ଗଳ୍ପ

ଶୂନ୍ୟ ଛାତିର କୋହ

Matrudatta Mohanty's odia story Shoonya Chaatira Koha

କାହିଁ ଛୁଆଟା ତ ପାଟି ଖୋଲୁନି । ମୀନା ପାଗଳୀ ପରି ହାତ ବୁଲେଇ ଆଣିଲା ଛୁଆ ଦେହରେ ।

ଶୂନ୍ୟ ଛାତିର କୋହ

ମାସକ ଆଗରୁ ଲୁଗାପଟା ବାନ୍ଧିବାରେ ଲାଗଛି ମିନା । ଘର ଗୋଟାକର ଯାହାଯାହା ଜିନିଷ ପୁଡ଼ାପୁଡ଼ା କରି ବାନ୍ଧି ରଖିଛି । ତେଲବୋତଲ, ଲୁଣସରା, ଗୁଡାଖୁ ଡବା, ଗୋରକନାଥଙ୍କ ଫଟୋ ଅଲଗା ଅଲଗା ପୂରେଇ ଗଣ୍ଠିଲି କରିଛି । ଶୋଇବା ଜିନିଷତକ ଅଖା ବସ୍ତାରେ ଭର୍ତ୍ତି କରିଛି । ଖାଲି ଯାହା ରୋଷେଇ ପାଇଁ ଲୋଡ଼ା ହେଉଥିବା ହାଣ୍ଡିକୁଣ୍ଡେଇ ଦି ଚାରିଟା ପଦାରେ ପଡ଼ିଛି । ଦାଣ୍ଡରେ ଗୁପଚୁପ ଠେଲା ପାଖରେ ମୁହଁମାଡି ପଡିଛି ଛଅଁଚି ନୋଟା ଖଣ୍ଡିକ । ପୋଖରୀପାଣି ଗଲାବେଳେ ସେଇଟା ଦରକାର ପଡ଼ିବ ବୋଲି ବାହାରେ ଥୁଆ ହୋଇଛି । ଘରେ ଆଉ କଣ ରହିଲା ଯେ । ଟିଣବାକ୍ସ ଖଣ୍ଡେ । ଦଉଡ଼ିଆ ଖଟିଆଟାଏ । ସେତକ ହାତରେ ଧରିନେଲେ କଥା ସରିଲା । ଛୁଆଟାର ତେଲଗିନା, ହଳଦୀ କାଠୁଆ, ଶୀତ ଦିନିଆ ଲୁଗା କେଇଖଣ୍ଡ ଗୋଟେ ରଙ୍ଗଛଡା ପୁରୁଣା ଲୁଗାରେ ବାନ୍ଧି ସାରିଛି । ଆଉ କିଛି ସମୟ ପରେ ଆସିଯିବେ ବାବୁମାନେ । ତା’ ଆଗରୁ ରନ୍ଧାବଢ଼ା ଖାଇବା ପିଇବା ସବୁ ସାରିବାକୁ ହେବ । ପାହାନ୍ତାରୁ ଉଠି ଚୁଲିଲଗେଇଛି ମିନା । ଚନ୍ଦୁ ଆଜି ଗୁପ୍‌ଚୁପ୍ ଠେଲା ନେଇ କଲେଜ୍ ଛକ ଆଡେ଼ ଯାଇନି । ଆଜି ବେପାର ବନ୍ଦ ।

କାଲିପରି ଲାଗୁଛି ସବୁ କିଛି । ଦି ବର୍ଷ ତଳେ ଚନ୍ଦୁର ହାତ ଧରିଥିଲା ମିନା । ବାପା ମା’ଙ୍କ ଇଚ୍ଛା ବିରୋଧରେ ଯାଇ ଚନ୍ଦୁ ସାଙ୍ଗରେ ରାଜିରୁଜା ହୋଇ ପଡ଼ିଥିଲା । ବାହାଘର ପରେ ଦିହେଁ ଚାଲି ଆସିଲେ କଟକ । ମୁଣ୍ଡ ଗୁଞ୍ଜିବା ପାଇଁ ବାସ ଖୋଜିଖୋଜି ଦିହେଁ ପହଞ୍ଚି ଯାଇଥିଲେ ମହାନଦୀକୂଳ ତଅଁଳାସାହି ବସ୍ତିରେ । ପଡ଼ାର ମୁରବିକୁ କୁହାବୋଲା କରି ବସ୍ତି ଶେଷମୁଣ୍ଡରେ ଥିବା ଦିନଠା ଖାଲି ଜାଗାରେ ପଲିଥିନ୍ ଘେରାଇ ଘର କରିଥିଲେ । ସେଇ ଘରେ ମିନାର ଶୂନ୍ୟକୋଳକୁ ପୂର୍ଣ୍ଣ କରି ଛୁଆଟିଏ ଜନ୍ମନେଲା । ପୁଅଟିଏ ପାଇ ଉଭୟଙ୍କ ଖୁସି କହିଲେ ନସରେ । ଦେଖୁ ଦେଖୁ ପୁଅକୁ ତା’ର ଚାରି ମାସ ଚାଲିଲାଣି । ଚନ୍ଦୁ ଗୁପ୍‌ଚୁପ୍ ବିକି ଯାହା ରୋଜଗାର କରେ ସେଥିରେ ଦି ପ୍ରାଣୀ ଚଳି ଯାଆନ୍ତି । କେମିତ କେଜାଣି ସବୁ ଓଲଟ ପାଲଟ ହୋଇଗଲା । ବସ୍ତି ଉପରେ କାହାର କୁନଜର ପଡ଼ିଲା କେଜାଣି । ଦିନେ ଖରାବେଳେ ମୁନିସିପାଲିଟିବାଲାଏ ଆସି ମାଇକିରେ ପ୍ରଚାର କରିଗଲେ । ସରକାର ଜାଗା ମାଡ଼ିବସି ରହିଛ । ଘର ଭାଙ୍ଗିବା ପାଇଁ ତାରିଖ ଦେଇ ଗଲେ । ସେହି ଦିନଠୁ ମିନାକୁ ନିଦ ନାହିଁ । ଚନ୍ଦୁ ତାକୁ ବୁଝେଇଲା, ରହଲୋ ପାଗଳୀ ବ୍ୟସ୍ତ କାହିଁ ହଉଛୁ । ଯାହା ହବ ସମସ୍ତଙ୍କ ପାଇଁ । ଭାଗ୍ୟରେ ଥିଲେ ଏଠୁ ଉଠିଯାଇ ଆଉ କୋଉଠି ରହିବା । ଏତେ ବ୍ୟସ୍ତ କିଆଁ ହଉଛୁ । ଏଇ ସହରଟା କେଡେ଼ ବଡ଼ । ଆମକୁ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ଟିକିଏ ମିଳିବନି ?

ମିନାର ମନ କିନ୍ତୁ ମାନୁନଥାଏ । ଛୁଆ ବକଟେକୁ ନେଇ ଏ ଡିସେମ୍ବର ମାସ ଶୀତରେ କୁଆଡ଼େ ଯିବ । କୋଉଠି ମୁଣ୍ଡ ଗୁଞ୍ଜିବ । ପିଲାଟା ପାଇଁ ଯାହା ଚିନ୍ତା । ଚିନ୍ତାରେ ଧିଅଟା କଣ୍ଟା ଭଳିଆ ହେଲାଣି । ବସ୍ତିସାରା ଭରି ଯାଇଥାଏ ବ୍ୟସ୍ତତା । ସମସସ୍ତେ ଚିନ୍ତାରେ ଥାଆନ୍ତି । ମାଇପେ ରୋଷେଇବାସରେ ଲାଗିଥାଆନ୍ତି । ଘରୁ ବାହାରିବା ଆଗରୁ ମୁଠାଏ ପାଟିରେ ପୂରେଇ ଦେଇ ଯିବେ । ତେଣିକି ଥଇଥାନ ହେଲେ ଚୁଲି ନାଗିବ ନ ହେଲେ ନାଇଁ । ବସ୍ତିର ମରଦମାନେ ଜିନିଷପତ୍ର ରୁଣ୍ଡେଇ ବନ୍ଧାବନ୍ଧିରେ ବ୍ୟସ୍ତଥାଆନ୍ତି । କାଲି ରାତିରୁ ବସ୍ତିର ଆଲୁଅ କାଟି ଦିଆଯାଇଛି । ରାତିଟା ବିତିଛି ଅନ୍ଧାରରେ । ସକାଳୁ ସକାଳୁ ନିଜ ଘର ଛାଡି ଯିବା ଆଗରୁ ଚାଲିଛି ଶେଷ ପ୍ରସ୍ତୁତି । ସମସ୍ତଙ୍କ ମନ ଭିତରେ ବୋଝ ବୋଝ ଦୁଃଖ ବାରି ହୋଇ ପଡୁଥାଏ । ବସ୍ତିର ପୁଅଝିଅ, ବୁଢ଼ାବୁଢ଼ୀ, ମାଇପେ ମିଣିପେ ସଭିଁଏ ଏକବାର ନିରବ ହୋଇ ଯାଇଥାଆନ୍ତି । କାହା ପାଟିରୁ କଥା ବହାରୁ ନଥାଏ । କୁଟାକାଠିର ଏ ସଂସାର ତୋଳିବା ପାଇଁ ବର୍ଷବର୍ଷ ସମୟ ଲାଗିଛି ଏମାନଙ୍କୁ । କିନ୍ତୁ ବୁଲଡୋଜର ରାକ୍ଷସ ପାଟିରେ ନିମିଷକେ ମିଳେଇ ଯିବ ସେ ସବୁ । ମୀନା ଦାଣ୍ଡ ଚୁଲିରେ ଭାତ ବସେଇଛି । ଭାତହାଣ୍ଡି ଟକଟକ ହୋଇ ଫୁଟୁଛି । ବେଳେ ବେଳେ ଉତୁରି ଚୁଲିରେ ପଶୁଛି । ହାଣ୍ଡି ମୁହଁଖାଲି ଫେଣ ଛାଟୁଛି । ଡାଲି କରିବା ପାଇଁ ସମୟ ନାହିଁ । ଭାତ ହାଣ୍ଡିରେ ଦି’ଟା ବଡ଼ବଡ଼ ଆଳୁ ପକେଇଛି । ଚକଟି ଦେଲେ ଭାତ ଦିଟା ପେଟକୁ ଚାଲିଯିବ । ଜରିରେ ପିତା ଶୁଖୁଆ ଗଣ୍ଡେ ହେବ ବନ୍ଧାହୋଇ ଚାଳରେ ଲଟକିଛି । ସେତକ ସାଙ୍ଗରେ ନେଇଯିବା ପାଇଁ ଚନ୍ଦୁ ବାରବାର କହିଛି । ୟା’ ଭିତରେ ଚନ୍ଦୁ ଦି ଚାରି ଥର ଡାକ ମାରିଲାଣି ।

କିଲୋ କାମ ସାରିଲୁ ନା ନାହିଁ ବା । ଚାହିଁଥିବୁ ବସି ବୁଲଡୋଜର ମାଡ଼ି ଆସିବ । ଖାଇବାକୁ ବି ବେଳ ପାଇବୁନି । ଶୀଘ୍ର କାମ ସାରେ । ତେଣେ ପୁଅ ରାହା ଧରି କାନ୍ଦୁଛି । ସପ୍ତାହେ ହେବ ଛୁଆଟା ଦେହରେ ଟିକେ ହଳଦୀ ବାଜିନି । ଗୋରା ଛୁଆଟା ନୁଖୁରା ଦିଶିଲାଣି । ଚୁଲିରୁ ହାଣ୍ଡି ଓହ୍ଲାଇ ଆଣିଲା ମିନା । ପଥର ଉପରେ ଥୋଇ ପେଜ ତକ ଗାଳି ଦେଲା । ଛୁଆଟା ଦେହରେ ତେଲ ଟିକେ ମାରିବା ପାଇଁ ଚନ୍ଦୁକୁ କହିଲା । ଚନ୍ଦୁ ଚିଡ଼ି ଉଠିଲା । ରଖ୍ ମ ତୋ ତେଲ, ଭାତ ବାଢିବୁ ଯଦି ବାଢ୍ । ଟିକେ ରହିଯିବାକୁ କହି ମୀନା ଚାଲିଗଲା ପାଖ ନଳକୂଅକୁ ପାଣି ଆଣିବା ପାଇଁ । ବସ୍ତିର ସବୁ ଲୋକ ନିଜନିଜ ଜିନିଷ ବାନ୍ଧିବାରେ ବ୍ୟସ୍ତ ଥାଆନ୍ତି । ମୀନା ପରି ବସ୍ତିର ଆଉ ଦି’ ଚାରି ଜଣ ନୂଆ ବୋହୂଙ୍କ ଅବସ୍ଥା ବି ସମାନ । ଏଇ କିଛି ମାସ ହେବ ଏଠିକି ବୋହୂ ହୋଇ ଆସିଛନ୍ତି ସେମାନେ । ଭଙ୍ଗାଭଙ୍ଗି କଥା ଶୁଣି ସେମାନଙ୍କ ଛାତିରେ ଛନକା ପଶିଛି । କାହାର ହାତରୁ ମେହେନ୍ଦି ପାଦରୁ ଅଳତା ଛାଡିନି । କୋଉଠି ରାସ୍ତା କଡରେ କି ନଦୀବନ୍ଧରେ ଜରି ଘେରାଇ ରହିବାକୁ ହେବ । ଗାଧୁଆପାଧୁଆ, ଝାଡ଼ାଝପଟ ପାଇଁ ନୂଆବୋହୂଗୁଡାଙ୍କର ବେଶି ଚିନ୍ତା । ବସ୍ତିର ଝିଅମାନେ ଏଇଠି ଜନ୍ମ ହେଇଛନ୍ତି ଯେ ସେମାନେ ଏଠି ସେଠି କାମ ଚଳେଇ ନେବେ । ନୂଆବୋହୂଗୁଡାକ ବିଚରା କରିବେ କ’ଣ । ପାଣି ନେଇ ମୀନା ଫେରି ଆସିଲା । ପିଲାକୁ କୋଳକୁ ନେଇ ଜରି ଆଢୁଆଳରେ ଲୁଚି ଗଲା ସେ । ସକାଳୁ ଭୋକିଲା ଥିବା ଛୁଆଟା ଚଁ ଚଁ କରି ଟାଣି ନେଲା ମା’ ଥନରୁ ଖିର ତକ । ଚାରି ମାସର ଛୁଆଟା କେତେ ବା ଜୋର୍ ତା’ ଦେହରେ । ଆପଣା ବଳରେ ଯାହା ଯେତିକି ଖାଇବ ।

ଚୁଲି ଉପରେ ଥୁଆ ହୋଇଛି ଭାତହାଣ୍ଡି । ହାଣ୍ଡି ଚାରି ପାଖରେ ମାଛି ଭଣଭଣ । ଚନ୍ଦୁ ଦାଣ୍ଡ ପଥର ଉପରେ ବସି ବସ୍ତିକୁ ଚାହିଁଛି । ବସ୍ତି ସାରା ଚିକ୍‌ଚିକ୍ ଖରାର ଖେଳ । ମହାନଦୀ ପାଣି ଛୁଇଁ ବୋହି ଆସୁଛି ଝଳକା ଝଳକା ହେମାଳ ପବନ । ସେଥିରେ ଦେହ ଥରିଯାଉଛି । ବସ୍ତି ସାରା କୋଳାହଳ । ପିଲାଏ ଖେଳରେ ମାତିଛନ୍ତି । ସେମାନଙ୍କର ଦୁଃଖ କ’ଣ । ପେଟ ପୂରିଗଲେ ଚାଲିଲା ଖେଳ । ଚନ୍ଦୁର ଗୁପ୍‌ଚୁପ୍ ଠେଲାଟି ଜରିରେ ଢଙ୍କା ହୋଇଛି । ତା ଉପରେ ଶୁଖିଲା ଗଡୁଥିବା ଖଟାପାଣି ହାଣ୍ଡି ମୁହଁରେ ଡାମରା କାଉଟା ବସି ରାଉ ରାଉ ହେଉଛି । ଚନ୍ଦୁ ନଦୀ ବନ୍ଧକୁ ଚାହିଁଲା । ବନ୍ଧରୁ ବସ୍ତି ଭିତରକୁ ଗଡି ଆସୁଛି ବୁଲଡୋଜର । ଘଁ ଘଁ ଗର୍ଜନକରି ରାକ୍ଷସ ପରି ମାଡ଼ି ଆସୁଛି । ପଛେପଛେ ଆଉ ଦିଟା । ଧୂଳି ଉଡ଼ି ଯାଉଛି । ବସ୍ତି ମଝିରେ କେହିଜଣେ ଚିତ୍କାରକଲା ପଳେଇ ଯା, ପଳେଇ ଯା । ସବୁ ଭାଙ୍ଗିଯିବ । ସବୁ ନଷ୍ଟ ହୋଇ ଯିବ । ଘର ଛାଡ଼ି ଦିଅ । ଘର ଛାଡ଼ି ଦିଅ । ଏ ଚିତ୍କାରରେ ଚନ୍ଦୁ ଛାତିରୁ ଅତଡ଼ା ଖସି ପଡ଼ିଲା । ମିନାଲୋ ବାହାରି ଆ ପଦାକୁ । ବାହାରି ଆ । ବୁଲଡେ଼ାଜର ମାଡ଼ି ଆସିଲାଣି । ଜିନିଷପତ୍ର ଛାଡ଼ି ଦେ । ଛୁଆକୁ ଧରି ପଳେଇ ଆ କହି ଚନ୍ଦୁ ଧାଇଁଲା । ବସ୍ତି ସାରା ହୋହଲ୍ଲା ପଡ଼ିଗଲା । କେ କୁଆଡେ଼ କିଲିବିଲି ହୋଇ ଧାଇଁଲେ । ଦି ଦିନ ଆଗରୁ ବାନ୍ଧିଥିବା ଜିନିଷତକ ବି ନେବାକୁ ଯୋଗ ହେଲାନି । ମିନା ପୁଅକୁ ଧରି ପଳେଇ ଆସିଲା । ଚାହୁଁ ଚାହୁଁ ବୁଲଡେ଼ାଜର ମାଡ଼ିଗଲା ବସ୍ତି ଉପରେ । ମୀନାର ଚାଳିଆ ଉପରେ ରାକ୍ଷସ ପରି ହାତଗୋଡ଼ ପିଟିଦେଲା ସେ ଯନ୍ତ୍ରଟା । ଘର ଭିତରୁ ଉଡ଼ି ଆସିଲା ମେଞ୍ଚାଏ ଧୂଳି । ଭଙ୍ଗା ଛପର ତଳେ ଲୁଚିଗଲା ସବୁ ଜିନିଷ । ଚୂନା ହୋଇଗଲା ଘରକରଣା । ଆଖି ଆଗରେ ମାଡ଼ିଗଲା ଧୂଳିର କୁହୁଡ଼ି । ବସ୍ତିର ପକ୍କାଘର କେତେଟାକୁ ତା ବଡ଼ ଦାନ୍ତରେ ଓଟାରି ଆଣିଲା ସେ ରାକ୍ଷସଟା । ସମସ୍ତେ ଉଠିଗଲେ ବନ୍ଧ ଉପରକୁ । ବସ୍ତି ନାରଖାର କଲା ଯନ୍ତ୍ରଦାନବ ।

ୟା’ ଭିତରେ ବେଶ୍ କିଛି ସମୟ ବିତିଗଲାଣି । ବସ୍ତିର ଅଧା ଘର ମାଟିରେ ମିଶିଲାଣି । ବସ୍ତିର ମୁହଁରେ ପହରା ଦଉଛନ୍ତି ଦଳେ ପୁଲିସ । ବସ୍ତି ବାସିନ୍ଦାଙ୍କୁ ଭିତରକୁ ଛଡ଼ା ଯାଉନି । ଯାହାର ଯାହା ରହିଲା ସେତକ ଯିବ । ଆଉ ଆଦାୟ କରିବା କଥା ଭାବି ହବନି । ବନ୍ଧ ଉପରେ ବରଗଛ ତଳେ ବସି ନିଜ ସୃଷ୍ଟିର ଧ୍ୱଂସଲୀଳା ଦେଖୁଥାଆନ୍ତି ନିରୀହ ବସ୍ତି ବାସିନ୍ଦାମାନେ । ଖରା ମଉଳି ଗଲାଣି । ହାଡିଆପଠାଆଡ଼ୁ ମାଡ଼ି ଆସୁଛି କୁହୁଡ଼ି । ଧୂଆଁଳିଆ ଦେଖା ଯାଉଛି ଡିୟର ପାର୍କ ପଟ ରାସ୍ତା । ବନ୍ଧ ଉପରେ ବସିଥିବା ବସ୍ତି ବାସିନ୍ଦାଙ୍କ ପେଟ ଯାଇ ପିଠିରେ ଲାଗିଲାଣି । ଭାତହାଣ୍ଡି ଉଜୁଡ଼ିଗଲା । ରନ୍ଧା ଜିନିଷ ଖାଇବାକୁ ବି ଯୋଗ ହେଲାନି । ରାସ୍ତା କଡ଼ରେ ପଡ଼ିଥିବା ଛେଲୁଆରୁ ଚାକୁଚାକୁ କରି ପାଣି ପିଉଛି କୁତିଟାଏ । ବରଗଛ ତଳେ ବସିଛି ମୀନା । ତା’ ଛୁଆର ଓଠ ଶୁଖି ଗଲାଣି । ସେ ଖିର ଟିକେ ଖାଇବାକୁ ଖାଲି ଡହଳ ବିକଳ ହଉଛି । ମା’ ମୁହଁକୁ ଚାହିଁ ଓଠ ଚାଟୁଛି । ମହାନଦୀ ଆଡ଼କୁ ପଛକରି ବସିଛି ମୀନା । ତା ପୁଙ୍ଗୁଳା ପିଠିରେ ଗୋଧୂଳି ଲଗ୍ନର ଚେନାଏ ଖରା ପଡ଼ି ଚିକ୍‌ଚିକ୍ କରୁଛି । ତରତରରେ ଘର ଛାଡ଼ିଲା ବେଳେ ଦେହରେ ଖାଲି ଯାହା କସ୍ତା ଶାଢିଟେ ଗୁଡେ଼ଇ ହୋଇ ପଡ଼ିଥିଲା । ପ୍ରାଣ ବଞ୍ଚେଇବା କଥା । ଦେହକୁ କିଏ ଦେଖୁଛି । ଚନ୍ଦୁ ଆଖି ଠାରୁଛି ଛୁଆଟାକୁ ଦି ଢୋକ ଖିର ଦେବା ପାଇଁ । ହେଲେ ସୁଯୋଗ କାଇଁ । ଲୋକ ହାଉଯାଉ । ପୁଲିସବାଲାଏ ପାଖରେ ଛିଡ଼ା ହୋଇଛନ୍ତି । ଟିଭି ଖବର କାଗଜ ବାଲା ହାତରେ କ୍ୟାମେରା ନେଇ ଯୁଆଡେ଼ ନାହିଁ ସିଆଡେ଼ ପଶି ଯାଉଛନ୍ତି । ବସ୍ତିବାଲାଙ୍କ ବିକଳ ଅବସ୍ଥାର ଫଟୋ ଉଠାଉଛନ୍ତି । ମୀନା ପରି ଅସହାୟ ମା, ନଖି ବୋଉ ପରି ରୋଗିଣା ବୁଢୀ, ନାକରୁ ସିଂଘାଣି ବୋହି ପଡୁଥିବା ମିଲିର ଚାରି ବର୍ଷର ଝିଅର ଫଟୋ ତାଙ୍କ କାଗଜରେ ଟିଭିରେ ଭଲ ଚାଲିବ । ସେଇଥିପାଇଁ ଚିଲ ଭଳିଆ ନଜର ବୁଲୋଉଛନ୍ତି ଆଖ ପାଖରେ । ମୁନିସିପାଲିଟି ବାବୁମାନେ ଏପାଖ ସେପାଖ ହେଉଛନ୍ତି । ବାଟରେ ଯାଉଥିବା ଲୋକେ ଘଡ଼ିଏ ଅଟକି ଯାଇ ଭଙ୍ଗା ରୁଜାର ତାମସା ଦେଖୁଛନ୍ତି । ରଥଦାଣ୍ଡ ଭଳିଆ ଭିଡ଼ ଲାଗିଛି । ଏ ହାଉଜାଉରେ କୋଉଠି ପିଲାଟାକୁ ଖୀର ଦେବ । ଅବଶ୍ୟ ଥରେ ଦିଥର ପିଲାଟାର ମୁହଁ ଟାଣି ଆଣି ଥନରେ ମାଡ଼ିଛି । କିନ୍ତୁ ବେଶି ସମୟ ନୁହେଁ । ଚନ୍ଦୁ ତାଗିଦା କରିଛି । ନାଜ ସରମ କଣ । ପିଲାଟାକୁ କଣ ଓପାସ ରଖିବୁ । ବୁଲଡୋଜର ଗର୍ଜ୍ଜନତର୍ଜ୍ଜନ ପୁଣି ପୁଲିସବାଲାଙ୍କ କୁହାଟରେ ଛୁଆଟା ଘଡ଼ି ଘଡ଼ି ଚମକୁଛି । ଟିକେ ନିରୋଳା ହେଲେ ସିନା ଯାହା କରିବ । ପିଲାଟା ବିକଳ ମୁହଁ ଆଉ ଅଧିକ ସମୟ ସହି ପାରିଲାନି ମୀନା । ସବୁ ଲାଜ ସରମ ଛାଡି ଛାତିରୁ ଲୁଗା ଆଡେ଼ଇଲା । ଜାମୁକୋଳି ରଙ୍ଗ ପରି କଳା କିଟ୍‌କିଟ୍ ଥନ ଅଗରେ ଛୁଆର ପାଟି ଲଗେଇଲା । ଭୋକିଲା ଛୁଆଟ ଯେତିକି ପାରିଲା ଚୁଚୁମି ଚାଲିଲା । ଅବଶ୍ୟ ଉପାସିଆ ମା’ଟାର ଥନ ଶୁଖି ଯାଇଥିଲା ସେତେବେଳକୁ ।

ଗରିବର ଏ ବିଚିତ୍ର ଜୀବନ । ପିମ୍ପୁଡି ପରି ତାର ବସବାସ । ଯିଏ ପାରିଲା ପାଦ ଥୋଇ ଦଳି ଦେଲା । ଘର ବୋଲି ଯାହାକୁ ବିଚାରକରି ଆଖିରେ ସ୍ୱପ୍ନ ସଜେଇଥାଏ ସେହି ସ୍ୱପ୍ନ ସମାଧି ନେଲାବେଳେ ନିରବରେ ଦେଖିବାକୁ ହୁଏ । ଏ ହେଉଛି ଗରିବର ଭାଗ୍ୟ । ସହର ଗଢିବାରେ ଲହୁକୁ ଝାଳକରି ନିଗାଡ଼ି ଥିବା ଅଭାବୀ ମଣିଷର ଘରକୁ ଝୁମ୍ପୁଡ଼ି କୁହାଯାଏ । ତା’ର ବାସସ୍ଥାନକୁ ବସ୍ତି କୁହାଯାଏ । ସେମାନଙ୍କୁ କୁହାଯାଏ ବସ୍ତି ବାସିନ୍ଦା । ତା’ର ତ୍ୟାଗକୁ ମୂଲରେ ତଉଲା ଯାଏ । ଏଇ ବୋଧେ ଗରିବର ଭାଗ୍ୟ । ନୁହେଁ ତ ଆଉ କ’ଣ ।

ସଞ୍ଜ ନଇଁ ଆସିଲାଣି । ମୁନସିପାଲିଟିବାବୁ ଶୁଶୁରି ମାରି ଇସରା କଲା । କାମ ବନ୍ଦ୍ କରିବାକୁ କହିଲା । ଥାଉ ଥାଉ ବାକି ଉଚ୍ଛେଦ କାଲିକି । ବୋଲମନା ହାତୀ ପରି ଶୁଣ୍ଢ ଜାକି ପଛକୁ ଫେରିଲା ବୁଲଡୋଜର ସବୁ । ମିନା ବସିବା ଜାଗାରୁ ଉଠି ଛିଡା ହେଲା । ବସ୍ତିର ଅନ୍ୟମାନେ ଯେ ଯୁଆଡେ ନିଜ ପାଇଁ ଜାଗା ବାଛିବାରେ ବ୍ୟସ୍ତ ଥିଲେ । ବନ୍ଧ କଡରେ ଖୁଣ୍ଟରେ ଝୁଲୁଥିବା ବତୀଗୁଡ଼ା ଧପ୍‌ଧାପ୍ ହୋଇ ଜଳି ଉଠିଲା । ଅନ୍ଧାରରେ ବଡ଼ ବିକୃତ ଦିଶୁଥିଲା ଉଜୁଡା ବସ୍ତିଟା । ଯେମିତି ଏଇକ୍ଷଣି ଫାଇଲିନ୍ ବହି ଯାଇଛି ବସ୍ତି ଉପରେ । ମୀନା ରାସ୍ତା ଉପରକୁ ଯାଇ ଚନ୍ଦୁକୁ କେତେ ଡାକିଲା । କୁଆଡେ ଗଲା ମଣିଷଟା । ରିଂ ବନ୍ଧରେ ଝୁଲି ଝୁଲି ଆସୁଥିଲା ଚନ୍ଦୁ । ପାଦ ଏଠି ବୋଲି ସେଠି ପଡୁଥିଲା । ନିଶାରେ ଗରଗର ହେଉଥିଲା କାହା ଉପରେ । ଚନ୍ଦୁର ହାଡୁଆ ଦେହଟାକୁ ଧରି ହଲେଇଦେଲା ମୀନା । ରାତି ପାଇଁ ଜାଗାଟିଏ ଦେଖୁନ । ପିଲାଟାକୁ କାକରରେ ଆଉ କେତେ ସମୟ ଧରି ବୁଲିବି । ମୀନା ପ୍ରଶ୍ନର କୌଣସି ଉତ୍ତର ଦେବା ଅବସ୍ଥାରେ ନଥିଲା ଚନ୍ଦୁ । ରାସ୍ତା କଡରେ ବରଗଛ ତଳେ ନମଝାଲ ହୋଇ ପଡିଗଲା । ରାତି ମାଡି ଆସୁଛି । ଯେ ଯାହାର ସଂସାର ଧରି ଜରି ତଳେ ମୁଣ୍ଡ ଗୁଞ୍ଜିଲେଣି । କେହି କେହି କୁଟା କାଠି ଗୋଟେଇ ଚୁଲି ଲଗେଇଲେଣି । ମୀନାର ରାହା ଠା ନାହିଁ । ଛୁଆଟାର ଅବସ୍ଥା ବି ଭଲ ନାହିଁ । ମା’ କାନ୍ଧରେ ପଡି ପଡି ଶୋଇ ପଡିଲାଣି । ପେଟ ଯାଇ ପିଠିରେ ଲାଗିଲାଣି । ମଝିରେ ମଝିରେ ଚମକି ପଡି କାନ୍ଧୁଛି । ଖୁଁ ଖୁଁ କାଶୁଛି । ମା’ ଥାପୁଡେଇ ଦେଲାରୁ ତୁନିହୋଇ ଶୋଇ ପଡୁଛି । କଣ କରିବ । କାହାକୁ କହିବ । ଗେରସ୍ତ ମଦ ପିଇ ମାତାଲ । ମହାନଦୀର ଥଣ୍ଡା ପବନରେ କାଲୁଆ ହୋଇ ଯାଉଛି ଦେହ ହାତ । ବଡ ମଣିଷଙ୍କ କର ଚରଣ ଚଳୁନି । ଏ କଅଁଳା ଛୁଆଟାକୁ କେମିତି ସମ୍ଭାଳିବ ଭାବି ହେଉଥିଲା ସେ ।

ଆକାଶ ଛାତିରେ ମିଞ୍ଜିମିଞ୍ଜି କରୁଛି ଅଗଣିତ ତାରା । ରାତିର ବୟସ ବଢିବାରେ ଲାଗିଛି । ରିଂ ରୋଡ଼ରେ ଗାଡି ମୋଟରର କୋଳାହଳ ବି କମି ଆସିଲାଣି । କାଁ ଭାଁ ମୋଟରସାଇକଲ ବା ଟ୍ରାକ୍ଟର ପବନ ବେଗରେ ଛୁଟି ଯାଉଛନ୍ତି । ଉଜୁଡା ବସ୍ତିରେ ନିଜ ଆସ୍ଥାନ ତଥାପି ମାଡିବସି ପଡି ରହିଥିବା କୁକୁର ପଲ ମଝିରେ ମଝିରେ ରାହା ଧରି ଭୁକୁଛନ୍ତି । ବଡ ବିକଟାଳ ଶୁଭୁଛି ସେମାନଙ୍କ ସ୍ୱର । ମୀନାକୁ ତା ଭଙ୍ଗାକୁଡିଆ ହାତ ଠାରି ଡାକୁଛି । ଛାଡି ଆସିଥିବା ଭାତ ହାଣ୍ଡି, ଭୁଶୁଡ଼ି ପଡ଼ଥିବା ଚୁଲି ଝିଙ୍କା, ତା’ ଛୋଟିଆ ପରିବାରର ଅନେକ ସ୍ମୃତି ତାକୁ ଅସ୍ତବ୍ୟସ୍ତ କରୁଛି । ମୀନା ସେମାନଙ୍କୁ ଛାଡ଼ି ଭୁଲ୍ କରିଛି । ବୁଲଡୋଜର ଆଗରେ ଶୋଇ ପଡିବା ପରିବର୍ତ୍ତେ ସେମାନଙ୍କ ହାତଛାଡି ନିଜ ପ୍ରାଣ ବଞ୍ଚାଇଛି । ଏମିତି କେତେ କଣ ଭାବୁ ଭାବୁ ମୀନା ଧାଇଁ ଯାଇଛି ବସ୍ତି ଭିତରକୁ । ବସ୍ତି ଭିତରେ ଅନ୍ଧାରର ରଙ୍ଗ ଆହୁରି କାଳିଆ ଦିଶୁଛି । ନଳକୂଅ ପାଖରେ ପହଞ୍ଚି ନାକସିଧା ଯାଇଛି ସେ । ଉଜୁଡା ସ୍ୱପ୍ନର ସମାଧି ଭିତରେ ଖୋଜିଛି ନିଜର ଘର । ଚନ୍ଦୁର ତା’ର ମିଶି ତୋଳିଥିବା ଘର । କାନ୍ଧରେ ପଡି ପିଲାଟା ଘଡ଼ଘଡ଼ ହେଉଛି । ଅନ୍ଧାରରେ ଉଣ୍ଡାଳି ଉଣ୍ଡାଳି ଚନ୍ଦୁର ଭଙ୍ଗାରୁଜା ଗୁପ୍‌ଚୁପ୍ ଗାଡ଼ିଟା ଠାବ କରିବାରେ ସଫଳ ହୋଇଛି ସେ । ଯତ୍ନରେ ବାନ୍ଧିଥିବା ବୁଜୁଳା ସବୁ ଏଣେ ତେଣେ ବିଛାଡି ହୋଇ ପଡିଛି । କାଲି ଯେଉଁଠି ଘର ଥିଲା ପରିବାର ଥିଲା ଆଜି ସେଠି କୁଢକୁଢ ଅନ୍ଧାର ବୁଡେ଼ଇ ଦେଇକ୍ତି ସବୁକିଛି । ମୀନା ଆଖିରୁ ଦୁଇ ଧାର ଲୁହ ବୋହି ଆସି ତାର ଶୁଖିଲା ଗାଲକୁ ଓଦା କରିଦେଲା । ଭଙ୍ଗା ଇଟା ସନ୍ଦିରେ ମୋଡି ଜାକି ହୋଇ ପଡିଥିବା ଲୁଗାପଟା ଭର୍ତ୍ତି ବସ୍ତାକୁ ଗୋଟିଏ ହାତରେ ଅନେକ ଟାଣିବା ପରେ ଥକିପଡିଲା ସେ । ପିଲାଟାକୁ ଗୋଟେ କାଖରୁ ଆଣି ଆର କାଖରେ ବସେଇଲା । ନିଜେ ବସି ପଡିଲା ସେଠି । ଆଖି ମାଡି ମାଡି ପଡୁଛି । ପେଟରେ ଦାନାଟିଏ ନାହିଁ । ଓଠ ଶୁଖି ଯାଉଛି । ପୁଣିଥରେ ନଳକୂଅ ପାଖକୁ ଯାଇ ପାଣି ଢୋକେ ପିଇବାକୁ ବଳ ପାଉନି । ମୀନା ଭଙ୍ଗା ଗୁପ୍‌ଚୁପ୍ ଗାଡିକୁ ଆଉଜି ପଡିଲା । ଆକାଶରେ ତାରା ଭର୍ତ୍ତି । ତା ଆଖିରେ ନିଦ ଭର୍ତ୍ତି । ଆଖି ଆଗରେ ନାଚି ଉଠୁଛି ସବୁକିଛି । ଚନ୍ଦୁ ସାଙ୍ଗରେ ମନ ଦିଆ ନିଆ । ବାହାଘର । ଚଉଠି ରାତି । ନୂଆନୂଆ କେତେ କଥା । ଆଖିପତା ବନ୍ଦ୍ ହୋଇ ଯାଉଛି । ଅନ୍ଧାର ମାଡି ଆସୁଛି । ଘୋର ଅନ୍ଧାର । ଆହୁରି ବେଶି ବେଶି । ଖାଲି ଅନ୍ଧାର ଆଉ ଅନ୍ଧାର ।

କୁହୁଡିର ଚାଦର ତଳେ ନିସ୍ତେଜ ହୋଇ ପଡି ରହିଛି ଆହତ ତଅଁଳାସାହି ବସ୍ତି । ଅନ୍ଧାର ପତଳା ହେଲାଣି । ମୀନା ଆଖି ମଳିଲା । ତାକୁ ନିଦରୁ ଉଠିଲା ପରି ଲାଗିଲା । ଦେହ ଉପରକୁ ଲୁଗା ଗୋଟେଇ ନେଲା । ତା’ ଆଖିକୁ କେତେବେଳେ ନିଦ ଆସି ଯାଇଥିଲା ସେ ଜାଣି ପାରଲାନି । କେତେ ସମୟ ସେ ଶୋଇଛି ତାହା ବି ଜାଣିବାର ଉପାୟ ନଥିଲା । ଏବେ କଣ ରାତି ପାହିବାର ବେଳ ହେଲାଣି ? ମନେମନେ ନିଜକୁ ପ୍ରଶ୍ନ କରି ପିଲାଟାକୁ ଛାତି ଉପରକୁ ଆଉଜେଇ ନେଲା । ଭିଡିଧରିଲା । ନିଜ ଉଷୁମ ଛାତିରେ ଜାକିଧରି ପିଲାଟାକୁ ଟିକେ ଗରମ କରିବାକୁ ଚାହିଁଲା । ଲୁଗାକାନି ତଳକୁ ଆବୁରି ନେଲା । ଦେହରେ କପଡା ବକଟେ ନାହିଁ । ଖୋଲା ଆକାଶ ତଳେ ରାତି କାଟିଛି ସେ । ପିଲାଟାକୁ ଟିକେ ଖାଇବାକୁ ଦବାକୁ ହେବ । ମୁଁ ମରି ନଗଲି ଯାହା ! ଛୁଆକୁ ମୋର କେମିତି ଉପାସ ରଖି ଶୋଇ ପଡିଲି । ପିଲାର କୁନି ଓଠ ମଝିରେ ଥନ ଗେଞ୍ଜିଲା । ଧନଧନ ଡାକିଲା । ନେ ନେ ଖାଇଦେ । ଟିକେ ଖାଇ ଦେ । କାଲି ଘର ତୋଳିବା । ଭାତ ରାନ୍ଧିବା । ଏମିତି କେତେ କ’ଣ କହି ପିଲାଟାକୁ ବୁଝେଇଲା । କାହିଁ ଛୁଆଟା ତ ପାଟି ଖୋଲୁନି । ମୀନା ପାଗଳୀ ପରି ହାତ ବୁଲେଇ ଆଣିଲା ଛୁଆ ଦେହରେ । ସେତେବେଳକୁ ସାରା ଦେହଟା ବରଫ ପାଲଟି ଯାଇଥିଲା । ରାତିର ଅନ୍ଧାର ଚାଟି ଦେଇଥିଲା ରକ୍ତ ମାଂସର ମଣିଷ ଛୁଆଟାକୁ । ଛୁଆର ମୁଣ୍ଡ ତଳକୁ ଝୁଲି ପଡ଼ିଲା । ଚିତ୍କାର କରି ଉଠିଲା ମୀନା । ତାର କଣ୍ଠଫଟା କରୁଣ ରଡ଼ି ଶୁଣି ଭୁକି ଉଠିଲେ କୁକୁର ପଲ । ତଅଁଳାସାହି ବସ୍ତି ପରି ଉଜୁଡି ଯାଇଥିଲା ମୀନାର କୋଳ । ଶୂନ୍ୟ ହୋଇ ଯାଇଥିଲା ତା’ର ପୂର୍ଣ୍ଣ ସଂସାର । ଓପାସିଆ ଦେହଟା ନିଶବ୍ଦ ହୋଇ ପଡ଼ିରହିଥିଲା । ଅସହାୟ ମା’ ଛାତିରୁ ଫୁଟି ଉଠୁଥିବା କୋହ ମିଳେଇ ଯାଉଥିଲା ଉଜୁଡା ବସ୍ତିର କଙ୍କାଳ ଭିତରେ ।

ଲୋକପ୍ରିୟ ଲେଖା

To Top