ଗଳ୍ପ

ଶ୍ରୀମତୀ କମ୍ ନୁହଁନ୍ତି

Dr Ajeet Kumar Tripathy's Odia Story SHREEMATI KAM NUHANTI

ଶ୍ରୀମତୀ ଚିଫ୍‌ଙ୍କର ମନେ ପଡ଼ିଲା ମୋ କଥା । ତାଙ୍କ ଘରେ କର୍ତ୍ତବ୍ୟରତ ଜେ.ଇ., ଏନ୍.ଏମ୍.ଆର୍., ଡି.ଏଲ୍.ଆର୍. ପିଅନ୍‌ମାନେ କାଳେ ପଇସାରେ, ମାପ ଓଜନରେ ଠକିଦେବେ କିମ୍ୱା ଭଲ ଗୁଣମାନର ପରିବାପତ୍ର ନ ଆଣିବେ, ସେଥିପାଇଁ ଖୋଜା ପଡ଼ିଲା ମୋତେ

ଶ୍ରୀମତୀ କମ୍ ନୁହଁନ୍ତି

ସେଦିନ ମୁମ୍ୱାଇ ମେଲ୍ ହମୀରଗଡ଼ ପହଞ୍ଚିବା ପାଇଁ ହେଲା ବିଳମ୍ୱ ଦେଢ଼ଘଣ୍ଟା । ଇଞ୍ଜିନିୟର୍ ବନ୍ଧୁ ଅମ୍ରିତ ପଟେଲ୍ ମୋତେ ଆସିଥିଲା ଷ୍ଟେସନ୍‌ରୁ ନେବାକୁ । କ’ଣ ଗୋଟାଏ ଜରୁରୀ କାର୍ଯ୍ୟ ପଡ଼ିବାରୁ ମୋ ପାଇଁ ଟାକ୍ସିଟାଏ ଯୋଗାଡ଼ କରି ସେ ଚାଲିଗଲା ଘରକୁ । ମୋତେ ମୋବାଇଲରେ ଆଗରୁ କହିଥିଲା ।

ତିନି ନମ୍ୱର ପ୍ଲାଟଫର୍ମରେ ମୋ ନାଁର କାର୍ଡବୋର୍ଡଟିଏ ଧରି ଠିଆ ହୋଇଥିଲା ଜଣେ ବ୍ୟକ୍ତି । ଶୁଭେନ୍ଦୁ ମାଲହୋତ୍ରା, ୱେଲ୍‌କମ୍ । ମୋତେ କିଛି ଅସୁବିଧା ହେଲାନାହିଁ ।

ଆମେ ଦୁହେଁ ଥିଲୁ ବ୍ରିଟ୍ ପିଲାନୀର ସିଭିଲ୍ ଇଞ୍ଜିନିୟରିଂ ଛାତ୍ର । ହଷ୍ଟେଲ୍‌ର ଗୋଟିଏ ରୁମ୍‌ର ଦୁହେଁ ରହିଥିଲୁ ଛଅବର୍ଷ । ଆମ ଭିତରେ ଗଢ଼ି ଉଠିଥିଲା ବେଶ୍ ଘନିଷ୍ଠତା । ଏମ୍.ଟେକ୍ ଡିଗ୍ରୀ ପରେ ସେ ହମୀରଗଡ଼ ରାଜ୍ୟରେ ସରକାରୀ ଚାକିରୀ କଲା ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର୍ ଭାବେ । ମୁଁ ମୁମ୍ୱାଇରେ ଯୋଗ ଦେଲି ଡିଜାଇନ୍ ଇଞ୍ଜିନିୟର୍ ଭାବେ ସାପ୍ରୋନଜୀ ପାଲୋନଜୀ କମ୍ପାନୀରେ ।

କଲେଜ୍ ଛାଡ଼ିବାର ସାତବର୍ଷ ପରେ ଦେଖା । ନିଜ ନିଜ କାମ ଓ ପରିବାରର ବ୍ୟସ୍ତତା ଭିତରେ ଆଉ କେବେ ଏକାଠି ହେବା ଦୁହିଁଙ୍କ ପକ୍ଷରେ ସମ୍ଭବ ହୋଇ ନଥିଲା । ନା ମୋର ହମୀରଗଡ଼ରେ କାମ ପଡ଼େ, ନା ତା’ର ମୁମ୍ୱାଇରେ । ପୁରାତନ ଗଡ଼ଜାତ ହମୀରଗଡ଼ ଆଜି ସ୍ୱାଧୀନ ଭାରତର ଗୋଟିଏ ସ୍ୱତନ୍ତ୍ର ରାଜ୍ୟ । ପ୍ରାକୃତିକ ସମ୍ପଦ ଓ ସୌନ୍ଦର୍ଯ୍ୟରେ ଭରପୁର । ବହୁତ ଦିନ ହେଲା ଭାବିଥିଲି ଛୁଟି ନେଇ ହମୀରଗଡ଼ ବୁଲି ଆସିବି । ଘରୋଇ କମ୍ପାନୀରେ ସୁବିଧାରେ ଛୁଟି ମିଳେନାହିଁ । ଏ କଥା ଅମ୍ରିତ ଜାଣିଥିଲା । ତା’ପାଇଁ ଷ୍ଟେଟ୍ ହେଡକ୍ୱାର୍ଟରରେ ରାସ୍ତାବାଡ଼ି ଇଞ୍ଜିନିୟରିଂ ଡିଭିଜନ୍ ମଧ୍ୟ ଏକ ପ୍ରଚଣ୍ଡ ବ୍ୟସ୍ତ ଚାକିରୀ ।

ଅମ୍ରିତର ପତ୍ନୀ ଯମୁନା ଦେବୀ ମୋତେ ଅପେକ୍ଷା କରିଥିଲେ । ପଚାରିଲେ- “ଆପଣଙ୍କର କିଛି ଅସୁବିଧା ହୋଇନାହିଁ ତ ? ଇଏ ତ ଷ୍ଟେସନ୍ ଯାଇଥିଲେ ଆପଣଙ୍କୁ ଆଣିବା ପାଇଁ । ଇଞ୍ଜିନିୟର-ଇନ୍-ଚିଫ୍‌ଙ୍କ ଘରୁ କ’ଣ ଫୋନ୍ ଆସିଲା ବୋଲି ତାଙ୍କୁ ଯିବାକୁ ପଡ଼ିଲା । ଭାରି ବ୍ୟସ୍ତ ହେଉଥିଲେ ଆପଣଙ୍କୁ ଷ୍ଟେସନ୍‌ରୁ ରିସିଭ୍ କରିବାକୁ ରହିପାରିଲେ ନାହିଁ ବୋଲି ।” ମୁଁ କହିଲି, “ଶୁଭେନ୍ଦୁ କ’ଣ ଛୋଟ ପିଲା ହୋଇଛନ୍ତି ପ୍ଲାଟଫର୍ମରେ ହଜିଯିବେ । ତୁମେ ଟାକ୍ସିଟାଏ ଯୋଗାଡ଼ କରି କାର୍ଡବୋର୍ଡରେ ତାଙ୍କ ନାଁ ଲେଖିଦିଅ । ଯେମିତି ଅନ୍ୟ ରାଜ୍ୟର ଷ୍ଟେଟ୍ଗେଷ୍ଟ୍ ଇଞ୍ଜିନିୟରମାନେ ଆସିଲେ ତୁମେ କର ।”

ସେ ବୋଧେ ଆପଣଙ୍କ ପାଇଁ ସେଇଆ କରିଥିଲେ । ଏବେ ଆପଣଙ୍କର ଦାୟିତ୍ୱ ମୋର । ଆପଣ ଗେଷ୍ଟରୁମ୍‌ରେ ଯାଇ ଗାଧୁଆ ପାଧୁଆ କରନ୍ତୁ । ମୁଁ ଚା’ ପଠାଇ ଦେଉଛି । ଇଏ ଆସିଲେ ଏକାଠି ଦୁହେଁ ଖାଇବେ । ପାଞ୍ଚଦିନ ହେଲା ଆପଣ ଆସିବେ ବୋଲି ୟା’ଙ୍କୁ ନିଦ ନାହିଁ ।

ମୁଁ ପହଞ୍ଚିବାର ଘଣ୍ଟାଏ ପରେ ଅମ୍ରିତ ପହଞ୍ଚିଲା ଘରେ । ବ୍ରେକ୍‌ଫାଷ୍ଟ୍ ଟେବୁଲ୍ରେ ମୁଁ ପଚାରିଲି- “ଆରେ ଅମ୍ରିତ ! ଏମିତି କ’ଣ ଜରୁରୀ କାମ ପଡ଼ିଗଲା, ଇଞ୍ଜିନିୟର-ଇନ୍-ଚିଫ୍ ତୋତେ ଡାକିଦେଲେ ଛୁଟି ଦିନଟାରେ ?”

ଅମ୍ରିତ କହିଲା, “ଶୁଣିବୁ, ଇଞ୍ଜିନିୟର-ଇନ୍-ଚିଫ୍‌ଙ୍କର ଘରେ ପହଞ୍ଚିଲେ ତାଙ୍କର ଶଶୁର ଘରଆଡ଼ର ହଠାତ୍ କେତେଜଣ ବନ୍ଧୁବାନ୍ଧବ । ଶ୍ରୀମତୀ ଚିଫ୍‌ଙ୍କର ମନେ ପଡ଼ିଲା ମୋ କଥା । ତାଙ୍କ ଘରେ କର୍ତ୍ତବ୍ୟରତ ଜେ.ଇ., ଏନ୍.ଏମ୍.ଆର୍., ଡି.ଏଲ୍.ଆର୍. ପିଅନ୍‌ମାନେ କାଳେ ପଇସାରେ, ମାପ ଓଜନରେ ଠକିଦେବେ କିମ୍ୱା ଭଲ ଗୁଣମାନର ପରିବାପତ୍ର ନ ଆଣିବେ, ସେଥିପାଇଁ ଖୋଜା ପଡ଼ିଲା ମୋତେ ।”

ମୁଁ ପହଞ୍ଚିଲା ପରେ ଶ୍ରୀମତୀ ଚିଫ୍ କହିଲେ, “ଆମ ଘରର ପାଞ୍ଚଜଣ ନିକଟ ସମ୍ପର୍କୀୟ ବନ୍ଧୁବାନ୍ଧବ ଘରକୁ ଆସିଛନ୍ତି । ମୁଁ ମୋ ସାନଭଉଣୀ ଭିଣେଇଙ୍କୁ ମଧ୍ୟ ଡାକି ଦେଇଛି ଲଞ୍ଚ୍‌କୁ । ସାତଜଣ ନନ୍‌ଭେଜ୍, ଆଉ ଦୁଇଜଣ ଭେଜ୍ । ଆମ ଦୁହିଁଙ୍କୁ ମିଶାଇ ନଅଜଣ । ଆପଣ ନେଇ ଆସନ୍ତୁ ଏହି ତାଲିକାରେ ଥିବା ଜିନିଷ । ଆପଣଙ୍କର ସାର୍ ସବୁବେଳେ ମୋତେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ତାଙ୍କ ପରିବାରର ନିଜ ଲୋକ ଆଉ ମୋ ପରିବାରର ନିଜ ଲୋକ ଆସିଲେ, ମାର୍କେଟିଂ କରିବେ କେବଳ ଆପଣ ।” ବିନା ବାକ୍ୟବ୍ୟୟରେ ମୁଁ ତାଲିକାଟି ନେଇ ପୁରାଇଲି ପକେଟ୍‌ରେ । ଶ୍ରୀମତୀ ଚିଫ୍ ମୋତେ ଅନ୍ୟଥର ଭଳି ବଢ଼ାଇଦେଲେ ଗୋଟିଏ ଶହେଟଙ୍କିଆ ନୋଟ୍ । ମୁଁ ମନା କଲି । ମୁଁ ଆଗ ସବୁ ସଉଦା ଆଣେ, ଆପଣଙ୍କ ପାଖରେ କ’ଣ ପଇସା ବୁଡ଼ିଯାଉଛି । ତା’ଛଡ଼ା ଆପଣଙ୍କର ପରିବାର ଲୋକେ କ’ଣ ମୋ ପରିବାରର ନୁହଁନ୍ତି ।

ମୁଁ ପଚାରିଲି- “କ’ଣ ସବୁ ସଉଦା ତାଲିକାରେ ଥିଲା କହୁନ୍ତୁ ।” ଅମ୍ରିତା ଆରମ୍ଭ କଲା । “ଛଅଟା ଅଣ୍ଡା, ଅଧକିଲୋ ଖାସି ମାଂସ, ତିନିଟା ବ୍ରଏଲର୍ କୁକୁଡ଼ା, ଅଧକିଲୋ ପନିର୍, ଅଧକିଲୋ ବଟନ ଛତୁ, ପୋଟଳ ଏକ କିଲୋ । ଏ ସବୁତକ କିଣି ଦେଇ ଆସିଲି ଏବେ ନେଇ ।” ମୁଁ ପଚାରିଲି- “ସଉଦା ପାଇଲା ପରେ ତୋତେ କେତେ ପଇସା ଦେଲେ ମ୍ୟାଡ଼ାମ୍ ?” ଆରେ ମୂର୍ଖ, ମୁଁ କ’ଣ ଏଡ଼େ ବୋକା ହୋଇଛି ମ୍ୟାଡ଼ାମ୍‌ଙ୍କଠାରୁ ପଇସା ନେବି । ତୁ ପ୍ରାଇଭେଟ୍ ସେକ୍ଟରରେ ଇଞ୍ଜିନିୟର୍ । ଏ ସବୁ କଥା କ’ଣ ବୁଝିବୁ ? ଜଳଖିଆ ଖାଇବାରେ ମନ ଦେ’ ।

ମୋର ଉତ୍କଣ୍ଠା ବଢ଼ିଲା ଅହେତୁକ ଭାବେ । ପଚାରିଲି- “ଏମିତି ମାସକୁ କେତେ ଥର ତୋତେ ସଉଦା ବରାଦ ଆସେ ?” ଅମ୍ରିତ କହିଲା- “ପ୍ରାୟ ସପ୍ତାହକୁ ଥରେ । ବେଳେବେଳେ ବେଶୀଥର ମଧ୍ୟ ହୋଇଯାଏ ।” ତେବେ ତମ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ, ଚିଫ୍ ଇଞ୍ଜିନିୟର୍, ସୁପରିଟେଣ୍ଡିଂ ଇଞ୍ଜିନିୟର୍ ଏମାନଙ୍କ କଥା ମଧ୍ୟ ବୁଝିବାକୁ ପଡୁଥିବ ତୋତେ ।

ଅମ୍ରିତ କହିଲା- “ନା, ନା. . . ଆମ ସରକାର ସେଥିପାଇଁ କରିଛନ୍ତି ଉପଯୁକ୍ତ ବନ୍ଦୋବସ୍ତ । ହଗମୀରଗଡ଼ ରାଜଧାନୀରେ ରାସ୍ତାବାଡ଼ି ବିଭାଗର ଅଛି ପାଞ୍ଚୋଟି ଡିଭିଜନ୍ । ପ୍ରତ୍ୟେକ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର୍‌ଙ୍କ ଜଣେ ଜଣେ ଭି.ଆଇ.ପି. ପରିବାରର ଦାୟିତ୍ୱ । ଆଉ ପଞ୍ଚମ ଡିଭିଜନ୍‌ଟି ଅଛି ହମୀରଗଡ଼ର ୱାକ୍ର୍ସ ସେକ୍ରେଟେରୀ, ନ୍ୟାୟପାଳିକା ଓ ଦୁର୍ନୀତି ନିବାରଣ ଡି.ଜି., ଆଇ.ଜି.ମାନଙ୍କ କଥା କେତେବେଳେ କେମିତି ବୁଝିବା ପାଇଁ ।”

ବ୍ରେକଫାଷ୍ଟ୍ ସରିଲା ପରେ ଅମ୍ରିତ ବାହାରିଲା ପୁଣି ଥରେ ଇଞ୍ଜିନିୟର୍ ଇନ୍ ଚିଫ୍‌ଙ୍କ ଘରକୁ । ମୁଁ କହିଲି- “ଆରେ ମୋତେ ସାଙ୍ଗରେ ନେଇଯା’ । ମୁଁ ଗାଡ଼ିରେ ବସିଥିବି । ତୁ ତୋ କାମ ସାରି ଆସିବୁ । ବାଟରେ କିଛି ହେଲେ ଗପସପ ହୋଇଯିବ ।”

ଅମ୍ରିତ ମୋତେ ସାଙ୍ଗରେ ନେବାକୁ ରାଜି ହେଲା । ଇ.ଆଇ.ସି.ଙ୍କ ବଙ୍ଗଳା ଆଗରେ ଗାଡ଼ି ପାର୍କିଂ କରି ସେ ଗଲା ବଙ୍ଗଳାକୁ । ମୁଁ ବସିଥାଏ ଗାଡ଼ିରେ । ପନ୍ଦର ମିନିଟ୍ ପରେ ବାହାରି ଆସିଲା ଅମ୍ରିତ । ତା’ ପଛେ ପଛେ କ୍ଷୀର କେନ୍‌ଟିଏ ନେଇ ଜଣେ ଅଫିସ୍ ପିଅନ୍ ଜିପ୍ ପଛରେ ଥୋଇଲା କେନ୍‌ଟି । ଅମ୍ରିତ ପକେଟ୍‌ରୁ କିଛି ଟଙ୍କା କାଢ଼ି ତା’ ହାତରେ ଧରାଇ ଦେଇ ଆସି ବସିଲା ଗାଡ଼ିରେ । ମୋ ମୁହଁରେ ପ୍ରଶ୍ନବାଚୀ ଦେଖି କହିଲା ଅମ୍ରିତ,”ଆମ ଇଞ୍ଜିନିୟର୍ ଇନ୍ ଚିଫ୍‌ଙ୍କର ଗାଈ ପାଳିବା ବଡ଼ ସଉକି । ଗୋଟିଏ ଦୁଧିଆଳୀ ଗାଈ ରଖିଛନ୍ତି । ତା’ର ଖାଇବା, ଔଷଧ ସବୁ କିଣା ମୋତେ ବୁଝିବାକୁ ପଡ଼େ । ସକାଳେ ଦିଏ ଦୁଇ ଲିଟର ଦୁଧ । ଇ.ଆଇ.ସିଙ୍କୁ କୁହାଯାଇଛି ସେ ଦିଏ ଆଠ ଲିଟର କ୍ଷୀର । ଶ୍ରୀମତୀ ଚିଫ୍ କହିଛନ୍ତି, “ଯେଉଁ ଦିନ ମୋ ଗାଈ ଆଠ ଲିଟରରୁ କମ୍ କ୍ଷୀର ଦେବ, ସେଦିନ ଗାଈ ସହିତ ସେ ଏନ୍.ଏମ୍.ଆର୍. ଗଉଡ଼କୁ ଘରୁ ବାହାର କରିଦେବେ ।” ତେଣୁ ଏନ୍.ଏମ୍.ଆର୍. ଗଉଡ଼ଟି ଛଅ ଲିଟର ପାଣି ସେଥିରେ ମିଶାଇ ମ୍ୟାଡ଼ାମ୍‌ଙ୍କୁ ଫେଣ ଭର୍ତ୍ତି ଆଠ ଲିଟର କ୍ଷୀର ବାଲଟିରେ ଦେଖାଇ ଆଣେ । ତା’ପରେ କେନ୍‌ରେ ମୁଁ ସେ କ୍ଷୀର ନେଇଯାଏ ବିକ୍ରୀ କରିବା ପାଇଁ । ମ୍ୟାଡ଼ାମ୍ ଆଠ ଲିଟରର ନଗଦ ପଇସା ସବୁଦିନ ପାଇଯାଆନ୍ତି ।”

ମୁଁ ପଚାରିଲି- “ତେବେ ତୋ’ଠୁ ଏ ପାଣି କିଏ କିଣେ ?”

ତୁ ଆଜି ଦେଖିବୁ କିଏ କିଣେ ? ଫେରିବା ବାଟରେ ପଡ଼ିଲା ଗୋଟିଏ ସୁଲଭ ଶୌଚାଳୟ । ଅମ୍ରିତର ବିନା ନିର୍ଦ୍ଦେଶରେ ମଧ୍ୟ ଗାଡ଼ି ସେଠାରେ ରଖିଲା ଡ୍ରାଇଭର୍ । ବିନା କଥାବାର୍ତ୍ତାରେ ସେ କେନ୍‌ଟି ନେଇ ଡ୍ରାଇଭର୍ ଗଲା ସୁଲଭ ଶୌଚାଳୟ ଭିତରକୁ । ପାଞ୍ଚ ମିନିଟ୍ ପରେ ଖାଲି କେନ୍ ସହ ଫେରି ଆସିଲା ସେ । ଅମ୍ରିତ ମୋତେ କହିଲା- “ବୁଝିଲୁ, ଏବେ ସେ କ୍ଷୀର କିଏ ନେଲା ? ଏ ହେଉଛି ମୋର ପ୍ରତିଦିନର କାମ । ବଜାରରେ ଏଇ ପାଣି ବିକିବା ଓ ଲୋକହସା ହେବାର ନାକଟ କରିବା ଅପେକ୍ଷା ଏହାର ମୂଲ୍ୟ ମ୍ୟାଡ଼ାମ୍‌ଙ୍କୁ ଦେଇ ଆମେ ନିଶ୍ଚିନ୍ତ । ବିଭିନ୍ନ ଦିନ ବିଭିନ୍ନ ସ୍ଥାନରେ ଢଳାଯାଏ ଏ ଆଠଲିଟର ପାଣି । କେଉଁଦିନ ମ୍ୟୁନିସିପାଲିଟି ଡ୍ରେନ୍‌ରେ, କେଉଁଦିନ ସୁ୍ୟରେଜ୍ ନଳାରେ, କେଉଁଦିନ ରମିଲା ନଦୀରେ ।”

ଘରକୁ ଫେରି ଆମେ ବସିଲୁ ଗପସପରେ । ପଡ଼ିଲା ଇଞ୍ଜିନିୟର୍-ଇନ୍-ଚିଫ୍‌ଙ୍କ ଅପୂର୍ବ ପ୍ରତିଭାଶାଳିନୀ ଶ୍ରୀମତୀଙ୍କ କଥା । ଅମ୍ରିତ କହିଲା- “ଏଥର ବିଶ୍ୱକର୍ମା ପୂଜାରେ କ’ଣ ହେଲା ଶୁଣ୍ । ଆମ ଡିଭିଜନ୍ ବିଶ୍ୱକର୍ମା ପୂଜାର କିଣାକିଣି ଦାୟିତ୍ୱ ଥିଲା ମୋର ।” ମ୍ୟାଡ଼ାମ୍ ମୋତେ ଡାକି କହିଲେ- “ଶୁଣନ୍ତୁ ଅମ୍ରିତବାବୁ ! ୟା’ଙ୍କର ଗୋଟାଏ ନୂଆ ମଠାପାଟର ଧୋତି ଆଉ ମଠା ଚଦର ଅଛି ମୋ ପାଖରେ । ବୋଧେ ଚାରି ପାଞ୍ଚ ବର୍ଷ ତଳେ ଦେଇଥିଲା କିଏ ଜଣେ । ସେମିତି ଅଛି ନୂଆ ଚକ୍‌ଚକ୍ ହୋଇ । ଭାଙ୍ଗ ବି ମରିନାହିଁ । ବିଶ୍ୱକର୍ମାଙ୍କ ପାଇଁ ନୂଆ ପାଟମଠା ବଦଳରେ ନେଇଯାଆନ୍ତୁ ଏଇଟା । ଏଇ ଚଦର ଆଉ ମଠାଟା ଏବେ ଚାରି ହଜାରରୁ ବେଶୀ ଦାମ୍ ହେବ । ଆପଣ ତ ଲଗାଇବେ ଠାକୁରଙ୍କ କାମରେ । ମୋତେ ବାରଶହ ଟଙ୍କା ଦେଲେ ଚଳିବ । ପାଟଟା ଅନ୍ତତଃ ଠାକୁରଙ୍କ କାମରେ ଲାଗିଯିବ ।” ମୁଁ କହିଲି- “ଆଜ୍ଞା ଏଥିରେ ଆଉ ମୋର ଅରାଜି ହେବାର କ’ଣ ଅଛି । ଦିଅନ୍ତୁ, ଆମର ବି ପୂଜାରେ ଟଙ୍କା ବଞ୍ଚିଯିବ ।” ମୁଁ ସଙ୍ଗେ ସଙ୍ଗେ ଟଙ୍କା ବଢ଼ାଇ ନେଇ ଆସିଲି ମଠା ପାଟ ଓ ଚଦର । ମଠାପାଟ ଆଉ ଚଦର ଆଣି ମୁଁ ଘରେ ଦେଖେ ତ ସେଥିରେ ଦୁଇଯାଗାରେ ଛଅ ଇଞ୍ଚରୁ ଆଠ ଇଞ୍ଚ ଲମ୍ୱାର ଫାଟ । ଏ କଥା କିନ୍ତୁ ମ୍ୟାଡ଼ାମ୍‌ଙ୍କୁ କହିବା ପାଇଁ ସାହସ ହେଲା ନାହିଁ ମୋର । ଠିକ୍ ସେହି ରଙ୍ଗର ମୋ ହାତରୁ ନୂଆ ମଠା ପାଟ କିଣି ପିନ୍ଧାଇଲି ବିଶ୍ୱକର୍ମାଙ୍କୁ । ଫଟା ପାଟ କଥା କେହି ଜାଣିଲେ ନାହିଁ ।

ସନ୍ଧ୍ୟାରେ ସାର୍ ଆଉ ମ୍ୟାଡ଼ାମ୍ ଯେତେବେଳେ ପୂଜା ଦେଖିବାକୁ ଆସିଲେ, ମୁଁ ମୁଣ୍ଡ କୁଣ୍ଡାଇ କୁଣ୍ଡାଇ କହିଲି- “ଏଥର ବିଶ୍ୱକର୍ମାଜୀ ଯେଉଁ ପାଟ ପିନ୍ଧିଛନ୍ତି ଏପରି ସୁନ୍ଦର ପାଟ କେବେହେଲେ ପିନ୍ଧି ନଥିଲେ ।” ମ୍ୟାଡ଼ାମ୍ ବହୁତ ଖୁସି ହେଲେ । ପୂଜା ଥାଳିରେ ସବୁ ବର୍ଷ ଦଶଟଙ୍କାଟିଏ ପକାନ୍ତି । ଏଥର କୋଡ଼ିଏ ଟଙ୍କା ପକେଇ ଦେଇ ବିଜୟ ଗର୍ବରେ ମୋ ମୁହଁକୁ ଚାହିଁ ଗୋଟିଏ ହସ ଦେଲେ । ହମୀରଗଡ଼ରେ ଗୋଟିଏ ଲେଡ଼ିଜ୍ କ୍ଲବ୍ ଅଛି, ନାମ ତା’ର ରାଣୀ ପଦ୍ମିନୀ ଲେଡ଼ିଜ୍ କ୍ଲବ୍ । ଆମ ଇ.ଆଇ.ସି.ଙ୍କ ମ୍ୟାଡ଼ାମ୍ ଏଥିରେ ସଭାନେତ୍ରୀ । ବସ୍ତିରୁ କୋଡ଼ିଏଟି ପିଲାଙ୍କୁ ନେଇ ସେମାନେ ଚଳାନ୍ତି ଗୋଟିଏ ନର୍ସରୀ ସ୍କୁଲ୍ । ସେ ପିଲାଙ୍କର ବାପମାମାନେ ବହୁତ ଗରିବ । କିଏ ଝୋପଡ଼ିରେ ରହେ ତ, କିଏ ହ୍ୟୁମ୍ ପାଇପରେ ରହେ । ଆଉ କିଏ ଓଭରବ୍ରିଜ୍ କଲଭର୍ଟ ତଳେ ରହେ । ସେମାନଙ୍କ ପାଇଁ ଲେଡ଼ିଜ୍ କ୍ଲବ୍‌ର ମାଆମାନେ ପୁରୁଣା ଲୁଗାପଟା ଆଦି ମଝିରେ ମଝିରେ ଦେଇଥାନ୍ତି ।

ସରକାରଙ୍କ ତରଫ୍‌ରୁ ଦିଆଯାଏ ମଧ୍ୟାହ୍ନ ଭୋଜନ ଓ ପାଠ୍ୟପୁସ୍ତକ । କ୍ଲବ୍‌ର ମା’ମାନେ ଚାନ୍ଦା କରି ବର୍ଷକୁ ଥରେ ଦିଅନ୍ତି ପିଲାଙ୍କୁ ସାର୍ଟପ୍ୟାଣ୍ଟ୍ । ହମୀରଗଡ଼ ସରକାରଙ୍କର ଶିଶୁ କଲ୍ୟାଣ ବିଭାଗ ତରଫ୍‌ରୁ କିଛି ଅନୁଦାନ ମଧ୍ୟ ଆସେ ।

ଏ ବର୍ଷ ବିଶ୍ୱକର୍ମା ପୂଜାର ଚାରିଦିନ ପରେ ମ୍ୟାଡ଼ାମ୍ ମୋତେ ଡାକି କହିଲେ- “ଘରେ ଗୁଡ଼ାଏ ଛିଣ୍ଡାଫଟା ଲୁଗାପଟା, ପ୍ୟାଣ୍ଟ୍‌ସାର୍ଟ, ଟିଣଡ଼ବା, ପୁଅ ଝିଅ ନାତି ନାତୁଣୀଙ୍କର ପୁରୁଣା କଣ୍ଢେଇ, ଦର୍ପଣ, ପାନିଆଁ, ଫାଉଣ୍ଟେନ୍ ପେନ୍, ଡଟ୍ ପେନ୍, ପେନ୍ସିଲ୍, ସାବୁନ୍ ଖୋଳ, ପେନ୍ ହୋଲ୍ଡର୍, ଟେବୁଲ୍ ଲ୍ୟାମ୍ପ, ପ୍ଲାଷ୍ଟିକ୍ ମଗ୍, ପ୍ଲାଷ୍ଟିକ୍ ବାଲ୍ଟି, କଳା ଚଷମା, ପୁରୁଣା ଟୁଥ୍ ବ୍ରସ୍, ପାତିଆ, ଜୋତାବ୍ରସ୍, ପାଉଡ଼ର୍ ଡବା ଖୋଳ, କଣ୍ଟା ଚାମଚ, ଷ୍ଟେନଲେସ୍ ଥାଳି, ଥାଳିଆ, ଟର୍ଚ୍ଚ ଲାଇଟ୍, ଔଷଧ ଶିଶି, ଔଷଧ ଡବା ଆଦି ଜମା ହୋଇଯାଇଥିଲା । ମୁଁ ତାକୁ ଏକାଠି ଆଠଟି ଅଖାବସ୍ତାରେ ପ୍ୟାକ୍ କରିଦେଇଛି । ଏଗୁଡ଼ିକ ବସ୍ତି ବାସିନ୍ଦାମାନେ କିଣିନେବେ କମ୍ ଦାମ୍‌ରେ । ସେମାନେ ଏ ସବୁ ଜିନିଷ ବ୍ୟବହାର କରିପାରିବେ । ମୁଁ ଜାଣିଛି, ସେମାନେ ଏ ସବୁ କିଣନ୍ତି ସେକେଣ୍ଡହାଣ୍ଡ ମାର୍କେଟ୍‌ରୁ । ଆପଣ ଏ ସବୁକୁ ବିକ୍ରି କରିଦେଲେ ମୁଁ ଭାବୁଛି ଆଠ ହଜାର ଟଙ୍କା ମିଳିଯିବ । ଏତେ ଜିନିଷ ଫୋପାଡ଼ି ଦେବାକୁ ମନ ବଳୁନାହିଁ ମୋର । ଆପଣ ଆଜି ସବୁ ନେଇଯାଆନ୍ତୁ, ପରେ ଦେଇଯିବେ ପଇସା ।”

ଆମ ଡିଭିଜନ୍‌ର ମିନି ଟ୍ରକ୍‌ରେ ପକାଇ ମୁଁ ସବୁ ବସ୍ତା ନେଇ ଆସିଲି । ପାଞ୍ଚଦିନ ପରେ ମ୍ୟାଡ଼ାମ୍‌ଙ୍କୁ ଯାଇ ଦଶହଜାର ଟଙ୍କା ଦେଇଆସିଲି । କହିଲି, “ମ୍ୟାଡ଼ାମ୍ ସେ ବସ୍ତା ଭିତରେ କେତେ ଜିନିଷ ଏପରି ଥିଲା, ଯାହା ନୂଆ ଭଳି ଚକ୍‌ଚକ୍ କରୁଥିଲା । ବସ୍ତିବାଲା ସବୁ ବାଡ଼ିଆ ପିଟା ହୋଇ ନେଇଗଲେ । ଦଶହଜାର ଟଙ୍କା ପାଞ୍ଚ ଘଣ୍ଟାରେ ମିଳିଗଲା । ଏଇ ନିଅନ୍ତୁ ।”

ମ୍ୟାଡ଼ାମ୍‌ଙ୍କ ଖୁସି ଦେଖେ କିଏ ? ବସ୍ତି ଅଞ୍ଚଳର ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଲେଡ଼ିଜ୍ କ୍ଲବ୍ ହାତକୁ ନେଇଛି । ସେଥିରୁ ପ୍ରେସିଡ଼େଣ୍ଟ୍ ମ୍ୟାଡ଼ାମ୍‌ଙ୍କର ଏଭଳି ଉପୁରି । ଅମ୍ରିତ ଅନର୍ଗଳ କହି ଚାଲିଥିଲା ।

ମୁଁ ବାଧ୍ୟ ହୋଇ ପଚାରିଲି । “ଅମ୍ରିତ, ଏତେ ସବୁ ଜିନିଷ ସତରେ ପାଞ୍ଚ ଦିନରେ ତୁ ବିକ୍ରି କରିଦେଇ ପାରିଲୁ ?” ଅମ୍ରିତ ସାମାନ୍ୟ ହସି କହିଲା, “ସବୁ ବ୍ୟାଗ ନେଇ ସହର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପାଞ୍ଚ କିଲୋମିଟର ଦୂରରେ ଖୋଳା ହୋଇଥିବା ଗାତରେ ପକାଇ ଦେଇ ଘରକୁ ଫେରି ଆସିବାକୁ ମୋତେ ଲାଗିଥିଲା ଦୁଇଘଣ୍ଟା ସମୟ । ମ୍ୟାଡ଼ାମ୍‌ଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ମୁଁ ନେଇଥିଲି ଏଇ ପାଞ୍ଚ ଦିନ ସମୟ ।”

କିନ୍ତୁ ଏତିକିରେ କଥା ସରି ନ ଥିଲା ଅମ୍ରିତର । ଏହାର ଦୁଇଦିନ ପରେ ମ୍ୟାଡ଼ାମ୍ ମୋତେ ଡକାଇ କହିଲେ । “ଅମ୍ରିତ ବାବୁ ! ଗୋଟିଏ ବଡ଼ ଭୁଲ୍ ହୋଇଗଲା । ସେ ଅଳିଆ ଜିନିଷରେ ଦଶ ହଜାର ଟଙ୍କା ଗୋଟିଏ ଆଠବର୍ଷର ପୁରୁଣା ମାଇକ୍ରୋୱୋଭ୍ କୁକିଂରେଞ୍ଜ ରହି ଯାଇଥିଲା । ମୁଁ ବୋହୂକୁ ମନା କରିଥିଲି ସେଇଟା ଫୋପାଡ଼ିବାକୁ । ସେ ବୋଧେ ବୁଝିପାରିଲାନାହିଁ । ମରାମତି କରିଥିଲେ ଆଉ ତିନିହଜାର ଲାଗିଥାନ୍ତା । କିନ୍ତୁ ନୂଆ ହୋଇ ଯାଇଥାନ୍ତି । ଆଜିକାଲିର ପିଲାଏ କ’ଣ ବୁଝୁଛନ୍ତି ? ମରାମତି କିଛି ହେବ ନାହିଁ । ଯାହା କାମ ନ ହେଲେ ଫୋପଡ଼ା ହେବ, ନ ହେଲେ ବିକ୍ରୀ ହେବ । ନୂଆ କିଣା ହେବ । ଆପଣ ଯାହାକୁ ସେଇ ମାଇକ୍ରୋୱେଭ୍ ଦେଇଛନ୍ତି, ତାହାଠୁ ଆଉ ଦି’ହଜାର ଅତି କମ୍‌ରେ ଆଣନ୍ତୁ । ସେ କାହିଁକି ଏତେ ଶସ୍ତାରେ ସେଇଟା ନେଇଯିବ ?”

ମୁଁ କହିଲେ- “ମ୍ୟାଡ଼ାମ୍ ମାଙ୍କଡ଼ କ’ଣ ଜାଣିବ ଅଦାର ସୁଆଦ ! ମୁଁ ଯଦି ସେଇଟାକୁ ମାଇକ୍ରୋୱେଭ୍ ବୋଲି ଜାଣିପାରିଥାନ୍ତି, ତା’ର ଠିକ୍ ଦାମ୍‌ଟା ଆଣିଥାନ୍ତି । ଆପଣ ଚିନ୍ତା କରନ୍ତୁ ନାହିଁ । ଆଉ ଦି’ହଜାର ତା’ଠୁ ମୁଁ ଆଣିଦେବି । ସିଏ ନ ଦେଇ ଯିବ କୁଆଡ଼େ ।” ତହିଁ ଆରଦିନ ସକାଳୁ ସକାଳୁ ମୁଁ ମ୍ୟାଡ଼ାମ୍‌ଙ୍କୁ ଯାଇ ଦି’ହଜାର ଟଙ୍କା ଦେଇ ଆସିଲି ।

ମୁଁ ପଚାରିଲି- “ଅମ୍ରିତ ! ତୁ କ’ଣ ସେଇ ଆଠିଟି ବ୍ୟାଗ୍ ଖୋଲି ଦେଖିଲୁ ଆଉଥରେ ?” ଅମ୍ରିତ କହିଲେ- “ଭାଇ ଶୁଭେନ୍ଦୁ, ମୁଁ କ’ଣ ଏତେ ମୂର୍ଖ ! ଯେମିତି ଦଶ ହଜାର ଟଙ୍କା ଦିଆଯାଇଥିଲା, ସେମିତି ଆଉ ଦି’ହଜାର ଟଙ୍କା ଦିଆଗଲା । ମ୍ୟାଡ଼ାମ୍ ବାରହଜାର ଟଙ୍କା ପାଇ ସନ୍ତୁଷ୍ଟ । ମୁଁ ମ୍ୟାଡ଼ାମ୍‌ଙ୍କୁ ଖୁସି କରି ନିଜେ ଖୁସି ।”

ଏମିତିକି ଇ.ଆଇ.ସି. ଡାକି ମୋତେ ସାବାସି ଦେଲେ । କ’ଣ କହିଲେ ଜାଣୁ ? “ଅମ୍ରିତ, ତମେ କେଡ଼େ କାମଟାଏ ନ କଲ ସତେ !”

ମୋତେ ଲାଗିଲା, ମୁଁ ଯେପରି ସତେ ହମୀରଗଡ଼ ରାଜ୍ୟର ରାଜକୁମାର । ଏହାଠାରୁ ବଳି ଆଉ ମୋ ପାଇଁ ଖୁସିର କଥା କ’ଣ ହୋଇପାରିଥାନ୍ତା !

ଲୋକପ୍ରିୟ ଲେଖା

To Top