ଗଳ୍ପ

ସଟ୍ –ଡାଉନ୍‌ର ସେ ଅନ୍ଧକାର ରାତି

Rukeya Jabeen's odia story Shut-Down Ra Se Andhakaara Raati

ଯାହା ହଉ ମା ଝିଅ ପାରି ହେଇଗଲେ । ଆଉ ଡର ନାହିଁ ।

ସଟ୍ –ଡାଉନ୍‌ର ସେ ଅନ୍ଧକାର ରାତି

ଏପ୍ରିଲ୍ ମାସ , ଖରା, ଲୋକେ କହୁଛନ୍ତି ଏ ବର୍ଷ କାଳେ ଖରାଟା ସେତେ ବାଧିବନି । ସୁରେୟାର ଝାଳ କିନ୍ତୁ ସୁଖିବାର ନାଁ, ଧରୁନି । ଘଡ଼ିକି ଘଡ଼ି ଓଢଣି ଆଉ ନାଇଟିଟା ଭିଜି ଭିଜି ଯାଉଛି । ତା’ଉପରେ ଏ ଗାଁର ଇଲେକ୍ଟ୍ରିର ଯୋଉ ଅବସ୍ଥା , ଚାରିଟା ବେଳୁ ଯାଇଛି ଯେ ଆସି ରାତି ୧୦ଟା ହେଲାଣି ।

ସୁରେୟା ଦୁଆର ମୁହଁରେ ମଶିଣାଟେ ପାରି ବାହାର ପଟୁ ଆସୁଥିବା ଥିରି ଥିରି ପବନରେ ନିଜକୁ ଆଶ୍ୱସ୍ତ କରିବାକୁ ଚେଷ୍ଟା କରୁଥିଲା । ଚାର୍ଜର ଲାଇଟ୍‌ଟା ଦୁଆର ବନ୍ଧକୁ ଲାଗି ବାରଣ୍ଡାଟକୁ ଆଲୋକିତ କରୁଥିଲା । ଆଜି ଲକ୍‌ଡାଉନକୁ ୩୩-୩୪ ଦିନ ପୁରିଲାଣି , ବାହାରେ ଲକ୍‌ଡାଉନ୍‌କୁ ଗାଁରେ ପୁଣି ସଟ୍ –ଡାଉନ୍ । କଲିକତା ଫେରନ୍ତା ଜଣେ ବ୍ୟକ୍ତି କୋଉଠି କରୋନାର ଶିକାର ହେଇଛନ୍ତି ।

ଗର୍ଭାବସ୍ଥାରେ ଶେଷ ପର୍ଯ୍ୟାୟରେ ଏପରି ଗୋଟେ ପରିସ୍ଥିତିର ସମ୍ମୁଖୀନ ହବାକୁ ପଡ଼ିବ ବୋଲି ସେ କେବେ ଭାବି ନ ଥିଲା । ସ୍ୱାମୀ ତାର ଚେନ୍ନାଇର ଏକ ହୋଟେଲ୍‌ରେ କାର୍ଯରତ । କେତେଥର କହିଛି ନସିମ୍‌କୁ ଘରକୁ ଆସିବାକୁ । ଘରେ କେହି ନାହାନ୍ତି । ଏକାକୀ ମଣିଷ, ମାଉସୀ ସାଙ୍ଗରେ ରହୁଥିଲେ ଯେ ଦେହ ଭଲ ନାହିଁ କହି ଝିଅ ଘରକୁ ଯାଇଛନ୍ତି । ଆସିବେ ଆସିବେ ବୋଲି ଏଇ ଲକ୍‌ଡାଉନ୍ ଯୋଗୁଁ ଆସିପାରୁନାହାନ୍ତି । ଏଭଳି ଏକ ଘଡି ସନ୍ଧି ମୁହୂର୍ତ୍ତରେ ସାଙ୍ଗରେ ଜଣେ ହେଲେ ମଣିଷଟେ ନିଶ୍ଚେ ଦରକାର । କିନ୍ତୁ କଣ କରିବ ସିଏ । ସମସ୍ତ ଲକ୍ଡାଉନ୍‌ରେ ବନ୍ଧା ।

ନସିମ୍ କହୁଥିଲେ ‘ତୁ ବ୍ୟସ୍ତ ହୁଅନା ,ପ୍ରସବର ମାସେ, ଦେଢ ମାସ ଆଗରୁ ସେ ଆସିଯିବେ, ଆଉ ପୁଣି ପଇସା ଦରକାର ଚାରିମାସ ଆଗରୁ ଯାଇ ଘରେ ବସିଲେ ଘର କେମିତି ଚଳିବ ? ତା’ ସହ ଡେଲେଭରି ଟାଇମ୍‌ରେ ଗୁଡାଏ ଖର୍ଚ୍ଚ ଟଙ୍କା କୋଉଠୁ ଆସିବ । ଭାବିଥିଲା ମାର୍ଚ୍ଚ ୨୦-୨୫ ଆଡକୁ ଆସିଲେ ଚଳିବ । କିନ୍ତୁ କରୋନା ଯେ ଠିକ୍ ସେହି ସମୟରେ କାୟା ବିସ୍ତାର କରିବ କିଏ ଜାଣିଥିଲା । ମାର୍ଚ୍ଚ ୨୨ରୁ ଆସି ଏପ୍ରିଲ୍ ୨୪ ହେଲାଣି ଗାଡିି ମଟର ସବୁ ବନ୍ଦ । ଗାଁରେ ସଟ୍‌ଡାଉନ୍ ଯୋଗୁଁ ପୁଣି ତା ବାପଘରୁ ମଧ୍ୟ କେହି ଆସି ପାରୁନାହାନ୍ତି ।

ଭାଇ ତା’ର ଆଗକୁ କହୁଥିଲେ ‘ସବୁ କ’ଣ ବନ୍ଦ୍ ବାନ୍ଦ ହବାର ଅଛି ତୁ ଚାଲିଆସ ’

ସୁରେୟା କହିଥିଲା ନାଇଁ ମ ଭାଇ ଏଇତ ସପ୍ତାହେଟାର କଥା । ଆରାମ୍‌ରେ କଟିଯିବ ତମେ ଜମାରୁ ବ୍ୟସ୍ତ ହୁଅନି । ସାତଦିନ ପରେ ଲକ୍‌ଡାଉନ୍ କ‘ଣ ଖୋଲିଯିବନି ? ଭାଇଙ୍କ ଘର ଏଠୁ ୧୬୦ କଲୋମିଟର ଦୂର । ଏ ଅବସ୍ଥାରେ ଏତେ ଦୂର ଯିବାଟା କ’ଣ ସହଜ କଥା । ଆଉ ପୁଣି ଦିନ କେଇଟାରେ ନସିମ୍ ଆସିଯିବେ । ପଇସା ପତ୍ର କଥା । ସେଠିଯାଇ ଭାଇଙ୍କୁ କଷ୍ଠ ଦବାକୁ ସେ ଚାହୁଁ ନଥିଲା ।

ସୁରେୟା ମନରେ ସବୁ କଥା ଘୁରି ବୁଲୁଥିଲା । ରାତି ବଢିବା ସହ ଅନ୍ଧକାର ତା’ର ଡେଣା ପ୍ରସାରିବାକୁ ଲାଗିଥିଲା । ନିର୍ଜନତା ଭିତରେ ପଡିସା ଘର କୁକୁରଟାର ଯାହା ରଡ଼ି ଶୁଣୁଥିଲା । ୟା ଭିତରେ ଧିରେଧିରେ ସେ ପ୍ରସବର ପିଡାକୁ ଅନୁଭବ କରିବାକୁ ଲାଗିଥିଲା । ଅଣ୍ଟା ପିଠି ତାର ବ୍ୟଥାରେ ଫାଟି ପଡୁଥିଲା । ଝାଳରେ ନାଇଟିଟା ପୁରାପୁର ତିନ୍ତି ଯାଇଥିଲା ସତେ ଯେପରି ସେ ପୋଖରୀରେ ସଜ ବୁଡ ପକେଇ ଆସିଛି ।

ହଠାତ୍ ଫୋନ୍‌ଟା ବାଜି ଇଠିଲା । କଷ୍ଟେମଷ୍ଟେ ସେ ଫୋନ୍‌ଟା ରିସିଭ କଲା ସେ ପଟୁ ନସିମ୍‌ର ସ୍ୱର ଭାସିଉଠିଲା । “କ’ଣ ଏ ଯାଏଁ ଶୋଇନୁ ? ଖାଇଲୁଣି ? ଲାଇନ୍ ଆସିଲାଣି ? ”

ସୁରେୟାର କଣ୍ଠସ୍ୱର ଯେପରି ପ୍ରକମ୍ପିତ ହେଇଉଠୁଥିଲା ତା’ ଓଠରୁ ଶବ୍ଦ ବାହାରୁନଥିଲା । ବାସ୍ ଆଖିରୁ ଲୁହର ଧାର ବହି ଚାଲିଥିଲା ।

ନସିମ୍ ପୁଣି ପଚାରିଲା “କ’ଣ କିଛି କହୁନୁ ? କ’ଣ ହେଇଛି ? ଦେହ ଭଲ ଲାଗୁଛି ଟି ? ଯଦି ଭଲ ନ ଲାଗୁଛି କହ ପଡିସା ଘର ସବିନା ଭାବିଙ୍କୁ ଫୋନ୍ କରିଦେବି ସେ ତତେ ମେଡିକାଲ ନେଇଯିବେ । ”

କ୍ଷୀଣ ସ୍ୱରରେ ସୁରେୟା । ଏତିକି କହିପାରିଲା “ ନା ଭଲଲାଗୁନି , ଭାଭିଙ୍କୁ ଟିକେ ଡାକିଦିଅ ।”

ନସିମ୍ ସବୁକିଛି ବୁଝି ପାରୁଥିଲା । ନଜରଠୁ ଦୂରେ ଥିଲେ କ’ଣ ହେଲା । ମନଟା ତାର ଏଠି, ସେ ଆଶ୍ୱସ୍ତି ଦେଇ କହିଲା “ମୁଁ ଏଇ ସଙ୍ଗେ ସଙ୍ଗେ ସବିନା ଭାଭି ଆଉ ରଫିକ୍‌ ଭାଇଙ୍କୁ ଫୋନ୍‌ କରୁଛି ତୁ ଜମାରୁ ବ୍ୟସ୍ତ ହଅନା ତୁ ହିମ୍ମତ୍ ରଖ । ତୁ ଖାଲି ଆଲ୍ଲାଙ୍କୁ ଡାକ୍ ତୋର କିଛି ହବିନି । ଫୋନ୍‌ଟା କଟିଗଲା ।

ଅଳ୍ପ ସମୟ ଭିତରେ ଭାଇ ଭାଉଜ ଆସି ପହଞ୍ଚି ଗଲେ । ରଫିକ୍ ଭାଇ କହିଲେ “ମୁଁ ୧୦୪ କୁ ଫୋନ୍ କରୁଛି । ମେଡିକାଲ୍ ନେଇ ଯିବା ।”

କିଛି ସମୟ ଫୋନ୍‌ରେ ବ୍ୟସ୍ତ ରହିବା ପରେ ରଫିକ୍ ଭାଇ ଆସି କହିଲେ “ଆଖ ପାଖ ଅଞ୍ଚଳରେ କୈାଣସି ଆମ୍ବୁଲାନସ୍” ଆଭେଲେବଲ୍ ନାହିଁ । ସବୁ ବ୍ୟସ୍ତ । ୧୦୮ କୁ ମଧ୍ୟ ଖବର କରିସାରିଲିଣି । କିନ୍ତୁ କେହି ଆସିବାକୁ ରାଜି ନୁହନ୍ତି । କହୁଛନ୍ତି ବାହାରେ ଅଛନ୍ତି ।”

ସବିନା କହିଲା “ଆଶା ଦିଦିଙ୍କୁ ଟିକେ ଫୋନ୍ କଲେ ହୁଅନ୍ତାନି ?”

ରଫିକ୍ ସୁରେୟାଠୁ ନମ୍ବର ନେଇ ସଙ୍ଗେ ସଙ୍ଗେ ଦିଦିଙ୍କୁ ଫୋନ୍ ଲଗାଇଲା । କିନ୍ତୁ ଫୋନ୍‌ ସ୍ଵିଚଡ଼୍‌ ଅଫ୍ ।

ଶେଷରେ ରଫିକ୍ ସବିନାକୁ କହିଲା “ତୁ ଏଇଠି ବୋହୁ ପାଖାରେ ଥା ମୁଁ ଗାଁ ମୁଣ୍ଡରେ ଯେଉଁ ପୋଲିସ୍ ଜଗିଛନ୍ତି ତାଙ୍କ ପାଖକୁ ଯାଇ ଦେଖେଁ କିଛି ବାଟ ବାହାରିଯାଇ ପାରେ । ସାଇକେଲ୍‌ଟି ନେଇ ସେ ସେଠୁ ବାହାରିଗଲା ।”

କିଛି ସମୟ ପରେ ରଫିକ୍ ନିରାଶ୍ ହେଇ ଫେରିଲା ସଟ୍‌ଡାଉନ୍ ଏରିଆ କେହି ଆସିବାକୁ ରାଜି ନୁହନ୍ତି । ପୋଲିସ୍‌ବାଲା ଦି’ଟା ଫୋନ୍ କରି ନୟାନ୍ତ ହେଲେ ସବୁ ନିସ୍ଫଳ ସମସ୍ତଙ୍କର ସେହି ଏକା ଉତ୍ତର “ଆମେ ବାହାରେ ଅଛୁ ।” ଏବେ ଆଲ୍ଲା ହିଁ ସାହାରା ” ।

ସୁରେୟାର କଷ୍ଟ ବଢି ବଢି ଚାଲିଥିଲା । ଦାନ୍ତ ଚିପି କଷ୍ଟଟାକୁ ଯେତେ ପିଇଯିବାକୁ ଚେଷ୍ଟା କଲେବି ମଝିରେ ମଝିରେ ଏତିକି ବାହାରି ଯାଉଥିଲା “ଆଲ୍ଲାହ୍ …….” ।

ସବିନା ମୁଣ୍ଡକୁ ବୁଦ୍ଧି ଦିଶୁ ନଥିଲା ରାତି ଆସି ସାଢେ ଦୁଇଟା । ହଠାତ୍ ତା’କୁ ମନେ ପଡିଲା ଗୁଲସନ୍ ଦାଦିଙ୍କ କଥା ବୟସ୍କା ବୃଦ୍ଧ । ଆଗରୁ ଗାଁ ଗଣ୍ଡାରେ ସ୍ତ୍ରୀ ଲୋକମାନଙ୍କୁ ପ୍ରସବ କରାଉଥିଲେ । ଏବେ ବୟସ ହେଇଗଲାଣି ତା ‘ ସହ ସରକାରୀ ମେଡିକାଲରେ ଅନେକ୍ ସବୁଧା । ସେ ଆଉ ଏସବୁ କରୁନାହାନ୍ତି । ହେଲେ ଏ ବେଳାରେ ସେ ହିଁ କିଛି କରିପାରିବେ । ସବିନା ସଙ୍ଗେ ସଙ୍ଗେ ରଫିକ୍‌କୁ କହି ଦାଦିଙ୍କୁ ଡକେଇ ପଠେଇଲ ।

କିଛି ସମୟ ପରେ ଗୁଲସନ୍ ଦାଦି ତାଙ୍କ ବୋହୁ ସହ ସ୍କୁଟିରେ ଆସି ପହଞ୍ଚିଗଲେ । କିନ୍ତୁ ତାଙ୍କୁ ଆଉ ଆଗ ଭଳି ଦିଶୁ ନ ଥିଲା । ପୁଣି ରାତି ସମୟ ଲାଇନ୍‌ଟା କଟିଛି ଯେ ଏ ଯାଏଁ ଆସିବାକୁ ନାହିଁ ।

ଗୁଲସନ୍ ଦାଦିଙ୍କ ହାତଧରି ବୋହୁଟା ତାଙ୍କର ଘର ଭିତରେକୁ ନେଇ ଗୋଟେ ଚେୟାର୍‌ରେ ବସେଇ ଦେଲା ।

ଦାଦି କହିଲେ “ଆଉ ମୋ ଆଖିକୁ ଭଲରେ ଦିଶୁନି ଲୋ ସବିନା, ମୁଁ ଯେମିତି କହୁଛି ତୁ ସେମିତି ସେମିତ କର ନିଜ ବୋହୁକୁ ଇସାରା ଦେଇ କହିଲେ ତୁ ଟିକେ ତାକୁ ସାହାଯ୍ୟ କର”

ଭୋର୍ ଚାରିଟା ବାଜି ୧୫ ମିନିଟ୍ ପାଖାପାଖି ସୁକ୍ଷ୍ମା କ୍ରନ୍ଦନ ସ୍ୱରଟେ ଅନ୍ଧକାରକୁ ଚିରି ଚଉଦିଗେ ଖେଳିଗଲା । ଗୁଲସନ୍ ଦାଦି ଦୀର୍ଘ୍ୟ ଶ୍ୱାସଟେ ଛାଡ଼ି କହିଲେ । ସବୁ ଆଲ୍ଲାର ମେହେରବାନି । ଯାହା ହଉ ମା ଝିଅ ପାରି ହେଇଗଲେ । ଆଉ ଡର ନାହିଁ ।

ଲୋକପ୍ରିୟ ଲେଖା

To Top