ଗଳ୍ପ

ସିଂହ-ଶଶକ ଉପାଖ୍ୟାନ

Manoj Das's odia story Sinha Shashaka Upaakhyaana

“ଆସ ରାଜା । ସଙ୍କୋଚ କାହିଁକି ।” କହି ସିଂହବାଳା ଅଚାନକେ ଅକିଞ୍ଚନକୁ ଭିଡ଼ିଆଣିଲା ଗୁମ୍ଫା ଭିତରକୁ । ତାହା ଯେ ଉଦ୍‌ବେଳ ପ୍ରେମଜନିତ ଭିଡ଼ା ନୁହେଁ, ଏତକ ବୁଝିବାକୁ ଶଶକର ବିଳମ୍ୱ ହେଲା ନାହିଁ ।

ସିଂହ-ଶଶକ ଉପାଖ୍ୟାନ

“ଗୁରୁ ସାଆନ୍ତେ । କ୍ଷମା କରିବେ । ଗତ ରାତିରେ ଆପଣ ଆପଣଙ୍କ ଗୁରୁଭାଇଙ୍କ ସହ ଗପସପ ହେବାବେଳେ ମୁଁ କିନ୍ତୁ ଚେଇଁଥିଲି ।” – ରମ୍ଭାରଣ୍ୟସ୍ଥିତ ସାଧୁ ଅନିନ୍ଦ୍ୟାନନ୍ଦ ନାମକ ଗୁରୁଭାଇଙ୍କ ଆଶ୍ରମରେ ଦୁଇଦିନ ବିତାଇ ପୁଣି ବାଟଚଲାରେ ଅବତୀର୍ଣ୍ଣ ହେବାର ଦୁଇଘଣ୍ଟା ଉତ୍ତାରୁ ସାମନ୍ତଙ୍କୁ ବଡ଼ ରହସ୍ୟପୂର୍ଣ୍ଣ କଣ୍ଠରେ କହିଲା ଅବୋଲକରା ।

“କିଛି ଅନ୍ୟାୟ କରି ନାହୁଁ- କ୍ଷମା ପ୍ରାର୍ଥନା ଅପ୍ରାସଙ୍ଗିକ ।” – ସାମନ୍ତ କହିଲେ ।

“କ୍ଷମା ଚାହୁଁଛି ଆପଣମାନଙ୍କ କଥାବାର୍ତ୍ତାର କିୟଦଂଶ ଶୁଣିପକାଇଥିବା ଯୋଗୁଁ ନୁହେଁ, ସାଆନ୍ତେ, ଆପଣଙ୍କୁ ଆହୁରି ଅଧିକ କଥା କୁହାଇବା ନିମନ୍ତେ ବାଧ୍ୟ ହେଉଛି ବୋଲି ।”

“ବାଧ୍ୟ କିଏ କରୁଛି, ବାବା ।”

“ଆଜ୍ଞା । କିଏ କରୁଛି । ମୋର ଧର୍ମ ବୋଧହୁଏ ।”

“ଅବୋଲ । ତୋ ଧର୍ମ ଆବିଷ୍କାର କଲା ଭଳି ତୁ ଜଣେ ଜ୍ଞାନୀ ପୁରୁଷ, ଏକଥା ମୁଁ ଜାଣିନଥିଲି ।”

ଅବୋଲକରା ଲାଜେଇ ହସିଲା । “ସାଧୁ ଅନିନ୍ଦ୍ୟାନନ୍ଦଙ୍କ ଆଶ୍ରମରେ ଗୋଟିଏ ସିଂହ ଓ ଗୋଟିଏ ଶଶକର ଅସଲ ଛାଲ ଘୋଡ଼ା ହୋଇ ରହିଥିବା ଅତ୍ୟନ୍ତ ପୁରୁଣା ମୂର୍ତ୍ତି ଦୁଇଟିକୁ ନେଇ ଧର୍ମ ଅଧର୍ମ ସମ୍ପର୍କରେ ଆପଣ ଦୁହେଁ କିଛି ଆଲୋଚନା କରୁଥିଲେ । ଶବ୍ଦଟି ବ୍ୟବହାର କରିବାର ଲୋଭ ସମ୍ୱରଣ କରିପାରିଲି ନାହିଁ ।”

“ଓଃ, ଯେଉଁ ବ୍ୟାପାର ଉପରେ ଆମେ ଟୀକାଟିପ୍ପଣୀ ଆଦାନପ୍ରଦାନ କରୁଥିଲୁ, ସେଇ ଗୋଟିକ ଶୁଣିବାକୁ ତୋର ଆଗ୍ରହ । ଶୁଣ ତେବେ ।”

ସାଆନ୍ତ ଗପିଲେ,

ପଞ୍ଚତନ୍ତ୍ରରେ ରହିଛି ଏକ ନିର୍ବୋଧ ସିଂହ ଓ ବିଚକ୍ଷଣ ଶଶକର କାହାଣୀ । ଏକଦା ଭାସୁରକ ନାମକ ସିଂହଟି ଆମେ ପଛରେ ଛାଡ଼ି ଆସିଥିବା ରମ୍ଭାରଣ୍ୟର ରାଜା ଥିଲା । ତେବେ, ରମ୍ଭାରଣ୍ୟକୁ ଲାଗି ରହିଥିଲା ଅଧୁନାଲୁପ୍ତ ଏକ ଉପାରଣ୍ୟ ।

ରମ୍ଭାରଣ୍ୟ ସିଂହର ଅସଲ ରାଜ୍ୟ ହୋଇଥିବା ସ୍ଥଳେ ଉପାରଣ୍ୟଟିକୁ ସେ ନିଜର ଉପନିବେଶ ଭଳି ଦେଖୁଥାଏ । ମଧ୍ୟେ ମଧ୍ୟେ ସେ ଯାଇ ଉପାରଣ୍ୟରେ ଦିନେ ଦୁଇଦିନ ବିତାଉ ଥାଏ । ସେତେବେଳେ ଉପନିବେଶର ଭିତରୁ ରାଜାଙ୍କ ପ୍ରାତାହାର, ଦିବାହାର ଓ ନୈଶାହାର ନିମନ୍ତେ ଏକ ଏକ ପ୍ରାଣୀ ନିଜ ନିଜକୁ ସମର୍ପଣ କରୁଥାନ୍ତି- ପଶୁପଞ୍ଚାୟତର ସିଦ୍ଧାନ୍ତ ଅନୁସାରେ ।

ନିଦାଘ ଋତୁରେ ଦିନକର ମଧ୍ୟାହ୍ନରେ ସିଂହରାଜ ଭାସୁରକ ଆସି ଉପନିବେଶ ମଝିରେ ଥିବା ପାହଡ଼ୋପରି ତା ଗୁମ୍ଫାରେ ଉପନୀତ ହୁଅନ୍ତେ ଉପାରଣ୍ୟର ନେତୃସ୍ଥାନୀୟ ପଶୁବର୍ଗ ଯାଇ ତାକୁ ଅଭିବାଦନ ଜଣାଇଲେ ଓ ଶୀଘ୍ର ଦିବାହାର ପଠାଇବେ ବୋଲି କହିଲେ ।

“ଆଜି ପ୍ରତ୍ୟୁଷରୁ ମୋ କନ୍ୟା କୁମାରୀ ସିଂହବାଳାକୁ ଶିକାର ଶିକ୍ଷା ଦେଉଥିଲି । ସିଂହବାଳା ବାପ୍‌କା ବେଟି । ଗୋଟାଏ ବଡ଼ ମୃଗ ମାରି ବିଜୟ ଆନନ୍ଦରେ ମୋତେ ହିଁ ସେ ଗୋଟିକ ପୁରା ଖାଇବାକୁ ବାଧ୍ୟ କଲା, ତେଣୁ ଆପାତତଃ କ୍ଷୁଧା ନାହିଁ । ଅପରାହ୍ଣ ବେଳକୁ ଗୋଟାଏ ଛୋଟିଆ ମୁଟିଆ କିଛି- ଶଶକଟାଏ- ପଠାଇଲେ ଚଳିବ । ବ୍ୟସ୍ତ ହୁଅନାହିଁ । ମୁଁ କ୍ଳାନ୍ତ । ଟିକିଏ ବିଶ୍ରାମ କରିନିଏ ।”

ରାଜାଙ୍କ ଉଦାରତାର ଭୂୟସୀ ପ୍ରଶଂସା କରି ପଶୁନେତାମାନେ ବିଦାୟ ନେଲେ ଏବଂ ଅକିଞ୍ଚନ ନାମକ ଶଶକକୁ ସିଂହରାଜାର ଲଘୁ ଦିବାହାର ନିମନ୍ତେ ମନୋନୀତ କଲେ ।

ଅକିଞ୍ଚନ କିନ୍ତୁ ଅପରାହ୍ଣରେ ନୁହେଁ, ଶେଷ ଅପରାହ୍ଣରେ ଯାଇ ସିଂହ ଭାସୁରକ ଆଗରେ ନିଜକୁ ଉପସ୍ଥାପନ କଲା ।

ଦିବାନିଦ୍ରା ପରେ ପରେ ସିଂହରାଜ ଆହାରକୁ ଅପେକ୍ଷା କରୁଥିଲା ଓ ବିଳମ୍ୱ ଦେଖି ପଶୁପଞ୍ଚାୟତର ମୁଖ୍ୟ ବରାହକୁ ଦେଖିଲେ ତା ଦାନ୍ତ ଭାଙ୍ଗି ଦେବା କଥା ବି ବିବେଚନା କରୁଥିଲା । ଅକିଞ୍ଚନ ପୁଣି ଶଶକମାନଙ୍କ ଭିତରେ କ୍ଷୀଣତନୁ ଭାବରେ ଜଣାଶୁଣା ଥିଲା । ତାକୁ ଦେଖି ବିରକ୍ତି ଭରେ ସିଂହ କିଛି କହିବାକୁ ଯାଉଛି, ଅକିଞ୍ଚନ ନମ୍ର ନମସ୍କାର ପକାଇ କହିଲା, “ମହାରାଜ । କିଛି ଦୁଷ୍ପ୍ରାପ୍ୟ ମସଲା ସଂଗ୍ରହ କରିଥିଲି । ମୋ ମାଂସ ସହ ତାହା ଲଗାଇ ଖାଇଲେ ଅପୂର୍ବ ସୁସ୍ୱାଦୁ ଲାଗନ୍ତା । କିନ୍ତୁ ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀ ସେତକ ରଖିନେଲେ ଏବଂ କହିଲେ, ମସଲା ସହଯୋଗେ ମାଂସାହାର କେବଳ ସଭ୍ୟ ସିଂହମାନଙ୍କର ଅଭ୍ୟାସ, ଆପଣଙ୍କ ଭଳି ଜଙ୍ଗଲୀ ସିଂହମାନେ ତାର ମୂଲ୍ୟ ବୁଝନ୍ତି ନାହିଁ ।”

ସିଂହ ଭାସୁରକ ଉତ୍ତ୍ୟକ୍ତ ହୋଇ ତାର ପୁଣି ପ୍ରତିଦ୍ୱନ୍ଦ୍ୱୀ କାହୁଁ ଅଇଲା ବୋଲି ଜିଜ୍ଞାସା କରନ୍ତେ, ଶଶକ ଅକିଞ୍ଚନ କହିଲା କି, ସେ ଗୋଟାଏ ଭୂଗର୍ଭ ଗୁମ୍ଫାରେ ଅବସ୍ଥାନ କରୁଛି । ଅତଃପର ଭାସୁରକକୁ ଦିଗ୍‌ଦର୍ଶନ ଦେଇ ସେ ଗୋଟାଏ କୂଅ ପାଖକୁ ନେଇଯାଇ କିପରି ଭିତରକୁ ଅନାଇବାକୁ କହିଲା ଓ ନିଜ ପ୍ରତିଫଳନକୁ ପ୍ରତିଦ୍ୱନ୍ଦ୍ୱୀ ମନେକରି ତାକୁ ଜବତ୍ କରିବା ମାନସରେ ଭାସୁରକ କିପରି କୂଅ ଭିତରକୁ କୁଦି ପଡ଼ିଲା ଏବଂ ପ୍ରାଣଟି ହରାଇଲା, ମହାପଣ୍ଡିତ ବିଷ୍ଣୁଶର୍ମା ଏତକ କହି କାହାଣୀଟି ଶେଷ କରିଛନ୍ତି ।

କିନ୍ତୁ ପରବର୍ତ୍ତୀ ବ୍ୟାପାର ଏମନ୍ତ,

ଅକିଞ୍ଚନ ଅଚିରେ ବନିଗଲା ଉପାରଣ୍ୟର ସର୍ବପଶୁ ପ୍ରିୟ ନେତା । ଚାପୁଡ଼ା ପରେ ଚାପୁଡ଼ା ଦେଇ ସେ କୁମାର ସିଂହରାଜକୁ ପଛକୁ ପଛ ଠେଲି ଟେଲି ନେଇଯାଇ କୂଅରେ ପକାଇ ଦେଲା, ମତାନ୍ତରେ ସେ ସିଂହର କଣ୍ଠରୋଧପୂର୍ବକ ପ୍ରାଣ ନେଇ ସାରି ଗଭୀର କୂଅକୁ ତା କଳେବର ନିକ୍ଷେପ କଲା- ଏସବୁକୁ ତଥ୍ୟରୂପେ ଗ୍ରହଣ କରି ପଶୁକୁଳ ଏହା ଉପରେ ଅକ୍ଳାନ୍ତ ଚର୍ଚ୍ଚା କରିଚାଲିଲେ । ଉପାରଣ୍ୟ ସ୍ୱାଧୀନତା ଘୋଷଣା କଲା ଏବଂ ଶଶକ ଅକିଞ୍ଚନ ହେଲା ନୂଆ ରାଜା ।

ଅପ୍ରତ୍ୟାଶିତ ଭାବରେ ଦିନେ ମୃକ ସିଂହରାଜର ମନ୍ତ୍ରୀ ଚମକପ୍ରଦ ନାମଧେୟ ଶୃଗାଳ ଆସି ଦରବାର ମଝିରେ ଅକିଞ୍ଚନକୁ ଅଭିନନ୍ଦନ ଜଣାଇ କହିଲା, ମହାରାଜ । ଆମ ରାଜବଂଶର ପ୍ରାଚୀନ, ପବିତ୍ର ପରମ୍ପରା ଅନୁସାରେ ଯିଏ ରାଜାଙ୍କ ପ୍ରାଣହାନି ଘଟାଏ, ସିଏ ରାଜକନ୍ୟାଙ୍କୁ ବିବାହ କରିବା ନିମନ୍ତେ ହକ୍‌ଦାର । ଆପଣ ଏ ପରମ୍ପରା ଭାଙ୍ଗନ୍ତୁ ନାହିଁ, ଆମକୁ ହତାଶ କରନ୍ତୁ ନାହିଁ । ଆସନ୍ତୁ, ଆମ ରାଜକନ୍ୟା ସୁନ୍ଦରୀ ସିଂହବାଳାଙ୍କ ପାଣି ଗ୍ରହଣ କରି ଆମକୁ କୃତାର୍ଥ କରନ୍ତୁ ।

ଅକିଞ୍ଚନର ସଭାସଦ୍‌ବର୍ଗ ହର୍ଷନା କଲେ । ବଡ଼ ରୋମାଞ୍ଚିତ ଅନୁଭବ କଲା ଅକିଞ୍ଚନ ସ୍ୱୟଂ । ବ୍ୟବସ୍ଥା କ୍ଷୀପ୍ର ଗତିରେ ଆଗେଇ ଚାଲିଲା । ଉପାରଣ୍ୟର ଶଶକବର୍ଗଙ୍କ ଉଲ୍ଲାସ କହିଲେ ନ ସରେ ।

ଅନ୍ୟାନ୍ୟ ପଶୁବର୍ଗ ମଧ୍ୟ ଆହ୍ଲାଦିତ ହେଲେ । ସେମାନଙ୍କ ରାଜା ଜଣେ ସିଂହ-ଘାତକ, ଏଥିରେ ସେମାନେ ଯେତିକି ଗର୍ବ ଅନୁଭବ କରୁଥିଲେ, ତାଙ୍କ ରାଜା ସିଂହକନ୍ୟାର ସ୍ୱାମୀ ହେବେ, ସେଥିରେ ସେମାନେ ତତୋଽଧିକ ଗର୍ବ ଅନୁଭବ କଲେ ।

ଉପାରଣ୍ୟର ବିଶିଷ୍ଟ ଏବଂ ବୃହଦାକାର ପଶୁମାନଙ୍କ ଗହଣରେ, ଗୋଟିଏ ରାଜଭକ୍ତ ହାତୀ ପିଠିରେ ବସି ଅକିଞ୍ଚନ ରମ୍ଭାରଣ୍ୟରେ ପହଞ୍ଚି ସିଂହବାଳାକୁ ବିବାହ କରି ନେଇଆସିଲା ଉପାରଣ୍ୟର କେନ୍ଦ୍ର ପାହାଡ଼ ଉପରିସ୍ଥ ଗୁମ୍ଫାକୁ । ସମାଗତ ହେଲା ବାସର ରଜନୀ । ଅମାତ୍ୟମାନେ ପାହାଡ଼ ତଳକୁ ଅପସରି ଗଲେ ।

ଗୁମ୍ଫାର ଅର୍ଦ୍ଧାଧିକ ଥିଲା ଜ୍ୟୋତ୍ସ୍ନା-ପ୍ଲାବିତ । ଝିଙ୍କାରିମାନଙ୍କ ରାବ ଛଡ଼ା ଆଉ ସବୁ ନିରବ । ଗୁମ୍ଫା ଭିତରେ ଅପେକ୍ଷାରତା ସିଂହବାଳା ।

ଦ୍ୱାରଦେଶରେ ଅକିଞ୍ଚନ ନିଜର କର୍ତ୍ତବ୍ୟ ବିଷୟରେ ଚିନ୍ତା କରୁଛି, ହଠାତ୍ ତା ଛାତିରେ ପଶିଗଲା ଅନନୁଭୂତପୂର୍ବ ଛନକା ।

“ଆସ ରାଜା । ସଙ୍କୋଚ କାହିଁକି ।” କହି ସିଂହବାଳା ଅଚାନକେ ଅକିଞ୍ଚନକୁ ଭିଡ଼ିଆଣିଲା ଗୁମ୍ଫା ଭିତରକୁ । ତାହା ଯେ ଉଦ୍‌ବେଳ ପ୍ରେମଜନିତ ଭିଡ଼ା ନୁହେଁ, ଏତକ ବୁଝିବାକୁ ଶଶକର ବିଳମ୍ୱ ହେଲା ନାହିଁ । ମୁହୂର୍ତ୍ତକ ଭିତରେ ସମଗ୍ର ଜୀବନ ମନେ ହେଲା ପ୍ରହେଳିକାପୂର୍ଣ୍ଣ । ରାଜ-ଗୌରବ, ନିଜ ଶୌର୍ଯ୍ୟ ସମ୍ପର୍କରେ ଯେଉଁ ସବୁ କିମ୍ୱଦନ୍ତୀକୁ ସେ ନିଜେ ବିଶ୍ୱାସ କରିନେଇଥିଲା, ସେସବୁ ଆକାଶରୁ ଇନ୍ଦ୍ରଧନୁ ବିଲୀନ ହେବା ପ୍ରାୟେ ଲିଭିଗଲେ ।

“ସ୍ୱାମୀମାନେ ଏମିତି ବଲବଲ ଅନାଇ ରହିବା ବିଧି ନୁହେଁ, ସେମାନଙ୍କଠାରୁ ଅଧିକ କିଛି ଆଶା କରାଯାଏ ।” ଏ କଥା କହୁ କହୁ ସିଂହବାଳା ବିଚରା ଶଶକର ମାଂସପେଶି ଚିପି କରାଇଲା- “ଆହା । ମୋ ବାପାଙ୍କ ରୁକ୍ଷ ଗାଲରେ ଚାପୁଡ଼ା ମାରି ଏ ସୁକୁମାର ପାପୁଲିକୁ କେତେ ବାଧିଥିବ ।”

ମାଂସପେଶିର ସେମିତି ଯନ୍ତ୍ରଣାରେ ବାଘ ବି ଆର୍ତ୍ତନାଦ କରନ୍ତା, କିନ୍ତୁ ସେତିକି କରିବା ନିମନ୍ତେ ମଧ୍ୟ ଶଶକର ଉତ୍ସାହ ନ ଥିଲା ।

“ଶୁଣ ଶଶକ । ତମେ ଯେହେତୁ ପ୍ରତାରଣାର ଆଶ୍ରୟ ନେଇ ମୋ ପୂଜ୍ୟ ପିତାଙ୍କୁ ମାରିପକାଇଲ, ତଦ୍ରୁପ ପ୍ରତାରଣା ମାଧ୍ୟମରେ ତମକୁ ମାରିବା ମୋର କର୍ତ୍ତବ୍ୟ ବୋଲି ମୋ ଜନନୀ ତଥା ପିତୃ-ବନ୍ଧୁମାନଙ୍କର ସିଦ୍ଧାନ୍ତ ।” – କହିଲା ସିଂହବାଳା ।

“ମୁଁ ସେଥିରେ ଏକମତ ।” – ମୁହୂର୍ତ୍ତକ ଭିତରେ ଜୀବନ ଉପରେ, ଜୀବନର ବହୁ ଧ୍ୟାନ-ଧାରଣା ଉପରେ ମୋହମୁକ୍ତ ହୋଇପାରିଥିବା ଶଶକ କହିଲା ।

“କିନ୍ତୁ ମୁଁ ନୁହେଁ ।” କହିଲା ସିଂହବାଳା । “ଶକ୍ତିବଳରେ ଆତ୍ମରକ୍ଷା ପାଇଁ ଯାହାର ଉପାୟ ନାହିଁ, ଛଳର ଆଶ୍ରୟ ନେବା ତାର ଅଧର୍ମ ନୁହେଁ ବୋଲି ମହାମତିମାନେ ମତ ଦେଇଛନ୍ତି । ମୋ କ୍ଷେତ୍ରରେ ଆତ୍ମରକ୍ଷା ସମସ୍ୟା ନୁହେଁ । ତା ଛଡ଼ା ସିଂହ ଯୁଗେ ଯୁଗେ ଶଶକଠୁଁ ବଳଶାଳୀ, ତେଣୁ ପ୍ରତାରଣା ଭିତରେ ତୁମକୁ ମାରିବା ମୋ ପକ୍ଷରେ ଅଧର୍ମ । ତୁମେ ବରଂ ଲୁଚି ଲୁଚି ପଳାଇଯାଅ । ମୁଁ ତୁମକୁ ଖାଇଦେଇଛି ବୋଲି ସମସ୍ତେ ଜାଣିବେ ।”

କୋହ ସମ୍ୱରଣ କରି ଶଶକ କହିଲା, “ହେ ରାଜକନ୍ୟା ସିଂହବାଳା । ମୋର ବିଶ୍ୱାସ, ତମେ ଅତ୍ୟନ୍ତ ମହତ୍ । ମୋତେ ଦୟାକର । ଭୀରୁ, ପଳାତକ ରୂପେ ଜୀବନଯାପନ କରିବାର ଦୁର୍ଭାଗ୍ୟରୁ ମୋତେ ରକ୍ଷାକର, ଅର୍ଥାତ୍, ମୋତେ ଭକ୍ଷଣ କର । ଯେତେ ଯାହା ହେଉ, ଶଶକ ମାତ୍ରେ ସିଂହର ସ୍ୱାଭାବିକ୍ ଆହାର ।”

“ଶଶକପୁତ୍ର ।” କଣ୍ଠସ୍ୱରରେ ଅସ୍ୱାଭାବିକ ମାଧୁର୍ଯ୍ୟ ଫୁଟାଇ କହିଲା ସିଂହବାଳା, “ଶଶକ ସିଂହର ସ୍ୱାଭାବିକ୍ ଆହାର, ଠିକ୍, କିନ୍ତୁ ମୋତେ ଓ ତୁମକୁ ନେଇ ଏହି ଯେଉଁ ପରିସ୍ଥିତି, ଏହାକୁ କଣ ସ୍ୱାଭାବିକ୍ କୁହାଯାଇପାରିବ । ବିବାହ ଗୋଟିଏ ଶକ୍ତିଶାଳୀ ଅନୁଷ୍ଠାନ । ସେ ଅନୁଷ୍ଠାନ ଅନୁସାରେ ଧର୍ମତଃ ତୁମେ ମୋର ସ୍ୱାମୀ । ସ୍ୱାମୀ-ଭକ୍ଷଣ ଅଧର୍ମ ପରା ।”

ଶଶକର ଶୁଷ୍କ ହଲକ ଉପରେ ଅସରାଏ ବର୍ଷା ହୋଇଗଲା । ସେ ପାହାଡ଼ର ନିମ୍ନ ଦେଶରେ ଦିଗନ୍ତ ବ୍ୟାପୀ ଜ୍ୟୋତ୍ସ୍ନା ସ୍ନାତ ବୃକ୍ଷଲତା ଆଡ଼େ ଅନାଇ ରହି କହିଲା, “ସିଂହରାଜସୁତା । ଏ ଦୀନହୀନ ଶଶକକୁ ଯଦି ସ୍ୱାମୀର ମର୍ଯ୍ୟାଦା ଦେଉଛ, ତେବେ ତାହା ହିଁ ମୋ ଜୀବନର ଚୂଡ଼ାନ୍ତ ଗୌରବ । ତାହା ତୁଳନାରେ ମିଥ୍ୟାଶ୍ରୟୀ ରାଜାଟିଏ ବୋଲାଇବାରେ କେଉଁ ଆନନ୍ଦ । ସେ ତ ସର୍ବଦା ଆଶଙ୍କା ଓ ଗ୍ଲାନିବୋଧରେ ପୀଡ଼ିତ । ମୋତେ ଖାଇବାକୁ ରୁଚି ହେଉନଥିଲେ ନ ଖାଅ” କିନ୍ତୁ ମାରିଦିଅ ।”

ସିଂହବାଳା କିଛି ଚିନ୍ତା କରୁଥିଲା । ସେ କହିଲା, “ଆମ ଅରଣ୍ୟରେ ଏକ ପ୍ରାନ୍ତରେ ରହନ୍ତି ଜଣେ ଋଷି । ମୋତେ ସ୍ନେହ କରନ୍ତି, ଆଉଁସି ଦିଅନ୍ତି । ମଧ୍ୟେ ମଧ୍ୟେ ତାଙ୍କ କୁଟୀର କୋଣରେ ଶୋଇ ରହି ଶିଷ୍ୟମାନଙ୍କ ଉଦ୍ଦେଶ୍ୟରେ ସେ ଦେଉଥିବା ପ୍ରବଚନ ଶୁଣୁଥାଏ । ସେ ଥରେ କହୁଥିଲେ, ଯେଉଁ ପ୍ରେମ ଦୈହିକ ଅଭିଳାଷ ବିରହିତ, ତାହା ବିମଳ । ମୋର ମନହୁଏ, ମୁଁ ତୁମ ପ୍ରତି ସେମିତି କିଛିଅନୁଭବ କରୁଛି । ପ୍ରଭାତ ହେବାମାତ୍ରେ ମୋ ଜନନୀ-ପ୍ରେରିତ ଦୂତମାନେ ମୋତେ ନେବାକୁ ଆସି ପହଞ୍ଚିବେ । ତୁମେ ଜୀବିତ ରହିବା ସେମାନେ ସହିବେ ନାହିଁ । ଶୃଗାଳ ହେଲେ ବି ମନ୍ତ୍ରୀ ଚମକପ୍ରଦ ମାରାତ୍ମକ । ଚାଲ, ସେ ଶୁଭେଚ୍ଛୁ ଋଷିଙ୍କୁ ଯାଇ ସବୁକଥା ଜଣାଇବା । ସେ ସମସ୍ତଙ୍କୁ ବୁଝାଇ ଦେଇପାରିବେ ବୋଲି ମୋର ବିଶ୍ୱାସ ।”

ଗଳ୍ପସଳ୍ପ ହେଉ ହେଉ ସେମାନେ ପରସ୍ପର ନିକଟତର ହେଲେ ସତ, କିନ୍ତୁ ଉଛୁର ହୋଇଗଲା । ସୂର୍ଯ୍ୟୋଦୟର ଅବ୍ୟବହିତ ପୂର୍ବରୁ ସେମାନେ ପାହାଡ଼ରୁ ଅବତରଣ କରିବାର ଦେଖି ଉପାରଣ୍ୟର ଜୀବମାନେ ଅବଶ୍ୟ ପୁଲକିତ ହେଲେ, ଶଶକ ରାଜାର ବ୍ୟକ୍ତିତ୍ୱ ସମ୍ପର୍କରେ ନିଃସନ୍ଦେହ ହେଲେ, କିନ୍ତୁ ଥରେ ରମ୍ଭାରଣ୍ୟରେ ପ୍ରବେଶ କରିବା ମାତ୍ରେ ସେମାନଙ୍କୁ ବହୁତ ଜଗି ଜଗି, ଅଙ୍କାବଙ୍କା ପଥ ଧରି, କଦବା ଅନ୍ୟମାନଙ୍କ ଦୃଷ୍ଟି ଏଡ଼ାଇବା ନିମନ୍ତେ କିଛିକିଛି ସମୟ ଲୁଚି ରହି ଅଗ୍ରସର ହେବାକୁ ପଡ଼ିଲା । ଅବଶେଷରେ ଯେତେବେଳେ ଦୁହେଁ ଋଷିଙ୍କ ଆଶ୍ରମର ସମୀପବର୍ତ୍ତୀ ହେଲେ, ସେତେବେଳେ ସେମୁଲକର ରାଜା ମୃଗୟା ନିମନ୍ତେ ସଦ୍ୟ ଅରଣ୍ୟରେ ପ୍ରବେଶ କରିଥାନ୍ତି । ହଠାତ୍ ତାଙ୍କ ତୀର ସିଂହବାଳା ଦେହରେ ଓ ରାଜପୁତ୍ରଙ୍କ ତୀର ଶଶକ ଦେହରେ ନିବଦ୍ଧ ହେଲା । ଦୁହେଁ ଅଳ୍ପଦୂର ଯାଇ ଟଳି ଟଳି ତଳେ ପଡ଼ିଗଲେ ।

କୁଟୀରରୁ ନିଷ୍କ୍ରାନ୍ତ ହେଉଥିଲେ ଋଷଇ । କଠୋର କଣ୍ଠରେ ସେ କହିଲା, “ତୁମେ ଏଡ଼େ ମୂଢ଼ ରାଜା । ସିଂହ ଓ ଶଶକ ଏକତ୍ର ଅଗ୍ରସର ହେଉଛନ୍ତି, ପ୍ରକୃତିର ଏଡ଼େ ଚମତ୍କାର ବୈଚିତ୍ର୍ୟ, ଏତେ ସୁନ୍ଦର ଦୃଶ୍ୟ ତୁମକୁ ମାମୁଲି ଶିକାର ପ୍ରବୃତ୍ତିରୁ ଅନ୍ତତଃ ସାମୟିକ ଭାବରେ ବି ଓହରାଇ ଆଣି ପାରିଲା ନାହିଁ । ଏ ସିଂହ ଓ ଶଶକଙ୍କ ଚେତନା ତୁଳନାରେ ତୁମେ କେଡ଼େ ଅଧମ !”

ରାଜା ଓ ରାଜପୁତ୍ର ପଳାୟନ କଲେ । ଋଷିଙ୍କ ଶିଷ୍ୟମାନେ ମୃତ ପଶୁ ଦୁଇଟିକୁ ଗୋଟାଇ ଆଣି, ସେମାନଙ୍କ ଛାଲ ଭିତରେ ବିହିତ ଉପାଦାନମାନ ପୁରାଇ ସେ ଦୁଇଟିକୁ ମୂର୍ତ୍ତି ଭାବରେ ରଖିଲେ । ଅଦ୍ୟାବଧି ରହିଛି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top