ଗଳ୍ପ

ସିନ୍ଧୁଜା

T.Durga Prasad Rao's odia story Sindhujaa

ମୋତେ ଭଲପାଇବା ବେଳକୁ ତ ଖୁବ୍ ସାହସ ଥିଲା । ବଡ଼ ଜୋର୍ କରି ଭିଡ଼ି ନେଉଥିଲ ନିଜ ଆଡ଼କୁ ?

ସିନ୍ଧୁଜା

ଗାଁରେ ସମସ୍ତେ ଜାଣନ୍ତି ଆକାଶ ଖୁବ୍ ଭଲ ପଢ଼େ। କ୍ଳାସ୍‌ରେ ଫାଷ୍ଟ୍ । ତା ସହିତ ଜଣେ ଷ୍ଟ୍ରିକ୍ଟ୍‌ଟ୍ୟୁଟର୍ । ତା ଟ୍ୟୁସନ୍‌ରେ ଷ୍ଟୁଡେଣ୍ଟ୍‌ର ନିଶ୍ଚିତ ଇମ୍ପ୍ରୁଭ୍‌ମେଣ୍ଟ୍ ପ୍ରତି ଅଭିଭାବକଙ୍କୁ ବାଧ୍ୟ କରେ ତାଙ୍କ ପିଲାପାଇଁ ଆକାଶକୁ ଟ୍ୟୁଟର୍ ରୂପେ ବାଛିବାକୁ । ବର୍ଷ ଆରମ୍ଭରୁ ହିଁ ଅଭିଭାବକମାନଙ୍କ ଅନୁରୋଧର ସୁଅ ଛୁଟେ ତା ପାଖକୁ ତାଙ୍କ ପିଲା ପାଇଁ ଟ୍ୟୁଟର୍ ଭାବରେ ପାଇବାକୁ । ଆକାଶ କେବଳ ଗୋଟିଏ ଦୁଇଟି ପିଲାକୁ ତା ଷ୍ଟୁଡେଣ୍ଟ୍ ଭାବରେ ଗ୍ରହଣ କରେ। କାରଣ ଟ୍ୟୁସନ୍ ବାଦ୍ ତା ନିଜର ମଧ୍ୟ ପଢ଼ାପଢ଼ି ଥାଏ । ଆକାଶ ତାର କଲେଜ୍ କ୍ୟାରିୟରର ପ୍ରଥମ ବର୍ଷରୁ ହିଁ ଆରମ୍ଭ କରି ଦେଇଥିଲା ହାଇସ୍କୁଲ୍ ପିଲାଙ୍କୁ ପଢ଼ାଇବା ।

ଆକାଶର ପରିବାର ଏତେଟା ସ୍ୱଚ୍ଛଳ ନୁହଁ । ବାପା ତାର ଅନ୍ୟର ଜମିରେ ଚାଷବାସ କରି ବର୍ଷ ଶେଷରେ ଫସଲ ବିକ୍ରୟ କରି ଯାହା ଦୁଇ ପଇସା ନିଜ ଭାଗ ବାବଦକୁ ପାଆନ୍ତି ସେଇଥିରେ ଚଳେ ତାଙ୍କ ପରିବାର । ଅନ୍ୟ ଦିନମାନଙ୍କରେ ଗାଁର ବିଶିଷ୍ଟ ଧନୀ ବାଙ୍କବିହାରୀବାବୁଙ୍କ ତୋଟା, ପୋଖରୀ ଜଗନ୍ତି । ବାଙ୍କବିହାରୀଙ୍କ ଖୁବ୍ ବିଶ୍ୱସ୍ତ ଲୋକ ତାର ବାପା ମଦନ ମୋହନ । ଆକାଶର ମାଆ ଘରକରଣା ସମ୍ଭାଳନ୍ତି । କାମଧାମ ସକାଶେ ଜମାରୁ ବାହାରକୁ ଗୋଡ଼ କାଢ଼ନ୍ତିନି । ଆକାଶର ବାପାଙ୍କ ଭାରି ତାଗିଦ୍ ସେଥିପାଇଁ । ମୁଁ ରୋଜଗାର କରୁଛି ନା, ତମର ବାହାରିବା କଣ ଦରକାର ? ଯାହା ଯେତିକି ଆୟ ସେଇଥିରେ ଚଳେଇନେବା ଆମ ପରିବାର । ଗୋଟିଏ ତ ପୁଅ । ତା ବି ଭଲ ପଢ଼ୁଛି । ସଞ୍ଚୟ ଆମର କଣ ହେବ ? ପୁଅର ଦୁଇଟିରୁ ଅଧିକ ଟ୍ୟୁସନ୍ ହେଲେ ଭାରି ବିଗିଡ଼ି ଯାଆନ୍ତି । କହନ୍ତି, ତୁ ଖାଲି ପଢ଼େଇବୁ ଯଦି ନିଜେ ପଢ଼ିବୁ କେତେବେଳେ ?

ସେ ସମୟରେ ଆକାଶର ଯୁକ୍ତ ତିନି ପ୍ରଥମ ବର୍ଷ ବିଜ୍ଞାନ । ସାଇକେଲ୍‌ରେ ଯିବା ଆସିବା କରେ ସାତ କିଲୋମିଟର ଦୂର କଲେଜକୁ । ସକାଳ ନଅଟାରେ ବାହାରେ, ଫେରେ ପାଞ୍ଚଟା ପାଖା ପାଖି । ତାପରେ ଆରମ୍ଭ ହୁଏ ତାର ଟ୍ୟୁସନ୍ ପର୍ବ । ସେ ବର୍ଷ ଦୁଇଟି ଟ୍ୟୁସନ୍‌ର ସମୟ ଦେଇ କେବଳ ଗୋଟିଏ ଷ୍ଟୁଡେଣ୍ଟ୍ । ତା ବି ବାଙ୍କବିହାରୀଙ୍କ କେବଳ ମାତ୍ର କନ୍ୟା ସିନ୍ଧୁଜା । ଦଶମ ଶ୍ରେଣୀରେ ପଢ଼େ । ସାଧାରଣତଃ ଝିଅମାନଙ୍କୁ ପଢ଼ାପଢ଼ିରେ ଏତେ ଗୁରୁତ୍ୱ ଦିଆ ଯାଉନଥିଲା ସେ କାଳରେ । ତେଣୁ ଏତେ ଦିନ ଗାଁରେ ଆକାଶ କେବଳ ପୁଅ ଷ୍ଟୁଡେଣ୍ଟ୍‌ମାନଙ୍କୁ ହିଁ ପଢ଼ାଉଥିଲା । ମ୍ୟାଟ୍ରିକ୍ ବୋର୍ଡ୍ ପରୀକ୍ଷା ଥିବାରୁ ବାଙ୍କବିହାରୀବାବୁ ବାପାଙ୍କ ଜରିଆରେ ଅନୁରୋଧ କରିଥିଲେ ଆକାଶକୁ ତାଙ୍କ ଘରେ ଯାଇ ଦୁଇ ଘଣ୍ଟା ସିନ୍ଧୁଜାକୁ ପଢ଼ାଇବା ଲାଗି । ଆକାଶ ଝିଅମାନଙ୍କ ନିକଟରେ ଭାରି ଲାଜକୁଳା । ସେ ଠିକ୍ ଭାବରେ ଝିଅମାନଙ୍କୁ ଆଖି ଉଠେଇ ଚାହିଁ ପାରେ ନାହିଁ । ପଢ଼ାଇବା ତ ଦୂରର କଥା । ବାଙ୍କବିହାରୀଙ୍କ ଝିଅ ନ ହୋଇଥିଲେ ସେ ନିଶ୍ଚୟ ଏଡ଼େଇ ଯାଇଥାନ୍ତା ।

ଆକାଶ ପ୍ରତି ସନ୍ଧ୍ୟାରେ ବାଙ୍କବିହାରୀଙ୍କ ଘରେ ପହଞ୍ଚେ । ପ୍ରଥମ ବଡ଼ ରୁମ୍ ପରେ ଛୋଟ ରୁମ୍‌ଟିଏ ଷ୍ଟଡ଼ି ରୁମ୍ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥାଏ । ଯେତେବେଳେ ବି ଆକାଶ ପହଞ୍ଚେ, ସିନ୍ଧୁଜା ପ୍ରଥମ ଘରେ ବସି ଟିଭି ଦେଖୁଥାଏ । ଆକାଶକୁ ଦେଖିଦେଲେ ତର ତର ହୋଇ ଷ୍ଟଡ଼ି ରୁମ୍‌ରେ ପହଞ୍ଚି ବହି ଧରି ବସିଯାଏ । ସିନ୍ଧୁଜା ଥିଲା ଏଭରେଜ୍ ଷ୍ଟୁଡେଣ୍ଟ୍ । ତାକୁ ପଢ଼ାଇବା ଆକାଶ ପାଇଁ ଥିଲା ଏକ ଏଭରେଷ୍ଟ୍ ଚଢ଼ିବା ଯେତିକି ଚ୍ୟାଲେଞ୍ଜ୍ । କାରଣ ସିନ୍ଧୁଜାର ବହି ଧରି ବସିବାରେ ଆଗ୍ରହ କମ୍ । ପଢ଼ିଲେ କିନ୍ତୁ ପାଠ ହୁଏ ସିନ୍ଧୁଜାର । ତା ବାପାଙ୍କର ତାଗିଦ୍, ଯେମିତି ହେଲେ ସିନ୍ଧୁଜା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାକୁ ହେବ । ଆକାଶ ସିନ୍ଧୁଜା ଆଡ଼କୁ ନ ଚାହିଁ ବହି ଧରି ପଢ଼େଇ ବସେ । ସିନ୍ଧୁଜାକୁ ସାମ୍ନାରେ ବସିବାକୁ ମନା କରେ । ଚେୟାର୍ ପାର୍ଶ୍ୱରେ ହିଁ ବସେ ସିନ୍ଧୁଜା । ପଢ଼େଇବା ସମୟରେ ସିନ୍ଧୁଜା କଣ କରେ ନଜର ନ ଥାଏ ଆକାଶର । ଭାରି ନର୍ଭସ୍ ଫିଲ୍ ହେଉଥାଏ ଆକାଶକୁ । ତାକୁ ଲାଗେ ତା ପାଠପଢ଼ାରେ ସିନ୍ଧୁଜା ଆହୁରି ଆହୁରି ଡିଗ୍ରେଡ୍ ହୋଇ ଯାଉଛି । ଏମିତି ଚାଲିଲେ ପ୍ରଥମ ଶ୍ରେଣୀ ତ ନୁହେଁ ସିନ୍ଧୁଜାର ପାସ୍ ହେବା ଅସମ୍ଭବ ହୋଇପଡ଼ିବ । ଆକାଶ ବଡ଼ କଷ୍ଟରେ କଥାଟା ଦିନେ ମାଆଙ୍କୁ କହିଲା । ଆଉ ଏକଥା ବି କହିଲା ଯେ ସେ ଆଉ ଯିବ ନାହିଁ ଟ୍ୟୁସନ୍ ପଢ଼ାଇବାକୁ ସିନ୍ଧୁଜା ଘରକୁ । ଆକାଶର କଥା ଶୁଣି ମାଆ ମୁରୁକି ମୁରୁକି ହସିଲେ । ଆକାଶର ଲାଜୁରା ସ୍ୱଭାବ ସହିତ ସେ ଗାଡ଼େ ଗାଡ଼େ ପରିଚିତ । ତେଣୁ ତାକୁ ସାହସ ଦେବାକୁ କହିଲେ, ଏତେ ବଡ଼ ଟୋକା ଗୋଟିଏ ଝିଅକୁ ଡରୁଛୁ ? ତୁ କାହିଁକି ଝିଅ ପୁଅରେ ପ୍ରଭେଦ ଦେଖୁଛୁ ଯେ । ପୁଅମାନଙ୍କୁ ଯେମିତି ପଢ଼ଉଥିଲୁ ୟାକୁ ମଧ୍ୟ ସେମିତି ପଢ଼େଇବୁ । ଅନ୍ୟମାନଙ୍କୁ ଯେମିତି ନାଲି ଆଖି ଦେଖେଇ, ଧମକେଇ ପାଠ ଆଦାୟ କରୁଥିଲୁ ସିନ୍ଧୁଜାର ଭୁଲ୍ ହେଲେ ସେମିତି ଡରେଇ ଧମକେଇ ପଢ଼େଇବୁ । ମୋ ପୁଅ ହୋଇ ତୁ ଗୋଟିଏ ଝିଅ ପାଖରେ ହାର୍ ମାନିଗଲୁ ? ସିନ୍ଧୁଜାର ବାପା କଣ ଭାବିବେ ? ଆକାଶ କ୍ଷଣିକ ପାଇଁ ଚିନ୍ତାଗ୍ରସ୍ତ ହୋଇଗଲା । ସିନ୍ଧୁଜାର ବାପା କଣ ଭାବିବେ, ସେ ତ ପଛ କଥା । ଆକାଶର ବାପା ଆକାଶର ଏତାଦୃଶ ମନୋଭାବରେ ନିଶ୍ଚିତ ଭାବରେ କିଛି ଭଲ ଭାବନା ରଖିବେ ନାହିଁ ।

ଆକାଶ ମନକୁ ଦୃଢ଼ କଲା । ଏବେ ସିନ୍ଧୁଜା ଆକାଶର ଚୌକି ସାମ୍ନାରେ ବସିଲା । ତାର ପ୍ରତିଟି ଗତିବିଧି ଉପରେ ନଜର ରଖିଲା ଆକାଶ । ଟାସ୍କ୍ ଦେଇ ଅନେଇ ରହିଲା, ସିନ୍ଧୁଜା ସମୟ ନଷ୍ଟ ନ କରି ଟାସ୍କ୍ ସମ୍ପୂର୍ଣ୍ଣ କରୁଛି କି ନା । ଅବୁଝା ରହିଲେ ଚୌକିରୁ ଓହ୍ଲାଇ ସପ ଉପରେ ବସୁଥିଲା । ପାଖରେ ବସି ଅଙ୍ଗୁଳି ଦେଖାଇ ବୁଝେଇ ଦେଉଥିଲା ଗୋଟି ଗୋଟି କରି । ସିନ୍ଧୁଜାର ପଢ଼ାପଢ଼ିରେ ଅନିଚ୍ଛା ବଢ଼ୁଥିଲା ବେଳକୁ ବେଳ । ସେ ଇତସ୍ତତଃ ହେଉଥିଲା । ଛାଟିପିଟି ହେଉଥିଲା କିଛି ବି ବାହାନା କରି ପଢ଼ାପଢ଼ିରୁ ଖସି ଯିବାକୁ । ଦିନେ ଆକାଶ ବିରକ୍ତିରେ ମ୍ୟାଥ୍ ପୁସ୍ତକଟିକୁ ଫୋପାଡ଼ି ଦେଲା ସିନ୍ଧୁଜା ମୁହଁ ଉପରକୁ । ଆଉ ସଙ୍ଗେ ସଙ୍ଗେ ଉଠି ଚାଲି ଆସିଲା ନିଜ ଘରକୁ ।

ଦିନେ ଗଲା, ଦୁଇଦିନ ଗଲା । ଆକାଶ ଆଉ ଗଲାନାହିଁ ସିନ୍ଧୁଜା ଘରକୁ । ତୃତୀୟ ଦିନ ସିନ୍ଧୁଜାର ମାଆ ସିନ୍ଧୁଜାକୁ ଧରି ପହଞ୍ଚି ଗଲେ ଆକାଶ ଘରେ । ଆକସ୍ମିକ ସିନ୍ଧୁଜାର ମାଆଙ୍କୁ ନିଜ ଘରେ ଦେଖି ଆକାଶ ଆଉ ବାଟ ପାଇଲା ନାହିଁ । ଆକାଶର ମାଆ ସପଟିଏ ପକାଇ ବସିବାକୁ ଅନୁରୋଧ କଲେ ଦୁହିଁଙ୍କୁ । ସିନ୍ଧୁଜା ମୁଣ୍ଡରେ ହାତ ବୁଲେଇ ଦେଇ କହିଲେ, କେଡ଼େ ସୁନ୍ଦର ଦିଶୁଛି ମୋ ମା । ଠିକ୍ ରାଜକୁମାରୀଟିଏ ପରି । ହେଲେ, ତୋର ଏ ଆଖି କାହିଁକି ଫୁଲିଛି ? ସିନ୍ଧୁଜା ନିରୁତ୍ତର ରହିଲା । ପ୍ରତି ବଦଳରେ ସିନ୍ଧୁଜାର ମାଆ ଉତ୍ତର ଦେଇ କହିଲେ, ଆକାଶ ଆମ ଘରକୁ ନ ଯିବା କାରଣ ଜାଣି ତା ବାପା ଆଜି ତାକୁ ଖୁବ୍ ଗାଳିଗୁଲଜ କରିଛନ୍ତି । ସେଇଥିପାଇଁ ବିଚାରୀ ସକାଳୁ କାନ୍ଦୁଛି । ତାକୁ ବୁଝେଇ ସୁଝେଇ ନେଇ ଆସିଛି ଏଇଠିକି । ମୁଁ ଆକାଶକୁ ଅନୁରୋଧ କରିବିନି ସିନ୍ଧୁଜାକୁ ପଢ଼େଇବା ଲାଗି । ସିନ୍ଧୁଜା ସତରେ ଯଦି ମନ ଲଗେଇ ପଢ଼ିବ ବୋଲି ଭାବୁଛି, ସେ ନିଜେ ଆକାଶକୁ ଡାକି ନେଉ । ସିନ୍ଧୁଜା କିନ୍ତୁ ମୁହଁ ପୋତି ବସିଥିଲା । ତା ହାବଭାବରୁ ମନେ ହେଉଥିଲା ସେ ଅନୁତପ୍ତ । ସତେ ଯେମିତି କହିବାକୁ ଚାହୁଁଛି, ଏଣିକି ସେ ଖୁବ୍ ମନ ଲଗେଇ ପଢ଼ିବ । ଆକାଶକୁ ଅଭିଯୋଗର ତିଳେ ମାତ୍ର ସୁଯୋଗ ଦେବନାହିଁ । ସିନ୍ଧୁଜାକୁ ଆଉ ଅଧିକ ପଶ୍ଚାତାପ ଭାରରେ ନଇଁବାକୁ ନ ଦେଇ ଆକାଶ ପାଟିରୁ ବାହାରି ଆସିଲା, ବଡ଼ମା, ତମେ ଯାଅ, ମୁଁ କାଲିଠୁ ଆସିବି ।

ସିନ୍ଧୁଜା ଏବେ ମନ ଲଗେଇ ପଢ଼ୁଥିଲା । ଆକାଶର ପ୍ରତି କଥାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରୁଥିଲା । ଅନେକ ରାତି ଯାଏଁ ପଢ଼ାପଢ଼ିରେ ମନୋନିବେଶ କରି ଆକାଶ ଦେଇଥିବା ଟାସ୍କ୍ ସବୁ ସାରୁଥିଲା । ଫଳସ୍ୱରୂପ ଟେଷ୍ଟ୍‌ରେ ସବୁପିଲାଙ୍କୁ ପଛରେ ପକାଇ ଶ୍ରେଣୀରେ ପ୍ରଥମ ହେଲା ସିନ୍ଧୁଜା । ପରୀକ୍ଷା ଫଳ ବାହାରିବା ଦିନ ସ୍କୁଲରେ ଓ ଘରେ ସମସ୍ତଙ୍କ ପ୍ରଶଂସା ସାଉଁଟି ଖୁବ୍ ଖୁସି ଜଣା ପଡ଼ୁଥିଲା ସିନ୍ଧୁଜା । ହସନ୍ତ ମୁଖ ତାର ବେଳକୁ ବେଳ ଉଜ୍ଜଳ ଓ ସୁନ୍ଦର ଦିଶିଥିଲା ଆକାଶ ଆଖିକୁ । ସେଦିନ ଆକାଶ ଟ୍ୟୁସନ୍ ସାରି ଫେରିବା ବେଳକୁ ନିଜକୁ ଅଟକାଇ ନ ପାରି ଗେଲରେ ସିନ୍ଧୁଜା ଗାଲରେ ଆଙ୍କି ଦେଇଥିଲା ଚୁମ୍ବନଟିଏ ।

ଆକାଶର ଭଲପାଇବା ପାଇଲା ପରେ ସିନ୍ଧୁଜାର ଆତ୍ମବିଶ୍ୱାସ ଆହୁରି ବଢ଼ି ଯାଇଥିଲା । ତା ମନରେ ମଧ୍ୟ ଆକାଶ ପ୍ରତି ଅଙ୍କୁରିତ ହୋଇଥିଲା ଭଲପାଇବାର ବୀଜ । ପ୍ରେମ ଆଉ ଭଲପାଇବା ମଣିଷକୁ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ କରିବାକୁ ଯେ ଶକ୍ତି ଓ ସାମର୍ଥ୍ୟ ଯୋଗାଏ ଏକଥା ପ୍ରମାଣିତ କରିଥିଲା ସିନ୍ଧୁଜା । ଆକାଶର ଆଶା ଠାରୁ ଅଧିକ ନମ୍ବର ରଖି ଆଶ୍ଚର୍ଯ୍ୟ କରି ଦେଇଥିଲା ସମସ୍ତଙ୍କୁ । ସିନ୍ଧୁଜାର ବାପା ଖୁବ୍ ଖୁସି ଥିଲେ ମ୍ୟାଟ୍ରିକ୍ ପରୀକ୍ଷାର ଫଳାଫଳରେ ।

ଅଧିକ ପଢ଼ାଇବା ଉଦ୍ଦେଶ୍ୟରେ ସିନ୍ଧୁଜାକୁ ତାର ମାମୁଁ ଘର ସହରକୁ ପଠାଇଦେଲେ ବାଙ୍କବିହାରୀବାବୁ । ସେଇଠି ଥାଇ ଯୁକ୍ତ ଦୁଇ ବିଜ୍ଞାନରେ ପଢ଼ାପଢ଼ି କଲା ସିନ୍ଧୁଜା । ଛୁଟିରେ ଘରକୁ ଆସିଲେ ବହିଟିଏ ନେଇ ପହଞ୍ଚିଯାଏ ଆକାଶ ଘରେ । ଆକାଶକୁ ନିକଟରୁ ଦେଖିବାର ମୋହରୁ ବର୍ତ୍ତି ପାରୁନଥାଏ ସିନ୍ଧୁଜା । ଆକାଶ ମଧ୍ୟ ଚାତକ ପରି ଚାହିଁ ରହିଥାଏ ସିନ୍ଧୁଜାର ଗାଁକୁ ଫେରିବା ବାଟକୁ । ଆକାଶର ମାଆ ସିନ୍ଧୁଜାକୁ ଖୁବ୍ ସ୍ନେହ କରନ୍ତି । ନିଜ ହାତରେ ବଳେଇ ବଳେଇ ଖୁଆଇ ଦିଅନ୍ତି ଆକାଶ ଖାଇ ବସିଥିବା ପଖାଳ କଂସାରୁ ଦି ଗୁଣ୍ଡା । ନିଜ ଘରର ଭଳିକି ଭଳି ସ୍ୱାଦିଷ୍ଟ ବ୍ୟଞ୍ଜନ ଅପେକ୍ଷା ଆକାଶର ମାଆଙ୍କ ହାତରୁ ପଖାଳ ଦୁଇ ଗୁଣ୍ଡାକୁ ପରମ ତୃପ୍ତିର ସହ ଖାଇ ନେଇ ତାଙ୍କରି ପଣତରେ ମୁହଁ ପୋଛି ନିଏ ସିନ୍ଧୁଜା ।

ସିନ୍ଧୁଜାକୁ ନେଇ ସ୍ୱପ୍ନ ଦେଖନ୍ତି ଆକାଶର ମାଆ । ଆହା, ସିନ୍ଧୁଜା ପରି ଗୁଣର ଝିଅଟିଏ ଯଦି ତାଙ୍କର ବୋହୁ ହୋଇ ଆସନ୍ତା, କେତେ ଭଲ ହୁଅନ୍ତା ସତରେ ! ନିଜ ଝିଅ ପରି ସ୍ନେହ ଅନୁବନ୍ଧନରେ ବାନ୍ଧି ରଖନ୍ତେ ତାକୁ । ତାଙ୍କର ଝିଅ ନ ଥିବାର ଅଭାବବୋଧ ଅଚିରେ ଦୂର ହୋଇ ଯାଆନ୍ତା । ମାଆଙ୍କ ସ୍ୱପ୍ନର ଟେର୍ ପାଏନି ଆକାଶ । ସେ ବରଂ ସିନ୍ଧୁଜା ପ୍ରତି ନିଜର ଭଲପାଇବାକୁ ଯଥାସମ୍ଭବ ମାଆଙ୍କଠାରୁ ଲୁଚାଇ ରଖିବାକୁ ଚେଷ୍ଟା କରେ ।

ଦିନ ଗଡ଼ି ଚାଲିଲା । କଥାଟା କିନ୍ତୁ ବେଶୀ ଦିନ ଲୁଚି ପାରିଲା ନାହିଁ । ଧରା ପଡ଼ି ଯାଇଥିଲା ସିନ୍ଧୁଜା ମାଆଙ୍କ ଆଖିରେ । ସେଦିନ ସିନ୍ଧୁଜାକୁ ଡାକିବାକୁ ଆସି ଆକାଶର ବାହୁବନ୍ଧନରେ ଆବିଷ୍କାର କଲେ ସିନ୍ଧୁଜାକୁ । ତା ପରଠାରୁ ସିନ୍ଧୁଜାର ଆକାଶ ଘରକୁ ଆସିବା ବନ୍ଦ ହୋଇଗଲା । ଅଳ୍ପ ଦିନ ଭିତରେ ଆକାଶ ଶୁଣିଲା ସିନ୍ଧୁଜା ପାଇଁ ପ୍ରସ୍ତାବ ଖୋଜା ଚାଲିଛି ।

ସିନ୍ଧୁଜା ନିଜ ନାଁକୁ ସାର୍ଥକ କରି ଲକ୍ଷ୍ମୀଟିଏ । ସାଗର ମନ୍ଥନର ଫଳପ୍ରସୁତ ଦୁର୍ଲ୍ଲଭା ଦେବୀଟିଏ । ସାରା ବିଶ୍ୱବ୍ରହ୍ମାଣ୍ଡରେ ଅନନ୍ୟା । ଆକାଶ ପରି ଜଣେ ଗରିବ ଘରର ମଣିଷ ପାଇଁ ସେ ଜନ୍ମ ନେଇନି ନିଶ୍ଚୟ । ଏତିକି ଦିନ ଆକାଶ ସହିତ ତାର ଭାବ ଦିଆନିଆର ଦୁର୍ମୂଲ୍ୟ ମୂହୁର୍ତ୍ତ ସବୁ ଆକାଶ ପାଇଁ ଚିର ସ୍ମରଣୀୟ ହୋଇ ରହିବ । ଆକାଶର ସ୍ମୃତିର ଅଗଣାରେ ସିନ୍ଧୁଜା ଜହ୍ନଟିଏ ହୋଇ ସର୍ବଦା ଝଟକୁଥିବ । ଆକାଶ ଏଇତକ ଭାବି ଦେଇ ଗୋଟିଏ ଦୀର୍ଘଶ୍ୱାସ ସହ ହାଲ୍,କା କରିଦିଏ ନିଜ ମନ ।

ଆସନ୍ତା କାଲି ସିନ୍ଧୁଜାର ନିର୍ବନ୍ଧ । ଖୁବ୍ ଗୋଟିଏ ପ୍ରତିପତ୍ତି ସମ୍ପନ୍ନ ଘରେ ବିବାହ ସ୍ଥିର ହୋଇଛି ସିନ୍ଧୁଜାର । ଚାରିଦିନ ପରେ ବିବାହ । ସନ୍ଧ୍ୟା ସମୟରେ ଛୋଟ ଝିଅଟିଏ ଆକାଶର ଘର ବାରଣ୍ଡାକୁ ଉଠି ହାତ ମୁଠା ଖୋଲି ଛୋଟ କାଗଜଟିଏ ବଢ଼ାଇଦେଲା ତା ହାତକୁ । ଫୁସ୍ ଫୁସ୍ ସ୍ୱରରେ କହିଲା, ସିନ୍ଧୁ ଅପା ଦେଇଛି । କାଗଜଟି ଖୋଲି ଦେଖିଲା, ଲେଖା ହୋଇଛି ରାତି ୭.୦୦ଟା ମହାଦେବ ମନ୍ଦିର ପଛପାଖ । ବାସ୍ ସେତିକି, ଆଉ କିଛି ଲେଖା ନାହିଁ । ମହାଦେବ ମନ୍ଦିରଟା ସିନ୍ଧୁଜା ଘରଠାରୁ ଅଳ୍ପ ଦୂରରେ, ନଈ କଡ଼ରେ । ଆକାଶ ଯିବ କି ନା ଭାବୁଥିଲା । ଧରା ପଡ଼ିଯିବାର ଭୟ ତାକୁ ବେଶୀ ଗ୍ରାସ କରୁଥିଲା । ଗାଁ ଗହଳିରେ କଥା ଟିକେ ଉଚ୍ଚନୀଚ୍ଚ ହେଲେ ବଡ଼ ସମସ୍ୟା ହୋଇ ଦେଖାଦିଏ । ନିଜ ପାଇଁ ତାର ଯେତିକି ଭୟ ନ ଥିଲା, ସିନ୍ଧୁଜା ଓ ତା ପରିବାରର ମାନ, ସମ୍ମାନକୁ ନେଇ ତାର ଦ୍ୱିଧାବୋଧ ଅଧିକ ଥିଲା । ପରକ୍ଷଣରେ ସିନ୍ଧୁଜାର କରୁଣ, ଉଦାସ ଚେହେରାଟି ଆଖି ଆଗରେ ଭାସି ଆସି ତାକୁ ଅସ୍ତବ୍ୟସ୍ତ କରିଦେଲା । ଆଉ ମାତ୍ର ଅଳ୍ପ ଦିନ । ତାପରେ ସିନ୍ଧୁଜା ଆଉ କାହାର ହେଇଯିବ, ଏଇ ଭାବନାରେ ଆକାଶ ଛାତିରେ ଅସହ୍ୟ କୋହ ଜମାଟ ବାନ୍ଧି ତାକୁ ମହାଦେବ ମନ୍ଦିର ଆଡ଼କୁ ଅଗ୍ରସର ହେବାକୁ ଏକରକମ ବାଧ୍ୟ କରିଦେଲା । ମହାଦେବ ମନ୍ଦିରର ପଛପାଖରେ ପହଞ୍ଚି ଦେଖିଲା ସିନ୍ଧୁଜା ତାକୁ ଅପେକ୍ଷା କରି ଇତସ୍ତତଃ ହେଉଛି । ଆକାଶକୁ ଦେଖି ଟାଣି ନେଲା ମନ୍ଦିର ଚଉତରା ଉପରକୁ । କହିଲା, କେତେ ଡେରି କରିଦେଲ । ମୁଁ ତମକୁ ଅନେକ ସମୟ ହେଲା ଅପେକ୍ଷା କରିଛି । ଆକାଶ ଘଣ୍ଟାକୁ ଚାହିଁଲା, ସାତଟା ବାଜି ଦୁଇ ମିନିଟ୍ ହୋଇଛି । ପ୍ରତି ମିନିଟ୍ ସିନ୍ଧୁଜା ପାଇଁ ଗୋଟିଏ ଗୋଟିଏ ଘଣ୍ଟା ପ୍ରତୀତ ହୋଇଥିବ ! କହିଲା, କାଲିକି ମୋର ନିର୍ବନ୍ଧ ।

– ମୁଁ ଜାଣେ।

– ଜାଣିଛ ତ, କିଛି କରୁନାହଁ କାହିଁକି? ବ୍ୟଗ୍ର କଣ୍ଠରେ ପ୍ରଶ୍ନ କଲା ସିନ୍ଧୁଜା । ହୃଦୟରେ ତାର ଅମାପ କୋହ ।

– ମୁଁ କଣ କରିପାରିବି ? ଆକାଶ ଅସହାୟ କଣ୍ଠରେ କହିଲା ।

– କଣ କରିପାରିବ ମାନେ ? ମୋତେ ଭଲପାଇବା ବେଳକୁ ତ ଖୁବ୍ ସାହସ ଥିଲା । ବଡ଼ ଜୋର୍ କରି ଭିଡ଼ି ନେଉଥିଲ ନିଜ ଆଡ଼କୁ ?

ଆକାଶ ମୁହଁ ତଳକୁ କଲା ।

– ତମେ କଣ କରିବ ମୁଁ ଜାଣିନି । ମୁଁ କିନ୍ତୁ ତମକୁ ଛାଡ଼ି ଆଉ କାହାକୁ ବାହା ହେବିନି ।

ଆକାଶ ନିରୁତ୍ତର। ସେ ଭାବୁଥିଲା ନିଜ କଥା, ଘରର ପରିସ୍ଥିତି କଥା । ବର୍ତ୍ତମାନ ସୁଦ୍ଧା ଆକାଶର କଲେଜ ପଢ଼ା ସରିନାହିଁ । ଟ୍ୟୁସନ୍ ଛାଡ଼ିଦେଲେ କୌଣସି ରୋଜଗାର ପନ୍ଥା ନାହିଁ । ଗାଁ ଲୋକଙ୍କ ଆଗରେ ବାପା ବାଙ୍କବିହାରୀଙ୍କ ବୋଲହାକ କରୁଥିବା ଗୁମାସ୍ତା । ତା ପରିବାରର ସ୍ଥିତି ବାଙ୍କବିହାରୀଙ୍କ ପରିବାର ଆଗରେ ନିହାତି ତୁଚ୍ଛ, ନଗଣ୍ୟ । ତାଛଡ଼ା ଆକାଶର ବୟସ ବା କେତେ, ଭଲମନ୍ଦ ବିଚାର କରିବା ପାଇଁ ? ସିନ୍ଧୁଜାର ବାପା ଯଦି ତା ବିଷୟରେ କିଛି ଚିନ୍ତା କରିଛନ୍ତି, ନିଶ୍ଚିତ ଭାବରେ ତାର ଭଲ ପାଇଁ । ଏଥିରେ ଆକାଶ କି ରୂପେ ହସ୍ତକ୍ଷେପ କରିପାରିବ ?

ଆକାଶର ସାର୍ଟ୍‌ର ଛାତି ପାଖକୁ ଧରି ଖୁବ୍ ଜୋର୍.ରେ ହଲାଇ ଦେଲା ସିନ୍ଧୁଜା।

– ମୋର ପରୀକ୍ଷା ନିଅନି, ପ୍ଳିଜ୍ । ମୁଁ ତମକୁ ମୋ ପ୍ରାଣଠୁ ବଳି ଭଲପାଏ । କିଛି ବି କରି ଏ ବାହାଘର ବନ୍ଦ କରିଦିଅ । ତମକୁ ଛାଡ଼ି ମୁଁ ରହି ପାରିବିନି । କିଛି ସମୟ ନିରବ ରହି କହିଲା, ମୋତେ ନେଇ କୁଆଡ଼େ ପଳେଇଚାଲ ।

ଆକାଶ ନିର୍ବାକ୍ ଚାହିଁଲା ସିନ୍ଧୁଜା ଆଡ଼କୁ ।

– କଣ ଏତେ ଭାବୁଛ ? ତମେ ଯେତେବେଳେ ଚାହିଁବ, ମୁଁ ପ୍ରସ୍ତୁତ ଅଛି । ଏଇ ବର୍ତ୍ତମାନ କହିଲେ ବି ତମ ସହିତ ଯିବାକୁ ପ୍ରସ୍ତୁତ । ଜଲ୍‌ଦି କିଛି କର… … … ମୋତେ ଘରେ ଖୋଜୁଥିବେ… … … ତମେ କିଛି କହୁନ ଯେ ? ତମେ ଭଲରେ ଭାବିକି ସେଇ ଝିଅ ହାତରେ ଲେଖି ପଠେଇବ । ମୋତେ ଯିବାକୁ ହେବ। ସିନ୍ଧୁଜା ଉଠି ଠିଆ ହୋଇପଡ଼ିଲା ।

ଆକାଶ ବି ଠିଆ ହେଲା । ତାକୁ କିଛି ବୁଦ୍ଧିବାଟ ଦିଶୁନଥିଲା । ଅସହାୟ ଲାଗୁଥିଲା ନିଜକୁ । ସିନ୍ଧୁଜା ଖୁବ୍ ଜୋର୍‌ରେ ଜାବୁଡ଼ି ଧରିଲା ଆକାଶକୁ । ହାତ ପାପୁଲିରେ ତା ମୁହଁଟାକୁ ଭଲ କରି ଆଉଁସି ନେଲା । ଆଖିରୁ ତାର ଝର ଝର ହୋଇ ଝରି ପଡ଼ୁଥିବା ଲୋତକ ଧାରରେ ଆକାଶର କାନ୍ଧ ଓ ବେକ ଓଦା ହୋଇ ଯାଇଥିଲା । ବୁଲି ପଡ଼ିଲା ବେଳକୁ ଆକାଶର ହାତ ସିନ୍ଧୁଜାର ହାତକୁ ଧରି ନେଇଥିଲା ଆବେଗରେ ।

– ମୁଁ ବି ତୋତେ ଛାଡ଼ି ରହି ପାରିବିନି ସିନ୍ଧୁଜା ।

ଅନିଚ୍ଛା ସତ୍ତ୍ୱେ ହାତ ଛଡ଼ାଇ ନେଇ ଲୁହ ପୋଛି ଚାଲିଗଲା ସିନ୍ଧୁଜା । ଆକାଶ ସେଇ ଚାରିଦିନ ଭିତରେ ସାହସ କୁଳେଇ ପାରିନି ଛୋଟ ଝିଅଟିକୁ ଡାକି କାଗଜଟିଏ ଦେବାକୁ ।

ଲୋକପ୍ରିୟ ଲେଖା

To Top