ଗଳ୍ପ

ଶୁଭ ସକାଳ

Dr Sharat Chandra Parida's odia story Shubha Saakaal

ତିଳକୁ ତାଳ କରିବା ତ ଆମ ଲୋକଙ୍କର ସ୍ୱଭାବ । କଥାରେ ଅଛି ପରା- “ପାଞ୍ଚ ପୁରୁଷରେ ପାଞ୍ଚ କଥା, ପାଞ୍ଚ ମାଇପିରେ ପଚିଶ କଥା ।”

ଶୁଭ ସକାଳ

ମା’ ମା’ ! ଆଉ କେତେ ସମୟ ପରେ ଗ୍ରାଣ୍ଡ୍ ପା’ଙ୍କୁ ଆମେ ଭେଟିବା ? ଆମେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଲା ବେଳକୁ ଗ୍ରାଣ୍ଡ୍ ପା’ ପ୍ରେଜେଣ୍ଟ୍ ଥିବେ ତ ? ଆରେ ହଁ କୁନୁ, ତୁ ଆଦୌ ବ୍ୟସ୍ତ ହଅନା । ଏଇତ ଆମେରିକାରୁ ବାହାରିଲା ବେଳେ ମୁଁ ଫୋନ୍ କରିଥିଲି । କୋଲକତାରେ ପହଞ୍ଚି ମଧ୍ୟ ମୁଁ ଫୋନ୍ କରିଥିଲି । ମା’ ମା’ ତୁମେ ମୋତେ ଗ୍ରାଣ୍ଡ୍ ପା’ଙ୍କୁ ଚିହ୍ନାଇ ଦେବ ନାଇଁ ? ତୁମେ ଠାକୁର ଘରେ ଯେଉଁ ଗ୍ରାଣ୍ଡ୍ ପା’ଙ୍କ ଫଟୋ ଦେଖି ପୂଜା କରୁଚ, ସେହି ଫଟୋର ମଣିଷକୁ ଚିହ୍ନିବାକୁ ମୁଁ ଚେଷ୍ଟା କରିବି । ତାଙ୍କ ସହିତ ହ୍ୟାଲୋ ଗ୍ରାଣ୍ଡ୍ ପା’ କଥା କହି ତାଙ୍କୁ ଗେଲ କରିବି । ତାଙ୍କ ପାଦତଳେ ମୁଣ୍ଡିଆ ମାରିବି ।

ଏ କଥା ଶୁଣି ପାଖ ସିଟ୍‌ରେ ବସିଥିବା ଜଣେ ସହଯାତ୍ରୀ କୁନୁର ସବୁ କଥା ଶୁଣୁଥିଲେ । ଦୀର୍ଘ ଯାତ୍ରାର ଆତ୍ମୀୟତା ଉପରେ ଠିଆ ହୋଇ ପଚାରିଲେ- “ଶ୍ରୀମତୀ ମିଶ୍ର ! ଆପଣ ଭୁବନେଶ୍ୱର ଏଆରପୋର୍ଟରେ ଓହ୍ଲାଇ କେଉଁଠିକି ଯିବେ ? ସାଲେପୁର ? ସାଲେପୁରରେ କ’ଣ ଆପଣଙ୍କ ପାରେଣ୍ଟସ୍ ରହନ୍ତି ? ହଁ ! ଆପଣଙ୍କ ବାପାଙ୍କ ନାଁ ? ଭାଗ୍ୟଧର ଜେନା । ମୁଁ କିଛି ବୁଝିପାରୁ ନାଇଁ ଶ୍ରୀମତୀ ମିଶ୍ର । ଆପଣ ମିଶ୍ର ? ବାପା ଜେନା ? ଆପଣ ଆଶ୍ଚର୍ଯ୍ୟ ହୁଅନ୍ତୁ ନାଇଁ । ମୋ ଜୀବନ ପାଖରେ ଜାତିର ଅର୍ଥ କିଛି ନାଇଁ । କୁନୁ ଯାହାଙ୍କୁ ଗ୍ରାଣ୍ଡ୍ ପା’ ବୋଲି କହୁଚି ସେ ମୋର ଜନ୍ମଦାତା ନୁହଁନ୍ତି, ସେ ମୋର ଜୀବନ ଦାତା । ଜୀବିକା ଦାତା । ମୋର ପ୍ରାଣର ଆରାଧ୍ୟ ଦେବତା । ସେ ମୋ ପାଇଁ ଏ ଦୁନିଆଁର ଆଲୋକ । ତାଙ୍କ ଆଖିରେ ଏ ଦୁନିଆଁକୁ ମୁଁ ଦେଖିଚି । ତାଙ୍କ ନିଃଶ୍ୱାସରେ ମୁଁ ବଞ୍ଚିଚି । ସହଯାତ୍ରୀ ଜଣକ ଶ୍ରୀମତୀ ମିଶ୍ରଙ୍କର ଏ ଦର୍ଶନମୂଳକ ସରୁ ଟିପପ୍ନୀ ଶୁଣି କୌତୂହଳୀ ହୋଇ ପଡ଼ିଲେ ।

ଶ୍ରୀମତୀ ମିଶ୍ର ନିଜ ଜୀବନର ଅପଢ଼ା ପୃଷ୍ଠା ଗୋଟିକ ପରେ ଗୋଟିଏ ଖୋଲି ଚାଲିଲେ, ଜଣେ ଜେନା ବାବୁ ବୋଲି ବ୍ୟକ୍ତି ଥିଲେ । ବୃତ୍ତିରେ ସରକାରୀ ଅଫିସର୍ ।

ପ୍ରାୟ ଦୁଇ ଶହ ଗ୍ରାମରେ ତାଙ୍କ ନାଁର ଟେକ ରହିଚି । ଯେମିତି ଚଳଚଞ୍ଚଳ ସେମିତି କର୍ମଦକ୍ଷ । ସ୍ନେହୀ ଦରଦୀ ମଣିଷପ୍ରିୟ ଲୋକଟି । ସବୁ ଦେବଦେବୀଙ୍କୁ ଭକ୍ତି କରନ୍ତି । ଘରେ ନାନା ଓଷାବ୍ରତ ପାଳନ ହେଉ, ସ୍ତ୍ରୀଙ୍କୁ କହନ୍ତି । ପ୍ରେରଣା ଦିଅନ୍ତି । ସ୍ତ୍ରୀ ଥରେ ବେମାରିରେ ପଡ଼ିଲେ । କଟକ ବଡ଼ ଡାକ୍ତରଖାନା ନେଲେ । ନୂଆ ବାହାଘର ହୋଇଥାଏ । ଡାକ୍ତରୀ ଚିକିତ୍ସା ଚାଲିଲା । ଡାକ୍ତର କହିଲେ ଅନେକ ଦିନ ଚିକିତ୍ସା ଚାଲିବ । ଏତେ ଦିନ ଛୁଟିରେ ରହିବା ସମ୍ଭବ ନୁହେଁ । ତେଣୁ ଦିନରେ ଚାକିରୀ କାମ ସାରି ସଞ୍ଜବେଳକୁ ଫେରନ୍ତି ଡାକ୍ତରଖାନା । ରୋଗୀ ଓ ସେମାନଙ୍କ ଆଟେଣ୍ଡାଣ୍ଟ୍ ସହ ରାତି କଟେ ଜେନାବାବୁଙ୍କର । ଏହି ରହଣି କାଳରେ କେତେ ନୂଆ ମୁଖ ଦେଖିବାକୁ ମିଳେ । କେତେ ନୂଆ ସମ୍ପର୍କ ଶୁଖିଲା ମାଟିରେ ପାଣି ପଡ଼ିଲେ ମଞ୍ଜି ଗଜୁରିଲା ପରି ଗଜୁରି ଉଠେ । ବଢ଼େ । ଆତ୍ମୀୟତାରେ ପଣିତ ହୋଇଯାଏ । ପାଖ ବେଡ୍‌ରେ ଥିବା ରୋଗୀ ଓ ସେମାନଙ୍କ ଆଟେଣ୍ଡାଣ୍ଟ୍‌ମାନଙ୍କ ମଧ୍ୟରେ ନିବିଡ଼ତା ଅଧିକ ହେବା ସ୍ୱଭାବିକ୍ ! କେଉଁଠି ମଳମୂତ୍ର ରକ୍ତ ପରୀକ୍ଷା ହେବ, କେଉଁଠି ଏକ୍ସରେ ହେବ, କେଉଁଠୁ ଔଷଧ ଆସିବ ଏ ଧାଁ ଦଉଡ଼ ଭିତରେ ପାରସ୍ପରିକ ସାହାଯ୍ୟ ପାଇ ଏମାନେ ମାନବିକତା ପାଖରେ ବନ୍ଧା ପଡ଼ିଯାନ୍ତି । ରକ୍ତର ସମ୍ପର୍କ ମଧ୍ୟ ହାର ମାନେ । ଡାକ୍ତରଖାନା ଯନ୍ତ୍ରଣା ଭୋଗିବା କଥା । ଭଲ ହେଲେ ଖୁସି ମନରେ ଘରକୁ, ନହେଲେ ଯମପୁରକୁ ଡାକ୍ତରଖାନାରୁ ହିଁ ଯାଇଥାନ୍ତି । ରୋଗୀର ଆହାଃ ଓହୋଃ ବିକଳ ଚିତ୍କାର ଓ କରୁଣ ଦୃଶ୍ୟ ଦେଖି ସାଧାରଣ ମଣିଷର ଦର୍ଶନ ବଦଳିଯାଏ । ଶ୍ମଶାନ ବୈରାଗ୍ୟ ଆସେ । ବଞ୍ଚିବା ନିମନ୍ତେ ମରଣ ସହିତ ଯେଉଁ ରଣ ଚାଲିଥାଏ ତାକୁ ଦେଖିଲେ ପଥର ବି ପାଣି ହୋଇଯାଏ । କ୍ରନ୍ଦନ ରୋଳରେ ଫାଟି ପଡୁଥାଏ ବିଭିନ୍ନ ୱାର୍ଡ ଓ ବାରଣ୍ଡା । ଜେନାବାବୁ ପୋଖତ ଲୋକ । ମନକୁ ଟାଣ କରି ସବୁ ସହି ଯାଉଥାନ୍ତି ।

ପାଖ ବେଡ୍‌ରେ ଥିଲେ ସୁଷମା ମିଶ୍ର ଓ ତାଙ୍କୁ ଦେଖା ଚାଁ କରୁଥିଲେ ତାଙ୍କ ସ୍ୱାମୀ ନାରାୟଣ । ଜେନାବାବୁଙ୍କର ନାରାୟଣଙ୍କ ସହିତ ଦେଖାହୁଏ । ସୁଖଦୁଃଖ ବଣ୍ଟାଯାଏ । ଭାବ ବିନିମୟ ହୁଏ । ଦିନେ ପାଖ ହୋଟେଲ୍‌କୁ ଗଲେ ମିଶ୍ରବାବୁ ଓ ଜେନାବାବୁ ଭୋଜନ କରିବା ନିମନ୍ତେ । ଜେନାବାବୁ ଲକ୍ଷ୍ୟ କଲେ ମିଶ୍ରବାବୁଙ୍କ ଆଖିରୁ ତତଲା ଲୁହ ଟପ୍‌ଟପ୍ ଝରି ପଡୁଚି । ଡାଲମା, ରୋଟି ଓ ଲୁହ ମିଶି ଏକାକାର । ଛାତି ଉପରେ ସୁନାମି । ତାକୁ ଚାପି ରଖିବାକୁ ଅନେକ ଚେଷ୍ଟା । ଜେନାବାବୁ ଲକ୍ଷ୍ୟ କଲେ ମଧ୍ୟ କିଛି କହିଲେ ନାଇଁ । ଆଗତୁରା ସେ ବିଲ୍ ପୈଠ କରି ଦେଲେ ଉଭୟଙ୍କର । ମିଶ୍ରବାବୁ ଭୋଜନ କରି ସାରିଲା ପରେ ଜେନାବାବୁ ଡାକିଲେ, ଆସନ୍ତୁ ଯିବା ।

ବାଟରେ ନିରବତା ଭଙ୍ଗ କରି ଜେନା ବାବୁ ପଚାରି ବସିଲେ- “ଆପଣଙ୍କ ଶ୍ରୀମତୀଙ୍କ ବିଷୟରେ ଡାକ୍ତର କ’ଣ କହିଲେ କି ?” ଏତକ ପଚାରି ଦେବାରୁ ମିଶ୍ରବାବୁ ଅଧିକ ଭାବବିହ୍ୱଳ ହୋଇ ପଡ଼ିଲେ । ରାସ୍ତା ମଝିରେ ସେ ଭୋ’ ଭୋ’ ହୋଇ କାନ୍ଦି ଉଠିଲେ ଛୋଟ ଶିଶୁଟି ପରି । ପାଟିରୁ ଆଉ କଥା ବାହାରିଲା ନାଇଁ । ହଠାତ୍ ବସି ପଡ଼ିଲେ ଝାପ୍ସା ଆଲୋକିତ ରାସ୍ତାକଡ଼ର କଂକ୍ରିଟ୍ ଧାରରେ । ରୁହନ୍ତୁ, ଧୈର୍ଯ୍ୟ ଧରନ୍ତୁ, ଆପଣ ଏପରି ହେଲେ ଅବସ୍ଥା ସମ୍ଭାଳିବ କିଏ ? ଆପଣ ସିନା ଅନ୍ୟମାନଙ୍କୁ ବୁଝାଇବେ । ଏମିତି ସାନ୍ତ୍ୱନା ଦେଇ ଲୁହ ବନ୍ଦ କରାଇଲେ, ତାଙ୍କ ହାତ ଧରି ଉଠାଇଲେ । ଆଗକୁ ଚାଲିଲେ । ମିଶ୍ରବାବୁ ପ୍ରକୃତିସ୍ଥ ହେଲେ । ଶ୍ରୀମତୀଙ୍କ ଜୀବନ ଆଉ ଅତି ବେଶିରେ ପାଞ୍ଚଦିନ । ପରିସ୍ଥିତି ସୁଧୁରିବାର ନାଇଁ । ମୁଁ ଭାସିଯିବି ବାବୁ, ମୁଁ ମଝି ଦରିଆରେ ବୁଡ଼ିଯିବି । ମୋତେ ଚଉଦିଗ ଅନ୍ଧାର ଦିଶୁଚି । ଗାଁରେ ଛୋଟିଆ କୁନି ଝିଅଟି । ଏଇ ମାସକର । ତାକୁ ମୁଁ କେମିତି ପାଳିବି ମୋତେ କିଛି ବୁଦ୍ଧି ବାଟ ଦେଖା ଯାଉ ନାଇଁ । ଘରକୁ ମୁଁ ଏକୁଟିଆ । ଏକା ବୋକା । ଆଗକୁ କେହି ନାଇଁ କି ପଛକୁ କେହି ନାଇଁ । ଜେନାବାବୁ ଜଣେ ଭଗବତ୍ ବିଶ୍ୱାସୀ ଲୋକ । କହିଲେ- “ବ୍ୟସ୍ତ ହୁଅନ୍ତୁ ନାଇଁ । ଠାକୁରଙ୍କ ଉପରେ ଭରସା ରଖନ୍ତୁ । ଯାହା କରିବା କଥା ସେ କରିବେ । ଆମେ ଖାଲି ନିମିତ୍ତ ।” ବେଡ୍ ପାଖରେ ପହଞ୍ଚି ସଉପ ପକାଇ ଶୋଇ ପଡ଼ିଲେ । ରୋଗୀ ସେବା ଭିତରେ କ’ଣ ଶୋଇ ହୁଏ ?

ବଡ଼ ଡାକ୍ତରଖାନାରେ ତ ଝାଡୁଦାର ଭୋର୍ ପାଞ୍ଚଟାରୁ ଆସି ଝାଡୁ ଦିଅନ୍ତି । ତେଣୁ ଆଟେଣ୍ଡାଣ୍ଟ୍‌ମାନେ ବେଳୁସୁଁ ଉଠି ପଡ଼ନ୍ତି । ଜେନାବାବୁ ଉଠି ପଡ଼ି ଦାନ୍ତ ଘସି ଚା’ ପିଇବା ପାଇଁ ପ୍ରସ୍ତୁତ ହୋଇଗଲେ । ମିଶ୍ରବାବୁ ମଧ୍ୟ ବେଳାବେଳି ଉଠି ପଡ଼ନ୍ତି । ଆଜି କାଇଁକି ଡେରି କରୁଛନ୍ତି । ତେଣେ ଝାଡୁଦାର ୱାର୍ଡ ଭିତରକୁ ପଶି ଆସିଲେଣି । ଦି’ତିନି ଡାକ ଦେଲା ପରେ ମଧ୍ୟ ଉଁ ନାଇଁ କି ଚୁଁ ନାଇଁ । ଦେହ ବି ହଲୁ ନାଇଁ । ସାମାନ୍ୟ ବ୍ୟସ୍ତ ହୋଇ ଜେନାବାବୁ ପାଖକୁ ଯାଇ ହଲାଇ ଡାକିଲେ ମିଶ୍ର ବାବୁ, ଉଠନ୍ତୁ । କିଛି ଜବାବ୍ ମିଳିଲା ନାଇଁ । ଏ କ’ଣ ଦେହଟାକୁ ହଲାଇ ଦେଲା ପରେ କ’ଣ ଆର ପଟକୁ ଟଳି ପଡ଼ିଲେ । ଦେଖ ଦେଖ କ’ଣ ହେଲା ବୋଲି ହୋ’ ହଲ୍ଲା ଖେଳିଗଲା । ଧାଇଁ ଆସିଲେ ଡାକ୍ତରବାବୁ । ନାଡ଼ି ଦେଖିଲେ, ଛାତିରେ ଷ୍ଟେଥୋ ପକାଇଲେ । ଘୋଷଣା କଲେ ମିଶ୍ରବାବୁ ଆଉ ନାହାଁନ୍ତି । କୁଆଡ଼େ ତାଙ୍କର ହାର୍ଟଫେଲ୍ ହୋଇ ଯାଇଥିଲା । ବଡ଼ ଡାକ୍ତରଖାନାରେ ରୋଗୀ ମରିବା ବିଚିତ୍ର କଥା ନୁହେଁ, କିନ୍ତୁ ରୋଗୀ ସେବା କରିବାକୁ ଆସିଥିବା ସମ୍ପର୍କୀୟ ଯେ ମୃତ୍ୟୁ ହୋଇଯିବ ଏ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଶ୍ରୀମତୀ ମିଶ୍ର ସବୁ ଜାଣୁଥାନ୍ତି । ଉଠିବାକୁ ଇଚ୍ଛା ହେଉଥାଏ, କିନ୍ତୁ ଉଠି ପାରୁନଥାନ୍ତି । କାନ୍ଦିବାକୁ ଚାହୁଁଥାନ୍ତି କିନ୍ତୁ କାନ୍ଦି ପାରୁ ନଥାନ୍ତି । ଆଖିରୁ ଲୁହ ନ ଝରିଲେ ବି ଛାତିରୁ ତାଙ୍କର ଝରୁଥିଲା ଲହୁ । ସେ ସମ୍ପୂର୍ଣ୍ଣ ନିକର୍ତ୍ତବ୍ୟ ହୋଇ ପଡ଼ିଥିଲେ । ମିଶ୍ରବାବୁଙ୍କ ମର ଶରୀରକୁ ବୋହି ନେଇଥିଲେ ହାଡ଼ିମାନେ । ପୋଷ୍ଟ ମର୍ଟେମ କଲେ କି ନାଇଁ ଜଣା ନାଇଁ । ଇଲେଟ୍ରିକ୍ ଚୁଲାରେ ପୋଡ଼ି ଦେବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ଜେନାବାବୁ । ତା’ପରଦିନ ଜଣେ ମଧ୍ୟମ ବୟସ୍କ ସ୍ତ୍ରୀଲୋକଟି ମାସକର କୁନି ଝିଅଟିକୁ ଶ୍ରୀମତୀ ମିଶ୍ରଙ୍କ ବେଡ୍‌ରେ ଛାଡ଼ି ଦେଇ ପଳାଇ ଯାଇଥିଲା । ଜେନାବାବୁ ପଚାରିବାରୁ ଆମେ ତ ଗରିବ ଲୋକ ବାବୁ, ବେଳାଏ ଖାଇଲେ ବେଳାଏ ଉପାସ । ଏ ଯାଁ ବାଳିଆ ପିଲାଟିକୁ ପାଳିବୁ କେମିତି କହି ଆଖି ପିଛୁଳାକେ ଯେଉଁ ବାଟ ଦେଇ ଆସିଥିଲେ ସେଇ ବାଟ ଦେଇ ଏକ ମୁହାଁ ହୋଇ ପଳାଇ ଯାଇଥିଲେ ।

ଅବୋଧ ପିଲାଟି କୁଆଁ କୁଆଁ ରଡ଼ି ଛାଡୁଥିଲା ତା’ ମା’ ପାଖରେ ଶୋଇ । ମା’ର ଶକ୍ତି ନ ଥିଲା ତାକୁ ହାତରେ ତୋଳି ନେବା ପାଇଁ କି ମନବୋଧ କରି ବକ୍ଷରୁ ଟିକେ ଅମୃତ ପାନ କରାଇବା ପାଇଁ । ଦେହକୁ ଦେହ ଲାଗିଥିଲେ ମଧ୍ୟ ମା’ ଝିଅଙ୍କ ମଧ୍ୟରେ ଥିଲା ଅନେକ ଦୂରତ୍ୱ । ଛୋଟ ଛୁଆଟାର କାନ୍ଦର କୋହ ଶ୍ରୀମତୀ ଜେନାଙ୍କ ମାତୃତ୍ୱକୁ ଘୋର ବିଚଳିତ କରି ଦେଉଥିଲା । ଛୁଆଟା କାନ୍ଦି କାନ୍ଦି ପ୍ରାଣ ଛାଡ଼ିଯିବ । ଟିକେ କୋଳେଇ ନିଅ ବୋଲି ଜେନାବାବୁଙ୍କୁ ଇସାରା ଦେଲେ । ଜେନାବାବୁ ତ ରକ୍ତମାଂସର ମଣିଷ । କୋଳକୁ ଉଠାଇ ନେଲେ । ସ୍ତ୍ରୀଙ୍କ ପରାମର୍ଶ ନେଇ ବଜାରରୁ ଶିଶୁ ଖାଦ୍ୟ ଆଣିଲେ । ତିନୋଟି ଦାୟିତ୍ୱ ତୁଲାଉ ତୁଲାଉ ମାତ୍ରଦିନ ଦୁଇଟା ପରେ ଶ୍ରୀମତୀ ମିଶ୍ର ଆଖି ବୁଜି ଦେଲେ । ସବୁଦିନ ପାଇଁ ଜେନା ଦମ୍ପତ୍ତିଙ୍କ ନିରାପଦ କୋଳରେ ରହିଗଲା ଅବୋଧ ଦେବ ଶିଶୁଟିଏ । ନିଆଶ୍ରୀକୁ ଦଇବ ସାହା ବୋଲି ଡାକ୍ତରଖାନାର ଲୋକେ କଥା ହେଉଥିଲେ । ଏମିତି ଦିନ ଚାରିଟା ପରେ ଜେନା ଦମ୍ପତି ଫେରିଲେ କର୍ମସ୍ଥଳୀକୁ ।

ଲୋକେ ଜାଣିଲେ ଜେନାବାବୁ କାହାର ଗୋଟିଏ ଝିଅ ଧରି ଫେରିଛନ୍ତି ଡାକ୍ତରଖାନାରୁ । କିଛି ଲୋକ ବାହା ବାହା କଲାବେଳେ ଆଉ କିଛି ଲୋକ ଟାହି ଟାପରା କରି କେତେ କ’ଣ କହିଲେ । ଆମ ଲୋକଙ୍କ ସ୍ୱଭାବ ଏମିତି । ଭଲକୁ ଭଲ ରୂପେ ଗ୍ରହଣ କରିବା ଲୋକ ଖୁବ୍ କମ୍ । ଜେନାବାବୁ ଜଣେ ଭଦ୍ରବ୍ୟକ୍ତି ଓ ଉଚ୍ଚ ଅଫିସର ହୋଇଥିବାରୁ ଲୋକେ ମୁହଁ ଉପରେ ସିନା କିଛି କହିଲେ ନାଇଁ ହେଲେ ସେମାନଙ୍କ ମୁହଁରେ ବାଡ଼ବତା ଦେବ କିଏ ? ସେସବୁ ଶୁଣୁଥାନ୍ତି । କାହାକୁ କିଛି କହୁ ନ ଥାନ୍ତି । ନିଜର ଅର୍ଦ୍ଧାଙ୍ଗୀ ତ ସାଥିରେ ଅଛନ୍ତି, ଡର କାହାକୁ ? ପିଲାଟିର ମା’ ପରି ଯତ୍ନ ନେଉଥାନ୍ତି ଶ୍ରୀମତୀ ଜେନା । କେଉଁଥିରେ ହେଳା କରୁ ନ ଥାନ୍ତି । ଗାଁ ଗଣ୍ଡାର କିଛି ଲୋକେ କହୁଥାନ୍ତି- ବିଧାତାର କ’ଣ ବିଚାର ନାଇଁ । ସେ ପରା ଶିରଉଣ୍ଡି ଚଡୁ ଦିଅନ୍ତି । ବ୍ରାହ୍ମଣ ଘର ଝିଅ । ଦିନକୁ ଦିନ ଦିବ୍ୟ ଜ୍ୟୋତିରେ ତା’ର ତେଜ ଉକୁଟୁ ଥାଏ । ତେଣୁ ତା’ ନାଁ ଦେଲେ ଜ୍ୟୋତି । ପରିବାରର ପ୍ରଥମ କନ୍ୟା ହୋଇଥିବାରୁ ସବୁ ସ୍ନେହ ଆଦର ତା’ ଉପରେ ଅଜାଡ଼ି ହୋଇ ପଡୁଥାଏ । ପୂର୍ଣ୍ଣମୀର ଚାନ୍ଦ ପରି ବଢ଼ିବାକୁ ଲାଗିଲା ସେ । ପରେ ପରେ ଜେନାବାବୁଙ୍କ ପାଞ୍ଚଟି ସନ୍ତାନ ଭୂମିଷ୍ଠ ହେଲେ । ପରିବାରର ଜଞ୍ଜାଳ ବଢ଼ିଲା । ଅଭାବ ନଥିଲେ ମଧ୍ୟ ଜ୍ୟୋତି ପାଇଁ ଖର୍ଚ୍ଚ ହେଉ ଏହା ଆଉ ଶ୍ରୀମତୀ ଜେନା ଇଚ୍ଛା କଲେ ନାଇଁ । ଖର୍ଚ୍ଚ ବଢ଼ି ଯାଉଛି ବୋଲି ଜେନାବାବୁଙ୍କୁ ଦୁଆ ଦେଲେ । ଏ କଥା ଶୁଣି ଜେନା ବାବୁ ଭାବୁଥାନ୍ତି- ଘାଇ ମୁହଁରେ ଯାଉଚି, ବାଲି କଣାକୁ ବୁଜୁଚି ।

ଶ୍ରୀମତୀ ଜେନା ଚାହୁଁ ନ ଥିଲେ ଜ୍ୟୋତି ଆଉ ପାଠ ପଢୁ । ଘରେ ରହୁ । କିନ୍ତୁ ଜେନାବାବୁ ଧର୍ମ ପିତା ତୁଲ୍ୟ ନିଜର କର୍ତ୍ତବ୍ୟ ତୁଲାଇବାକୁ ଆଦୌ ହେଳା କରୁନଥିଲେ । ସେ ଚାହୁଁଥିଲେ ଜ୍ୟୋତିକୁ ଘରର ବଡ଼ ଝିଅର ମାନ୍ୟତା ମିଳୁ । ସେ ପାଠ ପଢୁ । ବଡ଼ ମଣିଷ ହେଉ । ନିଜ ଗୋଡ଼ରେ ନିଜେ ଠିଆ ହେଉ । ଶ୍ରୀମତୀଙ୍କୁ ବୁଝାଇ କହୁଥିଲେ- ବିଚରା ବାପା ମା’ଙ୍କୁ ଚିହ୍ନିବା ପୂର୍ବରୁ ସେମାନଙ୍କୁ ହରାଇ ଦେଇଚି । ଆମେ ତା’ର ବାପା ମା’ । ସାହା ଭରସା । ଆମକୁ ଛାଡ଼ି ଦେଲେ ଦୁନିଆଁରେ ତା’ର କିଏ ଅଛି । ତୁମେ ତା’ ପ୍ରତି ନିଷ୍ଠୁର ହୁଅନା । ବାପାମା’ଙ୍କ କଳହ ଦେଖି ଜ୍ୟୋତି କହେ- “ବାପା, ମୁଁ ତ ସପ୍ତମ ପର୍ଯ୍ୟନ୍ତ ପଢ଼ିଲିଣି । ଲେଖାଲେଖି କରିପାରୁଛି । ମୁଁ ଆଉ ସ୍କୁଲ୍‌କୁ ନଗଲେ ନାଇଁ । ଘରେ ରହିବି । ମା’ଙ୍କୁ କାମ ଦାମରେ ସାହାଯ୍ୟ କରିବି । ବାସନ ମାଜିବି, ଲୁଗା ସଫା କରିବି । ଏହା ଶୁଣି ଜେନାବାବୁଙ୍କ ଛାତି ଫାଟିଗଲା ପରି ଲାଗେ । ବୁଝାଇ କହନ୍ତି ନାଇଁଲୋ ମା’, ତୁ ସେମିତି କହନା । ତୁ ତ ମୋ ବଡ଼ ଝିଅ । କୌଣସି ଶିକ୍ଷିତ ବାପା କ’ଣ ତା’ର ଝିଅକୁ ପାଠ ନ ପଢ଼ାଇ ମୂର୍ଖ କରି ରଖେ ।”

ଶ୍ରୀମତୀ ଜେନା ଖାଲି ଗାରୁ ଗାରୁ ହୋଇ ରହନ୍ତି । ଔଷଧ ଜଳାରେ ତାଟିଆ କାମୁଡ଼ନ୍ତି । ସ୍ୱାମୀ ସ୍ତ୍ରୀଙ୍କର ଏହି ଅବୁଝାମଣା ସାଇ ପଡ଼ିଶାକୁ ବ୍ୟାପିଲା । ତିଳକୁ ତାଳ କରିବା ତ ଆମ ଲୋକଙ୍କର ସ୍ୱଭାବ । କଥାରେ ଅଛି ପରା- “ପାଞ୍ଚ ପୁରୁଷରେ ପାଞ୍ଚ କଥା, ପାଞ୍ଚ ମାଇପିରେ ପଚିଶ କଥା ।” ଛୋଟ କୁନି ଝିଅଟାକୁ ନେଇ କେତେ କଥା ଫୁସୁରୁ ଫାସର ହୁଅନ୍ତି । ଦେଖ ହୋ’, ସ୍ତ୍ରୀର ନାଇଁ ନାଇଁ କି ଅଣ୍ଡିରାର ହୋଇ ହୋଇ । ଏ ପରଝିଅଟାକୁ ଘରେ ପୂରାଇ ଏତେ ନାଟ ଲଗାଇଛନ୍ତି କାହିଁକି ? ଝିଅ ଘିଅ । ନିଜର ପିଲାଛୁଆ ଅଧ ଡଜନ । ଶୁଖିଲାରେ ଝିଅ ପ୍ରେମ ଓଜାଡ଼ି ହୋଇ ପଡୁଚି । ଦେଖ ହୋ ! ଏ କି ଯୁଗ ହେଲା ! ଜ୍ୟୋତିକୁ ବି କେହି ଭଲ ଦୃଷ୍ଟିରେ ଦେଖନ୍ତି ନାଇଁ । ମୁହଁ ମୋଡ଼ି ଦିଅନ୍ତି । ଶ୍ରୀମତୀ ଜେନା ରାଗି ଗଲେ ପାଟିକୁ ଯାହା ଆସେ ବକି ଚାଲନ୍ତି । ନ ପାରିଲେ ସ୍ୱାମୀଙ୍କ ଚରିତ୍ର ସଂହାର କରନ୍ତି । ସାପର ବିଷଦାନ୍ତ ଝାଡ଼ି ଦେଲା ପରି ଜେନା ବାବୁ ସବୁ ଅପବାଦ ଢକଢକ କରି ପିଇଯାନ୍ତି ସିନା କିଛି କହିପାରନ୍ତି ନାଇଁ । ବାନ୍ଧିଲା କଙ୍କଡ଼ା ପୁଅର ବୈରି ବୋଲି କହି ସ୍ତ୍ରୀ ଯେତେ ଯାହା ଭତ୍ସନା କଲେ ସେ ନିଦାବିଷ୍ଣୁ ପାଲଟି ଯାନ୍ତି । ଖଣ୍ଡାଧାରରେ ଚାଲନ୍ତି । ତୁହାକୁ ତୁହା ଅକଥାଗୁଡ଼ାକୁ ସେ ଛାତି ଦେଖାଇ ଦିଅନ୍ତି ସମୁଦ୍ର ଜୁଆରକୁ ପାହାଡ଼ର ଶିଳା ପରି । ଏ କଥା କୋଉ ବୁଝାଇବାର କଥା । ଚରିତ୍ର ବିଷୟରେ ଯେତିକି ସଫେଇ ଦିଆଯାଏ, ଆଘାତଟା ଆହୁରି ପୂତିଗନ୍ଧମୟ ହୋଇଯାଏ । ନିଜ ସୁନା ତ ଭେଣ୍ଡି, ପର ସଙ୍ଗେ ବାଳ ଧରାଧରି ହେଲେ ଲାଭ କ’ଣ ? ଦୁହିଁଙ୍କ ମଧ୍ୟରେ ତିକ୍ତତା ବଢ଼େ । ସମୟ ସେ ଘା’କୁ ଧୋଇ ଦିଏ । ପୁଣି ସମ୍ପର୍କ ସ୍ୱଭାବିକ୍ ହୋଇ କିଛି ଦିନ ବିତିଯାଏ । ଜ୍ୟୋତି ବିଚରା ସବୁ ଦେଖେ, ସବୁ ଶୁଣେ । ଚିତ୍ର ପ୍ରତିମା ପରି ନିଷ୍ପ୍ରାଣ ହୋଇ ସ୍ଥାଣୁ ପାଲଟି ଯଆଏ । ଭାଗ୍ୟକୁ ନିନ୍ଦା କଲେ । ବାୟାଣୀ ପରି ଗୁମୁରି ଗୁମୁରି ନିଜକୁ ନିଜେ ଆତୁର ହୋଇ କହି ହୁଏ- “ହେ’ ବାପା, ହେ’ ମା’, ତୁମେ କୁଆଡ଼େ ଚାଲିଗଲ । ମୋତେ କାହିଁ ସାଙ୍ଗରେ ନେଲ ନାଇଁ । ଛାଡ଼ିଗଲ ଏ ଦହଗଞ୍ଜ ସହିବା ପାଇଁ ।”

ଝିଅର ଶୁଖିଲା ମୁହଁ ଓ ମାନସିକତାକୁ ପଢ଼ି ଜେନା ବାବୁ ବୁଝାନ୍ତି- ଆରେ ମା’ ଏ ଦୁନିଆଁଟା ବଡ଼ ବିଚିତ୍ର । କାହା କଥା ଶୁଣି ତୁ ଦୁଃଖରେ ଭାଙ୍ଗି ପଡ଼ିଲେ ଚଳିବ । ଲୋକେ କ’ଣ ନାଇଁ କ’ଣ କହିବେ । କାନ ଶୁଣି ନ ଥିବା ସବୁ କଥା କହିବେ । ଛାତି ଫାଟିଗଲା ପରି କଥା କହିବେ । ସେମାନଙ୍କ କଥା ଦେହକୁ ନେଲେ ମଣିଷ କ୍ଷଣେ ବି ବଞ୍ଚି ପାରିବ ନାଇଁ । ପାଦେ ହେଲେ ବି ଆଗକୁ ଚାଲି ପାରିବ ନାଇଁ । ତୁ ପାଠ ପଢ଼ାରେ ମନ ଦେ । ତୁ ମନ ଟାଣ କର । ଯେଉଁ ଟାହି ଟାପରା ଗଞ୍ଜଣାର ପଥର ଢେଲା ତୋତେ ଲୋକେ ଫିଙ୍ଗୁଛନ୍ତି ତୁ ଢେଲା ପଥରକୁ ନେଇ ନିଜ ସ୍ୱପ୍ନର ସୌଧ ଗଢ଼ । ମୁଁ ଜାଣୁଚି ବାଘ ନେବା ଠାରୁ ବାଘ ଘୋଷରା ବାଧେ । ତୋତେ ବିନା କାରଣରେ ତୋ ନାଁରେ ନାନା ଅପବାଦ ସହିବାକୁ ପଡୁଚି । ଆମକୁ ଖରା ବାଧୁଚି ବୋଲି ଆମେ ସୂର୍ଯ୍ୟକୁ ଆକାଶରୁ ଖସାଇ ଦେଇପାରିବା କି । ଆମକୁ ସମୁଦ୍ର ପାରି ହେବାକୁ ପଡ଼ିବ ଅର୍ଥ ସବୁ ଢେଉକୁ ଆମକୁ ସହିବାକୁ ପଡ଼ିବ । ଢେଉର ମାଡ଼ ସହିବା ସହିତ ଢେଉରେ ଓଦା ହେବାକୁ ପଡ଼ିବ । ଏହି ଅବସ୍ଥା ସବୁବେଳେ ନ ଥିବ । ସଂସାରରେ କେତେବେଳେ ବେଡ଼ି ଉପରେ କୋରଡ଼ା ତ ପୁଣି କେତେବେଳେ ପାଲିଙ୍କି ଉପରେ ପାଟ ଛତା । ତୁ ଆଦୌ ବ୍ୟସ୍ତ ହଅନା । ଦେଖିବୁ, ଦୁଃଖର ଏ ଦିନ ଗୁଡ଼ାକ ଶୀତୁଆ କୁହୁଡ଼ି ପରି କୁଆଡ଼େ ଉଭେଇ ଯିବ ।

ଆଉ ବେଶି ଦିନ ନୁହେଁ । ଆଉ ଅଳ୍ପ ବର୍ଷ କେଇଟା ଭିତରେ ତୋ ପାଠ ପଢ଼ା ସରିଗଲେ ତୋ ଦୁଃଖ କଷ୍ଟ ବି ଦୂରେଇ ଯିବ । ସେ ପର୍ଯ୍ୟନ୍ତ ସମସ୍ତ ଯନ୍ତ୍ରଣା ନିର୍ଯାତନାକୁ ଭଗବାନଙ୍କ ପାଦୁକ ଭାବି ପାଇଦେ । ତୁ ଶୁଖିଲା ପତ୍ର ପରି ହେଲେ ନିନ୍ଦାର ପବନରେ ଉଡ଼ିଯିବୁ । ପଥର ପରି ନିଜକୁ ଟାଣ କଲେ ସମସ୍ତ ବିରୋଧର ଢେଉ ତୋ’ଠାରେ ବାଜି ଚୂନା ଚୂନା ହୋଇଯିବ । କାହାକୁ କିଛି କହନା, ମୋ ମା’ଟା ପରା ।

ଦିନ ପରେ ଦିନ ଗଡ଼ି ଚାଲିଚି । ଜ୍ୟୋତି ପାଠ ପଢ଼ି ଶିକ୍ଷିତ ହୋଇଚି । କାନ କାଟିଲେ ବଚନ ବାହାରୁ ନଥିବା ଜ୍ୟୋତି ଆଜି ବଡ଼ ଚାକିରି କରିଚି । ଯୋଗ୍ୟବର ଦେଖି ବ୍ରାହ୍ମଣ କୁଳରେ ଜ୍ୟୋତିକୁ ବାହା ଦେଇଛନ୍ତି ଜେନାବାବୁ । ଜେନାବାବୁଙ୍କ ଘର ପାଲଟି ଯାଇଛି ଖାଲି ବାପଘର ନୁହେଁ, ଦେବ ମନ୍ଦିର । ହାନିଲାଭ ଭଲ ମନ୍ଦରେ ସବୁଥିରେ ଖୋଜା ଲୋଡ଼ା ଚାଲିଚି । ଆଜି ଜ୍ୟୋତି ମୁହଁରେ ହସ । ତା’ ଜୀବନରେ ଅନ୍ଧକାର ବହୁ ଦୂରକୁ ହଟିଯାଇଚି । ତା’ ମନରେ ଖେଳୁଚି ସୁଖସାଗରର ଢେଉ ।

ଅଜସ୍ର ଆଶିଷରେ ଜ୍ୟୋତି ଆଜି ଆମେରିକାର କାର୍ଲିଫୋର୍ଣ୍ଣିଆରେ ଜଣେ ବୈଜ୍ଞାନିକ । ତା’ର ସ୍ୱାମୀ ଜଣେ ଡାକ୍ତର । ସେଦିନର ସେହି ବାପା ମା’ ଛେଉଣ୍ଡ ଅନାଥ ଜ୍ୟୋତି ଆଜି ମୁଁ ଡଃ. ଜ୍ୟୋତିର୍ମୟୀ ମିଶ୍ର । ସେଦିନର ସେହି ଜେନାବାବୁ ମୋର ପିତା ଅବସର ପ୍ରାପ୍ତ ଓ.ଏ.ଏସ୍. ଅଫିସର୍ । ଦୀର୍ଘ ପାଞ୍ଚ ବର୍ଷ ପରେ ବାପାଙ୍କୁ ଦେଖିବାକୁ ମନଟା ଭାରି ବ୍ୟାକୁଳ ହେଲା । ସାନ ଭାଇ ଭଉଣୀମାନଙ୍କୁ ମଧ୍ୟ ବହୁଦିନ ହେଲା ଦେଖି ନାଇଁ । ମା’ଙ୍କ କଥା ମୋର ବେଶି ମନେ ପଡୁଛି । କୁନୁ ସମସ୍ତଙ୍କ ସହିତ ଫୋନ୍‌ରେ କଥା ହୋଇଚି ହେଲେ କାହାକୁ ଦେଖି ନାଇଁ । ଆଜି ଆମର ମହାମିଳନ ହେବ । ଏତିକି କହିବା ଭିତରେ ଏରୋପ୍ଲେନ୍ ଆସି ଭୁବନେଶ୍ୱର ଏୟାରପୋର୍ଟରେ ଲ୍ୟାଣ୍ଡିଂ କରି ସାରିଥିଲା । ଏ କାହାଣୀ ଶୁଣି ସ୍ତବ୍ଧ ହୋଇଥିବା ସହଯାତ୍ରୀଠୁ ମେଲାଣି ନେଇଥିଲେ ଜ୍ୟୋତି । ଏୟାରପୋର୍ଟରୁ ବାହାରୁ ବାହାରୁ ଜ୍ୟୋତି ସାଙ୍ଗରେ ଥିବା ଛୋଟ ପିଲା କୁନୁକୁ କୁଣ୍ଢାଇ ପକାଇବା ପାଇଁ ଗୋଟିଏ ବଡ଼ ପରିବାରର ହାତ ଲମ୍ୱି ଆସୁଥିଲା । ଆଗରେ ଥିଲେ ଜେନା ବାବୁ. . . ଯାହାଙ୍କୁ ଗ୍ରାଣ୍ଡ ପା’ ଗ୍ରାଣ୍ଡ ପା’ କହି ଜାବୁଡ଼ି ଧରିଥିଲା କୁନୁ. . . ପୂର୍ବ ଦିଗରେ ଉଇଁ ଆସୁଥିଲେ ସୂର୍ଯ୍ୟ ଶୁଭ ସକାଳର କିରଣ ବୁଣି. . . ।

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top