ଗଳ୍ପ

ଶୂନ

Pradip Nayak's odia story Shoona

ଅନ୍ତତଃ ସୁରେଖା ଆସିଲେ ତାଙ୍କୁ ଦେଖେଇ ପାରିବେ । ଇଚ୍ଛା ବି ହେଉଥିଲା ରାସ୍ତାକୁ ଯାଇ ବଡ଼ ପାଟିରେ ଚିଲ୍ଲେଇବେ ମୋର ସବୁ ଲୁଟ୍ ହେଇଗଲା । ମୁଁ ବର୍ବାଦ ହେଇଗଲି ।

ଶୂନ

ଟାଉନ୍ ବସ୍‌ରୁ ଓହ୍ଲେଇ ପାଞ୍ଚମିନିଟ୍‌ର ଗଳି ରାସ୍ତାକୁ ପାର ହେଇ ସମୀର ନିଜ ବନ୍ଦ କ୍ୱାଟର ସାମ୍ନାରେ ଠିଆ ହୋଇ ସାରିଛନ୍ତି । କ୍ୱାଟରର ମୁଖ୍ୟ ଦରଜାର ତାଲା ଖୋଲିବା ପାଇଁ ଏପଟ ସେପଟ ନିଜ ପକେଟ ଅଣ୍ଡାଳିଲେ । ଠିକ୍ ଭାବରେ ମନେ ପଡୁନି ଚାବିଟା କେଉଁ ପକେଟ୍‌ରେ ରହିଲା ? ତଥାପି ମନେପଡୁଚି ଟାଉନ୍ ବସ୍‌ରେ କଣ୍ଡକ୍ଟରକୁ ପଇସା ଦବା ସମୟରେ ସିଏ ପକେଟ୍‌ରୁ ଖୁଚୁରା ପଇସା ବାହାର କଲାବେଳେ ଚାବିର ସ୍ଥିତି ଅନୁଭବ କରିଛନ୍ତି ।

ଚାବିଟା ମିଳିଗଲା ପରେ ସମୀର ଆଶ୍ୱସ୍ତ । ତାଲା ଖୋଲୁଥିବା ବେଳେ ଆଖି ପଡ଼ିଲା ନୂଆ ଏଇ ଘରକୁ ଆସିବାବେଳେ ଗୋଟେ ଚଉଁରା ଆଣି ବସେଇଥିଲେ । ତିନି ଚାରି କିଲୋମିଟର ଦୂରରୁ ଖୋଜି ଗୋଟେ ତୁଳସୀ ଗଛ ବି ପୋତିଥିଲେ । ସେଇ ପ୍ରଥମେ ପ୍ରଥମେ ନିଜେ ଦି’ଚାରିଦିନ ପାଣିଦେବା ପରେ ଗଛଟି ବଞ୍ଚିବାର ସୂଚନା ମଧ୍ୟ ଦେଲା, କିନ୍ତୁ ଏଇ କେତେ ଦିନ ତାଙ୍କର ମନେନାହିଁ କି ଆଉ କେହି ପାଣିଦେଇ ନାହାନ୍ତି, ସୁତରାଂ କଅଁଳି ଥିବା କେତୋଟି ପତ୍ର ଝଡ଼ି ପଡ଼ିଚି, ହାଏ ! ନିଜର ବ୍ୟସ୍ତ ଆଉ ବନ୍ଧୁଆ ସମୟରୁ କାଟକସୁର କରି କେତେ କଷ୍ଟରେ ଆଣିଥିବା ଗଛଟା. . . ।

ସମୀର ଭାବିଥିଲେ ପତ୍ନୀ ସୁରେଖା ଖୁସି ହେବେ । ଗାଧୁଆ ସାରି ପତ୍ନୀ ଅଫିସ୍ ଯିବା ପୂର୍ବରୁ ସେଇଠି ପାଣି ଟିକେ ଢାଳିବେ । ମୁଣ୍ଡିଆ ହେବେ । ଗଛଟି ସୁବାସ ବିତରିବ । ସେତକ ସମ୍ଭବ ହେଲାନାହିଁ । ମନେ ମନେ ବିରକ୍ତ ହେଲେ ଗଛଟାର କ’ଣ ପାଟି ଅଛି ଯେ ଖୋଲି କହିବ ତା’ ଗୁଣ ଆଉ ମହିମା ବିଷୟରେ ? ତାଙ୍କୁ ଲାଗିଲା ଘର ଖୋଲି ତାଙ୍କର ପ୍ରଥମ କାମ ହେବ ଢାଳେ ପାଣି ତା’ ମୂଳରେ ଢାଳିବା ।

ସୁରେଖାଙ୍କ ଉପରେ ବିରକ୍ତ ହେଇ ନିଜେ ପାଣି ଢାଳିଲେ । ମନକୁ ମନ କହିହେଲେ- “ସ୍ୱାମୀ ସ୍ତ୍ରୀ ଉଭୟ ଚାକିରୀଆ ହେଲେ ହିଁ ଏହା ହେବ । ସମସ୍ତେ ତ ଅଫିସ୍ ଟାଇମ୍‌କୁ ଅନେଇ ବସିଛନ୍ତି । କିଏ କାହାକୁ ଶୁଣିବାକୁ ବେଳ ନାଇଁ । ସକାଳ ନିଦ ଭାଙ୍ଗୁ ଭାଙ୍ଗୁ ଆଠଟା । ବିଛଣାରୁ ଉଠି ବାସି କାମ ସାରି, ନିଜ କାମ ସାରି ଅଫିସ୍ ଯିବା ପୂର୍ବରୁ ବାସ୍ତବରେ କାହାକୁ ଫୁରସତ୍ ନଥାଏ । ତଥାପି ଏଇ ଛୋଟିଆ କାମଟେ ପାଇଁ. . . ।”

ସମୀର ନିତି ଦିନର କଥା ଚିନ୍ତାକଲେ । ପ୍ରତିଦିନ ସକାଳୁ ନିଦ ଭାଙ୍ଗିଲା ତ ଆଖି ଆଗ ଟାଣି ହୋଇଯାଏ କାନ୍ଥ ଘଣ୍ଟା ଆଡ଼କୁ । ତରତର ହେଇ ସୁରେଖା ଦଉଡ଼ି ଯିବେ ଗ୍ୟାସ୍ ଲଗେଇ ଚା’ ବସେଇବାକୁ । ସେଇ ସମୟ ଭିତରେ ସିଏ ବ୍ରସ କରି ଜଙ୍ଗିଗ୍ କାମଟା ସାରିଦେଇଥିବେ । ପାଞ୍ଚ ମିନିଟ୍ ଚା’ ପିଆରେ ଗଲାବେଳକୁ ପାଇଖାନା । ପତ୍ନୀଙ୍କର ଘରପୋଛା ଚାଲିଥିବ, ସିଏ ଟୁଲୁ ପମ୍ପକୁ ଚଳେଇ ଦେଇ ଗାଧୁଆ କୁଣ୍ଡଠୁ ଆରମ୍ଭ କରି ଫୁଲକୁଣ୍ଡ ଯାଏ ପାଣି ଦେଇ ଚାଲିବେ, ଫାଟକଠୁ କ୍ୱାର୍ଟର ସାମନା ରାସ୍ତାକୁ ଝାଡୁ ମାରୁଥିବେ । ସେଇ ରାସ୍ତା ଉପରୁ ଗୋଟେଇ ଆଣିବେ ସକାଳର ଖବରକାଗଜ ।

ସୁରେଖା ଗ୍ୟାସ୍‌ରେ ଭାତ ବସେଇବା ପୂର୍ବରୁ ଗୋଧେଇବା କାମ ଶେଷ କରିଥିବେ । ଏମିତି ଗାଧୁଆ ଘରୁ ଥାଇ ଡାକ ପକଉଥିବେ- କ’ଣ ଖବରକାଗଜରେ ମନ ଲାଗିଲା କି ? କ୍ଷୀର ବାଲା ପରା ବେଲ ବଜଉଚି । କେବେ କେମିତି କୌଣସି ରୋଚକ ଖବରକୁ ନେଇ ପଦେ ଦି’ପଦ କଥା ପଡ଼ିଯାଇଥିବ । ଏଇ ସମୟ ଭିତରେ ସାମୟିକ ଭାବରେ ଘରକୁ ଆସୁଥିବା ଚାକରାଣୀ ଆସି ବାସି ବାସନ ମାଜି, ଫିଲ୍‌ଟର୍‌ରେ ପାଣି ଭରି ଚାଲିଯିବ । କିଛି ବି ଅନିବାର୍ଯ୍ୟତାକୁ ନେଇ ଟିକିଏ ଏପଟ ସେପଟ ହେଇଗଲେ ଯାହାତାହି ଦି’ଟା ଖାଇବାକୁ ପଡ଼ିବ ।

ସମୀର ଗାଧୋଇ ସାରିବା ବେଳକୁ ବାମ୍ଫ ଉଠୁଥିବା ଭାତ ସାଙ୍ଗକୁ ହାତ ପୋଡ଼ି ଯାଉଥିବା ଡାଲି କି ତରକାରୀ, ଚଟାପଟ ଢୋକି ନେବାକୁ ହବ । ତାଙ୍କୁ ଖାଇବାକୁ ଦେଇ ନିଜେ ଖାଇବସନ୍ତି ସୁରେଖା । ଖାଇବା ଆରମ୍ଭ ଏକ ସମୟରେ ହେଇପାରୁନଥିଲେ ବି ଶେଷଟା ହୁଏ ଏକା ସାଙ୍ଗରେ । ଭାତଗୁଣ୍ଡା ପାଟିରେ ପୁରାଇ ସୁରେଖା ତାଙ୍କ ଅଫିସ୍‌ର କାମ ଚାପ କଥା କହନ୍ତି ଏବଂ ଶୁଣନ୍ତି ସ୍ୱାମୀଙ୍କ ଠାରୁ ତାଙ୍କ ଅଫିସ୍ କଥା । କଥୋପକଥନ ଭିତରେ ସ୍ଥିର ହୁଏ କିଏ ଅଫିସ୍ କାମରୁ ଫୁରସତ୍ ନେଇ ବା ବସଙ୍କୁ ତେଲେଇ, ସମୟ ବାହାର କରି ପଇଠ କରିବ ଇଲେକ୍ଟ୍ରିକ୍ ବିଲ୍, ଲ୍ୟାଣ୍ଡ ଫୋନ୍ ବିଲ୍ । ପଛକୁ ପଛ କଥା ପଡୁଥିବ ବୀମା ପ୍ରିମିୟମ୍ ପଇଠ, ୱାସିଂ ମେସିନ୍ ମରାମତି, କୁଲର ରିପ୍ଲେସିଂ, ବଜାର ସଉଦା, ରକ୍ତଚାପ ବଟିକା କିଣା ଏବଂ ମ୍ୟୁନିସ୍ପାଲଟି ଅଫିସରେ ପାଇଖାନା ସଫା ପାଇଁ ଡିପୋଜିଟ୍ ଇତ୍ୟାଦି ଇତ୍ୟାଦି ।

ଖାଇବା ପାଖରୁ ଉଠି ଚଟାପଟ ସୁରେଖା ଠିଆ ହୋଇଯିବେ ଆଇନା ସାମ୍ନାରେ । ଶାଢ଼ୀକୁଞ୍ଚ ଠିକ୍‌ରେ ପଡୁ କି ନ ପଡୁ, ସିନ୍ଥି ବଙ୍କା ତେଢ଼ା ହଉ, ଅନ୍ତର୍ବସ୍ତ୍ର ଷ୍ଟ୍ରାପ ଠିକ୍‌ରେ ଲାଗୁ କି ନ ଲାଗୁ ଗୋଟିଏ ବ୍ୟସ୍ତ ହାତର ହାଲ୍କା ମେକଅପ୍ ନେଇ ଭ୍ୟାନିଟ୍ କାନ୍ଧରେ ଗଳେଇ ସାରି ପାଦେ ଆଗକୁ ବଢୁଥିବେ ତ ମନେ ପଡ଼ିଯାଉଥିବ- ଏଇତ ଭୁଲିଯାଉଛନ୍ତି ମୋବାଇଲ୍ କି ଚଷମା । ପୁଣିଥରେ ବ୍ୟାଗ୍‌ଟା ଖୋଲି ଚେକ୍ କରୁକରୁ ଦେଖୁଥିବେ ତାଙ୍କ ପାଖରେ ରହୁଥିବା ଘରର ଚାବିଟା ଅଛି ନା- ନାହିଁ । ସିଏ ଜାଣନ୍ତି ନିଜ ଟିଫିନ୍ ପ୍ୟାକ୍ କରି ତାଙ୍କ ଆସିବା ପରେ ପରେ ସମୀର ଆସନ୍ତି । କାରପୁଲରେ ଆସୁଥିବା ଅଫିସର ଅନ୍ୟ ସାଙ୍ଗମାନେ ଗଳି ମୁଣ୍ଡରେ ଗାଡ଼ି ଠିଆ କରି ବିରକ୍ତ ହେଉଥିବେ ସୁରେଖାଙ୍କ ଉପରେ । ସିଏ ଚଟାପଟ କାର ଡୋର ଖୋଲି ଭିତରକୁ ପଶିଗଲା ପରେ ତାଙ୍କୁ ଲାଗୁଥିବ ଯେମିତି ଗୋଟେ ବ୍ୟସ୍ତତାର ପଞ୍ଜୁରୀ ଭିତରୁ ମୁକ୍ତ ହେଇ ଆସିଛନ୍ତି, ତେଣିକି ଅଫିସ୍ କାମ ଅଫିସ୍‌ରେ ।

ସୁରେଖା ଯିବା ପାଞ୍ଚମିନିଟ୍ ଭିତରେ ହିଁ ନିଜକୁ ପ୍ରସ୍ତୁତ କରି ସାରିଥିବେ ସମୀର ବାହାରିବା ପାଇଁ । ସେଇ ପାଞ୍ଚ ମିନିଟ୍ ତାଙ୍କୁ ଲାଗିବ ଯେମିତି ଘରର ସର୍ବମୟ ତତ୍ତ୍ୱାବଧାରକ । ଟିଭି, ଫ୍ରିଜ୍, ଫ୍ୟାନ୍ ସୁଇଚ୍ ଅଫ୍ କରିବେ, ପାଣି ଟ୍ୟାପ୍ ଚେକ୍ କରିବେ, ବାଡ଼ି କବାଟ ବନ୍ଦ କରିବେ, ସିଡ଼ି କବାଟକୁ ଚାହିଁବେ, ଆଲମିରା ଚାବି ପକେଇ ଠିକ୍ ଜାଗାରେ ରଖିବେ ଏବଂ ନିଜେ ଟିଫିନ୍ ବକ୍ସ ଧରି ବୈଠକ ଘରକୁ ଯାଇ ଯୋତା ପିନ୍ଧିବା ବେଳେ ମନେ ପଡ଼ିଯାଉଥିବ ତାଙ୍କ ପକେଟ୍‌ରେ ସାମନା ଦରଜା ଚାବି ଅଛି କି ନାହିଁ, ମୋବାଇଲ, ମନିପର୍ସ ରହିଗଲା କି ଆଉ ।

ଅଣନିଃଶ୍ୱାସୀ ହେଇ ତାଲା ଝୁଲେଇ ସାରି ତରତରରେ ସାମ୍ନା ରାସ୍ତାରେ ଏକ ପ୍ରକାର ଦୌଡ଼ନ୍ତି ଟାଉନ୍ ବସ୍ ଧରିବାକୁ । ଏମିତିରେ ଗୋଟେ ଦି’ମିନିଟ୍ ବିଳମ୍ୱରେ ଆସି କେତେ ଥର କାହାକୁ ଲିଫ୍ ମାଗିବାକୁ ପଡ଼ିଚି ତ କେବେ ଅଟୋ ରିଜର୍ଭ କରିବାକୁ ପଡ଼ିଚି ।

ସମୀର ଘର ଭିତରକୁ ଆସି ଭାବୁଛନ୍ତି ସୋଫା ଉପରେ ଟିକେ ଗଡ଼ି ପଡ଼ିବେ ତ ନଜର ପଡ଼ିଲା ସିଡ଼ିଘର ଆଡ଼କୁ । ଘରଟା ବନ୍ଦ, କବାଟ ଝରକା ବନ୍ଦ ଅଥଚ ସୋରାଏ ଆଲୁଅ ସେଇ ଆଡୁ ହିଁ ଆସୁଚି, ଇଏ କେମିତି ସମ୍ଭବ ? ସିଡ଼ିଘର ଖୋଲା । ହେ ଭଗବାନ୍ ! ତାଙ୍କର ଜ୍ଞାନ ହଜିଗଲା ନିମିଷକେ । ଯିବାବେଳେ ତାଙ୍କର ଠିକ୍ ମନେ ଅଛି ସିଡ଼ିଘର ବନ୍ଦ କରି ଯାଇଛନ୍ତି । ଅଥଚ. . . । ତାଙ୍କ ଆଖି ଆଗରେ ନାଚିଗଲା ଅନେକ ଅଶୁଭ କାଣ୍ଡ କାରଖାନାର ଚିତ୍ର । ମନ ଭିତରେ ନାନାଦି ଚିନ୍ତା । ସିଏ ଜାଣନ୍ତି ଏଠିକା ଚଳଣି ବିଷୟରେ । ଅସାବଧାନର ପରିଣାମ କ’ଣ ହେଇପାରେ । ସିଡ଼ିଘର ଖୋଲାମାନେ ପୁରା ଘରଟା ଯେ ଲୁଟ ହେଇଚି ଏକଥାକୁ ସିଏ ନିମିଷେକ ପାଇଁ ଅବିଶ୍ୱାସ କରିପାରିଲେ ନାହିଁ । ପାଖାପାଖି ଏଠି ଗୋଟାଏ ବସ୍ତି, ଛୋଟଠୁ ବଡ଼ ଲୋକଗୁଡ଼ା ସକାଳ ହେଲେ ଜିଆପୋକ ପରି ଖେଦି ହେଉଥିବେ, ଘରପାଖ, ନାଳ ନର୍ଦ୍ଦମା । ଟିକିଏ ସୁଯୋଗ ପାଇଲେ, ପାଚେରୀ ଡେଇଁ ଭିତରକୁ ପଶିଯିବେ, ଏଇତ ମାସକ ପୂର୍ବର କଥା ଯେଉଁଥିପାଇଁ ତାଙ୍କୁ ଆଜି ଟାଉନ୍ ବସ୍‌ରେ ଯିବାକୁ ପଡୁଚି । ସ୍କୁଟରଟା ଗେଟ୍ ପାଖ ରାସ୍ତାରେ ରଖି ତରତରରେ ଛାଡ଼ି ଯାଇଥିବା ୱାଲେଟ୍ଟା ନେଇ ଘର ଭିତରୁ ଆସି ଦେଖନ୍ତି ତ ଗାଡ଼ି ନାହିଁ । ମାତ୍ର ଚାରି କି ପାଞ୍ଚ ମିନିଟ୍ର ବ୍ୟବଧାନ । କିଏ ସେ ଏମିତି ତାଙ୍କ ନିଶ୍ୱାସ ପ୍ରଶ୍ୱାସକୁ ଗଣୁଥିଲା କି ? ଖୋଜି ଖୋଜି ନୟାନ୍ତ, ଶେଷରେ ପୋଲିସ୍‌ରେ ଦିଆଗଲା । କିନ୍ତୁ କିଛି ଫଳ ହେଲା ନାହିଁ । ଦି’ଦିନ ପରେ ଗାଡ଼ି ଗୋଟେ ପାର୍କ କଡ଼ ନାଳ ପାଖରେ ମିଳିଲା, କିନ୍ତୁ ଯେଉଁ ଅବସ୍ଥାରେ ମିଳିଲା ତାକୁ ବିକ୍ରି କରିବାକୁ ଚାହିଁଲେ ମଧ୍ୟ କେହି ନେବାକୁ ରାଜି ହେଲେ ନାହିଁ । ଖୋଲା ସରିଥିଲା ଗାଡ଼ିର ଇଞ୍ଜିନ୍ ସମେତ ମୂଲ୍ୟବାନ୍ ଯନ୍ତ୍ରାଂଶ ।

ସେସବୁ କଥାକୁ ମନ ଭିତରକୁ ନ ଆଣି ପରିସ୍ଥିତିର ପ୍ରୟୋଜନୀୟତା ବିଷୟରେ ଅବଶ କରି ପକାଉଛି ତାଙ୍କ ଦେହମନକୁ । ସମୀର ତାଙ୍କ ଚାକିରୀ କାଳର ସମସ୍ତ ସଞ୍ଚିତ ଅର୍ଥକୁ ଏମିତି ଭାବରେ ଲୁଟ୍ ହେଇଯିବାର କେମିତି ସହିପାରନ୍ତେ । ଚୋର ତା’ହେଲେ ସିଡ଼ିଘର ଦେଇ ପଶିଚି । ଏମିତିରେ ଥରେ ଘର ଭିତରକୁ ଆସିଗଲେ ଶୋଇବା ଘର ଯାଏ ଯିବାରେ କୌଣସି ଅସୁବିଧା ନାହିଁ । ଏ ପାଇଁ ଦୋଷ କାହାକୁ ଦିଆଯାଇ ପାରିବ କି ! ମନକୁ ଆସିଲା ସୁରେଖାଙ୍କ କଥା । ସିଏତ ତାଙ୍କ ଆଗରୁ ବାହାରି ଯାଆନ୍ତି ଅଫିସ୍‌କୁ । ତଥାପି ତାଙ୍କର କ’ଣ ଦାୟିତ୍ୱ ନୁହଁ ଯେ ସିଡ଼ିଘର ବନ୍ଦ ହେଇଚି କି ନାହିଁ ଟିକେ ନଜର ପକେଇବା । ଓଃ ଘରେ ସ୍ୱାମୀ ସ୍ତ୍ରୀ ଚାକିରୀଆ ହେଲେ ଏମିତି ଭୋଗିବାକୁ ହିଁ ହୁଏ । ସୁରେଖା ଅଫିସ୍‌ରୁ ଫେରୁ ଫେରୁ ଆହୁରି କେତେ ସମୟ । ଏକା ଏକା ଏ ପରିସ୍ଥିତିରେ କ’ଣ କରିବେ ତାଙ୍କୁ ବୁଦ୍ଧିବାଟ ଦିଶୁନି । ଚୋର ଯେ ଅବଶ୍ୟ ଜାଣିଥିବ ଘରଟା ଦଶରୁ ପାଞ୍ଚଯାଏ ବନ୍ଦ ରହିବ । କାହାରି ହେଲେ ଫେରିବାର ସମ୍ଭାବନା ନାହିଁ । ଏତେ ଦୀର୍ଘ ସମୟ ତାକୁ ସବୁ ଜିନିଷ ଲୁଣ୍ଡେଇ ପୁଣ୍ଡେଇ ନେବାରେ କିଛି ବି ଅସୁବିଧା ନଥିବ ।

ସମୀର ଆଖି ଆଗରେ ଯାହା ଯାହା ପଡ଼ିଲା ବିଶେଷ କିଛି ଗୋଳମାଳ ନ ଥିଲା । ଡାଇନିଂରେ ଟିଭି, ଫ୍ରିଜ୍ ଥୁଆ ହେଇଚି ଯଥା ସ୍ଥାନରେ, ଆଉ କିଛି ଜିନିଷ ମଧ୍ୟ ପୂର୍ବପରି ଅଛି । ଭାବିଲେ ଏସବୁ ଜିନିଷତ ଆଉ ସିଡ଼ିଘର ଦେଇ ନେଇ ହବନି । ତେଣୁ. . . । ପ୍ରଥମେ ଶୋଇବା ଘର ଦେଖି ନେବା ଉଚିତ୍ ହବ । ଦି’ପ୍ରାଣୀଙ୍କ କଷ୍ଟୋପାର୍ଜିତ ଧନ ସବୁ ପ୍ରାୟ ଶୋଇବା ଘରେ । ଆଇରନ୍ ଚେଷ୍ଟରେ ସୁରେଖାଙ୍କ ଗହଣା, ମୂଲ୍ୟବାନ୍ ଶାଢ଼ୀ, ନଗଦ ଟଙ୍କା, ଫିକ୍ସ ଡିପୋଜିଟ୍ ବଣ୍ଡ୍ ଆଦି ଅନେକ ଜିନିଷ ରହିଚି । ଏ ସମୟରେ ତା’ର ଆନୁମାନିକ ମୂଲ୍ୟକୁ ଆକଳନ କରିବା ସମ୍ଭବ ନୁହଁ ।

ପାଗଳ ପ୍ରାୟ ସମୀର ଦୌଡ଼ିଲେ ଶୋଇବା ଘର ଆଡ଼କୁ । ସତକୁ ସତ ଶୋଇବା ଘରଟା ମଧ୍ୟ ଖୋଲା । ଅଳ୍ପ ଆଉଜା ହେଇଚି କବାଟ । ତାଙ୍କୁ ଆଉ ବୁଝିବାକୁ ବିଳମ୍ୱ ହେଲାନାହିଁ ଯେ ଘର ଖୋଲା ଅଛି ଅର୍ଥ ଭିତରର ଜିନିଷ ଆଉ କିଛି ହିଁ ନଥିବ । ସେ ସବୁ ଜିନିଷ ତୁଳନାରେ ଏ ଟିଭି, ଫ୍ରିଜ୍ କି ବା ମୂଲ୍ୟ !

ସଂସାରର ସବୁ ବିକଳ ଭାବ ଠୁଳ ହେଇଗଲା ସମୀରଙ୍କ ମୁହଁରେ । ସମ୍ଭାବ୍ୟ ଓ ସର୍ବନିମ୍ନ ପଦକ୍ଷେପ ତାଙ୍କର କ’ଣ ହେବ ସିଏ ସ୍ଥିର କରିପାରୁ ନାହାନ୍ତି । ସମୁଦାୟ ଘରର ନିଶୂନ୍ ପରିବେଶ ତାଙ୍କଠୁ ଯେମିତି ସବୁ ପ୍ରତ୍ୟାଶ୍ୟାକୁ ଫେରେଇ ନେଇଛନ୍ତି । ତାଙ୍କ ସ୍ଥିତି, ଶୂନ୍ ଶୂନ୍ । କାତରତାର ମୋଟା କମ୍ୱଳ ଘୋଡ଼ି ହେଇ ସିଏ କେବଳ ନିଜ ହୃଦ୍‌ସ୍ପନ୍ଦନକୁ ହିଁ ଶୁଣୁଛନ୍ତି । ଏ ସମୟକୁ ଭଲା ସୁରେଖା ଥାଆନ୍ତେ । କେଜାଣି କାହିଁକି ପତ୍ନୀଙ୍କର ଦାୟିତ୍ୱହୀନତାକୁ ସୂଚେଇ ଦବାକୁ ଏବଂ ତାଙ୍କର ଏପରି ବିବ୍ରତ ବୋଧକୁ ଦେଖେଇବା ପାଇଁ ନିଜର ଗୋଟେ ଫଟୋ ସେଲଫିରେ ଉଠେଇ ସେଭ୍ କଲେ । ଅନ୍ତତଃ ସୁରେଖା ଆସିଲେ ତାଙ୍କୁ ଦେଖେଇ ପାରିବେ । ଇଚ୍ଛା ବି ହେଉଥିଲା ରାସ୍ତାକୁ ଯାଇ ବଡ଼ ପାଟିରେ ଚିଲ୍ଲେଇବେ ମୋର ସବୁ ଲୁଟ୍ ହେଇଗଲା । ମୁଁ ବର୍ବାଦ ହେଇଗଲି । କେଜାଣି କାହିଁକି ତା’ ବି କରିପାରିଲେନି । ସିଏ ଜାଣନ୍ତି ଏ ସାହିର କଥା । କେହି କାହାକୁ ଶୁଣନ୍ତିନି । ଏମିତିକି ଘର ଭିତରେ ମାଡ଼ପିଟ୍‌ରେ କେହି ମରିଯାଉଥିଲେ ବି ପଡ଼ିଶାଘର ବେଫିକର । ସହରୀ ଚଳଣି, ନିଜ କାମରୁ ଆସିଲେ ନିଜ ଘରେ ବନ୍ଦୀ । ସେଇଠି ଖୋଜାହୁଏ ଆନନ୍ଦ, ସେଇ କବାଟକିଳା ସଂସ୍କୃତି, ଚଳଣିରେ ତିଆରି ହୁଏ କୃତ୍ରିମ ଶାନ୍ତି ।

ଏକଥା ସୁରେଖାକୁ ଅନ୍ତତଃ ଜଣେଇ ଦେବାକୁ ଭାବି ମୋବାଇଲ୍ ବାହାର କରି ପୁଣି ପକେଟ୍ରେ ରଖିଦେଲେ ସମୀର । ଫେରିବା ରାସ୍ତାରେ ଗାଡ଼ି ଭିତରେ ତାଙ୍କୁ ଠିକ୍ ସେ ଶୁଣେଇ ହବ କି ନାହିଁ । ନିଜ ବିଶ୍ୱାସ ଉପରେ କାବୁ ପାଉନାହାନ୍ତି ସିଏ । ଅସହାୟତାରେ ଚରମ ସୀମାରେ ପହଞ୍ଚି ପାଟିରୁ ବାହାରିଗଲା ଓଃ. . . ସୁ. . .ରେ. . .ଖା ।

ଚଟାଣ ଉପରେ ନଥ୍ କରି ପଡ଼ିଗଲେ ସମୀର । ତାଙ୍କ ଚିତ୍କାର ଶୁଣି ଦରଆଉଜା ଶୋଇବା ଘରୁ ସୁରେଖା ଦଉଡ଼ି ଆସିଲେ । ହୋସ୍ ନାହିଁ ସ୍ୱାମୀଙ୍କର । ପାଣି ସିଞ୍ଚିବା ପରେ ହୋସ୍ ଆସିଲା । ଆଖି ଖୋଲିବା ମାତ୍ରେ ସମୀର ପାଟିକଲେ- ଆମର ସବୁ ସରିଗଲା, ଆମେ ବର୍ବାଦ ହେଇଗଲେ ।

ନାପସନ୍ଦର ମୁଣ୍ଡ ହଲେଇ ହସ ହସ ମୁହଁରେ ସ୍ୱାମୀଙ୍କ ମୁହଁକୁ ଚାହିଁଲେ ସୁରେଖା । ସମୀରଙ୍କର ଆଶ୍ଚର୍ଯ୍ୟର ସୀମା ନଥିଲା- ଏତେ ବିପର୍ଯ୍ୟ ପରେ ପତ୍ନୀଙ୍କ ମୁହଁରେ ଏ ହସ ଆସୁଚି କେମିତି ? କୁଆଡୁ ??

ସୁରେଖା ସେଇ ହସ ହସ ମୁହଁରେ ସମୀରଙ୍କୁ ଚାହିଁ କହିଲେ- “ଧନ୍ୟ କହିବ ତମକୁ, ତମରି ଲାଗି ଆଜି ମୋର ଗୋଟିଏ ଦିନ ଅଫିସ୍ ମାରା, ପୁଣି ଅଫିସ୍‌ରୁ ଆସି କହୁଚ କ’ଣ ନା- ମୋର ସବୁ ସରିଗଲା ।”

ସୁରେଖାଙ୍କୁ ଏ ପ୍ରକାର ତାତ୍ସଲ୍ୟ କରିବା ଭଙ୍ଗୀରେ ଦେଖିବାକୁ ସମୀରଙ୍କର ଧୈର୍ଯ୍ୟ ନାହିଁ । କିଛି ହେଲେ ବୁଝିପାରୁ ନାହାନ୍ତି ତାଙ୍କ କହିବାର ଅର୍ଥ ।

ସୁରେଖା ପୁଣି ବ୍ୟଙ୍ଗଭରା ସ୍ୱରରେ କହିଲେ- “ହେଇଟି ମୁଁ ନଅଟା ପନ୍ଦରରେ ଯେତେବେଳେ ଅଫିସ୍ ବାହାରିଲି ତମେ ତମ ଟିଫିନ୍ ବାକ୍ସ ସଜାଡୁଥିଲ । ମୁଁ ମୋ ବ୍ୟାଗ ନେଇ ବାହାରିଚି ଗେଟ୍ ପାଖକୁ କାହିଁକି କେଜାଣି ପେଟଟା କାଟି ନେଲା, ଝାଡ଼ା ବି ଦେଖେଇଲା । ମଁ ତରତରରେ ଘରକୁ ଫେରି ଲାଟିନ୍ ଚାଲିଗଲି । ଅବଶ୍ୟ ଚାରି ପାଞ୍ଚ ମିନିଟ୍ ଲାଟିନ୍‌ରୁ ବାହାରୁ ବାହାରୁ ଡେରି ହେଇଗଲା । ଲାଟିନ୍‌ରୁ ବାହାରି ଦେଖେତ ଘରଦ୍ୱାର ସବୁ ବନ୍ଦ, ତମେ ପାର । ବନ୍ଦ ଘର ଭିତରେ ମୁଁ ପାଟି କରିବି କି କବାଟ ପିଟିବି । ସିଡ଼ିଘର ଖୋଲି ଦଉଡ଼ିଲି ଛାତ ଉପରକୁ କାଳେ ତମେ ଯାଉଥିବ, ତା’ ବି ନାହିଁ । ତମେ ଯାଇସାରିଚ । ଲାଜରେ ଏକଥା କାହାକୁ କହିବି । ବାହାର ତାଲା ତ ଆଉ ଖୋଲି ପାରିବିନି, ମୋ ପାଖରେ ଯେଉଁ ଚାବିଥିଲା ଶୋଇବା ଘର ଖୋଲି ତମାମ୍ ଦିନଟା ସେଇଠି ବନ୍ଦୀ । ଟେଲିଫୋନ୍ କରିବି ବୋଲି ଭାବିଲି ହେଲେ ଭ୍ୟାନିଟିରେ ମୋବାଇଲ୍, ସେଇଟା ପୁଣି ଲାଟିନ୍‌ରେ ପଶିଲା ପୂର୍ବରୁ ଆଗଘରେ ଥୋଇଥିଲି ଯେ ଆଗପଟୁ ସେ ଘରଟା ବନ୍ଦ । ତମ ଆସିବା ବେଳ ହେଲାଣି ଜାଣି ଅପେକ୍ଷା କରି ଏବେ ଟିକେ ନିଦ ଲାଗିଚି ତ ତମେ. . . ।”

କିଛି ଆଉ କହିବାର ପ୍ରୟୋଜନ ନାହିଁ ସମୀରଙ୍କର । ଛାତିରେ ହାତମାରି ଦେଖିଲେ ଟିକିଏ ସ୍ୱାଭାବିକ୍ ଆଡ଼କୁ ଆସୁଚି ତାଙ୍କ ହୃତସ୍ପନ୍ଦନ । ମନ ଭିତରକୁ ଉଙ୍କିମାରୁଚି ବିତି ଯାଇଥିବା ପୂର୍ବ ଅଧଘଣ୍ଟାର ଘଟଣା ।

ସୁରେଖାଙ୍କ ମୁହଁକୁ ଚାହିଁ ଗୋଟିଏ କଥା ସିଏ ଭାବୁଛନ୍ତି- ସତରେ ଏଇମିତି ବିବ୍ରତ, ବ୍ୟସ୍ତତା ଭିତରେ ଲୁଟ୍ ହେଇଯାଉଥିବା ମଣିଷର ଜୀବନ ତୁଳନାରେ ଠୁଳ କରିଥିବା ଜିନିଷପତ୍ରର ମୂଲ୍ୟ ସତରେ ଗୋଟାଏ ବଡ଼ ଶୂନ ! !

ଲୋକପ୍ରିୟ ଲେଖା

To Top