍ଘ ନିଶ୍ୱାସ ପକାଇ ତଳକୁ ମୁହଁ କଲେ । କାରଣ ସମସ୍ୟା ଜନିତ କ୍ଳାନ୍ତି ତାଙ୍କୁ ଖୁବ୍ ବ୍ୟସ୍ତ କରି ଦେଇଥିଲା ସେତେବେଳକୁ ।

ତ୍ରିଲୋଚନବାବୁ ଶବ ଶୋଭାଯାତ୍ରାକୁ ଚାହିଁଲେ । ଅନେକ ଦୂରକୁ ସମସ୍ତେ ପଳାଇଲେଣି । ଗାଁ ମଶାଣି ପାଖାପାଖି ହୋଇଯିବେଣି ନିଶ୍ଚୟ । ଢଳିଢ଼ଳି ଯାଉଥିବା ଯୁବ ୱାର୍ଡମେମ୍ୱର ଆଉ ଅଧିକ ବାଟ ନ ଯାଇପାରି ଠାକୁରାଣୀ ପିଣ୍ଡି ଉପରେ ନିଘୋଡ଼ ନିଦରେ ବି ଚିତ୍ ହୋଇ ଶୋଇଗଲାଣି । ଶୋଭାଯାତ୍ରା ଯିବା ପରେ ଝଡ଼ ପରର ନିରବତା ଖେଳିଯାଇଛି ସାରା ଗାଁ ଗୋଟାକରେ ।

ସମସ୍ତ ମୁହଁରେ ସେହି ଗୋଟିଏ କଥା- ଶଙ୍କର ଲହାରର ଚିକିତ୍ସା ପାଇଁ ଯଦି କାଲି କିଏ ଆଗେଇ ଆସିଥାନ୍ତେ ତେବେ ତାର ଦୁର୍ଲଭ ଜୀବନ ହୁଏତ ରହିଯାଇଥାନ୍ତା । ଅମାନବୀୟ କାଣ୍ଡ ଘଟାଇ ଯେଉଁମାନେ ଶଙ୍କର ଲହାରକୁ ଗଛମୂଳେ ପକାଇ ନିର୍ବିଘ୍ନରେ ଖସି ଚାଲିଗଲେ ସହଜରେ ସେମାନେ ବି ଧରା ପଡ଼ିଯାଇଥାନ୍ତେ ।

ପୋଲିସ୍ କିମ୍ୱା ପ୍ରଶାସନର ସାକ୍ଷୀ ଆଶଙ୍କାରେ ହାତ ବନ୍ଧା ଶଙ୍କର ଲହାରର ପାଖ ମାଡ଼ି ନ ଥିବା ଗ୍ରାମବାସୀଙ୍କର ଅନୁଶୋଚନାର ଭାଷା ତଥାପି ସ୍ପଷ୍ଟ ପଢ଼ି ହେଉଥିଲା ଗାଁର କିଛି ବରିଷ୍ଠ ନାଗରିକଙ୍କ ମୁହଁରୁ ।

 

ଲୋକପ୍ରିୟ ଲେଖା

To Top