ଗଳ୍ପ

ଶୁଭ ନବବର୍ଷ

Er Bidyadhar Panda's odia story Shubha Nababarsha

“ତୁ ଯାହା କଲୁକଲୁ, ଏବେ ବାପାଙ୍କୁ ଯାଇ ସବୁସତ କହି ନିଜଦୋଷ ସ୍ୱୀକାର କରି ଦେ’ । ମୋ ସୁନାଝିଅ, ଯା’ ସତ ମାନିଯା, କହିଦେ ।

ଶୁଭ ନବବର୍ଷ

ନବବର୍ଷକୁ ବହୁତ ଲୋକଙ୍କ ଅପେକ୍ଷା । ଭୋଜିଭାତ ହେବ, ଡିଜେ ବାଜିବ, ବୋତଲ ଉଠିବ । ଡିସେମ୍ବର ମାସ ପଶୁପଶୁ ନବବର୍ଷର ଯୋଜନା ଶେଷ । ଅବଶ୍ୟ ନୂଆବର୍ଷକୁ ଅପେକ୍ଷାରତ ପାର୍ଟିପ୍ରିୟ ଲୋକମାନେ ଉପଭୋଗ କରିବା ଆରମ୍ଭ କରିଦେଲେଣି । ଏସବୁ ନୂଆବର୍ଷ ପାର୍ଟିସାଟିରେ ଧର୍ମପତ୍ନୀ ନରହିଲେ ଭଲ । ଉପଭୋଗର ମାତ୍ରା ଟିକିଏ ବଢିଯାଏ । ଆଗୁଆ ନବବର୍ଷ ଭୋଜି ଗୋଟିଏ ଦୃଷ୍ଟିରୁ ଭଲ ଯେ’ ଗହଳି କମ୍, ଜାଗାସବୁ ପରିଷ୍କାର ପରିଚ୍ଛନ୍ନ ଅଛି । ଆଉ ଦିନ କେଇଟା ଗଲେ ଭଙ୍ଗା ବୋତଲ କାଚ ଗୋଡ଼ରେ ପଶି ରକ୍ତ ବାହାରିପାରେ, ଚାରିଆଡେ ପ୍ଲାଷ୍ଟିକ୍‌ ସୋଲ ଖଲି, ଅଇଁଠା ବଳକା ଷଢାଖାଦ୍ୟ ପଦାର୍ଥର ନମୁନା ଦେଖିବାକୁ ମିଳିବ ।

ଏବର୍ଷ ସାବତ୍‌ ବାବୁ ଓ ଦୂର୍ଗାଦେବୀ ନିଜଘର ସଜାସଜିରେ ବହୁତ ବ୍ୟସ୍ତ । କମ୍ପାନୀ କର୍ମଚାରୀମାନଙ୍କ ପାଇଁ ପରେ ସମୟ ଦେଇହେବନି । ପୁଅ ଆସିବ ଝିଅ ଦେଖିବାକୁ । ସବୁ ଭାର ଚମ୍ପା ଓ ଚଇଁଆ ଉପରେ । ଘରର ଏକଲୌତି ଚାକରାଣୀ ଚମ୍ପା ଭାବେ ଭଗବାନ ବଡ଼ ଦୟାଳୁ । ଆମସାହିର ସମସ୍ତେ ସକାଳ ସାତଟାରୁ ମୂଲପାତି ଲାଗିବାକୁ ଯାଇ ସନ୍ଧ୍ୟା ସାତଟାକୁ ଫେରୁଛନ୍ତି । ଦିନଟି ଯାକର ଅକ୍ଲାନ୍ତ ପରିଶ୍ରମ ବଦଳରେ ତାଙ୍କୁ ମିଳୁଛି ମାତ୍ର ଦୁଇଶହ ଟଙ୍କା । କିନ୍ତୁ ମୁଁ ଶୀତତାପ ନିୟନ୍ତ୍ରୀତ ଥଣ୍ଡାଘର ଚଟ୍ଟାଣ ଓଳେଇ, ବାସନ କେଇଟା ଘସି, ୱାସିଂ ମେସିନ୍‌ରେ ଅଳ୍ପ ଲୁଗାପଟା ସଫା କରି ଶୁଖାଇବା ପାଇଁ ପାଉଛି ମାସକୁ ସାତ ହଜାର ଟଙ୍କା । ବାହାର କାମ ଚଇଁଆର । ରୋଷେଇ ପାଇଁ ଖାନସମା ରାଧୁଆ ଅଛି । ବୁଢାବୁଢୀ ଦି’ଟାଙ୍କର କାମ ବା କେତେ । ଛୁଆ ଦୁଇଟା ତ ବାହାରେ । ମୋ କାମ ଭିଡ଼ ନୁହେଁ, କିନ୍ତୁ ଅନ୍ୟମାନଙ୍କୁ ଦେଖିଲେ ଲାଗେ ଭଗବାନ ମୋତେ ରକ୍ଷା କରିଛନ୍ତି । ସବୁଦିନେ ଚମ୍ପା ସାବତ୍‌ବାବୁଙ୍କର ଫାଟକ ଡେଇଁ ଅଗଣା ଭିତରେ ପଶିଲା ବେଳେ ବାଁ ଫାଟକ ଖମ୍ବଟିକୁ ମୁଣ୍ଡିଆ ମାରି କହେ, “ହେ! ମଙ୍ଗଳା ମାଆ । ମୋତେ ଏଇ ବାବୁଘରେ ବୁଢୀ କରି ଦେ । ମୋ ପିଲାଝିଲା ପାରିବା ଯାଏ ଯେମିତି ବାବୁଘର କାମ କରି ଏମିତିି ଭଲରେ ଚଳୁଥାଏ । ମୋ ବୁଢାବାପାର ଔଷଧ କିଣାକୁ କେବେ ବି ପଇସା ନିଅଣ୍ଟ ନହୁଏ । ମୋର ତୋ ପାଖରେ ଖାଲି ଏତିକି ଗୁହାରି” ।

– “ଚମ୍ପା! ସେଠି ମୁଣ୍ଡିଆ ମାରି କ’ଣ ମନାସିଲୁ କିଲୋ?” – “ତୋତେ କାହିଁକି କହିବି?” – “ହଉ ହଉ, ଆମର ବାହାଘର କେବେ ହେବ କହିଲୁ?”- “ଖରାଦିନ ଯାଉ । ତୁ ଜାଣିଛୁ ମୋ’ ବାପା ବୋଉ ଘଡଘଡିରେ ମରିଗଲା ଦିନରୁ ବୁଢାବାପା ମୋତେ ପାଳି ଏତେ ବଡ କରିଛି । ଏବେ ସିଏ ବର୍ଷେହେବ ବିଛଣା ଛାଡୁନି । ତୋତେ ବାହା ହୋଇ ମୁଁ ତୁମ ଘରକୁ ଗଲେ ବୁଢାକୁ କିଏ ଦେଖିବ କହିଲୁ? ମୋର ଦିନରାତି ଖାଲି ତା’ରି ଚିନ୍ତା ।” – “ସେ ବୁଢା ଜାତକ କାଲି ନେଇକି ଆସିବୁ, ମୋତେ ନାହାକକୁ ଶୀଘ୍ର ଦେଖାଇବାକୁ ହେବ ।” – “କ’ଣ ପାଇଁ?” – “ଖଡି ପକେଇ ନାହାକ ପାଖରୁ ବୁଝିବି, ବୁଢା କେବେ ମରିବ?” – “ସେମିତି ହେଲେ ମୁଁ ତୋତେ ବାହା ହେବାର ନାହିଁ । ମୋ’ ବୁଢାବାପା ମରିବାକୁ ଯଦି ଚାହୁଁଛୁ ଅନ୍ୟଝିଅ ଦେଖ । ମୋତେ ଭୁଲି ଯା’ ।” – “ଭୁଲ୍ ହୋଇଗଲା ଚମ୍ପା । ତୋ ଚଇଁଆ କଥାକୁ ଖରାପ ଭାବୁଛୁ? ତୋର ମୋର ଜନ୍ମଜନ୍ମର ସାଥୀ । ମୋ ମାଆର ଆଖିକୁ ଆଉ ଦିଶୁନି । ମୁଁ ତୁମ ଘରେ ରହିଲେ, ମୋ ମାଆର କ’ଣ ହେବ?” – “ଚାରିଜଣ ଏକାଠି ରହିବା । “

-“ଏଇ କଥାଟା ଠିକ୍ କହିଲୁ । କିନ୍ତୁ ଛୁଆପିଲା ତୁ ଆମ ଗାଁରେ ଆମଘରେ ଜନ୍ମ କରିବୁ । ବୁଝିଲୁ?” -“ ଆଗ ବାହାଘର ସରୁ । ବାହାଘର ପାଇଁ କେତେ ପଇସା ରଖିଛୁ? – “ମୋ ପାଖରେ କିଛି ନାହିଁ, ସାଇ ଭାଇଙ୍କ ଭୋଜିଭାତ ଲୁଗା ପଟାରେ ଦଶବାର ହଜାରେ ଲାଗିବ” । – “ଚଇଁଆ! ସକାଳୁସକାଳୁ ଗପ କରିବାକୁ ଦୁଇଜଣ ଯାକ ବସିଗଲ । ତୁମକୁ ଆଉ ପାରି ହେବନାହିଁ । କେତେ ଗୋଡେଗୋଡେ ଜଗି ଜଗି କାମ ବତେଇବ ! କ’ଣ ପାଇଁ ଦଶ ବାର ହଜାର ଲାଗିବ?” । – “ମାଆ ମୋ’ ନିଜ ବାହାଘର ପାଇଁ ।” – “ଝିଅ ଠିକ୍ କରି ସାରିଛୁ?” – “ହଁ ମା’ । ତୁମେ ତାକୁ ଚିହ୍ନିଛ । ମୁଁ ଯାଏ ଗାଈ ବାନ୍ଧିକି ଆସେ ।” – “ମୋର ବି ବହୁତ କାମ ବାକି ଅଛି ।” ଏମିତି କୁହାକୁହି ହୋଇ ଚମ୍ପା ଚଇଁଆ ଦୁଇ ଦିଗରେ ଦୁହେଁ ସେଠାରୁ ଚାଲିଗଲେ ।

ସାବତ୍‌ବାବୁ ଏଥର ନୂଆବର୍ଷ ପର୍ବଟିକୁ ବହୁତ ଧୁମ୍‌ଧାମ୍‌ରେ ପରିବାର ସହ ନିଜଘରେ ପାଳିବେ ବୋଲି ମନସ୍ଥ କରିଛନ୍ତି । ବଡପୁଅ ରକି ଆମେରିକାରୁ ପଢାଶେଷ କରି ଏ’ବର୍ଷ ଫେରୁଛି । ଦୂର୍ଗାଦେବୀଙ୍କର ସାଙ୍ଗ ବିଦୁସ୍ମିତା ବିଜେବି ମହାବିଦ୍ୟାଳୟର ଅଧ୍ୟକ୍ଷା । ତା’ଙ୍କ ଝିଅ ରଶ୍ମି ଆର୍କିଟେକ୍ଚରାଲ୍ ଇଂଜିନିୟରିଂ ବିଭାଗରେ ଦୁଇବର୍ଷ ତଳେ ଦାଖଲା ନେଇଛି । ଝିଅଟି ଗୋଟିଏ ଚାଉଳରେ ଗଢା । ସବୁବେଳେ ବଢିଆ ବଢିଆ ଡ୍ରେସ୍ ପିନ୍ଧି ବହୁତ ସୁନ୍ଦର ଦିଶୁଛି । ଡ୍ରେସ୍ ସେନ୍ସ୍ ବହୁତ ଭଲ । ଦୁଇ ଭ୍ରୁଲତାକୁ ଆଇବ୍ରୋ ଟଚ୍ ଦେଇ ଠିକ୍ ମଝିରେ ଆଇଟେକ୍ କମ୍ପାନୀର ବିନ୍ଦି ଲଗାଏ । ଓଠରେ ହାଲ୍କା ଲିପ୍‌ସ୍ଟିକ୍ ସାଙ୍ଗକୁ ଆଖିତଳ ଟିଅର୍ ଲାଇନିରେ ଦୁଇଟି କଜ୍ୱଳଗାର ତାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରାଏ । ଅଂଟାତଳକୁ ଲମ୍ବିଥିବା କଳା ମଚମଚ ବାଳକୁ ଦେଖି ସେଦିନ ଦୂର୍ଗାଦେବୀ ସାବତ୍‌ବାବୁଙ୍କୁ ନିଜଘର ବୋହୁକଲେ ଭଲ ହୁଅନ୍ତା ବୋଲି କହିଥିଲେ । ସାଙ୍ଗେସାଙ୍ଗେ ସାବତ୍‌ବାବୁ ତା ବାପା ରତିକାନ୍ତଙ୍କୁ ପଚାରି ବୁଝିଥିଲେ ଯେ ସେମାନେ ବି ଏ ପ୍ରସ୍ତାବରେ ବହୁତ ଖୁସି ବୋଲି ପରେ ଜଣାଇଲେ । ତାପରେ ସାବତ୍‌ବାବୁ ତା’କୁ ଦିନେ ମେ’ଫେୟାର୍ ହୋଟେଲ୍‌ରେ ଦେଖି ରକି ତା ଫଟୋ ଦେଖି ତାକୁ ପସନ୍ଦ କରିଛି ବୋଲି ନିଜେ ସେ ଝିଅ ରଶ୍ମିକୁ ଜଣାଇଲେ । ସେଦିନ ରଶ୍ମିକୁ ମିଳିଗଲା ରକିର ମୋବାଇଲ୍ ନମ୍ବର । ତାପରେ ଚାଲିଲା ଫୋନ୍‌ରେ ଅସରନ୍ତି ପ୍ରେମକଥା । ବିଦେଶର ଜଳବାୟୁ, ମୌସୁମିରୁ ଆରମ୍ଭ ହୋଇ ଫୁଲବଗିଚା ଓ ପାହାନ୍ତିଆ ଏକାନ୍ତ ପହରରେ କମ୍ବଳ ଭିତରେ ଏକାଏକା ନିଦ ଭାଙ୍ଗିଯିବା ବେଳ ହୃଦୟ ବିଦାରକ କାହାଣୀ ଏବଂ ବିରହ ବେଦନାର ଅେଙ୍ଗନିଭା ମନ ଭିତର କଥା ।

ଏଇ ନବବର୍ଷ ପାଇଁ ରକି ପନ୍ଦରଦିନ ପରେ ଆସିବ । ରଶ୍ମିକୁ ତା’ଙ୍କ ଘରକୁ ନିମନ୍ତ୍ରଣ ଦେଇ ଦୁହିଁଙ୍କର ଦୋସ୍ତି ବଢାଇବେ ବୋଲି ସାବତ୍‌ବାବୁ ଠିକ୍ କରିଛନ୍ତି । ବୋହୂ ହେବାକୁ ଯାଉଥିବା ଝିଅଟି ଯେତେବେଳେ ପ୍ରଥମଥର ପାଇଁ ଘରକୁ ଆସିବ ଘରରଙ୍ଗ, ସାଫ୍‌ସଫେଇ ଉପରେ ବିଶେଷ ଧ୍ୟାନଦେବା ସ୍ୱଭାବିକ୍ । ବାହାର ସବୁ ବ୍ୟବସ୍ଥିତ ହୋଇଗଲା । କେବଳ ଭିତରକାମ ବାକି । ନୂଆବର୍ଷ ଆଉ ଦଶଦିନ ଅଛି । ରକି ତା’ ଆମେରିକା ଗୋରାସାଙ୍ଗ କିଥ୍‌କୁ ନେଇ ତାଙ୍କ ଘରେ ପହଁଚିଗଲା । ଦୁଇଜଣଯାକ ବଡଦିନ ଓ ନବବର୍ଷ ଏଥର ଭାରତରେ ମନାଇବେ ବୋଲି କଥା ହୋଇଛନ୍ତି । ଅବଶ୍ୟ ଶୋଇବାଘର ପାଞ୍ଚଟାକୁ ଲୋକ ଚାରିଜଣ । ସାବତ୍‌ବାବୁ, ଦୂର୍ଗାଦେବୀ, ପୁଅ ରକି ଓ ସାନଝିଅ ସୁଲଗ୍ନା । ଏବେ ଅସ୍ଥାୟୀରୂପେ ଘରେ ଜଣେ ଅଧିକ ହେଲେ ରକିର ସାଙ୍ଗ କିଥ୍ । କିଥ୍ ଆସିଲା ବେଳେ ଏୟାରପୋର୍ଟରୁ ଦୁଇଶହ ଡଲାର୍ ଏକ୍ସଚେଞ୍ଜ କରି ବାରହଜାର ଟଙ୍କା ପକେଟରେ ନେଇ ଆସିଥିଲା । ଅବଶ୍ୟ ରକି କୌଣସି ଜାଗାରେ ତାକୁ ଖର୍ଚ୍ଚ କରିବା ସୁଯୋଗ ଦେଉନି । ତଥାପି ପାଖରେ କିଛି ନରଖିଲେ କିଥ୍‌କୁ ଭଲ ଲାଗେନା । ସେ ପଇସା ତାର ମନିପର୍ସରେ ଆଣିବା ଦିନରୁ ସେମିତି ପଡିଛି । ଦୁଇହଜାର ଟଙ୍କିଆ ଛଅଟି ନୋଟ । କେତେ କି !

ଘର ସଫାସଫି ଚାଲିଛି । ଚଇଁଆ, ଚମ୍ପା ପୂରାଦମ୍‌ରେ ଲାଗି ପଡିଛନ୍ତି । ବେଳେବେଳେ ରୋଷଶାଳାରୁ ଫୁରୁସତ ମିଳିଲେ ରାଧୁଆ ବି ଆସି ତାଙ୍କ ସାଙ୍ଗରେ ଲାଗି ଯାଉଛି । ଚଇଁଆର ବାବୁଘରେ ହେଲାଣି ବାର ବର୍ଷ । ଛୁଆଟି ଦିନରୁ ଅଛି । ଖାନସାମାର ସାତ ବର୍ଷ । ସବାପଛରେ ଚମ୍ପା ଗତ ଦୁଇବର୍ଷ ହେଲା ନୂଆରେ ଆସିଛି । ସାବତ୍‌ବାବୁ ଓ ଦୂର୍ଗାଦେବୀ କେବଳ ଘର ବଦଳଉ ନାହାନ୍ତି । ବାକି ରକି କିଥ୍ ଓ ସୁଲଗ୍ନା ପ୍ରାୟ ସବୁଦିନ ରାତିରେ ଶୋଇବା ପାଇଁ ଏଘର ସେଘର ହେଉଛନ୍ତି । କେତେବେଳେ ସୁଲଗ୍ନାର ଡ୍ରେସ୍ ରକିଖଟ ବାଡାରେ ତ ଆଉ କେତେବେଳେ ରକି କିମ୍ବା କିଥ୍‌ର ପ୍ୟାଣ୍ଟ ସାର୍ଟ ସୁଲଗ୍ନା ଶୋଇଥିବା ଖଟବାଡାରେ ରାତିରେ ରହିଯାଏ । ନୂଆବର୍ଷ ଆଉ ଦୁଇଦିନ ବାକି ଅଛି । କାଲି ଚଇଁଆ ଓ ଚମ୍ପା ଭାବିଛନ୍ତି ଘରସଫା କାମକୁ ମୁଣ୍ଡିମାରି ଦୁଇଦିନ ଛୁଟିନେବେ । ବହୁତ ପରିଶ୍ରମ କଲେଣି । ବାବୁ ବି ରାଜି ହୋଇଛନ୍ତି । ହଜାରେ ଟଙ୍କା ଲେଖାଏଁ ବକ୍ସିସ୍ ସହ ଦୁଇଦିନ ଛୁଟି ଉଭୟଙ୍କୁ ମିଳିବ । ଚମ୍ପା ଓ ଚଇଁଆ ବହୁତ ଖୁସି । ରାତି ପାହିଲେ ଡିସେମ୍ବର ଚବିଶ । ଆମର ବକ୍ସିସ୍ ଟଙ୍କା ହାତ ଚଢିବ । ଏ’ବର୍ଷ ବହୁତ ମସ୍ତି ହେବ । ଚମ୍ପା ଓ ଚଇଁଆ ଖୁସିରେ ପୂରା ଗଦ୍‌ଗଦ୍ ।

ରାତିରେ କିଥ୍ ମନିପର୍ସ ଚେକ୍ କରି ଦେଖିଲା ଟଙ୍କା ନାହିଁ । ପୂରା ବାରହଜାର ଟଙ୍କା ଉଭାନ । “କିଏ ଚୋରିକଲା?” ବୋଲି ଭାବିଭାବି ରକିକୁ କହିବାରୁ ସେ ଏ’କଥା ଯାଇ ତା’ର ବାପା ମାଆଙ୍କୁ ଜଣେଇଲା । ମା’ ଦୂର୍ଗାଦେବି ତୁରନ୍ତ କହିଲେ, “ଚମ୍ପା ଓ ଚଇଁଆ ଦଶ ବାରହଜାର ଟଙ୍କା ବିଷୟରେ କଥା ହେବାର ମୁଁ ଶୁଣିଛି ।” ସାବତ୍‌ବାବୁ ରାଗରେ ନିଆଁ । ରାତି ଏଗାରଟା ବାଜିଲାଣି । ମନେମନେ ଭାବିଲେ, “ଏବେ ସେମାନଙ୍କୁ ଡାକି ପଚାରିବା ଠିକ୍ ହେବନି । ଛୋଟଲୋକଙ୍କର ସାହସ ଦେଖ ! ଆମେରିକାର ଗୋଟାଏ ଛୁଆ ଆଗରେ ଆମଘର ଇଜତ ତ ଯାହା ନେଲେ ନେଲେ, ପୂରା ଭାରତ ଦେଶର ନାକ କାଟିଦେଲେ । ବିଦେଶି ଛୁଆଟା ମନେ ମନେ କ’ଣ ଯେ ଭାବୁଥିବ! କାଲି ଆସନ୍ତୁ ସେମାନେ । ନୂଆବର୍ଷ ପର୍ବଟାକୁ ପୂରା ପାଣିଚିଆ କରିଦେଲେ ।” ରକି ମନେମନେ ବହୁତ ଦୁଃଖ କରୁଥାଏ ।

ସକାଳୁସକାଳୁ ଆଜି ଦୁହିଁଙ୍କୁ ଦୁହେଁ ସଅଳ ଆସିଛନ୍ତି । ଚଇଁଆ କହୁଛି ଶୀଘ୍ର ତୋ କାମ ସରିଲେ ଆଗ ଆମଘରକୁ ଯିବା । ମୋ ମାଆ ସାଙ୍ଗରେ ଭାତଖାଇ ତୋ ଘରକୁ ଯିବା । ମୁଁ କଅଁଳିଆ ସଜନା ସାଗ ମାଆକୁ ଭାତପକେଇ କଡ଼ାଭଜା କରିବାକୁ କହିଦେଇ ଆସିଛି । ସାବତ୍‌ବାବୁ ଓ ଦୂର୍ଗାଦେବୀ ଦୁଇଜଣଙ୍କୁ ଅନେଇଁ ବସିଛନ୍ତି । ଗୋଟିଏ ଘରଭିତରକୁ ଦୁହିଁଙ୍କୁ ଡାକି ଭିତର ପଟୁ କବାଟର ଉପର ଜଞ୍ଜିର କୁଣ୍ଡି ଲଗେଇଲେ । ସାବତ୍‌ବାବୁ ତାଙ୍କର ଅଣ୍ଟାରୁ ଚମଡା ବେଲ୍ଟ ବାହାର କରି ପ୍ରଥମେ ଚଇଁଆକୁ କଷି ଦେଇଗଲେ । ଚଇଁଆ କହିଲା, “ବାବୁ! ଆପଣ ଶେଷରେ ମୋତେ ଅବିଶ୍ୱାସ କଲେ । ମନେ ପକାନ୍ତୁ ତିନିବର୍ଷ ତଳର କଥା । ମାଆ ସାଆନ୍ତାଣୀଙ୍କ ବେକର ହାର ଛିଣ୍ଡି ଗୋଲାପମୂଳରେ ପୋତି ହୋଇ ଯାଇଥିଲା । ସବୁଆଡେ ଖୋଜି ଖୋଜି ନିରାଶ ହୋଇଥିଲ । ପନ୍ଦରଦିନ ପରେ ଦାଇଲିରେ ମାଟି ଖୁସେଇଲା ବେଳେ ମୁଁ ପାଇ ତୁମରି ହାତରେ ଫେରେଇଥିଲି । ଆଉଦିନେ ତୁମ ପ୍ୟାଣ୍ଟକଡ ପକେଟରୁ ହଜାରେ ଟଙ୍କିଆ ବଣ୍ଡିଲି ଗ୍ୟାରେଜଘର ଜିପ୍ ଚକାତଳୁ ପାଇ କିଏ ତୁମକୁ ଦେଇଥିଲା? ବାବୁ ! ବାର ବର୍ଷ ପରା ଗୋଟାଏ ଯୁଗ । ଗୋଟାଏ ଯୁଗ ତୁମଘରେ କାମକଲା ପରେ ବି ଏ ସାମାନ୍ୟ ଚାକର ଚଇଁଆକୁ ତୁମେ ଚିହ୍ନି ପାରିଲନି ! ତାକୁ ଆଜି ମାତ୍ର ବାରହଜାର ଟଙ୍କା ପାଇଁ .. । ଛି ବାବୁ । ମୋତେ ମାରିଦିଅ ପଛେ ଅବିଶ୍ୱାସ କରନି କି ଚୋର କୁହନି । ଅତ୍ମାକୁ ବାଧୁଛି । ନିଜକୁ ଧିକ୍କାର କରିବାକୁ ଇଚ୍ଛା ହେଉଛି । ମୁଁ ମଲା ଯାଏ ମାର ବାବୁ, ମୋତେ ଚାବୁକ ମାର । ମୁଁ ତୁମରି ନମକ ଖାଇ ନମକ ହାରାମ କାମ ଯଦି କରିଛି, ମୁଁ ତୁମରି ହାତରେ ମରିଯିବା ଦରକାର ।” ତୁ ନ ହେଲେ ଚମ୍ପା । ତୁମ ଦିଜଣ ଛଡ଼ା ଆଉ କିଏ ନେବ ? ଚଇଁଆକୁ ଛାଡ଼ି ଚମ୍ପା ଆଡକୁ ବାବୁ ମାଡିଆସିଲେ । ଚଇଁଆ ମାଡଦେଖି ଚମ୍ପାଆଖିରୁ ଝରଝର ଲୁହ ବୋହୁଥାଏ । କେହି କିଛି ବୁଝି ପାରୁ ନଥାନ୍ତି । ଟିକିଏ ପରେ ଚମ୍ପା ଉପରେ ବି ସେମିତି ଚାବୁକ୍ ବସିଲା । ଗୋଡ, ହାତ ଓ ପିଠି ନୋଳା ଫଟେଇ ପଚାରିଲେ, -“କୋଉଠି ରଖିଛ କୁହ?” – “କ’ଣ ବାବୁ? ଆମେ କିଛି ଜାଣିନୁ ।” – “ସେ କିଥ୍ ବାବୁଙ୍କର ପ୍ୟାଣ୍ଟ୍‌ ପକେଟ ମନିପର୍ସରୁ ବାରହଜାର ଟଙ୍କା କ’ଣ ଉଭେଇଗଲା ? ତୁମ ଛଡ଼ା ଆଉ କେହି ନୁହଁ ।” – “ଭଲରେ ଭଲରେ ମାନି ଯା’ । ପଇସା ଫେରେଇ ଦିଅ । ନହେଲେ ପୋଲିସ୍ ହାଜତରେ ଏମିତି କୁଟିବ ବାପାକୁ ମଉସା ଡାକିବ ।” – “ବାବୁ! ଆମେ ନେଇନୁ । ବାବୁ ମଙ୍ଗଳା ମା ରାଣ ଖାଇ କହୁଛୁ । ଆମ ଆଖି ଫୁଟିଯିବ । ଆମେ ଦେଖିନୁ କି ନେଇନୁ ।”

ଶେଷରେ ସାବତ୍‌ବାବୁ ନିରୁପାୟ ହୋଇ ଦୁଇଜଣଙ୍କୁ ସେ ଘର ଭିତରେ ରଖି ବାହାର ପଟୁ କବାଟ କିଳିଦେଲେ । ଦିପହରରେ ଝିଅ ସୁଲଗ୍ନାର ବୟଫ୍ରେଣ୍ଡ୍ ଅବନୀ ଆସି ଡ୍ରଇଁ ରୁମ୍‌ରେ ତା’ସହ କିଛି ଗୋପନ କଥା ହେଉଥିଲା । ରକି ଓ କିଥ୍ ବଜାର ଯାଇଥାନ୍ତି । ସାବତ୍‌ବାବୁ ଓ ଦୂର୍ଗାଦେବୀ କୋଣ ଶୋଇବାଘର ଭିତରେ ଥିବାର ଜାଣି ଦୁଇଜଣ କିଛି ଅନ୍ତରଙ୍ଗ ଖୋଲାଖୋଲି କଥା ହେବାକୁ ଲାଗିଲେ । କାହିଁକି କେଜାଣି ଦୂର୍ଗାଦେବୀ ସାବତ୍‌ବାବୁଙ୍କ ପାଖରୁ ଉଠିଆସି ଛପିଛପି ବାହାର ଝରକା ପାଖରେ ସେମାନଙ୍କ କଥା ଶୁଣିବାକୁ ଲାଗିଲେ । ଅବନୀ ସୁଲଗ୍ନାକୁ ପଚାରିଲା, – “କେହି କିଛି ଜାଣି ପାରିଲେନି ତ!” – “ନା, ନା । ବାପା ଚମ୍ପା ଓ ଚଇଁଆକୁ ସନ୍ଦେହ କରି ମାରଧର କରିଛନ୍ତି । ମୋ ଉପରେ କାହାର କାଣିଚାଏ ବି ସନ୍ଦେହ ନାହିଁ ।” – “ବଢିଆ । ତେବେ ମୁଁ ଆସୁଛି । ତୁମେ ଧରା ପଡିଯାଇଥିଲେ ମୋତେ ବହୁତ ଖରାପ ଲାଗିଥାନ୍ତା । ବାୟ୍ ବାୟ୍ ।”

ଏସବୁ କଥା ଦୂର୍ଗାଦେବୀ ଝରକା ପରଦା ପଛରେ ଥାଇ ଶୁଣିଦେଲେ । ଅବନୀ ଚାଲିଗଲା ପରେ ଘରଭିତରକୁ ପଶି ଝିଅକୁ କହିଲେ, – “ସୁଲଗ୍ନା ! ତୁ ଆମ ବିଶ୍ୱାସରେ କାହିଁକି ବିଷ ଦେଲୁ ? ଅଯଥାରେ ବିଚରା ଚମ୍ପା ଓ ଚଇଁଆ କେତେ ମାଡ ଖାଇଲେ ! କାହିଁକି ଏମିତି କଲୁ?” – “ମା! ତୁମେ ଛପିଛପି ଆମକଥା ଶୁଣିବା କ’ଣ ଠିକ୍ ।” – “ନ’ ଶୁଣିଥିଲେ ବହୁତ ବଡ ପାପ ହେବାକୁ ଯାଉଥିଲା । ଭଗବାନ୍ ବଡଲୋକ । ମୋତେ ତୋ’ କଥା ଶୁଣେଇ ଦେଲେ ।” – “ଅବନୀର ବହୁତ ଦରକାର ଥିଲା । ସିଏ ସବୁଜାଗାରୁ ନିରାଶ ହୋଇ ଫେରି ଆସିଥିଲା । ସେଥିପାଇଁ ମୁଁ ତାକୁ ସାହାଯ୍ୟ କଲି ।” – “ଚୋରି ନକରି, ତୁ ମୋତେ ବି ତ ଏକଥା କହି ପାରିଥାନ୍ତୁ!” -“ଅବନୀ ପାଇଁ ଟଙ୍କା ମାଗିବାକୁ ମୋତେ ଟିକେ ଖରାପ ଲାଗିଲା ।” – “ମୋ ମୁଣ୍ଡ କିଛି କାମ କରୁନି । କାହାକୁ ଏବେ କ’ଣ କହିବି ମୁଁ କିଛି ଜାଣି ପାରୁନି!” ଦୂର୍ଗାଦେବୀ ସେଠାରୁ ତୁରନ୍ତ ଆସି ପ୍ରଥମେ ଚମ୍ପା ଓ ଚଇଁକୁ ଘରୁ ମୁକ୍ତ କଲେ । ଦୁଇଜଣ ନିଜର ଦୁଃର୍ଭାଗ୍ୟ କଥା ଭାବିଭାବି ଘରକୁ ଫେରୁଥାନ୍ତି । ପଛପଟ ଫାଟକ ଦେଇ ବାହାରିଲା ବେଳକୁ ଦେଖିଲେ ବାରଣ୍ଡାରେ ଏକାଏକା କିଥ୍ ଛିଡା ହୋଇଛନ୍ତି । ଦୁଇଜଣ ଝପଟି ଯାଇ କିଥ୍ ଗୋଡତଳେ ଲମ୍ବଲମ୍ବ ପଡିଗଲେ । କିଥ୍‌ର ଭାଷା ଦୁହିଁଙ୍କୁ ଜଣା ନାହିଁ । ଆଖିରୁ ଲୁହ ବୁହାଇବୁହାଇ ଚଇଁଆ ଖାଲି କହୁଥାଏ, “ତୁମ ମନି ନୋ ନୋ ନେଇନୁ” । ଚମ୍ପା ବି ସେମିତି କାନ୍ଦିକାନ୍ଦି ଅଭିନୟ କରି କହୁଥାଏ, “ ପ୍ୟାଣ୍ଟ୍‌ମନି ଦେଖିନୁ । ପକେଟ୍ ଛୁଇଁନୁ । ଆମକୁ ବଂଚାଅ, ବାବୁ ମାରିଦେବେ । ମୁଁ ବାବୁଘର ଚାକିରି ଯେତେ ଭଲ ଭାବୁଥିଲି ସେତେ ଭଲ ନୁହେଁ । ସବୁ ଗରିବ କ’ଣ ଚୋର ! ଗରିବଙ୍କ ବିଷୟରେ ଧନୀ ଲୋକମାନଙ୍କର କ’ଣ ଏଇ ମାନସିକତା ? ପଚରା ଉଚରା କିଛି ନାହିଁ, ସିଧା ମାଡ଼ ! ଭଗବାନ ତୁ ଅଛୁ । ବୁଝୁ । ହେ ଠାକୁର ! ଓପାସରେ ରଖ ଚଳିବ, କିନ୍ତୁ ଏତେବଡ ତୋର ଧନୀ ଦୁନିଆରେ ସମ୍ମାନର ସହ ଟିକିଏ ଶାନ୍ତିରେ ଆମକୁ ବଂଚିବାକୁ ଦେ । ଗରିବ ଘରେ ଜନ୍ମ ଦେଇ ଆମ ଭାଗ୍ୟରେ ଏମିତି ଦଶା ଲେଖିବାକୁ ତୋ କେମିତି ଗଲା? ଜୀବନରେ ମାରି ଦେ, କିନ୍ତୁ ଏପରି ଦଣ୍ଡ ଦିଅ ନାହିଁ ପ୍ରଭୁ ।”

ସୁଲଗ୍ନା କିଥ୍ ପର୍ସରୁ ଟଙ୍କା ଚୋରି କରି ଅବନୀକୁ ଦେବା କଥା କେବଳ ମାଆ ଝିଅ ଛଡା କେହି ଜାଣନ୍ତିନି । ସନ୍ଧ୍ୟା ପାଞ୍ଚଟା । ସମସ୍ତେ ଡାଇନିଂ ଟେବୁଲ୍ ଚାରିପଟେ ସ୍ନାକ୍ସ ଖାଇବାକୁ ବସିଲେ । ଖାନସମା ବ୍ରେଡ୍ ଜାମ୍, ବିସ୍କିଟ୍ ଏବଂ ଗରମ ଗରମ ଚା’ବଉଲ୍ ଆଣି ରଖିଲା । କିଛି ସମୟ ପରେ ନିରବତା ଭଙ୍ଗ କରି କିଥ୍ କହିଲା, – “ଆଇ ବେଗ୍ ୟୋର୍ ପାର୍ଡନ୍ । ଆଇ ଗଟ୍ ମାଇଁ ଲଷ୍ଟ୍ ମନି ଇନ୍ ମାଇଁ ଜ୍ୟାକେଟ୍ ପକେଟ୍ । ଆଇ ଫିଲ୍ ସୋ ସରି ଟୁ ପୁଟ୍ ୟୁ ଅଲ୍ ଇନ୍ ସଚ୍ ଆନ୍ ଏମ୍ବରାସିଂ ସିଚୁଏସନ୍ । ପ୍ଲିଜ୍ ଏକ୍ସିକୁଜ୍ ମି, ଫର୍ ଗଡ୍ ସେକ୍ ପ୍ଲିଜ୍ ଏକ୍ସକ୍ୟୁଜ୍‌ ।” ଦୂର୍ଗାଦେବୀ ଆଶ୍ଚର୍ଯ୍ୟ । ସିଏ ତ ପ୍ରକୃତ କଥା ଜାଣନ୍ତି ଯେ ସୁଲଗ୍ନା ଚୋରିକରି ଅବନୀକୁ ସେ ଟଙ୍କାତକ ଦେଇଛି । ତେଣୁ ଆଉଥରେ କିଥ୍କୁ ପଚାରିଲେ, – “ଆର୍ ୟୁ ସିଓର୍?” -“ୟେସ୍ ୟେସ୍ ।” – “ଓକେ । ନାଓଁ ଉଇ ଗଟ୍ ରିଲିଫ୍ । ଥ୍ୟାଙ୍କସ୍ ଗଡ୍” – ବୋଲି କହି ସାବତ୍‌ବାବୁ ଚମ୍ପା ଓ ଚଇଁଆକୁ ପାଖକୁ ଡାକି ଦୁଇ ଦୁଇ ହଜାର ବକ୍ସିସ୍ ଦେଇ ଚାରିଦିନ ଛୁଟି ସହ ଏସବୁ ଅଘଟଣ ପାଇଁ ସିଏ ଅତ୍ୟନ୍ତ ଦୁଃଖିତ ବୋଲି ସେମାନଙ୍କୁ ଜଣାଇଲେ । ଟଙ୍କା ହାତରେ ଧରିଲା ପରେ ଦୁଇଜଣ ବହୁତ ଖୁସିରେ ସାମ୍ନା ଫାଟକ ଡେଇଁଲା ବେଳେ ଚଇଁଆ ଚମ୍ପା ଗାଲରେ ହାତ ମାରିଦେଇ କହିଲା, – “ବାବୁ ଆଉ ଦିଦି ପାହାରେ ଅଧିକ ମାରି ଆଉ ହଜାରେ ଟଙ୍କା ଲେଖା ବଢେଇକି ଦେଇଥିଲେ ହୋଇ ନ’ଥାନ୍ତା’!” – “ମୁଁ ସହି ପାରି ନଥାନ୍ତି । ତୁ ପିଠିଆ ଟା । ମାଡ ଖାଇବା ଅଭ୍ୟାସ ତୋର ବୋଧେ ଆଗରୁ ଅଛି । ବେହିଆ କୋଉଠିକାର ।” – “ନାଇଁ ମ । ଥଟ୍ଟା କରୁଥିଲି । ଅେଙ୍ଗ୍ରଜମାନେ ଭଲ ଲୋକ । ସିଏ କ’ଣ କହିବା ପରେ ବାବୁ ଆମକୁ ଡାକି ପଇସା ଦେଲେ । ତା’ର ମଙ୍ଗଳ ହେଉ ।” – “ଛାଡ୍, ଭଗବାନ୍ ଯାହା କରନ୍ତି ପ୍ରାଣୀର ମଙ୍ଗଳ । ମାଡ ବଦଳରେ ହଜାରେ ହଜାରେ ଅଧିକ ପାଇଲେ ଯେ । ଯା ଅୟେସ କର, ଶୁଭ ନବବର୍ଷ ।” – “ତୋତେ ଶୁଭ ନବବର୍ଷ, ତୋ ମାଆକୁ ବି ମୋର ଆଣ୍ଠୁପକା ଓଳିକି ସାଙ୍ଗରେ ଶୁଭ ନବବର୍ଷ ।”

ରାତ୍ରିଭୋଜନ ପୂର୍ବରୁ ଦୂର୍ଗାଦେବୀ ଝିଅ ସୁଲଗ୍ନା ପାଖକୁ ଯାଇ କହିଲେ, – “ତୁ ଯାହା କଲୁକଲୁ, ଏବେ ବାପାଙ୍କୁ ଯାଇ ସବୁସତ କହି ନିଜଦୋଷ ସ୍ୱୀକାର କରି ଦେ’ । ମୋ ସୁନାଝିଅ, ଯା’ ସତ ମାନିଯା, କହିଦେ ।” – “ମୁଁ ପାରିବିନି । ସିଏ ତ କହିଲା ତାକୁ ତା’ ପଇସା ମିଳିଗଲା, ପୁଣି କାହିଁକି ତୁମେ ଛୋଟ କଥାଟିକୁ ବଡ଼ କରୁଛ?” – “ସୁଲଗ୍ନା ! ଇଏ ଆଦୌ ଛୋଟ କଥା ନୁହେଁ । କ’ଣ ପାଇଁ କିଥ୍ ଏଭଳି ମିଛ କହି ଆମ ସମସ୍ତଙ୍କୁ ଭ୍ରମିତ କଲା ମୁଁ କହି ପାରୁନି, କିନ୍ତୁ ତୁ ଯଦି ଏ ପାପକର୍ମ ଯୋଗୁଁ ପଶ୍ଚାତାପ ନକରି ତୋ’ ଦୋଷ ନମାନୁ ମୁଁ ସାରା ଜୀବନ ମରିବା ଯାଏଁ ଏ’ କଥାଟିକୁ ଭୁଲି ପାରିବିନି । ମୋ’ କୋଳରେ ଜନ୍ମ ନେଇଥିବା ସୁଲଗ୍ନା ପାଇଁ ମୁଁ ପୂର୍ବପରି ଟିକିଏ ହେଲେ ବି ଗର୍ବ କରି ପାରିବିନି । କ’ଣ ତୁ ଚାହୁଁଛୁ କହ?” – “ତୁମେ କ’ଣ କରିବ କ’ଣ ନକରିବ ମୁଁ ଜାଣିନି । ତୁମ ଇଚ୍ଛା ତୁମେ ଯାହା କର, ମୁଁ କିନ୍ତୁ ଚୋରି କରିଛି ବୋଲି ବାପା, ଭାଇ ଓ ଭାଇର ସାଙ୍ଗ କିଥ୍ ସାମ୍ନାରେ ଆଦୌ କହି ନିଜକୁ ଏମିତି ଅଯଥା ଅପମାନିତ କରି ପାରିବିନି । ଏହା ମୋର ଶେଷ କଥା ।”

ରାତ୍ର କାଳ । ସମୟ ଦଶଟା । ସମସ୍ତେ ଡାଇନିଂ ଟେବୁଲ୍ ଚାରିପଟେ ରାତ୍ରିଭୋଜନ ଖାଇବାକୁ ବସିଲେଣି । ରାଧୁଆ ଗୋଟିକ ପରେ ଗୋଟିଏ ଖାଦ୍ୟଭରା ଗାଙ୍ଗୁଲା ଓ ଚାମୁଚ ଥାଳି ଥାଳିଆ ଆଣି ପୋଛିପାଛି ଟେବୁଲ୍ ଉପରେ ସମସ୍ତଙ୍କ ସାମ୍ନାରେ ସଜେଇ ରଖିଲା । କିଛିସମୟ ପରେ ନିରବତା ଭଙ୍ଗ କରି ରକି କହିଲା, -“କିଥ୍ କାଲି ଆମେରିକା ଫେରିଯାଉଛି । ଦିଲ୍ଲୀପାଇଁ ଏଠାରୁ ମର୍ଣ୍ଣିଂ ଫ୍ଲାଇଟ୍ ବୁକ୍ କରିଛି, ସକାଳ ନଅଟାରେ ଚେକ୍ଇନ୍ । ସେଠାରୁ ଇଭିନିଂ ଫ୍ଲାଇଟ୍ ଧରିବ । ପ୍ରାୟ ଅପରାହ୍ନ ଚାରିଟାରେ ରଶ୍ମି ଆମଘରକୁ ଆସିବା କଥା । ଯେତେ ବାଧ୍ୟକଲି ରଶ୍ମିକୁ ଦେଖିକି ଯା, ସିଏ କିନ୍ତୁ ମାନିଲାନି । ନନ୍ ରିଫଣ୍ଡେବଲ୍ ଟିକେଟ୍ ବୁକ୍ କରିସାରିଛି । ତାହାର ଫେରି ଯିବା ନିଶ୍ଚିତ । ହଠାତ୍ କ’ଣ ପାଇଁ ତା’ ମୁଡ୍ ଚେଞ୍ଜ ହେଲା ମୁଁ ବୁଝିପାରୁନି ।”

ଏତିକି କହି ମାଆଙ୍କ ଆଡକୁ ରକି ଚାହିଁ ଦେଖିଲା, ତାଙ୍କ ଆଖିରୁ ଦୁଇଧାର ଲୁହ ବୋହିବୋହି ଗାଲଉପରେ ପହଁଚିଲାଣି । ଦୂର୍ଗାଦେବୀ ସମସ୍ତଙ୍କ ଆଖିରେ ନିଜର ଦୁଇ ଆଖି ମିଶେଇ ଶେଷରେ କିଥ୍ ଉଦ୍ଧେଶ୍ୟରେ କହିଲେ, – “ଆଈ ୱାଜ୍ ଆସ୍କିଂ ୟୁ, ‘ଆର୍ ୟୁ ସିଓର୍? ଏଗେନ୍ ଆଣ୍ଡ ଏଗେନ । ବଟ୍ ୟୁ ଡିଡ୍ ନଟ୍ ସ୍ପିକ୍ ଦି ଟ୍ରୁଥ୍ । ଫ୍ୟାକ୍ଟ ଇଜ୍ ସୁଲଗ୍ନା ହାଡ୍ ଥେଫ୍ଟ ୟୋର୍ ମନି ଆଣ୍ଡ ଗିଭିନ୍ ଟୁ ଅବନୀ, ହର୍ ପୁଅର୍ ବଏ ଫ୍ରେଣ୍ଡ୍ ।” ସମସ୍ତେ ଆଶ୍ଚର୍ଯ୍ୟ । ବାଁ କଡ ଚଉକିରେ ଝିଅ ସୁଲଗ୍ନା ଚଉକିରୁ ଉଠିଲା ବେଳକୁ ସାବତ୍‌ବାବୁଙ୍କର ଡାହାଣ ହାତରେ ଗୋଟିଏ ବ୍ରହ୍ମ ଚଟକଣି ଖାଇଲା । ରକି ଲଜ୍ଜାରେ ମୁଣ୍ଡ ତଳକୁ କରି କହିଲା, – “ମୁଁ ବି କିଥ୍ ସାଙ୍ଗରେ ଆମେରିକା ଫେରିଯିବି । ଆଗ ଯାଇ ଟିକେଟ୍ ବୁକ୍ କରେ ତାପରେ ଡିନର୍ କରିବି ।”

ସିଏ ଉଠି ଆସିଲା ପରେ କିଥ୍ ବି ତା ପଛେପଛେ ଚାଲି ଆସିଲା । ସାବତ୍‌ବାବୁ ଦୂର୍ଗାଦେବୀ ଦଶମିନଟ୍ ଅପେକ୍ଷା କରି ନିଜ କୋଠରିକୁ ଫେରି ଓପାସରେ ଶୋଇଗଲେ । ଖାନସମା ରାଧୁଆ ଆସି ଦେଖିଲା ଯେମିତି ବାଢିଥିଲା, ସବୁ ସେମିତି ଥୁଆହୋଇଛି । କେହି ଗୋଟିଏ ଦାନା ବି କାହାରି ପାଟିକୁ ନେଇ ନାହାନ୍ତି । ବାବୁଘର ଲୋକ ଯେତେବେଳେ କେହି କିଛି ଖାଇଲେନି ସିଏ ବା କୋଉ ବିବେକରେ କେମିତି ଖାଇବ? ହଠାତ୍ ଏତେ ଦିନର ଶୁଭ ନୂଆବର୍ଷ ଆୟୋଜନ ଏହି ଅଘଟଣ ପାଇଁ ପୂରା ଫିକା ପଡିଗଲା । ସକାଳ ଆଠଟାରେ ରକି ଓ କିଥ୍ ନିଜ ନିଜର ଏୟାର୍ ବ୍ୟାଗ୍ ଧରି ବାପା ମାଆଙ୍କ ପାଦଛୁଇଁ ବାହାର ଫାଟକ ଡେଇଁଲା ବେଳକୁ ସୁଲଗ୍ନା ବଡଭାଇ ରକିକୁ କୁଣ୍ଢାଇ ଆଖିରେ ଆଖିଏ ଲୁହଭରି କହୁଥାଏ, – “ମୋତେ କ୍ଷମା କରିଦେବୁ ଭାଇ । ମୁଁ କିଥ୍ ପର୍ସରୁ ଟଙ୍କା ଚୋରି କରିଛି । ମୋତେ କ୍ଷମା କରିଦେ ।” – “କ୍ଷମା କରିବାକୁ ମୁଁ କିଏ, ଯାହା ଟଙ୍କା ଚୋରି କରିଛୁ, ତାକୁ ଯାଇ କ୍ଷମା ମାଗେ ।”

ଶେଷରେ ସୁଲଗ୍ନା କିଥ୍‌ର ଦୁଇପାଦରେ ମୁଣ୍ଡ ଲଗାଇ କ୍ଷମା ମାଗିଲା । ସମସ୍ତେ ସମସ୍ତଙ୍କୁ ମନଖୁସିରେ ଶୁଭ ନବବର୍ଷର ଶୁଭେଚ୍ଛା ଜଣାଇ ଛାତି ମିଳାଇଲେ । ସାବତ୍‌ବାବୁ ଓ ଦୂର୍ଗାଦେବୀ ଆସନ୍ତା ହୋଲିପର୍ବକୁ ଦୁଇଜଣ ଯାକ ପନ୍ଦର ଦିନପାଇଁ ଆସି ରକି ଓ ରଶ୍ମିର ନିର୍ବନ୍ଧ ଓ ବାହାଘର ସାରି ଫେରିବାକୁ ଆଗୁଆ ନିମନ୍ତ୍ରଣ ଦେଲେ । ସୁଲଗ୍ନାକୁ କହିଲେ ସେ ଅବନୀ ପୁଅକୁ ଛାଡ୍ । ଯିଏ ଚୋରି ଶିଖାଉଛି ସିଏ ବି ଗୋଟାଏ ଚୋର । ହୋଲି ବେଳକୁ ଭଲ ପୁଅଟିଏ ଦେଖ୍, ନହେଲେ ଆମକୁ କହ । ଗୋଟାଏ ଭୋଜିରେ ଦିଜଣଙ୍କ କାମ ବଢେଇଦେବା । ଶେଷ ମୁହୂର୍ତ୍ତରେ ସମସ୍ତେ ଖୁସି ଖୁସି ରକି ଓ କିଥ୍‌କୁ ବିଦେଶ ଯିବାକୁ ବିଦାୟ ଦେଲେ । ଚଇଁଆ ଓ ଚମ୍ପା ଯୋଡହସ୍ତରେ କିଥ୍ଆଡକୁ ଚାହିଁ କଣ୍ଢେଇପରି ଛିଡା ହୋଇଥାନ୍ତି । ସୁଲଗ୍ନା ଆସି ବାପାଙ୍କ ପାଦ ଛୁଇଁ ମାଆକୁ ଜାବୁଡି ଧରି ମୋତେ କ୍ଷମା କରିଦିଅ, ମୁଁ ଅବନୀ ସହ ସମ୍ପର୍କ କାଟିଦେଉଛି । ଜୀବନରେ ଏପରି ଭୁଲ୍ କେବେ ଆଉ କରିବି ନାହିଁ । ମୋର ଆଉ କୋଉ ପୁଅ ସହ କିଛି ସମ୍ପର୍କ ନାହିଁ, ଏବେ ତୁମେ ଯୋଉଠି ଠିକ୍ କରିବ ମୋର ରାଜି । ମୁଁ ସେଇଠି ବାହାହେବି । ଦୁର୍ଗାଦେବୀ ସୁଲଗ୍ନାକୁ ଛାତିରେ ଚାପି ମଥାରେ କେଇଟା ବାତ୍ସଲ୍ୟ ମମତାଭରା ଚୁମ୍ବନ ଆଙ୍କି ଦେଉ ଦେଉ ରକି ଓ କିଥ୍ ଆଡେ ହାତ ହଲେଇଲେ । କିଥ୍ ଓ ରକି ପଛକୁ ଚାହିଁ ହାତ ହଲେଇହଲେଇ ଟ୍ୟାକ୍ସି ଭିତରକୁ ପଶିଲେ । ଟ୍ୟାକ୍ସି ଡ୍ରାଇଭର ଡିକିଖୋଲି ଦୁହିଙ୍କର ଜିନିଷ ରଖୁ ରଖୁ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇ କହିଲା, – “ଶୁଭ ନବବର୍ଷ” ।

ଲୋକପ୍ରିୟ ଲେଖା

To Top